इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୪

ଗୀତ ୨୪ ୟହୋୱା କି ଇବାଦତ୍‌ କରେ !

ଯିହୋବାଙ୍କ ତମ୍ବୁରେ କେଉଁମାନେ ରହିପାରିବେ ?

ଯିହୋବାଙ୍କ ତମ୍ବୁରେ କେଉଁମାନେ ରହିପାରିବେ ?

“ହେ ସଦାପ୍ରଭୋ, ତୁମ୍ଭ ଆବାସରେ [‘ତମ୍ବୁ,’ NWT] କିଏ ପ୍ରବାସ କରିବ ? ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରିବ ?”ଗୀତ. ୧୫:୧.

କʼଣ ଶିଖିବା ?

ଏଠାରେ ଆମେ ଜାଣିବା ଯେ ଯଦି ଆମେ ଯିହୋବାଙ୍କ ସାଙ୍ଗ ହୋଇ ରହିବା ପାଇଁ ଚାହୁଁଛୁ, ତେବେ ଆମକୁ କʼଣ କରିବାକୁ ପଡ଼ିବ । ଆମେ ଏହା ବି ଜାଣିବା ଯେ ଆମକୁ ତାଙ୍କ ସାଙ୍ଗମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ୍‌ ।

୧. ଗୀତସଂହିତା ୧୫:୧-୫ ପଦ ଉପରେ ଧ୍ୟାନ ଦେଲେ ଆମକୁ କʼଣ ଲାଭ ହେବ ?

 ପୂର୍ବ ଲେଖାରେ ଆମେ ଜାଣିଲୁ ଯେ ଯେଉଁମାନେ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରନ୍ତି ଏବଂ ତାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଗଢ଼ନ୍ତି, ସେମାନେ ତାଙ୍କ ତମ୍ବୁରେ ଅତିଥି ହୋଇ ରହିପାରିବେ । କିନ୍ତୁ ଯିହୋବାଙ୍କ ତମ୍ବୁରେ ରହିବା ପାଇଁ ଆମକୁ ଆଉ କʼଣ କରିବାକୁ ପଡ଼ିବ ? ଗୀତସଂହିତା ୧୫ ଅଧ୍ୟାୟରେ ଏବିଷୟରେ କୁହାଯାଇଛି । (ଗୀତସଂହିତା ୧୫:୧-୫ ପଢ଼ନ୍ତୁ ।) ଏଥିରେ ବହୁତ ବଢ଼ିଆ ପରାମର୍ଶ ଦିଆଯାଇଛି ଯାହାକୁ ମାନିଲେ ଆମେ ଯିହୋବାଙ୍କର ଆହୁରି ନିକଟତର ହୋଇପାରିବା ।

୨. ଗୀତସଂହିତା ୧୫ ଅଧ୍ୟାୟରେ ଯେବେ ଦାଉଦ ଯିହୋବାଙ୍କ ତମ୍ବୁ ବିଷୟରେ କହିଲେ, ତେବେ ହୁଏତ ସେ କେଉଁ ବିଷୟରେ ଭାବୁଥିଲେ ?

ଗୀତସଂହିତା ୧୫ ଅଧ୍ୟାୟର ଆରମ୍ଭରେ ଏପରି ଲେଖାଅଛି, ‘ହେ ସଦାପ୍ରଭୋ, ତୁମ୍ଭ ତମ୍ବୁରେ କିଏ ପ୍ରବାସ କରିବ ? ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରିବ ?’ (ଗୀତ. ୧୫:୧) ଦାଉଦ ଯେବେ ଏହି ଗୀତସଂହିତାରେ “ତମ୍ବୁ” ବିଷୟରେ କହିଲେ, ତେବେ ସେ ହୁଏତ ପବିତ୍ର ତମ୍ବୁ ବିଷୟରେ ଭାବୁଥିଲେ ଯାହା କିଛି ସମୟ ପାଇଁ ଗିବୀୟୋନରେ ଥିଲା । ଏଠାରେ ଦାଉଦ “ପବିତ୍ର ପର୍ବତ” ବିଷୟରେ ବି କହିଲେ, ତେଣୁ ଆମେ କହିପାରିବା ଯେ ହୁଏତ ସେ ଯିରୂଶାଲମର ସିୟୋନ ପର୍ବତ ବିଷୟରେ ଭାବୁଥିବେ, ଯେଉଁଠି ଯିହୋବାଙ୍କ ପାଇଁ ଗୋଟିଏ ତମ୍ବୁ ତିଆରି କରାଯାଇଥିଲା । ଏହି ତମ୍ବୁ ଗିବୀୟୋନରୁ ପ୍ରାୟ ୧୦ କିଲୋମିଟର ଦୂର ଦକ୍ଷିଣରେ ଥିଲା । ଏଥିରେ ନିୟମ ସିନ୍ଦୁକ ରଖାଯାଇଥିଲା । ଆଉ ଯିହୋବାଙ୍କ ମନ୍ଦିର ନିର୍ମାଣ ନ ହେବା ଯାଏଁ ଏହି ସିନ୍ଦୁକ ସେଠାରେ ଥିଲା ।—୨ ଶାମୁ. ୬:୧୭.

୩. ଆମକୁ ଗୀତସଂହିତା ୧୫ ଅଧ୍ୟାୟରେ ଲେଖାଥିବା କଥାଗୁଡ଼ିକ ଉପରେ କାହିଁକି ଧ୍ୟାନ ଦେବା ଉଚିତ୍‌ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ପ୍ରାଚୀନ ସମୟରେ ଅଧିକାଂଶ ଇସ୍ରାଏଲୀୟମାନଙ୍କୁ ପବିତ୍ର ତମ୍ବୁରେ ସେବା କରିବାର ଅନୁମତି ନ ଥିଲା । ଆଉ ପବିତ୍ର ତମ୍ବୁ ଭିତରେ ଯେଉଁଠି ନିୟମ ସିନ୍ଦୁକ ରଖା ଯାଉଥିଲା, ସେଠାରେ ଆହୁରି କମ୍‌ ଲୋକମାନଙ୍କୁ ଯିବାର ଅନୁମତି ଥିଲା । କିନ୍ତୁ ଆଜି ଯେଉଁମାନେ ଯିହୋବାଙ୍କ ସାଙ୍ଗ ହୁଅନ୍ତି ଏବଂ ତାଙ୍କ ସାଙ୍ଗ ହୋଇ ରହିବା ପାଇଁ ଚାହାନ୍ତି, ସେମାନେ ଯିହୋବାଙ୍କ ତମ୍ବୁରେ ଅତିଥି ହୋଇ ରହିପାରିବେ । ଆଉ ଆମେ ଏପରି ହିଁ ଚାହୁଁ ! ଗୀତସଂହିତା ୧୫ ଅଧ୍ୟାୟରେ ଏପରି କିଛି କଥାଗୁଡ଼ିକ ବିଷୟରେ କୁହାଯାଇଛି ଯାହାକୁ ମାନିଲେ ଆମେ ସବୁଦିନ ପାଇଁ ଯିହୋବାଙ୍କ ସାଙ୍ଗ ହୋଇ ରହିପାରିବା ।

ଦାଉଦଙ୍କ ସମୟରେ ଇସ୍ରାଏଲୀୟମାନେ ଏହା ଭଲଭାବେ ବୁଝୁଥିଲେ ଯେ ଯିହୋବାଙ୍କ ତମ୍ବୁରେ ଅତିଥି ହୋଇ ରହିବାର ଅର୍ଥ କʼଣ (ପାରାଗ୍ରାଫ ୩)


ନିର୍ଦ୍ଦୋଷ ରହନ୍ତୁ ଓ ସଠିକ୍‌ କାମ କରନ୍ତୁ

୪. ଯିହୋବାଙ୍କ ସାଙ୍ଗ ହୋଇ ରହିବା ପାଇଁ କେବଳ ବାପ୍ତିସ୍ମ ନେବା କାହିଁକି ଯଥେଷ୍ଟ ନୁହେଁ ? (ଯିଶାଇୟ ୪୮:୧)

ଗୀତସଂହିତା ୧୫:୨ ପଦରେ କୁହାଯାଇଛି ଯେ ଯିହୋବାଙ୍କ ସାଙ୍ଗ “ସରଳାଚରଣ [‘ନିର୍ଦ୍ଦୋଷ ଚାଲିଚଳନ,’ NWT] ଓ ଧର୍ମକର୍ମ [‘ସଠିକ୍‌ କାମ,’ NWT] କରେ ।” ଏହି ପଦରୁ ଜଣାପଡ଼େ ଯେ ଯିହୋବାଙ୍କ ସାଙ୍ଗ ହେବା ପାଇଁ ଆମକୁ ସବୁବେଳେ ଏପରି ହିଁ କାମ କରିବା ଦରକାର । କିନ୍ତୁ କʼଣ ଆମେ ସତରେ ନିର୍ଦ୍ଦୋଷ ରହିପାରିବା ? ନିଶ୍ଚୟ । ଏହା ସତ ଯେ ଆମ ଦ୍ୱାରା ଅନେକ ଭୁଲ ହୁଏ, କିନ୍ତୁ ଯଦି ଆମେ ଯିହୋବାଙ୍କ ଆଜ୍ଞା ମାନିବା ପାଇଁ ପୂରା ଚେଷ୍ଟା କରିବା, ତେବେ ଆମେ ତାଙ୍କ ଦୃଷ୍ଟିରେ “ନିର୍ଦ୍ଦୋଷ ଚାଲିଚଳନ” ବଜାୟ ରଖିପାରିବା । ଆମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରି ଏବଂ ବାପ୍ତିସ୍ମ ନେଇ ତାଙ୍କ ସହିତ ଗୋଟିଏ ସମ୍ପର୍କ ଗଢ଼ିବା ଆରମ୍ଭ କରୁ । ମନେକରନ୍ତୁ, ପ୍ରାଚୀନ ସମୟରେ ଯେଉଁ ବ୍ୟକ୍ତି ଇସ୍ରାଏଲ ରାଷ୍ଟ୍ରରେ ଜନ୍ମ ହେଉଥିଲା ସେ ଆପେ ଆପେ ଅତିଥି ହୋଇଯାଉ ନ ଥିଲା । ଯେପରି ଇସ୍ରାଏଲୀୟମାନେ ଯିହୋବାଙ୍କ ଉପାସନା ତ କରୁଥିଲେ, କିନ୍ତୁ ସେମାନେ “ସତ୍ୟରେ କିଅବା ଧାର୍ମିକତାରେ” ଚାଲୁ ନ ଥିଲେ । (ଯିଶାଇୟ ୪୮:୧ ପଢ଼ନ୍ତୁ ।) ଯେଉଁ ଇସ୍ରାଏଲୀୟମାନେ ଯିହୋବାଙ୍କ ତମ୍ବୁରେ ରହିବା ପାଇଁ ଚାହୁଁଥିଲେ, ସେମାନଙ୍କୁ ଯିହୋବାଙ୍କ ନିୟମ ବିଷୟରେ ଜାଣିବାକୁ ଓ ମାନିବାକୁ ପଡ଼ୁଥିଲା । ସେହିପରି ଆଜି ଯିହୋବାଙ୍କ ତମ୍ବୁରେ ରହିବା ପାଇଁ ବା ତାଙ୍କ ସାଙ୍ଗ ହୋଇ ରହିବା ପାଇଁ କେବଳ ବାପ୍ତିସ୍ମ ନେବା ଓ ଯିହୋବାଙ୍କ ସାକ୍ଷୀ ନାମରେ ପରିଚିତ ହେବା ଯଥେଷ୍ଟ ନୁହେଁ । ତାʼପାଇଁ ଏହା ବି ଜରୁରୀ ଯେ ଆମେ “ସଠିକ୍‌ କାମ” କରୁ । ତାʼପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୫. ଆମେ କିପରି ଦେଖାଇପାରିବା ଯେ ଆମେ ପ୍ରତ୍ୟେକ ମାମଲାରେ ଯିହୋବାଙ୍କ ଆଜ୍ଞା ମାନୁ ?

ଯିହୋବାଙ୍କ ଦୃଷ୍ଟିରେ “ନିର୍ଦ୍ଦୋଷ ଚାଲିଚଳନ” ରଖିବା ଓ “ସଠିକ୍‌ କାମ” କରିବା ପାଇଁ କେବଳ ସଭାରେ ଯିବା ଯଥେଷ୍ଟ ନୁହେଁ । (୧ ଶାମୁ. ୧୫:୨୨) ତାʼପାଇଁ ଏହା ବି ଜରୁରୀ ଯେ ଆମେ ଏକୁଟିଆ ଥାଉ କିମ୍ବା ସମସ୍ତଙ୍କ ସାଙ୍ଗରେ, ଆମକୁ ପ୍ରତ୍ୟେକ ମାମଲାରେ ଏପରିକି ଛୋଟ ଛୋଟ କଥାଗୁଡ଼ିକରେ ମଧ୍ୟ ଯିହୋବାଙ୍କ ଆଜ୍ଞା ମାନିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ । (ହିତୋ. ୩:୬; ଉପ. ୧୨:୧୩, ୧୪) ଏପରି କରି ଆମେ ଦେଖାଇବା ଯେ ଆମେ ସତରେ ଯିହୋବାଙ୍କୁ ପ୍ରେମ କରୁ ଏବଂ ଯିହୋବା ବି ଆମକୁ ପ୍ରେମ କରିବାକୁ ଲାଗିବେ ।—ଯୋହ. ୧୪:୨୩; ୧ ଯୋହ. ୫:୩.

୬. ପୂର୍ବେ ଆମେ ଅନେକ ଭଲ କାମ କରିଥିବା, କିନ୍ତୁ ଆମକୁ ଆଗକୁ ବି କʼଣ କରିବା ଜାରି ରଖିବାକୁ ପଡ଼ିବ ? (ଏବ୍ରୀ ୬:୧୦-୧୨)

ପୂର୍ବେ ଆମେ ସମସ୍ୟାର ସାମନା କରିବା ସତ୍ତ୍ୱେ ମଧ୍ୟ ଯିହୋବାଙ୍କ ଆଜ୍ଞା ମାନିଲୁ ଓ ତାଙ୍କ ବିଶ୍ୱସ୍ତ ରହିଲୁ । ଆଉ ଯିହୋବା ଏକଥା ପାଇଁ ବହୁତ କୃତଜ୍ଞ ଅଟନ୍ତି । କିନ୍ତୁ କେବଳ ଭଲ କାମଗୁଡ଼ିକ ଯୋଗୁଁ ଆମେ ଯିହୋବାଙ୍କ ତମ୍ବୁରେ ରହିପାରିବାନି । ଏକଥାକୁ ଏବ୍ରୀ ୬:୧୦-୧୨ ପଦରେ ବୁଝାଇ ଦିଆଯାଇଛି । (ପଢ଼ନ୍ତୁ ।) ସେଠାରେ କୁହାଯାଇଛି ଯେ ଆମେ ଯେତେ ବି ଭଲ କାମଗୁଡ଼ିକ କରୁ ଯିହୋବା ତାକୁ ଭୁଲନ୍ତି ନାହିଁ । କିନ୍ତୁ ସେ ଏହା ବି ଚାହାନ୍ତି ଯେ ଆମେ “ଶେଷ ପର୍ଯ୍ୟନ୍ତ” ମନପ୍ରାଣ ଦେଇ ତାଙ୍କ ସେବା କରୁ । ଯଦି ଆମେ ‘କ୍ଲାନ୍ତ ନୋହିବା’ ଓ ତାଙ୍କ ସେବା କରିବା ଜାରି ରଖିବା, ତେବେ ଯିହୋବା ସବୁବେଳେ ଆମର ସାଙ୍ଗ ହୋଇ ରହିବେ ।—ଗାଲା. ୬:୯.

ଅନ୍ତଃକରଣରେ ସତ୍ୟ କହ

୭. ଅନ୍ତଃକରଣରେ ସତ୍ୟ କହିବାର ଅର୍ଥ କʼଣ ?

ଯିହୋବାଙ୍କ ତମ୍ବୁରେ ରହିବା ପାଇଁ ଏହା ଜରୁରୀ ଯେ ଆମେ ନିଜ ‘ଅନ୍ତଃକରଣରେ ସତ୍ୟ କହୁ ।’ (ଗୀତ. ୧୫:୨) ଅନ୍ତଃକରଣରେ ସତ୍ୟ କହିବାର ଅର୍ଥ ହେଉଛି ଯେ ଆମେ ପ୍ରତ୍ୟେକ କଥାରେ ପୂରାପୂରି ସଚ୍ଚୋଟ ରହୁ । (ଏବ୍ରୀ ୧୩:୧୮) ଏପରି କରିବା କାହିଁକି ଜରୁରୀ ଅଟେ ? “କାରଣ ଖଳ ଲୋକ ସଦାପ୍ରଭୁଙ୍କର ଘୃଣାପାତ୍ର; ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ ।”—ହିତୋ. ୩:୩୨.

୮. ଆମକୁ କେଉଁ ଭଳି ବ୍ୟକ୍ତି ହେବା ଉଚିତ୍‌ ନୁହେଁ ?

ଯେଉଁ ବ୍ୟକ୍ତି ‘ଅନ୍ତଃକରଣରେ ସତ୍ୟ କହେ’ ନାହିଁ, ସେ ଲୁଚିଛପି ଯିହୋବାଙ୍କ ଆଜ୍ଞା ଭାଙ୍ଗେ, କିନ୍ତୁ ଅନ୍ୟମାନଙ୍କ ସାମନାରେ ସେ ଦେଖାଏ ଯେ ସେ ଯିହୋବାଙ୍କ ଆଜ୍ଞା ମାନେ । (ଯିଶା. ୨୯:୧୩) ଏପରି ବ୍ୟକ୍ତି ଛଳନା କରେ । ସେ ଯିହୋବାଙ୍କ କିଛି ନିୟମ ଉପରେ ସନ୍ଦେହ କରିବାକୁ ଲାଗିପାରେ । (ଯାକୁ. ୧:୫-୮) ତେଣୁ ତାକୁ ଲାଗେ ଯେ କୌଣସି ନିୟମ ନ ମାନିଲେ ବି ଚଳିବ । ଆଉ ଯେବେ ଆଜ୍ଞା ନ ମାନିବା ଯୋଗୁଁ ତାକୁ କୌଣସି ଖରାପ ପରିଣାମ ଭୋଗିବାକୁ ପଡ଼େନି, ତେବେ ହୁଏତ ସେ ବଡ଼ରୁ ବଡ଼ ବିଷୟରେ ବି ଯିହୋବାଙ୍କ ଆଜ୍ଞା ଭାଙ୍ଗି ଦେବ । ଏହା ସତ ଯେ ତାକୁ ଲାଗୁଥିବ ଯେ ସେ ଯିହୋବାଙ୍କ ଉପାସନା କରୁଛି, କିନ୍ତୁ ଯିହୋବା ଏପରି ଛଳନା କରୁଥିବା ବ୍ୟକ୍ତିର ଉପାସନା କେବେ ବି ସ୍ୱୀକାର କରନ୍ତି ନାହିଁ । (ଉପ. ୮:୧୧) ଆମେ ଏପରି ବ୍ୟକ୍ତି ଭଳି ହେବା ପାଇଁ ଚାହୁଁନୁ, ବରଂ ଆମେ ସବୁ ବିଷୟରେ ସଚ୍ଚୋଟ ରହିବା ପାଇଁ ଚାହୁଁ ।

୯. ଯେବେ ଯୀଶୁ ପ୍ରଥମ ଥର ନିଥନିୟେଲଙ୍କୁ ଭେଟିଲେ, ତେବେ ସେ ତାଙ୍କ ବିଷୟରେ କʼଣ କହିଲେ ? ଆଉ ଏଥିରୁ ଆମେ କʼଣ ଶିଖୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଅନ୍ତଃକରଣରେ ସତ କହିବା କେତେ ଜରୁରୀ, ଏହା ଆମେ ବାଇବଲର ଗୋଟିଏ ଘଟଣାରୁ ଭଲ ଭାବେ ବୁଝିପାରିବା । ଯେବେ ଫିଲିପ୍ପ ନିଜ ସାଙ୍ଗ ନିଥନିୟେଲଙ୍କୁ ଯୀଶୁଙ୍କ ପାଖକୁ ନେଲେ, ତେବେ ଯୀଶୁ ତାଙ୍କ ବିଷୟରେ ଗୋଟିଏ ବଢ଼ିଆ କଥା କହିଲେ । ଯୀଶୁ ଆଗରୁ କେବେ ବି ନିଥନିୟେଲଙ୍କୁ ଭେଟି ନ ଥିଲେ, ତଥାପି ସେ ତାଙ୍କ ବିଷୟରେ କହିଲେ, “ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ ।” (ଯୋହ. ୧:୪୭) ଯୀଶୁ ଜାଣିଥିଲେ ଯେ ଅନ୍ୟ ଶିଷ୍ୟମାନେ ମଧ୍ୟ ସଚ୍ଚୋଟ ଅଟନ୍ତି ଏବଂ କେବେ ଛଳନା କରନ୍ତି ନାହିଁ । କିନ୍ତୁ ସେ ନିଥନିୟେଲଙ୍କଠାରେ କିଛି ବିଶେଷ କଥା ଦେଖିଲେ । ନିଥନିୟେଲ ମଧ୍ୟ ଆମ ଭଳି ଅପରିପୂର୍ଣ୍ଣ ଥିଲେ, କିନ୍ତୁ ଯୀଶୁ ଏବିଷୟରେ ଧ୍ୟାନ ଦେଲେ ଯେ ସେ ଦେଖାଣିଆ କରୁ ନ ଥିଲେ । ଆଉ ଯୀଶୁଙ୍କୁ ଏହି କଥା ବହୁତ ଭଲ ଲାଗିଲା । ତେଣୁ ସେ ତାଙ୍କର ପ୍ରଶଂସା କଲେ । ଭାବନ୍ତୁ ଯଦି ଯୀଶୁ ଆପଣଙ୍କ ବିଷୟରେ ଏପରି କହନ୍ତେ, ତାହେଲେ ଆପଣଙ୍କୁ କିପରି ଲାଗନ୍ତା ?

ଯେବେ ଫିଲିପ୍ପ ନିଜ ସାଙ୍ଗ ନିଥନିୟେଲଙ୍କୁ ଯୀଶୁଙ୍କ ସହ ଭେଟ କରାଇଲେ, ତେବେ ଯୀଶୁ କହିଲେ ନିଥନିୟେଲଙ୍କଠାରେ “ଛଳନା” ନାହିଁ । କʼଣ ଯୀଶୁ ଆପଣଙ୍କ ବିଷୟର ବି ଏପରି କହିବେ ? (ପାରାଗ୍ରାଫ ୯)


୧୦. ଆମେ ଭାବିଚିନ୍ତି କାହିଁକି କଥା ହେବା ଉଚିତ୍‌ ? (ଯାକୁବ ୧:୨୬)

୧୦ ଗୀତସଂହିତା ୧୫ ଅଧ୍ୟାୟରେ ଯେଉଁ କଥାଗୁଡ଼ିକ ବିଷୟରେ କୁହାଯାଇଛି, ସେମଧ୍ୟରୁ ଅଧିକାଂଶ କଥାଗୁଡ଼ିକ ଏବିଷୟରେ ଅଛି ଯେ ଯିହୋବାଙ୍କ ସାଙ୍ଗମାନଙ୍କୁ ଅନ୍ୟମାନଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ । ଏହା ପଦ ୩ରେ ଲେଖାଯାଇଛି, ଯେଉଁ ବ୍ୟକ୍ତି ଯିହୋବାଙ୍କ ତମ୍ବୁରେ ଅତିଥି ହୋଇ ରହିବା ପାଇଁ ଚାହେଁ, ‘ତାକୁ ଆପଣା ଜିହ୍ୱାରେ ଗ୍ଲାନି [“ବଦନାମ୍‌,” NWT] କରେ ନାହିଁ ଅବା ଆପଣା ମିତ୍ରର ଅନିଷ୍ଟ କରେ ନାହିଁ କିଅବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ ।’ ଯଦି ଆମେ ଭାବିଚିନ୍ତି କଥା ହେବାନି, ତାହେଲେ ଏହାର ବହୁତ ଖରାପ ପରିଣାମ ହୋଇପାରେ । ଆମେ ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇପାରିବା ଆଉ ହୁଏତ ଆମେ ଯିହୋବାଙ୍କ ତମ୍ବୁରେ ରହିବାର ଯୋଗ୍ୟ ହୋଇ ମଧ୍ୟ ରହିପାରିବାନି ।ଯାକୁବ ୧:୨୬ ପଢ଼ନ୍ତୁ ।

୧୧. ଅନ୍ୟମାନଙ୍କୁ ବଦନାମ୍‌ କରୁଥିବା ବ୍ୟକ୍ତି ଯଦି ପଶ୍ଚାତାପ କରେନି, ତାହେଲେ କʼଣ ହୋଇପାରେ ?

୧୧ ଗୀତସଂହିତା ୧୫ରେ କୁହାଯାଇଛି ଯେଉଁ ବ୍ୟକ୍ତି ଯିହୋବାଙ୍କ ତମ୍ବୁରେ ରହିବା ପାଇଁ ଚାହେଁ, ସେ ବଦନାମ୍‌ କରିବା ବ୍ୟକ୍ତି ହେବା ଉଚିତ୍‌ ନୁହେଁ । ତାକୁ ଅନ୍ୟମାନଙ୍କ ନାମ ଖରାପ କରିବା ପାଇଁ ମିଛ କଥାଗୁଡ଼ିକ କହିବା ଉଚିତ୍‌ ନୁହେଁ । ଯେଉଁ ବ୍ୟକ୍ତି ଏପରି କରିବା ଛାଡ଼େନି ଏବଂ ପଶ୍ଚାତାପ କରେନି, ତାକୁ ମଣ୍ଡଳୀରୁ ବାହାର କରି ଦିଆଯାଏ ।—ଯିରି. ୧୭:୧୦.

୧୨-୧୩. ଆମେ ହୁଏତ କେବେ ଅଜାଣତରେ ନିଜ ସାଙ୍ଗମାନଙ୍କ ନାମ ବଦନାମ କରିପାରୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଗୀତସଂହିତା ୧୫:୩ରେ ଏହା ବି କୁହାଯାଇଛି ଯେ ଯିହୋବାଙ୍କ ସାଙ୍ଗମାନେ ନିଜ ପଡ଼ୋଶୀମାନଙ୍କୁ କ୍ଷତି ପହଞ୍ଚାଇଲା ଭଳି କାମ କରନ୍ତି ନାହିଁ ଆଉ ସେମାନେ ନିଜ ସାଙ୍ଗମାନଙ୍କ ନାମ ଖରାପ କରନ୍ତି ନାହିଁ । କିନ୍ତୁ ହୁଏତ କେବେ ଆମ ଦ୍ୱାରା ଏପରି ହୋଇପାରେ ?

୧୩ ହୋଇପାରେ ଆମେ ଅନ୍ୟମାନଙ୍କ ବିଷୟରେ କିଛି ଭୁଲ କଥା କହିପାରୁ ବା ଅଜାଣତରେ ସେମାନଙ୍କ ନାମ ଖରାପ କରିବାକୁ ଲାଗିପାରୁ । ଯେପରି ଭାବନ୍ତୁ (୧) ଜଣେ ଭଉଣୀ ପୂର୍ଣ୍ଣସମୟର ସେବା ଛାଡ଼ି ଦେଇଛନ୍ତି, (୨) ଜଣେ ସ୍ୱାମୀ ସ୍ତ୍ରୀ ଏବେ ବୈଥେଲରେ ସେବା କରୁ ନାହାନ୍ତି କିମ୍ବା (୩) ଜଣେ ଭାଇ ଏବେ ଜଣେ ପ୍ରାଚୀନ କିମ୍ବା ସହାୟକ ସେବକ ନାହାନ୍ତି । ଏପରି ସମୟରେ ଯଦି ଆମେ ଅନ୍ୟମାନଙ୍କୁ କହୁ ଯେ ନିଶ୍ଚୟ ସେମାନେ ହିଁ କିଛି ଭୁଲ କରିଥିବେ ତେଣୁ ସେମାନଙ୍କ ସହ ଏପରି ହେଲା । କିନ୍ତୁ ଏପରି କହିବା ଠିକ୍‌ ନୁହେଁ । ଆମକୁ ମନେ ରଖିବା ଉଚିତ୍‌ ଯେ ଏପରି ନିଷ୍ପତ୍ତି ନେବା ପଛରେ ଭାଇଭଉଣୀମାନଙ୍କର ଅନେକ କାରଣ ଥାଇପାରେ ଯାହା ଆମକୁ ଜଣା ନ ଥିବ । ଆମକୁ ଭୁଲିବା ଉଚିତ୍‌ ନୁହେଁ ଯେ ଯେଉଁ ଲୋକମାନେ ଯିହୋବାଙ୍କ ତମ୍ବୁରେ ରହିବା ପାଇଁ ଚାହାନ୍ତି, ସେମାନେ ‘ଆପଣା ମିତ୍ରତା ଅନିଷ୍ଟ କରନ୍ତି ନାହିଁ, କିଅବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ ।’

ଅନ୍ୟମାନଙ୍କ ବିରୁଦ୍ଧରେ କିଛି କହିବା ବହୁତ ସହଜ ଅଟେ, କିନ୍ତୁ ଯଦି ଆମେ ଧ୍ୟାନ ଦେବାନି ତେବେ ଆମେ ତାଙ୍କୁ ବଦନାମ କରିବାକୁ ଲାଗିପାରୁ (ପାରାଗ୍ରାଫ ୧୨-୧୩)


ଯିହୋବାଙ୍କ ଭୟକାରୀମାନଙ୍କୁ ସମାଦର କର

୧୪. ଯିହୋବାଙ୍କ ସାଙ୍ଗମାନେ ଏହା କିପରି ଜାଣି ପାରିବେ ଯେ ଜଣେ ବ୍ୟକ୍ତି “ତୁଚ୍ଛୀକୃତ” ଅଟେ ନା ନୁହେଁ ଓ ଜାଣିବା ପରେ ତାଙ୍କୁ କʼଣ କରିବା ଦରକାର ?

୧୪ ଗୀତସଂହିତା ୧୫:୪ ପଦରେ ଲେଖା ଅଛି, ଯିହୋବାଙ୍କ ସାଙ୍ଗମାନେ “ତୁଚ୍ଛୀକୃତ” ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି ନାହିଁ । ଆମେ କିପରି ଜାଣି ପାରିବା ଯେ ଜଣେ ବ୍ୟକ୍ତି ତୁଚ୍ଛୀକୃତ ଅଟେ ନା ନୁହେଁ ? ଏହି ନିଷ୍ପତ୍ତି ଆମେ ନେଇପାରିବା ନାହିଁ, କାରଣ ଆମେ ଅପରିପୂର୍ଣ୍ଣ ଅଟୁ । ଆଉ ଆମେ ଅପରିପୂର୍ଣ୍ଣ ହେବା ଯୋଗୁଁ ଅନେକ ଥର କେବଳ ନିଜର ଚିନ୍ତାଧାରା କିମ୍ବା ପସନ୍ଦ ନାପସନ୍ଦ ଆଧାରରେ କାହାରିକୁ ଠିକ୍‌ କିମ୍ବା ଭୁଲ ମନେ କରିଥାଉ । ଉଦାହରଣ ପାଇଁ କିଛି ଲୋକଙ୍କ ବ୍ୟବହାର ଦେଖି ଆମକୁ ପସନ୍ଦ ଲାଗିବ, କିନ୍ତୁ ଆଉ କିଛି ଲୋକଙ୍କ ବ୍ୟବହାର ଦେଖି ଆମକୁ ଭାରି ବିରକ୍ତ ଲାଗିବ । ତେଣୁ ଆମକୁ ଏହା ଜାଣିବା ବହୁତ ଜରୁରୀ ଯେ ଯିହୋବା କେଉଁ ଲୋକମାନଙ୍କୁ “ତୁଚ୍ଛୀକୃତ” ମନେକରନ୍ତି ଆଉ ସେହି ଲୋକମାନଙ୍କ ସହିତ କୌଣସି ସମ୍ପର୍କ ରଖିବା ନାହିଁ । (୧ କରି. ୫:୧୧) ଯେପରି ଯେଉଁ ଲୋକମାନେ ଖରାପ କାମ କରନ୍ତି ଏବଂ ପଶ୍ଚାତାପ କରନ୍ତି ନାହିଁ, ବାଇବଲର ଶିକ୍ଷାଗୁଡ଼ିକୁ ଆଦର କରନ୍ତି ନାହିଁ ଏବଂ ଯେଉଁମାନେ ଯିହୋବାଙ୍କ ସହିତ ଆମ ସମ୍ପର୍କକୁ ଭାଙ୍ଗିବା ପାଇଁ ଚାହାନ୍ତି ।—ହିତୋ. ୧୩:୨୦

୧୫. ଆମେ ସେହି ଲୋକମାନଙ୍କୁ କିପରି ଆଦର କରିପାରିବା ଯେଉଁମାନେ “ସଦାପ୍ରଭୁଙ୍କ ଭୟକାରୀ” ଅଟନ୍ତି ?

୧୫ ଗୀତସଂହିତା ୧୫:୪ ପଦରେ ଆଗକୁ ଏହା ବି ଲେଖାଯାଇଛି ଯେ ଆମକୁ “ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର” କରିବା ଉଚିତ୍‌ । ତେଣୁ ଆମେ ଯିହୋବାଙ୍କ ପାଇଁ ନିଜ ପ୍ରେମ ଦେଖାଇବା ଓ ତାଙ୍କୁ ଆଦର କରିବାର ସୁଯୋଗ ହାତଛଡ଼ା କରି ନ ଥାଉ । (ରୋମୀ. ୧୨:୧୦) ଏପରି କରିବାର ଆଉ ଗୋଟିଏ ଉପାୟ ୪ ପଦରେ କୁହାଯାଇଛି । ସେଠାରେ ଲେଖା ଅଛି ଯେ ଯିହୋବାଙ୍କ ସାଙ୍ଗମାନେ “ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ ।” ଯଦି କେହି ନିଜ ପ୍ରତିଜ୍ଞା ପୂରା କରେ ନାହିଁ ତେବେ ସେଥିରୁ ଅନ୍ୟମାନଙ୍କୁ କ୍ଷତି ପହଞ୍ଚିପାରେ ଏବଂ ସେମାନଙ୍କୁ ଦୁଃଖ ବି ଲାଗିପାରେ । (ମାଥି. ୫:୩୭) ତେଣୁ ଯିହୋବା ନିଜ ସାଙ୍ଗମାନଙ୍କଠାରୁ ଏହା ଆଶା କରନ୍ତି ଯେ ସେମାନେ ନିଜ ପ୍ରତିଜ୍ଞା ପୂରା କରନ୍ତୁ । ଯେପରି ସେ ଚାହାନ୍ତି ଯେ ସ୍ୱାମୀ ସ୍ତ୍ରୀ ନିଜ ବିବାହ ବନ୍ଧନର ପ୍ରତିଜ୍ଞା ପୂରା କରନ୍ତୁ ଏବଂ ବାପାମାଆ ନିଜ ପିଲାମାନଙ୍କୁ କରିଥିବା ପ୍ରତିଜ୍ଞା ପୂରା କରିବା ପାଇଁ ପୂରା ଚେଷ୍ଟା କରନ୍ତୁ । ଆମେ ଯିହୋବା ଓ ନିଜ ପଡ଼ୋଶୀମାନଙ୍କୁ ପ୍ରେମ କରୁ, ତେଣୁ ନିଜ ପ୍ରତିଜ୍ଞା ପୂରା କରିବା ପାଇଁ ପୂରା ଚେଷ୍ଟା କରୁ ।

୧୬. ଯିହୋବାଙ୍କ ସାଙ୍ଗମାନଙ୍କୁ ସମ୍ମାନ କରିବାର ଗୋଟିଏ ଉପାୟ କʼଣ ?

୧୬ ଯିହୋବାଙ୍କ ସାଙ୍ଗମାନଙ୍କୁ ସମ୍ମାନ କରିବାର ଆଉ ଗୋଟିଏ ଉପାୟ ହେଉଛି, ସେମାନଙ୍କୁ ଅତିଥି ସତ୍କାର କରିବା ଓ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିବା । (ରୋମୀ. ୧୨:୧୩) ଯେବେ ଆମେ ନିଜ ଭାଇଭଉଣୀଙ୍କୁ ଭେଟୁ ଓ ସେମାନଙ୍କ ସହ ସମୟ ବିତାଉ ତେବେ ଆମ ବନ୍ଧୁତା ଆହୁରି ଦୃଢ଼ ହୋଇଯାଏ ଏବଂ ଯିହୋବାଙ୍କ ସହିତ ବି ଆମ ସମ୍ପର୍କ ଦୃଢ଼ ହୁଏ । କେବଳ ଏତିକି ନୁହେଁ, ଯେବେ ଆମେ ଅତିଥି ସତ୍କାର କରୁ, ତେବେ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରୁ ।

ପଇସାକୁ ପ୍ରେମ କରନ୍ତୁ ନାହିଁ

୧୭. ଗୀତସଂହିତା ୧୫ ଅଧ୍ୟାୟରେ ପଇସା ବିଷୟରେ କାହିଁକି କୁହାଯାଇଛି ?

୧୭ ଗୀତସଂହିତା ୧୫ ଅଧ୍ୟାୟରେ ଏହା ବି କୁହାଯାଇଛି ଯେ ଯେଉଁ ଲୋକମାନେ ଯିହୋବାଙ୍କ ତମ୍ବୁରେ ଅତିଥି ହୋଇ ରହିବା ପାଇଁ ଚାହାନ୍ତି, ସେମାନେ ‘ସୁଧ ପାଇଁ ଟଙ୍କା ଋଣ ଦିଅନ୍ତି ନାହିଁ, କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଅନ୍ତି ନାହିଁ ।’ (ଗୀତ. ୧୫:୫) ଏହି ଛୋଟ ଅଧ୍ୟାୟରେ ପଇସା ବିଷୟରେ କାହିଁକି କୁହାଯାଇଛି ? କାରଣ ଯଦି ଆମେ ଲୋକମାନଙ୍କଠାରୁ ଅଧିକ ପଇସାକୁ ମହତ୍ତ୍ୱ ଦେବା ତେବେ ଲୋକମାନଙ୍କ ସହ ଆମ ସମ୍ପର୍କ ଖରାପ ହୋଇପାରେ ଏବଂ ଯିହୋବାଙ୍କ ସହିତ ଆମ ବନ୍ଧୁତା ବି ଭାଙ୍ଗିପାରେ । (୧ ତୀମ. ୬:୧୦) ପ୍ରାଚୀନ ସମୟରେ ଏପରି କିଛି ହୋଇଥିଲା । କିଛି ଇସ୍ରାଏଲୀୟ ନିଜ କିଛି ଗରିବ ଇସ୍ରାଏଲୀୟ ଭାଇମାନଙ୍କୁ ସୁଧରେ ପଇସା ଦେଉଥିଲେ ଏବଂ ସେମାନଙ୍କଠାରୁ ଲାଭ ଉଠାଉଥିଲେ । କେବଳ ଏତିକି ନୁହେଁ, କିଛି ନ୍ୟାୟୀ ଲାଞ୍ଚ ନେଉଥିଲେ ଏବଂ ନିର୍ଦ୍ଦୋଷ ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରୁଥିଲେ । ଏସବୁ ଦେଖି ଯିହୋବାଙ୍କୁ ବହୁତ ଖରାପ ଲାଗିଲା । ଆଉ ଆଜି ବି ସେ ଏପରି କାମକୁ ଘୃଣା କରନ୍ତି ।—ଯିହି. ୨୨:୧୨.

୧୮. ପଇସା ବିଷୟରେ ଆମେ କʼଣ ଭାବୁ ଏହା ଜାଣିବା ପାଇଁ ଆମେ ନିଜକୁ କେଉଁ କେଉଁ ପ୍ରଶ୍ନ ପଚାରି ପାରିବା ? (ଏବ୍ରୀ ୧୩:୫)

୧୮ ପଇସା ବିଷୟରେ ଆମ ଚିନ୍ତାଧାରା କʼଣ, ଏହା ଜାଣିବା ବହୁତ ଜରୁରୀ । ତେଣୁ ନିଜକୁ ପଚାରନ୍ତୁ: କʼଣ ମୁଁ ସବୁବେଳେ ପଇସା ବିଷୟରେ ହିଁ ଭାବେ ଏବଂ ଏହା ଭାବୁଥାଏ ଯେ ମୁଁ କʼଣ କʼଣ କିଣିବି ? ଯଦି ମୁଁ କାହାରିଠାରୁ ଋଣ ନିଏ, କʼଣ ମୁଁ ତାହା ଫେରାଇବାରେ ଡେରି କରେ କିମ୍ବା ଏହା ଭାବେ ଯେ ତାଙ୍କ ପାଖରେ ବହୁତ ପଇସା ଅଛି ମୁଁ ପରେ ଦେଇ ଦେବି ? କʼଣ ପଇସା ଥିବା ଯୋଗୁଁ ମୁଁ ଅନ୍ୟମାନଙ୍କଠାରୁ ନିଜକୁ ବଡ଼ ମନେ କରେ ଏବଂ କଞ୍ଜୁସ ହୋଇଯାଇଛି ? କʼଣ ଯେଉଁ ଭାଇଭଉଣୀମାନଙ୍କ ପାଖରେ ବହୁତ ପଇସା ଅଛି, ମୁଁ ସେମାନଙ୍କ ବିଷୟରେ ଏହା ଭାବେ ଯେ ସେମାନେ ପଇସାକୁ ବହୁତ ପ୍ରେମ କରନ୍ତି ? କʼଣ ମୁଁ କେବଳ ସେହି ଲୋକମାନଙ୍କ ସହିତ କଥା ହୁଏ ଯେଉଁମାନଙ୍କ ପାଖରେ ବହୁତ ପଇସା ଅଛି ଏବଂ ଗରିବ ଲୋକଙ୍କ ଉପରେ କୌଣସି ଧ୍ୟାନ ଦିଏ ନାହିଁ ? ଯିହୋବାଙ୍କ ତମ୍ବୁରେ ଅତିଥି ହେବା ବହୁତ ବଡ଼ ସମ୍ମାନର କଥା ଅଟେ । ଆଉ ଯଦି ଆମେ ତାଙ୍କ ତମ୍ବୁରେ ରହିବା ପାଇଁ ଚାହୁଁ, ତେବେ ଏହା ବହୁତ ଜରୁରୀ ଯେ ଆମେ ପଇସାକୁ ପ୍ରେମ କରିବାନି । ତେବେ ଯିହୋବା ଆମକୁ କେବେ ହେଁ ଛାଡ଼ିବେ ନାହିଁ, ଆଉ କେବେ ହେଁ ତ୍ୟାଗ କରିବେ ନାହିଁ ।ଏବ୍ରୀ ୧୩:୫ ପଢ଼ନ୍ତୁ ।

ଯିହୋବା ନିଜ ସାଙ୍ଗମାନଙ୍କୁ ପ୍ରେମ କରନ୍ତି

୧୯. ଯିହୋବା କାହିଁକି ଚାହାନ୍ତି ଯେ ଆମେ ଗୀତସଂହିତା ୧୫ ଅଧ୍ୟାୟରେ ଲେଖା ଥିବା କଥାଗୁଡ଼ିକୁ ମାନୁ ?

୧୯ ଗୀତସଂହିତା ୧୫ ଅଧ୍ୟାୟର ଶେଷରେ ଆମକୁ ଗୋଟିଏ ପ୍ରତିଜ୍ଞା କରାଯାଇଛି, “ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚାଯିବ ନାହିଁ ।” (ଗୀତ. ୧୫:୫) ଏଥିରୁ ଆମେ ବୁଝିପାରୁ ଯେ ଯିହୋବା କାହିଁକି ଚାହାନ୍ତି ଯେ ଆମେ ଏହି ଗୀତସଂହିତାରେ ଲେଖାଥିବା କଥାଗୁଡ଼ିକୁ ମାନୁ । ଯିହୋବା ଆମକୁ ଖୁସି ଦେଖିବା ପାଇଁ ଚାହାନ୍ତି, ତେଣୁ ସେ କହିଛନ୍ତି ଯେ ଆମକୁ କʼଣ କରିବା ଉଚିତ୍‌ । ଯଦି ଆମେ ତାଙ୍କ କଥା ଶୁଣିବା ତେବେ ଆମେ ଗୋଟିଏ ଭଲ ଜୀବନ ବଞ୍ଚିପାରିବା ଏବଂ ସେ ଆମ ସୁରକ୍ଷା କରିବେ ।—ଯିଶା. ୪୮:୧୭.

୨୦. ଯେଉଁ ଲୋକମାନେ ଯିହୋବାଙ୍କ ତମ୍ବୁରେ ଅତିଥି ଅଟନ୍ତି ସେମାନେ କʼଣ ଆଶା ରଖିପାରିବେ ?

୨୦ ଯେଉଁ ଲୋକମାନେ ଯିହୋବାଙ୍କ ତମ୍ବୁରେ ଅତିଥି ଅଟନ୍ତି, ସେମାନେ ଗୋଟିଏ ଭଲ ଭବିଷ୍ୟତର ଆଶା ରଖିପାରିବେ । ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସ୍ୱର୍ଗରେ ବଞ୍ଚିବାର ଆଶା ଅଛି, ଯେଉଁଠି ଯୀଶୁ ସେମାନଙ୍କ ପାଇଁ “ଅନେକ ବାସସ୍ଥାନ” ପ୍ରସ୍ତୁତ କରିଛନ୍ତି । (ଯୋହ. ୧୪:୨) ଆଉ ଅନ୍ୟ ଲୋକମାନଙ୍କୁ ପୃଥିବୀରେ ସବୁଦିନ ପାଇଁ ବଞ୍ଚିବାର ଆଶା ଅଛି, ଯେଉଁଠି ସେମାନେ ପ୍ରକାଶିତ ବାକ୍ୟ ୨୧:୩ ପଦରେ କୁହାଯାଇଥିବା କଥାଗୁଡ଼ିକୁ ପୂରା ହେବାର ଦେଖିବେ । ସତରେ, ଆମ ପାଇଁ ଏହା ବହୁତ ସମ୍ମାନର କଥା ଅଟେ ଯେ ଯିହୋବା ଆମକୁ ନିଜ ସାଙ୍ଗ ହେବାର ସୁଯୋଗ ଦେଇଛନ୍ତି । ସେ ଆମକୁ ନିଜ ତମ୍ବୁରେ ଡାକିଛନ୍ତି, ଯାହାଦ୍ୱାରା ସବୁଦିନ ଯାଏ ଆମେ ତାଙ୍କ ଅତିଥି ହୋଇ ରହିପାରିବା ।

ଗୀତ ୩୯ ୟହୋବା କି ନଜରୋଁ ମେ ନେକ୍‌ ନାମ୍‌ ବନାଏଁ