इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୩

ଯିହୋବାଙ୍କ ଦୃଷ୍ଟି ଆମ ଉପରେ ଲାଗି ରହିଥାଏ

ଯିହୋବାଙ୍କ ଦୃଷ୍ଟି ଆମ ଉପରେ ଲାଗି ରହିଥାଏ

“ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ ।”—ଗୀତ. ୩୩:୧୮, ୧୯.

ଗୀତ ୪ “ୟହୋୱା ମେରା ଚରୱାହା ହୈ”

ଲେଖାର ଝଲକ a

୧. ଯୀଶୁ କାହିଁକି ନିଜ ଶିଷ୍ୟମାନଙ୍କର ଯତ୍ନ ନେବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ ?

 ନିଜ ମୃତ୍ୟୁର ଗୋଟିଏ ରାତି ପୂର୍ବେ, ଯୀଶୁ ନିଜ ପିତାଙ୍କୁ ଗୋଟିଏ ବିଶେଷ କଥା ପାଇଁ ପ୍ରାର୍ଥନା କଲେ । ସେ ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ସେ ତାଙ୍କ ଶିଷ୍ୟମାନଙ୍କର ଯତ୍ନ ନିଅନ୍ତୁ । (ଯୋହ. ୧୭:୧୫, ୨୦) ଯୀଶୁ ଜାଣିଥିଲେ ଯେ ଯିହୋବା ସବୁବେଳେ ନିଜ ଲୋକମାନଙ୍କର ଧ୍ୟାନ ରଖନ୍ତି ଓ ସେମାନଙ୍କର ରକ୍ଷା କରନ୍ତି । କିନ୍ତୁ ଆଗକୁ ଯାଇ ଶୟତାନ ତାଙ୍କ ଶିଷ୍ୟମାନଙ୍କ ଉପରେ ଅତ୍ୟାଚାର କରନ୍ତା । ତେଣୁ ଯୀଶୁ ତାଙ୍କ ପାଇଁ ପ୍ରାର୍ଥନା କଲେ । ସେ ଜାଣିଥିଲେ ଯେ ଯିହୋବାଙ୍କ ସାହାଯ୍ୟରେ ହିଁ ସେମାନେ ଶୟତାନର ସମସ୍ୟାଗୁଡ଼ିକର ସାମନା କରିପାରିବେ ।

୨. ଗୀତସଂହିତା ୩୩:୧୮-୨୦ ପଦ ମୁତାବକ ସମସ୍ୟା ଆସିଲେ ଆମେ କାହିଁକି ଡରିବା ଉଚିତ୍‌ ନୁହେଁ ?

ଆଜି ଶୟତାନର ଏହି ଦୁନିଆରେ ଆମକୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ । ତେଣୁ ହୁଏତ ବେଳେବେଳେ ଆମେ ନିରାଶ ହୋଇଯାଉ ଆଉ ଅନେକ ଥର ଯିହୋବାଙ୍କ ବିଶ୍ୱସ୍ତ ରହିବା ମଧ୍ୟ ଆମ ପାଇଁ ମୁସ୍କିଲ୍‌ ହୋଇଯାଏ । ଏହି ଲେଖାରୁ ଆମେ ଜାଣିବା ଯେ ଆମକୁ ଡରିବା ଦରକାର ନାହିଁ । ଯିହୋବା ଆମକୁ ଦେଖୁଛନ୍ତି । ସେ ଜାଣନ୍ତି ଯେ ଆମେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛୁ ଓ ସେ ଆମକୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ଆସନ୍ତୁ ବାଇବଲରେ ଦିଆଯାଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ଉଦାହରଣ ଉପରେ ଧ୍ୟାନ ଦେବା, ଯେଉଁଥିରୁ ଆମକୁ ଭରସା ହୋଇଯିବ ଯେ ‘ଯେଉଁମାନେ ଯିହୋବାଙ୍କୁ ଭୟ କରନ୍ତି, ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ ।’ଗୀତସଂହିତା ୩୩:୧୮-୨୦ ପଢ଼ନ୍ତୁ ।

ଯେବେ ଆପଣ ଏକୁଟିଆ ଅନୁଭବ କରନ୍ତି

୩. ଆମେ ହୁଏତ କେବେ ଏକୁଟିଆ ଅନୁଭବ କରିପାରୁ ?

ମଣ୍ଡଳୀରେ ଆମର ବହୁତ ଭାଇଭଉଣୀ ଅଛନ୍ତି । ତଥାପି ହୁଏତ ବେଳେବେଳେ ଆମେ ଏକୁଟିଆ ଅନୁଭବ କରିବାକୁ ଲାଗୁ । ଯେପରି, ଯେବେ ଯୁବାମାନଙ୍କୁ ସ୍କୁଲରେ ସମସ୍ତଙ୍କ ସାମନାରେ ଏହା କହିବାକୁ ପଡ଼େ ଯେ ସେମାନେ କʼଣ ବିଶ୍ୱାସ କରନ୍ତି ଓ କʼଣ ନାହିଁ, ତେବେ ସେମାନଙ୍କୁ ହୁଏତ ଡର ଲାଗିପାରେ ଓ ସେମାନଙ୍କୁ ଏକୁଟିଆ ଅନୁଭବ ହୋଇପାରେ । ସେମାନଙ୍କୁ ତେବେ ବି ଏକୁଟିଆ ଅନୁଭବ ହୋଇପାରେ ଯେବେ ସେମାନେ ନୂଆ ମଣ୍ଡଳୀରେ ଯାʼନ୍ତି । ଏହା ଛଡ଼ା, ଯେବେ ଆମେ ଦୁଃଖି ଥାଉ କିମ୍ବା କିଛି କାରଣରୁ ନିରାଶ ହୋଇଯାଉ, ତେବେ ବି ଆମକୁ ଏକୁଟିଆ ଲାଗେ । ହୁଏତ ଆମକୁ ଲାଗିପାରେ ଯେ ଆମକୁ ନିଜେ ହିଁ ନିଜ ଭାବନାଗୁଡ଼ିକ ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ । ଆମେ ହୁଏତ ଅନ୍ୟମାନଙ୍କ ସହିତ କଥା ହେବା ପାଇଁ ସଙ୍କୋଚ ଅନୁଭବ କରିବା, କାରଣ ଆମକୁ ଲାଗିପାରେ ଯେ ସେମାନେ ଆମ ପରିସ୍ଥିତି ବୁଝିପାରିବେନି । ଅନେକ ଥର ହୁଏତ ଆମେ ଏହା ବି ଭାବିପାରୁ ଯେ କେହି ଆମର ଚିନ୍ତା କରନ୍ତି ନାହିଁ । ଏହି ସବୁ କାରଣ ଯୋଗୁଁ ହୁଏତ ଆମେ ଚିନ୍ତା କରିପାରୁ ଓ ଏହା ଭାବିବା ପାଇଁ ଆରମ୍ଭ କରିଦେଉ ଯେ କେହି ଆମର ସାହାଯ୍ୟ କରିପାରିବେ ନାହିଁ । କିନ୍ତୁ ଯିହୋବା କେବେ ବି ଚାହାନ୍ତିନି ଯେ ଆମେ ଏପରି ଭାବୁ । ଆମେ ଏପରି କାହିଁକି କହିପାରିବା ?

୪. ଭବିଷ୍ୟଦ୍‌ବକ୍ତା ଏଲୀୟ ଏପରି କାହିଁକି କହିଲେ ଯେ “କେବଳ ମୁଁ ଅବଶିଷ୍ଟ ରହିଲି ?”

ଭବିଷ୍ୟଦ୍‌ବକ୍ତା ଏଲୀୟଙ୍କୁ ମନେ ପକାନ୍ତୁ । ରାଣୀ ଈଷେବଲ୍‌ ଶପଥ କରି ନେଇଥିଲେ ଯେ ସେ ତାଙ୍କୁ ହତ୍ୟା କରିଦେବେ । ଏଲୀୟ ନିଜର ଜୀବନ ବଞ୍ଚାଇବା ପାଇଁ ୪୦ ଦିନ ଧରି ପଳାଉଥିଲେ । (୧ ରାଜା. ୧୯:୧-୯) ସେ ଗୋଟିଏ ଗୁମ୍ଫାରେ ଯାଇ ଲୁଚିଲେ ଓ ସେଠାରେ ଚିନ୍ତିତ ହୋଇ ଯିହୋବାଙ୍କୁ କହିଲେ, “କେବଳ ମୁଁ ଅବଶିଷ୍ଟ ରହିଲି ।” (୧ ରାଜା. ୧୯:୧୦) ଏପରି ନ ଥିଲା ଯେ ଇସ୍ରାଏଲରେ ଆଉ କେହି ଭବିଷ୍ୟଦ୍‌ବକ୍ତା ନ ଥିଲେ । ଓବଦିୟ ୧୦୦ ଜଣ ଭବିଷ୍ୟଦ୍‌ବକ୍ତାଙ୍କୁ ଈଷେବଲ୍‌ ହାତରୁ ରକ୍ଷା କରାଇଥିଲେ । (୧ ରାଜା. ୧୮:୭, ୧୩) ତାହେଲେ ଏଲୀୟଙ୍କୁ କାହିଁକି ଲାଗିଲା ଯେ ସେ ଏକୁଟିଆ ଅଛନ୍ତି ? ହୁଏତ ତାଙ୍କୁ ଲାଗିଥିବ ଯେ ସବୁ ଶହେ ଜଣ ଭବିଷ୍ୟଦ୍‌ବକ୍ତାଙ୍କ ମୃତ୍ୟୁ ହୋଇଯାଇଛି । କିମ୍ବା ତାʼପରେ ହୁଏତ ସେ ଭାବିଥିବେ, ‘ଯିହୋବା କରମେଲ୍‌ ପାହାଡ଼ରେ ଏହା ପ୍ରମାଣିତ କରିସାରିଛନ୍ତି ଯେ ସେ ସତ୍ୟ ଈଶ୍ୱର ଅଟନ୍ତି ଆଉ ବାଲ୍‌ ମିଥ୍ୟା ଈଶ୍ୱର । ତାହେଲେ ଏବେ କାହିଁକି ଅନ୍ୟମାନେ ମୋ ସହିତ ଯିହୋବାଙ୍କ ଉପାସନା କରୁନାହାନ୍ତି ?’ କିମ୍ବା ହୋଇପାରେ, ତାଙ୍କୁ ଲାଗିଥିବ ଯେ କାହାରିକୁ ବି ଜଣାନାହିଁ ଯେ ତାଙ୍କ ଉପରେ କʼଣ ଘଟୁଛି । କିମ୍ବା ହୁଏତ ସେ ଭାବିଥିବେ ଯେ କାହାରିକୁ ବି କିଛି ଫରକ ପଡ଼େନି ଯେ ମୁଁ ବଞ୍ଚିଛି ନା ନାହିଁ । ଆମେ ଜାଣୁନୁ ଯେ ସେସମୟରେ ଏଲୀୟଙ୍କ ମନରେ କʼଣ ଚାଲୁଥିଲା, କିନ୍ତୁ ଯିହୋବା ନିଶ୍ଚୟ ଜାଣିଥିଲେ । ଆଉ ସେ ସମସ୍ୟା ସମୟରେ ଏଲୀୟଙ୍କୁ ସମ୍ଭାଳିଲେ ।

ଯେବେ ଏଲୀୟ ଏକୁଟିଆ ଅନୁଭବ କରୁଥିଲେ, ତେବେ ଯିହୋବା ତାଙ୍କୁ କʼଣ କରିବା ପାଇଁ କହିଲେ ? ଆମେ ସେଥିରୁ କʼଣ ଶିଖିପାରୁ ? (ପାରାଗ୍ରାଫ ୫-୬)

୫. ଯିହୋବା ଏଲୀୟଙ୍କୁ କିପରି ଭରସା କରାଇଲେ ଯେ ସେ ଏକୁଟିଆ ନାହାନ୍ତି ?

ଯିହୋବା ଏଲୀୟଙ୍କୁ ଅନେକ ଉପାୟରେ ସାହାଯ୍ୟ କଲେ । ସେ ଏଲୀୟଙ୍କ ସହ କଥା ହେବା ପାଇଁ ଚେଷ୍ଟା କଲେ । ସେ ତାଙ୍କୁ ଦୁଇ ଥର ପଚାରିଲେ, “ତୁମ୍ଭେ ଏଠାରେ କଅଣ କରୁଅଛ ?” (୧ ରାଜା. ୧୯:୯, ୧୩) ଆଉ ଯେବେ ଏଲୀୟ ନିଜର ମନର କଥା କହିଲେ, ତେବେ ଯିହୋବା ଧ୍ୟାନ ଦେଇ ତାଙ୍କ କଥା ଶୁଣିଲେ । ତାʼପରେ ସେ ଏଲୀୟଙ୍କୁ ବାୟୁ, ଭୂମିକମ୍ପ ଓ ନିଆଁ ଜରିଆରେ ନିଜ ଶକ୍ତିର ଅନୁଭବ କରାଇଲେ ଓ ଭରସା କରାଇଲେ ଯେ ସେ ତାଙ୍କ ସହ ଅଛନ୍ତି । ସେ ଏଲୀୟଙ୍କୁ ଏହା ମଧ୍ୟ କହିଲେ ଯେ ସେ ଏକୁଟିଆ ନାହାନ୍ତି, ଆହୁରି ଅନେକ ଲୋକ ତାଙ୍କର ସେବା କରୁଛନ୍ତି । (୧ ରାଜା. ୧୯:୧୧, ୧୨, ୧୮) ଯିହୋବାଙ୍କୁ ନିଜ ମନର କଥା କହି ଓ ତାଙ୍କର କଥା ଶୁଣି ଏଲୀୟଙ୍କୁ ବହୁତ ଶାନ୍ତି ମିଳିଥିବ । ତାʼପରେ ଯିହୋବା ଏଲୀୟଙ୍କୁ କିଛି ଦାୟିତ୍ୱ ମଧ୍ୟ ଦେଲେ । ସେ ତାଙ୍କୁ କହିଲେ ଯେ ସେ ହସାୟେଲକୁ ଅରାମର ରାଜା ଭାବେ ନିଯୁକ୍ତ କରନ୍ତୁ, ଯେହୂକୁ ଇସ୍ରାଏଲ ରାଜା ଭାବେ ନିଯୁକ୍ତ କରନ୍ତୁ ଓ ଇଲୀଶାୟଙ୍କୁ ଭବିଷ୍ୟଦ୍‌ବକ୍ତା ଭାବେ ଅଭିଷେକ କରନ୍ତୁ । (୧ ରାଜା. ୧୯:୧୫, ୧୬) ଯେବେ ଯିହୋବା ତାଙ୍କୁ ଏପରି କରିବା ପାଇଁ କହିଲେ ତେବେ ଏଲୀୟ ଭଲ କଥା ଉପରେ ଧ୍ୟାନ ଦେଇପାରିଲେ । ଯିହୋବା ତାଙ୍କୁ ଭଲ ସାଙ୍ଗ ମଧ୍ୟ ଦେଲେ । ଏବେ ଏଲୀୟ ଏକୁଟିଆ ନ ଥିଲେ, ତାଙ୍କ ସହ ଇଲୀଶାୟ ଥିଲେ । ଯେବେ ଆପଣ ଏକୁଟିଆ ଅନୁଭବ କରନ୍ତି, ତେବେ ଯିହୋବା ଆପଣଙ୍କୁ ମଧ୍ୟ ସାହାଯ୍ୟ କରିପାରିବେ । କିନ୍ତୁ ତାʼ ପାଇଁ ଆପଣଙ୍କୁ ବି କିଛି କରିବାକୁ ପଡ଼ିବ ।

୬. ଯେବେ ଆପଣ ଏକୁଟିଆ ଅନୁଭବ କରନ୍ତି, ତେବେ ଆପଣ କେଉଁ ବିଷୟରେ ପ୍ରାର୍ଥନା କରିପାରିବେ ? (ଗୀତସଂହିତା ୬୨:୮)

ଯିହୋବା ଚାହାନ୍ତି ଯେ ଆପଣ ତାଙ୍କୁ ପ୍ରାର୍ଥନା କରନ୍ତୁ । ସେ ଜାଣନ୍ତି ଯେ ଆମେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛୁ ଓ ସେ କହନ୍ତି ଯେ ଆମେ ଯେବେ ବି ତାଙ୍କୁ ପ୍ରାର୍ଥନା କରିବା, ସେ ସବୁବେଳେ ଆମର ଶୁଣିବେ । (୧ ଥେସ. ୫:୧୭) ତାଙ୍କୁ ଆମର ପ୍ରାର୍ଥନାଗୁଡ଼ିକ ଶୁଣି ବହୁତ ଖୁସି ଲାଗେ । (ହିତୋ. ୧୫:୮) ଯେବେ ଆପଣ ଏକୁଟିଆ ଅନୁଭବ କରନ୍ତି, ତେବେ ଆପଣ କେଉଁ ବିଷୟରେ ପ୍ରାର୍ଥନା କରିପାରିବେ ? ଏଲୀୟଙ୍କ ଭଳି ଯିହୋବାଙ୍କୁ ହୃଦୟ ଖୋଲି ନିଜ ମନର କଥା କହନ୍ତୁ । (ଗୀତସଂହିତା ୬୨:୮ ପଢ଼ନ୍ତୁ ।) ତାଙ୍କୁ କହନ୍ତୁ ଯେ ଆପଣ କିପରି ଅନୁଭବ କରୁଛନ୍ତି, କେଉଁ କଥାକୁ ନେଇ ଚିନ୍ତାରେ ଅଛନ୍ତି । ଆଉ ତାʼପରେ ଆପଣ ଏହି ଭାବନାଗୁଡ଼ିକ ସହ ଲଢ଼ିବା ପାଇଁ ତାଙ୍କୁ ସାହାଯ୍ୟ ମାଗନ୍ତୁ । ଯେପରି ଯଦି ଆପଣଙ୍କୁ ନିଜ କ୍ଲାସର ପିଲାମାନଙ୍କୁ ଏହା କହିବା ପାଇଁ ଡର ଲାଗୁଛି ଯେ ଆପଣ କʼଣ ମାନନ୍ତି ଓ କʼଣ ମାନନ୍ତି ନାହିଁ, ତାହେଲେ ଆପଣ ଯିହୋବାଙ୍କୁ ସାହସ ଦେବା ପାଇଁ କହିପାରିବେ । ଆପଣ ଯିହୋବାଙ୍କୁ ବୁଦ୍ଧି ମଧ୍ୟ ମାଗିପାରିବେ ଯାହାଫଳରେ ଆପଣ ତାଙ୍କୁ ଭଲଭାବେ ବୁଝାଇପାରିବେ ଓ ଯେଉଁଥିରୁ ତାଙ୍କୁ ଖରାପ ମଧ୍ୟ ଲାଗିବନି । (ଲୂକ ୨୧:୧୪, ୧୫) ଯଦି ଆପଣ କିଛି କଥାକୁ ନେଇ ବହୁତ ଦୁଃଖିତ ଅଛନ୍ତି, ତାହେଲେ ଯିହୋବାଙ୍କୁ କହନ୍ତୁ ଯେ କୌଣସି ଅନୁଭବୀ ଭାଇ କିମ୍ବା ଭଉଣୀଙ୍କ ସହ କଥା ହେବା ପାଇଁ ସେ ଆପଣଙ୍କୁ ସାହାଯ୍ୟ କରନ୍ତୁ । ଆପଣ ସେହି ଭାଇ କିମ୍ବା ଭଉଣୀଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିପାରିବେ ଯେ ସେ ଆପଣଙ୍କ କଥା ଭଲଭାବେ ବୁଝିପାରନ୍ତୁ । ତାହେଲେ ଯେବେ ବି ଆପଣ ଏକୁଟିଆ ଅନୁଭବ କରନ୍ତି, ହୃଦୟ ଖୋଲି ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ, ଧ୍ୟାନ ଦିଅନ୍ତୁ ଯେ ସେ କିପରି ଆପଣଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ଦିଅନ୍ତି ଓ କାହାରି ସହିତ କଥା ହୁଅନ୍ତୁ ।

କʼଣ ଆପଣ ଅନ୍ୟମାନଙ୍କ ସହ ମିଶି ଆହୁରି ଅଧିକ ପ୍ରଚାର କରିବା ପାଇଁ ଚେଷ୍ଟା କରିପାରିବେ ? (ପାରାଗ୍ରାଫ ୭)

୭. ଆପଣ ମୌରିସିୟୋଙ୍କ ଠାରୁ କʼଣ ଶିଖିପାରିଲେ ?

ଯିହୋବା ଆମ ସମସ୍ତଙ୍କୁ କିଛି ନା କିଛି ଦାୟିତ୍ୱ ଦେଇଛନ୍ତି । ଯେପରି ଆମ ସମସ୍ତଙ୍କୁ ପ୍ରଚାର କରିବା ଅଛି, ଆମକୁ ସମୟ ସମୟରେ ସଭାଗୁଡ଼ିକରେ ଭାଗ ପରିବେଷଣ କରିବାକୁ ଦିଆଯାଏ ଓ ଆମ ମଧ୍ୟରୁ କିଛି ଭାଇଭଉଣୀମାନଙ୍କୁ ମଣ୍ଡଳୀରେ ଦାୟିତ୍ୱ ତୁଲାଇବାକୁ ପଡ଼ିଥାଏ । (ଗୀତ. ୧୧୦:୩) ଭରସା ରଖନ୍ତୁ, ଯେବେ ଆପଣ ନିଜ ଦାୟିତ୍ୱଗୁଡ଼ିକୁ ତୁଲାଇବା ପାଇଁ ପରିଶ୍ରମ କରନ୍ତି, ତେବେ ଯିହୋବା ତାʼ ଉପରେ ଧ୍ୟାନ ଦିଅନ୍ତି ଓ ସେ ବହୁତ ଖୁସି ହୁଅନ୍ତି । ଯେବେ ଆମେ ଏହି କାମଗୁଡ଼ିକରେ ଲାଗି ରହିବା, ତେବେ ଆମେ ଏତେ ଏକୁଟିଆ ଅନୁଭବ କରିବା ନାହିଁ । ମୌରିସିୟୋଙ୍କ b ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ବାପ୍ତିସ୍ମ ନେବାର କିଛି ସମୟ ପରେ ହିଁ ତାଙ୍କର ଜଣେ ବହୁତ ଭଲ ସାଙ୍ଗ ଧିରେ ଧିରେ ଯିହୋବାଙ୍କ ଠାରୁ ଦୂରେଇବାକୁ ଲାଗିଲା । ମୌରିସିୟୋ କହନ୍ତି, “ଏହା ଦେଖି ମୋ ଆତ୍ମବିଶ୍ୱାସ କମ୍‌ ହୋଇଗଲା । ମୁଁ ଭାବିବାକୁ ଲାଗିଲି, କେଜାଣେ ମୁଁ ବି ଯିହୋବାଙ୍କୁ କରିଥିବା ନିଜ ପ୍ରତିଜ୍ଞା ପୂରା କରିପାରିବି ନା ନାହିଁ, କʼଣ ମୁଁ ବି ତାଙ୍କୁ ଛାଡ଼ିକି ତ ଚାଲିଯିବିନି । ମୁଁ ବହୁତ ଏକୁଟିଆ ଅନୁଭବ କରୁଥିଲି । ମୋତେ ଲାଗୁଥିଲା ଯେ କେହି ବି ବୁଝିପାରିବେନି ଯେ ମୁଁ କିପରି ଅନୁଭବ କରୁଛି ।” ତେବେ ମୌରିସିୟୋ କʼଣ କଲେ ? ସେ କହନ୍ତି, “ମୁଁ ଆହୁରି ଅଧିକ ପ୍ରଚାର କରିବାକୁ ଲାଗିଲି । ଏପରି ଭାବେ ମୁଁ ନିଜ ବିଷୟରେ ଭାବିବା ପରିବର୍ତ୍ତେ ଓ ଦୁଃଖି ରହିବା ପରିବର୍ତ୍ତେ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରିଲି । ଯେବେ ମୁଁ ଅନ୍ୟମାନଙ୍କ ସହ ପ୍ରଚାର କରୁଥିଲି, ତେବେ ମୁଁ ଏତେ ଏକୁଟିଆ ଅନୁଭବ କରୁ ନ ଥିଲି ଓ ଖୁସିରେ ରହୁଥିଲି ।” ଆମେ ବି ଏପରି ହିଁ କରିପାରିବା । ହୁଏତ ଆମେ ଅନ୍ୟ ଭାଇଭଉଣୀମାନଙ୍କ ସହ ଘର ଘର ଯାଇ ପ୍ରଚାର କରିପାରିବାନି, କିନ୍ତୁ ଆମେ ସେମାନଙ୍କ ସହ ଚିଠି ଲେଖିପାରିବା ଓ ଫୋନ୍‌ ଜରିଆରେ ସାକ୍ଷ୍ୟ ଦେଇପାରିବା । ମୌରିସିୟୋ ଆଉ କିଛି ମଧ୍ୟ କଲେ । ସେ କହନ୍ତି, “ମୁଁ ମଣ୍ଡଳୀର ଆହୁରି ଅନେକ କାମ କରିବାକୁ ଲାଗିଲି । ମୋତେ ସଭାରେ ଯାହା ବି ଭାଗ ଦିଆଯାଉଥିଲା, ମୁଁ ତାକୁ ଭଲଭାବେ ପ୍ରସ୍ତୁତି କରୁଥିଲି । ତାʼପରେ ଯେବେ ମୁଁ ସେହି ଭାଗ ପରିବେଷଣ କରୁଥିଲି, ତେବେ ଭାଇଭଉଣୀମାନଙ୍କୁ ବହୁତ ଭଲ ଲାଗୁଥିଲା ଆଉ ମୋତେ ଜଣାଥିଲା ଯେ ଯିହୋବା ମଧ୍ୟ ମୋ ଠାରୁ ଖୁସି ହେବେ ।”

ଯେବେ ବଡ଼ ବଡ଼ ସମସ୍ୟା ଆସେ

୮. ଯେବେ ଆମ ଉପରେ ଅନେକ ସମସ୍ୟା ଆସେ, ତେବେ ଆମକୁ କିପରି ଲାଗେ ?

ଆମେ ଶେଷ କାଳରେ ବଞ୍ଚୁଛୁ ତେଣୁ ଆମକୁ ଜଣାଅଛି ଯେ ସମସ୍ୟାଗୁଡ଼ିକ ନିଶ୍ଚୟ ଆସିବ । (୨ ତୀମ. ୩:୧) କିନ୍ତୁ ଅନେକ ଥର ହୁଏତ ହଠାତ୍‌ କୌଣସି ସମସ୍ୟା ଆସିଯାଏ କିମ୍ବା କିଛି ଏପରି ହୁଏ ଯାହାର ଆମେ ଆଶା ନ କରିଥାଉ । ହୁଏତ ଆମକୁ ପଇସାର ସମସ୍ୟା ଆସିଯାଏ, କୌଣସି ବଡ଼ ରୋଗ ହୋଇଯାଏ କିମ୍ବା ଆମ କୌଣସି ସାଙ୍ଗ କିମ୍ବା ସମ୍ପର୍କୀୟର ମୃତ୍ୟୁ ହୋଇଯାଏ । ଅନେକ ଥର ଏପରି ଲାଗେ ଯେ ସମସ୍ୟାଗୁଡ଼ିକ ଶେଷ ହିଁ ହେଉନି, ଗୋଟିଏ ପରେ ଗୋଟିଏ ସମସ୍ୟା ଆସି ଚାଲିଛି । ଆଉ ବେଳେବେଳେ ଏକା ସହ ଅନେକ ସମସ୍ୟା ଆମ ଉପରେ ଆସିଯାଏ । ଯେବେ, ଏପରି ହୁଏ ତେବେ ଆମେ ଚିନ୍ତାରେ ବୁଡ଼ିଯାଉ । ହୁଏତ ଆମକୁ ଲାଗେ ଆମେ ଆଉ ସହିପାରିବାନି । କିନ୍ତୁ ମନେ ରଖନ୍ତୁ, ଯିହୋବା ଆମ ଉପରେ ଧ୍ୟାନ ଦେଉଛନ୍ତି । ସେ ଜାଣନ୍ତି ଯେ ଆମ ଉପରେ କʼଣ ଘଟୁଛି ଓ ତାଙ୍କ ସାହାଯ୍ୟରେ ଆମେ ସବୁ ସମସ୍ୟାକୁ ସାମନା କରିପାରିବା ।

୯. ଆୟୁବଙ୍କ ଉପରେ କʼଣ କʼଣ ସମସ୍ୟା ଆସିଲା ?

ମନେ ପକାନ୍ତୁ ଯେ ଆୟୁବଙ୍କ ସହ କʼଣ ହୋଇଥିଲା । ଗୋଟିଏ ପରେ ଗୋଟିଏ ତାଙ୍କ ଉପରେ ଅନେକ ବଡ଼ ବଡ଼ ସମସ୍ୟା ଆସିଗଲା । ଗୋଟିଏ ଦିନରେ ହିଁ ସେ ନିଜ ସବୁକିଛି ହରାଇ ଦେଲେ । ତାଙ୍କର କିଛି ପଶୁଗୁଡ଼ିକୁ ଲୁଟି ନିଆଗଲା ଓ କିଛି ପଶୁଗୁଡ଼ିକୁ ମାରି ଦିଆଗଲା । ତାଙ୍କ ସେବକମାନଙ୍କୁ ମଧ୍ୟ ମାରି ଦିଆଗଲା, ଏପରିକି ଗୋଟିଏ ଦୁର୍ଘଟଣାରେ ତାଙ୍କର ସବୁ ପିଲାମାନଙ୍କର ମୃତ୍ୟୁ ହୋଇଗଲା । (ଆୟୁ. ୧:୧୩-୧୯) ଏସବୁ ସମସ୍ୟା ଶେଷ ହେବା ପୂର୍ବରୁ ହିଁ ତାଙ୍କ ଉପରେ ଆଉ ଗୋଟିଏ ସମସ୍ୟା ଆସିଗଲା, ତାଙ୍କୁ ଗୋଟିଏ ଭୟଙ୍କର ଓ କଷ୍ଟଦାୟକ ରୋଗ ହୋଇଗଲା । (ଆୟୁ. ୨:୭) ଏସବୁ ଯୋଗୁଁ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ ସେ କହିଲେ, “ମୁଁ ଆପଣା ପ୍ରାଣକୁ ଘୃଣା କରେ, ମୁଁ ସର୍ବଦା ବଞ୍ଚିବାକୁ ଇଚ୍ଛା କରେ ନାହିଁ ।”—ଆୟୁ. ୭:୧୬.

ଯିହୋବା ଆୟୁବଙ୍କୁ ଭରସା କରାଇବାକୁ ଚାହୁଁଥିଲେ ଯେ ସେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଚିନ୍ତା କରନ୍ତି । ତେଣୁ ସେ ଅଲଗା ଅଲଗା ପଶୁଗୁଡ଼ିକ ବିଷୟରେ କହି ଆୟୁବଙ୍କୁ ଅନୁଭବ କରାଇଲେ ଯେ ସେ ନିଜ ସୃଷ୍ଟିର କେତେ ଚିନ୍ତା କରନ୍ତି (ପାରାଗ୍ରାଫ ୧୦)

୧୦. ଯିହୋବା ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଆୟୁବଙ୍କୁ କିପରି ସାହାଯ୍ୟ କଲେ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

୧୦ ଯିହୋବା ସବୁକିଛି ଦେଖୁଥିଲେ । ସେ ଆୟୁବଙ୍କୁ ପ୍ରେମ କରୁଥିଲେ, ତେଣୁ ସେ ସମସ୍ୟାର ସାମନା କରିବା ପାଇଁ ଆୟୁବଙ୍କୁ ଅନେକ ଉପାୟରେ ସାହାଯ୍ୟ କଲେ । ଯିହୋବା ଆୟୁବଙ୍କ ସହ କଥା ହେଲେ । ସେ ଅଲଗା ଅଲଗା ପଶୁଗୁଡ଼ିକ ବିଷୟରେ କହି ଆୟୁବଙ୍କୁ ଅନୁଭବ କରାଇଲେ ଯେ ସେ କେତେ ବୁଦ୍ଧିମାନ ଓ ଶକ୍ତିଶାଳୀ ଅଟନ୍ତି ଓ ସେ ନିଜ ସୃଷ୍ଟିର କେତେ ଚିନ୍ତା କରନ୍ତି । (ଆୟୁ. ୩୮:୧, ୨; ୩୯:୯, ୧୩, ୧୯, ୨୭; ୪୦:୧୫; ୪୧:୧, ୨) ତାʼପରେ ଯିହୋବା ଇଲୀହୂ ନାମକ ଜଣେ ଯୁବା ବ୍ୟକ୍ତି ଜରିଆରେ ଆୟୁବଙ୍କର ସାହସ ବଢ଼ାଇଲେ ଓ ତାଙ୍କୁ ସାନ୍ତ୍ୱନା ଦେଲେ । ଇଲୀହୂ ଆୟୁବଙ୍କୁ ଭରସା କରାଇଲେ ଯେ ଯେଉଁ ଲୋକମାନେ ଯିହୋବାଙ୍କର ବିଶ୍ୱସ୍ତ ରହନ୍ତି, ସେମାନଙ୍କୁ ସେ ଆଶିଷ ଦିଅନ୍ତି । ତାʼପରେ ଯିହୋବା ଇଲୀହୂଙ୍କ ଜରିଆରେ ଆୟୁବଙ୍କ ଚିନ୍ତାଧାରାକୁ ସୁଧାରିଲେ । ଇଲୀହୂ ଆୟୁବଙ୍କୁ କହିଲେ ଯେ ସେ କେବଳ ନିଜ ବିଷୟରେ ନ ଭାବନ୍ତୁ, ବରଂ ମନେ ରଖନ୍ତୁ ଯେ ସେ ପୂରା ଦୁନିଆର ସୃଷ୍ଟିକର୍ତ୍ତାଙ୍କ ସାମନାରେ କେତେ ଛୋଟ ଅଟନ୍ତି । (ଆୟୁ. ୩୭:୧୪) ଯିହୋବା ଆୟୁବଙ୍କୁ ଗୋଟିଏ କାମ ମଧ୍ୟ ଦେଲେ । ସେ ତାଙ୍କୁ କହିଲେ ଯେ ସେ ନିଜର ତିନି ଜଣ ସାଙ୍ଗମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । (ଆୟୁ. ୪୨:୮-୧୦) ଆଜି ଯେବେ ଆମ ଉପରେ ସମସ୍ୟା ଆସେ, ସେତେବେଳେ ଯିହୋବା ଆମକୁ କିପରି ସାହାଯ୍ୟ କରନ୍ତି ?

୧୧. ସମସ୍ୟା ଆସିଲେ ଆମକୁ କିପରି ସାନ୍ତ୍ୱନା ମିଳିପାରେ ?

୧୧ ଆଜି ଯିହୋବା ଆମ ସହ ସେପରି ଭାବେ କଥା ହୁଅନ୍ତିନି, ଯେପରି ଭାବେ ସେ ଆୟୁବଙ୍କ ସହ କଥା ହୋଇଥିଲେ, କିନ୍ତୁ ସେ ନିଜ ବାକ୍ୟ ବାଇବଲ ଜରିଆରେ ଆମ ସହ ନିଶ୍ଚୟ କଥା ହୁଅନ୍ତି । (ରୋମୀ. ୧୫:୪) ସେ ବାଇବଲରେ ଏପରି ଅନେକ କଥା ଲେଖାଇଛନ୍ତି ଯାହାକୁ ପଢ଼ିଲେ ଆମକୁ ସମସ୍ୟା ସମୟରେ ସାନ୍ତ୍ୱନା ମିଳେ । ଯେପରି ସେ ଆମକୁ ଭରସା କରାଇଛନ୍ତି ଯେ ବଡ଼ ବଡ଼ ସମସ୍ୟା ମଧ୍ୟ ‘ଈଶ୍ୱରଙ୍କ ପ୍ରେମରୁ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ ।’ (ରୋମୀ. ୮:୩୮, ୩୯) ସେ ପ୍ରତିଜ୍ଞା କରିଛନ୍ତି ଯେ ସେ “ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି ।” (ଗୀତ. ୧୪୫:୧୮) ଯିହୋବା କହନ୍ତି ଯେ ଯଦି ଆମେ ତାଙ୍କ ଉପରେ ନିର୍ଭର ରହିବା, ତାହେଲେ ଆମେ ଯେକୌଣସି ସମସ୍ୟାର ମଧ୍ୟ ସାମନା କରିପାରିବା ଓ ଦୁଃଖକଷ୍ଟ ଥିଲେ ମଧ୍ୟ ଖୁସିରେ ରହିପାରିବା । (୧ କରି. ୧୦:୧୩; ଯାକୁ. ୧:୨, ୧୨) ବାଇବଲରେ ଆମକୁ ମନେ ପକାଇ ଦିଆଯାଇଛି ଯେ ଆଜିର ସମସ୍ୟାଗୁଡ଼ିକ କେବଳ କିଛି ସମୟ ପାଇଁ ଅଛି, ଖୁବ୍‌ ଶୀଘ୍ର ଏସବୁ ଶେଷ ହୋଇଯିବ ଓ ଆମକୁ ଅନନ୍ତ ଜୀବନ ମିଳିବ । (୨ କରି. ୪:୧୬-୧୮) ଯିହୋବା ଏହା ମଧ୍ୟ ପ୍ରତିଜ୍ଞା କରିଛନ୍ତି ଯେ ସବୁ ସମସ୍ୟାର ମୁଖ୍ୟ କାରଣ, ଶୟତାନ ଓ ଯେଉଁମାନେ ତାକୁ ସହଯୋଗ କରନ୍ତି ସେମାନଙ୍କୁ ବିନାଶ କରି ଦିଆଯିବ । (ଗୀତ. ୩୭:୧୦) ଯେବେ ଆମେ ଏବିଷୟରେ ଭାବୁ ଯେ ଭବିଷ୍ୟତରେ ଯିହୋବା ସବୁ ସମସ୍ୟାଗୁଡ଼ିକୁ ଦୂର କରିଦେବେ, ତେବେ ଆମକୁ ବହୁତ ସାନ୍ତ୍ୱନା ମିଳେ । ବାଇବଲରେ ଆହୁରି ଅନେକ ପଦ ଅଛି ଯେଉଁଗୁଡ଼ିକୁ ପଢ଼ିଲେ ଆମକୁ ସାହସ ମିଳେ । ଏଗୁଡ଼ିକୁ ମନେ ରଖିଲେ ଭବିଷ୍ୟତରେ ଆମ ଉପରେ ଯେଉଁ ସମସ୍ୟାଗୁଡ଼ିକ ଆସିବ ତାହାକୁ ଆମେ ଭଲଭାବେ ସାମନା କରିପାରିବା । କʼଣ ଆପଣଙ୍କୁ ଏପରି କିଛି ପଦ ମୁଖସ୍ଥ ଅଛି ?

୧୨. ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଆମକୁ ଆଉ କʼଣ କରିବାକୁ ପଡ଼ିବ ?

୧୨ ଯିହୋବା ଚାହାନ୍ତି ଯେ ଆମେ ବାଇବଲ ଅଧ୍ୟୟନ ପାଇଁ ଓ ଚିନ୍ତନ କରିବା ପାଇଁ ସମୟ ବାହାର କରୁ । ତାʼପରେ ଯେବେ ଆମେ ସେଇ କଥାଗୁଡ଼ିକୁ ମାନିବା ତେବେ ଆମ ବିଶ୍ୱାସ ବଢ଼ିବ ଓ ଆମେ ଯିହୋବାଙ୍କର ଆହୁରି ନିକଟକୁ ଆସିଯିବା । ଏପରି ଭାବେ ଆମେ ସମସ୍ୟାଗୁଡ଼ିକୁ ମଜବୁତ୍‌ ହୋଇ ସାମନା କରିପାରିବା । ଯଦି ଆମେ ବାଇବଲ ପଢ଼ିବା ଓ ତାʼମୁତାବକ କାମ କରିବା ତାହେଲେ ଯିହୋବା ଆମକୁ ନିଜର ପବିତ୍ର ଶକ୍ତି ମଧ୍ୟ ଦେବେ । ସେ ଆମକୁ ଏପରି ‘ଶକ୍ତି ଦେବେ ଯାହା ସାଧାରଣ ମଣିଷର ଶକ୍ତିଠାରୁ ବହୁତ ଅଧିକ ଅଟେ,’ ଯାହାଫଳରେ ଆମେ ସାହସର ସହ ସମସ୍ୟାଗୁଡ଼ିକର ସାମନା କରିପାରିବା ।—୨ କରି. ୪:୭-୧୦, NWT.

୧୩. “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଯେଉଁ ବ୍ୟବସ୍ଥା କରିଛନ୍ତି, ତା ସାହାଯ୍ୟରେ ଆମେ କିପରି ସମସ୍ୟାଗୁଡ଼ିକର ସାମନା କରିପାରୁ ?

୧୩ ଯିହୋବାଙ୍କ ସାହାଯ୍ୟରେ ଆଜି “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଅନେକ ଲେଖା, ଭିଡିଓ ଓ ଗୀତ ପ୍ରସ୍ତୁତ କରୁଛି । (ମାଥି. ୨୪:୪୫) ଏଗୁଡ଼ିକରୁ ମଧ୍ୟ ଆମ ବିଶ୍ୱାସ ବଢ଼େ ଓ ଆମେ ଯିହୋବାଙ୍କର ନିକଟ ହୋଇ ରହିପାରୁ । ଆମେ ଏହି ବ୍ୟବସ୍ଥାଗୁଡ଼ିକରୁ ପୂରାପୂରା ଲାଭ ପାଇବା ପାଇଁ ଚେଷ୍ଟା କରିପାରିବା । ଆମେରିକାରେ ରହୁଥିବା ଜଣେ ଭଉଣୀ କହନ୍ତି ଯେ ତାଙ୍କୁ ଏଗୁଡ଼ିକରୁ ବହୁତ ସାହାଯ୍ୟ ମିଳିଛି । ସେ କହନ୍ତି, “ମୁଁ ୪୦ ବର୍ଷରୁ ଯିହୋବାଙ୍କ ସେବା କରୁଛି । ଏସମୟ ଭିତରେ ମୁଁ ଅନେକ ସମସ୍ୟାଗୁଡ଼ିକର ସାମନା କଲି । ଅନେକ ଥର ତ ଯିହୋବାଙ୍କ ବିଶ୍ୱସ୍ତ ରହିବା ମଧ୍ୟ ମୁସ୍କିଲ୍‌ ଥିଲା ।” ଭଉଣୀ ବହୁତ କିଛି ସହିଲେ । ଜଣେ ନିଶାସକ୍ତ ବ୍ୟକ୍ତି ନିଜ ଗାଡ଼ିରେ ତାଙ୍କ ଅଜାର ଗାଡ଼ିକୁ ଧକ୍କା ମାରିଦେଲା, ଯାହାଯୋଗୁଁ ତାଙ୍କର ମୃତ୍ୟୁ ହୋଇଗଲା । ଗୋଟିଏ ବଡ଼ ରୋଗ ଯୋଗୁଁ ତାଙ୍କର ବାପାମାଆଙ୍କର ମଧ୍ୟ ମୃତ୍ୟୁ ହୋଇଗଲା ଓ ନିଜେ ତାଙ୍କୁ ମଧ୍ୟ ଦୁଇଥର କ୍ୟାନସର ହୋଇଗଲା । ଭଉଣୀ ଏସବୁ କିଛି କିପରି ସହିପାରିଲେ ? ସେ କହନ୍ତି, “ଯିହୋବା ସବୁବେଳେ ମୋର ଯତ୍ନ ନେଲେ । ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ ଜରିଆରେ ସେ ଯାହା ବି ବ୍ୟବସ୍ଥା କରିଛନ୍ତି, ସେଥିରୁ ମୋତେ ବହୁତ ସାହାଯ୍ୟ ମିଳିଲା । ଆୟୁବଙ୍କ ଭଳି ମୁଁ ମଧ୍ୟ ଦୃଢ଼ ନିଷ୍ପତ୍ତି ନେଇଛି, “ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ ।”—ଆୟୁ. ୨୭:୫.

ଆମେ ମଣ୍ଡଳୀର ଭାଇଭଉଣୀଙ୍କୁ ପ୍ରେମ କିପରି ଦେଖାଇପାରିବା ? (ପାରାଗ୍ରାଫ ୧୪)

୧୪. ସମସ୍ୟା ଆସିଲେ ଯିହୋବା ଭାଇଭଉଣୀଙ୍କ ଜରିଆରେ କିପରି ଆମକୁ ସାହାଯ୍ୟ କରନ୍ତି ? (୧ ଥେସଲନୀକୀୟ ୪:୯)

୧୪ ଯିହୋବା ନିଜ ଲୋକମାନଙ୍କୁ ଶିଖାଇଛନ୍ତି ଯେ ସମସ୍ୟା ଆସିଲେ ସେମାନେ ପରସ୍ପରକୁ ସାନ୍ତ୍ୱନା ଦିଅନ୍ତୁ ଓ ପରସ୍ପରକୁ ପ୍ରେମ କରିବା ଜାରି ରଖନ୍ତୁ । (୨ କରି. ୧:୩, ୪; ୧ ଥେସଲନୀକୀୟ ୪:୯ ପଢ଼ନ୍ତୁ ।) ଯେପରି ଇଲୀହୂ ଆୟୁବଙ୍କୁ ସାହାଯ୍ୟ କରିଥିଲେ, ସେହିପରି ସମସ୍ୟା ସମୟରେ ଭାଇଭଉଣୀମାନେ ବିଶ୍ୱସ୍ତ ରହିବା ପାଇଁ ଆମକୁ ସାହାଯ୍ୟ କରନ୍ତି । (ପ୍ରେରି. ୧୪:୨୨) ଡିଏନ୍‌ଙ୍କ ସହ ମଧ୍ୟ ଏପରି କିଛି ହେଲା । ତାଙ୍କ ସ୍ୱାମୀଙ୍କୁ ଗୋଟିଏ ବଡ଼ ରୋଗ ହୋଇଯାଇଥିଲା । ସେସମୟରେ ମଣ୍ଡଳୀର ଭାଇଭଉଣୀମାନେ ତାଙ୍କୁ ସମ୍ଭାଳିଲେ ଓ ଯିହୋବାଙ୍କ ନିକଟତର ହୋଇ ରହିବା ପାଇଁ ତାଙ୍କୁ ସାହାଯ୍ୟ କଲେ । ସେ କହନ୍ତି, “ଆମେ ଅନୁଭବ କଲୁ ଯେ ସେହି ମୁସ୍କିଲ୍‌ ସମୟରେ ଯିହୋବା ଆମକୁ ନିଜ ବାହୁରେ ଧରି ରଖିଛନ୍ତି । ସେ ସମୟରେ ମଣ୍ଡଳୀର ଭାଇଭଉଣୀମାନେ ଆମ ପାଇଁ ବହୁତ କିଛି କଲେ । ସେମାନେ ଆମକୁ ଫୋନ୍‌ କରୁଥିଲେ, ଆମ ସହ ଦେଖା ହେବା ପାଇଁ ଆସୁଥିଲେ ଓ ଆମକୁ କୁଣ୍ଢାଉଥିଲେ । ଏଥିରୁ ଆମକୁ ବହୁତ ସାହସ ମିଳିଲା । ମୋତେ ଗାଡ଼ି ଚଳାଇବା ଆସେନି, ତେଣୁ କେହି ନା କେହି ଭାଇ କିମ୍ବା ଭଉଣୀ ମୋତେ ପ୍ରଚାର ଓ ସଭା ପାଇଁ ନେବାକୁ ଆସୁଥିଲେ ।” ଆମ ଭାଇଭଉଣୀମାନେ ସତରେ ଆମକୁ ବହୁତ ପ୍ରେମ କରନ୍ତି । ସେମାନେ ଆମ ପାଇଁ ବହୁତ ବଡ଼ ଆଶିଷ ଅଟନ୍ତି !

ଆମେ କେତେ ଖୁସି ଯେ ଯିହୋବା ଆମର ଯତ୍ନ ନିଅନ୍ତି

୧୫. ଆମକୁ କାହିଁକି ଭରସା ଅଛି ଯେ ଆମେ ସମସ୍ୟାଗୁଡ଼ିକର ସାହସର ସହିତ ସାମନା କରିପାରିବା ?

୧୫ ଆମ ସମସ୍ତଙ୍କୁ କେବେ ନା କେବେ ସମସ୍ୟାର ସାମନା କରିବାକୁ ପଡ଼ିବ । କିନ୍ତୁ ଯେପରି ଆମେ ଏହି ଲେଖାରେ ଶିଖିଲୁ, ଆମେ ଏକୁଟିଆ ନାହୁଁ । ଯିହୋବା ଆମ ସାଙ୍ଗରେ ଅଛନ୍ତି । ଯେପରି ଜଣେ ବାପା ନିଜ ପିଲାକୁ ପ୍ରେମ କରେ ଓ ସବୁବେଳେ ତାʼର ଧ୍ୟାନ ରଖେ, ସେହିଭଳି ଯିହୋବା ମଧ୍ୟ ଆମକୁ ପ୍ରେମ କରନ୍ତି ଓ ସବୁବେଳେ ଆମର ଧ୍ୟାନ ରଖନ୍ତି । ଆମେ ଯେବେ ବି ତାଙ୍କୁ ଡାକୁ, ସେ ଆମର ଶୁଣନ୍ତି ଓ ଆମକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାʼନ୍ତି । (ଯିଶା. ୪୩:୨) ଆମର ସାହାଯ୍ୟ କରିବା ପାଇଁ ଯିହୋବା ଆମକୁ ଆହୁରି ବହୁତ କିଛି ଦେଇଛନ୍ତି । ସେ ଆମକୁ ତାଙ୍କୁ ପ୍ରାର୍ଥନା କରିବାର ସୁଯୋଗ ଦେଇଛନ୍ତି, ଆମକୁ ବାଇବଲ ଦେଇଛନ୍ତି, ବାଇବଲ ଆଧାରିତ ପ୍ରକାଶନ ଓ ଭିଡିଓ ଦେଇଛନ୍ତି ଆଉ ଆମକୁ ଏପରି ଭାଇଭଉଣୀ ଦେଇଛନ୍ତି ଯେଉଁମାନେ ଆମକୁ ବହୁତ ପ୍ରେମ କରନ୍ତି । ତାହେଲେ ଆମ ଉପରେ ଯେତେ ବି ସମସ୍ୟା ଆସୁ ନା କାହିଁକି, ଆମେ ତାʼର ସାହସର ସହ ସାମନା କରିପାରିବା ।

୧୬. ଯଦି ଆମେ ଚାହୁଁ ଯେ ଯିହୋବା ସବୁବେଳେ ଆମର ଯତ୍ନ ନିଅନ୍ତୁ, ତାହେଲେ ଆମକୁ କʼଣ କରିବାକୁ ହେବ ?

୧୬ ଆମେ ଯିହୋବାଙ୍କ ବହୁତ କୃତଜ୍ଞ ଯେ ତାଙ୍କ ଦୃଷ୍ଟି ଆମ ଉପରେ ରହେ । ଏବିଷୟରେ ଭାବିଲେ ଆମ ହୃଦୟ ଖୁସିରେ ଭରିଯାଏ । (ଗୀତ. ୩୩:୨୧) କିନ୍ତୁ ଯଦି ଆମେ ଚାହୁଁ ଯେ ଯିହୋବା ଆମର ଯତ୍ନ ନିଅନ୍ତୁ, ତେବେ ଆମକୁ କିଛି କରିବାକୁ ପଡ଼ିବ । ସେ ଆମକୁ ସାହାଯ୍ୟ କରିବା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ଆମକୁ ତାହାର ପୂରା ଲାଭ ଉଠାଇବାକୁ ହେବ । ତାʼଛଡ଼ା ଆମକୁ ସବୁବେଳେ ତାଙ୍କ କଥା ମାନିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ ଓ ସେପରି କାମ କରିବାକୁ ପଡ଼ିବ ଯାହା ତାଙ୍କ ହିସାବରେ ଠିକ୍‌ ଅଟେ । ତେବେ ତାଙ୍କର ଦୃଷ୍ଟି ସବୁବେଳେ ଆମ ଉପରେ ଲାଗି ରହିବ ।—୧ ପିତ. ୩:୧୨.

ଗୀତ ୩୦ ୟହୋୱା, ମେରା ପରମେଶ୍ୱର, ପିତା ଔର ଦୋସ୍ତ

a ଆଜି ଆମେ ସମସ୍ତେ ଅନେକ ସମସ୍ୟାର ସାମନା କରୁଛୁ ଆଉ ଆମେ ସେହି ସମସ୍ୟାର ସାମନା ଏକୁଟିଆ କରିପାରିବା ନାହିଁ । ଆମକୁ ଯିହୋବାଙ୍କ ସାହାଯ୍ୟ ଦରକାର । ଏହି ଲେଖାରୁ ଆମର ଭରସା ବଢ଼ିବ ଯେ ଯିହୋବା ଆମକୁ ଧ୍ୟାନ ଦିଅନ୍ତି ଓ ଆମର ବହୁତ ଚିନ୍ତା କରନ୍ତି । ସେ ଜାଣନ୍ତି ଯେ ଆମେ ପ୍ରତ୍ୟେକ ଜଣ କେଉଁ ସମସ୍ୟାର ସାମନା କରୁଛୁ ଆଉ ତାକୁ ସାମନା କରିବାରେ ଯିହୋବା ଆମକୁ ସାହାଯ୍ୟ କରନ୍ତି ।

b ଏହି ଲେଖାରେ କିଛି ନାମ ବଦଳାଇ ଦିଆଯାଇଛି ।