इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୬

ଧାର୍ମିକତାରେ ଚାଲିବାର ଇଚ୍ଛାକୁ ଦୃଢ଼ କରନ୍ତୁ

ଧାର୍ମିକତାରେ ଚାଲିବାର ଇଚ୍ଛାକୁ ଦୃଢ଼ କରନ୍ତୁ

“ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ ।”—ମାଥି. ୫:୬.

ଗୀତ ୯ ୟହୋୱା ହାମାରା ରାଜା ହୈ !

ଲେଖାର ଝଲକ a

୧. ଯୋଷେଫଙ୍କ ସହ କʼଣ ହେଲା ? କିନ୍ତୁ ସେ କʼଣ କଲେ ?

 ଯୋଷେଫ ପୋଟୀଫରଙ୍କ ଘରେ କାମ କରୁଥିଲେ । ଥରେ ପୋଟୀଫର କିଛି କାମ ପାଇଁ ବାହାରକୁ ଯାଇଥିଲେ । ତେବେ ତାଙ୍କ ସ୍ତ୍ରୀ ଯୋଷେଫଙ୍କୁ କହିଲେ, “ମୋʼ ସଙ୍ଗେ ଶୟନ କର ।” ସେ ସମୟରେ କେହି ତାଙ୍କୁ ଦେଖୁ ନ ଥିଲେ । ଆଉ ସେ ଜାଣିଥିଲେ ଯେ ଯଦି ସେ ନିଜ ମାଲିକାଣୀଙ୍କ କଥା ଶୁଣିବେନି, ତାହେଲେ ସେ ତାଙ୍କ ଉପରେ ଅନେକ ସମସ୍ୟା ଆଣିବେ । ତଥାପି ସେ ତାଙ୍କୁ ସିଧା ମନା କରିଦେଲେ । ପୋଟୀଫରଙ୍କ ସ୍ତ୍ରୀ ତାଙ୍କ ସହିତ ଜୋର୍‌ ଜବରଦସ୍ତି କରୁଥିଲେ । କିନ୍ତୁ ଯୋଷେଫ ତାଙ୍କୁ ମନା କରିବା ଜାରି ରଖିଲେ । ସେ ଏପରି କାହିଁକି କରିପାରିଲେ ? ସେ କହିଲେ, “ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ ?”—ଆଦି. ୩୯:୭-୧୨.

୨. ଯୋଷେଫ କିପରି ଜାଣିଥିଲେ ଯେ ବ୍ୟଭିଚାର କରିବା ପାପ ଅଟେ ?

ଯୋଷେଫ କିପରି ଜାଣିଥିଲେ ଯେ ବ୍ୟଭିଚାର କରିବା ଯିହୋବାଙ୍କ ଦୃଷ୍ଟିରେ “ଦୁଷ୍ଟତା” ଅଟେ ? ମୋଶାଙ୍କ ବ୍ୟବସ୍ଥା ତ ପ୍ରାୟ ୨୦୦ ବର୍ଷ ପରେ ଦିଆଗଲା, ଯେଉଁଥିରେ ଏହି ଆଜ୍ଞା ଦିଆଯାଇଥିଲା: “ତୁମ୍ଭେ ବ୍ୟଭିଚାର କରିବ ନାହିଁ ।” (ଯାତ୍ରା. ୨୦:୧୪) ଏହା ସତ ଯେ ଯୋଷେଫଙ୍କ ପାଖରେ ବ୍ୟବସ୍ଥା ନ ଥିଲା, କିନ୍ତୁ ସେ ଯିହୋବାଙ୍କୁ ଜାଣିଥିଲେ । ସେ ଜାଣିଥିଲେ ଯେ ଯିହୋବା ଜଣେ ପୁରୁଷ ଓ ଜଣେ ସ୍ତ୍ରୀର ବିବାହ କରାଇଥିଲେ । ତେଣୁ ସେ ବୁଝି ଯାଇଥିବେ ଯେ କେବଳ ଜଣେ ସ୍ୱାମୀ ଓ ସ୍ତ୍ରୀ ହିଁ ପରସ୍ପର ମଧ୍ୟରେ ସମ୍ପର୍କ ରଖିପାରିବେ । ସେ ଦୁଇଟି ଘଟଣା ବିଷୟରେ ମଧ୍ୟ ଶୁଣିଥିବେ ଯେତେବେଳେ ତାଙ୍କ ସମ୍ପର୍କୀୟ ସାରାଙ୍କ ଉପରେ ଦୁଇ ଜଣ ବ୍ୟକ୍ତି ଖରାପ ଦୃଷ୍ଟିରେ ଦେଖିଲେ, ସେତେବେଳେ ଯିହୋବା କିପରି ତାଙ୍କର ରକ୍ଷା କଲେ । ତାଙ୍କର ଜେଜେ ମାଆ ରିବିକାଙ୍କ ସହ ମଧ୍ୟ ଏପରି ହିଁ କିଛି ହୋଇଥିଲା । ଆଉ ସେ ସମୟରେ ବି ଯିହୋବା ତାଙ୍କୁ ରକ୍ଷା କରିଥିଲେ । (ଆଦି. ୨:୨୪; ୧୨:୧୪-୨୦; ୨୦:୨-୭; ୨୬:୬-୧୧) ଏ ସବୁ କଥାଗୁଡ଼ିକ ବିଷୟରେ ଭାବିବାରୁ ଯୋଷେଫ ବୁଝି ଯାଇଥିବେ ଯେ ବ୍ୟଭିଚାର କରିବା ଯିହୋବାଙ୍କ ଦୃଷ୍ଟିରେ ଭୁଲ ଅଟେ । ସେ ଯିହୋବାଙ୍କୁ ପ୍ରେମ କରୁଥିଲେ ଓ ସେହି କାମ କରିବା ପାଇଁ ଚାହୁଁଥିଲେ ଯାହା ତାଙ୍କ ଦୃଷ୍ଟିରେ ଠିକ୍‌, ତେଣୁ ସେ ଏହି ଭୁଲ କାମ କଲେ ନାହିଁ ।

୩. ଏହି ଲେଖାରେ ଆମେ କʼଣ ଜାଣିବା ?

ଆପଣ ମଧ୍ୟ ନିଶ୍ଚୟ ଭଲ କାମ କରିବାକୁ ଚାହୁଁଥିବେ, ଏପରି କାମଗୁଡ଼ିକ ଯାହା ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ । କିନ୍ତୁ ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ ଓ ବେଳେବେଳେ ଦୁନିଆର ଲୋକମାନଙ୍କ ଭଳି ଭାବିବାକୁ ଲାଗୁ, ତେଣୁ ଅନେକ ସମୟରେ ଆମେ ବୁଝିପାରି ନ ଥାଉ ଯେ ଠିକ୍‌ କʼଣ ଓ ଭୁଲ କʼଣ । (ଯିଶା. ୫:୨୦; ରୋମୀ. ୧୨:୨) ଏହି ଲେଖାରେ ଆମେ ଜାଣିବା ଯେ ଭଲ ବା ଧାର୍ମିକ କାମ କରିବାର ଅର୍ଥ କʼଣ ଓ ଏପରି କାମ କଲେ କʼଣ ଲାଭ ହୁଏ । ତାʼପରେ ଆମେ ଏପରି ତିନୋଟି କାମଗୁଡ଼ିକ ଉପରେ ଚର୍ଚ୍ଚା କରିବା ଯେଉଁଗୁଡ଼ିକୁ ଧ୍ୟାନରେ ରଖିଲେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବାର ଆମ ଇଚ୍ଛା ଆହୁରି ଦୃଢ଼ ହୋଇଯିବ ।

ଧାର୍ମିକତାର ଅର୍ଥ କʼଣ ?

୪. କେଉଁମାନଙ୍କୁ ଧାର୍ମିକ କୁହାଯାଇପାରିବ ନାହିଁ ?

କିଛି ଲୋକମାନେ ନିଜକୁ ବହୁତ ଧାର୍ମିକ ଦେଖାଇ ହୁଅନ୍ତି ଓ ଅନ୍ୟମାନଙ୍କର ଟିକିଏ ଭୁଲକୁ ବି ସହିପାରନ୍ତି ନାହିଁ ଆଉ ସେମାନଙ୍କର ନ୍ୟାୟ କରିବାକୁ ଲାଗନ୍ତି । ଏହା ସତ ଯେ ସେମାନେ ନିଜକୁ ବଡ଼ ଧାର୍ମିକ ମନେ କରନ୍ତି, କିନ୍ତୁ ଏହା ଧାର୍ମିକତା ନୁହେଁ । ଈଶ୍ୱର ଏପରି ଲୋକମାନଙ୍କୁ ବିଲକୁଲ୍‌ ପସନ୍ଦ କରନ୍ତି ନାହିଁ । ଯୀଶୁ ମଧ୍ୟ ଏପରି ଲୋକମାନଙ୍କୁ ପସନ୍ଦ କରନ୍ତି ନାହିଁ । ଯେବେ ସେ ପୃଥିବୀରେ ଥିଲେ, ତେବେ ସେ ଧର୍ମଗୁରୁମାନଙ୍କୁ ରାଗିଲେ, କାରଣ ସେମାନେ ନିଜକୁ ବହୁତ ଧାର୍ମିକ ମନେ କରୁଥିଲେ ଓ ଠିକ୍‌ ଭୁଲ ବିଷୟରେ ନିଜର ହିଁ ସ୍ତର ତିଆରି କରିଥିଲେ । (ଉପ. ୭:୧୬; ଲୂକ ୧୬:୧୫) ତାହେଲେ ଧାର୍ମିକତାର ଅର୍ଥ କʼଣ ?

୫. (କ) ବାଇବଲ ମୁତାବକ ଧାର୍ମିକତାର ଅର୍ଥ କʼଣ ? (ଖ) ଜଣେ ଧାର୍ମିକ ବ୍ୟକ୍ତିକୁ କିପରି ଚିହ୍ନିପାରିବା ?

ସିଧା ସିଧା କହିଲେ ଧାର୍ମିକତାର ଅର୍ଥ ହେଉଛି, ତାହା କରିବା ଯାହା ଯିହୋବାଙ୍କୁ ଠିକ୍‌ ଲାଗେ । ଯେବେ ବାଇବଲ ଲେଖା ଯାଇଥିଲା, ତେବେ ସେଠାରେ ଧାର୍ମିକତା ବିଷୟରେ ବୁଝାଇବା ପାଇଁ ଯେଉଁ ଶବ୍ଦ ବ୍ୟବହାର କରାଯାଇଥିଲା, ତାହା ଅଲଗା ଅଲଗା ଜାଗାରେ ଅଲଗା ଅଲଗା ଉପାୟରେ ଅନୁବାଦ କରାଯାଇଛି । କିନ୍ତୁ ସବୁ ଜାଗାରେ ତାର ଏହା ହିଁ ଅର୍ଥ ଥିଲା ଯେ ଯିହୋବା ଆମ ପାଇଁ ଯେଉଁ ସ୍ତର ନିର୍ଦ୍ଧାରିତ କରିଛନ୍ତି, ତା ମୁତାବକ ଚାଲିବା । ଯେପରି ବାଇବଲର ଗୋଟିଏ ଜାଗାରେ କୁହାଯାଇଥିଲା ଯେ ଯିହୋବା ଚାହାନ୍ତି ଯେ ବେପାରୀମାନେ ଏପରି ବଟଖରା ଓ ପରିମାଣପାତ୍ର ବ୍ୟବହାର କରନ୍ତୁ ଯାହା ‘ଯଥାର୍ଥ ଥିବ ।’ (ଦ୍ୱିବି. ୨୫:୧୫) ଏଠାରେ ଯେଉଁ ଏବ୍ରୀ ଶବ୍ଦର ଅନୁବାଦ “ଯଥାର୍ଥ” କରାଯାଇଛି, ତାହାର ଅର୍ଥ ଧାର୍ମିକତା ମଧ୍ୟ ହୋଇପାରେ । ତେଣୁ ଆମେ କହିପାରିବା ଯେ ଜଣେ ଧାର୍ମିକ ବ୍ୟକ୍ତି ସଚ୍ଚୋଟ ରହେ ଓ ଠିକ୍‌ ଉପାୟରେ ବ୍ୟାପାର କରେ । ଜଣେ ଧାର୍ମିକ ବ୍ୟକ୍ତି ଅନ୍ୟାୟକୁ ଘୃଣା କରେ, ସେ ଚାହେଁ ଯେ ସମସ୍ତଙ୍କ ସହିତ ନ୍ୟାୟ ହେଉ । ଆଉ କିଛି ବି ନିଷ୍ପତ୍ତି ନେବା ଆଗରୁ ସେ ଏହା ଭାବେ ଯେ ଯିହୋବା କʼଣ ଚାହାନ୍ତି, କାରଣ ସେ ତାଙ୍କୁ “ସର୍ବପ୍ରକାରେ ସନ୍ତୁଷ୍ଟ” କରିବା ପାଇଁ ଚାହେଁ ।—କଲ. ୧:୧୦.

୬. ଯିହୋବାଙ୍କ ସ୍ତର କାହିଁକି ସବୁବେଳେ ଠିକ୍‌ ରହେ ? (ଯିଶାଇୟ ୫୫:୮, ୯)

ଯିହୋବା କେବଳ ଧାର୍ମିକ କାମ କରନ୍ତି ନାହିଁ, ବରଂ ତାଙ୍କୁ ବାଇବଲରେ “ଧର୍ମନିବାସ” ବି କୁହାଯାଇଛି । (ଯିରି. ୫୦:୭) ସେ ହିଁ ଆମକୁ ସୃଷ୍ଟି କରିଛନ୍ତି, ତେଣୁ ତାଙ୍କୁ ହିଁ ଏହା ନିଷ୍ପତ୍ତି କରିବାର ଅଧିକାର ଅଛି ଯେ ଆମ ପାଇଁ ଠିକ୍‌ କʼଣ ଓ ଭୁଲ୍‌ କʼଣ । ଆଉ ଯିହୋବା ପରିପୂର୍ଣ୍ଣ ମଧ୍ୟ ଅଟନ୍ତି, ତାଙ୍କୁ ସବୁବେଳେ ଜଣା ଥାଏ ଯେ ଠିକ୍‌ କʼଣ ଓ ଭୁଲ୍‌ କʼଣ । ଆମେ ମଣିଷ ଅପରିପୂର୍ଣ୍ଣ ଅଟୁ ଆଉ ବେଳେବେଳେ ଆମେ ଠିକ୍‌ ଭୁଲରେ ଫରକ କରିପାରି ନ ଥାଉ । (ହିତୋ. ୧୪:୧୨; ଯିଶାଇୟ ୫୫:୮, ୯ ପଢ଼ନ୍ତୁ ।) ତାହେଲେ ବି ଆମେ ତାଙ୍କ ସ୍ତର ମାନିପାରିବା, କାରଣ ସେ ଆମକୁ ନିଜ ପ୍ରତିମୂର୍ତ୍ତିରେ ତିଆରି କରିଛନ୍ତି । (ଆଦି. ୧:୨୭) ତାଙ୍କ ସ୍ତରଗୁଡ଼ିକୁ ମାନିଲେ ଆମକୁ ବହୁତ ଖୁସି ମିଳେ, କାରଣ ଆମେ ନିଜ ପିତାଙ୍କୁ ବହୁତ ପ୍ରେମ କରୁ ଓ ତାଙ୍କ ଭଳି ହେବାକୁ ଚାହୁଁ ।—ଏଫି. ୫:୧.

୭. ଠିକ୍‌ ଭୁଲର ସ୍ତର ହେବା କାହିଁକି ଜରୁରୀ ? ଉଦାହରଣ ଦେଇ ବୁଝାନ୍ତୁ ।

ଠିକ୍‌ ଭୁଲ ବିଷୟରେ ଯିହୋବା ଯେଉଁ ସ୍ତର ନିର୍ଦ୍ଧାରିତ କରିଛନ୍ତି, ତାହାକୁ ମାନିଲେ ଆମର ଲାଭ ହୁଏ । ଟିକେ ଭାବନ୍ତୁ, ଯଦି ସବୁ ଟ୍ରାଫିକ୍‌ ସିଗନାଲ୍‌ରେ ଲାଲ, କମଳା ଓ ସବୁଜ ରଙ୍ଗ ବଦଳରେ ଅଲଗା ଅଲଗା ରଙ୍ଗର ବତି ଜଳିବ, ତାହେଲେ କେତେ ଗଡ଼ବଡ଼ି ହୋଇଯିବ, ଅନେକ ଦୁର୍ଘଟଣା ବି ହୋଇପାରେ । କିମ୍ବା ଯଦି ଠିକ୍‌ ମାପ ନ ନେଇ ଓ ଖରାପ ସାମଗ୍ରୀ ବ୍ୟବହାର କରି କୌଣସି କୋଠାଘର ତିଆରି କରାଯାଏ, ତାହେଲେ ତାହା ପଡ଼ିପାରେ ଓ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ଆଉ ଟିକେ ଭାବନ୍ତୁ, ଯଦି ଡାକ୍ତର ନିଜ ଅନୁସାରେ କୌଣସି ରୋଗର ଚିକିତ୍ସା କରିବାକୁ ଲାଗେ, ତାହେଲେ କେତେ ଲୋକଙ୍କର ମୃତ୍ୟୁ ହୋଇପାରେ । ଏଥିରୁ ଜଣାପଡ଼େ ଯେ ଏହା ବହୁତ ଜରୁରୀ ଅଟେ ଯେ କେହି ଠିକ୍‌ ଓ ଭୁଲ ପାଇଁ ସ୍ତର ନିର୍ଣ୍ଣୟ କରନ୍ତୁ । ଏଥିରୁ ଆମର ସୁରକ୍ଷା ହୁଏ । ସେହିଭଳି ଯିହୋବାଙ୍କ ସ୍ତର ମାନିଲେ ମଧ୍ୟ ଆମ ସୁରକ୍ଷା ହୁଏ ।

୮. ଯଦି ଆମେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା, ତେବେ ଆମକୁ କʼଣ ଆଶିଷ ମିଳିବ ?

ଯଦି ଆମେ ଯିହୋବାଙ୍କ ସ୍ତରକୁ ମାନିବା, ତେବେ ସେ ଆମକୁ ଅନେକ ଆଶିଷ ଦେବେ । ସେ ପ୍ରତିଜ୍ଞା କରିଛନ୍ତି ଯେ “ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।” (ଗୀତ. ୩୭:୨୯) ଭାବନ୍ତୁ ଯେବେ ଆମେ ସମସ୍ତେ ଯିହୋବାଙ୍କ ସ୍ତରକୁ ମାନିବା, ତେବେ ପୃଥିବୀର ପରିସ୍ଥିତି କେତେ ଭଲ ହେବ । ଲୋକମାନଙ୍କ ମଧ୍ୟରେ ଏକତା ଓ ଶାନ୍ତି ଥିବ ଓ ସମସ୍ତେ ଖୁସିରେ ଥିବେ । ଯିହୋବା ଚାହାନ୍ତି ଯେ ଆପଣ ମଧ୍ୟ ଏପରି ଜୀବନ ବିତାନ୍ତୁ । ତେଣୁ ଏହା ବହୁତ ଜରୁରୀ ଯେ ଆମେ ଧାର୍ମିକ କାମ କରୁ ଆଉ ଯିହୋବାଙ୍କ ସ୍ତରକୁ ମାନୁ । କିନ୍ତୁ ଆମେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବାର ନିଜ ଇଚ୍ଛାକୁ ଆହୁରି ଦୃଢ଼ କିପରି କରିପାରିବା ? ଆସନ୍ତୁ ତିନୋଟି କଥା ଉପରେ ଧ୍ୟାନ ଦେବା ।

ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବାର ନିଜ ଇଚ୍ଛାକୁ ଦୃଢ଼ କରନ୍ତୁ

୯. ଆମେ ଯିହୋବାଙ୍କ ସ୍ତର ମାନିବାର ନିଜ ଇଚ୍ଛାକୁ ଦୃଢ଼ କିପରି କରିପାରିବା ?

ପ୍ରଥମ କଥା: ଯିହୋବାଙ୍କୁ ପ୍ରେମ କରନ୍ତୁ । ଠିକ୍‌ ଓ ଭୁଲ କʼଣ ତାର ସ୍ତର ଯିହୋବା ନିର୍ଦ୍ଧାରିତ କରିଛନ୍ତି । ଯେବେ ଆମେ ଯିହୋବାଙ୍କୁ ଆହୁରି ପ୍ରେମ କରିବା, ତେବେ ଯିହୋବାଙ୍କ ସ୍ତରକୁ ମାନିବାର ଆମର ଇଚ୍ଛା ଆହୁରି ଦୃଢ ହୋଇଯିବ ଆଉ ଆମେ ସବୁବେଳେ ଠିକ୍‌ କାମ କରିବା । ଆଦମ ଓ ହବାଙ୍କ ବିଷୟରେ ଭାବନ୍ତୁ । ଯଦି ସେମାନେ ଯିହୋବାଙ୍କୁ ପ୍ରେମ କରନ୍ତେ, ତାହେଲେ କʼଣ ସେମାନେ ତାଙ୍କ ଆଜ୍ଞା ଭାଙ୍ଗନ୍ତେ ?—ଆଦି. ୩:୧-୬, ୧୬-୧୯.

୧୦. ଅବ୍ରହାମ ଯିହୋବାଙ୍କୁ ଆହୁରି ଭଲଭାବେ କିପରି ଜାଣିପାରିଲେ ?

୧୦ ଯଦି ଆମେ ଆଦମ ଓ ହବା ଭଳି ଭୁଲ କରିବାକୁ ଚାହୁଁନୁ, ତାହେଲେ ଆମେ ଯିହୋବାଙ୍କ ପ୍ରତି ନିଜ ପ୍ରେମ ବଢ଼ାଇବା ବହୁତ ଜରୁରୀ । ଆମେ ଏପରି ତେବେ କରିପାରିବା ଯେବେ ଆମେ ଯିହୋବାଙ୍କ ବିଷୟରେ ଜାଣିବା, ତାଙ୍କ ଗୁଣଗୁଡ଼ିକ ବିଷୟରେ ଶିଖିବା ଓ ଏହା ବୁଝିବା ପାଇଁ ଚେଷ୍ଟା କରିବା ଯେ ସେ କିପରି ଭାବନ୍ତି । ଅବ୍ରହାମ ମଧ୍ୟ ଏପରି ହିଁ କଲେ । ସେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ଅନେକ ସମୟରେ ସେ ଯିହୋବାଙ୍କର ନିଷ୍ପତ୍ତିଗୁଡ଼ିକୁ ବୁଝିପାରୁ ନ ଥିଲେ । କିନ୍ତୁ ସେତେବେଳେ ବି ସେ ଯିହୋବାଙ୍କର ନିଷ୍ପତ୍ତି ଉପରେ ପ୍ରଶ୍ନ କଲେ ନାହିଁ, ବରଂ ସେ ଏହା ବୁଝିବା ପାଇଁ ଚେଷ୍ଟା କଲେ ଯେ ଯିହୋବା ଏପରି କାହିଁକି କହୁଛନ୍ତି । ଯେପରି, ଯେବେ ଯିହୋବା ତାଙ୍କୁ କହିଲେ ଯେ ସେ ସଦୋମ ଓ ହମୋରା ସହରକୁ ବିନାଶ କରିବାକୁ ଯାଉଛନ୍ତି, ତେବେ ଅବ୍ରହାମ ଡରି ଗଲେ । ତାଙ୍କୁ ଲାଗିଲା ଯେ “ସମସ୍ତ ପୃଥିବୀର ବିଚାରକର୍ତ୍ତା” ଦୁଷ୍ଟ ଲୋକମାନଙ୍କ ସହ ଧାର୍ମିକ ଲୋକମାନଙ୍କୁ ମଧ୍ୟ ବିନାଶ କରିଦେବେ । ଅବ୍ରହାମ ଭାବୁଥିଲେ ଯେ ଯିହୋବା ଏହା କିପରି କରିପାରିବେ, ତେଣୁ ସେ ଯିହୋବାଙ୍କୁ କିଛି ପ୍ରଶ୍ନ ପଚାରିଲେ ଓ ଯିହୋବା ତାଙ୍କ ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଦେଲେ । ଏପରି ଭାବେ ସେ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିଲେ । ସେ ବୁଝିପାରିଲେ ଯେ ଯିହୋବା ଲୋକମାନଙ୍କର ହୃଦୟକୁ ଦେଖନ୍ତି । ସେ କେବେ ବି ଜଣେ ନିର୍ଦୋଷକୁ ଦଣ୍ଡ ଦେବେ ନାହିଁ ।—ଆଦି. ୧୮:୨୦-୩୨.

୧୧. ଅବ୍ରହାମ ଏପରି କʼଣ କଲେ ଯେଉଁଥିରୁ ଏହା ଜଣାପଡ଼େ ଯେ ସେ ଯିହୋବାଙ୍କୁ ପ୍ରେମ କରନ୍ତି ଓ ତାଙ୍କୁ ଭରସା କରନ୍ତି ?

୧୧ ସଦୋମ ଓ ହମୋରାର ବିନାଶ ବିଷୟରେ ଯିହୋବାଙ୍କ ସହ କଥା ହେବା ପରେ, ଅବ୍ରହାମ ଯିହୋବାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିଥିବେ, ତାଙ୍କୁ ଆହୁରି ଅଧିକ ଆଦର କରିବାକୁ ଲାଗିଥିବେ । କିଛି ବର୍ଷ ପରେ ଯିହୋବା ତାଙ୍କୁ କିଛି ଏପରି କାମ କରିବାକୁ କହିଲେ ଯାହା ବହୁତ କଠିନ ଥିଲା । ଯିହୋବା ତାଙ୍କୁ ନିଜ ପ୍ରିୟ ପୁତ୍ର ଇସ୍‌ହାକଙ୍କୁ ବଳି କରିବା ପାଇଁ କହିଲେ । କିନ୍ତୁ ଏଥର ଅବ୍ରହାମ ଯିହୋବାଙ୍କୁ କିଛି ପ୍ରଶ୍ନ କଲେନି, କାରଣ ଏବେ ସେ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣି ସାରିଥିଲେ । ସେ ଯିହୋବାଙ୍କର କଥା ମାନିବା ପାଇଁ ପ୍ରସ୍ତୁତ ହୋଇଗଲେ । ଟିକେ ଭାବନ୍ତୁ, ଯେବେ ସେ ନିଜ ପୁଅକୁ ବଳି ଚଢ଼ାଇବା ପାଇଁ ପ୍ରସ୍ତୁତି କରୁଥିବେ, ତେବେ ତାଙ୍କୁ କିପରି ଲାଗୁଥିବ, ତାଙ୍କୁ କେତେ ଦୁଃଖ ହେଉଥିବ । କିନ୍ତୁ ସେସମୟରେ ସେ ସେହି କଥାକୁ ଭାବୁଥିଲେ ଯାହା ସେ ଯିହୋବାଙ୍କ ବିଷୟରେ ଜାଣିଥିଲେ । ସେ ଜାଣିଥିଲେ ଯେ ଯିହୋବା କେବେ ବି ଭୁଲ କାମ କରିପାରିବେ ନାହିଁ, କେବେ ବି ସେ ଅନ୍ୟାୟ କରିପାରିବେ ନାହିଁ । ଅବ୍ରହାମ ଯିହୋବାଙ୍କ ସେହି ପ୍ରତିଜ୍ଞାକୁ ମନେ କରୁଥିବେ ଯାହା ସେ ଇସ୍‌ହାକଙ୍କୁ କରିଥିଲେ ଯେ ତାଙ୍କର ବଂଶରୁ ଗୋଟିଏ ବଡ଼ ରାଷ୍ଟ୍ର ହେବ । କିନ୍ତୁ ସେ ସମୟ ଯାଏ ଇସ୍‌ହାକଙ୍କର କୌଣସି ପିଲା ନ ଥିଲେ । ତେଣୁ ଅବ୍ରହାମଙ୍କୁ ବିଶ୍ୱାସ ଥିଲା ଯେ ଇସ୍‌ହାକ ମରିଗଲେ ବି ଯିହୋବା ତାଙ୍କୁ ଜୀବିତ କରିପାରିବେ । (ଏବ୍ରୀ ୧୧:୧୭-୧୯) ଅବ୍ରହାମ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ, ତେଣୁ ତାଙ୍କୁ ଭରସା ଥିଲା ଯେ ଯିହୋବା ଯାହା ବି କରିବେ ତାହା ଠିକ୍‌ ଥିବ । ଏହି କାରଣ ଯୋଗୁଁ ସେ କଠିନରୁ କଠିନ ସମୟରେ ବି ଯିହୋବାଙ୍କ ଆଜ୍ଞା ମାନିଲେ ।—ଆଦି. ୨୨:୧-୧୨.

୧୨. ଆମେ ଅବ୍ରହାମଙ୍କ ଭଳି କିପରି ହୋଇପାରିବା ? (ଗୀତସଂହିତା ୭୩:୨୮)

୧୨ ଆମେ ଅବ୍ରହାମଙ୍କ ଭଳି କିପରି ହୋଇପାରିବା ? ଆମକୁ ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିବାକୁ ହେବ । ଏପରି ଭାବେ ଆମେ ତାଙ୍କର ଆହୁରି ନିକଟତର ହୋଇପାରିବା ଓ ତାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିବା । (ଗୀତସଂହିତା ୭୩:୨୮ ପଢ଼ନ୍ତୁ ।) ଯେବେ ଆମେ ଏହା ଜାଣୁ ଯେ ଯିହୋବାଙ୍କ ପାଇଁ ଠିକ୍‌ କʼଣ ଓ ଭୁଲ କʼଣ ଓ ସେ କିପରି ଭାବନ୍ତି, ତେବେ ଆମେ ବି ତାଙ୍କ ଭଳି ଭାବିବାକୁ ଲାଗୁ । (ଏବ୍ରୀ ୫:୧୪) ଆମେ ଏପରି ସବୁ କାମକୁ ଘୃଣା କରୁ ଯାହା ଯିହୋବାଙ୍କୁ ଖରାପ ଲାଗେ । ତାʼପରେ ଯେବେ ଆମକୁ କେହି କିଛି ଭୁଲ କାମ କରିବା ପାଇଁ କହେ, ତେବେ ଆମେ ସିଧା ମନା କରିଦେଉ, କାରଣ ଆମେ ଯିହୋବାଙ୍କ ହୃଦୟକୁ ଦୁଃଖ ଦେବାକୁ ଚାହୁଁନୁ ଆଉ ତାଙ୍କ ସହିତ ନିଜ ସମ୍ପର୍କ ଖରାପ କରିବା ପାଇଁ ଚାହୁଁନୁ । ଆମେ ଆହୁରି କʼଣ କରିପାରିବା ଯେଉଁଥିରୁ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବାର ଆମର ଇଚ୍ଛା ଆହୁରି ଦୃଢ଼ ହୋଇଯିବ ?

୧୩. ଆମେ “ଧାର୍ମିକତାର ଅନୁଗାମୀ” କିପରି ହୋଇପାରିବା ? (ହିତୋପଦେଶ ୧୫:୯

୧୩ ଦ୍ୱିତୀୟ କଥା: ପ୍ରତିଦିନ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ପାଇଁ ଚେଷ୍ଟା କରନ୍ତୁ । ଠିକ୍‌ ଯେପରି ସବୁଦିନ ବ୍ୟାୟାମ କଲେ ଆମର ସ୍ୱାସ୍ଥ୍ୟ ଭଲ ରହେ, ସେହିପରି ଯଦି ଆମେ ପ୍ରତିଦିନ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ପାଇଁ ଚେଷ୍ଟା କରୁ, ତେବେ ସେଗୁଡ଼ିକୁ ମାନିବାର ଆମ ଇଚ୍ଛା ଆହୁରି ଦୃଢ଼ ହୋଇଯାଏ । ଯିହୋବା କେବେ ବି ଆମକୁ କିଛି ଏପରି କରିବା ପାଇଁ କହିବେନି ଯାହା ଆମେ କରିପାରିବାନି । ସେ ଜାଣନ୍ତି ଯେ ଆମେ ତାଙ୍କ ସ୍ତରଗୁଡ଼ିକୁ ମାନିପାରିବା । (ଗୀତ. ୧୦୩:୧୪) ଆଉ ଯେବେ ଆମେ ଏପରି କରୁ ଓ ଧାର୍ମିକ କାମ କରୁ, ତେବେ ଆମକୁ ବହୁତ ଖୁସି ମିଳେ । ବାଇବଲରେ ଲେଖାଅଛି, “ଧାର୍ମିକତାର ଅନୁଗାମୀକି ସେ ପ୍ରେମ କରନ୍ତି ।” (ହିତୋପଦେଶ ୧୫:୯ ପଢ଼ନ୍ତୁ ।) ଯେବେ ଆମେ ଯିହୋବାଙ୍କ ଆହୁରି ଅଧିକ ସେବା କରିବାର ଲକ୍ଷ୍ୟ ରଖୁ, ତେବେ ତାକୁ ପୂରା କରିବା ପାଇଁ ଆମେ ବହୁତ ପରିଶ୍ରମ କରୁ । ସେହିଭଳି ଆମକୁ ଧାର୍ମିକ କାମ କରିବା ପାଇଁ ବି ପରିଶ୍ରମ କରିବାକୁ ହେବ । ତାହା ଏପରି ହେବ ଯେପରି ଆମେ ଧାର୍ମିକତାର ପିଛା କରୁଛୁ । ଯେବେ ଆମେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ପାଇଁ ପୂରା ଚେଷ୍ଟା କରିବା, ତେବେ ସେ ବି ଆମକୁ ସାହାଯ୍ୟ କରିବେ ଆଉ ଆମେ ତାଙ୍କ ସ୍ତରଗୁଡ଼ିକୁ ଆହୁରି ଭଲଭାବେ ମାନିପାରିବା ।—ଗୀତ. ୮୪:୫, ୭.

୧୪. ‘ଧାର୍ମିକତାରୂପ କବଚ’ କʼଣ ଆଉ ଆମକୁ କାହିଁକି ଏହା ପିନ୍ଧିରଖିବା ଉଚିତ୍‌ ?

୧୪ ଆମେ ଏହା ଭାବିବା ଉଚିତ୍‌ ନୁହେଁ ଯେ ଯିହୋବାଙ୍କ ସ୍ତରଗୁଡ଼ିକ ଆମ ପାଇଁ ବହୁତ କଠିନ ଅଟେ ଓ ତାକୁ ଆମେ ମାନିପାରିବାନି । (୧ ଯୋହ. ୫:୩) ଏହା ପରିବର୍ତ୍ତେ ଆମେ ଧ୍ୟାନ ରଖିବା ଉଚିତ୍‌ ଯେ ଯଦି ଆମେ ଏଗୁଡ଼ିକୁ ପ୍ରତିଦିନ ମାନିବା, ତେବେ ଏଥିରୁ ଆମର ସୁରକ୍ଷା ହେବ । କʼଣ ଆପଣଙ୍କୁ ଈଶ୍ୱର ଦେଇଥିବା ସେହି ହତିଆରଗୁଡ଼ିକ ବିଷୟରେ ମନେଅଛି ଯାହା ବିଷୟରେ ପାଉଲ କହିଥିଲେ ? (ଏଫି. ୬:୧୪-୧୮) ସେମଧ୍ୟରୁ ଗୋଟିଏ ହେଉଛି, ‘ଧାର୍ମିକତାରୂପ କବଚ’ ଅର୍ଥାତ୍‌ ଠିକ୍‌ ଓ ଭୁଲ ବିଷୟରେ ଯିହୋବାଙ୍କ ସ୍ତର । ପ୍ରାଚୀନ ସମୟରେ ଯେବେ ଯୁଦ୍ଧରେ ଜଣେ ସୈନିକ କବଚ ପିନ୍ଧି ରହୁଥିଲା, ତେବେ ଶତ୍ରୁମାନଙ୍କ ଆକ୍ରମଣରୁ ତାʼ ହୃଦୟର ରକ୍ଷା ହେଉଥିଲା । ସେହିପରି ଯଦି ଆମେ ଧାର୍ମିକତାରୂପ କବଚ ପିନ୍ଧି ରହୁ ଅର୍ଥାତ୍‌ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନୁ, ତେବେ ଶୟତାନର ଆକ୍ରମଣରୁ ଆମ ହୃଦୟର ସୁରକ୍ଷା ହେବ । ତେଣୁ ସବୁବେଳେ ଧାର୍ମିକତାରୂପ କବଚ ପିନ୍ଧି ରହନ୍ତୁ ।—ହିତୋ. ୪:୨୩.

୧୫. ଆପଣ ଧାର୍ମିକତାରୂପ କବଚ କିପରି ପିନ୍ଧିପାରିବେ ? 

୧୫ ଧାର୍ମିକତାରୂପ କବଚ ପିନ୍ଧିବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ? ପ୍ରତିଦିନ କୌଣସି ବି ନିଷ୍ପତ୍ତି ନେବା ବା କାମ କରିବା ପୂର୍ବରୁ ଭାବନ୍ତୁ ଯେ ସେ ବିଷୟରେ ଯିହୋବାଙ୍କ ସ୍ତର କʼଣ । ଯଦି ଆପଣ କାହା ସହିତ କଥା ହେଉଛନ୍ତି, କୌଣସି ଗୀତ ଶୁଣୁଛନ୍ତି ବା ମନୋରଞ୍ଜନ କରିବା ପାଇଁ ଭାବୁଛନ୍ତି ବା କୌଣସି ବହି ପଢ଼ିବା ପାଇଁ ଆପଣଙ୍କୁ ଇଚ୍ଛା ହେଉଛି, ତାହେଲେ ଭାବନ୍ତୁ: ‘ଏହା ମୋ ହୃଦୟ ଉପରେ କʼଣ ପ୍ରଭାବ ପକାଇବ ? କʼଣ ଯିହୋବା ଏଥିରୁ ଖୁସି ହେବେ ? କʼଣ ଏଥିରେ କିଛି ଏପରି ଜିନିଷ ଅଛି ଯାହା ଯିହୋବାଙ୍କ ଦୃଷ୍ଟିରେ ଭୁଲ ଅଟେ, ଯେପରି ଅନୈତିକତା, ହିଂସା, ଲୋଭ କରିବା ଓ କେବଳ ନିଜ ବିଷୟରେ ଭାବିବା ?’ (ଫିଲିପ୍‌. ୪:୮) ଯଦି ଆପଣ ଏପରି ନିଷ୍ପତ୍ତି ନେବେ ଯାହା ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ଠିକ୍‌ ଅଟେ, ତାହେଲେ ଆପଣ ନିଜ ହୃଦୟକୁ ରକ୍ଷା କରିପାରିବେ ।

ଆପଣଙ୍କ ଧାର୍ମିକତା “ସମୁଦ୍ରର ତରଙ୍ଗ ତୁଲ୍ୟ” ହୋଇପାରେ (ପାରାଗ୍ରାଫ ୧୬-୧୭)

୧୬-୧୭. ଯିଶାଇୟ ୪୮:୧୮ ପଦ ଅନୁସାରେ ଆମେ କାହିଁକି ଭରସା ରଖିପାରିବା ଯେ ଆମେ ସବୁବେଳେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିପାରିବା ?

୧୬ କʼଣ ଆପଣଙ୍କୁ କେବେ ଏହା ଭାବି ଚିନ୍ତା ହୋଇଛି ଯେ ଆପଣ ସବୁବେଳେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିପାରିବେ ନା ନାହିଁ ? ଯଦି ହଁ, ତାହେଲେ ଯିହୋବାଙ୍କର ସେହି ପ୍ରତିଜ୍ଞା ଉପରେ ଧ୍ୟାନ ଦିଅନ୍ତୁ ଯାହା ଯିଶାଇୟ ୪୮:୧୮ ପଦରେ ଲେଖାଅଛି । (ପଢ଼ନ୍ତୁ ।) ଯିହୋବା କହନ୍ତି ଯେ ‘ଆମର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହେବ ।’ ଭାବନ୍ତୁ ଆପଣ ସମୁଦ୍ର କୂଳରେ ଛିଡ଼ା ହୋଇଛନ୍ତି । ଚାରିଆଡ଼େ ବହୁତ ଶାନ୍ତି ଅଛି ଓ ଆପଣ ଦେଖୁଛନ୍ତି ଯେ କିପରି ଗୋଟିଏ ପରେ ଗୋଟିଏ ତରଙ୍ଗ ବା ଲହଡ଼ି ଆସୁଛି । କʼଣ ଆପଣ ଏହା ଭାବିବେ ଯେ ଦିନେ ଏହି ଲହଡ଼ି ଆସିବା ବନ୍ଦ ହୋଇଯିବ ? ନୁହେଁ, କାରଣ ଆପଣ ଜାଣିଛନ୍ତି ଯେ ହଜାର ହଜାର ବର୍ଷରୁ ଏହା ଏପରି ହିଁ ଚାଲିଛି ଓ ଆଗକୁ ବି ଚାଲୁଥିବ ।   

୧୭ ‘ଆପଣଙ୍କ ଧାର୍ମିକତା ମଧ୍ୟ ସମୁଦ୍ରର ତରଙ୍ଗ ତୁଲ୍ୟ’ ହୋଇପାରେ । ଯେପରି ସମୁଦ୍ରର ଲହଡ଼ି ଲଗାତାର ଆସୁଥାଏ, ସେହିପରି ଆପଣ ମଧ୍ୟ ସବୁବେଳେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିପାରିବେ । ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବନ୍ତୁ ଯେ ଯିହୋବାଙ୍କୁ କʼଣ ଭଲ ଲାଗେ । ଆଉ ତାʼପରେ ସେପରି ହିଁ କରନ୍ତୁ । ସେହି ନିଷ୍ପତ୍ତି ନେବା ଆପଣଙ୍କୁ ଯେତେ ବି କଠିନ ଲାଗୁ ନା କାହିଁକି, ମନେ ରଖନ୍ତୁ ଯେ ଆପଣଙ୍କ ପିତା ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି । ସେ ସବୁବେଳେ ଆପଣଙ୍କ ସହ ରହିବେ ଓ ଆପଣଙ୍କୁ ସବୁବେଳେ ତାଙ୍କ ସ୍ତରଗୁଡ଼ିକୁ ମାନିବା ଜାରି ରଖିବା ପାଇଁ ସାହସ ଦେବେ ।—ଯିଶା. ୪୦:୨୯-୩୧.

୧୮. ଆମେ କାହିଁକି ନିଜ ହିସାବରେ ଅନ୍ୟମାନଙ୍କର ନ୍ୟାୟ କରିବା ଉଚିତ୍‌ ନୁହେଁ ?

୧୮ ତୃତୀୟ କଥା: ଅନ୍ୟମାନଙ୍କ ଉପରେ ପ୍ରଶ୍ନ କରନ୍ତୁ ନାହିଁ, ନ୍ୟାୟ କରିବା ଯିହୋବାଙ୍କର କାମ ଅଟେ । ଆମେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ । କିନ୍ତୁ ଆମେ କେବେ ବି ଅନ୍ୟମାନଙ୍କ ଉପରେ ପ୍ରଶ୍ନ କରିବା ଉଚିତ୍‌ ନୁହେଁ ଓ ଏହା ଭାବିବା ଉଚିତ୍‌ ନୁହେଁ ଯେ ସେମାନେ ଯିହୋବାଙ୍କ ସ୍ତରଗୁଡ଼ିକୁ ଠିକ୍‌ ଭାବରେ ମାନୁ ନାହାନ୍ତି । ନିଜ ହିସାବରେ ସେମାନଙ୍କର ନ୍ୟାୟ କରିବା ପରିବର୍ତ୍ତେ, ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା “ସମସ୍ତ ପୃଥିବୀର ବିଚାରକର୍ତ୍ତା” ଅଟନ୍ତି । (ଆଦି. ୧୮:୨୫) ଯିହୋବା ଆମକୁ ଆମ ହିସାବରେ ଅନ୍ୟମାନଙ୍କ ଉପରେ ନ୍ୟାୟ କରିବାର ଅଧିକାର ଦେଇ ନାହାନ୍ତି । ଯୀଶୁ ମଧ୍ୟ ଆଜ୍ଞା ଦେଇଥିଲେ, “ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ ।”—ମାଥି. ୭:୧. b

୧୯. ଯୋଷେଫ ଜାଣିଥିଲେ ଯେ ଯିହୋବାଙ୍କ ପାଖରେ ହିଁ ନ୍ୟାୟ କରିବାର ଅଧିକାର ଅଛି, ତେଣୁ ସେ କʼଣ କଲେ ?

୧୯ ପୁଣିଥରେ ଯୋଷେଫଙ୍କ ବିଷୟରେ ଭାବନ୍ତୁ । ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ । କିନ୍ତୁ ତାଙ୍କ ଭାଇମାନେ ତାଙ୍କ ସହ ବହୁତ ଖରାପ ବ୍ୟବହାର କଲେ । ସେମାନେ ତାଙ୍କୁ ମାରପିଟ୍‌ କଲେ, ତାଙ୍କୁ ଦାସତ୍ୱରେ ବିକ୍ରି କରିଦେଲେ ଓ ନିଜ ବାପାଙ୍କୁ ମଧ୍ୟ ଭରସା କରାଇ ଦେଲେ ଯେ ଯୋଷେଫ ମରି ଯାଇଛନ୍ତି । କିଛି ବର୍ଷ ପରେ, ଯୋଷେଫ ପୁଣି ଥରେ ନିଜ ଭାଇମାନଙ୍କ ସହ ଦେଖା ହେଲେ । ସେସମୟ ଯାଏ ସେ ମିଶରର ଜଣେ ବଡ଼ ଅଧିକାରୀ ହୋଇ ସାରିଥିଲେ । ତେଣୁ ସେ ଚାହିଁଥିଲେ ନିଜ ଭାଇମାନଙ୍କ ଉପରେ ପ୍ରତିଶୋଧ ନେଇ ପାରିଥାʼନ୍ତେ ଓ ସେମାନଙ୍କୁ ଦଣ୍ଡ ଦେଇ ପାରିଥାʼନ୍ତେ । ତାଙ୍କ ଭାଇମାନଙ୍କୁ ନିଜ କାମ ପାଇଁ ଅବଶୋଷ ଥିଲା, କିନ୍ତୁ ସେମାନଙ୍କୁ ଲାଗୁଥିଲା ଯେ ଯୋଷେଫ ସେମାନଙ୍କ ଉପରେ ପ୍ରତିଶୋଧ ନେବେ । କିନ୍ତୁ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ କିଛି ଭୟ କର ନାହିଁ, ମୁଁ କʼଣ ପରମେଶ୍ୱରଙ୍କ ପ୍ରତିନିଧି ?” (ଆଦି. ୩୭:୧୮-୨୦, ୨୭, ୨୮, ୩୧-୩୫; ୫୦:୧୫-୨୧) ଯୋଷେଫ ନିଜ ଭାଇମାନଙ୍କର ନ୍ୟାୟ କଲେନି । ସେ ଜାଣିଥିଲେ ଯେ କେବଳ ଯିହୋବାଙ୍କ ପାଖରେ ହିଁ ନ୍ୟାୟ କରିବାର ଅଧିକାର ଅଛି ।

୨୦-୨୧. ଆମେ ଭାଇଭଉଣୀ ଓ ଅନ୍ୟ ଲୋକଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ ?

୨୦ ଯୋଷେଫଙ୍କ ଭଳି ଆମେ ମଧ୍ୟ ମନେ ରଖିବା ଉଚିତ୍‌ ଯେ ନ୍ୟାୟ କରିବାର ଅଧିକାର କେବଳ ଯିହୋବାଙ୍କ ପାଖରେ ହିଁ ଅଛି । ଏହା ଆମର କାମ ନୁହେଁ । ଆମେ ପୂରାପୂରି ଜାଣିପାରିବାନି ଯେ ଜଣେ ଭାଇ କିମ୍ବା ଭଉଣୀ କୌଣସି କାମ କାହିଁକି କଲେ । ଆମେ ତାଙ୍କ ହୃଦୟରେ କʼଣ ଚାଲୁଛି ତାହା ବି ଜାଣିପାରିବାନି । କେବଳ ‘ଯିହୋବା ହିଁ ହୃଦୟସବୁ ତୌଲନ୍ତି ।’ (ହିତୋ. ୧୬:୨) ଯିହୋବା ସମସ୍ତଙ୍କୁ ପ୍ରେମ କରନ୍ତି, ଏପରିକି ସେ ମଣିଷ ଯେକୌଣସି ଦେଶ ବା ଯେକୌଣସି ଜାତିର ହୋଇଥାଉ ନା କାହିଁକି । ଆଉ ସେ ଚାହାନ୍ତି ଯେ ଆମେ ମଧ୍ୟ ‘ପ୍ରଶସ୍ତମନା ହେଉ’ ବା ନିଜ ହୃଦୟକୁ ବଡ଼ କରୁ ଓ ସମସ୍ତ ଭାଇଭଉଣୀମାନଙ୍କୁ ପ୍ରେମ କରୁ ଓ ନିଜ ସ୍ତର ହିସାବରେ ଅନ୍ୟମାନଙ୍କର ନ୍ୟାୟ ନ କରୁ ।—୨ କରି. ୬:୧୩.

୨୧ ଭାଇଭଉଣୀମାନଙ୍କ ଛଡ଼ା ଆମେ ଅନ୍ୟ ଲୋକମାନଙ୍କ ବିଷୟରେ ବି ନିଜ ହିସାବରେ ଠିକ୍‌ ଭୁଲ ନିର୍ଦ୍ଧାରିତ କରିବା ଉଚିତ୍‌ ନୁହେଁ । (୧ ତୀମ. ୨:୩, ୪) ଯେପରି ଆମେ ନିଜର କୌଣସି ସମ୍ପର୍କୀୟ ବିଷୟରେ ଏହା ଭାବିବା ନାହିଁ ଯେ ସେ ତ କେବେ ସତ୍ୟ ଶିଖିବ ନାହିଁ । ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ଆଜି “ସମସ୍ତ ମନୁଷ୍ୟଙ୍କୁ” ପଶ୍ଚାତାପ କରିବାର ସୁଯୋଗ ଦେଇଛନ୍ତି । (ପ୍ରେରି. ୧୭:୩୦) ତେଣୁ କେବେ ବି ଅନ୍ୟମାନଙ୍କ ଉପରେ ଦୋଷ ଲଗାନ୍ତୁ ନାହିଁ, କିମ୍ବା କାହାରି ବିଷୟରେ ଏପରି ଭାବନ୍ତୁ ନାହିଁ ଯେ ସେ ତ କେବେ ଶୁଣିବ ନାହିଁ । ମନେ ରଖନ୍ତୁ, ଯେଉଁ ଲୋକ ନିଜକୁ ବହୁତ ଧାର୍ମିକ ମନେ କରେ, ଯିହୋବା ତାକୁ ଧାର୍ମିକ ମନେ କରନ୍ତି ନାହିଁ ।

୨୨. ଆପଣ ଯିହୋବାଙ୍କ ସ୍ତରଗୁଡ଼ିକୁ କାହିଁକି ମାନିବାକୁ ଚାହାନ୍ତି ?

୨୨ ଆସନ୍ତୁ ଆମେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବାର ନିଜ ଇଚ୍ଛାକୁ ପକ୍କା କରିବା ଜାରି ରଖିବା, ଓ “ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ” ହେବା ଜାରି ରଖିବା । (ମାଥି. ୫:୬) ଏପରି କଲେ ଆମକୁ ଖୁସି ମିଳିବ । ତେବେ ଅନ୍ୟମାନେ ବି ଆମଠୁ ଶିଖିବେ ଓ ଆମକୁ ଆଉ ଯିହୋବାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିବେ । ଯେବେ ଆମେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ପାଇଁ ଚେଷ୍ଟା କରିବା, ତେବେ ସେ ଆମର ପରିଶ୍ରମ ଉପରେ ଧ୍ୟାନ ଦେବେ ଓ ଖୁସି ହେବେ । ଦୁନିଆର ସ୍ତରଗୁଡ଼ିକ ତ ଖସି ଖସି ଯାଉଛି, କିନ୍ତୁ ଆସନ୍ତୁ ଆମେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ଜାରି ରଖିବା କାରଣ ସେ “ଧାର୍ମିକମାନଙ୍କୁ ପ୍ରେମ” କରନ୍ତି ।—ଗୀତ. ୧୪୬:୮.

ଗୀତ ୧୩୯ ଖୁଦ୍‌କୋ ନଈ ଦୁନିଆ ମେଁ ଦେଖେଁ !

a ଏହି ଦୁନିଆରେ ଖରାପ ଲୋକମାନେ ଭରିପଡ଼ିଛନ୍ତି । କିନ୍ତୁ ଅନେକ ଧାର୍ମିକ ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ ଏପରି କାମ କରନ୍ତି ଯାହା ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ । ନିଶ୍ଚୟ ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ ଥିବେ । ଆପଣ ଏପରି କାମ ଏଥିପାଇଁ କରନ୍ତି କାରଣ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ଓ ଯିହୋବାଙ୍କୁ ଧାର୍ମିକ କାମ ପସନ୍ଦ । ଏହି ଲେଖାରେ ଆମେ ଜାଣିବା ଯେ ଧାର୍ମିକତାର ଅର୍ଥ କʼଣ ଓ ଧାର୍ମିକ କାମ କଲେ କʼଣ ଲାଭ ହୁଏ । ଆମେ ଏହା ବି ଜାଣିବା ଯେ ଧାର୍ମିକ କାମ କରିବାର ଆମ ଇଚ୍ଛାକୁ ଆମେ ଆହୁରି ଦୃଢ଼ କିପରି କରିପାରିବା ।

b କିଛି ମାମଲାଗୁଡ଼ିକରେ ମଣ୍ଡଳୀର ପ୍ରାଚୀନମାନଙ୍କୁ ନ୍ୟାୟ କରିବାକୁ ପଡ଼େ, ଯେପରି ଯେବେ କେହି ଗମ୍ଭୀର ପାପ କରନ୍ତି । (୧ କରି. ୫:୧୧; ୬:୫; ଯାକୁ. ୫:୧୪, ୧୫) କିନ୍ତୁ ଏପରି କରିବା ସମୟରେ ପ୍ରାଚୀନମାନେ ମନେ ରଖନ୍ତି ଯେ ସେମାନେ କାହାରି ହୃଦୟ ପଢ଼ିପାରିବେ ନାହିଁ ଆଉ ସେମାନେ ଯିହୋବାଙ୍କ ତରଫରୁ ନ୍ୟାୟ କରୁଛନ୍ତି । (୨ ବଂଶାବଳୀ ୧୯:୬ ପଦ ସହ ତୁଳନା କରନ୍ତୁ ।) ତେଣୁ ଅନ୍ୟମାନଙ୍କର ନ୍ୟାୟ କରିବା ସମୟରେ ସେମାନେ ଚେଷ୍ଟା କରନ୍ତି ଯେ ସେମାନେ ଯିହୋବାଙ୍କ ସ୍ତରଗୁଡ଼ିକୁ ଧ୍ୟାନରେ ରଖନ୍ତୁ ଓ ଯିହୋବାଙ୍କ ଭଳି ନ୍ୟାୟ କରନ୍ତୁ । ସେମାନେ ଅନ୍ୟମାନଙ୍କ ଠାରୁ ଅତ୍ୟଧିକ ଆଶା କରନ୍ତି ନାହିଁ, ଭେଦଭାବ କରନ୍ତି ନାହିଁ ଓ ଯଦି ସମ୍ଭବ ତାହେଲେ ଦୟା କରନ୍ତି ।