इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୭

ମାଆମାନେ, ଇଉନୀକୀଙ୍କଠାରୁ ଶିଖନ୍ତୁ

ମାଆମାନେ, ଇଉନୀକୀଙ୍କଠାରୁ ଶିଖନ୍ତୁ

‘ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ । ତାହା ତୁମ୍ଭର ଅନୁଗ୍ରହଜନକ ଶିରୋଭୂଷଣ ଓ ଗଳଦେଶର ହାର ସ୍ୱରୂପ ହେବ ।’—ହିତୋ. ୧:୮, ୯.

ଗୀତ ୧୩୭ ୱାଫାଦାର ସ୍ତ୍ରୀୟାଁ, ମସିହୀ ବହନେଁ

ଲେଖାର ଝଲକ a

ତୀମଥି ବାପ୍ତିସ୍ମ ନେଉଛନ୍ତି ଏବଂ ଏହା ଦେଖି ତାଙ୍କ ମାଆ ଇଉନୀକୀ ଓ ଆଈ ଲୋୟୀ ବହୁତ ଖୁସି ହେଉଛନ୍ତି (ଅଧ୍ୟୟନ ଲେଖା ୧୭ର ପାରାଗ୍ରାଫ ୧)

୧-୨. (କ) ଇଉନୀକୀ କିଏ ଥିଲେ, ଆଉ ତାଙ୍କୁ ନିଜ ପୁଅକୁ ଶିଖାଇବା କାହିଁକି କଷ୍ଟ ହୋଇଥିବ ? (ଖ) ବାହାରେ ଥିବା ଚିତ୍ରରେ କʼଣ ଦେଖିବାକୁ ମିଳେ ?

 ବାଇବଲରେ ତୀମଥିଙ୍କ ବାପ୍ତିସ୍ମ ବିଷୟରେ କିଛି କୁହାଯାଇନାହିଁ । ତଥାପି ଆମେ ଭାବିପାରିବା ଯେବେ ତୀମଥି ବାପ୍ତିସ୍ମ ନେଇଥିବେ, ତାଙ୍କ ମାଆ ଇଉନୀକୀ କେତେ ଖୁସି ହୋଇଥିବେ । (ହିତୋ. ୨୩:୨୫) ଟିକେ କଳ୍ପନା କରନ୍ତୁ, ତୀମଥି ପାଣି ଭିତରେ ଛିଡ଼ା ଅଛନ୍ତି । ଆଉ ପାଖରେ ହିଁ ତାଙ୍କ ମାଆ ଓ ତାଙ୍କ ଆଈ ଲୋୟୀ ଛିଡ଼ା ଅଛନ୍ତି ଓ ସେମାନେ ତାଙ୍କୁ ଖୁସିର ସହ ଦେଖୁଛନ୍ତି । ପାଣିରେ ବୁଡ଼ାଇ ବାହାର କରାଗଲା ପରେ ତୀମଥି ଏବେ ବହୁତ ଖୁସି ଅଛନ୍ତି । ଏହା ଦେଖି ଇଉନୀକୀଙ୍କ ଆଖିରୁ ଲୁହ ବାହାରିଯାଏ । ତାଙ୍କୁ ନିଜ ପୁଅ ପାଇଁ ବହୁତ ଗର୍ବ ଅନୁଭବ ହେଉଛି । ସେ ଏତେ ବର୍ଷରୁ ଯେଉଁ ପରିଶ୍ରମ କରିଥିଲେ, ତାହାର ଫଳ ତାଙ୍କୁ ଏବେ ମିଳୁଛି । କିନ୍ତୁ ଇଉନୀକୀଙ୍କ ପାଇଁ ତାଙ୍କ ପୁଅକୁ ଯିହୋବା ଓ ଯୀଶୁଙ୍କ ବିଷୟରେ ଶିଖାଇବା ଏତେ ସହଜ ନ ଥିଲା । ତାଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା ।

ତୀମଥିଙ୍କ ବାପାମାଆ ଅଲଗା ଅଲଗା ଧର୍ମ ମାନୁଥିଲେ । ତାଙ୍କ ବାପା ଗ୍ରୀକ୍‌ ଥିଲେ ଓ ତାଙ୍କ ମାଆ ଓ ଆଈ ଯିହୁଦୀ ଥିଲେ । (ପ୍ରେରି. ୧୬:୧) ଏପରି ଜଣାପଡ଼େ ଯେ ଯେବେ ସେ ଯୁବା ହେଲେ, ସେହି ସମୟରେ ତାଙ୍କ ମାଆ ଇଉନୀକୀ ଓ ଆଈ ଲୋୟୀ ଖ୍ରୀଷ୍ଟିୟାନ ହେଲେ । କିନ୍ତୁ ତାଙ୍କ ବାପା ଖ୍ରୀଷ୍ଟିୟାନ ହେଲେ ନାହିଁ । ଏବେ ତୀମଥିଙ୍କୁ ନିଷ୍ପତ୍ତି ନେବାର ଥିଲା ଯେ ସେ କେଉଁ ଧର୍ମକୁ ମାନିବେ । କʼଣ ସେ ଯିହୁଦୀ ଧର୍ମକୁ ହିଁ ମାନିବେ ଯାହା ସେ ଛୋଟବେଳୁ ମାନି ଆସୁଥିଲେ ନା କʼଣ ସେ ନିଜ ପିତାଙ୍କ ଧର୍ମ ଆପଣାଇବେ ନା କʼଣ ସେ ନିଜ ମାଆଙ୍କ ଭଳି ଖ୍ରୀଷ୍ଟିୟାନ ହେବେ ?

୩. ହିତୋପଦେଶ ୧:୮, ୯ ପଦ ଅନୁସାରେ, ମାଆମାନେ ନିଜ ପିଲାମାନଙ୍କୁ ଶିଖାଇବା ପାଇଁ ଯେଉଁ ପରିଶ୍ରମ କରନ୍ତି, ତାହା ଦେଖି ଯିହୋବାଙ୍କୁ କିପରି ଲାଗେ ?

ଆଜି ବି ଖ୍ରୀଷ୍ଟିୟାନ ମାଆମାନେ ନିଜ ପରିବାରକୁ ବହୁତ ଭଲ ପାଆନ୍ତି । ସେମାନଙ୍କ ଏହା ଇଚ୍ଛା ଥାଏ ଯେ ତାଙ୍କ ପିଲାମାନେ ସବୁଠୁ ଅଧିକ ଯିହୋବାଙ୍କ ସାଙ୍ଗ ହେବାକୁ ଅଧିକ ମହତ୍ତ୍ୱ ଦିଅନ୍ତୁ । ତେଣୁ ସେମାନେ ଯିହୋବାଙ୍କ ବିଷୟରେ ଶିଖାଇବା ପାଇଁ ବହୁତ ପରିଶ୍ରମ କରନ୍ତି । ଏହା ଦେଖି ଯିହୋବା ବହୁତ ଖୁସି ହୁଅନ୍ତି । (ହିତୋପଦେଶ ୧:୮, ୯ ପଢ଼ନ୍ତୁ ।) ଯିହୋବା ଅନେକ ମାଆମାନଙ୍କୁ ସାହାଯ୍ୟ କରିଛନ୍ତି ଯେ ସେମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ଓ ତାଙ୍କ ସେବା କରିବା ପାଇଁ ଶିଖାଇପାରିବେ ।

୪. ମାଆମାନଙ୍କୁ କେଉଁ କେଉଁ ସମସ୍ୟାର ସାମନା କରିବାକୁ ପଡ଼େ ?

ଆଜି ଶୟତାନର ଦୁନିଆରେ ପିଲାମାନଙ୍କ ଉପରେ ଅନେକ ଚାପ ଆସିଥାଏ । (୧ ପିତ. ୫:୮) କିନ୍ତୁ ଜଣେ ମାଆଙ୍କୁ ହୁଏତ ଏହା ଚିନ୍ତା ଲାଗିପାରେ ଯେ ତାଙ୍କ ପିଲା କʼଣ ବଡ଼ ହୋଇ ତୀମଥିଙ୍କ ଭଳି ଯିହୋବାଙ୍କ ସେବା କରିବ । କିଛି ମାଆମାନଙ୍କୁ ଆଉ କିଛି ସମସ୍ୟାର ସାମନା କରିବାକୁ ପଡ଼ିଥାଏ । ସେମାନଙ୍କୁ ଏକା ହିଁ ପିଲାମାନଙ୍କର ଲାଳନପାଳନ କରିବାକୁ ପଡ଼ିଥାଏ କିମ୍ବା ସେମାନଙ୍କ ସ୍ୱାମୀ ସତ୍ୟରେ ନ ଥାʼନ୍ତି । କ୍ରିଷ୍ଟିନ b ନାମକ ଜଣେ ଭଉଣୀ କହନ୍ତି, “ମୋ ସ୍ୱାମୀ ଜଣେ ଭଲ ସ୍ୱାମୀ ଥିଲେ ଏବଂ ଜଣେ ଭଲ ବାପା ମଧ୍ୟ ଥିଲେ । କିନ୍ତୁ ସେ ବିଲକୁଲ୍‌ ଚାହୁଁ ନ ଥିଲେ ଯେ ମୁଁ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ କିଛି ବି ଶିଖାଏ । ତେଣୁ ଅନେକ ବର୍ଷ ଧରି ମୁଁ ଏହା ଭାବି ଭାବି କାନ୍ଦୁଥିଲି ଯେ କʼଣ ମୋ ପିଲାମାନେ ବଡ଼ ହୋଇ ଯିହୋବାଙ୍କ ସେବା କରିବେ ।”

୫ . ଏହି ଲେଖାରେ ଆମେ କʼଣ ଶିଖିବା ?

ଯଦି ଆପଣ ଜଣେ ମାଆ ଅଟନ୍ତି, ତେବେ ଆପଣ ବି କିପରି ଇଉନୀକୀଙ୍କ ଭଳି ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଭଲଭାବେ ଶିଖାଇପାରିବେ । ଏହି ଲେଖାରେ ଆମେ ଶିଖିବା ଯେ ଆପଣ କିପରି ତାଙ୍କ ଭଳି ନିଜ କଥାକାମଗୁଡ଼ିକରୁ ନିଜ ପିଲାମାନଙ୍କୁ ଶିଖାଇପାରିବେ । ଆମେ ଏହା ମଧ୍ୟ ଶିଖିବା ଯେ ଏପରି କରିବାରେ ଯିହୋବା ଆପଣଙ୍କୁ କିପରି ସାହାଯ୍ୟ କରିବେ ।

ନିଜ କଥାରୁ ପିଲାମାନଙ୍କୁ ଶିଖାନ୍ତୁ

୬. ଦ୍ୱିତୀୟ ତୀମଥି ୩:୧୪, ୧୫ ପଦ ଅନୁସାରେ ତୀମଥିଙ୍କୁ କେଉଁ କଥାଗୁଡ଼ିକ ଖ୍ରୀଷ୍ଟିୟାନ ହେବା ପାଇଁ ସାହାଯ୍ୟ କରିଥିବ ?

ଯେବେ ତୀମଥି ଛୋଟ ଥିଲେ ତେବେଠାରୁ ହିଁ ତାଙ୍କ ମାଆ ଇଉନୀକୀ ତାଙ୍କୁ “ଧର୍ମଶାସ୍ତ୍ର” ଅର୍ଥାତ୍‌ ଏବ୍ରୀ ଶାସ୍ତ୍ରରୁ ଶିଖାଇବା ପାଇଁ ବହୁତ ପରିଶ୍ରମ କରୁଥିଲେ । ଏହା ସତ ଯେ ସେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କିଛି ଜାଣି ନ ଥିଲେ । କିନ୍ତୁ ଜଣେ ଯିହୁଦୀ ଭାବେ ସେ ଯେତେ ଜାଣିଥିଲେ ସେସବୁ ସେ ତୀମଥିଙ୍କୁ ଶିଖାଇଲେ । ତୀମଥି ଛୋଟ ଥିବା ବେଳେ ତାଙ୍କ ମାଆଙ୍କଠାରୁ ଯାହା ଶିଖିଥିଲେ, ଆଉ ତାଙ୍କୁ ଯେଉଁ କଥାଗୁଡ଼ିକର ପ୍ରମାଣ ଦେଇ “ନିଶ୍ଚିତ ବୋଧ” କରାଯାଇଥିଲା, ତାʼ ଆଧାରରେ ସେ ବୁଝିପାରିଲେ ଯେ ଯୀଶୁ ହିଁ ମସୀହ ଅଟନ୍ତି । ତେଣୁ ସେ ବି ଖ୍ରୀଷ୍ଟିୟାନ ହେବାର ନିଷ୍ପତ୍ତି ନେଲେ । (୨ ତୀମଥି ୩:୧୪, ୧୫ ପଢ଼ନ୍ତୁ ।) ତାଙ୍କ ଏହି ନିଷ୍ପତ୍ତିରୁ ଇଉନୀକୀଙ୍କୁ କେତେ ଖୁସି ଲାଗିଥିବ । ଇଉନୀକୀ ନାମ ଯେଉଁ ଶବ୍ଦରୁ ଆସିଛି, ତାʼର ଅର୍ଥ ହେଉଛି, “ବିଜୟ ହାସଲ କରିବା ।” ଆଉ ସେ ବିଲକୁଲ୍‌ ନିଜ ନାମ ଭଳି ହିଁ କାମ କଲେ । ତାଙ୍କ ସାମନାରେ ଅନେକ ସମସ୍ୟା ଆସିଲା, ତଥାପି ସେ ସେସବୁକୁ ପାର କରି ନିଜ ପୁଅକୁ ଭଲ ଭାବେ ଶିଖାଇଲେ ।

୭. ତୀମଥିଙ୍କ ବାପ୍ତିସ୍ମ ପରେ ଇଉନୀକୀ ତାଙ୍କୁ ସାହାଯ୍ୟ କରିବା ପାଇଁ କʼଣ କରିପାରିଥାʼନ୍ତେ ?

ତୀମଥି ବାପ୍ତିସ୍ମ ନେଇ ବଡ଼ ପଦକ୍ଷେପ ନେଲେ । କିନ୍ତୁ ଇଉନୀକୀଙ୍କ ଚିନ୍ତା ଏଇଠି ଶେଷ ହୋଇଯାଏନି । ହୁଏତ ସେ ଭାବୁଥିବେ, ‘ମୋ ପୁଅ ଆଗକୁ ଯାଇ କʼଣ କରିବ ? କʼଣ ସେ ଖରାପ ସଙ୍ଗତିରେ ପଡ଼ିଯିବ ? କʼଣ ସେ ଏଥେନ୍‌ସରେ ପଢ଼ିବାକୁ ଯିବ ଏବଂ ସେଠାକାର ଜ୍ଞାନୀ ପଣ୍ଡିତମାନଙ୍କ ଚିନ୍ତାଧାରାକୁ ଆପଣାଇବ ? କିମ୍ବା କʼଣ ସେ ପଇସା ପଛରେ ଗୋଡ଼ାଇ ନିଜ ସମୟ, ଶକ୍ତି ଓ ପୂରା ଯୁବା ସମୟ ନଷ୍ଟ କରି ଦେବ ?’ ଏହା ସତ ଯେ ଇଉନୀକୀ ତୀମଥିଙ୍କ ପାଇଁ ନିଷ୍ପତ୍ତି ନେଇ ପାରନ୍ତେ ନାହିଁ, କିନ୍ତୁ ସାହାଯ୍ୟ ତ ନିଶ୍ଚୟ କରିପାରିଥାʼନ୍ତେ । ସେ ତାଙ୍କୁ ଶିଖାଇବା ଜାରି ରଖିପାରିଥାʼନ୍ତେ ଯାହାଫଳରେ ଯିହୋବାଙ୍କ ପାଇଁ ତାଙ୍କ ହୃଦୟରେ ପ୍ରେମ ବଢ଼ି ବଢ଼ି ଯାଉ ଓ ସେ ଯୀଶୁଙ୍କ ପ୍ରତି ନିଜ କୃତଜ୍ଞତା ମଧ୍ୟ ଦେଖାଉ । ଆଜି ବି ବାପାମାଆଙ୍କ ମଧ୍ୟରୁ ଯଦି ଜଣେ ସତ୍ୟରେ ଅଛନ୍ତି, ତେବେ ଏକା ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ସହଜ ହୋଇ ନ ଥାଏ । କିନ୍ତୁ ଯଦି ବାପାମାଆ ଦୁଇଜଣ ସତ୍ୟରେ ଅଛନ୍ତି, ତେବେ ବି ପିଲାମାନଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇବା ସହଜ ହୋଇ ନ ପାରେ । ତେବେ ବାପାମାଆମାନେ ଇଉନୀକୀଙ୍କଠାରୁ କʼଣ ଶିଖିପାରିବେ ?

୮. ପିଲାମାନଙ୍କୁ ଶିଖାଇବାରେ ଭଉଣୀମାନେ ନିଜ ସ୍ୱାମୀଙ୍କୁ କିପରି ସାହାଯ୍ୟ କରିପାରିବେ ?

ନିଜ ପିଲାମାନଙ୍କୁ ବାଇବଲରୁ ଶିଖାନ୍ତୁ । ଭଉଣୀମାନେ, ଯଦି ଆପଣଙ୍କ ସ୍ୱାମୀ ସାକ୍ଷୀ ଅଟନ୍ତି, ତେବେ ଯିହୋବା ଚାହାନ୍ତି ଯେ ଆପଣ ପିଲାମାନଙ୍କୁ ଶିଖାଇବାରେ ନିଜ ସ୍ୱାମୀଙ୍କ ସାହାଯ୍ୟ କରନ୍ତୁ । ପ୍ରତ୍ୟେକ ସପ୍ତାହରେ ପାରିବାରିକ ଉପାସନା କରିବା ପାଇଁ ନିଜ ସ୍ୱାମୀଙ୍କୁ ସହଯୋଗ କରନ୍ତୁ । ଏପରି କିଛି କଥା କହନ୍ତୁ ଯାହାଫଳରେ ପିଲାମାନଙ୍କୁ ପାରିବାରିକ ଉପାସନାରେ ଭାଗ ନେବା ପାଇଁ ଇଚ୍ଛା ହେବ । ଏପରି କିଛି ଭାବନ୍ତୁ ଯେଉଁଥିରୁ ପିଲାମାନଙ୍କୁ ମଜା ଆସିବ । ଆପଣ ନିଜ ପତିଙ୍କ ସହ ମିଶି ଏହା ଭାବିପାରିବେ ଯେ ପାରିବାରିକ ଉପାସନାରେ କʼଣ କରିବେ । ଏହାଛଡ଼ା, ଯଦି ଆପଣଙ୍କ ପିଲା ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ଅଧ୍ୟୟନ କରିପାରେ, ତେବେ ଆପଣ ନିଜ ସ୍ୱାମୀଙ୍କୁ ଅଧ୍ୟୟନ କରାଇବାରେ ସାହାଯ୍ୟ କରିପାରିବେ ।

୯. ଯେଉଁ ଭଉଣୀମାନଙ୍କୁ ଏକୁଟିଆ ହିଁ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବାକୁ ପଡ଼େ, ସେମାନେ କାହାଠାରୁ ସାହାଯ୍ୟ ନେଇପାରିବେ ?

କିଛି ଭଉଣୀଙ୍କୁ ଏକୁଟିଆ ହିଁ ନିଜ ପିଲାମାନଙ୍କର ଲାଳନପାଳନ କରିବାକୁ ପଡ଼େ । କିମ୍ବା ସେମାନଙ୍କର ସ୍ୱାମୀ ସତ୍ୟରେ ନ ଥାʼନ୍ତି । ଏପରି ପରିସ୍ଥିତିରେ ମାଆମାନଙ୍କର ଦାୟିତ୍ୱ ହେଉଛି ଯେ ସେମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାନ୍ତୁ । ଯଦି ଆପଣଙ୍କ ପରିସ୍ଥିତି ବି ଏପରି, ତାହେଲେ ଚିନ୍ତା କରନ୍ତୁ ନାହିଁ । ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ । ସେ ନିଜ ସଂଗଠନ ଜରିଆରେ ଅନେକ ପ୍ରକାଶନ ଓ ଭିଡିଓ ଦେଇଛନ୍ତି ଯେଉଁଥିରୁ ଆପଣ ନିଜ ପିଲାମାନଙ୍କୁ ଭଲଭାବେ ଶିଖାଇପାରିବେ । c ଆପଣ ହୁଏତ ଏବିଷୟରେ ଅନ୍ୟ ଅନୁଭବୀ ବାପାମାଆଙ୍କଠାରୁ ପରାମର୍ଶ ନେଇପାରିବେ ଓ ପଚାରିପାରିବେ ଯେ ସେମାନେ ନିଜ ପାରିବାରିକ ଉପାସନାକୁ ମଜାଦାର କରିବା ପାଇଁ କʼଣ କରନ୍ତି । (ହିତୋ. ୧୧:୧୪) ଯଦି ଆପଣଙ୍କୁ ନିଜ ପିଲାମାନଙ୍କ ସହ ମନଖୋଲି କଥା ହେବା ପାଇଁ କଷ୍ଟ ଲାଗେ, ତାହେଲେ ଏ ମାମଲାରେ ମଧ୍ୟ ଯିହୋବା ଆପଣଙ୍କୁ ସାହାଯ୍ୟ କରିପାରିବେ । ତେଣୁ ତାଙ୍କୁ ପ୍ରାର୍ଥନା କରନ୍ତୁ, ଯାହାଫଳରେ ପିଲାମାନଙ୍କ ମନର କଥା ଜାଣିବା ପାଇଁ ଆପଣ ଠିକ୍‌ ପ୍ରଶ୍ନ କରିପାରିବେ । (ହିତୋ. ୨୦:୫) କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଆପଣ ତାଙ୍କୁ ଏପରି ପଚାରିପାରିବେ, “ସ୍କୁଲରେ ତମର ସବୁଠାରୁ ବଡ଼ ସମସ୍ୟା କʼଣ ?” ଏପରି ପ୍ରଶ୍ନ ପଚାରିଲେ ପିଲାମାନେ ଆପଣଙ୍କ ସହ ମନ ଖୋଲି କଥା ହୋଇପାରିବେ ।

୧୦. ମାଆମାନେ ପିଲାମାନଙ୍କୁ ଶିଖାଇବା ପାଇଁ ଆଉ କʼଣ କରିପାରିବେ ?

୧୦ ଅଲଗା ଅଲଗା ସୁଯୋଗ ଦେଖି ପିଲାମାନଙ୍କ ସହିତ ଯିହୋବାଙ୍କ ବିଷୟରେ କଥା ହୁଅନ୍ତୁ । ସେମାନଙ୍କୁ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ କହନ୍ତୁ ଓ ଏହା ମଧ୍ୟ କହନ୍ତୁ ଯେ ସେ ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି । (ଦ୍ୱିବି. ୬:୬, ୭; ଯିଶା. ୬୩:୭) ଏପରି କରିବା ତେବେ ଆହୁରି ଜରୁରୀ ଯେବେ ଆପଣ ଘରେ ନିଜ ପିଲାମାନଙ୍କର ବାଇବଲ ଅଧ୍ୟୟନ କରାଇପାରନ୍ତି ନାହିଁ । କ୍ରିଷ୍ଟିନ, ଯାହା ବିଷୟରେ ଆଗରୁ କୁହାଯାଇଥିଲା, ସେ କହନ୍ତି, “ମୁଁ ଘରେ ପିଲାମାନଙ୍କୁ ଖୋଲା ଖୋଲି ଭାବେ ଶିଖାଇପାରୁ ନ ଥିଲି । ତେଣୁ ଯେତେବେଳେ ଆମେ ବାହାରକୁ ବୁଲିବାକୁ ଯାଉଥିଲୁ, ଯେପରି ବାହାରେ ଚାଲିବା ପାଇଁ କିମ୍ବା ଡଙ୍ଗାରେ କୁଆଡ଼େ ଯାଉଥିଲୁ, ସେତେବେଳେ ଆମେ ଯିହୋବାଙ୍କ ସୃଷ୍ଟି ଓ ବାଇବଲର ଅନ୍ୟ ବିଷୟଗୁଡ଼ିକ ଉପରେ କଥା ହେଉଥିଲୁ । ଏପରି ଭାବେ ମୁଁ ସେମାନଙ୍କୁ ଯିହୋବାଙ୍କ ସାଙ୍ଗ ହେବା ପାଇଁ ଶିଖାଉଥିଲି । ଯେତେବେଳେ ମୋ ପିଲାମାନେ ଟିକେ ବଡ଼ ହୋଇଗଲେ, ସେତେବେଳେ ମୁଁ ସେମାନଙ୍କୁ ପ୍ରୋତ୍ସାହନ ଦେଲି ଯେ ସେମାନେ ନିଜେ ବାଇବଲ ପଢ଼ି ଶିଖନ୍ତୁ ।” ତାʼଛଡ଼ା ଯିହୋବାଙ୍କ ସଂଗଠନ ଓ ଭାଇଭଉଣୀମାନଙ୍କ ବିଷୟରେ ଭଲ କଥା କହନ୍ତୁ । ପ୍ରାଚୀନମାନଙ୍କ ବିଷୟରେ ଖରାପ କଥା କହନ୍ତୁ ନାହିଁ । କାରଣ ଏପରି କଲେ ସମସ୍ୟା ଆସିଲେ ହୁଏତ ଆପଣଙ୍କ ପିଲାମାନେ ପ୍ରାଚୀନମାନଙ୍କର ସାହାଯ୍ୟ ନେବେନି ।

୧୧. ଯାକୁବ ୩:୧୮ ପଦ ଅନୁସାରେ, ଘରେ ଶାନ୍ତି ବଜାୟ ରଖିବା କାହିଁକି ଜରୁରୀ ?

୧୧ ଘରେ ଶାନ୍ତି ରହୁ, ତାʼପାଇଁ ନିଜ ଆଡ଼ୁ ଚେଷ୍ଟା କରନ୍ତୁ । ନିଜ କଥା ଓ କାମଗୁଡ଼ିକରୁ ନିଜ ସ୍ୱାମୀ ଓ ପିଲାମାନଙ୍କ ପାଇଁ ପ୍ରେମ ଦେଖାନ୍ତୁ । ନିଜ ପତିଙ୍କ ସହିତ ଆଦରର ସହ କଥା ହୁଅନ୍ତୁ ଓ ପିଲାମାନଙ୍କୁ ମଧ୍ୟ ଏପରି କରିବା ଶିଖାନ୍ତୁ । ଏପରି କଲେ ଘରେ ଶାନ୍ତି ରହିବ ଓ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ସହଜ ହେବ । (ଯାକୁବ ୩:୧୮ ପଢ଼ନ୍ତୁ ।) ରୋମାନିଆରେ ସେବା କରୁଥିବା ଜଣେ ବିଶେଷ ଅଗ୍ରଦୂତ ଯୋଷେଫଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେତେବେଳେ ସେ ଛୋଟ ଥିଲେ, ସେତେବେଳେ ସେ, ତାଙ୍କ ମାଆ ଓ ତାଙ୍କ ଭାଇଭଉଣୀମାନେ ଯିହୋବାଙ୍କ ଉପାସନା କରୁଥିଲେ । କିନ୍ତୁ ତାଙ୍କ ବାପା ସେମାନଙ୍କୁ ବହୁତ ବିରୋଧ କରୁଥିଲେ । ଯୋଷେଫ କହନ୍ତି, “ମାଆ ପୂରା ଚେଷ୍ଟା କରୁଥିଲେ ଯେ ଘରେ ଶାନ୍ତି ରହୁ । ବାପା ଯେତେ କଠୋରତାର ସହ ବ୍ୟବହାର କରୁଥିଲେ, ମାଆ ସେତିକି ତାଙ୍କ ସହ ପ୍ରେମର ସହିତ ବ୍ୟବହାର କରୁଥିଲେ । ଯେତେବେଳେ ସେ ଦେଖୁଥିଲେ ଯେ ଆମେ ବାପାଙ୍କର କଥା ଶୁଣୁନୁ କିମ୍ବା ତାଙ୍କର ଆଦର କରୁନୁ, ସେତେବେଳେ ସେ ଆମ ସହ ଏଫିସୀୟ ୬:୧-୩ ପଦରେ ଦିଆଯାଇଥିବା ସିଦ୍ଧାନ୍ତ ଉପରେ ଚର୍ଚ୍ଚା କରୁଥିଲେ । ସେ ଆମକୁ ମନେ ପକାଇ ଦେଉଥିଲେ ଯେ ବାପାଙ୍କଠାରେ କେତେ ଭଲ ଗୁଣ ରହିଛି ଏବଂ ବୁଝାଉଥିଲେ ଯେ ଆମେ କାହିଁକି ତାଙ୍କର ଆଦର କରିବା ଉଚିତ୍‌ । ଏପରି ଭାବେ ଯେବେ ବି ଘରେ ଅଶାନ୍ତି ହେଉଥିଲା, ତେବେ ମାଆ ତାହାକୁ ଶାନ୍ତ କରି ଦେଉଥିଲେ ।”

ନିଜ କାମରୁ ପିଲାମାନଙ୍କୁ ଶିଖାନ୍ତୁ

୧୨. ଦ୍ୱିତୀୟ ତୀମଥି ୧:୫ ପଦ ଅନୁସାରେ, ଇଉନୀକୀଙ୍କ ଭଲ ଉଦାହରଣର ତୀମଥିଙ୍କ ଉପରେ କʼଣ ପ୍ରଭାବ ପଡ଼ିଥିବ ?

୧୨ ଦ୍ୱିତୀୟ ତୀମଥି ୧:୫ ପଢ଼ନ୍ତୁ ଇଉନୀକୀ ତୀମଥିଙ୍କ ପାଇଁ ଗୋଟିଏ ଭଲ ଉଦାହରଣ ରଖିଲେ । ସେ ନିଶ୍ଚୟ ତୀମଥିକୁ ଶିଖାଇଥିବେ ଯେ ବିଶ୍ୱାସ କାମରେ ଦେଖାଯାଏ । (ଯାକୁ. ୨:୨୬) ଇଉନୀକୀ ଯାହା ବି କଲେ ସେଥିରୁ ତୀମଥି ସ୍ପଷ୍ଟ ଭାବେ ଦେଖିପାରିଥିବେ ଯେ ତାଙ୍କ ମାଆ ଯିହୋବାଙ୍କୁ କେତେ ପ୍ରେମ କରନ୍ତି । ଆଉ ତାଙ୍କ ସେବା କରି ତାଙ୍କୁ କେତେ ଖୁସି ଲାଗେ । ଇଉନୀକୀଙ୍କ ଭଲ ଉଦାହରଣର ତୀମଥିଙ୍କ ଉପରେ କʼଣ ପ୍ରଭାବ ପଡ଼ିଲା ? ପ୍ରେରିତ ପାଉଲ ଲେଖିଲେ ଯେ ତୀମଥିଙ୍କଠାରେ ନିଜ ମାଆଙ୍କ ଭଳି ମଜବୁତ୍‌ ବିଶ୍ୱାସ ଅଛି । କିନ୍ତୁ କʼଣ ଇଉନୀକୀଙ୍କ ବିଶ୍ୱାସ ମଜବୁତ୍‌ ଥିଲା, ତେଣୁ ତୀମଥିଙ୍କ ବିଶ୍ୱାସ ବି ଆପେ ଆପେ ମଜବୁତ୍‌ ହୋଇଯାଇଥିବ ? ନୁହଁ, ଏପରି ନ ଥିଲା । ସେ ନିଜ ମାଆଙ୍କଠାରୁ ଶିଖିଥିବେ ଯେ ନିଜ ବିଶ୍ୱାସ ବଢ଼ାଇବା ପାଇଁ ତାଙ୍କୁ କʼଣ କରିବା ଉଚିତ୍‌, ଆଉ ସେ ଏପରି ହିଁ କଲେ । ସେହିପରି, ଆଜି ବି ଅନେକ ମାଆମାନେ “ବାକ୍ୟବିନୁ” ଅର୍ଥାତ୍‌ କିଛି ନ କହି ମଧ୍ୟ ନିଜ ପରିବାର ଲୋକଙ୍କ ହୃଦୟ ଜିତିଯାଆନ୍ତି । (୧ ପିତ. ୩:୧, ୨) ଆପଣ ବି ନିଜ ଭଲ ଉଦାହରଣରୁ ପିଲାମାନଙ୍କୁ ଶିଖାଇପାରିବେ । ଆସନ୍ତୁ ଦେଖିବା କିପରି ।

୧୩. ମାଆମାନଙ୍କୁ ନିଜ ଜୀବନରେ ଯିହୋବାଙ୍କୁ ପ୍ରଥମ ସ୍ଥାନ କାହିଁକି ଦେବା ଉଚିତ୍‌ ?

୧୩ ନିଜ ଜୀବନରେ ଯିହୋବାଙ୍କୁ ପ୍ରଥମ ସ୍ଥାନ ଦିଅନ୍ତୁ । (ଦ୍ୱିବି. ୬:୫, ୬) ଆପଣ ନିଜ ପିଲାମାନଙ୍କର ଲାଳନପାଳନ କରିବା ପାଇଁ ବହୁତ କିଛି ତ୍ୟାଗ କରନ୍ତି । ଯେପରି ସମୟ, ନିଦ ଓ ଅନ୍ୟ ଜିନିଷଗୁଡ଼ିକ । କିନ୍ତୁ ନିଜ ପିଲାମାନଙ୍କର ଲାଳନପାଳନ କରିବାରେ ଏତେ ବ୍ୟସ୍ତ ହୋଇଯାଆନ୍ତୁ ନାହିଁ ଯେ ଆପଣଙ୍କଠାରେ ଯିହୋବାଙ୍କ ପାଇଁ ସମୟ ହିଁ ରହିବ ନାହିଁ । ତେଣୁ ପ୍ରତିଦିନ ପ୍ରାର୍ଥନା କରିବା ପାଇଁ ସମୟ ବାହାର କରନ୍ତୁ । ପ୍ରତି ସପ୍ତାହ ବ୍ୟକ୍ତିଗତ ଅଧ୍ୟୟନ କରନ୍ତୁ ଏବଂ ସବୁ ସଭାରେ ଯାʼନ୍ତୁ । ଏପରି କଲେ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ୍‌ ହେବ ଏବଂ ଆପଣ ନିଜ ପରିବାର ଓ ଅନ୍ୟମାନଙ୍କ ପାଇଁ ମଧ୍ୟ ଗୋଟିଏ ଭଲ ଉଦାହରଣ ରଖିପାରିବେ ।

୧୪-୧୫ . ଲିନା, ମାରିଆ, ଜିଆଓଙ୍କଠାରୁ ଆପଣ କʼଣ ଶିଖନ୍ତି ?

୧୪ ଅନେକ ପିଲାମାନେ ନିଜ ମାଆଙ୍କ ଭଲ ଉଦାହରଣକୁ ଦେଖି ଯିହୋବାଙ୍କୁ ପ୍ରେମ କରିବା ଓ ତାଙ୍କ ଉପରେ ଭରସା କରିବା ଶିଖିଛନ୍ତି । ଆସନ୍ତୁ ଗୋଟିଏ ଉଦାହରଣ ଦେଖିବା । କ୍ରିଷ୍ଟିନଙ୍କ ଝିଅ ଲିନା କହନ୍ତି, “ଯେବେ ବାପା ଘରେ ରହୁଥିଲେ, ତେବେ ଆମେ ବାଇବଲ ପଢ଼ିପାରୁ ନ ଥିଲୁ । କିନ୍ତୁ ମାଆ କେବେ ବି ସଭାକୁ ଯିବା ଛାଡ଼ୁ ନ ଥିଲେ । ଆମକୁ ବାଇବଲ ବିଷୟରେ ବେଶିକିଛି ତ ଜଣା ନ ଥିଲା, କିନ୍ତୁ ମାଆଙ୍କୁ ଦେଖି ଆମ ବିଶ୍ୱାସ ବଢ଼ିବାକୁ ଲାଗିଲା । ଆମେ ପିଲାମାନେ ସଭାକୁ ଯିବା ବହୁତ ପରେ ଆରମ୍ଭ କଲୁ । କିନ୍ତୁ ଆମେ ଆଗରୁ ବୁଝିଯାଇଥିଲୁ ଯେ ଯିହୋବାଙ୍କ ସାକ୍ଷୀମାନେ ହିଁ ସତ୍ୟ ଶିଖାନ୍ତି ।”

୧୫ ମାରିଆଙ୍କ ସହିତ ବି ଏପରି ହିଁ ହେଲା । ଯେବେ ତାଙ୍କ ମାଆ ଓ ସବୁ ପିଲାମାନେ ସଭାରୁ ଘରକୁ ଆସୁଥିଲେ, ତେବେ ତାଙ୍କ ବାପା ସେମାନଙ୍କୁ ମାରପିଟ୍‌ ଓ ଗାଳିଗୁଲଜ କରୁଥିଲେ । ସେ କହନ୍ତି, “ମୋତେ ମନେ ଅଛି ଯେବେ ମୁଁ ଛୋଟ ଥିଲି ତେବେ ଲୋକମାନଙ୍କ ଡରରେ ଅନେକ ସମୟରେ ମୁଁ ବାଇବଲର ସିଦ୍ଧାନ୍ତକୁ ମାନୁ ନ ଥିଲି । କିନ୍ତୁ ମୋ ମାଆ ବହୁତ ସାହସୀ ଥିଲେ । ସେ ସବୁଠୁ ବେଶି ଯିହୋବାଙ୍କୁ ପ୍ରେମ କରୁଥିଲେ । ତାଙ୍କୁ ଦେଖି ମୁଁ ମୋ ଭିତରୁ ଲୋକମାନଙ୍କ ଡର ଦୂର କରିପାରିଲି । ଜିଆଓ ନାମକ ଜଣେ ଭାଇ କହନ୍ତି ଯେ ତାଙ୍କ ବାପା, ତାଙ୍କ ମାଆ ଓ ସବୁ ପିଲାମାନଙ୍କୁ କହିଥିଲେ ଯେ ଘରେ ଯିହୋବା ଓ ବାଇବଲ ବିଷୟରେ କେହି ବି କଥା ହୋଇପାରିବେ ନାହିଁ ।” ସେ କହନ୍ତି, “ବାପାଙ୍କୁ ଖୁସି କରାଇବା ପାଇଁ ମାଆ ସବୁକିଛି ଛାଡ଼ିବା ପାଇଁ ପ୍ରସ୍ତୁତ ଥିଲେ, କେବଳ ଯିହୋବାଙ୍କୁ ଛାଡ଼ି । ମୁଁ ଏକଥା କେବେ ବି ଭୁଲି ପାରିବି ନାହିଁ ।”

୧୬. ଜଣେ ମାଆର ଭଲ ଉଦାହରଣର ଅନ୍ୟମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିପାରେ ?

୧୬ ମାଆମାନେ, ଆପଣଙ୍କ ଭଲ ଉଦାହରଣର ପ୍ରଭାବ ମଣ୍ଡଳୀର ଭାଇଭଉଣୀମାନଙ୍କ ଉପରେ ବି ପଡ଼େ । ଏହା ବୁଝିବା ପାଇଁ ଆସନ୍ତୁ ପୁଣି ଥରେ ଇଉନୀକୀଙ୍କ ଉଦାହରଣ ପ୍ରତି ଧ୍ୟାନ ଦେବା । ଇଉନୀକୀଙ୍କ ଭଲ ଉଦାହରଣର ପାଉଲଙ୍କ ଉପରେ ବି ଭଲ ପ୍ରଭାବ ପଡ଼ିଥିଲା । ଏପରି ଜଣାପଡ଼େ ଯେ ପାଉଲ ଯେବେ ପ୍ରଥମ ମିଶନାରୀ ଯାତ୍ରାରେ ଲୁସ୍ତ୍ରା ଆସିଥିଲେ, ତେବେ ସେ ଇଉନୀକୀ ଓ ଲୋୟୀଙ୍କୁ ପ୍ରଥମ ଥର ଭେଟିଥିଲେ । ହୁଏତ ସେ ହିଁ ସେମାନଙ୍କୁ ଖ୍ରୀଷ୍ଟିୟାନ ହେବାରେ ସାହାଯ୍ୟ କରିଥିଲେ । (ପ୍ରେରି. ୧୪:୪-୧୮) ହୁଏତ ସେହି ସମୟରେ ସେ ଦେଖିଥିବେ ଯେ ଇଉନୀକୀଙ୍କଠାରେ କେତେ ମଜବୁତ୍‌ ବିଶ୍ୱାସ ଅଛି । ତେଣୁ ପ୍ରାୟ ୧୫ ବର୍ଷ ପରେ ଯେବେ ସେ ଲେଖିଲେ ଯେ ତୀମଥିଙ୍କଠାରେ ଅକପଟ ବିଶ୍ୱାସ ଅଛି, ତେବେ ସେ କହିଲେ, ‘ଏପରି ହିଁ ବିଶ୍ୱାସ ତାଙ୍କ ମାଆ ଇଉନୀକୀଙ୍କଠାରେ ଥିଲା ।’ (୨ ତୀମ. ୧:୫) ଟିକେ ଭାବନ୍ତୁ, ଏତେବର୍ଷ ପରେ ବି ଇଉନୀକୀଙ୍କ ବିଶ୍ୱାସ ବିଷୟରେ ପାଉଲ ଭୁଲି ନ ଥିଲେ । ଆଉ ନିଜ ଚିଠିରେ ତାଙ୍କର ଉଦାହରଣ ଦେଲେ । ଇଉନୀକୀଙ୍କ ଭଲ ଉଦାହରଣର ଖାଲି ପାଉଲଙ୍କ ଉପରେ ନୁହଁ, ବରଂ ପ୍ରଥମ ଶତାବ୍ଦୀର ଅନେକ ଖ୍ରୀଷ୍ଟିୟାନମାନଙ୍କ ଉପରେ ବି ଗଭୀର ପ୍ରଭାବ ପକାଇଥିବ । ଭଉଣୀମାନେ, ଯଦି ଆପଣ ଏକା ନିଜ ପିଲାମାନଙ୍କର ଲାଳନପାଳନ କରୁଛନ୍ତି କିମ୍ବା ଆପଣଙ୍କ ପତି ସାକ୍ଷୀ ନୁହନ୍ତି, ତେବେ ଭରସା ରଖନ୍ତୁ ଆପଣଙ୍କ ଭଲ ଉଦାହରଣରୁ ମଣ୍ଡଳୀର ଭାଇଭଉଣୀମାନଙ୍କୁ ବହୁତ ସାହସ ମିଳେ ।

ପିଲାମାନଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇବାରେ ସମୟ ଲାଗେ । ତେଣୁ ହାର ମାନନ୍ତୁ ନାହିଁ ! (ପାରାଗ୍ରାଫ ୧୭)

୧୭. ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କ ପିଲା ଯିହୋବାଙ୍କ ସେବା କରିବାକୁ ଚାହେଁ ନାହିଁ, ତେବେ ଆପଣ କʼଣ କରିପାରିବେ ?

୧୭ ହୁଏତ ବେଳେ ବେଳେ ଆପଣଙ୍କୁ ଲାଗେ ଯେ ଆପଣଙ୍କ ପିଲା ଯିହୋବାଙ୍କ ସେବା କରିବାକୁ ଚାହେଁ ନାହିଁ । ଏପରି ସମୟରେ ଆପଣ ମନେ ରଖିପାରିବେ ଯେ ପିଲାମାନଙ୍କୁ ଶିଖାଇବାରେ ସମୟ ଲାଗେ । ଯେପରି ଏହି ଚିତ୍ରରେ ଦେଖିପାରୁଛୁ, ବୀଜ ବୁଣିବା ପରେ ଆମେ ଭାବୁ ଯେ କʼଣ ଏହି ବୀଜ ବଢ଼ିବ, ଆଉ ଆଗକୁ ଯାଇ ଫଳ ଦେବ । ବୀଜ ବଢ଼ିବ ନା ନାହିଁ ଏହା ତ ଆମ ହାତରେ ନାହିଁ, ତଥାପି ଆମେ ପାଣି ଦେଇପାରିବା ଯାହାଫଳରେ ସେହି ବୀଜ ବଢ଼ିପାରିବ । (ମାର୍କ ୪:୨୬-୨୯) ପିଲାମାନଙ୍କୁ ଶିଖାଇବା ବି ଏପରି ହିଁ ଅଟେ । ସେମାନେ ଯିହୋବାଙ୍କ ସେବା କରିବେ ନା ନାହିଁ, ଏହା ଆମ ହାତରେ ନାହିଁ । କିନ୍ତୁ ଆପଣ ସାହାଯ୍ୟ କରିପାରିବେ, ଯାହାଫଳରେ ସେମାନେ ଯିହୋବାଙ୍କ ସାଙ୍ଗ ହୋଇପାରିବେ । ତେଣୁ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବାରେ ପରିଶ୍ରମ କରିବା ଜାରି ରଖନ୍ତୁ ।—ହିତୋ. ୨୨:୬.

ଯିହୋବାଙ୍କ ଉପରେ ଭରସା ରଖନ୍ତୁ

୧୮. ଯିହୋବା କିପରି ଆପଣଙ୍କ ପିଲାମାନଙ୍କୁ ସାହାଯ୍ୟ କରିପାରିବେ ?

୧୮ ପ୍ରାଚୀନ କାଳରୁ ଏବେ ଯାଏଁ, ଯିହୋବା ଅନେକ ପିଲାମାନଙ୍କୁ ତାଙ୍କ ସହ ସାଙ୍ଗ ହେବା ପାଇଁ ସାହାଯ୍ୟ କରିଛନ୍ତି । (ଗୀତ. ୨୨:୯, ୧୦) ଯଦି ଆପଣଙ୍କ ପିଲା ବି ଯିହୋବାଙ୍କ ସାଙ୍ଗ ହେବାକୁ ଚାହେଁ, ତେବେ ସେ ତାକୁ ମଧ୍ୟ ସାହାଯ୍ୟ କରିବେ । (୧ କରି. ୩:୬, ୭) ଯଦି କେବେ ଆପଣଙ୍କ ପିଲା ସତ୍ୟରୁ ଦୂରେଇବାକୁ ଲାଗେ, ତେବେ ବି ଯିହୋବା ତାକୁ ପ୍ରେମ କରୁଥିବେ, ଆଉ ଧ୍ୟାନ ଦେଉଥିବେ । (ଗୀତ. ୧୧:୪) ଯେପରି ଯଦି ଯିହୋବା ଦେଖନ୍ତି ଯେ ତାʼଠାରେ ଟିକିଏ ବି ଲକ୍ଷଣ ଦେଖାଯାଉଛି ଯେ ସେ ଭଲ ମନ ରଖୁଛି ଆଉ ଯିହୋବାଙ୍କ ସେବା କରିବାକୁ ଚାହୁଁଛି, ତେବେ ଯିହୋବା ତୁରନ୍ତ ତାକୁ ସାହାଯ୍ୟ କରିବେ । (ପ୍ରେରି. ୧୩:୪୮; ୨ ବଂଶା. ୧୬:୯) ହୁଏତ ଯିହୋବା ଆପଣଙ୍କ ମନରେ ଏକଥା ପକାଇବେ ଯେ ଆପଣ ତାକୁ ଠିକ୍‌ ସମୟରେ ଠିକ୍‌ କଥା କହିବେ । (ହିତୋ. ୧୫:୨୩) ହୁଏତ ସେ କୌଣସି ଭାଇ କିମ୍ବା ଭଉଣୀଙ୍କ ଜରିଆରେ ସାହାଯ୍ୟ କରିବେ ଯେ ସେ ଆପଣଙ୍କ ପିଲା ପ୍ରତି ଧ୍ୟାନ ଦେବେ ଓ ତାଙ୍କ ଉତ୍ସାହ ବଢ଼ାଇବେ । ଯଦି ଆପଣଙ୍କ ପିଲା ଏବେ ଯିହୋବାଙ୍କ ସେବା କରୁନାହିଁ, ତେବେ ହାର୍‌ ମାନନ୍ତୁ ନାହିଁ । ଅନେକ ବର୍ଷ ପରେ ମଧ୍ୟ ଯିହୋବା ତାକୁ ସେସବୁ କଥା ମନେ ପକାଇପାରନ୍ତି, ଯାହା ଆପଣ ତାକୁ ଛୋଟ ବେଳେ ଶିଖାଇଥିଲେ । (ଯୋହ. ୧୪:୨୬) ତେଣୁ ନିଜ କଥା ଓ କାମ ଦ୍ୱାରା ନିଜ ପିଲାମାନଙ୍କୁ ଶିଖାଇବା ଜାରି ରଖନ୍ତୁ, ତେବେ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ନିଶ୍ଚୟ ଆଶିଷ ଦେବେ ।

୧୯. ମାଆମାନେ, ଆପଣ କାହିଁକି ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କ ଉପରେ ଖୁସି ଅଛନ୍ତି ?

୧୯ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, କାରଣ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି । ଆପଣଙ୍କ ପିଲାମାନେ ଯିହୋବାଙ୍କ ସେବା କରନ୍ତୁ ବା ନ କରନ୍ତୁ, ତଥାପି ଯିହୋବା ଆପଣଙ୍କୁ ପ୍ରେମ କରିବା ଜାରି ରଖିବେ । ଯଦି ଆପଣ ଏକା ନିଜ ପିଲାମାନଙ୍କ ଲାଳନପାଳନ କରୁଛନ୍ତି, ତେବେ ଯିହୋବା ପ୍ରତିଜ୍ଞା କରନ୍ତି ଯେ ସେ ଆପଣଙ୍କ ପିଲାମାନଙ୍କ ପିତା ହେବେ ଏବଂ ଆପଣଙ୍କ ଯତ୍ନ ନେବେ । (ଗୀତ. ୬୮:୫) ଆପଣଙ୍କ ପିଲାମାନେ ଯିହୋବାଙ୍କ ସେବା କରିବେ ନା ନାହିଁ, ଏହା ତାଙ୍କ ନିଷ୍ପତ୍ତି । ଆପଣ ସେମାନଙ୍କ ପାଇଁ ନିଷ୍ପତ୍ତି ନେଇପାରିବେ ନାହିଁ । କିନ୍ତୁ ଯଦି ଆପଣ ଯିହୋବାଙ୍କ ଉପରେ ଭରସା ରଖିବେ ଓ ନିଜ ପିଲାକୁ ଶିଖାଇବାରେ ପରିଶ୍ରମ କରୁଥିବେ, ତେବେ ଯିହୋବା ଖୁସି ହେବେ ଓ ଆପଣଙ୍କୁ ଆଶିଷ ଦେବେ ।

ଗୀତ ୧୩୪ ବଚ୍ଚେ ୟହୋୱା କୀ ଅମାନତ୍‌

a ଏହି ଲେଖାରେ ଆମେ ଜାଣିବା ଯେ ମାଆମାନେ ତୀମଥିଙ୍କ ମାଆ, ଇଉନୀକୀଙ୍କଠାରୁ କʼଣ ଶିଖିପାରିବେ । ଆଉ ନିଜ ପିଲାମାନଙ୍କୁ ବି ଯିହୋବାଙ୍କ ବିଷୟରେ କିପରି ଶିଖାଇପାରିବେ ।

b କିଛି ନାମ ବଦଳାଇ ଦିଆଯାଇଛି ।

c ଉଦାହରଣ ପାଇଁ, ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୫୦୧୫ ଅଗଷ୍ଟ, ୨୦୧୧ର ପ୍ରହରୀଦୁର୍ଗର (ହିନ୍ଦୀ) ୬-୭ ପୃଷ୍ଠାରେ ଦିଆଯାଇଥିବା ଲେଖା, “ପାରିବାରିକ ଉପାସନା ଓ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ପରାମର୍ଶ” ପଢ଼ନ୍ତୁ ।