इस जानकारी को छोड़ दें

ଏହି ଜଗତ କʼଣ ତିଷ୍ଠିବ ?

ଏହି ଜଗତ କʼଣ ତିଷ୍ଠିବ ?

ଏହି ଜଗତ କʼଣ ତିଷ୍ଠିବ ?

ଜଗତର ଶେଷ ବିଷୟରେ ଅନ୍ୟ କୌଣସି ପ୍ରଜନ୍ମ ଏତେ ବେଶି କଥା ଶୁଣି ନାହାନ୍ତି । ପରମାଣୁ ଉତ୍‌କ୍ଷେପଣ ଦ୍ୱାରା ଜଗତର ଶେଷ ହବ ବୋଲି ଅନେକ ଲୋକ ଭୟ କରନ୍ତି । ଅନ୍ୟମାନେ ଭାବନ୍ତି ଯେ ପ୍ରଦୂଷଣ ଜଗତକୁ ଧ୍ୱଂସ କରିପାରେ । ଅର୍ଥନୈତିକ ଅବ୍ୟବସ୍ଥା ମାନବସମାଜ ମଧ୍ୟରେ ପରସ୍ପର ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ଅନ୍ୟମାନେ ଚିନ୍ତିତ ।

ବାସ୍ତବରେ ଏହି ଜଗତ କʼଣ ଶେଷ ହେବ ? ଯଦି ଏହା ହୁଏ, ତେବେ ଏହାର ଅର୍ଥ କʼଣ ? ଆଗରୁ କେବେ ଜଗତ ଶେଷ ହୋଇଥିଲା କି ?

ଗୋଟିଏ ଜଗତ ଶେଷହୁଏ—ଅନ୍ୟଟି ଏହାର ସ୍ଥାନ ନିଏ

ହଁ, ଗୋଟିଏ ଜଗତର ଶେଷ ହୋଇଥିଲା । ନୋହଙ୍କ ଦିନର ଅତି ଦୁଷ୍ଟତାରେ ପୂର୍ଣ୍ଣ ହୋଇଯାଇଥିବା ଜଗତ ବିଷୟ ଚିନ୍ତା କରନ୍ତୁ । ବାଇବଲ ବର୍ଣ୍ଣନା କରେ: “ସେହି କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା ।” ବାଇବଲ ପୁଣି କହେ: “[ପରମେଶ୍ୱର] ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହ ଓ ଅନ୍ୟ ସାତ ଜଣଙ୍କୁ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଲାବନ ଘଟାଇଲେ ।”—୨ ପିତର ୨:୫; ୩:୬.

ସେହି ଜଗତ ଶେଷ ହେବାର ଅର୍ଥ କʼଣ ଥିଲା ଓ କʼଣ ନୁହେଁ, ତାହା ଲକ୍ଷ୍ୟ କରନ୍ତୁ । ଏହାର ଅର୍ଥ ମନୁଷ୍ୟଜାତିର ପରିସମାପ୍ତି ନୁହେଁ । ସେହି ବିଶ୍ୱବ୍ୟାପି ଜଳ ପ୍ରଳୟରୁ ନୋହ ଏବଂ ତାଙ୍କ ପରିବାର ବଞ୍ଚି ଯାଇଥିଲେ । ସେହିପରି ପୃଥିବୀ ଏବଂ ତାରକାମୟ ସୁନ୍ଦର ଆକାଶ ମଧ୍ୟ ରକ୍ଷା ପାଇଯାଇଥିଲା । ଏହା ଥିଲା ଧ୍ୱଂସ ହୋଇଯାଇଥିବା “ଧର୍ମଭ୍ରଷ୍ଟ ଲୋକଙ୍କ ଜଗତ,” ଏକ ଦୁଷ୍ଟ ରୀତିବ୍ୟବସ୍ଥା ।

ଅବଶେଷରେ, ଯେପରି ନୋହଙ୍କ ସନ୍ତାନସନ୍ତତି ବୃଦ୍ଧି ପାଇଲେ, ଅନ୍ୟ ଏକ ଜଗତ ବିକାଶ ଲାଭକଲା । ଏହି ଦ୍ୱିତୀୟ ଜଗତ କିମ୍ବା ରୀତିବ୍ୟବସ୍ଥା ଏଯାଏଁ ରହିଅଛି । ଯୁଦ୍ଧ, ଅପରାଧ ଓ ହିଂସାରେ ଏହାର ଇତିହାସ ଭରି ଯାଇଛି । ଏହି ଜଗତର କʼଣ ଘଟିବ ? ଏହା କʼଣ ତିଷ୍ଠିବ ?

ଏହି ଜଗତର ଭବିଷ୍ୟତ

ନୋହଙ୍କ କାଳରେ ଘଟିଥିବା ଜଗତର ଧ୍ୱଂସ ବିଷୟରେ କହିଲା ପରେ, ବାଇବଲ ବିବରଣୀ କହେ: “ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟଦ୍ୱରା . . . ଅଗ୍ନି ସଂଯୋଗ ନିମନ୍ତେ ରକ୍ଷିତ ହୋଇଅଛି ।” (୨ ପିତର ୩:୭) ଏହିଭଳି ଅନ୍ୟ ଜଣେ ବାଇବଲ ଲେଖକ ବ୍ୟାଖ୍ୟା କରନ୍ତି: “ସଂସାର [ଯାହା ଆଜି ଅସ୍ତିତ୍ୱ ରହିଛି] . . . ଉଭେଇ ଯାଉଅଛି ।”—୧ ଯୋହନ ୨:୧୭, ଓଡ଼ିଆ କ୍ୟାଥଲିକ୍‌ ବାଇବଲ ।

ଅବିକଳ ଏହି ପୃଥିବୀ ବା ତାରକାମୟ ଆକାଶ ଲୋପ ପାଇଯିବ, ଏହା ବାଇବଲ କହେନାହିଁ, ଯେପରି ନୋହଙ୍କ ଦିନରେ ମଧ୍ୟ ଏହା ଲୋପ ପାଇ ନଥିଲା । (ଗୀତସଂହିତା ୧୦୪:୫) ପକ୍ଷାନ୍ତରେ, ଏହି ଜଗତ ଓ ଏହାର “ଆକାଶ” କିମ୍ବା ଶୟତାନର ପ୍ରଭାବ ଦ୍ୱାରା ପରିଚାଳିତ ସରକାରୀ ଶାସକ ଓ ଏହାର “ପୃଥିବୀ” ବା ମଣିଷ ସମାଜ, ଅଗ୍ନି ଦ୍ୱାରା ସତେ ଯେପରି ଧ୍ୱଂସ ହୋଇଯିବ । (ଯୋହନ ୧୪:୩୦; ୨ କରିନ୍ଥୀୟ ୪:୪) ଠିକ୍‌ ଯେପରି ଜଳ ପ୍ରଳୟ ପୂର୍ବର ଜଗତ ନିଶ୍ଚିତ ରୂପେ ଧ୍ୱଂସ ହୋଇଥିଲା, ଏହି ଜଗତ ବା ରୀତିବ୍ୟବସ୍ଥା ମଧ୍ୟ ଧ୍ୱଂସ ପାଇବ । ଏହି ଜଗତ ଶେଷ ହେବାର ଠିକ୍‌ ପୂର୍ବରୁ କʼଣ ଘଟିବ, ତାହାର ଉଦାହରଣସ୍ୱରୁପ ଯୀଶ ଖ୍ରୀଷ୍ଟ ମଧ୍ୟ “ନୋହଙ୍କ ଦିନର” ପରିସ୍ଥିତି ବିଷୟରେ କହିଥିଲେ ।—ମାଥିଉ ୨୪:୩୭-୩୯.

ଯଥାର୍ଥରୂପେ, ଯୀଶୁ ଯେତେବେଳେ ନୋହଙ୍କ ଦିନ ବିଷୟରେ କହୁଥିଲେ, ଏହା ତାଙ୍କ ପ୍ରେରିତଙ୍କ ପ୍ରଶ୍ନର ଉତ୍ତର ଥିଲା: “ଏସବୁ କେବେ ଘଟିବ, ପୁଣି ଆପଣଙ୍କ ଆଗମନ ଓ ଯୁଗାନ୍ତର ପୂର୍ବ ଲକ୍ଷଣ କଅଣ ?” (ମାଥିଉ ୨୪:୩) ଯୀଶୁଙ୍କ ଶିଷ୍ୟମାନେ ଜାଣିଥିଲେ ଯେ ଏହି ଜଗତ ଶେଷ ହବ । ଏହି ଭବିଷ୍ୟତ ଦୃଶ୍ୟ ସେମାନଙ୍କୁ ଭୟଭୀତ କରିଥିଲା କି ?

ଅନ୍ୟ ପକ୍ଷରେ, ଜଗତ ଶେଷ ପୂର୍ବରୁ ଘଟିବାକୁ ଯାଉଥିବା ଘଟଣା ବିଷୟରେ ଯୀଶୁ ଯେତେବେଳେ ବର୍ଣ୍ଣନା କଲେ, ସେ ସେମାନଙ୍କୁ ଆନନ୍ଦ କରିବା ପାଇଁ ଉତ୍ସାହିତ କଲେ, କାରଣ ସେମାନଙ୍କର “ମୁକ୍ତି ସନ୍ନିକଟ” ହୋଇ ଆସିଥିଲା । (ଲୂକ ୨୧:୨୮) ହଁ, ଶୟତାନ ଓ ତାʼର ଦୁଷ୍ଟ ରୀତିବ୍ୟବସ୍ଥାରୁ ମୁକ୍ତି ଓ ଶାନ୍ତିପୂର୍ଣ୍ଣ ନୂତନ ପୃଥିବୀକୁ ପ୍ରବେଶ !—୨ ପିତର ୩:୧୩.

କିନ୍ତୁ କେବେ ଏହି ଜଗତର ଶେଷ ଘଟିବ ? ନିଜ “ଆଗମନ ଓ ଯୁଗାନ୍ତ” ବିଷୟରେ ଯୀଶୁ କେଉଁ “ଲକ୍ଷଣ” ଦେଇଥିଲେ ?

“ଲକ୍ଷଣ”

ଏଠାରେ ଅନୂଦିତ “ଆଗମନର” ଗ୍ରୀକ୍‌ ଶବ୍ଦ ହେଉଛି “ପାରୋଉଶିଆ” ଓ ଏହାର ଅର୍ଥ “ଉପସ୍ଥିତି,” ଯାହାକି ପ୍ରକୃତରେ ହାତ ପାଆନ୍ତାରେ ଅଛି । ତେଣୁ ଯେତେବେଳେ “ଲକ୍ଷଣ” ଦେଖାଗଲା, ଏହାର ଅର୍ଥ ନ ଥିଲା ଯେ, ଖ୍ରୀଷ୍ଟ ଶୀଘ୍ର ଆସିବାର ଥିଲା କିନ୍ତୁ, ସେ ଯେ ଫେରିଆସି ଉପସ୍ଥିତ ହୋଇସାରିଛନ୍ତି, ଏହା ତାହାହିଁ ବୁଝାଉଥିଲା । ଏହାର ଅର୍ଥ, ସେ ସ୍ୱର୍ଗୀୟ ରାଜାରୂପେ ଅଦୃଶ୍ୟ ଭାବେ ଶାସନ ଆରମ୍ଭ କଲେଣି ଏବଂ ସେ ଖୁବ୍‌ ଶୀଘ୍ର ତାଙ୍କ ଶତ୍ରୁମାନଙ୍କୁ ବିନାଶ କରିବେ ।—ପ୍ରକାଶିତ ବାକ୍ୟ ୧୨:୭-୧୨; ଗୀତସଂହିତା ୧୧୦:୧, ୨.

ଯୀଶୁ କେବଳ ଗୋଟିଏ ଘଟଣା “ଲକ୍ଷଣ” ରୂପେ ଦେଇ ନାହାନ୍ତି । ସେ ବିଶ୍ୱବ୍ୟାପୀ ବହୁ ଘଟଣା ଓ ପରିସ୍ଥିତି ବିଷୟରେ ବର୍ଣ୍ଣନା କରିଛନ୍ତି । ବାଇବଲ ଲେଖକମାନେ କହୁଥିବା “ଶେଷକାଳରେ” ଏହିସବୁ ଘଟିବ । (୨ ତୀମଥି ୩:୧-୫; ୨ ପିତର ୩:୩, ୪) ଯୀଶୁ ଭବିଷ୍ୟଦ୍‌ବାଣୀ କରିଥିବା କେତେକ ବିଷୟ ଉପରେ ଚିନ୍ତା କରନ୍ତୁ, ଯାହା “ଶେଷକାଳର” ଚିହ୍ନ ।

‘ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ ।’ (ମାଥିଉ ୨୪:୭) ପୂର୍ବରୁ ହୋଇଥିବା ଯୁଦ୍ଧ ଅପେକ୍ଷା ଆଧୁନିକ ଦିନର ଯୁଦ୍ଧ ବିଶାଳ ଆକାର ଧାରଣ କରିଛି । ଜଣେ ଐତିହାସିକ ଟିପ୍ପଣୀ କରିଥିଲେ: “ପ୍ରଥମ ବିଶ୍ୱଯୁଦ୍ଧ [୧୯୧୪-ରେ ଆରମ୍ଭ] ପ୍ରଥମ ‘ସପୂର୍ଣ୍ଣ’ ଯୁଦ୍ଧ ଥିଲା ।” ତଥାପି ଦ୍ୱିତୀୟ ବିଶ୍ୱଯୁଦ୍ଧ ବହୁତ ଅଧିକ ବିଧ୍ୱଂସୀ ହୋଇଥିଲା । ଯୁଦ୍ଧ ଅବିରତଭାବେ ପୃଥିବୀକୁ ଧ୍ୱଂସ କରିବାରେ ଲାଗିଛି । ହଁ, ଯୀଶୁଙ୍କ ବାକ୍ୟ ନାଟକୀୟ ଭାବେ ପରିପୂର୍ଣ୍ଣ ହେଉଅଛି !

‘ବହୁ ସ୍ଥାନରେ ଦୁର୍ଭିକ୍ଷ ହେବ ।’ (ମାଥିଉ ୨୪:୭) ବିଶ୍ୱ ଇତିହାସରେ ବୋଧହୁଏ ସବୁଠାରୁ ବଡ଼ ଦୁର୍ଭିକ୍ଷ ପ୍ରଥମ ବିଶ୍ୱଯୁଦ୍ଧ ପରେ ଦେଖା ଦେଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମଧ୍ୟ ଭୟଙ୍କର ଦୁର୍ଭିକ୍ଷ ହୋଇଥିଲା । ଅପୁଷ୍ଟିକର ଖାଦ୍ୟସାର ପୃଥିବୀର ଜନ ସଂଖ୍ୟାର ପାଞ୍ଚ ଭାଗରୁ ଗୋଟିଏ ଭାଗକୁ ଆକ୍ରାନ୍ତ କରି ପ୍ରତ୍ୟେକ ବର୍ଷ ପ୍ରାୟ ୧ କୋଟି ୪୦ ଲକ୍ଷ ଶିଶୁକୁ ମାରିଦିଏ । ବାସ୍ତବରେ, ଏଠାରେ “ଦୁର୍ଭିକ୍ଷ” ହୋଇଛି !

‘ସ୍ଥାନେ ସ୍ଥାନେ ଭୀଷଣ ଭୂମିକମ୍ପ ଦେଖାଯିବ ।’ (ଲୂକ ୨୧:୧୧) ପୂର୍ବବର୍ତ୍ତୀ ଶତାବ୍ଦୀର ମୃତ୍ୟୁହାର ଅପେକ୍ଷା ୧୯୧୪ ମସିହା ଠାରୁ ହାରାହାରି ଦଶଗୁଣରୁ ଅଧିକ ଲୋକ ପ୍ରତିବର୍ଷ ଭୂମିକମ୍ପରେ ମୃତ୍ୟୁବରଣ କରିଆଥାନ୍ତି । ଅଳ୍ପ କେତେକ ମୁଖ୍ୟ ଭୂମିକମ୍ପ ବିଷୟରେ ଚିନ୍ତା କରନ୍ତୁ: ୧୯୨୦ ମସିହାରେ ଚୀନ୍‌ରେ ୨,୦୦,୦୦୦ ଲୋକ ମଲେ; ୧୯୨୩ ମସିହାରେ ଜାପାନରେ ୯୯,୩୦୦ ଲୋକ ଆହତ ହୋଇଥିଲେ; ୧୯୩୯ ମସିହାରେ ତୁର୍କିରେ ୩୨,୭୦୦ ମଲେ; ୧୯୭୦ ମସିହାରେ ପେରୁରେ ୬୬,୮୦୦ ମଲେ; ଏବଂ ୧୯୭୬ ମସିହରେ ଚୀନରେ ପ୍ରାୟ ୨,୪୦,୦୦୦ (କିମ୍ବା ଅନ୍ୟ କେତେକ ତଥ୍ୟ ଅନୁସାରେ ୮,୦୦,୦୦୦) ଆହତ ହୋଇଥିଲେ । ନିଶ୍ଚିତ ରୂପେ “ଭୀଷଣ ଭୂମିକମ୍ପ” !

‘ସ୍ଥାନେ ସ୍ଥାନେ ମହାମାରୀ ହେବ ।’ (ଲୂକ ୨୧:୧୧) ପ୍ରଥମ ବିଶ୍ୱଯୁଦ୍ଧ ପରେ ୨ କୋଟି ୧୦ ଲକ୍ଷ ଲୋକ ସ୍ପେନିସ୍‌ ଫ୍ଲୁ ଦ୍ୱାରା ମୃତ୍ୟୁବରଣ କଲେ । ସାଇନ୍‌ସ ଡ଼ାଇଜେଷ୍ଟ ବିବରଣୀ ଦିଏ: “ସମଗ୍ର ଇତିହାସରେ ଏପରି ନିର୍ମମ ଓ ତିବ୍ରତର ମୃତ୍ୟୁହାର କେବେ ଦେଖାଯାଇ ନାହିଁ ।” ସେହି ସମୟଠାରୁ ହୃଦ୍‌ରୋଗ, କର୍କଟ ରୋଗ, ଏଡ଼ସ୍‌, ଏବଂ ଅନ୍ୟାନ୍ୟ ବହୁ ରୋଗ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ହାନି କରିଚାଲିଛି ।

‘ଅଧର୍ମବୃଦ୍ଧି ।’ (ମାଥିଉ ୨୪:୧୨) ୧୯୧୪ ମସିହା ଠାରୁ ଆମ ପୃଥିବୀ ଅପରାଧ ଓ ହିଂସାର ପୃଥିବୀ ରୂପେ ପରିଚିତ । ବହୁ ସ୍ଥାନରେ ଦିନବେଳେ ମଧ୍ୟ ରାସ୍ତାରେ କେହି ନିରାପଦ ମନେକରନ୍ତି ନାହିଁ । ରାତିରେ ଲୋକମାନେ କବାଟ ବନ୍ଦକରି ଘର ଭିତରେ ରହନ୍ତି, ବାହରକୁ ଯିବାକୁ ଭୟ କରନ୍ତି ।

ଆହୁରି ଅନେକ ଘଟଣା ଶେଷକାଳରେ ଘଟିବ ବୋଲି ଭବିଷ୍ୟଦ୍‌ବାଣୀ କରାଯାଇଥିଲା ଏବଂ ଏହି ସବୁ ପରିପୂର୍ଣ୍ଣ ହେବାରେ ଲାଗିଛି । ଏହାର ଅର୍ଥ ଏଇ ଜଗତର ଶେଷ ସନ୍ନିକଟ । କିନ୍ତୁ, ଆନନ୍ଦର ବିଷୟ ଏହି ଯେ ଏଥିରୁ ଅନେକେ ବଞ୍ଚିବେ । “ସଂସାର . . . ଉଭେଇ ଯାଉଅଛି,” ଏକଥା ସୂଚାଇ ଦେଇ ବାଇଲଲ ପ୍ରତିଜ୍ଞା କରେ: “ଯିଏ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ବ୍ୟାପି ସ୍ଥାୟୀ ରହେ ।”—୧ ଯୋହନ ୨:୧୭, ଓଡ଼ିଆ କ୍ୟାଥଲିକ୍‌ ବାଇବଲ ।

ସୁତରାଂ ଆମେ ଈଶ୍ୱରଙ୍କ ଇଚ୍ଛା ଜାଣିବା ଏବଂ ପାଳନ କରିବା ଆବଶ୍ୟକ । ତାʼହାଲେ ଆମେ ଏହି ଜଗତ ଶେଷରୁ ବଞ୍ଚି ଈଶ୍ୱରଙ୍କ ନୂତନ ପୃଥିବୀରେ ଅନନ୍ତ ଆଶୀର୍ବାଦ ଉପଭୋଗ କରିପାରିବା । ବାଇବଲ ପ୍ରତିଜ୍ଞା କରେ ଯେ ସେହି ସମୟରେ: “ଈଶ୍ୱର . . . [ଲୋକଙ୍କର] ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବନାହିଁ ।”—ପ୍ରକାଶିତ ବାକ୍ୟ ୨୧:୩, ୪.

ଅନ୍ୟ ସୂଚନା ବ୍ୟତୀତ ଏହାର ସବୁ ଉଦ୍ଧୃତି ପବିତ୍ର ବାଇବଲ ଗ୍ରନ୍ଥର ଶୁଦ୍ଧ ଓଡ଼ିଆ ଅନୁବାଦରୁ ଗୃହିତ ।

[ପୃଷ୍ଠା ୬ରେ ଥିବା ଚିତ୍ରର ଶ୍ରେୟ]

ସ୍ୱୀକୃତି ଚିତ୍ର: ଉଡ଼ାଜାହାଜ: USAF Photo. ପିଲା WHO Photo by W. Cutting. ଭୂମିକମ୍ପ: Y. Ishiyama, Hokkaido University, Japan.