ଅଧ୍ୟୟନ ଲେଖା ୩୩
ଗୀତ ୧୩୦ ଦିଲ୍ ସେ ମାଫ୍ କରେଁ
ଗମ୍ଭୀର ପାପ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ
“କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି ।”—୧ ଯୋହ. ୨:୧.
କʼଣ ଶିଖିବା ?
ପ୍ରଥମ ଶତାବ୍ଦୀରେ କରିନ୍ଥୀୟ ମଣ୍ଡଳୀର ଜଣେ ଭାଇ ଗମ୍ଭୀର ପାପ କରିଥିଲା, ସେହି ମାମଲାକୁ କିପରି ସମାଧାନ କରାଗଲା ଓ ଆମେ ସେଥିରୁ କʼଣ ଶିଖିପାରିବା ?
୧. ଯିହୋବା ପ୍ରତ୍ୟେକ ଲୋକଙ୍କ ପାଇଁ କʼଣ ଚାହାନ୍ତି ?
ଯିହୋବା ଆମକୁ ନିଜ ନିଷ୍ପତ୍ତି ନିଜେ ନେବା ପାଇଁ ସ୍ୱାଧୀନତା ଦେଇଛନ୍ତି । ସତରେ ଏହା ଆମ ପାଇଁ କେତେ ବଢ଼ିଆ ଉପହାର ! ଆମେ ଯେଉଁ ସବୁଠୁ ଜରୁରୀ ନିଷ୍ପତ୍ତି ନେଇପାରିବା, ତାହା ହେଉଛି ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ଓ ଭାଇଭଉଣୀମାନଙ୍କ ସହିତ ମିଶି ତାଙ୍କର ଉପାସନା କରିବା । ଯିହୋବା ପ୍ରତ୍ୟେକ ଲୋକଙ୍କ ପାଇଁ ଏହା ହିଁ ଚାହାନ୍ତି । ତାହା କାହିଁକି ? କାରଣ ସେ ସମସ୍ତଙ୍କୁ ପ୍ରେମ କରନ୍ତି ଓ ଆମର ଭଲ ଚାହାନ୍ତି । ସେ ଚାହାନ୍ତି ଯେ ଆମେ ତାଙ୍କ ସାଙ୍ଗ ହେଉ ଏବଂ ଆମକୁ ଅନନ୍ତ ଜୀବନ ମିଳୁ ।—ଦ୍ୱିବି. ୩୦:୧୯, ୨୦; ଗାଲା. ୬:୭, ୮.
୨. ଯେଉଁମାନେ ପଶ୍ଚାତାପ କରି ନାହାନ୍ତି, ସେମାନଙ୍କଠାରୁ ଯିହୋବା କʼଣ ଚାହାନ୍ତି । (୧ ଯୋହନ ୨:୧)
୨ କିନ୍ତୁ ଯିହୋବା କାହାରିକୁ ବି ତାଙ୍କ ସେବା କରିବା ପାଇଁ ବାଧ୍ୟ କରନ୍ତି ନାହିଁ । ସେ ସମସ୍ତଙ୍କୁ ନିଜ ଇଚ୍ଛାରେ ତାଙ୍କ ସେବା କରିବା ପାଇଁ ସୁଯୋଗ ଦିଅନ୍ତି । କିନ୍ତୁ ଯଦି ଜଣେ ଭାଇ କିମ୍ବା ଭଉଣୀ ବାପ୍ତିସ୍ମ ନେବା ପରେ ଯିହୋବାଙ୍କ ନିୟମ ମାନନ୍ତି ନାହିଁ ଓ ଗମ୍ଭୀର ପାପ କରନ୍ତି, ତେବେ କʼଣ ହୁଏ ? ଯଦି ସେ ନିଜ ପାପ ପାଇଁ ପଶ୍ଚାତାପ କରନ୍ତି ନାହିଁ, ତେବେ ତାଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ । (୧ କରି. ୫:୧୩) କିନ୍ତୁ ଏହା ପରେ ବି ଯିହୋବା ଆଶା ରଖିଥାʼନ୍ତି ଯେ ସେହି ବ୍ୟକ୍ତି ତାଙ୍କ ପାଖକୁ ଫେରି ଆସିବେ । ପ୍ରକୃତରେ ଏହି କାରଣ ଯୋଗୁଁ ଯିହୋବା ମୁକ୍ତିର ମୂଲ୍ୟର ବ୍ୟବସ୍ଥା କରିଛନ୍ତି । ଏହି ବ୍ୟବସ୍ଥା ଯୋଗୁଁ ଯେଉଁମାନେ ପଶ୍ଚାତାପ କରନ୍ତି ସେମାନଙ୍କୁ ପାପରୁ କ୍ଷମା ମିଳିପାରିବ । (୧ ଯୋହନ ୨:୧ ପଢ଼ନ୍ତୁ ।) ସେଥିପାଇଁ ଈଶ୍ୱର ପ୍ରେମର ସହିତ ଅନୁରୋଧ କରନ୍ତି ଯେ ପାପ କରିଥିବା ବ୍ୟକ୍ତି ପଶ୍ଚାତାପ କରନ୍ତୁ ଓ ତାଙ୍କ ପାଖକୁ ଫେରି ଆସନ୍ତୁ ।—ଯିଖ. ୧:୩; ରୋମୀ. ୨:୪; ଯାକୁ. ୪:୮.
୩. ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?
୩ ଯିହୋବା ଚାହାନ୍ତି ଯେ ଆମେ ପାପ ବିଷୟରେ ଓ ଯେଉଁମାନେ ପାପ କରନ୍ତି, ସେମାନଙ୍କ ବିଷୟରେ ତାଙ୍କ ଭଳି ଦୃଷ୍ଟିକୋଣ ରଖୁ । ଏହି ଲେଖାରେ ଆମେ ଜାଣିବା ଯେ ଆମେ ଏହା କିପରି କରିପାରିବା । ଏହି ଲେଖା ପଢ଼ିବା ସମୟରେ ଆମକୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ: (୧) ପ୍ରଥମ ଶତାବ୍ଦୀରେ କରିନ୍ଥୀୟ ମଣ୍ଡଳୀରେ ଯେଉଁ ଗମ୍ଭୀର ପାପର ମାମଲା ଉପୁଜି ଥିଲା, ତାହାକୁ କିପରି ସମାଧାନ କରାଗଲା ? (୨) ଯେବେ ପାପ କରିଥିବା ବ୍ୟକ୍ତି ପଶ୍ଚାତାପ କଲା, ସେସମୟରେ ପ୍ରେରିତ ପାଉଲ ମଣ୍ଡଳୀକୁ କʼଣ ନିର୍ଦ୍ଦେଶ ଦେଲେ ? ଏବଂ (୩) ଗମ୍ଭୀର ପାପ କରିଥିବା ବ୍ୟକ୍ତିମାନଙ୍କୁ ଯିହୋବା କେଉଁ ଦୃଷ୍ଟିରେ ଦେଖନ୍ତି, ଏବିଷୟରେ ଆମେ ଏହି ଘଟଣାରୁ କʼଣ ଶିଖିପାରିବା ?
ପ୍ରଥମ ଶତାବ୍ଦୀରେ ଗମ୍ଭୀର ପାପର ମାମଲାକୁ କିପରି ସମାଧାନ କରାଗଲା ?
୪. ପ୍ରଥମ ଶତାବ୍ଦୀରେ କରିନ୍ଥୀୟ ମଣ୍ଡଳୀରେ କʼଣ ହେଲା ? (୧ କରିନ୍ଥୀୟ ୫:୧, ୨)
୪ ୧ କରିନ୍ଥୀୟ ୫:୧, ୨ ପଢ଼ନ୍ତୁ । ଯେବେ ପାଉଲ ତୃତୀୟ ମିଶନାରୀ ପରିଦର୍ଶନ କରୁଥିଲେ, ତେବେ ତାଙ୍କୁ କରିନ୍ଥୀୟ ମଣ୍ଡଳୀ ବିଷୟରେ ଗୋଟିଏ ଏପରି ଖବର ମିଳିଲା ଯାହାକୁ ଶୁଣି ସେ ବହୁତ ଚିନ୍ତିତ ହୋଇଗଲେ । ଏହି ମଣ୍ଡଳୀକୁ ଆରମ୍ଭ ହୋଇ କିଛି ସମୟ ହିଁ ହୋଇଥିଲା । ତାଙ୍କୁ ଜଣାପଡ଼ିଲା ଯେ ଜଣେ ଭାଇ ନିଜ ସାବତ ମାଆଙ୍କ ସହ ଅନୈତିକ ଯୌନ ସମ୍ପର୍କ ରଖିବାର ପାପ କରୁଛି । ଏହା ଏପରି ଘୃଣିତ ପାପ ଅଟେ ଯାହା “ବିଜାତିମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ ।” କିନ୍ତୁ ମଣ୍ଡଳୀର ଲୋକମାନେ ସେହି କାମକୁ ବିରୋଧ କରୁ ନ ଥିଲେ, ବରଂ ହୁଏତ ସେମାନେ ଏହା ପାଇଁ ଗର୍ବ କରୁଥିଲେ । କିଛି ଲୋକ ହୁଏତ ଭାବୁଥିଲେ ଯେ ସେମାନେ ଯିହୋବାଙ୍କ ଭଳି ସେହି ବ୍ୟକ୍ତି ଉପରେ ଦୟା କରୁଛନ୍ତି । କିନ୍ତୁ ଯିହୋବା ଏପରି ପାପକୁ କଦାପି ଅନୁମତି ଦିଅନ୍ତି ନାହିଁ । ଏହି ନିର୍ଲ୍ଲଜ କାମ କରି ସେହି ବ୍ୟକ୍ତି ମଣ୍ଡଳୀକୁ କଳଙ୍କିତ କରୁଥିଲା । ଆଉ ହୁଏତ ଯେଉଁ ଖ୍ରୀଷ୍ଟିୟାନମାନେ ତାʼ ସହିତ ମିଳାମିଶା କରୁଥିଲେ, ସେମାନଙ୍କ ଉପରେ ତାହାର ଖରାପ ପ୍ରଭାବ ପଡ଼ୁଥିଲା । ତାହେଲେ ଦେଖନ୍ତୁ ଯେ ପାଉଲ ମଣ୍ଡଳୀକୁ କʼଣ ନିର୍ଦ୍ଦେଶ ଦିଅନ୍ତି ?
୫. ପାଉଲ କରିନ୍ଥୀୟ ମଣ୍ଡଳୀକୁ କʼଣ ନିର୍ଦ୍ଦେଶ ଦିଅନ୍ତି ଏବଂ ତାଙ୍କ କହିବାର ଅର୍ଥ କʼଣ ଥିଲା ? (୧ କରିନ୍ଥୀୟ ୫:୧୩) (ଚିତ୍ର ମଧ୍ୟ ଦେଖନ୍ତୁ ।)
୫ ୧ କରିନ୍ଥୀୟ ୫:୧୩ ପଢ଼ନ୍ତୁ । ଈଶ୍ୱରଙ୍କ ପ୍ରେରଣାରେ ପାଉଲ କରିନ୍ଥୀୟ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଗୋଟିଏ ଚିଠି ଲେଖିଲେ । ସେ ସେମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ପାପ କରି ପଶ୍ଚାତାପ କରି ନ ଥିବା ସେହି ବ୍ୟକ୍ତିକୁ ସେମାନେ ମଣ୍ଡଳୀରୁ ବାହାର କରିଦିଅନ୍ତୁ । ସେ ଏହା ବି କହିଲେ ଯେ ସେମାନଙ୍କୁ ସେହି ବ୍ୟକ୍ତି ସହ କିପରି ବ୍ୟବହାର କରିବାର ଅଛି ? ପାଉଲ କହିଲେ, “ଏପରି ଲୋକ ସହିତ ସମ୍ପର୍କ ରଖ ନାହିଁ ।” ଏହାର ଅର୍ଥ କʼଣ ? ସେ ବୁଝାଇଲେ ଯେ “ଏପରି ଲୋକ ସହିତ ଭୋଜନ ସୁଦ୍ଧା କର ନାହିଁ ।” (୧ କରି. ୫:୧୧) ଯେତେବେଳେ ଆମେ ଅନ୍ୟମାନଙ୍କ ସହ ମିଶି ଖାଉ, ସେସମୟରେ ଆମେ ସେମାନଙ୍କ ସହ ଦି ପଦ କଥା ହେଉ ଏବଂ ଏପରି କଲେ ସେମାନଙ୍କ ସହ ଅଧିକ ସମୟ ବିତାଇବାକୁ ଲାଗୁ । ପାଉଲ କହୁଥିଲେ ଯେ ସେହି ଲୋକ ସହିତ ସଙ୍ଗତି କରିବା ବନ୍ଦ କରିଦିଅ । ଏପରି କଲେ ମଣ୍ଡଳୀର ଭାଇଭଉଣୀମାନେ ସେହି ବ୍ୟକ୍ତିର ଖରାପ ପ୍ରଭାବରୁ ବଞ୍ଚିପାରନ୍ତେ । (୧ କରି. ୫:୫-୭) ତାʼଛଡ଼ା ଯଦି ସେମାନେ ତାʼ ସହିତ ସଙ୍ଗତି କରନ୍ତେ ନାହିଁ, ତେବେ ସେହି ବ୍ୟକ୍ତିକୁ ହୁଏତ ଏହା ଅନୁଭବ ହୁଅନ୍ତା ଯେ ସେ ଯିହୋବାଙ୍କ ହୃଦୟକୁ ଦୁଃଖ ପହଞ୍ଚାଇଛି । ଆଉ ହୁଏତ ତାକୁ ନିଜ କାମ ପାଇଁ ଅବଶୋଷ ହୁଅନ୍ତା ଓ ସେ ପଶ୍ଚାତାପ କରନ୍ତା ।
୬. ମଣ୍ଡଳୀ ଓ ପାପ କରିଥିବା ବ୍ୟକ୍ତି ଉପରେ ପାଉଲଙ୍କ ଚିଠି କʼଣ ପ୍ରଭାବ ପକାଇଲା ?
୬ କରିନ୍ଥୀୟ ମଣ୍ଡଳୀକୁ ଚିଠି ପଠାଇବା ପରେ ପାଉଲ ହୁଏତ ଭାବୁଥିବେ ଯେ ଜଣା ନାହିଁ ଚିଠି ପଢ଼ି ସେମାନଙ୍କୁ କିପରି ଲାଗିଥିବ, ସେମାନେ ପରାମର୍ଶ ମାନିଥିବେ ନା ନାହିଁ । ତାʼପରେ ତୀତସ ପାଉଲଙ୍କୁ ଭେଟିବା ପାଇଁ ଆସନ୍ତି । ଆଉ ସେ ଗୋଟିଏ ଖବର ଦିଅନ୍ତି ଯାହାକୁ ଶୁଣି ପାଉଲ ବହୁତ ଖୁସି ହୁଅନ୍ତି । ତୀତସ ପାଉଲଙ୍କୁ କହିଲେ ଯେ ସେ ମଣ୍ଡଳୀକୁ ଯେଉଁ ଚିଠି ଲେଖିଥିଲେ, ସେମାନେ ତାହା ଅନୁସାରେ କାମ କଲେ ଓ ନିର୍ଦ୍ଦେଶ ମାନିଲେ । (୨ କରି. ୭:୬, ୭) କେବଳ ଏତିକି ନୁହେଁ, ଯେଉଁ ବ୍ୟକ୍ତି ପାପ କରିଥିଲା ସେ ପଶ୍ଚାତାପ କଲା । ପାଉଲଙ୍କୁ ଚିଠି ଲେଖିବାର ମାତ୍ର କିଛି ମାସ ହିଁ ହୋଇଥିଲା, କିନ୍ତୁ ସେହି ବ୍ୟକ୍ତି ନିଜ ଚାଲିଚଳନ ଓ ଚିନ୍ତାଧାରାରେ ପରିବର୍ତ୍ତନ କଲା ଏବଂ ସେ ଯିହୋବାଙ୍କ ଧାର୍ମିକ ସ୍ତର ଅନୁସାରେ ବଞ୍ଚିବାକୁ ଲାଗିଲା । (୨ କରି. ୭:୮-୧୧) ଏହା ଶୁଣିଲା ପରେ ପାଉଲ ମଣ୍ଡଳୀକୁ ଆଉ କʼଣ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ?
ପଶ୍ଚାତାପ କରିଥିବା ସେହି ବ୍ୟକ୍ତି ସହିତ ମଣ୍ଡଳୀକୁ କିପରି ବ୍ୟବହାର କରିବାର ଥିଲା ?
୭. ଯେବେ ପାପ କରିଥିବା ବ୍ୟକ୍ତିକୁ ମଣ୍ଡଳୀରୁ ବାହାର କରିଦିଆଗଲା, ତେବେ ସେ କʼଣ କଲା ? (୨ କରିନ୍ଥୀୟ ୨:୫-୮)
୭ ୨ କରିନ୍ଥୀୟ ୨:୫-୮ ପଢ଼ନ୍ତୁ । ପାଉଲ କହିଲେ ଯେ “ଅଧିକାଂଶଙ୍କ ଦ୍ୱାରା ଏପରି ଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ ।” ପାଉଲଙ୍କ କହିବାର ଅର୍ଥ ଥିଲା ଯେ ସେହି ବ୍ୟକ୍ତିକୁ ଯେଉଁ ଉଦ୍ଦେଶ୍ୟରେ ଶାସ୍ତି ଦିଆଯାଇଥିଲା ବା ସୁଧାର କରାଯାଇଥିଲା, ତାହା ପୂରା ହୋଇଯାଇଛି । ତାକୁ କେଉଁ ଉଦ୍ଦେଶ୍ୟରେ ସୁଧାର କରାଯାଇଥିଲା ? ପଶ୍ଚାତାପ ଆଡ଼କୁ ନେଇ ଯିବା ପାଇଁ ।—ଏବ୍ରୀ ୧୨:୧୧.
୮. ପାଉଲ ମଣ୍ଡଳୀକୁ ଆଉ କʼଣ ନିର୍ଦ୍ଦେଶ ଦିଅନ୍ତି ?
୮ ପାଉଲ ମଣ୍ଡଳୀକୁ ନିର୍ଦ୍ଦେଶ ଦିଅନ୍ତି ଯେ ପଶ୍ଚାତାପ କରିଥିବା ସେହି ବ୍ୟକ୍ତିକୁ ‘ତୁମ୍ଭେମାନେ ବରଂ କ୍ଷମା କର ଓ ସାନ୍ତ୍ୱନା ଦିଅ ।’ କେବଳ ଏତିକି ନୁହେଁ, ପାଉଲ ସେମାନଙ୍କୁ ତାହା ପ୍ରତି “ପ୍ରେମ ବ୍ୟବହାର ସ୍ଥାପନ କରିବାକୁ” କହିଲେ । ଧ୍ୟାନ ଦିଅନ୍ତୁ ଯେ ପାଉଲ କେବଳ ଏହା ଚାହୁଁ ନ ଥିଲେ ଯେ ଭାଇଭଉଣୀମାନେ ତାକୁ ମଣ୍ଡଳୀରେ ଆପଣାନ୍ତୁ । ତାʼ ପରିବର୍ତ୍ତେ ସେ ଚାହୁଁଥିଲେ ଯେ ସେମାନେ ସେହି ବ୍ୟକ୍ତିକୁ ନିଜ କଥା, କାମ ଓ ବ୍ୟବହାରରୁ ଦେଖାନ୍ତୁ ଯେ ସେମାନେ ତାକୁ କ୍ଷମା କରିଦେଇଛନ୍ତି ଓ ପ୍ରେମ କରନ୍ତି । ଏପରି କରିବା ଦ୍ୱାରା ସେମାନେ ଦେଖାଇପାରନ୍ତେ ଯେ ସେହି ବ୍ୟକ୍ତି ମଣ୍ଡଳୀରେ ଫେରି ଆସି ଥିବାରୁ ସେମାନେ ବହୁତ ଖୁସି ଅଛନ୍ତି ।
୯. କିଛି ଭାଇଭଉଣୀମାନଙ୍କ ପାଇଁ ସେହି ବ୍ୟକ୍ତିକୁ କ୍ଷମା କରିବା କାହିଁକି କଠିନ ହୋଇଥିବ ?
୯ କʼଣ ମଣ୍ଡଳୀରେ କିଛି ଭାଇଭଉଣୀଙ୍କ ପାଇଁ ପଶ୍ଚାତାପ କରିଥିବା ସେହି ବ୍ୟକ୍ତିକୁ କ୍ଷମା କରିବା ଓ ତାକୁ ପୁଣିଥରେ ଆପଣାଇବା କଠିନ ହୋଇଥିବ ? ବାଇବଲରେ ଏବିଷୟରେ କିଛି କୁହାଯାଇ ନାହିଁ । କିନ୍ତୁ ହୋଇପାରେ ସେମାନଙ୍କ ପାଇଁ ଏହା ସହଜ ହୋଇ ନ ଥିବ । ଆମେ ଏପରି କାହିଁକି କହିପାରିବା ? କାରଣ ସେହି ବ୍ୟକ୍ତିର ପାପ ଯୋଗୁଁ ମଣ୍ଡଳୀକୁ ବହୁତ କଷ୍ଟ ସହିବାକୁ ପଡ଼ିଥିଲା । ଆଉ ହୁଏତ କିଛି ଲୋକଙ୍କୁ ତାʼ ପାପ ଯୋଗୁଁ ଅପମାନିତ ହେବାକୁ ପଡ଼ିଥିଲା । ହୁଏତ କିଛି ଭାଇଭଉଣୀଙ୍କୁ ଲାଗୁଥିଲା ଯେ ସେମାନେ ନିଜ ଚାଲିଚଳନ ଶୁଦ୍ଧ ରଖିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି, ଯାହାକୁ କେହି ଧ୍ୟାନ ଦେଉ ନାହାନ୍ତି । କିନ୍ତୁ ସେହି ବ୍ୟକ୍ତି ଏତେ ଖରାପ କାମ କଲା, ତଥାପି ତାକୁ କେତେ ପ୍ରେମର ସହିତ ସ୍ୱାଗତ କରାଯାଉଛି । (ଲୂକ ୧୫:୨୮-୩୦ ପଦ ସହ ତୁଳନା କରନ୍ତୁ ।) କିନ୍ତୁ ଏହା ଜରୁରୀ ଥିଲା ଯେ ମଣ୍ଡଳୀର ଭାଇଭଉଣୀମାନେ ପଶ୍ଚାତାପ କରିଥିବା ସେହି ବ୍ୟକ୍ତିକୁ କ୍ଷମା କରନ୍ତୁ ଓ ତାକୁ ପ୍ରକୃତ ପ୍ରେମ ଦେଖାନ୍ତୁ । ତାହା କାହିଁକି ?
୧୦-୧୧. ଯଦି ପ୍ରାଚୀନମାନେ ପଶ୍ଚାତାପ କରିଥିବା ସେହି ବ୍ୟକ୍ତିକୁ କ୍ଷମା କରନ୍ତେ ନାହିଁ, ତାହେଲେ କʼଣ ହୋଇଥାʼନ୍ତା ?
୧୦ ଟିକେ ଭାବନ୍ତୁ, ଯଦି ପ୍ରାଚୀନମାନେ ପଶ୍ଚାତାପ କରିଥିବା ସେହି ବ୍ୟକ୍ତିକୁ ପୁଣିଥରେ ମଣ୍ଡଳୀରେ ସାମିଲ୍ କରନ୍ତେ ନାହିଁ କିମ୍ବା ଭାଇଭଉଣୀମାନେ ସେହି ବ୍ୟକ୍ତି ପାଇଁ ନିଜ ପ୍ରେମ ଦେଖାନ୍ତେ ନାହିଁ, ତାହେଲେ କʼଣ ହୁଅନ୍ତା ? ହୋଇପାରେ ସେହି ବ୍ୟକ୍ତି “ଅତିରିକ୍ତ ଦୁଃଖରେ” ବୁଡ଼ିଯାʼନ୍ତା । ତାକୁ ଲାଗନ୍ତା ଯେ ସବୁକିଛି ଶେଷ ହୋଇଯାଇଛି ଓ ତାʼପାଇଁ କୌଣସି ଆଶା ନାହିଁ । ତାʼଛଡ଼ା ହୁଏତ ସେହି ବ୍ୟକ୍ତି ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତା ନାହିଁ ।
୧୧ ହୋଇପାରେ ଏହାଠାରୁ ବି ଅଧିକ ଆହୁରି ଏକ ଖରାପ ପରିଣାମ ହୁଅନ୍ତା । ଯଦି ଅନ୍ୟ ଭାଇଭଉଣୀମାନେ ସେହି ବ୍ୟକ୍ତିକୁ କ୍ଷମା କରିବା ପାଇଁ ମନା କରିଦିଅନ୍ତେ, ତାହେଲେ ଯିହୋବାଙ୍କ ସହିତ ସେମାନଙ୍କ ସମ୍ପର୍କ ଭାଙ୍ଗିଯାʼନ୍ତା । ତାହା କାହିଁକି ? କାରଣ ସେମାନେ ଯିହୋବାଙ୍କ ଭଳି କ୍ଷମା କରିବା ପରିବର୍ତ୍ତେ ଶୟତାନ ଭଳି କଠୋର ହୋଇ ରହିଥାʼନ୍ତେ ଏବଂ ପଶ୍ଚାତାପ କରିଥିବା ସେହି ବ୍ୟକ୍ତି ଉପରେ ଦୟା କରୁ ନ ଥାʼନ୍ତେ । କେବଳ ଏତିକି ନୁହେଁ, ଏପରି କରିବା ଦ୍ୱାରା ସେମାନେ ଶୟତାନକୁ ସହଯୋଗ କରୁଥାʼନ୍ତେ । କାରଣ ଶୟତାନ ଏହା ହିଁ ଚାହୁଁଥିଲା ଯେ ଯିହୋବାଙ୍କ ସହିତ ସେହି ବ୍ୟକ୍ତିର ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଯାଉ ।—୨ କରି. ୨:୧୦, ୧୧; ଏଫି. ୪:୨୭.
୧୨. କରିନ୍ଥୀୟ ମଣ୍ଡଳୀର ଭାଇଭଉଣୀମାନେ କିପରି ଯିହୋବାଙ୍କ ଭଳି ହୋଇପାରନ୍ତେ ?
୧୨ କରିନ୍ଥୀୟ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଶୟତାନ ଭଳି ନ ହୋଇ ଯିହୋବାଙ୍କ ଭଳି ହେବାର ଥିଲା । ସେମାନେ ଯିହୋବାଙ୍କ ଭଳି କିପରି ହୋଇପାରନ୍ତେ ? ଯିହୋବା ପଶ୍ଚାତାପ କରିଥିବା ବ୍ୟକ୍ତିଙ୍କ ସହିତ ଯେପରି ବ୍ୟବହାର କରନ୍ତି, ସେମାନଙ୍କୁ ମଧ୍ୟ ସେହି ବ୍ୟକ୍ତି ସହିତ ସେପରି ହିଁ ବ୍ୟବହାର କରିବାର ଥିଲା । ଧ୍ୟାନ ଦିଅନ୍ତୁ ଯେ ବାଇବଲର କିଛି ଲେଖକମାନେ ଯିହୋବାଙ୍କ ବିଷୟରେ କʼଣ କହିଲେ । ଦାଉଦ ଲେଖିଲେ ଯେ ଯିହୋବା “ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ” ରହନ୍ତି । (ଗୀତ. ୮୬:୫) ମୀଖା ଲେଖିଲେ, ‘ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ ? ଯିଏ ଅଧର୍ମ କ୍ଷମା କରନ୍ତି ଓ . . . ଆଜ୍ଞାଲଙ୍ଘନର ପ୍ରତି ଉପେକ୍ଷା କରନ୍ତି ।’ (ମୀଖା ୭:୧୮) ଆଉ ଯିଶାଇୟ ଲେଖିଲେ, “ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ ।”—ଯିଶା. ୫୫:୭.
୧୩. ସେହି ବ୍ୟକ୍ତିକୁ ପୁନଃସ୍ଥାପନ କରିବା ପାଇଁ ପ୍ରାଚୀନମାନଙ୍କୁ ଆଉ ଅପେକ୍ଷା କରିବା କାହିଁକି ଦରକାର ନ ଥିଲା ? (“ କରିନ୍ଥୀୟ ମଣ୍ଡଳୀର ସେହି ବ୍ୟକ୍ତିକୁ କେବେ ପୁନଃସ୍ଥାପନ କରାଗଲା ?” ନାମକ ବକ୍ସ ଦେଖନ୍ତୁ ।)
୧୩ ଯିହୋବାଙ୍କ ଭଳି ହେବା ପାଇଁ ସେହି ମଣ୍ଡଳୀର ଭାଇଭଉଣୀମାନଙ୍କୁ ମଧ୍ୟ ପଶ୍ଚାତାପ କରିଥିବା ସେହି ବ୍ୟକ୍ତିକୁ ମଣ୍ଡଳୀରେ ସ୍ୱାଗତ କରିବାର ଥିଲା ଓ ତାକୁ ଭରସା ଦେବାର ଥିଲା ଯେ ସେମାନେ ତାକୁ ପ୍ରେମ କରନ୍ତି । ପାଉଲ ଯେଉଁ ନିର୍ଦ୍ଦେଶଗୁଡ଼ିକ ଦେଇଥିଲେ ତାହାକୁ ମାନିବା ଦ୍ୱାରା ସେମାନେ ଦେଖାଇଲେ ଯେ ସେମାନେ ‘ସମସ୍ତ ବିଷୟରେ ବାଧ୍ୟ [“ଆଜ୍ଞା,” NWT ] ଅଟନ୍ତି ।’ (୨ କରି. ୨:୯) ଏହା ସତ ଯେ ସେହି ବ୍ୟକ୍ତିକୁ ମଣ୍ଡଳୀରୁ ବାହାର କରିବାର ମାତ୍ର କିଛି ମାସ ହିଁ ହୋଇଥିଲା, କିନ୍ତୁ ତାକୁ ଯେଉଁ ଉଦ୍ଦେଶ୍ୟରେ ସୁଧାର କରାଯାଇଥିଲା, ସେହି ଉଦ୍ଦେଶ୍ୟ ପୂରା ହୋଇଯାଇଥିଲା ଅର୍ଥାତ୍ ସେ ପଶ୍ଚାତାପ କରିସାରିଥିଲା । ତେଣୁ ତାକୁ ପୁନଃସ୍ଥାପନ କରିବା ପାଇଁ ପ୍ରାଚୀନମାନଙ୍କୁ ଏବେ ଆଉ ଅପେକ୍ଷା କରିବା ଦରକାର ନ ଥିଲା ।
ଆମେ ନ୍ୟାୟୀ ଓ ଦୟାଳୁ ଈଶ୍ୱରଙ୍କ ଭଳି କିପରି ହୋଇପାରିବା ?
୧୪-୧୫. କରିନ୍ଥୀୟ ମଣ୍ଡଳୀରେ ଉପୁଜି ଥିବା ମାମଲାକୁ ଯେପରି ଭାବେ ସମାଧାନ କରାଗଲା, ସେଥିରୁ ଆମେ କʼଣ ଶିଖୁ ? (୨ ପିତର ୩:୯) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୪ କରିନ୍ଥୀୟ ମଣ୍ଡଳୀରେ ଉପୁଜି ଥିବା ମାମଲାକୁ ଯେପରି ଭାବେ ସମାଧାନ କରାଗଲା ତାହାକୁ ବାଇବଲରେ “ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି ।” (ରୋମୀ. ୧୫:୪) ଏହି ଘଟଣାରୁ ଆମେ ଶିଖୁ ଯେ ଯଦି କେହି ଗମ୍ଭୀର ପାପ କରନ୍ତି ଓ ପଶ୍ଚାତାପ କରନ୍ତି ନାହିଁ, ତାହେଲେ ଯିହୋବା ସେହି ବ୍ୟକ୍ତିଙ୍କୁ ନିଜ ଲୋକମାନଙ୍କ ମଧ୍ୟରେ ରହିବା ପାଇଁ ଦିଅନ୍ତି ନାହିଁ । ଯିହୋବା ଦୟାଳୁ ଈଶ୍ୱର ଅଟନ୍ତି କିନ୍ତୁ ସେ ଖରାପ ଚାଲିଚଳନକୁ ଅନୁମତି ଦିଅନ୍ତି ନାହିଁ । ସେ ନିଜ ସ୍ତରକୁ ବଦଳାନ୍ତି ନାହିଁ । (ଯିହୂ. ୪) ପ୍ରକୃତରେ ଯଦି ଯିହୋବା ନିଜ ସ୍ତରକୁ ବଦଳାଇ ଦିଅନ୍ତି, ତାହେଲେ ସେ ଦୟାଳୁ ଈଶ୍ୱର ହେବେ ନାହିଁ । କାରଣ ଏପରି କରି ସେ ମଣ୍ଡଳୀର ସମସ୍ତ ଲୋକମାନଙ୍କୁ ବିପଦରେ ପକାଉ ଥିବେ । ଆଉ ଆମେ ଜାଣିଛୁ ଯେ ଯିହୋବା ଏପରି କେବେ ବି କରିବେ ନାହିଁ ।—ହିତୋ. ୧୩:୨୦; ୧ କରି. ୧୫:୩୩.
୧୫ କିନ୍ତୁ ଆମେ ଏହା ବି ଶିଖିଲୁ ଯେ ଯିହୋବା ଚାହାନ୍ତି ନାହିଁ ଯେ କେହି ବି ବିନାଶ ହୁଅନ୍ତୁ, ବରଂ ସେ ସମସ୍ତଙ୍କୁ ରକ୍ଷା କରିବା ପାଇଁ ଚାହାନ୍ତି । ଯିଏ ନିଜ ଭିତରେ ପରିବର୍ତ୍ତନ କରନ୍ତି ଓ ତାଙ୍କ ସହିତ ନିଜ ସମ୍ପର୍କକୁ ପୁଣିଥରେ ଭଲ କରିବା ପାଇଁ ଚାହାନ୍ତି, ଯିହୋବା ସେମାନଙ୍କ ଉପରେ ଦୟା କରନ୍ତି । (ଯିହି. ୩୩:୧୧; ୨ ପିତର ୩:୯ ପଢ଼ନ୍ତୁ ।) ସେଥିପାଇଁ କରିନ୍ଥୀୟର ସେହି ବ୍ୟକ୍ତି ଯେତେବେଳେ ପଶ୍ଚାତାପ କଲା ଓ ଖରାପ କାମ କରିବା ଛାଡ଼ି ଦେଲା, ସେତେବେଳେ ଯିହୋବା ପାଉଲଙ୍କ ଜରିଆରେ ସେଠାର ଭାଇଭଉଣୀମାନଙ୍କୁ କହିଲେ ଯେ ସେମାନେ ସେହି ବ୍ୟକ୍ତିକୁ କ୍ଷମା କରନ୍ତୁ ଓ ମଣ୍ଡଳୀରେ ପୁଣିଥରେ ତାକୁ ସ୍ୱାଗତ କରନ୍ତୁ ।
୧୬. କରିନ୍ଥୀୟ ମଣ୍ଡଳୀରେ ଉପୁଜି ଥିବା ସମସ୍ୟାର ଯେପରି ଭାବେ ସମାଧାନ କରାଗଲା, ତାହା ଜାଣି ଆପଣଙ୍କୁ ଯିହୋବାଙ୍କ ବିଷୟରେ କିପରି ଲାଗେ ?
୧୬ କରିନ୍ଥୀୟ ମଣ୍ଡଳୀରେ ଯେଉଁ ସମସ୍ୟା ଉପୁଜି ଥିଲା, ସେଥିରୁ ଆମେ ଶିଖୁ ଯେ ଯିହୋବା ପ୍ରେମର ଈଶ୍ୱର ଅଟନ୍ତି । ସେ ସବୁବେଳେ ସଠିକ୍ ନ୍ୟାୟ କରନ୍ତି ଏବଂ ସେ ନିଜ ସ୍ତରଗୁଡ଼ିକୁ ବଦଳାନ୍ତି ନାହିଁ । (ଗୀତ. ୩୩:୫) କʼଣ ଏହା ଜାଣି ଆପଣଙ୍କୁ ଯିହୋବାଙ୍କ ଆହୁରି ପ୍ରଶଂସା କରିବା ପାଇଁ ଇଚ୍ଛା ହୁଏ ନାହିଁ ? ଦେଖିବାକୁ ଗଲେ ଏପରି କେହି ବି ନାହାନ୍ତି ଯିଏ କେବେ ପାପ କରି ନ ଥିବେ । ଆମେ ସମସ୍ତେ ଭୁଲ କରୁ ଓ ଆମେ ସମସ୍ତେ କ୍ଷମା ଚାହିଁଥାଉ । ସେଥିପାଇଁ ଆମେ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ଆମକୁ ପାପରୁ କ୍ଷମା ପାଇବା ପାଇଁ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ । ସତରେ, ଏହା ଜାଣି ଆମକୁ କେତେ ସାନ୍ତ୍ୱନା ଓ ମନର ଶାନ୍ତି ମିଳେ ଯେ ଯିହୋବା ନିଜ ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି ଓ ସବୁବେଳେ ସେମାନଙ୍କ ଭଲ ଚାହାନ୍ତି ।
୧୭. ପରବର୍ତ୍ତୀ ଦୁଇଟି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?
୧୭ ଆଜି ଯଦି କେହି ଗମ୍ଭୀର ପାପ କରନ୍ତି, ତାହେଲେ ସେହି ମାମଲାକୁ କିପରି ସମାଧାନ କରାଯାଏ ? ପ୍ରାଚୀନମାନେ କିପରି ଯିହୋବାଙ୍କ ଭଳି ହୋଇପାରିବେ, ଆଉ ସେହି ବ୍ୟକ୍ତିଙ୍କୁ ପଶ୍ଚାତାପ ଆଡ଼କୁ ନେଇପାରିବେ ? ଯେବେ ମଣ୍ଡଳୀରୁ କାହାରିକୁ ବାହାର କରିଦିଆଯାଏ କିମ୍ବା କାହାରିକୁ ପୁନଃସ୍ଥାପନ କରାଯାଏ, ତେବେ ଭାଇଭଉଣୀମାନଙ୍କ ବ୍ୟବହାର କିପରି ହେବା ଉଚିତ୍ ? ପରବର୍ତ୍ତୀ ଦୁଇଟି ଲେଖାରେ ଆମେ ଏବିଷୟରେ ଅଧିକ ଜାଣିବା ।
ଗୀତ ୧୦୯ ଗହରା ପ୍ୟାର କରେଁ