ଅଧ୍ୟୟନ ଲେଖା ୩୧
ଗୀତ ୧୨ ୟହୋୱା, ମାହାନ୍ ପରମେଶ୍ୱର
ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ କʼଣ କରିଛନ୍ତି ?
“ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ।”—ଯୋହ. ୩:୧୬.
କʼଣ ଶିଖିବା ?
ଆମେ ଜାଣିବା ଯେ ଯିହୋବା କିପରି ଆଗକୁ ଆସି ଆମକୁ ପାପ ସହ ସଂଘର୍ଷ କରିବା ପାଇଁ ସାହାଯ୍ୟ କରିଛନ୍ତି । ଆମେ ଏହା ବି ଜାଣିବା ଯେ ସେ କିପରି ଆମକୁ ପାପରୁ ମୁକ୍ତ ହେବା ଓ ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ଦେଇଛନ୍ତି ।
୧-୨. (କ) ପାପ କʼଣ ଏବଂ ଆମେ ଏହାକୁ କିପରି ହରାଇପାରିବା ? (“ଏହାର ଅର୍ଥ କʼଣ ?” ମଧ୍ୟ ଦେଖନ୍ତୁ ।) (ଖ) ଆମେ ଏହି ଲେଖାରେ ଏବଂ ଏହି ସଂଖ୍ୟାର ଅନ୍ୟ ଲେଖାଗୁଡ଼ିକରେ କʼଣ ଜାଣିବା ? (ଏହି ସଂଖ୍ୟାରେ ଦିଆଯାଇଥିବା ଛୋଟ ଲେଖା “ଆପଣଙ୍କ ପାଇଁ ଗୋଟିଏ ସୂଚନା” ମଧ୍ୟ ଦେଖନ୍ତୁ ।)
କʼଣ ଆପଣ ଜାଣିବା ପାଇଁ ଚାହାନ୍ତି ଯେ ଯିହୋବା ଆପଣଙ୍କୁ କେତେ ପ୍ରେମ କରନ୍ତି ? ଯଦି ହଁ, ତାହେଲେ ଏହା ଜାଣିବା ଜରୁରୀ ଯେ ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ କʼଣ କରିଛନ୍ତି । ପାପ a ଗୋଟିଏ ଭୟଙ୍କର ଶତ୍ରୁ ଅଟେ, ଯାହାକୁ ଆମେ ନିଜ ବଳରେ ହରାଇପାରିବା ନାହିଁ । ଆମେ ସମସ୍ତେ ପ୍ରତିଦିନ ପାପ କରୁ ଏବଂ ପାପ ଯୋଗୁଁ ଆମର ମୃତ୍ୟୁ ହୋଇଯାଏ । (ରୋମୀ. ୫:୧୨) କିନ୍ତୁ ଏହା ବହୁତ ଖୁସିର କଥା ଯେ ଯିହୋବାଙ୍କ ସାହାଯ୍ୟରୁ ଆମେ ପାପକୁ ହରାଇପାରିବା । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ପାପ ଓ ମୃତ୍ୟୁରୁ ନିଶ୍ଚୟ ମୁକ୍ତ କରିବେ ।
୨ ଯିହୋବା ପ୍ରାୟ ୬,୦୦୦ ବର୍ଷରୁ ଆମକୁ ପାପ ସହ ସଂଘର୍ଷ କରିବା ପାଇଁ ସାହାଯ୍ୟ କରୁଛନ୍ତି, କାରଣ ସେ ଆମକୁ ପ୍ରେମ କରନ୍ତି । ଦେଖିବାକୁ ଗଲେ ସୃଷ୍ଟି କରିବା ଦିନଠୁ ହିଁ ଯିହୋବା ଆମକୁ ପ୍ରେମ କରନ୍ତି । ଆଉ ସେ ଆମ ପାଇଁ ବହୁତ କିଛି କରିଛନ୍ତି, ଯାହାଦ୍ୱାରା ଆମେ ଏହି ସଂଘର୍ଷ ଜିତିପାରିବା । ଯିହୋବା ଜାଣନ୍ତି ଯେ ପାପ ଯୋଗୁଁ ଆମର ମୃତ୍ୟୁ ହୁଏ, କିନ୍ତୁ ସେ ଚାହାନ୍ତି ନାହିଁ ଯେ ଆମର ମୃତ୍ୟୁ ହେଉ ବରଂ ସେ ଏହା ଚାହାନ୍ତି ଯେ ଆମେ ସବୁଦିନ ପାଇଁ ବଞ୍ଚୁ । (ରୋମୀ. ୬:୨୩) ଏହି ଲେଖାରେ ଆମେ ଏହି ବିଷୟ ଆଧାରିତ ତିନୋଟି ପ୍ରଶ୍ନ ଉପରେ ଆଲୋଚନା କରିବା: (୧) ଯିହୋବା ପାପୀ ମଣିଷମାନଙ୍କ ପାଇଁ କʼଣ ଆଶା ଦେଇଛନ୍ତି ? (୨) ପ୍ରାଚୀନ ସମୟର ଲୋକମାନେ ଯିହୋବାଙ୍କ ମଞ୍ଜୁରି ପାଇବା ପାଇଁ କʼଣ କଲେ ? ଏବଂ (୩) ଯୀଶୁ ମଣିଷମାନଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ କʼଣ କଲେ ? ଆସନ୍ତୁ ଗୋଟେ ଗୋଟେ କରି ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ।
ଯିହୋବା ପାପୀ ମଣିଷମାନଙ୍କ ପାଇଁ କʼଣ ଆଶା ଦେଇଛନ୍ତି ?
୩. ଆଦମ ଓ ହବା କିପରି ପାପୀ ହୋଇଗଲେ ?
୩ ଯିହୋବା ଯେବେ ପ୍ରଥମ ପୁରୁଷ ଓ ସ୍ତ୍ରୀକୁ ସୃଷ୍ଟି କଲେ, ତେବେ ସେ ଚାହୁଁଥିଲେ ଯେ ସେମାନେ ଖୁସିରେ ରହନ୍ତୁ । ଯିହୋବା ସେମାନଙ୍କୁ ସୁନ୍ଦର ଘର ଦେଲେ, ସେମାନଙ୍କ ବିବାହ କରାଇଲେ ଏବଂ ଗୋଟିଏ ବଢ଼ିଆ କାମ ମଧ୍ୟ ଦେଲେ । ସେ ସେମାନଙ୍କୁ କହିଲେ ଯେ ସେମାନେ ସାରା ପୃଥିବୀକୁ ଏଦନ ଉଦ୍ୟାନ ଭଳି ସୁନ୍ଦର କରିଦିଅନ୍ତୁ ଏବଂ ନିଜ ସନ୍ତାନମାନଙ୍କ ଦ୍ୱାରା ଭରିଦିଅନ୍ତୁ । କିନ୍ତୁ ଯିହୋବା ସେମାନଙ୍କୁ ଗୋଟିଏ ଆଜ୍ଞା ମଧ୍ୟ ଦେଲେ । ସେ ସେମାନଙ୍କୁ କହିଲେ ଯେ ଯଦି ସେମାନେ ଜାଣିଶୁଣି ତାଙ୍କ ବିରୁଦ୍ଧରେ ଯିବେ ଓ ତାଙ୍କ ଆଜ୍ଞା ଭାଙ୍ଗିବେ, ତେବେ ଏହି ପାପ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଯିବ । ତାʼପରେ କʼଣ ହେଲା ଏହା ଆମେ ଭଲଭାବେ ଜାଣୁ । ଗୋଟିଏ ଦୁଷ୍ଟ ସ୍ୱର୍ଗଦୂତ ସବୁକିଛି ବରବାଦ କରିଦେଲା । ସେ ଯିହୋବାଙ୍କୁ ପ୍ରେମ କରୁ ନ ଥିଲା ତାʼସହ ମଣିଷମାନଙ୍କୁ ମଧ୍ୟ ନୁହେଁ । ସେ ଆଦମ ଓ ହବାକୁ ଭ୍ରାନ୍ତ କଲା ଓ ସେମାନେ ତାʼ କଥାରେ ଆସିଗଲେ । ସେମାନେ ଯିହୋବାଙ୍କ ଆଜ୍ଞା ଭାଙ୍ଗିଲେ ଏବଂ ପାପୀ ହୋଇଗଲେ । ନିଜ ପିତାଙ୍କ ଉପରେ ଭରସା ନ କରି ସେମାନେ ବହୁତ ବଡ଼ ଭୁଲ କଲେ ! ଆଉ ଯିହୋବା ଯେପରି କହିଥିଲେ ଠିକ୍ ସେପରି ହିଁ ହେଲା । ସେମାନଙ୍କୁ ଈଶ୍ୱରଙ୍କ ଆଜ୍ଞା ଭାଙ୍ଗିବାର ପରିଣାମ ଭୋଗିବାକୁ ପଡ଼ିଲା: ସେମାନେ ବୃଦ୍ଧ ହୋଇଗଲେ ଏବଂ ଦିନେ ସେମାନଙ୍କ ମୃତ୍ୟୁ ହୋଇଗଲା ।—ଆଦି. ୧:୨୮, ୨୯; ୨:୮, ୯, ୧୬-୧୮; ୩:୧-୬, ୧୭-୧୯, ୨୪; ୫:୫.
୪. ଯିହୋବା କାହିଁକି ପାପକୁ ଘୃଣା କରନ୍ତି ଓ ତାʼସହ ଲଢ଼ିବା ପାଇଁ ଆମକୁ ସାହାଯ୍ୟ କରନ୍ତି ? (ରୋମୀୟ ୮:୨୦, ୨୧)
୪ ଯିହୋବା ଏହି ଘଟଣାକୁ ଆମ ପାଇଁ ବାଇବଲରେ ଲେଖାଇଲେ । ଏଥିରୁ ଆମେ ବୁଝିପାରୁ ଯେ ଯିହୋବା କାହିଁକି ପାପକୁ ଘୃଣା କରନ୍ତି । କାରଣ ପାପ ଆମକୁ ନିଜ ପିତାଙ୍କଠାରୁ ଦୂରକୁ ନେଇଯାଏ ଓ ଏହି କାରଣ ଯୋଗୁଁ ଦିନେ ଆମର ମୃତ୍ୟୁ ହୋଇଯାଏ । (ଯିଶା. ୫୯:୨) କିନ୍ତୁ ଶୟତାନ ହିଁ ସବୁ ସମସ୍ୟାର ମୂଳ କାରଣ । ସେ ପାପକୁ ପ୍ରେମ କରେ ଓ ଆମକୁ ବି ପାପ କରିବା ପାଇଁ ପ୍ରଲୋଭିତ କରେ । ଆଦମ ଓ ହବା ପାପ କଲାପରେ ଶୟତାନକୁ ଲାଗିଥିବ ଯେ ସେ ଯିହୋବାଙ୍କ ଉଦ୍ଦେଶ୍ୟ ବିଫଳ କରିଦେଲା । କିନ୍ତୁ ସେ ଏହା ଜାଣି ନ ଥିଲା ଯେ ଯିହୋବା ମଣିଷମାନଙ୍କୁ କେତେ ପ୍ରେମ କରନ୍ତି । ଯିହୋବା ଆଦମ ଓ ହବାଙ୍କ ପିଲାମାନଙ୍କ ପାଇଁ ନିଜ ଉଦ୍ଦେଶ୍ୟ ବଦଳାଇଲେ ନାହିଁ । ଆଦମ ଓ ହବାଙ୍କ ପାପ କରିବାର ତୁରନ୍ତ ପରେ ଯିହୋବା ସମସ୍ତ ମଣିଷମାନଙ୍କ ପାଇଁ ଗୋଟିଏ ଆଶା ଦେଲେ । (ରୋମୀୟ ୮:୨୦, ୨୧ ପଢ଼ନ୍ତୁ ।) ସେ ଜାଣିଥିଲେ ଯେ ସେମାନଙ୍କ କିଛି ପିଲାମାନେ ତାଙ୍କୁ ପ୍ରେମ କରିବେ ଓ ସେମାନଙ୍କୁ ପାପ ସହ ଲଢ଼ିବା ପାଇଁ ସାହାଯ୍ୟର ଦରକାର ପଡ଼ିବ । ଯିହୋବା ଜଣେ ପିତା ଓ ସୃଷ୍ଟିକର୍ତ୍ତା ଅଟନ୍ତି, ତେଣୁ ସେ ସେମାନଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ଏବଂ ତାଙ୍କର ନିକଟତର ହୋଇ ରହିବା ପାଇଁ ଗୋଟିଏ ଉପାୟ ବାହାର କଲେ । ସେହି ଉପାୟଟି କʼଣ ?
୫. ଆଦମ ଓ ହବାଙ୍କ ପାପ କରିବାର ତୁରନ୍ତ ପରେ ଯିହୋବା କʼଣ ଆଶା ଦେଲେ ? (ଆଦି ପୁସ୍ତକ ୩:୧୫)
୫ ଆଦି ପୁସ୍ତକ ୩:୧୫ ପଢ଼ନ୍ତୁ । ଏହି ଭବିଷ୍ୟତବାଣୀ ଜରିଆରେ ଯିହୋବା କହିଲେ ଯେ ଶୟତାନର କʼଣ ହେବ ଓ ଏପରି ଭାବେ ସେ ମଣିଷମାନଙ୍କ ପାଇଁ ଆଶା ଦେଲେ । ସେ କହିଲେ ଯେ ଗୋଟିଏ “ବଂଶ” ଆସିବ, ଯିଏ ଶେଷରେ ଶୟତାନର ମସ୍ତକକୁ ଆଘାତ କରିବ ଓ ଶୟତାନ ଯୋଗୁଁ ହୋଇଥିବା ସବୁ କଷ୍ଟକୁ ଶେଷ କରିଦେବ । (୧ ଯୋହ. ୩:୮) କିନ୍ତୁ ସେ ଏହା ବି କହିଲେ ଯେ ଏହି ଘଟଣା ହେବାର ପୂର୍ବେ ଶୟତାନ ସେହି ବଂଶକୁ ଆଘାତ ପହଞ୍ଚାଇବ ଅର୍ଥାତ୍ ତାଙ୍କ ହତ୍ୟା କରାଇବ । ଏହି ଘଟଣା ଯୋଗୁଁ ଯିହୋବାଙ୍କୁ ବହୁତ ଦୁଃଖ ଲାଗନ୍ତା । କିନ୍ତୁ ସେ ଏହି ଦୁଃଖ ସହିବା ପାଇଁ ପ୍ରସ୍ତୁତ ଥିଲେ, କାରଣ ଏଥିରୁ ମନୁଷ୍ୟମାନଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତି ମିଳନ୍ତା ।
ପ୍ରାଚୀନ ସମୟରେ ଲୋକମାନେ ଈଶ୍ୱରଙ୍କ ମଞ୍ଜୁରି ପାଇବା ପାଇଁ କʼଣ କଲେ ?
୬. ଯିହୋବାଙ୍କ ନିକଟତର ହେବା ପାଇଁ ହେବଲ ଓ ନୋହଙ୍କ ଭଳି ବିଶ୍ୱସ୍ତ ଲୋକମାନେ କʼଣ କଲେ ?
୬ ଅନେକ ଶତାବ୍ଦୀ ଧରି ଯିହୋବା ଧୀରେ ଧୀରେ ଏହା ସ୍ପଷ୍ଟ କଲେ ଯେ ପାପୀ ମଣିଷମାନେ ଯିହୋବାଙ୍କର ନିକଟତର ହେବା ପାଇଁ କʼଣ କରିପାରିବେ । ଆଦମ ଓ ହବାର ଦ୍ୱିତୀୟ ପୁତ୍ର ହେବଲ, ପ୍ରଥମ ବ୍ୟକ୍ତି ଥିଲେ ଯିଏ ଯିହୋବାଙ୍କ ଉପରେ ଭରସା କଲେ । ହେବଲ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ସେ ଯେକୌଣସି ପରିସ୍ଥିତିରେ ବି ତାଙ୍କୁ ଖୁସି କରିବା ଓ ତାଙ୍କ ନିକଟତର ହେବା ପାଇଁ ଚାହୁଁଥିଲେ, ତେଣୁ ସେ ଯିହୋବାଙ୍କ ପାଇଁ ବଳିଦାନ ଚଢ଼ାଇଲେ । ସେ ଜଣେ ମେଷପାଳକ ଥିଲେ, ତେଣୁ ସେ କିଛି ମେଷ ଯିହୋବାଙ୍କୁ ଅର୍ପଣ କଲେ । ଯିହୋବା ଏହା ଦେଖି କʼଣ କଲେ ? ସେ “ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ ।” (ଆଦି. ୪:୪) ଯିହୋବା ଏପରି ଅନେକ ଲୋକଙ୍କ ବଳିଦାନ ସ୍ୱୀକାର କରିଥିଲେ, ଯେଉଁମାନେ ତାଙ୍କୁ ପ୍ରେମ କରୁଥିଲେ ଓ ତାଙ୍କ ଉପରେ ଭରସା କରୁଥିଲେ, ସେମଧ୍ୟରୁ ଜଣେ ଥିଲେ ନୋହ । (ଆଦି. ୮:୨୦, ୨୧) ଏସବୁ ବଳିଦାନ ସ୍ୱୀକାର କରି ଯିହୋବା ଦେଖାଇଲେ ଯେ ପାପୀ ମଣିଷମାନେ ତାଙ୍କ ମଞ୍ଜୁରି ପାଇପାରିବେ ଓ ତାଙ୍କ ନିକଟତର ହୋଇପାରିବେ । b
୭. ଅବ୍ରହାମ ନିଜ ପୁଅକୁ ବଳି କରିବା ପାଇଁ ପ୍ରସ୍ତୁତ ଥିଲେ, ଏଥିରୁ ଆମେ କʼଣ ଶିଖୁ ?
୭ ଅବ୍ରହାମ ଯିହୋବାଙ୍କ ଉପରେ ବହୁତ ବିଶ୍ୱାସ କରୁଥିଲେ । ଥରେ ଯିହୋବା ଅବ୍ରହାମଙ୍କୁ ଗୋଟିଏ କଠିନ କାମ ଦେଲେ । ସେ ଅବ୍ରହାମଙ୍କୁ କହିଲେ ଯେ ସେ ନିଜ ପୁଅ ଇସ୍ହାକଙ୍କୁ ବଳି କରନ୍ତୁ । ଭାବନ୍ତୁ ଏହା ଶୁଣି ଅବ୍ରହାମଙ୍କୁ କିପରି ଲାଗିଥିବ । ସେ ଇସ୍ହାକଙ୍କୁ ବହୁତ ପ୍ରେମ କରୁଥିଲେ, ତେଣୁ ତାଙ୍କ ପାଇଁ ନିଜ ପୁଅକୁ ବଳି କରିବା ବହୁତ କଠିନ ହୋଇଥିବ ! କିନ୍ତୁ ସେ ଏପରି କରିବା ପାଇଁ ପ୍ରସ୍ତୁତ ଥିଲେ । ଯେବେ ସେ ଇସ୍ହାକଙ୍କୁ ବଳି କରିବା ପାଇଁ ଯାଉଥିଲେ, ଠିକ୍ ସେହି ସମୟରେ ଯିହୋବା ତାଙ୍କୁ ରୋକିଲେ । ଏହି ଘଟଣାରୁ ଯିହୋବା କʼଣ ଶିଖାଇଲେ ? ସେ ଶିଖାଇଲେ ଯେ ସେ ମଧ୍ୟ ନିଜ ପ୍ରିୟ ପୁତ୍ରର ବଳିଦାନ କରିବା ପାଇଁ ପ୍ରସ୍ତୁତ ଥିଲେ । ଭାବନ୍ତୁ, ଯିହୋବା ଆମ ମଣିଷମାନଙ୍କୁ କେତେ ପ୍ରେମ କରନ୍ତି !—ଆଦି. ୨୨:୧-୧୮.
୮. ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଯେଉଁ ବଳିଦାନ ଚଢ଼ା ଯାଉଥିଲା, ତାହା କେଉଁ କଥାର ପ୍ରତୀକ ଥିଲା ? (ଲେବୀ ପୁସ୍ତକ ୪:୨୭-୨୯; ୧୭:୧୧)
୮ ଅନେକ ଶତାବ୍ଦୀ ପରେ ଯିହୋବା ଇସ୍ରାଏଲ ରାଷ୍ଟ୍ରକୁ ନିୟମ ଦେଲେ । ସେ ନିଜ ଲୋକମାନଙ୍କୁ କହିଲେ ଯେ ସେମାନଙ୍କୁ ନିଜ ପାପରୁ କ୍ଷମା ପାଇବା ପାଇଁ ପଶୁଗୁଡ଼ିକୁ ବଳି କରିବାକୁ ପଡ଼ିବ । (ଲେବୀ ପୁସ୍ତକ ୪:୨୭-୨୯; ୧୭:୧୧ ପଢ଼ନ୍ତୁ ।) ଏହି ବଳିଦାନ ଏ କଥାର ପ୍ରତୀକ ଥିଲା ଯେ ଯିହୋବା ମଣିଷମାନଙ୍କୁ ପାପରୁ ମୁକ୍ତ କରିବା ପାଇଁ ଆଗକୁ ଯାଇ ଗୋଟିଏ ଶ୍ରେଷ୍ଠ ବଳିଦାନ ଦେବେ । ତାʼପରେ ସେ ଭବିଷ୍ୟଦ୍ବକ୍ତାମାନଙ୍କ ଜରିଆରେ ବୁଝାଇଲେ ଯେ ପ୍ରତିଜ୍ଞାତ ବଂଶକୁ ବହୁତ କଷ୍ଟ ସହିବାକୁ ପଡ଼ିବ ଓ ତାକୁ ମାରିଦିଆଯିବ, ଠିକ୍ ଯେପରି ଗୋଟିଏ ମେଷକୁ ବଳି କରାଯାଏ । ଏହି ବଂଶ ଅନ୍ୟ କେହି ନୁହେଁ, ବରଂ ଯିହୋବାଙ୍କ ପ୍ରିୟ ପୁତ୍ର ଥିଲେ । (ଯିଶା. ୫୩:୧-୧୨) ଭାବନ୍ତୁ, ମଣିଷମାନଙ୍କୁ ପାପ ଓ ମୃତ୍ୟୁରୁ ଛଡ଼ାଇବା ପାଇଁ ଯିହୋବା କେତେ ବଢ଼ିଆ ବ୍ୟବସ୍ଥା କଲେ । ସେ ଆପଣଙ୍କ ପାଇଁ ନିଜ ପ୍ରିୟ ପୁତ୍ରକୁ ବଳିଦାନ କରିବା ପାଇଁ ପ୍ରସ୍ତୁତ ଥିଲେ ।
ଯୀଶୁ ମଣିଷମାନଙ୍କୁ ପାପରୁ ମୁକ୍ତ କରିବା ପାଇଁ କʼଣ କଲେ ?
୯. ବାପ୍ତିଜକ ଯୋହନ ଯୀଶୁଙ୍କ ବିଷୟରେ କʼଣ କହିଲେ ? (ଏବ୍ରୀ ୯:୨୨; ୧୦:୧-୪, ୧୨)
୯ ପ୍ରଥମ ଶତାବ୍ଦୀରେ ବାପ୍ତିଜକ ଯୋହନ ନାସରୀୟରେ ରହୁଥିବା ଯୀଶୁଙ୍କ ବିଷୟରେ କହିଲେ, “ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇଯାଆନ୍ତି ।” (ଯୋହ. ୧:୨୯) ଯୋହନଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଲା ଯେ ଯୀଶୁ ହିଁ ସେହି ବଂଶ ଥିଲେ ଯାହାଙ୍କ ବିଷୟରେ ଅନେକ ଶତାବ୍ଦୀ ପୂର୍ବେ ପ୍ରତିଜ୍ଞା କରାଯାଇଥିଲା । ଆଉ ଏବେ ସେହି ବଂଶ ଆସି ଯାଇଥିଲା ଯିଏ ମଣିଷମାନଙ୍କ ପାଇଁ ନିଜ ଜୀବନ ଦେଇ ସେମାନଙ୍କୁ ପାପରୁ ମୁକ୍ତ କରାନ୍ତା । ଏହିପରି ଭାବେ ଯିହୋବା ଯେଉଁ ଆଶା ଦେଇଥିଲେ, ତାହା ଆହୁରି ଦୃଢ଼ ହୋଇଗଲା ।—ଏବ୍ରୀ ୯:୨୨; ୧୦:୧-୪, ୧୨ ପଢ଼ନ୍ତୁ ।
୧୦. ଯୀଶୁ କିପରି ଦେଖାଇଲେ ଯେ ସେ “ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ” ଆସିଛନ୍ତି ?
୧୦ ଯୀଶୁ ଏପରି ଲୋକମାନଙ୍କ ଉପରେ ବିଶେଷ ଧ୍ୟାନ ଦେଲେ, ଯେଉଁମାନେ ନିଜକୁ ପାପୀ ଭାବୁଥିଲେ ଏବଂ ସେମାନଙ୍କୁ ନିଜ ଶିଷ୍ୟ ହେବା ପାଇଁ ଡାକିଲେ । ସେ ଜାଣିଥିଲେ ଯେ ପାପୀ ହେବା ଯୋଗୁଁ ମଣିଷମାନେ ଦୁଃଖ ଭୋଗ କରନ୍ତି । ସେଥିପାଇଁ ବିଶେଷ କରି ଯୀଶୁ ସେହି ଲୋକମାନଙ୍କୁ ସାହାଯ୍ୟ କଲେ ଯେଉଁମାନେ ନିଜ ପାପ ଯୋଗୁଁ ଦୁଃଖିତ ଥିଲେ । ସେ ଗୋଟିଏ ଉଦାହରଣ ଦେଇ ବୁଝାଇଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି ।” ତାʼପରେ ସେ କହିଲେ, “ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି ।” (ମାଥି. ୯:୧୨, ୧୩) ଯୀଶୁ ଯେପରି କହିଥିଲେ ଠିକ୍ ସେପରି ହିଁ କଲେ । ଯେବେ ଜଣେ ପାପୀ ସ୍ତ୍ରୀ ତାଙ୍କ ପାଖକୁ ଆସିଲେ ଏବଂ କାନ୍ଦି କାନ୍ଦି ଅଶ୍ରୁଜଳରେ ତାହାଙ୍କ ପାଦ ଭିଜାଇ ଦେଲେ, ତେବେ ଯୀଶୁ ତାଙ୍କ ସହ ବହୁତ ପ୍ରେମର ସହିତ କଥା ହେଲେ ଏବଂ ତାଙ୍କ ପାପ କ୍ଷମା କରିଦେଲେ । (ଲୂକ ୭:୩୭-୫୦) କେବଳ ଏତିକି ନୁହେଁ, ସେ ଅନୈତିକ ଜୀବନ ବଞ୍ଚୁଥିବା ଜଣେ ଶମିରୋଣୀୟା ସ୍ତ୍ରୀଙ୍କୁ ମଧ୍ୟ କିଛି ବିଶେଷ ସତ୍ୟଗୁଡ଼ିକ ଶିଖାଇଲେ । (ଯୋହ. ୪:୭, ୧୭-୧୯, ୨୫, ୨୬) ତାʼସହ ଯିହୋବା ଯୀଶୁଙ୍କୁ ଏତେ ଶକ୍ତି ଦେଇଥିଲେ ଯେ ପାପ ଯୋଗୁଁ ଯେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ୁଥିଲା, ସେଗୁଡ଼ିକୁ ସେ ଶେଷ କରିପାରିଥାʼନ୍ତେ, ଏପରିକି ମୃତ୍ୟୁକୁ ବି । ସେଥିପାଇଁ ଯୀଶୁ ସବୁ ପ୍ରକାରର ଲୋକମାନଙ୍କୁ, ଯେପରିକି ଛୋଟ-ବଡ଼, ସ୍ତ୍ରୀ-ପୁରୁଷ ସମସ୍ତଙ୍କୁ ଜୀବିତ କଲେ ।—ମାଥି. ୧୧:୫.
୧୧. ଯେଉଁମାନେ ପାପ କରିଥିଲେ, ସେମାନେ ଯୀଶୁଙ୍କ ପାଖକୁ ଆସିବା ପାଇଁ କାହିଁକି ଆକର୍ଷିତ ହେଉଥିଲେ ?
୧୧ ଯୀଶୁ ଲୋକମାନଙ୍କ କଷ୍ଟକୁ ଭଲଭାବେ ବୁଝୁଥିଲେ ଓ ତାଙ୍କ ଉପରେ ଦୟା କରୁଥିଲେ । ସେଥିପାଇଁ ଯେଉଁମାନେ ଖରାପ କାମ କରୁଥିଲେ ସେମାନେ ବି ଯୀଶୁଙ୍କ ଆଡ଼କୁ ଆକର୍ଷିତ ହେଉଥିଲେ । ସେମାନେ ଯୀଶୁଙ୍କ ସହ କଥା ହେବା ପାଇଁ ସଂକୋଚ ମଧ୍ୟ କରୁ ନ ଥିଲେ । (ଲୂକ ୧୫:୧, ୨) ଆଉ ଯେବେ ଲୋକମାନେ ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିଲେ, ତେବେ ସେ ସେମାନଙ୍କର ପ୍ରଶଂସା କରୁଥିଲେ ଏବଂ ଭଲ ବ୍ୟବହାର ଦେଖାଉଥିଲେ । (ଲୂକ ୧୯:୧-୧୦) ଯୀଶୁ ପୂରାପୂରି ନିଜ ପିତାଙ୍କ ଭଳି ଲୋକମାନଙ୍କ ଉପରେ ଦୟା କରୁଥିଲେ । (ଯୋହ. ୧୪:୯) ସେ ନିଜ କାମ ଓ କଥାରୁ ଏହା ଦେଖାଇଲେ ଯେ ତାଙ୍କ ଦୟାଳୁ ପିତା ଲୋକମାନଙ୍କୁ ପ୍ରେମ କରନ୍ତି ଓ ପାପରୁ ସଂଘର୍ଷ କରିବା ପାଇଁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । ଯୀଶୁଙ୍କୁ ଭେଟିବା ପରେ ଲୋକମାନେ ନିଜକୁ ପରିବର୍ତ୍ତନ କରିବା ପାଇଁ ଏବଂ ତାଙ୍କୁ ଅନୁଗମନ କରିବା ପାଇଁ ଚାହୁଁଥିଲେ ।—ଲୂକ ୫:୨୭, ୨୮.
୧୨. ନିଜ ମୃତ୍ୟୁ ବିଷୟରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କʼଣ କହିଥିଲେ ?
୧୨ ଯୀଶୁ ଜାଣିଥିଲେ ଯେ ତାଙ୍କ ସହ ଆଗକୁ କʼଣ ହେବ । ସେ ଅନେକଥର ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ତାଙ୍କୁ ଧୋକା ଦେଇ ଧରି ନିଆଯିବ । ଆଉ କାଠ ଉପରେ ମାରିଦିଆଯିବ । (ମାଥି. ୧୭:୨୨; ୨୦:୧୮, ୧୯) ସେ ଜାଣିଥିଲେ ଯେ ତାଙ୍କ ବଳିଦାନରୁ ଦୁନିଆର ପାପ ଦୂର ହୋଇଯିବ । ଯେପରି ବାପ୍ତିଜକ ଯୋହନ ଓ ଅନ୍ୟ ଭବିଷ୍ୟଦ୍ବକ୍ତାମାନେ କହିଥିଲେ । ସେ ଶିଷ୍ୟମାନଙ୍କୁ ଏହା ବି କହିଥିଲେ ଯେ ନିଜକୁ ବଳି କରିଦେବା ପରେ ସେ ‘ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷିତ କରିବେ ।’ (ଯୋହ. ୧୨:୩୨) ତେବେ ପାପୀ ମଣିଷମାନେ ତାଙ୍କୁ ନିଜ ପ୍ରଭୁ ସ୍ୱୀକାର କରି ଓ ତାଙ୍କ ଉଦାହରଣରେ ଚାଲି ଯିହୋବାଙ୍କୁ ଖୁସି କରିପାରିବେ । ତାʼ ସହିତ ସେମାନେ “ପାପରୁ” ପୂରାପୂରି “ମୁକ୍ତ” ହୋଇଯିବେ । (ରୋମୀ. ୬:୧୪, ୧୮, ୨୨; ଯୋହ. ୮:୩୨) ଯୀଶୁ ଏସବୁ ଜାଣିଥିଲେ, ସେଥିପାଇଁ ସେ ଖୁସି ଓ ସାହସର ସହିତ ଏତେ ଯନ୍ତ୍ରଣାଦାୟକ ମୃତ୍ୟକୁ ସହିବା ପାଇଁ ପ୍ରସ୍ତୁତ ଥିଲେ ।—ଯୋହ. ୧୦:୧୭, ୧୮.
୧୩. (କ) ଯୀଶୁଙ୍କ ସହିତ କʼଣ କʼଣ ହେଲା ? (ଖ) ଯିହୋବା ଯୀଶୁଙ୍କୁ ବଳି ହେବା ପାଇଁ ଦେଲେ, ଏଥିରୁ ଆମେ ତାଙ୍କ ବିଷୟରେ କʼଣ ଶିଖିପାରୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ଯୀଶୁଙ୍କ ସହ ଧୋକା ହେଲା, ତାଙ୍କୁ ଗିରଫ୍ କରାଗଲା, ଅପମାନ କରାଗଲା, ମିଛ ଆରୋପ ଲଗାଗଲା, ଅସହ୍ୟ ଯନ୍ତ୍ରଣା ଦିଆଗଲା ଓ ଶେଷରେ ତାଙ୍କୁ କାଠ ଉପରେ ମାରିଦିଆଗଲା । ଏପରି ସମୟରେ ମଧ୍ୟ ଯୀଶୁ ବିଶ୍ୱସ୍ତ ରହିଲେ ଆଉ ଏହି ସବୁ କଷ୍ଟ ସହିଲେ । କିନ୍ତୁ ଯୀଶୁଙ୍କଠାରୁ ବି ଅଧିକ କଷ୍ଟ ଅନ୍ୟ କାହାରିକୁ ହେଲା । ନିଜ ପ୍ରିୟ ପୁତ୍ରକୁ ଯନ୍ତ୍ରଣାରେ ଦେଖି ଯିହୋବାଙ୍କୁ ଭାରି ଦୁଃଖ ଲାଗିଲା । କିନ୍ତୁ ହୁଏତ ଆମେ ଭାବିପାରୁ ଯେ ଯିହୋବା ନିଜ ପୁଅକୁ କାହିଁକି ରକ୍ଷା କଲେ ନାହିଁ ? ତାଙ୍କ ପାଖରେ ତ ଅସୀମ ଶକ୍ତି ଅଛି ତାହେଲେ ସେ କାହିଁକି କିଛି କଲେ ନାହିଁ ? ଏହାର କାରଣ ହେଉଛି ଯେ ଯିହୋବା ଆମ ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି । ଯୀଶୁ କହିଥିଲେ, “ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।”—ଯୋହ. ୩:୧୬.
୧୪. ଯୀଶୁ ଯେଉଁ ବଳିଦାନ ଦେଲେ, ସେଥିରୁ ଆପଣଙ୍କୁ କʼଣ ଜଣାପଡ଼େ ?
୧୪ ଯୀଶୁଙ୍କ ବଳିଦାନ ଏହି କଥାର ସବୁଠାରୁ ବଡ଼ ପ୍ରମାଣ ଅଟେ ଯେ ଯିହୋବା ଆଦମ ଓ ହବାଙ୍କ ସନ୍ତାନମାନଙ୍କୁ ବହୁତ ପ୍ରେମ କରନ୍ତି । ଏହା ଏହି କଥାର ବି ପ୍ରମାଣ ଯେ ସେ ଆପଣଙ୍କୁ ବି ବହୁତ ପ୍ରେମ କରନ୍ତି । ଭାବନ୍ତୁ, ଆପଣଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ ସେ କେତେ ବଡ଼ ବଳିଦାନ ଦେଇଛନ୍ତି ଓ କେତେ କଷ୍ଟ ସହିଛନ୍ତି ! ତାହା ଆମେ କେବେ ବି ଭାବିପାରିବା ନାହିଁ । (୧ ଯୋହ. ୪:୯, ୧୦) ସେ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି, ଯାହାଦ୍ୱାରା ଆମେ ପାପ ସହ ସଂଘର୍ଷ କରିପାରିବା ଓ ଏହା ଉପରେ ଜୟ ହାସଲ କରିପାରିବା ।
୧୫. ଯୀଶୁଙ୍କ ବଳିଦାନରୁ ଲାଭ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?
୧୫ ମୁକ୍ତିର ମୂଲ୍ୟ ଯିହୋବାଙ୍କଠାରୁ ମିଳିଥିବା ସବୁଠାରୁ ବଢ଼ିଆ ଉପହାର । ଏହି ବଳିଦାନ ଯୋଗୁଁ ଆମକୁ ନିଜ ପାପଗୁଡ଼ିକରୁ କ୍ଷମା ମିଳିପାରିବ । କିନ୍ତୁ ଯିହୋବାଙ୍କଠାରୁ କ୍ଷମା ପାଇବା ପାଇଁ ଆମକୁ ବି କିଛି କରିବାକୁ ପଡ଼ିବ । ଏବିଷୟରେ ବାପ୍ତିଜକ ଯୋହନ ଓ ଯୀଶୁ ଖ୍ରୀଷ୍ଟ କହିଥିଲେ, “ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।” (ମାଥି. ୩:୧, ୨; ୪:୧୭) ପଶ୍ଚାତାପ କଲେ ଆମେ ପାପରୁ ସଂଘର୍ଷ କରିପାରିବା ଓ ନିଜ ପ୍ରିୟ ପିତା ଯିହୋବାଙ୍କର ନିକଟତର ହୋଇପାରିବା । କିନ୍ତୁ ପଶ୍ଚାତାପ କରିବାର ଅର୍ଥ କʼଣ ? ପଶ୍ଚାତାପ କଲେ ଆମେ କିପରି ପାପ ସହ ସଂଘର୍ଷ କରିପାରିବା ? ଏବିଷୟରେ ଆମେ ପରବର୍ତ୍ତୀ ଲେଖାରେ ଦେଖିବା ।
ଗୀତ ୧୮ ଫିରୌତି କେ ଲିଏ ଏହସାନମନ୍ଦ
a ଏହାର ଅର୍ଥ କʼଣ ? ଯେବେ ଜଣେ ମଣିଷ କୌଣସି ଭୁଲ କାମ କରେ ବା ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ବଞ୍ଚେ ନାହିଁ, ତେବେ ବାଇବଲରେ ଏହାକୁ “ପାପ” କୁହାଯାଇଛି । ବାଇବଲରେ ଆମ ଅପରିପୂର୍ଣ୍ଣତା ଓ ପାପୀ ଅବସ୍ଥାକୁ ମଧ୍ୟ “ପାପ” ବୋଲି କୁହାଯାଇଛି ଯାହା ଆମକୁ ଆଦମଠାରୁ ମିଳିଛି, ଆଉ ଏହି କାରଣ ଯୋଗୁଁ ଦିନେ ଆମର ମୃତ୍ୟୁ ହୋଇଯାଏ ।
b ଯୀଶୁ ପୃଥିବୀରେ ଆସିବା ପୂର୍ବରୁ ହିଁ ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କ ବଳିଦାନ ଗ୍ରହଣ କଲେ, କାରଣ ସେ ଜାଣିଥିଲେ ଯେ ଆଗକୁ ଯାଇ ଯୀଶୁ ସମସ୍ତଙ୍କ ପାଇଁ ନିଜ ଜୀବନ ବଳି କରିବେ । ଆଉ ସେମାନଙ୍କୁ ପାପ ଓ ମୃତ୍ୟୁରୁ ପୂରାପୂରି ମୁକ୍ତ କରିଦେବେ ।—ରୋମୀ. ୩:୨୫.