इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୪

ନିଜ ଆଶା ଲଗାତାର ଦୃଢ଼ କରନ୍ତୁ !

ନିଜ ଆଶା ଲଗାତାର ଦୃଢ଼ କରନ୍ତୁ !

“ଯିହୋବାଙ୍କ ଉପରେ ଆଶା ରଖ ।”—ଗୀତ. ୨୭:୧୪, NWT.

ଗୀତ ୧୪୪ ରଖୋ ତୁମ୍‌ ଇନାମ୍‌ ପେ ନଜର୍‌ !

ଲେଖାର ଝଲକ a

୧. ଯିହୋବା ଆମକୁ କʼଣ ଆଶା ଦେଇଛନ୍ତି ?

 ଯିହୋବା ଆମକୁ ସବୁଦିନ ପାଇଁ ବଞ୍ଚିବାର ଆଶା ଦେଇଛନ୍ତି । ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ପୃଥିବୀରେ ସବୁଦିନ ପାଇଁ ବଞ୍ଚିବାର ଆଶା ଅଛି । ସେସମୟରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଓ ସମସ୍ତେ ଖୁସିରେ ରହିବେ । (ପ୍ରକା. ୨୧:୩, ୪) ଆଉ କିଛି ଲୋକଙ୍କୁ ସ୍ୱର୍ଗରେ ଅମର ଜୀବନ ପାଇବାର ଆଶା ଅଛି । (୧ କରି. ୧୫:୫୦, ୫୩) ଆମ ଆଶା ସ୍ୱର୍ଗରେ ବଞ୍ଚିବାର ଥାଉ କିମ୍ବା ପୃଥିବୀରେ, ଆମେ ବହୁତ ଖୁସି ଯେ ଯିହୋବା ଆମକୁ ଏହି ଆଶା ଦେଇଛନ୍ତି ଓ ଆମେ ସେସମୟର ଆଗ୍ରହର ସହ ଅପେକ୍ଷା କରୁଛୁ ଯେବେ ଏହା ପୂରା ହେବ ।

୨. ଆମେ କାହିଁକି ଭରସା ରଖିପାରିବା ଯେ ଆମ ଆଶା ପୂରା ହେବ ?

ବାଇବଲରେ ଯେବେ ବି “ଆଶା” ବିଷୟରେ କୁହାଯାଏ, ତେବେ ତାʼ ଅର୍ଥ ହେଉଛି ଯେ କିଛି ଭଲ ହେବାର ଆଗ୍ରହର ସହ ଅପେକ୍ଷା କରିବା । ଆମ ଆଶା କୌଣସି ସ୍ୱପ୍ନ ନୁହେଁ, ଆମ ପାଖରେ ଏକଥାର ପ୍ରମାଣ ଅଛି ଯେ ଏହା ପୂରା ହେବ । ଆମକୁ ଏହା ଆଶା ଯିହୋବା ନିଜେ ଦେଇଛନ୍ତି । (ରୋମୀ. ୧୫:୧୩) ସେ ସ୍ପଷ୍ଟ ଭାବେ ଆମକୁ କହିଛନ୍ତି ଯେ ସେ କʼଣ କରିବାକୁ ଯାଉଛନ୍ତି ଆଉ ଆମେ ଭଲଭାବେ ଜାଣୁ ଯେ ସେ ସବୁବେଳେ ନିଜ ପ୍ରତିଜ୍ଞାଗୁଡ଼ିକୁ ପୂରା କରନ୍ତି । (ଗଣ. ୨୩:୧୯) ଆମେ ଏହା ବି ଜାଣୁ ଯେ ଯିହୋବାଙ୍କ ପାଖରେ ନିଜ ପ୍ରତିଜ୍ଞାଗୁଡ଼ିକୁ ପୂରା କରିବା ପାଇଁ ଇଚ୍ଛା ବି ଅଛି ଓ ଶକ୍ତି ବି । ଏହି କଥାଗୁଡ଼ିକୁ ଧ୍ୟାନରେ ରଖି ଆମେ ଭରସା ରଖିପାରିବା ଯେ ଆମ ଆଶା ନିଶ୍ଚୟ ପୂରା ହେବ ।

୩. ଆମେ ଏହି ଲେଖାରୁ କʼଣ ଜାଣିବା ? (ଗୀତସଂହିତା ୨୭:୧୪)

ଯିହୋବା ଆମର ପିତା ଅଟନ୍ତି ଆଉ ସେ ଆମକୁ ବହୁତ ପ୍ରେମ କରନ୍ତି । ସେ ଚାହାନ୍ତି ଯେ ଆମେ ତାଙ୍କ ଉପରେ ପୂରା ଭରସା କରୁ । (ଗୀତସଂହିତା ୨୭:୧୪ ପଢ଼ନ୍ତୁ ।) ଯେବେ ଆମେ ଯିହୋବାଙ୍କ ଉପରେ ଭରସା କରିବା, ତାଙ୍କ ଉପରେ ଆଶା ରଖିବା, ତେବେ ସମସ୍ୟା ଆସିଲେ ବି ଆମେ ସାହସ ରଖିପାରିବା ଓ ଖୁସିରେ ରହିପାରିବା । ଏହି ଲେଖାରେ ଆମେ ଜାଣିବା ଯେ ଆମ ଆଶା କିପରି ଗୋଟିଏ ଲଙ୍ଗର ଓ ଶିରସ୍ତ୍ରାଣ ବା ସୁରକ୍ଷା ଟୋପି ଭଳି ଆମର ରକ୍ଷା କରେ । ଆମେ ଏହା ବି ଜାଣିବା ଯେ ଆମେ ନିଜ ଆଶାକୁ ଆହୁରି ଦୃଢ଼ କିପରି କରିପାରିବା ।

ଆମ ଆଶା ଗୋଟିଏ ଲଙ୍ଗର ଭଳି ଅଟେ

୪. ଆମ ଆଶା କିପରି ଗୋଟିଏ ଲଙ୍ଗର ଭଳି ଅଟେ ? (ଏବ୍ରୀ ୬:୧୯)

ପାଉଲ ଏବ୍ରୀମାନଙ୍କୁ ଯେଉଁ ଚିଠି ଲେଖିଲେ, ସେଥିରେ ସେ କହିଲେ ଯେ ଆମ ଆଶା ଗୋଟିଏ ଲଙ୍ଗର ଭଳି ଅଟେ । (ଏବ୍ରୀ ୬:୧୯ ପଢ଼ନ୍ତୁ ।) ପାଉଲ ପ୍ରାୟ ଜାହାଜରେ ଯାତ୍ରା କରୁଥିଲେ । ତେଣୁ ସେ ଭଲଭାବେ ଜାଣିଥିଲେ ଯେ ଗୋଟିଏ ଲଙ୍ଗର ପକାଇଲେ ଜାହାଜ ସ୍ଥିର ରହିପାରେ । ଧ୍ୟାନ ଦିଅନ୍ତୁ ଥରେ କʼଣ ହେଲା । ପାଉଲ ଗୋଟିଏ ଜାହାଜରେ ଯାତ୍ରା କରୁଥିଲେ । ସେସମୟରେ ହଠାତ୍‌ ସମୁଦ୍ରରେ ଝଡ଼ ତୋଫାନ ଆସିଲା । ତେବେ ପାଉଲ ଦେଖିଲେ ଯେ ନାବିକମାନେ ଜାହାଜକୁ ସ୍ଥିର ରଖିବା ଓ ଚଟାଣଗୁଡ଼ିକରୁ ରକ୍ଷା କରିବା ପାଇଁ ସମୁଦ୍ରରେ ଲଙ୍ଗର ପକାଇଲେ । (ପ୍ରେରି. ୨୭:୨୯, ୩୯-୪୧) ଅନେକ ଥର ଆମ ଜୀବନରେ ମଧ୍ୟ ସମସ୍ୟାର ଝଡ଼ ତୋଫାନ ଆସେ । ସେସମୟରେ ଆମ ଆଶା ଆମକୁ ସମ୍ଭାଳେ, ଯାହାଦ୍ୱାରା ଆମେ ଯିହୋବାଙ୍କଠାରୁ ଦୂରେଇ ନ ଯାଉ । ଆମେ ଅତ୍ୟଧିକ ଚିନ୍ତା କରି ନ ଥାଉ, କାରଣ ଆମେ ଜାଣୁ ଯେ ଏହି ଝଡ଼ ତୋଫାନ ଶାନ୍ତ ହୋଇଯିବ । ଯୀଶୁ ମଧ୍ୟ କହିଥିଲେ ଯେ ଆମ ଉପରେ ଅତ୍ୟାଚାର କରାଯିବ । (ଯୋହ. ୧୫:୨୦) ତେଣୁ ଯଦି ଆମେ ନିଜ ଆଶା ଉପରେ ଧ୍ୟାନ ଲଗାଇ ରଖିବା, ତେବେ ଆମ ବିଶ୍ୱାସ ଦୁର୍ବଳ ହେବନି ଓ ଆମେ ସମସ୍ୟା ଆସିଲେ ବି ଯିହୋବାଙ୍କ ସେବା କରୁଥିବା ।

୫. ଯେବେ ଯୀଶୁଙ୍କ ମୃତ୍ୟୁ ହେବାର ଥିଲା, ତେବେ ସେ ଆଶା ଥିବା ଯୋଗୁଁ ବିଶ୍ୱସ୍ତ କିପରି ରହିପାରିଲେ ?

ଯୀଶୁ ଜାଣିଥିଲେ ଯେ ତାଙ୍କୁ ନିର୍ଦୟୀ ଭାବେ ମାରିଦିଆଯିବ । କିନ୍ତୁ ନିଜ ଆଶା ଯୋଗୁଁ ସେ ସେସମୟରେ ବି ବିଶ୍ୱସ୍ତ ରହିପାରିଲେ । ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନରେ ପିତର ନିଜ ଭାଷଣରେ ଯୀଶୁଙ୍କ ବିଷୟରେ ଲେଖାଥିବା ଗୋଟିଏ ଭବିଷ୍ୟତବାଣୀ ବିଷୟରେ କହିଲେ । ଗୀତସଂହିତାରେ ଲେଖାଥିବା ଭବିଷ୍ୟତବାଣୀରୁ ଜଣାପଡ଼େ ଯେ ଯୀଶୁଙ୍କୁ କେଉଁ କଥାର ଭରସା ଥିଲା ଓ ସେ କʼଣ ଦୃଢ଼ ନିଷ୍ପତ୍ତି ନେଇଥିବେ । ସେ ଭାବୁଥିଲେ, ‘ମୋହର ଶରୀର ମଧ୍ୟ ଭରସାରେ [“ଆଶା,” NWT] ବାସ କରିବ, କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ [“କବରରେ,” NWT] ପରିତ୍ୟାଗ କରିବ ନାହିଁ, କିଅବା ଆପଣା ଭକ୍ତକୁ କ୍ଷୟ ପାଇବାକୁ ଦେବ ନାହିଁ । ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ ।’ (ପ୍ରେରି. ୨:୨୫-୨୮; ଗୀତ. ୧୬:୮-୧୧) ସେ ଜାଣିଥିଲେ ଯେ ତାଙ୍କୁ ମାରିଦିଆଯିବ । କିନ୍ତୁ ତାଙ୍କୁ ଏକଥାର ଦୃଢ଼ ଆଶା ଥିଲା ଯେ ଯିହୋବା ତାଙ୍କୁ ପୁଣି ଜୀବିତ କରିବେ ଆଉ ସେ ପୁଣିଥରେ ତାଙ୍କ ସହ ସ୍ୱର୍ଗରେ ଥିବେ ।—ଏବ୍ରୀ ୧୨:୨, ୩.

୬. ଜଣେ ଭାଇ ନିଜ ଆଶା ବିଷୟରେ କʼଣ କହିଲେ ?

ଆଶା ଥିବା ଯୋଗୁଁ ଆମ ଅନେକ ଭାଇଭଉଣୀ ସମସ୍ୟାଗୁଡ଼ିକୁ ସହିପାରିଛନ୍ତି । ଇଂଲଣ୍ଡରେ ରହୁଥିବା ଜଣେ ଭାଇ ଲେନର୍ଡ ଚିନ୍‌ ମଧ୍ୟ ନିଜ ଆଶା ଯୋଗୁଁ ବିଶ୍ୱସ୍ତ ରହିପାରିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସେ ସେନାରେ ଭର୍ତ୍ତି ହେବା ପାଇଁ ମନା କରିଦେଲେ । ତେଣୁ ତାଙ୍କୁ ଜେଲରେ ପୂରାଇ ଦିଆଗଲା । ଦୁଇ ମାସ ଯାଏ ତାଙ୍କୁ ବନ୍ଦୀ କରି ଏକୁଟିଆ ରଖାଗଲା । ଆଉ ସେମାନେ ତାଙ୍କୁ ବହୁତ କାମ କରାଇଲେ । ପରେ ସେ ଭାଇ ଲେଖିଲେ, “ସେସମୟରେ ମୁଁ ଶିଖିଲି ଯେ ଆଶା ହେବା କେତେ ଜରୁରୀ ଅଟେ । ଏହାଯୋଗୁଁ ଆମକୁ ବଡ଼ ବଡ଼ ସମସ୍ୟା ସହିବା ପାଇଁ ସାହସ ମିଳେ । ଯୀଶୁ, ପ୍ରେରିତ ଓ ଅନ୍ୟ ଭବିଷ୍ୟଦ୍‌ବକ୍ତାମାନେ ମଧ୍ୟ ଆଶା ଥିବା ଯୋଗୁଁ ସମସ୍ୟାଗୁଡ଼ିକୁ ସହିପାରିଥିଲେ । ଯେବେ ଆମେ ସେମାନଙ୍କ ବିଷୟରେ ଭାବୁ ଓ ବାଇବଲରେ ଦିଆଯାଇଥିବା ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଚିନ୍ତନ କରୁ, ତେବେ ଆମର ଆଶା ଆହୁରି ଦୃଢ଼ ହୋଇଯାଏ ଓ ସମସ୍ୟା ସମୟରେ ଆମେ ଧୈର୍ଯ୍ୟ ଧରିପାରୁ ।” ଭାଇ ଲେନର୍ଡ ପାଇଁ ତାଙ୍କ ଆଶା ଗୋଟିଏ ଲଙ୍ଗର ଭଳି ଥିଲା । ଆମ ପାଇଁ ମଧ୍ୟ ଏହା ଗୋଟିଏ ଲଙ୍ଗର ଭଳି କାମ କରିପାରିବ ।

୭. ସମସ୍ୟାଗୁଡ଼ିକ ଆସିଲେ ଆମ ଆଶା କିପରି ଆହୁରି ଦୃଢ଼ ହୋଇଯାଏ ? (ରୋମୀୟ ୫:୩-୫; ଯାକୁବ ୧:୧୨)

ଯେବେ ଆମେ ପ୍ରଥମ ଥର ବାଇବଲରୁ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଜାଣିଲୁ, ତେବେ ଆମକୁ ଗୋଟିଏ ଆଶା ମିଳିଲା । କିନ୍ତୁ ଯେବେ ଆମେ ସମସ୍ୟାଗୁଡ଼ିକର ସାମନା କରୁ ଆଉ ଯିହୋବା ଆମକୁ ସାହାଯ୍ୟ କରନ୍ତି, ତେବେ ଆମ ଆଶା ଆହୁରି ଦୃଢ଼ ହୋଇଯାଏ । କାରଣ ଆମକୁ ଜଣାଥାଏ ଯେ ଯିହୋବା ଆମଠୁ ଖୁସି ଅଛନ୍ତି । (ରୋମୀୟ ୫:୩-୫; ଯାକୁବ ୧:୧୨ ପଢ଼ନ୍ତୁ ।) ଶୟତାନ ଚାହେଁ ଯେ ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ସେସମୟରେ ଆମେ ଡରିଯାଉ ଓ ଆମର ସାହସ ଭାଙ୍ଗିଯାଉ । କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ଆମେ ପ୍ରତ୍ୟେକ ସମସ୍ୟାର ସାହସର ସହ ସାମନା କରିପାରିବା ।

ଆମ ଆଶା ସୈନିକର ସୁରକ୍ଷା ଟୋପି ଭଳି ଅଟେ

୮. ଆମ ଆଶା କିପରି ଗୋଟିଏ ସୁରକ୍ଷା ଟୋପି ଭଳି ଅଟେ ? (୧ ଥେସଲନୀକୀୟ ୫:୮)

ବାଇବଲରେ ଏହା ବି ଲେଖାଅଛି ଯେ ଆମ ଆଶା ଗୋଟିଏ ଶିରସ୍ତ୍ରାଣ ବା ସୁରକ୍ଷା ଟୋପି ଭଳି ଅଟେ । (୧ ଥେସଲନୀକୀୟ ୫:୮ ପଢ଼ନ୍ତୁ ।) ସୈନିକ ନିଜ ମୁଣ୍ଡରେ ସୁରକ୍ଷା ଟୋପି ପିନ୍ଧନ୍ତି ଯାହାଫଳରେ ଯେବେ ଶତ୍ରୁମାନେ ଆକ୍ରମଣ କରନ୍ତି, ତେବେ ତାଙ୍କ ମୁଣ୍ଡ ସୁରକ୍ଷିତ ରହେ । ଆଜି ଶୟତାନ ମଧ୍ୟ ଆମ ଉପରେ ଅଲଗା ଅଲଗା ଉପାୟରେ ଆକ୍ରମଣ କରେ । ସେ ଆମକୁ ଅନେକ ଉପାୟରେ ଲୋଭ ଦେଖାଇଥାଏ ଆଉ ସେ ଚାହେଁ ଯେ ଆମେ ଏପରି କଥାଗୁଡ଼ିକ ବିଷୟରେ ଭାବୁ ଯାହା ଠିକ୍‌ ନୁହେଁ । ତେଣୁ ଆମକୁ ନିଜ ଚିନ୍ତାଧାରାର ସୁରକ୍ଷା କରିବାର ଅଛି । ଯେପରି ସୁରକ୍ଷା ଟୋପି ପିନ୍ଧିଲେ ଜଣେ ସୈନିକର ମୁଣ୍ଡର ସୁରକ୍ଷା ହୁଏ, ଠିକ୍‌ ସେହିପରି ଯଦି ଆମେ ନିଜ ଆଶା ବିଷୟରେ ଭାବୁଥିବା, ତେବେ ଆମର ଚିନ୍ତାଧାରାର ମଧ୍ୟ ସୁରକ୍ଷା ହେବ ଓ ଆମେ ଯିହୋବାଙ୍କ ବିଶ୍ୱସ୍ତ ହୋଇ ରହିପାରିବା ।

୯. ଯେଉଁ ଲୋକମାନଙ୍କ ପାଖରେ କୌଣସି ଆଶା ନାହିଁ, ସେମାନେ କିପରି ଜୀବନ ବିତାନ୍ତି ?

ଯଦି ଆମେ ମନେ ରଖିବା ଯେ ଆମ ପାଖରେ ସବୁଦିନ ଯାଏ ବଞ୍ଚିବାର ଆଶା ଅଛି, ତେବେ ଆମେ ଆଜି ଭଲ ନିଷ୍ପତ୍ତି ନେଇପାରିବା ଓ ସଠିକ୍‌ କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରିବା । କିନ୍ତୁ ଯଦି ଆମେ ନିଜ ଆଶା ବିଷୟରେ ଭାବିବାନି, ତେବେ ଆମ ଧ୍ୟାନ କେବଳ ନିଜ ଇଚ୍ଛାଗୁଡ଼ିକ ପୂରା କରିବାରେ ଲାଗି ରହିବ ଏବଂ ଯିହୋବା ଯେଉଁ ପ୍ରତିଜ୍ଞାଗୁଡ଼ିକ କରିଛନ୍ତି, ତାହା ଆମେ ଭୁଲିଯିବା । ପ୍ରଥମ ଶତାବ୍ଦୀରେ କରିନ୍ଥରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କ ସହ ଏପରି ହିଁ ହୋଇଥିଲା । ସେମାନଙ୍କୁ ଲାଗୁଥିଲା ଯେ ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଯିହୋବା ଯାହା ପ୍ରତିଜ୍ଞା କରିଛନ୍ତି, ତାହା ପୂରା ହେବନି । (୧ କରି. ୧୫:୧୨) ପାଉଲ କହିଲେ ଯେ ଏପରି ଲୋକମାନେ କେବଳ ଆଜି ପାଇଁ ବଞ୍ଚନ୍ତି । (୧ କରି. ୧୫:୩୨) ଆଜି ବି ଯେଉଁ ଲୋକମାନଙ୍କୁ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଜଣାନାହିଁ ଓ ଯେଉଁମାନଙ୍କ ପାଖରେ କୌଣସି ଆଶା ନାହିଁ, ସେମାନେ ମଉଜମଜଲିସ କରିବାରେ ଲାଗି ରହନ୍ତି । ସେମାନଙ୍କୁ ଲାଗେ, ‘କାଲି କʼଣ ହେବ ଜଣାନାହିଁ, ଯାହା କରିବାର ଅଛି ଆଜି ହିଁ କରିନିଅ ।’ କିନ୍ତୁ ଆମେ ସେହି ଲୋକମାନଙ୍କଠାରୁ ବିଲକୁଲ୍‌ ଅଲଗା ଅଟୁ । ଆମକୁ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ପୂରା ଭରସା ଅଛି । ଆମ ଆଶା ଗୋଟିଏ ସୁରକ୍ଷା ଟୋପି ଭଳି ଆମ ଚିନ୍ତାଧାରାର ସୁରକ୍ଷା କରେ । ଏଥିରୁ ଆମେ ନିଜର ସେହି ଇଚ୍ଛାଗୁଡ଼ିକୁ ପୂରା କରିବାରୁ ଦୂରେଇ ରହିପାରୁ ଯାହା ଯିହୋବାଙ୍କ ସହିତ ଆମ ସମ୍ପର୍କକୁ ଖରାପ କରିପାରେ ।—୧ କରି. ୧୫:୩୩, ୩୪.

୧୦. ଆମ ଆଶା କେଉଁ ଭୁଲ ଚିନ୍ତାଧାରାରୁ ଆମ ରକ୍ଷା କରିପାରିବ ?

୧୦ ଆମ ଆଶା ଏହି ଭୁଲ ଚିନ୍ତାଧାରାରୁ ବି ଆମର ସୁରକ୍ଷା କରେ ଯେ ଯିହୋବା କେବେ ବି ଆମଠୁ ଖୁସି ହେବେନି । ଯେପରି କିଛି ଲୋକ ହୁଏତ ଭାବିପାରନ୍ତି, ‘ମୁଁ ତ କେବେ ବି ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିପାରିବିନି, ମୋ ଦ୍ୱାରା ଅନେକ ଭୁଲ ହୁଏ, ମୋତେ କେବେ ବି ଅନନ୍ତ ଜୀବନ ମିଳିବନି ।’ ଆୟୁବଙ୍କ ଜଣେ ସାଙ୍ଗ ଇଲୀଫସ୍‌ ଏପରି ହିଁ କହିଥିଲା । ସେ କହିଥିଲା, “ମନୁଷ୍ୟ କିଏ ଯେ, ସେ ଶୁଚି ହୋଇପାରେ ?” ତାʼପରେ ସେ ଈଶ୍ୱରଙ୍କ ବିଷୟରେ କହିଲା, “ଦେଖ, ସେ ଆପଣା ପବିତ୍ରଗଣଠାରେ ବିଶ୍ୱାସ କରନ୍ତି ନାହିଁ; ଆହୁରି, ତାହାଙ୍କ ଦୃଷ୍ଟିରେ ଆକାଶମଣ୍ଡଳ ନିର୍ମଳ ନୁହେଁ ।” (ଆୟୁ. ୧୫:୧୪, ୧୫) ସେ ଯାହା କହୁଥିଲା, ତାହା ମିଛ ଥିଲା । ପ୍ରକୃତରେ ଶୟତାନ ଚାହେଁ ଯେ ଆମେ ଏପରି ଭାବୁ । ସେ ଜାଣେ ଯଦି ଆମେ ଏପରି ଭାବିବା, ତେବେ ଆମ ଆଶା ଦୁର୍ବଳ ହୋଇଯିବ । ତେଣୁ ଯଦି କେବେ ଆପଣଙ୍କ ମନରେ ଏପରି ଚିନ୍ତାଧାରା ଆସେ, ତେବେ ନିଜ ମନରୁ ତାହା ତୁରନ୍ତ ବାହାର କରିଦିଅନ୍ତୁ ଓ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଭାବନ୍ତୁ । ଭରସା ରଖନ୍ତୁ, ଯିହୋବା ଚାହାନ୍ତି ଯେ ଆପଣ ସବୁଦିନ ଯାଏ ବଞ୍ଚନ୍ତୁ ଓ ସେ ଆପଣଙ୍କୁ ସାହାଯ୍ୟ କରିବେ ଯାହାଦ୍ୱାରା ଆପଣଙ୍କ ଏହି ଆଶା ପୂରା ହେଉ ।—୧ ତୀମ. ୨:୩, ୪.

ନିଜ ଆଶା ଲଗାତାର ଦୃଢ଼ କରନ୍ତୁ

୧୧. ଆମ ଆଶା ପୂରା ନ ହେବା ଯାଏ ଆମେ କାହିଁକି ଧୈର୍ଯ୍ୟ ଧରିବା ଉଚିତ୍‌ ?

୧୧ ଅନେକଥର ଆମ ପାଇଁ ଧୈର୍ଯ୍ୟ ଧରିବା କଠିନ ହୋଇପାରେ ଓ ଆମ ଆଶା ଦୁର୍ବଳ ହୋଇଯାଇପାରେ । ହୁଏତ ଆମେ ଭାବିବାକୁ ଲାଗିପାରୁ ଯେ ଏବେଯାଏ ଯିହୋବା କାହିଁକି ନିଜ ପ୍ରତିଜ୍ଞା ପୂରା କରିନାହାନ୍ତି । କିନ୍ତୁ ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ଆଦିରୁ ଥିଲେ ଓ ଅନନ୍ତକାଳ ଯାଏ ରହିବେ । ତେଣୁ ଆମକୁ ଯାହା ଲମ୍ବା ସମୟ ଲାଗେ, ତାହା ଯିହୋବାଙ୍କ ପାଇଁ ବହୁତ କମ୍‌ ସମୟ ହୋଇଥାଏ । (୨ ପିତ. ୩:୮, ୯) ଆମେ ଭରସା ରଖିପାରିବା ଯେ ଯିହୋବା ସଠିକ୍‌ ସମୟରେ ନିଜ ପ୍ରତିଜ୍ଞା ପୂରା କରିବେ । କିନ୍ତୁ ଏହା ଜରୁରୀ ନୁହେଁ ଯେ ଯେବେ ଆମେ ଚାହିଁବା ତେବେ ସେ ଏହା କରିବେ । ତେଣୁ ଯେବେ ଯାଏ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ପୂରା ହୋଇନାହିଁ, ଆମେ ନିଜ ଆଶା କିପରି ଆହୁରି ଦୃଢ଼ କରିପାରିବା ?—ଯାକୁ. ୫:୭, ୮.

୧୨. ଏବ୍ରୀ ୧୧:୧, ୬ ପଦ ଅନୁସାରେ ଆଶା ଥିବା ପାଇଁ ବିଶ୍ୱାସ ହେବା କାହିଁକି ଜରୁରୀ ?

୧୨ ଯିହୋବା ହିଁ ଆମକୁ ଆଶା ଦେଇଛନ୍ତି ଓ ସେ ହିଁ ଏହା ପୂରା କରିବେ । ତେଣୁ ଯଦି ଆମେ ଯିହୋବାଙ୍କ ଉପରେ ନିଜର ବିଶ୍ୱାସ ବଢ଼ାଇବା ଓ ତାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଗଢ଼ିବା, ତେବେ ଆମ ଆଶା ଆହୁରି ଦୃଢ଼ ହୋଇଯିବ । ବାଇବଲରେ ମଧ୍ୟ କୁହାଯାଇଛି ଯେ ଯେବେ ଆମକୁ ବିଶ୍ୱାସ ହେବ ଯେ ଯିହୋବା ସତରେ ଅଛନ୍ତି ଏବଂ ସେ ‘ତାହାଙ୍କ ଅନ୍ୱେଷଣକାରୀମାନଙ୍କୁ ପୁରସ୍କାର ଦିଅନ୍ତି,’ ତେବେ ଆମେ ଆଶା ରଖିପାରିବା ଯେ ସେ ନିଜ ପ୍ରତିଜ୍ଞାକୁ ପୂରା କରିବେ । (ଏବ୍ରୀ ୧୧:୧,  ପଢ଼ନ୍ତୁ ।) ଏବେ ଆସନ୍ତୁ ଦେଖିବା ଯେ ଆମେ ଯିହୋବାଙ୍କ ସହ ନିଜ ସମ୍ପର୍କ କିପରି ମଜବୁତ୍‌ କରିପାରିବା, ଯାହାଦ୍ୱାରା ଆମ ଆଶା ଆହୁରି ଦୃଢ଼ ହୋଇଯିବ ।

ପ୍ରାର୍ଥନା କରି ଓ ଚିନ୍ତନ କରି ଆମ ଆଶା ଦୃଢ଼ ହେବ (ପାରାଗ୍ରାଫ ୧୩-୧୫) b

୧୩. ଆମେ ଯିହୋବାଙ୍କ ନିକଟତର କିପରି ହୋଇପାରିବା ?

୧୩ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ବାଇବଲ ପଢ଼ନ୍ତୁ । ଆମେ ଯିହୋବାଙ୍କୁ ଦେଖି ପାରି ନ ଥାଉ, ତଥାପି ଆମେ ଯିହୋବାଙ୍କର ନିକଟତର ହୋଇପାରିବା । ଆମେ ପ୍ରାର୍ଥନା କରି ଯିହୋବାଙ୍କ ସହ କଥା ହୋଇପାରିବା ଏବଂ ଭରସା ରଖିପାରିବା ଯେ ସେ ଆମ କଥା ଶୁଣିବେ । (ଯିରି. ୨୯:୧୧, ୧୨) ଆଉ ଯେବେ ଆମେ ବାଇବଲ ପଢ଼ୁ ଓ ତାʼ ଉପରେ ଚିନ୍ତନ କରୁ, ତେବେ ଆମେ ଯିହୋବାଙ୍କ କଥା ଶୁଣିଥାଉ । ଯେବେ ଆମେ ବାଇବଲରେ ପଢ଼ୁ ଯେ ଯିହୋବା କିପରି ଭାବେ ନିଜ ବିଶ୍ୱସ୍ତ ଲୋକମାନଙ୍କର ସାହାଯ୍ୟ କଲେ, ସେମାନଙ୍କୁ ସମ୍ଭାଳିଲେ, ତେବେ ଆମ ଆଶା ଆହୁରି ଦୃଢ଼ ହୋଇଯାଏ । ପ୍ରକୃତରେ ବାଇବଲରେ ଯାହା ଲେଖାଅଛି, ‘ସେଥିରୁ ଆମ୍ଭେମାନେ ଯେପରି ଶାସ୍ତ୍ରଲବ୍ଧ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥିନିମନ୍ତେ ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି ।’—ରୋମୀ. ୧୫:୪.

୧୪. ଆମେ ଏବିଷୟରେ କାହିଁକି ଭାବିବା ଉଚିତ୍‌ ଯେ ଯିହୋବା ପ୍ରାଚୀନ ସମୟରେ ନିଜ ପ୍ରତିଜ୍ଞା କିପରି ପୂରା କଲେ ?

୧୪ ଭାବନ୍ତୁ ଯେ ଯିହୋବା ଏବେ ଯାଏ କିପରି ନିଜ ପ୍ରତିଜ୍ଞାଗୁଡ଼ିକୁ ପୂରା କରିଛନ୍ତି । ଅବ୍ରହାମ ଓ ସାରା ବିଷୟରେ ଭାବନ୍ତୁ । ଯିହୋବା ପ୍ରତିଜ୍ଞା କରିଥିଲେ ଯେ ସେମାନଙ୍କର ଗୋଟିଏ ପୁଅ ହେବ । (ଆଦି. ୧୮:୧୦) କିନ୍ତୁ ସେମାନେ ବୃଦ୍ଧବୃଦ୍ଧା ହୋଇଯାଇଥିଲେ ଏବଂ ସେମାନଙ୍କର ପିଲା ହେବାର କୌଣସି ଆଶା ଦେଖାଯାଉ ନ ଥିଲା । ତଥାପି ଅବ୍ରହାମଙ୍କୁ ପୂରା ଭରସା ଥିଲା ଯେ ଯିହୋବା ନିଜ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ । (ରୋମୀ. ୪:୧୯-୨୧) ବାଇବଲରେ ଲେଖାଅଛି, ‘ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ବିଶ୍ୱାସ କଲେ ।’ (ରୋମୀ. ୪:୧୮) ଆଉ ଠିକ୍‌ ସେପରି ହିଁ ହେଲା । ଠିକ୍‌ ସମୟରେ ଯିହୋବା ନିଜ ପ୍ରତିଜ୍ଞା ପୂରା କରିଲେ ଆଉ ତାଙ୍କର ଗୋଟିଏ ପୁଅ ହେଲା । ଏପରି ଘଟଣାଗୁଡ଼ିକ ଉପରେ ଚିନ୍ତନ କଲେ ଆମର ଭରସା ବଢ଼େ ଯେ ଯିହୋବା ସବୁବେଳେ ନିଜ ପ୍ରତିଜ୍ଞା ପୂରା କରନ୍ତି, ଯଦିଓ ସେଗୁଡ଼ିକ ଆମ ଦୃଷ୍ଟିରେ ଅସମ୍ଭବ ଲାଗୁ ନା କାହିଁକି ।

୧୫. ଆମେ ଏବିଷୟରେ କାହିଁକି ଭାବିବା ଉଚିତ୍‌ ଯେ ଯିହୋବା ଆମ ପାଇଁ କʼଣ କʼଣ କରିଛନ୍ତି ?

୧୫ ଭାବନ୍ତୁ ଯେ ଯିହୋବା ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି । ଯୀଶୁ କହିଥିଲେ ଯେ ତାଙ୍କ ପିତା ଆମ ଆବଶ୍ୟକତାଗୁଡ଼ିକୁ ପୂରା କରିବେ । (ମାଥି. ୬:୩୨, ୩୩) ସେ ଏହା ବି କହିଥିଲେ ଯେ ଯେବେ ଆମେ ଯିହୋବାଙ୍କୁ ପବିତ୍ର ଶକ୍ତି ମାଗିବା, ତେବେ ସେ ଆମକୁ ଦେବେ । (ଲୂକ ୧୧:୧୩) ଯିହୋବା ଏହା ବି ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ କ୍ଷମା କରିବେ, ଆମକୁ ସାନ୍ତ୍ୱନା ଦେବେ ଏବଂ ଆମ ପାଇଁ ଅନେକ ବ୍ୟବସ୍ଥା କରିବେ ଯାହାଦ୍ୱାରା ଆମେ ତାଙ୍କ ବିଷୟରେ ଶିଖିପାରିବା ଏବଂ ତାଙ୍କ ସହିତ ନିଜ ସମ୍ପର୍କ ମଜବୁତ୍‌ କରିପାରିବା । (ମାଥି. ୬:୧୪; ୨୪:୪୫; ୨ କରି. ୧:୩) କʼଣ ଆପଣ ଏହି ପ୍ରତିଜ୍ଞାଗୁଡ଼ିକୁ ପୂରା ହେବାର ଦେଖିଛନ୍ତି ? ଯେବେ ଆପଣ ଏବିଷୟରେ ଭାବିବେ ଯେ ଯିହୋବା ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି, ତେବେ ଆପଣଙ୍କର ଆଶା ଆହୁରି ଦୃଢ଼ ହୋଇଯିବ । ଆପଣଙ୍କୁ ଭରସା ହୋଇଯିବ ଯେ ଯିହୋବା ଭବିଷ୍ୟତରେ ବି ନିଜ ପ୍ରତିଜ୍ଞାଗୁଡ଼ିକୁ ନିଶ୍ଚୟ ପୂରା କରିବେ ।

ନିଜ ଆଶା ଯୋଗୁଁ ଖୁସି ହୁଅନ୍ତୁ

୧୬. ଆମ ଆଶା କାହିଁକି ଏତେ ବହୁମୂଲ୍ୟ ଅଟେ ?

୧୬ ଯିହୋବା ଆମକୁ ସବୁଦିନ ଯାଏ ବଞ୍ଚିବାର ବଢ଼ିଆ ଆଶା ଦେଇଛନ୍ତି । ଆମେ ସେସମୟର ଆଗ୍ରହର ସହ ଅପେକ୍ଷା କରୁଛୁ ଯେବେ ଏହା ପୂରା ହେବ ଆଉ ଆମକୁ ପୂରା ଭରସା ଅଛି ଯେ ଏପରି ନିଶ୍ଚୟ ହେବ । ଆମ ଆଶା ଗୋଟିଏ ଲଙ୍ଗର ଭଳି ଅଟେ ଯାହା ଆମକୁ ଝଡ଼ ତୋଫାନ ଭଳି ସମସ୍ୟାଗୁଡ଼ିକରେ ମଧ୍ୟ ସମ୍ଭାଳେ । ଆଶା ଯୋଗୁଁ ଆମେ ପ୍ରତ୍ୟେକ ଅତ୍ୟାଚାର ସହିପାରୁ ଆଉ ଆମ ଜୀବନ ବିପଦରେ ଥିଲେ ମଧ୍ୟ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିପାରୁ । ଆମ ଆଶା ଗୋଟିଏ ଶିରସ୍ତ୍ରାଣ ବା ସୁରକ୍ଷା ଟୋପି ଭଳି ମଧ୍ୟ ଅଟେ ଯାହା ଆମ ଚିନ୍ତାଧାରାର ସୁରକ୍ଷା କରେ । ଯାହାଯୋଗୁଁ ଆମେ ଖରାପ କଥା ଭାବିବା ପରିବର୍ତ୍ତେ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରୁ । ଆମ ଆଶା ଯୋଗୁଁ ଆମେ ଯିହୋବାଙ୍କ ଆହୁରି ନିକଟତର ହୋଇପାରୁ । ଆଉ ଆମକୁ ପୂରା ଭରସା ହୋଇଯାଏ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି । ସତରେ, ନିଜ ଆଶାକୁ ଆହୁରି ଦୃଢ଼ କଲେ ଆମକୁ କେତେ ଲାଭ ହୁଏ ।

୧୭. ଆମେ ନିଜ ଆଶା ଯୋଗୁଁ କାହିଁକି ଖୁସି ହୋଇପାରିବା ?

୧୭ ପାଉଲ ରୋମର ଖ୍ରୀଷ୍ଟିୟାନମାନଙ୍କୁ କହିଲେ, “ଭରସାରେ [‘ଆଶା,’ NWT] ଆନନ୍ଦ କର ।” (ରୋମୀ. ୧୨:୧୨) ପାଉଲ ଖୁସି ଥିଲେ କାରଣ ସେ ଜାଣିଥିଲେ ଯେ ଯଦି ସେ ଯିହୋବାଙ୍କ ବିଶ୍ୱସ୍ତ ରହିବେ, ତେବେ ତାଙ୍କୁ ସ୍ୱର୍ଗରେ ଅନନ୍ତ ଜୀବନ ମିଳିବ । ଆମେ ମଧ୍ୟ ନିଜ ଆଶା ଯୋଗୁଁ ଖୁସି ହୋଇପାରିବା । କାରଣ ଆମକୁ ଭରସା ଅଛି ଯେ ଯିହୋବା ନିଜ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ । ଗୀତସଂହିତାର ରଚୟିତା ମଧ୍ୟ କହିଥିଲେ, ‘ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ; ସେ ସଦାକାଳ ସତ୍ୟ ପାଳନ କରନ୍ତି ।’—ଗୀତ. ୧୪୬:୫, ୬.

ଗୀତ ୧୩୯ ଜବ୍‌ ହୋଙ୍ଗେ ନୟୀ ଦୁନିଆ ମେ !

a ଯିହୋବା ଆମକୁ ବଢ଼ିଆ ଆଶା ଦେଇଛନ୍ତି । ଏହି ଆଶା ଉପରେ ଧ୍ୟାନ ଦେଲେ ଆମର ଉତ୍ସାହ ବଢ଼େ । ଆଉ ଆମେ ନିଜ ସମସ୍ୟାଗୁଡ଼ିକ ବିଷୟରେ ଅଧିକ ଚିନ୍ତା କରି ନ ଥାଉ । ଏଥିରୁ ଆମର ସାହସ ବି ବଢ଼େ ଆଉ ସମସ୍ୟାଗୁଡ଼ିକ ସତ୍ତ୍ୱେ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିପାରୁ । ଏହି ଆଶା ଯୋଗୁଁ ଆମ ଚିନ୍ତାଧାରାର ବି ସୁରକ୍ଷା ହୁଏ । ଆମେ ନିଜ ମନରେ ଏପରି ଚିନ୍ତାଧାରାଗୁଡ଼ିକୁ ଆସିବାରୁ ରୋକିପାରୁ ଯାହା ଆମକୁ ଯିହୋବାଙ୍କଠାରୁ ଦୂରେଇ ନେଇ ଯାଇପାରେ । ଏହି ଲେଖାରେ ଆମେ ତିନୋଟି କଥା ଉପରେ ଚର୍ଚ୍ଚା କରିବା ଏବଂ ଜାଣିବା ଯେ ଆମେ ନିଜ ଆଶାକୁ ଆହୁରି ଦୃଢ଼ କିପରି କରିପାରିବା ।

b ଚିତ୍ର ବିଷୟରେ: ଯେପରି ଭାବେ ଗୋଟିଏ ସୁରକ୍ଷା ଟୋପି ସୈନିକର ମୁଣ୍ଡରେ ସୁରକ୍ଷା କରେ । ଆଉ ଗୋଟିଏ ଲଙ୍ଗର ଜାହାଜକୁ ସ୍ଥିର ରଖେ, ସେହିପରି ଆମ ଆଶା ଆମ ଚିନ୍ତାଧାରାର ସୁରକ୍ଷା କରେ ଓ ସମସ୍ୟା ଆସିଲେ ଆମକୁ ସମ୍ଭାଳେ । ଜଣେ ଭଉଣୀ ଯିହୋବାଙ୍କୁ ପ୍ରାର୍ଥନା କରୁଛନ୍ତି ଓ ତାଙ୍କୁ ପୂରା ଭରସା ଅଛି ଯେ ସେ ତାଙ୍କ ପ୍ରାର୍ଥନା ଶୁଣୁଛନ୍ତି । ଜଣେ ଭାଇ ଏବିଷୟରେ ଭାବୁଛନ୍ତି ଯେ ଯିହୋବା କିପରି ଭାବେ ଅବ୍ରହାମକୁ କରିଥିବା ନିଜ ପ୍ରତିଜ୍ଞାକୁ ପୂରା କଲେ । ଆଉ ଜଣେ ଭାଇ ଭାବୁଛନ୍ତି ଯେ ଯିହୋବା ତାଙ୍କ ପାଇଁ କʼଣ କʼଣ କରିଛନ୍ତି ଓ ତାଙ୍କୁ କେତେ ଆଶିଷ ଦେଇଛନ୍ତି ।