इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୧

ପ୍ରକୃତ ଖୁସି କିପରି ପାଇବା ?

ପ୍ରକୃତ ଖୁସି କିପରି ପାଇବା ?

‘ଯେଉଁମାନେ ଯିହୋବାଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ ।’—ଗୀତ. ୧୨୮:୧.

ଗୀତ ୧୧୦ “ଖୁସି ୟହୋୱା ଦେତା ହୈ”

ଲେଖାର ଝଲକ a

୧. ମଣିଷମାନଙ୍କଠାରେ କʼଣ ଇଚ୍ଛା ଥାଏ ଏବଂ ଏହି ଇଚ୍ଛାକୁ ପୂରା କଲେ ଆମକୁ କାହିଁକି ଖୁସି ମିଳେ ?

 ପୃଥିବୀରେ ଏପରି ଅନେକ ଜିନିଷଗୁଡ଼ିକ ଅଛି, ଯେଉଁଥିରୁ ଆମକୁ କିଛି ସମୟ ପାଇଁ ଖୁସି ମିଳେ, କିନ୍ତୁ ଏହା ପ୍ରକୃତ ଖୁସି ନ ଥାଏ । ପ୍ରକୃତ ଖୁସି ସବୁଦିନ ଯାଏ ଥାଏ । ଯୀଶୁ କହିଥିଲେ ଯେ ଆମେ ପ୍ରକୃତ ଖୁସି କିପରି ପାଇପାରିବା । ସେ କହିଲେ, “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ବରଞ୍ଚ ସେହିମାନେ ଧନ୍ୟ ।” (ଲୂକ ୧୧:୨୮) ଯୀଶୁ ଜାଣିଥିଲେ ଯେ ଆମକୁ ଈଶ୍ୱରଙ୍କ ବିଷୟରେ ଶିଖିବା ଓ ତାଙ୍କ ଉପାସନା କରିବାର ଇଚ୍ଛା ଦେଇ ସୃଷ୍ଟି କରାଯାଇଛି । ଯେବେ ଆମେ ଏହି ଇଚ୍ଛାକୁ ପୂରା କରୁ, ତେବେ ଆମକୁ ପ୍ରକୃତ ଖୁସି ମିଳେ । ଆଉ ଯିହୋବା ନିଜେ ବି “ପରମଧନ୍ୟ ଈଶ୍ୱର” ଅର୍ଥାତ୍‌ ଆନନ୍ଦିତ ଈଶ୍ୱର ଅଟନ୍ତି, ତେଣୁ ଯଦି ଆମେ ତାଙ୍କ ଉପାସନା କରିବା ତେବେ ଆମକୁ ଖୁସି ମିଳିବ ।—୧ ତୀମ. ୧:୧୧.

‘ଧାର୍ମିକତା [ସଠିକ୍‌ କାମ କରିବା] ନିମନ୍ତେ ତାଡ଼ନାପ୍ରାପ୍ତ କରନ୍ତି ।’—ମାଥି. ୫:୧୦. (ପାରାଗ୍ରାଫ୍‌ ୨-୩) d

୨-୩. (କ) ମାଥି. ୫:୪, ୧୦, ୧୧ ପଦ ଅନୁସାରେ ଆମେ କେଉଁ ଭଳି ପରିସ୍ଥିତିରେ ମଧ୍ୟ ଖୁସି ରହିପାରିବା ? (ଖ) ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ଏବଂ ଏବିଷୟରେ ଚର୍ଚ୍ଚା କରିବା କାହିଁକି ଜରୁରୀ ?

କʼଣ ଆମେ କେବଳ ତେବେ ଖୁସି ରହିବା ଯେବେ ସବୁକିଛି ଠିକ୍‌ ଥିବ କିମ୍ବା କିଛି ସମସ୍ୟା ନ ଥିବ ? ନୁହଁ, ଆମେ ସମସ୍ୟା ସତ୍ତ୍ୱେ ମଧ୍ୟ ଖୁସି ରହିପାରିବା । ଧ୍ୟାନ ଦିଅନ୍ତୁ ଯେ ଯୀଶୁ କʼଣ କହିଥିଲେ, ‘ଶୋକ କରୁଥିବା ଲୋକେ ଧନ୍ୟ ।’ ଏମାନେ ଏପରି ଲୋକ ହୋଇପାରନ୍ତି ଯେଉଁମାନେ ପୂର୍ବରୁ କିଛି ପାପ କରିଥିଲେ କିମ୍ବା କିଛି ଭୁଲ କରିଥିଲେ, ତେଣୁ ସେମାନେ ଦୁଃଖିତ ଅଛନ୍ତି । ଏମାନେ ଏପରି ଲୋକ ମଧ୍ୟ ହୋଇପାରନ୍ତି ଯେଉଁମାନେ ବଡ଼ ବଡ଼ ସମସ୍ୟାର ସାମନା କରୁଛନ୍ତି ଏବଂ ବହୁତ ଚିନ୍ତାରେ ଅଛନ୍ତି । ଯୀଶୁ ଏହା ମଧ୍ୟ କହିଥିଲେ ଯେ ‘ଧାର୍ମିକତା [ସଠିକ୍‌ କାମ କରିବା] ନିମନ୍ତେ ତାଡ଼ନାପ୍ରାପ୍ତ କରନ୍ତି’ ଏବଂ ଯେଉଁମାନଙ୍କୁ ମୋʼ ଶିଷ୍ୟ ହେବା ସକାଶେ ‘ନିନ୍ଦା କରାଯାଏ,’ ସେମାନେ ମଧ୍ୟ ଖୁସି ରହିପାରିବେ । (ମାଥି. ୫:୪, ୧୦, ୧୧) କିନ୍ତୁ ଏତେ ସମସ୍ୟା ସତ୍ତ୍ୱେ ଜଣେ ଖୁସି କିପରି ରହିପାରିବ ?

ଯୀଶୁ ବୁଝାଉଥିଲେ ଯେ ପ୍ରକୃତ ଖୁସି ପାଇବା ପାଇଁ ଏହା ଜରୁରୀ ନୁହେଁ ଯେ ଆମ ଜୀବନରେ ସବୁକିଛି ଠିକ୍‌ ଚାଲୁଥିବ ଆଉ କିଛି ସମସ୍ୟା ନ ଥିବ । ତାʼ ପରିବର୍ତ୍ତେ ପ୍ରକୃତ ଖୁସି ତେବେ ମିଳେ ଯେବେ ଆମେ ଈଶ୍ୱରଙ୍କ ବିଷୟରେ ଶିଖୁ, ତାଙ୍କ ଉପାସନା କରୁ ଏବଂ ତାଙ୍କ ସହିତ ଭଲ ସମ୍ପର୍କ ଗଢ଼ୁ । (ଯାକୁ. ୪:୮) ଏହି ଲେଖାରେ ଆମେ ଏହି ବିଷୟରେ ଚର୍ଚ୍ଚା କରିବା ଓ ଜାଣିବା ଯେ ପ୍ରକୃତ ଖୁସି ପାଇବା ପାଇଁ ଆମକୁ କେଉଁ ତିନୋଟି ପଦକ୍ଷେପ ନେବାକୁ ହେବ ।

ବାଇବଲ ପଢ଼ନ୍ତୁ ଓ ଅଧ୍ୟୟନ କରନ୍ତୁ

୪. ପ୍ରକୃତ ଖୁସି ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ? (ଗୀତସଂହିତା ୧:୧-୩)

ପ୍ରଥମ ପଦକ୍ଷେପ: ପ୍ରକୃତ ଖୁସି ପାଇବା ପାଇଁ ଆମକୁ ବାଇବଲ ପଢ଼ିବା ଓ ତାʼର ଅଧ୍ୟୟନ କରିବାକୁ ହେବ । ଆମେ ଭଲଭାବେ ଜାଣୁ ଯେ ମଣିଷ ଓ ପଶୁମାନଙ୍କୁ ଜୀବିତ ରହିବା ପାଇଁ ଖାଦ୍ୟ ଖାଇବା ବହୁତ ଜରୁରୀ । କିନ୍ତୁ ଯୀଶୁ କହିଥିଲେ ମଣିଷକୁ ଆଉ ଗୋଟିଏ ଜିନିଷ ଦରକାର । ସେ କହିଲେ, “ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।” (ମାଥି. ୪:୪) ଯେପରି ଆମେ ପ୍ରତିଦିନ ଖାଦ୍ୟ ଖାଉ, ସେହିପରି ଆମକୁ ପ୍ରତିଦିନ ବାଇବଲ ପଢ଼ିବା ଓ ତାʼର ଅଧ୍ୟୟନ କରିବା ଉଚିତ୍‌ । ଗୀତସଂହିତାର ଜଣେ ଲେଖକ କହିଲେ, ‘ଯେଉଁ ଜନ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆମୋଦ ପାଏ, ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ପଢ଼େ, ସେ ଧନ୍ୟ ।’ଗୀତସଂହିତା ୧:୧-୩ ପଢ଼ନ୍ତୁ ।

୫-୬. (କ) ଯିହୋବା ବାଇବଲରେ କʼଣ କʼଣ ଲେଖାଇଛନ୍ତି ? (ଖ) ଆମକୁ ବାଇବଲ କାହିଁକି ପଢ଼ିବା ଉଚିତ୍‌ ?

ଯିହୋବା ଆମକୁ ବହୁତ ପ୍ରେମ କରନ୍ତି । ତେଣୁ ସେ ବାଇବଲରେ ଲେଖାଇଛନ୍ତି ଯେ ଯଦି ଆମେ ଖୁସିରେ ରହିବା ପାଇଁ ଚାହୁଁ, ତେବେ ଆମକୁ କʼଣ କରିବାକୁ ହେବ । ଯେପରି, ଆମେ ବାଇବଲରୁ ଜାଣିପାରୁ ଯେ ଆମ ଜୀବନର ଉଦ୍ଦେଶ୍ୟ କʼଣ, ଆମେ ଯିହୋବାଙ୍କ ନିକଟତର କିପରି ହୋଇପାରିବା ଆଉ ତାଙ୍କ ସାଙ୍ଗ କିପରି ହୋଇପାରିବା । ଆମେ ବାଇବଲରୁ ଏହା ବି ଜାଣିପାରୁ ଯେ ଯଦି ଆମେ ଯିହୋବାଙ୍କଠୁ କ୍ଷମା ଚାହୁଁ, ତେବେ ଆମକୁ କʼଣ କରିବାକୁ ହେବ । କେବଳ ଏତିକି ନୁହେଁ, ଆମକୁ ବାଇବଲରୁ ଆଶା ମିଳେ ଯେ ଆଗକୁ ଯାଇ ଆମେ ଭଲ ଜୀବନ ଜୀଇଁବା । (ଯିରି. ୨୯:୧୧) ଯେବେ ଆମେ ଏକଥାଗୁଡ଼ିକ ବିଷୟରେ ଶିଖୁ, ତେବେ ଆମକୁ ବହୁତ ଖୁସି ମିଳେ !

ବାଇବଲରେ ଅନେକ ମାମଲା ବିଷୟରେ ବି ଭଲ ପରାମର୍ଶ ଦିଆଯାଇଛି । ଯେବେ ଆମେ ଏକଥାଗୁଡ଼ିକୁ ମାନୁ, ତେବେ ଆମେ ଖୁସିରେ ରହିପାରୁ । ଆପଣ ଯେବେ ଦୁଃଖି ଥାʼନ୍ତି କିମ୍ବା ଚିନ୍ତାରେ ଥାʼନ୍ତି, ତେବେ ବାଇବଲ ପଢ଼ିବା ଓ ସେଥିରେ ଲେଖାଥିବା କଥାଗୁଡ଼ିକ ଉପରେ ଚିନ୍ତନ କରିବା ପାଇଁ ଆହୁରି ଅଧିକ ସମୟ ବାହାର କରନ୍ତୁ । ଯୀଶୁ କହିଥିଲେ, “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ବରଞ୍ଚ ସେହିମାନେ ଧନ୍ୟ ।”—ଲୂକ ୧୧:୨୮.

୭. ଆମେ ବାଇବଲ କିପରି ଭାବେ ପଢ଼ିବା ଉଚିତ୍‌ ଆଉ ଏପରି କଲେ କʼଣ ଲାଭ ହେବ ?

ବାଇବଲ ପଢ଼ିବା ସମୟରେ ଶୀଘ୍ର ଶୀଘ୍ର ପଢ଼ନ୍ତୁ ନାହିଁ, ବରଂ ଆରାମରେ ପଢ଼ନ୍ତୁ । କʼଣ କେବେ ଆପଣଙ୍କ ସହିତ ଏପରି କିଛି ହୋଇଛି ଯେ କେହି ଆପଣଙ୍କ ପାଇଁ ଆପଣଙ୍କ ମନପସନ୍ଦର ଖାଦ୍ୟ ତିଆରି କରିଛନ୍ତି, ଆଉ ଯେବେ ଆପଣ ଖାଇବା ପାଇଁ ବସନ୍ତି ତେବେ ଆପଣଙ୍କ ଧ୍ୟାନ ଅନ୍ୟପଟେ ଥାଏ କିମ୍ବା ଆପଣଙ୍କ ପାଖରେ କମ୍‌ ସମୟ ଥିଲା, ତେଣୁ ଆପଣ ଶୀଘ୍ର ଶୀଘ୍ର ଖାଇଲେ ଆଉ ତାʼର ମଜା ନେଲେନି । କିନ୍ତୁ ପରେ ଆପଣ ଭାବନ୍ତି, ‘କେତେ ଭଲ ହୁଅନ୍ତା, ଯଦି ମୁଁ ଆରାମରେ ଖାଦ୍ୟର ମଜା ନେଇଥାʼନ୍ତି ।’ ବାଇବଲ ପଢ଼ିବା ସମୟରେ ମଧ୍ୟ ଆମ ସହ ଏପରି କିଛି ହୋଇପାରେ । ହୁଏତ ଆମେ ଶୀଘ୍ର ଶୀଘ୍ର ପଢ଼ିବା ଯୋଗୁଁ ସେଥିରୁ କʼଣ ଶିଖିପାରିବା, ସେକଥା ଉପରେ ଧ୍ୟାନ ଦେବା ନାହିଁ । ତେଣୁ ବାଇବଲ ପଢ଼ିବା ସମୟରେ, ଶୀଘ୍ର ଶୀଘ୍ର ପଢ଼ନ୍ତୁ ନାହିଁ । କୌଣସି ଘଟଣା ପଢ଼ିବା ସମୟରେ କଳ୍ପନା କରନ୍ତୁ ଆଉ ଭାବନ୍ତୁ ଯେ ସେସମୟରେ କʼଣ କʼଣ ହେଉଥିବ, କʼଣ ଆବାଜ୍‌ ଆସୁଥିବ ଓ ଆମେ ସେଥିରୁ କʼଣ ଶିଖିବା । ଯଦି ଆମେ ଏପରି ପଢ଼ିବା ତେବେ ଆମକୁ ଭଲ ଲାଗିବ ଆଉ ଖୁସି ବି ମିଳିବ ।

୮. “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିପରି ନିଜ ଦାୟିତ୍ୱକୁ ଭଲଭାବେ ତୁଲାଉଛି ? (ଫୁଟନୋଟ୍‌ ବି ଦେଖନ୍ତୁ)

ଯୀଶୁ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ’ ନିଯୁକ୍ତ କରିଛନ୍ତି ଯାହାଦ୍ୱାରା ସେ ଆମକୁ “ଯଥା ସମୟରେ ପଡ଼ି” ଅର୍ଥାତ୍‌ ସଠିକ୍‌ ସମୟରେ ଖାଦ୍ୟ ଦିଏ । ଆଜି ଏହି ଦାସ ନିଜ ଦାୟିତ୍ୱକୁ ଭଲଭାବେ ତୁଲାଉଛି, ଆଉ ଆମକୁ ଅନେକଗୁଡ଼ିଏ ପ୍ରକାଶନ ଦେଉଛି । b (ମାଥି. ୨୪:୪୫) ଏହି ବିଶ୍ୱସ୍ତ ଦାସ ଯାହା ବି ପ୍ରକାଶନ ପ୍ରସ୍ତୁତ କରେ, ତାହା ବାଇବଲ ଆଧାରିତ ହୋଇଥାଏ । (୧ ଥେସ. ୨:୧୩) ତେଣୁ ଯେବେ ଆମେ ଏହାକୁ ପଢ଼ୁ, ତେବେ ଆମେ ଜାଣିପାରୁ ଯେ କୌଣସି ମାମଲାରେ ଯିହୋବାଙ୍କର କʼଣ ଦୃଷ୍ଟିକୋଣ ରହିଛି । ତେଣୁ ଏହା ବହୁତ ଜରୁରୀ ଯେ ଆମେ ପ୍ରହରୀଦୁର୍ଗସଜାଗ ହୁଅ ! ପତ୍ରିକାଗୁଡ଼ିକୁ ପଢ଼ୁ, jw.org ୱେବସାଇଟ୍‌ରେ ଥିବା ଲେଖାଗୁଡ଼ିକୁ ପଢ଼ୁ, ସଭାର ଭଲ ପ୍ରସ୍ତୁତି କରୁ ଆଉ ପ୍ରତ୍ୟେକ ମାସର JW ବ୍ରୋଡକାଷ୍ଟିଙ୍ଗ୍‌ ଦେଖୁ । ଯେବେ ଆମେ ବାଇବଲ ପଢ଼ୁ ଆଉ ତାʼ ଆଧାରିତ ପ୍ରକାଶନଗୁଡ଼ିକୁ ପଢ଼ୁ, ତେବେ ଆମେ ସେହି ଦ୍ୱିତୀୟ ପଦକ୍ଷେପ ବି ନେଇପାରିବା ଯେଉଁଥିରୁ ଆମକୁ ପ୍ରକୃତ ଖୁସି ମିଳିପାରିବ ।

ଯିହୋବାଙ୍କ ସ୍ତରଗୁଡ଼ିକୁ ମାନନ୍ତୁ

୯. ପ୍ରକୃତ ଖୁସି ପାଇବା ପାଇଁ ଆମକୁ ଆଉ କʼଣ କରିବାକୁ ହେବ ?

ଦ୍ୱିତୀୟ ପଦକ୍ଷେପ: ପ୍ରକୃତ ଖୁସି ପାଇବା ପାଇଁ ଆମକୁ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବାକୁ ହେବ । ଗୀତସଂହିତାର ଜଣେ ଲେଖକ କହିଲେ, “ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ ।” (ଗୀତ. ୧୨୮:୧) ଯିହୋବାଙ୍କୁ ଭୟ କରିବାର ଅର୍ଥ ଏହା ନୁହେଁ ଯେ ଆମେ ତାଙ୍କୁ ଡରି ଡରି ବଞ୍ଚିବା, ବରଂ ଏହାର ଅର୍ଥ ହେଉଛି, ଆମେ ଏକଥାଗୁଡ଼ିକୁ ଧ୍ୟାନ ଦେବା ଯେ ଆମେ ଏପରି କୌଣସି କାମ କରିବାନି ଯାହା ଯିହୋବା ପସନ୍ଦ କରନ୍ତି ନାହିଁ । (ହିତୋ. ୧୬:୬) ବାଇବଲରେ ଯିହୋବା ଲେଖାଇଛନ୍ତି ଯେ ତାଙ୍କ ଦୃଷ୍ଟିରେ କʼଣ ଠିକ୍‌ ଆଉ କʼଣ ଭୁଲ । ତେଣୁ ଆମକୁ ପୂରା ଚେଷ୍ଟା କରିବା ଉଚିତ୍‌ ଯେ ଆମେ ତାଙ୍କ ସ୍ତରଗୁଡ଼ିକୁ ମାନୁ । (୨ କରି. ୭:୧) ଯଦି ଆମେ ସେହି କାମଗୁଡ଼ିକୁ କରିବା ଯାହା ଯିହୋବାଙ୍କୁ ପସନ୍ଦ ଆଉ ଏପରି କୌଣସି କାମ କରିବାନି ଯାହାକୁ ଯିହୋବା ଘୃଣା କରନ୍ତି, ତେବେ ଆମେ ଖୁସି ରହିପାରିବା ।—ଗୀତ. ୩୭:୨୭; ୯୭:୧୦; ରୋମୀ. ୧୨:୯.

୧୦. ରୋମୀୟ ୧୨:୨ ପଦ ଅନୁସାରେ ଯିହୋବାଙ୍କ ସ୍ତରଗୁଡ଼ିକୁ ଜାଣିବା ଛଡ଼ା ଆମକୁ ଆଉ କʼଣ କରିବାକୁ ହେବ ?

୧୦ ରୋମୀୟ ୧୨:୨ ପଢ଼ନ୍ତୁ । ହୁଏତ ଜଣେ ବ୍ୟକ୍ତିକୁ ଜଣାଥିବ ଯେ କେବଳ ଯିହୋବାଙ୍କୁ ହିଁ ଠିକ୍‌ ଓ ଭୁଲର ସ୍ତର ନିର୍ଦ୍ଧାରିତ କରିବାର ଅଧିକାର ଅଛି । କିନ୍ତୁ ଏହା ଯଥେଷ୍ଟ ନୁହେଁ । ତାକୁ ସେହି ସ୍ତରଗୁଡ଼ିକୁ ମାନିବାକୁ ବି ପଡ଼ିବ । ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ହୁଏତ ଜଣେ ବ୍ୟକ୍ତିକୁ ଜଣାଥିବ ଯେ ସରକାରକୁ ହିଁ ଏହା ନିର୍ଦ୍ଧାରିତ କରିବାର ଅଧିକାର ଅଛି ଯେ କୌଣସି ରାସ୍ତାରେ ଗାଡ଼ି କେତେ ବେଗରେ ଯିବା ଉଚିତ୍‌ ରହିବ । କିନ୍ତୁ ସେ ଯେପରି ଭାବେ ଗାଡ଼ି ଚଲାଇବ, ସେଥିରୁ ଜଣାପଡ଼ିବ ଯେ ସେ ନିୟମକୁ ମାନୁଛି ନା ନାହିଁ । ଠିକ୍‌ ସେହିପରି ଆମେ ଯେପରି ଜୀବନ ଜୀଉଁ, ସେଥିରୁ ଜଣାପଡ଼େ ଯେ ଆମେ ଏହା ବିଶ୍ୱାସ କରୁ ଯେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିଲେ ହିଁ ଆମର ଲାଭ ହେବ । (ହିତୋ. ୧୨:୨୮) ଦାଉଦ ବି ବିଶ୍ୱାସ କରୁଥିଲେ ଯେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିଲେ ଖୁସି ମିଳେ, ତେଣୁ ସେ କହିଲେ, “ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ ।”—ଗୀତ. ୧୬:୧୧.

୧୧-୧୨. (କ) ଯେବେ ଆମେ ବହୁତ ଦୁଃଖୀ କିମ୍ବା ଚିନ୍ତାରେ ଥାଉ, ତେବେ ଆମେ କେଉଁ କଥା ମନେ ରଖିବା ଉଚିତ୍‌ ? (ଖ) ଫିଲିପ୍ପୀୟ ୪:୮ ପଦକୁ ଧ୍ୟାନରେ ରଖି ଆମେ କିପରି ସଠିକ୍‌ ମନୋରଞ୍ଜନ ବାଛିପାରିବା ?

୧୧ ଯେବେ ଆମେ ବହୁତ ଦୁଃଖୀ ଥାଉ କିମ୍ବା ଚିନ୍ତାରେ ଥାଉ, ତେବେ ହୁଏତ ଆମେ ଏପରି କିଛି କରିବା ପାଇଁ ଭାବିପାରୁ, ଯେଉଁଥିରୁ ଆମେ ନିଜ ଦୁଃଖକୁ ଭୁଲିପାରିବା । କିନ୍ତୁ ଏପରି ସମୟରେ ଆମେ ମନେ ରଖିବା ଉଚିତ୍‌ ଯେ ଆମେ ଏପରି କୌଣସି କାମ କରିବାନି ଯାହାକୁ ଯିହୋବା ଘୃଣା କରନ୍ତି ।—ଏଫି. ୫:୧୦-୧୨, ୧୫-୧୭.

୧୨ ପାଉଲ ଫିଲିପ୍ପୀରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ଚିଠି ଲେଖିଲେ, ସେଥିରେ ସେ କହିଲେ, ‘ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର ।’ (ଫିଲିପ୍ପୀୟ ୪:୮ ପଢ଼ନ୍ତୁ ।) ପାଉଲ ଏଠାରେ ବିଶେଷ କରି ମନୋରଞ୍ଜନ ବିଷୟରେ କହୁ ନ ଥିଲେ, କିନ୍ତୁ ଯେବେ ଆପଣ ଭାବନ୍ତି ଯେ ଆପଣ ନିଜ ଖାଲି ସମୟରେ କʼଣ କରିବେ, ତେବେ ଆପଣ ଏହି ପଦକୁ ମନେ ରଖିପାରିବେ । ଯେପରି, କୌଣସି ଫିଲ୍ମ ଦେଖିବା ପୂର୍ବରୁ ଆପଣ ଭାବିପାରିବେ, ‘କʼଣ ଏହି ଫିଲ୍ମ ଯଥାର୍ଥ ? କʼଣ ଏହା ବିଶୁଦ୍ଧ ? କʼଣ ଏହା ପ୍ରୀତିଭାଜନ ? କʼଣ ଏହା ପ୍ରଶଂସାର ବିଷୟ ?’ ଠିକ୍‌ ସେହିପରି, କୌଣସି ଗୀତ ଶୁଣିବା ପୂର୍ବରୁ, ବହି ପଢ଼ିବା ପୂର୍ବରୁ କିମ୍ବା ଭିଡିଓ ଗେମ୍‌ସ ଖେଳିବା ପୂର୍ବରୁ ବି ଆପଣ ନିଜକୁ ଏହି ପ୍ରଶ୍ନ ପଚାରିପାରିବେ । ଏପରି ଭାବିବାରୁ ଆପଣ ଜାଣିପାରିବେ ଯେ ଯିହୋବାଙ୍କ ଦୃଷ୍ଟିରେ କʼଣ ଠିକ୍‌ ଓ କʼଣ ଭୁଲ । ଯଦି ଆପଣ ଯିହୋବାଙ୍କ ଉଚ୍ଚ ସ୍ତରଗୁଡ଼ିକୁ ମାନିବେ ତେବେ ଆପଣଙ୍କ ବିବେକ ଶୁଦ୍ଧ ରହିବ । (ଗୀତ. ୧୧୯:୧-୩; ପ୍ରେରି. ୨୩:୧) ତାʼପରେ ଆମେ ସେହି ତୃତୀୟ ପଦକ୍ଷେପ ନେଇପାରିବା ଯେଉଁଥିରୁ ଆମକୁ ପ୍ରକୃତ ଖୁସି ମିଳିବ ।

ଯିହୋବାଙ୍କ ଉପାସନାକୁ ସବୁଠୁ ଅଧିକ ମହତ୍ତ୍ୱ ଦିଅନ୍ତୁ

୧୩. ଯୋହନ ୪:୨୩, ୨୪ ପଦ ଅନୁସାରେ ପ୍ରକୃତ ଖୁସି ପାଇବା ପାଇଁ ଆମକୁ ଆଉ କʼଣ କରିବାକୁ ହେବ ?

୧୩ ତୃତୀୟ ପଦକ୍ଷେପ: ଯିହୋବାଙ୍କ ଉପାସନାକୁ ସବୁଠୁ ଅଧିକ ମହତ୍ତ୍ୱ ଦିଅନ୍ତୁ । ଯିହୋବା ହିଁ ଆମକୁ ସୃଷ୍ଟି କରିଛନ୍ତି । ତେଣୁ ଆମେ ତାଙ୍କ ଉପାସନା କରିବା ଉଚିତ୍‌ । ଆଉ ଆମେ ମନେ ରଖିବା ଉଚିତ୍‌ ଯେ କୌଣସି କଥା ତାଙ୍କ ଉପାସନା କରିବା ପାଇଁ ବାଧା ସୃଷ୍ଟି ନ କରୁ । (ପ୍ରକା. ୪:୧୧; ୧୪:୬, ୭) ଆମେ ଯିହୋବାଙ୍କ ଉପାସନା ସେପରି କରିବା ଉଚିତ୍‌, ଯେପରି ସେ ଚାହାନ୍ତି, ଅର୍ଥାତ୍‌ ‘ପବିତ୍ର ଶକ୍ତିରେ ଓ ସତ୍ୟରେ ।’ ପବିତ୍ର ଶକ୍ତି ଆମକୁ ବାଇବଲରେ ଥିବା ସତ୍ୟଗୁଡ଼ିକୁ ବୁଝିବା ପାଇଁ ଆଉ ତାʼ ମୁତାବକ ଯିହୋବାଙ୍କ ଉପାସନା କରିବା ପାଇଁ ସାହାଯ୍ୟ କରେ । (ଯୋହନ ୪:୨୩, ୨୪ ପଢ଼ନ୍ତୁ ।) ଯେବେ ଆମ କାମ ଉପରେ କଟକଣା କିମ୍ବା ରୋକ ଲଗାଯାଏ, ତେବେ ବି ଆମେ ଯିହୋବାଙ୍କ ଉପାସନା କରିବାରୁ ପଛଘୁଞ୍ଚା ଦେବା ନାହିଁ । ଆଜି ୧୦୦ରୁ ବି ଅଧିକ ଭାଇଭଉଣୀ ଜେଲରେ ଅଛନ୍ତି । କାରଣ ସେମାନେ ଯିହୋବାଙ୍କ ଉପାସନା କରନ୍ତି । c ଜେଲରେ ମଧ୍ୟ ସେମାନେ ଲଗାତାର ପ୍ରାର୍ଥନା କରନ୍ତି, ଯେତେ ହୋଇପାରେ ଅଧ୍ୟୟନ କରନ୍ତି ଏବଂ ଅନ୍ୟମାନଙ୍କୁ ଯିହୋବାଙ୍କ ଓ ତାଙ୍କ ରାଜ୍ୟ ବିଷୟରେ କହନ୍ତି । ଏପରି କରି ସେମାନଙ୍କୁ ଖୁସି ମିଳେ । ଯଦି ଆମକୁ ବି ବଦନାମ୍‌ କରାଯାଏ କିମ୍ବା ଅତ୍ୟାଚାର କରାଯାଏ, ତେବେ ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ଆମ ସହିତ ଅଛନ୍ତି । ଆଉ ଠିକ୍‌ ସମୟରେ ସେ ଆମକୁ ପୁରସ୍କାର ଦେବେ, ଏପରି ଭାବେ ଆମେ ଖୁସି ରହିପାରିବା ।—ଯାକୁ. ୧:୧୨; ୧ ପିତ. ୪:୧୪.

ସମସ୍ୟାଗୁଡ଼ିକ ସତ୍ତ୍ୱେ ଜଣେ ଭାଇ ଖୁସି କିପରି ରହିପାରିଲେ ?

୧୪. ତାଜିକିସ୍ତାନରେ ଆମ ଜଣେ ଭାଇଙ୍କ ସହ କʼଣ ହେଲା ?

୧୪ ଆମ ଏପରି ଅନେକ ଭାଇଭଉଣୀ ଅଛନ୍ତି, ଯେଉଁମାନଙ୍କୁ ବଡ଼ ବଡ଼ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଛି । କିନ୍ତୁ ସେମାନେ ଏହି ଲେଖାରେ ଥିବା ତିନୋଟି ପଦକ୍ଷେପ ନେବା ଯୋଗୁଁ ସେମାନେ ଖୁସି ରହିପାରିଲେ । କିଛି ବର୍ଷ ପୂର୍ବେ ତାଜିକିସ୍ତାନର ଜଣେ ଭାଇଙ୍କୁ ମଧ୍ୟ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା । ସେହି ଭାଇଙ୍କ ନାମ ହେଉଛି, ଜୋଭିଡନ୍‌ ବାବାଜୋନୋଭ୍‌ । ଯେବେ ସେ ୧୯ ବର୍ଷ ଥିଲେ, ତାଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ କୁହାଗଲା କିନ୍ତୁ ସେ ମନା କରିଦେଲେ । ତେଣୁ ତାଙ୍କୁ ୪ ଅକ୍ଟୋବର, ୨୦୧୯ରେ ତାଙ୍କ ଘରେ ଯାଇ ପୋଲିସ ତାଙ୍କୁ ଧରି ନେଇଗଲା । ଅନେକ ମାସ ଯାଏ ତାଙ୍କୁ ହାଜତରେ ରଖିଲା । ସେମାନେ ତାଙ୍କ ସହ ଅପରାଧୀ ଭଳି ବ୍ୟବହାର କଲେ । ଅନେକ ଦେଶର ମିଡିଆରୁ ଜଣାପଡ଼ିଲା ଯେ ତାଙ୍କ ସହ କʼଣ କʼଣ ହେଲା । ଖବରଗୁଡ଼ିକରୁ ଜଣାପଡ଼ିଲା ଯେ ତାଙ୍କୁ ମାରପିଟ୍‌ କରାଗଲା ଏବଂ ଅଫିସରମାନେ ଜବରଦସ୍ତି କଲେ ଯେ ସେ ସେନାର ଶପଥ ନେଉ ଏବଂ ସେନାର କପଡ଼ା ପିନ୍ଧୁ । କିଛି ସମୟ ପରେ ଅଦାଲତ ତାଙ୍କୁ ଦଣ୍ଡ ଦେଲା ଏବଂ ତାଙ୍କୁ ଜେଲ ହୋଇଗଲା । କିନ୍ତୁ କିଛି ସମୟ ପରେ ତାଜିକିସ୍ତାନର ରାଷ୍ଟ୍ରପତି ତାଙ୍କୁ ଛାଡ଼ି ଦେବା ପାଇଁ ଆଦେଶ ଦେଲେ । ଏପରି ସମସ୍ୟା ସମୟରେ ବି ଜୋଭିଡନ୍‌ ଖୁସି ରହିଲେ ଓ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । କାରଣ ତାଙ୍କ ଯିହୋବାଙ୍କ ସହ ମଜବୁତ୍‌ ସମ୍ପର୍କ ଥିଲା ।

ଜୋଭିଡନ୍‌ ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିଲେ, ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିଲେ ଏବଂ ସେ ଯିହୋବାଙ୍କ ଉପାସନାକୁ ସବୁଠୁ ଅଧିକ ମହତ୍ତ୍ୱ ଦେଲେ । (ପାରାଗ୍ରାଫ୍‌ ୧୫-୧୭)

୧୫. ଜୋଭିଡନ୍‌ ଜେଲରେ ମଧ୍ୟ ଯିହୋବାଙ୍କ ବିଷୟରେ କିପରି ଶିଖିବା ଜାରି ରଖିଲେ ?

୧୫ ଯେବେ ଜୋଭିଡନ୍‌ ଜେଲରେ ଥିଲେ ସେସମୟରେ ତାଙ୍କ ପାଖରେ ବାଇବଲ କିମ୍ବା ପ୍ରକାଶନ ନ ଥିଲା । ତଥାପି ସେ ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିଲେ । କିପରି ? ଯେଉଁ ଭାଇଭଉଣୀମାନେ ଜେଲରେ ତାଙ୍କ ପାଇଁ ଖାଇବା ପାଇଁ ଆଣୁଥିଲେ, ସେମାନେ ଖାଇବା ଥଳିରେ ପ୍ରତିଦିନର ପଦ ଲେଖି ଦେଉଥିଲେ । ଏପରି ଭାବେ ଜୋଭିଡନ୍‌ ପ୍ରତିଦିନ ବାଇବଲର ପଦ ପଢ଼ିପାରୁଥିଲେ ଓ ତାʼ ଉପରେ ଚିନ୍ତନ କରିପାରୁଥିଲେ । ଜେଲରୁ ବାହାରିଲା ପରେ ସେ କହନ୍ତି, “ଯେଉଁ ଭାଇଭଉଣୀମାନେ ଏବେ ଯାଏ କୌଣସି ବଡ଼ ସମସ୍ୟାର ସାମନା କରିନାହାନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ପାଖରେ ଯେବେ ଯାଏ ସ୍ୱାଧୀନତା ଅଛି, ଏହା ବହୁତ ଜରୁରୀ ଯେ ଆପଣ ଲଗାତାର ବାଇବଲ ପଢ଼ନ୍ତୁ, ପ୍ରକାଶନ ପଢ଼ନ୍ତୁ ଓ ଯେତେ ହୋଇପାରେ ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖନ୍ତୁ ।” 

୧୬. ଜୋଭିଡନ୍‌ ଜେଲରେ ଥିବା ସମୟରେ ବି କେଉଁ ବିଷୟରେ ଭାବୁଥିଲେ ?

୧୬ ଜୋଭିଡନ୍‌ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ଜାରି ରଖିଲେ । ସେ ଖରାପ କଥାଗୁଡ଼ିକୁ ବିଷୟରେ ଭାବିବା ପରିବର୍ତ୍ତେ ଯିହୋବାଙ୍କୁ କʼଣ ପସନ୍ଦ ସେବିଷୟରେ ଭାବିଲେ ଏବଂ ନିଜ ବ୍ୟବହାର ବି ଭଲ ରଖିଲେ । ଯେବେ ବି ତାଙ୍କୁ ସୁଯୋଗ ମିଳୁଥିଲା ସେ ଯିହୋବାଙ୍କ ସୃଷ୍ଟିକୁ ଧ୍ୟାନର ସହ ଦେଖୁଥିଲେ । ପ୍ରତିଦିନ ସକାଳେ ସେ ଚଢ଼େଇର ଚେଁ ଚେଁ ଆଉ ତାଙ୍କ ଗୀତ ଶୁଣୁଥିଲେ । ତାʼସହ ସେ ରାତିରେ ତାରା ଓ ଚନ୍ଦ୍ରକୁ ଦେଖୁଥଲେ । ସେ କହିଲେ, “ଯିହୋବାଙ୍କ ସୃଷ୍ଟି ମୋ ପାଇଁ କୌଣସି ଉପହାରରୁ କମ୍‌ ନୁହେଁ । ସେଥିରୁ ମୋତେ ବହୁତ ଖୁସି ମିଳିଲା ଓ ମୋର ଉତ୍ସାହ ବଢ଼ିଲା ।” ଯେବେ ଆମେ ବି ଯିହୋବାଙ୍କ ସୃଷ୍ଟିକୁ ଧ୍ୟାନର ସହ ଦେଖିବା ଓ ଲଗାତାର ବାଇବଲ ପଢ଼ିବା ତେବେ ଆମେ ବି ଖୁସିରେ ରହିପାରିବା । ଏଥିରୁ ଆମକୁ ବଡ଼ ବଡ଼ ସମସ୍ୟାର ସାମନା କରିବା ପାଇଁ ସାହସ ମିଳିବ । 

୧୭. ସମସ୍ୟା ଆସିବା ସମୟରେ ଯଦି ଆମେ ଜୋଭିଡନ୍‌ ଭଳି ବିଶ୍ୱସ୍ତ ରହିବା, ତେବେ ୧ ପିତର ୧:୬, ୭ ପଦ ଅନୁସାରେ କʼଣ ହେବ ?

୧୭ ଜୋଭିଡନ୍‌ ଯିହୋବାଙ୍କ ଉପାସନାକୁ ଅଧିକ ମହତ୍ତ୍ୱ ଦେଲେ । ଯୀଶୁ କହିଥିଲେ, “ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ ।” (ଲୂକ ୪:୮) ଜୋଭିଡନ୍‌ ଚାହୁଁଥିଲେ ଯେ ଯାହା ବି ହେଇଯାଉ ନା କାହିଁକି ସେ ଯିହୋବାଙ୍କ ବିଶ୍ୱସ୍ତ ରହିବେ । ସେନାର ଅଫିସରମାନେ ଓ ସୈନିକମାନେ ପୂରାପୂରି ଚେଷ୍ଟା କଲେ ଯେ ସେ ଯିହୋବାଙ୍କ ଉପାସନା କରିବା ଛାଡ଼ିଦିଅନ୍ତୁ । କିନ୍ତୁ ସେ ଦିନରାତି ଯିହୋବାଙ୍କୁ ପ୍ରାର୍ଥନା କଲେ, ତାଙ୍କୁ ସାହସ ମାଗିଲେ, ଯାହାଦ୍ୱାରା ସେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବେ । ଅଫିସରମାନେ ତାଙ୍କ ସହିତ ବହୁତ ଖରାପ ବ୍ୟବହାର କଲେ, କିନ୍ତୁ ସେ ହାର୍‌ ମାନିଲେନି ଆଉ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ପୋଲିସମାନେ ତାଙ୍କ ଘରକୁ ଆସି ତାଙ୍କୁ ଜବରଦସ୍ତି ନେଇଗଲେ, ତାଙ୍କ ସହ ମାରପିଟ୍‌ କଲେ, ଜେଲରେ ବନ୍ଦୀ କଲେ । ଏସବୁରୁ ତାଙ୍କ ବିଶ୍ୱାସର ପରୀକ୍ଷା ହେଲା । କିନ୍ତୁ ସେ ବହୁତ ଖୁସି ଅଛନ୍ତି । କାରଣ ତାଙ୍କ ବିଶ୍ୱାସ ଆଗ ଅପେକ୍ଷା ଆହୁରି ଅଧିକ ମଜବୁତ୍‌ ହୋଇଯାଇଛି ।୧ ପିତର ୧:୬, ୭ ପଢ଼ନ୍ତୁ ।

୧୮. ସମସ୍ୟା ସମୟରେ ବି ଆମେ ଖୁସି କିପରି ରହିପାରିବା ?

୧୮ ଯିହୋବା ଜାଣନ୍ତି ଯେ ଆମକୁ ପ୍ରକୃତ ଖୁସି କିପରି ମିଳିପାରିବ । ସେ ଏହା ବି କହିଛନ୍ତି ଯେ ଏହାକୁ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ । ଯଦି ଆମେ ସେହି ତିନୋଟି ପଦକ୍ଷେପ ନେବା ଯାହା ଆମେ ଏହି ଲେଖାରେ ପଢ଼ିଲୁ, ତେବେ ଆମ ଜୀବନରେ ଯେକୌଣସି ସମସ୍ୟା ଆସିଲେ ବି ଆମେ ଖୁସି ରହିପାରିବା । ଆଉ ସେସମୟରେ ଆପଣ ବି ଗୀତସଂହିତାର ଲେଖକ ଭଳି କହିପାରିବେ, ‘ଯିହୋବା ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ !’—ଗୀତ. ୧୪୪:୧୫.

ଗୀତ ୮୯ ଶୁନ୍‌ କେ ଆମାଲ କରେଁ

a କିଛି ଲୋକମାନଙ୍କୁ ଲାଗେ ଯେ ଯଦି ସେମାନେ ମଉଜମସ୍ତି କରିବେ, ସେମାନଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଥିବ, ବଡ଼ ନାମ ଥିବ ଓ ବଡ଼ ପଦବୀ ଥିବ, ତେବେ ସେମାନେ ଖୁସି ରହିବେ । କିନ୍ତୁ ଏଗୁଡ଼ିକରୁ ପ୍ରକୃତ ଖୁସି ମିଳେ ନାହିଁ । ଯେବେ ଯୀଶୁ ଏହି ପୃଥିବୀରେ ଥିଲେ, ତେବେ ସେ କହିଥିଲେ ଯେ ପ୍ରକୃତ ଖୁସି ପାଇବା ପାଇଁ ଆମକୁ କʼଣ କରିବାକୁ ହେବ । ଏହି ଲେଖାରେ ଆମେ ଜାଣିବା ଯେ ଆମେ କେଉଁ ତିନୋଟି ପଦକ୍ଷେପ ନେଲେ ଆମକୁ ପ୍ରକୃତ ଖୁସି ମିଳିପାରିବ ।

b ୧୫ ଅଗଷ୍ଟ, ୨୦୧୪ ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “କ୍ୟା ଆପକୋ ‘ସାହି ୱାକ୍ତପେ ଖାନା’ ମିଲ୍‌ ରାହା ହୈ ?” ପଢ଼ନ୍ତୁ ।

c ଆହୁରି ଅଧିକ ଜାଣିବା ପାଇଁ jw.orgର ଇଂରାଜୀ ୱେବସାଇଟ୍‌ରେ “ଯେହୋୱାଜ୍‌ ୱିଟ୍‌ନେସେସ୍‌ ଇମ୍‌ପ୍ରିଜଣ୍ଡ ଫର୍‌ ଦେଆର ଫେଥ୍‌” ଖୋଜନ୍ତୁ ।

d ଚିତ୍ର ବିଷୟରେ: ଯେବେ ଭାଇଭଉଣୀଙ୍କୁ ଗିରଫ କରି ଅଦାଲତ ନିଆଯାଏ, ତେବେ ଅନେକ ଭାଇଭଉଣୀ ତାଙ୍କ ପାଖରେ ଛିଡ଼ା ହୋଇ ତାଙ୍କ ଉତ୍ସାହ ବଢ଼ାନ୍ତି ।