इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୫

ପରସ୍ପରକୁ ଲଗାତାର ମଜବୁତ୍‌ କରୁଥାଅ

ପରସ୍ପରକୁ ଲଗାତାର ମଜବୁତ୍‌ କରୁଥାଅ

“ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପରର ନିଷ୍ଠା [“ପରସ୍ପରର ଲଗାତାର ସାହସ ବଢ଼ାଅ,” NWT] ଜନ୍ମାଅ ।”—୧ ଥେସ. ୫:୧୧.

ଗୀତ ୯୦ ଏକ ଦୁସ୍‌ରେ କି ହିମ୍ମତ ବନ୍ଧାଏଁ

ଲେଖାର ଝଲକ a

୧. ପ୍ରଥମ ଥେସଲନୀକୀୟ ୫:୧୧ ପଦ ଅନୁସାରେ ଆମ ସମସ୍ତଙ୍କୁ କʼଣ କରିବା ଉଚିତ୍‌ ?

 କʼଣ ଆପଣ କେବେ ରାଜ୍ୟଘରର ନିର୍ମାଣ କାମରେ ସାହାଯ୍ୟ କରିଛନ୍ତି ? ଯେବେ ତାହା ତିଆରି ହୋଇଯାଇଥିବ ଓ ଆପଣ ପ୍ରଥମ ଥର ସଭାରେ ଯାଇଥିବେ, ତେବେ ଆପଣଙ୍କ ଖୁସିର ସୀମା ରହି ନ ଥିବ ! ହୁଏତ ରାଜ୍ୟ ଗୀତ ଗାଇବା ସମୟରେ ଖୁସିରେ ଆପଣଙ୍କ ଆଖିରୁ ଲୁହ ଝରି ଯାଇଥିବ । କିମ୍ବା ଯଦି ଆପଣ ରାଜ୍ୟଘରର ରକ୍ଷଣାବେକ୍ଷଣ କରିବା ବା ତାʼର ମରାମତି କରିବାରେ ସାହାଯ୍ୟ କରିଛନ୍ତି, ତାହେଲେ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିଥିବ । ଯେବେ ଆମ ରାଜ୍ୟଘରଗୁଡ଼ିକ ଭଲ ଅବସ୍ଥାରେ ଥାଏ ଓ ସୁନ୍ଦର ଦେଖାଯାଏ, ତେବେ ଏଥିରୁ ଯିହୋବାଙ୍କର ମହିମା ହୁଏ । କିନ୍ତୁ ଆଉ ଗୋଟିଏ କାମ ମଧ୍ୟ ଅଛି ଯାହା ଏପରି କୋଠାଘରର ମରାମତି କରିବା ଓ ସେଗୁଡ଼ିକୁ ମଜବୁତ୍‌ କରିବା ଠାରୁ ଆହୁରି ଅଧିକ ଜରୁରୀ ଅଟେ । ତାହା ହେଉଛି ପରସ୍ପରକୁ ମଜବୁତ୍‌ କରିବା ଓ ପରସ୍ପରର ଉତ୍ସାହ ବଢ଼ାଇବା । ଏଥିରୁ ମଧ୍ୟ ଯିହୋବାଙ୍କର ମହିମା ହୁଏ । ପ୍ରେରିତ ପାଉଲ ଥେସଲନୀକୀୟର ଖ୍ରୀଷ୍ଟିୟାନମାନଙ୍କୁ ଏପରି ହିଁ କରିବା ପାଇଁ ପ୍ରୋତ୍ସାହନ ଦେଲେ । ସେ ସେମାନଙ୍କୁ ଯାହା କହିଲେ, ତାହା ଆମେ ୧ ଥେସଲନୀକୀୟ ୫:୧୧ ପଦରେ ପଢ଼ିପାରିବା । (ପଢ଼ନ୍ତୁ ।) ଏହା ଏହି ଲେଖାର ମୁଖ୍ୟ ପଦ ମଧ୍ୟ ଅଟେ ।

୨. ଆମେ ଏହି ଲେଖାରେ କʼଣ ଶିଖିବା ?

ପାଉଲ ଭାଇଭଉଣୀମାନଙ୍କୁ ସହାନୁଭୂତି ଦେଖାଉଥିଲେ । ତେଣୁ ସେ ସେମାନଙ୍କର ଉତ୍ସାହ ବଢ଼ାଇପାରିଲେ ଓ ସେମାନଙ୍କୁ ମଜବୁତ୍‌ କରିପାରିଲେ । ଏହି ଲେଖାରେ ଆମେ ଜାଣିବା ଯେ ସେ କିପରି ଭାଇଭଉଣୀମାନଙ୍କୁ (୧) ସମସ୍ୟାଗୁଡ଼ିକୁ ସହିବା ପାଇଁ (୨) ପରସ୍ପର ସହ ଶାନ୍ତି ବଜାୟ ରଖିବା ପାଇଁ ଓ (୩) ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଇବା ପାଇଁ ସାହାଯ୍ୟ କଲେ । ଆମେ ଏହା ମଧ୍ୟ ଶିଖିବା ଯେ ଆମେ କିପରି ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଇପାରିବା ।—୧ କରି. ୧୧:୧.

ପାଉଲ ସମସ୍ୟାଗୁଡ଼ିକୁ ସହିବା ପାଇଁ ଭାଇଭଉଣୀମାନଙ୍କୁ ସାହାଯ୍ୟ କଲେ

୩. ପାଉଲ କିପରି ନିଜ ମନ ଯିହୋବାଙ୍କ ସେବା ଉପରେ ଲଗାଇ ରଖିଲେ ?

ପାଉଲ ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରୁଥିଲେ ଆଉ ସେ ସେମାନଙ୍କ ଉପରେ ସହାନୁଭୂତି ଦେଖାଉଥିଲେ । ଯେବେ ଅନ୍ୟ ଭାଇଭଉଣୀମାନେ ସମସ୍ୟା ସହୁଥିଲେ, ତେବେ ସେ ସେମାନଙ୍କର ପରିସ୍ଥିତିକୁ ଭଲଭାବରେ ବୁଝିପାରିଲେ କାରଣ ସେ ନିଜେ ଅନେକ ସମସ୍ୟା ସହିଥିଲେ । ଥରେ ପାଉଲଙ୍କୁ ପଇସାର ସମସ୍ୟା ହୋଇଗଲା ଏବଂ ତାଙ୍କୁ ଓ ତାଙ୍କ ସାଙ୍ଗମାନଙ୍କର ଭରଣପୋଷଣ କରିବା ପାଇଁ ତାଙ୍କୁ କାମ କରିବାକୁ ପଡ଼ିଲା । (ପ୍ରେରି. ୨୦:୩୪) ତାଙ୍କୁ ତମ୍ବୁ ତିଆରି କରିବାର କାମ ଆସୁଥିଲା । ତେଣୁ ଯେବେ ସେ କରିନ୍ଥୀୟ ଆସିଲେ ତେବେ ସେ ଆକ୍ୱିଲା ଓ ପ୍ରୀସ୍କିଲ୍ଲା ସହ ମିଶି ତମ୍ବୁ ତିଆରି କଲେ । କିନ୍ତୁ “ପ୍ରତି ବିଶ୍ରାମବାରରେ” ସେ ସଭାଘରେ ଯାଇ ଯିହୁଦୀ ଓ ଗ୍ରୀକ୍‌ମାନଙ୍କୁ ପ୍ରଚାର କରୁଥିଲେ । ତାʼପରେ ଯେବେ ଶୀଲା ଓ ତୀମଥି ମଧ୍ୟ ସେଠାକୁ ଆସିଲେ, ତେବେ ପାଉଲ ‘ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ହୋଇଗଲେ ।’ (ପ୍ରେରି. ୧୮:୨-୫) ପାଉଲ ବହୁତ ପରିଶ୍ରମୀ ଥିଲେ ଓ ନିଜର ଭରଣପୋଷଣ କରିବା ପାଇଁ କାମ ମଧ୍ୟ କଲେ । କିନ୍ତୁ ଯିହୋବାଙ୍କ ସେବା କରିବା ତାଙ୍କ ପାଇଁ ସବୁଠୁ ବେଶି ଜରୁରୀ ଥିଲା, ସେ ନିଜର ମନ ଏହା ଉପରେ ହିଁ ଲଗାଇ ରଖିଲେ । ତେଣୁ ସେ ଭାଇଭଉଣୀମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପ୍ରୋତ୍ସାହନ ଦେଇପାରିଲେ । ସେ ସେମାନଙ୍କୁ କହିଲେ ଯେ ସେମାନେ ଜୀବନର ଚିନ୍ତା ଓ ପରିବାରର ଆବଶ୍ୟକତାଗୁଡ଼ିକ ବିଷୟରେ ବହୁତ ବେଶି ନ ଭାବନ୍ତୁ, ବରଂ ନିଜର ଧ୍ୟାନ “ଉତ୍କୃଷ୍ଟ ବିଷୟଗୁଡ଼ିକ” ବା ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକ ଉପରେ ଲଗାଇ ରଖନ୍ତୁ ।—ଫିଲିପ୍‌. ୧:୧୦.

୪. ପାଉଲ ଓ ତୀମଥି ସମସ୍ୟା ସହିବା ପାଇଁ ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କଲେ ?

ଥେସଲନୀକୀୟରେ ନୂଆ ନୂଆ ମଣ୍ଡଳୀ ଆରମ୍ଭ ହେବାର କିଛି ସମୟ ପରେ ହିଁ ସେଠାର ଭାଇମାନଙ୍କ ଉପରେ ବିରୋଧ ହେବାକୁ ଲାଗିଲା । ଗୋଟିଏ ବଡ଼ ଭିଡ଼ ପାଉଲ ଓ ଶୀଲାଙ୍କୁ ବନ୍ଦୀ କରିବାକୁ ଚାହୁଁଥିଲା । କିନ୍ତୁ ଯେବେ ସେମାନେ ସେମାନଙ୍କୁ ପାଇଲେ ନାହିଁ, ତେବେ ସେମାନେ ‘କେତେକ ଭାଇଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚ ସ୍ୱରରେ ଡ଼ାକି କହିଲେ, “ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି ।” ’ (ପ୍ରେରି. ୧୭:୬, ୭) ଭାବନ୍ତୁ, ଏସବୁ ଦେଖି ନୂଆ ଭାଇଭଉଣୀମାନେ କେତେ ଡ଼ରି ଯାଇଥିବେ । ପାଉଲ ଚାହୁଁ ନ ଥିଲେ ଯେ ସେମାନଙ୍କର ବିଶ୍ୱାସ ଦୁର୍ବଳ ପଡ଼ିଯାଉ ଓ ସେମାନେ ଯିହୋବାଙ୍କ ସେବା କରିବା ଛାଡ଼ି ଦିଅନ୍ତୁ । ସେ ଓ ଶୀଲା ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ରହିପାରନ୍ତେ ନାହିଁ, ତେଣୁ ସେମାନେ ଗୋଟିଏ ବ୍ୟବସ୍ଥା କଲେ । ସେମାନେ ଭାଇଭଉଣୀଙ୍କୁ ମଜବୁତ୍‌ କରିବା ପାଇଁ ଓ ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ତୀମଥିଙ୍କୁ ତାଙ୍କ ପାଖକୁ ପଠାଇଲେ । ପାଉଲ ଥେସଲନୀକୀୟର ଭାଇଭଉଣୀମାନଙ୍କୁ ଲେଖିଲେ, ‘ଆମେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ଓ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ ଆଉ ଯେପରି କେହି ଏହି ସମସ୍ତ କ୍ଳେଶ ମଧ୍ୟରେ ବିଚଳିତ ନ ହୁଏ ।’ (୧ ଥେସ. ୩:୨, ୩) ହୁଏତ ତୀମଥି ନିଜେ ମଧ୍ୟ ନିଜ ସହର ଲୁସ୍ତ୍ରାରେ ଅତ୍ୟାଚାର ସହିଥିଲେ । ସେ ଏହା ମଧ୍ୟ ଦେଖିଥିଲେ ଯେ ପାଉଲ ସେଠାର ଭାଇମାନଙ୍କର କିପରି ସାହସ ବଢ଼ାଇଥିଲେ । ତେଣୁ ସେ ଥେସଲନୀକୀୟର ଭାଇଭଉଣୀମାନଙ୍କୁ ଭରସା ଦେଇପାରିଥିବେ ଯେ ଯିହୋବା ସେମାନଙ୍କୁ ସାହାଯ୍ୟ କରିବେ ଓ ସବୁକିଛି ଠିକ୍‌ ହୋଇଯିବ ।—ପ୍ରେରି. ୧୪:୮, ୧୯-୨୨; ଏବ୍ରୀ ୧୨:୨.

୫. ଟୋନି ବ୍ରାୟଣ୍ଟକୁ କିପରି ସାହାଯ୍ୟ କଲେ ? ଏଥିରୁ ବ୍ରାୟଣ୍ଟକୁ କʼଣ ଲାଭ ହେଲା ?

ପାଉଲ ଆଉ ଗୋଟିଏ ଉପାୟରେ ଭାଇଭଉଣୀମାନଙ୍କୁ ମଜବୁତ୍‌ କଲେ । ଯେବେ ସେ ଓ ବର୍ଣ୍ଣବ୍‌ବା ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ଫେରିଲେ, ତେବେ ସେମାନେ “ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନଙ୍କୁ” ନିଯୁକ୍ତ କଲେ । (ପ୍ରେରି. ୧୪:୨୧-୨୩) ଏହି ପ୍ରାଚୀନମାନେ ନିଶ୍ଚୟ ସମସ୍ୟା ସମୟରେ ସେଠାର ଭାଇଭଉଣୀମାନଙ୍କର ସାହସ ବଢ଼ାଇଥିବେ । ଆଜି ମଧ୍ୟ ପ୍ରାଚୀନମାନେ ଏପରି ହିଁ କରନ୍ତି । ବ୍ରାୟଣ୍ଟ ନାମକ ଜଣେ ଭାଇ କହନ୍ତି ଯେ ଜଣେ ପ୍ରାଚୀନ କିପରି ତାଙ୍କର ସାହସ ବଢ଼ାଇଲେ । ସେ କହନ୍ତି, “ଯେବେ ମୁଁ ୧୫ ବର୍ଷର ଥିଲି, ତେବେ ବାପା ଘର ଛାଡ଼ି ଚାଲିଗଲେ ଓ ମାଆଙ୍କର ମଧ୍ୟ ବହିଷ୍କାର ହୋଇଗଲା । ଏପରି ଲାଗୁଥିଲା ଯେ ମୋର କେହି ନାହାନ୍ତି । ମୁଁ ବହୁତ ଦୁଃଖରେ ରହିବାକୁ ଲାଗିଲି ।” ବ୍ରାୟଣ୍ଟ କିପରି ଏହି ସମସ୍ୟାର ସାମନା କରିପାରିଲେ ? ସେ କହନ୍ତି, “ସେ ସମୟରେ ମୋ ମଣ୍ଡଳୀରେ ଟୋନି ନାମକ ଜଣେ ପ୍ରାଚୀନ ଥିଲେ । ସେ ସବୁବେଳେ ମୋ ସହ କଥା ହେଉଥିଲେ, ଯେବେ ମୁଁ ସଭାରେ ଯାଉଥିଲି ତେବେ ବି ଓ ଅନ୍ୟ ସମୟରେ ବି । ସେ ମୋତେ ଏପରି ଲୋକମାନଙ୍କ ବିଷୟରେ କହୁଥିଲେ ଯେଉଁମାନେ ଅନେକ ସମସ୍ୟା ସହି ମଧ୍ୟ ଖୁସିରେ ରହିଲେ । ସେ ମୋ ସହ ଗୀତସଂହିତା ୨୭:୧୦ ପଦ ପଢ଼ିଲେ । ସେ ଅନେକ ସମୟରେ ମୋ ସହ ହିଜକୀୟଙ୍କ ବିଷୟରେ ବି କଥା ହେଉଥିଲେ । ହିଜକୀୟଙ୍କ ବାପା ଯିହୋବାଙ୍କ ସେବା କରୁ ନ ଥିଲେ, କିନ୍ତୁ ହିଜକୀୟ ବିଶ୍ୱସ୍ତ ହୋଇ ରହିଲେ ।” ଭାଇ ଟୋନିଙ୍କର କଥାଗୁଡ଼ିକରୁ ବ୍ରାୟଣ୍ଟକୁ ବହୁତ ସାହାଯ୍ୟ ମିଳିଲା । ସେ କହନ୍ତି, “ଭାଇ ଟୋନି ମୋର ବହୁତ ଉତ୍ସାହ ବଢ଼ାଇଲେ ଓ ଏହା ଯୋଗୁଁ ମୁଁ ଆଗକୁ ଯାଇ ପୂର୍ଣ୍ଣ ସମୟର ସେବା କରିପାରିଲି ।” ପ୍ରାଚୀନମାନେ, ମଣ୍ଡଳୀର ଭାଇଭଉଣୀଙ୍କ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ ଯେ ଆପଣ କାହାକୁ “ମଙ୍ଗଳବାକ୍ୟ” କହି ଉତ୍ସାହ ବଢ଼ାଇପାରିବେ ।—ହିତୋ. ୧୨:୨୫.

୬. ପାଉଲ କିପରି ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କର ଉତ୍ସାହ ବଢ଼ାଇଲେ ?

ପାଉଲ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ପ୍ରାଚୀନ ସମୟର ବିଶ୍ୱସ୍ତ ଲୋକମାନଙ୍କ ବିଷୟରେ କହିଲେ, ଯେଉଁମାନେ ଯିହୋବାଙ୍କ ସାହାଯ୍ୟରେ ଅନେକ ସମସ୍ୟା ସହିଥିଲେ । ପାଉଲ ସେମାନଙ୍କୁ “ବୃହତ ମେଘ ତୁଲ୍ୟ ସାକ୍ଷୀ” ବୋଲି କହିଲେ । (ଏବ୍ରୀ ୧୨:୧) ସେ ଜାଣିଥିଲେ ଯେ ଯେବେ ଭାଇଭଉଣୀମାନେ ସେହି ବିଶ୍ୱସ୍ତ ଲୋକମାନଙ୍କ ବିଷୟରେ ଭାବିବେ, ତେବେ ସେମାନଙ୍କୁ ନିଜ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହସ ମିଳିବ ଓ ସେମାନେ ନିଜ ଧ୍ୟାନ “ଜୀବନ୍ତ ଈଶ୍ୱରଙ୍କ ନଗର” ବା ଈଶ୍ୱରଙ୍କ ରାଜ୍ୟ ଉପରେ ଲଗାଇ ରଖିପାରିବେ । (ଏବ୍ରୀ ୧୨:୨୨) ଆଜି ଆମେ ବି ଯେବେ ଏବିଷୟରେ ପଢ଼ୁ ଯେ ଯିହୋବା କିପରି ଗିଦୋନ, ବାରାକ, ଦାଉଦ, ଶାମୁଏଲ ଓ ଅନ୍ୟ ସେବକମାନଙ୍କୁ ସାହାଯ୍ୟ କରିଥିଲେ, ତେବେ ଆମକୁ ବହୁତ ସାହସ ମିଳେ । (ଏବ୍ରୀ ୧୧:୩୨-୩୫) ଆମ ସମୟରେ ମଧ୍ୟ ଯିହୋବା ଅନେକ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିଛନ୍ତି । ଯେବେ ଆମେ ସେମାନଙ୍କ ବିଷୟରେ ପଢ଼ୁ, ତେବେ ଆମର ବହୁତ ସାହସ ବଢ଼େ । ଯିହୋବାଙ୍କ ସାକ୍ଷୀମାନଙ୍କର ବିଶ୍ୱ ମୁଖ୍ୟାଳୟରେ ଅନେକ ସମୟରେ ଏପରି ଚିଠି ଆସେ ଯେଉଁଥିରେ ଭାଇଭଉଣୀମାନେ କହିଥାʼନ୍ତି ଯେ ଯେବେ ସେମାନେ ଅନ୍ୟ ଭାଇଭଉଣୀମାନଙ୍କର ଜୀବନ କାହାଣୀ ପଢ଼ିଲେ, ତେବେ ସେମାନଙ୍କର କେତେ ବିଶ୍ୱାସ ବଢ଼ିଲା ।

ପାଉଲ ଭାଇଭଉଣୀମାନଙ୍କୁ ଶିଖାଇଲେ ଯେ ଶାନ୍ତି କିପରି ବଜାୟ ରଖିବା

୭. ରୋମୀୟ ୧୪:୧୯-୨୧ ପଦରେ ଲେଖାଥିବା ପାଉଲଙ୍କ ପରାମର୍ଶରୁ ଆପଣ କʼଣ ଶିଖିପାରିବେ ?

ଯେବେ ଆମେ ଏପରି କଥା ହେଉ ଓ ଏପରି କାମ କରୁ ଯେଉଁଥିରୁ ମଣ୍ଡଳୀରେ ଶାନ୍ତି ରହେ, ତାହେଲେ ଏଥିରୁ ମଧ୍ୟ ଭାଇଭଉଣୀମାନଙ୍କ ସାହସ ବଢ଼େ ଓ ସେମାନେ ମଜବୁତ୍‌ ହୁଅନ୍ତି । ଯଦି କୌଣସି ମାମଲାରେ ଅନ୍ୟମାନଙ୍କ ମତ ଆମ ମତ ଠାରୁ ଅଲଗା ଥାଏ ଓ ତାହା ବାଇବଲ ସିଦ୍ଧାନ୍ତର ବିରୁଦ୍ଧରେ ନୁହେଁ, ତାହେଲେ ଆମେ ନିଜ କଥାକୁ ହିଁ ଠିକ୍‌ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବା ନାହିଁ । ପ୍ରଥମ ଶତାବ୍ଦୀରେ ରୋମର ମଣ୍ଡଳୀରେ ମଧ୍ୟ ଏପରି ହିଁ ଗୋଟିଏ ସମସ୍ୟା ଥିଲା । ସେଠାରେ ଅଣଯିହୁଦୀ ଖ୍ରୀଷ୍ଟିୟାନମାନେ ମଧ୍ୟ ଥିଲେ ଓ ଯିହୁଦୀ ଖ୍ରୀଷ୍ଟିୟାନମାନେ ମଧ୍ୟ । ସେ ସମୟ ଯାଏ ମୋଶାଙ୍କ ନିୟମ ରଦ୍ଦ ହୋଇସାରିଥିଲା ଓ ଖାଇବା ପାଇଁ କିଛି ବି ଜିନିଷ ଅଶୁଦ୍ଧ ନ ଥିଲା । (ମାର୍କ ୭:୧୯) ତେଣୁ କିଛି ଯିହୁଦୀ ଖ୍ରୀଷ୍ଟିୟାନମାନେ ସବୁକିଛି ଖାଇବାକୁ ଲାଗିଲେ । କିନ୍ତୁ କିଛି ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଏ କଥା ଠିକ୍‌ ଲାଗିଲାନି । ତାʼ ଯୋଗୁଁ ଭାଇଭଉଣୀମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଗଲା । ପାଉଲ ଜାଣିଥିଲେ ଯେ ଏପରି ମାମଲାଗୁଡ଼ିକ ଯୋଗୁଁ ଅନ୍ୟମାନଙ୍କୁ ବାଧା ଲାଗିପାରେ ଓ ମଣ୍ଡଳୀରେ ଭାଇଭଉଣୀମାନଙ୍କର ଭିତରେ ସମ୍ପର୍କ ଖରାପ ହୋଇପାରେ । ତେଣୁ ସେ ସେଠାର ଭାଇଭଉଣୀମାନଙ୍କୁ ପରାମର୍ଶ ଦେଲେ, “ମାଂସଭୋଜନ କିମ୍ବା ଦ୍ରାକ୍ଷାରସପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ ।” (ରୋମୀୟ ୧୪:୧୯-୨୧ ପଢ଼ନ୍ତୁ ।) ପାଉଲ ଚାହୁଁଥିଲେ ଯେ ମଣ୍ଡଳୀରେ ଶାନ୍ତି ରହୁ, ତେଣୁ ସେ ନିଜକୁ ମଧ୍ୟ ବଦଳାଇବା ପାଇଁ ପ୍ରସ୍ତୁତ ଥିଲେ ଯାହାଫଳରେ କାହାରିକୁ ବି ବାଧା ନ ଲାଗୁ । (୧ କରି. ୯:୧୯-୨୨) ଆମେ ମଧ୍ୟ ଏପରି ହିଁ କରିପାରିବା । ଯଦି କୌଣସି ମାମଲାରେ ଅନ୍ୟମାନଙ୍କର ମତ ଆମ ମତ ଠାରୁ ଅଲଗା ଅଛି ଓ ତାହା ବାଇବଲ ସିଦ୍ଧାନ୍ତଗୁଡ଼ିକର ବିରୁଦ୍ଧରେ ନାହିଁ, ତାହେଲେ ଆମେ ନିଜ କଥାକୁ ହିଁ ଠିକ୍‌ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବା ନାହିଁ । ଏପରି ଭାବେ ଆମେ ଶାନ୍ତି ବଜାୟ ରଖିପାରିବା ।

୮. ଯେବେ ମଣ୍ଡଳୀରେ ଗୋଟିଏ ବଡ଼ ସମସ୍ୟା ଆସିଲା, ତେବେ ଶାନ୍ତି ବଜାୟ ରଖିବା ପାଇଁ ପାଉଲ କʼଣ କଲେ ?

ଯେବେ ମଣ୍ଡଳୀରେ କିଛି ବଡ଼ ସମସ୍ୟା ଆସିଲା, ତେବେ ବି ପାଉଲ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କଲେ । ଯେପରି, କିଛି ଭାଇମାନଙ୍କୁ ଲାଗୁଥିଲା ଯେ ଯେଉଁ ଅଣଯିହୁଦୀ ଲୋକମାନେ ଖ୍ରୀଷ୍ଟିୟାନ ହୋଇଛନ୍ତି, ସେମାନଙ୍କୁ ସୁନ୍ନତ କରାଇବା ଉଚିତ୍‌ । ଆଉ ସେମାନେ ଅନ୍ୟମାନଙ୍କୁ ବି ଏହି କଥା ମାନିବା ପାଇଁ ବାଧ୍ୟ କରାଉଥିଲେ । ହୁଏତ ସେମାନଙ୍କୁ ଡର ଲାଗୁଥିଲା ଯେ ଯଦି ସେମାନେ ଏପରି କରିବେ ନାହିଁ, ତେବେ ଅନ୍ୟ ଲୋକମାନେ ତାଙ୍କ ଉପରେ ପ୍ରଶ୍ନ ଉଠାଇବେ । (ଗାଲା. ୬:୧୨) ପାଉଲ ଭଲଭାବେ ଜାଣିଥିଲେ ଯେ ସେମାନେ ବିନା କାରଣରେ ଏପରି ସମସ୍ୟା ସୃଷ୍ଟି କରୁଛନ୍ତି, ଅଣଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ସୁନ୍ନତ କରାଇବାର ଆବଶ୍ୟକତା ନ ଥିଲା । କିନ୍ତୁ ପାଉଲ ନମ୍ର ଥିଲେ, ତେଣୁ ନିଜ ମତକୁ ମାନିବା ପାଇଁ ଅନ୍ୟମାନଙ୍କୁ ବାଧ୍ୟ କରାଇବା ପରିବର୍ତ୍ତେ ସେ ‘ପ୍ରେରିତ ଓ ପ୍ରାଚୀନମାନଙ୍କଠାରୁ’ ପରାମର୍ଶ ନେଲେ, ଯେଉଁମାନେ ସେ ସମୟରେ ଯିରୂଶାଲମରେ ଥିଲେ । (ପ୍ରେରି. ୧୫:୧, ୨) ଏପରି କରିବାରୁ ଭାଇମାନଙ୍କ ମଧ୍ୟରେ ଶାନ୍ତି ରହିଲା ଓ ମଣ୍ଡଳୀରେ ଖୁସିଭରା ପରିସ୍ଥିତି ରହିଲା ।—ପ୍ରେରି. ୧୫:୩୦, ୩୧.

୯. ଆମେ ପାଉଲଙ୍କ ଭଳି ମଣ୍ଡଳୀରେ ଶାନ୍ତି କିପରି ବଜାୟ ରଖିପାରିବା ?

ହୁଏତ ଆମ ମଣ୍ଡଳୀରେ ବି କୌଣସି ବଡ଼ ସମସ୍ୟା ଆସିପାରେ । ଏପରି ସମୟରେ ଆମେ କʼଣ କରିବା ଉଚିତ୍‌ ? ଅନ୍ୟମାନଙ୍କୁ ଆମ ମତ ମାନିବା ପାଇଁ ବାଧ୍ୟ କରାଇବା ପରିବର୍ତ୍ତେ ଭଲ ହେବ ଯେ ଆମେ ସେହି ଭାଇମାନଙ୍କଠାରୁ ପରାମର୍ଶ ନେବା ଯେଉଁମାନଙ୍କୁ ଯିହୋବା ମଣ୍ଡଳୀର ଦେଖାଶୁଣା କରିବା ପାଇଁ ନିଯୁକ୍ତ କରିଛନ୍ତି । ଆମେ ବାଇବଲ ଆଧାରିତ ପ୍ରକାଶନରୁ ଅନୁସନ୍ଧାନ ବି କରିପାରିବା ଆଉ ସଂଗଠନରୁ ଆମକୁ ଯାହା ମାର୍ଗଦର୍ଶନ ଦିଆଯାଇଛି, ତାକୁ ପଢ଼ିପାରିବା । ସେହି ମାର୍ଗଦର୍ଶନକୁ ମାନିଲେ ଆମେ ମଣ୍ଡଳୀରେ ଶାନ୍ତି ବଜାୟ ରଖିପାରିବା ।

୧୦. ପାଉଲ ମଣ୍ଡଳୀରେ ପ୍ରେମ ଓ ଶାନ୍ତିର ପରିସ୍ଥିତି ବଜାୟ ରଖିବା ପାଇଁ ଆଉ କʼଣ କଲେ ?

୧୦ ମଣ୍ଡଳୀରେ ପ୍ରେମ ଓ ଶାନ୍ତିର ପରିସ୍ଥିତି ବଜାୟ ରଖିବା ପାଇଁ ପାଉଲ ଆଉ ବି କିଛି କଲେ । ସେ ଭାଇଭଉଣୀଙ୍କ ଦୁର୍ବଳତା ଉପରେ ନୁହେଁ, ବରଂ ସେମାନଙ୍କର ଭଲ ଗୁଣ ଉପରେ ଧ୍ୟାନ ଦେଲେ । ଯେପରି, ଯେବେ ସେ ରୋମର ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିଲେ, ତେବେ ସେହି ଚିଠିର ଶେଷରେ ସେ କିଛି ଲୋକମାନଙ୍କ ନାମ ନେଇ ତାଙ୍କୁ ପ୍ରଶଂସା କଲେ ବା ତାଙ୍କ ବିଷୟରେ କିଛି ଭଲ କଥା କହିଲେ । ପାଉଲଙ୍କ ଭଳି ଆମେ ବି ଭାଇଭଉଣୀଙ୍କ ଭଲ ଗୁଣ ଉପରେ ଧ୍ୟାନ ଦେବା ଉଚିତ୍‌ ଆଉ ସେମାନଙ୍କର ହୃଦୟରୁ ପ୍ରଶଂସା କରିବା ଉଚିତ୍‌ । ଯଦି ଆମେ ଏପରି କରିବା, ତେବେ ଆମର ସମ୍ପର୍କ ମଜବୁତ୍‌ ହୋଇଯିବ, ଆମେ ସମସ୍ତେ ପରସ୍ପରର ନିକଟତର ହୋଇପାରିବା ଆଉ ଆମ ଭିତରେ ପ୍ରେମ ବଢ଼ିବ ।

୧୧. ଯଦି ଆମର କାହାରି ସହିତ ଭୁଲ ବୁଝାମଣା ହୋଇଯାଏ, ତେବେ ଆମେ କʼଣ କରିବା ଉଚିତ୍‌ ?

୧୧ ଅନେକ ଥର ଅନୁଭବୀ ଖ୍ରୀଷ୍ଟିୟାନମାନଙ୍କ ମଝିରେ ବି କିଛି କଥାକୁ ନେଇ ଭୁଲ ବୁଝାମଣା ହୋଇପାରେ । ପାଉଲ ଓ ବର୍ଣ୍ଣବ୍‌ବା ଭଲ ସାଙ୍ଗ ଥିଲେ, କିନ୍ତୁ ଥରେ ତାଙ୍କ ଭିତରେ ଯୁକ୍ତିତର୍କ ହୋଇଗଲା । ଯେବେ ସେମାନେ ନିଜ ମିଶନାରୀ ଯାତ୍ରାରେ ଯିବା ପାଇଁ ବାହାରୁ ଥିଲେ, ତେବେ ବର୍ଣ୍ଣବ୍‌ବା ମାର୍କଙ୍କୁ ମଧ୍ୟ ସେମାନଙ୍କ ସହିତ ନେବାକୁ ଚାହୁଁଥିଲେ । କିନ୍ତୁ ପାଉଲ ଏହି କଥାରୁ ବିଲକୁଲ୍‌ ରାଜି ନ ଥିଲେ । ଏହି କଥାକୁ ନେଇ ସେ ଦୁଇ ଜଣଙ୍କ ମଝିରେ “ଘୋର ବିବାଦ” ହେଲା ଆଉ ବର୍ଣ୍ଣବ୍‌ବା ଓ ପାଉଲ ନିଜ ନିଜ ରାସ୍ତାକୁ ଚାଲିଗଲେ । (ପ୍ରେରି. ୧୫:୩୭-୩୯) କିନ୍ତୁ ସେମାନେ ଜାଣୁଥିଲେ ଯେ ମଣ୍ଡଳୀରେ ଶାନ୍ତି ଓ ଏକତା ବଜାୟ ରଖିବା ବହୁତ ଜରୁରୀ ଅଟେ, ସେଥିପାଇଁ ସେମାନେ ପରସ୍ପରକୁ କ୍ଷମା କରିଦେଲେ । ପରେ ପାଉଲ ନିଜ ଚିଠିରେ ବର୍ଣ୍ଣବ୍‌ବା ଓ ମାର୍କଙ୍କ ଭଲ ଗୁଣ ବିଷୟରେ ଲେଖିଲେ । (୧ କରି. ୯:୬; କଲ. ୪:୧୦, ୧୧) ପାଉଲଙ୍କଠାରୁ ଆମେ ଶିଖୁ ଯେ ଯଦି ଆମର କାହାରି ସହିତ ଭୁଲ ବୁଝାମଣା ହୁଏ, ତେବେ ଆମେ ତାଙ୍କୁ କ୍ଷମା କରିଦେବା ଉଚିତ୍‌ ଆଉ ତାଙ୍କ ଭଲ ଗୁଣ ଉପରେ ଧ୍ୟାନ ଦେବା ଉଚିତ୍‌ । ଏପରି ଭାବେ ମଣ୍ଡଳୀରେ ଶାନ୍ତି ଓ ଏକତା ଲାଗି ରହିବ ।—ଏଫି. ୪:୩.

ପାଉଲ ଭାଇଭଉଣୀମାନଙ୍କ ବିଶ୍ୱାସ ମଜବୁତ୍‌ କଲେ

୧୨. ଆମ ଭାଇଭଉଣୀମାନଙ୍କ ଉପରେ କେଉଁଭଳି ସମସ୍ୟାଗୁଡ଼ିକ ଆସେ ?

୧୨ ଭାଇଭଉଣୀମାନଙ୍କୁ ମଜବୁତ୍‌ କରିବାର ଆଉ ଗୋଟିଏ ଉପାୟ ହେଉଛି, ଯିହୋବାଙ୍କ ଉପରେ ସେମାନଙ୍କର ବିଶ୍ୱାସ ବଢ଼ାଇବା । ଆଜି ଅନେକ ଭାଇଭଉଣୀଙ୍କର ସମ୍ପର୍କୀୟମାନେ, ତାଙ୍କ ସହ କାମ କରୁଥିବା ଲୋକମାନେ କିମ୍ବା ତାଙ୍କ ସହ ପଢ଼ୁଥିବା ପିଲାମାନେ ସେମାନଙ୍କର ମଜାକ ଉଡ଼ାନ୍ତି କିମ୍ବା ସେମାନଙ୍କୁ ଖରାପ କଥା କହନ୍ତି । କିଛି ଭାଇଭଉଣୀମାନେ କୌଣସି ବଡ଼ ରୋଗରେ ଅଛନ୍ତି ଓ କିଛି ଭାଇଭଉଣୀ ହୁଏତ ବହୁତ ଦୁଃଖରେ ଅଛନ୍ତି କାରଣ ସେମାନଙ୍କୁ କୌଣସି କଥାରୁ ବହୁତ ଖରାପ ଲାଗିଯାଇଛି । କିଛି ଭାଇଭଉଣୀମାନେ ଲମ୍ବା ସମୟରୁ ଯିହୋବାଙ୍କ ସେବା କରୁଛନ୍ତି ଓ ଯୁଗାନ୍ତର ଅପେକ୍ଷା କରୁ କରୁ ସେମାନଙ୍କୁ ଅନେକ ବର୍ଷ ହୋଇଯାଇଛି । ଏହି କାରଣ ଯୋଗୁଁ ସେମାନଙ୍କର ବିଶ୍ୱାସ ଦୁର୍ବଳ ପଡ଼ିପାରେ । ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଏପରି ହିଁ କିଛି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା । ଏପରି ସମୟରେ ପାଉଲ ସେମାନଙ୍କର ବିଶ୍ୱାସକୁ ମଜବୁତ୍‌ କରିବା ପାଇଁ କʼଣ କଲେ ?

ଆପଣ ପାଉଲଙ୍କ ଭଳି ଅନ୍ୟମାନଙ୍କର ବିଶ୍ୱାସ କିପରି ମଜବୁତ୍‌ କରିପାରିବେ ? (ପାରାଗ୍ରାଫ ୧୩) b

୧୩. ପାଉଲ ସେହି ଖ୍ରୀଷ୍ଟିୟାନମାନଙ୍କର ବିଶ୍ୱାସ କିପରି ମଜବୁତ୍‌ କଲେ ଯେଉଁମାନଙ୍କର ମଜାକ ଉଡ଼ାଯାଉଥିଲା ?

୧୩ ଭଲ ତର୍କ କରି ଭାଇଭଉଣୀଙ୍କ ବିଶ୍ୱାସ ମଜବୁତ୍‌ କରୁଥିଲେ । ଯେଉଁ ଯିହୁଦୀ ଲୋକମାନେ ଖ୍ରୀଷ୍ଟିୟାନ ହେଲେ ହୁଏତ ତାଙ୍କ ଘର ଲୋକେ ତାଙ୍କୁ ତାନା ମାରୁଥିବେ ଆଉ କହୁଥିବେ, “କାହିଁ ଆମର ଯିହୁଦୀ ଧର୍ମ ଯାହା ଏତେ ଆଗରୁ ଅଛି ଓ କାହିଁ ତମର ଖ୍ରୀଷ୍ଟିୟାନ ଧର୍ମ !” ହୁଏତ ସେହି ଖ୍ରୀଷ୍ଟିୟାନମାନଙ୍କୁ ଏହା ବୁଝା ପଡ଼ୁ ନ ଥିବ ଯେ ସେମାନେ ସେମାନଙ୍କୁ କʼଣ ଉତ୍ତର ଦେବେ । କିନ୍ତୁ ଯେବେ ସେମାନେ ଏବ୍ରୀ ନାମକ ବହିରେ ପାଉଲଙ୍କ ଚିଠି ପଢ଼ିଥିବେ, ତେବେ ସେମାନଙ୍କର ବିଶ୍ୱାସ ବଢ଼ିଯାଇଥିବ । (ଏବ୍ରୀ ୧:୫, ୬; ୨:୨, ୩; ୯:୨୪, ୨୫) ପାଉଲ ନିଜ ଚିଠିରେ ଅନେକ ଜବରଦସ୍ତ ତର୍କ ଦେଇଥିଲେ । ଆଉ ଏବେ ସେହି ଖ୍ରୀଷ୍ଟିୟାନମାନେ ନିଜ ଘର ଲୋକମାନଙ୍କୁ ସେହି ତର୍କ ଦେଇପାରନ୍ତେ । ଆଜି ବି କିଛି ଲୋକେ ଆମର ଭାଇଭଉଣୀମାନଙ୍କର ମଜାକ ଉଡ଼ାନ୍ତି ବା ତାଙ୍କୁ ଖରାପ କଥା କହନ୍ତି । ପାଉଲଙ୍କ ଭଳି ଆମେ ସେହି ଭାଇଭଉଣୀଙ୍କ ସାହାଯ୍ୟ କରିପାରିବା ଯଦ୍ୱାରା ସେମାନେ ବାଇବଲ ଆଧାରିତ ପ୍ରକାଶନଗୁଡ଼ିକରୁ ସେହି ଲୋକମାନଙ୍କୁ ତର୍କ ଦେଇପାରିବେ । ଯେପରି ହୋଇପାରେ ଆମ ମଣ୍ଡଳୀର ଯୁବାମାନଙ୍କୁ ସ୍କୁଲରେ ମଜାକ ଉଡ଼ିଯାଇପାରେ, କାରଣ ସେମାନେ ଜନ୍ମଦିନ ବା ପର୍ବପର୍ବାଣୀ ମାନନ୍ତି ନାହିଁ । ଏପରି ସମୟରେ ଆମେ ସେମାନଙ୍କୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୪୪ରେ ଦିଆଯାଇଥିବା ତଥ୍ୟରୁ ତର୍କ ଦେବା ଶିଖାଇପାରିବା ।

ଆପଣ ପାଉଲଙ୍କ ଭଳି ଅନ୍ୟମାନଙ୍କର ବିଶ୍ୱାସ କିପରି ମଜବୁତ୍‌ କରିପାରିବେ ? (ପାରାଗ୍ରାଫ ୧୪) c

୧୪. ପାଉଲ ପ୍ରଚାର ଓ ଶିଖାଇବାର କାମରେ ବ୍ୟସ୍ତ ରହୁଥିଲେ, ତଥାପି ସେ କʼଣ କଲେ ?

୧୪ ପାଉଲ “ସତ୍‌କ୍ରିୟା” ବା ଭଲ କାମ କଲେ ଆଉ ଭାଇଭଉଣୀମାନଙ୍କୁ ଏପରି କରିବା ପାଇଁ ପ୍ରୋତ୍ସାହନ ଦେଲେ । (ଏବ୍ରୀ ୧୦:୨୪) ପାଉଲ କେବଳ ତର୍କ ଦେଇ ଭାଇଭଉଣୀଙ୍କ ବିଶ୍ୱାସ ମଜବୁତ୍‌ କଲେନି । ସେ କିଛି ଏପରି କାମ ମଧ୍ୟ କଲେ ଯାହାଦ୍ୱାରା ଭାଇଭଉଣୀଙ୍କ ବିଶ୍ୱାସ ମଜବୁତ୍‌ ହୋଇଥିବ । ଯେପରି, ଥରେ ଯେବେ ଯିହୁଦାରେ ଦୁର୍ଭିକ୍ଷ ପଡ଼ିଲା, ତେବେ ପାଉଲ ସେଠାର ଭାଇଭଉଣୀମାନଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ପହଞ୍ଚାଇଲେ । (ପ୍ରେରି. ୧୧:୨୭-୩୦) ପାଉଲ ପ୍ରଚାର ଓ ଶିଖାଇବା କାମରେ ବ୍ୟସ୍ତ ରହୁଥିଲେ । ତଥାପି ସେ ଯେଉଁ ଭାଇମାନଙ୍କୁ ସାହାଯ୍ୟର ଆବଶ୍ୟକ ଅଛି ସେମାନଙ୍କୁ ସାହାଯ୍ୟ କରିବାରୁ ପଛଘୁଞ୍ଚା ଦେଲେନାହିଁ । (ଗାଲା. ୨:୧୦) ଏପରି କରି ସେ ଭାଇଭଉଣୀମାନଙ୍କୁ ଭରସା ଦେଲେ ଯେ ଯିହୋବା ସବୁବେଳେ ତାଙ୍କର ଯତ୍ନ ନେବେ । ଆଜି ଯେବେ ଆମେ ରିଲିଫ୍‌ କାମରେ ନିଜ ଦକ୍ଷତା ବ୍ୟବହାର କରୁ ଓ ନିଜ ସମୟ ଓ ନିଜ ଶକ୍ତି ଦେଉ, ତେବେ ଆମେ ମଧ୍ୟ ନିଜ ଭାଇଭଉଣୀଙ୍କ ବିଶ୍ୱାସ ମଜବୁତ୍‌ କରୁଥାଉ । ତାʼଛଡ଼ା, ଯେବେ ଆମେ ପୂରା ବିଶ୍ୱରେ ହେଉଥିବା କାମ ପାଇଁ ଦାନ କରୁ ଓ ଅନ୍ୟ ଉପାୟରେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରୁ, ତେବେ ଆମେ ଏହି କଥା ଉପରେ ତାଙ୍କର ବିଶ୍ୱାସ ମଜବୁତ୍‌ କରୁଥାଉ ଯେ ଯିହୋବା ତାଙ୍କୁ କେବେ ବି ଛାଡ଼ିବେ ନାହିଁ ।

ଆପଣ ପାଉଲଙ୍କ ଭଳି ଅନ୍ୟମାନଙ୍କର ବିଶ୍ୱାସ କିପରି ମଜବୁତ୍‌ କରିପାରିବେ ? (ପାରାଗ୍ରାଫ ୧୫-୧୬) d

୧୫-୧୬. ଯେଉଁମାନଙ୍କ ବିଶ୍ୱାସ ଦୁର୍ବଳ ପଡ଼ିଯାଇଛି, ଆମେ ସେମାନଙ୍କର ଉତ୍ସାହ କିପରି ବଢ଼ାଇପାରିବା ?

୧୫ ପାଉଲ ସେହି ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଇଲେ ଯେଉଁମାନଙ୍କର ବିଶ୍ୱାସ ଦୁର୍ବଳ ପଡ଼ିଯାଇଥିଲା । ପାଉଲ ଏହା ଭାବିଲେନି ଯେ ସେମାନେ ବହୁତ ଛୋଟ ଆଉ ସେମାନଙ୍କ ଦ୍ୱାରା କିଛି ହେବନି । ତା ପରିବର୍ତ୍ତେ ସେ ସେମାନଙ୍କ ସହିତ ବହୁତ ପ୍ରେମର ସହ ଓ ଭଲଭାବେ କଥା ହେଲେ । (ଏବ୍ରୀ ୬:୯; ୧୦:୩୯) ଯେପରି ଯେବେ ସେ ଏବ୍ରୀ ମଣ୍ଡଳୀକୁ ଚିଠି ଲେଖିଲେ, ତେବେ ସେ ସେମାନଙ୍କୁ ପରାମର୍ଶ ଦେବା ସମୟରେ “ଆମ୍ଭେମାନେ” କହି କଥା ହେଲେ । ଏପରି ଭାବେ ସେ ସେମାନଙ୍କୁ ଛୋଟ ବୋଲି ଦେଖାଇଲେ ନାହିଁ । ବରଂ ସେମାନଙ୍କୁ ଅନୁଭବ କରାଇଲେ ଯେ ତାଙ୍କୁ ନିଜେ ମଧ୍ୟ ସେହି ପରାମର୍ଶକୁ ମାନିବାକୁ ପଡ଼ିବ । (ଏବ୍ରୀ ୨:୧, ୩) ଆସନ୍ତୁ ପାଉଲଙ୍କ ଭଳି ଆମେ ମଧ୍ୟ ସେହି ଭାଇଭଉଣୀଙ୍କ ଉତ୍ସାହ ବଢ଼ାଇବା ଯେଉଁମାନଙ୍କର ବିଶ୍ୱାସ ଦୁର୍ବଳ ପଡ଼ିଯାଇଛି । ଏପରି କରିବାର ଗୋଟିଏ ଉପାୟ ହେଉଛି, ସେମାନଙ୍କ ସହ ସମୟ ବିତାଇବା ଓ ସେମାନଙ୍କ ସହ କଥା ହେବା । ଏପରି ଭାବେ, ଆମେ ସେମାନଙ୍କ ପାଇଁ ନିଜ ପ୍ରେମ ଦେଖାଇପାରିବା । ଆମକୁ ଏକଥା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କିପରି ନିଜ କଥା କହୁ, କାରଣ ଏଥିରୁ ମଧ୍ୟ ଭାଇଭଉଣୀମାନଙ୍କର ବହୁତ ଉତ୍ସାହ ବଢ଼ିପାରେ ।

୧୬ ପାଉଲ ଭାଇଭଉଣୀମାନଙ୍କୁ ଭରସା କରାଇଲେ ଯେ ସେମାନେ ପୂର୍ବରୁ ଯେଉଁ ପରିଶ୍ରମ କରିଥିଲେ, ଆଉ ଯେଉଁ ଭଲ କାମ କରିଥିଲେ, ସେସବୁ କଥା ଯିହୋବାଙ୍କୁ ମନେ ଅଛି । (ଏବ୍ରୀ ୧୦:୩୨-୩୪) ଯଦି ଆମେ ଦେଖୁ ଯେ କୌଣସି ଭାଇ କିମ୍ବା ଭଉଣୀର ବିଶ୍ୱାସ ଧିରେ ଧିରେ ଦୁର୍ବଳ ପଡ଼ୁଛି, ତାହେଲେ ଆମେ ମଧ୍ୟ ଏପରି ହିଁ କରିପାରିବା । ଆମେ ସେମାନଙ୍କୁ ପଚାରିପାରିବା ଯେ ଯେବେ ସେମାନେ ସତ୍ୟ ବିଷୟରେ ଜାଣିଲେ, ତେବେ କେଉଁ କଥା ସେମାନଙ୍କର ହୃଦୟକୁ ଛୁଇଁଗଲା ଓ ସେମାନେ କିପରି ଜଣେ ଯିହୋବାଙ୍କ ସାକ୍ଷୀ ହେଲେ । ଆମେ ସେମାନଙ୍କୁ କୌଣସି ଏପରି ଘଟଣା ବିଷୟରେ ମଧ୍ୟ ପଚାରିପାରିବା ଯେବେ ସେମାନେ କୌଣସି ସମସ୍ୟାରେ ଥିଲେ ଆଉ ଯିହୋବା ସେମାନଙ୍କୁ ସାହାଯ୍ୟ କଲେ । ଆମେ ସେମାନଙ୍କୁ ଭରସା କରାଇପାରିବା ଯେ ସେମାନେ ଯିହୋବାଙ୍କ ପାଇଁ ଯାହା ବି କରିଛନ୍ତି, ତାହା ସେ ଭୁଲି ନାହାନ୍ତି ଓ ସେ ସେମାନଙ୍କୁ କେବେ ବି ଛାଡ଼ିବେ ନାହିଁ । (ଏବ୍ରୀ ୬:୧୦; ୧୩:୫, ୬) ଏପରି କଥାଗୁଡ଼ିକରୁ ସେମାନଙ୍କ ବିଶ୍ୱାସ ବଢ଼ିପାରେ ଓ ତାʼପରେ ହୁଏତ ସେମାନଙ୍କୁ ପୁଣିଥରେ ଉତ୍ସାହର ସହ ଯିହୋବାଙ୍କ ସେବା କରିବାକୁ ଇଚ୍ଛା ହୋଇପାରେ । 

ପରସ୍ପରର ଉତ୍ସାହ ବଢ଼ାଇବା ଜାରି ରଖନ୍ତୁ  

୧୭. ଆମେ କʼଣ ଶିଖିବା ଜାରି ରଖିବା ଉଚିତ୍‌ ? 

୧୭ ଯେଉଁ ଲୋକମାନେ କୋଠାଘର ତିଆରି କରନ୍ତି, ସେମାନେ ତାହାକୁ ଆହୁରି ଭଲଭାବେ ଓ ମଜବୁତ୍‌ ଭାବେ ତିଆରି କରିବା ପାଇଁ ନିଜ ଦକ୍ଷତାଗୁଡ଼ିକୁ ବଢ଼ାଇବା ଜାରି ରଖନ୍ତି । ସେହିପରି ଆମକୁ ମଧ୍ୟ ଏହା ଶିଖିବା ଜାରି ରଖିବା ଉଚିତ୍‌ ଯେ ଆମେ ଭାଇଭଉଣୀମାନଙ୍କର ଉତ୍ସାହ କିପରି ବଢ଼ାଇବା ଓ ସେମାନଙ୍କୁ କିପରି ମଜବୁତ୍‌ କରିବା । ଯେଉଁ ଭାଇଭଉଣୀମାନେ କଷ୍ଟ ସହୁଛନ୍ତି, ଆମେ ସେମାନଙ୍କୁ ଏପରି ଲୋକମାନଙ୍କ ଉଦାହରଣ ମନେ ପକାଇପାରିବା ଯେଉଁମାନେ ସମସ୍ୟା ସତ୍ତ୍ୱେ ବି ବିଶ୍ୱସ୍ତ ରହିଲେ । ଆମେ ହୃଦୟରୁ ନିଜ ଭାଇଭଉଣୀମାନଙ୍କୁ ପ୍ରଶଂସା କରିପାରିବା । ନିଜ କଥାକୁ ହିଁ ଠିକ୍‌ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବା ପରିବର୍ତ୍ତେ ଆମେ ଅନ୍ୟମାନଙ୍କର କଥା ଶୁଣିପାରିବା ଓ ଯଦି କାହା ସହ ଆମର ଭୁଲ ବୁଝାମଣା ହୋଇଯାଏ, ତାହେଲେ ତାଙ୍କୁ କ୍ଷମା କରିପାରିବା । ଏପରି ଭାବେ ଆମେ ମଣ୍ଡଳୀରେ ପ୍ରେମ ଓ ଶାନ୍ତିର ପରିସ୍ଥିତି ବଜାୟ ରଖିପାରିବା । ଆଉ ନିଜ ଭାଇଭଉଣୀମାନଙ୍କ ବିଶ୍ୱାସ ମଜବୁତ୍‌ କରିବା ପାଇଁ ଆମେ ସେମାନଙ୍କ ସହ ବାଇବଲର ସତ୍ୟଗୁଡ଼ିକ ବିଷୟରେ କଥା ହୋଇପାରିବା, ଆବଶ୍ୟକ ସମୟରେ ସେମାନଙ୍କୁ ସାହାଯ୍ୟ କରିପାରିବା ଓ ଯେଉଁମାନଙ୍କର ବିଶ୍ୱାସ ଦୁର୍ବଳ ପଡ଼ିଯାଇଛି, ସେମାନଙ୍କର ସାହସ ବଢ଼ାଇପାରିବା ।

୧୮. ଆପଣ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ?

୧୮ ଯେଉଁ ଭାଇଭଉଣୀମାନେ ନିର୍ମାଣ କାମରେ ସାହାଯ୍ୟ କରନ୍ତି, ସେମାନଙ୍କୁ ଏଥିରୁ ବହୁତ ଖୁସି ମିଳେ । ସେହିପରି ଯେବେ ଆମେ ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଉ ଓ ସେମାନଙ୍କୁ ମଜୁବୁତ୍‌ କରୁ, ତେବେ ଆମକୁ ବି ଖୁସି ମିଳେ ଓ ବହୁତ ଭଲ ଲାଗେ । ଗୋଟିଏ କୋଠାଘର ଯେତେ ବି ମଜବୁତ୍‌ ହୋଇଥାଉ ନା କାହିଁକି, କିଛି ସମୟ ଗଲା ପରେ ତାହା ଦୁର୍ବଳ ହୋଇଯାଏ ଓ ତାହା ପଡ଼ି ବି ପାରେ । କିନ୍ତୁ ଯଦି ଆମେ ଭାଇଭଉଣୀମାନଙ୍କୁ ମଜବୁତ୍‌ କରିବା ତାହେଲେ ସେମାନଙ୍କୁ ସବୁଦିନ ପାଇଁ ଲାଭ ହେବ ! ତେଣୁ ଆସନ୍ତୁ ଆମେ ସମସ୍ତେ ‘ପରସ୍ପରକୁ ସାନ୍ତ୍ୱନା ଦେବା ଓ ପରସ୍ପରର ଉତ୍ସାହ ବଢ଼ାଇବା ।’—୧ ଥେସ. ୫:୧୧

ଗୀତ ୧୦୦ ମେହମାନ୍‌ ନୱାଜି କିୟା କରେଁ

a ଏହି ଦୁନିଆରେ ଜୀବନ ବିତାଇବା ବହୁତ କଷ୍ଟକର ଅଟେ । ଆମର ଅନେକ ଭାଇଭଉଣୀ ବହୁତ କଷ୍ଟ ସହୁଛନ୍ତି । ଏପରି ପରିସ୍ଥିତିରେ ଯଦି ଆମେ ତାଙ୍କର ଉତ୍ସାହ ବଢ଼ାଇବା, ତେବେ ସେମାନେ ସାହସର ସହିତ ସମସ୍ୟାଗୁଡ଼ିକର ସାମନା କରିପାରିବେ । ଏହି ଲେଖାରେ ଆମେ ଜାଣିବା ଯେ ପାଉଲ ଭାଇଭଉଣୀଙ୍କ କିପରି ଉତ୍ସାହ ବଢ଼ାଇଲେ ଆଉ ଆମେ ତାଙ୍କଠୁ କʼଣ ଶିଖିପାରିବା ।

b ଚିତ୍ର ବିଷୟରେ: ଜଣେ ବାପା ଆମ ପ୍ରକାଶନଗୁଡ଼ିକରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ବ୍ୟବହାର କରି ନିଜ ଝିଅକୁ ବୁଝାଉଛନ୍ତି ଯେ ସେ କିପରି କ୍ରିସମାସ୍‌ ପାଳନ କରିବାକୁ ମନା କରିପାରିବ ।

c ଚିତ୍ର ବିଷୟରେ: ଜଣେ ସ୍ୱାମୀ ସ୍ତ୍ରୀ ରିଲିଫ୍‌ କାମରେ ସାହାଯ୍ୟ କରିବା ପାଇଁ ନିଜ ଘର ଠାରୁ ଦୂରରେ ଥିବା ଅନ୍ୟ କୌଣସି ଜାଗାରେ ଯାଇଛନ୍ତି ।

d ଚିତ୍ର ବିଷୟରେ: ଜଣେ ପ୍ରାଚୀନ ଜଣେ ଏପରି ଭାଇଙ୍କ ସହ ଦେଖା ହେବା ପାଇଁ ଯାଇଛନ୍ତି ଯାହାର ବିଶ୍ୱାସ ଦୁର୍ବଳ ପଡ଼ିଯାଇଛି । ସେ ସେହି ଭାଇଙ୍କୁ ଅଗ୍ରଦୂତ ସେବା ସ୍କୁଲର କିଛି ଚିତ୍ର ଦେଖାଉଛନ୍ତି, ଯେଉଁଥିରେ ସେମାନେ ଦୁହେଁ ଅନେକ ବର୍ଷ ପୂର୍ବରୁ ଯାଇଥିଲେ । ଏଗୁଡ଼ିକୁ ଦେଖି ସେମାନେ ନିଜ ପୁରୁଣା ସମୟର କଥା ମନେ ପକାଉଛନ୍ତି । ଭାଇର ଉତ୍ସାହ ବଢ଼ିଯାଏ ଓ ତାଙ୍କୁ ପୁଣି ଥରେ ଯିହୋବାଙ୍କ ସେବା କରିବାର ଇଚ୍ଛା ହୁଏ । କିଛି ସମୟ ପରେ ସେ ମଣ୍ଡଳୀରେ ଫେରି ଆସେ ।