इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଜୀବନ କାହାଣୀ

ମୋର ଦୁର୍ବଳତାଗୁଡ଼ିକରେ ଈଶ୍ୱରଙ୍କ ଶକ୍ତି ସ୍ପଷ୍ଟ ଦେଖାଯାଇଛି

ମୋର ଦୁର୍ବଳତାଗୁଡ଼ିକରେ ଈଶ୍ୱରଙ୍କ ଶକ୍ତି ସ୍ପଷ୍ଟ ଦେଖାଯାଇଛି

୧୯୮୫ରେ ମୁଁ ଓ ମୋର ସ୍ତ୍ରୀ କଲମ୍ବିଆ ଆସିଲୁ । ସେସମୟରେ ପୂରା ଦେଶରେ ଆତଙ୍କ ଖେଳିଯାଇଥିଲା । ସରକାର ସହରର ବଡ଼ ବଡ଼ ଡ୍ରଗ୍ସ ମାଫିଆମାନଙ୍କ ସହ ଓ ପାହାଡ଼ିଆ ଅଞ୍ଚଳର ଗୁରିଲ୍ଲା ସମ୍ପ୍ରଦାୟମାନଙ୍କ ସହ ଲଢ଼ୁଥିଲା । ମେଡେଲିନରେ, ଯେଉଁଠାରେ ପରେ ଆମେ ସେବା କଲୁ, ଛୋଟ ଛୋଟ ବୟସର ପିଲାମାନଙ୍କର ଦଳ ବନ୍ଧୁକ ଧରି ଏପଟେ ସେପଟେ ବୁଲୁଥିଲେ । ସେମାନେ ଡ୍ରଗ୍ସ ବିକ୍ରି କରୁଥିଲେ, ଧମକ ଦେଇ ପଇସା ମାଗୁଥିଲେ ଆଉ ଲୋକମାନଙ୍କୁ ହତ୍ୟା କରିବା ପାଇଁ ପଇସା ନେଉଥିଲେ । ଏହି କାରଣ ଯୋଗୁଁ ଛୋଟ ବୟସରେ ହିଁ ଅନେକ ପିଲାମାନେ ନିଜ ଜୀବନ ହରାଇ ବସୁଥିଲେ । ସେଠାରେ ପହଞ୍ଚି ଆମକୁ ଏପରି ଲାଗିଲା ଯେପରି ଆମେ ଗୋଟିଏ ଅଲଗା ଦୁନିଆରେ ଆସି ଯାଇଛୁ ।

ମୁଁ ଓ ମୋର ସ୍ତ୍ରୀ ଫିନଲାଣ୍ଡରୁ ଅଟୁ ଆଉ ଆମେ ବହୁତ ସାଧାରଣ ଲୋକ । କିନ୍ତୁ ଆମେ ଉତ୍ତରରୁ ଏତେ ଦୂର ଦକ୍ଷିଣ ଆମେରିକା କିପରି ଆସିଲୁ ଓ ସମୟ ଗଡ଼ିବା ସହ ଆମେ କʼଣ କʼଣ ଶିଖିଲୁ ? ଆସନ୍ତୁ କହୁଛି ।

ମୋର ଲାଳନପାଳନ ଫିନଲାଣ୍ଡରେ ହେଲା

ମୋର ଜନ୍ମ ୧୯୫୫ରେ ହୋଇଥିଲା । ମୋର ଦୁଇଜଣ ବଡ଼ ଭାଇ ଅଛନ୍ତି ଆଉ ମୁଁ ସବୁଠାରୁ ସାନ । ମୋର ଲାଳନପାଳନ ୱାଣ୍ଟା ସହରରେ ହେଲା ଯାହା ଫିନଲାଣ୍ଡର ଦକ୍ଷିଣ ଉପକୂଳରେ ଅଛି ।

ମୋ ଜନ୍ମ ହେବାର କିଛି ବର୍ଷ ପୂର୍ବେ ହିଁ ମାଆ ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହୋଇଯାଇଥିଲେ । କିନ୍ତୁ ବାପାଙ୍କୁ ଏହା ପସନ୍ଦ ନ ଥିଲା ଓ ସେ ମାଆଙ୍କୁ କହିଦେଇଥିଲେ ଯେ ସେ ଆମକୁ ବାଇବଲରୁ କିଛି ଶିଖାନ୍ତୁ ନାହିଁ ଓ ସଭାରେ ବି ନିଅନ୍ତୁ ନାହିଁ । ସେଥିପାଇଁ ଯେବେ ବାପା ଘରେ ରହୁ ନ ଥିଲେ, ସେସମୟରେ ମାଆ ଆମକୁ ବାଇବଲରୁ କିଛି କଥା ଶିଖାଉଥିଲେ ।

ମୁଁ ଯେବେ ୭ ବର୍ଷର ଥିଲି, ତେବେ ମୁଁ ଯିହୋବାଙ୍କ କଥା ମାନିଲି ।

ପିଲା ବେଳରୁ ହିଁ ମୁଁ ଯିହୋବାଙ୍କ କଥା ମାନିବା ପାଇଁ ଚାହୁଁଥିଲି । ଯେପରି, ଯେବେ ମୁଁ ସାତ ବର୍ଷର ଥିଲି, ସେସମୟରେ ମୋର ସ୍କୁଲ ଟିଚର ମୋତେ ୱେରିଲାଟ୍ୟା ଖୁଆଇବା ପାଇଁ ଚେଷ୍ଟା କଲେ (ଏହା ଗୋଟିଏ ପ୍ରକାରର ଖାଦ୍ୟ ଯେଉଁଥିରେ ରକ୍ତ ମିଶା ହେଇଥାଏ) । ଯେବେ ମୁଁ ମନା କରିଦେଲି, ସେ ବହୁତ ରାଗିଗଲେ । ସେ ଗୋଟିଏ ହାତରୁ ମୋ ମୁହଁକୁ ଧରିଲେ ଓ ଅନ୍ୟ ହାତରେ ମୋତେ ୱେରିଲାଟ୍ୟା ଖୁଆଇବା ପାଇଁ ଚେଷ୍ଟା କଲେ । କିନ୍ତୁ ମୁଁ ତାଙ୍କ ହାତକୁ ପେଲି ଦେଲି ଓ ସେ ମୋତେ ଖୁଆଇ ପାରିଲେ ନାହିଁ ।

ଯେବେ ମୁଁ ୧୨ ବର୍ଷର ଥିଲି, ସେସମୟରେ ମୋ ବାପାଙ୍କର ମୃତ୍ୟୁ ହୋଇଗଲା । ତାʼପରେ ମୁଁ ସଭାଗୁଡ଼ିକରେ ଯିବାକୁ ଲାଗିଲି । ମଣ୍ଡଳୀର ଭାଇମାନେ ମୋତେ ବହୁତ ପ୍ରେମ କରୁଥିଲେ ଓ ସେମାନେ ମୋତେ ବହୁତ ସାହାଯ୍ୟ କଲେ । ତେଣୁ ମୁଁ ଯିହୋବାଙ୍କ ଆହୁରି ଅଧିକ ସେବା କରିବାକୁ ଚାହିଁଲି । ମୁଁ ପ୍ରତିଦିନ ବାଇବଲ ପଢ଼ିବାକୁ ଲାଗିଲି ଓ ବହି ପତ୍ରିକାଗୁଡ଼ିକର ଭଲଭାବେ ଅଧ୍ୟୟନ କରିବାକୁ ଲାଗିଲି । ଏହି ଅଭ୍ୟାସଗୁଡ଼ିକ ଯୋଗୁଁ ମୋର ବିଶ୍ୱାସ ଏତେ ଦୃଢ଼ ହୋଇଗଲା ଯେ ମୁଁ ଅଗଷ୍ଟ ୮, ୧୯୬୯ରେ ବାପ୍ତିସ୍ମ ନେଲି । ସେସମୟରେ ମୁଁ ମାତ୍ର ୧୪ ବର୍ଷର ଥିଲି ।

ସ୍କୁଲ ପଢ଼ା ଶେଷ ହେବା ପରେ ମୁଁ ଅଗ୍ରଦୂତ ସେବା ଆରମ୍ଭ କରିଦେଲି । ତାʼପରେ କିଛି ସପ୍ତାହ ପରେ ମୁଁ ପିଲାୱେସୀ ନାମକ ଜାଗାକୁ ଯାଇ ସେବା କରିବାକୁ ଲାଗିଲି ଯେଉଁଠାରେ ପ୍ରଚାରକଙ୍କ ଅଧିକ ଆବଶ୍ୟକତା ଥିଲା । ଏହି ଜାଗା ଫିନଲାଣ୍ଡର ମଧ୍ୟ ଭାଗରେ ଅଛି ।

ପିଲାୱେସୀରେ ମୋର ସିର୍‌କା ସହିତ ଦେଖା ହେଲା । ସେ ମୋତେ ବହୁତ ଭଲ ଲାଗୁଥିଲେ, କାରଣ ସେ ନମ୍ର ଥିଲେ ଓ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ସେ ନିଜ ପ୍ରଶଂସା ଚାହୁଁ ନ ଥିଲେ ଓ ତାଙ୍କୁ କମ୍‌ ଜିନିଷରେ ବି ଖୁସି ରହିବା ଜଣାଥିଲା । ଆମ ଦୁଇଜଣଙ୍କର ଇଚ୍ଛା ଥିଲା ଯେ ଯିହୋବାଙ୍କ ସେବାରେ ଆମ ଦ୍ୱାରା ଯେତେ ହୋଇପାରିବ ଆମେ ସେତେ କରିବା । ଆଉ ଆମକୁ ଯାହା ବି କାମ ମିଳିବ, ତାହା ଆମେ ମନପ୍ରାଣ ଦେଇ କରିବା । ମାର୍ଚ୍ଚ ୨୩, ୧୯୭୪ରେ ଆମେ ବିବାହ କଲୁ । ତାʼପରେ ବାହାରକୁ ବୁଲିବା ପାଇଁ ଯିବା ପରିବର୍ତ୍ତେ ଆମେ ସେବା କରିବା ପାଇଁ କାର୍ଟଟୁଲା ଗଲୁ, ଯେଉଁଠାରେ ପ୍ରଚାରକଙ୍କର ଆହୁରି ଅଧିକ ଆବଶ୍ୟକତା ଥିଲା ।

ଫିନଲାଣ୍ଡର କାର୍ଟଟୁଲା ସହରରେ ଥିବା ଆମ ଭଡ଼ା ଘର

ଯିହୋବା ଆମର ଯତ୍ନ ନେଲେ

ମୋ ଭାଇ ଆମକୁ ଯେଉଁ କାର ଦେଇଥିଲେ

ଆମ ବିବାହ ପରଠୁ, ଯିହୋବା ଆମର ବହୁତ ଯତ୍ନ ନେଇଛନ୍ତି । ଆମେ ଦେଖିପାରିଛୁ ଯେ ଯେବେ ଆମେ ତାଙ୍କ ରାଜ୍ୟକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଲୁ, ତେବେ ଆମକୁ କୌଣସି ଜିନିଷର ଅଭାବ ହେଲା ନାହିଁ । (ମାଥି. ୬:୩୩) ଯେପରି, ଯେବେ ଆମେ କାର୍ଟଟୁଲାରେ ଥିଲୁ, ସେସମୟରେ ଆମ ପାଖରେ କାର ନ ଥିଲା । ସବୁ ଜାଗାରେ ଆମକୁ ସାଇକେଲରେ ଯିବାକୁ ପଡ଼ୁଥିଲା । କିନ୍ତୁ ସେଠାରେ ଶୀତ ଦିନରେ ବହୁତ ବରଫ ପଡ଼ୁଥିଲା ଓ ପ୍ରବଳ ଥଣ୍ଡା ହେଉଥିଲା ଆଉ ଆମକୁ ପ୍ରଚାର ପାଇଁ ଦୂର ଦୂର ଜାଗାକୁ ଯିବାକୁ ପଡ଼ୁଥିଲା । ସେଥିପାଇଁ ଆମକୁ କାର ଦରକାର ଥିଲା । କିନ୍ତୁ କାର କିଣିବା ପାଇଁ ଆମ ପାଖରେ ପଇସା ନ ଥିଲା ।

ଦିନେ ହଠାତ୍‌ ଆମକୁ ଭେଟିବା ପାଇଁ ଭାଇ ଆସିଲେ । ସେ ନିଜ କାର ଆମକୁ ଦେଲେ । ସେ ତାର ଇନସୁରେନ୍ସ ବି କରିଦେଇଥିଲେ, ଆମକୁ କେବଳ ପେଟ୍ରୋଲ ଭରିବାର ଥିଲା । ଏହିପରି ଭାବରେ ଆମକୁ ଗୋଟିଏ କାର ମିଳିଗଲା !

ଆମକୁ ଏପରି ଲାଗିଲା ଯେପରି ଯିହୋବା ଆମକୁ କହୁଛନ୍ତି, ‘ତମେ କେବଳ ରାଜ୍ୟକୁ ପ୍ରଥମ ସ୍ଥାନ ଦିଅ, ବାକି ସବୁ ଆବଶ୍ୟକତା ମୁଁ ପୂରା କରିବି !’

ଆମେ ଗିଲିୟଡ ଗଲୁ

୧୯୭୮ ରେ ଆମ ‘ଅଗ୍ରଦୂତ ସେବା ସ୍କୁଲର’ କ୍ଲାସ

୧୯୭୮ରେ ଆମେ ଅଗ୍ରଦୂତ ସେବା ସ୍କୁଲ ପାଇଁ ଗଲୁ । ସେଠାରେ ଆମର ଜଣେ ଶିକ୍ଷକ ଭାଇ ରାଇମୋ କ୍ୱୋକାନେନ୍‌ a ଆମକୁ କହିଲେ, ‘ତମେ ଗିଲିୟଡ ପାଇଁ କାହିଁକି ଆବେଦନ କରୁ ନ ?’ ସେଥିପାଇଁ ଆମେ ଇଂରାଜୀ ଶିଖିବା ଆରମ୍ଭ କରିଦେଲୁ । କାରଣ ଗିଲିୟଡ ଯିବା ପାଇଁ ଏହା ବହୁତ ଜରୁରୀ ଥିଲା । କିନ୍ତୁ ଗିଲିୟଡର ଆବେଦନ ଭରିବା ପୂର୍ବରୁ ହିଁ ୧୯୮୦ରେ ଆମକୁ ଫିନଲାଣ୍ଡର କାର୍ଯ୍ୟାଳୟରେ ସେବା କରିବା ପାଇଁ ଡକାଗଲା । ଆଉ ସେସମୟରେ ଯେଉଁମାନେ ବୈଥେଲରେ ସେବା କରୁଥିଲେ ସେମାନେ ଗିଲିୟଡ ପାଇଁ ଆବେଦନ କରିପାରୁ ନ ଥିଲେ । ଆମକୁ ଗିଲିୟଡ ଯିବା ପାଇଁ ଇଚ୍ଛା ତ ଥିଲା, କିନ୍ତୁ ଆମେ ଏହା ବି ଜାଣିଥିଲୁ ଯେ ଯିହୋବା ଜାଣନ୍ତି ଯେ ଆମେ କେଉଁଠି ତାଙ୍କ ସେବା ଭଲଭାବେ କରିପାରିବା ଆଉ ଆମେ ସେଠାରେ ହିଁ ଯିବା ପାଇଁ ଚାହୁଁଥିଲୁ । ସେଥିପାଇଁ ଆମେ ବୈଥେଲ ଯିବା ପାଇଁ ନିଷ୍ପତ୍ତି ନେଲୁ । କିନ୍ତୁ ଆମେ ଏହା ଭାବି ଇଂରାଜୀ ଶିଖିବା ଜାରି ରଖିଲୁ ଯେ ଯଦି ଆଗକୁ ଗିଲିୟଡ ପାଇଁ ଡକାଯାଏ, ତେବେ ଆମେ ପୂରାପୂରି ପ୍ରସ୍ତୁତ ଥିବୁ ।

କିଛି ବର୍ଷ ପରେ ପ୍ରଶାସନ ଦଳ ନିଷ୍ପତ୍ତି ନେଲା ଯେ ଯେଉଁମାନେ ବୈଥେଲରେ ସେବା କରନ୍ତି, ସେମାନେ ବି ଗିଲିୟଡ ପାଇଁ ଆବେଦନ କରିପାରିବେ । ଏହା ଶୁଣି ଆମେ ତୁରନ୍ତ ଆବେଦନ କରିଦେଲୁ ! ତାʼଅର୍ଥ ଏହା ନୁହେଁ ଯେ ଆମେ ବୈଥେଲରେ ଖୁସି ନ ଥିଲୁ ବରଂ ଆମେ ଏପରି ଜାଗାରେ ସେବା କରିବା ପାଇଁ ଚାହୁଁଥିଲୁ, ଯେଉଁଠାରେ ଅଧିକ ଆବଶ୍ୟକତା ଅଛି । ତାʼପାଇଁ ଆମକୁ ଗିଲିୟଡ ପାଇଁ ଡକାଗଲା । ୧୯୮୫ ସେପ୍ଟେମ୍ବରରେ ଆମେ ଗିଲିୟଡର ୭୯ତମ କ୍ଲାସରେ ଗ୍ରାଜୁଏଟ୍‌ ହେଲୁ ଓ ଆମକୁ କଲମ୍ବିଆ ପଠାଗଲା ।

ମିଶନାରୀ ସେବା ଆରମ୍ଭ କଲୁ

କଲମ୍ବିଆରେ ଆମକୁ ଶାଖା କାର୍ଯ୍ୟାଳୟରେ ସେବା କରିବା ପାଇଁ କୁହାଗଲା । ବର୍ଷେ ଯାଏ ମୁଁ ମନପ୍ରାଣ ଦେଇ ସେଠାରେ ସେବା କଲି । କିନ୍ତୁ ପରେ ମୁଁ ଭାଇମାନଙ୍କୁ କହିଲି ଯେ ମୁଁ ଅନ୍ୟ ଜାଗାରେ ସେବା କରିବା ପାଇଁ ଚାହେଁ । ଏହା ପ୍ରଥମ ଓ ଶେଷ ଥର ଥିଲା ଯେବେ ମୁଁ ଭାଇମାନଙ୍କୁ ଏପରି କଥା କହିଲି । ତାʼପରେ ଆମକୁ ମିଶନାରୀ ସେବା ପାଇଁ ହ୍ୱିଲା ଅଞ୍ଚଳର ନେୱା ସହରକୁ ପଠାଗଲା ।

ମୋତେ ପ୍ରଚାର କାମ ବହୁତ ପସନ୍ଦ ଥିଲା । ଯେବେ ମୋର ବିବାହ ହୋଇ ନ ଥିଲା, ତେବେ ମୁଁ ଫିନଲାଣ୍ଡରେ ପ୍ରାୟ ସକାଳୁ ସନ୍ଧ୍ୟା ଯାଏ ପ୍ରଚାର କରୁଥିଲି । ଆଉ ବିବାହ ପରେ ବି ମୁଁ ଓ ସିର୍‌କା ଅନେକଥର ଦିନ ସାରା ପ୍ରଚାର କରୁଥିଲୁ । ଆମେ ଦୂର ଦୂର ଅଞ୍ଚଳରେ ଯାଉଥିଲୁ ଓ କେବେ କେବେ ତ ନିଜ ଗାଡ଼ିରେ ହିଁ ଶୋଇ ଯାଉଥିଲୁ । କାରଣ ଏପରି କରି ଆମେ ବହୁତ ସମୟ ବଞ୍ଚାଇ ପାରୁଥିଲୁ ଓ ଆର ଦିନ ଶୀଘ୍ର ଉଠି ପ୍ରଚାର ଆରମ୍ଭ କରିପାରୁଥିଲୁ ।

ମିଶନାରୀ ସେବା କରିବା ଦ୍ୱାରା ଆମଠାରେ ପ୍ରଚାର ପାଇଁ ପୁଣିଥରେ ପୂର୍ବ ଭଳି ଉତ୍ସାହ ଭରିଗଲା । ଧୀରେ ଧୀରେ ମଣ୍ଡଳୀରେ ପ୍ରଚାରକଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲା । ସେଠାର ଭାଇଭଉଣୀମାନେ ବହୁତ ଭଲ ଥିଲେ । ସେମାନେ ପରସ୍ପରକୁ ପ୍ରେମ କରୁଥିଲେ, ଆଦର କରୁଥିଲେ ଓ ଛୋଟ ଛୋଟ କଥା ପାଇଁ ବି ବହୁତ କୃତଜ୍ଞ ରହୁଥିଲେ ।

ପ୍ରାର୍ଥନାରେ ବହୁତ ଶକ୍ତି ଥାଏ

ଆମେ ନେୱା ସହରରେ ପ୍ରଚାର କରୁଥିଲୁ । ଏଠାର ଆଖପାଖ ଅଞ୍ଚଳରେ ଜଣେ ବି ସାକ୍ଷୀ ନ ଥିଲେ । ମୁଁ ଭାବୁଥିଲି ଯେ ସେହି ଅଞ୍ଚଳରେ ଖୁସିର ଖବର କିପରି ପହଞ୍ଚିବ, କାରଣ ଗୁରିଲ୍ଲା ସମ୍ପ୍ରଦାୟର ଲୋକମାନଙ୍କ ଯୋଗୁଁ ସେଠାରେ ବିଦେଶୀମାନଙ୍କ ଯିବା ଭାରି ବିପଦପୂର୍ଣ୍ଣ ଥିଲା । ମୁଁ ଯିହୋବାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲି ଯେ ସେ ଏପରି ବ୍ୟକ୍ତି ସହ ଭେଟିବାକୁ ସାହାଯ୍ୟ କରନ୍ତୁ ଯିଏ ସେହି ଅଞ୍ଚଳର ବାସିନ୍ଦା ଥିବ ଯାହାଫଳରେ ଆମେ ତାହାକୁ ସତ୍ୟ ଶିଖାଇବା ଓ ସେ ସାକ୍ଷୀ ହୋଇଯିବ । ତାʼ ସହିତ ମୁଁ ଏହା ବି ପ୍ରାର୍ଥନା କଲି ଯେ ସେହି ବ୍ୟକ୍ତିର ବିଶ୍ୱାସ ଏତେ ଦୃଢ଼ ହୋଇଯାଉ ଯେ ସେ ନେୱା ସହରରୁ ନିଜ ଗାଁକୁ ଫେରି ସେଠାର ଲୋକଙ୍କୁ ପ୍ରଚାର କରୁ । କିନ୍ତୁ ମୋତେ ଜଣା ନ ଥିଲା ଯେ ଯିହୋବା ଏହାଠାରୁ ଅଧିକ କିଛି ଭାବି ରଖିଛନ୍ତି ।

କିଛି ଦିନ ପରେ ମୁଁ ଜଣେ ଯୁବକ ସହ ବାଇବଲ ଅଧ୍ୟୟନ କରିବାକୁ ଲାଗିଲି । ତାଙ୍କ ନାମ ଫର୍‌ନେନ୍‌ଡୋ ଗନ୍‌ଜାଲେସ୍‌ ଥିଲା ଆଉ ସେ ଅଲ୍‌ଜେସିରାଶ୍‌ରେ ରହୁଥିଲା । ସେଠାରେ ଜଣେ ବି ସାକ୍ଷୀ ନ ଥିଲେ । ଫର୍‌ନେନ୍‌ଡୋ କାମ ପାଇଁ ନେୱା ଆସୁଥିଲା । ତାʼ ଗାଁଠାରୁ ନେୱା ପ୍ରାୟ ୫୦ କିଲୋମିଟର (୩୦ ମାଇଲ୍‌) ଦୂରରେ ଥିଲା । ସେ ପ୍ରତି ସପ୍ତାହ ଅଧ୍ୟୟନ ପାଇଁ ବହୁତ ଭଲଭାବରେ ପ୍ରସ୍ତୁତି କରୁଥିଲା । ଆଉ ଯେବେ ସେ ଅଧ୍ୟୟନ କରିବା ଆରମ୍ଭ କଲା, ତେବେ ସେ ସଭାରେ ବି ଆସିବାକୁ ଲାଗିଲା । ଫର୍‌ନେନ୍‌ଡୋ ପ୍ରଥମ ସପ୍ତାହରୁ ହିଁ ଗାଁକୁ ଫେରି ଲୋକମାନଙ୍କୁ ଏକାଠି କରୁଥିଲା ଆଉ ସେ ନିଜେ ବାଇବଲରୁ ଯାହା ଶିଖୁଥିଲା, ସେସବୁ ସେ ଲୋକମାନଙ୍କୁ ଶିଖାଉଥିଲା ।

୧୯୯୩ରେ ଫର୍‌ନେନ୍‌ଡୋ ସହିତ

ଅଧ୍ୟୟନ କରିବାର ଛଅ ମାସ ପରେ, ୧୯୯୦ ଜାନୁୟାରୀରେ ଫର୍‌ନେନ୍‌ଡୋ ବାପ୍ତିସ୍ମ ନେଲା । ତାʼପରେ ସେ ଅଗ୍ରଦୂତ ସେବା ଆରମ୍ଭ କରିଦେଲା । ଏବେ ଅଲ୍‌ଜେସିରାଶ୍‌ରେ ବି ଜଣେ ଯିହୋବାଙ୍କ ସାକ୍ଷୀ ଥିଲା, ସେଥିପାଇଁ ଶାଖା କାର୍ଯ୍ୟାଳୟକୁ ଲାଗିଲା ଯେ ସେଠାରେ ବିଶେଷ ଅଗ୍ରଦୂତକୁ ପଠାଇଲେ କିଛି ଅସୁବିଧା ହେବ ନି । ଏହିପରି ଭାବରେ ୧୯୯୨ ଫେବୃୟାରୀରେ ସେଠାରେ ଗୋଟିଏ ମଣ୍ଡଳୀ ହୋଇଗଲା ।

ଫର୍‌ନେନ୍‌ଡୋ କେବଳ ନିଜ ଗାଁରେ ହିଁ ପ୍ରଚାର କଲେନି । ବରଂ ବିବାହ ପରେ ସେ ଓ ତାଙ୍କ ସ୍ତ୍ରୀ ସୈନ ୱିସେଣ୍ଟ ଡେଲ୍‌ କୈଗୁଆନ୍‌ ନାମକ ଜାଗାରେ ଯାଇ ରହିଲେ ଯେଉଁଠାରେ ଜଣେ ବି ସାକ୍ଷୀ ନ ଥିଲେ । ସେମାନେ ସେଠାରେ ଗୋଟିଏ ମଣ୍ଡଳୀ ଆରମ୍ଭ କଲେ । ୨୦୦୨ରେ ଫର୍‌ନେନ୍‌ଡୋ ସର୍କିଟ ଅଧ୍ୟକ୍ଷ ହେଲେ । ସେସମୟରୁ ନେଇ ଆଜି ପର୍ଯ୍ୟନ୍ତ ସେ ଓ ତାଙ୍କ ସ୍ତ୍ରୀ ଆଲଗା ବିଭିନ୍ନ ମଣ୍ଡଳୀର ପରିଦର୍ଶନ କରୁଛନ୍ତି ।

ଏହି ଅନୁଭୂତିରୁ ମୁଁ ଶିଖିଲି ଯେ ଯିହୋବାଙ୍କ ସେବା ସହ ଜଡ଼ିତ ଛୋଟ ଛୋଟ କଥାଗୁଡ଼ିକ ପାଇଁ ବି ପ୍ରାର୍ଥନା କରିବା ବହୁତ ଜରୁରୀ । ଯିହୋବା ସେସବୁ କରିପାରିବେ ଯାହା ଆମେ କରିପାରିବାନି । କାରଣ କ୍ଷେତ୍ରର ମାଲିକ ସିଏ ହିଁ ଅଟନ୍ତି, ଆମେ ନୁହଁ ।—ମାଥି. ୯:୩୮.

ଯିହୋବା “ଇଚ୍ଛା କରିବାକୁ ଓ ସାଧନ କରିବାକୁ” ଶକ୍ତି ବି ଦିଅନ୍ତି

୧୯୯୦ରେ ମୋତେ ଭ୍ରମଣକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା । ଆମର ପ୍ରଥମ ସର୍କିଟ କଲମ୍ବିଆର ରାଜଧାନୀ ବୋଗୋଟାରେ ଥିଲା । ଯେତେବେଳେ ଆମକୁ ଏହି ଦାୟିତ୍ୱ ମିଳିଲା, ଆମେ ବହୁତ ଡରିଗଲୁ । ଆମକୁ ଲାଗିଲା ଯେ କେଜାଣେ ଆମେ ଏହି କାମ ଭଲଭାବେ କରିପାରିବା ନା ନାହିଁ । ଆମେ ଦୁହେଁ ବହୁତ ସାଧାରଣ ଲୋକ । ଆମ ପାଖରେ କୌଣସି ବିଶେଷ ଦକ୍ଷତା ବି ନାହିଁ ଆଉ ଆମେ ପୂର୍ବରୁ କୌଣସି ବଡ଼ ସହରରେ ବି ରହି ନ ଥିଲୁ । କିନ୍ତୁ ଯିହୋବା ଫିଲିପ୍‌ପୀୟ ୨:୧୩ ପଦରେ ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହା ସେ ପୂରା କଲେ । ସେଠାରେ ଲେଖାଅଛି, “ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱର ଆପଣା ମଙ୍ଗଳମୟ ସଙ୍କଳ୍ପର ସାଫଲ୍ୟ ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି ।”

ପରେ ଆମକୁ ସର୍କିଟ କାମ ପାଇଁ ମେଡେଲିନ ସହରକୁ ପଠାଗଲା, ଯାହା ବିଷୟରେ ମୁଁ ପୂର୍ବରୁ କହିଥିଲି । ଏଠାରେ ଲୋକମାନଙ୍କ ପାଇଁ ଲଢ଼େଇ ଝଗଡ଼ା ବହୁତ ସାମାନ୍ୟ କଥା ଥିଲା । ଏପରିକି ଗୁଳି ଫୁଟିଲେ ମଧ୍ୟ କାହାରିକୁ କୌଣସି ଫରକ ପଡ଼ୁ ନ ଥିଲା । ଥରେ ମୁଁ ଜଣକ ଘରେ ବାଇବଲ ଅଧ୍ୟୟନ ଚଳାଉ ଥିଲି ଆଉ ବାହାରେ ଗୁଳି ଫୁଟିବାକୁ ଲାଗିଲା । ମୋତେ ଲାଗିଲା ଆମେ ତଳେ ଶୋଇ ପଡ଼ିବା ଉଚିତ୍‌ । କିନ୍ତୁ ମୁଁ ଦେଖିଲି ଯେ ମୋ ବାଇବଲ ବିଦ୍ୟାର୍ଥୀ ପାରାଗ୍ରାଫ ପଢ଼ି ଚାଲିଛି, ତାକୁ ଏଥିରୁ କୌଣସି ଫରକ ପଡ଼ୁ ନ ଥିଲା । ପାରାଗ୍ରାଫ ପଢ଼ିଲା ପରେ ସେ ମୋତେ କହିଲା ଯେ ମୁଁ ଟିକେ ଆସୁଛି, ତାʼପରେ କିଛି ସମୟ ପରେ ସେ ନିଜ ଦୁଇଜଣ ପିଲାଙ୍କୁ ନେଇ ଭିତରକୁ ଆସିଲା ଓ କହିଲା, “କ୍ଷମା କରିବେ, ମୁଁ ମୋ ପିଲାମାନଙ୍କୁ ଆଣିବା ପାଇଁ ଯାଇଥିଲି ।”

କେବଳ ଥରେ ନୁହେଁ, ଅନେକଥର ଆମ ସହ ଏପରି ହେଲା ଯେବେ ଆମେ ମରୁ ମରୁ ବଞ୍ଚିଲୁ । ଆମେ ଥରେ ଘର ଘର ପ୍ରଚାର କରୁଥିଲୁ । ସେସମୟରେ ସିର୍‌କା ମୋ ପାଖକୁ ଦୌଡ଼ି ଦୌଡ଼ି ଆସିଲା । ସେ ବହୁତ ଡରି ଯାଇଥିଲେ । ସେ କହିଲା ଯେ କେହି ମୋ ଉପରେ ଗୁଳି ଚଳାଇଲା । ଏହା ଶୁଣି ମୁଁ ବହୁତ ଡରିଗଲି । ପରେ ଜଣାପଡ଼ିଲା ଯେ ସେ ଲୋକ ସିର୍‌କାକୁ ନୁହେଁ, ବରଂ ସିର୍‌କା ପାଖ ଦେଇ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତିକୁ ମାରିବା ପାଇଁ ଚେଷ୍ଟା କରୁଥିଲା ।

ଧୀରେ ଧୀରେ ଆମ ଡର ବି କମ୍‌ ହେବାକୁ ଲାଗିଲା । ଆମକୁ ସେଠାର ଭାଇଭଉଣୀମାନଙ୍କଠାରୁ ବି ବହୁତ ସାହାଯ୍ୟ ମିଳିଲା ଯେଉଁମାନେ ଏପରି ହିଁ ପରିସ୍ଥିତିର ଓ ଏହାଠୁ ବି ଅଧିକ ଖରାପ ପରିସ୍ଥିତିର ସାମନା କରିଥିଲେ । ଆମେ ଭାବିଲୁ ଯେ ଯଦି ଯିହୋବା ସେମାନଙ୍କର ସାହାଯ୍ୟ କରୁଛନ୍ତି, ତାହେଲେ ସେ ଆମର ବି ନିଶ୍ଚୟ ସାହାଯ୍ୟ କରିବେ । ଆମେ ସବୁବେଳେ ପ୍ରାଚୀନମାନଙ୍କ ପରାମର୍ଶକୁ ମାନିଲୁ, ସାବଧାନତାର ସହ କାମ କରିଲୁ ଓ ସବୁକିଛି ଯିହୋବାଙ୍କ ହାତରେ ଛାଡ଼ିଦେଲୁ ।

କିନ୍ତୁ ସବୁବେଳେ ପରିସ୍ଥିତି ଏତେ ଖରାପ ହେଉ ନ ଥିଲା ଯେତେ ଆମେ ଭାବୁଥିଲୁ । ଯେପରି, ଥରେ ମୁଁ ଜଣକ ଘରକୁ ପ୍ରଚାର କରିବା ପାଇଁ ଯାଇଥିଲି । ସେସମୟରେ ମୋତେ ବାହାରୁ ଦୁଇଜଣ ସ୍ତ୍ରୀଙ୍କ ପାଟିତୁଣ୍ଡ କରିବାର ଆବାଜ୍‌ ଆସିଲା । ମୁଁ ଏହା ଶୁଣିବାକୁ ଚାହୁଁ ନ ଥିଲି । କିନ୍ତୁ ମୁଁ ଯାହାଙ୍କ ଘରେ ଥିଲି, ସେ ମୋତେ ବାରମ୍ବାର ବାହାରକୁ ଆସିବା ପାଇଁ କହିଲେ । ଯେବେ ମୁଁ ବାହାରକୁ ଗଲି, ମୁଁ ଦେଖିଲି ଯେ ଦୁଇଟି ଶୁଆ ତାଙ୍କ ପଡ଼ୋଶୀରେ ରହୁଥିବା ସ୍ତ୍ରୀମାନଙ୍କର ନକଲ କରୁଥିଲେ, ଯେଉଁମାନେ ସବୁବେଳେ ପରସ୍ପର ସହିତ ଝଗଡ଼ା ହେଉଥିଲେ ।

ଆହୁରି ଦାୟିତ୍ୱ ଓ ସମସ୍ୟା

୧୯୯୭ରେ ମୋତେ ‘ମଣ୍ଡଳୀ ସେବକ ପ୍ରଶିକ୍ଷଣ ସ୍କୁଲରେ’ b ଶିଖାଇବା ପାଇଁ ଦାୟିତ୍ୱ ଦିଆଗଲା । ମୋତେ ସଂଗଠନର ସ୍କୁଲରେ ଯିବା ପାଇଁ ବହୁତ ଭଲ ଲାଗୁଥିଲା । କିନ୍ତୁ ମୁଁ କେବେ ସ୍ୱପ୍ନରେ ବି ଭାବି ନ ଥିଲି ଯେ ମୋତେ କୌଣସି ସ୍କୁଲରେ ଶିଖାଇବା ପାଇଁ ସୁଯୋଗ ମିଳିବ ।

ପରେ ମୁଁ ଜିଲ୍ଲା ଅଧ୍ୟକ୍ଷ ଭାବରେ ସେବା କଲି । କିନ୍ତୁ ଯେବେ ଏହି ବ୍ୟବସ୍ଥା ବନ୍ଦ କରିଦିଆଗଲା, ତେବେ ମୁଁ ପୁଣିଥରେ ସର୍କିଟ କାମ କରିବାକୁ ଲାଗିଲି । ମୁଁ ୩୦ରୁ ବି ଅଧିକ ବର୍ଷ ଯାଏ ଭିନ୍ନ ଭିନ୍ନ ଦାୟିତ୍ୱ ତୁଲାଇଲି । ଯେପରି, ସଂଗଠନର ସ୍କୁଲରେ ଶିଖାଇଲି ଓ ଭ୍ରମଣକାରୀ କାମ କଲି । ଆଉ ଏହାଯୋଗୁଁ ମୋତେ ବହୁତ ଆଶିଷ ମିଳିଲା । କିନ୍ତୁ ଏହି ଦାୟିତ୍ୱଗୁଡ଼ିକୁ ତୁଲାଇବା ସବୁବେଳେ ସହଜ ନ ଥିଲା । ଆସନ୍ତୁ ଆପଣଙ୍କୁ ଏବିଷୟରେ ଆହୁରି କହିବି ।

ମୋତେ ନିଜ ଉପରେ ବହୁତ ଭରସା ଅଛି, ଆଉ ମୋତେ ଯାହା ଠିକ୍‌ ଲାଗେ, ମୁଁ ତାହା ହିଁ କରେ । ଏହି କାରଣ ଯୋଗୁଁ ମୁଁ କଠିନରୁ କଠିନ ପରିସ୍ଥିତିର ସାମନା କରିପାରେ । କିନ୍ତୁ ଅନେକଥର ଏପରି ହେଲା ଯେବେ ମଣ୍ଡଳୀର ମାମଲାଗୁଡ଼ିକୁ ସମାଧାନ କଲାବେଳେ ମୁଁ ଅନ୍ୟମାନଙ୍କୁ ଆଦର ଦେଖାଇଲି ନାହିଁ । ଥରେ ମୁଁ ବହୁତ ଉତ୍ସାହରେ ଆସି ଭାଇମାନଙ୍କୁ କହିଦେଲି ଯେ ସେମାନଙ୍କୁ ଅନ୍ୟମାନଙ୍କ ସହିତ ପ୍ରେମର ସହ ବ୍ୟବହାର କରିବା ଉଚିତ୍‌ ଓ ସେମାନଙ୍କର ଆଦର କରିବା ଉଚିତ୍‌ । କିନ୍ତୁ ଦୁଃଖର କଥା ସେସମୟରେ ମୁଁ ନିଜେ ଏପରି କଲି ନାହିଁ ।—ରୋମୀ. ୭:୨୧-୨୩.

ମୁଁ ନିଜ ଦୁର୍ବଳତାଗୁଡ଼ିକ ଯୋଗୁଁ ଅନେକଥର ନିରାଶ ହୋଇଛି । (ରୋମୀ. ୭:୨୪) ଥରେ ମୁଁ ଏତେ ନିରାଶ ହୋଇଗଲି ଯେ ଯିହୋବାଙ୍କୁ କହିଲି ଯେ ମୋ ପାଇଁ ମିଶନାରୀ ସେବା ଛାଡ଼ିଦେଇ ଫିନଲାଣ୍ଡ ଚାଲିଯିବା ଭଲ ହେବ । କିନ୍ତୁ ସେହି ଦିନ ସନ୍ଧ୍ୟାରେ ମୁଁ ଯେବେ ସଭାକୁ ଗଲି, ସେଠାରେ ମୁଁ ଏପରି କିଛି ଶୁଣିଲି ଯେଉଁଥିରୁ ମୋର ଉତ୍ସାହ ବଢ଼ିଗଲା । ମୋତେ ଭରସା ହୋଇଗଲା ଯେ ଯିହୋବା ଚାହାନ୍ତି ମୁଁ ନିଜ ଦୁର୍ବଳତାଗୁଡ଼ିକ ସହ ଲଢ଼େ ଓ ନିଜ ସେବା ଜାରି ରଖେ । ଆଜି ବି ଯେବେ ମୁଁ ସେହି କଥାକୁ ଭାବେ ଯେ ଯିହୋବା କିପରି ମୋ ପ୍ରାର୍ଥନାର ଉତ୍ତର ଦେଇଥିଲେ, ତେବେ ମୋତେ ବହୁତ ଖୁସି ଲାଗେ । ମୁଁ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ମୋତେ ନିଜ ଦୁର୍ବଳତାଗୁଡ଼ିକ କାବୁ କରିବା ପାଇଁ ସାହାଯ୍ୟ କଲେ ।

ଯିହୋବା ଆଗକୁ ବି ସମ୍ଭାଳିବେ

ମୁଁ ଓ ସିର୍‌କା ନିଜ ଜୀବନର ଅଧିକାଂଶ ସମୟ ପୂର୍ଣ୍ଣ ସମୟର ସେବା କରିବାରେ ହିଁ ବିତାଇଲୁ ଆଉ ଏହା ପାଇଁ ମୁଁ ଯିହୋବାଙ୍କ ବହୁତ କୃତଜ୍ଞ । ମୁଁ ଏହା ପାଇଁ ବି ତାଙ୍କ କୃତଜ୍ଞ ଯେ ସେ ମୋତେ ଏତେ ଭଲ ସ୍ତ୍ରୀ ଦେଲେ ଯିଏ ସବୁବେଳେ ମୋତେ ସହଯୋଗ କଲେ ।

ଅତିଶୀଘ୍ର ମୁଁ ୭୦ ବର୍ଷ ବୟସର ହୋଇଯିବି । ମୋତେ ସ୍କୁଲରେ ଶିଖାଇବାର ଦାୟିତ୍ୱ ଓ ସର୍କିଟ କାମ ଛାଡ଼ିବା ପାଇଁ ପଡ଼ିବ । କିନ୍ତୁ ଏହି କାରଣ ଯୋଗୁଁ ମୁଁ ନିରାଶ ହୋଇ ନାହିଁ । କାରଣ ଯିହୋବାଙ୍କ ମହିମା କରିବା ପାଇଁ ଏହା ଜରୁରୀ ନୁହେଁ ଯେ ସଂଗଠନରେ ଆମ ପାଖରେ ବଡ଼ ବଡ଼ ଦାୟିତ୍ୱ ରହୁ । ସେ ଏହା ଦେଖିକି ଖୁସି ହୁଅନ୍ତି ଯେ ଆମେ କିପରି ମର୍ଯ୍ୟାଦାରେ ରହି ତାଙ୍କ ସେବା କରୁ ଓ ଆମ ହୃଦୟରେ ତାଙ୍କ ପାଇଁ ପ୍ରେମ ଓ କୃତଜ୍ଞତା ଭରି ରହିଛି ।—ମୀଖା ୬:୮; ମାର୍କ ୧୨:୩୨-୩୪.

ମୋତେ ସଂଗଠନରେ ଯେଉଁ ଭିନ୍ନ ଭିନ୍ନ ଦାୟିତ୍ୱ ମିଳିଲା, ତାହା ଏଥିପାଇଁ ମିଳିଲା ନାହିଁ ଯେ ମୁଁ ଅନ୍ୟମାନଙ୍କଠାରୁ ଭଲ ଥିଲି ବା ମୋଠାରେ କିଛି ବିଶେଷ ଦକ୍ଷତା ଥିଲା । ବରଂ ଯିହୋବାଙ୍କ ମହାକୃପା ଯୋଗୁଁ ମୋତେ ଏହି ଦାୟିତ୍ୱଗୁଡ଼ିକ ମିଳିଲା । ଯିହୋବା ମୋର ଦୁର୍ବଳତାଗୁଡ଼ିକ ଜାଣିଥିଲେ, ତଥାପି ସେ ମୋତେ ଦାୟିତ୍ୱ ଦେଲେ ଓ ତାକୁ ପୂରା କରିବା ପାଇଁ ମୋତେ ସାହାଯ୍ୟ କଲେ । ସତରେ, ମୋର ଦୁର୍ବଳତାଗୁଡ଼ିକରେ ଈଶ୍ୱରଙ୍କ ଶକ୍ତି ସ୍ପଷ୍ଟ ଦେଖାଯାଇଛି ।—୨ କରି. ୧୨:୯.

a ୧ ଏପ୍ରିଲ୍‌ ୨୦୦୬ର ପ୍ରହରୀଦୁର୍ଗରେ ଆସିଥିବା ଭାଇ ରାଇମୋ କ୍ୱୋକାନେନ୍‌ଙ୍କ ଜୀବନ କାହାଣୀ, “ହମନେ ୟହୋୱା କି ସେବା କରନେ କି ଠାନ୍‌ ଲି” ପଢ଼ନ୍ତୁ ।

b ଏହାକୁ ଏବେ ‘ରାଜ୍ୟ ପ୍ରଚାରକଙ୍କ ପାଇ ସ୍କୁଲ’ କୁହାଯାଏ ।