इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୫

କʼଣ ଆପଣ କଥାବାର୍ତ୍ତା କରିବା ମାମଲାରେ ଭଲ ଉଦାହରଣ ଅଟନ୍ତି ?

କʼଣ ଆପଣ କଥାବାର୍ତ୍ତା କରିବା ମାମଲାରେ ଭଲ ଉଦାହରଣ ଅଟନ୍ତି ?

‘ବାକ୍ୟରେ ବିଶ୍ୱାସୀମାନଙ୍କର ଆଦର୍ଶ [ବା ଉଦାହରଣ] ସ୍ୱରୂପ ହୁଅ ।’ —୧ ତୀମ. ୪:୧୨.

ଗୀତ ୯୦ ଏକ୍‌ ଦୁସରେ କୀ ହିମ୍ମତ ବଁନ୍ଧାୟେ

ଲେଖାର ଝଲକ a

୧. ଆମକୁ କଥାବାର୍ତ୍ତା କରିବାର ଦକ୍ଷତା କିଏ ଦେଇଛନ୍ତି ?

 ଯିହୋବା ଆମକୁ ବହୁତ ଭଲ ପାଆନ୍ତି । ଆଉ ସେ ହିଁ ଆମକୁ କଥାବାର୍ତ୍ତା କରିବାର ଦକ୍ଷତା ଦେଇଛନ୍ତି । ଯେବେ ପ୍ରଥମ ମଣିଷ ଆଦମକୁ ସୃଷ୍ଟି କରାଗଲା, ତେବେଠାରୁ ହିଁ ସେ ଯିହୋବାଙ୍କ ସହ କଥା ହୋଇପାରୁଥିଲା । ଆଉ ନୂଆ ନୂଆ ଶବ୍ଦ ଗଢ଼ିପାରୁଥିଲା । ଏହି ଦକ୍ଷତା ଯୋଗୁଁ ହିଁ ସେ ପଶୁମାନଙ୍କ ନାମ ବି ରଖିପାରିଲା । (ଆଦି. ୨:୧୯) ଭାବନ୍ତୁ ଯେବେ ସେ ଅନ୍ୟ ଜଣେ ମଣିଷ ସହ କଥା ହୋଇଥିବ, ତାକୁ କିପରି ଲାଗିଥିବ ! ନିଜ ସ୍ତ୍ରୀ ହବା ସହ କଥା ହୋଇ ତାକୁ କେତେ ଖୁସି ଲାଗିଥିବ ।—ଆଦି. ୨:୨୨, ୨୩.

୨. (କ) କଥା ହେବାର ଦକ୍ଷତାର କିପରି ଭୁଲ ବ୍ୟବହାର ହେବାକୁ ଲାଗିଲା ? (ଖ) ଆଜିର ଲୋକମାନଙ୍କର କଥାବାର୍ତ୍ତା କିପରି ?

ମଣିଷକୁ ସୃଷ୍ଟି କରିବାର କିଛି ସମୟ ପରେ ହିଁ କଥା ହେବାର ଦକ୍ଷତାର ଭୁଲ ବ୍ୟବହାର ହେବାକୁ ଲାଗିଲା । ଶୟତାନ ହବାକୁ ମିଛ କହିଲା, ଯାହାଫଳରେ ମଣିଷମାନେ ପାପ କଲେ ଓ ଅପରିପୂର୍ଣ୍ଣ ହୋଇଗଲେ । (ଆଦି. ୩:୧-୪) ଆଦମ ବି ଭୁଲ କଲାପରେ ଯିହୋବା ଓ ହବା ଉପରେ ସବୁ ଦୋଷ ଲଗାଇଦେଲା । (ଆଦି. ୩:୧୨) ଆଉ କୟିନ ହେବଲଙ୍କୁ ମାରିବା ପରେ ଯିହୋବାଙ୍କୁ ମିଛ କହିଲା । (ଆଦି. ୪:୯) ଆଗକୁ ଯାଇ କୟିନର ବଂଶଜ ଲେମକ ପ୍ରତିଶୋଧ ନେବା ବିଷୟରେ ଗୋଟିଏ କବିତା ଲେଖିଲେ । ସେଥିରୁ ବି ଜଣାପଡ଼େ ଯେ ସେସମୟର ଦୁନିଆ କିପରି ଥିଲା ଓ ଲୋକମାନେ କେତେ ହିଂସ୍ରକ ଥିଲେ । (ଆଦି. ୪:୨୩, ୨୪) ଆଜିର ଲୋକମାନଙ୍କର କଥାବାର୍ତ୍ତା କିପରି ? ଆଜି ଅନେକ ନେତାମାନେ ନିଜ ଭାଷଣରେ ଖରାପ ଖରାପ ଶବ୍ଦର ବ୍ୟବହାର କରନ୍ତି । ଆଉ ଅଧିକାଂଶ ଫିଲ୍ମଗୁଡ଼ିକରେ ଗାଳିଗୁଲଜ କରୁଥିବାର ଦେଖିବାକୁ ମିଳେ । ସ୍କୁଲରେ କିମ୍ବା କାମ ଜାଗାରେ, ଯେଉଁଠି ଦେଖିବ ସେଇଠି ଏବେ ଏପରି ହିଁ କଥା ଶୁଣିବାକୁ ମିଳେ । ଏଥିରୁ ଜଣାପଡ଼େ ଯେ ଆଜିର ଦୁନିଆ କେତେ ଖରାପ ହୋଇଯାଇଛି ।

୩. (କ) ଆମେ କାହିଁକି ସାବଧାନ ରହିବା ? (ଖ) ଏହି ଲେଖାରେ ଆମେ କʼଣ ଶିଖିବା ?

ଯଦି ଆମେ ସାବଧାନ ନ ରହୁ, ତେବେ ଆମେ ଏହି ଦୁନିଆର ଲୋକମାନଙ୍କ ଭଳି ଖରାପ କଥାବାର୍ତ୍ତା କରିପାରୁ । ଯଦି ଆମେ ଯିହୋବାଙ୍କୁ ଖୁସି କରିବାକୁ ଚାହୁଁ, ତେବେ ଆମେ କେବେ ବି ଏପରି କଥାବାର୍ତ୍ତା କରିବା ନାହିଁ । ଆମେ ଏହି ଦକ୍ଷତାର ଭଲ ବ୍ୟବହାର କରିବା । ଆଉ ନିଜ କଥାବାର୍ତ୍ତାରୁ ଯିହୋବାଙ୍କ ମହିମା କରିବା । ଏହି ଲେଖାରେ ଆମେ ଦେଖିବା ଯେ ଯେବେ ଆମେ (୧) ପ୍ରଚାର କରୁ, (୨) ସଭାରେ ଥାଉ ଓ (୩) ପରସ୍ପର ସହ କଥା ହେଉ, ତେବେ ଆମେ ଏହା କିପରି କରିପାରିବା । କିନ୍ତୁ ପ୍ରଥମେ ଆମେ ଦେଖିବା ଯେ ଯିହୋବା କାହିଁକି ଚାହାନ୍ତି ଯେ ଆମ କଥାବାର୍ତ୍ତା ଭଲ ରହୁ ।

ଯିହୋବା ଚାହାନ୍ତି ଯେ ଆମ କଥାବାର୍ତ୍ତା ଭଲ ରହୁ

ଆପଣଙ୍କ କଥାରୁ ଜଣାପଡ଼େ ଯେ ଆପଣଙ୍କ ହୃଦୟରେ କʼଣ ଅଛି (ପାରାଗ୍ରାଫ ୪-୫) d

୪. ମଲାଖି ୩:୧୬ ପଦ ଅନୁସାରେ, ଯିହୋବା ମଣିଷମାନଙ୍କ କଥା ଉପରେ କାହିଁକି ଧ୍ୟାନ ଦିଅନ୍ତି ?

ମଲାଖି ୩:୧୬ ପଢ଼ନ୍ତୁ ଏହି ପଦରୁ ଜଣାପଡ଼େ ଯେ ଯିହୋବା ଲୋକମାନଙ୍କ କଥା ଧ୍ୟାନ ଦେଇ ଶୁଣନ୍ତି । କାରଣ ସେମାନଙ୍କ କଥାବାର୍ତ୍ତାରୁ ଜଣାପଡ଼େ ଯେ ସେମାନଙ୍କ ହୃଦୟରେ କʼଣ ଅଛି । ଆଉ ଯେଉଁ ଲୋକମାନଙ୍କର କଥାବାର୍ତ୍ତାରୁ ଜଣାପଡ଼େ ଯେ ସେମାନେ ଯିହୋବାଙ୍କୁ ଭୟ କରନ୍ତି, ଆଉ ତାଙ୍କ ନାମ ଧ୍ୟାନ କରନ୍ତି, ସେ ସେମାନଙ୍କ ନାମ ‘ସ୍ମରଣାର୍ଥ ପୁସ୍ତକରେ’ ଲେଖନ୍ତି । ଯୀଶୁ ବି କହିଥିଲେ, “ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ ।” ଅର୍ଥାତ୍‌, ଯାହା ହୃଦୟରେ ଅଛି, ତାହା ହିଁ ମୁହଁରୁ ବାହାରେ । (ମାଥି. ୧୨:୩୪) ଆମ କଥାବାର୍ତ୍ତାରୁ ଯିହୋବା ଜାଣିପାରନ୍ତି ଯେ ଆମେ ତାଙ୍କୁ କେତେ ପ୍ରେମ କରୁ । ଯେଉଁ ଲୋକମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଅନନ୍ତ ଜୀବନ ଦେବାକୁ ଚାହାନ୍ତି ।

୫ . (କ) ଯଦି ଆମେ ଚାହୁଁ ଯେ ଯିହୋବା ଆମ ଉପାସନାକୁ ଗ୍ରହଣ କରନ୍ତୁ, ତେବେ ଆମେ କʼଣ କରିବା ? (ଖ) ଯେପରି ଚିତ୍ରରେ ଦିଆଯାଇଛି, ଆମେ କʼଣ କରିବା ଉଚିତ୍‌ ନୁହେଁ ?

ଯିହୋବା ଆମ ଉପାସନାକୁ ତେବେ ଗ୍ରହଣ କରିବେ, ଯେବେ ଆମ କଥାବାର୍ତ୍ତା ଭଲ ଥିବ । (ଯାକୁ. ୧:୨୬) ଯେଉଁ ଲୋକମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ, ସେମାନେ ଅଧିକାଂଶ ସମୟ ରାଗିକି କଥା ହୁଅନ୍ତି, ଅହଂକାରୀ ଭଳି କଥା ହୁଅନ୍ତି, ଆଉ ନିଜ କଥାରୁ ଅନ୍ୟମାନଙ୍କୁ ଦୁଃଖ ପହଞ୍ଚାନ୍ତି । (୨ ତୀମ. ୩:୧-୫) କିନ୍ତୁ ଆମେ ସେମାନଙ୍କ ଭଳି ହେବାକୁ ଚାହୁଁନୁ । ଆମେ ଯିହୋବାଙ୍କୁ ନିଜ କଥାରୁ ଖୁସି କରିବାକୁ ଚାହୁଁ । ଆମେ କେବଳ ପ୍ରଚାରରେ ଓ ସଭାରେ ନୁହଁ, ବରଂ ଘରେ ମଧ୍ୟ ପ୍ରେମ ଓ ଆଦରର ସହ କଥା ହେବା । ତେବେଯାଇ ଯିହୋବା ଆମ ଉପାସନାରୁ ଖୁସି ହେବେ ।—୧ ପିତ. ୩:୭.

୬. କିମ୍‌ ଭଲ କଥାବାର୍ତ୍ତା ହେବା ଯୋଗୁଁ କʼଣ ହେଲା ?

ଆମ ଭଲ କଥାବାର୍ତ୍ତା ଯୋଗୁଁ ହୁଏତ ଲୋକମାନେ ଏହା ଜାଣିବାକୁ ଚାହିଁବେ ଯେ ଆମେ କାହିଁକି ଅନ୍ୟମାନଙ୍କଠାରୁ ଭିନ୍ନ । ଆଉ ଏପରି ଭାବେ ଆମେ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କହିପାରୁ । ଏଥିରୁ ଲୋକମାନେ ସ୍ପଷ୍ଟ ଦେଖିପାରନ୍ତି, ଯେ ‘କିଏ ପରମେଶ୍ୱରଙ୍କ ସେବା କରେ ଓ କିଏ ତାଙ୍କର ସେବା କରେ ନାହିଁ ।’ (ମଲାଖି ୩:୧୮) କିମ୍‌ ନାମକ ଜଣେ ଭଉଣୀର ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । b ତାକୁ ତା ସ୍କୁଲର ଜଣେ ଝିଅ ସହ ଗୋଟିଏ ପ୍ରୋଜେକ୍ଟରେ କାମ କରିବା ପାଇଁ କୁହାଗଲା । କାମ କଲାବେଳେ ସେ ଝିଅ ଦେଖିପାରିଲା ଯେ କିମ୍‌ କିପରି ଅନ୍ୟମାନଙ୍କଠାରୁ ଅଲଗା । କିମ୍‌ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହୁ ନ ଥିଲା, କାହାରିକୁ ଗାଳି ଦେଉ ନ ଥିଲା ଓ ସମସ୍ତଙ୍କ ସହ ଭଲଭାବେ କଥା ହେଉଥିଲା । ଏହା ଦେଖି ସେ ଝିଅ ଜାଣିବାକୁ ଚାହିଁଲା ଯେ କିମ୍‌ କାହିଁକି ଅନ୍ୟମାନଙ୍କଠାରୁ ଏତେ ଅଲଗା । ତେଣୁ ସେ ବାଇବଲ ଅଧ୍ୟୟନ କରିବା ପାଇଁ ପ୍ରସ୍ତୁତ ହୋଇଗଲା । ଯେବେ ଆମ କଥାବାର୍ତ୍ତା ଦେଖି କେହି ଯିହୋବାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି, ତାହେଲେ ଭାବନ୍ତୁ ଏହା ଦେଖି ଯିହୋବାଙ୍କୁ କେତେ ଖୁସି ହେଉଥିବ !

୭. ଆମେ ନିଜ କଥାବାର୍ତ୍ତା ବିଷୟରେ କʼଣ ଧ୍ୟାନ ଦେବା ଉଚିତ୍‌ ?

ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମ କଥାବାର୍ତ୍ତା ଏପରି ହେଉ, ଯେଉଁଥିରୁ ଯିହୋବାଙ୍କର ମହିମା ହେବ ଓ ଭାଇଭଉଣୀଙ୍କ ସହ ଆମ ସମ୍ପର୍କ ଭଲ ରହିବ । ତେଣୁ ଆସନ୍ତୁ ଆମେ କିଛି ପରାମର୍ଶଗୁଡ଼ିକ ଉପରେ ଧ୍ୟାନ ଦେବା ଯେଉଁଗୁଡ଼ିକୁ ମାନିଲେ ଆମେ କଥାବାର୍ତ୍ତା କରିବାରେ ଗୋଟିଏ ଭଲ ଉଦାହରଣ ରଖିପାରିବା ।

ପ୍ରଚାର କରିବା ସମୟରେ

ଯଦି ଆପଣ ପ୍ରଚାର କରିବା ସମୟରେ ପ୍ରେମର ସହ କଥା ହେବେ, ତାହେଲେ ଯିହୋବା ଖୁସି ହେବେ (ପାରାଗ୍ରାଫ ୮-୯)

୮. ପ୍ରଚାର କରିବା ସମୟରେ ଆମେ ଯୀଶୁଙ୍କ ଭଳି କିପରି ହୋଇପାରିବା ?

ଯେତେବେଳେ କେହି ଖରାପ ଖରାପ କଥା କହନ୍ତି, ସେତେବେଳେ ମଧ୍ୟ ପ୍ରେମ ଓ ଆଦରର ସହ କଥା ହୁଅନ୍ତୁ । ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେତେବେଳେ ଲୋକମାନେ ତାଙ୍କୁ ପେଟୁକ ଓ ମଦୁଆ କହିଲେ । ଆଉ କହିଲେ ଯେ ସେ ବିଶ୍ରାମବାରର ନିୟମ ଭାଙ୍ଗନ୍ତି । ଆଉ କିଛି ଲୋକମାନେ କହିଲେ ଯେ ସେ ଶୟତାନ ସହ ମିଶି କାମ କରନ୍ତି ଓ ପରମେଶ୍ୱରଙ୍କ ନିନ୍ଦା କରନ୍ତି । (ମାଥି. ୧୧:୧୯; ୨୬:୬୫; ଲୂକ ୧୧:୧୫; ଯୋହ. ୯:୧୬) ତଥାପି ଯୀଶୁ ସେମାନଙ୍କୁ କିଛି ଖରାପ କଥା କହିଲେ ନାହିଁ । ଆଜି ଲୋକମାନେ ଆମ ବିଷୟରେ ମଧ୍ୟ ଖରାପ ଖରାପ କଥା କହିପାରନ୍ତି । ଯୀଶୁଙ୍କ ଭଳି ଆମେ ମଧ୍ୟ ସେମାନଙ୍କୁ ଖରାପ କଥା କହିବା ନାହିଁ । (୧ ପିତ. ୨:୨୧-୨୩) କିନ୍ତୁ ଏପରି କରିବା ଏତେ ସହଜ ହୋଇ ନ ଥାଏ । (ଯାକୁ. ୩:୨) ଏପରି କରିବା ପାଇଁ କʼଣ ଆମକୁ ସାହାଯ୍ୟ କରିବ ?

୯. ଯଦି ପ୍ରଚାର ସମୟରେ ଜଣେ ବ୍ୟକ୍ତି ରାଗିଯାଏ, ତେବେ ଆମେ କʼଣ କରିପାରିବା ?

ପ୍ରଚାର ସମୟରେ ଯେତେବେଳେ କେହି ଆମ ସହ ରାଗିକି କଥା ହୁଅନ୍ତି, ସେତେବେଳେ ଆମେ ରାଗିବା ଉଚିତ୍‌ ନୁହଁ । ଶେମ୍‌ ନାମକ ଜଣେ ଭାଇ କହନ୍ତି, “ମୁଁ ମନେ ରଖେ ଯେ ସେହି ବ୍ୟକ୍ତି ସତ୍ୟ ଜାଣିବା ବହୁତ ଜରୁରୀ ଓ ସେ ଆଗକୁ ଯାଇ ବଦଳିପାରିବ ।” ଅନେକ ସମୟରେ ଜଣେ ବ୍ୟକ୍ତି ଏଥିପାଇଁ ରାଗିଥାଏ, କାରଣ ଆମେ ଭୁଲ ସମୟରେ ତା ପାଖକୁ ଯାଇଥାଉ । ଯେତେବେଳେ ଆମେ କୌଣସି ଏପରି ବ୍ୟକ୍ତିକୁ ଭେଟୁ ଯିଏ ବହୁତ ରାଗିଯାଇଛି, ସେତେବେଳେ ଆମେ ପ୍ରାର୍ଥନା କରିପାରିବା । ଲୁସିଆ ନାମକ ଜଣେ ଭଉଣୀ ମଧ୍ୟ ଏପରି ହିଁ କରନ୍ତି । ସେ ଏପରି ସମୟରେ ଶାନ୍ତ ରହିବା ପାଇଁ ଓ ଓଲଟାସିଧା ନ କହିବା ପାଇଁ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତି ।

୧୦. ପ୍ରଥମ ତୀମଥି ୪:୧୩ ପଦ ଅନୁସାରେ, ଆମକୁ କʼଣ କରିବା ଜାରି ରଖିବା ଉଚିତ୍‌ ?

୧୦ ଶିଖାଇବାର ଦକ୍ଷତା ବଢ଼ାନ୍ତୁ । ତୀମଥି ଲୋକମାନଙ୍କୁ ବହୁତ ଭଲ ଭାବେ ଶିଖାଉଥିଲେ । କିନ୍ତୁ ତାଙ୍କୁ ବି ନିଜ ଦକ୍ଷତା ବଢ଼ାଇବାର ଥିଲା । (୧ ତୀମଥି ୪:୧୩ ପଢ଼ନ୍ତୁ ।) ଆମେ କିପରି ନିଜ ଦକ୍ଷତା ବଢ଼ାଇପାରିବା ? ଯଦି ଆମେ ଭଲ ପ୍ରସ୍ତୁତି କରିବା, ତେବେ ଆମେ ଲୋକମାନଙ୍କୁ ଆହୁରି ଭଲଭାବେ ଶିଖାଇପାରିବା । ଏପରି କରିବା ପାଇଁ ସଂଗଠନ ଆମକୁ ଅନେକ ପ୍ରକାଶନ ଦେଇଛି । ଯେପରି ଆମ ସଭାପୁସ୍ତିକାରପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ” ଭାଗରେ ଓ ଶିଖାଇବା ପୁସ୍ତିକାରେ ଅନେକ ପରାମର୍ଶ ଦିଆଯାଇଛି । ଏହି ପରାମର୍ଶଗୁଡ଼ିକୁ ମାନିଲେ, ଆପଣଙ୍କୁ ବହୁତ ଲାଭ ହେବ । ଯଦି ଆପଣ ଭଲ ପ୍ରସ୍ତୁତି କରନ୍ତି, ତେବେ ଆପଣ ବିନା ଡରରେ ଓ ବିଶ୍ୱାସର ସହ ଶିଖାଇପାରିବେ ।

୧୧. କିଛି ଭାଇଭଉଣୀ ନିଜ ଶିଖାଇବାର ଦକ୍ଷତାକୁ କିପରି ବଢ଼ାଇଛନ୍ତି ?

୧୧ ଆମେ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଦେଖି ବି ନିଜ ଶିଖାଇବାର ଦକ୍ଷତାକୁ ବଢ଼ାଇପାରିବା । ଶେମ୍‌, ଯାହା ବିଷୟରେ ଆଗରୁ କୁହାଯାଇଥିଲା, ସେ ଧ୍ୟାନ ଦେଇ ଦେଖନ୍ତି ଯେ ଅନୁଭବୀ ଭାଇଭଉଣୀମାନେ କିପରି ଶିଖାଉଛନ୍ତି । ଆଉ ସେ ବି ଏପରି କରିବା ପାଇଁ ଚେଷ୍ଟା କରନ୍ତି । ତାନିଆ ନାମକ ଭଉଣୀ ଧ୍ୟାନ ଦିଅନ୍ତି ଯେ ଅନୁଭବୀ ଭାଇମାନେ କିପରି ଜନ ଭାଷଣ ଦିଅନ୍ତି । ଆଉ ଏପରି ଭାବେ ସେ ପ୍ରଚାରରେ ଭଲ ଭାବେ ଶିଖାଇପାରନ୍ତି, ଆଉ ତର୍କ କରିପାରନ୍ତି ।

ସଭାରେ

ସଭାରେ ଉତ୍ସାହର ସହ ଗୀତ ଗାଇ ଆମେ ଯିହୋବାଙ୍କ ମହିମା କରିଥାଉ (ପାରାଗ୍ରାଫ ୧୨-୧୩)

୧୨. କିଛି ଭାଇଭଉଣୀମାନେ କʼଣ କରିବାରେ ପଛଘୁଞ୍ଚା ଦିଅନ୍ତି ?

୧୨ ଆମେ ସମସ୍ତେ ଉତ୍ସାହର ସହ ଗୀତ ଗାଇ ଓ ଭଲ ଉତ୍ତର ଦେଇ ସଭାରେ ଭାଗ ନେଇପାରିବା । (ଗୀତ. ୨୨:୨୨) କିନ୍ତୁ ଏପରି କରିବାରେ କିଛି ଭାଇଭଉଣୀମାନେ ପଛଘୁଞ୍ଚା ଦିଅନ୍ତି । ଯଦି ଆପଣଙ୍କୁ ବି ଏପରି ଲାଗେ, ତେବେ ଅନ୍ୟ ଭାଇଭଉଣୀମାନଙ୍କ ଅନୁଭୂତି ପଢ଼ିଲେ ଆପଣଙ୍କୁ ସାହାଯ୍ୟ ମିଳିବ ।

୧୩. ସଭାରେ ଉତ୍ସାହର ସହ ଗୀତ ଗାଇବା ପାଇଁ ଆପଣ କʼଣ କରିପାରିବେ ?

୧୩ ଉତ୍ସାହର ସହ ଗୀତ ଗାଆନ୍ତୁ । ମନେ ରଖନ୍ତୁ ଯେବେ ଆମେ ସଭାରେ ଗୀତ ଗାଉ, ତେବେ ଯିହୋବାଙ୍କ ମହିମା ହୁଏ । ସାରା ନାମକ ଜଣେ ଭଉଣୀ କହନ୍ତି ଯେ ସେ ଭଲ ଭାବରେ ଗୀତ ଗାଇ ପାରନ୍ତି ନାହିଁ । ତଥାପି ସେ ଗୀତ ଗାଇ ଯିହୋବାଙ୍କର ମହିମା କରିବା ପାଇଁ ଚାହାନ୍ତି । ତେଣୁ ଯେବେ ସେ ସଭା ପାଇଁ ପ୍ରସ୍ତୁତି କରନ୍ତି, ତେବେ ସେ ଗୀତର ବି ଅଭ୍ୟାସ କରନ୍ତି । ସେ ବିଶେଷ କରି ଏହା ଧ୍ୟାନ ଦିଅନ୍ତି ଯେ ଗୀତର ଶବ୍ଦଗୁଡ଼ିକ ସଭାର ଅନ୍ୟ ଭାଗଗୁଡ଼ିକ ସହିତ କିପରି ଜଡ଼ିତ ଅଛି । ସେ କହନ୍ତି, “ଯେବେ ମୁଁ ଗୀତଗୁଡ଼ିକର ଶବ୍ଦଗୁଡ଼ିକୁ ଧ୍ୟାନ ଦିଏ, ତେବେ ମୋ ଧ୍ୟାନ ଏହା ଉପରେ ରହେନାହିଁ ଯେ ମୁଁ କିପରି ଗୀତ ଗାଉଛି ।”

୧୪. ଯଦି ଆପଣଙ୍କୁ ଉତ୍ତର ଦେବାକୁ ଡର ଲାଗେ, ତେବେ ଆପଣ କʼଣ କରିପାରିବେ ?

୧୪ ପ୍ରତ୍ୟେକ ସଭାରେ ଉତ୍ତର ଦେବା ପାଇଁ ଚେଷ୍ଟା କରନ୍ତୁ । କିନ୍ତୁ ଏପରି କରିବା କିଛି ଲୋକଙ୍କ ପାଇଁ ସହଜ ହୋଇ ନ ଥାଏ । ତାନିଆ, ଯାହା ବିଷୟରେ ଆଗରୁ କୁହାଯାଇଥିଲା, କହନ୍ତି, “ହୁଏତ ଅନ୍ୟମାନଙ୍କୁ ଜଣାପଡ଼ୁ ନ ଥିବ କିନ୍ତୁ ଉତ୍ତର ଦେବା ସମୟରେ ମୋତେ ବହୁତ ଡର ଲାଗୁଥାଏ ।” ତଥାପି ସେ ଉତ୍ତର ଦେବା ପାଇଁ ପୂରା ଚେଷ୍ଟା କରନ୍ତି । ତେଣୁ ଯେବେ ବି ସେ ସଭା ପାଇଁ ପ୍ରସ୍ତୁତି କରନ୍ତି, ସେ ଧ୍ୟାନ ରଖନ୍ତି ଯେ ତାଙ୍କର ଉତ୍ତର ଛୋଟ ଓ ସିଧା ରହୁ । ସେ କହନ୍ତି, “ଯଦି ମୋ ଉତ୍ତର ଛୋଟ, ସିଧା ଓ ବିଷୟ ସହିତ ଜଡ଼ିତ ଅଛି, ତେବେ ଏଥିରେ ଅସୁବିଧା କʼଣ ? ଅଧ୍ୟୟନ ଚଳାଉଥିବା ଭାଇ ବି ତ ଏହା ହିଁ ଚାହାନ୍ତି ?”

୧୫ . ଉତ୍ତର ଦେବା ବିଷୟରେ ଆମେ କʼଣ ମନେ ରଖିବା ଉଚିତ୍‌ ?

୧୫ କିଛି ଭାଇଭଉଣୀ ଲାଜକୁଳା ବା ଲାଜକୁଳୀ ନ ଥାʼନ୍ତି । ତଥାପି ସେମାନେ ଉତ୍ତର ଦେବାରେ ପଛଘୁଞ୍ଚା ଦିଅନ୍ତି । କାହିଁକି ? ଜୁଲିଏଟ୍‌ ନାମକ ଜଣେ ଭଉଣୀ କହନ୍ତି, “ଅନେକ ଥର ମୋତେ ଲାଗେ ଯେ ମୋ ଉତ୍ତର ଏତେ ଭଲ ନ ଥାଏ । ତେଣୁ ମୁଁ ହାତ ଉଠାଏ ନାହିଁ ।” କିନ୍ତୁ ଆମେ ସମସ୍ତେ ମନେ ରଖିବା ଉଚିତ୍‌ ଯେ ଯିହୋବା କେବଳ ଏହା ଚାହାନ୍ତି ଯେ ଆମେ କେବଳ ନିଜ ଦକ୍ଷତା ଅନୁସାରେ ଭଲ ଉତ୍ତର ଦେବା । c ଯେବେ ଆମେ ପଛଘୁଞ୍ଚା ନ ଦେଇ ଉତ୍ତର ଦେଉ, ଆଉ ତାଙ୍କ ମହିମା କରୁ, ତେବେ ସେ ତାହା ଦେଖି ବହୁତ ଖୁସି ହୁଅନ୍ତି ।

ପରସ୍ପର ସହିତ କଥା ହେଲା ବେଳେ

୧୬. ଆମେ କିପରି କଥା କହିବା ଉଚିତ୍‌ ନୁହେଁ ?

୧୬ ଗାଳିଗୁଲଜ ଓ ଅପମାନ କରୁଥିବା ଭଳି କଥା କହନ୍ତୁ ନାହିଁ । (ଏଫି. ୪:୩୧) ଆମେ ଜାଣୁ ଯେ ଆମକୁ ଗାଳିଗୁଲଜ କରିବା ଉଚିତ୍‌ ନୁହେଁ । ତାʼସହ ଆମେ ଅନ୍ୟମାନଙ୍କୁ ଅପମାନ କରୁଥିବା ଭଳି କଥା କହିବା ମଧ୍ୟ ଉଚିତ୍‌ ନୁହଁ । ହୁଏତ ଜାଣିଶୁଣି ଏପରି କରି ନ ଥାଉ, କିନ୍ତୁ ଅଜାଣତରେ ଆମ ଦ୍ୱାରା ଏପରି ହୋଇପାରେ । ଯେପରି, ହୁଏତ ଆମେ ଅନ୍ୟ ସଂସ୍କୃତି, ଜାତି କିମ୍ବା ଦେଶର ଲୋକମାନଙ୍କ ବିଷୟରେ କଥା ହେବା ବେଳେ ତାଙ୍କର ମଜାକ ଉଡ଼େଇ ଦେଉ କିମ୍ବା ତାଙ୍କ ବିଷୟରେ ଖରାପ କଥା କହିଦେଉ । ଆଉ ଅଜାଣତରେ ଆମେ ଏପରି କିଛି କହୁ, ଯାହା ଅନ୍ୟକୁ ଦୁଃଖ ଦିଏ ଓ କଷ୍ଟ ପହଞ୍ଚାଏ । ଜଣେ ଭାଇ କହନ୍ତି, “ମଜାକ କରୁ କରୁ ମୁଁ ଏପରି କିଛି କହିଦିଏ, ଯାହା ଅନ୍ୟମାନଙ୍କୁ ବହୁତ ଖରାପ ଲାଗେ । କିନ୍ତୁ ଏଇ କିଛି ବର୍ଷ ଭିତରେ ମୋ ସ୍ତ୍ରୀ ଏ ମାମଲାରେ ମୋତେ ବହୁତ ସାହାଯ୍ୟ କରିଛନ୍ତି । ଯେତେବେଳେ ମୁଁ ଏପରି କିଛି କହିଲି, ଯାହାଫଳରେ ତାଙ୍କୁ କିମ୍ବା ଅନ୍ୟମାନଙ୍କୁ ଖରାପ ଲାଗିଲା, ସେତେବେଳେ ସେ ମୋ ସହିତ ଏକୁଟିଆରେ କଥା ହେଲେ ।”

୧୭. ଏଫିସୀୟ ୪:୨୯ ପଦ ଅନୁସାରେ, ଆମେ ଅନ୍ୟମାନଙ୍କର ସାହସ କିପରି ବଢ଼ାଇପାରିବା ?

୧୭ ନିଜ କଥାରୁ ଅନ୍ୟମାନଙ୍କର ସାହସ ବଢ଼ାନ୍ତୁ । ସବୁବେଳେ ଅଭିଯୋଗ କରିବା ଓ ଅନ୍ୟମାନଙ୍କର ଭୁଲ ବାହାର କରିବା ପରିବର୍ତ୍ତେ ସେମାନଙ୍କର ପ୍ରଶଂସା କରନ୍ତୁ । (ଏଫିସୀୟ ୪:୨୯ ପଢ଼ନ୍ତୁ ।) ଇସ୍ରାଏଲୀୟମାନଙ୍କୁ ଅନେକ ଆଶିଷ ମିଳିଥିଲା । ତଥାପି ସେମାନେ ସବୁବେଳେ ଅଭିଯୋଗ କରୁଥିଲେ । ଆଉ ଏପରି ଦେଖାଯାଇଛି ଯେ ଯେତେବେଳେ ଜଣେ ବ୍ୟକ୍ତି ଅଭିଯୋଗ କରେ, ସେତେବେଳେ ତାକୁ ଦେଖି ଅନ୍ୟମାନେ ମଧ୍ୟ ସେପରି କରନ୍ତି । ଆପଣଙ୍କୁ ମନେ ଥିବ, ଯେତେବେଳେ ଦଶଜଣ ଗୁପ୍ତଚର ପ୍ରତିଜ୍ଞାତ ଦେଶ ବିଷୟରେ ଖରାପ ଖରାପ କଥା କହିଲେ, ସେତେବେଳେ ତାହା ଶୁଣି ‘ଇସ୍ରାଏଲ-ସନ୍ତାନଗଣ ସମସ୍ତେ ମୋଶାଙ୍କ ବିରୁଦ୍ଧରେ ବଚସା କଲେ ।’ ଅର୍ଥାତ୍‌ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ । (ଗଣ. ୧୩:୩୧–୧୪:୪) କିନ୍ତୁ ଯେତେବେଳେ ଆମେ ଅଭିଯୋଗ କରିବା ପରିବର୍ତ୍ତେ ସାହସ ବଢ଼ାଉଥିବା କଥା କହୁ, ସେତେବେଳେ ସମସ୍ତଙ୍କ ଉପରେ ଏହାର ଭଲ ପ୍ରଭାବ ପଡ଼େ । ଉଦାହରଣ ପାଇଁ, ଯେତେବେଳେ ଯିପ୍ତହଙ୍କ ଝିଅକୁ ଭେଟିବା ପାଇଁ ପ୍ରତିବର୍ଷ ତା ସାଙ୍ଗମାନେ ଯାଉଥିଲେ, ସେତେବେଳେ ସେମାନେ ତାʼର ପ୍ରଶଂସା କରୁଥିଲେ । (ବିଚା. ୧୧:୪୦) ଏଥିରୁ ତାକୁ ଯିହୋବାଙ୍କ ସେବାରେ ଲାଗି ରହିବା ପାଇଁ ବହୁତ ଉତ୍ସାହ ମିଳିଥିବ । ସାରା, ଯାହା ବିଷୟରେ ଆଗରୁ କୁହାଯାଇଥିଲା, ସେ କହନ୍ତି, “ଯେତେବେଳେ ଆମେ କାହାରି ପ୍ରଶଂସା କରୁ, ସେତେବେଳେ ଆମେ ତାକୁ ଭରସା ଦେଉ ଯେ ଯିହୋବା ଓ ଭାଇଭଉଣୀମାନେ ତାକୁ ପ୍ରେମ କରନ୍ତି ଓ ବହୁମୂଲ୍ୟ ମନେ କରନ୍ତି ।” ତେଣୁ ଯେବେ ବି ସୁଯୋଗ ମିଳେ, ଅନ୍ୟମାନଙ୍କୁ ହୃଦୟରୁ ପ୍ରଶଂସା କରନ୍ତୁ ।

୧୮. (କ) ଗୀତସଂହିତା ୧୫:୧, ୨ ପଦ ଅନୁସାରେ, ଆମେ କାହିଁକି ସତ କହିବା ଉଚିତ୍‌ ? (ଖ) ସତ କହିବାରେ କʼଣ ସାମିଲ୍‌ ?

୧୮ ସତ କହନ୍ତୁ । ଯଦି ଆମେ ଯିହୋବାଙ୍କୁ ଖୁସି କରିବାକୁ ଚାହୁଁ, ତାହେଲେ ଆମେ କେବେ ମଧ୍ୟ ମିଛ କହିବା ନାହିଁ । ଯିହୋବା ସବୁ ପ୍ରକାରର ମିଛକୁ ଘୃଣା କରନ୍ତି । (ହିତୋ. ୬:୧୬, ୧୭) ଅନେକ ଲୋକଙ୍କୁ ଲାଗେ ଯେ ମିଛ କହିବା ସାଧାରଣ କଥା ଅଟେ । କିନ୍ତୁ ଆମକୁ ଲୋକମାନଙ୍କ କଥା ଶୁଣିବା ପରିବର୍ତ୍ତେ ଯିହୋବାଙ୍କ କଥା ଶୁଣିବା ଉଚିତ୍‌ । (ଗୀତସଂହିତା ୧୫:୧, ୨ ପଢ଼ନ୍ତୁ ।) ସିଧାସିଧା ମିଛ କହିବା ତ ଦୂରର କଥା, ଆମେ ଅଧା ସତ କହି ଅଧା ଲୁଚାଇବା ମଧ୍ୟ ଉଚିତ୍‌ ନୁହେଁ । ଏପରିକି କଥାକୁ ବୁଲାଇକି କହିବା ମଧ୍ୟ ଉଚିତ୍‌ ନୁହେଁ, ଯାହାଫଳରେ ଲୋକମାନେ ଭୁଲ ବୁଝିବେ ।

କାହାରି ବିଷୟରେ ଖରାପ କଥା କହିବା ପରିବର୍ତ୍ତେ ଯଦି ଆମେ ଭଲ କଥା କହିବା, ତାହେଲେ ଯିହୋବା ଖୁସି ହେବେ (ପାରାଗ୍ରାଫ ୧୯)

୧୯. ଆମେ ଆଉ କେଉଁ ପ୍ରକାର କଥା କହିବା ଉଚିତ୍‌ ନୁହେଁ ?

୧୯ ଅନ୍ୟମାନଙ୍କ ବିଷୟରେ ଗପସପ କରନ୍ତୁ ନାହିଁ । (ହିତୋ. ୨୫:୨୩; ୨ ଥେସ. ୩:୧୧) ଜୁଲିଅଟ୍‌ ଯାହା ବିଷୟରେ ଆଗରୁ କୁହାଯାଇଥିଲା, ସେ କହନ୍ତି, “ଯେବେ କେହି କାହାରି ବିଷୟରେ ଖରାପ କଥା କହୁଥାʼନ୍ତି, ତାହା ଶୁଣି ମୋତେ ଭଲ ଲାଗେନି । ତାʼ ଉପରୁ ମୋ ଭରସା ଉଠିଯାଏ । ଆଜି ସେ ଅନ୍ୟ କାହାରି ବିଷୟରେ ଖରାପ କଥା କହୁଛି, କାଲି ସେ ମୋ ବିଷୟରେ ବି ଖରାପ କଥା କହିପାରେ ।” ତେଣୁ ଆପଣ କେବେ କାହାରିକୁ କାହାରି ବିଷୟରେ ଗପସପ କରୁଥିବାର ଶୁଣନ୍ତି, ତେବେ କଥାକୁ ତୁରନ୍ତ ରୋକିଦିଅନ୍ତୁ, ଆଉ କୌଣସି ଭଲ ବିଷୟରେ କଥାବାର୍ତ୍ତା କରନ୍ତୁ ।—କଲ. ୪:୬.

୨୦. ଆମକୁ କʼଣ କରିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ ?

୨୦ ଆଜି ଆମ ଆଖପାଖରେ ଯେଉଁମାନେ ରହନ୍ତି, ସେମାନେ ବହୁତ ଖରାପ ଭାଷାର ବ୍ୟବହାର କରନ୍ତି । ତେଣୁ ଆମେ ସେମାନଙ୍କ ଭଳି ନ ହେବା ପାଇଁ ସାବଧାନ ରହିବା ଉଚିତ୍‌ । ଆମେ ମନେ ରଖିବା ଉଚିତ୍‌ ଯେ କଥାବାର୍ତ୍ତା କରିବାର ଦକ୍ଷତା ଯିହୋବା ଆମକୁ ଦେଇଛନ୍ତି । ସେ ଚାହାନ୍ତି ଯେ ଆମେ ଏହି ଦକ୍ଷତାର ଭଲ ବ୍ୟବହାର କରୁ । ଯଦି ଆମେ ପ୍ରଚାରରେ, ସଭାରେ ଓ ପରସ୍ପର ସହ କଥା ହେବାବେଳେ ଏପରି କରୁ, ତେବେ ଯିହୋବା ଖୁସି ହେବେ, ଆଉ ଆମକୁ ଆଶିଷ ଦେବେ । ଏହି ଦୁଷ୍ଟ ଦୁନିଆର ବିନାଶ ହେବା ପରେ ଆମ କଥାରୁ ଯିହୋବାଙ୍କ ମହିମା କରିବା ଆହୁରି ସହଜ ହୋଇଯିବ । (ଯିହୂ. ୧୫) କିନ୍ତୁ ସେତେବେଳେ ଯାଏଁ ଆସନ୍ତୁ ଆମେ ପୂରା ଚେଷ୍ଟା କରିବା ଯେ ଆମ “ମୁଖର ବାକ୍ୟ” ଯିହୋବାଙ୍କୁ ସବୁବେଳେ ଖୁସି ଦେଉ ।—ଗୀତ. ୧୯:୧୪.

ଗୀତ ୧୨୧ ସଂୟମ ରାଖନା ଜରୁରୀ

a ଯିହୋବା ଆମକୁ ଗୋଟିଏ ବିଶେଷ ଦକ୍ଷତା ଦେଇଛନ୍ତି, ତାହା ହେଉଛି, କଥାବାର୍ତ୍ତା କରିବାର ଦକ୍ଷତା । କିନ୍ତୁ ଦୁଃଖର କଥା ଯେ ଆଜି ଲୋକମାନେ ଏହି ଦକ୍ଷତାର ଭୁଲ ବ୍ୟବହାର କରୁଛନ୍ତି । ଆଉ ସେମାନଙ୍କ କଥାବାର୍ତ୍ତା ଦିନକୁ ଦିନ ଖରାପ ହୋଇ ହୋଇ ଯାଉଛି । ଏପରି ପରିସ୍ଥିତିରେ ଆମେ ନିଜ କଥାବାର୍ତ୍ତାକୁ କିପରି ଭଲ ରଖିପାରିବା ଓ ଲୋକମାନଙ୍କ ଉତ୍ସାହ ବଢ଼ାଇପାରିବା ? ଯେତେବେଳେ ଆମେ ପ୍ରଚାର କରୁ, ସଭାରେ ଥାଉ, ଆଉ ଲୋକମାନଙ୍କ ସହ କଥାବାର୍ତ୍ତା କରୁ, ସେତେବେଳେ ଆମେ କିପରି ନିଜ କଥାବାର୍ତ୍ତାରୁ ଯିହୋବାଙ୍କୁ ଖୁସି କରିପାରିବା ? ଏସବୁ ବିଷୟରେ ଆମେ ଏହି ଲେଖାରେ ଦେଖିବା ।

b କିଛି ନାମ ବଦଳାଇ ଦିଆଯାଇଛି ।

c ସଭାରେ ଉତ୍ତର ଦେବା ବିଷୟରେ ଆହୁରି ଜାଣିବା ପାଇଁ ଜାନୁୟାରୀ ୨୦୧୯ର ପ୍ରହରୀଦୁର୍ଗର ଲେଖା, “ମଣ୍ଡଳୀରେ ଯିହୋବାଙ୍କ ପ୍ରଶଂସା କରନ୍ତୁ” ପଢ଼ନ୍ତୁ ।

d ଚିତ୍ର ବିଷୟରେ: ପ୍ରଚାର ସମୟରେ ଯେତେବେଳେ ଜଣେ ବ୍ୟକ୍ତି ରାଗିକି କଥା ହୁଅନ୍ତି, ସେତେବେଳେ ଭାଇ ଜଣକ ମଧ୍ୟ ତାକୁ ରାଗିକି କଥା କହନ୍ତି । ସଭାରେ ଜଣେ ଭାଇ ଇଚ୍ଛା ନ ଥିଲା ଭଳି ଗାଉଛନ୍ତି । ଜଣେ ଭଉଣୀ କାହାରି ବିଷୟରେ ଗପସପ କରୁଛନ୍ତି ।