इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୩

ଗୀତ ୯୦ ଏକ୍‌ ଦୁଜେ କି ହିମ୍ମତ୍‌ ବନ୍ଧାଏଁ

ନିଜ ସନ୍ଦେହ କିପରି ଦୂର କରିବା ?

ନିଜ ସନ୍ଦେହ କିପରି ଦୂର କରିବା ?

“ସମସ୍ତ ବିଷୟ ପରୀକ୍ଷା କର ।”୧ ଥେସ. ୫:୨୧.

କʼଣ ଶିଖିବା ?

ଆମେ ନିଜ ସନ୍ଦେହ କିପରି ଦୂର କରିବା, ଯାହାଫଳରେ ଆମେ ଯିହୋବାଙ୍କ ସେବାରେ ଦୁର୍ବଳ ହେବା ନାହିଁ ?

୧-୨. (କ) ଯିହୋବାଙ୍କ ସେବକମାନଙ୍କ ମନରେ କେଉଁ ସନ୍ଦେହ ଆସିପାରେ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

 ଆମେ ଯୁବା ଥାଉ ବା ବୃଦ୍ଧବୃଦ୍ଧା, ଆମ ସମସ୍ତଙ୍କୁ କେବେ ନା କେବେ ସନ୍ଦେହ a ହୁଏ । ଯେପରି ହୁଏତ ଜଣେ ଯୁବା ଭାବିବ, ‘ଜଣା ନାହିଁ ଯିହୋବା ମୋ ଉପରେ ଧ୍ୟାନ ଦିଅନ୍ତି ନା ନାହିଁ ।’ ଆଉ ଏହି କାରଣ ଯୋଗୁଁ ହୁଏତ ସେ ବାପ୍ତିସ୍ମ ନେବାରୁ ପଛଘୁଞ୍ଚା ଦେବ । କିମ୍ବା ହୋଇପାରେ, ଜଣେ ଭାଇ ନିଜ ଯୁବା ସମୟରେ ଅଧିକ ପଇସା ରୋଜଗାର କରିବା ପରିବର୍ତ୍ତେ ଈଶ୍ୱରଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେଲେ । କିନ୍ତୁ ଏବେ ତାଙ୍କୁ ନିଜ ପରିବାରର ଆବଶ୍ୟକତା ପୂରା କରିବା ପାଇଁ ଅସୁବିଧା ହେଉଛି । ତେଣୁ ହୁଏତ ତାଙ୍କୁ ଲାଗିବ, ‘ମୁଁ ଯେଉଁ ନିଷ୍ପତ୍ତି ନେଇଥିଲି, କʼଣ ତାହା ଠିକ୍‌ ଥିଲା ?’ କିମ୍ବା ହୋଇପାରେ, ଜଣେ ବୃଦ୍ଧା ଭଉଣୀ ଯିଏ ବହୁତ ଦୁର୍ବଳ ହୋଇଯାଇଛନ୍ତି, ଆଉ ଏବେ ସେ ଯିହୋବାଙ୍କ ସେବାରେ ପୂର୍ବ ଭଳି କରିପାରୁ ନାହାନ୍ତି । ସେ ହୁଏତ ନିରାଶ ହୋଇଯିବେ ଓ ଭାବିବେ, ‘ଜଣା ନାହିଁ ମୁଁ ଯିହୋବାଙ୍କ କୌଣସି କାମରେ ଆସିବି ନା ନାହିଁ ।’ କʼଣ ଆପଣଙ୍କ ମନରେ ବି କେବେ ଏପରି ସନ୍ଦେହ ଆସିଛି ?

ଯଦି ଆପଣ ଏପରି ସନ୍ଦେହଗୁଡ଼ିକୁ ନିଜ ମନରୁ ଦୂର କରିବେ ନାହିଁ, ତାହେଲେ ଆପଣଙ୍କ ବିଶ୍ୱାସ ଦୁର୍ବଳ ହୋଇପାରେ ଓ ହୁଏତ ଆପଣ ଯିହୋବାଙ୍କ ସେବା କରିବା ବି ଛାଡ଼ିଦେବେ । ଏହି ଲେଖାରେ ଆମେ ଜାଣିବା ଯେ ବାଇବଲର ସିଦ୍ଧାନ୍ତଗୁଡ଼ିକ ଉପରେ ଧ୍ୟାନ ଦେଲେ ଆମେ କିପରି ନିଜ ମନରୁ ସନ୍ଦେହଗୁଡ଼ିକୁ ଦୂର କରିପାରିବା । ଯେପରି ଯେବେ ଆମେ ଏହା ଭାବୁ ଯେ (୧) ଜଣା ନାହିଁ ଯିହୋବା ମୋ ପାଇଁ ଚିନ୍ତା କରନ୍ତି ନା ନାହିଁ, (୨) ଜଣା ନାହିଁ ମୁଁ ଯେଉଁ ନିଷ୍ପତ୍ତି ନେଇଥିଲି, ତାହା ଠିକ୍‌ ଥିଲା ନା ନାହିଁ, କିମ୍ବା (୩) ଜଣା ନାହିଁ ମୁଁ ଯିହୋବାଙ୍କ କୌଣସି କାମରେ ଆସିବି ନା ନାହିଁ ।

ସନ୍ଦେହ କିପରି ଦୂର କରିବା ?

୩. ନିଜ ସନ୍ଦେହ ଦୂର କରିବାର ଗୋଟିଏ ଉପାୟ କʼଣ ?

ସନ୍ଦେହ ଦୂର କରିବାର ଗୋଟିଏ ଉପାୟ ହେଉଛି, ଈଶ୍ୱରଙ୍କ ବାକ୍ୟ ବାଇବଲ ପଢ଼ିବା । ଏଥିରୁ ଆମେ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ପାଇପାରିବା । ଯଦି ଆମେ ଏପରି କରୁ, ତାହେଲେ ଯିହୋବାଙ୍କ ଉପରେ ଆମ ଭରସା ବଢ଼ିବ । ଆଉ ତାଙ୍କ ସହିତ ଆମ ବନ୍ଧୁତା ଆହୁରି ଦୃଢ଼ ହେବ ଓ ଆମେ ‘ବିଶ୍ୱାସରେ ସ୍ଥିର ହୋଇପାରିବା ।’—୧ କରି. ୧୬:୧୩.

୪. ଆମେ କିପରି “ସମସ୍ତ ବିଷୟ ପରୀକ୍ଷା” କରିପାରିବା ? (୧ ଥେସଲନୀକୀୟ ୫:୨୧)

୧ ଥେସଲନୀକୀୟ ୫:୨୧ ପଢ଼ନ୍ତୁ । ବାଇବଲରେ ଆମକୁ ‘ସମସ୍ତ ବିଷୟ ପରୀକ୍ଷା କରିବା’ ପାଇଁ କୁହାଯାଇଛି । ଆମେ ଏହା କିପରି କରିପାରିବା ? ଯଦି ଆମ ମନରେ କୌଣସି ପ୍ରଶ୍ନ ଆସେ, ତାହେଲେ ଆମେ ଏହା ଜାଣିବା ପାଇଁ ଚେଷ୍ଟା କରିପାରିବା ଯେ ଏବିଷୟରେ ବାଇବଲରେ କʼଣ କୁହାଯାଇଛି । ଯେପରି, ସେହି ଯୁବା ବିଷୟରେ ଭାବନ୍ତୁ, ସେ ଭାବୁଥିଲା ଯେ ଈଶ୍ୱର ତାʼଚିନ୍ତା କରନ୍ତି ନାହିଁ । କʼଣ ତାକୁ ବିନା କୌଣସି ଯାଞ୍ଚ କରି ଏହି କଥାକୁ ସତ ବୋଲି ଭାବିବା ଠିକ୍‌ ଥିଲା ? ବିଲକୁଲ୍‌ ନୁହଁ ! ତାକୁ ‘ସମସ୍ତ ବିଷୟ ପରୀକ୍ଷା କରି’ ଏହା ଜାଣିବା ପାଇଁ ଚେଷ୍ଟା କରିବାର ଥିଲା ଯେ ଯିହୋବା ତାʼ ବିଷୟରେ କʼଣ ଭାବନ୍ତି ।

୫. ଆମକୁ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ କʼଣ କରିବାକୁ ପଡ଼ିବ ?

ଯେବେ ଆମେ ଈଶ୍ୱରଙ୍କ ବାକ୍ୟ ପଢ଼ୁ, ତେବେ ଆମେ ଯିହୋବାଙ୍କ ଆବାଜ୍‌ ଶୁଣିପାରୁ ଏବଂ ତାଙ୍କ ଚିନ୍ତାଧାରା ଜାଣିପାରୁ । କିନ୍ତୁ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଆମକୁ ବାଇବଲ ପଢ଼ିବା ସହିତ ଏପରି ପଦଗୁଡ଼ିକୁ ଖୋଜିବା ଏବଂ ସେଗୁଡ଼ିକ ଉପରେ ଅନୁସନ୍ଧାନ କରିବାକୁ ପଡ଼ିବ, ଯେଉଁଥିରୁ ଆମ ମନର ସନ୍ଦେହ ଦୂର ହୋଇପାରିବ । ତାʼଛଡ଼ା ସଂଗଠନ ଅନୁସନ୍ଧାନ କରିବା ପାଇଁ ଯେଉଁ ପ୍ରକାଶନ ପ୍ରସ୍ତୁତ କରିଛି, ଆମେ ତାʼର ବି ବ୍ୟବହାର କରିବା । (ହିତୋ. ୨:୩-୬) ଆମେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା ଯେ ସେ ଆମକୁ ଅନୁସନ୍ଧାନ କରିବା ପାଇଁ ସାହାଯ୍ୟ କରନ୍ତୁ, ଯାହାଦ୍ୱାରା ଆମେ ତାଙ୍କ ଚିନ୍ତାଧାରା ବୁଝିପାରିବା । ତାʼପରେ ଆମେ ଏପରି ସିଦ୍ଧାନ୍ତ ଏବଂ ତଥ୍ୟଗୁଡ଼ିକ ଉପରେ ଧ୍ୟାନ ଦେଇପାରିବା, ଯେଉଁଥିରୁ ଆମେ ନିଜ ପରିସ୍ଥିତିର ସାମନା କରିପାରିବା । ଆମେ ପ୍ରାଚୀନ ସମୟର ସେହି ସେବକମାନଙ୍କ ଉଦାହରଣ ଉପରେ ବି ଧ୍ୟାନ ଦେଇପାରିବା ଯେଉଁମାନେ ଆମ ଭଳି ସମସ୍ୟାର ସାମନା କରିଥିଲେ ।

୬. ନିଜ ସନ୍ଦେହ ଦୂର କରିବା ପାଇଁ ଆମକୁ ସଭାଗୁଡ଼ିକରୁ କିପରି ସାହାଯ୍ୟ ମିଳିପାରିବ ?

ଯିହୋବା ସଭାଗୁଡ଼ିକ ଜରିଆରେ ମଧ୍ୟ ଆମ ସହ କଥା ହୁଅନ୍ତି । ଯଦି ଆମେ ସଭାଗୁଡ଼ିକରେ ଲଗାତାର ଯାଉ, ତେବେ ହୋଇପାରେ କୌଣସି ଭାଷଣ କିମ୍ବା କାହାରି ଉତ୍ତରରୁ ଆମେ ଏପରି କିଛି ଶୁଣିବା, ଯେଉଁଥିରୁ ଆମର ସନ୍ଦେହ ଦୂର ହୋଇଯିବ । (ହିତୋ. ୨୭:୧୭) ଆସନ୍ତୁ ଜାଣିବା ଯେ ଆମ ମନରେ କʼଣ ସନ୍ଦେହ ଆସିପାରେ ଓ ଆମେ କିପରି ତାହା ଦୂର କରିପାରିବା ।

ଜଣା ନାହିଁ ଯିହୋବା ମୋ ପାଇଁ ଚିନ୍ତା କରନ୍ତି ନା ନାହିଁ

୭. କିଛି ଲୋକମାନଙ୍କ ମନରେ ହୁଏତ କେଉଁ ପ୍ରଶ୍ନ ଆସିପାରେ ?

କʼଣ ଆପଣଙ୍କ ମନରେ କେବେ ଏପରି ପ୍ରଶ୍ନ ଆସିଛି, ‘କʼଣ ପ୍ରକୃତରେ ଯିହୋବା ମୋ ଉପରେ ଧ୍ୟାନ ଦିଅନ୍ତି ?’ ଯଦି ଆପଣ ନିଜକୁ ବହୁତ ଛୋଟ ବୋଲି ମନେ କରନ୍ତି, ତେବେ ହୁଏତ ଆପଣ ଭାବିବେ, ‘ମୁଁ ସାରା ଦୁନିଆର ମାଲିକଙ୍କ ସାଙ୍ଗ କିପରି ହୋଇପାରିବି ? ଏହା ତ ସମ୍ଭବ ନୁହେଁ !’ ହୁଏତ ଦାଉଦ ବି ଏପରି ଭାବିଥିବେ । ସେ ଏହା ଭାବି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଯିହୋବା ସାଧାରଣ ମଣିଷମାନଙ୍କ ଉପରେ ଧ୍ୟାନ ଦିଅନ୍ତି । ସେ କହିଲେ, ‘ହେ ଯିହୋବା, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର ପରିଚୟ ନିଅ ? ମନୁଷ୍ୟ-ସନ୍ତାନ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ କର ?’ (ଗୀତ. ୧୪୪:୩) ତାହେଲେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର କେଉଁଠାରେ ମିଳିପାରିବ ?

୮. ୧ ଶାମୁୟେଲ ୧୬:୬, ୭, ୧୦-୧୨ ପଦ ଅନୁସାରେ ଯିହୋବା ଲୋକମାନଙ୍କଠାରେ କʼଣ ଦେଖନ୍ତି ?

ବାଇବଲରୁ ଜଣାପଡ଼େ ଯେ ଯିହୋବା ସେହି ଲୋକମାନଙ୍କ ଉପରେ ଧ୍ୟାନ ଦିଅନ୍ତି, ଯେଉଁମାନଙ୍କୁ ଅନ୍ୟ ଲୋକମାନେ ବହୁତ ସାଧାରଣ କିମ୍ବା ଛୋଟ ବୋଲି ମନେ କରନ୍ତି । ଏହାକୁ ବୁଝିବା ପାଇଁ ଗୋଟିଏ ଘଟଣା ଉପରେ ଧ୍ୟାନ ଦିଅନ୍ତୁ । ଯିହୋବା ଇସ୍ରାଏଲର ପରବର୍ତ୍ତୀ ରାଜା ବାଛିବା ପାଇଁ ଶାମୁୟେଲଙ୍କୁ ଯିଶୀଙ୍କ ଘରକୁ ପଠାନ୍ତି । ଯିଶୀ ଶାମୁୟେଲଙ୍କ ଆଗରେ ତାଙ୍କ ସାତଜଣ ପୁଅଙ୍କୁ ଛିଡ଼ା କଲେ, କିନ୍ତୁ ତାଙ୍କ ସାନ ପୁଅ ଦାଉଦ ସେଠାରେ ନ ଥିଲେ । b କିନ୍ତୁ ଯିହୋବା ଦାଉଦଙ୍କୁ ଇସ୍ରାଏଲର ପରବର୍ତ୍ତୀ ରାଜା ଭାବେ ନିଯୁକ୍ତ କଲେ । (୧ ଶାମୁୟେଲ ୧୬:୬, ୭, ୧୦-୧୨ ପଢ଼ନ୍ତୁ ।) ଏପରି କାହିଁକି ? କାରଣ ଯିହୋବା ଦାଉଦଙ୍କ ହୃଦୟ ଦେଖିଥିଲେ ଏବଂ ସେ ଧ୍ୟାନ ଦେଲେ ଯେ ଦାଉଦ ତାଙ୍କୁ କେତେ ପ୍ରେମ କରନ୍ତି ।

୯. ଆପଣ କାହିଁକି ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କ ଉପରେ ଧ୍ୟାନ ଦିଅନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଏବିଷୟରେ ବି ଭାବନ୍ତୁ ଯେ ଯିହୋବା ଏପରି କʼଣ କଲେ ଯାହା ଜରିଆରେ ଆପଣ ଦେଖିପାରିଲେ ଯେ ସେ ଆପଣଙ୍କ ଉପରେ ଧ୍ୟାନ ଦିଅନ୍ତି । ସେ ଆପଣଙ୍କ ପରିସ୍ଥିତି ଅନୁସାରେ ଆପଣଙ୍କୁ ପରାମର୍ଶ ଦିଅନ୍ତି । (ଗୀତ. ୩୨:୮) ଭାବନ୍ତୁ, ଯଦି ସେ ଆପଣଙ୍କୁ ଭଲଭାବେ ଜାଣି ନ ଥାʼନ୍ତେ ତାହେଲେ ସେ କିପରି ଆପଣଙ୍କୁ ବଢ଼ିଆ ପରାମର୍ଶ ଦେଇପାରନ୍ତେ ? (ଗୀତ. ୧୩୯:୧) ଆଉ ଯେବେ ଆପଣ ସେହି ପରାମର୍ଶକୁ ମାନନ୍ତି ଏବଂ ଦେଖନ୍ତି ଯେ ତାହାକୁ ମାନିଲେ କେତେ ଲାଭ ହେଉଛି, ତେବେ ଆପଣଙ୍କୁ ଭରସା ହୋଇଯାଏ ଯେ ଯିହୋବା ଆପଣଙ୍କ ଚିନ୍ତା କରନ୍ତି ଏବଂ ତାଙ୍କ ଦୃଷ୍ଟିରେ ଆପଣ ବହୁମୂଲ୍ୟ ଅଟନ୍ତି । (୧ ବଂଶା. ୨୮:୯; ପ୍ରେରି. ୧୭:୨୬, ୨୭) ଆପଣ ତାଙ୍କ ସେବାରେ ଯାହା ବି କରନ୍ତି, ସେଗୁଡ଼ିକ ଉପରେ ସେ ଧ୍ୟାନ ଦିଅନ୍ତି । ସେ ଆପଣଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି ଏବଂ ଆପଣଙ୍କ ସହିତ ସାଙ୍ଗ ହେବା ପାଇଁ ଚାହାନ୍ତି । (ଯିରି. ୧୭:୧୦) କେବଳ ଏତିକି ନୁହେଁ, ସେ ଏହା ବି ଚାହାନ୍ତି ଯେ ଆପଣ ବି ତାଙ୍କର ସାଙ୍ଗ ହୁଅନ୍ତୁ ।—୧ ଯୋହ. ୪:୧୯.

“ଯେବେ ତୁମ୍ଭେ [ଯିହୋବାଙ୍କର] ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ ।”—୧ ବଂଶା. ୨୮:୯. (ପାରାଗ୍ରାଫ ୯) c


ଜଣା ନାହିଁ ମୁଁ ଯେଉଁ ନିଷ୍ପତ୍ତି ନେଇଥିଲି ତାହା ଠିକ୍‌ ଥିଲା ନା ନାହିଁ

୧୦. ଆମେ ପୂର୍ବରୁ ଯେଉଁ ନିଷ୍ପତ୍ତି ନେଇଥିଲୁ, ସେବିଷୟରେ ଆମ ମନରେ କେଉଁ ପ୍ରଶ୍ନ ଆସିପାରେ ?

୧୦ କିଛି ଲୋକଙ୍କ ମନରେ ହୁଏତ ଏହା ସନ୍ଦେହ ଆସିପାରେ ଯେ କିଛି ବର୍ଷ ପୂର୍ବେ ସେମାନେ ଯେଉଁ ନିଷ୍ପତ୍ତି ନେଇଥିଲେ, ଜଣା ନାହିଁ ତାହା ଠିକ୍‌ ଥିଲା ନା ନାହିଁ । ହୋଇପାରେ ସେମାନେ ଯିହୋବାଙ୍କ ସେବା କରିବା ପାଇଁ ଗୋଟିଏ ଭଲ ଚାକିରି କିମ୍ବା ବ୍ୟବସାୟ କରିବାର ସୁଯୋଗକୁ ଛାଡ଼ି ଦେଇଥିଲେ । କିନ୍ତୁ ଏବେ ଅନେକ ବର୍ଷ ପରେ ଯେବେ ସେମାନେ ନିଜ ପରିଚିତ ଲୋକ ଓ ସାଙ୍ଗମାନଙ୍କୁ ଦେଖନ୍ତି ଯେଉଁମାନେ ଭଲ କ୍ୟାରିୟର ବାଛିଥିଲେ, ତେବେ ହୁଏତ ସେମାନେ ଭାବିବେ, ‘ସେମାନଙ୍କ ପାଖରେ ବହୁତ ପଇସା ଅଛି ଓ ସେମାନେ ସୁଖ ସୁବିଧାରେ ବଞ୍ଚୁଛନ୍ତି । କʼଣ ମୁଁ ଯିହୋବାଙ୍କ ପାଇଁ ଯାହା ତ୍ୟାଗ କଲି ତାହା ଠିକ୍‌ ଥିଲା ? କʼଣ ମୁଁ ଅଧିକ ପଇସା ରୋଜଗାର କରିବାର ସୁଯୋଗକୁ ଛାଡ଼ି ଠିକ୍‌ କଲି ?’

୧୧. ଗୀତସଂହିତା ୭୩ ଅଧ୍ୟାୟର ଲେଖକ କାହିଁକି ଚିନ୍ତିତ ଥିଲେ ?

୧୧ ଯଦି ଆପଣଙ୍କ ମନରେ ବି ଏପରି ପ୍ରଶ୍ନ ଆସେ, ତାହେଲେ ଗୀତସଂହିତା ୭୩ ଅଧ୍ୟାୟର ଲେଖକଙ୍କ ବିଷୟରେ ଭାବନ୍ତୁ । ସେ ଦେଖିଲେ ଯେ ଯେଉଁମାନେ ଯିହୋବାଙ୍କ ସେବା କରୁ ନାହାନ୍ତି, ସେମାନେ ଉନ୍ନତି କରୁଛନ୍ତି ଓ ବହୁତ ସୁଖ ସୁବିଧାରେ ବଞ୍ଚୁଛନ୍ତି । (ଗୀତ. ୭୩:୩-୫, ୧୨) ଏହା ଦେଖି ତାଙ୍କୁ ଲାଗିଲା ଯେ ସେମାନଙ୍କୁ କୌଣସି ଚିନ୍ତା ବା ସମସ୍ୟା ନାହିଁ । ସେ ଭାବିବାକୁ ଲାଗିଲେ ଯେ ସେ ଯିହୋବାଙ୍କ ପାଇଁ ଯେଉଁ ତ୍ୟାଗ କରିଥିଲେ, ତାʼର କୌଣସି ଲାଭ ହେଲା ନାହିଁ । ଏହି କଥାସବୁ ଭାବି ‘ତାଙ୍କୁ ଦିନଯାକ ଆଘାତ’ ପହଞ୍ଚୁଥିଲା ଆଉ ସେ ବହୁତ ନିରାଶ ହୋଇଯାଇଥିଲେ । (ଗୀତ. ୭୩:୧୩, ୧୪) ଏପରି ସମୟରେ ସେ କʼଣ କଲେ ?

୧୨. ଗୀତସଂହିତା ୭୩ ଅଧ୍ୟାୟର ଲେଖକଙ୍କ ସନ୍ଦେହ କିପରି ଦୂର ହେଲା ? (ଗୀତସଂହିତା ୭୩:୧୬-୧୮)

୧୨ ଗୀତସଂହିତା ୭୩:୧୬-୧୮ ପଢ଼ନ୍ତୁ । ଗୀତସଂହିତାର ଲେଖକ ଯିହୋବାଙ୍କ ମନ୍ଦିରକୁ ଗଲେ । ସେଠାକୁ ଯାଇ ସେ ଭଲଭାବେ ଭାବିପାରିଲେ । ସେ ବୁଝିଗଲେ ଯେ ହୁଏତ ଦୁଷ୍ଟ ଲୋକମାନେ ସୁଖ ସୁବିଧାରେ ବଞ୍ଚୁଛନ୍ତି, କିନ୍ତୁ ସେମାନଙ୍କ ପାଖରେ ଭବିଷ୍ୟତ ପାଇଁ କୌଣସି ଆଶା ନାହିଁ । ଏହା ଜାଣି ତାଙ୍କୁ ଶାନ୍ତି ମିଳିଲା । ସେ ବୁଝିପାରିଲେ ଯେ ଈଶ୍ୱରଙ୍କ ସେବାକୁ ପ୍ରଥମ ସ୍ଥାନ ଦେଇ ସେ ବିଲକୁଲ୍‌ ଠିକ୍‌ କଲେ । ତାଙ୍କ ସନ୍ଦେହ ଦୂର ହୋଇଗଲା ଏବଂ ଯିହୋବାଙ୍କ ସେବା କରିବା ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଆହୁରି ଦୃଢ଼ ହୋଇଗଲା ।—ଗୀତ. ୭୩:୨୩-୨୮.

୧୩. ଯଦି ଆପଣଙ୍କୁ ସନ୍ଦେହ ହୁଏ ଯେ ଆପଣ ପୂର୍ବେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଠିକ୍‌ ଥିଲା ନା ନାହିଁ, ତାହେଲେ ଆପଣ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ଗୀତସଂହିତା ୭୩ ଅଧ୍ୟାୟର ଲେଖକଙ୍କ ଭଳି ଆମେ ବି ନିଜ ସନ୍ଦେହ ଦୂର କରିପାରିବା ଓ ଆମକୁ ବି ମନର ଶାନ୍ତି ମିଳିବ । ତାହା କିପରି ? ଭାବନ୍ତୁ ଆପଣଙ୍କ ପାଖରେ କʼଣ ଅଛି ଓ ଦୁନିଆର ଲୋକଙ୍କ ପାଖରେ କʼଣ ଅଛି । ଯେପରି, ଆପଣ ସ୍ୱର୍ଗରେ ଧନ ସଞ୍ଚୟ କରୁଛନ୍ତି ଆଉ ଯିହୋବା ଆପଣଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ଦୁନିଆର ଲୋକେ ଈଶ୍ୱରଙ୍କ ସେବା କରନ୍ତି ନାହିଁ ଆଉ ଈଶ୍ୱର ସେମାନଙ୍କୁ ସାହାଯ୍ୟ କରନ୍ତି ନାହିଁ । ସେମାନେ ଭାବନ୍ତି ଯେ ଗୋଟିଏ ଭଲ ଚାକିରି, ସୁଖ ସୁବିଧାର ଜୀବନ, ଏହା ହିଁ ସବୁକିଛି, କାରଣ ଭବିଷ୍ୟତ ପାଇଁ ସେମାନଙ୍କ ପାଖରେ କୌଣସି ଆଶା ନାହିଁ । କିନ୍ତୁ ଆମେ ତାଙ୍କଠାରୁ ପୂରାପୂରି ଅଲଗା । ଯିହୋବା ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ଗୋଟିଏ ଭଲ ଭବିଷ୍ୟତ ଦେବେ ଏବଂ ଏତେ ଆଶିଷ ଦେବେ ଯାହା ଆମେ କେବେ ବି ଭାବିପାରିବା ନାହିଁ । (ଗୀତ. ୧୪୫:୧୬) ଏବିଷୟରେ ବି ଭାବନ୍ତୁ, ଯଦି ଆପଣ ଯିହୋବାଙ୍କ ସେବା କରିବା ପରିବର୍ତ୍ତେ ଦୁନିଆରେ ବହୁତ ଟଙ୍କା ରୋଜଗାର କରନ୍ତେ, ତାହେଲେ ଏହାର କʼଣ ଗ୍ୟାରେଣ୍ଟି ଅଛି ଯେ ଆପଣଙ୍କ ଜୀବନ ଆରାମରେ କଟନ୍ତା, ଯେପରି ଆପଣ ଭାବୁଛନ୍ତି । କିନ୍ତୁ ଏ କଥାର ପୂରା ଗ୍ୟାରେଣ୍ଟି ଅଛି ଯେ ଯଦି ଜଣେ ମଣିଷ ଯିହୋବା ଓ ଲୋକମାନଙ୍କୁ ପ୍ରେମ କରେ ଓ ସେମାନଙ୍କୁ ଧ୍ୟାନରେ ରଖି ନିଷ୍ପତ୍ତି ନିଏ, ତାହେଲେ ସେ ପ୍ରକୃତରେ ଖୁସିରେ ରହିବ ଓ ତାକୁ କୌଣସି ଜିନିଷର ଅଭାବ ହେବ ନାହିଁ ।

ଯିହୋବା ଯେଉଁ ଆଶିଷଗୁଡ଼ିକ ଦେବେ, ସେବିଷୟରେ ଭାବନ୍ତୁ (ପାରାଗ୍ରାଫ ୧୩) d


ଜଣା ନାହିଁ ମୁଁ ଯିହୋବାଙ୍କ କୌଣସି କାମରେ ଆସିବି ନା ନାହିଁ

୧୪. ଯିହୋବାଙ୍କ କିଛି ସେବକଙ୍କ ମନରେ କେଉଁ ପ୍ରଶ୍ନ ଆସିପାରେ ଏବଂ କାହିଁକି ?

୧୪ ଈଶ୍ୱରଙ୍କ କିଛି ଏପରି ବି ସେବକମାନେ ଅଛନ୍ତି ଯେଉଁମାନେ ବହୁତ ବୟସ୍କ, ବେମାର ବା ଭିନ୍ନକ୍ଷମ ଅଟନ୍ତି । ସେମାନେ ଯିହୋବାଙ୍କ ପାଇଁ ଏତେ କରିପାରନ୍ତି ନାହିଁ ଯେତେ ସେମାନେ କରିବା ପାଇଁ ଚାହାନ୍ତି ଆଉ ଏହି କାରଣ ଯୋଗୁଁ ସେମାନେ ନିଜକୁ ବେକାର ଭାବନ୍ତି । ହୁଏତ ସେମାନେ ଭାବିବେ, ‘କʼଣ ମୁଁ ଏବେ ବି ଯିହୋବାଙ୍କ କୌଣସି କାମରେ ଆସିବି ?’

୧୫. ଗୀତସଂହିତା ୭୧ ଅଧ୍ୟାୟର ଲେଖକଙ୍କୁ କେଉଁ କଥା ଉପରେ ପୂରା ଭରସା ଥିଲା ?

୧୫ ଗୀତସଂହିତା ୭୧ ଅଧ୍ୟାୟର ଲେଖକଙ୍କ ମନରେ ବି ହୁଏତ ଏହି ପ୍ରଶ୍ନ ଆସିଥିଲା । ସେ ଯିହୋବାଙ୍କୁ ପ୍ରାର୍ଥନାରେ କହିଲେ, “ମୋହର ବଳ କ୍ଷୀଣ ହେବା ସମୟରେ ମୋତେ ଛାଡ଼ ନାହିଁ ।” (ଗୀତ. ୭୧:୯, ୧୮) କିନ୍ତୁ ତାଙ୍କୁ ଯିହୋବାଙ୍କ ଉପରେ ପୂରା ଭରସା ଥିଲା ଯେ ଯଦି ସେ ବିଶ୍ୱସ୍ତତାର ସହିତ ଈଶ୍ୱରଙ୍କ ସେବା କରୁଥିବେ, ତାହେଲେ ସେ ସବୁବେଳେ ତାଙ୍କ ସାଙ୍ଗରେ ରହିବେ ଆଉ ତାଙ୍କୁ ସଠିକ୍‌ ରାସ୍ତା ଦେଖାଇବେ । ସେ ଏହା ବି ଜାଣିଲେ ଯେ ଯେବେ ଆମେ ନିଜ ପରିସ୍ଥିତି ଅନୁସାରେ ଯିହୋବାଙ୍କ ପାଇଁ ଯେତେ ହୋଇପାରେ ସେତେ କରୁ, ତେବେ ଏହା ଦେଖି ଯିହୋବା ବହୁତ ଖୁସି ହୁଅନ୍ତି ।—ଗୀତ. ୩୭:୨୩-୨୫.

୧୬. ବୃଦ୍ଧ ଭାଇଭଉଣୀମାନେ ଯିହୋବାଙ୍କ ପାଇଁ କʼଣ କʼଣ କରିପାରିବେ ? (ଗୀତସଂହିତା ୯୨:୧୨-୧୫)

୧୬ ପ୍ରିୟ ବୃଦ୍ଧ ଭାଇ ଓ ଭଉଣୀମାନେ, ନିଜକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ହୁଏତ ଆପଣ ଶାରୀରିକ ଭାବେ ଦୁର୍ବଳ ହୋଇଯାଉଛନ୍ତି, କିନ୍ତୁ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ଦିନକୁ ଦିନ ଆହୁରି ଦୃଢ଼ ହୋଇଚାଲିଛି । (ଗୀତସଂହିତା ୯୨:୧୨-୧୫ ପଢ଼ନ୍ତୁ ।) ତାହେଲେ ଏହି କଥା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଯେ ଆପଣ କʼଣ କରିପାରିବେ ନାହିଁ, ଆପଣ ଏହା ଭାବନ୍ତୁ ଯେ ଆପଣ କʼଣ କରିପାରିବେ । ଯେପରି, ଯେବେ ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି ଓ ଅନ୍ୟମାନଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତି, ତେବେ ଆପଣ ସେମାନଙ୍କର ଉତ୍ସାହ ବଢ଼ାଇପାରନ୍ତି । ଆପଣ ଅନ୍ୟମାନଙ୍କୁ କହିପାରିବେ ଯେ ଅନେକ ବର୍ଷରୁ ଯିହୋବା ଆପଣଙ୍କୁ କିପରି ସାହାଯ୍ୟ କରିଛନ୍ତି । ଆଉ ଆପଣ ଏହା ବି କହିପାରିବେ ଯେ ଆପଣ ଭବିଷ୍ୟତରେ କେଉଁ ପ୍ରତିଜ୍ଞା ପୂରା ହେବାର ଦେଖିବା ପାଇଁ ଚାହୁଁଛନ୍ତି । ତାʼସହ ଆପଣ ଅନ୍ୟମାନଙ୍କ ପାଇଁ ହୃଦୟରୁ ପ୍ରାର୍ଥନା କରିପାରିବେ । ଆପଣ ଭାବି ବି ପାରିବେନି ଯେ ଏହାର କେତେ ଗଭୀର ପ୍ରଭାବ ପଡ଼େ । (୧ ପିତ. ୩:୧୨) ଆମ ପରିସ୍ଥିତି ଯାହା ବି ହେଉ ନା କାହିଁକି ଆମେ ଯିହୋବା ଓ ଅନ୍ୟମାନଙ୍କ ପାଇଁ କିଛି ନା କିଛି ନିଶ୍ଚୟ କରିପାରିବା ।

୧୭. ଆମକୁ କାହିଁକି ଅନ୍ୟମାନଙ୍କ ସହ ନିଜ ତୁଳନା କରିବା ଉଚିତ୍‌ ନୁହେଁ ?

୧୭ କʼଣ ଆପଣ ଏହି କଥାକୁ ନେଇ ଚିନ୍ତା କରୁଛନ୍ତି ଯେ ଆପଣ ଯିହୋବାଙ୍କ ସେବାରେ ସେତିକି କରିପାରୁ ନାହାନ୍ତି, ଯେତିକି ଆପଣ କରିବା ପାଇଁ ଚାହାନ୍ତି ? ତାହେଲେ ଭରସା ରଖନ୍ତୁ ଯେ ଆପଣ ଯେତିକି ବି କରିପାରନ୍ତି, ତାହାକୁ ଯିହୋବା ବହୁମୂଲ୍ୟ ମନେ କରନ୍ତି । ଆଉ ଆପଣ ଅନ୍ୟମାନଙ୍କ ସହ ନିଜ ତୁଳନା କରନ୍ତୁ ନାହିଁ । ଏହା ଭାବନ୍ତୁ ନାହିଁ ଯେ ଅନ୍ୟମାନେ ଯିହୋବାଙ୍କ ସେବାରେ ବହୁତ କରୁଛନ୍ତି ଆଉ ଆପଣ କିଛି ବି କରିପାରୁ ନାହାନ୍ତି । ଯିହୋବା ନିଜ ସେବକମାନଙ୍କ ତୁଳନା ଅନ୍ୟ ସେବକମାନଙ୍କ ସହ କରନ୍ତି ନାହିଁ । (ଗାଲା. ୬:୪) ଉଦାହରଣ ପାଇଁ ମରୀୟମ ଯୀଶୁଙ୍କ ମୁଣ୍ଡରେ ଯେଉଁ ସୁଗନ୍ଧମୟ ତେଲ ଢାଳିଥିଲେ, ତାହା ବହୁମୂଲ୍ୟ ଥିଲା । (ଯୋହ. ୧୨:୩-୫) ଆଉ ସେହି ଗରିବ ବିଧବା ଯିଏ ମନ୍ଦିରରେ ଦୁଇ କ୍ଷୁଦ୍ର ମୁଦ୍ରା ଦାନ ଦେଇଥିଲେ, ତାର ମୂଲ୍ୟ କିଛି ବି ନ ଥିଲା । (ଲୂକ ୨୧:୧-୪) କିନ୍ତୁ ଯୀଶୁ ସେହି ଦୁହିଁଙ୍କ ବିଶ୍ୱାସ ଦେଖିଲେ ଆଉ ସେ ଦୁହିଁଙ୍କ ପ୍ରଶଂସା କଲେ । ଯୀଶୁ ବିଲକୁଲ୍‌ ନିଜ ପିତାଙ୍କ ଭଳି ଥିଲେ । ସେଥିପାଇଁ ଭରସା ରଖନ୍ତୁ ଯେ ଆପଣ ପ୍ରେମ ଯୋଗୁଁ ଯିହୋବାଙ୍କ ପାଇଁ ଯାହା ବି କରନ୍ତି, ତାହା ହୁଏତ ଆପଣଙ୍କୁ କମ୍‌ ଲାଗୁଥିବ, କିନ୍ତୁ ଯିହୋବା ତାହାକୁ ବହୁମୂଲ୍ୟ ଭାବନ୍ତି ।

୧୮. ଆମେ ନିଜ ସନ୍ଦେହ କିପରି ଦୂର କରିପାରିବା ? (“ ଯିହୋବାଙ୍କ ବାକ୍ୟ ସାହାଯ୍ୟରେ ଆପଣ ନିଜ ସନ୍ଦେହ ଦୂର କରିପାରିବେ” ନାମକ ବକ୍ସ ଦେଖନ୍ତୁ ।)

୧୮ ଆମେ ସମସ୍ତେ ବେଳେବେଳେ ସନ୍ଦେହ କରୁ । କିନ୍ତୁ ଯେପରି ଆମେ ଦେଖିଲୁ ଈଶ୍ୱରଙ୍କ ବାକ୍ୟ ସାହାଯ୍ୟରେ ଆମେ ନିଜ ସନ୍ଦେହ ଦୂର କରିପାରିବା । ତେଣୁ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ପାଇଁ ପରିଶ୍ରମ କରନ୍ତୁ । ଏପରି କଲେ ଆପଣଙ୍କ ଚିନ୍ତା ହୁଏତ କମ୍‌ ହେବ ଓ ଆପଣଙ୍କ ଏହି କଥା ଉପରେ ଭରସା ବଢ଼ିବ ଯେ ଯିହୋବା ଆପଣଙ୍କ ଚିନ୍ତା କରନ୍ତି । ତାʼସହ ଆପଣ ଯିହୋବାଙ୍କ ପାଇଁ ଯେଉଁ ତ୍ୟାଗ କରିଛନ୍ତି, ତାହାକୁ ସେ ବହୁମୂଲ୍ୟ ଭାବନ୍ତି ଆଉ ସେ ଆପଣଙ୍କୁ ନିଶ୍ଚୟ ପୁରସ୍କାର ଦେବେ । ଭରସା ରଖନ୍ତୁ ଯେ ଯିହୋବା ନିଜ ପ୍ରତ୍ୟେକ ବିଶ୍ୱସ୍ତ ସେବକଙ୍କୁ ପ୍ରେମ କରନ୍ତି ଆଉ ତାଙ୍କର ଯତ୍ନ ନିଅନ୍ତି !

ଗୀତ ୧୧୧ ହାମାରି ଖୁସି କେ କାଇ କାରନ୍‌

a ଏହାର ଅର୍ଥ କʼଣ ? ବାଇବଲରେ କୁହାଯାଇଛି ଯେ ଜଣେ ବ୍ୟକ୍ତିର ବିଶ୍ୱାସ କମ୍‌ ହେବା ଯୋଗୁଁ ସେ ଯିହୋବା ଓ ତାଙ୍କ ପ୍ରତିଜ୍ଞା ଉପରେ ସନ୍ଦେହ କରିପାରେ । କିନ୍ତୁ ଏହି ଲେଖାରେ ଆମେ ସେହି ସନ୍ଦେହ ବିଷୟରେ କଥା ହେଉ ନାହୁଁ । ଏଠାରେ ଆମେ ଏପରି ସନ୍ଦେହ ବିଷୟରେ କଥା ହେଉଛୁ ଯାହା ବେଳେବେଳେ ଜଣେ ଖ୍ରୀଷ୍ଟିୟାନଙ୍କ ମନରେ ଆସିପାରେ । ଯେପରି, ହୁଏତ ତାଙ୍କ ମନରେ ଆସିପାରେ ଯେ ଯିହୋବାଙ୍କ ଦୃଷ୍ଟିରେ ତାଙ୍କ କୌଣସି ମୂଲ୍ୟ ନାହିଁ ବା ସେ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଠିକ୍‌ ନ ଥିଲା ।

b ବାଇବଲରେ ଏହା କୁହାଯାଇ ନାହିଁ ଯେ ଯେବେ ଦାଉଦଙ୍କ ଅଭିଷେକ ହେଲା ତେବେ ତାଙ୍କ ବୟସ କେତେ ଥିଲା । କିନ୍ତୁ ହୁଏତ ସେସମୟରେ ସେ ବାଳକ ଥିଲେ ଓ ତାଙ୍କ ବୟସ ପାଖାପାଖି ୧୪-୧୫ ବର୍ଷ ଥିବ ।—୨୦୧୬ ମସିହାର ପ୍ରହରୀଦୁର୍ଗର, ସଂଖ୍ୟା ୪, ପୃଷ୍ଠା ୯ ପଢ଼ନ୍ତୁ ।

c ଚିତ୍ର ବିଷୟରେ: ଜଣେ ଯୁବା ଭଉଣୀ କୌଣସି ବିଷୟରେ ଯିହୋବାଙ୍କ ଚିନ୍ତାଧାରା ଜାଣିବା ପାଇଁ ଶାସ୍ତ୍ରରେ ଅନୁସନ୍ଧାନ କରୁଛନ୍ତି ।

d ଚିତ୍ର ବିଷୟରେ: ଜଣେ ଭାଇ ନିଜ ପରିବାର ଚଳାଇବା ପାଇଁ କାମ କରୁଛନ୍ତି, କିନ୍ତୁ ସେ ଭବିଷ୍ୟତର ପାରଦୀଶ ବିଷୟରେ ଭାବୁଛନ୍ତି ।