इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୭

ଗୀତ ୫୧ ହମ୍‌ ୟହୋବା କୋ ସମର୍ପିତ୍‌ ହୁଏ !

ଆମେ ନାସରୀୟମାନଙ୍କଠାରୁ କʼଣ ଶିଖୁ ?

ଆମେ ନାସରୀୟମାନଙ୍କଠାରୁ କʼଣ ଶିଖୁ ?

“ତାହାର ପୃଥକ୍‌ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ।”ଗଣ. ୬:୮.

କʼଣ ଶିଖିବା ?

ଆମେ ନାସରୀୟମାନଙ୍କ ଉଦାହରଣରୁ ଶିଖିବା ଯେ ଯିହୋବାଙ୍କ ସେବା କରିବା ପାଇଁ ଆମେ କିପରି ଖୁସିର ସହ ତ୍ୟାଗ କରିପାରିବା ଓ ସାହସର ସହ କାମ କରିପାରିବା ।

୧. ପ୍ରାଚୀନ ସମୟରୁ ହିଁ ଯିହୋବାଙ୍କ ସେବକମାନଙ୍କ ଭିତରେ କିପରି ଭାବନା ସ୍ପଷ୍ଟ ଦେଖାଯାଏ ?

 କʼଣ ଆପଣ ଯିହୋବାଙ୍କ ସହ ଥିବା ନିଜ ସମ୍ପର୍କକୁ ବହୁମୂଲ୍ୟ ମନେକରନ୍ତି ? ନିଶ୍ଚୟ । ପ୍ରାଚୀନ ସମୟରେ ଏପରି ଅନେକ ଲୋକ ଥିଲେ, ଯେଉଁମାନେ ଆପଣଙ୍କ ଭଳି ଅନୁଭବ କରୁଥିଲେ । (ଗୀତ. ୧୦୪:୩୩, ୩୪) ସେମାନେ ବି ଯିହୋବାଙ୍କ ଉପାସନା କରିବା ପାଇଁ ବହୁତ ତ୍ୟାଗ କଲେ । ପ୍ରାଚୀନ ଇସ୍ରାଏଲରେ କିଛି ଏପରି ଲୋକ ଥିଲେ ଯେଉଁମାନଙ୍କୁ ନାସରୀୟ କୁହାଯାଉଥିଲା । ସେମାନେ କିଏ ଥିଲେ ଓ ଆମେ ସେମାନଙ୍କଠାରୁ କʼଣ ଶିଖିପାରିବା ?

୨. (କ) କେଉଁ ଲୋକମାନଙ୍କୁ ନାସରୀୟ କୁହାଯାଉଥିଲା ? (ଗଣନା ପୁସ୍ତକ ୬:୧, ୨) (ଖ) କିଛି ଇସ୍ରାଏଲୀୟମାନେ ନାସରୀୟ ହେବା ପାଇଁ କାହିଁକି ମାନତ କରୁଥିଲେ ?

ଶବ୍ଦ “ନାସରୀୟ” ଏକ ଏବ୍ରୀ ଶବ୍ଦ ଅଟେ । ଯାହାର ଅର୍ଥ ହେଉଛି “ବଛାଯାଇଥିବା,” “ଅଲଗା କରାଯାଇଥିବା” ବା “ସମର୍ପିତ କରାଯାଇଥିବା ।” ଏହି ଶବ୍ଦରୁ ସେହି ଇସ୍ରାଏଲୀୟମାନଙ୍କ ଦୃଷ୍ଟିକୋଣ ଜଣାପଡ଼େ ଯେଉଁମାନେ ବିଶେଷ କରି ଯିହୋବାଙ୍କ ସେବା ପାଇଁ କିଛି ତ୍ୟାଗ କରୁଥିଲେ । ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଜଣେ ପୁରୁଷ ବା ସ୍ତ୍ରୀ କିଛି ସମୟ ପାଇଁ ନାସରୀୟ ଭାବେ ଜୀବନ ବିତାଇବା ପାଇଁ ଯିହୋବାଙ୍କୁ ବିଶେଷ ବ୍ରତ ବା ମାନତ କରିପାରୁଥିଲା । a (ଗଣନା ପୁସ୍ତକ ୬:୧, ୨ ପଢ଼ନ୍ତୁ ।) ଏହି ବିଶେଷ ମାନତ କରିବା ଯୋଗୁଁ ଜଣେ ନାସରୀୟକୁ କିଛି ଏପରି ନିର୍ଦ୍ଦେଶ ମାନିବାକୁ ପଡ଼ୁଥିଲା ଯାହା ଅନ୍ୟ ଇସ୍ରାଏଲୀୟଙ୍କୁ ମାନିବା ଦରକାର ନ ଥିଲା । ତାହେଲେ ଜଣେ ଇସ୍ରାଏଲୀୟ ବ୍ୟକ୍ତି କାହିଁକି ନାସରୀୟ ହେବା ପାଇଁ ମାନତ କରୁଥିଲା ? କାରଣ ସେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲା ଓ ଯିହୋବା ତାʼପାଇଁ ଯାହା କରିଥିଲେ ତାʼପାଇଁ ହୃଦୟରୁ କୃତଜ୍ଞ ଥିଲା ।—ଦ୍ୱିବି. ୬:୫; ୧୬:୧୭.

୩. ଈଶ୍ୱରଙ୍କ ଲୋକମାନେ ଆଜି ମଧ୍ୟ କିପରି ନାସରୀୟମାନଙ୍କ ଭଳି ଦୃଷ୍ଟିକୋଣ ରଖନ୍ତି ?

କିନ୍ତୁ ଯେବେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ଆରମ୍ଭ ହେଲା ତେବେ ମୋଶାଙ୍କ ବ୍ୟବସ୍ଥା ଶେଷ ହୋଇଗଲା ଓ ତାʼସହ ନାସରୀୟ ହେବାର ବ୍ୟବସ୍ଥା ମଧ୍ୟ ଶେଷ ହୋଇଗଲା । (ଗାଲା. ୬:୨; ରୋମୀ. ୧୦:୪) କିନ୍ତୁ ଈଶ୍ୱରଙ୍କ ଲୋକମାନେ ଆଜି ମଧ୍ୟ ନାସରୀୟମାନଙ୍କ ଭଳି ଦୃଷ୍ଟିକୋଣ ରଖନ୍ତି । ସେମାନେ ନିଜ ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ତାଙ୍କ ସେବା କରିବା ପାଇଁ ଚାହାନ୍ତି । (ମାର୍କ ୧୨:୩୦) ତେଣୁ ସେମାନେ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରନ୍ତି ଓ ଖୁସିର ସହ ତାଙ୍କ ପାଇଁ ମାନତ କରନ୍ତି । ଆଉ ଏହି ମାନତକୁ ପୂରା କରିବା ପାଇଁ ସେମାନଙ୍କୁ ଯିହୋବାଙ୍କ ଇଚ୍ଛା ଅନୁସାରେ ବଞ୍ଚିବାକୁ ପଡ଼େ ଓ କିଛି ତ୍ୟାଗ କରିବାକୁ ପଡ଼େ । ଏହି ଲେଖାରେ ଆମେ ଜାଣିବା ଯେ ନାସରୀୟମାନେ କିପରି ଭାବେ ନିଜ ମାନତ ପୂରା କରୁଥିଲେ ଓ ଆମେ ସେଥିରୁ କʼଣ ଶିଖିପାରିବା ? bମାଥି. ୧୬:୨୪.

ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହନ୍ତୁ

୪. ଗଣନା ପୁସ୍ତକ ୬:୩, ୪ ପଦ ଅନୁସାରେ ନାସରୀୟମାନଙ୍କୁ କେଉଁ ଜିନିଷଗୁଡ଼ିକରୁ ଦୂରେଇ ରହିବାର ଥିଲା ?

ଗଣନା ପୁସ୍ତକ ୬:୩, ୪ ପଢ଼ନ୍ତୁ । ନାସରୀୟମାନଙ୍କୁ ଦ୍ରାକ୍ଷାରସ ପିଇବା ମନା ଥିଲା । ଏପରିକି ସେମାନଙ୍କୁ ଦ୍ରାକ୍ଷାଫଳ ଜାତ କୌଣସି ଜିନିଷ ଯେପରି କଞ୍ଚା କି ଶୁଖିଲା ଦ୍ରାକ୍ଷାଫଳ ଖାଇବା ମନା ଥିଲା । କିନ୍ତୁ ଅନ୍ୟ ଇସ୍ରାଏଲୀୟମାନେ ଏହି ଜିନିଷଗୁଡ଼ିକୁ ଖାଇ ପାରୁଥିଲେ, ପିଇ ପାରୁଥିଲେ ଓ ଏହାର ମଜା ନେଇପାରୁଥିଲେ । ଆଉ ଏପରି କରିବା ଭୁଲ ମଧ୍ୟ ନ ଥିଲା । ବାଇବଲରେ ଦ୍ରାକ୍ଷାରସ ବିଷୟରେ କୁହାଯାଇଛି ଯେ ଏହା “ମନୁଷ୍ୟର ଚିତ୍ତ ଆନନ୍ଦକାରୀ ।” କାରଣ ଏହା ଈଶ୍ୱରଙ୍କ ତରଫରୁ ଏକ ଉପହାର । (ଗୀତ. ୧୦୪:୧୪, ୧୫) ତଥାପି ନାସରୀୟମାନେ ଖୁସିର ସହ ଏହି ଜିନିଷଗୁଡ଼ିକଠାରୁ ଦୂରେଇ ରହୁଥିଲେ । c

କʼଣ ଆପଣ ମଧ୍ୟ ନାସରୀୟମାନଙ୍କ ଭଳି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ? (ପାରାଗ୍ରାଫ ୪-୬)


୫. ଭାଇ ମ୍ୟାଡିୟାନ ଓ ତାଙ୍କ ସ୍ତ୍ରୀ କʼଣ ତ୍ୟାଗ କରିବାର ନିଷ୍ପତ୍ତି ନେଲେ ଓ କାହିଁକି ?

ନାସରୀୟମାନଙ୍କ ଭଳି ଯିହୋବାଙ୍କ ସେବାରେ ଆହୁରି ଅଧିକ କରିବା ପାଇଁ ଆମେ ବି କିଛି ତ୍ୟାଗ କରିଥାଉ । ଟିକେ ଭାଇ ମ୍ୟାଡିୟାନ ଓ ତାଙ୍କ ସ୍ତ୍ରୀ ମାର୍‌ସେଲାଙ୍କ d ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେମାନେ ଦୁହେଁ ଆରାମଦାୟକ ଜୀବନ ବଞ୍ଚୁଥିଲେ, ଭାଇଙ୍କ ପାଖରେ ଭଲ ଚାକିରି ଥିଲା ଓ ସେମାନଙ୍କର ଗୋଟିଏ ଭଲ ଘର ଥିଲା । କିନ୍ତୁ ସେମାନେ ଯିହୋବାଙ୍କ ଆହୁରି ସେବା କରିବାକୁ ଚାହୁଁଥିଲେ । ତେଣୁ ସେମାନେ କିଛି ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଲେ । ସେ କହନ୍ତି, “ଆମେ ନିଜ ଖର୍ଚ୍ଚ କମ୍‌ କଲୁ । ଆମେ ଗୋଟେ ଛୋଟ ଘରେ ଯାଇ ରହିଲୁ ଓ ନିଜ କାର ବିକ୍ରି କରିଦେଲୁ ।” ଦେଖିବାକୁ ଗଲେ ଭାଇ ମ୍ୟାଡିୟାନ ଓ ଭଉଣୀ ମାର୍‌ସେଲା ଏପରି ତ୍ୟାଗ ନ କଲେ ବି ଚଳନ୍ତା । କିନ୍ତୁ ସେମାନେ ନିଜ ଇଚ୍ଛାରେ ଏପରି କଲେ, କାରଣ ସେମାନେ ଯିହୋବାଙ୍କ ସେବା ଆହୁରି ଅଧିକ କରିବାକୁ ଚାହୁଁଥିଲେ । ସେମାନେ ଯାହା ନିଷ୍ପତ୍ତି ନେଲେ, ସେଥିରୁ ସେମାନେ ବହୁତ ଖୁସି ଅଛନ୍ତି ।

୬. ଆଜି ଯିହୋବାଙ୍କ ଲୋକମାନେ କାହିଁକି ତ୍ୟାଗ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଆଜି ଯିହୋବାଙ୍କ ଲୋକମାନେ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକରେ ଅଧିକ ସମୟ ଦେବା ପାଇଁ ଖୁସିର ସହ ତ୍ୟାଗ କରନ୍ତି । (୧ କରି. ୯:୩-୬) ଯିହୋବା ଏପରି ତ୍ୟାଗ କରିବା ପାଇଁ ବାଧ୍ୟ କରିନାହାନ୍ତି ଓ ଭାଇଭଉଣୀମାନେ ଯେଉଁ ଜିନିଷଗୁଡ଼ିକର ତ୍ୟାଗ କରନ୍ତି, ତାହା ବି ଭୁଲ ନୁହେଁ । ଉଦାହରଣ ପାଇଁ, କିଛି ଲୋକ ନିଜ ପସନ୍ଦର ଚାକିରି କରନ୍ତି ନାହିଁ ବା ଘର ତିଆରି କରନ୍ତି ନାହିଁ କିମ୍ବା କୌଣସି ପୋଷା ଜୀବଜନ୍ତୁ ରଖନ୍ତି ନାହିଁ । ଅନେକ ଲୋକ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କିଛି ସମୟ ଯାଏ ବିବାହ କରିବେ ନାହିଁ କିମ୍ବା ପରିବାର ଆଗକୁ ବଢ଼ାଇବେ ନାହିଁ । ତାʼସହ କିଛି ଲୋକ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଏପରି ଜାଗାରେ ଯାଇ ସେବା କରିବେ ଯେଉଁଠି ପ୍ରଚାରକଙ୍କ ଅଧିକ ଆବଶ୍ୟକତା ରହିଛି । ଏପରି କରିବା ଯୋଗୁଁ ସେମାନଙ୍କୁ ନିଜ ପରିବାର ଲୋକ ଓ ସାଙ୍ଗମାନଙ୍କଠାରୁ ଦୂରକୁ ଯିବାକୁ ପଡ଼େ । ସେମାନେ ଖୁସିର ସହ ଏପରି ତ୍ୟାଗ କରନ୍ତି । କାରଣ ସେମାନେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବାକୁ ଚାହାନ୍ତି । ଭରସା ରଖନ୍ତୁ ଯେ ଆପଣ ଯିହୋବାଙ୍କ ସେବା ପାଇଁ ଛୋଟ ହେଉ ବା ବଡ଼ ଯାହା ବି ତ୍ୟାଗ କରନ୍ତି, ତାହାକୁ ସେ ବହୁତ କୃତଜ୍ଞ ମନେକରନ୍ତି ।—ଏବ୍ରୀ ୬:୧୦.

ଅନ୍ୟମାନଙ୍କଠାରୁ ଅଲଗା ଦେଖାଯିବା ପାଇଁ ପ୍ରସ୍ତୁତ ରହନ୍ତୁ

୭. ଜଣେ ନାସରୀୟକୁ ନିଜ ମାନତ ପୂରା କରିବା ସମୟରେ କେଉଁ ସମସ୍ୟାର ସାମନା କରିବାକୁ ପଡ଼ୁଥିଲା ? (ଗଣନା ପୁସ୍ତକ ୬:୫) (ଚିତ୍ର ମଧ୍ୟ ଦେଖନ୍ତୁ ।)

ଗଣନା ପୁସ୍ତକ ୬:୫ ପଢ଼ନ୍ତୁ । ଯେଉଁ ନାସରୀୟମାନେ ମାନତ କରୁଥିଲେ ସେମାନଙ୍କୁ ନିଜ ଚୁଟି କାଟିବା ମନା ଥିଲା । ଏପରି ଭାବେ ସେମାନେ ଦେଖାଉଥିଲେ ଯେ ସେମାନେ ପୂରାପୂରି ଭାବେ ଯିହୋବାଙ୍କ ଅଧୀନରେ ରହନ୍ତି । ଯଦି ସେମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଏହି ମାନତ ମାନୁଥିଲେ, ତେବେ ତାଙ୍କ ଚୁଟି ବହୁତ ବଢ଼ିଯାଉଥିଲା ଓ ଅନ୍ୟମାନଙ୍କୁ ଏହା ସ୍ପଷ୍ଟ ଦେଖାଯାଉଥିଲା । ଯେଉଁ ଲୋକମାନେ ନାସରୀୟମାନଙ୍କୁ ଆଦର କରୁଥିଲେ, ସେମାନେ ତାଙ୍କୁ ସହଯୋଗ କରୁଥିଲେ । କିନ୍ତୁ କିଛି ଲୋକମାନେ ତାଙ୍କୁ ପସନ୍ଦ କରୁ ନ ଥିଲେ, ତେଣୁ ସେମାନେ ତାଙ୍କୁ ସହଯୋଗ କରୁ ନ ଥିଲେ । ଭବିଷ୍ୟଦ୍‌ବକ୍ତା ଆମୋଷଙ୍କ ସମୟରେ ବି ଏପରି ହିଁ ହେଉଥିଲା । ଯେଉଁ ଇସ୍ରାଏଲୀୟମାନେ ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଥିଲେ, ସେମାନେ ‘ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ପାନ କରାଉଥିଲେ ।’ କାରଣ ସେମାନେ ଚାହୁଁଥିଲେ ନାସରୀୟମାନଙ୍କ ମାନତ ପୂରା ନ ହେଉ । (ଆମୋ. ୨:୧୨) ଏସବୁର ସାମନା କରିବା ନାସରୀୟମାନଙ୍କ ପାଇଁ ସହଜ ନ ଥିଲା । ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ଦେଖାଯିବା ପାଇଁ ଓ ନିଜ ମାନତ ପୂରା କରିବା ପାଇଁ ସାହସର ସହ କାମ କରିବାକୁ ପଡ଼ୁଥିଲା ।

ଯେଉଁ ନାସରୀୟ ସବୁବେଳେ ନିଜ ମାନତ ପୂରା କରିବା ପାଇଁ ଚାହୁଁଥିଲା ସେ ଅନ୍ୟମାନଙ୍କଠାରୁ ଅଲଗା ଦେଖାଯିବା ପାଇଁ ପ୍ରସ୍ତୁତ ଥିଲା (ପାରାଗ୍ରାଫ ୭)


୮. ବେନ୍ୟାମିନର ଉଦାହରଣ କିପରି ଆପଣଙ୍କ ଉତ୍ସାହ ବଢ଼ାଏ ?

ବେଳେବେଳେ ଅନ୍ୟମାନଙ୍କଠାରୁ ଅଲଗା ଦେଖାଯିବା ସହଜ ହୋଇ ନ ଥାଏ । ହୁଏତ ଆମେ ଲାଜକୁଳିଆ ସ୍ୱଭାବର ଅଟୁ ବା ଅନ୍ୟମାନଙ୍କୁ ଦେଖି ଡରିଯାଉ । କିନ୍ତୁ ଆମେ ଯିହୋବାଙ୍କ ସାହାଯ୍ୟରେ ସାହସର ସହ କାମ କରିପାରିବା । ନରୱେରେ ରହୁଥିବା ଦଶ ବର୍ଷର ଜଣେ ଛୋଟ ଭାଇ ବେନ୍ୟାମିନ ଉପରେ ଧ୍ୟାନ ଦିଅନ୍ତୁ । ଥରେ ତାʼସ୍କୁଲରେ ଗୋଟିଏ କାର୍ଯ୍ୟକ୍ରମ ରଖାଗଲା । ସେହି କାର୍ଯ୍ୟକ୍ରମ ରୁଷ ଓ ୟୁକ୍ରେନ୍‌ରେ ଯେଉଁ ଯୁଦ୍ଧ ହେଉଥିଲା ସେଥିରେ ସହଯୋଗ ଦେବା ପାଇଁ ରଖାଯାଇଥିଲା । ସମସ୍ତ ପିଲାମାନଙ୍କୁ କୁହାଗଲା ଯେ ସେମାନେ ୟୁକ୍ରେନ୍‌ର ପତାକାର ରଙ୍ଗର କପଡ଼ା ପିନ୍ଧନ୍ତୁ ଓ ଗୋଟିଏ ଗୀତ ଗାଆନ୍ତୁ । ବେନ୍ୟାମିନ ବହୁତ ବୁଦ୍ଧିମାନ ଥିଲା, ତେଣୁ ସେ ଏହି କାର୍ଯ୍ୟକ୍ରମରେ ଭାଗ ନ ନେବା ପାଇଁ ଦୂରରେ ଯାଇ ଛିଡ଼ା ହୋଇଗଲା । କିନ୍ତୁ ତାʼ ଟିଚର୍‌ ତାକୁ ଦେଖିଦେଲେ ଓ ଜୋର୍‌ ପାଟି କରି କହିଲେ, “ବେନ୍ୟାମିନ ଶୀଘ୍ର ଏଠାକୁ ଆସ ଓ ଆମ ସମସ୍ତଙ୍କ ସହ ଛିଡ଼ା ହୋଇଯାଅ । ଆମେ ତମ ଅପେକ୍ଷାରେ ଅଛୁ ।” ସେ ସାହସର ସହ ଟିଚର୍‌ ପାଖକୁ ଗଲା ଓ କହିଲା, “ମୁଁ କାହାରି ପକ୍ଷ ନିଏନି ଓ ରାଜନୀତି ସହ ଜଡ଼ିତ କୌଣସି କାର୍ଯ୍ୟକ୍ରମରେ ଭାଗ ନିଏନି । ଅନେକ ଯିହୋବାଙ୍କ ସାକ୍ଷୀମାନେ ଯୁଦ୍ଧରେ ଭାଗ ନ ନେବା ଯୋଗୁଁ ଜେଲରେ ମଧ୍ୟ ଅଛନ୍ତି ।” ଟିଚର୍‌ ତାʼକଥା ଶୁଣିଲେ ଓ ତାକୁ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ କହିଲେ ନାହିଁ । କିନ୍ତୁ ତାʼପରେ କ୍ଲାସର କିଛି ପିଲାମାନେ ପଚାରିଲେ ଯେ ସେ କାହିଁକି ଆସୁନି । ବେନ୍ୟାମିନ ବହୁତ ଡରିଗଲା ଓ କାନ୍ଦିବାକୁ ଲାଗିଲା । ତଥାପି ସେ ସାହସର ସହ ସବୁ ପିଲାମାନଙ୍କୁ କହିଲା ଯେ ସେ କାହିଁକି କାର୍ଯ୍ୟକ୍ରମରେ ଆସୁନି । ତାʼପରେ ବେନ୍ୟାମିନ ନିଜ ବାପାମାଆଙ୍କୁ କହିଲା ଯେ ଯିହୋବା ହିଁ ତାଙ୍କୁ ସାହାଯ୍ୟ କଲେ, ତେଣୁ ସେ ଅନ୍ୟମାନଙ୍କୁ କହିପାରିଲା ଯେ ସେ କʼଣ ବିଶ୍ୱାସ କରେ ।

୯. ଆମେ କିପରି ଯିହୋବାଙ୍କ ହୃଦୟ ଖୁସି କରିପାରିବା ?

ଆମେ ଯିହୋବାଙ୍କ ଇଚ୍ଛା ଅନୁସାରେ ବଞ୍ଚିବାକୁ ଚାହୁଁ, ତେଣୁ ଆମେ ଦୁନିଆର ଲୋକମାନଙ୍କଠାରୁ ଅଲଗା ଦେଖାଯାଉ । ଏହା ଯୋଗୁଁ ଅନେକଥର ଆମକୁ ଲୋକମାନଙ୍କୁ କହିବା ପାଇଁ ସାହସ ଦେଖାଇବାକୁ ପଡ଼େ ଯେ ଆମେ ଜଣେ ଯିହୋବାଙ୍କ ସାକ୍ଷୀ ଅଟୁ । ଏପରିକି ସ୍କୁଲ ଓ କାମ ଜାଗାରେ ମଧ୍ୟ ଆମକୁ ଏହା କହିବା ପାଇଁ ସାହସ ଦରକାର ପଡ଼ିଥାଏ । ତାʼଛଡ଼ା ଦୁନିଆର ଲୋକମାନଙ୍କ ଚିନ୍ତାଧାରା ଓ ସେମାନଙ୍କ ଚାଲିଚଳନ ଆହୁରି ଖରାପ ହୋଇ ହୋଇ ଚାଲିଛି । ତେଣୁ ହୁଏତ ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ଚଳିବା ଓ ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ଆମ ପାଇଁ କଷ୍ଟ ହୋଇଯାଏ । (୨ ତୀମ. ୧:୮; ୩:୧୩) କିନ୍ତୁ ଆମେ ମନେ ରଖିବା ଉଚିତ୍‌ ଯେ ଯେବେ ଆମେ ସାହସର ସହ ଯିହୋବାଙ୍କ ସେବା କରୁ ଓ ଦୁନିଆର ଲୋକମାନଙ୍କଠାରୁ ଅଲଗା ଦେଖାଯାଉ, ତେବେ ଆମେ ଯିହୋବାଙ୍କ ମନକୁ “ଆହ୍ଲାଦିତ” କରୁଥାଉ ।—ହିତୋ. ୨୭:୧୧; ମଲାଖି ୩:୧୮.

ଯିହୋବାଙ୍କୁ ଜୀବନରେ ପ୍ରଥମ ସ୍ଥାନ ଦେବା

୧୦. ଗଣନା ପୁସ୍ତକ ୬:୬, ୭ ପଦରେ ଦିଆଯାଇଥିବା କଥାକୁ ମାନିବା ଜଣେ ନାସରୀୟକୁ କେତେବେଳେ କଷ୍ଟ ଲାଗୁଥିବ ?

୧୦ ଗଣନା ପୁସ୍ତକ ୬:୬, ୭ ପଢ଼ନ୍ତୁ । ଜଣେ ନାସରୀୟ କୌଣସି ଶବ ନିକଟକୁ ଯାଇପାରୁ ନ ଥିଲା । ହୁଏତ କିଛି ଲୋକ ଭାବିବେ ଏହା କୌଣସି ବଡ଼ କଥା ନୁହେଁ । କିନ୍ତୁ ଟିକେ ଭାବନ୍ତୁ, ଯେବେ ଜଣେ ନାସରୀୟର ନିଜ ପରିବାର ଲୋକଙ୍କ ମୃତ୍ୟୁ ହୋଇଯାଉଥିବ, ତେବେ ତାକୁ ଏହି ନିର୍ଦ୍ଦେଶକୁ ମାନିବା କେତେ କଷ୍ଟ ଲାଗୁଥିବ । ତାʼଛଡ଼ା ସେସମୟର ପରମ୍ପରା ବି ଥିଲା ଯେ ଯେବେ କାହାରି ମୃତ୍ୟୁ ହୋଇଯାଉଥିଲା, ତେବେ ତାʼ ପରିବାର ଲୋକ ଶବ ପାଖରେ ହିଁ ବସି ରହୁଥିଲେ । (ଯୋହ. ୧୯:୩୯, ୪୦; ପ୍ରେରି. ୯:୩୬-୪୦) କିନ୍ତୁ ନାସରୀୟମାନେ ନିଜ ମାନତ ଯୋଗୁଁ ଏହି ପରମ୍ପରାକୁ ମାନିପାରୁ ନ ଥିଲେ । ଏତେ ଦୁଃଖର ସମୟରେ ମଧ୍ୟ ସେମାନେ ନିଜ ମାନତ ଭାଙ୍ଗୁ ନ ଥିଲେ । ଏପରି ଭାବେ ସେମାନେ ଯିହୋବାଙ୍କର ବିଶ୍ୱସ୍ତ ରହୁଥିଲେ । ଯିହୋବା ନିଶ୍ଚୟ ନିଜ ବିଶ୍ୱସ୍ତ ଲୋକମାନଙ୍କୁ ସାହସ ଓ ଶକ୍ତି ଦେଉଥିବେ ଯାହାଫଳରେ ସେମାନେ ଏହି କଠିନ ପରିସ୍ଥିତିରେ ମଧ୍ୟ ନିଜକୁ ସମ୍ଭାଳି ପାରୁଥିଲେ ।

୧୧. ପରିବାର ମାମଲାରେ କୌଣସି ନିଷ୍ପତ୍ତି ନେବା ସମୟରେ ଜଣେ ଖ୍ରୀଷ୍ଟିୟାନକୁ କେଉଁ କଥା ଧ୍ୟାନରେ ରଖିବା ଉଚିତ୍‌ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଆମେ ସମର୍ପଣ କରି ଯିହୋବାଙ୍କୁ ଯାହା ମାନତ କରିଛୁ, ତାହାକୁ ଆମେ ଛୋଟ କଥା ମନେ କରି ନ ଥାଉ । ନିଜ ପରିବାର ମାମଲାରେ ମଧ୍ୟ ଯେବେ କୌଣସି ନିଷ୍ପତ୍ତି ନେବାକୁ ପଡ଼େ, ତେବେ ଆମେ ସବୁବେଳେ ଏହି ମାନତକୁ ଧ୍ୟାନରେ ରଖୁ । ଯେପରି ଶାସ୍ତ୍ରରେ କୁହାଯାଇଛି ଯେ ଆମେ ନିଜ ପରିବାରର ଆବଶ୍ୟକତା ପୂରା କରିବା ପାଇଁ କଠିନ ପରିଶ୍ରମ କରିବା ଉଚିତ୍‌ । କିନ୍ତୁ ଆମେ କେବେ ବି ସେମାନଙ୍କ ଇଚ୍ଛା ପୂରା କରିବା ପାଇଁ ଯିହୋବାଙ୍କ ଆଜ୍ଞାକୁ ଭାଙ୍ଗି ନ ଥାଉ । (ମାଥି. ୧୦:୩୫-୩୭; ୧ ତୀମ. ୫:୮) ଏପରି କରିବା ଯୋଗୁଁ ହୁଏତ ଅନେକ ଥର ଆମ ପରିବାର ଲୋକେ ଆମ ଉପରେ ରାଗିଯିବେ, ତଥାପି ଆମେ ଯିହୋବାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରୁ ।

କʼଣ ଆପଣ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ନିଜ ଇଚ୍ଛା ପୂରା କରିବା ପରିବର୍ତ୍ତେ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ? (ପାରାଗ୍ରାଫ ୧୧) e


୧୨. ଭାଇ ଆଲେକଜାଣ୍ଡ୍ରୁଙ୍କ ପରିବାରରେ ଯେବେ ସମସ୍ୟା ଆସିଲା ତେବେ ସେ କʼଣ କଲେ ଓ କʼଣ କଲେ ନାହିଁ ?

୧୨ ଭାଇ ଆଲେକଜାଣ୍ଡ୍ରୁ ଓ ତାଙ୍କ ସ୍ତ୍ରୀ ଡୋରନାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେମାନେ ଦୁହେଁ ବର୍ଷେ ଯାଏ ବାଇବଲ ଅଧ୍ୟୟନ କଲେ । ତାʼପରେ ଡୋରନା ଅଧ୍ୟୟନ କରିବା ବନ୍ଦ କରିଦେଲେ । ସେ ଚାହୁଁଥିଲେ ଯେ ତାଙ୍କ ସ୍ୱାମୀ ମଧ୍ୟ ଅଧ୍ୟୟନ କରିବା ବନ୍ଦ କରିଦିଅନ୍ତୁ । କିନ୍ତୁ ଭାଇ ପ୍ରେମର ସହ ତାଙ୍କୁ ବୁଝାଇଲେ ଯେ ସେ ଏପରି କରିବେ ନାହିଁ । ଏକଥା ଡୋରନାଙ୍କୁ ଭଲ ଲାଗିଲା ନାହିଁ ଓ ସେ ତାଙ୍କ ଅଧ୍ୟୟନ ବନ୍ଦ କରାଇବା ପାଇଁ ବହୁତ ଚେଷ୍ଟା କଲେ । ଭାଇ ଆଲେକଜାଣ୍ଡ୍ରୁ କହନ୍ତି ଯେ ସେ ଏହା ବୁଝିବା ପାଇଁ ଚେଷ୍ଟା କଲେ ଯେ ତାଙ୍କ ସ୍ତ୍ରୀ କାହିଁକି ଏପରି ବ୍ୟବହାର କରୁଛି । ଡୋରନା ବେଳେ ବେଳେ ଭାଇଙ୍କୁ ବହୁତ ଅପମାନିତ କରୁଥିଲେ ଓ ଓଲଟାସିଧା କଥା କହୁଥିଲେ । ଏସବୁ ସହିବା ଭାଇଙ୍କ ପାଇଁ ସହଜ ନ ଥିଲା । ଅନେକ ଥର ତାଙ୍କୁ ଲାଗିଲା ଯେ ସେ ମଧ୍ୟ ଅଧ୍ୟୟନ ବନ୍ଦ କରିଦେବା ଉଚିତ୍‌ । କିନ୍ତୁ ଭାଇ ହାର୍‌ ମାନଲେନି ଓ ସେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ଜାରି ରଖିଲେ । ଆଉ ସେସମୟ ମଧ୍ୟରେ ସେ ନିଜ ସ୍ତ୍ରୀ ସହିତ ପ୍ରେମର ସହ ବ୍ୟବହାର କଲେ ଓ ତାଙ୍କୁ ଆଦର କରିବା ଜାରି ରଖିଲେ । ଭାଇଙ୍କର ଭଲ ବ୍ୟବହାର ଦେଖି ଡୋରନା ପୁଣିଥରେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ ଓ ଯିହୋବାଙ୍କର ଜଣେ ସାକ୍ଷୀ ହୋଇଗଲେ । jw.org ୱେବ୍‌ସାଇଟ୍‌ରେ “ବାଇବଲର ସତ୍ୟ ଜୀବନ ବଦଳାଇ ଦିଏ” ସିରିଜ୍‌ରେ ଦିଆଯାଇଥିବା ଭିଡିଓ ଆଲେକଜାଣ୍ଡ୍ରୁ ଓ ଡୋରନା ୱାକାର: ପ୍ରେମ ଧୈର୍ଯ୍ୟ ରଖେ ଏବଂ କୃପା କରେ ଦେଖନ୍ତୁ ।

୧୩. ଆମେ ନିଜ ପରିବାର ପାଇଁ ଓ ଯିହୋବାଙ୍କ ପାଇଁ ନିଜ ପ୍ରେମ କିପରି ଦେଖାଇପାରିବା ?

୧୩ ପରିବାରର ଆରମ୍ଭ ଯିହୋବା ହିଁ କରିଛନ୍ତି ଓ ସେ ଚାହାନ୍ତି ଯେ ପରିବାରରେ ସମସ୍ତେ ଖୁସି ରହନ୍ତୁ । (ଏଫି. ୩:୧୪, ୧୫) ଯଦି ଆମେ ସତରେ ଖୁସିରେ ରହିବା ପାଇଁ ଚାହୁଁ, ତାହେଲେ ଆମକୁ ସେପରି ଭାବେ କାମ କରିବାକୁ ପଡ଼ିବ ଯେପରି ଯିହୋବା ଚାହାନ୍ତି । ଯିହୋବା ଜାଣନ୍ତି ଯେ ଆପଣ ନିଜ ପରିବାରର ଲୋକମାନଙ୍କର ଦେଖାରେଖା କରିବା ପାଇଁ ଚାହାନ୍ତି । ସେମାନଙ୍କ ସହିତ ପ୍ରେମ ଓ ଆଦରର ସହ ବ୍ୟବହାର କରିବା ପାଇଁ ଚାହାନ୍ତି । ଆଉ ତାʼସହ ଆପଣ ଯିହୋବାଙ୍କ ସେବା କରିବା ପାଇଁ ମଧ୍ୟ ଚାହାନ୍ତି । ତେଣୁ ଅନେକଥର ଆପଣଙ୍କୁ କିଛି ତ୍ୟାଗ କରିବାକୁ ପଡ଼େ । ଭରସା ରଖନ୍ତୁ, ଆପଣ ଯାହା ବି ତ୍ୟାଗ କରନ୍ତି, ଯିହୋବା ତାହାକୁ ବହୁମୂଲ୍ୟ ମନେ କରନ୍ତି ।—ରୋମୀ. ୧୨:୧୦.

ନାସରୀୟମାନଙ୍କ ଭଳି ଦୃଷ୍ଟିକୋଣ ରଖିବା ପାଇଁ ପରସ୍ପରର ଉତ୍ସାହ ବଢ଼ାନ୍ତୁ

୧୪. ଆମେ ବିଶେଷ କରି କେଉଁ ଲୋକମାନଙ୍କୁ ନିଜ କଥାରୁ ଉତ୍ସାହ ବଢ଼ାଇପାରିବା ?

୧୪ ଯିଏ ଯିହୋବାଙ୍କ ଉପାସନା କରିବା ପାଇଁ ଚାହେଁ, ସେ ଖୁସିର ସହ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହେ । କାରଣ ସେ ଯିହୋବାଙ୍କୁ ପ୍ରେମ କରେ । କିନ୍ତୁ ଏପରି କରିବା ସବୁବେଳେ ସହଜ ହୋଇ ନ ଥାଏ । ତାହେଲେ ଆମେ ଏହିପରି ଦୃଷ୍ଟିକୋଣ ବଜାୟ ରଖିବା ପାଇଁ କʼଣ କରିପାରିବା ? ଆମେ ନିଜ କଥାରୁ ପରସ୍ପରର ଉତ୍ସାହ ବଢ଼ାଇପାରିବା । (ଆୟୁ. ୧୬:୫) କʼଣ ଆପଣ ନିଜ ମଣ୍ଡଳୀର ଏପରି ଭାଇଭଉଣୀଙ୍କୁ ଜାଣନ୍ତି, ଯେଉଁମାନେ ଯିହୋବାଙ୍କର ଆହୁରି ସେବା କରିବା ପାଇଁ ନିଜ ଜୀବନ ସାଦା କରିବା ପାଇଁ ଚେଷ୍ଟା କରୁଛନ୍ତି ? କିମ୍ବା କʼଣ ଆପଣ ଏପରି ଯୁବାମାନଙ୍କୁ ଜାଣନ୍ତି, ଯେଉଁମାନେ ସମସ୍ୟାରେ ମଧ୍ୟ ସାହସର ସହ କାମ କରୁଛନ୍ତି ଆଉ ଏପରି କରି ନିଜ ସ୍କୁଲର ଅନ୍ୟ ପିଲାମାନଙ୍କଠାରୁ ଅଲଗା ଦେଖାଯାʼନ୍ତି ? କିମ୍ବା କʼଣ ଏପରି କିଛି ବାଇବଲ ବିଦ୍ୟାର୍ଥୀ କିମ୍ବା ଭାଇଭଉଣୀମାନେ ଅଛନ୍ତି ଯେଉଁମାନଙ୍କର ପରିବାର ଲୋକେ ସେମାନଙ୍କର ବିରୋଧ କରନ୍ତି, ତଥାପି ସେମାନେ ଯିହୋବାଙ୍କ ସ୍ତର ଅନୁସାରେ ଚାଲିବା ପାଇଁ ଚେଷ୍ଟା କରୁଛନ୍ତି ? ସତରେ ଏହି ଭାଇଭଉଣୀମାନେ ବହୁତ ସାହସର ସହ କାମ କରନ୍ତି ଓ ଅନେକ ତ୍ୟାଗ କରନ୍ତି । ତେଣୁ ଆସନ୍ତୁ ଆମେ ସବୁବେଳେ ସେମାନଙ୍କର ଉତ୍ସାହ ବଢ଼ାଇବା ଜାରି ରଖିବା ଆଉ ସେମାନଙ୍କୁ ଭରସା କରାଇବା ଯେ ସେମାନେ ଯେଉଁ ତ୍ୟାଗ କରୁଛନ୍ତି, ତାହାକୁ ଆମେ ବହୁମୂଲ୍ୟ ମନେ କରୁ ।—ଫିଲୀ. ୪, ୫,.

୧୫. କିଛି ଭାଇଭଉଣୀମାନେ ପୂର୍ଣ୍ଣ ସମୟର ସେବା କରୁଥିବା ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରନ୍ତି ?

୧୫ ଆମେ ବିଶେଷ କରି ନିଜ ସମୟ ଓ ପଇସା ଦେଇ ଭାଇଭଉଣୀଙ୍କୁ ସାହାଯ୍ୟ କରିପାରିବା, ବିଶେଷ କରି ଯେଉଁମାନେ ପୂର୍ଣ୍ଣ ସମୟର ସେବା କରୁଛନ୍ତି । (ହିତୋ. ୧୯:୧୭; ଏବ୍ରୀ ୧୩:୧୬) ଶ୍ରୀଲଙ୍କାରେ ରହୁଥିବା ଜଣେ ବୃଦ୍ଧା ଭଉଣୀ ଏପରି ହିଁ କଲେ । ସେ ଦେଖିଲେ ଯେ ପଇସା ଅଭାବ ଯୋଗୁଁ ଦୁଇ ଜଣ ଯୁବା ଅଗ୍ରଦୂତ ଭଉଣୀଙ୍କୁ ନିଜ ସେବା ଜାରି ରଖିବା ପାଇଁ କଷ୍ଟ ହେଉଛି । ସେ ଭଉଣୀ ହୃଦୟରୁ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ । ତେଣୁ ଯେବେ ତାଙ୍କର ପେନ୍‌ସନ୍‌ ବଢ଼ିଲା, ତେବେ ସେ ନିଷ୍ପତ୍ତି ନେଲେ ଯେ ସେ ପ୍ରତି ମାସ କିଛି ପଇସା ସେହି ଭଉଣୀମାନଙ୍କୁ ଦେବେ । ଏହା ସାହାଯ୍ୟରେ ସେହି ଭଉଣୀମାନେ ଫୋନ୍‌ର ବିଲ୍‌ ଭରିପାରିଲେ । ସେହି ବୃଦ୍ଧା ଭଉଣୀ କେତେ ବଢ଼ିଆ ତ୍ୟାଗର ଭାବନା ଦେଖାଇଲେ !

୧୬. ନାସରୀୟ ହେବାର ବ୍ୟବସ୍ଥାରୁ କʼଣ ଜଣା ପଡ଼େ ?

୧୬ ପ୍ରାଚୀନ ସମୟରେ ଯେଉଁ ଲୋକମାନେ ନିଜ ଇଚ୍ଛାରେ ନାସରୀୟ ହେବା ପାଇଁ ମାନତ କରୁଥିଲେ, ସେମାନଙ୍କଠାରୁ ଆମେ ଅନେକ କଥା ଶିଖିପାରିବା । କିନ୍ତୁ ଏହି ବ୍ୟବସ୍ଥାରୁ ଆମକୁ ଯିହୋବାଙ୍କ ବିଷୟରେ ମଧ୍ୟ ଅନେକ କଥା ଜଣାପଡ଼େ । ଯିହୋବାଙ୍କୁ ଭରସା ଅଛି ଯେ ଆମେ ହୃଦୟରୁ ତାଙ୍କୁ ଖୁସି କରିବାକୁ ଚାହୁଁ । ସେ ଜାଣନ୍ତି ଯେ ସମର୍ପଣ କରି ଆମେ ଯେଉଁ ମାନତ କରିଥିଲୁ, ତାକୁ ପୂରା କରିବା ପାଇଁ ଆମେ ସବୁ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହୁ । ସେ ଆମକୁ ଏହି ବିଶେଷ ସୁଯୋଗ ଦେଇଛନ୍ତି ଯେ ଆମେ ତାଙ୍କ ପାଇଁ ନିଜ ପ୍ରେମ ଦେଖାଇପାରିବା । (ହିତୋ. ୨୩:୧୫, ୧୬; ମାର୍କ ୧୦:୨୮-୩୦; ୧ ଯୋହ. ୪:୧୯) ନାସରୀୟମାନଙ୍କ ଥିବା ବ୍ୟବସ୍ଥାରୁ ଏହା ବି ଜଣାପଡ଼େ ଯେ ଆମେ ଯିହୋବାଙ୍କ ସେବା କରିବା ପାଇଁ ଯାହା ବି ତ୍ୟାଗ କରୁ, ସେ ତାʼଉପରେ ଧ୍ୟାନ ଦିଅନ୍ତି ଓ ତାକୁ ବହୁମୂଲ୍ୟ ମନେ କରନ୍ତି । ତେଣୁ ଆସନ୍ତୁ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ସବୁବେଳେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ଜାରି ରଖିବା ।

ଆପଣ କʼଣ ଉତ୍ତର ଦେବେ ?

  • ନାସରୀୟମାନେ କିପରି ଦେଖାଉଥିଲେ ଯେ ସେମାନେ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ସାହସର ସହ କାମ କରନ୍ତି ?

  • ନାସରୀୟମାନଙ୍କ ଭଳି ଦୃଷ୍ଟିକୋଣ ରଖିବା ପାଇଁ ଆଜି ଆମେ କିପରି ପରସ୍ପରର ଉତ୍ସାହ ବଢ଼ାଇପାରିବା ?

  • ନାସରୀୟମାନଙ୍କ ବ୍ୟବସ୍ଥାରୁ ଆମକୁ କʼଣ ଜଣାପଡ଼େ ?

ଗୀତ ୧୨୪ ହମ୍‌ ନିଭାଏଙ୍ଗେ ବଫା

a କିଛି ଲୋକଙ୍କୁ ଯିହୋବା ନିଜେ ନାସରୀୟ ହେବା ପାଇଁ ବାଛିଥିଲେ, କିନ୍ତୁ ଅଧିକାଂଶ ଇସ୍ରାଏଲୀୟ ନିଜ ଇଚ୍ଛାରୁ କିଛି ସମୟ ପାଇଁ ନାସରୀୟ ହେବା ପାଇଁ ମାନତ କରୁଥିଲେ ।—“ ଯିହୋବାଙ୍କ ଦ୍ୱାରା ବଛା ଯାଇଥିବା ନାସରୀୟ” ନାମକ ବକ୍ସ ଦେଖନ୍ତୁ ।

b ଆମର କିଛି ପ୍ରକାଶନରେ ନାସରୀୟମାନଙ୍କ ତୁଳନା ପୂର୍ଣ୍ଣ ସମୟର ସେବକମାନଙ୍କ ସହ କରାଯାଇଛି । କିନ୍ତୁ ଏହି ଲେଖାରେ ଆମେ ଏକଥା ପ୍ରତି ଧ୍ୟାନ ଦେବା ଯେ କିପରି ଯିହୋବାଙ୍କର ସମସ୍ତ ସମର୍ପିତ ସେବକମାନେ ନାସରୀୟମାନଙ୍କ ଭଳି ଦୃଷ୍ଟିକୋଣ ରଖିପାରିବେ ।

c ସାଧାରଣତଃ ଦେଖିବାକୁ ଗଲେ ହୁଏତ ଜଣେ ନାସରୀୟକୁ ନିଜ ମାନତ ପୂରା କରିବା ପାଇଁ ଅଲଗା କୌଣସି ବିଶେଷ କାମ କରିବା ଦରକାର ନ ଥିଲା ।

d jw.org ୱେବସାଇଟ୍‌ରେ “ଯିହୋବାଙ୍କ ସାକ୍ଷୀମାନଙ୍କ ଅନୁଭୂତି” ଭାଗରେ ଦିଆଯାଇଥିବା ଲେଖା “କମ୍‌ରେ ଚଳିଲେ ମିଳେ ଅଧିକ ଖୁସି” ପଢ଼ନ୍ତୁ ।

e ଚିତ୍ର ବିଷୟରେ: ଜଣେ ନାସରୀୟଙ୍କ ପରିବାରରେ କାହାରି ମୃତ୍ୟୁ ହୋଇଯାଇଛି ଓ ତା ଶବକୁ ନିଆଯାଉଛି । ସେହି ନାସରୀୟ ଘରର ଛାତ ଉପରକୁ ଯାଇ ସେ ଏହାକୁ ଦେଖୁଛି । ସେ ନିଜ ମାନତ ଯୋଗୁଁ ଶବ ପାଖରେ ଯାଇପାରୁନି ।