इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୩

‘ସେ ତୁମ୍ଭକୁ ଦୃଢ଼ କରିବେ’

‘ସେ ତୁମ୍ଭକୁ ଦୃଢ଼ କରିବେ’

‘[ଯିହୋବା] ତୁମ୍ଭମାନଙ୍କୁ ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ ।’—୧ ପିତ. ୫:୧୦.

ଗୀତ ୩୮ ୱହ୍‌ ତୁମ୍‌ହେ ମଜବୁତ୍‌ କରେଗା

ଲେଖାର ଝଲକ a

୧. ପ୍ରାଚୀନ ସମୟରେ ଈଶ୍ୱରଙ୍କ ସେବକମାନେ କାହିଁକି ଶକ୍ତିଶାଳୀ ହୋଇପାରିଲେ ?

 ବାଇବଲରେ ଅନେକଥର କୁହାଯାଇଛି ଯେ ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ଶକ୍ତିଶାଳୀ ଥିଲେ । କିନ୍ତୁ ଯେଉଁମାନେ ବହୁତ ଶକ୍ତିଶାଳୀ ଥିଲେ, ସେମାନଙ୍କୁ ବି ସବୁବେଳେ ଏପରି ଲାଗୁ ନ ଥିଲା ଯେ ସେମାନେ ଶକ୍ତିଶାଳୀ ଅଟନ୍ତି । ଯେପରି ରାଜା ଦାଉଦଙ୍କୁ ଅନେକଥର ଏପରି ଲାଗିଲା ଯେ ସେ “ସାହସିକ” ଅଟନ୍ତି, କିନ୍ତୁ ବେଳେବେଳେ ସେ “ଭୟ ଓ କମ୍ପ” ଅନୁଭବ କଲେ । (ଗୀତ. ୫୫:୫; ୧୩୮:୩) ଶାମ୍‌ଶୋନ୍‌ଙ୍କ ଉପରେ ଯେବେ ଈଶ୍ୱରଙ୍କ ପବିତ୍ର ଶକ୍ତି କାମ କରୁଥିଲା, ତେବେ ସେ ବହୁତ ଶକ୍ତିଶାଳୀ ହୋଇଯାଉଥିଲେ । କିନ୍ତୁ ସେ ଜାଣିଥିଲେ ଯେ ଈଶ୍ୱରଙ୍କ ପବିତ୍ର ଶକ୍ତି ବିନା ତାଙ୍କ “ବଳ” ଶେଷ ହୋଇଯିବ ଏବଂ ସେ “ଅନ୍ୟ ସକଳ ଲୋକର ସମାନ” ହୋଇଯିବେ । (ବିଚା. ୧୪:୫, ୬; ୧୬:୧୭) ଏହି ବିଶ୍ୱସ୍ତ ସେବକମାନଙ୍କୁ ଯିହୋବା ହିଁ ଶକ୍ତିଶାଳୀ କରିଥିଲେ ।

୨. ପ୍ରେରିତ ପାଉଲ ଏପରି କାହିଁକି କହିଲେ ଯେ ସେ ଦୁର୍ବଳ, କିନ୍ତୁ ବଳବାନ ମଧ୍ୟ ଅଟନ୍ତି ? (୨ କରିନ୍ଥୀୟ ୧୨:୯, ୧୦)

ପ୍ରେରିତ ପାଉଲ ଜାଣିଥିଲେ ଯେ ତାଙ୍କୁ ମଧ୍ୟ ଯିହୋବାଙ୍କ ଶକ୍ତି ଦରକାର । (୨ କରିନ୍ଥୀୟ ୧୨:୯, ୧୦ ପଢ଼ନ୍ତୁ ।) ତାହା କାହିଁକି ? କାରଣ ତାଙ୍କୁ ବି ଆମ ସମସ୍ତଙ୍କ ଭଳି ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟାଗୁଡ଼ିକ ଥିଲା । (ଗାଲା. ୪:୧୩, ୧୪) ବେଳେବେଳେ ତାଙ୍କୁ ସଠିକ୍‌ କାମ କରିବା ବି କଠିନ ଲାଗୁଥିଲା । (ରୋମୀ. ୭:୧୮, ୧୯) ଆଉ ଅନେକଥର ସେ ବହୁତ ଚିନ୍ତିତ ହୋଇଯାଉଥିଲେ ଏବଂ ତାଙ୍କୁ ଏହାଭାବି ବହୁତ ଡର ଲାଗୁଥିଲା ଯେ କେଜାଣେ ତାଙ୍କ ସହ ଆଗକୁ ଯାଇ କʼଣ ହେବ । (୨ କରି. ୧:୮, ୯) ତଥାପି ସେ କହିଲେ ଯେ ଯେତେବେଳେ ସେ ଦୁର୍ବଳ ହୁଅନ୍ତି, ସେତେବେଳେ ବଳବାନ ହୁଅନ୍ତି । ସେ ଏପରି କାହିଁକି କହିପାରିଲେ ? କାରଣ ଯିହୋବା ତାଙ୍କୁ ଶକ୍ତି ଦେଲେ । ସେ ହିଁ ପାଉଲଙ୍କୁ ସୁସ୍ଥିର ବା ଦୃଢ଼ କଲେ ।

୩. ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?

ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ବି ଦୃଢ଼ କରିବେ । (୧ ପିତ. ୫:୧୦) କିନ୍ତୁ ଆମକୁ ଯିହୋବାଙ୍କଠାରୁ ଆପେ ଆପେ ଶକ୍ତି ମିଳିବନି, ଆମକୁ ବି କିଛି କରିବାକୁ ପଡ଼ିବ । ଗୋଟିଏ ଗାଡ଼ି ବିଷୟରେ ଭାବନ୍ତୁ । ଗାଡ଼ିରେ ଇଞ୍ଜିନ ହେବା ବହୁତ ଜରୁରୀ, କିନ୍ତୁ ଇଞ୍ଜିନ ହେବା ଦ୍ୱାରା ଗାଡ଼ି ଆପେ ଆପେ ଆଗକୁ ବଢ଼ିବନି । ଡ୍ରାଇଭରକୁ ଗାଡ଼ି ଷ୍ଟାର୍ଟ କରିବାକୁ ପଡ଼ିବ, ତେବେ ଯାଇ ଗାଡ଼ି ଆଗକୁ ବଢ଼ିବ । ସେହିପରି ଯିହୋବା ଆମକୁ ଶକ୍ତି ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ତାଙ୍କଠାରୁ ଶକ୍ତି ପାଇବା ପାଇଁ ଆମକୁ ବି କିଛି ପଦକ୍ଷେପ ନେବାକୁ ପଡ଼ିବ । ଯିହୋବା ଆମକୁ ଦୃଢ଼ କରିବା ପାଇଁ କʼଣ ବ୍ୟବସ୍ଥା କରିଛନ୍ତି ? ଆଉ ତାଙ୍କଠାରୁ ଶକ୍ତି କିମ୍ବା ସାହସ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ଆମେ ଧ୍ୟାନ ଦେବା ଯେ ଯିହୋବା ଭବିଷ୍ୟଦ୍‌ବକ୍ତା ଯୂନସ, ଯୀଶୁଙ୍କ ମାଆ ମରୀୟମ ଏବଂ ପ୍ରେରିତ ପାଉଲଙ୍କୁ କିପରି ଶକ୍ତିଶାଳୀ କରିଥିଲେ । ଏହି ଲେଖାରେ ଆମେ ଏହା ବି ଜାଣିବା ଯେ ଆଜି ଯିହୋବା ନିଜ ସେବକମାନଙ୍କୁ କିପରି ଶକ୍ତିଶାଳୀ କରନ୍ତି ।

ଶକ୍ତି ପାଇବାର ଉପାୟ: ପ୍ରାର୍ଥନା ଏବଂ ଅଧ୍ୟୟନ

୪. ଯିହୋବାଙ୍କଠାରୁ ଶକ୍ତି ପାଇବା ପାଇଁ ଆମେ କʼଣ କରିପାରିବା ?

ଯିହୋବାଙ୍କଠାରୁ ଶକ୍ତି ପାଇବାର ଗୋଟିଏ ଉପାୟ ହେଉଛି, ତାଙ୍କୁ ପ୍ରାର୍ଥନା କରିବା । ଯେବେ ଆମେ ପ୍ରାର୍ଥନା କରୁ, ତେବେ ଯିହୋବା ଆମକୁ ସେହି ଶକ୍ତି ଦେଇପାରିବେ “ଯାହା ସାଧାରଣ ମଣିଷର ଶକ୍ତିଠାରୁ ବହୁତ ଅଧିକ ଅଟେ ।” (୨ କରି. ୪:୭, NWT) ଆଉ ଯିହୋବା ବାଇବଲରେ ଆମ ପାଇଁ ଯେଉଁ ସନ୍ଦେଶ ଲେଖାଇଛନ୍ତି, ତାହା “କାର୍ଯ୍ୟ-ସାଧକ” ଅଟେ । (ଏବ୍ରୀ ୪:୧୨) ତେଣୁ ଯେବେ ଆମେ ତାଙ୍କ ବାକ୍ୟ ପଢ଼ୁ ଏବଂ ତାʼ ଉପରେ ଚିନ୍ତନ କରୁ, ତେବେ ସେଥିରୁ ବି ଆମକୁ ସାହସ ଏବଂ ଶକ୍ତି ମିଳିପାରିବ । (ଗୀତ. ୮୬:୧୧) ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ତାଙ୍କ ବାକ୍ୟ ବାଇବଲ ପଢ଼ନ୍ତୁ, ତେବେ ସେ ଆପଣଙ୍କୁ ଶକ୍ତି ଦେବେ । ଏପରି କରିବା ଦ୍ୱାରା ଆପଣ ନିଜ ସମସ୍ୟାଗୁଡ଼ିକର ସାମନା କରିପାରିବେ, ନିଜ ଖୁସି ବଜାୟ ରଖିପାରିବେ ଏବଂ ସେହି କାମ କିମ୍ବା ଦାୟିତ୍ୱ ପୂରା କରିପାରିବେ ଯାହା ଆପଣଙ୍କୁ କଠିନ ଲାଗୁଛି । ଏବେ ଆସନ୍ତୁ ଦେଖିବା ଯେ ଯିହୋବା କିପରି ଭବିଷ୍ୟଦ୍‌ବକ୍ତା ଯୂନସଙ୍କୁ ସାହସ ଏବଂ ଶକ୍ତି ଦେଲେ ।

୫. ଯୂନସଙ୍କୁ କାହିଁକି ସାହସର ଦରକାର ଥିଲା ?

ଭବିଷ୍ୟଦ୍‌ବକ୍ତା ଯୂନସଙ୍କୁ ସାହସର ଦରକାର ଥିଲା । ଯିହୋବା ତାଙ୍କୁ ଯେଉଁ କାମ ଦେଇଥିଲେ, ତାହା ତାଙ୍କୁ ବହୁତ କଠିନ ଲାଗୁଥିଲା, ତେଣୁ ସେ ଗୋଟିଏ ଜାହାଜରେ ବସି ବିପରୀତ ଦିଗକୁ ଚାଲିଗଲେ । ତାʼପରେ ସମୁଦ୍ରରେ ପ୍ରବଳ ତୋଫାନ ଆସିଲା, ଯାହାଯୋଗୁଁ ତାଙ୍କ ଏବଂ ତାଙ୍କ ସହ ଯେଉଁମାନେ ଜାହାଜରେ ଥିଲେ ସେମାନଙ୍କର ବି ଜୀବନ ବିପଦରେ ଥିଲା । ଯେବେ ନାବିକମାନେ ତାଙ୍କୁ ସମୁଦ୍ରରେ ପକାଇଦେଲେ, ତେବେ ଗୋଟିଏ ବିରାଟ କାୟ ମାଛ ତାଙ୍କୁ ଗିଳିଦେଲା । ଏବେ ସେ ଗୋଟିଏ ମାଛ ପେଟରେ ଥିଲେ ଏବଂ ତାଙ୍କ ଚାରିଆଡ଼େ ଅନ୍ଧକାର ଥିଲା । ଭାବନ୍ତୁ ଯୂନସଙ୍କୁ କିପରି ଲାଗୁଥିବ । କʼଣ ସେ ଏହା ଭାବୁଥିବେ ଯେ ସେ ଆଉ ବଞ୍ଚିପାରିବେନି ? କିମ୍ବା କʼଣ ତାଙ୍କୁ ଏପରି ଲାଗୁଥିବ ଯେ ଯିହୋବା ତାଙ୍କୁ ଛାଡ଼ି ଦେଇଛନ୍ତି ? ଯୂନସ ସତରେ ବହୁତ ଡରି ଯାଇଥିବେ ।

ଯେବେ ଆମେ ସମସ୍ୟାର ସାମନା କରୁ, ତେବେ ଯୂନସଙ୍କ ଭଳି କିପରି ଶକ୍ତି ପାଇପାରିବା ? (ପାରାଗ୍ରାଫ ୬-୯)

୬. ଯେପରି ଯୂନସ ୨:୧, ୨, ପଦରୁ ଜଣାପଡ଼େ, ଯୂନସ ଯେବେ ମାଛ ପେଟରେ ଥିଲେ, ତେବେ ସେ ସାହସ ପାଇବା ପାଇଁ କʼଣ କଲେ ?

ଯୂନସ ପୂରାପୂରି ଏକୁଟିଆ ଥିଲେ, ତାଙ୍କ ଆଖପାଖରେ କେହି ବି ନ ଥିଲେ । ଏପରି ସମୟରେ ସେ ସାହସ ପାଇବା ପାଇଁ କʼଣ କଲେ ? ସେ ଯିହୋବାଙ୍କୁ ପ୍ରାର୍ଥନା କଲେ । (ଯୂନସ ୨:୧, ୨, ପଢ଼ନ୍ତୁ ।) ଯୂନସ ଯିହୋବାଙ୍କ ଆଜ୍ଞା ମାନି ନ ଥିଲେ, କିନ୍ତୁ ଏବେ ତାଙ୍କୁ ବହୁତ ଦୁଃଖ ଅନୁଭବ ହେଉଥିଲା । ତେଣୁ ତାଙ୍କୁ ଭରସା ଥିଲା ଯେ ଯିହୋବା ତାଙ୍କ ପ୍ରାର୍ଥନା ଶୁଣିବେ । ଯୂନସ ସେହି କଥାଗୁଡ଼ିକ ବିଷୟରେ ବି ଭାବିଲେ ଯାହା ସେ ପୂର୍ବେ ଶାସ୍ତ୍ରରେ ପଢ଼ିଥିଲେ । ଆମେ ଏପରି କାହିଁକି କହିପାରିବା ? ଯୂନସ ବହିର ଅଧ୍ୟାୟ ୨ରେ ତାଙ୍କ ଯେଉଁ ପ୍ରାର୍ଥନାଗୁଡ଼ିକ ଲେଖାଅଛି ସେଥିରେ ଏପରି ଅନେକ କଥା ଅଛି, ଯାହା ଗୀତସଂହିତା ବହିରେ ବି ମିଳେ । (ଉଦାହରଣ ପାଇଁ, ଯୂନସ ୨:୨, ପଦକୁ ଗୀତସଂହିତା ୬୯:୧; ୮୬:୭ ସହ ତୁଳନା କରନ୍ତୁ ।) ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯୂନସ ସେହି କଥାଗୁଡ଼ିକୁ ଭଲଭାବେ ଜାଣୁଥିଲେ । ଆଉ ଏବେ ସେ ସମସ୍ୟା ସମୟରେ ସେହି କଥାଗୁଡ଼ିକ ବିଷୟରେ ଭାବିଲେ । ଏଥିରୁ ତାଙ୍କୁ ଭରସା ହୋଇଗଲା ଯେ ଯିହୋବା ତାଙ୍କୁ ସାହାଯ୍ୟ କରିବେ । ତାʼର କିଛି ସମୟ ପରେ ମାଛ ନିଜ ପେଟରୁ ଯୂନସଙ୍କୁ ଶୁଖିଲା ଭୂମିରେ ବାହାର କରିଦେଲା । ଏବେ ଯୂନସ ଯିହୋବାଙ୍କଠାରୁ ମିଳିଥିବା କାମକୁ ପୂରା କରିବା ପାଇଁ ପ୍ରସ୍ତୁତ ଥିଲେ ।—ଯୂନ. ୨:୧୦–୩:୪.

୭-୮. ତାଇୱାନରେ ରହୁଥିବା ଜଣେ ଭାଇଙ୍କୁ ସମସ୍ୟାଗୁଡ଼ିକ ସମୟରେ କିପରି ସାହସ ମିଳିଲା ?

ଯୂନସଙ୍କ ଉଦାହରଣରୁ ଆମ ସମସ୍ତଙ୍କୁ ବହୁତ ସାହାଯ୍ୟ ମିଳିପାରିବ, ବିଶେଷ କରି ଯେବେ ଆମେ ସମସ୍ୟାଗୁଡ଼ିକର ସାମନା କରୁ । ଟିକେ ତାଇୱାନରେ ରହୁଥିବା ଭାଇ ଜମିଙ୍ଗ୍‌ଙ୍କ b ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କର ଅନେକ ବଡ଼ ବଡ଼ ରୋଗ ଅଛି । ସେ ଜଣେ ଯିହୋବାଙ୍କ ସାକ୍ଷୀ ଅଟନ୍ତି, ତେଣୁ ତାଙ୍କ ପରିବାର ଲୋକେ ତାଙ୍କ ସହ ବହୁତ ଖରାପ ବ୍ୟବହାର କରନ୍ତି । ଏପରି ସମୟରେ ପ୍ରାର୍ଥନା ଏବଂ ଅଧ୍ୟୟନ କରିବା ଦ୍ୱାରା ଭାଇଙ୍କୁ ସାହସ ମିଳେ । ସେ କହନ୍ତି, “ବେଳେବେଳେ ଯେବେ ସମସ୍ୟାଗୁଡ଼ିକ ବଢ଼ିଯାଏ, ତେବେ ମୁଁ ଏତେ ଚିନ୍ତିତ ହୋଇଯାଏ ଯେ ଅଧ୍ୟୟନ ହିଁ କରିପାରେନି ।” କିନ୍ତୁ ଭାଇ ହାର୍‌ ମାନନ୍ତିନି । ସେ କହନ୍ତି, “ପ୍ରଥମେ ମୁଁ ଯିହୋବାଙ୍କୁ ପ୍ରାର୍ଥନା କରେ, ତାʼପରେ ମୁଁ ନିଜ ଇୟରଫୋନ୍‌ ଲଗାଇ ରାଜ୍ୟ ଗୀତ ଶୁଣେ । ଅନେକଥର ମୁଁ ଗୀତ ଶୁଣିବା ସହ କମ୍‌ ଆବାଜ୍‌ରେ ତାହା ଗାଏ । ଆଉ ଏପରି ସେସମୟ ଯାଏ କରେ ଯେବେ ଯାଏ ମୋ ମନ ଶାନ୍ତ ହୁଏନି । ତାʼପରେ ମୁଁ ଅଧ୍ୟୟନ କରିବା ଆରମ୍ଭ କରେ ।”

ବ୍ୟକ୍ତିଗତ ଅଧ୍ୟୟନ କରିବା ଦ୍ୱାରା ଭାଇ ଜମିଙ୍ଗ୍‌ଙ୍କୁ ବହୁତ ସାହସ ମିଳିଲା । ଧ୍ୟାନ ଦିଅନ୍ତୁ ଯେ ଥରେ ତାଙ୍କ ସହ କʼଣ ହେଲା । ତାଙ୍କର ଗୋଟିଏ ବହୁତ ବଡ଼ ଅପରେସନ ହୋଇଥିଲା । ତାଙ୍କ ଅପରେସନ ପରେ ଜଣେ ନର୍ସ ତାଙ୍କୁ କହିଲେ ଯେ ତାଙ୍କ ଶରୀରରେ ରକ୍ତ (ଲୋହିତ ରକ୍ତ କଣିକା) ବହୁତ କମ୍‌ ହୋଇଯାଇଛି, ତେଣୁ ତାଙ୍କୁ ରକ୍ତ ଚଢ଼ାଇବାକୁ ପଡ଼ିବ । କିନ୍ତୁ ଭାଇ ନିଜ ନିଷ୍ପତ୍ତିରେ ଦୃଢ଼ ରହିଲେ । ସେ ଏହା କିପରି କରିପାରିଲେ ? ଅପରେସନର ଗୋଟେ ରାତି ପୂର୍ବେ ଭାଇ ଜମିଙ୍ଗ୍‌ ଜଣେ ଭଉଣୀଙ୍କ ଅନୁଭୂତି ପଢ଼ିଥିଲେ । ସେହି ଭଉଣୀଙ୍କର ସେହିପରି ଅପରେସନ ହୋଇଥିଲା ଯେପରି ଭାଇଙ୍କର ହୋଇଥିଲା, ଆଉ ସେହି ଭଉଣୀଙ୍କ ରକ୍ତ ଭାଇ ଜମିଙ୍ଗ୍‌ଙ୍କ ରକ୍ତଠାରୁ ବି କମ୍‌ ଥିଲା । ତଥାପି ସେହି ଭଉଣୀ ରକ୍ତ ଚଢ଼ାଇଲେ ନାହିଁ ଏବଂ ସେ ଠିକ୍‌ ବି ହୋଇଗଲେ । ସେହି ଭଉଣୀଙ୍କ ଅନୁଭୂତିରୁ ଭାଇ ଜମିଙ୍ଗ୍‌ଙ୍କୁ ବହୁତ ସାହସ ମିଳିଲା ଆଉ ସେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ ।

୯. ଯଦି ଆପଣ କୌଣସି ସମସ୍ୟାର ସାମନା କରୁଛନ୍ତି କିମ୍ବା ବହୁତ ଚିନ୍ତିତ ଅଛନ୍ତି, ତେବେ ଆପଣ କʼଣ କରିପାରିବେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

ଯଦି ଆପଣ କୌଣସି ସମସ୍ୟାର ସାମନା କରୁଛନ୍ତି, ତେବେ କʼଣ ଆପଣ ଏତେ ଚିନ୍ତିତ ହୋଇଯାଇଛନ୍ତି ଯେ ଆପଣ ଭଲଭାବେ ପ୍ରାର୍ଥନା କରିପାରୁ ନାହାନ୍ତି ? କିମ୍ବା ଆପଣ ଏତେ ଦୁର୍ବଳ ହୋଇଯାଇଛନ୍ତି ଯେ ଅଧ୍ୟୟନ କରିପାରୁ ନାହାନ୍ତି ? ଯଦି ଏପରି ଅଟେ ତେବେ ମନେରଖନ୍ତୁ ଯେ ଯିହୋବା ଆପଣଙ୍କ ପରିସ୍ଥିତିକୁ ବୁଝନ୍ତି । ଯଦି ଆପଣ ଛୋଟିଆ ପ୍ରାର୍ଥନା ବି କରିବେ, ତେବେ ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କ ପ୍ରାର୍ଥନା ଶୁଣିବେ ଏବଂ ଆପଣଙ୍କୁ ଯେଉଁ ସାହାଯ୍ୟ ଦରକାର ତାହା ସେ ଦେବେ । (ଏଫି. ୩:୨୦) ଯଦି ଆପଣ ରୋଗରେ ଅଛନ୍ତି କିମ୍ବା ବହୁତ ଚିନ୍ତିତ ଥାʼନ୍ତି କିମ୍ବା ବହୁତ ଥକିଯାʼନ୍ତି, ଯାହାଯୋଗୁଁ ପଢ଼ିବା ଓ ଅଧ୍ୟୟନ କରିବା ପାଇଁ ଆପଣଙ୍କ ପାଖରେ ଶକ୍ତି ହିଁ ବଞ୍ଚେନି, ତେବେ ଏପରି ସମୟରେ ଭଲ ହେବ ଯେ ଆପଣ ଆମ ପ୍ରକାଶନଗୁଡ଼ିକର ଅଡିଓ ଶୁଣନ୍ତୁ । ଆପଣ ଚାହିଁଲେ jw.org ୱେବସାଇଟ୍‌ରୁ କିଛି ଗୀତ ଶୁଣିପାରିବେ କିମ୍ବା ଭିଡିଓ ଦେଖିପାରିବେ । ଯେବେ ଆପଣ ଯିହୋବାଙ୍କୁ ପ୍ରାର୍ଥନା କରିବେ ଏବଂ ବାଇବଲ ଓ ସେ ଯେଉଁ ଅନ୍ୟ ବ୍ୟବସ୍ଥା କରିଛନ୍ତି ସେଥିରେ ଆପଣ ନିଜ ପ୍ରାର୍ଥନାର ଉତ୍ତର ଖୋଜିବେ, ତେବେ ଆପଣ ଯିହୋବାଙ୍କୁ ଆପଣଙ୍କୁ ଶକ୍ତି ଦେବାର ସୁଯୋଗ ଦେଉଥିବେ ।

ଶକ୍ତି ପାଇବାର ଉପାୟ: ଆମ ଭାଇଭଉଣୀ

୧୦. ଆମ ଭାଇଭଉଣୀମାନେ କିପରି ଆମର ସାହସ ବଢ଼ାନ୍ତି ?

୧୦ ଯିହୋବା ଆମ ଖ୍ରୀଷ୍ଟୀୟ ଭାଇଭଉଣୀଙ୍କ ଦ୍ୱାରା ବି ଆମକୁ ଶକ୍ତି କିମ୍ବା ସାହସ ଦେଇପାରିବେ । ଯେବେ ଆମେ କୌଣସି ଚିନ୍ତାର ସାମନା କରୁ କିମ୍ବା କୌଣସି ଦାୟିତ୍ୱ ତୁଲାଇବା ଆମକୁ କଠିନ ଲାଗେ, ତେବେ ଆମ ଭାଇଭଉଣୀମାନଙ୍କଠାରୁ ଆମକୁ ବହୁତ “ସାନ୍ତ୍ୱନା” ମିଳିପାରିବ । (କଲ. ୪:୧୦, ୧୧) ଆମକୁ ‘ଦୁର୍ଦ୍ଦଶା କାଳରେ’ ସାଙ୍ଗମାନଙ୍କ ଆହୁରି ଆବଶ୍ୟକ ପଡ଼େ । (ହିତୋ. ୧୭:୧୭) ଯେବେ ଆମେ ଦୁର୍ବଳ ଅନୁଭବ କରୁ ତେବେ ଆମ ଭାଇଭଉଣୀମାନେ ଆମକୁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଭାବେ ସାହାଯ୍ୟ କରନ୍ତି । ଏବେ ଆସନ୍ତୁ ଧ୍ୟାନ ଦେବା ଯେ ଯୀଶୁଙ୍କ ମାଆ ମରୀୟମଙ୍କୁ ଅନ୍ୟମାନଙ୍କଠାରୁ କିପରି ସାହସ ମିଳିଲା ।

୧୧. ମରୀୟମଙ୍କୁ କାହିଁକି ସାହସର ଦରକାର ଥିଲା ?

୧୧ ମରୀୟମଙ୍କୁ ସାହସର ଦରକାର ଥିଲା । ଭାବନ୍ତୁ ଯେବେ ଗାବ୍ରିଏଲ ସ୍ୱର୍ଗଦୂତ ତାଙ୍କୁ କହିଥିବେ ଯେ ସେ ଗର୍ଭବତୀ ହେବେ ଏବଂ ଗୋଟେ ଶିଶୁକୁ ଜନ୍ମ ଦେବେ, ତେବେ ମରୀୟମ ବହୁତ ଡରି ଯାଇଥିବେ । ସେ ଏବେ ପର୍ଯ୍ୟନ୍ତ ବାହା ହୋଇ ନ ଥିଲେ, କିନ୍ତୁ ସେ ଗର୍ଭବତୀ ହେବାକୁ ଯାଉଥିଲେ । ତାଙ୍କୁ ପିଲାମାନଙ୍କର ଲାଳନପାଳନ କରିବାର କୌଣସି ଅନୁଭୂତି ନ ଥିଲା ଆଉ ତାଙ୍କୁ ଏପରି ଶିଶୁର ଲାଳନପାଳନ କରିବାର ଥିଲା ଯିଏ ଆଗକୁ ଯାଇ ମସୀହ ହୁଅନ୍ତା । ସେ ଏବେ ଯାଏ କୌଣସି ପୁରୁଷ ସହ ସମ୍ପର୍କ ରଖି ନ ଥିଲେ, କିନ୍ତୁ ସେ ମାଆ ହେବାକୁ ଯାଉଥିଲେ । ସେ ନିଜ ଭାବିସ୍ୱାମୀ ଯୋଷେଫଙ୍କୁ ଏସବୁ କଥା କିପରି କହନ୍ତେ ?—ଲୂକ ୧:୨୬-୩୩.

୧୨. ଲୂକ ୧:୩୯-୪୫ ପଦ ଅନୁସାରେ ମରୀୟମଙ୍କୁ କିପରି ସାହସ ମିଳିଲା ?

୧୨ ମରୀୟମଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଏବଂ ବହୁତ ବଡ଼ ଦାୟିତ୍ୱ ମିଳିଥିଲା । ଏହି ଦାୟିତ୍ୱ ତୁଲାଇବା ପାଇଁ ତାଙ୍କୁ ସାହସ କିପରି ମିଳିଲା ? ସେ ଅନ୍ୟମାନଙ୍କଠାରୁ ସାହାଯ୍ୟ ନେଲେ । ଯେପରି ସେ ଗାବ୍ରିଏଲ ସ୍ୱର୍ଗଦୂତଙ୍କୁ କହିଲେ ଯେ ସେ ଏବିଷୟରେ ତାଙ୍କୁ ଆହୁରି ସୂଚନା ଦିଅନ୍ତୁ । (ଲୂକ ୧:୩୪) ତାʼର ଠିକ୍‌ କିଛି ସମୟ ପରେ ସେ ଗୋଟିଏ ଲମ୍ବା ରାସ୍ତା ଯାତ୍ରା କରି ଯିହୁଦାର “ପାର୍ବତୀୟ ଅଞ୍ଚଳସ୍ଥ” ନିଜ ସମ୍ପର୍କୀୟ ଏଲୀଶାବେଥଙ୍କୁ ଭେଟିବାକୁ ଗଲେ । ଆଉ ମରୀୟମ ସେଠାରେ ଯିବାର ଯେଉଁ ନିଷ୍ପତ୍ତି ନେଲେ ତାହା ସଠିକ୍‌ ଥିଲା । ଏଲୀଶାବେଥ ମରୀୟମଙ୍କ ପ୍ରଶଂସା କଲେ ଏବଂ ଯିହୋବାଙ୍କ ପ୍ରେରଣାରୁ ମରୀୟମଙ୍କ ଗର୍ଭରେ ଥିବା ଶିଶୁ ବିଷୟରେ ଗୋଟିଏ ଭବିଷ୍ୟତବାଣୀ କଲେ । (ଲୂକ ୧:୩୯-୪୫ ପଢ଼ନ୍ତୁ ।) ତେବେ ମରୀୟମ କହିଲେ ଯେ ଯିହୋବା “ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି ।” (ଲୂକ ୧:୪୬-୫୧) ଗାବ୍ରିଏଲ ସ୍ୱର୍ଗଦୂତ ଏବଂ ଏଲୀଶାବେଥଙ୍କ ଜରିଆରେ ଯିହୋବା ମରୀୟମଙ୍କୁ ସାହସ ଦେଲେ ।

୧୩. ଯେବେ ବଲିଭିଆରେ ରହୁଥିବା ଆମ ଜଣେ ଭଉଣୀ ଭାଇଭଉଣୀଙ୍କଠାରୁ ସାହାଯ୍ୟ ନେଲେ, ତେବେ କʼଣ ହେଲା ?

୧୩ ମରୀୟମଙ୍କ ଭଳି ଆପଣଙ୍କୁ ବି ଭାଇଭଉଣୀମାନଙ୍କ ଦ୍ୱାରା ସାହସ ମିଳିପାରିବ । ବଲିଭିଆରେ ରହୁଥିବା ଭଉଣୀ ଦସୁରିଙ୍କୁ ଏପରି ହିଁ ସାହସର ଦରକାର ଥିଲା । ତାଙ୍କ ବାପାଙ୍କୁ ଗୋଟିଏ ଏପରି ରୋଗ ହୋଇଥିଲା, ଯାହାର କୌଣସି ଚିକିତ୍ସା ନ ଥିଲା । ତାʼପରେ ଯେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା, ତେବେ ଭଉଣୀ ଦସୁରି ତାଙ୍କ ଯତ୍ନ ନେବାକୁ ଲାଗିଲେ । (୧ ତୀମ. ୫:୪) ଏପରି କରିବା ସବୁବେଳେ ତାଙ୍କ ପାଇଁ ସହଜ ହେଉ ନ ଥିଲା । ସେ କହନ୍ତି, “ଅନେକଥର ମୋତେ ଲାଗୁଥିଲା ଯେ ଏବେ ମୋ ଦ୍ୱାରା ଆଉ ହୋଇପାରିବନି ।” କʼଣ ସେସମୟରେ ଭଉଣୀ ଅନ୍ୟମାନଙ୍କ ସାହାଯ୍ୟ ନେଲେ ? ପ୍ରଥମେ ସେ ନେଲେନି । ସେ କହନ୍ତି, “ମୁଁ ଭାଇଭଉଣୀମାନଙ୍କୁ ହଇରାଣ କରିବା ପାଇଁ ଚାହୁଁ ନ ଥିଲି । ମୁଁ ଭାବୁଥିଲି ଆବଶ୍ୟକ ସମୟରେ ଯିହୋବା ମୋ ସାହାଯ୍ୟ କରିବେ । ତାʼପରେ ମୋତେ ଅନୁଭବ ହେଲା ଯେ ମୁଁ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି ଏବଂ ଏକୁଟିଆ ହିଁ ନିଜ ସମସ୍ୟାଗୁଡ଼ିକ ସମାଧାନ କରିବା ପାଇଁ ଚେଷ୍ଟା କରୁଛି ।” (ହିତୋ. ୧୮:୧) ତାʼପରେ ଭଉଣୀ ନିଜର କିଛି ସାଙ୍ଗମାନଙ୍କୁ କହିଲେ ଯେ ସେ କେଉଁ ପରିସ୍ଥିତିର ସାମନା କରୁଛନ୍ତି । ସେ କହନ୍ତି, “ଭାଇଭଉଣୀମାନଙ୍କଠାରୁ ମୋତେ ଯେଉଁ ସାହସ ମିଳିଲା ତାହା ମୁଁ ଶବ୍ଦରେ କହିପାରିବିନି । ସେମାନେ ହସ୍ପିଟାଲରେ ଖାଇବା ପାଇଁ ଆଣିଲେ ଆଉ ମୋତେ ବାଇବଲରୁ ଏପରି କଥାଗୁଡ଼ିକ କହିଲେ, ଯେଉଁଥିରୁ ମୋତେ ବହୁତ ସାନ୍ତ୍ୱନା ମିଳିଲା । ଏହାଜାଣି ଆମକୁ ବହୁତ ସାହସ ମିଳେ ଯେ ଆମେ ଏକୁଟିଆ ନାହୁଁ । ଆମେ ଯିହୋବାଙ୍କ ବଡ଼ ପରିବାରର ସଦସ୍ୟ ଅଟୁ, ଏପରି ପରିବାରର ଯାହା ଦରକାର ସମୟରେ ଆମର ସାହାଯ୍ୟ କରେ । ଯେବେ ଆମେ କାନ୍ଦୁ ତେବେ ସେ ଆମ ସହ କାନ୍ଦେ ଆଉ ଯେବେ ସମସ୍ୟାଗୁଡ଼ିକର ସାମନା କରୁ ତେବେ ଆମ ସହଯୋଗ କରେ ।”

୧୪. ଆମକୁ ପ୍ରାଚୀନମାନଙ୍କ ସାହାଯ୍ୟ ନେବାରୁ କାହିଁକି ସଙ୍କୋଚ କରିବା ଉଚିତ୍‌ ନୁହେଁ ?

୧୪ ଯିହୋବା ପ୍ରାଚୀନମାନଙ୍କ ଜରିଆରେ ବି ଆମକୁ ସାହାଯ୍ୟ କରିପାରିବେ । ସେମାନେ ଆମ ପାଇଁ ଯିହୋବାଙ୍କ ତରଫରୁ ମିଳିଥିବା ଉପହାର ଅଟନ୍ତି । ପ୍ରାଚୀନମାନଙ୍କ ଜରିଆରେ ସେ ଆମକୁ ଶକ୍ତି ଓ ସତେଜତା ଦେଇପାରିବେ । (ଯିଶା. ୩୨:୧, ୨) ଯେବେ ବି ଆପଣ ଚିନ୍ତାରେ ଥାʼନ୍ତି ତେବେ ପ୍ରାଚୀନମାନଙ୍କୁ କହନ୍ତୁ । ଆଉ ଯେବେ ସେ ଆପଣଙ୍କୁ ସାହାଯ୍ୟ କରନ୍ତି, ତେବେ ବିନା ସଙ୍କୋଚରେ ତାଙ୍କ ସାହାଯ୍ୟ ନିଅନ୍ତୁ । ସେମାନଙ୍କ ଜରିଆରେ ଯିହୋବା ଆପଣଙ୍କୁ ଶକ୍ତି ଦେଇପାରିବେ ।

ଶକ୍ତି ପାଇବାର ଉପାୟ: ଆମ ଆଶା

୧୫. ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଖରେ କେଉଁ ବଢ଼ିଆ ଆଶା ଅଛି ?

୧୫ ବାଇବଲରୁ ଆମକୁ ଯେଉଁ ଆଶା ମିଳିଛି ସେଥିରୁ ମଧ୍ୟ ଆମକୁ ସାହସ ଓ ଶକ୍ତି ମିଳିପାରିବ । (ରୋମୀ. ୪:୩, ୧୮-୨୦) ଖ୍ରୀଷ୍ଟିୟାନ ହେବା ଯୋଗୁଁ ଆମ ସମସ୍ତଙ୍କ ପାଖରେ ସବୁଦିନ ପାଇଁ ବଞ୍ଚିବାର ଗୋଟିଏ ବଢ଼ିଆ ଆଶା ଅଛି । ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଏହି ପୃଥିବୀରେ ପାରଦୀଶରେ ବଞ୍ଚିବାର ଆଶା ଅଛି ଆଉ କିଛି ଲୋକଙ୍କୁ ସ୍ୱର୍ଗରେ ବଞ୍ଚିବାର । ଏହି ଆଶା ଯୋଗୁଁ ଆମକୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହସ ମିଳେ ଏବଂ ପ୍ରଚାର କାମରେ ଲାଗି ରହିବା ଆଉ ମଣ୍ଡଳୀରେ ଅନ୍ୟ ଦାୟିତ୍ୱଗୁଡ଼ିକ ପୂରା କରିବାର ଶକ୍ତି ମିଳେ । (୧ ଥେସ. ୧:୩) ଏହି ଆଶାରୁ ପ୍ରେରିତ ପାଉଲଙ୍କୁ ସାହସ ମିଳିଥିଲା ।

୧୬. ପ୍ରେରିତ ପାଉଲଙ୍କୁ କାହିଁକି ସାହସର ଦରକାର ଥିଲା ?

୧୬ ପାଉଲଙ୍କୁ ସାହସର ଦରକାର ଥିଲା । କରିନ୍ଥୀୟ ମଣ୍ଡଳୀକୁ ଲେଖିଥିବା ଦ୍ୱିତୀୟ ଚିଠିରେ ପାଉଲ କହିଲେ ଯେ ସେ ମାଟିର ପାତ୍ର ଭଳି ଦୁର୍ବଳ ଅଟନ୍ତି । ସେ କହିଲେ ଯେ ତାଙ୍କୁ “କ୍ଳେଶଭୋଗ” କରିବାକୁ ପଡ଼ୁଛି, ସେ “ହତବୁଦ୍ଧି” (ଦ୍ୱନ୍ଦ୍ୱରେ) ଅଛନ୍ତି, ତାଙ୍କୁ “ତାଡ଼ନା” ଦିଆଯାଉଛି ଏବଂ “ଅଧଃପତିତ” ଅର୍ଥାତ୍‌ ତଳେ ପକାଯାଉଛି । ଆଉ ତାଙ୍କ ଜୀବନ ପ୍ରତି ବି ବିପଦ ଥିଲା । (୨ କରି. ୪:୮-୧୦) ପାଉଲ ଏକଥା ତୃତୀୟ ମିଶନାରୀ ପରିଦର୍ଶନ ସମୟରେ ଲେଖିଥିଲେ । ସେସମୟରେ ତାଙ୍କୁ ଜଣା ନ ଥିଲା ଯେ ଆଗକୁ ଯାଇ ତାଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ । ଆଉ ଏପରି ହିଁ ହେଲା । ଗୋଟିଏ ଭିଡ଼ ତାଙ୍କ ଉପରେ ଆକ୍ରମଣ କଲା, ତାଙ୍କୁ ଗିରଫ କରିନିଆଗଲା, ସେ ଯେଉଁ ଜାହାଜରେ ଯାତ୍ରା କରୁଥିଲେ ସେହି ଜାହାଜ ଭାଙ୍ଗି ନଷ୍ଟ ହୋଇଗଲା ଓ ତାଙ୍କୁ ଜେଲରେ ପକାଇଦିଆଗଲା ।

୧୭. ୨ କରିନ୍ଥୀୟ ୪:୧୬-୧୮ ପଦ ଅନୁସାରେ ପାଉଲଙ୍କୁ ନିଜ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ କିପରି ସାହସ ମିଳିଲା ?

୧୭ ପାଉଲ ସାହସ ପାଇବା ପାଇଁ ନିଜ ଆଶା ଉପରେ ଧ୍ୟାନ ଦେଲେ । (୨ କରିନ୍ଥୀୟ ୪:୧୬-୧୮ ପଢ଼ନ୍ତୁ ।) ସେ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ଏହା ସତ ଯେ ତାଙ୍କ ଶରୀର ‘କ୍ଷୟ ପାଉଛି,’ କିନ୍ତୁ ସେ ହାର୍‌ ମାନିବେନି । ପାଉଲଙ୍କ ପାଖରେ ସ୍ୱର୍ଗରେ ସବୁଦିନ ପାଇଁ ବଞ୍ଚିବାର ଯେଉଁ ଆଶା ଥିଲା, ତାହା “ବାହୁଲ୍ୟ” ଅର୍ଥାତ୍‌ ବିସ୍ମୟକାରକ ଥିଲା । ତାହା ପୂରା ହେବାର ଦେଖିବା ପାଇଁ ସେ ଯେକୌଣସି ସମସ୍ୟାର ସାମନା କରିବା ପାଇଁ ପ୍ରସ୍ତୁତ ଥିଲେ । ପାଉଲ ସବୁବେଳେ ନିଜ ସେହି ଆଶା ବିଷୟରେ ଭାବୁଥିଲେ ଆଉ ଏଥିରୁ ତାଙ୍କୁ ବହୁତ ସାହସ ମିଳୁଥିଲା । ତାଙ୍କୁ ଏପରି ଲାଗୁଥିଲା ଯେପରି ସେ ଭିତରୁ ‘ଦିନକୁ ଦିନ ନୂତନୀକୃତ ହେଉଛନ୍ତି ।’

୧୮. ନିଜ ଆଶା ବିଷୟରେ ଭାବିବା ଦ୍ୱାରା ଭାଇ ଟିହୋମିର୍‌ ଓ ତାଙ୍କ ପରିବାରକୁ କିପରି ସାହସ ମିଳିଛି ?

୧୮ ବୁଲ୍‌ଗାରିଆରେ ରହୁଥିବା ଭାଇ ଟିହୋମିର୍‌ଙ୍କୁ ନିଜ ଆଶା ବିଷୟରେ ଭାବିବା ଦ୍ୱାରା ବହୁତ ସାହସ ମିଳିଲା । କିଛି ସମୟ ପୂର୍ବେ ତାଙ୍କ ଛୋଟ ଭାଇ ଷ୍ଟ୍ରେବକୋଙ୍କ ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଗଲା । ସେହି ଘଟଣାକୁ ବହୁତ ସମୟ ହୋଇଯାଇଛି ତଥାପି ସେ ସେହି ଘଟଣାକୁ ଭୁଲିପାରି ନାହାନ୍ତି । ଏହି ଦୁଃଖରୁ ବାହାରିବା ପାଇଁ ସେ ଓ ତାଙ୍କ ପରିବାର ଏବିଷୟରେ ଭାବନ୍ତି ଯେ ଯେବେ ଯିହୋବା ଷ୍ଟ୍ରେବକୋଙ୍କୁ ଜୀବିତ କରିବେ, ତେବେ ସେହି ସମୟ କିପରି ଥିବ । ସେ କହନ୍ତି, “ଯେପରି, ଆମେ କଥା ହେଉ ଯେ ଆମେ ଷ୍ଟ୍ରେବକୋଙ୍କୁ କେଉଁଠି ଭେଟିବା, ତାଙ୍କ ପାଇଁ କʼଣ ରୋଷେଇ କରିବା, ତାଙ୍କ ସ୍ୱାଗତ ପାଇଁ ଯେଉଁ ପାର୍ଟି ରଖିବା ସେଥିରେ ଆମେ କାହା କାହାକୁ ଡାକିବା ଆଉ ଆମେ ତାଙ୍କୁ ଶେଷ ସମୟ ବିଷୟରେ କେଉଁ କଥାଗୁଡ଼ିକ କହିବା ।” ଭାଇ ଟିହୋମିର୍‌ କହନ୍ତି ଯେ ନିଜ ଆଶା ବିଷୟରେ ଭାବିବା ଦ୍ୱାରା ତାଙ୍କ ପରିବାରକୁ ବହୁତ ସାହସ ମିଳିଛି । ଏଥିରୁ ସେମାନେ ଧୈର୍ଯ୍ୟ ଧରିପାରୁଛନ୍ତି ଆଉ ସେହି ସମୟର ଅପେକ୍ଷା କରିପାରୁଛନ୍ତି, ଯେବେ ଯିହୋବା ତାଙ୍କ ଭାଇଙ୍କୁ ଜୀବିତ କରିବେ ।

ଆପଣ କʼଣ ଭାବନ୍ତି, ନୂଆ ଦୁନିଆରେ ଆପଣଙ୍କ ଜୀବନ କିପରି ଥିବ ? (ପାରାଗ୍ରାଫ ୧୯) c

୧୯. ନିଜ ଆଶାକୁ ଆହୁରି ଦୃଢ଼ କରିବା ପାଇଁ ଆପଣ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୯ ଆପଣ ନିଜ ଆଶାକୁ ଦୃଢ଼ କିପରି କରିପାରିବେ ? ଯେପରି ଯଦି ଆପଣଙ୍କୁ ପୃଥିବୀରେ ସବୁଦିନ ବଞ୍ଚିବାର ଆଶା ଅଛି, ତେବେ ଆପଣ ବାଇବଲରେ ସେହି ଆଶାଗୁଡ଼ିକ ବିଷୟରେ ପଢ଼ନ୍ତୁ, ଯେଉଁଥିରେ ପାରଦୀଶ ବିଷୟରେ କୁହାଯାଇଛି ଏବଂ ସେବିଷୟରେ ଚିନ୍ତନ କରନ୍ତୁ । (ଯିଶା. ୨୫:୮; ୩୨:୧୬-୧୮) ଭାବନ୍ତୁ ଯେ ସେସମୟ ଆପଣଙ୍କ ଜୀବନ କିପରି ଥିବ । କଳ୍ପନା କରନ୍ତୁ ଯେ ଏବେ ଆପଣ ନୂଆ ଦୁନିଆରେ ଅଛନ୍ତି । ଆପଣ କାହା କାହାକୁ ଦେଖୁଛନ୍ତି ? ଆପଣ କେଉଁ ଶବ୍ଦଗୁଡ଼ିକ ଶୁଣୁଛନ୍ତି ? ଆପଣଙ୍କୁ କିପରି ଲାଗୁଛି ? ଏବିଷୟରେ ଭାବିବା ପାଇଁ ଆପଣ ଚାହିଁଲେ ଆମ ପ୍ରକାଶନଗୁଡ଼ିକରୁ ପାରଦୀଶର ଚିତ୍ରଗୁଡ଼ିକୁ ଦେଖିପାରିବେ । କିମ୍ବା ଆପଣ ସଙ୍ଗୀତର ଭିଡିଓ ଦେଖିପାରିବେ, ଯେପରି ଜବ୍‌ ଦୁନିଆ ହୋଗି ନାଇ, ବସ୍‌ ଚାର୍‌ କଦମ୍‌ ଆଗେ କିମ୍ବା କିପରି ସମୟ ହେବ  ଯଦି ଆମେ ନୂଆ ଦୁନିଆର ନିଜ ଆଶା ବିଷୟରେ ସବୁବେଳେ ଭାବୁଥିବା, ତେବେ ଆମକୁ ନିଜ ସମସ୍ୟାଗୁଡ଼ିକ “କ୍ଷଣକାଳସ୍ଥାୟୀ” ଏବଂ କମ୍‌ ଲାଗିବ । (୨ କରି. ୪:୧୭) ଏହି ଆଶା ଜରିଆରେ ଯିହୋବା ଆପଣଙ୍କୁ ଦୃଢ଼ କରିବେ ଏବଂ ସମସ୍ୟାଗୁଡ଼ିକୁ ସହିବା ପାଇଁ ଶକ୍ତି ଦେବେ ।

୨୦. ଯେବେ ଆମେ ଦୁର୍ବଳ ଅନୁଭବ କରୁ ତେବେ ଆମେ କିପରି ଶକ୍ତି ପାଇପାରିବା ?

୨୦ ଏହା ସତ ଯେ ବେଳେବେଳେ ଆମେ ଦୁର୍ବଳ ଅନୁଭବ କରୁ । କିନ୍ତୁ ‘ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ଶକ୍ତି ପାଇପାରିବା ।’ (ଗୀତ. ୧୦୮:୧୩) ଦେଖିବାକୁ ଗଲେ ଯିହୋବା ପୂର୍ବରୁ ହିଁ ସେହି ବ୍ୟବସ୍ଥା କରିଛନ୍ତି, ଯାହା ଜରିଆରେ ଆମକୁ ତାଙ୍କଠାରୁ ଶକ୍ତି ମିଳିପାରିବ । ତେଣୁ ଯଦି ଆପଣଙ୍କ ପାଇଁ କୌଣସି ଦାୟିତ୍ୱ ତୁଲାଇବା କଠିନ ହୁଏ, ନିଜ ସମସ୍ୟା ଯୋଗୁଁ ଗୋଟେ ଗୋଟେ ଦିନ କଟାଇବା ଆପଣଙ୍କୁ କଠିନ ଲାଗେ କିମ୍ବା ଆପଣଙ୍କ ଖୁସି ଚାଲିଯାଏ, ତେବେ ଯିହୋବାଙ୍କୁ ମନଖୋଲି ପ୍ରାର୍ଥନା କରନ୍ତୁ ଏବଂ ବ୍ୟକ୍ତିଗତ ଅଧ୍ୟୟନ କରି ତାଙ୍କଠାରୁ ସାହାଯ୍ୟ ନିଅନ୍ତୁ । ନିଜ ଭାଇଭଉଣୀଙ୍କଠାରୁ ସାହାଯ୍ୟ ନିଅନ୍ତୁ ଏବଂ ଲଗାତାର ନିଜ ଆଶା ବିଷୟରେ ଭାବନ୍ତୁ । ତେବେ ଆପଣ ‘ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହେବେ ।’—କଲ. ୧:୧୧.

ଗୀତ ୩୩ ଆପନା ବୋଝ୍‌ ୟହୋୱା ପର୍‌ ଡାଲ୍‌ ଦେ !

a ଏହି ଲେଖାରୁ ବିଶେଷ କରି ସେହି ଭାଇଭଉଣୀଙ୍କୁ ସାହାଯ୍ୟ ମିଳିବ, ଯେଉଁମାନେ କୌଣସି ବଡ଼ ସମସ୍ୟାର ସାମନା କରୁଛନ୍ତି କିମ୍ବା ଯେଉଁମାନଙ୍କୁ ଲାଗେ ଯେ ସେମାନଙ୍କୁ ଯେଉଁ ଦାୟିତ୍ୱ କିମ୍ବା କାମ ଦିଆଯାଇଛି, ତାହା ସେମାନେ ପୂରା କରିପାରିବେନି । ଏହି ଲେଖାରେ ଆମେ ଜାଣିବା ଯେ ଯିହୋବା କିପରି ଆମକୁ ସାହସ ଓ ଶକ୍ତି ଦେଇପାରିବେ ଏବଂ ତାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆମେ କʼଣ କରିପାରିବା ।

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

c ଚିତ୍ର ବିଷୟରେ: ଜଣେ ଭଉଣୀ ଯିଏ ଶୁଣିପାରନ୍ତି ନାହିଁ, ସେ ନୂଆ ଦୁନିଆରେ ତାଙ୍କ ଜୀବନ କିପରି ଥିବ ସେବିଷୟରେ କଳ୍ପନା କରିବା ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଭାବୁଛନ୍ତି ଏବଂ ସଙ୍ଗୀତର ଗୋଟିଏ ଭିଡିଓ ଦେଖୁଛନ୍ତି ।