इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଯିହୋବାଙ୍କ ସମୟର ଅପେକ୍ଷା କରିବା ବେଳେ ଖୁସି କିପରି ରହିବା ?

ଯିହୋବାଙ୍କ ସମୟର ଅପେକ୍ଷା କରିବା ବେଳେ ଖୁସି କିପରି ରହିବା ?

କʼଣ ଆପଣ ଆଗ୍ରହର ସହ ସେହି ଦିନର ଅପେକ୍ଷା କରୁଛନ୍ତି, ଯେବେ ଯିହୋବା ସବୁ ଦୁଷ୍ଟତାକୁ ଶେଷ କରିଦେବେ ଓ ସବୁକିଛି ନୂଆ କରିଦେବେ ? (ପ୍ରକା. ୨୧:୧-୫) ନିଶ୍ଚୟ ଆମେ ସମସ୍ତେ ଏପରି କରୁଛୁ । କିନ୍ତୁ ସବୁବେଳେ ଧୈର୍ଯ୍ୟ ଧରିବା ଓ ଯିହୋବାଙ୍କ ସମୟର ଅପେକ୍ଷା କରିବା ସହଜ ହୋଇ ନ ଥାଏ, ବିଶେଷ କରି ଯେବେ ଆମେ କୌଣସି ସମସ୍ୟାର ସାମନା କରୁ । ବାଇବଲରେ କୁହାଯାଇଛି ଯେ ଯେବେ ଆମ ଆଶା ପୂରା ହେବାରେ ବିଳମ୍ବ ହୁଏ, ତେବେ ଏହା ଆମ ମନକୁ ପୀଡ଼ା ଦିଏ ।—ହିତୋ. ୧୩:୧୨.

ତଥାପି ଯିହୋବା ଚାହାନ୍ତି ଯେ ଆମେ ଧୈର୍ଯ୍ୟ ଧରୁ ଓ ତାଙ୍କ ସମୟର ଅପେକ୍ଷା କରୁ । ଯିହୋବା ଏପରି କାହିଁକି ଚାହାନ୍ତି ? ଆଉ ଆମେ ଅପେକ୍ଷା କରିବା ବେଳେ ଖୁସି କିପରି ରହିପାରିବା ?

ଯିହୋବା କାହିଁକି ଚାହାନ୍ତି ଯେ ଆମେ ଧୈର୍ଯ୍ୟ ଧରୁ ?

ବାଇବଲରେ ଲେଖାଅଛି, “ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି; ସେସମସ୍ତେ ଧନ୍ୟ ।” (ଯିଶା. ୩୦:୧୮) ଦେଖିବାକୁ ଗଲେ ଯିଶାଇୟ ୩୦ ଅଧ୍ୟାୟରେ ଲେଖାଥିବା କଥାଗୁଡ଼ିକ ସେହି ଯିହୁଦାମାନଙ୍କ ପାଇଁ ଥିଲା, ଯେଉଁମାନେ ବିଦ୍ରୋହୀ ସ୍ୱଭାବର ଥିଲେ । (ଯିଶା. ୩୦:୧) କିନ୍ତୁ ସେମାନଙ୍କ ମଧ୍ୟରେ କିଛି ବିଶ୍ୱସ୍ତ ଯିହୁଦୀମାନେ ମଧ୍ୟ ଥିଲେ । ସେମାନଙ୍କୁ ୧୮ ପଦରେ ଲେଖାଥିବା କଥା ଶୁଣି ଏକ ଆଶା ମିଳିଥିବ । ସେହିପରି ଆଜି ମଧ୍ୟ ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କୁ ଯିଶାଇୟଙ୍କ ଏହି କଥାରୁ ଆଶା ମିଳେ ।

ଯିଶାଇୟ ଯେଉଁ କଥା ଲେଖିଲେ, ସେଥିରୁ ଜଣାପଡ଼େ ଯେ ଯିହୋବା ଧୈର୍ଯ୍ୟ ଧରୁଛନ୍ତି । ତେଣୁ ଆମେ ମଧ୍ୟ ଧୈର୍ଯ୍ୟ ଧରିବା ଉଚିତ୍‌ । ଯିହୋବା ଏହି ଦୁଷ୍ଟ ଦୁନିଆର ବିନାଶ କରିବା ପାଇଁ ଗୋଟିଏ ସମୟ ନିର୍ଦ୍ଧାରିତ କରିଛନ୍ତି । ଯେବେ ଯାଏଁ ସେହି ଦିନ ବା ସମୟ ଆସିନି, ତେବେ ଯାଏ ସେ ଅପେକ୍ଷା କରୁଛନ୍ତି । (ମାଥି. ୨୪.୩୬) ସେସମୟରେ ଏହା ପ୍ରମାଣିତ ହୋଇଯିବ ଯେ ଶୟତାନ, ଯିହୋବା ଓ ତାଙ୍କ ଉପାସକମାନଙ୍କ ଉପରେ ଯେଉଁ ଦୋଷ ଲଗାଇଛି, ତାହା ପୂରାପୂରି ମିଛ । ତାʼପରେ ସେ ସବୁ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବେ ଏବଂ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ପାତାଳକୁଣ୍ଡରେ ପକାଇଦେବେ । କିନ୍ତୁ ସେ ଆମ ଉପରେ ‘ଦୟା କରିବେ ।’

ସେହି ଦିନ ବା ସମୟ ଆସିବା ଯାଏ ହୁଏତ ଯିହୋବା ଆମ ସମସ୍ୟା ଦୂର କରିବେ ନାହିଁ, କିନ୍ତୁ ସେ ଆମକୁ ଭରସା କରାନ୍ତି ଯେ ସେହି ଦିନର ଅପେକ୍ଷା କରିବା ଯାଏ ଆମେ ଖୁସି ରହିପାରିବା । ଯିଶାଇୟ କହିଥିଲେ ଯେ କିଛି ଭଲ ହେବାର ଆଗ୍ରହର ସହ ଅପେକ୍ଷା କଲା ବେଳେ ବି ଆମେ ଖୁସିରେ ରହିପାରିବା । (ଯିଶା. ୩୦:୧୮) a ତାʼପାଇଁ ଆମକୁ କʼଣ କରିବାକୁ ପଡ଼ିବ ? ଆଗକୁ ଦିଆଯାଇଥିବା ଚାରୋଟି ଉପାୟ ଉପରେ ଧ୍ୟାନ ଦିଅନ୍ତୁ ।

ଅପେକ୍ଷା କରିବା ସମୟରେ କିପରି ଖୁସି ରହିପାରିବା ?

ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ରାଜା ଦାଉଦ ନିଜ ଆଖପାଖରେ ବହୁତ ଦୁଷ୍ଟତା ହେବାର ଦେଖିଥିଲେ । (ଗୀତ. ୩୭:୩୫) ତଥାପି ସେ ଲେଖିଲେ, “ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ; ଯେ ନିଜ ମାର୍ଗରେ କୃତକାର୍ଯ୍ୟ ହୁଏ, ଯେଉଁ ଜନ କୁସଂକଳ୍ପ ସାଧନ କରେ, ତାହା ସକାଶୁ ଆପଣାକୁ ବିରକ୍ତ କର ନାହିଁ ।” (ଗୀତ. ୩୭:୭) ଦାଉଦ ନିଜେ ମଧ୍ୟ ଏହି ପରାମର୍ଶକୁ ମାନିଲେ । ସେ ନିଜ ଧ୍ୟାନ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଲଗାଇ ରଖିଲେ ଓ ଭରସା ରଖିଲେ ଯେ ସେ ତାଙ୍କୁ ସାହାଯ୍ୟ କରିବେ । ସେ ଏହି କଥା ଉପରେ ବି ଧ୍ୟାନ ଦେଲେ ଯେ ଯିହୋବା ଏବେ ଯାଏ ତାଙ୍କ ପାଇଁ କʼଣ କʼଣ କରିଛନ୍ତି । (ଗୀତ. ୪୦:୫) ସେହିପରି ଆମକୁ ମଧ୍ୟ ସବୁବେଳେ ନିଜ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ ନୁହେଁ । ତାʼପରିବର୍ତ୍ତେ ଆମେ ଏକଥା ଉପରେ ଧ୍ୟାନ ଦେବା ଉଚିତ୍‌ ଯେ ଆମ ସହ କʼଣ କʼଣ ଭଲ ହୋଇଛି । ଏପରି କଲେ ଯିହୋବାଙ୍କ ଦିନର ଅପେକ୍ଷା କରିବା ଆମ ପାଇଁ ସହଜ ହୋଇଯିବ ।

ଯେବେ ବି ସୁଯୋଗ ମିଳେ, ଯିହୋବାଙ୍କ ପ୍ରଶଂସା କରନ୍ତୁ । ଏହି ମାମଲାରେ ଗୀତସଂହିତା ୭୧ ଅଧ୍ୟାୟରେ ଗୋଟିଏ ବଢ଼ିଆ କଥା କୁହାଯାଇଛି । ଏହି କଥା ହୁଏତ ରାଜା ଦାଉଦ ହିଁ କହିଥିଲେ । ସେ ଯିହୋବାଙ୍କୁ କହିଲେ, “ମାତ୍ର ମୁଁ ନିରନ୍ତର ଭରସା କରିବି, ପୁଣି ଆହୁରି ଆହୁରି ତୁମ୍ଭର ପ୍ରଶଂସା କରିବି ।” (ଗୀତ. ୭୧:୧୪) ସେ କିପରି ଯିହୋବାଙ୍କର ପ୍ରଶଂସା କଲେ ? ଯିହୋବାଙ୍କ ବିଷୟରେ କହିବା ଓ ତାଙ୍କ ପ୍ରଶଂସାରେ ଗୀତ ଗାଇବା ଦ୍ୱାରା । (ଗୀତ. ୭୧:୧୬, ୨୩) ଦାଉଦଙ୍କ ଭଳି ଆମେ ମଧ୍ୟ ଯିହୋବାଙ୍କ ଦିନର ଅପେକ୍ଷା କରିପାରିବା ଓ ତାଙ୍କ ପ୍ରଶଂସା କରିପାରିବା । ଯେବେ ଆମେ ପ୍ରଚାର କରୁ, ପରସ୍ପର ସହ କଥା ହେଉ ଏବଂ ଉପାସନା ସହ ଜଡ଼ିତ ଗୀତ ଗାଉ, ତେବେ ଆମେ ଯିହୋବାଙ୍କ ପ୍ରଶଂସା କରୁ । ତାହେଲେ ଯେବେ ଆପଣ ଆର ଥରକୁ କୌଣସି ରାଜ୍ୟଗୀତ ଗାଇବେ, ତେବେ ତାʼର ଶବ୍ଦ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଓ ଭାବନ୍ତୁ ଯେ ସେଥିରୁ ଆପଣଙ୍କୁ କିପରି ଉତ୍ସାହ ମିଳିପାରିବ ।

ଉତ୍ସାହ ପାଇବା ପାଇଁ ଭାଇଭଉଣୀମାନଙ୍କ ସହ ସମୟ ବିତାନ୍ତୁ । ଯେବେ ଦାଉଦ ସମସ୍ୟାଗୁଡ଼ିକର ସାମନା କରୁଥିଲେ, ତେବେ ସେ ଯିହୋବାଙ୍କୁ କହିଲେ, “ମୁଁ ତୁମ୍ଭ ସଦ୍‌ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର ଅନୁସରଣ କରିବି ।” (ଗୀତ. ୫୨:୯) ଆମେ ମଧ୍ୟ ଯେବେ ଭାଇଭଉଣୀମାନଙ୍କ ସହ ସମୟ ବିତାଉ, ତେବେ ଆମକୁ ଉତ୍ସାହ ମିଳିପାରେ । ଆମେ ସଭା ଓ ପ୍ରଚାର କରିବା ସମୟରେ ଭାଇଭଉଣୀଙ୍କ ସହ ଭେଟ ହେଉ, କିନ୍ତୁ ଆମେ ଅନ୍ୟ ସମୟରେ ବି ସେମାନଙ୍କ ସହ ସମୟ ବିତାଇପାରିବା ଓ ସେମାନଙ୍କଠାରୁ ଉତ୍ସାହ ପାଇପାରିବା ।—ରୋମୀ. ୧:୧୧, ୧୨.

ନିଜ ଆଶା ଦୃଢ଼ କରିବା ଜାରି ରଖନ୍ତୁ । ଗୀତସଂହିତା ୬୨:୫ ପଦରେ ଲେଖାଅଛି, “ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର ଅପେକ୍ଷା କର; କାରଣ ତାହାଙ୍କଠାରୁ ମୋହର ପ୍ରତ୍ୟାଶା ଜନ୍ମେ ।” ଦୃଢ଼ ଆଶା ହେବାର ଅର୍ଥ ଏହା ଯେ ପୂରା ବିଶ୍ୱାସର ସହ କୌଣସି କଥା ପାଇଁ ଆଶା ରଖିବା । କିନ୍ତୁ ଯଦି ଆମେ କୌଣସି କଥା ପାଇଁ ବହୁତ ଲମ୍ବା ସମୟରୁ ଅପେକ୍ଷା କରୁଛୁ, ତାହେଲେ ଆମ ଆଶା ଦୁର୍ବଳ ହୋଇପାରେ । ତେଣୁ ଆମକୁ ପୂରା ଭରସା ରଖିବା ଉଚିତ୍‌ ଯେ ଆମକୁ ଲମ୍ବା ସମୟ ଯାଏ ଅପେକ୍ଷା କରିବାକୁ ପଡ଼ୁ ନା କାହିଁକି, ଯିହୋବା ଯେଉଁ ପ୍ରତିଜ୍ଞାଗୁଡ଼ିକ କରିଛନ୍ତି, ତାହା ନିଶ୍ଚୟ ପୂରା ହେବ । ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରି ଆମେ ନିଜ ଆଶା ବା ନିଜ ଭରସାକୁ ଆହୁରି ଦୃଢ଼ କରିପାରିବା । ଯେପରି, ଆମେ ଭାବିପାରିବା ଯେ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଲା । ଆଉ ଏହା ବି ଧ୍ୟାନ ଦେବା ଯେ ଏହାକୁ ଅଲଗା ଅଲଗା ଲୋକମାନେ ଲେଖିଲେ, ତଥାପି ଏଗୁଡ଼ିକ ପରସ୍ପର ସହ ମେଳ ଖାଏ ଓ ଏଥିରୁ ଆମେ ଯିହୋବାଙ୍କ ବିଷୟରେ ବହୁତ କଥା ଶିଖିପାରିବା । (ଗୀତ. ୧:୨, ୩) ତାʼଛଡ଼ା ଆମକୁ ପବିତ୍ର ଆତ୍ମାରେ [“ଶକ୍ତି,” NWT] ପ୍ରାର୍ଥନା କରିବା ଉଚିତ୍‌ । ଏପରି କଲେ ଆମେ ଯିହୋବାଙ୍କ ମାର୍ଗଦର୍ଶନ ପାଇବା, ତାଙ୍କ ସହ ଆମ ସମ୍ପର୍କ ଭଲ ରହିବ, ଆମେ ଧୈର୍ଯ୍ୟ ଧରିପାରିବା ଆଉ ଅନନ୍ତ ଜୀବନ ନିମନ୍ତେ କରାଯାଇଥିବା ପ୍ରତିଜ୍ଞାକୁ ଅପେକ୍ଷା କରିପାରିବା ।—ଯିହୂ. ୨୦, ୨୧.

ରାଜା ଦାଉଦଙ୍କ ଭଳି ଭରସା ରଖନ୍ତୁ ଯେ ଯେଉଁ ଲୋକମାନେ ଯିହୋବାଙ୍କ ସମୟର ଅପେକ୍ଷା କରନ୍ତି, ଯିହୋବା ସେମାନଙ୍କ ଉପରେ ଦୃଷ୍ଟି ଦିଅନ୍ତି ଓ ସେମାନଙ୍କୁ ଅଟଳ ପ୍ରେମ କରନ୍ତି । (ଗୀତ. ୩୩:୧୮, ୨୨) ତେଣୁ ଆସନ୍ତୁ ଲଗାତାର ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେବା, ଲଗାତାର ଯିହୋବାଙ୍କର ପ୍ରଶଂସା କରିବା, ଭାଇଭଉଣୀଙ୍କ ସହ ଲଗାତାର ସମୟ ବିତାଇ ସେମାନଙ୍କଠାରୁ ସାହସ ପାଇବା ଓ ନିଜ ଆଶାକୁ ଆହୁରି ଦୃଢ଼ କରିବା । ଏପରି କଲେ ଆମେ ସବୁବେଳେ ଧୈର୍ଯ୍ୟ ଧରିପାରିବା ଓ ଖୁସିର ସହ ଯିହୋବାଙ୍କ ସମୟର ଅପେକ୍ଷା କରିପାରିବା ।

a ମୂଳ ଭାଷାରେ ଯେଉଁ ଶବ୍ଦର ଅନୁବାଦ “ଅପେକ୍ଷା” କରାଯାଇଛି, ତାʼଅର୍ଥ ହେଉଛି, “ଧୈର୍ଯ୍ୟ ଧରି କୌଣସି କଥାକୁ ପୂରା ହେବା ପାଇଁ ଭରସା ରଖିବା ।” ଏହା ଦେଖାଏ ଯେ ଉଦ୍ଧାର ପାଇବା ପାଇଁ ଆମେ କରୁଥିବା ଆଶା ସ୍ୱାଭାବିକ ଅଟେ ।