इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୪

ଗୀତ ୫୬ ସଚ୍ଚାଇ କୋ ଆପନା ବନାଏଁ

‘ପ୍ରୌଢ଼ତା ଲାଭ କରିବା ନିମନ୍ତେ ଅଗ୍ରସର ହୁଅନ୍ତୁ’

‘ପ୍ରୌଢ଼ତା ଲାଭ କରିବା ନିମନ୍ତେ ଅଗ୍ରସର ହୁଅନ୍ତୁ’

‘ଆସ, ଆମ୍ଭେମାନେ ସିଦ୍ଧି [“ପ୍ରୌଢ଼ତା,NWT] ଲାଭ କରିବା ନିମନ୍ତେ ଅଗ୍ରସର ହେଉ ।’ଏବ୍ରୀ ୬:୧, ୨.

କʼଣ ଶିଖିବା ?

ଆମେ ଜାଣିବା ଯେ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ସବୁ ମାମଲାରେ ଈଶ୍ୱରଙ୍କ ଭଳି ଭାବେ ଓ କାମ କରେ, ତେଣୁ ସେ ଭଲ ନିଷ୍ପତ୍ତି ନେଇପାରେ ।

୧. ଯିହୋବା ଆମଠାରୁ କʼଣ ଚାହାନ୍ତି ?

 ଯେବେ ଶିଶୁଟିଏ ଜନ୍ମ ହୁଏ, ତେବେ ତାʼ ବାପାମାଆଙ୍କୁ ବହୁତ ଖୁସି ଲାଗେ । ସେମାନେ ନିଜ ପିଲାକୁ ବହୁତ ପ୍ରେମ କରନ୍ତି, କିନ୍ତୁ ସେମାନେ ଏହା ଚାହାନ୍ତି ନାହିଁ ଯେ ସେ ସବୁବେଳେ ଛୋଟ ହିଁ ରହୁ । ଯଦି ସେ ବଡ଼ ନ ହୁଏ, ତେବେ ବାପାମାଆଙ୍କୁ ଚିନ୍ତା ହେବାକୁ ଲାଗିବ । ସେହିଭଳି ଯେବେ ଆମେ ଯିହୋବାଙ୍କ ବିଷୟରେ ଶିଖିବା ଆରମ୍ଭ କରୁ, ତେବେ ଆମେ ପ୍ରଥମ ପଦକ୍ଷେପ ନେଉ, ଏହା ଦେଖି ଯିହୋବା ବହୁତ ଖୁସି ହୁଅନ୍ତି । କିନ୍ତୁ ସେ ଚାହାନ୍ତି ଯେ ଆମେ ଆଗକୁ ବି ଶିଖିବା ଜାରି ରଖୁ ଆଉ “ପୂର୍ଣ୍ଣବୟସ୍କ” ହେଉ ।—୧ କରି. ୩:୧; ୧୪:୨୦.

୨. ଏହି ଲେଖାରେ ଆମେ କʼଣ ଜାଣିବା ?

ଏହି ଲେଖାରେ ଆମେ କିଛି ପ୍ରଶ୍ନର ଉତ୍ତର ଜାଣିବା । ତାହା ହେଉଛି, ପୂର୍ଣ୍ଣବୟସ୍କ ବା ପ୍ରୌଢ଼ ହେବାର ଅର୍ଥ କʼଣ ? ଜଣେ ଖ୍ରୀଷ୍ଟିୟାନ ପ୍ରୌଢ଼ କିପରି ହୋଇପାରିବ ? ପ୍ରୌଢ଼ ହେବା ପାଇଁ “ଗୁରୁପାକ ଖାଦ୍ୟ” ନେବା କାହିଁକି ଜରୁରୀ ? ଆଉ ପ୍ରୌଢ଼ ହୋଇ ରହିବା ପାଇଁ ଆମକୁ କାହିଁକି ଲଗାତାର ପରିଶ୍ରମ କରିବାକୁ ପଡ଼ିବ ?

ପ୍ରୌଢ଼ ହେବାର ଅର୍ଥ କʼଣ ?

୩. ପୂର୍ଣ୍ଣବୟସ୍କ ବା ପରିପକ୍ୱ ହେବାର ଅର୍ଥ କʼଣ ?

ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ପୂର୍ଣ୍ଣବୟସ୍କ” କରାଯାଇଛି, ତାʼର ଅର୍ଥ “ପରିପକ୍ୱ,” “ପରିପୂର୍ଣ୍ଣ” କିମ୍ବା ‘ଜ୍ଞାନ ପ୍ରାପ୍ତ’ କରିବା ବି ହୋଇପାରେ । a (୧ କରି. ୨:୬) ଯେପରି ଜଣେ ଛୁଆ ବଡ଼ ହେବାକୁ ଲାଗେ ସେ ଭାବିଚିନ୍ତି କାମ କରିବା ଶିଖିଯାଏ, ଠିକ୍‌ ସେହିପରି ଯେବେ ଯିହୋବାଙ୍କ ସହ ଆମ ସମ୍ପର୍କ ଦୃଢ଼ ହୋଇଯାଏ, ତେବେ ଆମେ ସବୁ ମାମଲାରେ ଯିହୋବାଙ୍କ ଭଳି ଭାବିବା ଓ କାମ କରିବା ବି ଶିଖିଯାଉ, କହିବାକୁ ଗଲେ ଆମେ ପ୍ରୌଢ଼ ହୋଇଯାଉ । କିନ୍ତୁ ତାʼପରେ ବି ଆମକୁ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଲଗାତାର ଦୃଢ଼ କରିବାକୁ ପଡ଼ିବ । (୧ ତୀମ. ୪:୧୫) ଆମେ ବଡ଼ ହେଉ ବା ଛୋଟ, ଆମେ ସମସ୍ତେ ପ୍ରୌଢ଼ ହୋଇପାରିବା । କିନ୍ତୁ ଆମେ ପ୍ରୌଢ଼ ଅଟୁ ନା ନାହୁଁ, ଏହା ଆମେ କିପରି ଜାଣିପାରିବା ?

୪. କେଉଁମାନଙ୍କୁ ପ୍ରୌଢ଼ ଖ୍ରୀଷ୍ଟିୟାନ କହିବା ?

ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ଈଶ୍ୱରଙ୍କ ସବୁ ଆଜ୍ଞାଗୁଡ଼ିକୁ ମାନେ, ସେହି ଆଜ୍ଞାଗୁଡ଼ିକୁ ବି ଯାହା ତାକୁ ମାନିବା କଷ୍ଟ ଲାଗେ କିମ୍ବା ଯାହା ତାକୁ ଭଲ ଲାଗେ ନାହିଁ । ତାʼଅର୍ଥ ଏହା ନୁହେଁ ଯେ ତାʼଦ୍ୱାରା କୌଣସି ଭୁଲ ହୁଏନି । କିନ୍ତୁ ସେ ପ୍ରତିଦିନ ଯେଉଁଭଳି ଜୀବନ ବିତାଏ, ସେଥିରୁ ଜଣାପଡ଼େ ଯେ ସେ ଈଶ୍ୱରଙ୍କୁ ଖୁସି କରିବା ପାଇଁ ଚାହେଁ । ସେ ନିଜଠାରେ ଖ୍ରୀଷ୍ଟିୟାନ ଗୁଣଗୁଡ଼ିକ ବଢ଼ାଏ ଓ ପ୍ରତ୍ୟେକ ମାମଲାରେ ଈଶ୍ୱରଙ୍କ ଭଳି ଭାବିବା ପାଇଁ ଲଗାତାର ଚେଷ୍ଟା କରେ । (ଏଫି. ୪:୨୨-୨୪) କୌଣସି ନିଷ୍ପତ୍ତି ନେବା ପାଇଁ ତାକୁ ଗୋଟିଏ ଲମ୍ବା ଚଉଡ଼ା ସୂଚୀର ଦରକାର ପଡ଼େନି । କାରଣ ସେ ଈଶ୍ୱରଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକୁ ଭଲଭାବେ ଜାଣେ ଏବଂ କୌଣସି ନିଷ୍ପତ୍ତି ନେଲା ବେଳେ ଏଗୁଡ଼ିକୁ ଧ୍ୟାନରେ ରଖେ ଓ ସେ ଅନୁସାରେ କାମ ବି କରେ ।—୧ କରି. ୯:୨୬, ୨୭.

୫. ଯେଉଁ ଖ୍ରୀଷ୍ଟିୟାନମାନେ ପ୍ରୌଢ଼ ନୁହନ୍ତି, ସେମାନଙ୍କ ସହ କʼଣ ହୋଇପାରେ ? (ଏଫିସୀୟ ୪:୧୪, ୧୫)

କିନ୍ତୁ ଯେଉଁମାନେ ପ୍ରୌଢ଼ ନୁହନ୍ତି, ସେମାନଙ୍କ ସହ କʼଣ ହୋଇପାରେ ? ସେମାନେ ଅତି ସହଜରେ ସେହି ଲୋକମାନଙ୍କ କଥାରେ ଆସିପାରିବେ, ଯେଉଁମାନେ “ଶଠତା” [‘ଛଳ,’ NWT] ଓ ‘ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଧୂର୍ତ୍ତତା ଦ୍ୱାରା ଚାଳିତ’ କରନ୍ତି । ଯେପରି ହୁଏତ ସେମାନେ ସୋସିଆଲ୍‌ ମିଡିଆ ଓ ଖବରକାଗଜଗୁଡ଼ିକରେ ଯେଉଁ ମିଛ କଥାଗୁଡ଼ିକ କୁହାଯାଏ, ସେଗୁଡ଼ିକୁ ସତ ଭାବିପାରନ୍ତି ଏବଂ ଧର୍ମତ୍ୟାଗୀମାନଙ୍କର କଥାଗୁଡ଼ିକରେ ଆସିପାରନ୍ତି । b (ଏଫିସୀୟ ୪:୧୪, ୧୫ ପଢ଼ନ୍ତୁ ।) ତାʼସହ ହୋଇପାରେ ସେମାନେ ଅନ୍ୟମାନଙ୍କ କଥାକୁ ଶୀଘ୍ର ଖରାପ ଭାବି ନେବେ, ଅନ୍ୟମାନଙ୍କୁ ଈର୍ଷା କରିବାକୁ ଲାଗିବେ, ଝଗଡ଼ା କରିବାକୁ ଲାଗିବେ ଏବଂ ଯେବେ କୌଣସି ପ୍ରଲୋଭନ ଆସିବ, ସେସମୟରେ ଖରାପ କାମ କରି ପକାଇବେ ।—୧ କରି. ୩:୩.

୬. ଜଣେ ଖ୍ରୀଷ୍ଟିୟାନ କିପରି ଭାବରେ ଧୀରେ ଧୀରେ ପ୍ରୌଢ଼ ହୁଏ ? ବୁଝାନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)

ଯେପରି ଆମେ ପୂର୍ବରୁ ଦେଖିଥିଲୁ, ପିଲାମାନେ ବଡ଼ ହେବା ସହିତ ଦିନେ ପ୍ରୌଢ଼ ହୋଇଯାʼନ୍ତି । ସେହିଭଳି ବାଇବଲରେ କୁହାଯାଇଛି ଯେ ଆମକୁ ବି ସବୁବେଳେ ଛୋଟ ଛୁଆ ହୋଇ ରହିବାର ନାହିଁ, ବରଂ ପ୍ରୌଢ଼ ହେବାକୁ ଅଛି । ଛୋଟ ପିଲାଙ୍କ ଭିତରେ ଏତେ ବୁଦ୍ଧି ନ ଥାଏ, ସେଥିପାଇଁ ସେମାନଙ୍କୁ କୌଣସି କାମ କରିବା ପାଇଁ ବଡ଼ମାନଙ୍କର ସାହାଯ୍ୟ ଦରକାର ପଡ଼େ । ଯେପରି, ଜଣେ ଛୋଟ ଝିଅକୁ ରାସ୍ତା ପାର କରିବା ପାଇଁ ତାʼମାଆ ସାହାଯ୍ୟ କରେ । କିନ୍ତୁ ଯେବେ ସେ ଟିକେ ବଡ଼ ହୋଇଯାଏ, ତେବେ ତାʼମାଆ ହୁଏତ ତାକୁ ନିଜେ ରାସ୍ତା ପାର ହେବାକୁ ଦିଏ । କିନ୍ତୁ ସେସମୟରେ ବି ସେ କହେ, ‘ଦେଖିକି ରାସ୍ତା ପାର କରିବ ।’ କିନ୍ତୁ ଯେତେବେଳେ ଝିଅଟି ବଡ଼ ହୋଇଯାଏ ଆଉ ନିଜେ ଶିଖିଯାଏ, ସେସମୟରେ ମାଆକୁ ଏହା କହିବାକୁ ପଡ଼ି ନ ଥାଏ । କିଛି ଖ୍ରୀଷ୍ଟିୟାନମାନେ ବି ଛୋଟ ପିଲାଙ୍କ ଭଳି ଥାʼନ୍ତି । ସଠିକ୍‌ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କର ସାହାଯ୍ୟ ଦରକାର ପଡ଼େ, ଯଦି ସେମାନେ ସାହାଯ୍ୟ ନ ନିଅନ୍ତି ତେବେ ହୁଏତ ସେମାନେ ଏପରି କିଛି କରିଦେବେ ଯାହାଦ୍ୱାରା ଯିହୋବାଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିଯିବ । କିନ୍ତୁ ଯେବେ ସେମାନେ ପ୍ରୌଢ଼ ହୋଇଯାʼନ୍ତି, ସେସମୟରେ ସେମାନେ ନିଜେ ନିଷ୍ପତ୍ତି ନେଇପାରନ୍ତି । ସେମାନେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନ ଦିଅନ୍ତି ଏବଂ କୌଣସି ମାମଲାରେ ଯିହୋବାଙ୍କ ଦୃଷ୍ଟିକୋଣ କʼଣ, ତାହା ଜାଣିବା ପାଇଁ ଚେଷ୍ଟା କରନ୍ତି ଆଉ ସେ ଅନୁସାରେ କାମ ବି କରନ୍ତି ।

ଯେଉଁମାନଙ୍କ ପାଖରେ ପିଲାମାନଙ୍କ ଭଳି କମ୍‌ ଅନୁଭୂତି ରହେ, ସେମାନଙ୍କୁ ଶିଖିବାକୁ ପଡ଼େ ଯେ ସେମାନେ କିପରି ବାଇବଲର କଥାଗୁଡ଼ିକୁ ଧ୍ୟାନରେ ରଖି ସଠିକ୍‌ ନିଷ୍ପତ୍ତି ନେଇପାରିବେ (ପାରାଗ୍ରାଫ ୬)


୭. କʼଣ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କୁ କେବେ ବି କାହାରି ସାହାଯ୍ୟର ଦରକାର ପଡ଼େ ନାହିଁ ?

କିନ୍ତୁ କʼଣ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କୁ କେବେ ବି କାହାରି ସାହାଯ୍ୟର ଦରକାର ପଡ଼େ ନାହିଁ ? ସେମିତି ନୁହଁ । ବେଳେବେଳେ ସେମାନେ ବି ଅନ୍ୟମାନଙ୍କର ସାହାଯ୍ୟ ନିଅନ୍ତି । କିନ୍ତୁ ସେମାନେ କେବେ ବି ଏହା ଆଶା କରନ୍ତି ନାହିଁ ଯେ ଅନ୍ୟମାନେ ସେମାନଙ୍କ ପାଇଁ ନିଷ୍ପତ୍ତି ନିଅନ୍ତୁ କିମ୍ବା ସେମାନଙ୍କୁ କʼଣ କରିବା ଉଚିତ୍‌ ତାହା କହନ୍ତୁ । ଅନ୍ୟ ପକ୍ଷରେ ଏପରି ସେହି ଖ୍ରୀଷ୍ଟିୟାନମାନେ କରନ୍ତି ଯେଉଁମାନେ ପ୍ରୌଢ଼ ନୁହନ୍ତି । କିନ୍ତୁ ଯେବେ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ କାହାରିଠାରୁ ପରାମର୍ଶ ନିଏ, ତେବେ ସେ ତାଙ୍କ ବୁଦ୍ଧିଭରା ପରାମର୍ଶ ଓ ଅନୁଭୂତିରୁ ନିଜେ ନିଷ୍ପତ୍ତି ନେବା ଶିଖେ । କାରଣ ସେମାନଙ୍କୁ ଏହା ଭଲଭାବେ ଜଣା ଯେ ଯିହୋବା ଚାହାନ୍ତି ଯେ ‘ପ୍ରତ୍ୟେକ ଜଣ ଆପଣା ଭାର ବହନ କରନ୍ତୁ ।’—ଗାଲା. ୬:୫.

୮. ପ୍ରୌଢ଼ ଖ୍ରୀଷ୍ଟିୟାନମାନେ ଏକା ଭଳି କାହିଁକି ନ ଥାʼନ୍ତି ?

ବଡ଼ ହେଲେ ସମସ୍ତେ ପରସ୍ପରଠାରୁ ଅଲଗା ଦେଖାଯାʼନ୍ତି । ସେହିଭଳି ପ୍ରୌଢ଼ ଖ୍ରୀଷ୍ଟିୟାନମାନେ ବି ଏକା ଭଳି ନ ଥାʼନ୍ତି, ସେମାନଙ୍କଠାରେ ବି ଭିନ୍ନ ଭିନ୍ନ ଗୁଣ ଥାଏ । କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ବୁଦ୍ଧିମାନ ଥାʼନ୍ତି, ଆଉ କିଛି ସାହସୀ ଥାʼନ୍ତି । କିଛି ଲୋକ ଉଦାର ଥାʼନ୍ତି ଆଉ କିଛି ଅନ୍ୟମାନଙ୍କ କଷ୍ଟ ବୁଝିପାରନ୍ତି । ବେଳେବେଳେ ହୋଇପାରେ ଦୁଇଜଣ ପ୍ରୌଢ଼ ଖ୍ରୀଷ୍ଟିୟାନ ଏକା ଭଳି ପରିସ୍ଥିତିର ସାମନା କରିବେ, କିନ୍ତୁ ସେମାନଙ୍କ ନିଷ୍ପତ୍ତି ଭିନ୍ନ ଭିନ୍ନ ଥିବ । ଆଉ ତାହା ଭୁଲ ନୁହେଁ କାରଣ ସେମାନେ ନିଜ ବିବେକ ଅନୁସାରେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବେ । ଆଉ ଏହି କଥାକୁ ପ୍ରୌଢ଼ ଖ୍ରୀଷ୍ଟିୟାନମାନେ ଭଲଭାବେ ବୁଝନ୍ତି, ତେଣୁ ସେମାନେ ପରସ୍ପରର ନିଷ୍ପତ୍ତିକୁ ଆଦର କରନ୍ତି ଏବଂ ସାଙ୍ଗରେ ମିଶି ଯିହୋବାଙ୍କ ସେବା କରନ୍ତି ।—ରୋମୀ. ୧୪:୧୦; ୧ କରି. ୧:୧୦.

ପ୍ରୌଢ଼ କିପରି ହେବା ?

୯. କʼଣ ଜଣେ ଖ୍ରୀଷ୍ଟିୟାନ ଆପେ ଆପେ ପ୍ରୌଢ଼ ହୋଇପାରିବ ? ବୁଝାନ୍ତୁ ।

ସମୟ ଅନୁସାରେ ପିଲାମାନେ ଆପେ ଆପେ ବଡ଼ ହୋଇଯାʼନ୍ତି । କିନ୍ତୁ ଖ୍ରୀଷ୍ଟିୟାନମାନେ ଆପେ ଆପେ ପ୍ରୌଢ଼ ହୋଇଯାʼନ୍ତି ନାହିଁ । ଈଶ୍ୱରଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ସେମାନଙ୍କୁ ନିଜେ କଠିନ ପରିଶ୍ରମ କରିବାକୁ ପଡ଼େ । କରିନ୍ଥର ଭାଇଭଉଣୀମାନଙ୍କ ବିଷୟରେ ଭାବନ୍ତୁ । ସେମାନେ ଖୁସିର ଖବର ଗ୍ରହଣ କରି ବାପ୍ତିସ୍ମ ନେଲେ । ତାʼପରେ ସେମାନଙ୍କୁ ଈଶ୍ୱରଙ୍କ ପବିତ୍ର ଶକ୍ତି ମିଳିଲା । କେବଳ ଏତିକି ନୁହଁ, ସେମାନଙ୍କୁ ପାଉଲଙ୍କଠାରୁ ଶିଖିବା ପାଇଁ ବଢ଼ିଆ ସୁଯୋଗ ବି ମିଳିଲା । (ପ୍ରେରି. ୧୮:୮-୧୧) କିନ୍ତୁ ଦୁଃଖର କଥା, ବାପ୍ତିସ୍ମର କିଛି ବର୍ଷ ପରେ ବି ସେମାନେ ପ୍ରୌଢ଼ ହୋଇ ନ ଥିଲେ । (୧ କରି. ୩:୨) ଆମେ ବି ସେହି ଖ୍ରୀଷ୍ଟିୟାନମାନଙ୍କ ଭଳି ନ ହେବା ପାଇଁ କʼଣ କରିପାରିବା ?

୧୦. ପ୍ରୌଢ଼ ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ଯିହୂଦା ୨୦)

୧୦ ସବୁଠୁ ପ୍ରଥମେ ପ୍ରୌଢ଼ ହେବା ପାଇଁ ଆମ ଭିତରେ ଇଚ୍ଛା ହେବା ଉଚିତ୍‌ । କିନ୍ତୁ କିଛି ଲୋକ “ନିର୍ବୋଧ” ହୋଇ ରହିବା ପାଇଁ ଚାହାନ୍ତି, ସେଥିପାଇଁ ସେମାନେ ପ୍ରୌଢ଼ ହୋଇପାରନ୍ତି ନାହିଁ । (ହିତୋ. ୧:୨୨) ସେମାନେ ସେହି ଛୋଟ ପିଲାଙ୍କ ଭଳି ଅଟନ୍ତି, ଯେଉଁମାନେ ବଡ଼ ହେଲା ପରେ ବି ନିଜ ନିଷ୍ପତ୍ତି ନିଜେ ନେଇପାରନ୍ତି ନାହିଁ କିମ୍ବା କୌଣସି ଦାୟିତ୍ୱ ତୁଲାଇପାରନ୍ତି ନାହିଁ, ସେମାନେ ସବୁବେଳେ ନିଜ ବାପାମାଆଙ୍କ ଉପରେ ନିର୍ଭର ରହନ୍ତି । ଆମେ ସେମାନଙ୍କ ଭଳି ହେବା ପାଇଁ ଚାହୁଁ ନାହୁଁ, ବରଂ ପ୍ରୌଢ଼ ହେବା ପାଇଁ ଚାହୁଁ । କାରଣ ଆମେ ଏକଥାକୁ ଭଲଭାବେ ବୁଝୁ ଯେ ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ଆମ ପ୍ରତ୍ୟେକଙ୍କ ଦାୟିତ୍ୱ ଅଟେ । (ଯିହୂଦା ୨୦ ପଢ଼ନ୍ତୁ ।) ଯଦି ଆପଣ ପ୍ରୌଢ଼ ହେବା ପାଇଁ ଚାହାନ୍ତି, ତାହେଲେ ଆପଣ କʼଣ କରିପାରିବେ ? ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କଠାରେ ପ୍ରୌଢ଼ ହେବା ପାଇଁ “ଇଚ୍ଛା” ଦେବେ ଓ ତାକୁ “ସାଧନ କରିବାକୁ” ଶକ୍ତି ବି ଦେବେ ।—ଫିଲିପ୍‌. ୨:୧୩.

୧୧. ପ୍ରୌଢ଼ ହେବା ପାଇଁ ଯିହୋବା ଆମକୁ କିପରି ସାହାଯ୍ୟ କରନ୍ତି ? (ଏଫିସୀୟ ୪:୧୧-୧୩)

୧୧ ଯିହୋବା ଜାଣନ୍ତି ଯେ ଆମେ ଆପେ ଆପେ ପ୍ରୌଢ଼ ହୋଇପାରିବା ନାହିଁ । ସେଥିପାଇଁ ସେ ମଣ୍ଡଳୀରେ ଆମ ପାଇଁ ମେଷପାଳକ ଓ ଶିକ୍ଷକ ନିଯୁକ୍ତ କରିଛନ୍ତି, ସେମାନେ ଆମକୁ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ସାହାଯ୍ୟ କରନ୍ତି । ଆଉ ସେମାନଙ୍କ ସାହାଯ୍ୟରେ ଆମେ “ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣବୟସ୍କ ପୁରୁଷ” ହୋଇପାରିବା । (ଏଫିସୀୟ ୪:୧୧-୧୩ ପଢ଼ନ୍ତୁ ।) ଯିହୋବା ଆମକୁ ନିଜ ପବିତ୍ର ଶକ୍ତି ବି ଦେଇଛନ୍ତି, ଯାହାଫଳରେ ଆମେ ‘ଖ୍ରୀଷ୍ଟଙ୍କ ଭଳି ମନ’ ରଖିପାରୁ । (୧ କରି. ୨:୧୪-୧୬) ଏହା ବ୍ୟତୀତ ଯିହୋବା ଆମକୁ ସୁସମାଚାରର ଚାରୋଟି ବହି ଦେଇଛନ୍ତି, ଯେଉଁଥିରେ ଯୀଶୁଙ୍କ ବିଷୟରେ ଅନେକ କଥା କୁହାଯାଇଛି । ଯେପରି, ସେ କିପରି ବ୍ୟକ୍ତି ଥିଲେ, ପୃଥିବୀରେ ଥିବା ବେଳେ କେଉଁ ଭଳି କାମ କଲେ ଓ କିପରି କଥା ହେଲେ । ଯଦି ଆମେ ଏହି ବହିଗୁଡ଼ିକୁ ପଢ଼ିବା ଓ ଯୀଶୁଙ୍କ ଭଳି ଭାବିବା ଓ କାମ କରିବା, ତାହେଲେ ଆମେ ବି ପ୍ରୌଢ଼ ହୋଇପାରିବା ।

“ଗୁରୁପାକ ଖାଦ୍ୟ” ନେବା କାହିଁକି ଜରୁରୀ ?

୧୨. “ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା” କʼଣ ?

୧୨ ପ୍ରୌଢ଼ ହେବା ପାଇଁ “ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା” ଜାଣିବା କେବଳ ଯଥେଷ୍ଟ ନୁହେଁ । ଆମକୁ ଏହାକୁ ଛାଡ଼ିକି ଆଗକୁ ‘ଅଗ୍ରସର ହେବାକୁ’ ପଡ଼ିବ । କିନ୍ତୁ ଏହି ମୌଳିକ ଶିକ୍ଷାଗୁଡ଼ିକ କʼଣ ? ଅନୁତାପ କରିବା, ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା, ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ମୃତମାନଙ୍କ ପୁନରୁତ୍‌ଥାନର ଶିକ୍ଷା ଆଉ ଏପରି ହିଁ ଅନ୍ୟ ଶିକ୍ଷାଗୁଡ଼ିକ । (ଏବ୍ରୀ ୬:୧, ୨) ଏହି ମୁଖ୍ୟ ଶିକ୍ଷାଗୁଡ଼ିକୁ ସବୁ ଖ୍ରୀଷ୍ଟିୟାନମାନେ ମାନନ୍ତି । ତେଣୁ ପ୍ରେରିତ ପିତର ପେଣ୍ଟିକଷ୍ଟର ଦିନ ଲୋକମାନଙ୍କୁ ସାକ୍ଷ୍ୟ ଦେବା ବେଳେ ଏବିଷୟରେ କହିଲେ । (ପ୍ରେରି. ୨:୩୨-୩୫, ୩୮) ଖ୍ରୀଷ୍ଟଙ୍କ ଶିଷ୍ୟ ହେବା ପାଇଁ ଏହି ପ୍ରାଥମିକ ଶିକ୍ଷାଗୁଡ଼ିକୁ ମାନିବା ବହୁତ ଜରୁରୀ ଅଟେ । ପାଉଲ କହିଥିଲେ ଯେ ମୃତମାନଙ୍କ ପୁନରୁତ୍‌ଥାନର ଶିକ୍ଷା ଯେଉଁମାନେ ମାନନ୍ତି ନାହିଁ, ସେମାନେ କେବେ ବି ଯୀଶୁଙ୍କ ଶିଷ୍ୟ ହୋଇପାରିବେ ନାହିଁ । (୧ କରି. ୧୫:୧୨-୧୪) କିନ୍ତୁ ପ୍ରାଥମିକ ଶିକ୍ଷାଗୁଡ଼ିକ ବ୍ୟତୀତ ଆମକୁ କିଛି ଆହୁରି ବି ଜାଣିବାକୁ ପଡ଼ିବ ।

୧୩. “ଗୁରୁପାକ ଖାଦ୍ୟ” ନେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ଏବ୍ରୀ ୫:୧୪) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ଆମ ପାଇଁ କେବଳ ପ୍ରାଥମିକ ଶିକ୍ଷାଗୁଡ଼ିକୁ ଜାଣିବା ଯଥେଷ୍ଟ ନୁହେଁ, ବରଂ “ଗୁରୁପାକ ଖାଦ୍ୟ” ନେବା ବି ଜରୁରୀ । ତାʼଅର୍ଥ ଆମକୁ ଯିହୋବାଙ୍କ ନିୟମଗୁଡ଼ିକ ଛଡ଼ା ତାଙ୍କ ସିଦ୍ଧାନ୍ତଗୁଡ଼ିକୁ ମଧ୍ୟ ବୁଝିବା ଦରକାର । ଏପରି କରିବା ଦ୍ୱାରା ଆମେ ଯିହୋବାଙ୍କ ଦୃଷ୍ଟିକୋଣକୁ ଭଲଭାବେ ଜାଣିପାରିବା । “ଗୁରୁପାକ ଖାଦ୍ୟ” ନେବା ପାଇଁ ଆମକୁ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବାକୁ ପଡ଼ିବ, ତାʼର ଗଭୀର ଭାବେ ଚିନ୍ତନ କରିବାକୁ ପଡ଼ିବ ଏବଂ ଆମେ ଯେଉଁ କଥାଗୁଡ଼ିକୁ ଶିଖୁ ସେଗୁଡ଼ିକୁ ମାନିବା ପାଇଁ ପୂରା ଚେଷ୍ଟା କରିବାକୁ ପଡ଼ିବ । ଏପରି କରିବା ଦ୍ୱାରା ଆମେ ସଠିକ୍‌ ନିଷ୍ପତ୍ତି ନେବା ଶିଖିପାରିବା ଏବଂ ଯିହୋବାଙ୍କ ହୃଦୟ ଖୁସି କରିପାରିବା । cଏବ୍ରୀ ୫:୧୪ ପଢ଼ନ୍ତୁ ।

“ଗୁରୁପାକ ଖାଦ୍ୟ” ନେବା ଦ୍ୱାରା ଆମେ ଏପରି ନିଷ୍ପତ୍ତି ନେଇପାରିବା ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି (ପାରାଗ୍ରାଫ ୧୩) d


୧୪. ପାଉଲ କରିନ୍ଥର ଭାଇଭଉଣୀମାନଙ୍କୁ ପ୍ରୌଢ଼ ହେବା କିପରି ଶିଖାଇଲେ ?

୧୪ ବାଇବଲରେ ପ୍ରତ୍ୟେକ ମାମଲାକୁ ନେଇ କୌଣସି ନିୟମ ଦିଆଯାଇ ନାହିଁ, ବରଂ ଏପରି କ୍ଷେତ୍ରରେ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବାକୁ ପଡ଼େ । ଯଦି ଜଣେ ଖ୍ରୀଷ୍ଟିୟାନ ପ୍ରୌଢ଼ ନୁହେଁ, ତେବେ ତାକୁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବା କଠିନ ଲାଗେ । କେତେ ଜଣ ତାହା ହିଁ କରନ୍ତି ଯାହା ସେମାନଙ୍କୁ ଠିକ୍‌ ଲାଗେ । କିନ୍ତୁ ଆଉ କେତେକଙ୍କୁ ଲାଗେ ଯେ ଏବିଷୟରେ କୌଣସି ନିୟମ ହେବା ଉଚିତ୍‌ । ପ୍ରାଚୀନ ସମୟରେ କରିନ୍ଥୀୟ ମଣ୍ଡଳୀର କିଛି ଖ୍ରୀଷ୍ଟିୟାନମାନଙ୍କ ଚିନ୍ତାଧାରା ବି ଏପରି ହିଁ ଥିଲା । ସେମାନଙ୍କ ମନରେ ପ୍ରଶ୍ନ ଆସିଲା ଯେ କʼଣ ସେମାନେ ଦେବପ୍ରସାଦ ଖାଇପାରିବେ । ସେମାନେ ଏହି ପ୍ରଶ୍ନ ପାଉଲଙ୍କୁ ପଚାରିଲେ, ସେମାନେ ଏଥିପାଇଁ ଏହି ପ୍ରଶ୍ନ ପଚାରିଲେ କାରଣ ସେମାନେ ଚାହୁଁଥିଲେ ଯେ ପାଉଲ ଏମାମଲାରେ କୌଣସି ନିୟମ ତିଆରି କରନ୍ତୁ । କିନ୍ତୁ ପାଉଲ ଏପରି କିଛି କଲେନି । ତାʼ ପରିବର୍ତ୍ତେ ପାଉଲ ସେମାନଙ୍କୁ କହିଲେ ଯେ ଏହି ମାମଲାରେ ନିଷ୍ପତ୍ତି ନେବା ତାଙ୍କ ବିବେକ ଉପରେ ଛଡ଼ାଯାଇଛି । ଆଉ ସମସ୍ତଙ୍କୁ ନିଜ ନିଷ୍ପତ୍ତି ନିଜେ ନେବାର “ଅଧିକାର” ଅଛି । ପାଉଲ ସେମାନଙ୍କୁ କିଛି ସିଦ୍ଧାନ୍ତ ବିଷୟରେ କହିଲେ, ଯାହା ସାହାଯ୍ୟରେ ସେମାନେ ଏପରି ନିଷ୍ପତ୍ତି ନେଇପାରନ୍ତେ ଯାହା ସେମାନଙ୍କ ବିବେକକୁ ଦୋଷୀ ଅନୁଭବ କରାନ୍ତା ନାହିଁ ଏବଂ ସେମାନେ ଅନ୍ୟମାନଙ୍କ ଝୁଣ୍ଟିବାର କାରଣ ବି ହୋଇ ନ ଥାʼନ୍ତେ । (୧ କରି. ୮:୪, ୭-୯) ପାଉଲ ସେମାନଙ୍କୁ ଏହା ବି ବୁଝାଇଲେ ଯେ କୌଣସି ମାମଲାରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର ହେବା ଦରକାର ନାହିଁ ଓ କୌଣସି ନିୟମ ବି ଖୋଜିବା ଦରକାର ନାହିଁ । ତାʼ ପରିବର୍ତ୍ତେ ସେମାନଙ୍କୁ ନିଜ ଭାବିବାର ଶକ୍ତିର ବ୍ୟବହାର କରି ସଠିକ୍‌ ନିଷ୍ପତ୍ତି ନେବା ଉଚିତ୍‌ । ଏପରି କରି ପାଉଲ ସେମାନଙ୍କୁ ପ୍ରୌଢ଼ ଖ୍ରୀଷ୍ଟିୟାନ ହେବା ପାଇଁ ଶିଖାଉ ଥିଲେ ।

୧୫. ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ପ୍ରୌଢ଼ ହେବା ପାଇଁ କିପରି ସାହାଯ୍ୟ କଲେ ?

୧୫ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ଯାହା ଲେଖିଲେ, ସେଥିରୁ ଆମେ ଗୋଟିଏ ଜରୁରୀ କଥା ଶିଖୁ । କିଛି ଏବ୍ରୀ ଖ୍ରୀଷ୍ଟିୟାନମାନେ ପ୍ରୌଢ଼ ହେବା ପାଇଁ ପରିଶ୍ରମ କଲେ ନାହିଁ । ତେଣୁ ସେମାନଙ୍କୁ ଯେପରି ‘ଗୁରୁପାକ ଖାଦ୍ୟର’ ନୁହେଁ, ବରଂ ପୁଣିଥରେ‘ଦୁଗ୍‌ଧର’ ଆବଶ୍ୟକ ପଡ଼ିଲା । (ଏବ୍ରୀ ୫:୧୨) ଏପରି କାହିଁକି ? କାରଣ ଯିହୋବା ସେମାନଙ୍କୁ ମଣ୍ଡଳୀ ଜରିଆରେ ଯେଉଁ କଥାଗୁଡ଼ିକୁ ଶିଖାଉଥିଲେ, ସେମାନେ ତାʼ ଉପରେ କୌଣସି ଧ୍ୟାନ ଦେଲେ ନାହିଁ । (ହିତୋ. ୪:୧୮) ଯେପରି, କିଛି ଯିହୁଦୀ ଖ୍ରୀଷ୍ଟିୟାନମାନେ ଏବେ ବି ମୋଶାଙ୍କ ନିୟମ ମାନିବା ପାଇଁ ଜୋର୍‌ ଦେଉଥିଲେ, କିନ୍ତୁ ଦେଖିବାକୁ ଗଲେ ମୋଶାଙ୍କ ନିୟମ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ରଦ୍ଦ ହୋଇ ସାରିଥିଲା ଆଉ ଏହି କଥାକୁ ୩୦ ବର୍ଷ ବିତି ଯାଇଥିଲା । (ରୋମୀ. ୧୦:୪; ତୀତ. ୧:୧୦) ତଥାପି ସେମାନେ ବୁଝିପାରିଲେ ନାହିଁ ଯେ ମୋଶାଙ୍କ ନିୟମ ମାନିବା ଜରୁରୀ ନୁହେଁ । ତେଣୁ ପାଉଲ ସେମାନଙ୍କୁ ଗୁରୁପାକ ଖାଦ୍ୟ ଦେଲେ ଅର୍ଥାତ୍‌ କିଛି ଗଭୀର କଥା ବିଷୟରେ କହିଲେ । ସେ ନିଜ ଚିଠିରେ ସେମାନଙ୍କୁ ବୁଝାଇଲେ ଯେ ଯିହୋବା ଯୀଶୁଙ୍କ ବଳିଦାନ ଆଧାରରେ ଉପାସନା କରିବାର ଯେଉଁ ନୂଆ ବ୍ୟବସ୍ଥା ଆରମ୍ଭ କଲେ, ତାହା ସବୁଠୁ ଉତ୍ତମ ଅଟେ । ପାଉଲଙ୍କ ଏହି କଥାରୁ ଖ୍ରୀଷ୍ଟିୟାନମାନଙ୍କର ନିଶ୍ଚୟ ଉତ୍ସାହ ବଢ଼ିଥିବ । ତେଣୁ ସେମାନେ ଯିହୁଦୀମାନଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ପ୍ରଚାର କରିବା ଜାରି ରଖିଲେ ।—ଏବ୍ରୀ ୧୦:୧୯-୨୩.

ପ୍ରୌଢ଼ ହୋଇ ରହିବା ପାଇଁ କାହିଁକି ପରିଶ୍ରମ କରିବା ଜରୁରୀ ?

୧୬. ପ୍ରୌଢ଼ ହେବା ପରେ ମଧ୍ୟ ଆମକୁ ଲଗାତାର କʼଣ କରିବା ଉଚିତ୍‌ ?

୧୬ ଏହା ସତ ଯେ ଆମକୁ ପ୍ରୌଢ଼ ହେବା ପାଇଁ ପରିଶ୍ରମ କରିବାର ଅଛି, କିନ୍ତୁ ପ୍ରୌଢ଼ ହୋଇ ରହିବା ପାଇଁ ଆମକୁ ଲଗାତାର ଚେଷ୍ଟା କରିବାକୁ ପଡ଼ିବ । ଆମକୁ ଏପରି ଭାବିବା ଉଚିତ୍‌ ନୁହେଁ, ‘ଯିହୋବାଙ୍କ ସହିତ ମୋ ସମ୍ପର୍କ ଦୃଢ଼ ଅଛି, ମୋତେ ପରିଶ୍ରମ କରିବାର ଦରକାର ନାହିଁ ।’ (୧ କରି. ୧୦:୧୨) ଏପରି ଭାବିବା ପରିବର୍ତ୍ତେ ଆମକୁ ଲଗାତାର “ଆପଣା ଆପଣାକୁ ପରୀକ୍ଷା” କରିବାର ଅଛି ଏବଂ ଯିହୋବାଙ୍କ ସହିତ ନିଜର ସମ୍ପର୍କକୁ ଦୃଢ଼ କରିବାର ଅଛି ।—୨ କରି. ୧୩:୫.

୧୭. ପାଉଲଙ୍କ ଚିଠିରୁ କିପରି ଜଣାପଡ଼େ ଯେ ଆମ ପାଇଁ ପ୍ରୌଢ଼ ହୋଇ ରହିବା ଜରୁରୀ ଅଟେ ?

୧୭ ପାଉଲ କଲସୀର ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ଚିଠି ଲେଖିଲେ, ସେଥିରେ ସେ ପୁଣିଥରେ ପ୍ରୌଢ଼ ହେବା ବିଷୟରେ କହିଲେ । ଦେଖିବାକୁ ଗଲେ ସେଠାର ଭାଇଭଉଣୀମାନେ ପ୍ରୌଢ଼ ଥିଲେ, ତଥାପି ପାଉଲ ସେମାନଙ୍କୁ ଦୁନିଆର ଦୃଷ୍ଟିକୋଣ ନ ଆପଣାଇବା ପାଇଁ ସତର୍କ କଲେ । (କଲ. ୨:୬-୧୦) ପାଉଲ ନିଜ ଚିଠିରେ ଏପାଫ୍ରାଙ୍କ ବିଷୟରେ ବି କହିଲେ ଯିଏ ହୁଏତ କଲସୀୟ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଭଲଭାବେ ଜାଣିଥିଲେ । ସେ ଲେଖିଲେ ଯେ ଏପାଫ୍ରା ସେମାନଙ୍କ ପାଇଁ ଲଗାତାର ପ୍ରାର୍ଥନା କରୁଥିଲେ ଯେ ସେମାନେ “ଅଟଳ ହୋଇ” ରହନ୍ତୁ ଅର୍ଥାତ୍‌ ପ୍ରୌଢ଼ ହୋଇ ରହନ୍ତୁ । (କଲ. ୪:୧୨) ଆମେ ପାଉଲ ଓ ଏପାଫ୍ରାଙ୍କଠାରୁ କʼଣ ଶିଖୁ ? ଆମେ ଶିଖୁ ଯେ ପ୍ରୌଢ଼ ହେବା ପାଇଁ ଆମକୁ ଈଶ୍ୱରଙ୍କ ସାହାଯ୍ୟ ଦରକାର । କିନ୍ତୁ ତାʼ ସହିତ ଆମକୁ ନିଜେ ବି ପରିଶ୍ରମ କରିବାକୁ ପଡ଼ିବ । ପାଉଲ ଏବଂ ଏପାଫ୍ରା ବି ଏକଥାକୁ ଭଲଭାବେ ଜାଣିଥିଲେ, ତେଣୁ ସେମାନେ ଚାହୁଁଥିଲେ ଯେ କଲସୀରେ ଥିବା ଭାଇଭଉଣୀମାନେ ସମସ୍ୟା ସତ୍ତ୍ୱେ ବି ପ୍ରୌଢ଼ ହୋଇ ରହିବା ପାଇଁ ଲଗାତାର ପରିଶ୍ରମ କରନ୍ତୁ ।

୧୮. ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ସହ ବି କʼଣ ହୋଇପାରେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୮ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ଯଦି ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ସତର୍କ ନ ରହେ, ତେବେ ସେ ସବୁଦିନ ପାଇଁ ଈଶ୍ୱରଙ୍କ ମଞ୍ଜୁରି ହରାଇ ଦେବ । ସେ କହିଲେ ଯେ ଜଣେ ଖ୍ରୀଷ୍ଟିୟାନର ହୃଦୟ ଏତେ କଠୋର ହୋଇପାରେ ଯେ ସେ କେବେ ବି ଅନୁତାପ କରିବନି ଏବଂ ଈଶ୍ୱରଙ୍କୁ କ୍ଷମା ବି ମାଗିବନି । ଭଲ କଥା ଏହା ଯେ ଏବ୍ରୀ ଖ୍ରୀଷ୍ଟିୟାନମାନେ ଏପରି ନ ଥିଲେ । (ଏବ୍ରୀ ୬:୪-୯) କିନ୍ତୁ ସେହି ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କʼଣ, ଯେଉଁମାନେ ନିଷ୍କ୍ରିୟ ହୋଇ ଯାଇଛନ୍ତି କିମ୍ବା ଯେଉଁମାନଙ୍କୁ ବହିଷ୍କାର କରି ଦିଆଯାଇଛି ? ଯଦି ସେମାନେ ହୃଦୟରୁ ଅନୁତାପ କରିବେ, ତେବେ ସେମାନେ ସେହି ଲୋକମାନଙ୍କ ଭଳି ହେବେନି, ଯେଉଁମାନେ ଈଶ୍ୱରଙ୍କ ମଞ୍ଜୁରି ସବୁଦିନ ପାଇଁ ହରାଇ ଦେଇଛନ୍ତି ଏବଂ ଯେଉଁମାନଙ୍କ ବିଷୟରେ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିଲେ । କିନ୍ତୁ ଯେବେ ସେମାନେ ଯିହୋବାଙ୍କ ପାଖକୁ ଫେରି ଆସିବେ, ତେବେ ସେମାନଙ୍କୁ ସାହାଯ୍ୟର ଦରକାର ପଡ଼ିବ । (ଯିହି. ୩୪:୧୫, ୧୬) ତେଣୁ ହୋଇପାରେ ପ୍ରାଚୀନମାନେ ଏପରି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁଭବୀ ଭାଇଭଉଣୀମାନଙ୍କୁ କହିପାରିବେ, ଯାହାଦ୍ୱାରା ସେମାନଙ୍କ ସାହାଯ୍ୟରୁ ସେହି ଲୋକମାନେ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରିପାରିବେ ।

ଯିହୋବା ସେହି ଲୋକମାନଙ୍କର ସାହାଯ୍ୟ କରନ୍ତି ଯେଉଁମାନେ ପୁଣିଥରେ ତାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ଚାହାନ୍ତି (ପାରାଗ୍ରାଫ ୧୮)


୧୯. ଆପଣ କʼଣ ଲକ୍ଷ୍ୟ ରଖିପାରିବେ ?

୧୯ ଯଦି ଆପଣ ପ୍ରୌଢ଼ ହୋଇ ରହିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଭରସା ରଖନ୍ତୁ ଯେ ଆପଣ ନିଜର ଏହି ଲକ୍ଷ୍ୟ ହାସଲ କରିପାରିବେ ! ଲଗାତାର ଗୁରୁପାକ ଖାଦ୍ୟ ନିଅନ୍ତୁ ଏବଂ ପ୍ରତ୍ୟେକ ମାମଲାରେ ଯିହୋବାଙ୍କ ଭଳି ଭାବିବା ପାଇଁ ଚେଷ୍ଟା କରନ୍ତୁ । ଆଉ ଯଦି ଆପଣ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ଅଟନ୍ତି, ତେବେ ପରିଶ୍ରମ କରିବା ଜାରି ରଖନ୍ତୁ ଯାହାଫଳରେ ଆପଣ ସବୁବେଳେ ଅଟଳ ରହିପାରିବେ ।

ଆପଣ କ’ଣ ଉତ୍ତର ଦେବେ ?

  • ପ୍ରୌଢ଼ ହେବାର ଅର୍ଥ କʼଣ ?

  • ଆମେ ପ୍ରୌଢ଼ କିପରି ହୋଇପାରିବା ?

  • ପ୍ରୌଢ଼ ହୋଇ ରହିବା ପାଇଁ ଆମକୁ କାହିଁକି ପରିଶ୍ରମ କରିବା ଉଚିତ୍‌ ?

ଗୀତ ୬୫ ଆଗେ ବାଢ଼ !

a ଦେଖିବାକୁ ଗଲେ ଏବ୍ରୀ ଶାସ୍ତ୍ରରେ କୌଣସି ବି ଜାଗାରେ “ପ୍ରୌଢ଼” ଶବ୍ଦ ଦିଆଯାଇ ନାହିଁ, କିନ୍ତୁ ଏଥିରେ ଆମକୁ ପ୍ରୌଢ଼ ହେବା ପାଇଁ ପ୍ରୋତ୍ସାହନ ଦିଆଯାଇଛି । ଯେପରି ହିତୋପଦେଶ ବହିରେ କୁହାଯାଇଛି ଯେ ଆମକୁ ସରଳ ବା ନିର୍ବୋଧ ଲୋକଙ୍କ ଭଳି ହେବା ଉଚିତ୍‌ ନୁହେଁ, ବରଂ ବୁଦ୍ଧିମାନ ଓ ପ୍ରୌଢ଼ ହେବା ଉଚିତ୍‌ ।—ହିତୋ. ୧:୪, ୫.

b jw.org ଏବଂ JW ଲାଇବ୍ରେରୀ ଆପ୍‌ରେ “ଆଉ କିଛି ବିଷୟ” ସିରିଜ୍‌ରେ ଦିଆଯାଇଥିବା ଲେଖା “ଜାରା ସମ୍ଭାଲ କାର୍‌, କାହିଁ ୟେ ଆଫ୍‌ୱାହେଁ ତୋ ନାହିଁ?” ପଢ଼ନ୍ତୁ ।

c ଏହି ସଂଖ୍ୟାରେ “ଅଧ୍ୟୟନ କରିବା ପାଇଁ ବିଷୟ” ନାମକ ଯେଉଁ ଛୋଟ ଲେଖା ଦିଆଯାଇଛି, ତାହାକୁ ଦେଖନ୍ତୁ ।

d ଚିତ୍ର ବିଷୟରେ: ଜଣେ ଭାଇ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ଭାବୁଛନ୍ତି ଯେ ସେ ଟିଭିରେ କʼଣ ଦେଖିବେ ।