इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କʼଣ ଆପଣ ଜାଣନ୍ତି ?

କʼଣ ଆପଣ ଜାଣନ୍ତି ?

ବାଇବଲରେ ଗୋଟିଏ କଥା ବାରମ୍ବାର କାହିଁକି ଲେଖାଯାଇଛି ?

ବାଇବଲର ଲେଖକମାନେ ବେଳେ ବେଳେ ଗୋଟିଏ କଥାକୁ ବାରମ୍ବାର ଏକାଭଳି ଲେଖିଛନ୍ତି । ଆସନ୍ତୁ, ଏପରି ତିନୋଟି କାରଣ ଉପରେ ଧ୍ୟାନ ଦେବା ଯାହାଯୋଗୁଁ ହୁଏତ ସେମାନେ ଏପରି କଲେ ।

ସେହି କଥାଗୁଡ଼ିକ କେବେ ଲେଖାଗଲା ? ପ୍ରାଚୀନ ସମୟରେ ଅଧିକାଂଶ ଇସ୍ରାଏଲୀୟମାନଙ୍କ ପାଖରେ ବ୍ୟବସ୍ଥାର ଚର୍ମପତ୍ର ରହୁ ନ ଥିଲା । ବିଶେଷ କରି ସେମାନେ ତେବେ ହିଁ ବ୍ୟବସ୍ଥାରେ ଲେଖା କଥାଗୁଡ଼ିକ ଶୁଣି ପାରୁଥିଲେ, ଯେବେ ପବିତ୍ର ତମ୍ବୁରେ କିମ୍ବା ପୂରା ରାଷ୍ଟ୍ରକୁ ବ୍ୟବସ୍ଥା ବିଷୟରେ ପଢ଼ିକି ଶୁଣାଯାଉଥିଲା । (ଦ୍ୱିବି. ୩୧:୧୦-୧୨) ସେମାନେ ଘଣ୍ଟା ଘଣ୍ଟା ଧରି ସେଠାରେ ଠିଆ ହୋଇ ରହୁଥିଲେ । ଏତେ ଭିଡ଼ରେ ନିଶ୍ଚୟ ତାଙ୍କ ଧ୍ୟାନ ଏପଟସେପଟ ହୋଇଯାଉଥିବ । (ନିହି. ୮:୨, ୩,) ଏପରି ସମୟରେ ଯେତେବେଳେ ଶାସ୍ତ୍ରରୁ କୌଣସି ବିଶେଷ କଥା କୁହାଯାଉଥିଲା, ତେବେ ଲୋକମାନଙ୍କ ପାଇଁ ତାହା ମନେ ରଖିବା ଓ ମାନିବା ସହଜ ହୋଇଯାଉଥିବ । କିଛି ଶବ୍ଦଗୁଡ଼ିକ ବାରମ୍ବାର କୁହାଯିବା ଯୋଗୁଁ ଲୋକମାନେ ଅନେକ ଛୋଟ ଛୋଟ କଥାଗୁଡ଼ିକୁ ମନେ ରଖିପାରୁଥିବେ । ଯେପରି, ଈଶ୍ୱରଙ୍କ ନିୟମ ବ୍ୟବସ୍ଥା ଓ ନ୍ୟାୟ ସିଦ୍ଧାନ୍ତ ।—ଲେବୀ. ୧୮:୪-୨୨; ଦ୍ୱିବି. ୫:୧.

ସେହି କଥାଗୁଡ଼ିକ କେଉଁ ରୂପରେ ଲେଖାଯାଇଛି ? ବାଇବଲରେ କିଛି ଅଂଶ ଗୀତ ରୂପରେ ଲେଖାଯାଇଛି, ଯେପରି ଗୀତସଂହିତା, ପରମ ଗୀତ, ବିଳାପ ବହିଗୁଡ଼ିକ । ଗୋଟିଏ ଗୀତ ଯେଉଁ ବିଷୟରେ ଥାଏ, ଅନେକ ଥର ସେହି କଥା ଉପରେ ଜୋର ଦେବା ପାଇଁ ଗୀତର କିଛି ଶବ୍ଦଗୁଡ଼ିକୁ ବାରମ୍ବାର କୁହାଯାଏ । ଏପରି କରିବା ଦ୍ୱାରା ଶୁଣିବା ବ୍ୟକ୍ତିକୁ ସେହି କଥା ସହଜରେ ମନେ ରହିଯାଏ । ଉଦାହରଣ ପାଇଁ ଗୀତସଂହିତା ୧୧୫:୯-୧୧ ପଦ ଉପରେ ଧ୍ୟାନ ଦିଅନ୍ତୁ । ସେଠାରେ ଲେଖାଅଛି, “ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁଙ୍କଠାରେ ନିର୍ଭର କର; ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ । ହେ ହାରଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ । ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ ।” ଭାବନ୍ତୁ, ଯେବେ ଗାୟକମାନେ ଏହି ଗୀତ ଗାଉଥିବେ ଓ ବାରମ୍ବାର ସେହି ଶବ୍ଦଗୁଡ଼ିକୁ କହୁଥିବେ, ତେବେ କିଭଳି ଏହି ବହୁମୂଲ୍ୟ ସତ୍ୟଗୁଡ଼ିକ ତାଙ୍କ ମନ ଓ ହୃଦୟରେ ଛାପି ହୋଇ ରହିଯାଉଥିବ ।

ସେହି କଥାଗୁଡ଼ିକ କାହିଁକି ଲେଖାଗଲା ? ବାଇବଲର ଲେଖକମାନେ ବେଳେ ବେଳେ ଜରୁରୀ କଥାଗୁଡ଼ିକୁ ବାରମ୍ବାର ଦୋହରାଉ ଥିଲେ । ଯେପରି, ଯିହୋବା ଇସ୍ରାଏଲୀୟମାନଙ୍କୁ ରକ୍ତ ନ ଖାଇବା ପାଇଁ ଆଜ୍ଞା ଦେଇଥିଲେ । ଆଉ ସେମାନଙ୍କୁ ଏପରି କାହିଁକି କରିବାର ଥିଲା ଏହା ବିଷୟରେ ସେ ମୋଶାଙ୍କ ଜରିଆରେ ଅନେକ ଥର ଲେଖାଇଲେ । ଈଶ୍ୱର ଏହି କଥା ଉପରେ ଜୋର୍‌ ଦେବା ପାଇଁ ଚାହୁଁଥିଲେ ଯେ ରକ୍ତ ଜୀବନ ଅଟେ, ଅର୍ଥାତ୍‌ ରକ୍ତ ଜୀବନର ପ୍ରତୀକ । (ଲେବୀ. ୧୭:୧୧, ୧୪) ପରେ ଯିରୂଶାଲମର ପ୍ରେରିତ ଓ ପ୍ରାଚୀନମାନେ କିଛି ଏଭଳି କଥାଗୁଡ଼ିକ କହିଲେ ଯେଉଁଥିରୁ ଖ୍ରୀଷ୍ଟିୟାନମାନଙ୍କୁ ଦୂରେଇ ରହିବାର ଥିଲା । ଏପରି କରିବା ସମୟରେ ସେମାନଙ୍କୁ ପୁଣି ଏହି କଥା ଉପରେ ଜୋର୍‌ ଦେବାର ଥିଲା ଯେ ସେମାନଙ୍କୁ ରକ୍ତଠାରୁ ଦୂରେ ରହିବା ଉଚିତ୍‌ ।—ପ୍ରେରି. ୧୫:୨୦, ୨୯.

ଏହା ସତ ଯେ ବାଇବଲରେ ବାରମ୍ବାର ଏକାଭଳି କଥାଗୁଡ଼ିକ କୁହାଯାଇଛି, କିନ୍ତୁ ଯିହୋବା ଏହା ଚାହାନ୍ତିନି ଯେ ଆମେ ସେହି କଥାଗୁଡ଼ିକୁ ବାରମ୍ବାର କହିବାର ଅଭ୍ୟାସ କରିବା । ଯେପରି ଯୀଶୁ ବି କହୁଥିଲେ ଯେ, ‘ପ୍ରାର୍ଥନା କରିବା ସମୟରେ ପୁନରୁକ୍ତି କର ନାହିଁ ।’ (ମାଥି. ୬:୭) ଏହା ପରେ ଯୀଶୁ ଆମକୁ କହିଲେ ଯେ ଆମେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ କେଉଁ ବିଷୟଗୁଡ଼ିକରେ ପ୍ରାର୍ଥନା କରିପାରିବା । (ମାଥି. ୬:୯-୧୩) ତାହେଲେ ପ୍ରାର୍ଥନା କରିବା ସମୟରେ ଆମେ ଗୋଟିଏ ପ୍ରକାର ଶବ୍ଦକୁ ବାରମ୍ବାର କହି ନ ଥାଉ । କିନ୍ତୁ ଆମେ ଗୋଟିଏ ବିଷୟ ପାଇଁ ବାରମ୍ବାର ପ୍ରାର୍ଥନା ନିଶ୍ଚୟ କରିପାରିବା ।—ମାଥି. ୭:୭-୧୧.

ତାହେଲେ ଯେପରି ଆମେ ଦେଖିଲୁ ଯେ ଏପରି ଅନେକ କଥା ଅଛି ଯାହାଯୋଗୁଁ ବାଇବଲରେ କିଛି କଥାଗୁଡ଼ିକ ବାରମ୍ବାର କୁହାଯାଇଛି । ଆମ ମହାନ ଶିକ୍ଷକ ଯିହୋବା ଆମର ଭଲ ଚାହାନ୍ତି ଓ ସେ ଚାହାନ୍ତି ଯେ ତାଙ୍କ ବାକ୍ୟରେ ଯାହା ଲେଖା ଅଛି ତାହା ଆମ ହୃଦୟରେ ସବୁଦିନ ପାଇଁ ରହୁ, ତେଣୁ ସେ ଆମକୁ ଏପରି ଭାବରେ ଶିଖାନ୍ତି ।—ଯିଶା. ୪୮:୧୭, ୧୮.