ଜୀବନ କାହାଣୀ
ଯିହୋବାଙ୍କ ବିଷୟରେ ଶିଖି ଓ ଅନ୍ୟମାନଙ୍କୁ ଶିଖାଇ ମୋତେ ବହୁତ ଖୁସି ମିଳିଛି
ମୋର ଲାଳନପାଳନ ଆମେରିକାର ପେନସିଲ୍ୱେନିୟା ରାଜ୍ୟର ଇଶ୍ଟନ ସହରରେ ହୋଇଥିଲା । ଛୋଟ ବେଳେ ମୋର ସ୍ୱପ୍ନ ଥିଲା ଯେ ମୁଁ ଜଣେ ବଡ଼ ଲୋକ ହେବି ଓ କିଛି କରିକି ଦେଖାଇବି । ତେଣୁ ମୁଁ ବିଶ୍ୱବିଦ୍ୟାଳୟ ଯିବାକୁ ଚାହୁଁଥିଲି । ପଢ଼ାପଢ଼ି କରିବା ମୋତେ ବହୁତ ଭଲ ଲାଗୁଥିଲା ଏବଂ ଗଣିତ ଓ ବିଜ୍ଞାନରେ ମୋର ଭଲ ନମ୍ବର ଆସୁଥିଲା । ୧୯୫୬ ମସିହାରେ ମୁଁ +୨ ପାସ୍ କଲି । ସବୁ କଳା ପିଲାମାନଙ୍କ ମଧ୍ୟରୁ ମୋର ସବୁଠାରୁ ବେଶି ନମ୍ବର ଆସୁଥିଲା, ତେଣୁ ଗୋଟେ ସଂସ୍ଥା ମୋତେ ୨୫ ଡୋଲାର (ପ୍ରାୟ ୧୨୦ ଟଙ୍କା) ପୁରସ୍କାର ଭାବେ ଦେଲା । କିନ୍ତୁ ମୁଁ ବିଶ୍ୱବିଦ୍ୟାଳୟକୁ ଯାଇ ନ ଥିଲି । ଆସନ୍ତୁ ଆପଣଙ୍କୁ ତାʼର କାରଣ କହୁଛି ।
ମୁଁ ଯିହୋବାଙ୍କ ବିଷୟରେ ଶିଖିଲି
ପାଖାପାଖି ୧୯୪୦ ମସିହାରେ ମୋ ବାପାମାଆ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ । ସେମାନଙ୍କର ଅଧ୍ୟୟନ ବେଶି ଦିନ ଯାଏ ତ ଚାଲିଲାନି, କିନ୍ତୁ ମାଆଙ୍କ ପାଖକୁ ଲଗାତାର ପ୍ରହରୀଦୁର୍ଗ ଓ ସଜାଗ ହୁଅ ! ପତ୍ରିକା ଆସୁଥିଲା । ତାʼପରେ ୧୯୫୦ ମସିହାରେ ଆମକୁ ନ୍ୟୁୟର୍କର ଗୋଟିଏ ଆନ୍ତଃରାଷ୍ଟ୍ରୀୟ ଅଧିବେଶନରେ ଯିବା ପାଇଁ ନିମନ୍ତ୍ରଣ ମିଳିଲା ଓ ଆମେ ସମସ୍ତେ ସେଠାକୁ ଗଲୁ ।
ଅଧିବେଶନ ପରେ ଜଣେ ଭାଇ ଆମକୁ ଲଗାତାର ଭେଟିବାକୁ ଆସିଲେ । ତାଙ୍କ ନାମ ଲରେନ୍ସ ଜେଫ୍ରିଜ୍ ଥିଲା । ସେ ପ୍ରାୟ ମୋ ସହିତ ବାଇବଲ ବିଷୟରେ କଥା ହେଉଥିଲେ । କିନ୍ତୁ କିଛି ମାମଲାଗୁଡ଼ିକରେ ମୋ ଚିନ୍ତାଧାରା ତାଙ୍କଠାରୁ ପୂରା ଅଲଗା ଥିଲା । ମୁଁ ଭାବୁଥିଲି ଯେ ଯିହୋବାଙ୍କ ସାକ୍ଷୀମାନଙ୍କୁ ମଧ୍ୟ ରାଜନୀତିରେ ଭାଗ ନେବା ଉଚିତ୍ ଓ ସେନାରେ ଭର୍ତ୍ତି ହେବା ଉଚିତ୍ । ତେଣୁ ଥରେ ମୁଁ ତାଙ୍କୁ କହିଲି ଯେ ଯଦି ଆମେରିକାର ସବୁ ଲୋକମାନେ ସେନାରେ ଯିବାକୁ ମନା କରିଦେବେ, ତାହେଲେ ଶତ୍ରୁମାନେ ଦେଶରେ ପଶି ଆମ ଉପରେ କବ୍ଜା କରିବେନି ! ତେବେ ଭାଇ ଜେଫ୍ରିଜ ମୋତେ ବହୁତ ଭଲଭାବେ ବୁଝାଇଲେ । ସେ କହିଲେ, “ତମେ ନିଜେ ଭାବ ଯଦି ଆମେରିକାର ସବୁ ଲୋକମାନେ ଯିହୋବାଙ୍କ ସାକ୍ଷୀ ଅଟନ୍ତି ଓ ଶତ୍ରୁମାନେ ଆମ ଉପରେ ଆକ୍ରମଣ କରନ୍ତି, ତାହେଲେ କʼଣ ଯିହୋବା କିଛି କରିବେନି ?” ଭାଇ ଜେଫ୍ରିଜ ଏହିପରି ଅଲଗା ଅଲଗା କଥାଗୁଡ଼ିକୁ ବୁଝିବା ପାଇଁ ମୋତେ ସାହାଯ୍ୟ କଲେ । ମୁଁ ବୁଝିଗଲି ଯେ ମୋ ଚିନ୍ତାଧାରା ଭୁଲ ଅଟେ । ଆଉ ଏବେ ମୁଁ ବାଇବଲ ବିଷୟରେ ଆହୁରି ଜାଣିବାକୁ ଚାହୁଁଥିଲି ।
ମାଆଙ୍କୁ ଯାହା ପ୍ରହରୀଦୁର୍ଗ ଓ ସଜାଗ ହୁଅ ! ପତ୍ରିକା ମିଳୁଥିଲା, ସେଗୁଡ଼ିକୁ ସେ ସମ୍ଭାଳିକି ରଖିଥିଲେ । ତେଣୁ ମୁଁ ସେଗୁଡ଼ିକୁ ପଢ଼ିବାକୁ ଲାଗିଲି । ମୁଁ ଘଣ୍ଟା ଘଣ୍ଟା ଧରି ସେଗୁଡ଼ିକୁ ପଢ଼ୁଥିଲି । ଏପରି ଭାବେ ମୋତେ ବିଶ୍ୱାସ ହୋଇଗଲା ଯେ ଏହା ହିଁ ସତ୍ୟ ଅଟେ । ମୁଁ ଭାଇ ଜେଫ୍ରିଜଙ୍କ ସହ ଅଧ୍ୟୟନ କରିବା ପାଇଁ ରାଜି ହୋଇଗଲି ଏବଂ ମୁଁ ଲଗାତାର ସଭାକୁ ବି ଯିବାକୁ ଲାଗିଲି । ମୁଁ ଯାହା ବି ଶିଖୁଥିଲି ତାହା ମୋତେ ବହୁତ ଭଲ ଲାଗୁଥିଲା ଓ ଖୁବ୍ ଶୀଘ୍ର ମୁଁ ଜଣେ ପ୍ରଚାରକ ହୋଇଗଲି । ଯେବେ ମୁଁ ବୁଝିଲି ଯେ ‘ଯିହୋବାଙ୍କର ମହାଦିନ ନିକଟବର୍ତ୍ତୀ ଅଛି,’ ତେବେ ମୋର ଲକ୍ଷ ବଦଳିଗଲା । (ସିଫ. ୧:୧୪) ଛୋଟ ବେଳୁ ମୋ ସ୍ୱପ୍ନ ଥିଲା ଯେ ମୁଁ ବିଶ୍ୱବିଦ୍ୟାଳୟକୁ ଯିବି, କିନ୍ତୁ ଏବେ ମୁଁ ଲୋକମାନଙ୍କୁ ବାଇବଲ ବିଷୟରେ ଶିଖାଇବାକୁ ଚାହୁଁଥିଲି ।
୧୩ ଜୁନ୍ ୧୯୫୬ ମସିହାରେ ମୁଁ ନିଜ ସ୍କୁଲ ପାଠପଢ଼ା ସାରିଲି ଏବଂ ତାʼର ତିନି ଦିନ ପରେ ଗୋଟିଏ ସର୍କିଟ ସମ୍ମିଳନୀରେ ମୁଁ ବାପ୍ତିସ୍ମ ନେଲି । ସେହି ସମୟରେ ମୁଁ ଜାଣି ନ ଥିଲି ଯେ ଯିହୋବାଙ୍କ ବିଷୟରେ ଶିଖି ଏବଂ ଅନ୍ୟମାନଙ୍କୁ ତାଙ୍କ ବିଷୟରେ ଶିଖାଇ ମୋତେ ଏତେସବୁ ଆଶିଷ ମିଳିବ ।
ଅଗ୍ରଦୂତ ସେବା କରିବା ସମୟରେ ବହୁତ କିଛି ଶିଖିଲି ଏବଂ ଅନ୍ୟମାନଙ୍କୁ ବି ଶିଖାଇଲି
ଡିସେମ୍ବର ୧୯୫୬ ମସିହାରେ ମୁଁ ଅଗ୍ରଦୂତ ସେବା ଆରମ୍ଭ କରିଦେଲି । ସେହି ମାସ ଇଂରାଜୀର ରାଜ୍ୟ ସେବାରେ ଗୋଟିଏ ଲେଖା ଆସିଲା, ଯାହାର ବିଷୟ ଥିଲା, “କʼଣ ଆପଣ ସେହି ଜାଗାରେ ଯାଇ ସେବା କରିପାରିବେ, ଯେଉଁଠି ଅଧିକ ଆବଶ୍ୟକ ଅଛି ?” ତାହା ପଢ଼ି ମୁଁ ଭାବିଲି, ଏହା ତ ମୁଁ ବି କରିପାରିବି !—ମାଥି. ୨୪:୧୪.
ମୁଁ ଦକ୍ଷିଣ କେରୋଲାଇନାରୁ ଏଜଫିଲ୍ଡ ସହରକୁ ଚାଲିଗଲି ଏବଂ ସେଠାରେ ସେବା କରିବାକୁ ଲାଗିଲି । ସେଠାର ମଣ୍ଡଳୀରେ କେବଳ ଚାରି ଜଣ ପ୍ରଚାରକ ଥିଲେ ଓ ମୋ ଯିବାରୁ ଆମେ ପାଞ୍ଚ ଜଣ ହୋଇଗଲୁ । ଆମେ ଜଣେ ଭାଇଙ୍କ ଘରେ ସଭା ଚଳାଉଥିଲୁ । ଆଉ ମୁଁ ପ୍ରତି ମାସ ୧୦୦ ଘଣ୍ଟା ପ୍ରଚାରରେ ବିତାଉଥିଲି । ମୋତେ ସଭାରେ ଅନେକ ଭାଗ ପରିବେଷଣ କରିବାକୁ ପଡ଼ୁଥିଲା ଓ ପ୍ରଚାରର ସଭା ଚଳାଇବାକୁ ପଡ଼ୁଥିଲା । ଏହି କାମଗୁଡ଼ିକରେ ମୁଁ ବହୁତ ବ୍ୟସ୍ତ ରହୁଥିଲି । ଆଉ ଯେତେ ବେଶି ମୁଁ ଏହି କାମଗୁଡ଼ିକରେ ଲାଗିରହିଲି, ସେତେ ବେଶି ମୁଁ ଯିହୋବାଙ୍କ ବିଷୟରେ ଶିଖିପାରିଲି ।
ମୁଁ ଜଣେ ମହିଳାଙ୍କର ବାଇବଲ ଅଧ୍ୟୟନ କରୁଥିଲି ତାଙ୍କ ସହର ପାଖରେ ହିଁ ଗୋଟିଏ ଜାଗା ଥିଲା, ଯେଉଁଠି ମରିଯାଇଥିବା ଲୋକମାନଙ୍କୁ ପୋତା ଯିବାର ବ୍ୟବସ୍ଥା କରାଯାଉଥିଲା । ସେ ମୋତେ କାମରେ ରଖିନେଲେ ଓ ମୁଁ ସପ୍ତାହରେ କିଛି ଦିନ ତାଙ୍କ ପାଖରେ କାମ କରିବାକୁ ଲାଗିଲି । ତାଙ୍କ ପାଖରେ ଆଉ ଗୋଟିଏ ଜାଗା ମଧ୍ୟ ଥିଲା, ଯାହା ସେ ଆମକୁ ସଭା ଚଳାଇବା ପାଇଁ ଦେଇ ଦେଲେ ।
ଭାଇ ଲରେନ୍ସ ଜେଫ୍ରିଜ୍ ଯିଏ ମୋର ବାଇବଲ ଅଧ୍ୟୟନ କରାଇଥିଲେ, ତାଙ୍କ ପୁଅ ଜୋଲି ବ୍ରୁକଲିନ୍ରୁ ମୋ ପାଖକୁ ଆସିଲେ । ଆମେ ଦୁହେଁ ଏଜଫିଲ୍ଡରେ ଏକା ସହ ମିଶି ଅଗ୍ରଦୂତ ସେବା କରିବାକୁ ଲାଗିଲୁ । ଜଣେ ଭାଇ ଆମକୁ ରହିବା ପାଇଁ ଘରଥିବା ଟଣା ଗାଡ଼ି ମଧ୍ୟ ଦେଲେ ।
ସେଠାରେ ଚଳିବା ବହୁତ କଷ୍ଟକର ଥିଲା । ଦିନସାରା କାମ କଲା ପରେ ବି କେବଳ ଦୁଇ ବା ତିନି ଡଲାର ହିଁ ମିଳୁଥିଲା । ଥରେ ମୋ ପାଖରେ ଥିବା ସବୁ ପଇସା ସରିଯାଇଥିଲା, କେବଳ ଖାଇବା ପାଇଁ ହିଁ କିଛି ପଇସା ଥିଲା । ଯେତେବେଳେ ମୁଁ ଖାଦ୍ୟ କିଣାକିଣି କରି ଦୋକାନରୁ ବାହାରୁ ଥିଲି, ସେତେବେଳେ ଜଣେ ବ୍ୟକ୍ତି ମୋ ପାଖକୁ ଆସିଲା ଓ ମୋତେ ପଚାରିଲା, “କʼଣ ମୋ ପାଇଁ କାମ କରିବ ? ମୁଁ ତମକୁ ଘଣ୍ଟା ପିଛା ଗୋଟିଏ ଡଲାର ଦେବି ।” ସେ ମୋତେ ତିନି ଦିନ ପାଇଁ ଗୋଟିଏ ଏପରି ଜାଗାର ସଫାସୁତୁରା କରିବା ପାଇଁ କହିଲା, ଯେଉଁଠି ନିର୍ମାଣ କାମ ଚାଲୁଥିଲା । ମୁଁ ସ୍ପଷ୍ଟ ଦେଖିପାରିଲି ଯେ ଯିହୋବା ମୋତେ ସାହାଯ୍ୟ କରୁଛନ୍ତି । ମୁଁ ବୁଝିଗଲି ଯେ ସେ ଚାହାନ୍ତି ମୁଁ ଏଜଫିଲ୍ଡରେ ହିଁ ରହେ । ୧୯୫୮ ମସିହାରେ ନ୍ୟୁୟର୍କରେ ଗୋଟିଏ ଆନ୍ତଃରାଷ୍ଟ୍ରୀୟ ଅଧିବେଶନ ରଖାଗଲା । ସେସମୟରେ ମୋ ପାଖରେ ବେଶି ପଇସା ତ ନ ଥିଲା, ତଥାପି ମୁଁ ସେଠାକୁ ଯାଇପାରିଲି ।
ଅଧିବେଶନର ଦ୍ୱିତୀୟ ଦିନ ମୋ ପାଇଁ ବହୁତ ବିଶେଷ ଦିନ ଥିଲା । ସେଦିନ ମୁଁ ରୁବି ବୋଡଲିଙ୍ଗଟନ୍ଙ୍କ ସହ ଦେଖା ହେଲି ଯିଏ ଟେନେସି ରାଜ୍ୟର ଗେଲେଟନ ସହରରରେ ଅଗ୍ରଦୂତ ସେବା କରୁଥିଲେ । ଯେଉଁ ଲୋକମାନେ ଗିଲିଅଡ୍ ଯିବାକୁ ଚାହୁଁଥିଲେ, ସେମାନଙ୍କ ପାଇଁ ଅଧିବେଶନରେ ଗୋଟିଏ ସଭା ରଖାଯାଇଥିଲା । ଆମେ ଦୁହେଁ ମିଶନାରୀ ସେବା କରିବାକୁ ଚାହୁଁଥିଲୁ, ତେଣୁ ଆମେ ଦୁହେଁ ସେ ସଭାକୁ ଗଲୁ । ପରେ ଆମେ ପରସ୍ପରକୁ ଚିଠି ଲେଖିବାକୁ ଲାଗିଲୁ । ତାʼପରେ ମୋତେ ଗେଲେଟନ ସହରରରେ ଜନ ଭାଷଣ ଦେବା ପାଇଁ ଡକାଗଲା । ଆଉ ତେବେ ମୁଁ ରୁବିକୁ ପଚାରିଲି ଯେ କʼଣ ସେ ମୋ ସହ ବାହା ହେବାକୁ ଚାହେଁ । ତାʼପରେ ମୁଁ ରୁବିର ମଣ୍ଡଳୀକୁ ଚାଲିଗଲି ଏବଂ ୧୯୫୯ ମସିହାରେ ଆମେ ବାହା ହୋଇଗଲୁ ।
ମଣ୍ଡଳୀରେ ସେବା କରିବା ସମୟରେ ବହୁତ କିଛି ଶିଖିଲି ଓ ଅନ୍ୟମାନଙ୍କୁ ବି ଶିଖାଇଲି
ଯେବେ ମୁଁ ୨୩ ବର୍ଷର ଥିଲି, ତେବେ ମୋତେ ଗେଲେଟନ୍ରେ ମଣ୍ଡଳୀ ସେବକ ଭାବେ ନିଯୁକ୍ତ କରାଗଲା (ଯାହାକୁ ଆଜି ପ୍ରାଚୀନମାନଙ୍କ ସମୂହର ସଂଯୋଜକ କୁହାଯାଏ) । ସେସମୟରେ ଆମ ମଣ୍ଡଳୀକୁ ଜଣେ ନୂଆ ସର୍କିଟ ଅଧ୍ୟକ୍ଷ ଆସିଲେ । ତାଙ୍କ ନାମ ଚାର୍ଲ୍ସ ଟମ୍ସନ୍ ଥିଲା । ସର୍କିଟ ଅଧ୍ୟକ୍ଷ ହେବା ପରେ ସେ ସବୁଠୁ ପ୍ରଥମେ ଆମ ମଣ୍ଡଳୀକୁ ଆସିଥିଲେ । ସେ ବହୁତ ଅନୁଭବୀ ଥିଲେ, ତଥାପି ସେ
ମୋତେ ପଚାରିଲେ ଯେ ସେ ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରିପାରିବେ, ଆଉ ପୂର୍ବରୁ ଯେଉଁ ସର୍କିଟ ଅଧ୍ୟକ୍ଷମାନେ ଆସୁଥିଲେ ସେମାନେ କିପରି ଭାଇମାନଙ୍କୁ ସାହାଯ୍ୟ କରୁଥିଲେ । ମୁଁ ତାଙ୍କଠାରୁ ଶିଖିଲି ଯେ କିଛି ବି କରିବା ପୂର୍ବରୁ ବା କିଛି ନିଷ୍ପତ୍ତି ନେବା ପୂର୍ବରୁ ଜଣେ ଦୁଇଜଣ ଲୋକଙ୍କୁ ସେବିଷୟରେ ପଚାରିବା ଉଚିତ୍ ଓ ମାମଲାର ପୂରା କଥା ଜଣା ହେବା ଉଚିତ୍ ।ମେ ୧୯୬୪ ମସିହାରେ ମୋତେ ରାଜ୍ୟ ସେବା ସ୍କୁଲ ପାଇଁ ଡକାଗଲା । ଏହା ଗୋଟିଏ ମାସର କୋର୍ସ ଥିଲା ଓ ଏହା ନ୍ୟୁୟର୍କର ସାଉଥ୍ ଲେନ୍ସିଙ୍ଗ ସହରରରେ ରଖାଯାଇଥିଲା । ଯେଉଁ ଭାଇ ଆମକୁ ଶିଖାଉଥିଲେ ସେ ମୋତେ ଯିହୋବାଙ୍କ ବିଷୟରେ ଆହୁରି ଶିଖିବା ପାଇଁ ଓ ତାଙ୍କର ନିକଟବର୍ତ୍ତୀ ହେବା ପାଇଁ ପ୍ରୋତ୍ସାହନ ଦେଲେ ।
ସର୍କିଟ ଓ ଜିଲ୍ଲା ଅଧ୍ୟକ୍ଷ ଭାବେ ସେବା କରିବା ସମୟରେ ବହୁତ କିଛି ଶିଖିଲି ଓ ଅନ୍ୟମାନଙ୍କୁ ମଧ୍ୟ ଶିଖାଇଲି
ଜାନୁୟାରୀ ୧୯୬୫ ମସିହାରେ ମୋତେ ଓ ରୁବିକୁ ସର୍କିଟ କାମ କରିବା ପାଇଁ ଡକାଗଲା । ଆମ ସର୍କିଟର ଅଞ୍ଚଳ ବହୁତ ବଡ଼ ଥିଲା, ଟେନେସି ରାଜ୍ୟର ନକ୍ସୱିଲ ସହରରୁ ଭର୍ଜିନିୟା ରାଜ୍ୟର ରିଚମଣ୍ଡ ସହର ଯାଏ । ଆମେ ଉତ୍ତର କେରୋଲାଇନା, କେଣ୍ଟକି ଓ ୱେଷ୍ଟ ଭର୍ଜିନିୟା ରାଜ୍ୟର ମଣ୍ଡଳୀଗୁଡ଼ିକୁ ବି ପରିଦର୍ଶନ କରୁଥିଲୁ । ସେସମୟରେ ଦକ୍ଷିଣ ଆମେରିକାରେ ଗୋଟିଏ ନିୟମ ଥିଲା ଯେ କଳା ଲୋକ ଓ ଗୋରା ଲୋକମାନେ ଏକା ସହ ଏକାଠି ହୋଇପାରିବେ ନାହିଁ । ତେଣୁ ମୁଁ କେବଳ ସେହି ମଣ୍ଡଳୀଗୁଡ଼ିକରେ ଯାଉଥିଲି ଯେଉଁଠି କଳା ଭାଇଭଉଣୀମାନେ ଥିଲେ । ସେହି ଭାଇଭଉଣୀମାନେ ବହୁତ ଗରିବ ଥିଲେ । ସେମାନଙ୍କୁ ଦେଖି ଆମକୁ ଇଚ୍ଛା ହେଲା ଯେ ଆମେ ନିଜ ଜିନିଷ ଦେଇ ସେମାନଙ୍କୁ ସାହାଯ୍ୟ କରିବା । ଜଣେ ଅନୁଭବୀ ସର୍କିଟ ଅଧ୍ୟକ୍ଷ ମୋତେ ଗୋଟିଏ ଭଲ କଥା କହିଲେ । ସେ କହିଲେ, “କେବେ ବି ମଣ୍ଡଳୀରେ ଭାଇଭଉଣୀମାନଙ୍କର ବୋସ୍ ହୋଇ ଯିବନି । ତୁମେ ବୋସ୍ ନୁହଁ, ବରଂ ସେମାନଙ୍କର ଭାଇ ଅଟ । ଯଦି ସେମାନେ ତୁମକୁ ନିଜର ଭାଇ ବୋଲି ମାନିବେ, ତାହେଲେ ହିଁ ତମେ ସେମାନଙ୍କୁ ସାହାଯ୍ୟ କରିପାରିବ ।”
ଥରେ ଆମେ ଗୋଟିଏ ଛୋଟ ମଣ୍ଡଳୀର ପରିଦର୍ଶନ ପାଇଁ ଯାଇଥିଲୁ । ସେଠାରେ ରୁବି ଜଣେ ମହିଳା ସହିତ ବାଇବଲ ଅଧ୍ୟୟନ ଆରମ୍ଭ କଲେ । ତାʼର ଏକ ବର୍ଷର ଜଣେ ଝିଅ ଥିଲା । କିନ୍ତୁ ସେହି ମଣ୍ଡଳୀରେ ତାକୁ ଅଧ୍ୟୟନ କରାଇବା ପାଇଁ କେହି ବି ନ ଥିଲେ । ତେଣୁ ରୁବି ଚିଠି ଲେଖି ତାʼ ସହ ବାଇବଲ ଅଧ୍ୟୟନ କରୁଥିଲେ । ଯେବେ ଆମେ ପୁଣିଥରେ ସେହି ମଣ୍ଡଳୀକୁ ପରିଦର୍ଶନ ପାଇଁ ଗଲୁ, ତେବେ ସେ ମହିଳା ପ୍ରତି ସଭାକୁ ଆସିଲେ । ପରେ ଦୁଇଜଣ ବିଶେଷ ଅଗ୍ରଦୂତ ଭଉଣୀଙ୍କୁ ସେଠାକୁ ପଠାଗଲା ଆଉ ତାʼପରେ ସେମାନେ ସେହି ମହିଳା ସହ ବାଇବଲ ଅଧ୍ୟୟନ କଲେ । କିଛି ସମୟ ପରେ ହିଁ ସେ ବାପ୍ତିସ୍ମ ନେଲେ । ପ୍ରାୟ ୩୦ ବର୍ଷ ପରେ, ୧୯୯୫ ମସିହାରେ ଯେବେ ଆମେ ପେଟରସନ୍ ବୈଥେଲରେ ଥିଲୁ, ତେବେ ଜଣେ ଭଉଣୀ ରୁବିକୁ ଭେଟିବାକୁ ଆସିଲେ । ସେ ରୁବିକୁ କହିଲେ ଯେ ସେ ସେହି ମହିଳାଙ୍କ ଝିଅ ଅଟନ୍ତି ଯାହା ସହିତ ଅନେକ ବର୍ଷ ପୂର୍ବେ ରୁବି ଅଧ୍ୟୟନ କରୁଥିଲେ । ସେ ଭଉଣୀ ଓ ତାଙ୍କ ସ୍ୱାମୀ ଗିଲିୟଡ ସ୍କୁଲର ୧୦୦ତମ କ୍ଲାସ ପାଇଁ ଆସିଥିଲେ ।
ଆମକୁ ଯେଉଁ ଅନ୍ୟ ସର୍କିଟରେ ସେବା କରିବା ପାଇଁ କୁହାଗଲା, ସେଥିରେ ଫ୍ଲୋରିଡା ରାଜ୍ୟର କିଛି ମଣ୍ଡଳୀଗୁଡ଼ିକ ଥିଲା । ସେସମୟରେ ଆମକୁ ଲାଗିଲା ଯେ ଯିବା ଆସିବା ପାଇଁ ଗୋଟିଏ ଗାଡ଼ି କିଣିବା ଦରକାର । ଆଉ ଆମକୁ ବହୁତ କମ୍ ଦାମରେ ଗୋଟିଏ ଗାଡ଼ି ମିଳିଗଲା । କିନ୍ତୁ ପ୍ରଥମ ସପ୍ତାହରେ ହିଁ ଗାଡ଼ିର ଇଞ୍ଜିନ୍ ଖରାପ ହୋଇଗଲା ଓ ତାହା ଠିକ୍ କରିବା ପାଇଁ ଆମ ପାଖରେ ପଇସା ମଧ୍ୟ ନ ଥିଲା । ସେତେବେଳେ ଆମେ ଜଣେ ଭାଇଙ୍କୁ ପଚାରିଲୁ ଯେ କʼଣ ସେ ଆମକୁ କିଛି ସାହାଯ୍ୟ କରିପାରିବେ । ସେ ତାଙ୍କ ପାଖରେ କାମ କରୁଥିବା ଜଣେ ବ୍ୟକ୍ତିକୁ ଆମର ଗାଡ଼ି ଠିକ୍ କରିବା ପାଇଁ ପଠାଇଲେ । ଯେବେ ମୁଁ ତାଙ୍କୁ ପଚାରିଲି ଯେ କେତେ ପଇସା ହେଲା, ତେବେ ସେ ଭାଇ କହିଲେ, “କିଛି କଥା ନାହିଁ ।” ସେ ଆମଠାରୁ କିଛି ବି ପଇସା ନେଲେ ନାହିଁ, ଓଲଟା ଆମକୁ ହିଁ କିଛି ପଇସା ଦେଲେ । ଯିହୋବା ଯେପରି ଭାବେ ଆମକୁ ସାହାଯ୍ୟ କଲେ, ସେଥିରୁ ଆମେ ଜାଣିପାରିଲୁ ଯେ ସେ ଆମର କେତେ ଚିନ୍ତା କରନ୍ତି । ଆମେ ଶିଖିଲୁ ଯେ ଆମେ ମଧ୍ୟ ହୃଦୟ ଖୋଲି ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ୍ ।
ଯେବେ ବି ଆମେ କୌଣସି ମଣ୍ଡଳୀର ପରିଦର୍ଶନ ପାଇଁ ଯାଉଥିଲୁ, ତେବେ ଆମେ ଭାଇଭଉଣୀମାନଙ୍କ ଘରେ ହିଁ ରହୁଥିଲୁ । ଆଜି ବି ସେ ମଧ୍ୟରୁ ଅନେକ ଭାଇଭଉଣୀ ଆମର ଭଲ ସାଙ୍ଗ ଅଟନ୍ତି । ଥରେ ଆମେ ଗୋଟିଏ ପରିବାର ପାଖରେ ରହିଥିଲୁ । ମୁଁ ନିଜ ଟାଇପ୍ରାଇଟରରେ ମଣ୍ଡଳୀର ରିପୋର୍ଟ ପ୍ରସ୍ତୁତ କରୁଥିଲି । ମୁଁ ତାହା ମଝିରେ ହିଁ ଛାଡ଼ି ଚାଲିଗଲି ଓ ଯେବେ ସନ୍ଧ୍ୟାରେ ଘରକୁ ଫେରିଲି, ତେବେ ଦେଖିଲି ଯେ ତାଙ୍କର ତିନି ବର୍ଷର ପୁଅ ଟାଇପ୍ରାଇଟରର ଅନେକ ବଟନ୍ ଦବାଇ ଦେଇଥିଲା । ମୁଁ ଅନେକ ବର୍ଷ ଯାଏ ସେ ପୁଅକୁ ଏକଥା ପାଇଁ ଚିଡ଼ାଉଥିଲି ଯେ ସେ ରିପୋର୍ଟ ଟାଇପ୍ କରିବା ପାଇଁ ମୋତେ କେତେ “ସାହାଯ୍ୟ” କରିଥିଲା ।
୧୯୭୧ ମସିହାରେ ମୋତେ ଗୋଟିଏ ଚିଠି ମିଳିଲା ଯେଉଁଥିରେ ଲେଖାଥିଲା ଯେ ମୋତେ ନ୍ୟୁୟର୍କ ସିଟିରେ ଜିଲ୍ଲା ଅଧ୍ୟକ୍ଷ ଭାବେ ସେବା କରିବା ପାଇଁ ପଠାଯାଉଛି । ଯେବେ ଆମେ ଚିଠି ପଢ଼ିଲୁ, ତେବେ ଆମକୁ ବିଶ୍ୱାସ ହିଁ ହେଲାନି । ସେସମୟରେ ମୁଁ କେବଳ ୩୪ ବର୍ଷର ଥିଲି । ମୁଁ ସେ ଅଞ୍ଚଳର ପ୍ରଥମ କଳା ରଙ୍ଗର ଜିଲ୍ଲା ଅଧ୍ୟକ୍ଷ ଥିଲି । କିନ୍ତୁ ସେଠାର ଭାଇମାନେ ମୋତେ ବହୁତ ପ୍ରେମର ସହ ସ୍ୱାଗତ କଲେ ।
ଏବେ ମୁଁ ଜଣେ ଜିଲ୍ଲା ଅଧ୍ୟକ୍ଷ ଥିଲି, ତେଣୁ ମୁଁ ପ୍ରତି ସପ୍ତାହ ସର୍କିଟ ସମ୍ମିଳନୀରେ ଭାଷଣ ଦେଉଥିଲି ଓ ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଉଥିଲି । ମୁଁ ଏପରି ଅନେକ ସର୍କିଟ ଅଧ୍ୟକ୍ଷମାନଙ୍କ ସହ ସେବା କଲି ଯେଉଁମାନଙ୍କୁ ମୋଠାରୁ ଅଧିକ ଅନୁଭୂତି ଥିଲା । ସେମଧ୍ୟରୁ ଜଣେ ଭାଇ ତ ମୋର ବାପ୍ତିସ୍ମର ଭାଷଣ ଦେଇଥିଲେ । ଆଉ ଜଣେ ସର୍କିଟ ଅଧ୍ୟକ୍ଷ ଥିଲେ ଭାଇ ଥିୟୋଡୋର ଜାରଜ୍, ଯିଏ ଆଗକୁ ଯାଇ ପ୍ରଶାସନ ଦଳର ସଦସ୍ୟ ହେଲେ । ଅନେକ ଭାଇ ବ୍ରୁକ୍ଲିନ୍ ବୈଥେଲରେ ସେବା କରୁଥିଲେ ଓ ସେମାନଙ୍କୁ ଅନେକ ବର୍ଷର ଅନୁଭୂତି ଥିଲା । କିନ୍ତୁ ଏସମସ୍ତ ଭାଇମାନେ ବହୁତ ନମ୍ର ଥିଲେ । ଏତେ ଅନୁଭୂତି ଥିବା ସତ୍ତ୍ୱେ, ସେମାନେ କେବେ ବି ମୋତେ ଡରାଇକି ରଖୁ ନ ଥିଲେ । ତେଣୁ ମୁଁ ସେମାନଙ୍କ ସହ ବହୁତ ଭଲଭାବେ କାମ କରିପାରିଲି । ମୁଁ ଦେଖିପାରିଲି ଯେ ଏମାନେ ଏପରି ମେଷପାଳକ ଅଟନ୍ତି ଯେଉଁମାନେ ନିଜ ମେଷଗୁଡ଼ିକୁ ବହୁତ ପ୍ରେମ କରନ୍ତି, ଈଶ୍ୱରଙ୍କ ବାକ୍ୟରୁ ଶିଖାନ୍ତି ଓ ସଂଗଠନକୁ ପୂରା ସହଯୋଗ କରନ୍ତି ।
ପୁଣିଥରେ ସର୍କିଟ କାମ କଲୁ
୧୯୭୪ ମସିହାରେ ପ୍ରଶାସନ ଦଳ ଅନ୍ୟ ସର୍କିଟ ଅଧ୍ୟକ୍ଷମାନଙ୍କୁ ଜିଲ୍ଲା କାମ
କରିବା ପାଇଁ କହିଲେ ଓ ମୋତେ ପୁଣିଥରେ ସର୍କିଟ ଅଧ୍ୟକ୍ଷ ଭାବେ ସେବା କରିବା ପାଇଁ କୁହାଗଲା । ଏଥର ମୋତେ ଦକ୍ଷିଣ କେରୋଲାଇନାର ମଣ୍ଡଳୀଗୁଡ଼ିକର ପରିଦର୍ଶନ କରିବା ପାଇଁ ପଠାଗଲା । ସେସମୟ ଯାଏ କଳାଗୋରା ବିଷୟରେ ଥିବା ନିୟମ ରଦ୍ଦ ହୋଇସାରିଥିଲା । ତେଣୁ ପୂର୍ବ ଭଳି କଳା ଓ ଗୋରା ରଙ୍ଗର ଭାଇଭଉଣୀମାନଙ୍କର ଅଲଗା ଅଲଗା ମଣ୍ଡଳୀ ଓ ସର୍କିଟ ନ ଥିଲା । ସବୁ ଭାଇଭଉଣୀ ଏକା ସହ ଏକାଠି ହୋଇପାରୁଥିଲେ, ତେଣୁ ସମସ୍ତେ ବହୁତ ଖୁସି ଥିଲେ ।୧୯୭୬ ମସିହାର ଶେଷରେ ମୋତେ ଜର୍ଜିଆ ରାଜ୍ୟର ଗୋଟିଏ ସର୍କିଟରେ ସେବା କରିବା ପାଇଁ କୁହାଗଲା । ମୋତେ ସେହି ମଣ୍ଡଳୀଗୁଡ଼ିକର ପରିଦର୍ଶନ କରିବାର ଥିଲା ଯେଉଁଗୁଡ଼ିକ ଏଟଲାଣ୍ଟା ଓ କୋଲମ୍ବସ ସହର ମଝିରେ ଅଛି । ଥରେ ସେଠାର କିଛି ଲୋକମାନେ ଜଣେ କଳା ଭାଇର ଘରକୁ ନିଆଁ ଲଗାଇଦେଲେ । ଭାଇଙ୍କର ସ୍ତ୍ରୀଙ୍କୁ ବହୁତ ଆଘାତ ପହଞ୍ଚିଲା ଓ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିବାକୁ ପଡ଼ିଲା । କିନ୍ତୁ ଦୁଃଖର କଥା, ସେମାନଙ୍କର ପାଞ୍ଚଜଣ ପିଲାଙ୍କର ମୃତ୍ୟୁ ହୋଇଗଲା । ସେହି ପିଲାମାନଙ୍କର ମୃତ୍ୟୁ ପରେ ମୋତେ ଭାଷଣ ଦେବା ପାଇଁ କୁହାଗଲା । ମୋତେ ଆଜି ବି ମନେ ଅଛି ଯେ ଭାଇ ଓ ତାଙ୍କ ସ୍ତ୍ରୀଙ୍କ ସାହସ ବଢ଼ାଇବା ପାଇଁ କଳା ହୁଅନ୍ତୁ ବା ଗୋରା ସବୁ ଭାଇଭଉଣୀ ଗୋଟିଏ ପରେ ଗୋଟିଏ ଆସୁଥିଲେ । ଭାଇଭଉଣୀମାନଙ୍କ ଏହି ପ୍ରେମ ମୋ ହୃଦୟ ଛୁଇଁଗଲା । ଏହି ପ୍ରେମ ଯୋଗୁଁ ହିଁ ଭାଇଭଉଣୀମାନେ ବଡ଼ ବଡ଼ ସମସ୍ୟାଗୁଡ଼ିକର ସାମନା କରିପାରନ୍ତି ।
ବୈଥେଲରେ ବହୁତ କିଛି ଶିଖିଲି ଓ ଅନ୍ୟମାନଙ୍କୁ ବି ଶିଖାଇଲି
୧୯୭୭ ମସିହାରେ ମୋତେ ଓ ରୁବିକୁ ଗୋଟିଏ ପ୍ରୋଜେକ୍ଟରେ ସାହାଯ୍ୟ କରିବା ପାଇଁ ବ୍ରୁକଲିନ ବୈଥେଲ ଡକାଗଲା । କିନ୍ତୁ କିଛି ସମୟ ପରେ ଯେବେ ପ୍ରୋଜେକ୍ଟ ଶେଷ ହେବାକୁ ଥିଲା, ତେବେ ପ୍ରଶାସନ ଦଳର ଦୁଇଜଣ ସଦସ୍ୟ ଆମକୁ ପଚାରିଲେ ଯେ କʼଣ ଆମେ ବୈଥେଲରେ ସେବା କରିବାକୁ ଚାହିଁବା । ଆମେ ହଁ କହିଦେଲୁ ।
ମୁଁ ୨୪ ବର୍ଷ ଯାଏ ସେବା ବିଭାଗରେ କାମ କଲି । ଏହି ବିଭାଗର ଭାଇମାନଙ୍କ ପାଖରେ ଅନେକ ଥର ବହୁତ କଠିନ ପ୍ରଶ୍ନ ଆସେ ଓ ସେମାନଙ୍କୁ ଏଗୁଡ଼ିକର ବହୁତ ଭାବିଚିନ୍ତି ଉତ୍ତର ଦେବାକୁ ପଡ଼େ । ମଝି ମଝିରେ ପ୍ରଶାସନ ଦଳ ସେବା ବିଭାଗକୁ ଅନେକ ନିର୍ଦ୍ଦେଶ ଓ ବାଇବଲ ସିଦ୍ଧାନ୍ତ ଦିଏ, ଯେଉଁଥିରୁ ଭାଇମାନେ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରନ୍ତି । ଆଉ ଏହି ନିର୍ଦ୍ଦେଶଗୁଡ଼ିକର ଆଧାରରେ ସର୍କିଟ ଅଧ୍ୟକ୍ଷମାନଙ୍କୁ, ପ୍ରାଚୀନମାନଙ୍କୁ ଓ ଅଗ୍ରଦୂତ ଭାଇଭଉଣୀମାନଙ୍କୁ ଟ୍ରେନିଙ୍ଗ ମଧ୍ୟ ଦିଆଯାଏ । ଯେଉଁମାନଙ୍କୁ ଏହି ଟ୍ରେନିଙ୍ଗ ଦିଆଯାଏ ସେମାନେ ନିଜ ଦାୟିତ୍ୱ ଭଲଭାବେ ତୁଲାଇପାରନ୍ତି ଓ ଠିକ୍ ନିଷ୍ପତ୍ତି ନେଇପାରନ୍ତି । ତେଣୁ ସଂଗଠନରେ ସବୁକିଛି ବହୁତ ବ୍ୟବସ୍ଥିତ ଭାବେ ହୋଇପାରେ ।
୧୯୯୫ରୁ ୨୦୧୮ ମସିହା ଯାଏ ମୋତେ ବିଶ୍ୱ ମୁଖ୍ୟାଳୟର ପ୍ରତିନିଧି (ଯାହାକୁ ପୂର୍ବେ ଜୋନ ଅଧ୍ୟକ୍ଷ କୁହାଯାଉଥିଲା) ଭାବେ ଅନେକ ଦେଶର ଶାଖା କାର୍ଯ୍ୟାଳୟଗୁଡ଼ିକରେ ଯିବାର ସୁଯୋଗ ମିଳିଲା । ମୁଁ ଶାଖା ସମିତିର ଭାଇମାନଙ୍କୁ, ବୈଥେଲରେ ସେବା କରୁଥିବା ଭାଇଭଉଣୀମାନଙ୍କୁ ଓ ମିଶନାରୀ ସେବା କରୁଥିବା ଭାଇଭଉଣୀମାନଙ୍କୁ ଭେଟୁଥିଲି ଓ ସେମାନଙ୍କର ଉତ୍ସାହ ବଢ଼ାଉଥିଲି । ଯଦି ସେମାନଙ୍କ କୌଣସି ଚିନ୍ତା ଥିଲା ବା ସେମାନଙ୍କ ମନରେ କୌଣସି ପ୍ରଶ୍ନ ଥିଲା, ତାହେଲେ ଆମେ ସେବିଷୟରେ ମଧ୍ୟ କଥା ହେଉଥିଲୁ । ଆମେ ସେମାନଙ୍କର ଉତ୍ସାହ ବଢ଼ାଇବାକୁ ଯାଉଥିଲୁ, କିନ୍ତୁ ସେମାନଙ୍କର ଅନୁଭୂତି ଶୁଣି ଆମର ହିଁ ଉତ୍ସାହ ବଢ଼ିଯାଉଥିଲା । ଯେପରି ୨୦୦୦ ମସିହାରେ ଆମେ ରୱାଣ୍ଡା ଶାଖା କାର୍ଯ୍ୟାଳୟର ପରିଦର୍ଶନ ପାଇଁ ଯାଇଥିଲୁ । କିଛି ବର୍ଷ ପୂର୍ବେ ୧୯୯୪ ମସିହାରେ ସେଠାରେ ଗୋଟିଏ ଜାତିକୁ ପୂରାପୂରି ବିନାଶ କରିବା ପାଇଁ ଚେଷ୍ଟା କରାଯାଇଥିଲା । ସେସମୟରେ ଅନେକ ଭାଇଭଉଣୀମାନଙ୍କ ପରିବାର ଲୋକ ଓ ସାଙ୍ଗମାନଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ଭାଇଭଉଣୀମାନେ କେତେ କଷ୍ଟ ସହିଲେ, ତଥାପି ସେମାନେ ନିଜର ବିଶ୍ୱାସକୁ ଦୁର୍ବଳ ହେବାକୁ ଦେଲେନି, ନିଜ ଆଶା ଉପରେ ଧ୍ୟାନ ଲଗାଇ ରଖିଲେ ଓ ଖୁସିର ସହ ଯିହୋବାଙ୍କ ସେବା କରିବା ଜାରି ରଖିଲେ । ଯେବେ ବୈଥେଲରେ ସେବା କରୁଥିବା ଭାଇଭଉଣୀ ଓ ଅନ୍ୟ ଭାଇଭଉଣୀମାନେ ଆମକୁ ସେମାନଙ୍କର ଅନୁଭୂତି କହିଲେ, ତେବେ ତାହା ଆମ ହୃଦୟକୁ ଛୁଇଁଗଲା ।
ଏବେ ଆମେ ଦୁହେଁ ୮୦ ବର୍ଷ ପାର କରିସାରିଛୁ । ଗତ ୨୦ ବର୍ଷରୁ ମୁଁ ଆମେରିକା ଶାଖା ସମିତିର ସଦସ୍ୟ ଅଟେ । ମୁଁ କେବେ ବି ବିଶ୍ୱବିଦ୍ୟାଳୟ ଯାଇନି, କିନ୍ତୁ ଯିହୋବା ଓ ତାଙ୍କ ସଂଗଠନରୁ ମୁଁ ଯାହା ବି ଶିଖିଛି, ତାʼ ତୁଳନାରେ ବିଶ୍ୱବିଦ୍ୟାଳୟର ପାଠ କିଛି ବି ନୁହେଁ । ମୋତେ ବହୁତ କିଛି ଶିଖିବାର ସୁଯୋଗ ମିଳିଛି, ତେଣୁ ମୁଁ ଅନ୍ୟମାନଙ୍କୁ ମଧ୍ୟ ବାଇବଲର ସତ୍ୟଗୁଡ଼ିକୁ ଭଲଭାବେ ଶିଖାଇପାରେ ଯେଉଁଥିରୁ ସେମାନଙ୍କୁ ଆଜି ଓ ସବୁଦିନ ପାଇଁ ଲାଭ ହେବ । (୨ କରି. ୩:୫; ୨ ତୀମ. ୨:୨) ମୁଁ ନିଜ ଆଖିରେ ଦେଖିଛି ଯେ ଯେବେ ଲୋକମାନେ ବାଇବଲରେ କୁହାଯାଇଥିବା କଥାଗୁଡ଼ିକୁ ମାନନ୍ତି, ତାହେଲେ କିପରି ସେମାନଙ୍କର ଜୀବନ ବଦଳିଯାଏ ଓ ସେମାନେ ନିଜ ସୃଷ୍ଟିକର୍ତ୍ତାଙ୍କ ସହ ଗୋଟିଏ ଭଲ ସମ୍ପର୍କ ଗଢ଼ିପାରନ୍ତି । (ଯାକୁ. ୪:୮) ମୁଁ ଓ ରୁବି ଭାଇଭଉଣୀମାନଙ୍କୁ ସବୁବେଳେ ମନେପକାଇ ଦେଉ ଯେ ଯିହୋବାଙ୍କ ବିଷୟରେ ଶିଖିବା ଓ ଅନ୍ୟମାନଙ୍କୁ ତାଙ୍କ ବିଷୟରେ ଶିଖାଇବା କୌଣସି ସାଧାରଣ କଥା ନୁହେଁ । ଯିହୋବାଙ୍କ ସେବକମାନଙ୍କ ପାଇଁ ତାʼଠାରୁ ବଡ଼ କଥା ଆଉ କିଛି ବି ହୋଇପାରିବ ନାହିଁ !