ଅଧ୍ୟୟନ ଲେଖା ୩୮
କʼଣ ଭାଇଭଉଣୀମାନେ ଆପଣଙ୍କ ଉପରେ ଭରସା କରିପାରିବେ ?
“ଜଣେ ବିଶ୍ୱସ୍ତନୀୟ ଲୋକ ଗୁପ୍ତ କଥା ଲୁଚାଇ ରଖେ ।”—ହିତୋ. ୧୧:୧୩, ଇଜି-ଟୁ-ରିଡ୍ ଭର୍ସନ ।
ଗୀତ ୧୦୧ ଏକତା ମେଁ ରାହକର୍ କାମ କରେଁ
ଲେଖାର ଝଲକ a
୧. ଜଣେ ଭରସାଯୋଗ୍ୟ ବ୍ୟକ୍ତି କିପରି ଥାଏ ?
ଜଣେ ଭରସାଯୋଗ୍ୟ ବ୍ୟକ୍ତି ନିଜ ପ୍ରତିଜ୍ଞା ପୂରା କରିବା ପାଇଁ ପୂରା ଚେଷ୍ଟା କରେ ଓ ସତ କହେ । (ଗୀତ. ୧୫:୪) ଯେବେ ଆମେ କୌଣସି ଏପରି ବ୍ୟକ୍ତିକୁ କିଛି କାମ ଦେଉ, ତେବେ ଆମେ ଏହା ଭାବି ନ ଥାଉ ଯେ ସେହି କାମ ପୂରା ହେବ ନା ନାହିଁ । ଆମକୁ ପୂରା ଭରସା ଥାଏ ଯେ ସେ କାମ ହୋଇ ହିଁ ଯିବ । ଆମେ ବି ଜଣେ ଏପରି ବ୍ୟକ୍ତି ହେବାକୁ ଚାହୁଁ ଯାହା ଉପରେ ଭାଇଭଉଣୀମାନେ ଭରସା କରିପାରିବେ । କିନ୍ତୁ ଏପରି ବ୍ୟକ୍ତି ହେବା ପାଇଁ ଆମେ କʼଣ କରିପାରିବା ?
୨. ଯଦି ଆମେ ଚାହୁଁ ଯେ ଲୋକମାନେ ଆମ ଉପରେ ଭରସା କରନ୍ତୁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ?
୨ କେବଳ ଆମେ କହିଦେଲେ ଲୋକମାନେ ଆମ ଉପରେ ଭରସା କରିବେ ନାହିଁ, ବରଂ ଆମକୁ ଏପରି କାମ କରିବାକୁ ପଡ଼ିବ ଯାହାଯୋଗୁଁ ସେମାନେ ଆମ ଉପରେ ଭରସା କରିପାରିବେ । କାହାରି ଭରସା ଜିତିବା ପଇସା କମାଇବା କରିବା ଭଳି ଅଟେ । ପଇସା କମାଇବାରେ ଓ କାହାରି ଭରସା ଜିତିବାରେ ସମୟ ଓ ପରିଶ୍ରମ ଲାଗେ । ଆଉ ଯେପରି ପଇସା ଖୁବ୍ ଶୀଘ୍ର ଖର୍ଚ୍ଚ ହୋଇଯାଏ, ସେହିପରି ଭରସା ଭାଙ୍ଗିବାରେ ବି ଡେରି ଲାଗେନି । ଆମେ ଯିହୋବା ଈଶ୍ୱରଙ୍କ ଉପରେ ମଧ୍ୟ ଏଥିପାଇଁ ଭରସା କରୁ, କାରଣ ସେ ପ୍ରମାଣିତ କରିଛନ୍ତି ଯେ ସେ ଭରସାଯୋଗ୍ୟ ଅଟନ୍ତି । ବାଇବଲରେ ଲେଖାଅଛି, “ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ ।” (ଗୀତ. ୩୩:୪) ଆଉ ସେ ଚାହାନ୍ତି ଯେ ଆମେ ମଧ୍ୟ ତାଙ୍କ ଭଳି ଭରସାଯୋଗ୍ୟ ହେଉ । (ଏଫି. ୫:୧) ତେବେ ଆସନ୍ତୁ ଯିହୋବାଙ୍କର କିଛି ବିଶ୍ୱସ୍ତ ସେବକମାନଙ୍କଠାରୁ ଶିଖିବା, ଯେଉଁମାନେ ତାଙ୍କ ଭଳି ଭରସାଯୋଗ୍ୟ ଥିଲେ । ଆମେ ଏପରି ପାଞ୍ଚୋଟି କଥା ଉପରେ ମଧ୍ୟ ଆଲୋଚନା କରିବା ଯେଉଁଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ ଜଣେ ଭରସାଯୋଗ୍ୟ ବ୍ୟକ୍ତି ହୋଇପାରିବା ।
ପ୍ରାଚୀନ କାଳର ଲୋକମାନଙ୍କ ଭଳି ଭରସାଯୋଗ୍ୟ ହୁଅନ୍ତୁ
୩-୪. (କ) ଆମେ କାହିଁକି କହିପାରିବା ଯେ ଦାନିୟେଲ ଜଣେ ଭରସାଯୋଗ୍ୟ ବ୍ୟକ୍ତି ଥିଲେ ? (ଖ) ଯଦି ଆମେ ଭରସାଯୋଗ୍ୟ ହେବାକୁ ଚାହୁଁ, ତାହେଲେ ଆମେ କେଉଁ ବିଷୟରେ ଭାବିବା ଉଚିତ୍ ?
୩ ଭବିଷ୍ୟଦ୍ବକ୍ତା ଦାନିୟେଲ ଜଣେ ଏପରି ବ୍ୟକ୍ତି ଥିଲେ ଯାହା ଉପରେ ଲୋକମାନେ ଭରସା କରିପାରୁଥିଲେ । ଯେବେ ସେ ଯୁବା ଥିଲେ, ତେବେ ତାଙ୍କୁ ବାବିଲରେ ବନ୍ଦୀ କରି ନିଆଗଲା । କିନ୍ତୁ କିଛି ସମୟ ମଧ୍ୟରେ ହିଁ ସେ ସେଠାରେ ଏକ ଭଲ ନାମ ଅର୍ଜନ କଲେ, ଆଉ ଲୋକମାନେ ତାଙ୍କ ଉପରେ ଭରସା କରିବାକୁ ଲାଗିଲେ । ଯେବେ ସେ ଯିହୋବାଙ୍କ ସାହାଯ୍ୟରେ ରାଜା ନବୂଖଦ୍ନିତ୍ସରଙ୍କର ସ୍ୱପ୍ନଗୁଡ଼ିକର ଅର୍ଥ କହିଲେ, ତେବେ ଲୋକମାନେ ତାଙ୍କ ଉପରେ ଆହୁରି ଭରସା କରିବାକୁ ଲାଗିଲେ । ଥରେ ଦାନିୟେଲଙ୍କୁ ରାଜାଙ୍କୁ ଏହା କହିବାର ଥିଲା ଯେ ଯିହୋବା ତାଙ୍କ ଉପରେ ଖୁସି ନାହାନ୍ତି । ରାଜା ନବୂଖଦ୍ନିତ୍ସର ଖୁବ୍ ଶୀଘ୍ର ରାଗି ଯାଉଥିଲେ, ତେଣୁ ତାଙ୍କୁ ଏହି କଥା କହିବା ଦାନିୟେଲଙ୍କ ପାଇଁ ବହୁତ କଷ୍ଟକର ହୋଇଥିବ । ତଥାପି ଦାନିୟେଲ ସାହସ କରି ରାଜାଙ୍କୁ ଏହି କଥା କହିଲେ । (ଦାନି. ୨:୧୨; ୪:୨୦-୨୨, ୨୫) ଏହାର ଅନେକ ବର୍ଷ ପରେ ଥରେ ଗୋଟିଏ ରାତିରେ ବାବିଲର ରାଜପ୍ରାସାଦର କାନ୍ଥରେ କିଛି ଶବ୍ଦ ଦେଖିବାକୁ ମିଳିଲା । କେହି ବୁଝିପାରୁ ନ ଥିଲେ ଯେ ତାʼର ଅର୍ଥ କʼଣ । ସେ ସମୟରେ ଦାନିୟେଲ ତାହାର ଠିକ୍ ଠିକ୍ ଅର୍ଥ କହି ପୁଣିଥରେ ଦେଖାଇଲେ ଯେ ସେ ଭରସାଯୋଗ୍ୟ ଅଟନ୍ତି । (ଦାନି. ୫:୫, ୨୫-୨୯) ଆଗକୁ ଯାଇ ରାଜା ଦାରୀୟାବସ ଓ ଅନ୍ୟ ବଡ଼ ବଡ଼ ଅଧିକାରୀମାନେ ମଧ୍ୟ ଧ୍ୟାନ ଦେଲେ ଯେ ଦାନିୟେଲ କେତେ ଦକ୍ଷ ଅଟନ୍ତି । ସେମାନେ ଦେଖିପାରୁଥିଲେ ଯେ ‘ଦାନିୟେଲ ବିଶ୍ୱସ୍ତ ଥିଲେ ଓ ତାଙ୍କର କୌଣସି ଭ୍ରାନ୍ତି ଅବା ଅପରାଧ ନ ଥିଲା ।’ (ଦାନି. ୬:୩, ୪) ଏହି ଅଧିକାରୀ ଓ ରାଜାମାନେ ଯିହୋବାଙ୍କର ଉପାସକ ନ ଥିଲେ । ତଥାପି ସେମାନେ ଏକଥାକୁ ମାନିଲେ ଯେ ଦାନିୟେଲ ଭରସାଯୋଗ୍ୟ ଅଟନ୍ତି ।
୪ ଯଦି ଆମେ ମଧ୍ୟ ଦାନିୟେଲଙ୍କ ଭଳି ଭରସାଯୋଗ୍ୟ ହେବାକୁ ଚାହୁଁ, ତାହେଲେ ଆମେ ଭାବିବା ଉଚିତ୍, ‘ଯେଉଁ ଲୋକମାନେ ଯିହୋବାଙ୍କ ସାକ୍ଷୀ ନୁହନ୍ତି, ସେମାନଙ୍କ ମଧ୍ୟରେ ମୋର କିପରି ନାମ ଅଛି ? କʼଣ ସେମାନଙ୍କୁ ଲାଗେ ଯେ ମୁଁ ଜଣେ ଭରସାଯୋଗ୍ୟ ଓ ଦାୟିତ୍ୱବାନ ବ୍ୟକ୍ତି ଅଟେ ?’ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ବହୁତ ଜରୁରୀ, କାରଣ ଯଦି ଆମେ ଭରସାଯୋଗ୍ୟ ହେବା, ତାହେଲେ ଏଥିରୁ ଯିହୋବାଙ୍କର ମହିମା ହେବ ।
୫. ହନାନୀୟ କାହିଁକି ଭରସାଯୋଗ୍ୟ ଥିଲେ ?
୫ ଖ୍ରୀଷ୍ଟ ପୂର୍ବ ୪୫୫ରେ ଯେବେ ଯିରୂଶାଲମର ନଗର-ପ୍ରାଚୀର ପୁଣି ପ୍ରସ୍ତୁତ ହୋଇଗଲା, ତେବେ ରାଜ୍ୟପାଳ ନିହିମୀୟା ଏପରି ଲୋକମାନଙ୍କୁ ଖୋଜୁଥିଲେ ଯେଉଁମାନେ ସହରର ଭଲଭାବେ ଦେଖାରେଖା କରିପାରିବେ । ଏହି କାମ ପାଇଁ ସେ ଯେଉଁ ଲୋକମାନଙ୍କୁ ବାଛିଲେ, ସେମାନଙ୍କ ମଧ୍ୟରେ ଦୁର୍ଗର ଶାସନକର୍ତ୍ତା ହନାନୀୟ ମଧ୍ୟ ଥିଲେ । ବାଇବଲରେ ତାଙ୍କ ବିଷୟରେ ଲେଖାଅଛି, ‘ସେ ବିଶ୍ୱସ୍ତ ଥିଲେ ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କଲେ ।’ (ନିହି. ୭:୨) ସେ ଯିହୋବାଙ୍କୁ ପ୍ରେମ କରୁଥିଲେ ଆଉ ଏପରି କୌଣସି କାମ କରିବାକୁ ନ ଚାହୁଁଥିଲେ ଯାହା ଯିହୋବା ପସନ୍ଦ କରନ୍ତି ନାହିଁ । ତେଣୁ ତାଙ୍କୁ ଯାହା ବି କାମ ଦିଆଯାଉଥିଲା, ତାହା ସେ ମନ ଦେଇ କରୁଥିଲେ । ଯଦି ଆମେ ମଧ୍ୟ ଯିହୋବାଙ୍କୁ ପ୍ରେମ କରିବା ଓ ତାଙ୍କ ଭୟ କରିବା, ତାହେଲେ ଆମକୁ ଯାହା ବି ଦାୟିତ୍ୱ ଦିଆଯିବ, ଆମେ ତାହାକୁ ଭଲଭାବେ ତୁଲାଇବା ଓ ତାʼପରେ ଭାଇଭଉଣୀମାନେ ଆମ ଉପରେ ଭରସା କରିପାରିବେ ।
୬. ଆମେ କାହିଁକି କହିପାରିବା ଯେ ତୁଖିକ ପାଉଲଙ୍କର ଜଣେ ଭରସାଯୋଗ୍ୟ ସାଙ୍ଗ ଥିଲେ ?
୬ ଆମେ ତୁଖିକଙ୍କଠାରୁ ମଧ୍ୟ ବହୁତ କିଛି ଶିଖିପାରିବା । ସେ ପାଉଲଙ୍କର ଜଣେ ଭରସାଯୋଗ୍ୟ ସାଙ୍ଗ ଥିଲେ । ଯେବେ ପାଉଲ ଗୋଟିଏ ଘରେ ବନ୍ଦୀ ଥିଲେ, ତେବେ ତୁଖିକ ତାଙ୍କୁ ବହୁତ ସହଯୋଗ କଲେ, ତେଣୁ ପାଉଲ ତାଙ୍କ ବିଷୟରେ କହିଲେ ଯେ ସେ ଜଣେ “ବିଶ୍ୱସ୍ତ ସେବକ” ଅଟନ୍ତି । (ଏଫି. ୬:୨୧, ୨୨) ତୁଖିକଙ୍କୁ ଏଫିସ ଓ କଲସୀର ଭାଇଭଉଣୀମାନଙ୍କ ପାଖକୁ ଚିଠି ପହଞ୍ଚାଇବାର ଥିଲା । କିନ୍ତୁ ପାଉଲ ତାଙ୍କୁ ଆଉ ଗୋଟିଏ ଦାୟିତ୍ୱ ଦେଲେ । ସେ କହିଲେ ଯେ ସେ ସେଠାର ଭାଇମାନଙ୍କର ଉତ୍ସାହ ବଢ଼ାନ୍ତୁ ଓ ସେମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ । ତାଙ୍କୁ ପୂରା ଭରସା ଥିଲା ଯେ ତୁଖିକ ଏହି ଦାୟିତ୍ୱ ଭଲଭାବେ ତୁଲାଇବେ । ତୁଖିକଙ୍କ ଭଳି ଆଜି ମଧ୍ୟ ଏପରି ଅନେକ ଭରସାଯୋଗ୍ୟ ଭାଇମାନେ ଅଛନ୍ତି ଯେଉଁମାନେ ଯିହୋବାଙ୍କ ସହ ଆମ ସମ୍ପର୍କ ମଜବୁତ କରିବା ପାଇଁ ବହୁତ ପରିଶ୍ରମ କରନ୍ତି ।—କଲ. ୪:୭-୯.
୭. ଆପଣ ନିଜ ମଣ୍ଡଳୀର ପ୍ରାଚୀନ ଓ ସହାୟକ ସେବକମାନଙ୍କଠାରୁ ଭରସାଯୋଗ୍ୟ ହେବା ବିଷୟରେ କʼଣ ଶିଖିପାରିବେ ?
୭ ଆଜି ଆମ ମଣ୍ଡଳୀରେ ଏପରି ପ୍ରାଚୀନ ଓ ସହାୟକ ସେବକମାନେ ଅଛନ୍ତି ଯେଉଁମାନଙ୍କ ଉପରେ ଆମେ ପୂରା ଭରସା ରଖିପାରିବା । ଦାନିୟେଲ, ହନାନୀୟ, ଓ ତୁଖିକଙ୍କ ଭଳି ସେମାନେ ନିଜ ଦାୟିତ୍ୱଗୁଡ଼ିକୁ ଭଲଭାବେ ତୁଲାନ୍ତି । ଯେପରି ସେମାନେ ଭାଇଭଉଣୀମାନଙ୍କୁ ଆଗରୁ ହିଁ କହିଦିଅନ୍ତି ଯେ ସପ୍ତାହ ମଝିରେ ହେଉଥିବା ସଭାଗୁଡ଼ିକରେ ସେମାନଙ୍କର କʼଣ ଭାଗ ରହିବ । ତେଣୁ ଯେବେ ଆମେ ସଭାରେ ଆସୁ, ତେବେ ଆମ ମନରେ କେବେ ବି ଏହି ପ୍ରଶ୍ନ ଆସି ନ ଥାଏ ଯେ ଆଜି ଏହି ଭାଗ ହେବ ନା ନାହିଁ । ଭାଇମାନଙ୍କୁ ମଧ୍ୟ ଭରସା ଥାଏ ଯେ ଆମକୁ ଯେଉଁ ଭାଗ କରିବା ପାଇଁ କୁହାଯାଇଛି, ଆମେ ତାହାର ଭଲ ପ୍ରସ୍ତୁତି କରିବା ଓ ତାହା ଭଲଭାବେ ପରିବେଷଣ କରିବା । ଆଉ ଯେବେ ଆମେ ଏପରି କରୁ, ତେବେ ଭାଇମାନଙ୍କୁ ବହୁତ ଖୁସି ହୁଏ । ତାʼଛଡ଼ା ଯେବେ ଆମେ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ଜନ ଭାଷଣ ଶୁଣିବା ପାଇଁ ଡାକୁ, ତେବେ ଆମକୁ ପୂରା ଭରସା ଥାଏ ଯେ କେହି ନା କେହି ଭାଇ ନିଶ୍ଚୟ ଭାଷଣ ଦେବେ । ଆମେ କେବେ ବି ଏପରି ଭାବି ନ ଥାଉ ଯେ କାଳେ ପ୍ରାଚୀନମାନେ ଏହି ବ୍ୟବସ୍ଥା କରିବା ଭୁଲି ତ ଯାଇ ନାହାନ୍ତି । ଆଉ ଆମକୁ ପୂରା ଭରସା ଥାଏ ଯେ ପ୍ରଚାର କରିବା ପାଇଁ ଆମକୁ ଯାହା ବି ପ୍ରକାଶନ ଦରକାର ତାହା ଆମକୁ ମିଳିଯିବ । ଆମେ ଯିହୋବାଙ୍କର ବହୁତ କୃତଜ୍ଞ ଯେ ସେ ଆମକୁ ଏପରି ଭାଇମାନେ ଦେଇଛନ୍ତି, ଯେଉଁମାନେ ଆମ ଆବଶ୍ୟକତାଗୁଡ଼ିକର ଏତେ ଯତ୍ନ ନିଅନ୍ତି । ଏହି ଭାଇମାନଙ୍କ ଭଳି ଆମେ କିପରି ଭରସାର ଯୋଗ୍ୟ ହୋଇପାରିବା ?
ଗୁପ୍ତ କଥାକୁ ଗୁପ୍ତ ରଖନ୍ତୁ
୮. ଆମେ ଭାଇଭଉଣୀମାନଙ୍କର ଚିନ୍ତା କରୁ, କିନ୍ତୁ ଆମେ କେଉଁ କଥାର ଧ୍ୟାନ ରଖିବା ଉଚିତ୍ ? (ହିତୋପଦେଶ ୧୧:୧୩)
୮ ଆମେ ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରୁ, ତେଣୁ ଆମେ ସେମାନଙ୍କ ବିଷୟରେ ଜାଣିବାକୁ ଚାହୁଁ । କିନ୍ତୁ ଆମେ ଧ୍ୟାନ ରଖିବା ଉଚିତ୍ ଯେ ଆମେ ସେମାନଙ୍କର ବ୍ୟକ୍ତିଗତ ମାମଲାଗୁଡ଼ିକରେ ଦଖଲ ନ ଦେଉ । ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନ ମଣ୍ଡଳୀରେ କିଛି ଏପରି ଲୋକମାନେ ଥିଲେ ଯେଉଁମାନଙ୍କୁ ଗପସପ କରିବାର ଅଭ୍ୟାସ ଥିଲା ଓ ସେମାନେ ଅନ୍ୟମାନଙ୍କ ମାମଲାଗୁଡ଼ିକରେ ଦଖଲ ଦେଉଥିଲେ । ତେଣୁ ବାଇବଲରେ ସେମାନଙ୍କ ବିଷୟରେ କୁହାଯାଇଛି ଯେ ସେମାନେ ‘ଅସାର ଗଳ୍ପ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରୁଥିଲେ ।’ (୧ ତୀମ. ୫:୧୩) ଆମେ ଧ୍ୟାନ ରଖିବା ଉଚିତ୍ ଯେ ଆମେ ସେହି ଲୋକମାନଙ୍କ ଭଳି ନ ହେଉ । ଆଉ ଯଦି କେହି ନିଜେ ଆସି ଆମକୁ ନିଜର କିଛି କଥା କହେ ଓ ତାʼପରେ କହେ ଯେ ସେହି କଥା ଆମେ ଅନ୍ୟମାନଙ୍କୁ ନ କହୁ, ତାହେଲେ ଆମେ ତାହାକୁ ନିଜ ଯାଏ ହିଁ ରଖିବା ଉଚିତ୍ । ଯେପରି ଯଦି କେହି ଭଉଣୀ ଆପଣଙ୍କୁ ନିଜର ରୋଗ ବା କୌଣସି ଚିନ୍ତା ବିଷୟରେ କହେ ଓ ତାʼପରେ ଆପଣଙ୍କୁ କହେ ଯେ ଆପଣ ସେହି କଥା ନିଜ ଯାଏ ହିଁ ରଖନ୍ତୁ, ତାହେଲେ ଆପଣଙ୍କୁ ଏହି କଥା ଅନ୍ୟମାନଙ୍କୁ କହିବା ଉଚିତ୍ ନୁହେଁ । b (ହିତୋପଦେଶ ୧୧:୧୩ ପଢ଼ନ୍ତୁ ।) ଏବେ ଆସନ୍ତୁ ଦେଖିବା ଯେ ଆମେ କେଉଁ କେଉଁ ସମୟରେ ଧ୍ୟାନ ରଖିବା ଉଚିତ୍ ଯେ ଆମେ କୌଣସି କଥା ଏପଟ ସେପଟ ନ କରିଦେଉ ।
୯. ପରିବାରରେ ପ୍ରତ୍ୟେକ ଜଣ କିପରି ଦେଖାଇପାରିବେ ଯେ ସେମାନେ ଭରସାଯୋଗ୍ୟ ଅଟନ୍ତି ?
୯ ପରିବାରର କଥା । ପରିବାରରେ ପ୍ରତ୍ୟେକ ଜଣଙ୍କୁ ଏକଥାର ଧ୍ୟାନ ରଖିବା ଉଚିତ୍ ଯେ ସେମାନଙ୍କର ଘରର କିଛି କଥା ଘର ଯାଏ ହିଁ ରହୁ । ହୁଏତ, ଜଣେ ସ୍ୱାମୀକୁ ତାʼ ସ୍ତ୍ରୀର କିଛି ଅଭ୍ୟାସ ଯୋଗୁଁ ହସ ଲାଗୁଥିବ, କିନ୍ତୁ ଯଦି ସେ ସେହି କଥା ଅନ୍ୟମାନଙ୍କ ଆଗରେ କହେ, ତାହେଲେ ତାʼ ସ୍ତ୍ରୀକୁ ଲଜ୍ଜା ଅନୁଭବ ହୋଇପାରେ । ଯଦି ଜଣେ ସ୍ୱାମୀ ତାʼ ସ୍ତ୍ରୀକୁ ପ୍ରେମ କରେ, ତାହେଲେ ସେ କେବେ ବି ଏପରି କିଛି କଥା କହିବନି ଯେଉଁଥିରୁ ତାକୁ ଖରାପ ଲାଗିବ । (ଏଫି. ୫:୩୩) ଯୁବାମାନେ ମଧ୍ୟ ଚାହାନ୍ତି ଯେ ସମସ୍ତେ ତାଙ୍କର ଆଦର କରନ୍ତୁ, ତେଣୁ ବାପାମାଆମାନେ ଧ୍ୟାନ ରଖିବା ଉଚିତ୍ ଯେ ସେମାନେ ଅନ୍ୟମାନଙ୍କ ଆଗରେ ସେମାନଙ୍କ ଭୁଲଗୁଡ଼ିକ ବିଷୟରେ ସବୁବେଳେ ନ କହନ୍ତୁ । (କଲ. ୩:୨୧) ଯଦି କାହାରି ଛୋଟ ପିଲା ଅଛନ୍ତି, ତାହେଲେ ସେମାନେ ପିଲାମାନଙ୍କୁ ଶିଖାଇବା ଉଚିତ୍ ଯେ ସେମାନେ ଘରର ଏପରି କୌଣସି କଥା ଅନ୍ୟମାନଙ୍କୁ ନ କହନ୍ତୁ ଯାହାଯୋଗୁଁ ତାଙ୍କ ପରିବାରକୁ ଲଜ୍ଜିତ ହେବାକୁ ପଡ଼ିବ । (ଦ୍ୱିବି. ୫:୧୬) ଯଦି ପରିବାରରେ ସମସ୍ତେ ଏକଥାର ଧ୍ୟାନ ରଖିବେ, ତାହେଲେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ ।
୧୦. ଜଣେ ପ୍ରକୃତ ସାଙ୍ଗ କିପରି ହୋଇଥାଏ ? (ହିତୋପଦେଶ ୧୭:୧୭)
୧୦ ସାଙ୍ଗମାନଙ୍କର କଥା । ଆମେ ନିଜ ସାଙ୍ଗମାନଙ୍କୁ ବହୁତଗୁଡ଼ିଏ କଥା କହୁ । କିନ୍ତୁ ହୁଏତ କେବେ ଆପଣ କୌଣସି କଥାକୁ ନେଇ ବହୁତ ଚିନ୍ତିତ ଥିବେ । ଭାବନ୍ତୁ ଆପଣ ସାହସ କରି ନିଜର କୌଣସି ଭଲ ସାଙ୍ଗକୁ ସେ ବିଷୟରେ କହନ୍ତି, କିନ୍ତୁ ପରେ ଆପଣଙ୍କୁ ଜଣାପଡ଼େ ଯେ ସେ ଏହି କଥା ଅନ୍ୟମାନଙ୍କୁ କହିଦେଇଛି । ତେବେ ଆପଣଙ୍କୁ କିପରି ଲାଗିବ ? ଯେବେ କେହି ଆମର ଭରସା ଭାଙ୍ଗିଦିଏ, ତେବେ ଆମକୁ ବହୁତ ଦୁଃଖ ଲାଗେ । କିନ୍ତୁ ଯେବେ ଆମ ସାଙ୍ଗ ଆମ କଥାଗୁଡ଼ିକୁ ନିଜ ଯାଏ ରଖେ, ତେବେ ଆମକୁ ବହୁତ ଭଲ ଲାଗେ । ବାଇବଲରେ ଲେଖାଅଛି ଯେ ଏପରି ଭରସାଯୋଗ୍ୟ ସାଙ୍ଗମାନେ ‘ପ୍ରକୃତ ସାଙ୍ଗ’ ହୋଇଥାʼନ୍ତି ।—ହିତୋପଦେଶ ୧୭:୧୭ ପଢ଼ନ୍ତୁ ।
୧୧. (କ) ପ୍ରାଚୀନ ଓ ସେମାନଙ୍କର ସ୍ତ୍ରୀମାନେ କାହିଁକି ଭରସାର ଯୋଗ୍ୟ ଅଟନ୍ତି ? (ଖ) ଏହି ପାରାଗ୍ରାଫ ସହି ଜଡ଼ିତ ଚିତ୍ରରେ ଦିଆଯାଇଥିବା ପ୍ରାଚୀନଙ୍କଠାରୁ ଆମେ କʼଣ ଶିଖିପାରିବା ?
୧୧ ଭାଇଭଉଣୀମାନଙ୍କର କଥା । ଭାଇଭଉଣୀମାନେ ପ୍ରାଚୀନମାନଙ୍କୁ ବହୁତ ଭରସା କରନ୍ତି । ସେମାନେ ଅନ୍ୟ ଭାଇଭଉଣୀମାନଙ୍କ ପାଇଁ “ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ” ସ୍ୱରୂପ ଅଟନ୍ତି । (ଯିଶା. ୩୨:୨) ଆମକୁ ପୂରା ଭରସା ଥାଏ ଯେ ଆମେ ସେମାନଙ୍କୁ ଯାହା ବି କହିବା, ତାହା ସେମାନେ ଅନ୍ୟମାନଙ୍କୁ କହିବେ ନାହିଁ । ତେଣୁ ଆମେ ସେମାନଙ୍କୁ ବାଧ୍ୟ କରାଇବା ନାହିଁ ଯେ ସେମାନେ ଆମକୁ କୌଣସି ଏପରି କଥା କହନ୍ତୁ ଯାହା ଜାଣିବାର ଆମର ଅଧିକାର ନାହିଁ । ପ୍ରାଚୀନମାନଙ୍କର ସ୍ତ୍ରୀମାନେ ମଧ୍ୟ ପ୍ରଶଂସାର ଯୋଗ୍ୟ ଅଟନ୍ତି, କାରଣ ସେମାନେ ନିଜ ସ୍ୱାମୀଙ୍କଠାରୁ କୌଣସି ଗୁପ୍ତ କଥା ବାହାର କରାଇବା ପାଇଁ ଚେଷ୍ଟା କରନ୍ତି ନାହିଁ । ଆଉ ଯେବେ ଜଣେ ପ୍ରାଚୀନ ନିଜ ସ୍ତ୍ରୀକୁ କୌଣସି ଗୁପ୍ତ କଥା କହେନି, ତାହେଲେ ଏଥିରୁ ତାʼ ସ୍ତ୍ରୀକୁ ହିଁ ଲାଭ ହୁଏ । ଏବିଷୟରେ ଜଣେ ପ୍ରାଚୀନଙ୍କ ସ୍ତ୍ରୀ କହନ୍ତି, “ମୁଁ ବହୁତ ଖୁସି ଯେ ମୋ ସ୍ୱାମୀ ଯେବେ ବି କାହାରି ସାହସ ବଢ଼ାନ୍ତି କିମ୍ବା କୌଣସି ପ୍ରତିପାଳକ ସାକ୍ଷାତ ପାଇଁ ଯାʼନ୍ତି, ତେବେ ସେ ମୋତେ ସେହି ଭାଇଭଉଣୀମାନଙ୍କର କୌଣସି କଥା କହନ୍ତି ନାହିଁ, ଏପରିକି ସେମାନଙ୍କର ନାମ ମଧ୍ୟ କହନ୍ତି ନାହିଁ । ଦେଖିବାକୁ ଗଲେ ମୁଁ ସେହି ମାମଲାଗୁଡ଼ିକ ବିଷୟରେ କିଛି ବି କରିପାରିବି ନାହିଁ, ତେଣୁ ଯେବେ ମୋ ସ୍ୱାମୀ ସେବିଷୟରେ ମୋତେ କିଛି କହନ୍ତି ନାହିଁ ତେବେ ମୋତେ କିଛି ଚିନ୍ତା ବି ହୁଏନି । ମୁଁ ମଣ୍ଡଳୀରେ ସମସ୍ତ ଭାଇଭଉଣୀମାନଙ୍କ ସହ ଆରାମରେ କଥା ହୋଇପାରେ । ଆଉ ମୋତେ ଭରସା ଅଛି ଯେ ଯଦି ମୁଁ ନିଜ ସ୍ୱାମୀଙ୍କୁ ନିଜର କିଛି ଚିନ୍ତା ବିଷୟରେ କହିବି, ତାହେଲେ ସେ ସେହି କଥାକୁ ମଧ୍ୟ ନିଜ ଯାଏ ରଖିବେ ।” ଆମେ ସମସ୍ତେ ଚାହୁଁ ଯେ ଲୋକମାନେ ଆମ ଉପରେ ଭରସା କରିପାରନ୍ତୁ । ତେଣୁ ଆସନ୍ତୁ ଏପରି ପାଞ୍ଚୋଟି କଥାଗୁଡ଼ିକ ଉପରେ ଧ୍ୟାନ ଦେବା, ଯେଉଁଗୁଡ଼ିକୁ ମାନିଲେ ଆମେ ଭରସାଯୋଗ୍ୟ ହୋଇପାରିବା ।
ଭରସାଯୋଗ୍ୟ କିପରି ହେବା ?
୧୨. ଭରସାଯୋଗ୍ୟ ହେବା ପାଇଁ ପ୍ରେମ କରିବା କାହିଁକି ଜରୁରୀ ? ବୁଝାନ୍ତୁ ।
୧୨ ଯିହୋବାଙ୍କୁ ଓ ଅନ୍ୟମାନଙ୍କୁ ପ୍ରେମ କରନ୍ତୁ । ଜଣେ ଭରସାଯୋଗ୍ୟ ବ୍ୟକ୍ତି ହେବା ପାଇଁ ଅନ୍ୟମାନଙ୍କୁ ପ୍ରେମ କରିବା ବହୁତ ଜରୁରୀ । ଯୀଶୁ କହିଥିଲେ ଯେ ଯିହୋବାଙ୍କୁ ପ୍ରେମ କରିବା ଓ ପଡ଼ୋଶୀମାନଙ୍କୁ ପ୍ରେମ କରିବା, ଦୁଇଟି ସବୁଠୁ ବଡ଼ ଆଜ୍ଞା ଅଟେ । (ମାଥି. ୨୨:୩୭-୩୯) ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ତାଙ୍କ ଭଳି ଭରସାଯୋଗ୍ୟ ହେବାକୁ ଚାହୁଁ । ଆଉ ଆମେ ନିଜ ଭାଇଭଉଣୀମାନଙ୍କୁ ମଧ୍ୟ ପ୍ରେମ କରୁ, ତେଣୁ ଆମେ ସେମାନଙ୍କର ଗୁପ୍ତ କଥାଗୁଡ଼ିକୁ ଗୁପ୍ତ ହିଁ ରଖୁ । ଆମେ କେବେ ସେମାନଙ୍କର କୌଣସି କଥା ଅନ୍ୟମାନଙ୍କୁ କହି ନ ଥାଉ, କାରଣ ଆମେ ଚାହୁଁନୁ ଯେ ସେମାନଙ୍କୁ କୌଣସି କ୍ଷତି ହେଉ କିମ୍ବା ସେମାନଙ୍କୁ ଲଜ୍ଜିତ ହେବାକୁ ପଡ଼ୁ ବା ସେମାନଙ୍କୁ ଖରାପ ଲାଗୁ ।—ଯୋହ. ୧୫:୧୨.
୧୩. ଯଦି ଆମେ ନମ୍ର ହେବା, ତାହେଲେ ଲୋକମାନେ ଆମ ଉପରେ କାହିଁକି ଭରସା କରିପାରିବେ ?
୧୩ ନମ୍ର ହୁଅନ୍ତୁ । ଯଦି ଆମେ ଭରସାଯୋଗ୍ୟ ହେବାକୁ ଚାହୁଁ, ତାହେଲେ ଆମକୁ ନମ୍ର ବି ହେବାକୁ ପଡ଼ିବ । ଜଣେ ନମ୍ର ବ୍ୟକ୍ତି ଅନ୍ୟମାନଙ୍କର କଥା କହିବା ପାଇଁ ତରତର ହୁଏ ନାହିଁ । ସେ ଏହା ଭାବେନି ଯେ ମୁଁ ଯାଇ ସବୁଠୁ ପ୍ରଥମେ ଅନ୍ୟମାନଙ୍କୁ ସେହି କଥା କହିବି ଆଉ ଅନ୍ୟମାନେ ମୋର ପ୍ରଶଂସା କରିବେ । (ଫିଲିପ୍. ୨:୩) ସେ କେବେ ବି ଏହା ଦେଖାଇବା ପାଇଁ ଚେଷ୍ଟା କରେନି ଯେ ତାକୁ କୌଣସି ଏପରି କଥା ଜଣାଅଛି ଯାହା ସେ ଅନ୍ୟମାନଙ୍କୁ କହିପାରିବ ନାହିଁ । ଆଉ ଯେଉଁ କଥାଗୁଡ଼ିକ ବିଷୟରେ ବାଇବଲରେ କିମ୍ବା ଆମ ପ୍ରକାଶନଗୁଡ଼ିକରେ ଖୋଲିକି କୁହାଯାଇ ନାହିଁ, ଆମେ ସେଗୁଡ଼ିକ ବିଷୟରେ ନିଜ ଚିନ୍ତାଧାରା ଅନ୍ୟମାନଙ୍କୁ କହିବା ପାଇଁ ଚେଷ୍ଟା କରିବା ନାହିଁ ।
୧୪. ଯଦି ଆମେ ଭାବିଚିନ୍ତି କହିବା, ତାହେଲେ ଲୋକମାନେ ଆମ ଉପରେ କାହିଁକି ଭରସା କରିପାରିବେ ?
୧୪ ଭାବିଚିନ୍ତି କଥା ହୁଅନ୍ତୁ । ଯେଉଁ ବ୍ୟକ୍ତି ଭାବିଚିନ୍ତି କହେ, ତାʼ ଉପରେ ଲୋକମାନେ ଭରସା କରନ୍ତି । ତାଙ୍କୁ ଜଣାଥାଏ ଯେ କେବେ “ନୀରବ ରହିବାର ସମୟ” ଓ କେବେ “କଥା କହିବାର ସମୟ” ଅଟେ । (ଉପ. ୩:୭) ହିତୋପଦେଶ ୧୧:୧୨ ପଦରେ ମଧ୍ୟ ଲେଖାଅଛି, “ବୁଦ୍ଧିମାନ ତୁନି ହୋଇ ରହେ ।” ଏଥିରୁ ଜଣାପଡ଼େ ଯେ ବେଳେବେଳେ ଚୁପ୍ ରହିବା ହିଁ ଭଲ ହୋଇଥାଏ । ଜଣେ ପ୍ରାଚୀନଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଅନେକଥର ଅନ୍ୟ ମଣ୍ଡଳୀର ପ୍ରାଚୀନମାନେ କିଛି ମାମଲାର ସମାଧାନ କରିବା ପାଇଁ ତାଙ୍କଠାରୁ ପରାମର୍ଶ ନିଅନ୍ତି, କାରଣ ତାଙ୍କ ପାଖରେ ବହୁତ ଅନୁଭୂତି ଅଛି । ତାଙ୍କର ନିଜ ମଣ୍ଡଳୀର ଜଣେ ପ୍ରାଚୀନ ତାଙ୍କ ବିଷୟରେ କହନ୍ତି, “ସେ ଏକଥାର ବହୁତ ଧ୍ୟାନ ରଖନ୍ତି ଯେ ସେ ଆମକୁ କେବେ ବି ଅନ୍ୟ ମଣ୍ଡଳୀର କଥା ନ କହନ୍ତୁ ।” ସେ ପ୍ରାଚୀନ ଭାବିଚିନ୍ତି କହନ୍ତି ଓ କଥାଗୁଡ଼ିକୁ ଏପଟ ସେପଟ କରନ୍ତି ନାହିଁ । ତେଣୁ ତାଙ୍କ ମଣ୍ଡଳୀର ପ୍ରାଚୀନମାନଙ୍କୁ ପୂରା ଭରସା ଅଛି ଯେ ସେ ନିଜ ମଣ୍ଡଳୀର କଥାଗୁଡ଼ିକୁ ମଧ୍ୟ ଅନ୍ୟମାନଙ୍କୁ କହିବେ ନାହିଁ ଆଉ ସେମାନେ ତାଙ୍କର ବହୁତ ଆଦର କରନ୍ତି ।
୧୫. ଗୋଟିଏ ଉଦାହରଣରୁ ବୁଝାନ୍ତୁ ଯେ ଯଦି ଆମେ ସତ କହିବା, ତାହେଲେ ଅନ୍ୟମାନେ କାହିଁକି ଆମ ଉପରେ ଭରସା କରିପାରିବେ ?
୧୫ ସତ କହନ୍ତୁ । ଆମେ ଜଣେ ଏପରି ବ୍ୟକ୍ତି ଉପରେ ମଧ୍ୟ ଭରସା କରୁ ଯେ ସବୁବେଳେ ସତ କହେ । (ଏଫି. ୪:୨୫; ଏବ୍ରୀ ୧୩:୧୮) ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଭାବନ୍ତୁ ଆପଣଙ୍କୁ ସଭାରେ କୌଣସି ଭାଗ ଦିଆଯାଇଛି ଓ ଆପଣ ଜାଣିବାକୁ ଚାହାନ୍ତି ଯେ ଆପଣ ତାହାକୁ ଆହୁରି ଭଲ ଭାବରେ କିପରି ଦେଇପାରିବେ । ତେଣୁ ଆପଣ କାହାରିକୁ କହନ୍ତି ଯେ ସେ ଧ୍ୟାନର ସହ ଏହାକୁ ଶୁଣନ୍ତୁ ଓ ଆପଣଙ୍କୁ କହନ୍ତୁ ଯେ ଆପଣ କʼଣ ସୁଧାର କରିପାରିବେ । କିନ୍ତୁ ଆପଣ କାହାକୁ ପଚାରିବେ ? କʼଣ ତାକୁ ଯେ କେବଳ ଆପଣଙ୍କ ପ୍ରଶଂସା କରେ ? ନା ତାକୁ ଯେ ଆପଣଙ୍କୁ ସତ ସତ କହିବ ଯେ କʼଣ ଭଲ ଥିଲା ଓ କʼଣ ସୁଧାର କରିବାକୁ ପଡ଼ିବ ? ବାଇବଲରେ ମଧ୍ୟ ଲେଖାଅଛି, “ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ । ପ୍ରେମକାରୀର କ୍ଷତ ବିଶ୍ୱାସ୍ୟ ।” (ହିତୋ. ୨୭:୫, ୬) ଯେବେ ଆପଣଙ୍କୁ କେହି ସତ ସତ କହେ ଯେ ଆପଣଙ୍କୁ କʼଣ ସୁଧାର କରିବାର ଅଛି, ତେବେ ହୁଏତ ଆପଣଙ୍କୁ ଭଲ ଲାଗି ନ ପାରେ । କିନ୍ତୁ ଆଗକୁ ଯାଇ ଆପଣଙ୍କୁ ସେହି କଥାରୁ ଲାଭ ହେବ ।
୧୬. ନିଜ ଉପରେ କାବୁ ରଖିବା ବିଷୟରେ ଆମେ ହିତୋପଦେଶ ୧୦:୧୯ ପଦରୁ କʼଣ ଶିଖୁ ?
୧୬ ନିଜ ଉପରେ କାବୁ ରଖନ୍ତୁ । ଭରସାଯୋଗ୍ୟ ହେବା ପାଇଁ ନିଜ ଉପରେ କାବୁ ରଖିବା ବି ଜରୁରୀ । ଯଦି ଆମେ ନିଜ ଉପରେ କାବୁ ରଖିବା, ତାହେଲେ ଆମେ ଏପରି କୌଣସି କଥା ଅନ୍ୟମାନଙ୍କୁ କହିବା ନାହିଁ ଯାହା ଆମେ ନିଜ ଯାଏ ରଖିବା ଉଚିତ୍, ତେବେ ବି ନୁହେଁ ଯେବେ ଆମକୁ ସେବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ବହୁତ ମନ ହେଉଥିବ । (ହିତୋପଦେଶ ୧୦:୧୯ ପଢ଼ନ୍ତୁ ।) ଆମେ ବିଶେଷ କରି ସୋସିଆଲ୍ ମିଡିଆର ବ୍ୟବହାର କରିବା ସମୟରେ ଏକଥାର ଧ୍ୟାନ ରଖିବା ଉଚିତ୍ । ଯଦି ଆମେ ଧ୍ୟାନ ଦେବା ନାହିଁ, ତାହେଲେ ହୁଏତ ଆମେ ଅଜାଣତରେ କୌଣସି ଏପରି କଥା ଅନେକ ଲୋକମାନଙ୍କ ଯାଏ ପ୍ରସାରିତ କରିଦେବା ଯାହା ଅନ୍ୟମାନଙ୍କୁ ଜାଣିବା କଥା ନୁହେଁ । ଥରେ ଯଦି ଆମେ ଇଣ୍ଟରନେଟ୍ରେ କିଛି ଛାଡ଼ି ଦେଉ, ତାହେଲେ ସେହି ତଥ୍ୟ କେତେ ଲୋକଙ୍କ ପାଖକୁ ଯିବ, ସେମାନେ ଏହାର କିପରି ବ୍ୟବହାର କରିବେ ଓ ଏଥିରୁ କʼଣ କʼଣ ସମସ୍ୟା ଆସିପାରେ, ତାହା ଉପରେ ଆମର କିଛି କାବୁ ରହିବନି । ଆମେ ସେସମୟରେ ମଧ୍ୟ ନିଜ ଉପରେ କାବୁ ରଖିବା ଉଚିତ୍ ଆଉ ଚୁପ୍ ରହିବା ଉଚିତ୍ ଯେବେ ଆମ କାମକୁ ବିରୋଧ କରୁଥିବା ଲୋକମାନେ ଚତୁରତାର ସହ ଆମଠୁ ଭାଇଭଉଣୀମାନଙ୍କ ବିଷୟରେ ତଥ୍ୟ ବାହାର କରିବା ପାଇଁ ଚେଷ୍ଟା କରନ୍ତି । ଯେପରି ହୁଏତ ଆମେ କୌଣସି ଏପରି ଦେଶରେ ରହୁ ଯେଉଁଠି ଆମ କାମ ଉପରେ କଟକଣା ବା ରୋକ ଲାଗିଛି ଓ ହୁଏତ କିଛି ପୋଲିସ ଅଧିକାରୀ ଆମକୁ ପଚରାଉଚୁରା କରନ୍ତି । ଯେବେ ଏପରି କିଛି ହୁଏ, ତେବେ ଆମେ ‘ଆପଣା ମୁଖକୁ ଲଗାମ ଦେଇ ରଖିବା’ ଓ ସେମାନଙ୍କୁ ଏପରି କୌଣସି ତଥ୍ୟ ଦେବା ନାହିଁ ଯେଉଁଥିରୁ ଆମ ଭାଇଭଉଣୀମାନଙ୍କ ଉପରେ ବିପଦ ଆସିପାରେ । (ଗୀତ. ୩୯:୧) ଆମେ ସମସ୍ତେ ଚାହୁଁ ଯେ ଆମ ପରିବାର, ଆମ ସାଙ୍ଗ, ଭାଇଭଉଣୀ ଓ ଅନ୍ୟ ଲୋକମାନେ ଆମ ଉପରେ ଭରସା କରନ୍ତୁ । କିନ୍ତୁ ସେମାନେ ଆମ ଉପରେ ତେବେ ଭରସା କରିବେ ଯେବେ ଆମେ ନିଜ ଉପରେ କାବୁ ରଖିବା ।
୧୭. ଯଦି ଆମେ ଚାହୁଁ ଯେ ମଣ୍ଡଳୀରେ ସମସ୍ତେ ପରସ୍ପର ଉପରେ ଭରସା କରନ୍ତୁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ?
୧୭ ଆମେ ବହୁତ ଖୁସି ଯେ ଆମେ ଯିହୋବାଙ୍କ ସଂଗଠନର ଭାଗ ଅଟୁ । ଆମେ ପରସ୍ପରକୁ ବହୁତ ପ୍ରେମ କରୁ ଆଉ ପରସ୍ପର ଉପରେ ଭରସା କରୁ । କିନ୍ତୁ ଯଦି ଆମେ ଚାହୁଁ ଯେ ସଂଗଠନରେ ଏପରି ହିଁ ପରିବେଶ ଆଗକୁ ବି ରହୁ, ତାହେଲେ ଆମ ପ୍ରତ୍ୟେକଙ୍କ ଦାୟିତ୍ୱ ହେଉଛି ଯେ ଆମେ ଲଗାତାର ଭରସାର ଯୋଗ୍ୟ ହୋଇ ରହିବା । ଯଦି ଆମେ ଅନ୍ୟମାନଙ୍କୁ ପ୍ରେମ କରିବା, ନମ୍ର ହେବା, ଭାବିଚିନ୍ତି ନିଷ୍ପତ୍ତି ନେବା, ସତ କହିବା ଓ ନିଜ ଉପରେ କାବୁ ରଖିବା, ତାହେଲେ ଅନ୍ୟମାନେ ଆମ ଉପରେ ଭରସା କରିପାରିବେ । କିନ୍ତୁ ଏହି ଭରସା ଭାଙ୍ଗି ବି ପାରେ । ତେଣୁ ଆସନ୍ତୁ ଏପରି କାମ କରିବା ଜାରି ରଖିବା ଯେଉଁଥିରୁ ଲୋକମାନେ ସବୁବେଳେ ଆମ ଉପରେ ଭରସା କରିପାରିବେ । ଏପରି ଭାବେ ଆମେ ନିଜର ଈଶ୍ୱର ଯିହୋବାଙ୍କ ଭଳି ଭରସାଯୋଗ୍ୟ ହୋଇପାରିବା ।
ଗୀତ ୧୨୩ ପାରମେଶ୍ୱର୍ କେ ସାଙ୍ଗାଠାନ୍ କା କାନୁନ୍ ଦିଲ୍ ସେ ମାନେଁ
a ଯଦି ଆମେ ଚାହୁଁ ଯେ ଅନ୍ୟମାନେ ଆମ ଉପରେ ଭରସା କରନ୍ତୁ, ତାହେଲେ ଆମକୁ ଭରସାଯୋଗ୍ୟ ହେବାକୁ ପଡ଼ିବ । ଏହି ଲେଖାରେ ଆମେ ଜାଣିବା ଯେ ଭରସାଯୋଗ୍ୟ ହେବା କାହିଁକି ଏତେ ଜରୁରୀ ଓ ଏପରି ବ୍ୟକ୍ତି ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ।
b ଯଦି ଆମକୁ ଜଣାପଡ଼େ ଯେ ମଣ୍ଡଳୀରେ କେହି ଗମ୍ଭୀର ପାପ କରିଛନ୍ତି, ତେବେ ଆମେ ତାଙ୍କୁ କହିବା ଉଚିତ୍ ଯେ ସେ ସେହି ବିଷୟରେ ପ୍ରାଚୀନମାନଙ୍କୁ କୁହନ୍ତୁ । ଯଦି ସେ ଏପରି ନ କରନ୍ତି, ତାହେଲେ ଆମେ ଯାଇ ପ୍ରାଚୀନମାନଙ୍କୁ ସେବିଷୟରେ କହିବା ଉଚିତ୍, କାରଣ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଚାହୁଁ ଆଉ ମଣ୍ଡଳୀକୁ ଶୁଦ୍ଧ ରଖିବା ପାଇଁ ଚାହୁଁ ।
c ଚିତ୍ର ବିଷୟରେ—ପୃଷ୍ଠା ୧୧: ଜଣେ ପ୍ରାଚୀନ ଆଉ ଜଣେ ଭାଇଙ୍କ ସହ ମିଶି ଜଣେ ଭଉଣୀଙ୍କ ପାଖକୁ ପ୍ରତିପାଳକ ସାକ୍ଷାତ ପାଇଁ ଯାʼନ୍ତି, କିନ୍ତୁ ସେ ସେହି ଭଉଣୀଙ୍କ କଥାଗୁଡ଼ିକୁ ନିଜ ଯାଏ ରଖନ୍ତି, ନିଜ ପରିବାର ଲୋକଙ୍କୁ ବି କହନ୍ତି ନାହିଁ ।