ଅଧ୍ୟୟନ ଲେଖା ୩୨
ଗୀତ ୪୪ ଦୁଖିୟାରେ କି ପ୍ରାର୍ଥନା
ଯିହୋବା ଚାହାନ୍ତି ଯେ ସମସ୍ତେ ପଶ୍ଚାତାପ କରନ୍ତୁ
‘ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଯିହୋବାଙ୍କ ଇଚ୍ଛା ।’—୨ ପିତ. ୩:୯.
କʼଣ ଶିଖିବା ?
ଆମେ ଜାଣିବା ଯେ ପଶ୍ଚାତାପ କରିବାର ଅର୍ଥ କʼଣ, ପଶ୍ଚାତାପ କରିବା କାହିଁକି ଜରୁରୀ ଏବଂ ଯିହୋବା ଲୋକମାନଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ କʼଣ କରିଛନ୍ତି ।
୧. ପଶ୍ଚାତାପ କରିବାର ଅର୍ଥ କʼଣ ?
ଯେବେ ଆମ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ପଶ୍ଚାତାପ କରିବା ବହୁତ ଜରୁରୀ । ବାଇବଲରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ପଶ୍ଚାତାପ କରନ୍ତି, ତାଙ୍କୁ ନିଜ ଭୁଲ ପାଇଁ ଅବଶୋଷ ହୁଏ । ସେ ଭୁଲ କାମ କରିବା ଛାଡ଼ି ଦିଅନ୍ତି ଏବଂ ଦୃଢ଼ ନିଷ୍ପତ୍ତି ନିଅନ୍ତି ଯେ ସେ କେବେ ବି ସେହି କାମ କରିବେ ନାହିଁ ।—ବାଇବଲର ଶବ୍ଦାବଳୀରେ (ହିନ୍ଦୀ) “ପଶ୍ଚାତାପ” ପଢ଼ନ୍ତୁ ।
୨. ପଶ୍ଚାତାପ କʼଣ, ଏହା ଜାଣିବା ଆମ ପାଇଁ କାହିଁକି ଜରୁରୀ ? (ନିହିମୀୟା ୮:୯-୧୧)
୨ ସମସ୍ତଙ୍କୁ ଏହା ଜାଣିବା ବହୁତ ଜରୁରୀ ଯେ ପଶ୍ଚାତାପ କʼଣ ? ଏପରି କାହିଁକି ? କାରଣ ଆମେ ସମସ୍ତେ ପାପ କରିଥାଉ । ପ୍ରତିଦିନ ଆମ ଦ୍ୱାରା ଭୁଲ ହୁଏ । ପାପ ଏବଂ ମୃତ୍ୟୁ ଆମକୁ ଆଦମ ଓ ହବାଙ୍କଠାରୁ ମିଳିଛି । (ରୋମୀ. ୩:୨୩; ୫:୧୨) ଏପରି ଜଣେ ବି ମଣିଷ ନାହାନ୍ତି ଯାହାଙ୍କଠାରେ ପାପ ନାହିଁ । ପ୍ରେରିତ ପାଉଲଙ୍କ ଭଳି ଅନ୍ୟ ବିଶ୍ୱସ୍ତ ଲୋକମାନଙ୍କୁ ମଧ୍ୟ ପାପ ସହ ସଂଘର୍ଷ କରିବାକୁ ପଡ଼ିଲା । (ରୋମୀ. ୭:୨୧-୨୪) ତାହେଲେ କʼଣ ଆମକୁ ଏହା ଭାବି ନିରାଶ ହେବା ଉଚିତ୍ ଯେ ଆମ ଦ୍ୱାରା ସବୁବେଳେ ଭୁଲ ହୋଇଯାଏ ? ଏପରି ନୁହେଁ । ଯିହୋବା ଆମ ଉପରେ ଦୟା କରନ୍ତି ଏବଂ ସେ ଚାହାନ୍ତି ଯେ ଆମେ ଖୁସିରେ ରହୁ । ଧ୍ୟାନ ଦିଅନ୍ତୁ ଯେ ନିହିମୀୟାଙ୍କ ଦିନରେ ଯିହୋବା ଯିହୁଦୀମାନଙ୍କୁ କʼଣ କହିଥିଲେ । (ନିହିମୀୟା ୮:୯-୧୧ ପଢ଼ନ୍ତୁ ।) ଯିହୋବା ଚାହୁଁ ନ ଥିଲେ ଯେ ସେମାନେ ନିଜ ପାପଗୁଡ଼ିକୁ ମନେ ପକାଇ ଦୁଃଖି ହୁଅନ୍ତୁ, ବରଂ ସେ ଏହା ଚାହୁଁଥିଲେ ଯେ ସେମାନେ ଖୁସିର ସହ ତାଙ୍କ ଉପାସନା କରନ୍ତୁ । ଯିହୋବା ଜାଣନ୍ତି ଯେ ପଶ୍ଚାତାପ କରିଲେ ଆମେ ଖୁସି ପାଇପାରିବେ, ତେଣୁ ସେ ଚାହାନ୍ତି ଯେ ଆମେ ଏହି ବିଷୟରେ ଆହୁରି ଅଧିକ ଜାଣୁ । ଯଦି ଆମେ ପଶ୍ଚାତାପ କରିବା, ତାହେଲେ ଆମେ ଭରସା ରଖିପାରିବା ଯେ ଆମ ଦୟାଳୁ ପିତା ଆମକୁ ନିଶ୍ଚୟ କ୍ଷମା କରିବେ ।
୩. ଏହି ଲେଖାରେ ଆମେ କʼଣ ଜାଣିବା ?
୩ ଏବେ ଆସନ୍ତୁ ପଶ୍ଚାତାପ କରିବା ବିଷୟରେ ତିନୋଟି କଥା ଉପରେ ଧ୍ୟାନ ଦେବା । ଏହି ଲେଖାରେ ଆମେ ପ୍ରଥମେ ଜାଣିବା ଯେ ଯିହୋବା ଇସ୍ରାଏଲୀୟମାନଙ୍କୁ ପଶ୍ଚାତାପ କରିବା ବିଷୟରେ କʼଣ ଶିଖାଇଲେ । ତାʼପରେ ଆମେ ଦେଖିବା ଯେ ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଯିହୋବା କʼଣ କଲେ । ଆଉ ଶେଷରେ ଆମେ ଜାଣିବା ଯେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପଶ୍ଚାତାପ କରିବା ବିଷୟରେ କʼଣ ଶିଖାଇଲେ ।
ପଶ୍ଚାତାପ କରିବା ବିଷୟରେ ଯିହୋବା ଇସ୍ରାଏଲୀୟମାନଙ୍କୁ କʼଣ ଶିଖାଇଲେ ?
୪. ଯିହୋବା ଇସ୍ରାଏଲୀୟମାନଙ୍କୁ ପଶ୍ଚାତାପ କରିବା ବିଷୟରେ କʼଣ ଶିଖାଇଲେ ?
୪ ଯେବେ ଯିହୋବା ଇସ୍ରାଏଲୀୟମାନଙ୍କୁ ଗୋଟିଏ ରାଷ୍ଟ୍ର ଭାବେ ସଂଗଠିତ କଲେ, ତେବେ ସେ ସେମାନଙ୍କ ସହ ଗୋଟିଏ ଚୁକ୍ତି କଲେ । ଯିହୋବା କହିଲେ ଯେ ଯଦି ସେମାନେ ତାଙ୍କ ଆଜ୍ଞା ମାନିବେ, ତାହେଲେ ସେ ସେମାନଙ୍କ ସୁରକ୍ଷା କରିବେ ଓ ସେମାନଙ୍କୁ ଆଶିଷ ଦେବେ । ସେ ଏହା ବି କହିଲେ, “ଆଜି ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା ଅତିରିକ୍ତ କଠିନ ନୁହେଁ କିଅବା ଦୂରବର୍ତ୍ତୀ ନୁହେଁ ।” (ଦ୍ୱିବି. ୩୦:୧୧, ୧୬) କିନ୍ତୁ ଯଦି ଇସ୍ରାଏଲୀୟମାନେ ଯିହୋବାଙ୍କ ଆଜ୍ଞା ମାନନ୍ତେ ନାହିଁ, ଯେପରି ଯଦି ସେମାନେ ମିଛ ଦେବୀ ଦେବତାମାନଙ୍କର ଉପାସନା କରିବାକୁ ଲାଗନ୍ତେ, ତାହେଲେ ଯିହୋବାଙ୍କ ଆଶିଷ ସେମାନଙ୍କ ଉପରେ ରହନ୍ତା ନାହିଁ ଏବଂ ସେମାନଙ୍କୁ ଦୁଃଖକଷ୍ଟ ସହିବାକୁ ପଡ଼ନ୍ତା । କିନ୍ତୁ ତାʼଅର୍ଥ ଏହା ନ ଥିଲା ଯେ ଯିହୋବା ସେମାନଙ୍କୁ ସବୁଦିନ ପାଇଁ ଛାଡ଼ି ଦିଅନ୍ତେ । ଯଦି ସେମାନେ ପଶ୍ଚାତାପ କରନ୍ତେ ଓ ‘ପରମେଶ୍ୱରଙ୍କ ନିକଟକୁ ଫେରି ଆସନ୍ତେ ଓ ତାଙ୍କର ଆଜ୍ଞା ମାନନ୍ତେ’ ତାହେଲେ ସେ ସେମାନଙ୍କୁ ପୁଣିଥରେ ଆପଣାଇ ନିଅନ୍ତେ । (ଦ୍ୱିବି. ୩୦:୧-୩, ୧୭-୨୦) ସେ ପୁଣିଥରେ ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତେ ଏବଂ ସେମାନଙ୍କୁ ଆଶିଷ ଦିଅନ୍ତେ ।
୫. ଯିହୋବା କିପରି ଦେଖାଇଲେ ଯେ ସେ ନିଜ ଲୋକମାନଙ୍କୁ ଛାଡ଼ିଲେ ନାହିଁ ? (୨ ରାଜାବଳୀ ୧୭:୧୩, ୧୪)
୫ ଦୁଃଖର କଥା ଯେ ଯିହୋବାଙ୍କ ଲୋକମାନେ ବାରମ୍ବାର ତାଙ୍କ ବିରୁଦ୍ଧରେ ଗଲେ । ଯେପରି, କେତେବେଳେ ସେମାନେ ମୂର୍ତ୍ତିପୂଜା କରିବାକୁ ଲାଗିଲେ ତ ଆଉ କେତେବେଳେ ସେମାନେ ଅନ୍ୟ ଘୃଣିତ କାମଗୁଡ଼ିକୁ କରିବାକୁ ଲାଗିଲେ । ଆଉ ଏହି କାରଣରୁ ସେମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା । କିନ୍ତୁ ଯିହୋବା ନିଜ ଲୋକମାନଙ୍କୁ ଛାଡ଼ିଲେ ନାହିଁ । ସେ ସେମାନଙ୍କ ସାହାଯ୍ୟ କରିବା ଜାରି ରଖିଲେ । ସେ ବାରମ୍ବାର ନିଜ ଭବିଷ୍ୟଦ୍ବକ୍ତାମାନଙ୍କୁ ସେମାନଙ୍କ ପାଖକୁ ପଠାଇଲେ ଏବଂ ସେମାନଙ୍କୁ ଅନୁରୋଧ କଲେ ଯେ ସେମାନେ ପଶ୍ଚାତାପ କରନ୍ତୁ ଓ ତାଙ୍କ ନିକଟକୁ ଫେରି ଆସନ୍ତୁ ।—୨ ରାଜାବଳୀ ୧୭:୧୩, ୧୪ ପଢ଼ନ୍ତୁ ।
୬. ଯିହୋବା ଭବିଷ୍ୟଦ୍ବକ୍ତାମାନଙ୍କ ଜରିଆରେ କିପରି ବୁଝାଇଲେ ଯେ ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ପଶ୍ଚାତାପ କରିବା ବହୁତ ଜରୁରୀ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଯିହୋବା ପ୍ରାୟ ନିଜ ଭବିଷ୍ୟଦ୍ବକ୍ତାମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ସତର୍କ କରାଉଥିଲେ ଓ ସେମାନଙ୍କର ଚିନ୍ତାଧାରା ସୁଧାରୁ ଥିଲେ । ଯେପରି, ଯିହୋବା ଯିରିମୀୟଙ୍କ ଜରିଆରେ ନିଜ ଲୋକମାନଙ୍କୁ କହିଲେ, ‘ହେ ବିପଥଗାମିନୀ ଇସ୍ରାଏଲ, . . . ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ; କାରଣ ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ । ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଅଛ, ଆପଣାର ଏହି ଅଧର୍ମାଚରଣ କେବଳ ସ୍ୱୀକାର କର ।’ (ଯିରି. ୩:୧୨, ୧୩) ଯୋୟେଲଙ୍କ ଜରିଆରେ ଯିହୋବା କହିଲେ, ‘ତୁମ୍ଭେମାନେ ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ ।’ (ଯୋୟେ. ୨:୧୨, ୧୩) ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ଜରିଆରେ ସେ କହିଲେ, “ତୁମ୍ଭେମାନେ ଆପଣାମାନଙ୍କୁ . . . ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ ।” (ଯିଶା. ୧:୧୬-୧୯) ଆଉ ଯିହୋବା ଯିହିଜିକଲଙ୍କ ଜରିଆରେ କହିଲେ, “ଦୁଷ୍ଟର ମରଣରେ କି ଆମ୍ଭର କିଛି ସନ୍ତୋଷ ଅଛି ? ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମ୍ଭର ସନ୍ତୋଷ ନାହିଁ ? ଯେହେତୁ ଯେ ମରେ, ତାହାର ମରଣରେ ଆମ୍ଭର କିଛି ସନ୍ତୋଷ ନାହିଁ, . . . ଏଥିପାଇଁ ତୁମ୍ଭେମାନେ ଫେରି ବଞ୍ଚ ।” (ଯିହି. ୧୮:୨୩, ୩୨) ଯେବେ ଲୋକମାନେ ପଶ୍ଚାତାପ କରନ୍ତି, ତେବେ ଯିହୋବାଙ୍କୁ ବହୁତ ଖୁସି ଲାଗେ, କାରଣ ସେ ଚାହାନ୍ତି ଯେ ସେମାନେ ସବୁଦିନ ପାଇଁ ବଞ୍ଚନ୍ତୁ । ସେ ଏହା ଅପେକ୍ଷା କରନ୍ତି ନାହିଁ ଯେ ଯେବେ ଜଣେ ପାପୀ ମଣିଷ ନିଜକୁ ବଦଳାଇବେ, ତେବେ ସେ ତାଙ୍କର ସାହାଯ୍ୟ କରିବେ । ଏହି କଥାକୁ ବୁଝିବା ପାଇଁ ଆସନ୍ତୁ କିଛି ଉଦାହରଣ ଉପରେ ଧ୍ୟାନ ଦେବା ।
୭. ଭବିଷ୍ୟଦ୍ବକ୍ତା ହୋଶେୟ ଓ ତାଙ୍କ ସ୍ତ୍ରୀଙ୍କ ଘଟଣାରୁ ଯିହୋବା ନିଜ ଲୋକମାନଙ୍କୁ କʼଣ ଶିଖାଇଲେ ?
୭ ଧ୍ୟାନ ଦିଅନ୍ତୁ ଯେ ଯିହୋବା ଭବିଷ୍ୟଦ୍ବକ୍ତା ହୋଶେୟ ଓ ତାଙ୍କ ସ୍ତ୍ରୀ ଗୋମରଙ୍କ ଘଟଣାରୁ ନିଜ ଲୋକମାନଙ୍କୁ କʼଣ ଶିଖାଇଲେ । ଗୋମର ବ୍ୟଭିଚାର କଲେ ଓ ହୋଶେୟଙ୍କୁ ଛାଡ଼ି ପର ପୁରୁଷଙ୍କ ପାଖକୁ ଚାଲିଗଲେ । ତେବେ ଯିହୋବା କʼଣ କଲେ ? କʼଣ ସେ ଏହା ଭାବିଲେ ଯେ ଏବେ ଗୋମରଙ୍କ ପାଇଁ କୌଣସି ଆଶା ନାହିଁ ? ଯିହୋବା ଲୋକମାନଙ୍କର ହୃଦୟ କଥା ଜାଣନ୍ତି । ସେ ହୋଶେୟଙ୍କୁ କହିଲେ, ‘ଇସ୍ରାଏଲ-ସନ୍ତାନଗଣ ଅନ୍ୟ ଦେବଗଣର ପ୍ରତି ଫେରିଲେ ହେଁ ସଦାପ୍ରଭୁ ଯେପରି ସେମାନଙ୍କୁ ପ୍ରେମ କରନ୍ତି, ସେପରି ତୁମ୍ଭେ ପୁନଶ୍ଚ ଯାଇ ଆପଣା ମିତ୍ରର ପ୍ରିୟତମା ଅଥଚ ବ୍ୟଭିଚାରିଣୀ ଏକ ସ୍ତ୍ରୀକୁ ପ୍ରେମ କର ।’ (ହୋଶେ. ୩:୧; ହିତୋ. ୧୬:୨) କʼଣ ଆପଣ ଧ୍ୟାନ ଦେଲେ, ହୋଶେୟଙ୍କ ସ୍ତ୍ରୀ ଯେବେ ଖରାପ କାମରେ ଲାଗି ରହିଥିଲେ, ତେବେ ହିଁ ଯିହୋବା ହୋଶେୟଙ୍କୁ କହିଲେ ଯେ ସେ ତାଙ୍କ ସ୍ତ୍ରୀ ପାଖକୁ ଯାʼନ୍ତୁ, ତାଙ୍କୁ କ୍ଷମା କରନ୍ତୁ ଏବଂ ତାଙ୍କ ସହ ବୁଝାମଣା କରନ୍ତୁ । a ସେହିପରି ଯିହୋବା ନିଜ ସେହି ଲୋକମାନଙ୍କୁ ଆପଣାଇବା ପାଇଁ ପ୍ରସ୍ତୁତ ଥିଲେ, ଯେଉଁମାନେ ତାଙ୍କଠାରୁ ଦୂରକୁ ଚାଲି ଯାଇଥିଲେ । ସେମାନେ ଖରାପ କାମରେ ଲାଗି ରହିଥିଲେ, ତଥାପି ଯିହୋବା ସେମାନଙ୍କୁ ପ୍ରେମ କରିବା ଛାଡ଼ିଲେ ନାହିଁ । ସେ ସେମାନଙ୍କ ପାଖକୁ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇବା ଜାରି ରଖିଲେ, ଯାହାଫଳରେ ସେମାନେ ପଶ୍ଚାତାପ କରନ୍ତେ ଓ ଖରାପ କାମ କରିବା ଛାଡ଼ି ଦିଅନ୍ତେ । ଏହି ଉଦାହରଣଗୁଡ଼ିକରୁ କʼଣ ଜଣାପଡ଼େ ? କʼଣ ଯିଏ “ଅନ୍ତଃକରଣର ପରୀକ୍ଷା କରନ୍ତି,” ସେ ଏପରି ବ୍ୟକ୍ତିଙ୍କୁ ବି ସାହାଯ୍ୟ କରନ୍ତି ଯିଏ ପାପ କରିବାରେ ଲାଗି ରହନ୍ତି ଓ ତାଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଚେଷ୍ଟା କରନ୍ତି ? (ହିତୋ. ୧୭:୩) ଆସନ୍ତୁ ଜାଣିବା ।
ଯେଉଁମାନେ ପାପ କରନ୍ତି, ଯିହୋବା କିପରି ସେମାନଙ୍କୁ ପଶ୍ଚାତାପ ଆଡ଼କୁ ନିଅନ୍ତି ?
୮. ଯିହୋବା କୟିନକୁ ପଶ୍ଚାତାପ ଆଡ଼କୁ ନେବା ପାଇଁ କʼଣ କଲେ ? (ଆଦି ପୁସ୍ତକ ୪:୩-୭) (ଚିତ୍ର ମଧ୍ୟ ଦେଖନ୍ତୁ ।)
୮ କୟିନ ଆଦମ ଓ ହବାର ପ୍ରଥମ ସନ୍ତାନ ଥିଲା । ତାକୁ ନିଜ ବାପାମାଆଙ୍କଠାରୁ ପାପ ମିଳିଥିଲା । ବାଇବଲରେ ଏହା ବି ଲେଖାଯାଇଛି, ‘ତାହାର କାର୍ଯ୍ୟ [ମଧ୍ୟ] ପାପମୟ ଥିଲା ।’ (୧ ଯୋହ. ୩:୧୨) ହୁଏତ ଏହି କାରଣ ଯୋଗୁଁ ଯିହୋବା ‘କୟିନକୁ ଓ ତାʼର ନୈବେଦ୍ୟକୁ ଅଗ୍ରାହ୍ୟ କଲେ ।’ ସେସମୟରେ କୟିନକୁ ନିଜ ଚିନ୍ତାଧାରା ଓ ଚାଲିଚଳନରେ ପରିବର୍ତ୍ତନ କରିବାର ଥିଲା । କିନ୍ତୁ ଏପରି କରିବା ପରିବର୍ତ୍ତେ ସେ “ଅତି କ୍ରୋଧ କରି ଅଧୋମୁଖ” ହେଲା । ତେବେ ଯିହୋବା କʼଣ କଲେ ? (ଆଦି ପୁସ୍ତକ ୪:୩-୭ ପଢ଼ନ୍ତୁ ।) ଯିହୋବା ଅତି ପ୍ରେମର ସହ କୟିନକୁ ବୁଝାଇଲେ ଯେ ଯଦି ସେ ଭଲ କାମ କରିବ, ତାହେଲେ ତାକୁ ବି ଆଶିଷ ମିଳିବ । କିନ୍ତୁ ଯିହୋବା ତାକୁ ସତର୍କ ବି କରାଇଲେ ଯେ ଯଦି ସେ ନିଜ ଉପରେ ଧ୍ୟାନ ଦେବେ ନାହିଁ, ତାହେଲେ ତାʼ ଦ୍ୱାରା ପାପ ହୋଇଯିବ । ସେ କୟିନକୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଚେଷ୍ଟା କଲେ । କିନ୍ତୁ ଦୁଃଖର କଥା, କୟିନ ଯିହୋବାଙ୍କ କଥା ଶୁଣିଲା ନାହିଁ ! କʼଣ ଏହା ପରେ ଯିହୋବା ଭାବିନେଲେ ଯେ ଯେଉଁମାନେ ପାପ କରନ୍ତି, ସେମାନଙ୍କ ମଧ୍ୟରୁ କୌଣସି ବି ବ୍ୟକ୍ତିଙ୍କୁ ସେ ପଶ୍ଚାତାପ ଆଡ଼କୁ ନେବା ପାଇଁ ଚେଷ୍ଟା କରିବେ ନାହିଁ ? ଏପରି ନୁହେଁ ।
୯. ଦାଉଦଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଯିହୋବା କʼଣ କଲେ ?
୯ ଯିହୋବା ରାଜା ଦାଉଦଙ୍କୁ ବହୁତ ପ୍ରେମ କରୁଥିଲେ । ଦାଉଦଙ୍କ ବିଷୟରେ ସେ କହିଲେ, “ସେ ଆମ୍ଭର ମନର ମତ ବ୍ୟକ୍ତି ।” (ପ୍ରେରି. ୧୩:୨୨) କିନ୍ତୁ ପରେ ଦାଉଦ ବଡ଼ ବଡ଼ ଭୁଲ କଲେ । ସେ ବ୍ୟଭିଚାର କଲେ ଓ ଜଣେ ଲୋକଙ୍କ ହତ୍ୟା କରାଇଲେ । ମୋଶାଙ୍କ ବ୍ୟବସ୍ଥା ଅନୁସାରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥାʼନ୍ତା । (ଲେବୀ. ୨୦:୧୦; ଗଣ. ୩୫:୩୧) କିନ୍ତୁ ଯିହୋବା ଦାଉଦଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଚାହୁଁଥିଲେ । b ସେଥିପାଇଁ ସେ ଭବିଷ୍ୟଦ୍ବକ୍ତା ନାଥନଙ୍କୁ ତାଙ୍କ ପାଖକୁ ପଠାଇଲେ । କିନ୍ତୁ ସେସମୟ ଯାଏ ଦାଉଦ ନିଜ ପାପ ମାନି ନ ଥିଲେ ଏବଂ ପଶ୍ଚାତାପ କରି ନ ଥିଲେ । ନାଥନ ଦାଉଦଙ୍କୁ ଏପରି ଗୋଟିଏ ଉଦାହରଣ ଦେଲେ, ଯାହା ତାଙ୍କ ହୃଦୟକୁ ଛୁଇଁଗଲା । ସେ ବୁଝିପାରିଲେ ଯେ ସେ ଯିହୋବାଙ୍କୁ ବହୁତ ଦୁଃଖି କରିଛନ୍ତି ଏବଂ ସେ ପଶ୍ଚାତାପ କଲେ । (୨ ଶାମୁ. ୧୨:୧-୧୪) ପରେ ସେ ଗୋଟିଏ ଗୀତସଂହିତା ଲେଖିଲେ, ଯେଉଁଥିରୁ ଜଣାପଡ଼େ ଯେ ସେ ଯାହା ବି କରିଥିଲେ ତାʼପାଇଁ ସେ ବହୁତ ଦୁଃଖି ଥିଲେ । (ଗୀତ. ୫୧ ଅଧ୍ୟାୟର ଝଲକ) ଏହି ଗୀତସଂହିତା ପଢ଼ି ଅନେକ ପାପ କରିଥିବା ବ୍ୟକ୍ତିମାନଙ୍କୁ ସାନ୍ତ୍ୱନା ମିଳିଛି ଏବଂ ସେମାନେ ବି ପଶ୍ଚାତାପ କରିଛନ୍ତି । କʼଣ ଏହା ଜାଣି ଆମକୁ ଖୁସି ଲାଗେନି ଯେ ଯିହୋବା ପ୍ରେମର ସହିତ ଦାଉଦଙ୍କୁ ପଶ୍ଚାତାପ ଆଡ଼କୁ ନେଇଗଲେ ?
୧୦. ଯିହୋବା ଆମ ପାଇଁ ଧୈର୍ଯ୍ୟ ଧରନ୍ତି ଓ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଥାʼନ୍ତି, ଏହା ଜାଣି ଆପଣଙ୍କୁ କିପରି ଲାଗେ ?
୧୦ ଯିହୋବା ପାପକୁ ଘୃଣା କରନ୍ତି । (ଗୀତ. ୫:୪, ୫) କିନ୍ତୁ ସେ ଆମ ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି । ସେଥିପାଇଁ ଯେବେ ଆମ ଦ୍ୱାରା କୌଣସି ପାପ ହୋଇଯାଏ, ତେବେ ସେ ଆମକୁ ସାହାଯ୍ୟ କରିବାକୁ ଚାହାନ୍ତି । ମଣିଷ ଦ୍ୱାରା ଯେତେ ବଡ଼ ପାପ ହୋଇଯାଉ ନା କାହିଁକି, ଯିହୋବା ତାଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଚେଷ୍ଟା କରନ୍ତି ଏବଂ ସେ ଚାହାନ୍ତି ଯେ ସେ ତାଙ୍କ ନିକଟବର୍ତ୍ତୀ ହୁଅନ୍ତୁ । ଏହା ଜାଣି ଆମକୁ ମନର ଶାନ୍ତି ମିଳେ ! ଯେବେ ଆମେ ଏବିଷୟରେ ଭାବୁ ଯେ ଯିହୋବା ଆମ ପାଇଁ କେତେ ଧୈର୍ଯ୍ୟ ଧରନ୍ତି ଓ ଆମ ପାପ କ୍ଷମା କରିବା ପାଇଁ ପ୍ରସ୍ତୁତ ଥାʼନ୍ତି, ତେବେ ଆମକୁ ତାଙ୍କ ବିଶ୍ୱସ୍ତ ରହିବା ଓ ଭୁଲ ହେବା ପରେ ଅତି ଶୀଘ୍ର ପଶ୍ଚାତାପ କରିବା ପାଇଁ ଇଚ୍ଛା ହୁଏ । ଏବେ ଆସନ୍ତୁ ଦେଖିବା ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ଯୀଶୁ ପଶ୍ଚାତାପ କରିବା ବିଷୟରେ କʼଣ ଶିଖାଇଲେ ।
ପଶ୍ଚାତାପ କରିବା ବିଷୟରେ ଯୀଶୁ ନିଜ ଶିଷ୍ୟମାନଙ୍କୁ କʼଣ ଶିଖାଇଲେ ?
୧୧-୧୨. ଯୀଶୁ କିପରି ବୁଝାଇଲେ ଯେ ଯିହୋବା କ୍ଷମା କରିବା ପାଇଁ ପ୍ରସ୍ତୁତ ଥାʼନ୍ତି ? ( ଚିତ୍ର ଦେଖନ୍ତୁ ।)
୧୧ ଯେପରି ଆମେ ପୂର୍ବ ଲେଖାରେ ଦେଖିଲୁ, ପ୍ରଥମ ଶତାବ୍ଦୀରେ ଯିହୋବା ବାପ୍ତିଜକ ଯୋହନ ଓ ଯୀଶୁ ଖ୍ରୀଷ୍ଟଙ୍କ ଜରିଆରେ ଲୋକମାନଙ୍କୁ କହିଲେ ଯେ ପଶ୍ଚାତାପ କରିବା ବହୁତ ଜରୁରୀ ।—ମାଥି. ୩:୧, ୨; ୪:୧୭.
୧୨ ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେସମୟରେ ସେ ଅନେକଥର ଲୋକମାନଙ୍କୁ କହିଲେ ଯେ ତାଙ୍କ ପିତା କ୍ଷମା କରିବା ପାଇଁ ପ୍ରସ୍ତୁତ ଥାʼନ୍ତି । ଏହି କଥା ବୁଝାଇବା ପାଇଁ ଯୀଶୁ ହଜିଲା ପୁତ୍ରର ଉଦାହରଣ ଦିଅନ୍ତି । ସେହି ପୁଅ ନିଜ ପିତାଙ୍କ ଘର ଛାଡ଼ି ଚାଲିଯାଏ ଓ ଖରାପ ଖରାପ କାମ କରିବାକୁ ଲାଗେ । କିନ୍ତୁ ପରେ ସେ “ଚେତନା” ପାଇ ଘରକୁ ଫେରି ଆସେ । ସେସମୟରେ ତାଙ୍କ ପିତା କʼଣ କରନ୍ତି ? ଯୀଶୁ କହନ୍ତି ଯେ ଯେବେ ପୁଅ “ଦୂରରେ” ହିଁ ଥିଲା, ତେବେ “ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ ।” ପୁଅ କେବେ ଭାବି ବି ନ ଥିଲା ଯେ ତାʼ ବାପା ତାକୁ କ୍ଷମା କରିଦେବେ । ସେ ନିଜ ବାପାଙ୍କୁ ଏହା କହିବା ପାଇଁ ଭାବିଥିଲା ଯେ ସେ ତାକୁ ନିଜ ଘରେ ଶ୍ରମିକ ଭାବେ ରଖନ୍ତୁ । କିନ୍ତୁ ବାପା ତାକୁ ନିଜ “ପୁଅ” କହିଲେ ଏବଂ ତାକୁ ଆପଣାଇଲେ । ସେ କହିଲେ, ‘ଏହି ପୁଅ ହଜିଯାଇଥିଲା, ଆଉ ମିଳିଲା ।’ (ଲୂକ ୧୫:୧୧-୩୨) ପୃଥିବୀରେ ଆସିବା ପୂର୍ବରୁ ଯେବେ ଯୀଶୁ ସ୍ୱର୍ଗରେ ଥିଲେ, ସେସମୟରେ ସେ ଅନେକଥର ଦେଖିଥିଲେ ଯେ ଯିହୋବା ଲୋକମାନଙ୍କୁ କେତେ ପ୍ରେମ କରନ୍ତି ଓ ଯେଉଁମାନେ ପଶ୍ଚାତାପ କରନ୍ତି, ସେମାନଙ୍କୁ ସେ କ୍ଷମା କରିଦିଅନ୍ତି । ଏହି କାହାଣୀରୁ ଯୀଶୁ କେତେ ବଢ଼ିଆ ଉପାୟରେ ବୁଝାଇଲେ ଯେ ଆମ ପିତା ବହୁତ ଦୟାଳୁ ଅଟନ୍ତି ଓ ଆମ ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି !
୧୩-୧୪. ପିତର ପଶ୍ଚାତାପ କରିବା ବିଷୟରେ ଯୀଶୁଙ୍କଠାରୁ କʼଣ ଶିଖିଲେ ଏବଂ ସେ ଅନ୍ୟମାନଙ୍କୁ ଏବିଷୟରେ କʼଣ ଶିଖାଇଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ଯୀଶୁ ପିତରଙ୍କୁ ବି ଶିଖାଇଲେ ଯେ ତାଙ୍କ ପିତା ପଶ୍ଚାତାପ କରିଥିବା ଲୋକମାନଙ୍କୁ କ୍ଷମା କରନ୍ତି । ପିତରଙ୍କ ଦ୍ୱାରା ଅନେକଥର ଭୁଲ ହେଲା, କିନ୍ତୁ ଯୀଶୁ ହୃଦୟରୁ ତାଙ୍କୁ କ୍ଷମା କଲେ । ଭାବନ୍ତୁ, ଯୀଶୁଙ୍କୁ ତିନିଥର ଜାଣିବାରୁ ମନା କଲାପରେ କʼଣ ହେଲା । ପିତର ନିଜ ଭୁଲ ବୁଝିପାରିଲେ ଏବଂ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ । (ମାଥି. ୨୬:୩୪, ୩୫, ୬୯-୭୫) କିନ୍ତୁ ଜୀବିତ ହେବା ପରେ ଯୀଶୁ ହୁଏତ ପିତରଙ୍କୁ ଏକୁଟିଆରେ ଭେଟିଲେ । (ଲୂକ ୨୪:୩୩, ୩୪; ୧ କରି. ୧୫:୩-୫) ଯୀଶୁ ଜାଣିଥିଲେ ଯେ ପିତର ଯାହା କରିଥିଲେ ତାʼପାଇଁ ସେ ବହୁତ ଦୁଃଖି ଅଛନ୍ତି, ସେଥିପାଇଁ ସେ ତାଙ୍କୁ କ୍ଷମା କରିଦେଲେ ଓ ତାଙ୍କୁ ଭରସା ଦେଲେ ଯେ ସେ ଏବେ ବି ତାଙ୍କୁ ବହୁତ ପ୍ରେମ କରନ୍ତି ।
୧୪ ପଶ୍ଚାତାପ କଲେ ଓ କ୍ଷମା ମିଳିଲେ କିପରି ଲାଗେ, ଏହା ପିତର ଭଲଭାବେ ଜାଣିଥିଲେ । ସେଥିପାଇଁ ସେ ନିଜ ଅନୁଭବରୁ ଅନ୍ୟମାନଙ୍କୁ ବି ଏବିଷୟରେ ଶିଖାଇପାରନ୍ତେ । ପେଣ୍ଟିକଷ୍ଟ ପର୍ବର କିଛି ସମୟ ପରେ ପିତର ଯିହୁଦୀମାନଙ୍କ ଆଗରେ ଗୋଟିଏ ଭାଷଣ ଦେଲେ । ସେ କହିଲେ ଯେ ସେହି ଲୋକମାନେ ମସୀହଙ୍କୁ ମାରିଦେଲେ । କିନ୍ତୁ ପରେ ସେ ସେମାନଙ୍କୁ ଅନୁରୋଧ କଲେ, “ଯେପରି ଆପଣାମାନଙ୍କର ପାପ-ମୋଚନ ହୋଇପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରିଆସନ୍ତୁ, ତାହାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ ।” (ପ୍ରେରି. ୩:୧୪, ୧୫, ୧୭, ୧୯, ୨୦) ପିତର କହିଲେ ଯେ ଜଣେ ବ୍ୟକ୍ତି ନିଜ ପାପ ପାଇଁ ପଶ୍ଚାତାପ କରି ଯିହୋବାଙ୍କ ପାଖକୁ ଫେରି ଆସନ୍ତି । ତାʼଅର୍ଥ ସେ ନିଜର ଚିନ୍ତାଧାରା ସୁଧାରନ୍ତି, ଖରାପ କାମ କରିବା ଛାଡ଼ି ଦିଅନ୍ତି ଓ ଏପରି ଜୀବନ ବଞ୍ଚନ୍ତି, ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି । ପିତର ଏହା ବି କହିଲେ ଯେ ଯେବେ ଯିହୋବା କାହାରିକୁ କ୍ଷମା କରିଦିଅନ୍ତି, ତେବେ ସେ ସେଗୁଡ଼ିକୁ ପୂରାପୂରି ଭୁଲିଯାʼନ୍ତି ଯେପରି ସେହି ବ୍ୟକ୍ତି କେବେ ପାପ କରି ହିଁ ନ ଥିଲେ । ଏହି ଭାଷଣ ଦେବାର ଅନେକ ବର୍ଷ ପରେ ସେ ଖ୍ରୀଷ୍ଟିୟାନମାନଙ୍କୁ କହିଲେ, “ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି ।” (୨ ପିତ. ୩:୯) ଏହା ଜାଣି କେତେ ସାନ୍ତ୍ୱନା ମିଳେ ଯେ କୌଣସି ଭୁଲ କରିବା ପରେ କିମ୍ବା କୌଣସି ବଡ଼ ପାପ କରିବା ପରେ ମଧ୍ୟ ଯିହୋବା ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି ।
୧୫-୧୬. (କ) ପାଉଲ ପଶ୍ଚାତାପ କରିବା ଓ କ୍ଷମା କରିବା ବିଷୟରେ କିପରି ଶିଖିଲେ ? (୧ ତୀମଥି ୧:୧୨-୧୫) (ଖ) ପରବର୍ତ୍ତୀ ଲେଖାରେ ଆମେ କʼଣ ଜାଣିବା ?
୧୫ ତାର୍ଷରେ ରହୁଥିବା ଶାଉଲ ଅନେକ ଭୁଲ କରିଥିଲେ । ତାଙ୍କୁ ପଶ୍ଚାତାପ କରିବା ଓ କ୍ଷମା ପାଇବାର ଦରକାର ଥିଲା । ସେ ବହୁତ ନିଷ୍ଠୁର ଥିଲେ ଓ ସେ ଯୀଶୁଙ୍କ ଶିଷ୍ୟମାନଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ । (ପ୍ରେରି. ୭:୫୮–୮:୩) ସେସମୟର ଖ୍ରୀଷ୍ଟିୟାନମାନେ ସ୍ୱପ୍ନରେ ବି ଭାବି ନ ଥିବେ ଯେ ଏପରି ବ୍ୟକ୍ତି କେବେ ବଦଳିପାରିବେ ଓ ପଶ୍ଚାତାପ କରିବେ । କିନ୍ତୁ ଯୀଶୁ ଓ ଯିହୋବାଙ୍କ ଚିନ୍ତାଧାରା ମଣିଷମାନଙ୍କଠାରୁ ବହୁତ ଅଲଗା । ସେମାନେ ଶାଉଲଙ୍କଠାରେ ଭଲ ଗୁଣଗୁଡ଼ିକ ଦେଖିଲେ, ତେଣୁ ଯୀଶୁ ତାଙ୍କ ବିଷୟରେ କହିଲେ, ‘ଆମ୍ଭର ନାମ ବହନ କରିବା ନିମନ୍ତେ ଏହା ଆମ୍ଭର ଜଣେ ମନୋନୀତ ପାତ୍ର ।’ (ପ୍ରେରି. ୯:୧୫) କେବଳ ଏତିକି ନୁହେଁ, ଶାଉଲଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଯୀଶୁ ଗୋଟିଏ ଚମତ୍କାର ମଧ୍ୟ କଲେ । (ପ୍ରେରି. ୯:୧-୯, ୧୭-୨୦) ତାʼପରେ ଶାଉଲ ପଶ୍ଚାତାପ କଲେ ଓ ଜଣେ ଖ୍ରୀଷ୍ଟିୟାନ ହୋଇଗଲେ । ପରେ ତାଙ୍କୁ ଲୋକମାନେ ପ୍ରେରିତ ପାଉଲ ନାମରେ ଜାଣିଲେ ଓ ଅନେକଥର ପାଉଲ କହିଲେ ଯେ ସେ ଯିହୋବା ଓ ଯୀଶୁଙ୍କ ବହୁତ କୃତଜ୍ଞ ଯେ ସେମାନେ ତାଙ୍କ ଉପରେ ଦୟା କଲେ ଓ ତାଙ୍କୁ କ୍ଷମା କଲେ । (୧ ତୀମଥି ୧:୧୨-୧୫ ପଢ଼ନ୍ତୁ ।) ସେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଶିଖାଇଲେ ଯେ “ଈଶ୍ୱରଙ୍କ କୃପା ଯେ ତୁମ୍ଭକୁ ମନପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ ।”—ରୋମୀ. ୨:୪.
୧୬ ଥରେ ଯେବେ ପାଉଲଙ୍କୁ ଜଣାପଡ଼ିଲା ଯେ କରିନ୍ଥୀୟ ମଣ୍ଡଳୀର ଜଣେ ବ୍ୟକ୍ତି ଖରାପ ଜୀବନ ବଞ୍ଚୁଛି, ତେବେ ପାଉଲ କʼଣ କଲେ ? ସେ ସେମାନଙ୍କୁ ଗୋଟିଏ ଚିଠି ଲେଖିଲେ । ଯେଉଁଥିରୁ ଆମେ ଜାଣିପାରୁ ଯେ ଯିହୋବା ଲୋକମାନଙ୍କୁ ପ୍ରେମ କରନ୍ତି, ତେଣୁ ସେମାନଙ୍କୁ ସୁଧାରନ୍ତି ଓ ଯେବେ ସେମାନେ ପଶ୍ଚାତାପ କରନ୍ତି, ତେବେ ଯିହୋବା ସେମାନଙ୍କ ଉପରେ ଦୟା କରନ୍ତି । ପାଉଲଙ୍କ ଚିଠିରୁ ଆମେ ଏହା ବି ଶିଖିପାରିବା ଯେ ଆମେ ଯିହୋବାଙ୍କ ଭଳି କିପରି ହୋଇପାରିବା । ପରବର୍ତ୍ତୀ ଲେଖାରେ ଆମେ ଏବିଷୟରେ ଆହୁରି ଜାଣିବା ।
ଗୀତ ୩୩ ଅପନା ବୋଝ୍ ୟହୋୱା ପର୍ ଡାଲ୍ ଦେ !
a ଏହି ଘଟଣା ବହୁତ ଅଲଗା । ଆଜି ଯଦି ଜଣେ ସ୍ୱାମୀ ବା ସ୍ତ୍ରୀ ମଧ୍ୟରେ କେହି ବ୍ୟଭିଚାର କରନ୍ତି, ତାହେଲେ ଯିହୋବା ନିର୍ଦ୍ଦୋଷ ସାଥୀକୁ ଏହି ବନ୍ଧନରେ ବାନ୍ଧି ହୋଇ ରହିବା ପାଇଁ ବାଧ୍ୟ କରନ୍ତି ନାହିଁ । ସେ ନିଜ ପୁତ୍ର ଯୀଶୁଙ୍କ ଜରିଆରେ ବ୍ୟବସ୍ଥା କଲେ ଯେ ନିର୍ଦ୍ଦୋଷ ସାଥୀ ଚାହିଁଲେ ଛାଡ଼ପତ୍ର ଦେଇପାରିବେ ।—ମାଥି. ୫:୩୨; ୧୯:୯.
b ୧୫ ନଭେମ୍ବର, ୨୦୧୨ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ୟହୋୱା ସେ ମିଲ୍ନେୱାଲି ମାଫି ଆପ୍କେ ଲିଏ କ୍ୟା ମାୟନେ ରଖତି ହୈ ?” ପୃଷ୍ଠା ୨୧-୨୩, ପାରା. ୩-୧୦ ପଢ଼ନ୍ତୁ ।