इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୩

ଦାନିୟେଲଙ୍କ ଉଦାହରଣରୁ ଶିଖନ୍ତୁ

ଦାନିୟେଲଙ୍କ ଉଦାହରଣରୁ ଶିଖନ୍ତୁ

“ତୁମ୍ଭେ ଅତ୍ୟନ୍ତ ପ୍ରିୟପାତ୍ର ।”—ଦାନି. ୯:୨୩.

ଗୀତ ୭୩ ଦେ ନିଡ଼ର୍‌ତା କା ୱରଦାନ୍‌ !

ଲେଖାର ଝଲକ a

୧. ବାବିଲର ଲୋକମାନେ ଦାନିୟେଲଙ୍କୁ କାହିଁକି ପସନ୍ଦ କଲେ ?

 ଯେବେ ଭବିଷ୍ୟଦ୍‌ବକ୍ତା ଦାନିୟେଲ ଯୁବା ଥିଲେ, ତେବେ ତାଙ୍କୁ ବନ୍ଦୀ କରି ନିଆଗଲା । ତାଙ୍କୁ ଯିରୂଶାଲମରେ ଥିବା ତାଙ୍କ ଘରଠାରୁ ବହୁତ ଦୂର ବାବିଲକୁ ନିଆଗଲା । ଯେବେ ବାବିଲର ଅଧିକାରୀମାନେ ତାଙ୍କ “ବାହ୍ୟରୂପ” ଦେଖିଲେ, ଅର୍ଥାତ୍‌ ସେମାନେ ଦେଖିଲେ ଯେ ସେ “ନିଖୁନ୍ଦ, ସୁନ୍ଦର” ଓ କୁଳୀନ ବଂଶରୁ ଅଟନ୍ତି, ତେବେ ସେମାନେ ତାଙ୍କୁ ବହୁତ ପସନ୍ଦ କଲେ । (୧ ଶାମୁ. ୧୬:୭) ତେଣୁ ସେମାନେ ଭାବିଲେ ଯେ ତାଙ୍କୁ ଏପରି ଶିକ୍ଷା ଦିଆଯାଉ, ଯାହାଦ୍ୱାରା ଆଗକୁ ଯାଇ ସେ ରାଜମହଲରେ ସେବା କରିପାରିବେ ।—ଦାନି. ୧:୩, ୪, ୬.

୨. ଯିହୋବା ଦାନିୟେଲଙ୍କ ପାଇଁ କିପରି ଅନୁଭବ କରୁଥିଲେ ? ବୁଝାନ୍ତୁ । (ଯିହିଜିକଲ ୧୪:୧୪)

ଯିହୋବା ବି ଦାନିୟେଲଙ୍କୁ ପ୍ରେମ କରୁଥିଲେ, କିନ୍ତୁ ତାʼର କାରଣ ଏହା ନ ଥିଲା ଯେ ସେ ସୁନ୍ଦର ଥିଲେ କିମ୍ବା ଉଚ୍ଚ ପଦବୀରେ ଥିଲେ । ଯିହୋବା ଦେଖିଲେ ଯେ ଦାନିୟେଲ ଭିତରୁ କିପରି ମଣିଷ ଅଟନ୍ତି । ସେ ଦାନିୟେଲଙ୍କ ବିଷୟରେ କହିଲେ ଯେ ସେ ନୋହ ଓ ଆୟୁବଙ୍କ ଭଳି ଧାର୍ମିକ ଅଟନ୍ତି । ନୋହ ଓ ଆୟୁବ ଲମ୍ବା ସମୟ ଯାଏ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରିଥିଲେ ଓ ତାଙ୍କ ଦୃଷ୍ଟିରେ ଭଲ ନାମ ଅର୍ଜନ କରିଥିଲେ । କିନ୍ତୁ କʼଣ ଆପଣ ଜାଣନ୍ତି ଯେ ଯେବେ ଯିହୋବା ଦାନିୟେଲଙ୍କ ବିଷୟରେ ଏହି କଥା କହିଲେ, ତେବେ ହୁଏତ ସେ ପ୍ରାୟ ୧୯-୨୦ ବର୍ଷର ହିଁ ଥିଲେ ! (ଆଦି. ୫:୩୨; ୬:୯, ୧୦; ଆୟୁ. ୪୨:୧୬, ୧୭; ଯିହିଜିକଲ ୧୪:୧୪ ପଢ଼ନ୍ତୁ ।) ଦାନିୟେଲ ଲମ୍ବା ସମୟ ଯାଏ ବଞ୍ଚିଲେ ଓ ତାଙ୍କ ଜୀବନରେ ଅନେକ ସମସ୍ୟା ବି ଆସିଲା, କିନ୍ତୁ ଯିହୋବା କେବେ ବି ତାଙ୍କୁ ଛାଡ଼ିଲେ ନାହିଁ ଓ ସବୁବେଳେ ତାଙ୍କୁ ପ୍ରେମ କରୁଥିଲେ ।—ଦାନି. ୧୦:୧୧, ୧୯.

୩. ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ?

ଏହି ଲେଖାରେ ଆମେ ଦାନିୟେଲଙ୍କ ଦୁଇଟି ଗୁଣ ବିଷୟରେ ଚର୍ଚ୍ଚା କରିବା, ଯାହାଯୋଗୁଁ ଯିହୋବା ତାଙ୍କୁ ପ୍ରେମ କରୁଥିଲେ ଓ ବହୁମୂଲ୍ୟ ମନେ କରୁଥିଲେ । ସବୁଠୁ ପ୍ରଥମେ ଆମେ ସେହି ଗୁଣଗୁଡ଼ିକ ବିଷୟରେ ଚର୍ଚ୍ଚା କରିବା ଓ ଦେଖିବା ଯେ ଦାନିୟେଲ କେଉଁ ପରିସ୍ଥିତିରେ ଏହି ଗୁଣଗୁଡ଼ିକ ଦେଖାଇଲେ । ତାʼପରେ ଆମେ ଦେଖିବା ଯେ ଦାନିୟେଲ କିପରି ସେହି ଗୁଣଗୁଡ଼ିକ ବଢ଼ାଇପାରିଲେ । ଶେଷରେ ଆମେ ଜାଣିବା ଯେ ଆମେ ଦାନିୟେଲଙ୍କ ଭଳି କିପରି ହୋଇପାରିବା ଓ ସେହି ଗୁଣଗୁଡ଼ିକ କିପରି ଦେଖାଇପାରିବା । ଏହି ଲେଖା ବିଶେଷ କରି ଯୁବାମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି, କିନ୍ତୁ ଆମେ ସମସ୍ତେ ଦାନିୟେଲଙ୍କ ଉଦାହରଣରୁ ଶିଖିପାରିବା ।

ଦାନିୟେଲଙ୍କ ଭଳି ସାହସୀ ହୁଅନ୍ତୁ

୪. ଦାନିୟେଲ କିପରି ଭାବେ ସାହସର ସହ କାମ କଲେ ? ଗୋଟିଏ ଉଦାହରଣ ଦିଅନ୍ତୁ ।

ଯେଉଁ ଲୋକମାନେ ସାହସୀ ଥାନ୍ତି, ଅନେକଥର ସେମାନଙ୍କୁ ବି ଡର ଲାଗେ । କିନ୍ତୁ ତାʼଯୋଗୁଁ ସେମାନେ ସଠିକ୍‌ କାମ କରିବାରୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଦାନିୟେଲ ବହୁତ ସାହସୀ ଥିଲେ । ଟିକେ ଏପରି ଦୁଇଟି ଘଟଣା ଉପରେ ଧ୍ୟାନ ଦିଅନ୍ତୁ, ଯେବେ ଦାନିୟେଲ ସାହସର ସହ କାମ କଲେ । ପ୍ରଥମ ଘଟଣା ହୁଏତ ସେସମୟରେ ହୋଇଥିଲା, ଯେବେ ବାବିଲ ହାତରୁ ଯିରୂଶାଲମ ବିନାଶ ହେବାର ପ୍ରାୟ ଦୁଇ ବର୍ଷ ହୋଇଯାଇଥିଲା । ବାବିଲର ରାଜା ନବୂଖଦ୍‌ନିତ୍ସର ସ୍ୱପ୍ନରେ ଗୋଟିଏ ବଡ଼ ମୂର୍ତ୍ତି ଦେଖିଲେ, ଯାହାଯୋଗୁଁ ସେ ବହୁତ ବ୍ୟସ୍ତ ହୋଇଗଲେ । ସେ ନିଜ ଜ୍ଞାନୀମାନଙ୍କୁ କହିଲେ ଯେ ସେମାନେ ତାଙ୍କ ସ୍ୱପ୍ନ ଓ ତାହାର ଅର୍ଥ କହନ୍ତୁ ଆଉ ଯଦି ସେମାନେ କହିପାରିବେନି, ତାହେଲେ ସେମାନଙ୍କୁ ଜୀବନରୁ ମାରିଦିଆଯିବ । ଦାନିୟେଲଙ୍କ ଜୀବନ ବି ବିପଦରେ ଥିଲା । (ଦାନି. ୨:୩-୫) ତାଙ୍କୁ ତୁରନ୍ତ ପଦକ୍ଷେପ ନେବାର ଥିଲା, କାରଣ ଅନେକ ଲୋକଙ୍କ ଜୀବନ ବିପଦରେ ଥିଲା । ସେ “ରାଜାଙ୍କ ନିକଟକୁ ଯାଇ ଆପଣା ପାଇଁ ଗୋଟିଏ ସମୟ ନିରୂପଣ କରିବାକୁ ପ୍ରାର୍ଥନା କଲେ, ତାହା କଲେ ମହାରାଜାଙ୍କ ନିକଟରେ ସ୍ୱପ୍ନର ଅର୍ଥ ପ୍ରକାଶ କରିବି (ବୋଲି) କହିଲେ ।” (ଦାନି. ୨:୧୬) ଏଥିରୁ ଜଣାପଡ଼େ ଯେ ଦାନିୟେଲ ବହୁତ ସାହସୀ ଥିଲେ ଓ ତାଙ୍କୁ ଈଶ୍ୱରଙ୍କ ଉପରେ ବହୁତ ବିଶ୍ୱାସ ଥିଲା । ଆମେ ଏପରି କାହିଁକି କହିପାରିବା ? କାରଣ ବାଇବଲରେ କେଉଁଠି ବି ଏପରି ଲେଖାଯାଇ ନାହିଁ ଯେ ଦାନିୟେଲ ପୂର୍ବେ କେବେ କୌଣସି ସ୍ୱପ୍ନର ଅର୍ଥ କହିଥିଲେ । ଦାନିୟେଲଙ୍କ ତିନି ସାଙ୍ଗ ଥିଲେ, ଯେଉଁମାନଙ୍କୁ ବାବିଲ ଭାଷାରେ ଶଦ୍ରକ୍‌, ମୈଶକ ଓ ଅବେଦ୍‌-ନଗୋ କୁହାଯାଏ । ସେ ତାଙ୍କୁ “ଏହି ନିଗୂଢ଼ ବିଷୟରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ” କହିଲେ । (ଦାନି. ୨:୧୮) ଯିହୋବା ସେମାନଙ୍କ ପ୍ରାର୍ଥନା ଶୁଣିଲେ । ଯିହୋବାଙ୍କ ସାହାଯ୍ୟରୁ ଦାନିୟେଲ ନବୂଖଦ୍‌ନିତ୍ସରଙ୍କ ସ୍ୱପ୍ନର ଅର୍ଥ କହିପାରିଲେ, ଯାହାଯୋଗୁଁ ଦାନିୟେଲ ଓ ତାଙ୍କ ସାଙ୍ଗମାନଙ୍କ ଜୀବନର ରକ୍ଷା ହେଲା ।

୫. ଦାନିୟେଲଙ୍କୁ କେଉଁ ପରିସ୍ଥିତିରେ ଆଉ ଥରେ ସାହସର ସହ କାମ କରିବାକୁ ପଡ଼ିଲା ?

ରାଜା ନବୂଖଦ୍‌ନିତ୍ସର ଯେଉଁ ବଡ଼ ମୂର୍ତ୍ତି ବିଷୟରେ ସ୍ୱପ୍ନ ଦେଖିଥିଲେ, ତାʼର ଅର୍ଥ ଦାନିୟେଲ ଭଲଭାବେ ବୁଝାଇଲେ, ତାʼର କିଛି ସମୟ ପରେ ଆଉ ଗୋଟିଏ ଏପରି ଘଟଣା ଘଟିଲା, ଯେବେ ଦାନିୟେଲଙ୍କୁ ସାହସର ସହ କାମ କରିବାର ଥିଲା । ରାଜା ନବୂଖଦ୍‌ନିତ୍ସର ଆଉ ଗୋଟିଏ ଭୟଙ୍କର ସ୍ୱପ୍ନ ଦେଖିଲେ । ଏଥର ସ୍ୱପ୍ନରେ ସେ ଗୋଟିଏ ଉଚ୍ଚ ଓ ବଡ଼ ଗଛ ଦେଖିଲେ । ଦାନିୟେଲ ସାହସର ସହ କାମ କଲେ ଓ ରାଜାଙ୍କୁ ତାଙ୍କ ସ୍ୱପ୍ନର ଅର୍ଥ କହିଲେ । ସେ ରାଜାଙ୍କୁ କହିଲେ ଯେ ସେ ପାଗଳ ହୋଇଯିବେ ଓ କିଛି ସମୟ ପାଇଁ ସେ ଶାସନ କରିପାରିବେ ନାହିଁ । (ଦାନି. ୪:୨୫) ରାଜା ଭାବିପାରିଥାନ୍ତେ ଯେ ଦାନିୟେଲ ତାଙ୍କ ସହ ବିଦ୍ରୋହ କରୁଛନ୍ତି ଓ ସେ ଚାହିଁଥିଲେ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇପାରିଥାନ୍ତେ । ତଥାପି ଦାନିୟେଲ ସାହସର ସହ କାମ କଲେ ଓ ତାଙ୍କୁ ଏହି ସନ୍ଦେଶ ଶୁଣାଇଲେ ।

୬. ଦାନିୟେଲ ହୁଏତ କେଉଁ କାରଣ ଯୋଗୁଁ ସାହସର ସହ କାମ କରିପାରିଲେ ?

ଦାନିୟେଲ ସାରା ଜୀବନ ସାହସର ସହ କାମ କଲେ । ସେ ଏହା କିପରି କରିପାରିଲେ ? ଯେବେ ସେ ଛୋଟ ଥିଲେ, ତେବେ ସେ ନିଶ୍ଚୟ ତାଙ୍କ ବାପାମାଆଙ୍କଠାରୁ ଶିଖିଥିବେ । ଯିହୋବା ଇସ୍ରାଏଲୀୟ ବାପାମାଆଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହା ତାଙ୍କ ବାପାମାଆ ନିଶ୍ଚୟ ମାନିଥିବେ ଓ ଦାନିୟେଲଙ୍କୁ ବି ଈଶ୍ୱରଙ୍କ ନିୟମ ବିଷୟରେ ଶିଖାଇଥିବେ । (ଦ୍ୱିବି. ୬:୬-୯) ତେଣୁ ଦାନିୟେଲ କେବଳ ସେହି ନିୟମର ବଡ଼ ବଡ଼ ଆଜ୍ଞା, ଯେପରି ଦଶ ଆଜ୍ଞା ବିଷୟରେ ଜାଣିଥିଲେ ତାହା ନୁହେଁ, ବରଂ ସେ ଛୋଟ ଛୋଟ ଆଜ୍ଞା ସବୁ ବି ଜାଣିଥିଲେ । ଯେପରି ଇସ୍ରାଏଲୀୟମାନେ କʼଣ ଖାଇପାରିବେ ଓ କʼଣ ନୁହେଁ । b (ଲେବୀ. ୧୧:୪-୮; ଦାନି. ୧:୮, ୧୧-୧୩) ଦାନିୟେଲ ଏହା ବି ଜାଣିଥିଲେ ଯେ ପ୍ରାଚୀନ ସମୟରେ ଈଶ୍ୱରଙ୍କ ଲୋକମାନଙ୍କ ସହ କʼଣ ହୋଇଥିଲା ଓ ଯେବେ ସେମାନେ ଈଶ୍ୱରଙ୍କ ସ୍ତରଗୁଡ଼ିକୁ ମାନିଲେ ନାହିଁ, ତେବେ ତାʼର କʼଣ ପରିଣାମ ଭୋଗିବାକୁ ପଡ଼ିଲା । (ଦାନି. ୯:୧୦, ୧୧) ଆଉ ଦାନିୟେଲଙ୍କ ଜୀବନରେ ବି ଏପରି ବହୁତ କିଛି ହେଲା, ଯେଉଁଥିରୁ ତାଙ୍କୁ ବିଶ୍ୱାସ ହୋଇଗଲା ଯେ ଯିହୋବା ଓ ସ୍ୱର୍ଗଦୂତ ତାଙ୍କ ସାଙ୍ଗରେ ଅଛନ୍ତି ।—ଦାନି. ୨:୧୯-୨୪; ୧୦:୧୨, ୧୮, ୧୯.

ଦାନିୟେଲ ଶାସ୍ତ୍ରର ଅଧ୍ୟୟନ କଲେ, ପ୍ରାର୍ଥନା କଲେ ଓ ଯିହୋବାଙ୍କ ଉପରେ ଭରସା ରଖିଲେ, ତେଣୁ ସେ ସାହସର ସହ କାମ କରିପାରିଲେ (ପାରାଗ୍ରାଫ ୭)

୭. ଦାନିୟେଲ ଆଉ କେଉଁ କାରଣ ଯୋଗୁଁ ସାହସୀ ହୋଇପାରିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଦାନିୟେଲ ଈଶ୍ୱରଙ୍କ ଭବିଷ୍ୟଦ୍‌ବକ୍ତାମାନଙ୍କ ଲେଖାଥିବା କଥାଗୁଡ଼ିକର ବି ଅଧ୍ୟୟନ କରୁଥିଲେ, ଯେପରି ଯିରିମୀୟଙ୍କ ଭବିଷ୍ୟତବାଣୀଗୁଡ଼ିକ । ତେଣୁ ସେ ଆଗକୁ ଯାଇ ବୁଝିଗଲେ ଯେ ଯେଉଁ ଯିହୁଦୀମାନେ ଅନେକ ବର୍ଷରୁ ବାବିଲରେ ବନ୍ଦୀ ଥିଲେ, ସେମାନେ ଖୁବ୍‌ ଶୀଘ୍ର ନିଜ ଦେଶକୁ ଫେରିବେ । (ଦାନି. ୯:୨) ଯେବେ ଦାନିୟେଲ ଦେଖିଲେ ଯେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଉଛି, ତେବେ ଯିହୋବାଙ୍କ ଉପରେ ତାଙ୍କ ଭରସା ଆହୁରି ବଢ଼ିଯାଇଥିବ । ଆଉ ଯେଉଁ ଲୋକମାନଙ୍କ ଈଶ୍ୱରଙ୍କ ଉପରେ ପୂରା ଭରସା ଥାଏ, ସେମାନେ ସାହସର ସହ କାମ କରିପାରନ୍ତି । (ରୋମୀୟ ୮:୩୧, ୩୨, ୩୭-୩୯ ପଦ ସହ ତୁଳନା କରନ୍ତୁ ।) ସବୁଠୁ ବଡ଼ କଥା, ଦାନିୟେଲ ବାରମ୍ବାର ଯିହୋବାଙ୍କୁ ପ୍ରାର୍ଥନା କରୁଥିଲେ । (ଦାନି. ୬:୧୦) ସେ ଯିହୋବାଙ୍କ ଆଗରେ ନିଜ ପାପ ସ୍ୱୀକାର କରୁଥିଲେ ଓ ତାଙ୍କୁ ସେ ନିଜ ମନର ସବୁ କଥା କହୁଥିଲେ । ସେ ଯିହୋବାଙ୍କୁ ସାହାଯ୍ୟ ବି ମାଗୁଥିଲେ । (ଦାନି. ୯:୪, ୫, ୧୯) ଦାନିୟେଲ ବି ଆମ ଭଳି ହିଁ ମଣିଷ ଥିଲେ, ସେ ଜନ୍ମରୁ ସାହସୀ ନ ଥିଲେ । ସେ ଶାସ୍ତ୍ରର ଅଧ୍ୟୟନ କଲେ, ପ୍ରାର୍ଥନା କଲେ ଓ ଯିହୋବାଙ୍କ ଉପରେ ଭରସା ରଖିଲେ, ତେଣୁ ସେ ସାହସୀ ହୋଇପାରିଲେ ।

୮. ଆମେ କିପରି ସାହସୀ ହୋଇପାରିବା ?

ଆମେ ସାହସୀ କିପରି ହୋଇପାରିବା ? ଆମ ବାପାମାଆ ହୁଏତ ଆମକୁ କହିବେ ଯେ ଆମକୁ ସାହସର ସହ କାମ କରିବା ଉଚିତ୍‌, କିନ୍ତୁ ଏହା ଏପରି କୌଣସି ଜିନିଷ ନୁହେଁ, ଯାହା ବାପାମାଆ ଆମକୁ ଦେଇପାରିବେ । ଆମକୁ ନିଜେ ସାହସୀ ହେବାକୁ ପଡ଼ିବ । ଏହା ଗୋଟିଏ ନୂଆ ଦକ୍ଷତା ଶିଖିବା ଭଳି ଅଟେ । କୌଣସି ଦକ୍ଷତା ଶିଖିବାର ଗୋଟିଏ ଉପାୟ ହେଉଛି, ଯିଏ ଆମକୁ ଶିଖାଉଛନ୍ତି ତାଙ୍କୁ ଧ୍ୟାନର ସହ ଦେଖିବା ଓ ତାʼପରେ ସେ ଯେପରି କରୁଛନ୍ତି, ସେହିପରି କରିବା ପାଇଁ ଚେଷ୍ଟା କରିବା । ଠିକ୍‌ ସେହିପରି ସାହସୀ ହେବା ପାଇଁ ଜରୁରୀ ଯେ ଆମେ ଅନ୍ୟମାନଙ୍କୁ ଧ୍ୟାନର ସହ ଦେଖିବା ଯେ ସେମାନେ କିପରି ସାହସର ସହ କାମ କରୁଛନ୍ତି ଓ ତାʼପରେ ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା । ଆମେ ଦାନିୟେଲଙ୍କ ଉଦାହରଣରୁ କʼଣ ଶିଖିଲୁ ? ତାଙ୍କ ଭଳି ଆମକୁ ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା କଥାଗୁଡ଼ିକୁ ଭଲଭାବେ ବୁଝିବାର ଅଛି । ଯିହୋବାଙ୍କୁ ନିଜ ମନର ସବୁ କଥା କହିବାର ଅଛି ଓ ଲଗାତାର ପ୍ରାର୍ଥନା କରିବାର ଅଛି । ଏପରି କରିବା ଦ୍ୱାରା ଯିହୋବାଙ୍କ ସହ ଆମ ସମ୍ପର୍କ ଦୃଢ଼ ହୋଇପାରିବ ଓ ଆମେ ତାଙ୍କ ଉପରେ ଭରସା ରଖିପାରିବା । ଆମକୁ ପୂରା ବିଶ୍ୱାସ ରଖିବାର ଅଛି ଯେ ଯିହୋବା ସବୁବେଳେ ଆମ ସାଙ୍ଗରେ ଥିବେ । ତାʼପରେ ଯେବେ ଆମ ବିଶ୍ୱାସର ପରୀକ୍ଷା ହେବ, ତେବେ ଆମେ ସାହସର ସହ କାମ କରିପାରିବା ।

୯. ସାହସର ସହ କାମ କଲେ କେଉଁ କେଉଁ ଲାଭ ମିଳେ ?

ଯେବେ ଆମେ ସାହସର ସହ କାମ କରୁ, ତେବେ ଏଥିରୁ ଅନେକ ଲାଭ ହୁଏ । ଟିକେ ବେନ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଜର୍ମାନୀର ଗୋଟିଏ ସ୍କୁଲରେ ପଢ଼ୁଥିଲେ, ସେଠାର ସମସ୍ତ ପିଲାମାନେ ବିବର୍ତ୍ତନର ଶିକ୍ଷା ମାନୁଥିଲେ । ସେମାନଙ୍କୁ ଲାଗୁଥିଲା ଯେ ବାଇବଲରେ ସୃଷ୍ଟି ବିଷୟରେ ଯାହା କୁହାଯାଇଛି, ତାହା ସତ ନ ଥିବ । ଥରେ ବେନ୍‌ଙ୍କୁ ପୂରା କ୍ଲାସ ସାମନାରେ ଏହା କହିବା ପାଇଁ ସୁଯୋଗ ମିଳିଲା ଯେ ସେ କାହିଁକି ବିଶ୍ୱାସ କରନ୍ତି ଯେ ଗଛଲତା, ପଶୁ ଓ ମଣିଷମାନଙ୍କୁ କେହି ସୃଷ୍ଟି କରିଛନ୍ତି । ସେ ସାହସର ସହ କାମ କଲେ ଓ ସମସ୍ତଙ୍କୁ ଏବିଷୟରେ କହିଲେ । ତାʼର ପରିଣାମ କʼଣ ହେଲା ? ବେନ୍‌ କହନ୍ତି, “ମୋ ଟିଚର ଧ୍ୟାନର ସହ ମୋ କଥା ଶୁଣିଲେ ଓ ମୁଁ ଯେଉଁ ଲେଖା ଆଧାରରେ ନିଜ କଥା କହିଥିଲି, ସେ ତାʼର ଅନେକ କପି ବାହାର କଲେ ଓ କ୍ଲାସର ସମସ୍ତ ପିଲାମାନଙ୍କୁ ଦେଲେ ।” କ୍ଲାସର ପିଲାମାନଙ୍କ ଦୃଷ୍ଟିକୋଣ କʼଣ ଥିଲା ? ବେନ୍‌ କହନ୍ତି, “ସେମଧ୍ୟରୁ ଅନେକ ପିଲା ମୋର କଥା ଧ୍ୟାନର ସହ ଶୁଣିଲେ ଓ ମୋର ପ୍ରଶଂସା କଲେ ।” ବେନ୍‌ଙ୍କ ଅନୁଭବରୁ ଜଣାପଡ଼େ ଯେ ଯେଉଁ ଲୋକମାନେ ସାହସର ସହ କାମ କରନ୍ତି, ସେମାନଙ୍କୁ ଲୋକମାନେ ପ୍ରାୟ ଆଦର କରନ୍ତି । ସେମାନଙ୍କ ଯୋଗୁଁ ହିଁ ଭଲ ଲୋକମାନେ ହୁଏତ ଯିହୋବାଙ୍କ ବିଷୟରେ ଜାଣିବାକୁ ଚାହିଁବେ । ତାହେଲେ କେତେ ଭଲ ହେବ ଯେ ଆମେ ବି ସାହସୀ ହେବା ପାଇଁ ଚେଷ୍ଟା କରୁ !

ଦାନିୟେଲଙ୍କ ଭଳି ସବୁବେଳେ ବିଶ୍ୱସ୍ତ ରହନ୍ତୁ

୧୦. ବିଶ୍ୱସ୍ତତାର ଅର୍ଥ କʼଣ ? ବୁଝାନ୍ତୁ ।

୧୦ ବାଇବଲରେ ଯେଉଁ ଏବ୍ରୀ ଶବ୍ଦର ଅନୁବାଦ, “ବିଶ୍ୱସ୍ତତା” କିମ୍ବା “ଦୟା” [“ଅଟଳ ପ୍ରେମ,” NWT] କରାଯାଇଛି, ତାହା ଈଶ୍ୱରଙ୍କ ନିଜ ସେବକମାନଙ୍କ ପ୍ରତି ଥିବା ଗଭୀର ପ୍ରେମ ବିଷୟରେ କହିବା ପାଇଁ ବ୍ୟବହାର କରାଯାଇଛି । ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଥିବା ପ୍ରେମ ବିଷୟରେ ବି କହିବା ପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି । (୨ ଶାମୁ. ୯:୬, ୭) ଯେପରି ସମୟ ଗଡ଼ି ଚାଲେ, କାହାରି ବିଶ୍ୱସ୍ତ ରହିବାର ଆମ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇପାରେ । ଆସନ୍ତୁ ଧ୍ୟାନ ଦେବା ଯେ ଦାନିୟେଲଙ୍କ ମାମଲାରେ ଏହି କଥା କିପରି ସତ ପ୍ରମାଣିତ ହେଲା ।

ଯିହୋବା ଦାନିୟେଲଙ୍କ ବିଶ୍ୱସ୍ତତାରୁ ଖୁସି ଥିଲେ, ତେଣୁ ସେ ଜଣେ ସ୍ୱର୍ଗଦୂତଙ୍କୁ ପଠାଇ ସିଂହମାନଙ୍କ ମୁହଁ ବନ୍ଦ କରିଦେଲେ (ପାରାଗ୍ରାଫ ୧୧)

୧୧. ଯେବେ ଦାନିୟେଲ ବୃଦ୍ଧ ହୋଇଯାଇଥିଲେ, ତେବେ ତାଙ୍କ ବିଶ୍ୱସ୍ତତାର ପରୀକ୍ଷା କିପରି ହେଲା ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

୧୧ ଦାନିୟେଲଙ୍କ ଜୀବନରେ ଅନେକଥର ଏପରି ପରିସ୍ଥିତି ଆସିଲା, ଯେବେ ତାଙ୍କ ପାଇଁ ଯିହୋବାଙ୍କ ବିଶ୍ୱସ୍ତ ରହିବା କଠିନ ଥିଲା । କିନ୍ତୁ ଯେବେ ସେ ୯୦ରୁ ବି ଅଧିକ ବର୍ଷର ଥିଲେ, ତେବେ ତାଙ୍କୁ ଗୋଟିଏ ବଡ଼ ସମସ୍ୟାର ସାମନା କରିବାକୁ ପଡ଼ିଲା । ସେସମୟ ଯାଏ ମାଦୀୟ ଓ ପାରସିକ ଲୋକମାନେ ବାବିଲ ଉପରେ କବ୍ଜା କରି ନେଇଥିଲେ ଓ ସେଠାରେ ରାଜା ଦାରୀୟାବସ ଶାସନ କରୁଥିଲେ । ରାଜାଙ୍କ ସହାୟକମାନେ ଦାନିୟେଲଙ୍କୁ ପସନ୍ଦ କରୁ ନ ଥିଲେ ଓ ତାଙ୍କ ଈଶ୍ୱରଙ୍କ ବି ଆଦର କରୁ ନ ଥିଲେ । ତେଣୁ ସେମାନେ ଦାନିୟେଲଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କଲେ । ସେମାନେ ରାଜାଙ୍କୁ ଗୋଟିଏ ଆଦେଶ ଦେବା ପାଇଁ କହିଲେ, ଯାହାଦ୍ୱାରା ଏକଥାର ପରୀକ୍ଷା ହୁଅନ୍ତା ଯେ ଦାନିୟେଲ ରାଜାଙ୍କ ବିଶ୍ୱସ୍ତ ରହିବେ ନା ନିଜ ଈଶ୍ୱରଙ୍କ । ଯଦି ଦାନିୟେଲ ୩୦ ଦିନ ଯାଏ ପ୍ରାର୍ଥନା କରିବା ଛାଡ଼ିଦିଅନ୍ତେ, ତାହେଲେ ପ୍ରମାଣିତ ହୋଇଯାନ୍ତା ଯେ ସେ ରାଜାଙ୍କ ବିଶ୍ୱସ୍ତ ଅଟନ୍ତି ଓ ସେ କାହାରି ଦୃଷ୍ଟିରେ ବି ଆସନ୍ତେ ନାହିଁ । କିନ୍ତୁ ଦାନିୟେଲ ପ୍ରାର୍ଥନା କରିବା ଛାଡ଼ିଲେ ନାହିଁ, ବରଂ ସେ ଲଗାତାର ଯିହୋବାଙ୍କୁ ପ୍ରାର୍ଥନା କଲେ । ସେ ଦୃଢ଼ ନିଷ୍ପତ୍ତି ନେଲେ ଯେ ସେ ସବୁ ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିବେ । ତାʼର ପରିଣାମ ଏହା ହେଲା ଯେ ତାଙ୍କୁ ସିଂହମାନଙ୍କ ଗର୍ତ୍ତରେ ଫିଙ୍ଗି ଦିଆଗଲା । କିନ୍ତୁ ଯିହୋବା ଦାନିୟେଲଙ୍କ ବିଶ୍ୱସ୍ତତାରୁ ଖୁସି ଥିଲେ, ତେଣୁ ସେ ତାଙ୍କୁ ସିଂହମାନଙ୍କ ଗର୍ତ୍ତରୁ ବଞ୍ଚାଇଲେ । (ଦାନି. ୬:୧୨-୧୫, ୨୦-୨୨) ଆମେ ଦାନିୟେଲଙ୍କ ଭଳି ସବୁ ପରିସ୍ଥିତିରେ ବିଶ୍ୱସ୍ତ କିପରି ରହିପାରିବା ?

୧୨. ଦାନିୟେଲ କାହିଁକି ସବୁ ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ ?

୧୨ ଯେପରି ଆମେ ଦେଖିଲୁ, ଆମେ ସେସମୟରେ ହିଁ ଜଣଙ୍କ ବିଶ୍ୱସ୍ତ ରହିପାରୁ ଯେବେ ଆମେ ତାଙ୍କୁ ବହୁତ ପ୍ରେମ କରୁ । ଦାନିୟେଲ ବି ସବୁ ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ, କାରଣ ସେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ସେ ଏହି ପ୍ରେମ କିପରି ବଢ଼ାଇପାରିଲେ ? ସେ ନିଶ୍ଚୟ ଏବିଷୟରେ ଭାବୁଥିବେ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି, ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି ଓ ଏହି ଗୁଣ ସେ କିପରି ଦେଖାଇଲେ । (ଦାନି. ୯:୪) ଦାନିୟେଲ ଏହା ବି ଭାବୁଥିଲେ ଯେ ଯିହୋବା ତାଙ୍କ ପାଇଁ ଓ ତାଙ୍କ ଲୋକମାନଙ୍କ ପାଇଁ ବହୁତ କିଛି କରିଛନ୍ତି ଏବଂ ତାʼପାଇଁ ସେ ଯିହୋବାଙ୍କ ବହୁତ କୃତଜ୍ଞ ଥିଲେ ।—ଦାନି. ୨:୨୦-୨୩; ୯:୧୫, ୧୬.

ଦାନିୟେଲଙ୍କ ଭଳି ଯଦି ଆପଣ ବି ଯିହୋବାଙ୍କୁ ପ୍ରେମ କରିବେ, ତେବେ ଆପଣ ସବୁ ପରିସ୍ଥିତିରେ ତାଙ୍କ ବିଶ୍ୱସ୍ତ ରହିପାରିବେ (ପାରାଗ୍ରାଫ ୧୩)

୧୩. (କ) କେଉଁ ପରିସ୍ଥିତିରେ ଯୁବା ଭାଇଭଉଣୀମାନଙ୍କ ପାଇଁ ବିଶ୍ୱସ୍ତ ରହିବା କଠିନ ହୋଇଯାଏ ? ଗୋଟିଏ ଉଦାହରଣ ଦିଅନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଯଦି କେହି ଆପଣଙ୍କୁ ପଚାରନ୍ତି ଯେ କʼଣ ଯିହୋବାଙ୍କ ସାକ୍ଷୀ ସମଲିଙ୍ଗୀ ଲୋକମାନଙ୍କୁ ସହଯୋଗ କରନ୍ତି, ତେବେ ଆପଣ କʼଣ କହିପାରିବେ ? (jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ ଧାର୍ମିକତାର କାମ ଯୋଗୁଁ ସବୁଆଡ଼େ ଶାନ୍ତି ଥିବ ଦେଖନ୍ତୁ ।)

୧୩ ଦାନିୟେଲଙ୍କ ଭଳି ଆମ ଯୁବା ଭାଇଭଉଣୀଙ୍କୁ ଏପରି ଲୋକମାନଙ୍କ ସାମନା କରିବାକୁ ପଡ଼େ, ଯେଉଁମାନେ ଯିହୋବା ଓ ତାଙ୍କ ସ୍ତରଗୁଡ଼ିକୁ ଟିକେ ବି ଆଦର କରନ୍ତି ନାହିଁ । ହୁଏତ ଦୁନିଆର ଲୋକମାନେ ଏପରି ଲୋକମାନଙ୍କୁ ବିଲକୁଲ୍‌ ବି ପସନ୍ଦ କରିବେନି, ଯେଉଁମାନଙ୍କ ଧର୍ମ କିମ୍ବା ଚିନ୍ତାଧାରା ସେମାନଙ୍କଠାରୁ ଅଲଗା ଥିବ । ଆଉ କିଛି ଲୋକମାନେ ହୁଏତ ଯୁବାମାନଙ୍କୁ ବହୁତ ହଇରାଣ କରିବେ, ଯାହାଦ୍ୱାରା ସେମାନଙ୍କ ପାଇଁ ଯିହୋବାଙ୍କ ବିଶ୍ୱସ୍ତ ରହିବା କଠିନ ହୋଇଯିବ । ଧ୍ୟାନ ଦିଅନ୍ତୁ ଯେ ଅଷ୍ଟ୍ରେଲିଆରେ ରହୁଥିବା ଗ୍ରେହେମ୍‌ ନାମକ ଜଣେ ଯୁବା ଭାଇଙ୍କ ସହ କʼଣ ହେଲା । ଯେବେ ସେ ସ୍କୁଲରେ ଥିଲେ, ତେବେ ତାଙ୍କୁ ଗୋଟିଏ କଠିନ ସମସ୍ୟାର ସାମନା କରିବାକୁ ପଡ଼ିଲା । ଥରେ ତାଙ୍କ ଟିଚର କ୍ଲାସର ସବୁ ପିଲାମାନଙ୍କୁ ପଚାରିଲେ, ଯଦି ତମ ସାଙ୍ଗ କହିବ ଯେ ସେ ସମଲିଙ୍ଗୀ ଅଟେ, ତେବେ ତମେ କʼଣ କରିବ । ତାʼପରେ ଟିଚର କହିଲେ ଯେଉଁ ପିଲାମାନେ ସମଲିଙ୍ଗୀକୁ ଖରାପ ବୋଲି ଭାବ, ସେମାନେ ଗୋଟେ ପଟେ ହୋଇଯାଅ, ଆଉ ଯେଉଁମାନଙ୍କୁ ଲାଗେ ଯେ ସମଲିଙ୍ଗୀ ଠିକ୍‌ ଅଟେ ସେମାନେ ଗୋଟେ ପଟେ ହୋଇଯାଅ । ଗ୍ରେହେମ୍‌ କହନ୍ତି, “ମୋତେ ଓ ଆଉ ଜଣେ ସାକ୍ଷୀଙ୍କୁ ଛାଡ଼ି କ୍ଲାସର ସବୁ ପିଲା ଗୋଟେ ପଟେ ଛିଡ଼ା ହୋଇଗଲେ । ସେମାନଙ୍କୁ ଲାଗୁଥିଲା ଯେ ସମଲିଙ୍ଗୀ ହେବାରେ କୌଣସି ଭୁଲ ନାହିଁ ।” ତାʼପରେ ଯାହା ହେଲା ସେଥିରୁ ଗ୍ରେହେମ୍‌ଙ୍କ ବିଶ୍ୱସ୍ତତାର ଆହୁରି ପରୀକ୍ଷା ହେଲା । ସେ କହନ୍ତି, “ପ୍ରାୟ ଗୋଟେ ଘଣ୍ଟା ଧରି ଟିଚର ଓ ଅନ୍ୟ ପିଲାମାନେ ଆମ ଥଟ୍ଟା କରୁଥିଲେ ଓ ଆମର ଅପମାନ କରୁଥିଲେ । ମୁଁ ପୂରା ଚେଷ୍ଟା କଲି ଯେ ମୁଁ ଯାହା ବିଶ୍ୱାସ କରେ ସେବିଷୟରେ ଶାନ୍ତିର ସହ ସେମାନଙ୍କୁ ବୁଝାଇବି, କିନ୍ତୁ ସେମାନେ ଶୁଣିଲେ ହିଁ ନାହିଁ ।” ସେସମୟରେ ଗ୍ରେହେମ୍‌ଙ୍କୁ କିପରି ଲାଗିଲା ? ସେ କହନ୍ତି, “ସେମାନେ ମୋତେ ବହୁତ କିଛି କହିଲେ । ମୋତେ ଟିକେ ଖରାପ ତ ଲାଗିଲା, କିନ୍ତୁ ମୋତେ ଏକଥା ପାଇଁ ବହୁତ ଖୁସି ମିଳିଲା ଯେ ମୁଁ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲି ଓ ମୁଁ ଯାହା ବିଶ୍ୱାସ କରେ ତାହା ଅନ୍ୟମାନଙ୍କୁ କହିପାରିଲି ।”

୧୪. ସବୁ ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିବାର ଗୋଟିଏ ଉପାୟ କʼଣ ?

୧୪ ଆପଣ ବି ଯେକୌଣସି ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବେ । ତାହା କିପରି ? ଯଦି ଆପଣ ଦାନିୟେଲଙ୍କ ଭଳି ଯିହୋବାଙ୍କ ପାଇଁ ନିଜ ପ୍ରେମ ବଢ଼ାଇବେ । ଏପରି କରିବାର ଗୋଟିଏ ଉପାୟ ହେଉଛି, ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଜାଣିବା । ତାʼପାଇଁ ଆମେ ତାଙ୍କ ସୃଷ୍ଟି ବିଷୟରେ ଅଧ୍ୟୟନ କରିପାରିବା । (ରୋମୀ. ୧:୨୦) ଯେତେ ଅଧିକ ଆମେ ଏପରି କରିବା, ସେତେ ଅଧିକ ଆମେ ତାଙ୍କୁ ପ୍ରେମ ଓ ଆଦର କରିବାକୁ ଲାଗିବା । ତାʼପାଇଁ ଆପଣ ଚାହିଁଲେ “କʼଣ ଏହାକୁ ସୃଷ୍ଟି କରାଯାଇଥିଲା ?” ଶୃଙ୍ଖଳାରେ ଦିଆଯାଇଥିବା ଛୋଟ ଛୋଟ ଲେଖା ପଢ଼ିପାରିବେ କିମ୍ବା ଭିଡିଓ ଦେଖିପାରିବେ । କିମ୍ବା ଆପଣ ଜୀବନର ଆରମ୍ଭ, ପାଞ୍ଚଟି ପ୍ରଶ୍ନ—ଉତ୍ତର ପାଇବା ଜରୁରୀ ନାମକ ପୁସ୍ତିକା ପଢ଼ିପାରିବେ । c ଧ୍ୟାନ ଦିଅନ୍ତୁ ଯେ ଏପରି ପ୍ରକାଶନ ପଢ଼ି ଡେନମାର୍କରେ ରହୁଥିବା ଆମ ଯୁବା ଭଉଣୀ ଏଷ୍ଟର କʼଣ କହନ୍ତି, “ଏଥିରେ ବହୁତ ଭଲଭାବେ ତର୍କ କରି ଏହି କଥାଗୁଡ଼ିକୁ ବୁଝାଯାଇଛି । ଏହି ପ୍ରକାଶନଗୁଡ଼ିକରେ ଏପରି କୁହାଯାଇ ନାହିଁ ଯେ ଆପଣଙ୍କୁ କʼଣ ବିଶ୍ୱାସ କରିବା ଉଚିତ୍‌ ଓ କʼଣ ନୁହେଁ, ବରଂ ଏଥିରେ ସଠିକ୍‌ ତଥ୍ୟ ଦିଆଯାଇଛି, ଯାହାଦ୍ୱାରା ଆପଣ ନିଜେ ନିଷ୍ପତ୍ତି ନେଇପାରିବେ ଯେ ଆପଣ କʼଣ ବିଶ୍ୱାସ କରିବେ ।” ବେନ୍‌ ଯାହାଙ୍କ ବିଷୟରେ ପୂର୍ବେ ଚର୍ଚ୍ଚା କରାଯାଇଥିଲା କହନ୍ତି, “ଏହି ତଥ୍ୟଗୁଡ଼ିକ ପଢ଼ି ମୋର ବିଶ୍ୱାସ ଆହୁରି ବଢ଼ିଗଲା । ଏଥିରୁ ମୋତେ ଭରସା ହୋଇଗଲା ଯେ ଈଶ୍ୱର ସମସ୍ତ ଜୀବଜନ୍ତୁକୁ ସୃଷ୍ଟି କରିଛନ୍ତି ।” ଏହି ପ୍ରକାଶନରେ ଦିଆଯାଇଥିବା ତଥ୍ୟଗୁଡ଼ିକୁ ପଢ଼ି ନିଶ୍ଚୟ ଆପଣ ବି ବାଇବଲରେ ଲେଖାଥିବା ଏକଥାରେ ସହମତ ହେବେ, “ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ ।”—ପ୍ରକା. ୪:୧୧. d

୧୫. ଯିହୋବାଙ୍କ ସହ ନିଜ ବନ୍ଧୁତାକୁ ଦୃଢ଼ କରିବାର ଆଉ ଗୋଟିଏ ଉପାୟ କʼଣ ?

୧୫ ଯିହୋବାଙ୍କ ପାଇଁ ନିଜ ପ୍ରେମ ବଢ଼ାଇବାର ଆଉ ଗୋଟିଏ ଉପାୟ ହେଉଛି, ତାଙ୍କ ପୁତ୍ର ଯୀଶୁଙ୍କ ଜୀବନରେ ହୋଇଥିବା ଘଟଣାଗୁଡ଼ିକର ଅଧ୍ୟୟନ କରିବା । ଜର୍ମାନୀରେ ରହୁଥିବା ଜଣେ ଯୁବା ଭଉଣୀ ସମୀରା ଏପରି ହିଁ କଲେ । ସେ କହନ୍ତି, “ଯୀଶୁଙ୍କ ବିଷୟରେ ଜାଣିବା ଦ୍ୱାରା ମୁଁ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିଲି ।” ଯେବେ ସେ ଛୋଟ ଥିଲେ, ତେବେ ତାଙ୍କୁ ଏହା ବୁଝିବା ବହୁତ କଠିନ ହେଉଥିଲା ଯେ ଯିହୋବା ତାଙ୍କ ସାଙ୍ଗ ହୋଇପାରିବେ ଓ ସେ ତାଙ୍କୁ ପ୍ରେମ କରିପାରିବେ । କିନ୍ତୁ ଯେବେ ସେ ଯୀଶୁଙ୍କ ବିଷୟରେ ଭାବୁଥିଲେ, ତେବେ ସେ ବୁଝିପାରୁଥିଲେ ଯେ ଯୀଶୁ କିପରି ଅନୁଭବ କରୁଥିବେ । ସେ ଏହା ବି କହିଲେ, “ଯୀଶୁ ସମସ୍ତଙ୍କ ସହ ବହୁତ ଭଲଭାବେ ବ୍ୟବହାର କରୁଥିଲେ ଓ ପିଲାମାନଙ୍କୁ ବହୁତ ପ୍ରେମ କରୁଥିଲେ, ତେଣୁ ମୁଁ ଯୀଶୁଙ୍କୁ ବହୁତ ଭଲ ପାଏ ।” ଯେତେ ଅଧିକ ସେ ଯୀଶୁଙ୍କ ବିଷୟରେ ଜାଣିଲେ, ସେତେ ଅଧିକ ସେ ଯିହୋବାଙ୍କୁ ଭଲଭାବେ ଜାଣିପାରିଲେ ଓ ତାଙ୍କୁ ପ୍ରେମ କରିବାକୁ ଲାଗିଲେ । ସେ କହନ୍ତି, “ଧୀରେ ଧୀରେ ମୁଁ ବୁଝିଗଲି ଯେ ଯୀଶୁ ସବୁକିଛି ନିଜ ବାପାଙ୍କ ଭଳି କରନ୍ତି । ସେ ଦୁହେଁ ଏକା ଭଳି ଅଟନ୍ତି । ମୁଁ ବୁଝିପାରିଲି ଯେ ଯୀଶୁଙ୍କ ଜରିଆରେ ହିଁ ସମସ୍ତ ଲୋକ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରନ୍ତେ । ତେଣୁ ଯିହୋବା ଯୀଶୁଙ୍କୁ ପୃଥିବୀରେ ପଠାଇଥିଲେ ।” (ଯୋହ. ୧୪:୯) ଯଦି ଆପଣ ଯିହୋବାଙ୍କ ସହ ନିଜ ବନ୍ଧୁତାକୁ ଆହୁରି ଦୃଢ଼ କରିବା ପାଇଁ ଚାହାନ୍ତି, ତେବେ ଭଲ ହେବ ଯେ ଆପଣଙ୍କ ଦ୍ୱାରା ଯେତେ ହୋଇପାରିବ ଆପଣ ସେତେ ଅଧିକ ଯୀଶୁଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଯେବେ ଆପଣ ଏପରି କରିବେ, ତେବେ ଯିହୋବାଙ୍କ ପାଇଁ ଆପଣଙ୍କ ପ୍ରେମ ବଢ଼ିବ ଓ ଆପଣ ସବୁଦିନ ଯାଏ ତାଙ୍କ ବିଶ୍ୱସ୍ତ ରହିବା ପାଇଁ ଚାହିଁବେ ।

୧୬. ବିଶ୍ୱସ୍ତ ରହିବା ଯୋଗୁଁ ଆମକୁ କେଉଁ କେଉଁ ଲାଭ ହୁଏ ? (ଗୀତସଂହିତା ୧୮:୨୫; ମୀଖା ୬:୮)

୧୬ ଯେଉଁ ଲୋକମାନେ ବିଶ୍ୱସ୍ତ ରହନ୍ତି, ସେମାନଙ୍କୁ ପ୍ରାୟ ଅନେକ ଭଲ ସାଙ୍ଗ ମିଳନ୍ତି ଓ ସେମାନଙ୍କ ବନ୍ଧୁତା ବଜାଏ ରହେ । (ରୂତ ୧:୧୪-୧୭) ଆଉ ଯେଉଁମାନେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି ସେମାନଙ୍କୁ ମନର ଶାନ୍ତି ମିଳେ । କାରଣ ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଯେଉଁମାନେ ତାଙ୍କ ବିଶ୍ୱସ୍ତ ରହନ୍ତି, ସେ ସେମାନଙ୍କ ବିଶ୍ୱସ୍ତ ରହିବେ । (ଗୀତସଂହିତା ୧୮:୨୫; ମୀଖା ୬:୮ ପଢ଼ନ୍ତୁ ।) ଭାବନ୍ତୁ ଏହା କେତେ ବଡ଼ କଥା ଅଟେ ଯେ ଦୁନିଆର ସୃଷ୍ଟିକର୍ତ୍ତା ଆମ ମଣିଷମାନଙ୍କ ସହ ସାଙ୍ଗ ହେବା ପାଇଁ ଚାହାନ୍ତି । ଆଉ ଯେବେ ଆମ ଏହି ବନ୍ଧୁତା ଦୃଢ଼ ହୋଇଯାଏ ତେବେ କୌଣସି ବି ସମସ୍ୟା, କେହି ବି ବିରୋଧୀ, ଏପରିକି ମୃତ୍ୟୁ ବି ତାହା ଭାଙ୍ଗି ପାରିବନି । (ଦାନି. ୧୨:୧୩; ଲୂକ ୨୦:୩୭, ୩୮; ରୋମୀ. ୮:୩୮, ୩୯) ତାହେଲେ କେତେ ଭଲ ହେବ ଯେ ଆମେ ଦାନିୟେଲଙ୍କ ଭଳି ହେବା ଓ ସବୁବେଳେ ଯିହୋବାଙ୍କ ବିଶ୍ୱସ୍ତ ରହିବା ।

ଦାନିୟେଲଙ୍କଠାରୁ ଶିଖିବା ଜାରି ରଖନ୍ତୁ

୧୭-୧୮. ଦାନିୟେଲଙ୍କଠାରୁ ଆମେ ଆହୁରି କʼଣ ଶିଖିପାରିବା ?

୧୭ ଏହି ଲେଖାରେ ଆମେ ଦାନିୟେଲଙ୍କ କେବଳ ଦୁଇଟି ଗୁଣ ବିଷୟରେ ଚର୍ଚ୍ଚା କଲୁ । କିନ୍ତୁ ଦାନିୟେଲଙ୍କଠାରୁ ଆମେ ଆହୁରି ବହୁତ କିଛି ଶିଖିପାରିବା । ଯେପରି, ଯିହୋବା ଦାନିୟେଲଙ୍କୁ ଅନେକ ଦର୍ଶନ ଓ ସ୍ୱପ୍ନ ଦେଖାଇଲେ ଓ ଭବିଷ୍ୟତରେ ହେବାକୁ ଯାଉଥିବା କଥାଗୁଡ଼ିକର ଅର୍ଥ ବୁଝାଇବା ପାଇଁ ମଧ୍ୟ ଦକ୍ଷତା ଦେଲେ । ସେମଧ୍ୟରୁ ଅନେକ ଭବିଷ୍ୟତବାଣୀଗୁଡ଼ିକ ପୂରା ହୋଇସାରିଛି । ଅନ୍ୟ କିଛି ଭବିଷ୍ୟତବାଣୀରେ ଆଗକୁ ହେବାକୁ ଯାଉଥିବା ଏପରି ଘଟଣା ବିଷୟରେ କୁହାଯାଇଛି, ଯାହାର ଏହି ଦୁନିଆରେ ରହୁଥିବା ପ୍ରତ୍ୟେକ ମଣିଷମାନଙ୍କୁ ସାମନା କରିବାକୁ ପଡ଼ିବ ।

୧୮ ପରବର୍ତ୍ତୀ ଲେଖାରେ ଆମେ ଦାନିୟେଲ ଲେଖିଥିବା ଦୁଇଟି ଭବିଷ୍ୟତବାଣୀ ଉପରେ ଚର୍ଚ୍ଚା କରିବା । ତାହା ବୁଝିବା ଦ୍ୱାରା ବୃଦ୍ଧ-ଯୁବା ସମସ୍ତଙ୍କୁ ଲାଭ ହେବ ଓ ଆମେ ସମସ୍ତେ ଭଲ ନିଷ୍ପତ୍ତି ନେଇପାରିବା । ସେହି ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରିବା ଦ୍ୱାରା ଆମେ ଆହୁରି ସାହସର ସହ କାମ କରିପାରିବା ଓ ଯିହୋବାଙ୍କ ବିଶ୍ୱସ୍ତ ରହିବାର ଆମ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଯିବ । ଏହା ଯୋଗୁଁ ଆମେ ସେହି ଘଟଣାଗୁଡ଼ିକ ପାଇଁ ନିଜକୁ ପ୍ରସ୍ତୁତ କରିପାରିବା, ଯାହା ଖୁବ୍‌ ଶୀଘ୍ର ହେବାକୁ ଯାଉଛି ।

ଗୀତ ୧୧୯ କ୍ୟାୟା ଇମାନ୍‌ ହମ୍‌ ମେଁ ହେ ଖରା?

a ଆଜି ଯିହୋବାଙ୍କ ସେବା କରୁଥିବା ଯୁବାମାନଙ୍କ ଆଗରେ ଅନେକଥର ଏପରି ପରିସ୍ଥିତି ଆସେ, ଯେବେ ସେମାନଙ୍କୁ ସାହସର ସହ କାମ କରିବା ଓ ଯିହୋବାଙ୍କ ବିଶ୍ୱସ୍ତ ରହିବା କଠିନ ହୋଇପାରେ । ଯିହୋବା ସବୁକିଛି ସୃଷ୍ଟି କରିଛନ୍ତି, ଏକଥା ଉପରେ ବିଶ୍ୱାସ କରିବା ଯୋଗୁଁ ହୁଏତ ସେମାନଙ୍କ କ୍ଲାସର ପିଲାମାନେ ସେମାନଙ୍କ ଥଟ୍ଟା କରିବେ କିମ୍ବା ଅନ୍ୟ ପିଲାମାନେ ହୁଏତ ତାଙ୍କୁ ଏହା ଅନୁଭବ କରାଇବା ପାଇଁ ଚେଷ୍ଟା କରିବେ ଯେ ସେମାନେ ମୂର୍ଖ ଅଟନ୍ତି, କାରଣ ସେମାନେ ଈଶ୍ୱରଙ୍କ ସେବା କରନ୍ତି ଏବଂ ଠିକ୍‌ ଭୁଲ ବିଷୟରେ ଦିଆଯାଇଥିବା ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ଚାଲନ୍ତି । କିନ୍ତୁ ଆମେ ଏହି ଲେଖାରେ ଦେଖିବା ଯେ ଯେଉଁମାନେ ଦାନିୟେଲଙ୍କ ଭଳି ସାହସର ସହ କାମ କରନ୍ତି ଓ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରନ୍ତି, ସେମାନେ ହିଁ ପ୍ରକୃତରେ ବୁଦ୍ଧିମାନ ଅଟନ୍ତି ।

b ଦାନିୟେଲ ହୁଏତ ତିନୋଟି କାରଣ ଯୋଗୁଁ ବାବିଲର ଲୋକମାନଙ୍କ ଖାଦ୍ୟ ଖାଇବାରୁ ମନା କରିଥିଲେ: (୧) ତାହା ହୁଏତ ଏପରି ପଶୁଗୁଡ଼ିକର ମାଂସ ଥିଲା, ଯାହା ମୋଶାଙ୍କ ନିୟମରେ ଖାଇବା ପାଇଁ ମନା କରାଯାଇଥିଲା । (ଦ୍ୱିବି. ୧୪:୭, ୮) (୨) ହୁଏତ ସେହି ପଶୁମାନଙ୍କ ରକ୍ତ ପୂରାପୂରି ବାହାର କରାଯାଇ ନ ଥିଲା । (ଲେବୀ. ୧୭:୧୦-୧୨) (୩) ତାହାକୁ ଖାଇବା ଦ୍ୱାରା ଏପରି ଲାଗିପାରନ୍ତା ଯେ ସେମାନେ ମିଥ୍ୟା ଦେବାଦେବୀମାନଙ୍କ ଉପାସନା କରୁଛନ୍ତି, କାରଣ ସେଠାରେ ପ୍ରାୟ ପଶୁମାନଙ୍କୁ ପ୍ରଥମେ ମିଥ୍ୟା ଦେବାଦେବୀମାନଙ୍କ ଆଗରେ ବଳିଦାନ କରାଯାଉଥିଲା ।—ଲେବୀ ପୁସ୍ତକ ୭:୧୫ ଏବଂ ୧ କରିନ୍ଥୀୟ ୧୦:୧୮, ୨୧, ୨୨ ପଦ ସହ ତୁଳନା କରନ୍ତୁ ।

c ଆପଣ ଚାହିଁଲେ ୱାଜ୍‌ ଲାଇଫ୍‌ କ୍ରିଏଟେଡ୍‌ ପୁସ୍ତିକା ବି ପଢ଼ିପାରିବେ ।

d ଯିହୋବାଙ୍କୁ ଆହୁରି ପ୍ରେମ କରିବା ପାଇଁ ଆପଣ ଯିହୋବାଙ୍କ ନିକଟବର୍ତ୍ତୀ ହୁଅ ବହିର ବି ଅଧ୍ୟୟନ କରିପାରିବେ । ଏଥିରେ ଯିହୋବାଙ୍କ ଗୁଣଗୁଡ଼ିକ ଓ ତାଙ୍କ ସ୍ୱଭାବ ବିଷୟରେ ଖୋଲିକି ବୁଝାଯାଇଛି ।