इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୦

ଗୀତ ୩୦ ୟହୋୱା, ମେରା ପରମେଶ୍ୱର, ପିତା ଔର ଦୋସ୍ତ

‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’

‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’

“ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି ।”ଗୀତ. ୧୪୭:୩.

କʼଣ ଶିଖିବା ?

ଯେବେ କେହି ନିରାଶ ହୋଇଯାʼନ୍ତି ଏବଂ ପୂରାପୂରି ଭାଙ୍ଗି ପଡ଼ନ୍ତି, ତେବେ ଯିହୋବା ତାଙ୍କର ବହୁତ ଚିନ୍ତା କରନ୍ତି । ଏହି ଲେଖାରେ ଆମେ ଜାଣିବା ଯେ ଯିହୋବା କିପରି ତାଙ୍କୁ ସାନ୍ତ୍ୱନା ଦିଅନ୍ତି ଏବଂ ଆମେ ଅନ୍ୟମାନଙ୍କୁ କିପରି ସାନ୍ତ୍ୱନା ଦେଇପାରିବା ।

୧. ନିଜ ସେବକମାନଙ୍କୁ ଦେଖି ଯିହୋବାଙ୍କୁ କିପରି ଲାଗେ ଏବଂ ସେ ସେମାନଙ୍କ ପାଇଁ କʼଣ କରନ୍ତି ?

 ଯିହୋବାଙ୍କ ପ୍ରତ୍ୟେକ ସେବକଙ୍କ ସହିତ ଯାହା ବି ହେଉଛି, ଯିହୋବା ସେସବୁକୁ ଭଲଭାବରେ ଜାଣନ୍ତି । ଯେପରି, ସେ ଜାଣନ୍ତି ଯେ ଆମେ କେଉଁ କଥାରୁ ଖୁସି ହେଉ ଏବଂ କେଉଁ କଥାରୁ ଆମକୁ ଦୁଃଖ ଲାଗେ । (ଗୀତ. ୩୭:୧୮) ଯେବେ ସେ ଦେଖନ୍ତି ଯେ ଆମେ ଅନେକ କଷ୍ଟ ସହି ମଧ୍ୟ ତାଙ୍କ ସେବାରେ ଅଧିକରୁ ଅଧିକ କରିବା ପାଇଁ ଚେଷ୍ଟା କରୁଛୁ, ତେବେ ସେ ବହୁତ ଖୁସି ହୁଅନ୍ତି । କେବଳ ଏତିକି ନୁହେଁ, ସେ ଆମକୁ ସାହାଯ୍ୟ କରିବା ଓ ସାନ୍ତ୍ୱନା ଦେବା ପାଇଁ ସବୁବେଳେ ପ୍ରସ୍ତୁତ ରହନ୍ତି ।

୨. (କ) ଯିହୋବା ‘ଭଗ୍ନାନ୍ତଃକରଣମାନଙ୍କ’ ପାଇଁ କʼଣ କରନ୍ତି ? (ଖ) ଯିହୋବାଙ୍କଠାରୁ ସାନ୍ତ୍ୱନା ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

ଗୀତସଂହିତା ୧୪୭:୩ ପଦରେ କୁହାଯାଇଛି ଯେ ଯିହୋବା ଭଗ୍ନାନ୍ତଃକରଣମାନଙ୍କ “କ୍ଷତସବୁ ବାନ୍ଧନ୍ତି ।” ଏହି ପଦରୁ ଜଣାପଡ଼େ ଯେ ଯିହୋବା ଏତେ ଭଲ ଯେ ସେ ନିରାଶାରେ ଥିବା ଲୋକମାନଙ୍କର ହୃଦୟରୁ ଚିନ୍ତା କରନ୍ତି । କିନ୍ତୁ ଯଦି ଆମେ ତାଙ୍କଠାରୁ ସାନ୍ତ୍ୱନା ପାଇବା ପାଇଁ ଚାହୁଁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ? ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଜଣେ ଭଲ ଡାକ୍ତର ଆଘାତ ପହଞ୍ଚିଥିବା ବ୍ୟକ୍ତିକୁ ସାହାଯ୍ୟ କରିପାରିବେ, କିନ୍ତୁ ସେହି ବ୍ୟକ୍ତିକୁ ମଧ୍ୟ କିଛି କରିବାକୁ ପଡ଼ିବ । ତାକୁ ଡାକ୍ତରଙ୍କ ପ୍ରତ୍ୟେକ କଥା ମାନିବାକୁ ପଡ଼ିବ, ତେବେ ଯାଇ ତାʼ ଆଘାତ ଠିକ୍‌ ହୋଇପାରିବ । ଏହି ଲେଖାରେ ଆମେ ଜାଣିବା ଯେ ଦୁଃଖି ଓ ନିରାଶାରେ ଥିବା ଲୋକମାନଙ୍କ ପାଇଁ ଯିହୋବା ନିଜ ବାକ୍ୟରେ କʼଣ ପରାମର୍ଶ ଦେଇଛନ୍ତି । ଆମେ ଏହା ବି ଜାଣିବା ଯେ ସେହି ପରାମର୍ଶଗୁଡ଼ିକୁ ଆମେ କିପରି ମାନିପାରିବା ।

ଯିହୋବାଙ୍କ ସାହାଯ୍ୟରେ ଆମେ ଭରସା କରିପାରୁ ଯେ ଆମେ ତାଙ୍କ ପାଇଁ ବହୁମୂଲ୍ୟ

୩. କିଛି ଲୋକ କାହିଁକି ନିଜକୁ ବହୁତ ବେକାର ମନେ କରନ୍ତି ?

ଆଜି ଆମେ ଏପରି ଦୁନିଆରେ ବଞ୍ଚୁଛୁ ଯେଉଁଠି ପ୍ରେମ କମ୍‌ ହେବାରେ ଲାଗିଛି । ଦୁଃଖର କଥା ଯେ ଅନେକ ଲୋକଙ୍କ ସହିତ ଖରାପ ବ୍ୟବହାର କରାଯାଏ, ତେଣୁ ସେମାନେ ନିଜକୁ ବେକାର ମନେ କରନ୍ତି । ସେମାନଙ୍କୁ ଲାଗେ ଯେ ସେମାନେ ଥିଲେ ବା ନ ଥିଲେ, କାହାରିକୁ କିଛି ଫରକ ପଡ଼େନି । ହେଲେନ୍‌ a ନାମକ ଜଣେ ଭଉଣୀ କହନ୍ତି, “ମୋର ଲାଳନପାଳନ ଏପରି ପରିବାରରେ ହୋଇଥିଲା ଯେଉଁଠି ମୋତେ କେବେବି ପ୍ରେମ ମିଳିଲା ନାହିଁ । ବାପା ସବୁବେଳେ ଝଗଡ଼ା କରୁଥିଲେ ଏବଂ ଆମକୁ ସବୁବେଳେ ଅଯୋଗ୍ୟ ଭାବୁଥିଲେ ଓ ବେକାର ବୋଲି କହୁଥିଲେ ।” ଭଉଣୀ ହେଲେନ୍‌ଙ୍କ ଭଳି ହୁଏତ ଆପଣଙ୍କ ସହ ବି ଖରାପ ବ୍ୟବହାର କରାଯାଇଥିବ, କଥା କଥାରେ ଆପଣଙ୍କ ଭୁଲ ବାହାର କରାଯାଇଥିବ କିମ୍ବା ଅନ୍ୟମାନେ ଆପଣଙ୍କୁ ଏହା ଅନୁଭବ କରାଇଥିବେ ଯେ ଆପଣ କୌଣସି କାମର ଯୋଗ୍ୟ ନୁହନ୍ତି । ଯଦି ଆପଣଙ୍କ ସହ ବି ଏପରି ହୋଇଛି, ତାହେଲେ ହୁଏତ ଆପଣଙ୍କୁ ଏହା ଭରସା କରିବା କଠିନ ଲାଗିବ ଯେ ସତରେ କେହି ଆପଣଙ୍କର ହୃଦୟରୁ ଚିନ୍ତା କରନ୍ତି ।

୪. ଗୀତସଂହିତା ୩୪:୧୮ ପଦରେ ଯିହୋବା ଆମକୁ କେଉଁ କଥା ଉପରେ ଭରସା କରିବା ପାଇଁ ସାହାଯ୍ୟ କରୁଛନ୍ତି ?

ଯଦିଓ ଅନ୍ୟମାନେ ଆପଣଙ୍କ ସହ ଖରାପ ବ୍ୟବହାର କରିଛନ୍ତି, ତଥାପି ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସେ ଆପଣଙ୍କୁ ବହୁମୂଲ୍ୟ ମନେ କରନ୍ତି । ବାଇବଲରେ ଲେଖାଅଛି, ‘ଯିହୋବା ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି ।’ (ଗୀତସଂହିତା ୩୪:୧୮ ପଢ଼ନ୍ତୁ ।) ଯଦି ଆପଣ ନିଜକୁ “ଚୂର୍ଣ୍ଣମନା” ମନେ କରୁଛନ୍ତି, ତାହେଲେ ମନେ ରଖନ୍ତୁ ଯେ ଯିହୋବା ଆପଣଙ୍କଠାରେ କିଛି ଭଲ ଗୁଣ ଦେଖିଛନ୍ତି, ତେଣୁ ସେ ଆପଣଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି । (ଯୋହ. ୬:୪୪) ସେ ଆପଣଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସବୁବେଳେ ଆପଣଙ୍କ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହନ୍ତି ।

୫. ଯୀଶୁ ଯେଉଁ ଭଳି ଭାବେ ଲୋକମାନଙ୍କ ସହ ବ୍ୟବହାର କଲେ, ସେଥିରୁ ଆମେ କʼଣ ବୁଝିପାରୁ ?

ଯୀଶୁ ଯେଉଁ ଭଳି ଭାବେ ଅନ୍ୟମାନଙ୍କ ସହିତ ବ୍ୟବହାର କଲେ, ସେଥିରୁ ଆମେ ବୁଝିପାରୁ ଯେ ଯିହୋବା ଆମକୁ ବହୁମୂଲ୍ୟ ମନେ କରନ୍ତି । ଯୀଶୁ ପୃଥିବୀରେ ଥିବା ସମୟରେ ଲୋକମାନେ କିଛି ଲୋକମାନଙ୍କୁ ନୀଚ ଦୃଷ୍ଟିରେ ଦେଖୁଥିଲେ ଓ ସେମାନଙ୍କୁ ଓଲଟା ସିଧା କହୁଥିଲେ, କିନ୍ତୁ ଯୀଶୁ ସେମାନଙ୍କ ସହ ପ୍ରେମର ସହିତ ବ୍ୟବହାର କଲେ ଓ ସେମାନଙ୍କ ଉପରେ ଦୟା କଲେ । (ମାଥି. ୯:୯-୧୨) ଯେପରି, ଥରେ ଯୀଶୁଙ୍କ ପାଖକୁ ଏପରି ଜଣେ ସ୍ତ୍ରୀ ଆସିଲେ, ଯାହାଙ୍କୁ ବହୁତ ବଡ଼ ରୋଗ ହୋଇଥିଲା । ସେ ଠିକ୍‌ ହେବା ପାଇଁ ଚାହୁଁଥିଲେ, ତେଣୁ ସେ ଯୀଶୁଙ୍କ କପଡ଼ା ଛୁଇଁଲେ ଓ ଠିକ୍‌ ହୋଇଗଲେ । ସେସମୟରେ ଯୀଶୁ ତାଙ୍କୁ ରାଗିଲେ ନାହିଁ, ବରଂ ତାଙ୍କୁ ସାନ୍ତ୍ୱନା ଦେଲେ ଏବଂ ତାଙ୍କ ବିଶ୍ୱାସ ପାଇଁ ପ୍ରଶଂସା କଲେ । (ମାର୍କ ୫:୨୫-୩୪) ଯୀଶୁ ପୂରାପୂରି ନିଜ ପିତା ଯିହୋବାଙ୍କ ଭଳି ଅଟନ୍ତି । (ଯୋହ. ୧୪:୯) ସେଥିପାଇଁ ତାଙ୍କ ବିଷୟରେ ପଢ଼ି ଆମେ ବୁଝିପାରୁ ଯେ ଯିହୋବା ଆମ ବିଷୟରେ କିପରି ଭାବନ୍ତି । ଆମେ ଭରସା ରଖିପାରିବା ଯେ ଆମେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଓ ସେ ଆମର ଭଲ ଗୁଣଗୁଡ଼ିକୁ ଦେଖନ୍ତି । ଯେପରି, ସେ ଦେଖନ୍ତି ଯେ ଆମ ବିଶ୍ୱାସ କେତେ ଦୃଢ଼ ଅଛି ଏବଂ ଆମେ ତାଙ୍କୁ କେତେ ପ୍ରେମ କରୁ ।

୬. ଯଦି ଆପଣଙ୍କୁ ଲାଗେ ଯେ ଆପଣ କୌଣସି କାମର ଯୋଗ୍ୟ ନୁହନ୍ତି, ତାହେଲେ ଆପଣ କʼଣ କରିପାରିବେ ?

ଯଦି ଆପଣଙ୍କୁ ସବୁବେଳେ ଏପରି ଲାଗେ ଯେ ଆପଣ କୌଣସି କାମର ଯୋଗ୍ୟ ନୁହନ୍ତି, ତେବେ ଆପଣ କʼଣ କରିପାରିବେ ? ଏପରି ପଦଗୁଡ଼ିକୁ ପଢ଼ନ୍ତୁ ଯାହା ସାହାଯ୍ୟରେ ଆପଣ ଭରସା କରିପାରିବେ ଯେ ଯିହୋବାଙ୍କ ଦୃଷ୍ଟିରେ ଆପଣ ବହୁମୂଲ୍ୟ ଅଟନ୍ତି ଓ ସେହି ପଦଗୁଡ଼ିକ ଉପରେ ଚିନ୍ତନ କରନ୍ତୁ । b (ଗୀତ. ୯୪:୧୯) ଯଦି ଆପଣ ଏହା ଭାବି ନିରାଶ ଅଛନ୍ତି ଯେ ଆପଣ ନିଜ ଲକ୍ଷ୍ୟ ହାସଲ କରିପାରିଲେ ନାହିଁ କିମ୍ବା ଆପଣ ସେତେ କରିପାରୁ ନାହାନ୍ତି, ଯେତେ ଅନ୍ୟମାନେ କରୁଛନ୍ତି, ତାହେଲେ ନିଜକୁ ଦୋଷ ଦିଅନ୍ତୁ ନାହିଁ । ଯିହୋବା ଏହା ଚାହାନ୍ତି ନାହିଁ ଯେ ଆପଣ ଏପରି କିଛି କରନ୍ତୁ ଯାହା ଆପଣଙ୍କ ଦ୍ୱାରା ହୋଇପାରିବ ନାହିଁ । (ଗୀତ. ୧୦୩:୧୩, ୧୪) ଯଦି କେହି ଆପଣଙ୍କ ସହିତ ଅତି ଖରାପ ବ୍ୟବହାର କରିଥିଲେ ଆଉ ଏହି କାରଣ ଯୋଗୁଁ ଆପଣ ନିଜକୁ ବେକାର ଭାବୁଛନ୍ତି, ତେବେ ଆପଣ କʼଣ କରିପାରିବେ ? ନିଜକୁ ଦୋଷ ଦିଅନ୍ତୁ ନାହିଁ ! ମନେ ରଖନ୍ତୁ, ଏଥିରେ ଆପଣଙ୍କର କୌଣସି ଭୁଲ ନାହିଁ । ଯିହୋବା ସେହି ବ୍ୟକ୍ତିଠାରୁ ନିଶ୍ଚୟ ଲେଖା ନେବେ, ତାʼ ସହିତ ସେ ଆପଣଙ୍କୁ ସାହାଯ୍ୟ ବି କରିବେ । (୧ ପିତ. ୩:୧୨) ସେଣ୍ଡ୍ରା ନାମକ ଭଉଣୀଙ୍କୁ ଛୋଟ ବେଳେ ବହୁତ ମାରପିଟ୍‌ କରାଯାଇଥିଲା, ସେ କହନ୍ତି, “ମୁଁ ଯିହୋବାଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ ମୁଁ ନିଜକୁ ସେହି ଦୃଷ୍ଟିରେ ଦେଖିପାରିବି ଯେପରି ସେ ମୋତେ ଦେଖନ୍ତି । ଆଉ ନିଜ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଇପାରିବି ।”

୭. ଆପଣ ଜୀବନରେ ଅନେକ ସମସ୍ୟାର ସାମନା କରିଛନ୍ତି, ତେଣୁ ଆପଣ କʼଣ କରିପାରିବେ ?

କେବେ ବି ଏପରି ଭାବନ୍ତୁ ନାହିଁ ଯେ ଯିହୋବା ଆପଣଙ୍କ ଜରିଆରେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ ନାହିଁ । ସେ ପ୍ରଚାର କାମରେ ଆପଣଙ୍କୁ ନିଜ ସହକର୍ମୀ ହେବାର ବଡ଼ ସମ୍ମାନ ଦେଇଛନ୍ତି । (୧ କରି. ୩:୯) ଆପଣ ଜୀବନରେ ଅନେକ ସମସ୍ୟାର ସାମନା କରିଛନ୍ତି, ତେଣୁ ଆପଣ ଅନ୍ୟମାନଙ୍କ ଦୁଃଖକୁ ଭଲଭାବରେ ବୁଝିପାରିବେ ଓ ସେମାନଙ୍କର ସାହାଯ୍ୟ କରିବା ପାଇଁ ବହୁତ କିଛି କରିପାରିବେ । ପୂର୍ବରୁ ଆମେ ଯେଉଁ ଭଉଣୀ ହେଲେନ୍‌ଙ୍କ ବିଷୟରେ ଦେଖିଥିଲୁ, ତାଙ୍କୁ ଯିହୋବା ଓ ଭାଇଭଉଣୀମାନଙ୍କଠାରୁ ସାହାଯ୍ୟ ମିଳିଲା ଆଉ ଏବେ ସେ ବି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ସେ କହନ୍ତି, “ମୋତେ ଲାଗୁଥିଲା ଯେ ମୁଁ କୌଣସି କାମର ଯୋଗ୍ୟ ନୁହେଁ । କିନ୍ତୁ ଯିହୋବା ମୋତେ ଏହା ଅନୁଭବ କରିବା ପାଇଁ ସାହାଯ୍ୟ କଲେ ଯେ ସେ ମୋତେ ବହୁତ ପ୍ରେମ କରନ୍ତି ଆଉ ସେ ମୋତେ ଅନ୍ୟମାନଙ୍କ ସାହାଯ୍ୟ କରିବା ପାଇଁ ବ୍ୟବହାର କରୁଛନ୍ତି ।” ଆଜି ଭଉଣୀ ହେଲେନ୍‌ ଅଗ୍ରଦୂତ ସେବା କରୁଛନ୍ତି ।

ଯିହୋବାଙ୍କ ସାହାଯ୍ୟରୁ ଆମେ ଭରସା କରିପାରୁ ଯେ ସେ ଆମକୁ କ୍ଷମା କରିଦେଇଛନ୍ତି

୮. ଯିଶାଇୟ ୧:୧୮ ପଦରେ ଯିହୋବା ଆମକୁ କେଉଁ କଥା ଉପରେ ଭରସା କରିବା ପାଇଁ ସାହାଯ୍ୟ କରୁଛନ୍ତି ?

ଯିହୋବାଙ୍କ କିଛି ସେବକ ବେଳେବେଳେ ନିଜର ଭୁଲଗୁଡ଼ିକୁ ମନେ ପକାଇ ଦୁଃଖି ହୋଇଯାʼନ୍ତି । ହୋଇପାରେ ସେମାନେ ଆଜି ବି ବାପ୍ତିସ୍ମ ପୂର୍ବରୁ ବା ପରେ ଯେଉଁ ଭୁଲ କରିଥିଲେ, ତାʼଯୋଗୁଁ ନିଜକୁ ଦୋଷୀ ଭାବନ୍ତି । କିନ୍ତୁ ଆମକୁ ଏହା ମନେ ରଖିବା ଉଚିତ୍‌ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି, ତେଣୁ ସେ ଆମ ପାଇଁ ନିଜର ପ୍ରିୟ ପୁତ୍ରଙ୍କ ବଳିଦାନ ଦେଲେ । ଆଉ ସେ ଚାହାନ୍ତି ଯେ ଆମକୁ ସେହି ବଳିଦାନରୁ ଲାଭ ହେଉ । ଯିଶାଇୟ ୧:୧୮ (NWT) ପଦରେ ଲେଖାଅଛି: “ଯିହୋବା କହନ୍ତି, “ଆସ, ଆମେ ପରସ୍ପର ମଧ୍ୟରେ ବୁଝାମଣା କରିବା, ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ ।”” ଯିହୋବାଙ୍କ ସାହାଯ୍ୟରୁ ଆମେ ଭରସା କରିପାରୁ ଯେ ଯେବେ ଆମେ ତାଙ୍କ ସହିତ “ବୁଝାମଣା” c କରୁ, ତେବେ ସେ ଆମ ପାପ ପାଇଁ ଆମକୁ ଦୋଷ ଦିଅନ୍ତି ନାହିଁ । ଯିହୋବା ପ୍ରେମମୟୀ ଈଶ୍ୱର ଅଟନ୍ତି ଏବଂ ଆମ ପାପ ସବୁକୁ ସେ ମନେ ରଖନ୍ତି ନାହିଁ ! କିନ୍ତୁ ଆମ ଭଲ କାମଗୁଡ଼ିକୁ ସେ ସବୁବେଳେ ମନେ ରଖନ୍ତି ।—ଗୀତ. ୧୦୩:୯, ୧୨; ଏବ୍ରୀ ୬:୧୦.

୯. ଅତୀତ ବିଷୟରେ ଭାବିବା ପରିବର୍ତ୍ତେ ଏବିଷୟରେ ଭାବିବା କାହିଁକି ଜରୁରୀ ଯେ ଆମେ ବର୍ତ୍ତମାନ ଓ ଭବିଷ୍ୟତରେ କʼଣ କରିପାରିବା ?

ଯଦି ଆପଣ ଅତୀତରେ ହୋଇଥିବା ନିଜର ଭୁଲଗୁଡ଼ିକ ବିଷୟରେ ଭାବି ଚିନ୍ତିତ ଅଛନ୍ତି, ତାହେଲେ ସେବିଷୟରେ ଭାବିବା ପରିବର୍ତ୍ତେ ଆପଣ ବର୍ତ୍ତମାନ ଓ ଭବିଷ୍ୟତରେ କʼଣ କରିବେ ସେବିଷୟରେ ଭାବନ୍ତୁ । ପ୍ରେରିତ ପାଉଲଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ ଏ କଥା ପାଇଁ ବହୁତ ଅବଶୋଷ ଥିଲା ଯେ ସେ ଖ୍ରୀଷ୍ଟିୟାନମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ଏବଂ ସେ ଏହା ବି ଜାଣିଥିଲେ ଯେ ଯିହୋବା ତାଙ୍କ ଭୁଲଗୁଡ଼ିକୁ କ୍ଷମା କରିଦେଇଛନ୍ତି । (୧ ତୀମ. ୧:୧୨-୧୫) କିନ୍ତୁ କʼଣ ତାʼପରେ ବି ସେ ଅତୀତରେ କରିଥିବା ନିଜ ଭୁଲଗୁଡ଼ିକ ବିଷୟରେ ଭାବି ଦୁଃଖି ରହୁଥିଲେ ? ଏପରି ନୁହେଁ । ଠିକ୍‌ ଯେପରି ସେ ଏବିଷୟରେ ଭାବୁ ନ ଥିଲେ ଯେ ଖ୍ରୀଷ୍ଟିୟାନ ହେବା ପୂର୍ବେ ସେ କʼଣ କʼଣ ହାସଲ କରିଥିଲେ, ଠିକ୍‌ ସେହିଭଳି ସେ ଦୃଢ଼ ନିଷ୍ପତ୍ତି ନେଲେ ଯେ ସେ ଅତୀତରେ ଯାହା ବି ଭୁଲ କରିଥିଲେ ସେଗୁଡ଼ିକୁ ମନେ ପକାଇବେ ନାହିଁ । (ଫିଲିପ୍‌. ୩:୪-୮, ୧୩-୧୫) ଅତୀତ ବିଷୟରେ ଭାବିବା ପରିବର୍ତ୍ତେ ପାଉଲ ଭବିଷ୍ୟତରେ କʼଣ କରିଲେ ସେବିଷୟରେ ଭାବିଲେ ଏବଂ ସେ ମନପ୍ରାଣ ଦେଇ ଯିହୋବାଙ୍କର ସେବା କଲେ । ଆମକୁ ମନେ ରଖିବା ଉଚିତ୍‌ ଯେ ଆମେ ଅତୀତରେ ଯାହା ବି କରିଛୁ, ସେଗୁଡ଼ିକୁ ବଦଳାଇପାରିବା ନାହିଁ । କିନ୍ତୁ ପାଉଲଙ୍କ ଭଳି ବର୍ତ୍ତମାନ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିପାରିବା ଏବଂ ଯିହୋବା ଆମକୁ ଯେଉଁ ବଢ଼ିଆ ଭବିଷ୍ୟତ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି ସେବିଷୟରେ ଭାବିପାରିବା ।

୧୦. ଯଦି ଆମ ଯୋଗୁଁ ଅନ୍ୟମାନଙ୍କୁ କଷ୍ଟ ପହଞ୍ଚିଛି, ତେବେ ଆମେ କʼଣ କରିପାରିବା ?

୧୦ ହୋଇପାରେ ଆପଣ ଏହା ଭାବି ଚିନ୍ତିତ ହୋଇଯିବେ ଯେ ପୂର୍ବେ ଆପଣଙ୍କ ଦ୍ୱାରା ଯାହା ଭୁଲ ହୋଇଥିଲା, ତାʼଯୋଗୁଁ ଅନ୍ୟମାନଙ୍କୁ କଷ୍ଟ ପହଞ୍ଚିଛି । ଏପରି ସମୟରେ ଆପଣ କʼଣ କରିପାରିବେ ? ସେମାନଙ୍କ ସହ ପୁଣିଥରେ ନିଜର ସମ୍ପର୍କ ଠିକ୍‌ କରିବା ପାଇଁ ପୂରା ଚେଷ୍ଟା କରନ୍ତୁ । ହୃଦୟରୁ ସେମାନଙ୍କୁ କ୍ଷମା ମାଗନ୍ତୁ । (୨ କରି. ୭:୧୧) ତାʼ ସହିତ ଆପଣଙ୍କ ଯୋଗୁଁ ଯେଉଁମାନଙ୍କୁ କଷ୍ଟ ପହଞ୍ଚିଛି, ସେମାନଙ୍କ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଯିହୋବା ଆପଣଙ୍କୁ ଓ ସେମାନଙ୍କୁ ମନର ଶାନ୍ତି ଦେବା ପାଇଁ ସାହାଯ୍ୟ କରିବେ ଏବଂ ଆପଣ ଯିହୋବାଙ୍କ ସେବା ଜାରି ରଖିପାରିବେ ।

୧୧. ଆମେ ଯୂନସଙ୍କଠାରୁ କʼଣ ଶିଖିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ନିଜ ଭୁଲଗୁଡ଼ିକରୁ ଶିଖନ୍ତୁ ଏବଂ ଯିହୋବା ଯାହା ବି କାମ କିମ୍ବା ଦାୟିତ୍ୱ ଦିଅନ୍ତି, ସେଗୁଡ଼ିକୁ ଖୁସିର ସହ କରନ୍ତୁ । ଭବିଷ୍ୟଦ୍‌ବକ୍ତା ଯୂନସଙ୍କ ବିଷୟରେ ଭାବନ୍ତୁ । ଯିହୋବା ତାଙ୍କୁ ନୀନିବୀ ଯିବା ପାଇଁ କହିଥିଲେ, କିନ୍ତୁ ସେ ଯିହୋବାଙ୍କ କଥା ମାନିଲେ ନାହିଁ ଓ ବିପରୀତ ଦିଗକୁ ପଳାଇଗଲେ । ତେବେ ଯିହୋବା ଯୂନସଙ୍କ ଚିନ୍ତାଧାରା ସୁଧାରିଲେ । ଯୂନସ ନିଜ ଭୁଲ ମାନିଲେ ଓ ସେଥିରୁ ଶିଖିଲେ । (ଯୂନ. ୧:୧-୪, ୧୫-୧୭; ୨:୭-୧୦) ଯିହୋବା ଏପରି ଭାବିଲେ ନାହିଁ ଯେ ଯୂନସ ତାଙ୍କ ସେବାର ଯୋଗ୍ୟ ନୁହନ୍ତି, ବରଂ ଯିହୋବା ତାଙ୍କୁ ପୁଣିଥରେ ସୁଯୋଗ ଦେଲେ । ଆଉ ଏଥର ଯୂନସ ତୁରନ୍ତ ଯିହୋବାଙ୍କ କଥା ମାନିଲେ ଓ ନୀନିବୀ ଗଲେ । ଯୂନସ ନିଜ ଭୁଲ ବିଷୟରେ ଭାବି ନିରାଶ ହୋଇ ରହିଲେ ନାହିଁ, ତାʼ ପରିବର୍ତ୍ତେ ଯିହୋବା ତାଙ୍କୁ ଯେଉଁ ଦାୟିତ୍ୱ ଦେଲେ, ତାହାକୁ ସେ ସ୍ୱୀକାର କଲେ ।—ଯୂନ. ୩:୧-୩.

ଗୋଟିଏ ବିରାଟ ମାଛ ପେଟରୁ ଜୀବିତ ବାହାରିବା ପରେ ଭବିଷ୍ୟଦ୍‌ବକ୍ତା ଯୂନସଙ୍କୁ ଯିହୋବା ପୁଣିଥରେ କହିଲେ ଯେ ସେ ନୀନିବୀ ସହର ଯାଇ ସନ୍ଦେଶ ଶୁଣାନ୍ତୁ (ପାରାଗ୍ରାଫ ୧୧)


ଯିହୋବା ପବିତ୍ର ଶକ୍ତି ଦ୍ୱାରା ଆମକୁ ସାନ୍ତ୍ୱନା ଦିଅନ୍ତି

୧୨. ଯେବେ ଆମକୁ କୌଣସି ଗଭୀର ମାନସିକ ଆଘାତ ପହଞ୍ଚେ, ତେବେ ଯିହୋବା ଆମକୁ କିପରି ଶାନ୍ତି ଦିଅନ୍ତି ? (ଫିଲିପ୍‌ପୀୟ ୪:୬, ୭)

୧୨ ଯେବେ ଆମକୁ କୌଣସି ଗଭୀର ମାନସିକ ଆଘାତ ପହଞ୍ଚେ, ତେବେ ଯିହୋବା ନିଜ ପବିତ୍ର ଶକ୍ତି ଦ୍ୱାରା ଆମକୁ ସାନ୍ତ୍ୱନା ଦିଅନ୍ତି । ଭାଇ ରୋନ୍‌ ଏବଂ ଭଉଣୀ କ୍ୟାରଲ୍‌ଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ ଯାହାଙ୍କ ପୁଅ ଆତ୍ମହତ୍ୟା କରି ନେଇଥିଲେ । ସେମାନେ କହନ୍ତି, “ଆମେ ନିଜ ଜୀବନରେ ଅନେକ କଷ୍ଟ ସହିଛୁ, କିନ୍ତୁ ନିଜ ପୁଅକୁ ମୃତ୍ୟୁରେ ହରାଇବାର ଦୁଃଖ ଆମ ପାଇଁ ବହୁତ କଷ୍ଟକର ଥିଲା । ଆମେ ରାତି ସାରା ଶୋଇ ପାରୁ ନ ଥିଲୁ, କେବଳ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲୁ । ପ୍ରାର୍ଥନା କରିବା ଯୋଗୁଁ ଆମେ ସେହି ଶାନ୍ତି ଅନୁଭବ କଲୁ ଯାହା ବିଷୟରେ ଫିଲିପ୍‌ପୀୟ ୪:୬, ୭ ପଦରେ କୁହାଯାଇଛି ।” (ପଢ଼ନ୍ତୁ ।) ଯଦି ଆପଣ ମଧ୍ୟ କୌଣସି ଏପରି ସମସ୍ୟାର ସାମନା କରୁଛନ୍ତି ଯାହାଯୋଗୁଁ ଆପଣ ପୂରାପୂରି ଭାଙ୍ଗି ପଡ଼ିଛନ୍ତି, ତାହେଲେ ଯିହୋବାଙ୍କ ଆଗରେ ନିଜ ମନର ସବୁ କଥା ଖୋଲିକି କହନ୍ତୁ । ଆଉ ମନ ଶାନ୍ତ ନ ହେବା ଯାଏ ଲଗାତାର ପ୍ରାର୍ଥନା କରନ୍ତୁ । (ଗୀତ. ୮୬:୩; ୮୮:୧) ଯିହୋବାଙ୍କୁ ବାରମ୍ବାର ପବିତ୍ର ଶକ୍ତି ମାଗନ୍ତୁ । ସେ ନିଶ୍ଚୟ ଆପଣଙ୍କ ପ୍ରାର୍ଥନା ଶୁଣିବେ ।—ଲୂକ ୧୧:୯-୧୩.

୧୩. ଯିହୋବାଙ୍କ ସେବା କରିବା ପାଇଁ ପବିତ୍ର ଶକ୍ତି କିପରି ଆମକୁ ସାହାଯ୍ୟ କରେ ? (ଏଫିସୀୟ ୩:୧୬)

୧୩ କʼଣ ଆପଣ କୌଣସି ବଡ଼ ସମସ୍ୟାର ସାମନା କରୁଛନ୍ତି ଏବଂ ଏସବୁକୁ ସହିବା ପାଇଁ ଆପଣଙ୍କ ପାଖରେ ଆଉ ଶକ୍ତି ନାହିଁ ? ଏପରି ସମୟରେ ଯିହୋବାଙ୍କର ପବିତ୍ର ଶକ୍ତି ଆପଣଙ୍କୁ ତାଙ୍କ ବିଶ୍ୱସ୍ତ ରହିବା ଓ ତାଙ୍କ ସେବା କରିବା ପାଇଁ ଶକ୍ତି ଦେଇପାରିବ । (ଏଫିସୀୟ ୩:୧୬ ପଢ଼ନ୍ତୁ ।) ଭଉଣୀ ଫ୍ଲୋରାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ସେ ନିଜ ସ୍ୱାମୀଙ୍କ ସହ ମିଶି ମିଶନାରୀ ସେବା କରୁଥିଲେ । କିନ୍ତୁ ପରେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଲେ ଏବଂ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା । ଭଉଣୀ କହନ୍ତି, “ମୁଁ ଏହା ଭାବି ବହୁତ ଚିନ୍ତିତ ରହୁଥିଲି ଯେ ମୋ ସ୍ୱାମୀ କିପରି ବିଶ୍ୱାସଘାତ କରିପାରିବେ । ଏପରି ହେବ ବୋଲି ମୁଁ କେବେ ବି ଭାବି ନ ଥିଲି । କିନ୍ତୁ ଏସବୁକୁ ସହିବା ପାଇଁ ମୁଁ ଯିହୋବାଙ୍କୁ ତାଙ୍କର ପବିତ୍ର ଶକ୍ତି ମାଗିଲି, ତେଣୁ ମୁଁ ଏହି ଦୁଃଖରୁ ବାହାରିପାରିଲି ଏବଂ ପାହାଡ଼ ଭଳି ଏହି ସମସ୍ୟାକୁ ପାର କରିପାରିଲି ।” ଯେବେ ଭଉଣୀ ଦେଖିଲେ ଯେ ଯିହୋବା କିପରି ତାଙ୍କର ସାହାଯ୍ୟ କଲେ, ତେବେ ଯିହୋବାଙ୍କ ଉପରେ ତାଙ୍କର ଭରସା ଆହୁରି ବଢ଼ିଗଲା । ତାଙ୍କୁ ଏ କଥାର ବିଶ୍ୱାସ ହୋଇଗଲା ଯେ ଯିହୋବା ସବୁ ସମସ୍ୟାରେ ତାଙ୍କୁ ସମ୍ଭାଳିବେ । ଭଉଣୀ ଫ୍ଲୋରା କହନ୍ତି, “ଗୀତସଂହିତା ୧୧୯:୩୨ ପଦରେ ଲେଖା ଥିବା କଥା ମୋ ମାମଲାରେ ସତ ପ୍ରମାଣିତ ହେଲା, ‘ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ ମୁଁ ତୁମ୍ଭ ଆଜ୍ଞାପଥରେ ଧାବମାନ ହେବି ।’”

୧୪. ଯିହୋବାଙ୍କଠାରୁ ପବିତ୍ର ଶକ୍ତି ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୪ ଯିହୋବାଙ୍କୁ ପବିତ୍ର ଶକ୍ତି ମାଗିବା ପରେ ଆମେ କʼଣ କରିପାରିବା ? ଏପରି କାମ କରନ୍ତୁ ଯେଉଁଥିରୁ ଆପଣଙ୍କୁ ଆହୁରି ଅଧିକ ପବିତ୍ର ଶକ୍ତି ମିଳିବ । ଯେପରି ସଭାରେ ଯାʼନ୍ତୁ, ପ୍ରଚାର କରନ୍ତୁ ଏବଂ ପ୍ରତିଦିନ ବାଇବଲ ପଢ଼ି ଯିହୋବାଙ୍କ କଥାଗୁଡ଼ିକୁ ଚିନ୍ତନ କରନ୍ତୁ । (ଫିଲିପ୍‌. ୪:୮, ୯) ବାଇବଲରେ ଦିଆଯାଇଥିବା ସେହି ଲୋକମାନଙ୍କ ବିଷୟରେ ଚିନ୍ତନ କରନ୍ତୁ ଯେଉଁମାନେ ଅନେକ ସମସ୍ୟା ସହିଲେ ଏବଂ ଭାବନ୍ତୁ ଯେ ଯିହୋବା କିପରି ସେମାନଙ୍କୁ ସାହାଯ୍ୟ କଲେ । ଭଉଣୀ ସେଣ୍ଡ୍ରା ଯାହାଙ୍କ ବିଷୟରେ ପୂର୍ବେ କୁହାଯାଇଥିଲା, ସେ ନିଜ ଜୀବନରେ ଗୋଟେ ପରେ ଗୋଟେ ଅନେକ ସମସ୍ୟାର ସାମନା କଲେ । ସେ କହନ୍ତି, “ଯୋଷେଫଙ୍କ କାହାଣୀରୁ ମୋତେ ବହୁତ ସାହସ ମିଳେ । ଯୋଷେଫଙ୍କ ସହିତ ବହୁତ ଅତ୍ୟାଚାର ହେଲା ଏବଂ ସେ ବହୁତ କିଛି ସହିଲେ, କିନ୍ତୁ ସେ କେବେ ବି ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୁର୍ବଳ ହେବାକୁ ଦେଲେ ନାହିଁ ।”—ଆଦି. ୩୯:୨୧-୨୩.

ଯିହୋବା ଭାଇଭଉଣୀମାନଙ୍କ ଜରିଆରେ ଆମକୁ ସାନ୍ତ୍ୱନା ଦିଅନ୍ତି

୧୫. ଆମକୁ କେଉଁମାନଙ୍କଠାରୁ ସାନ୍ତ୍ୱନା ମିଳିପାରେ ଆଉ ସେମାନେ ଆମକୁ କିପରି ସାନ୍ତ୍ୱନା ଦେଇପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ସମସ୍ୟାଗୁଡ଼ିକର ସାମନା କରିବା ସମୟରେ ଆମକୁ ନିଜ ଭାଇଭଉଣୀମାନଙ୍କଠାରୁ “ସାନ୍ତ୍ୱନା” ମିଳେ । (କଲ. ୪:୧୧) ଯିହୋବା ସେମାନଙ୍କ ଜରିଆରେ ଆମକୁ ନିଜ ପ୍ରେମ ଦେଖାନ୍ତି । ଆମ ଭାଇଭଉଣୀ ଭିନ୍ନ ଭିନ୍ନ ଉପାୟରେ ଆମକୁ ସାନ୍ତ୍ୱନା ଦେଇପାରିବେ । ହୋଇପାରେ ସେମାନେ ଆମ କଥା ଧ୍ୟାନର ସହ ଶୁଣିବେ, ଆମ ସହିତ ସମୟ ବିତାଇବେ, ଆମର ଉତ୍ସାହ ବଢ଼ାଇବା ପାଇଁ ଆମକୁ ବାଇବଲରୁ କୌଣସି ପଦ ଦେଖାଇବେ କିମ୍ବା ଆମ ସହ ପ୍ରାର୍ଥନା କରିବେ । d (ରୋମୀ. ୧୫:୪) ତାʼଛଡ଼ା ହୁଏତ କୌଣସି ଭାଇ କିମ୍ବା ଭଉଣୀ ଆମକୁ ପରିସ୍ଥିତିକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିବା ପାଇଁ ସାହାଯ୍ୟ କରିବେ, ଯାହାଫଳରେ ଆମେ ନିଜକୁ ସମ୍ଭାଳି ପାରିବା । ଆଉ ହୁଏତ ଅନେକଥର ସେମାନେ ଆମକୁ ଜରୁରୀ ଜିନିଷଗୁଡ଼ିକ ଦେଇ, ଯେପରି ଖାଇବା ଜିନିଷ ଦେଇ ଆମକୁ ସାହାଯ୍ୟ କରିବେ ।

ଜଣେ ପ୍ରୌଢ଼ ଓ ଭରସାଯୋଗ୍ୟ ସାଙ୍ଗ ହିଁ ଆପଣଙ୍କୁ ସାନ୍ତ୍ୱନା ଦେଇପାରିବ ଏବଂ ଆପଣଙ୍କୁ ସମ୍ଭାଳିପାରିବ (ପାରାଗ୍ରାଫ ୧୫)


୧୬. ଭାଇଭଉଣୀମାନଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୬ ଆମ ଭାଇଭଉଣୀମାନେ ଆମକୁ ବହୁତ ଭଲ ପାʼନ୍ତି ଓ ଆମକୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । କିନ୍ତୁ ସେମାନଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆମକୁ ସେମାନଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିବ । (ହିତୋ. ୧୭:୧୭) କିନ୍ତୁ ଯଦି ସେମାନଙ୍କୁ ଜଣା ହିଁ ନ ଥିବ ଯେ ଆମକୁ କʼଣ ସାହାଯ୍ୟ ଦରକାର, ତାହେଲେ ସେମାନେ ଆମକୁ କିପରି ସାହାଯ୍ୟ କରିବେ । (ହିତୋ. ୧୪:୧୦) ତେଣୁ ଯଦି ଆପଣ କୌଣସି କଥାକୁ ନେଇ ଦୁଃଖି ବା ଚିନ୍ତାରେ ଅଛନ୍ତି, ତାହେଲେ ଆପଣ ନିଜର ଏପରି କୌଣସି ସାଙ୍ଗ ସହ କଥା ହୋଇପାରିବେ ଯିଏ ଆପଣଙ୍କ କଥା ଭଲଭାବେ ବୁଝେ ଓ ଆପଣଙ୍କୁ ବାଇବଲରୁ ଭଲ ପରାମର୍ଶ ଦେଇପାରେ । ତାକୁ ମନଖୋଲି ନିଜ ଚିନ୍ତା ବିଷୟରେ କହନ୍ତୁ ଓ ସାହାଯ୍ୟ ମାଗନ୍ତୁ । ଆଉ ଆପଣ ଚାହିଁଲେ ସେହି ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେଇପାରିବେ ଯେଉଁମାନଙ୍କ ସହ ଆପଣଙ୍କୁ କଥା ହେବା ଭଲ ଲାଗେ । ଆଉ ଯଦି ଜଣେ ଭଉଣୀ ଚାହିଁଲେ, ପ୍ରୌଢ଼ ଭଉଣୀମାନଙ୍କ ସହ ମଧ୍ୟ କଥା ହୋଇପାରିବେ ।

୧୭. କେଉଁ କାରଣ ଯୋଗୁଁ ଆମେ ଭାଇଭଉଣୀମାନଙ୍କଠାରୁ ସାନ୍ତ୍ୱନା ପାଇବାରୁ ନିଜକୁ ରୋକିପାରୁ ଏବଂ କେଉଁ କଥା ଆମକୁ ସାହାଯ୍ୟ କରିବ ?

୧୭ ଭାଇଭଉଣୀମାନଙ୍କଠାରୁ ନିଜକୁ ଅଲଗା କରନ୍ତୁ ନାହିଁ । ହୁଏତ ଆପଣ ଏତେ ଦୁଃଖି କିମ୍ବା ଚିନ୍ତାରେ ଥିବେ ଯେ ଆପଣଙ୍କୁ କାହାରି ସହ ଭେଟିବା ପାଇଁ କିମ୍ବା କଥା ହେବା ପାଇଁ ଇଚ୍ଛା ହେବ ନାହିଁ, ଆଉ ଆପଣ ଏକୁଟିଆ ରହିବା ପାଇଁ ଚାହିଁବେ । କିମ୍ବା ବେଳେବେଳେ ଭାଇଭଉଣୀ ଆପଣଙ୍କୁ ଭୁଲ ବୁଝନ୍ତି ବା ଏପରି କିଛି କହିଦିଅନ୍ତି ଯାହାଯୋଗୁଁ ଆପଣଙ୍କୁ ବହୁତ ଖରାପ ଲାଗେ । (ଯାକୁ. ୩:୨) କିନ୍ତୁ ଏସବୁ କାରଣ ଯୋଗୁଁ ଭାଇଭଉଣୀମାନଙ୍କଠାରୁ ସାନ୍ତ୍ୱନା ପାଇବାରୁ ନିଜକୁ ରୋକନ୍ତୁ ନାହିଁ । ଗେୱିନ୍‌ ନାମକ ଜଣେ ପ୍ରାଚୀନଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ ଯାହାଙ୍କୁ ଡିପ୍ରେସନ୍‌ ଅଛି । ସେ କହନ୍ତି, “ମୋତେ ଅନେକଥର ନିଜ ସାଙ୍ଗମାନଙ୍କ ସହ ଭେଟିବା ଓ ସେମାନଙ୍କ ସହ କଥା ହେବା ପାଇଁ ବିଲକୁଲ୍‌ ଇଚ୍ଛା ହୁଏନି ।” କିନ୍ତୁ ସେସମୟରେ ଭାଇ ଗେୱିନ୍‌ ନିଜକୁ ବୁଝାନ୍ତି ଓ ଭାଇଭଉଣୀଙ୍କୁ ଭେଟନ୍ତି । ଏପରି କରି ତାଙ୍କୁ ବହୁତ ଭଲ ଲାଗେ । ଭଉଣୀ ଏମୀଙ୍କ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ମୋ ଜୀବନରେ ଏପରି କିଛି ହୋଇଥିଲା ଯାହାଯୋଗୁଁ ମୁଁ ଅନ୍ୟମାନଙ୍କ ଉପରେ ଭରସା କରିପାରେ ନାହିଁ । କିନ୍ତୁ ମୁଁ ଭାଇଭଉଣୀମାନଙ୍କ ଉପରେ ଭରସା କରିବା ଶିଖିଲି, କାରଣ ଯିହୋବା ଏପରି ଚାହାନ୍ତି । ଯେବେ ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରୁ, ତାଙ୍କ ଉପରେ ଭରସା କରୁ, ତାହେଲେ ଯିହୋବା ବହୁତ ଖୁସି ହୁଅନ୍ତି ଓ ମୋତେ ବି ବହୁତ ଖୁସି ଲାଗେ ।”

ଯିହୋବା ଯେଉଁ ପ୍ରତିଜ୍ଞା କରିଛନ୍ତି ସେଥିରୁ ସାନ୍ତ୍ୱନା ପାଆନ୍ତୁ

୧୮. ଖୁବ୍‌ ଶୀଘ୍ର ଯିହୋବା କʼଣ କରିବେ ଓ ବର୍ତ୍ତମାନ ଆମେ କʼଣ କରିପାରିବା ?

୧୮ ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଖୁବ୍‌ ଶୀଘ୍ର ଆମର ସବୁ ଦୁଃଖକଷ୍ଟ ଓ ସମସ୍ୟାଗୁଡ଼ିକୁ ଦୂର କରିଦେବେ । (ପ୍ରକା. ୨୧:୩, ୪) ଆଜି ଯେଉଁ କଥା ଯୋଗୁଁ ଆମେ ଚିନ୍ତିତ ବା ନିରାଶ ହୋଇଯାଉ, ସେଗୁଡ଼ିକ ଆଉ ‘ମନେ ପଡ଼ିବ ନାହିଁ ।’ (ଯିଶା. ୬୫:୧୭) କିନ୍ତୁ ଯିହୋବା ଆଜି ବି ଆମ “କ୍ଷତସବୁ ବାନ୍ଧନ୍ତି ।” ଯେପରି ଆମେ ଏହି ଲେଖାରେ ଦେଖିଲୁ । ସେ ଆମକୁ ସାନ୍ତ୍ୱନା ଦେବା ପାଇଁ ଓ ଆମକୁ ସାହାଯ୍ୟ କରିବା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରୁ ଲାଭ ଉଠାନ୍ତୁ । ଆଉ ଭରସା ରଖନ୍ତୁ ଯେ ଯିହୋବା ‘ଆପଣଙ୍କ ନିମନ୍ତେ ଚିନ୍ତା କରନ୍ତି ।’—୧ ପିତ. ୫:୭.

ଗୀତ ୭ ୟହୋୱା, ବଲ୍‌ ହମାରା !

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

b ଯିହୋବା ଆପଣଙ୍କୁ ବହୁମୂଲ୍ୟ ଭାବନ୍ତି !” ନାମକ ବକ୍ସ ଦେଖନ୍ତୁ ।

c ଯିହୋବାଙ୍କ ସହ “ବୁଝାମଣା” କରିବା ପାଇଁ ଆମକୁ ହୃଦୟରୁ ପଶ୍ଚାତାପ କରିବାକୁ ପଡ଼ିବ । ଆମକୁ ଯିହୋବାଙ୍କଠାରୁ ନିଜ ପାପଗୁଡ଼ିକ ପାଇଁ କ୍ଷମା ମାଗିବାକୁ ପଡ଼ିବ ଓ ସୁଧାର କରିବାକୁ ପଡ଼ିବ । ଯଦି ଆମେ କୌଣସି ଗମ୍ଭୀର ପାପ କରିଛୁ, ତାହେଲେ ଆମକୁ ପ୍ରାଚୀନମାନଙ୍କଠାରୁ ମଧ୍ୟ ସାହାଯ୍ୟ ନେବାକୁ ପଡ଼ିବ ।—ଯାକୁ. ୫:୧୪, ୧୫.

d ୱଚନ୍‌ ଜୋ ଦିଖାଏ ରାହ୍‌ ବହିରେ “ଚିନ୍ତା” ଏବଂ “ସାନ୍ତ୍ୱନା, ଉତ୍ସାହ” ବିଷୟରେ ଯେଉଁ ପଦଗୁଡ଼ିକ ଦିଆଯାଇଛି ତାହା ଦେଖନ୍ତୁ ।