इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଯଦି ଇସ୍ରାଏଲୀୟମାନେ ଯୁଦ୍ଧରେ ଲଢ଼ିପାରୁଥିଲେ, ତେବେ ଆମେ କାହିଁକି ଲଢ଼ିପାରିବାନି ?

ଯଦି ଇସ୍ରାଏଲୀୟମାନେ ଯୁଦ୍ଧରେ ଲଢ଼ିପାରୁଥିଲେ, ତେବେ ଆମେ କାହିଁକି ଲଢ଼ିପାରିବାନି ?

ଦ୍ୱିତୀୟ ବିଶ୍ୱଯୁଦ୍ଧର କଥା । ଜଣେ ନାଜି ଅଫିସର ଚିଲ୍ଲାଇକି କିଛି ଯିହୋବାଙ୍କ ସାକ୍ଷୀମାନଙ୍କୁ କହିଲା, “ଯଦି ତମେମାନେ ଫ୍ରାନ୍‌ସ ଓ ଇଂଲଣ୍ଡ ବିରୁଦ୍ଧରେ ଲଢ଼ିବନି, ତାହେଲେ ତମ ସମସ୍ତଙ୍କୁ ମାରି ଦିଆଯିବ ।” ସେଠାରେ ଅନେକ ନାଜି ଅଫିସର ବନ୍ଧୁକ ଧରି ଛିଡ଼ା ହୋଇଥିଲେ । ତଥାପି ଜଣେ ବି ଯିହୋବାଙ୍କ ସାକ୍ଷୀ ଡରିଯାଇ ସେମାନଙ୍କ କଥା ଶୁଣିଲେ ନାହିଁ । ସେମାନେ ସମସ୍ତେ ବହୁତ ସାହସୀ ଥିଲେ ! ଏଥିରୁ ଜଣାପଡ଼େ ଯେ ଯିହୋବାଙ୍କ ସାକ୍ଷୀମାନେ କʼଣ ବିଶ୍ୱାସ କରନ୍ତି । ଆମେ କେବେ ବି ଯୁଦ୍ଧରେ ଭାଗ ନେଇ ନ ଥାଉ, ଏପରିକି ଆମକୁ ଜୀବନରୁ ମାରି ଦିଆଯିବା ପାଇଁ ଧମକ ଦିଆଗଲେ ବି ଆମେ ଏପରି କରି ନ ଥାଉ ।

କିନ୍ତୁ ଖ୍ରୀଷ୍ଟ ଜଗତର ଅନେକ ଲୋକ ଏକଥାରେ ରାଜି ହୁଅନ୍ତିନି । ସେମାନେ ମାନନ୍ତି ଯେ ଜଣେ ଖ୍ରୀଷ୍ଟିୟାନ ନିଜ ଦେଶ ପାଇଁ ଲଢ଼ିପାରିବ ଆଉ ତାକୁ ଏପରି କରିବା ବି ଉଚିତ୍‌ । ସେମାନେ କହନ୍ତି, “ପ୍ରାଚୀନ କାଳରେ ଇସ୍ରାଏଲୀୟମାନେ ଈଶ୍ୱରଙ୍କ ଲୋକ ଥିଲେ । ଯଦି ସେମାନେ ଯୁଦ୍ଧ କରିପାରୁଥିଲେ, ତାହେଲେ ଆଜି ଖ୍ରୀଷ୍ଟିୟାନମାନେ ଏହା କାହିଁକି କରିପାରିବେନି ?” ଏପରି ସମୟରେ ଆମେ ସେମାନଙ୍କୁ କʼଣ କହିପାରିବା ? ଆମେ ସେମାନଙ୍କୁ ବୁଝାଇପାରିବା ଯେ ପ୍ରାଚୀନ ସମୟରେ ଇସ୍ରାଏଲୀୟମାନଙ୍କ ପରିସ୍ଥିତି ଓ ଆଜି ଈଶ୍ୱରଙ୍କ ଲୋକମାନଙ୍କର ପରିସ୍ଥିତି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଆସନ୍ତୁ ଏପରି ପାଞ୍ଚଟି ପାର୍ଥକ୍ୟ ବିଷୟରେ ଧ୍ୟାନ ଦେବା ।

୧. ଈଶ୍ୱରଙ୍କ ଲୋକମାନେ ଗୋଟିଏ ରାଷ୍ଟ୍ରରୁ ହିଁ ଥିଲେ

ପ୍ରାଚୀନ ସମୟରେ ଯିହୋବାଙ୍କ ଲୋକମାନେ ଗୋଟିଏ ରାଷ୍ଟ୍ରରୁ ହିଁ ଥିଲେ, ଅର୍ଥାତ୍‌ ଇସ୍ରାଏଲ ରାଷ୍ଟ୍ରରୁ । ଯିହୋବା ସେମାନଙ୍କ ବିଷୟରେ କହିଲେ ଯେ ସେମାନେ ‘ତାଙ୍କର ନିଜର ସଞ୍ଚିତ ଧନ’ ଅଟନ୍ତି । (ଯାତ୍ରା. ୧୯:୫) ସେ ସେମାନଙ୍କର ରହିବା ପାଇଁ ଗୋଟିଏ ଅଞ୍ଚଳ ମଧ୍ୟ ବାଛିଥିଲେ ଏବଂ ସେମାନେ ସମସ୍ତେ ସେହି ଅଞ୍ଚଳରେ ରହୁଥିଲେ । ତେଣୁ ଯେବେ ଯିହୋବା ସେମାନଙ୍କୁ ଯୁଦ୍ଧ କରିବା ପାଇଁ କହିଲେ, ତେବେ ପ୍ରକୃତରେ ସେମାନେ ଅନ୍ୟ ଦେଶଗୁଡ଼ିକ ସହ ଲଢ଼ୁଥିଲେ, ନିଜ ଲୋକମାନଙ୍କ ସହ ନୁହଁ । a

ଆଜି ଯିହୋବାଙ୍କ ସେବକମାନେ “ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ” ମଧ୍ୟରୁ ଅଟନ୍ତି । (ପ୍ରକା. ୭:୯) ତେଣୁ ଯଦି ଯିହୋବାଙ୍କ ସେବକମାନେ ଯୁଦ୍ଧରେ ଭାଗ ନେବେ, ତେବେ ହୁଏତ ସେମାନେ ବିରୋଧୀ ପକ୍ଷରେ ଥିବା ନିଜର ହିଁ ଭାଇଭଉଣୀଙ୍କ ସହ ଲଢ଼ୁଥିବେ ଓ ସେମାନଙ୍କର ହତ୍ୟା କରୁଥିବେ ।

୨. ଯିହୋବା ଇସ୍ରାଏଲୀୟମାନଙ୍କୁ ଯୁଦ୍ଧ କରିବାର ଆଜ୍ଞା ଦେଇଥିଲେ

ପ୍ରାଚୀନ ସମୟରେ ଯିହୋବା ନିଷ୍ପତ୍ତି ନେଉଥିଲେ ଯେ ଇସ୍ରାଏଲୀୟମାନଙ୍କୁ କେବେ ଓ କାହିଁକି ଯୁଦ୍ଧ କରିବାର ଅଛି । ଉଦାହରଣ ପାଇଁ ଯିହୋବା ଇସ୍ରାଏଲୀୟମାନଙ୍କୁ ଯେଉଁ ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ, ସେଠାରେ କିଣାନୀୟମାନେ ରହୁଥିଲେ । ସେମାନେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କର ଉପାସନା କରୁଥିଲେ, ଅନୈତିକ କାମ କରୁଥିଲେ ଓ ନିଜ ପିଲାମାନଙ୍କୁ ବଳି ଚଢ଼ାଉଥିଲେ । ଯିହୋବା ଚାହୁଁ ନ ଥିଲେ ଯେ ସେମାନଙ୍କ ଖରାପ ପ୍ରଭାବ ଇସ୍ରାଏଲୀୟମାନଙ୍କ ଉପରେ ପଡ଼ୁ, ତେଣୁ ସେ ଇସ୍ରାଏଲୀୟମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ କିଣାନୀୟମାନଙ୍କ ସହ ଯୁଦ୍ଧ କରି ସେମାନଙ୍କୁ ବିନାଶ କରିଦିଅନ୍ତୁ । (ଲେବୀ. ୧୮:୨୪, ୨୫) ପ୍ରତିଜ୍ଞାତ ଦେଶରେ ଯିବା ପରେ ମଧ୍ୟ ବେଳେବେଳେ ଇସ୍ରାଏଲୀୟମାନଙ୍କୁ ଶତ୍ରୁମାନେ ହଇରାଣ କରୁଥିଲେ । ତେଣୁ ଅନେକଥର ଯିହୋବା ସେମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ ନିଜକୁ ରକ୍ଷା କରିବା ପାଇଁ ସେମାନଙ୍କ ସହ ଯୁଦ୍ଧ କରନ୍ତୁ । (୨ ଶାମୁ. ୫:୧୭-୨୫) କିନ୍ତୁ ଯିହୋବା କେବେ ବି ଇସ୍ରାଏଲୀୟମାନଙ୍କୁ ଏହି ଅଧିକାର ଦେଲେ ନାହିଁ ଯେ ସେମାନେ ନିଜେ ନିର୍ଦ୍ଧାରିତ କରନ୍ତୁ ଯେ ସେମାନଙ୍କୁ କାହା ସହିତ ଯୁଦ୍ଧ କରିବାର ଅଛି । ଯେବେ ବି ସେମାନେ ନିଜ ଇଚ୍ଛାରେ ଏପରି କଲେ, ତେବେ ସେମାନଙ୍କୁ ଅନେକ ଖରାପ ପରିଣାମ ଭୋଗିବାକୁ ପଡ଼ିଲା ।—ଗଣ. ୧୪:୪୧-୪୫; ୨ ବଂଶା. ୩୫:୨୦-୨୪.

ଆଜି ଯିହୋବା ମଣିଷମାନଙ୍କୁ ଏହା ଅଧିକାର ଦେଇନାହାନ୍ତି ଯେ ସେମାନେ ପରସ୍ପର ସହିତ ଯୁଦ୍ଧ କରନ୍ତୁ । ତଥାପି ଆଜି ଅନେକ ଦେଶ ପରସ୍ପର ସହିତ ଲଢ଼ନ୍ତି । କିନ୍ତୁ ଏପରି ଯୁଦ୍ଧଗୁଡ଼ିକରେ ସେମାନେ ନିଜର ହିଁ ଲାଭ ବିଷୟରେ ଭାବନ୍ତି । ଏଥିରୁ ଈଶ୍ୱରଙ୍କ କୌଣସି ଉଦ୍ଦେଶ୍ୟ ପୂରା ହୁଏନି । ଅନେକଥର ସେମାନେ ନିଜ ସୀମା ବଢ଼ାଇବା ପାଇଁ, ଧନୀ ହେବା ପାଇଁ କିମ୍ବା ରାଜନୈତିକ ମାମଲାଗୁଡ଼ିକ ଯୋଗୁଁ ଯୁଦ୍ଧ କରନ୍ତି । କିଛି ଲୋକ ଧର୍ମର ନାଁରେ ମଧ୍ୟ ଯୁଦ୍ଧ କରନ୍ତି । ସେମାନେ କହନ୍ତି ଆମେ ଈଶ୍ୱରଙ୍କ ଶତ୍ରୁମାନଙ୍କୁ ମାରୁଛୁ କିମ୍ବା ଯଦି ଆମେ ଏପରି କରିବାନି ତେବେ ଆମ ଧର୍ମ ବିନାଶ ହୋଇପାରେ । କିନ୍ତୁ ଯିହୋବାଙ୍କ ଲୋକମାନଙ୍କୁ ଏକଥାର ଚିନ୍ତା ନ ଥାଏ । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ନିଜ ଉପାସକମାନଙ୍କ ରକ୍ଷା କରିବେ ଓ ନିଜ ଶତ୍ରୁମାନଙ୍କୁ ବିନାଶ କରିଦେବେ । କିନ୍ତୁ ସେ ଏହା ଏବେ କରିବେନି, ସେ ଏହା ଭବିଷ୍ୟତରେ କରିବେ ଅର୍ଥାତ୍‌ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ । (ପ୍ରକା. ୧୬:୧୪, ୧୬) ସେସମୟରେ ଯିହୋବା ନିଜ ସ୍ୱର୍ଗୀୟ ସେନାକୁ ଯୁଦ୍ଧ ପାଇଁ ପଠାଇବେ, ପୃଥିବୀରେ ଥିବା ନିଜ ସେବକମାନଙ୍କୁ ନୁହଁ ।—ପ୍ରକା. ୧୯:୧୧-୧୫.

୩. ଇସ୍ରାଏଲୀୟମାନେ ସେହି ଲୋକମାନଙ୍କୁ ଛାଡ଼ିଦେଲେ ଯେଉଁମାନେ ଯିହୋବାଙ୍କ ଉପରେ ବିଶ୍ୱାସ କଲେ

ଯିହୋବା ରାହାବ ଓ ତାଙ୍କ ପରିବାର ଉପରେ ଦୟା କଲେ । କʼଣ ଆଜି ବି ଯୁଦ୍ଧଗୁଡ଼ିକରେ ସେହି ଲୋକମାନଙ୍କ ଉପରେ ଦୟା କରାଯାଏ, ଯେଉଁମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ?

ପ୍ରାଚୀନ ସମୟରେ ଇସ୍ରାଏଲୀୟ ସୈନିକମାନେ କେବଳ ସେହି ଲୋକମାନଙ୍କୁ ଜୀବନରୁ ମାରିଦେଲେ ଯେଉଁମାନଙ୍କୁ ଈଶ୍ୱର ଦଣ୍ଡର ଯୋଗ୍ୟ ବୋଲି କହିଥିଲେ । କିନ୍ତୁ ସେମାନେ ସେହି ଲୋକମାନଙ୍କୁ ଛାଡ଼ିଦେଲେ, ଯେଉଁମାନେ ଯିହୋବାଙ୍କ ଉପରେ ବିଶ୍ୱାସ କଲେ । ଯେପରି, ଇସ୍ରାଏଲୀୟମାନଙ୍କୁ ଆଦେଶ ଦିଆଗଲା ଯେ ସେମାନେ ଯିରୀହୋ ସହରକୁ ବିନାଶ କରନ୍ତୁ । କିନ୍ତୁ ସେମାନେ ରାହାବ ଓ ତାଙ୍କ ପରିବାରକୁ ଛାଡ଼ିଦେଲେ, କାରଣ ରାହାବ ଯିହୋବାଙ୍କ ଉପରେ ବିଶ୍ୱାସ କଲେ । (ଯିହୋ. ୨:୯-୧୬; ୬:୧୬, ୧୭) ଆଉ ଆଗକୁ ଯାଇ ଯେବେ ଗିବିୟୋନ ସହରକୁ ବିନାଶ କରିବାର ସମୟ ଆସିଲା, ତେବେ ଇସ୍ରାଏଲୀୟମାନେ ସେଠାକାର ଲୋକମାନଙ୍କୁ ମଧ୍ୟ ବିନାଶ କଲେ ନାହିଁ । କାରଣ ଗିବିୟୋନର ଲୋକମାନେ ବିଶ୍ୱାସ କଲେ ଯେ ଯିହୋବା ହିଁ ସତ୍ୟ ଈଶ୍ୱର ଅଟନ୍ତି ।—ଯିହୋ. ୯:୩-୯, ୧୭-୧୯.

ଆଜି ଯେବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ ସୈନିକମାନେ ଏହା ଦେଖନ୍ତିନି ଯେ ଅନ୍ୟ ପକ୍ଷର ଲୋକମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନା ନାହିଁ । ସେମାନେ କାହାରି ଉପରେ ବି ଦୟା କରନ୍ତି ନାହିଁ । ଆଉ ପ୍ରାୟ ଏପରି ଯୁଦ୍ଧଗୁଡ଼ିକ ଯୋଗୁଁ ଅନେକ ନିର୍ଦ୍ଦୋଷ ଲୋକମାନଙ୍କର ଜୀବନ ଚାଲିଯାଏ ।

୪. ଯୁଦ୍ଧ ମାମଲାରେ ଇସ୍ରାଏଲୀୟମାନଙ୍କୁ ଈଶ୍ୱରଙ୍କ ନିୟମ ମାନିବାର ଥିଲା

ପ୍ରାଚୀନ ସମୟରେ ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଯୁଦ୍ଧ କରିବା ମାମଲାରେ କିଛି ନିର୍ଦ୍ଦେଶ ଦେଇଥିଲେ ଓ ସେମାନଙ୍କୁ ସେହି ନିୟମ ମାନିବାର ଥିଲା । ଯେପରି, ଅନେକଥର ଯିହୋବା ସେମାନଙ୍କୁ କହିଲେ ଯେ ସେମାନେ କୌଣସି ସହରରେ ଯୁଦ୍ଧ କରିବା ପୂର୍ବରୁ ସେଠାକାର ଲୋକମାନଙ୍କ ସାମନାରେ “ସନ୍ଧିର କଥା” କହନ୍ତୁ । (ଦ୍ୱିବି. ୨୦:୧୦) ଯିହୋବା ସେମାନଙ୍କୁ ଏହା ବି କହିଥିଲେ ଯେ ସେମାନେ ନିଜକୁ ଓ ନିଜ ଛାଉଣୀକୁ ସଫାସୁତୁରା ରଖନ୍ତୁ ଓ ତାଙ୍କ ନୈତିକ ସ୍ତରଗୁଡ଼ିକୁ ମାନନ୍ତୁ । (ଦ୍ୱିବି. ୨୩:୯-୧୪) ଯଦି ଇସ୍ରାଏଲ ଦେଶର ଆଖପାଖ ଦେଶଗୁଡ଼ିକୁ ଦେଖିବା, ଯେବେ ବି ସେମାନେ କୌଣସି ଅଞ୍ଚଳକୁ କବ୍ଜା କଲେ, ତେବେ ସେମାନଙ୍କ ସୈନିକମାନେ ପ୍ରାୟ ସେଠାକାର ସ୍ତ୍ରୀମାନଙ୍କର ବଳାତ୍କାର କରୁଥିଲେ । କିନ୍ତୁ ଯିହୋବା ଇସ୍ରାଏଲୀୟମାନଙ୍କୁ ଏପରି କରିବାରୁ ସ୍ପଷ୍ଟ ମନା କରିଥିଲେ । ଯିହୋବା ଇସ୍ରାଏଲୀୟ ସୈନିକମାନଙ୍କୁ ଏହା ବି କହିଥିଲେ ଯେ ଯଦି ସେମାନେ କୌଣସି ସହରକୁ କବ୍ଜା କରନ୍ତି, ତେବେ ସେମାନେ ତୁରନ୍ତ ସେଠାକାର ସ୍ତ୍ରୀକୁ ବିବାହ କରିପାରିବେ ନାହିଁ । ଏପରି କରିବା ପାଇଁ ସେମାନଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ନ୍ତା ।—ଦ୍ୱିବି. ୨୧:୧୦-୧୩

ଆଜି ଅଧିକାଂଶ ଦେଶଗୁଡ଼ିକ ପରସ୍ପର ମଧ୍ୟରେ ନିର୍ଦ୍ଧାରିତ କରିଛନ୍ତି ଯେ ଯୁଦ୍ଧ ସମୟରେ ସେମାନେ କିଛି ନିୟମଗୁଡ଼ିକୁ ମାନିବେ । ଏହି ନିୟମଗୁଡ଼ିକୁ ସାଧାରଣ ଜନତାମାନଙ୍କର ସୁରକ୍ଷା ପାଇଁ ତିଆରି କରାଯାଇଥାଏ । କିନ୍ତୁ ଦୁଃଖର କଥା ଅଧିକାଂଶ ସମୟରେ ଏହି ନିୟମଗୁଡ଼ିକୁ ଭାଙ୍ଗି ଦିଆଯାଏ ।  

୫. ଯିହୋବା ଇସ୍ରାଏଲୀୟମାନଙ୍କ ତରଫରୁ ଲଢ଼ିଲେ  

ଯିରୀହୋରେ ଯିହୋବା ଇସ୍ରାଏଲ ରାଷ୍ଟ୍ର ତରଫରୁ ଲଢ଼ିଲେ । କʼଣ ଆଜି ବି ସେ କୌଣସି ଦେଶ ତରଫରୁ ଲଢ଼ନ୍ତି ?

ପ୍ରାଚୀନ ସମୟରେ ଯୁଦ୍ଧ ହେଉଥିବା ସମୟରେ ଯିହୋବା ଇସ୍ରାଏଲୀମାନଙ୍କ ସହିତ ରହିଲେ ଓ ଅନେକଥର ଚମତ୍କାର କରି ଯିହୋବା ସେମାନଙ୍କୁ ଜିତିବା ପାଇଁ ସାହାଯ୍ୟ କଲେ । ମନେ ପକାନ୍ତୁ ଯେ ଯିହୋବା ଇସ୍ରାଏଲୀୟମାନଙ୍କୁ ଯିରୀହୋ ସହରକୁ ଜିତିବା ପାଇଁ କିପରି ସାହାଯ୍ୟ କଲେ । ଯିହୋବାଙ୍କ ଆଦେଶ ମିଳିବା ପରେ ଇସ୍ରାଏଲୀୟମାନେ ‘ମହାଜୟଧ୍ୱନିରେ ଜୟଧ୍ୱନି କଲେ’ ଆଉ ତାʼପରେ “ପ୍ରାଚୀର ପଡ଼ି ସମଭୂମି ହେଲା ।” ଏପରି ଭାବେ ଇସ୍ରାଏଲୀୟମାନେ ସହଜରେ ସହର ଉପରେ କବ୍ଜା କରିପାରିଲେ । (ଯିହୋ. ୬:୨୦) ଇମୋରୀୟମାନଙ୍କୁ ମଧ୍ୟ ଯୁଦ୍ଧରେ ହରାଇବା ପାଇଁ ଯିହୋବା ସାହାଯ୍ୟ କଲେ । ସେ “ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ” ଆଉ ସେହି ଯୁଦ୍ଧରେ “ଇସ୍ରାଏଲ ସନ୍ତାନମାନେ ଖଡ଼୍‌ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ ।”—ଯିହୋ. ୧୦:୬-୧୧

ଆଜି ଯିହୋବା କୌଣସି ଦେଶ ତରଫରୁ ଯୁଦ୍ଧ କରନ୍ତି ନାହିଁ । ତାଙ୍କ ରାଜ୍ୟ “ଏହି ଜଗତ ସମ୍ବନ୍ଧୀୟ ନୁହେଁ ” ଆଉ ଏହି କଥା ନିଜେ ଈଶ୍ୱରଙ୍କ ରାଜ୍ୟର ରାଜା ଯୀଶୁ କହିଥିଲେ । (ଯୋହ. ୧୮:୩୬) ଆଜି ମନୁଷ୍ୟ ସରକାର ଶୟତାନ ଅଧୀନରେ ଅଛି । ତେଣୁ ଆଜି ଯାହା ବି ଯୁଦ୍ଧ ହେଉଛି, ତାʼ ପଛରେ ତାʼର ହିଁ ହାତ ରହିଛି । ଆଉ ସେ ନିଜେ ଏତେ ନିଷ୍ଠୁର, ତେଣୁ ଲୋକମାନେ ବି ଯୁଦ୍ଧରେ ଏତେ ନିଷ୍ଠୁର ଭାବେ ପରସ୍ପରର ହତ୍ୟା କରନ୍ତି ।—ଲୂକ ୪:୫, ୬; ୧ ଯୋହ. ୫:୧୯

ସତ୍ୟ ଖ୍ରୀଷ୍ଟିୟାନମାନେ ଅନ୍ୟମାନଙ୍କ ସହିତ ଶାନ୍ତି ବଜାୟ ରଖନ୍ତି

ଯେପରି ଆମେ ଦେଖିଲୁ, ଆମ ପରିସ୍ଥିତି ଓ ଇସ୍ରାଏଲୀୟମାନଙ୍କ ପରିସ୍ଥିତିରେ ବହୁତ ପାର୍ଥକ୍ୟ ରହିଛି । କିନ୍ତୁ କେବଳ ଏହି କାରଣ ଯୋଗୁଁ ଆମେ ଯୁଦ୍ଧରେ ଭାଗ ନେବାରୁ ମନା କରି ନ ଥାଉ । ଏହାର ଆହୁରି ଅନେକ କାରଣ ରହିଛି । ଯେପରି, ଯିହୋବା ଭବିଷ୍ୟତବାଣୀ କରିଥିଲେ ଯେ ଶେଷ କାଳରେ ତାଙ୍କ ଲୋକମାନେ “ଆଉ ଯୁଦ୍ଧ ଶିଖିବେ ନାହିଁ,” ତେବେ ଯୁଦ୍ଧରେ ଭାଗ ନେବାର ପ୍ରଶ୍ନ ହିଁ ଉଠେ ନାହିଁ । (ଯିଶା. ୨:୨-୪) ତାʼଛଡ଼ା ଯୀଶୁ କହିଥିଲେ ଯେ ତାଙ୍କ ଶିଷ୍ୟମାନେ ‘ଜଗତରୁ ଉତ୍ପନ୍ନ ହେବେ ନାହିଁ,’ ଅର୍ଥାତ୍‌ ସେମାନେ ଦୁନିଆର ଝଗଡ଼ାଗୁଡ଼ିକରେ କାହାରି ପକ୍ଷ ନେବେ ନାହିଁ ।—ଯୋହ. ୧୫:୧୯.

ଯୁଦ୍ଧ କରିବା ତ ଦୂରର କଥା, ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସେମାନେ ଅନ୍ୟମାନଙ୍କ ପାଇଁ ନିଜ ମନରେ ରାଗ, କ୍ରୋଧ ଓ ଘୃଣାଭାବ ବି ରଖିବା ଉଚିତ୍‌ ନୁହେଁ । (ମାଥି. ୫:୨୧, ୨୨) ତାʼସହ ସେ ସେମାନଙ୍କୁ “ଶାନ୍ତିକାରକ” ହେବା ପାଇଁ ଓ ନିଜ ଶତ୍ରୁମାନଙ୍କୁ ପ୍ରେମ କରିବା ପାଇଁ ମଧ୍ୟ କହିଥିଲେ ।—ମାଥି. ୫:୯, ୪୪.

ନିଶ୍ଚୟ, ଆଜି ଆମେ କୌଣସି ଯୁଦ୍ଧରେ ଭାଗ ନେବାନି । କିନ୍ତୁ କʼଣ ଆମେ ନିଜ ମନରେ ଅନ୍ୟ ଭାଇଭଉଣୀଙ୍କ ପ୍ରତି ରାଗ ରଖିବାକୁ ଲାଗିଛୁ ? ଯଦି ଏପରି ହିଁ ଚାଲେ, ତେବେ ମଣ୍ଡଳୀର ପ୍ରେମ ଓ ଏକତା ବିପଦରେ ପଡ଼ିପାରେ । ତେଣୁ ଆମ ମନରୁ ଘୃଣାଭାବକୁ ବାହାର କରିବା ବହୁତ ଜରୁରୀ ଅଟେ ।—ଯାକୁ. ୪:୧, ୧୧.

ଆମେ ଯୁଦ୍ଧରେ ଭାଗ ନେଇ ନ ଥାଉ, ବରଂ ପ୍ରେମ ଓ ଶାନ୍ତିରେ ରହିବା ପାଇଁ ବହୁତ ପରିଶ୍ରମ କରିଥାଉ । (ଯୋହ. ୧୩:୩୪, ୩୫) ଆମେ ସେହି ଦିନର ଆଗ୍ରହର ସହ ଅପେକ୍ଷା କରୁଛୁ, ଯେବେ ଯିହୋବା ଯୁଦ୍ଧକୁ ସବୁଦିନ ପାଇଁ ବିନାଶ କରିଦେବେ । କିନ୍ତୁ ସେସମୟ ଯାଏ ଆମେ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ଦୁନିଆର ଝଗଡ଼ାଗୁଡ଼ିକ ଓ ଯୁଦ୍ଧଗୁଡ଼ିକରେ କାହାରି ପକ୍ଷ ନେବାନି ।—ଗୀତ. ୪୬:୯.

a ବେଳେବେଳେ ଇସ୍ରାଏଲ ଗୋତ୍ରଗୁଡ଼ିକ ପରସ୍ପର ସହ ଯୁଦ୍ଧ କଲେ, କିନ୍ତୁ ଯିହୋବାଙ୍କୁ ଏହା ବିଲକୁଲ୍‌ ଭଲ ଲାଗିଲାନି । (୧ ରାଜା. ୧୨:୨୪) କିନ୍ତୁ ବେଳେବେଳେ ଯିହୋବା ଏପରି ଯୁଦ୍ଧଗୁଡ଼ିକୁ ମଞ୍ଜୁରି ଦେଇଥିଲେ । କାରଣ କିଛି ଗୋତ୍ର ତାଙ୍କ ବିରୁଦ୍ଧରେ ହୋଇଯାଇଥିଲେ କିମ୍ବା ସେମାନେ କୌଣସି ଗମ୍ଭୀର ପାପ କରିଥିଲେ ।—ବିଚା. ୨୦:୩-୩୫; ୨ ବଂଶା. ୧୩:୩-୧୮; ୨୫:୧୪-୨୨; ୨୮:୧-୮.