इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଶାସନ ଦଳରେ ଦୁଇଜଣ ନୂଆ ସଦସ୍ୟ

ପ୍ରଶାସନ ଦଳରେ ଦୁଇଜଣ ନୂଆ ସଦସ୍ୟ

ବୁଧବାର ୧୮ ଜାନୁୟାରୀ ୨୦୨୩ ତାରିଖ ଦିନ jw.org ୱେବ୍‌ସାଇଟରେ ଗୋଟିଏ ବିଶେଷ ଖବର ଆସିଥିଲା । ସେଥିରେ କୁହାଯାଇଥିଲା ଯେ ଭାଇ ଗେଜ୍‌ ଫ୍ଲିଗଲ ଓ ଭାଇ ଜେଫରୀ ୱିଣ୍ଡର ଏବେଠାରୁ ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳରେ ସେବା କରିବେ । ଦୁହେଁ ଲମ୍ବା ସମୟରୁ ବିଶ୍ୱସ୍ତତାର ସହ ଯିହୋବାଙ୍କର ସେବା କରୁଛନ୍ତି ।

ଗେଜ୍‌ ଫ୍ଲିଗଲ ଓ ତାଙ୍କ ସ୍ତ୍ରୀ ନାଡିଆ

ଭାଇ ଫ୍ଲିଗଲ ଆମେରିକାର ପେନସିଲଭାନିଆର ପଶ୍ଚିମାଞ୍ଚଳରେ ବଢ଼ିଥିଲେ । ତାଙ୍କ ବାପାମାଆ ଦୁହେଁ ଯିହୋବାଙ୍କ ସାକ୍ଷୀ ଥିଲେ । ଯେବେ ସେ ଯୁବା ଥିଲେ, ତେବେ ତାଙ୍କ ପରିବାର ଏପରି ଏକ ଛୋଟ ସହରରେ ଯାଇ ରହିବାକୁ ଲାଗିଲା ଯେଉଁଠାରେ ପ୍ରଚାରକଙ୍କ ଅଧିକ ଆବଶ୍ୟକତା ଥିଲା । ତାʼର କିଛି ସମୟ ପରେ ୨୦ ନଭେମ୍ବର ୧୯୮୮ରେ ସେ ବାପ୍ତିସ୍ମ ନେଲେ ।

ଭାଇ ଫ୍ଲିଗଲଙ୍କ ବାପାମାଆ ସବୁବେଳେ ତାଙ୍କୁ ପୂର୍ଣ୍ଣ ସମୟର ସେବା କରିବା ପାଇଁ ପ୍ରୋତ୍ସାହନ ଦେଲେ । ତାଙ୍କ ବାପାମାଆ ଅଧିକାଂଶ ସମୟରେ ସର୍କିଟ ଅଧ୍ୟକ୍ଷମାନଙ୍କୁ ଓ ବୈଥେଲରେ ସେବା କରୁଥିବା ଭାଇଭଉଣୀମାନଙ୍କୁ ନିଜ ଘରେ ରହିବା ପାଇଁ ଜାଗା ଦେଉଥିଲେ । ତେଣୁ ଭାଇ ଫ୍ଲିଗଲ ଦେଖିପାରିଲେ ଯେ ସେହି ଭାଇଭଉଣୀମାନେ କେତେ ଖୁସି ରହନ୍ତି । ବାପ୍ତିସ୍ମ ନେବାର କିଛି ସମୟ ପରେ ୧ ସେପ୍ଟେମ୍ବର ୧୯୮୯ରେ ସେ ଅଗ୍ରଦୂତ ସେବା ଆରମ୍ଭ କଲେ । ତାʼର ଦୁଇ ବର୍ଷ ପରେ ଅକ୍ଟୋବର ୧୯୯୧ରେ ତାଙ୍କୁ ବ୍ରୁକଲିନ୍‌ ବୈଥେଲରେ ସେବା କରିବା ପାଇଁ ଡକାଗଲା । ଏପରି ଭାବେ ୧୨ ବର୍ଷ ବୟସରେ କାମ କରିବା ପାଇଁ ତାଙ୍କର ଯେଉଁ ଲକ୍ଷ୍ୟ ଥିଲା, ତାହା ପୂରା ହେଲା ।

ଭାଇ ଫ୍ଲିଗଲ ବୈଥେଲର ଛାପାଖାନାରେ ଆଠ ବର୍ଷ ଯାଏ ବାଇଣ୍ଡ୍ରିର (ବହିପତ୍ରିକାକୁ ଛପା ହେବା ପରେ ଯୋଡ଼ିବା) କାମ କଲେ । ତାʼପରେ ତାଙ୍କୁ ସେବା ବିଭାଗ ସହ କାମ କରିବା ପାଇଁ କୁହାଗଲା । ସେସମୟରେ କିଛି ବର୍ଷ ଯାଏ ସେ ରୁଷିୟ ଭାଷା କୁହାଯାଉଥିବା ମଣ୍ଡଳୀରେ ଥିଲେ । ୨୦୦୬ରେ ସେ ଭଉଣୀ ନାଡିଆଙ୍କୁ ବିବାହ କଲେ । ତାʼପରେ ସେମାନେ ଦୁହେଁ ମିଶି ବୈଥେଲରେ ସେବା କରିବାକୁ ଲାଗିଲେ । ସେମାନେ ଦୁହେଁ ମିଶି ପର୍ତ୍ତୁଗୀଜ ଭାଷା କୁହାଯାଉଥିବା ମଣ୍ଡଳୀରେ ସେବା କଲେ ଓ ତାʼପରେ ୧୦ ବର୍ଷରୁ ବି ଅଧିକ ସମୟ ଯାଏ ସ୍ପେନିଶ ଭାଷା କୁହାଯାଉଥିବା ମଣ୍ଡଳୀରେ ସେବା କଲେ । ସେବା ବିଭାଗରେ ଅନେକ ବର୍ଷ ଯାଏ କାମ କଲା ପରେ ଭାଇ ଫ୍ଲିଗଲଙ୍କୁ ଶିକ୍ଷା ସମିତି ସହ କାମ କରିବା ପାଇଁ କୁହାଗଲା ଓ ତାʼପରେ ସେବା ସମିତି ସହ କାମ କରିବା ପାଇଁ କୁହାଗଲା । ତାʼପରେ ମାର୍ଚ୍ଚ ୨୦୨୨ରେ ତାଙ୍କୁ ପ୍ରଶାସନ ଦଳର ସେବା ସମିତିର ସହାୟକ ଭାବେ ସେବା କରିବା ପାଇଁ ନିଯୁକ୍ତ କରାଗଲା ।

ଜେଫରୀ ୱିଣ୍ଡର ଓ ତାଙ୍କ ସ୍ତ୍ରୀ ଏଞ୍ଜେଲା

ଭାଇ ୱିଣ୍ଡର ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ମୁର୍ରିଏଟା ସହରରେ ବଢ଼ିଥିଲେ । ସେ ନିଜ ବାପାମାଆଙ୍କଠାରୁ ସତ୍ୟ ଶିଖିଲେ । ତାʼପରେ ୨୯ ମାର୍ଚ୍ଚ ୧୯୮୬ରେ ବାପ୍ତିସ୍ମ ନେଲେ । ତାʼପର ମାସରୁ ହିଁ ସେ ସହଯୋଗୀ ଅଗ୍ରଦୂତ ସେବା କରିବା ଆରମ୍ଭ କରିଦେଲେ । ତାଙ୍କୁ ଏଥିରେ ଏତେ ମଜା ଲାଗିଲା ଯେ ସେ ଆଗକୁ ମଧ୍ୟ ଏହି ସେବା ଜାରି ରଖିଲେ । ଅନେକ ମାସ ଯାଏ ସହଯୋଗୀ ଅଗ୍ରଦୂତ ସେବା କରିବା ପରେ ୧ ଅକ୍ଟୋବର ୧୯୮୬ରେ ସେ ଅଗ୍ରଦୂତ ସେବା ଆରମ୍ଭ କଲେ ।

ଯେବେ ଭାଇ ୱିଣ୍ଡର ଯୁବା ଥିଲେ, ତେବେ ତାଙ୍କର ଦୁଇଜଣ ବଡ଼ ଭାଇ ବୈଥେଲରେ ସେବା କରୁଥିଲେ । ଥରେ ସେ ସେମାନଙ୍କୁ ଭେଟିବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଏତେ ଭଲ ଲାଗିଲା ଯେ ସେ ଭାବିଲେ ଯେ ସେ ବି ଆଗକୁ ଯାଇ ବୈଥେଲ ସେବା କରିବେ । ତାʼପରେ ମେ ୧୯୯୦ରେ ତାଙ୍କୁ ୱାଲକିଲ ବୈଥେଲରେ ସେବା କରିବା ପାଇଁ ଡକାଗଲା ।

ଭାଇ ୱିଣ୍ଡର ବୈଥେଲର ଅନେକ ବିଭାଗରେ ସେବା କଲେ । ଯେପରି, ସଫାସୁତୁରା ବିଭାଗ, ଚାଷ କାମ କରାଯାଉଥିବା ବିଭାଗ ଓ ବୈଥେଲ ଅଫିସ୍‌ରେ । ତାʼପରେ ୧୯୯୭ରେ ସେ ଭଉଣୀ ଏଞ୍ଜେଲାଙ୍କୁ ବିବାହ କଲେ ଓ ତାʼପରଠୁ ସେମାନେ ଦୁହେଁ ମିଶି ବୈଥେଲରେ ସେବା କରୁଛନ୍ତି । ୨୦୧୪ରେ ସେମାନଙ୍କୁ ୱାରୱିକ୍‌ ପଠାଗଲା । ସେଠାରେ ଭାଇ ୱିଣ୍ଡର ବିଶ୍ୱ ମୁଖ୍ୟାଳୟର ନିର୍ମାଣ କାମରେ ସହଯୋଗ କଲେ । ୨୦୧୬ରେ ସେମାନଙ୍କୁ ପ୍ୟାଟରସନର ୱାଚ୍‌ଟାୱର ଶିକ୍ଷା କେନ୍ଦ୍ରକୁ ପଠାଗଲା । ସେଠାରେ ଭାଇ ୱିଣ୍ଡର ଅଡିଓ/ଭିଡିଓ ବିଭାଗରେ ସେବା କଲେ । ତାʼର ଚାରିବର୍ଷ ପରେ ତାଙ୍କୁ ପୁଣିଥରେ ୱାରୱିକ୍‌ ଡକାଗଲା । ଏଥର ଭାଇ ୱିଣ୍ଡରଙ୍କୁ ବୈଥେଲ-ସ୍ୱୟଂସେବକ ସମିତିରେ କାମ କରିବା ପାଇଁ କୁହାଗଲା । ମାର୍ଚ୍ଚ ୨୦୨୨ରେ ଭାଇ ୱିଣ୍ଡରଙ୍କୁ ପ୍ରଶାସନ ଦଳର ବୈଥେଲ-ସ୍ୱୟଂସେବକ ସମିତିର ସହାୟକ ଭାବରେ ସେବା କରିବା ପାଇଁ ନିଯୁକ୍ତ କରାଗଲା ।

ଏହି ଭାଇମାନେ “ମନୁଷ୍ୟ ରୂପରେ” ଯିହୋବାଙ୍କ ତରଫରୁ ମିଳିଥିବା “ଉପହାର” ଅଟନ୍ତି । ଆମେ ପ୍ରାର୍ଥନା କରୁ ଯେ ଏହି ଭାଇମାନେ ରାଜ୍ୟର କାମକୁ ଆଗକୁ ବଢ଼ାଇବା ପାଇଁ ଯେଉଁ କଠିନ ପରିଶ୍ରମ କରୁଛନ୍ତି, ତାʼଉପରେ ଯିହୋବା ଆଶିଷ ଦିଅନ୍ତୁ ।—ଏଫି. ୪:୮, NWT.