ଅଧ୍ୟୟନ ଲେଖା ୪୫
ଯିହୋବାଙ୍କ ମହାନ ମନ୍ଦିରରେ ସେବା କରିବା—ଗୋଟିଏ ବିଶେଷ ଆଶିଷ
‘ଯେ ଆକାଶ ଓ ପୃଥିବୀ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ଉପାସନା କର ।’—ପ୍ରକା. ୧୪:୭.
ଗୀତ ୯୩ ହାମାରି ସଭାଓଁ ପର୍ ଆଶିଷ ଦେ
ଲେଖାର ଝଲକ a
୧. ଜଣେ ସ୍ୱର୍ଗଦୂତ କʼଣ କହୁଛନ୍ତି ଆଉ ଏବିଷୟରେ ଭାବି ଆମକୁ କିପରି ଲାଗେ ?
ଭାବନ୍ତୁ, ଯଦି ଜଣେ ସ୍ୱର୍ଗଦୂତ ଆସି ଆପଣଙ୍କ ସହ କଥା ହେବେ, ତେବେ କʼଣ ଆପଣ ତାଙ୍କ କଥା ଶୁଣିବେ ? ପ୍ରକୃତରେ ଜଣେ ସ୍ୱର୍ଗଦୂତ “ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ” ସହ କଥା ହେଉଛନ୍ତି । ସେ କʼଣ କହୁଛନ୍ତି ? ‘ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ପ୍ରଦାନ କର, ଯେ ଆକାଶ ଓ ପୃଥିବୀର ସୃଷ୍ଟି କରିଅଛନ୍ତି, ତାହାଙ୍କୁ ଉପାସନା କର ।’ (ପ୍ରକା. ୧୪:୬, ୭) ଯିହୋବା ହିଁ ସତ୍ୟ ଈଶ୍ୱର ଅଟନ୍ତି ଆଉ ସମସ୍ତ ଲୋକଙ୍କୁ ତାଙ୍କ ଉପାସନା କରିବା ଉଚିତ୍ । ଆମ ପାଇଁ ଏହା କେତେ ବଡ଼ ସମ୍ମାନର କଥା ଯେ ଯିହୋବା ଆମକୁ ତାଙ୍କ ମହାନ ମନ୍ଦିରରେ ଉପାସନା କରିବାର ସୁଯୋଗ ଦେଇଛନ୍ତି । ଏଥିପାଇଁ ଆମେ ଯିହୋବାଙ୍କ ବହୁତ କୃତଜ୍ଞ ଅଟୁ ।
୨. ମହାନ ମନ୍ଦିରର ଅର୍ଥ କʼଣ ? (“ ମହାନ ମନ୍ଦିର କʼଣ ନୁହେଁ ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୨ ପ୍ରକୃତରେ ମହାନ ମନ୍ଦିର କʼଣ ଅଟେ ଆଉ ଆମେ ଏହା ବିଷୟରେ କିପରି ଜାଣିପାରିବା ? ଏହି ମନ୍ଦିର ପ୍ରକୃତରେ କୌଣସି ବିଲ୍ଡିଙ୍ଗ ନୁହେଁ । ଏହାର ଅର୍ଥ ଅଟେ, ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟର ଆଧାରରେ ଶୁଦ୍ଧ ଉପାସନା କରିବା ପାଇଁ ଯିହୋବାଙ୍କ ବ୍ୟବସ୍ଥା । ପ୍ରେରିତ ପାଉଲ ଏହି ବ୍ୟବସ୍ଥା ବିଷୟରେ ସେହି ଚିଠିରେ ବୁଝାଇଲେ ଯାହା ସେ ପ୍ରଥମ ଶତାବ୍ଦୀରେ ଯିହୁଦାରେ ରହୁଥିବା ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିଲେ । b
୩-୪. ପାଉଲ କେଉଁ କଥାଗୁଡ଼ିକୁ ନେଇ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କ ଚିନ୍ତା କରୁଥିଲେ ? ଆଉ ସେ ସେମାନଙ୍କୁ କିପରି ସାହାଯ୍ୟ କଲେ ?
୩ ଯିହୁଦାରେ ରହୁଥିବା ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ପାଉଲ କାହିଁକି ଚିଠି ଲେଖିଲେ ? ବୋଧେ ତାʼର ଦୁଇଟି କାରଣ ହୋଇପାରେ । ପ୍ରଥମ, ସେ ସେମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଚାହୁଁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଖ୍ରୀଷ୍ଟିୟାନ ପୂର୍ବରୁ ଯିହୁଦୀ ଥିଲେ, ତେଣୁ ହୁଏତ ଯିହୁଦୀ ଧର୍ମଗୁରୁମାନେ ସେମାନଙ୍କ ଥଟ୍ଟା କଲେ ଯେ ଏବେ ସେମାନେ ଖ୍ରୀଷ୍ଟିୟାନ ହୋଇଯାଇଛନ୍ତି । ଏବେ ସେମାନଙ୍କ ପାଖରେ ଉପାସନା କରିବା ପାଇଁ କୌଣସି ବିଶାଳ ମନ୍ଦିର ନ ଥିଲା ଏବଂ ବଳି ଚଢ଼ାଇବା ପାଇଁ କୌଣସି ବେଦି ନ ଥିଲା ଓ ଯାଜକ ମଧ୍ୟ ନ ଥିଲେ । ଏସବୁ କାରଣରୁ ସେହି ଖ୍ରୀଷ୍ଟିୟାନମାନେ ନିରାଶ ହୋଇପାରନ୍ତେ ଏବଂ ସେମାନଙ୍କ ବିଶ୍ୱାସ ଦୁର୍ବଳ ହୋଇପାରନ୍ତା । (ଏବ୍ରୀ ୨:୧; ୩:୧୨, ୧୪) କିଛି ଯିହୁଦୀ ହୁଏତ ପୁଣିଥରେ ଯିହୁଦୀ ଧର୍ମ ଆପଣାଇବା ପାଇଁ ଭାବିବାକୁ ଲାଗିଥିବେ ।
୪ ଦ୍ୱିତୀୟ କାରଣ, ସେହି ଖ୍ରୀଷ୍ଟିୟାନମାନେ ଯେତେ ଜାଣିଥିଲେ ସେତିକିରେ ହିଁ ଖୁସି ଥିଲେ । ସେମାନେ କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରୁ ନ ଥିଲେ, ଏପରିକି ବାଇବଲ ବାକ୍ୟର “ଗୁରୁପାକ ଖାଦ୍ୟ” ନେବା ପାଇଁ ଅର୍ଥାତ୍ ଗଭୀର କଥାଗୁଡ଼ିକୁ ବୁଝିବା ପାଇଁ ବି ଚେଷ୍ଟା କରୁ ନ ଥିଲେ । (ଏବ୍ରୀ ୫:୧୧-୧୪) ଏପରି ଲାଗେ ଯେ ସେମାନଙ୍କ ମଧ୍ୟରୁ କିଛି ଖ୍ରୀଷ୍ଟିୟାନ ଏବେ ବି ମୋଶାଙ୍କ ବ୍ୟବସ୍ଥାକୁ ମାନୁଥିଲେ । ତେଣୁ ପାଉଲ ସେମାନଙ୍କୁ ବୁଝାଇଲେ ଯେ ଏହି ବ୍ୟବସ୍ଥା ଅନୁସାରେ ଯେଉଁ ବଳିଦାନ ଚଢ଼ାଯାଉଥିଲା ସେଥିରୁ ସେମାନଙ୍କ ପାପର ପୂରାପୂରି କ୍ଷମା ମିଳିପାରନ୍ତାନି । ତେଣୁ ସେହି ବ୍ୟବସ୍ଥାକୁ “ଲୋପ” ବା ରଦ୍ଦ କରିଦିଆଗଲା । ତାʼପରେ ପାଉଲ ସେମାନଙ୍କୁ କିଛି ଗଭୀର କଥାଗୁଡ଼ିକ ବିଷୟରେ ଶିଖାଇଲେ । ଆଉ ସେହି ଖ୍ରୀଷ୍ଟିୟାନମାନଙ୍କୁ ମନେ ପକାଇଦେଲେ ଯେ ଯୀଶୁଙ୍କ ବଳିଦାନରୁ ହିଁ ସେମାନଙ୍କୁ ‘ଶ୍ରେଷ୍ଠତର ଆଶା’ ମିଳିଛି, ଯେଉଁଥିରୁ ସେମାନେ ପ୍ରକୃତରେ “ଈଶ୍ୱରଙ୍କ ନିକଟବର୍ତ୍ତୀ” ହୋଇପାରିବେ ।—ଏବ୍ରୀ ୭:୧୮, ୧୯.
୫. ଆମକୁ କେଉଁ ବ୍ୟବସ୍ଥାକୁ ବୁଝିବା ବହୁତ ଜରୁରୀ ଏବଂ ଏପରି କରି ଆମକୁ କʼଣ ଲାଭ ହେବ ?
୫ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ଏବେ ସେମାନେ ଯେପରି ଭାବେ ଯିହୋବାଙ୍କ ଉପାସନା କରୁଛନ୍ତି, ତାହା କାହିଁକି ଆଗ ଅପେକ୍ଷା ଉତ୍ତମ ଅଟେ । ସେ କହିଲେ ଯେ ଯିହୁଦୀମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଯେପରି ଉପାସନା କରୁଥିଲେ, ତାହା “ଆଗାମୀ ବିଷୟର ଛାୟାମାତ୍ର, କିନ୍ତୁ ବାସ୍ତବ ବିଷୟ ଖ୍ରୀଷ୍ଟ” ଅଟନ୍ତି । (କଲ. ୨:୧୭) କୌଣସି ଜିନିଷର ଛାୟା ଦେଖିଲେ ଆମେ ଅନୁମାନ କରିପାରୁ ଯେ ତାହା କʼଣ ହୋଇଥିବ । ଠିକ୍ ସେହିପରି ଯିହୁଦୀମାନେ ଯେପରି ଉପାସନା କରୁଥିଲେ, ତାହା ଉତ୍ତମ ଉପାୟରେ ଯିହୋବାଙ୍କ ଉପାସନା କରିବାର ବ୍ୟବସ୍ଥାର (ଅର୍ଥାତ୍ ଯିହୋବାଙ୍କ ମହାନ ମନ୍ଦିରର) ଏକ ଛାୟା ଥିଲା । ଯିହୋବା ଚାହାନ୍ତି ଯେ ଆମକୁ ନିଜ ପାପର କ୍ଷମା ମିଳୁ ଆଉ ଆମେ ସେହିପରି ଉପାସନା କରିପାରୁ ଯେପରି ସେ ଚାହାନ୍ତି, ତେଣୁ ସେ ଏହାର ବ୍ୟବସ୍ଥା କଲେ । ଏଥିପାଇଁ ଏହି ବ୍ୟବସ୍ଥାକୁ ବୁଝିବା ଆମ ପାଇଁ ବହୁତ ଜରୁରୀ । ଆସନ୍ତୁ ଏହାକୁ ଜାଣିବା ପାଇଁ ଚେଷ୍ଟା କରିବା ଯେ “ଛାୟା” (ପ୍ରାଚୀନ ସମୟରେ ଯିହୁଦୀମାନଙ୍କ ଉପାସନା କରିବାର ଉପାୟ) କʼଣ ଅଟେ ଏବଂ “ବାସ୍ତବ” (ଖ୍ରୀଷ୍ଟିୟାନମାନଙ୍କ ଉପାସନା କରିବାର ଉପାୟ) କʼଣ ଅଟେ, ଯାହା ବିଷୟରେ ଏବ୍ରୀ ବହିରେ କୁହାଯାଇଛି । ଏପରି କଲେ ଆମେ ଆହୁରି ଭଲଭାବେ ଜାଣିପାରିବା ଯେ ଯିହୋବାଙ୍କ ମହାନ ମନ୍ଦିର କʼଣ ଏବଂ ଏହା ଆମ ପାଇଁ କିପରି ମହତ୍ତ୍ୱ ରଖେ ।
ଆବାସ
୬. ପବିତ୍ର ତମ୍ବୁରେ କʼଣ ହେଉଥିଲା ?
୬ ଛାୟା । ପାଉଲ ସେହି ଆବାସକୁ (ପବିତ୍ର ତମ୍ବୁ) ଧ୍ୟାନରେ ରଖି କଥା ହେଲେ, ଯାହାକୁ ମୋଶା ଖ୍ରୀଷ୍ଟ ପୂର୍ବ ୧୫୧୨ ମସିହାରେ ତିଆରି କରାଇଥିଲେ । (“ଛାୟା—ବାସ୍ତବ” ନାମକ ଚାର୍ଟ ଦେଖନ୍ତୁ ।) ଏହି ପବିତ୍ର ଆବାସ ତମ୍ବୁ ଭଳି ଥିଲା, ଯେଉଁଠାରେ ଇସ୍ରାଏଲୀୟମାନେ ଯିହୋବାଙ୍କୁ ବଳିଦାନ ଚଢ଼ାଇବା ଓ ଉପାସନା କରିବା ପାଇଁ ଆସୁଥିଲେ । ଏହି ତମ୍ବୁକୁ “ସମାଗମ-ତମ୍ବୁ” ମଧ୍ୟ କୁହାଯାଉଥିଲା । (ଯାତ୍ରା. ୨୯:୪୩-୪୬) ପ୍ରାନ୍ତରରେ ଇସ୍ରାଏଲୀୟମାନେ ଯେଉଁଠି ବି ଯାଉଥିଲେ, ସେମାନେ ଏହାକୁ ସାଙ୍ଗରେ ନେଇଯାଉଥିଲେ । ପ୍ରାୟ ୫୦୦ ବର୍ଷ ଯାଏଁ ସେମାନେ ସେଥିରେ ଉପାସନା କଲେ, ଯେତେ ଯାଏଁ ଯିରୂଶାଲମରେ ମନ୍ଦିର ତିଆରି ହେଲାନି । (ଯାତ୍ରା. ୨୫:୮, ୯; ଗଣ. ୯:୨୨) କିନ୍ତୁ ଏହି ତମ୍ବୁ ଏକ ଉତ୍ତମ ବିଷୟର ପ୍ରତୀକ ଥିଲା, ଯାହା ଖ୍ରୀଷ୍ଟିୟାନମାନଙ୍କ ପାଇଁ ହୁଅନ୍ତା ।
୭. ମହାନ ମନ୍ଦିର କେବେ ଅସ୍ତିତ୍ୱରେ ଆସିଲା ?
୭ ବାସ୍ତବ । ପବିତ୍ର ତମ୍ବୁ ‘ସ୍ୱର୍ଗୀୟ ବିଷୟଗୁଡ଼ିକର ଛାୟାମାତ୍ର’ ଥିଲା ଏବଂ ଯିହୋବାଙ୍କ ମହାନ ମନ୍ଦିରର ପ୍ରତୀକ ଥିଲା । ପାଉଲ କହିଲେ, ‘ଏହି ତମ୍ବୁ [କିମ୍ବା ଆବାସ] ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ ।’ (ଏବ୍ରୀ ୮:୫; ୯:୯) ଏହାର ଅର୍ଥ ଯେବେ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିଲେ, ସେସମୟ ଯାଏଁ ମହାନ ମନ୍ଦିର ଖ୍ରୀଷ୍ଟିୟାନମାନଙ୍କ ପାଇଁ ବାସ୍ତବ ହୋଇଯାଇଥିଲା । ଏହି ମନ୍ଦିର ୨୯ ଖ୍ରୀଷ୍ଟାବ୍ଦରେ ଅସ୍ତିତ୍ୱରେ ଆସିଲା । ସେହି ବର୍ଷ ଯୀଶୁଙ୍କ ବାପ୍ତିସ୍ମ ହେଲା ଆଉ ପବିତ୍ର ଶକ୍ତିରୁ ତାଙ୍କ ଅଭିଷେକ କରାଗଲା ଏବଂ ଏହି ମନ୍ଦିରରେ ସେ ଯିହୋବାଙ୍କ “ପ୍ରଧାନ ମହାଯାଜକ” ଭାବେ ସେବା କରିବାକୁ ଲାଗିଲେ । c—ଏବ୍ରୀ ୪:୧୪; ପ୍ରେରି. ୧୦:୩୭, ୩୮.
ମହାଯାଜକ
୮-୯. ଏବ୍ରୀ ୭:୨୩-୨୭ ପଦ ଅନୁସାରେ ଇସ୍ରାଏଲୀୟଙ୍କ ମହାଯାଜକମାନଙ୍କ ଏବଂ ପ୍ରଧାନ ମହାଯାଜକ ଯୀଶୁଙ୍କ ମଧ୍ୟରେ କʼଣ ପାର୍ଥକ୍ୟ ଅଛି ?
୮ ଛାୟା । ମହାଯାଜକ ଲୋକମାନଙ୍କ ପାଇଁ ଯିହୋବାଙ୍କ ଆଗରେ ଯାଉଥିଲେ । ଇସ୍ରାଏଲୀୟମାନଙ୍କ ପ୍ରଥମ ମହାଯାଜକ ହାରୋଣ ଥିଲେ । ଯିହୋବା ହାରୋଣଙ୍କୁ ସେସମୟରେ ନିଯୁକ୍ତ କରିଥିଲେ, ଯେବେ ପବିତ୍ର ତମ୍ବୁର ଉଦ୍ଘାଟନ ହୋଇଥିଲା । କିନ୍ତୁ ଯେପରି ପାଉଲ କହିଲେ, “ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ ।” d (ଏବ୍ରୀ ୭:୨୩-୨୭ ପଢ଼ନ୍ତୁ ।) ଏହାଛଡ଼ା, ଅପରିପୂର୍ଣ୍ଣ ହେବା ଯୋଗୁଁ ମହାଯାଜକମାନଙ୍କୁ ନିଜ ପାପ ପାଇଁ ମଧ୍ୟ ବଳିଦାନ ଚଢ଼ାଇବାକୁ ପଡ଼ୁଥିଲା । ଏଥିରୁ ଜଣାପଡ଼େ ଯେ ଇସ୍ରାଏଲୀୟମାନଙ୍କ ମହାଯାଜକମାନଙ୍କ ଓ ଆମ ପ୍ରଧାନ ମହାଯାଜକ ଯୀଶୁଙ୍କ ମଧ୍ୟରେ କେତେ ପାର୍ଥକ୍ୟ ଅଛି ।
୯ ବାସ୍ତବ । ଆମର ମହାଯାଜକ ଯୀଶୁ ଖ୍ରୀଷ୍ଟ ‘ଯଥାର୍ଥ ତମ୍ବୁର’ ସେବକ ଅଟନ୍ତି ଯିଏ ‘ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ଯିହୋବାଙ୍କ ଦ୍ୱାରା ସ୍ଥାପିତ ହୋଇଅଛନ୍ତି ।’ (ଏବ୍ରୀ ୮:୧, ୨) ପାଉଲ ବୁଝାଇଲେ ଯେ “[ଯୀଶୁ] ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ ହୋଇଅଛନ୍ତି ।” ସେ ଏହା ବି କହିଲେ ଯେ ଯୀଶୁ ‘ନିଷ୍କଳଙ୍କ ଓ ପାପୀମାନଙ୍କଠାରୁ ପୃଥକୀକୃତ’ ଅଟନ୍ତି । ଯୀଶୁ କୌଣସି ପାପ କରି ନ ଥିଲେ, ତେଣୁ ଇସ୍ରାଏଲର ମହାଯାଜକମାନଙ୍କ ଭଳି ତାଙ୍କୁ ‘ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ’ ନ ଥିଲା । ଏବେ ଆସନ୍ତୁ ଦେଖିବା ଯେ ବେଦି ଓ ସେଥିରେ ଯେଉଁ ବଳିଦାନ ଚଢ଼ାଯାଉଥିଲା, ତାହା କେଉଁ କଥାର ଛାୟା ଥିଲା ।
ବେଦିଗୁଡ଼ିକ ଓ ବଳିଦାନ
୧୦. ତମ୍ବାର ବେଦିରେ ଯେଉଁ ବଳିଦାନ ଚଢ଼ାଯାଉଥିଲା, ତାହା କାହାର ପ୍ରତୀକ ଥିଲା ?
୧୦ ଛାୟା । ପବିତ୍ର ତମ୍ବୁ ବାହାରେ ଗୋଟିଏ ତମ୍ବାର ବେଦି ଥିଲା, ଯେଉଁଥିରେ ଯିହୋବାଙ୍କ ପାଇଁ ପଶୁମାନଙ୍କର ବଳିଦାନ ଚଢ଼ାଯାଉଥିଲା । (ଯାତ୍ରା. ୨୭:୧, ୨; ୪୦:୨୯) କିନ୍ତୁ ସେଥିରୁ ଲୋକମାନଙ୍କୁ ତାଙ୍କ ପାପରୁ ପୂରାପୂରି କ୍ଷମା ମିଳୁ ନ ଥିଲା । (ଏବ୍ରୀ ୧୦:୧-୪) ସେହି ବେଦିରେ ଗୋଟିଏ ପରେ ଗୋଟିଏ ପଶୁମାନଙ୍କ ଯେଉଁ ବଳିଦାନ ଚଢ଼ାଯାଉଥିଲା, ତାହା ସେହି ବଳିଦାନର ପ୍ରତୀକ ଥିଲା ଯେଉଁଥିରୁ ଲୋକମାନଙ୍କୁ ସେମାନଙ୍କ ପାପରୁ ପୂରାପୂରି କ୍ଷମା ମିଳିଯାʼନ୍ତା ।
୧୧. ଯୀଶୁ କେଉଁ ବେଦିରେ ନିଜ ବଳିଦାନ ଚଢ଼ାଇଲେ ? (ଏବ୍ରୀ ୧୦:୫-୭, ୧୦)
୧୧ ବାସ୍ତବ । ଯୀଶୁ ଜାଣିଥିଲେ ଯେ ଯିହୋବା ତାଙ୍କୁ ଏଥିପାଇଁ ପୃଥିବୀରେ ପଠାଇଛନ୍ତି ଯେ ସେ ଲୋକମାନଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପ ନିଜ ଜୀବନ ବଳିଦାନ କରନ୍ତୁ । (ମାଥି. ୨୦:୨୮) ବାପ୍ତିସ୍ମ ନେଇ ସେ ଦେଖାଇଲେ ଯେ ସେ ଯିହୋବାଙ୍କ ଇଚ୍ଛାକୁ ପୂରା କରିବା ପାଇଁ ଚାହାନ୍ତି । (ଯୋହ. ୬:୩୮; ଗାଲା. ୧:୪) ଯୀଶୁ ଯେଉଁ ବେଦିରେ ନିଜ ଜୀବନ ବଳିଦାନ କଲେ ତାହା ଯିହୋବାଙ୍କ ‘ଇଚ୍ଛାକୁ’ ଦର୍ଶାଏ ଆଉ ଯିହୋବାଙ୍କ ଇଚ୍ଛା ଥିଲା ଯେ ତାଙ୍କ ପୁତ୍ର ନିଜ ପରିପୂର୍ଣ୍ଣ ମନୁଷ୍ୟ ଶରୀରକୁ ବଳିଦାନ କରୁ । ଯୀଶୁ “ଏକାଥରକେ” ସବୁଦିନ ପାଇଁ ବଳିଦାନ କଲେ, ଯାହାଦ୍ୱାରା ଯିଏ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବେ, ତାଙ୍କ ପାପଗୁଡ଼ିକର ପ୍ରାୟଶ୍ଚିତ୍ତ ହେବ ଅର୍ଥାତ୍ ତାହା ସବୁଦିନ ପାଇଁ ଢାଙ୍କି ଦିଆଯିବ । (ଏବ୍ରୀ ୧୦:୫-୭, ୧୦ ପଢ଼ନ୍ତୁ ।) ଆସନ୍ତୁ ପବିତ୍ର ତମ୍ବୁ ଭିତରକୁ ଯିବା ଏବଂ ଏହାର ଆଉ କିଛି କଥା ଉପରେ ଧ୍ୟାନ ଦେବା ।
ପବିତ୍ର ଓ ମହାପବିତ୍ର ସ୍ଥାନ
୧୨. (କ) ତମ୍ବୁର ପବିତ୍ର ସ୍ଥାନରେ କିଏ ଯାଇପାରୁଥିଲେ ? (ଖ) ମହାପବିତ୍ର ସ୍ଥାନରେ କିଏ ଯାଇପାରୁଥିଲେ ?
୧୨ ଛାୟା । ପବିତ୍ର ତମ୍ବୁ ଓ ଆଗକୁ ଯାଇ ଯିରୂଶାଲମରେ ଯେଉଁ ମନ୍ଦିରଗୁଡ଼ିକ ତିଆରି କରାଗଲା, ସେଥିରେ ଅନେକ କିଛି କଥା ଏକାଭଳି ଥିଲା । ତାʼ ଭିତରେ ଦୁଇଟି ସ୍ଥାନ ଥିଲା, ଗୋଟିଏ “ପବିତ୍ର ସ୍ଥାନ” ଏବଂ ଆଉ ଗୋଟିଏ “ମହାପବିତ୍ର ସ୍ଥାନ ।” ଏହି ଦୁଇ ସ୍ଥାନ ମଝିରେ ଗୋଟିଏ ପରଦା ଥିଲା ଯେଉଁଥିରେ କିଛି ଶିଳ୍ପ କାମ କରାଯାଇଥିଲା । (ଏବ୍ରୀ ୯:୨-୫; ଯାତ୍ରା. ୨୬:୩୧-୩୩) ପବିତ୍ର ସ୍ଥାନରେ ସୁନାରେ ତିଆରି ଦୀପବୃକ୍ଷ, ଧୂପ ଜଳାଇବା ପାଇଁ ଗୋଟିଏ ବେଦି ଏବଂ ଦର୍ଶନୀ ରୋଟୀର ମେଜ ରହୁଥିଲା । କେବଳ ସେହି ଲୋକମାନେ ଏହି ସ୍ଥାନରେ ପବିତ୍ର ସେବା କରିପାରୁଥିଲେ, ଯେଉଁମାନଙ୍କୁ “ଯାଜକ ରୂପେ ଅଭିଷିକ୍ତ” କରାଯାଇଥିଲା । (ଗଣ. ୩:୩, ୭, ୧୦) ମହାପବିତ୍ର ସ୍ଥାନରେ ନିୟମ ସିନ୍ଦୁକ ଥିଲା ଯାହା ସୁନାରେ ଗଢ଼ା ହୋଇଥିଲା ଏବଂ ଏହା ଯିହୋବାଙ୍କ ଉପସ୍ଥିତିର ପ୍ରତୀକ ଥିଲା । (ଯାତ୍ରା. ୨୫:୨୧, ୨୨) କେବଳ ମହାଯାଜକଙ୍କୁ ପରଦାର ଆରପଟେ ଅର୍ଥାତ୍ ମହାପବିତ୍ର ସ୍ଥାନରେ ଯିବାର ଅନୁମତି ଥିଲା । ମହାଯାଜକ ବର୍ଷରେ ଥରେ ପ୍ରାୟଶ୍ଚିତ୍ତ ଦିନରେ ସେଠାକୁ ଯାଉଥିଲେ । (ଲେବୀ. ୧୬:୨, ୧୭) ପ୍ରତ୍ୟେକ ବର୍ଷ ମହାଯାଜକ ପଶୁମାନଙ୍କର ରକ୍ତ ନେଇ ମହାପବିତ୍ର ସ୍ଥାନରେ ଯାଉଥିଲେ, ଯାହାଦ୍ୱାରା ସେ ନିଜ ଏବଂ ପୂରା ରାଷ୍ଟ୍ରର ପାପଗୁଡ଼ିକ ପାଇଁ ପ୍ରାୟଶ୍ଚିତ୍ତ କରିପାରିବେ । ଆଗକୁ ଯାଇ ଯିହୋବା ନିଜ ପବିତ୍ର ଶକ୍ତି ଜରିଆରେ ଦେଖାଇଲେ ଯେ ପବିତ୍ର ତମ୍ବୁର ଏହି ଭାଗ କେଉଁ କଥାଗୁଡ଼ିକର ପ୍ରତୀକ ଅଟେ ।—ଏବ୍ରୀ ୯:୬-୮. e
୧୩. (କ) ତମ୍ବୁର ପବିତ୍ର ସ୍ଥାନ କେଉଁ କଥାକୁ ଦର୍ଶାଏ ? (ଖ) ମହାପବିତ୍ର ସ୍ଥାନ କାହାକୁ ଦର୍ଶାଏ ?
୧୩ ବାସ୍ତବ । ଖ୍ରୀଷ୍ଟଙ୍କ କିଛି ଶିଷ୍ୟଙ୍କୁ ପବିତ୍ର ଶକ୍ତି ଦ୍ୱାରା ଅଭିଷେକ କରାଯାଇଛି ଏବଂ ସେମାନଙ୍କ ଯିହୋବାଙ୍କ ସହ ଏକ ବିଶେଷ ସମ୍ପର୍କ ଅଛି । ଏହି ୧,୪୪,୦୦୦ ଜଣ ସ୍ୱର୍ଗରେ ଯୀଶୁଙ୍କ ସହ ଯାଜକ ଭାବେ ସେବା କରିବେ । (ପ୍ରକା. ୧:୬; ୧୪:୧) ଯେବେ ସେମାନେ ପୃଥିବୀରେ ଥାʼନ୍ତି, ତେବେ ଈଶ୍ୱର ନିଜ ପବିତ୍ର ଶକ୍ତିରୁ ସେମାନଙ୍କୁ ଅଭିଷେକ କରି ନିଜ ସନ୍ତାନ କରିନିଅନ୍ତି । ତମ୍ବୁର ପବିତ୍ର ସ୍ଥାନ ଈଶ୍ୱରଙ୍କ ସହ ସେମାନଙ୍କ ଏହି ବିଶେଷ ସମ୍ପର୍କକୁ ଦର୍ଶାଏ । (ରୋମୀ. ୮:୧୫-୧୭) ତମ୍ବୁର ମହାପବିତ୍ର ସ୍ଥାନ ସ୍ୱର୍ଗକୁ ଦର୍ଶାଏ ଯେଉଁଠି ଯିହୋବା ରହନ୍ତି । ପବିତ୍ର ଓ ମହାପବିତ୍ର ସ୍ଥାନର ମଝିରେ ଯେଉଁ “ବିଚ୍ଛେଦବସ୍ତ୍ର” ବା ପରଦା ଥିଲା, ତାହା ଯୀଶୁଙ୍କ ମନୁଷ୍ୟ ଶରୀରର ପ୍ରତୀକ ଥିଲା । ଏହି ଶରୀର ସହିତ ଯୀଶୁ ମହାଯାଜକ ଭାବେ ସ୍ୱର୍ଗରେ ପ୍ରବେଶ କରିପାରନ୍ତେ ନାହିଁ । ଯେବେ ଯୀଶୁ ନିଜ ଶରୀର ଲୋକଙ୍କ ପାଇଁ ବଳିଦାନ କଲେ, ତେବେ ସେ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନ ପାଇଁ ସ୍ୱର୍ଗ ଯିବାର ରାସ୍ତା ଖୋଲି ଦେଲେ । ସେମାନଙ୍କୁ ବି ସ୍ୱର୍ଗରେ ନିଜ ପୁରସ୍କାର ପାଇବା ପାଇଁ ନିଜ ମନୁଷ୍ୟ ଶରୀରକୁ ତ୍ୟାଗ କରିବାକୁ ପଡ଼ିବ । (ଏବ୍ରୀ ୧୦:୧୯, ୨୦; ୧ କରି. ୧୫:୫୦) ଜୀବିତ ହେଲା ପରେ ଯୀଶୁ ମହାନ ମନ୍ଦିରର ମହାପବିତ୍ର ସ୍ଥାନକୁ ଗଲେ, ଯେଉଁଠି ଆଗକୁ ଯାଇ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନ ତାଙ୍କ ସାଙ୍ଗରେ ଥିବେ ।
୧୪. ଏବ୍ରୀ ୯:୧୨, ୨୪-୨୬ ପଦ ଅନୁସାରେ ଯିହୋବାଙ୍କ ମହାନ ମନ୍ଦିରରେ ତାଙ୍କ ଉପାସନା କରିବାର ବ୍ୟବସ୍ଥା କାହିଁକି ଉତ୍ତମ ଅଟେ ?
୧୪ ଯିହୋବା ମୁକ୍ତିର ମୂଲ୍ୟ ଆଧାରରେ ଶୁଦ୍ଧ ଉପାସନା କରିବା ପାଇଁ ଯେଉଁ ବ୍ୟବସ୍ଥା କଲେ, ସେଥିରେ ଯୀଶୁ ମହାଯାଜକ ଅଟନ୍ତି ଏବଂ ଏହା ଏକ ଉତ୍ତମ ବ୍ୟବସ୍ଥା ଅଟେ । ତାହା କାହିଁକି ? ଇସ୍ରାଏଲରେ ମହାଯାଜକ ପଶୁର ରକ୍ତ ନେଇ ମନୁଷ୍ୟ ଦ୍ୱାରା ତିଆରି ମହାପବିତ୍ର ସ୍ଥାନରେ ଯାଉଥିଲେ । କିନ୍ତୁ ଯୀଶୁ “ସ୍ୱର୍ଗରେ” ଗଲେ ଯାହା ସବୁଠୁ ପବିତ୍ର ଜାଗା ଅଟେ, ଯାହାଦ୍ୱାରା ସେ ଯିହୋବାଙ୍କ ଆଗରେ ଉପସ୍ଥିତ ହୋଇପାରିବେ । ସେ ଆମ ପାଇଁ ନିଜ ପରିପୂର୍ଣ୍ଣ ଜୀବନର ମୂଲ୍ୟ (ପୃଥିବୀରେ ସବୁଦିନ ବଞ୍ଚିବାର ନିଜ ଅଧିକାର) ଯିହୋବାଙ୍କ ଆଗରେ ରଖିଲେ, ଯାହାଦ୍ୱାରା ‘ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ୱାରା ଆମ ପାପ ଦୂର’ ହେଉ । (ଏବ୍ରୀ ୯:୧୨, ୨୪-୨୬ ପଢ଼ନ୍ତୁ ।) ଯୀଶୁଙ୍କ ବଳିଦାନ ହିଁ ଏପରି ବଳିଦାନ ଅଟେ, ଯେଉଁଥିରୁ ଲୋକମାନଙ୍କ ପାପକୁ ସବୁଦିନ ପାଇଁ ଦୂର କରାଯାଇପାରିବ । ଆଜି ଆମେ ସମସ୍ତେ ଯିହୋବାଙ୍କ ମହାନ ମନ୍ଦିରରେ ତାଙ୍କ ଉପାସନା କରିପାରିବା ଯଦିଓ ଆମ ଆଶା ସ୍ୱର୍ଗରେ ବଞ୍ଚିବାର ଥାଉ କିମ୍ବା ପୃଥିବୀରେ । ଆସନ୍ତୁ ଏବିଷୟରେ ଆହୁରି ଜାଣିବା ।
ପ୍ରାଙ୍ଗଣ
୧୫. ପବିତ୍ର ତମ୍ବୁର ଅଗଣାରେ କିଏ ସେବା କରୁଥିଲେ ?
୧୫ ଛାୟା । ପବିତ୍ର ତମ୍ବୁରେ ଗୋଟିଏ ପ୍ରାଙ୍ଗଣ ବା ଅଗଣା ମଧ୍ୟ ଥିଲା ଯାହାର ଚାରିପଟେ କପଡ଼ାର କାନ୍ଥ ଭଳି ତିଆରି କରାଯାଇଥିଲା । ଏହି ଅଗଣାରେ ଯାଜକମାନେ ସେବା କରୁଥିଲେ । ଏଠାରେ ହୋମବଳି ଚଢ଼ାଇବା ପାଇଁ ଗୋଟିଏ ବଡ଼ ପିତ୍ତଳର [“ତମ୍ବା,” NWT] ବେଦି ଥିଲା । ଅଗଣାରେ ତମ୍ବାର ଏକ ଜଳକୁଣ୍ଡ ମଧ୍ୟ ଥିଲା ଯେଉଁଠି ପାଣି ଭରି ରହୁଥିଲା । ପବିତ୍ର ସେବା କରିବା ପୂର୍ବରୁ ଯାଜକମାନେ ସେହି ପାଣିରେ ନିଜ ହାତ ଗୋଡ଼ ଧୋଇ ନିଜକୁ ଶୁଦ୍ଧ କରୁଥିଲେ । (ଯାତ୍ରା. ୩୦:୧୭-୨୦; ୪୦:୬-୮) କିନ୍ତୁ ଆଗକୁ ଯାଇ ଯେଉଁ ମନ୍ଦିରଗୁଡ଼ିକ ତିଆରି କରାଗଲା, ସେଥିରେ ବାହାର ଅଗଣା ମଧ୍ୟ ଥିଲା । ଏହି ଅଗଣାରେ ସେହି ଲୋକମାନେ ମଧ୍ୟ ଆସି ଉପାସନା କରିପାରନ୍ତେ ଯେଉଁମାନେ ଯାଜକ ନ ଥିଲେ ।
୧୬. ମହାନ ମନ୍ଦିରର ଅଗଣାଗୁଡ଼ିକରେ କେଉଁମାନେ ସେବା କରନ୍ତି ?
୧୬ ବାସ୍ତବ । କିଛି ରହିଯାଇଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗ ଯାଇ ଯୀଶୁଙ୍କ ସହିତ ଯାଜକ ଭାବେ ସେବା କରିବେ । କିନ୍ତୁ ସ୍ୱର୍ଗ ଯିବା ପୂର୍ବରୁ ସେମାନେ ପୃଥିବୀରେ ଥିବା ମହାନ ମନ୍ଦିରର ଭିତର ଅଗଣାରେ ବିଶ୍ୱସ୍ତତାର ସହ ସେବା କରୁଛନ୍ତି । ଅଗଣାରେ ଯେଉଁ ଜଳକୁଣ୍ଡ ଥିଲା, ତାହା ସେମାନଙ୍କୁ ଆଉ ଆମକୁ ଗୋଟିଏ ଜରୁରୀ କଥା ମନେପକାଇ ଦିଏ ଯେ ଆମକୁ ନୈତିକ ଭାବେ ଓ ଉପାସନା ମାମଲାରେ ଶୁଦ୍ଧ ରହିବାର ଅଛି । ତାହେଲେ ଖ୍ରୀଷ୍ଟଙ୍କ ଅଭିଷିକ୍ତ ଭାଇଙ୍କୁ ସହଯୋଗ କରୁଥିବା “ମହା ଜନତା” କେଉଁଠି ସେବା କରୁଛି ? ପ୍ରେରିତ ଯୋହନ ଦର୍ଶନରେ ଦେଖିଲେ ଯେ ସେମାନେ “ସିଂହାସନ ସମ୍ମୁଖରେ” ଛିଡ଼ା ହୋଇଛନ୍ତି । ଏହାର ଅର୍ଥ ସେମାନେ ପୃଥିବୀର ମନ୍ଦିରର ବାହାର ଅଗଣାରେ ‘ଦିବାରାତ୍ର ଯିହୋବାଙ୍କ ଉପାସନା’ ଅର୍ଥାତ୍ ପବିତ୍ର ସେବା କରୁଛନ୍ତି । (ପ୍ରକା. ୭:୯, ୧୩-୧୫) ଆମେ ବହୁତ କୃତଜ୍ଞ ଯେ ଯିହୋବା ଆମ ସମସ୍ତଙ୍କୁ ତାଙ୍କ ମହାନ ମନ୍ଦିରରେ ଉପାସନା କରିବାର ଗୋଟିଏ ଜାଗା ଦେଇଛନ୍ତି ।
ଯିହୋବାଙ୍କ ଉପାସନା କରିବାର ବିଶେଷ ସୁଯୋଗ
୧୭. ଆମକୁ ଯିହୋବାଙ୍କ ଆଗରେ କେଉଁ କେଉଁ ବଳିଦାନ ଚଢ଼ାଇବାର ବିଶେଷ ସୁଯୋଗ ମିଳିଛି ?
୧୭ ଆଜି ସମସ୍ତ ଖ୍ରୀଷ୍ଟିୟାନ ପାଖରେ ଯିହୋବାଙ୍କୁ ବଳିଦାନ ଚଢ଼ାଇବାର ଗୋଟିଏ ବିଶେଷ ସୁଯୋଗ ଅଛି । ଆମେ ଈଶ୍ୱରଙ୍କ ରାଜ୍ୟର କାମରେ ନିଜ ସମୟ ଓ ସାଧନ ଲଗାଇପାରିବା ଏବଂ ବହୁତ ପରିଶ୍ରମ କରିପାରିବା । ଯେପରି ପ୍ରେରିତ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ କହିଥିଲେ, ଆମେ “ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି” ଚଢ଼ାଇପାରିବା ଅର୍ଥାତ୍ “ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ” କରିବା । (ଏବ୍ରୀ ୧୩:୧୫) ଯେବେ ଆମେ ଯିହୋବାଙ୍କୁ ସବୁଠୁ ଭଲ ବଳିଦାନ ଚଢ଼ାଉ, ତେବେ ଆମେ ଦେଖାଉ ଯେ ଆମକୁ ତାଙ୍କ ଉପାସନା କରିବାର ଯେଉଁ ବିଶେଷ ସୁଯୋଗ ମିଳିଛି, ଆମେ ତାʼପାଇଁ କୃତଜ୍ଞ ଅଟୁ ।
୧୮. ଏବ୍ରୀ ୧୦:୨୨-୨୫ ପଦ ଅନୁସାରେ ଆମ ସମସ୍ତଙ୍କୁ କʼଣ କରିବା ଜରୁରୀ ? ଆଉ ଆମେ କʼଣ ଭୁଲିବା ଉଚିତ୍ ନୁହେଁ ?
୧୮ ଏବ୍ରୀ ୧୦:୨୨-୨୫ ପଢ଼ନ୍ତୁ । ଏବ୍ରୀମାନଙ୍କୁ ଲେଖିଥିବା ନିଜ ଚିଠିର ଶେଷରେ ପାଉଲ ଉପାସନା ସହ ଜଡ଼ିତ ଏପରି କଥାଗୁଡ଼ିକ କହିଲେ, ଯାହାକୁ ଆମ ସମସ୍ତଙ୍କୁ କରିବା ବହୁତ ଜରୁରୀ । ଯେପରି, ଆମେ ଯିହୋବାଙ୍କୁ ପ୍ରାର୍ଥନା କରିବା, ନିଜ ଆଶା ବିଷୟରେ ଘୋଷଣା କରିବା, ମଣ୍ଡଳୀର ସଭାଗୁଡ଼ିକରେ ପରସ୍ପର ସହିତ ଏକାଠି ହେବା ଏବଂ ‘ପରସ୍ପରକୁ ଉତ୍ସାହ ଦେବା, ବିଶେଷତଃ ଯେତେବେଳେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ।’ ଏସବୁ କରିବା ବହୁତ ଜରୁରୀ । ତେଣୁ ପ୍ରକାଶିତ ବାକ୍ୟ ବହିର ଶେଷରେ ଯିହୋବାଙ୍କ ଜଣେ ସ୍ୱର୍ଗଦୂତ ଦୁଇଥର କହିଲେ, “ଈଶ୍ୱରଙ୍କୁ ପ୍ରଣାମ କର ।” (ପ୍ରକା. ୧୯:୧୦; ୨୨:୯) ଆମେ ମହାନ ମନ୍ଦିର ବିଷୟରେ ଯେଉଁ ଗଭୀର କଥାଗୁଡ଼ିକ ଶିଖିଛୁ, ଆସନ୍ତୁ ଆମେ ତାହା କେବେ ବି ଭୁଲିବାନି ଆଉ ନା ଏହା ଭୁଲିବା ଯେ ଆମକୁ ମହାନ ଈଶ୍ୱରଙ୍କ ଉପାସନା କରିବାର ବିଶେଷ ଆଶିଷ ମିଳିଛି ।
ଗୀତ ୮୮ ମୁଝେଁ ଆପନି ରାହେଁ ସିଖା
a ଈଶ୍ୱରଙ୍କ ବାକ୍ୟରେ ଯେଉଁ ଗଭୀର କଥାଗୁଡ଼ିକ ଦିଆଯାଇଛି, ସେମଧ୍ୟରୁ ଗୋଟିଏ ହେଉଛି ଯିହୋବାଙ୍କ ମହାନ ମନ୍ଦିର ବିଷୟରେ । ଏହି ମନ୍ଦିର କʼଣ ଅଟେ ? ଏବ୍ରୀ ବହିରେ ଏହି ମନ୍ଦିର ବିଷୟରେ ଟିକିନିଖି କଥାଗୁଡ଼ିକ ଦିଆଯାଇଛି, ଏହି ଲେଖାରେ ସେହି ବିଷୟରେ ବୁଝାଇ ଦିଆଯିବ । ଆମେ ଆଶା କରୁ ଯେ ଏହାର ଅଧ୍ୟୟନ କରିବା ଦ୍ୱାରା ଏହି କଥା ପାଇଁ ଆପଣଙ୍କ କୃତଜ୍ଞତା ବଢ଼ିଯିବ ଯେ ଆପଣଙ୍କୁ ଯିହୋବାଙ୍କ ଉପାସନା କରିବାର ବିଶେଷ ସୁଯୋଗ ମିଳିଛି ।
b ଏବ୍ରୀ ବହିର ଏକ ଝଲକ ଦେଖିବା ପାଇଁ jw.org ୱେବସାଇଟ୍ରେ ଦିଆଯାଇଥିବା ଭିଡିଓ ଏବ୍ରୀ ବହିର ପରିଚୟ ଦେଖନ୍ତୁ ।
c ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରର କେବଳ ଏବ୍ରୀ ବହିରେ ହିଁ ଯୀଶୁଙ୍କୁ ମହାଯାଜକ ବୋଲି କୁହାଯାଇଛି ।
d ଗୋଟିଏ ବହିରେ କୁହାଯାଇଛି ଯେ ୭୦ ଖ୍ରୀଷ୍ଟାବ୍ଦରେ ଯେବେ ଯିରୂଶାଲମ ମନ୍ଦିରର ଧ୍ୱଂସ କରି ଦିଆଯାଇଥିଲା, ସେଯାଏଁ ବୋଧେ ଇସ୍ରାଏଲରେ ୮୪ ଜଣ ମହାଯାଜକ ରହିଥିବେ ।
e ପ୍ରାୟଶ୍ଚିତ୍ତ ଦିନରେ ମହାଯାଜକ ଯେଉଁ ଯେଉଁ କାମ କରୁଥିଲେ, ତାହା କେଉଁ କଥାଗୁଡ଼ିକର ପ୍ରତୀକ ଥିଲା ଏହା ଜାଣିବା ପାଇଁ jw.org ୱେବସାଇଟ୍ରେ ପବିତ୍ର ତମ୍ବୁ ନାମକ ଇଂରାଜୀ ଭିଡିଓ ଦେଖନ୍ତୁ ।
f ସାରି ଧରତି ପର୍ ୟହୋୱା କି ଶୁଦ୍ଧ ଉପାସନା ବାହାଲ ! ବହିର ୨୪୦ ପୃଷ୍ଠା ପଢ଼ନ୍ତୁ ।
g ୧୫ ଜୁଲାଇ, ୨୦୧୦ ମସିହାର ପ୍ରହରୀଦୁର୍ଗର ୨୨ ପୃଷ୍ଠାରେ ଦିଆଯାଇଥିବା ବକ୍ସ “ପବିତ୍ର ଶକ୍ତି ନେ ଲାକ୍ଷଣିକ ମନ୍ଦିର କେ ମାତଲାବ୍ କେ ବାରେ ମେଁ କୈସେ ସାମଝାୟା” ପଢ଼ନ୍ତୁ ।