इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କ ପ୍ରଶ୍ନ

ଆପଣଙ୍କ ପ୍ରଶ୍ନ

ବାଇବଲରେ ଶପଥ ନେବା ବିଷୟରେ କʼଣ କୁହାଯାଇଛି ?

ଶପଥ ନେବାର ଅର୍ଥ, ‘କୌଣସି କଥାକୁ ସମସ୍ତଙ୍କ ସାମନାରେ ସତ ମାନିବା ପାଇଁ ରାଣ ଖାଇବା କିମ୍ବା କୌଣସି କାମକୁ ନିଶ୍ଚିତ ଭାବେ ପୂରା କରିବା ପାଇଁ ପ୍ରତିଜ୍ଞା କରିବା । ସାଧାରଣତଃ ଜଣେ ବ୍ୟକ୍ତି ଈଶ୍ୱରଙ୍କୁ ସାକ୍ଷୀ ମାନି ଶପଥ ନେଇଥାଏ ।’ ଏହା କଥାରେ କହି କିମ୍ବା ଲେଖିକି ନିଆଯାଇପାରେ ।

କିଛି ଲୋକମାନଙ୍କୁ ଶପଥ ନେବା ଭୁଲ ଲାଗିପାରେ କାରଣ ଯୀଶୁ କହିଥିଲେ, “ଆଦୌ ଶପଥ କର ନାହିଁ; . . . ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ ।” (ମାଥି. ୫:୩୩-୩୭) କିନ୍ତୁ ଯୀଶୁଙ୍କର କହିବାର ଅର୍ଥ ଏହା ନ ଥିଲା ଯେ ଆମେ ଶପଥ ନେବା କଥା ନୁହେଁ । ତାଙ୍କୁ ଭଲଭାବେ ଜଣାଥିଲା ଯେ ମୋଶାଙ୍କ ନିୟମ ଅନୁସାରେ କିଛି ମାମଲାରେ ଶପଥ ନେବା ଜରୁରୀ ଅଟେ । (ଯାତ୍ରା. ୨୨:୧୦, ୧୧) ସେ ଏହା ବି ଜାଣିଥିଲେ ଯେ ପ୍ରାଚୀନ କାଳରେ ତାଙ୍କ ବିଶ୍ୱସ୍ତ ସେବକମାନେ ଅନେକ ସମୟରେ ଶପଥ ନେଇଥିଲେ । ଏପରିକି କେତେକ ସମୟରେ ଯିହୋବା ମଧ୍ୟ ଶପଥ ନେଇଛନ୍ତି । (ଆଦି. ୧୪:୨୨, ୨୩; ଏବ୍ରୀ ୬:୧୩-୧୭) ତାହେଲେ ଯୀଶୁଙ୍କ କହିବାର ଅର୍ଥ କʼଣ ଥିଲା ? ସେ କହିବାକୁ ଚାହୁଁଥିଲେ ଯେ ଆମେ ସବୁ ଛୋଟ ଛୋଟ କଥା ପାଇଁ ଶପଥ ନେବା ବା ରାଣ ଖାଇବା ଉଚିତ୍‌ ନୁହେଁ । ଶପଥ ନେବା ଏକ ଗମ୍ଭୀର ବିଷୟ ଓ ଯିହୋବା ଚାହାନ୍ତି ଯେ ଯଦି ଆମେ କୌଣସି ଶପଥ ନେଉ, ତାହେଲେ ତାହା ପୂରା କରୁ ।

ଯଦି ଆପଣଙ୍କୁ ଶପଥ ନେବା ପାଇଁ କୁହାଯାଏ, ତାହେଲେ ଆପଣଙ୍କୁ କʼଣ କରିବା ଉଚିତ୍‌ ? ପ୍ରଥମ କଥା, ନିଶ୍ଚିତ କରନ୍ତୁ ଯେ ଆପଣ ସେହି ଶପଥକୁ ପୂରା କରିପାରିବେ ନା ନାହିଁ । ଯଦି ଆପଣଙ୍କୁ ଲାଗେ ଯେ ଆପଣ ତାହା ପୂରା କରିପାରିବେ ନାହିଁ, ତାହେଲେ ସେହି ଶପଥ ନ ନେବା ଭଲ । ବାଇବଲରେ ଲେଖା ଅଛି, “ମାନତ କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭର ମାନତ ନ କରିବାର ଭଲ ।” (ଉପ. ୫:୫) ଦ୍ୱିତୀୟ କଥା, ଆପଣ ଯେଉଁ ମାମଲାରେ ଶପଥ ନେବା ପାଇଁ ଭାବୁଛନ୍ତି ସେବିଷୟ ସହ ଜଡ଼ିତ ବାଇବଲ ସିଦ୍ଧାନ୍ତ ଦେଖନ୍ତୁ । ତାʼପରେ ସେହି ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଅନ୍ତୁ । ଆସନ୍ତୁ ଏପରି ହିଁ କିଛି ସିଦ୍ଧାନ୍ତ ଉପରେ ଧ୍ୟାନ ଦେବା ।

ଏପରି ଶପଥଗୁଡ଼ିକ ଯାହା ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ ଅଟେ । ଏହାର ଗୋଟିଏ ଉଦାହରଣ ନିଅନ୍ତୁ । ଯେତେବେଳେ ଦୁଇ ଜଣ ଯିହୋବାଙ୍କ ସାକ୍ଷୀ ବିବାହ କରନ୍ତି, ସେତେବେଳେ ସେମାନେ ଦୁହେଁ ଶପଥ ନିଅନ୍ତି । ସେମାନେ ଈଶ୍ୱର ଓ କିଛି ସାକ୍ଷୀମାନଙ୍କ ସାମନାରେ ପ୍ରତିଜ୍ଞା କରନ୍ତି ଯେ ସେମାନେ, “ଶେଷ ନିଶ୍ୱାସ ପର୍ଯ୍ୟନ୍ତ” ପରସ୍ପରକୁ ହୃଦୟରୁ ପ୍ରେମ କରିବେ ଓ ପରସ୍ପରର ଆଦର କରିବେ । (ଅନ୍ୟ ଲୋକମାନେ ଯେଉଁମାନେ ସାକ୍ଷୀ ନୁହନ୍ତି, ସେମାନେ ବି ଈଶ୍ୱରଙ୍କୁ ସାକ୍ଷୀ ରଖି ବିବାହର ପ୍ରତିଜ୍ଞା କରନ୍ତି ।) ତାʼପରେ ସେମାନେ ସ୍ୱାମୀ ସ୍ତ୍ରୀ ହୋଇଯାʼନ୍ତି ଓ ସେମାନଙ୍କୁ ଏହି ପ୍ରତିଜ୍ଞା ଜୀବନ ସାରା ପୂରା କରିବାକୁ ପଡ଼ିଥାଏ । (ଆଦି. ୨:୨୪; ୧ କରି. ୭:୩୯) ଏପରି ଶପଥ ନେବା ଓ ପ୍ରତିଜ୍ଞା କରିବା ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ ଅଟେ ।

ଏପରି ଶପଥଗୁଡ଼ିକ ଯାହା ଯିହୋବାଙ୍କ ଦୃଷ୍ଟିରେ ଭୁଲ ଅଟେ । କିଛି ଦେଶରେ ଲୋକମାନଙ୍କୁ ଦେଶର ରକ୍ଷା କରିବା ପାଇଁ ସେନାରେ ଭର୍ତ୍ତି ହେବା ଓ ଯୁଦ୍ଧରେ ଲଢ଼ିବା ପାଇଁ ଶପଥ ନେବାକୁ କୁହାଯାଏ । କିନ୍ତୁ ଜଣେ ଖ୍ରୀଷ୍ଟିୟାନ ଏପରି ଶପଥ ନେବ ନାହିଁ କିମ୍ବା କେବେ ବି ଲିଖିତ ଭାବେ ଦେବ ନାହିଁ ଯେ ସେ ଏବେଠାରୁ ଯିହୋବାକୁ ବିଶ୍ୱାସ କରେ ନାହିଁ । ଯଦି ସେ ଏପରି ଶପଥ ନିଏ, ତାହେଲେ ସେ ଯିହୋବାଙ୍କ ଆଜ୍ଞାଗୁଡ଼ିକୁ ଭାଙ୍ଗୁଥିବ । ଖ୍ରୀଷ୍ଟିୟାନମାନେ, ‘ଏହି ଜଗତରୁ ଉତ୍ପନ୍ନ ହୋଇନାହାନ୍ତି’, ତେଣୁ ଆମେ ଏହି ଦୁନିଆର ରାଜନୈତିକ ମାମଲା ଓ ଯୁଦ୍ଧଗୁଡ଼ିକରେ ଭାଗ ନେଇ ନ ଥାଉ ।—ଯୋହ. ୧୫:୧୯; ଯିଶା. ୨:୪; ଯାକୁ. ୧:୨୭.

ଏପରି ଶପଥ ଯାହା ନେବାର ନିଷ୍ପତ୍ତି ପ୍ରତ୍ୟେକ ଖ୍ରୀଷ୍ଟିୟାନକୁ ନିଜେ କରିବାର ଅଛି । କେତେକ ଥର କୌଣସି ଶପଥ ନେବା ନା ନାହିଁ ତାʼର ନିଷ୍ପତ୍ତି କରିବା ସମୟରେ ଆମକୁ ଯୀଶୁଙ୍କର ଗୋଟିଏ କଥା ଧ୍ୟାନରେ ରଖିବାକୁ ପଡ଼ିବ । ସେ କହିଥିଲେ, “କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ ।”—ଲୂକ ୨୦:୨୫.

ମନେକରନ୍ତୁ ଜଣେ ଭାଇ କୌଣସି ଦେଶର ନାଗରିକ ହେବା ପାଇଁ କିମ୍ବା ପାସ୍‌ପୋର୍ଟ ବନେଇବା ପାଇଁ ଫର୍ମ ଭରେ । ଏପରି ସମୟରେ ହୋଇପାରେ ତାଙ୍କୁ ସେଇ ଦେଶର ବିଶ୍ୱସ୍ତ ରହିବା ପାଇଁ ଶପଥ ନେବାକୁ ପଡ଼ିପାରେ । ଯଦି ଶପଥ ନେବା ପରେ ତାଙ୍କୁ ଏପରି କିଛି କାମ କରିବାକୁ ପଡ଼େ, ଯାହା ଯିହୋବାଙ୍କ ନିୟମ ବିରୁଦ୍ଧରେ ଅଟେ, ତେବେ ଭାଇ ଶପଥ ନେବେ ନାହିଁ । କିନ୍ତୁ ହୁଏତ ସେହି ଦେଶର ସରକାର ତାଙ୍କୁ ତାʼ ଶପଥରେ କିଛି ପରିବର୍ତ୍ତନ କରିବା ପାଇଁ ଅନୁମତି ଦିଏ । ଯେତେବେଳେ ଭାଇ ତାʼ ଶପଥରେ କିଛି ପରିବର୍ତ୍ତନ କରିବେ, ହୁଏତ ସେତେବେଳେ ତାʼ ବିବେକ ତାଙ୍କୁ ଦୋଷୀ ଅନୁଭବ କରାଇବ ନାହିଁ ।

ସେହି ଭାଇ ହୁଏତ ଭାବିପାରେ ଶପଥରେ କିଛି ପରିବର୍ତ୍ତନ କରି ଶପଥ ନେବା ଠିକ୍‌ ହେବ କାରଣ ଏପରି କରି ସେ ରୋମୀୟ ୧୩:୧ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ ମାନୁଥିବ । ଯେଉଁଠାରେ ଲେଖାଅଛି, “ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ ।”

ଅନେକ ଥର ଜଣେ ବ୍ୟକ୍ତିଙ୍କୁ କୁହାଯାଏ ଯେ ସେ ଶପଥ ନେବା ସମୟରେ ନିଜ ହାତ ଦ୍ୱାରା ସଙ୍କେତ କରୁ କିମ୍ବା କୌଣସି ଜିନିଷକୁ ନିଜ ହାତରେ ରଖୁ । ପ୍ରାଚୀନ କାଳରେ ରୋମୀ ଓ ସ୍କୁତି ଲୋକମାନେ ଶପଥ ନେବା ସମୟରେ ନିଜ ଖଣ୍ଡାକୁ ହାତରେ ରଖୁଥିଲେ । ଏପରି ଭାବେ ସେମାନେ ଦେଖାଉଥିଲେ ଯେ ସେମାନେ ନିଜ ଯୁଦ୍ଧର ଦେବତାକୁ ସାକ୍ଷୀ ମାନି ଶପଥ ନେଉଛନ୍ତି । ଗ୍ରୀସ୍‌ର ଲୋକମାନେ ଶପଥ ନେବା ସମୟରେ ତାଙ୍କ ହାତ ଉପରକୁ ଉଠାଉଥିଲେ । ସେମାନେ ବି ଏହା ମାନୁଥିଲେ ଯେ ଜଣେ ଈଶ୍ୱର ଅଛନ୍ତି ଯେ ନା କେବଳ ଏହା ଦେଖନ୍ତି ଯେ ଆମେ କʼଣ ଶପଥ ନେଉଛୁ, ବରଂ ସେ ଏହା ବି ଦେଖନ୍ତି ଯେ ଜଣେ ବ୍ୟକ୍ତି ତାହା ପୂରା କରିବ ନା ନାହିଁ । ଯଦି ଶପଥ ନେବା ସମୟରେ ଆମକୁ ଏପରି କିଛି କରିବା ପାଇଁ କୁହାଯାଏ, ତାହେଲେ ଆମେ କʼଣ କରିବା ? ଏ ମାମଲାରେ ମଧ୍ୟ ଆମେ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବା ଓ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବା ।

ଯଦି ଜଣେ ଭାଇକୁ କୌଣସି ରାଷ୍ଟ୍ର ଚିହ୍ନ ଉପରେ ହାତ ରଖି କିମ୍ବା ତାକୁ ଧରି ଶପଥ ନେବା ପାଇଁ କୁହାଯାଏ, ତେବେ ସେ ଏହା ବିଲକୁଲ୍‌ କରିବ ନାହିଁ କାରଣ ସେହି ଚିହ୍ନ ମିଥ୍ୟା ଉପାସନା ସହ ଜଡ଼ିତ ଅଛି । କିନ୍ତୁ ଯଦି ତାଙ୍କୁ ଅଦାଲତରେ ବାଇବଲ ଉପରେ ହାତ ରଖି ଶପଥ ନେବା ପାଇଁ କୁହାଯାଏ, ତାହେଲେ ତାଙ୍କୁ କʼଣ କରିବା ଉଚିତ୍‌ ? ଏପରି ସମୟରେ ହୁଏତ ସେ ଭାବିବ ଯେ ବାଇବଲରେ କୁହାଯାଇଥିବା ବିଶ୍ୱସ୍ତ ଲୋକମାନେ ମଧ୍ୟ ଶପଥ ନେବା ସମୟରେ କିଛି କରିଥିଲେ ଆଉ ସେ ଭାବିପାରେ ଏପରି ଭାବେ ଶପଥ ନେବା ଠିକ୍‌ ହେବ । (ଆଦି. ୨୪:୨, ୩, ୯; ୪୭:୨୯-୩୧) ଯେତେବେଳେ କେହି ଏପରି ଶପଥ ନିଏ, ସେତେବେଳେ ତାକୁ ମନେରଖିବା ଉଚିତ୍‌ ଯେ ସେ ଈଶ୍ୱରଙ୍କୁ ସାକ୍ଷୀ ରଖି କହୁଛି ଯେ ସେ ଯାହା କହିବ, ତାହା ସତ କହିବ । ତେଣୁ ତାକୁ ଯାହା ମଧ୍ୟ ପ୍ରଶ୍ନ ପଚରାଯାଏ, ସେ ତାʼର ଉତ୍ତର ସତ ସତ ଦେବ ।

ଆମେ ଚାହୁଁନୁ ଯେ ଆମର କୌଣସି ମଧ୍ୟ ନିଷ୍ପତ୍ତିରୁ ଯିହୋବାଙ୍କ ସହ ଆମ ସମ୍ପର୍କ ଭାଙ୍ଗିଯାଉ । ତେଣୁ ଯେବେ ବି ଶପଥ ନେବାର କଥା ଆସେ, ତେବେ ଆମେ ପ୍ରାର୍ଥନା କରିବା ଉଚିତ୍‌ ଓ ଧ୍ୟାନ ରଖିବା ଉଚିତ୍‌ ଯେ ଆମେ ଏପରି କୌଣସି ଶପଥ ନ ନେଉ ଯାହାଦ୍ୱାରା ବାଇବଲର ସିଦ୍ଧାନ୍ତ ଭାଙ୍ଗିଯିବ କିମ୍ବା ପରେ ଆମ ବିବେକ ଆମକୁ ଦୋଷୀ ଅନୁଭବ କରାଇବ । ଆଉ ଯେବେ ଆମେ କୌଣସି ଶପଥ ନେଉ, ତାହେଲେ ଆମେ ତାକୁ ପୂରା ମଧ୍ୟ କରିବା ଉଚିତ୍‌ ।—୧ ପିତ. ୨:୧୨.