इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୨

ଗୀତ ୧୦୩ “ଆଦମିୟୋଁ କେ ରୂପ ମେଁ ତୌଫେ”

‘ମନୁଷ୍ୟମାନଙ୍କ ରୂପରେ ମିଳିଥିବା ଉପହାର’ ପାଇଁ କୃତଜ୍ଞତା ଦେଖାନ୍ତୁ

‘ମନୁଷ୍ୟମାନଙ୍କ ରୂପରେ ମିଳିଥିବା ଉପହାର’ ପାଇଁ କୃତଜ୍ଞତା ଦେଖାନ୍ତୁ

‘ସେ ଊର୍ଦ୍ଧ୍ୱରେ ଆରୋହଣ କରି . . . ମନୁଷ୍ୟମାନଙ୍କ ରୂପରେ ନାନା ବର ଦାନ ବା ଉପହାର ଦେଲେ ।’ଏଫି. ୪:୮.

କʼଣ ଶିଖିବା ?

ଆମେ ଜାଣିବା ଯେ ସହାୟକ ସେବକ, ପ୍ରାଚୀନ ଏବଂ ସର୍କିଟ ଅଧ୍ୟକ୍ଷ ଆମ ପାଇଁ ବହୁତ କିଛି କରନ୍ତି ଆଉ ଆମେ ଏହି ବିଶ୍ୱସ୍ତ ଭାଇମାନଙ୍କ ପାଇଁ ନିଜର କୃତଜ୍ଞତା କିପରି ଦେଖାଇପାରିବା ।

୧. ଯୀଶୁ ଆମମାନଙ୍କ ପାଇଁ କʼଣ କʼଣ କଲେ?

 ଯୀଶୁ ଆମ ପାଇଁ ଯେତିକି କରିଛନ୍ତି, କୌଣସି ବ୍ୟକ୍ତି ଆମ ପାଇଁ ସେତିକି କରି ନାହାନ୍ତି । ପୃଥିବୀରେ ଥିବା ସମୟରେ ସେ ନିଜର ଚମତ୍କାର କରିବାର ଯେଉଁ ଶକ୍ତି ଥିଲା, ତାʼର ବ୍ୟବହାର କରି ଲୋକମାନଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କଲେ । (ଲୂକ ୯:୧୨-୧୭) ସବୁଠୁ ବଡ଼ କଥା, ସେ ଆମମାନଙ୍କ ପାଇଁ ନିଜ ଜୀବନ ବଳିଦାନ କରିଦେଲେ । (ଯୋହ. ୧୫:୧୩) ଜୀବିତ ହେବା ପରେ ବି ସେ ଲୋକମାନଙ୍କୁ ସାହାଯ୍ୟ କରିବା ଜାରି ରଖିଲେ । ତାଙ୍କ ଶିଷ୍ୟମାନେ ସତ୍ୟକୁ ଭଲଭାବେ ବୁଝିପାରନ୍ତୁ ଓ ସେମାନଙ୍କୁ ସାନ୍ତ୍ୱନା ମିଳୁ, ତେଣୁ ସେ ନିଜ ପିତା ଯିହୋବାଙ୍କୁ ସେମାନଙ୍କ ପାଇଁ ପବିତ୍ର ଶକ୍ତି ମାଗିଲେ । (ଯୋହ. ୧୪:୧୬, ୧୭; ୧୬:୧୩) ଆଉ ଆଜି ବି ଯୀଶୁ ଆମମାନଙ୍କୁ ସାହାଯ୍ୟ କରୁଛନ୍ତି । ଯେପରି, ସାରା ଦୁନିଆରେ ଆମେ ଶିଷ୍ୟ କରିବାର କାମକୁ ଭଲଭାବେ କରିପାରିବା, ସେଥିପାଇଁ ସେ ସଭାଗୁଡ଼ିକ ଜରିଆରେ ଆମକୁ ଶିଖାଉଛନ୍ତି ।—ମାଥି. ୨୮:୧୮-୨୦.

୨. ଯୀଶୁ ‘ମନୁଷ୍ୟମାନଙ୍କ ରୂପରେ ଯେଉଁ ଉପହାର ଦେଇଛନ୍ତି,’ ସେମାନେ କିଏ ଅଟନ୍ତି ? (ଏଫିସୀୟ ୪:୭, ୮)

ଯୀଶୁ ଆମମାନଙ୍କୁ ଆଉ ଗୋଟିଏ ଉପହାର ଦେଲେ । ପ୍ରେରିତ ପାଉଲ ଲେଖିଲେ ଯେ ସ୍ୱର୍ଗ ଯିବା ପରେ ଯୀଶୁ ଆମକୁ ‘ମନୁଷ୍ୟମାନଙ୍କ ରୂପରେ ଉପହାର ଦେଲେ ।’ (ଏଫିସୀୟ ୪:୭, ୮ ପଢ଼ନ୍ତୁ ।) ପାଉଲ ବୁଝାଇଲେ ଯେ ଯୀଶୁ ଏହି ଉପହାର ଏଥିପାଇଁ ଦେଲେ, କାରଣ ଏହି ମନୁଷ୍ୟମାନେ ଭିନ୍ନ ଭିନ୍ନ ଉପାୟରେ ମଣ୍ଡଳୀକୁ ସାହାଯ୍ୟ କରିପାରନ୍ତୁ । (ଏଫି. ୧:୨୨, ୨୩; ୪:୧୧-୧୩) ଆଜି ‘ମନୁଷ୍ୟମାନଙ୍କ ରୂପରେ ଉପହାର’ କିଏ ଅଟନ୍ତି ? ସହାୟକ ସେବକ, ମଣ୍ଡଳୀର ପ୍ରାଚୀନ ଏବଂ ସର୍କିଟ ଅଧ୍ୟକ୍ଷ । a ଏହା ସତ ଯେ ବେଳେବେଳେ ଏମାନଙ୍କ ଦ୍ୱାରା ଭୁଲ ହୋଇଯାଏ କାରଣ ଏମାନେ ବି ଆମ ଭଳି ମଣିଷ ଅଟନ୍ତି । (ଯାକୁ. ୩:୨) କିନ୍ତୁ ଯୀଶୁ ଏମାନଙ୍କ ଜରିଆରେ ଆମକୁ ସାହାଯ୍ୟ କରନ୍ତି । ଏହି ମନୁଷ୍ୟମାନେ ଯୀଶୁଙ୍କ ତରଫରୁ ଉପହାର ଅଟନ୍ତି ।

୩. ଆମକୁ ‘ମନୁଷ୍ୟମାନଙ୍କ ରୂପରେ ଯେଉଁ ଉପହାର’ ମିଳିଛି, ଏମାନଙ୍କର ଆମେ କିପରି ସାହାଯ୍ୟ କରିପାରିବା ? ବୁଝାନ୍ତୁ ।

ଯୀଶୁ ‘ମନୁଷ୍ୟମାନଙ୍କ ରୂପରେ ଯେଉଁ ଉପହାର ଦେଇଛନ୍ତି,’ ସେମାନେ ମଣ୍ଡଳୀକୁ ଦୃଢ଼ କରିବାର କାମ କରନ୍ତି । (ଏଫି. ୪:୧୨) କିନ୍ତୁ ଆମେ ସମସ୍ତେ ଏହି ଦାୟିତ୍ୱକୁ ପୂରା କରିବା ପାଇଁ ସେମାନଙ୍କର ସାହାଯ୍ୟ କରିପାରିବା । ଏ କଥାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ରାଜ୍ୟଘର ନିର୍ମାଣ କରିବା ସମୟରେ କେବଳ କିଛି ଲୋକ ସେଥିରେ କାମ କରନ୍ତି । କିନ୍ତୁ ଅନ୍ୟ ଭାଇଭଉଣୀମାନେ ସେମାନଙ୍କୁ ସାହାଯ୍ୟ କରନ୍ତି । ଯେପରି, ହୁଏତ ସେମାନେ ଖାଇବା ପାଇଁ ଆଣନ୍ତି, ନେବା ଆଣିବା କାମ କରନ୍ତି କିମ୍ବା ଭିନ୍ନ ଭିନ୍ନ ଉପାୟରେ ସାହାଯ୍ୟ କରନ୍ତି । ସେହିଭଳି ମଣ୍ଡଳୀର ଭାଇଭଉଣୀମାନେ ସହାୟକ ସେବକ, ମଣ୍ଡଳୀର ପ୍ରାଚୀନ ଏବଂ ସର୍କିଟ ଅଧ୍ୟକ୍ଷଙ୍କ ସାହାଯ୍ୟ କରିପାରିବେ । ଆମେ ସେମାନଙ୍କର ଉତ୍ସାହ ବଢ଼ାଇପାରିବା କିମ୍ବା ସେମାନଙ୍କ ପାଇଁ କିଛି କରିପାରିବା । ଆସନ୍ତୁ ଦେଖିବା ଯେ ଏହି ଭାଇମାନେ ଯେଉଁ କଠିନ ପରିଶ୍ରମ କରନ୍ତି, ସେଥିରୁ ଆମକୁ କିପରି ଲାଭ ହୁଏ । ଆମେ ଏହା ବି ଜାଣିବା ଯେ ‘ମନୁଷ୍ୟମାନଙ୍କ ରୂପରେ ଯେଉଁ ଉପହାର’ ମିଳିଛି, ତାʼପାଇଁ ଏବଂ ଯିଏ ଆମକୁ ଏହି ଉପହାର ଦେଇଛନ୍ତି ଅର୍ଥାତ୍‌ ଯୀଶୁଙ୍କ ପାଇଁ ଆମେ ନିଜ କୃତଜ୍ଞତା କିପରି ଦେଖାଇପାରିବା ।

ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ସେବା କରୁଥିବା ସହାୟକ ସେବକ

୪. ପ୍ରଥମ ଶତାବ୍ଦୀରେ ସହାୟକ ସେବକମାନେ କିପରି ସାହାଯ୍ୟ କରୁଥିଲେ?

ପ୍ରଥମ ଶତାବ୍ଦୀରେ କିଛି ଭାଇମାନଙ୍କୁ ସହାୟକ ସେବକ ନିଯୁକ୍ତ କରାଯାଇଥିଲା । (୧ ତୀମ. ୩:୮) ଯେବେ ପାଉଲ “ପରୋପକାରିତା” ବା ଅନ୍ୟକୁ ସାହାଯ୍ୟ କରିବା ପାଇଁ ସେବା କରୁଥିବା ବ୍ୟକ୍ତିମାନଙ୍କ ବିଷୟରେ କହିଲେ, ତେବେ ହୁଏତ ସେ ସହାୟକ ସେବକମାନଙ୍କ ବିଷୟରେ କହୁଥିଲେ । (୧ କରି. ୧୨:୨୮) ଏଥିରୁ ଜଣାପଡ଼େ ଯେ ଏହି ଭାଇମାନେ ମଣ୍ଡଳୀର ଅନେକ ଜରୁରୀ କାମ କରୁଥିଲେ, ଯାହାଦ୍ୱାରା ପ୍ରାଚୀନମାନେ ଶିଖାଇବା କାମ ଏବଂ ଈଶ୍ୱରଙ୍କ ମେଷମାନଙ୍କର ଦେଖାଶୁଣା କରିବାରେ ପୂରା ଧ୍ୟାନ ଦେଇପାରନ୍ତେ । ସହାୟକ ସେବକମାନେ ହୁଏତ ଶାସ୍ତ୍ରର ନକଲ ପ୍ରସ୍ତୁତି କରିବା ପାଇଁ ସାହାଯ୍ୟ କରୁଥିଲେ ଏବଂ ନକଲ ତିଆରି କରିବା ପାଇଁ ଯେଉଁ ଜିନିଷ ସବୁ ଦରକାର ହେଉଥିଲା, ସେଗୁଡ଼ିକୁ କିଣାକିଣି କରୁଥିଲେ ।

୫. ସହାୟକ ସେବକମାନେ ମଣ୍ଡଳୀରେ କʼଣ କʼଣ କାମ କରନ୍ତି ?

ଧ୍ୟାନ ଦିଅନ୍ତୁ ଯେ ଆଜି ସହାୟକ ସେବକମାନେ ମଣ୍ଡଳୀରେ କʼଣ କʼଣ କାମ କରନ୍ତି । (୧ ପିତ. ୪:୧୦) ସେମାନେ ଭିନ୍ନ ଭିନ୍ନ କାମ କରନ୍ତି । ଯେପରି, ମଣ୍ଡଳୀ ଆକାଉଣ୍ଟସ୍‌ର ହିସାବ ରଖନ୍ତି, ପ୍ରଚାର ଅଞ୍ଚଳର ରେକର୍ଡ ରଖନ୍ତି ଏବଂ ପ୍ରକାଶନଗୁଡ଼ିକର ହିସାବ ରଖିବା ସହ ସେଗୁଡ଼ିକୁ ମଣ୍ଡଳୀରେ ଭାଇଭଉଣୀମାନଙ୍କୁ ବାଣ୍ଟନ୍ତି । ଆଉ କିଛି ଭାଇ ଅଡିଓ ଭିଡିଓ ସମ୍ଭାଳନ୍ତି, ସହାୟକ ଭାବେ (ଆଟେଣ୍ଡାଣ୍ଟର) କାମ କରନ୍ତି ଏବଂ କିଛି ଭାଇ ରାଜ୍ୟଘରର ଦେଖାରେଖା କାମରେ ମଧ୍ୟ ସାହାଯ୍ୟ କରନ୍ତି । ଏହି ସମସ୍ତ ସେବା କରିବା ବହୁତ ଜରୁରୀ, କାରଣ ଏଗୁଡ଼ିକୁ କଲେ ହିଁ ମଣ୍ଡଳୀର ସବୁ କାମ ଭଲଭାବରେ ହୋଇପାରିବ । (୧ କରି. ୧୪:୪୦) ତାʼଛଡ଼ା, କିଛି ସହାୟକ ସେବକ ‘ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭାରେ’ ଭାଗ ପରିବେଷଣ କରନ୍ତି ଏବଂ ଜନଭାଷଣ ଦିଅନ୍ତି । କିଛି ଭାଇମାନଙ୍କୁ ସମୂହ ଅଧ୍ୟକ୍ଷଙ୍କ ସହାୟକ ଭାବେ ବି ନିଯୁକ୍ତ କରାଯାଏ । ତାʼଛଡ଼ା, ପ୍ରାଚୀନମାନେ କିଛି ଦକ୍ଷ ସହାୟକ ସେବକମାନଙ୍କୁ ନିଜ ସହ ପ୍ରତିପାଳକ ସାକ୍ଷାତରେ ମଧ୍ୟ ନିଅନ୍ତି ।

୬. ଆମେ କାହିଁକି ନିଜ ପରିଶ୍ରମୀ ସହାୟକ ସେବକମାନଙ୍କ କୃତଜ୍ଞ ମନେ କରୁ ?

ସହାୟକ ସେବକମାନେ ଯେଉଁ ପରିଶ୍ରମ କରନ୍ତି, ସେଥିରୁ ମଣ୍ଡଳୀକୁ ବହୁତ ଲାଭ ହୁଏ । ଧ୍ୟାନ ଦିଅନ୍ତୁ ଯେ କିଛି ଭାଇଭଉଣୀ ଏବିଷୟରେ କʼଣ କହନ୍ତି । ବୋଲିଭିଆରେ ରହୁଥିବା ଭଉଣୀ ବେବର୍ଲି b କହନ୍ତି, “ସହାୟକ ସେବକମାନଙ୍କ ଯୋଗୁଁ ମୋତେ ସଭାରୁ ପୂରା ଲାଭ ହୁଏ । ଯେପରି, ମୁଁ ଗୀତ ଗାଇପାରେ, ଉତ୍ତର ଦେଇପାରେ, ଭଲଭାବେ ଭାଷଣ ଶୁଣିପାରେ, ଚିତ୍ର ଓ ଭିଡିଓରୁ ମଧ୍ୟ ଶିଖିପାରେ । ସେମାନେ ସୁରକ୍ଷାର ମଧ୍ୟ ଧ୍ୟାନ ରଖନ୍ତି ଏବଂ ଏ କଥାର ବି ଯେ ଯେଉଁମାନେ ଭିଡିଓ କନଫ୍ରେନସିଙ୍ଗ ଜରିଆରେ ସଭାରେ ଉପସ୍ଥିତ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଏଥିରୁ ପୂରା ଲାଭ ହେଉ । ସଭା ପରେ ସେମାନେ ସଫାସୁତୁରା କରିବା ପାଇଁ ମଧ୍ୟ ସବୁବେଳେ ପ୍ରସ୍ତୁତ ରହନ୍ତି, ତାʼ ସହିତ ସେମାନେ ମଣ୍ଡଳୀ ଆକାଉଣ୍ଟସ୍‌ର ହିସାବ ରଖନ୍ତି ଏବଂ ଏ କଥାର ବି ଧ୍ୟାନ ରଖନ୍ତି ଯେ ଆମ ପାଖରେ ପ୍ରକାଶନ ରହୁ । ସତରେ, ଏହି ଭାଇମାନଙ୍କ ପାଇଁ ମୁଁ ବହୁତ କୃତଜ୍ଞ ।” କଲମ୍ବିଆରେ ରହୁଥିବା ଭଉଣୀ ଲେସ୍ଲିଙ୍କ ସ୍ୱାମୀ ଜଣେ ପ୍ରାଚୀନ ଅଟନ୍ତି । ସେ କହନ୍ତି, “ସହାୟକ ସେବକମାନେ ଅନେକ କାମ କରନ୍ତି, ତେଣୁ ମୋ ସ୍ୱାମୀଙ୍କୁ ସାହାଯ୍ୟ ମିଳିଯାଏ । ଯଦି ସେମାନେ ନ ଥାʼନ୍ତେ, ତାହେଲେ ମୋ ସ୍ୱାମୀଙ୍କ କାମ ବଢ଼ିଯାʼନ୍ତା । ସହାୟକ ସେବକମାନେ ପ୍ରତ୍ୟେକ କାମ ଖୁସି ଓ ଉତ୍ସାହର ସହ କରନ୍ତି । ମୁଁ ସେମାନଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ, ତାହା କମ୍‌ ହେବ ।” ଆପଣ ବି ନିଶ୍ଚୟ ନିଜ ମଣ୍ଡଳୀର ସହାୟକ ସେବକମାନଙ୍କ ପାଇଁ ଏପରି ହିଁ ଅନୁଭବ କରୁଥିବେ ।—୧ ତୀମ. ୩:୧୩.

୭. ଆମେ ସହାୟକ ସେବକମାନଙ୍କୁ କିପରି କୃତଜ୍ଞତା ଦେଖାଇପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ହୁଏତ ଆପଣ ସହାୟକ ସେବକମାନଙ୍କ ପାଇଁ ବହୁତ କୃତଜ୍ଞ ଥିବେ । କିନ୍ତୁ ଆପଣଙ୍କୁ ଏହି କୃତଜ୍ଞତା ନିଜ କାମରୁ ମଧ୍ୟ ଦେଖାଇବାକୁ ପଡ଼ିବ । ବାଇବଲରେ ଲେଖାଅଛି, “ତୁମ୍ଭେମାନେ ଧନ୍ୟବାଦ ଦିଅ ।” (କଲ. ୩:୧୫) ଫିନଲାଣ୍ଡର ଜଣେ ପ୍ରାଚୀନ ଭାଇ କସିସ୍‌ଟୋଫ୍‌ ମଣ୍ଡଳୀର ସହାୟକ ସେବକମାନଙ୍କ ପାଇଁ ନିଜ କୃତଜ୍ଞତା ଦେଖାନ୍ତି । ତାହା କିପରି ? ସେ କହନ୍ତି, “ମୁଁ ସେମାନଙ୍କ ପାଇଁ କାର୍ଡ଼ ପଠାଏ କିମ୍ବା ସେମାନଙ୍କୁ ମେସେଜ କରେ ଏବଂ ସେଥିରେ ବାଇବଲର ଗୋଟିଏ ପଦ ଲେଖେ । ମୁଁ ସେମାନଙ୍କୁ ଏହା ବି କହେ ଯେ ସେମାନଙ୍କ କେଉଁ କଥାରୁ ମୋର ଉତ୍ସାହ ବଢ଼ିଲା କିମ୍ବା ସେମାନଙ୍କର କେଉଁ କଥା ପାଇଁ ମୁଁ ବହୁତ କୃତଜ୍ଞ ।” ନ୍ୟୁ କାଲେଡୋନିଆରେ ରହୁଥିବା ଭାଇ ପାସ୍କାଲ ଏବଂ ତାଙ୍କ ସ୍ତ୍ରୀ ଜିଏଲ୍‌ ସହାୟକ ସେବକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି । ଭାଇ ପାସ୍କାଲ କହନ୍ତି, “କିଛି ସମୟରୁ ଆମେ ସହାୟକ ସେବକମାନଙ୍କ ପାଇଁ ପ୍ରାର୍ଥନା କରୁଛୁ । ଆମେ ସେମାନଙ୍କ ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଉ ଏବଂ ପ୍ରାର୍ଥନା କରୁ ଯେ ଯିହୋବା ସେମାନଙ୍କ ସାଙ୍ଗରେ ରହନ୍ତୁ ଏବଂ ସେମାନଙ୍କୁ ସାହାଯ୍ୟ କରନ୍ତୁ ।” ଯିହୋବା ଏପରି ପ୍ରାର୍ଥନାଗୁଡ଼ିକୁ ନିଶ୍ଚୟ ଶୁଣନ୍ତି ଏବଂ ଏଥିରୁ ପୂରା ମଣ୍ଡଳୀକୁ ଆଶିଷ ମିଳେ ।—୨ କରି. ୧:୧୧.

କଠିନ “ପରିଶ୍ରମ” କରୁଥିବା ପ୍ରାଚୀନ

୮. ପ୍ରଥମ ଶତାବ୍ଦୀର ପ୍ରାଚୀନମାନଙ୍କ ବିଷୟରେ ପାଉଲ ଏପରି କାହିଁକି ଲେଖିଲେ ଯେ ସେମାନେ କଠିନ “ପରିଶ୍ରମ” କରୁଥିଲେ ? (୧ ଥେସଲନୀକୀୟ ୫:୧୨, ୧୩)

ପ୍ରଥମ ଶତାବ୍ଦୀରେ ପ୍ରାଚୀନମାନେ ମଣ୍ଡଳୀ ପାଇଁ ବହୁତ ପରିଶ୍ରମ କରୁଥିଲେ । (୧ ଥେସଲନୀକୀୟ ୫:୧୨, ୧୩ ପଢ଼ନ୍ତୁ; ୧ ତୀମ. ୫:୧୭) ସେମାନେ ମଣ୍ଡଳୀରେ “ତତ୍ତ୍ୱାବଧାନ” କରୁଥିଲେ ଅର୍ଥାତ୍‌ ନେତୃତ୍ୱ ନେଉଥିଲେ । ଯେପରି, ସେମାନେ ସଭା ଚଲାଉଥିଲେ ଏବଂ ପ୍ରାଚୀନମାନଙ୍କ ସହ ମିଶି ନିଷ୍ପତ୍ତି ନେଉଥିଲେ । ସେମାନେ ଭାଇଭଉଣୀମାନଙ୍କୁ “ଚେତନା” ମଧ୍ୟ ଦେଉଥିଲେ, ଅର୍ଥାତ୍‌ ସେମାନଙ୍କର ବିଶ୍ୱାସ ଦୃଢ଼ ରଖିବା ପାଇଁ ପ୍ରେମର ସହ ଭିନ୍ନ ଭିନ୍ନ ବିଷୟରେ ସେମାନଙ୍କୁ ପରାମର୍ଶ ଦେଉଥିଲେ । (୧ ଥେସ. ୨:୧୧, ୧୨; ୨ ତୀମ. ୪:୨) ତାʼଛଡ଼ା ସେହି ଭାଇମାନେ ନିଜ ପରିବାରର ଆବଶ୍ୟକତାଗୁଡ଼ିକୁ ପୂରା କରିବା ଏବଂ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ମଧ୍ୟ କଠିନ ପରିଶ୍ରମ କରୁଥିଲେ ।—୧ ତୀମ. ୩:୨, ୪; ତୀତ. ୧:୬-୯.

୯. ଆଜି ପ୍ରାଚୀନମାନେ କେଉଁ କେଉଁ ଦାୟିତ୍ୱ ତୁଲାନ୍ତି ?

ଆଜି ବି ପ୍ରାଚୀନମାନେ ଅନେକ ଦାୟିତ୍ୱ ତୁଲାନ୍ତି । ସେମାନେ ଆମ ଭଳି ଖୁସି ଖବରର ପ୍ରଚାରକ ଅଟନ୍ତି । (୨ ତୀମ. ୪:୫) ସେମାନେ ପ୍ରଚାର ପାଇଁ ନେତୃତ୍ୱ ନିଅନ୍ତି ଏବଂ ଉତ୍ସାହର ସହ କାମ କରନ୍ତି । ସେମାନେ ମଣ୍ଡଳୀର ଅଞ୍ଚଳରେ ପ୍ରଚାର କରିବା ପାଇଁ ଭଲ ବ୍ୟବସ୍ଥା କରନ୍ତି । ସେମାନେ ଆମକୁ ପ୍ରଚାର କରିବା ଓ ଭଲଭାବେ ଶିଖାଇବା ପାଇଁ ଟ୍ରେନିଙ୍ଗ ଦିଅନ୍ତି । ପ୍ରାଚୀନମାନେ ନ୍ୟାୟୀ ଭାବେ ବି କାମ କରନ୍ତି । ଏପରି କରିବା ସମୟରେ ସେମାନେ ଦୟା ଦେଖାନ୍ତି ଏବଂ କାହାରି ପକ୍ଷ ନିଅନ୍ତି ନାହିଁ । ଯଦି କୌଣସି ଖ୍ରୀଷ୍ଟିୟାନ ଗମ୍ଭୀର ପାପ କରନ୍ତି, ତାହେଲେ ଯିହୋବାଙ୍କ ସହିତ ତାଙ୍କର ସମ୍ପର୍କ ପୁଣିଥରେ ଭଲ କରିବା ପାଇଁ ସେମାନେ ତାଙ୍କୁ ସାହାଯ୍ୟ କରନ୍ତି । ସେମାନେ ଏ କଥାର ବି ଧ୍ୟାନ ଦିଅନ୍ତି ଯେ ମଣ୍ଡଳୀ ଶୁଦ୍ଧ ରହୁ । (୧ କରି. ୫:୧୨, ୧୩; ଗାଲା. ୬:୧) ତାʼଛଡ଼ା ଯିହୋବା ସେମାନଙ୍କୁ ମେଷପାଳକ ଭାବେ ବିଶେଷ ଦାୟିତ୍ୱ ଦେଇଛନ୍ତି । (୧ ପିତ. ୫:୧-୩) ସେମାନେ ବାଇବଲ ବିଷୟରେ ଭଲ ଭାଷଣ ପ୍ରସ୍ତୁତ କରନ୍ତି, ମଣ୍ଡଳୀର ପ୍ରତ୍ୟେକ ଭାଇଭଉଣୀମାନଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତି ଏବଂ ପ୍ରତିପାଳକ ସାକ୍ଷାତ ମଧ୍ୟ କରନ୍ତି । କିଛି ପ୍ରାଚୀନ ରାଜ୍ୟଘର ନିର୍ମାଣ ଏବଂ ସେଗୁଡ଼ିକର ଦେଖାରେଖା କାମରେ ମଧ୍ୟ ସାହାଯ୍ୟ କରନ୍ତି, ଅଧିବେଶନଗୁଡ଼ିକର ବ୍ୟବସ୍ଥା କରନ୍ତି, ହସ୍ପିଟାଲ ସମ୍ପର୍କ ସମିତି ଏବଂ ରୋଗୀ ସାକ୍ଷାତ ଦଳରେ ମଧ୍ୟ ସେବା କରନ୍ତି । କେବଳ ଏତିକି ନୁହେଁ, ପ୍ରାଚୀନମାନେ ଆହୁରି ଅନେକ ଦାୟିତ୍ୱ ତୁଲାନ୍ତି । ସତରେ, ଆମ ପ୍ରାଚୀନମାନେ ବହୁତ କଠିନ ପରିଶ୍ରମ କରନ୍ତି !

୧୦. ଆମେ କାହିଁକି ନିଜ ପରିଶ୍ରମୀ ପ୍ରାଚୀନମାନଙ୍କ ପାଇଁ କୃତଜ୍ଞ ମନେ କରୁ ?

୧୦ ଯିହୋବା ପୂର୍ବରୁ ହିଁ କହିଥିଲେ ଯେ ପ୍ରାଚୀନମାନେ ମେଷପାଳକ ଭଳି ଆମର ଦେଖାଶୁଣା କରିବେ ଆଉ ଆମେ “ଭୀତ କି ନିରାଶ” ହେବା ନାହିଁ । (ଯିରି. ୨୩:୪) ଫିନଲାଣ୍ଡରେ ରହୁଥିବା ଭଉଣୀ ୟୋହାନା ମଧ୍ୟ ଏପରି ହିଁ ଅନୁଭବ କଲେ । ଯେବେ ତାଙ୍କ ମାଆ ରୋଗରେ ପଡ଼ିଥିଲେ, ସେସମୟରେ ସେ ଅନୁଭବ କଲେ ଯେ ପ୍ରାଚୀନମାନେ ବହୁତ ଭଲ ମେଷପାଳକ ଅଟନ୍ତି । ସେ କହନ୍ତି, “ମୁଁ କʼଣ ଭାବୁଛି, ମୋତେ କିପରି ଲାଗୁଛି, ଏବିଷୟରେ ଅନ୍ୟମାନଙ୍କୁ କହିବା ମୋତେ ବହୁତ କଠିନ ଲାଗେ । କିନ୍ତୁ ଜଣେ ପ୍ରାଚୀନ ମୋ ସହ କଥା ହେଲେ । ମୁଁ ତାଙ୍କୁ ଭଲଭାବେ ଜାଣି ନ ଥିଲି, କିନ୍ତୁ ସେ ଧୈର୍ଯ୍ୟର ସହ ମୋ କଥା ଶୁଣିଲେ, ମୋ ସହ ପ୍ରାର୍ଥନା କଲେ ଏବଂ ମୋତେ ଭରସା ଦେଲେ ଯେ ଯିହୋବା ମୋତେ ବହୁତ ପ୍ରେମ କରନ୍ତି । ମୋତେ ଏହା ତ ମନେ ନାହିଁ ଯେ ସେ କʼଣ କହିଥିଲେ, କିନ୍ତୁ ଏହା ମନେ ଅଛି ଯେ ସେସମୟରେ ମୋତେ କେତେ ଶାନ୍ତି ମିଳିଥିଲା । ମୋ ଡର, ଚିନ୍ତା, ସବୁକିଛି ଦୂର ହୋଇଯାଇଥିଲା । ଯିହୋବା ବିଲକୁଲ୍‌ ଠିକ୍‌ ସମୟରେ ସେହି ଭାଇଙ୍କୁ ମୋ ପାଖକୁ ପଠାଇଲେ ।” ଆପଣଙ୍କ ମଣ୍ଡଳୀର ପ୍ରାଚୀନମାନେ ଆପଣଙ୍କୁ କିପରି ସାହାଯ୍ୟ କରିଛନ୍ତି ?

୧୧. ଆପଣ କିପରି ଦେଖାଇପାରିବେ ଯେ ଆପଣ ପ୍ରାଚୀନମାନଙ୍କ କୃତଜ୍ଞ ଅଟନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଯିହୋବା ଚାହାନ୍ତି ଯେ ଆମେ ପ୍ରାଚୀନମାନଙ୍କ “କାର୍ଯ୍ୟ” ପାଇଁ ହୃଦୟରୁ କୃତଜ୍ଞ ମନେ କରୁ । (୧ ଥେସ. ୫:୧୨, ୧୩) ଫିନଲାଣ୍ଡରେ ରହୁଥିବା ଜଣେ ଭଉଣୀ ହେନ୍‌ରିଟା କହନ୍ତି, “ପ୍ରାଚୀନମାନେ ଖୁସିର ସହ ଅନ୍ୟମାନଙ୍କ ସାହାଯ୍ୟ କରନ୍ତି, କିନ୍ତୁ ତାʼର ଅର୍ଥ ଏହା ନୁହେଁ ଯେ ସେମାନଙ୍କ ପାଖରେ ଆମଠାରୁ ଅଧିକ ଶକ୍ତି କିମ୍ବା ଅଧିକ ସମୟ ଅଛି ବା ସେମାନଙ୍କ ଜୀବନରେ କୌଣସି ସମସ୍ୟା ନାହିଁ । ବେଳେବେଳେ ମୁଁ ପ୍ରାଚୀନମାନଙ୍କୁ କହେ, ‘ଆପଣ ଜଣେ ବହୁତ ଭଲ ପ୍ରାଚୀନ ଅଟନ୍ତି ।’” ତୁର୍କିୟେରେ c ରହୁଥିବା ଜଣେ ଭଉଣୀ ସେରା କହନ୍ତି, “ପ୍ରାଚୀନମାନଙ୍କୁ ମଧ୍ୟ ପ୍ରୋତ୍ସାହନର ଆବଶ୍ୟକ ପଡ଼େ, ତେଣୁ ଆମେ ସେମାନଙ୍କୁ କାର୍ଡ଼ ଦେଇପାରିବା, ଖାଇବା ପାଇଁ ଡାକିପାରିବା କିମ୍ବା ସେମାନଙ୍କ ସହ ପ୍ରଚାରରେ ଯାଇପାରିବା ।” କʼଣ ଆପଣଙ୍କ ମଣ୍ଡଳୀରେ ଏପରି କେହି ପ୍ରାଚୀନ ଅଛନ୍ତି, ଯାହାଙ୍କ ପାଇଁ ଆପଣ କୃତଜ୍ଞ ମନେ କରନ୍ତି ? ଯଦି ହଁ, ତାହେଲେ ତାଙ୍କୁ ନିଜର କୃତଜ୍ଞତା ଦେଖାନ୍ତୁ ।—୧ କରି. ୧୬:୧୮.

ଉତ୍ସାହର ସହ ସେବା ଜାରି ରଖିବା ପାଇଁ ମଣ୍ଡଳୀରେ ନିଯୁକ୍ତ ଭାଇମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ (ପାରାଗ୍ରାଫ ୭, ୧୧, ୧୫)


ମଣ୍ଡଳୀକୁ ଦୃଢ଼ କରୁଥିବା ସର୍କିଟ ଅଧ୍ୟକ୍ଷ

୧୨. ପ୍ରଥମ ଶତାବ୍ଦୀରେ ମଣ୍ଡଳୀଗୁଡ଼ିକୁ ଦୃଢ଼ କରିବା ପାଇଁ ଯୀଶୁ ଆଉ କʼଣ ବ୍ୟବସ୍ଥା କଲେ ? (୧ ଥେସଲନୀକୀୟ ୨:୭, ୮)

୧୨ ଖ୍ରୀଷ୍ଟ ଯୀଶୁ ମଣ୍ଡଳୀକୁ ‘ମନୁଷ୍ୟମାନଙ୍କ ରୂପରେ ଯେଉଁ ଉପହାର ଦେଇଛନ୍ତି,’ ସେମାନେ ଆଉ ଗୋଟିଏ ଉପାୟରେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତି । ଖ୍ରୀଷ୍ଟଙ୍କ ନିର୍ଦ୍ଦେଶନରେ ଯିରୂଶାଲମର ପ୍ରାଚୀନମାନେ ପାଉଲ, ବର୍ଣ୍ଣବ୍‌ବା ଏବଂ ଅନ୍ୟ କିଛି ଭାଇମାନଙ୍କୁ ଭ୍ରମଣକାରୀ ଅଧ୍ୟକ୍ଷ ନିଯୁକ୍ତ କରିଥିଲେ ଏବଂ ସେମାନଙ୍କୁ ମଣ୍ଡଳୀର ପରିଦର୍ଶନ କରିବା ପାଇଁ ପଠାଇଥିଲେ । (ପ୍ରେରି. ୧୧:୨୨) ସେମାନେ ଏପରି କାହିଁକି କଲେ ? କାରଣ ଏହି ଭ୍ରମଣକାରୀ ଅଧ୍ୟକ୍ଷମାନେ, ସହାୟକ ସେବକ ଓ ପ୍ରାଚୀନମାନଙ୍କ ଭଳି ମଣ୍ଡଳୀକୁ ଦୃଢ଼ କରିପାରନ୍ତେ । (ପ୍ରେରି. ୧୫:୪୦, ୪୧) ଏହି ଭାଇମାନେ ନିଜ ଆରାମ ତ୍ୟାଗ କରି, ଏପରିକି ନିଜ ଜୀବନକୁ ଖାତିର ନ କରି ଅନ୍ୟମାନଙ୍କ ଉତ୍ସାହ ବଢ଼ାଇଲେ ଏବଂ ସେମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିଖାଇଲେ ।—୧ ଥେସଲନୀକୀୟ ୨:୭, ୮ ପଢ଼ନ୍ତୁ ।

୧୩. ସର୍କିଟ ଅଧ୍ୟକ୍ଷମାନେ କେଉଁ କେଉଁ ଦାୟିତ୍ୱ ତୁଲାନ୍ତି ?

୧୩ ସର୍କିଟ ଅଧ୍ୟକ୍ଷମାନେ ଭିନ୍ନ ଭିନ୍ନ ମଣ୍ଡଳୀଗୁଡ଼ିକର ପରିଦର୍ଶନ କରିବା ପାଇଁ ବହୁତ ପରିଶ୍ରମ କରନ୍ତି । କିଛି ଭାଇ ଗୋଟେ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ଯିବା ପାଇଁ ଅନେକ କିଲୋମିଟର ଯାତ୍ରା କରନ୍ତି । ପ୍ରତି ସପ୍ତାହ ସେମାନେ ଅନେକ ଭାଷଣ ଦିଅନ୍ତି, ପ୍ରତିପାଳକ ସାକ୍ଷାତ କରନ୍ତି, ଅଗ୍ରଦୂତମାନଙ୍କ ପାଇଁ ଓ ପ୍ରାଚୀନମାନଙ୍କ ପାଇଁ ସଭା ରଖନ୍ତି ଏବଂ ପ୍ରଚାର ସଭା ମଧ୍ୟ ରଖନ୍ତି । ତାʼଛଡ଼ା ସେମାନେ ସର୍କିଟ ସମ୍ମିଳନୀ ଓ ଅଧିବେଶନଗୁଡ଼ିକର ବ୍ୟବସ୍ଥା କରନ୍ତି ଏବଂ ସେଥିରେ ଭାଷଣ ଦିଅନ୍ତି । ସେମାନେ ଅଗ୍ରଦୂତ ସେବା ସ୍କୁଲରେ ଶିଖାନ୍ତି ଏବଂ ନିଜ ସର୍କିଟର ଅଗ୍ରଦୂତମାନଙ୍କ ସହ ବିଶେଷ ସଭା ରଖନ୍ତି । କେବଳ ଏତିକି ନୁହେଁ, ସେମାନେ ଆହୁରି ଅନେକ ଦାୟିତ୍ୱ ତୁଲାନ୍ତି । ଯେପରି, ବେଳେବେଳେ ଶାଖା କାର୍ଯ୍ୟାଳୟରୁ ସେମାନଙ୍କୁ ଯେଉଁ ଜରୁରୀ କାମ ମିଳେ, ସେଗୁଡ଼ିକୁ ସେମାନଙ୍କୁ ତୁରନ୍ତ କରିବାକୁ ପଡ଼େ । ସତରେ, ସର୍କିଟ ଅଧ୍ୟକ୍ଷମାନେ ବହୁତ ପରିଶ୍ରମ କରନ୍ତି !

୧୪. ଆମେ କାହିଁକି ନିଜ ପରିଶ୍ରମୀ ସର୍କିଟ ଅଧ୍ୟକ୍ଷମାନଙ୍କ ପାଇଁ କୃତଜ୍ଞ ମନେ କରୁ ?

୧୪ ସର୍କିଟ ଅଧ୍ୟକ୍ଷମାନେ ମନୁଷ୍ୟମାନଙ୍କ ରୂପରେ ଉପହାର ଅଟନ୍ତି । ସେମାନଙ୍କଠାରୁ ଭାଇଭଉଣୀମାନଙ୍କୁ କʼଣ ଲାଭ ହୁଏ ? ସର୍କିଟ ଅଧ୍ୟକ୍ଷଙ୍କ ପରିଦର୍ଶନ ବିଷୟରେ ତୁର୍କୀୟେରେ ରହୁଥିବା ଜଣେ ଭାଇ କହନ୍ତି, “ପ୍ରତିଥର ଯେବେ ସର୍କିଟ ଅଧ୍ୟକ୍ଷ ପରିଦର୍ଶନ ପାଇଁ ଆସନ୍ତି, ତେବେ ମୋତେ ବହୁତ ଉତ୍ସାହ ମିଳେ ଏବଂ ଭାଇଭଉଣୀମାନଙ୍କ ପାଇଁ ବହୁତ କିଛି କରିବାକୁ ଇଚ୍ଛା ହୁଏ । ମୁଁ ଅନେକ ସର୍କିଟ ଅଧ୍ୟକ୍ଷଙ୍କୁ ଭେଟିଛି । କିନ୍ତୁ କାହାରି ବି ବ୍ୟବହାରରୁ ମୋତେ ଏପରି ଲାଗିଲା ନାହିଁ ଯେ ସେ ବହୁତ ବ୍ୟସ୍ତ ଅଛନ୍ତି ଏବଂ ମୋ ସହିତ କଥା ହେବା ପାଇଁ ଚାହାନ୍ତି ନାହିଁ ।” ଭଉଣୀ ୟୋହାନା, ଯାହାଙ୍କ ବିଷୟରେ ଆମେ ପୂର୍ବେ ଦେଖିଥିଲୁ, ସେ କହନ୍ତି ଯେ ଥରେ ସେ ସର୍କିଟ ଅଧ୍ୟକ୍ଷଙ୍କ ସହ ପ୍ରଚାର କରୁଥିଲେ କିନ୍ତୁ ଗୋଟିଏ ବି ଘରେ କେହି ବି ମିଳିଲେ ନାହିଁ । ସେ କହନ୍ତି, “ତଥାପି ମୁଁ ସେହି ଦିନକୁ ଭୁଲିପାରିବି ନାହିଁ । କିଛି ସମୟ ପୂର୍ବରୁ ହିଁ ମୋର ଦୁଇ ଭଉଣୀ ଅନ୍ୟ ଜାଗାକୁ ଯାଇ ରହିବାକୁ ଲାଗିଲେ ଏବଂ ସେମାନଙ୍କ କଥା ମୋତେ ବହୁତ ମନେ ପଡ଼ୁଥିଲା । କିନ୍ତୁ ସର୍କିଟ ଅଧ୍ୟକ୍ଷ ମୋର ବହୁତ ଉତ୍ସାହ ବଢ଼ାଇଲେ ଏବଂ ଏହା ବୁଝିବା ପାଇଁ ସାହାଯ୍ୟ କଲେ ଯେ ଯିହୋବାଙ୍କ ସେବା ପାଇଁ ଆମକୁ ନିଜ ପରିବାର ଏବଂ ସାଙ୍ଗମାନଙ୍କଠାରୁ ଦୂରରେ ରହିବାକୁ ପଡ଼ିପାରେ । କିନ୍ତୁ ଏହା ବେଶୀ ସମୟ ପାଇଁ ନୁହେଁ । କାରଣ ନୂଆ ଦୁନିଆରେ ଆମେ ସେମାନଙ୍କ ସହିତ ସବୁଦିନ ପାଇଁ ରହିପାରିବା ।” ଏପରି ଆହୁରି ଅନେକ ସର୍କିଟ ଅଧ୍ୟକ୍ଷ ଅଛନ୍ତି, ଯେଉଁମାନଙ୍କୁ ଭାଇଭଉଣୀମାନେ ବହୁତ ପ୍ରେମ କରନ୍ତି ।—ପ୍ରେରି. ୨୦:୩୭–୨୧:୧.

୧୫. (କ) ଆମେ ୩ ଯୋହନ ୫-୮ ପଦ ଅନୁସାରେ କିପରି ଦେଖାଇପାରିବା ଯେ ଆମେ ସର୍କିଟ ଅଧ୍ୟକ୍ଷମାନଙ୍କ ପାଇଁ କୃତଜ୍ଞ ମନେ କରୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଆମକୁ କାହିଁକି ସେହି ଭାଇମାନଙ୍କ ସ୍ତ୍ରୀମାନଙ୍କ ପାଇଁ କୃତଜ୍ଞତା ଦେଖାଇବା ଉଚିତ୍‌ ଏବଂ ଆମେ ଏହା କିପରି କରିପାରିବା ? (“ ସେମାନଙ୍କ ସ୍ତ୍ରୀମାନଙ୍କୁ ବି ମନେ ରଖନ୍ତୁ” ନାମକ ବକ୍ସ ଦେଖନ୍ତୁ ।)

୧୫ ପ୍ରେରିତ ଯୋହନ ଗାୟଙ୍କୁ କହିଥିଲେ ଯେ ସେ ପରିଦର୍ଶନ ପାଇଁ ଆସୁଥିବା ଭାଇମାନଙ୍କୁ ଅତିଥି ସତ୍କାର କରନ୍ତୁ ଏବଂ ‘ସେମାନଙ୍କୁ ଈଶ୍ୱରଙ୍କ ଯୋଗ୍ୟ ଉପହାର ଦେଇ ବିଦାୟ ଦିଅନ୍ତୁ ।’ (୩ ଯୋହନ ୫-୮ ପଢ଼ନ୍ତୁ ।) ଆମେ ବି ଏପରି କରିପାରିବା । ଆମେ ସର୍କିଟ ଅଧ୍ୟକ୍ଷମାନଙ୍କୁ ଖାଇବା ପାଇଁ ଡାକିପାରିବା ଆଉ ସେହି ସପ୍ତାହ ଅଧିକରୁ ଅଧିକ ପ୍ରଚାର ସେବାରେ ଭାଗ ନେବା ପାଇଁ ଚେଷ୍ଟା କରିବା । ଭଉଣୀ ଲେସ୍ଲି ଯାହାଙ୍କ ବିଷୟରେ ପୂର୍ବେ କୁହାଯାଇଥିଲା, ସେ ଅନ୍ୟ ଉପାୟଗୁଡ଼ିକରୁ ବି ନିଜର କୃତଜ୍ଞତା ଦେଖାନ୍ତି । ସେ କହନ୍ତି, “ମୁଁ ଯିହୋବାଙ୍କୁ ପ୍ରାର୍ଥନା କରେ ଯେ ସେ ସର୍କିଟ ଅଧ୍ୟକ୍ଷମାନଙ୍କ ଆବଶ୍ୟକତା ପୂରା କରନ୍ତୁ । ମୁଁ ଏବଂ ମୋ ସ୍ୱାମୀ ସେମାନଙ୍କୁ ଚିଠି ଲେଖି କହିଥିଲୁ ଯେ ତାଙ୍କ ପରିଦର୍ଶନରୁ ଆମକୁ ବହୁତ ଉତ୍ସାହ ମିଳିଲା ।” ମନେ ରଖନ୍ତୁ, ସର୍କିଟ ଅଧ୍ୟକ୍ଷମାନେ ବି ଆମ ଭଳି ଅଟନ୍ତି । ସେମାନଙ୍କୁ ମଧ୍ୟ ସମସ୍ୟାର ସାମନା କରିବାକୁ ପଡ଼େ, ସେମାନେ ବି ବେଳେବେଳେ ରୋଗରେ ପଡ଼ିନ୍ତି, ଚିନ୍ତା କରନ୍ତି ଏବଂ ନିରାଶ ହୋଇଯାʼନ୍ତି । ଏପରି ସମୟରେ ଯଦି ଆମେ ସେମାନଙ୍କ ସାହସ ବଢ଼ାଇବା କିମ୍ବା ସେମାନଙ୍କୁ କୌଣସି ଉପହାର ଦେବା, ତେବେ ହୋଇପାରେ ଯିହୋବା ଆମ ଜରିଆରେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେବେ ।—ହିତୋ. ୧୨:୨୫.

ଆମକୁ ‘ମନୁଷ୍ୟମାନଙ୍କ ରୂପରେ ଉପହାରର’ ଆବଶ୍ୟକତା ଅଛି

୧୬. ହିତୋପଦେଶ ୩:୨୭ ପଦକୁ ଧ୍ୟାନରେ ରଖି ଜଣେ ଭାଇ ନିଜକୁ କʼଣ ପ୍ରଶ୍ନ ପଚାରିପାରିବେ ?

୧୬ ଆଜି ସାରା ଦୁନିଆରେ ଆହୁରି ଭାଇମାନଙ୍କ ଆବଶ୍ୟକତା ଅଛି ଯେଉଁମାନେ ‘ମନୁଷ୍ୟମାନଙ୍କ ରୂପରେ ଉପହାର’ ହୋଇପାରିବେ । ଯଦି ଆପଣ ଜଣେ ଭାଇ ଅଟନ୍ତି ଏବଂ ଆପଣଙ୍କର ବାପ୍ତିସ୍ମ ହୋଇଯାଇଛି, ତେବେ କʼଣ ଆପଣ ସେମାନଙ୍କର ଉପକାର କରିପାରିବେ, ଯେଉଁମାନଙ୍କ ‘ଉପକାର କରିବାର ସାମର୍ଥ୍ୟ ଆପଣଙ୍କ ହସ୍ତରେ ଅଛି ?’ (ହିତୋପଦେଶ ୩:୨୭ ପଢ଼ନ୍ତୁ ।) ଯେପରି, କʼଣ ଆପଣ ଭାଇଭଉଣୀମାନଙ୍କ ସାହାଯ୍ୟ କରିବା ପାଇଁ ସହାୟକ ସେବକ ହେବା ପାଇଁ ଚେଷ୍ଟା କରିପାରିବେ ? କʼଣ ଆପଣ ପ୍ରାଚୀନ ହେବାର ଯୋଗ୍ୟ ହେବା ପାଇଁ ପରିଶ୍ରମ କରିପାରିବେ ? d କʼଣ ଆପଣ ନିଜ ଜୀବନରେ କିଛି ପରିବର୍ତ୍ତନ କରିପାରିବେ ଏବଂ ରାଜ୍ୟ ପ୍ରଚାରକମାନଙ୍କ ପାଇଁ ସ୍କୁଲର ଫର୍ମ ଭରିପାରିବେ ? ଏହି ସ୍କୁଲ ଆପଣଙ୍କୁ ଆହୁରି ଯୋଗ୍ୟ ହେବା ପାଇଁ ସାହାଯ୍ୟ କରିପାରିବ, ଯାହାଦ୍ୱାରା ଆପଣ ଯୀଶୁଙ୍କ ଆହୁରି କାମରେ ଆସିପାରିବେ । ଯଦି ଆପଣଙ୍କୁ ଲାଗେ ଯେ ଆପଣ ଏହି ଦାୟିତ୍ୱ ତୁଲାଇପାରିବେ ନାହିଁ, ତେବେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ତାଙ୍କୁ ପବିତ୍ର ଶକ୍ତି ମାଗନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଯେଉଁ ଦାୟିତ୍ୱ ମିଳେ, ତାହାକୁ ଆପଣ ଭଲଭାବେ ପୂରା କରିପାରିବେ ।—ଲୂକ ୧୧:୧୩; ପ୍ରେରି. ୨୦:୨୮.

୧୭. ଆମକୁ ‘ମନୁଷ୍ୟମାନଙ୍କ ରୂପରେ ଯେଉଁ ଉପହାର’ ମିଳିଛି, ତାହା କେଉଁ କଥାର ପ୍ରମାଣ ?

୧୭ ଯୀଶୁ ‘ମନୁଷ୍ୟମାନଙ୍କ ରୂପରେ ଯେଉଁ ଉପହାର ଦେଇଛନ୍ତି,’ ତାହା ଏ କଥାର ପ୍ରମାଣ ଯେ ଯୀଶୁ ଏହି ଶେଷ ସମୟରେ ଆମର ନେତୃତ୍ୱ ନେଉଛନ୍ତି । (ମାଥି. ୨୮:୨୦) ଆମ ରାଜା ଆମକୁ ବହୁତ ପ୍ରେମ କରନ୍ତି, ଆମର ଯତ୍ନ ନିଅନ୍ତି ଏବଂ ଆମକୁ ହୃଦୟରୁ ଦିଅନ୍ତି, କʼଣ ଏ କଥା ପାଇଁ ଆମେ ତାଙ୍କର କୃତଜ୍ଞ ନାହୁଁ ? ତାʼ ସହିତ ସେ ଆମକୁ ସାହାଯ୍ୟ କରିବା ପାଇଁ ଯେଉଁ ଦକ୍ଷ ଭାଇମାନଙ୍କୁ ନିଯୁକ୍ତ କରିଛନ୍ତି, କʼଣ ଆମେ ଏହା ପାଇଁ ବି ତାଙ୍କର କୃତଜ୍ଞ ନାହୁଁ ? ତାହେଲେ ଆସନ୍ତୁ ଆମେ ମନୁଷ୍ୟମାନଙ୍କ ରୂପରେ ମିଳିଥିବା ଏହି ଉପହାରଗୁଡ଼ିକ ପାଇଁ କୃତଜ୍ଞତା ଦେଖାଇବା ଏବଂ ତାʼପାଇଁ ଆମେ ସବୁବେଳେ ଯିହୋବାଙ୍କୁ ଧନ୍ୟବାଦ ଦେବା, କାରଣ “ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର” ଆମକୁ ତାଙ୍କଠାରୁ ହିଁ ମିଳେ ।—ଯାକୁ. ୧:୧୭.

ଗୀତ ୯୯ ଲାଖୋଁ ହଜାରୋଁ ଭାଇ

a ଯେଉଁ ପ୍ରାଚୀନମାନେ ପ୍ରଶାସନ ଦଳର ସଦସ୍ୟ ଅଟନ୍ତି, ସେମାନଙ୍କର ସହାୟକ ଅଟନ୍ତି, ଶାଖା ସମିତିର ସଦସ୍ୟ ଅଟନ୍ତି କିମ୍ବା ଯେଉଁମାନେ ଅନ୍ୟ ଦାୟିତ୍ୱ ତୁଲାନ୍ତି, ସେହି ଭାଇମାନେ ମଧ୍ୟ ‘ମନୁଷ୍ୟମାନଙ୍କ ରୂପରେ ଉପହାର’ ଅଟନ୍ତି ।

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

c ଏହା ପୂର୍ବେ ତୁର୍କି ନାମରେ ଜଣାଯାଉଥିଲା ।

d ଯେଉଁ ଭାଇମାନେ ସହାୟକ ସେବକ କିମ୍ବା ପ୍ରାଚୀନ ଭାବେ ସେବା କରିବା ପାଇଁ ଚାହାନ୍ତି, ସେମାନେ ନଭେମ୍ବର ୨୦୨୪ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ଭାଇମାନେ, କʼଣ ଆପଣ ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?” ଏବଂ “ଭାଇମାନେ, କʼଣ ଆପଣ ପ୍ରାଚୀନ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?” ପଢ଼ିପାରିବେ ।