इस जानकारी को छोड़ दें

କିଏ ପ୍ରକୃତରେ ଜଗତକୁ ଶାସନ କରୁଅଛି ?

କିଏ ପ୍ରକୃତରେ ଜଗତକୁ ଶାସନ କରୁଅଛି ?

କିଏ ପ୍ରକୃତରେ ଜଗତକୁ ଶାସନ କରୁଅଛି ?

ଅନେକ ଲୋକ ଉପରୋକ୍ତ ପ୍ରଶ୍ନର ଉତ୍ତର କେବଳ ଗୋଟିଏ ଶବ୍ଦରେ ଦେବେ—ଈଶ୍ୱର । କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣଭାବେ ବାଇବଲ କେଉଁଠାରେ ହେଲେ ଉଲ୍ଲେଖ କରେ ନାହଁ ଯେ ଯୀଶୁ ଖ୍ରୀଷ୍ଟ କିମ୍ବା ତାଙ୍କ ପିତା ଏହି ଜଗତର ପ୍ରକୃତ ଶାସକ । ପକ୍ଷାନ୍ତରେ ଯୀଶୁ କହିଥିଲେ: “ଏହି ଜଗତର ଅଧିପତି ବିତାଡ଼ିତ ହେବ ।” ସେ ଆହୁରି ମଧ୍ୟ କହିଥିଲେ: “ଏହି ଜଗତର ଆଧିପତି ଆସୁଅଛି । ମୋʼ ଉପରେ ତାʼର କୌଣସି ଆଧିକାର ନାହିଁ ।”—ଯୋହନ ୧୨:୩୧; ୧୪:୩୦; ୧୬:୧୧, ଓଡ଼ଆ କ୍ୟାଥଲିକ ବାଇବଲ ।

ତେଣୁ ଏହି ଜଗତର ଅଧିପତି ଯୀଶୁଙ୍କ ବିରୁଦ୍ଧରେ ଅଛି । ସେ କିଏ ହୋଇପାରେ ?

ଜଗତର ପରିସ୍ଥିତି ମଧ୍ୟରୁ ଗୋଟିଏ ସୂତ୍ର

ମାନବର ସର୍ବୋତମ ଉଦ୍ୟମ ସତ୍ତ୍ୱେ ସାରା ଇତିହାସରେ ଜଗତ ଭୟଙ୍କର ଦୁଃଖ ଭୋଗିଛି । ଏହା ବିଚାରଶୀଳ ବ୍ୟକ୍ତିମାନଙ୍କୁ ଚିନ୍ତାର କାରଣ କରିଛି, ଯେପରି ସ୍ୱର୍ଗତ ସମ୍ପାଦକୀୟ ଲେଖକ ଡେଭିଡ୍‌ ଲରେନ୍‌ସ କହିଥିଲେ: “‘ପୃଥିବୀରେ ଶାନ୍ତି’—ପ୍ରାୟ ସମସ୍ତେ ଚାହାନ୍ତି । ‘ଲୋକଙ୍କ ପ୍ରତି ସଦିଚ୍ଛା’—ଜଗତର ପ୍ରାୟ ସବୁ ଲୋକ ପରସ୍ପର ପ୍ରତି ଅନୁଭବ କରନ୍ତି । ତାʼ ହେଲେ ଭୁଲ କʼଣ ? ଲୋକମାନଙ୍କ ସହଜାତ ଇଚ୍ଛା ସତ୍ୱେ ଯୁଦ୍ଧ ଭୟ ଦେଖାଏ କାହିକି ?”

ଏହା ଏକ ବିରୁଦ୍ଧମତ ଭଳି ଦେଖାଯାଏ, ନୁହେଁ କି ? ଲୋକଙ୍କ ସ୍ୱାଭାବିକ ଇଚ୍ଛା ଶାନ୍ତିରେ ବାସ କରିବା, କିନ୍ତୁ ସେମାନେ କେତେ ସାଧାରଣଭାବେ ପରସ୍ପରକୁ ଘୃଣା ଓ ହତ୍ୟା କରନ୍ତି—ଏବଂ କେତେ ନୃଶଂସଭାବେ । ଅତ୍ୟଧିକ ପରିମାଣର ଅସ୍ୱାଭାବିକ ନିଷ୍ଠୁରତା ବିଷୟ ଚିନ୍ତା କରନ୍ତୁ । ଲୋକମାନେ ପରସ୍ପରକୁ ନିର୍ଦୟତାରେ ଯାତନା ଦେଇ ହତ୍ୟା କରିବା ପାଇଁ ଗ୍ୟାସ୍‌ଘର, କନସେନ୍‌ଷ୍ଟ୍ରେସନ କ୍ୟାମ୍ପ, ଅଗ୍ନିବର୍ଷଣ, ନେପାମ୍‌ ବମ୍‌, ଏବଂ ଅନ୍ୟାନ୍ୟ ଘୃଣ୍ୟ ପ୍ରଥାର ବ୍ୟବହାର କରୁଛନ୍ତି ।

ଆପଣ କʼଣ ବିଶ୍ୱାସ କରୁଛନ୍ତି ଯେ ଯେଉଁ ମଣିଷମାନେ ସୁଖ ଓ ଶାନ୍ତି ପାଇଁ ଆକାଂକ୍ଷିତ, ସେମାନେ ନିଜଭିତରେ ଏତେ ଭୟଙ୍କର ଦୁଷ୍ଟ କାର୍ଯ୍ୟ କରିବା ପାଇଁ ସମର୍ଥ ହେବେ ? କେଉଁ ଶକ୍ତିଗୁଡ଼ିକ ମନୁଷ୍ୟକୁ ଏପର ଘୃଣ୍ୟ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଏ କିମ୍ବା ସେମାନଙ୍କୁ ଏପରି ପରିସ୍ଥିତିରେ ପକାଏ ଯେତେବେଳେ ସେମାନେ ଏପରି ନୃଶଂସ କାର୍ଯ୍ୟ କରିବା ପାଇଁ ବାଧ୍ୟ ହୁଅନ୍ତି ? କେତେକ ଅଦୃଶ୍ୟ ଶକ୍ତି ଲୋକମାନଙ୍କ ଉପରେ ପ୍ରଭାବ ପକାଇ ଏପରି ହିଂସନୀୟ କାର୍ଯ୍ୟ କରାଏ, ଏକଥା ଆପଣ କେବେ ଚିନ୍ତା କରିଛନ୍ତି କି ?

ଜଗତର ଶାସକଗଣଙ୍କୁ ପରିଚିତ କରାଯାଇଛି

ବାଇବଲ ସ୍ପଷ୍ଟ ରୂପେ ଦେଖାଏ ଯେ ଜଣେ ବୁଦ୍ଧିମାନ ଅଦୃଶ୍ୟ ବ୍ୟକ୍ତି ଉଭୟ ମଣିଷ ଓ ଦେଶଗୁଡ଼ିକୁ ନିୟନ୍ତ୍ରଣ କରୁଅଛି, ଏଥିପାଇଁ ଏହି ବିଷୟରେ ଅନୁମାନ କରିବା ଆବଶ୍ୟକ ନାହିଁ । ଏହା କହେ: “ସମସ୍ତ ଜଗତ ସେହି ପାପାତ୍ମାର ଅଧୀନ ।” ବାଇବଲ ଏହା କହି ଏହାର ପରିଚୟ କରାଏ ଯେ ସେହି “ପିଶାଚ ତଥା ଶୟତାନ ନାମରେ ଅବିହିତ . . . ସମଗ୍ର ଜଗତକୁ ପ୍ରତାରଣା କରୁଅଛି ।”—୧ ଯୋହନ ୫:୧୯; ପ୍ରକାଶିତ ବାକ୍ୟ ୧୨:୯.

ଥରେ ଯେତେବେଳେ ଯୀଶୁ “ଶୟତାନ ଦ୍ୱାରା ପରୀକ୍ଷିତ” ହୋଇଥିଲେ, ସେ ଶୟତାନର ଶାସକତ୍ୱର ଭୁମିକା ବିଷୟରେ କୌଣସି ପ୍ରଶ୍ନ କରି ନ ଥିଲେ । (ଆମର ବକ୍ରାକାର ଅକ୍ଷର ।) ସେ ବଷୟରେ କʼଣ ଘଟିଥିଲା ବାଇବଲ ବୁଝାଏ: “ଶୟତାନ ତାହାଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ଘେନିଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା, ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହିସମସ୍ତ ତୁମ୍ଭକୁ ଦେବୁ । ତହିଁରେ ଯୀଶୁ ତାହାକୁ କହିଲେ ଦୂର ହୁଅ ଶୟତାନ ।”—ମାଥିଉ ୪:୧, ୮-୧୦.

ଏହି ବିଷୟରେ ଚିନ୍ତା କରନ୍ତୁ । ଶୟତାନ “ଜଗତର ସମସ୍ତ ରାଜ୍ୟ” ଦେଇ ଯୀଶୁଙ୍କୁ ପ୍ରଲୋଭିତ କରିଥିଲା । (ଆମର ବକ୍ରାକାର ଅକ୍ଷର ।) ଯଦି ଶୟତାନ ଏହି ଜଗତର ପ୍ରକୃତ ଶାସକ ହୋଇ ନ ଥାନ୍ତା, ତେବେ ଶୟତାନର ପରୀକ୍ଷା ଗୋଟିଏ ବାସ୍ତବ ପ୍ରଲୋଭନ ହୋଇଥାନ୍ତା କି ? ନା, ଏହା ହୋଇ ନ ଥାନ୍ତା । ଏଠାରେ ଧ୍ୟାନ ଦିଅନ୍ତୁ, ଏହି ସମସ୍ତ ଲୌକିକ ସରକାରଗୁଡ଼ିକ ଶୟତାନର ଥିଲା, ଯୀଶୁ ଏହା ଅସ୍ୱୀକାର କରି ନାହାନ୍ତି । ଯଦି ଶୟତାନର କ୍ଷମତା ସେମାନଙ୍କ ଉପରେ ନ ଥାନ୍ତା ତାହାହେଲେ ଯୀଶୁ ତାହା କରି ପାରିଥାନ୍ତେ । ତେଣୁ ଶୟତାନ ଅର୍ଥାତ୍‌ ପିଶାଚ ପ୍ରକୃତରେ ଏହି ଜଗତର ଅଦୃଶ୍ୟ ଶାସକ ! ପ୍ରକୃତରେ, ବାଇବଲ ତାକୁ “ଇହଲୋକର ଦେବ” କହେ । (୨ କରିନ୍ଥୀୟ ୪:୪, ଓଡ଼ିଆ କ୍ୟାଥଲିକ ବାଇବଲ ।) ତେବେ ଏତେ ଦୁଷ୍ଟ ବ୍ୟକ୍ତି ଏହି ପ୍ରଭାବଶାଳୀ ସ୍ଥିତିରେ ପହଞ୍ଚିଲା କିପରି ?

ଯିଏ ଶୟତାନ ହେଲା ଈଶ୍ୱର ତାକୁ ସ୍ୱର୍ଗଦୂତ ରୂପେ ସୃଷ୍ଟି କରିଥିଲେ । କିନ୍ତୁ ସେ ଈଶ୍ୱରଙ୍କ ସ୍ଥାନ ପାଇବା ପାଇଁ ଈର୍ଷାନ୍ୱିତ ହୋଇଥିଲା । ସେ ଈଶ୍ୱରଙ୍କ ନ୍ୟାୟସଙ୍ଗତ ଶାସନତନ୍ତ୍ରକୁ ଆହ୍ୱାନ କରିଥିଲା । ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସେ ସର୍ପକୁ ପ୍ରବକ୍ତାରୂପେ ବ୍ୟବହାର କରି ପ୍ରଥମ ସ୍ତ୍ରୀ ହବାକୁ ପ୍ରତାରିତ କରିଥିଲା ଏବଂ ଏହି ପ୍ରକାରେ ତାକୁ ଓ ତାʼର ସ୍ୱାମୀ ଆଦମକୁ ମଧ୍ୟ ଈଶ୍ୱରଙ୍କ ଆଜ୍ଞା ପାଳନ କରାଇବା ପରିବର୍ତ୍ତେ ନିଜର ଆଜ୍ଞାକୁ ପାଳନ କରାଇବାରେ ସମର୍ଥ ହୋଇଥିଲା । (ଆଦିପୁସ୍ତକ ୩:୧-୬; ୨ କରିନ୍ଥୀୟ ୧୧:୩) ସେ ଆହୁରି ମଧ୍ୟ ଦାବି କରିଥିଲା ଯେ ଆଦମ ଓ ହବାର ସମସ୍ତ ଅଜାତ ଅପତ୍ୟଙ୍କୁ ଈଶ୍ୱରଙ୍କ ଠାରୁ ଦୂର କରିପାରିବ । ଏଥିପାଇଁ ଈଶ୍ୱର ଶୟତାନର ସମସ୍ତ ଦାବି ପ୍ରମାଣ କରିବାକୁ ସମୟ ଦେଇଛନ୍ତି, କିନ୍ତୁ ଶୟତାନ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ ।—ଆୟୁବ ୧:୬-୧୨; ୨:୧-୧୦.

ଏହା ମହତ୍ୱପୂର୍ଣ୍ଣ ଯେ ଜଗତର ଶାସନତନ୍ତ୍ରରେ ଶୟତାନ କେବଳ ଏକାକୀ ନୁହେଁ । ସେ ଅନ୍ୟ କେତେକ ସ୍ୱର୍ଗଦୂତଙ୍କୁ ମଧ୍ୟ ଈଶ୍ୱରଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଇ ନିଜ ପକ୍ଷରେ ସାମିଲ କରିବାରେ କୃତକାର୍ଯ୍ୟ ହୋଇଥିଲା । ତାʼର ଆତ୍ମିକ ସଙ୍ଗୀମାନେ ପିଶାଚ ହୋଇଥିଲେ । ବାଇବଲ ସେମାନଙ୍କ ସମନ୍ଧରେ ଉଲ୍ଲେଖକରି ଖ୍ରୀଷ୍ଟିଆନମାନଙ୍କୁ ଉପଦେଶ ଦିଏ: “ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ସୁସଜ୍ଜିତ ହୁଅ । କାରଣ ଆମେ ମାଂସ ତଥା ରକ୍ତ ବିଶେଷ ବିରୁଦ୍ଧରେ ନୁହେଁ, କିନ୍ତୁ . . . ଅନ୍ଧକାରମୟ ସଂସାରର ଅଧିପତିବୃନ୍ଦ ବିରୁଦ୍ଧରେ ତଥା ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ସଂଗ୍ରାମ କରୁ ।” (ଆମର ବକ୍ରାକାର ଅକ୍ଷର ।)—ଏଫିସୀୟ ୬:୧୧, ୧୨, ଓଡ଼ିଆ କ୍ୟାଥଲିକ ବାଇବଲ ।

ଦୁଷ୍ଟାତ୍ମାଙ୍କୁ ପ୍ରତିରୋଧ କରନ୍ତୁ

ଜଗତର ଏହି ଦୁଷ୍ଟ ଶାସକମାନେ ସମସ୍ତ ମାନବଜାତିକୁ ପଥଭ୍ରଷ୍ଟ କରି ଈଶ୍ୱରଙ୍କ ଉପାସନାରୁ ଦୂରକୁ ନେଇଯିବା ପାଇଁ ମନସ୍ତ କରିଛନ୍ତି । ମୃତ୍ୟୁ ପରେ ଜୀବନରେ ବଞ୍ଚି ରହିବା ଧାରଣକୁ ପ୍ରବର୍ତ୍ତନ କରିବା ଦୁଷ୍ଟାତ୍ମାଙ୍କ ଏକ ଉପାୟ, ଯଦିଓ ଈଶ୍ୱରଙ୍କ ବାକ୍ୟ ସ୍ପଷ୍ଟ ରୂପେ ଦେଖାଏ ଯେ ମୃତମନେ ସଚେତନ ନ ଥାନ୍ତି । (ଆଦିପୁସ୍ତକ ୨:୧୭; ୩:୧୯; ଯିହିଜିକଲ ୧୮:୪; ଗୀତସଂହିତା ୧୪୬:୩, ୪; ଉପଦେଶକ ୯:୫, ୧୦) ଏହିପରି ଗୋଟିଏ ଦୁଷ୍ଟାତ୍ମା ଗୋଟିଏ ମୃତ ବ୍ୟକ୍ତିର କଣ୍ଠସ୍ୱର ଅନୁକରଣ କରି ପ୍ରେତାତ୍ମା ମାଧ୍ୟମ ଦ୍ୱାରା କିମ୍ବା ଅଦୃଶ୍ୟ ମଣ୍ଡଳର “କଣ୍ଠସ୍ୱର” ଦ୍ୱାରା ସେହି ବ୍ୟକ୍ତିର ଜୀବିତ ଆତ୍ମିୟ କିମ୍ବା ବନ୍ଧୁ ବାନ୍ଧବଙ୍କ ସଙ୍ଗେ କଥାବାର୍ତ୍ତା କରିପାରେ । ସେହି “କଣ୍ଠସ୍ୱର” ମୃତବ୍ୟକ୍ତି ପରି ମନେହୁଏ, କିନ୍ତୁ ପ୍ରକୃତରେ ସେ ଜଣେ ପିଶାଚ !

ତେଣୁ ଆପଣ ଯଦି ଏପରି କଣ୍ଠସ୍ୱର କେବେ ଶୁଣନ୍ତି, ତେବେ ପ୍ରତାରିତ ହୁଅନ୍ତୁ ନାହିଁ । ସେ ଯାହା କିଛି କହୁଅଛି, ତାକୁ ପ୍ରତ୍ୟାଖ୍ୟାନ କରନ୍ତୁ ଏବଂ ଯୀଶୁଙ୍କ ବାକ୍ୟକୁ ପ୍ରତିଥର ଉଚ୍ଚାରଣ କରନ୍ତୁ: “ଦୂର ହୁଅ ଶୟତାନ ।” (ମାଥିଉ ୪:୧୦; ଯାକୁବ ୪:୭) ଆତ୍ମିକ ଲୋକଙ୍କ ବିଷୟରେ ଜଣିବାକୁ ଉତ୍ସୁକ ହୋଇ ଦୁଷ୍ଟାତ୍ମାଙ୍କସହ ଜଡ଼ିତ ହୁଅନ୍ତୁ ନାହିଁ । ଏହି ପ୍ରକାର ଜଡ଼ିତ ହେବା ପ୍ରଥାକୁ ପ୍ରେତାତ୍ମାବାଦ କୁହାଯାଏ । ପରମେଶ୍ୱର ନିଜ ଉପାସକମାନଙ୍କୁ ସବୁପ୍ରାକାର ପ୍ରେତାତ୍ମାବାଦଠାରୁ ଦୂରରେ ରହିବା ପାଇଁ ଚେତାବଣୀ ଦିୟନ୍ତି । ‘ଶୁଭାଶୁଭବାଦୀ, ଭୂତୁଡ଼ିଆ, ଗୁଣିଆ, ପ୍ରେତପରାମର୍ଶୀ ଲୋକଙ୍କୁ’ ବାଇବଲ ନିନ୍ଦାକରେ ।—ଦ୍ୱିତୀୟ ବିବରଣ ୧୮:୧୦-୧୨; ଗାଲାତୀୟ ୫:୧୯-୨୧; ପ୍ରକାଶିତ ବାକ୍ୟ ୨୧:୮.

ପ୍ରେତାତ୍ମାବାଦ ଜଣେ ବ୍ୟକ୍ତିକୁ ପିଶାଚର ପ୍ରଭାବରେ ପକାଏ, ଏଗୁଡ଼ିକ କେତେ ରୋମାଞ୍ଚନା କିମ୍ବା ଉତେଜନା ଦେଖାଇଲେ ମଧ୍ୟ ଏହାର ସବୁ ପ୍ରକାର ଅଭ୍ୟସକୁ ବିରୋଧ କରନ୍ତୁ । ସ୍ପଟିକ ପେଣ୍ଡୁଲମକୁ ଏକାଗ୍ର ଦୃଷ୍ଟିରେ ଚାହିଁବା, ହସ୍ତରେଖାର ପରୀକ୍ଷା କରିବା ଏବଂ ଜୋତିଷ ବିଦ୍ୟା ଇତ୍ୟାଦି ଏହି ଅଭ୍ୟାସରେ ସମ୍ମିଳିତ ଥାଏ । ପିଶାଚମାନେ ଯେଉଁ ଘରଗୁଡ଼ିକୁ ନିଜର ବାସ ସ୍ଥାନ କରନ୍ତି, ସେଠାରେ ସେମାନେ ବିଭିନ୍ନ ପ୍ରକାର ଶବ୍ଦ ତଥା ଭୌତିକ ଘଟଣାମାନ କରିପାରନ୍ତି ।

ଏହା ଛଡ଼ା ଦୁଷ୍ଟାତ୍ମାମାନେ ଅନୈତିକ ତଥା ଅପ୍ରାକୃତିକ ଯୌନ ଆଚରଣକୁ ଚିତ୍ରିତ କରୁଥିବା ସାହିତ୍ୟ, ଚଳଚିତ୍ର, ଦୂରଦର୍ଶନ କାର୍ଯ୍ୟକ୍ରମ ଦ୍ୱାରା ମଣିଷକୁ ଉତ୍ତେଜିତ କରି ତାଙ୍କର ପାପମୟ ପ୍ରବୃତିକୁ ବଢ଼େଇ ଥାନ୍ତି । ପିଶାଚମାନେ ଜାଣନ୍ତି ଯେ ଯଦି ମଣିଷ ମନରୁ ଖରାପ ଚିନ୍ତାଧାରା ବାହାର ନ କରା ଯାଏ, ତେବେ କୂପ୍ରଭାବ ଦ୍ୱାରା ମଣିଷ ନିଜେ ପିଶାଚ ଭଳି ହୋଇ ଅନୈତିକ ଆଚରଣଆଡ଼କୁ ପରିଚାଳିତ ହେବେ ।—ଆଦିପୁସ୍ତକ ୬:୧, ୨; ୧ ଥେସଲନୀକୀୟ ୪:୩-୮; ଯିହୂଦା ୬.

ଏହା ସତ ଯେ ଅନେକେ ଏଥିରେ ଉପହାସ କରିବେ ଯେ ଦୁଷ୍ଟାତ୍ମା ଦ୍ୱାରା ଏହି ଜଗତ ଶାସିତ ହେଉଅଛି । କିନ୍ତୁ ସେମାନଙ୍କର ଅବିଶ୍ୱାସ ଆଶ୍ଚର୍ଯ୍ୟଜନକ ନୁହେଁ, କାରଣ ବାଇବଲ କହେ: “ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ ।” (୨ କରନ୍ଥୀୟ ୧୧:୧୪) ଲୋକମାନଙ୍କୁ ଅନ୍ଧ କରିବା ତାʼର ସବୁଠାରୁ ଚତୁର ପ୍ରତାରଣା ଯେ ସେ ଓ ତାʼର ପିଶାଚମାନେ ପ୍ରକୃତରେ ଅଛନ୍ତି । କିନ୍ତୁ ପ୍ରତାରିତ ହୁଅନ୍ତୁ ନାହିଁ ! ଶୟତାନ ଓ ପିଶାଚ ପ୍ରକୃତରେ ଅଛନ୍ତି, ଆପଣଙ୍କୁ ନିରନ୍ତର ଭାବରେ ସେମାଙ୍କର ବିରୋଧ କରିବା ଆବଶ୍ୟକ—୧ ପିତର ୫:୮, ୯.

ଖୁସୀର କଥା ଏହା ଯେ ସମୟ ଅତି ନିକଟ ହୋଇ ଆସୁଛି ଯେତେବେଳେ ସୟତାନ ଓ ତାʼର ସାଥୀମାନେ ଆଉ ରହିବେ ନାହିଁ ! ‘ସଂସାର [ତାʼର ପିଶାଚ ଶାସକ ସହିତ] ଉଭେଇ ଯାଉଅଛି ।’ କିନ୍ତୁ ବାଇବଲ ଆଶ୍ୱାସନା ଦିଏ, “ଯିଏ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତ କାଳ ବ୍ୟପି ସ୍ଥାୟୀ ହେଇ ରହେ ।” (୧ ଯୋହନ ୨:୧୭, ଓଡ଼ିଆ କ୍ୟାଥଲିକ୍‌ ବାଇବଲ ।) ଏଥିରେ କେତେ ଉପଶମ ମିଳିବ ଯେତେବେଳେ ଏହି ଖରାପ ପ୍ରଭାବ ହଟାଇ ଦିଆଯିବ ! ତେବେ ଆସନ୍ତୁ ଆମେ ସେମାନଙ୍କ ମଧ୍ୟରେ ରହବା ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ପାଳନ କରନ୍ତି ଏବଂ ଯେଉଁମାନେ ଈଶ୍ୱରଙ୍କ ନୂତନ ଧାର୍ମିକ ଜଗତରେ ସର୍ବଦା ଜୀବନ ଉପଭୋଗ କରିବେ ।—ଗୀତସଂହିତା ୩୭:୯-୧୧, ୨୯; ୨ ପିତର ୩:୧୩; ପ୍ରକାଶିତ ବାକ୍ୟ ୨୧:୩, ୪.

ଅନ୍ୟ ସୂଚନା ବ୍ୟତୀତ ଏହାର ସବୁ ଉଦ୍ଧୃତି ପବିତ୍ର ବାଇବଲ ଗ୍ରନ୍ଥର ଶୁଦ୍ଧ ଓଡ଼ିଆ ଅନୁବାଦରୁ ଗୃହୀତ ।

[୪ ପୃଷ୍ଠାରେ ଚିତ୍ର]

ଯଦି ଏହି ସାଂସାରିକ ସରକାରଗୁଡ଼ିକ ଶୟତାନର ହୋଇ ନ ଥିଲେ ଯୀଶୁଙ୍କୁ କʼଣ ସେ ତାହା ଦେଇ ପାରିଥାନ୍ତା ?