इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୬

“ତୁମ୍ଭ ଭାଇ ପୁଣି ଉଠିବ” !

“ତୁମ୍ଭ ଭାଇ ପୁଣି ଉଠିବ” !

‘ଯୀଶୁ ମାର୍ଥାଙ୍କୁ କହିଲେ, “ତୁମ୍ଭ ଭାଇ ପୁଣି ଉଠିବ ।“’—ଯୋହ. ୧୧:୨୩.

ଗୀତ ୧୫୧ ୱହ୍‌ ଉନ୍‌ହେଁ ପୁକାରେଗା

ଲେଖାର ଝଲକ a

୧. ଜଣେ ପିଲା ଏପରି କʼଣ କହିଲା ଯେଉଁଥିରୁ ଜଣାପଡ଼େ ଯେ ତାକୁ ଯିହୋବାଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ ଅଛି ?

 ମାଥିଉ ନାମକ ଜଣେ ପିଲା ବହୁତ ରୋଗରେ ଅଛି । ତାʼର ଅନେକଗୁଡ଼ିଏ ଅପରେସନ୍‌ କରାଯାଇଛି । ଯେବେ ସେ ୭ ବର୍ଷର ଥିଲା, ତେବେ ସେ ଥରେ ନିଜ ପରିବାର ସହ ମିଶି jw ବ୍ରୋଡକାଷ୍ଟିଙ୍ଗ୍‌ ଦେଖୁଥିଲା । କାର୍ଯ୍ୟକ୍ରମର ଶେଷରେ ଗୀତର ଭାଗରେ ଦେଖାଯାଇଥିଲା ଯେ ନୂଆ ଦୁନିଆରେ ମୃତ ଲୋକମାନଙ୍କୁ ଜୀବିତ କରାଯିବ, ତେବେ ତାଙ୍କ ନିଜ ଲୋକମାନେ ତାଙ୍କୁ କିପରି ସ୍ୱାଗତ କରିବେ । b କାର୍ଯ୍ୟକ୍ରମ ଦେଖିବା ପରେ ମାଥିଉ ନିଜ ବାପାମାଆଙ୍କ ପାଖକୁ ଗଲା ଓ ସେମାନଙ୍କ ହାତ ଧରି କହିଲା, “ବାପାମାଆ ଦେଖିଲ, ଯଦି ମୁଁ ମରି ବି ଯାଏ, ଯିହୋବା ମୋତେ ଜୀବିତ କରିବେ । ଚିନ୍ତା କରିବନି, ମୋର ଅପେକ୍ଷା କରିବ । ସବୁକିଛି ଠିକ୍‌ ହୋଇଯିବ ।” ଭାବନ୍ତୁ, ଯେବେ ତାʼ ବାପାମାଆ ଏହା ଶୁଣିଥିବେ ଯେ ତାଙ୍କ ପୁଅକୁ ଯିହୋବାଙ୍କ ପ୍ରତିଜ୍ଞା ଉପରେ କେତେ ବିଶ୍ୱାସ ଅଛି, ତେବେ ତାଙ୍କୁ କିପରି ଲାଗିଥିବ ।

୨-୩. ଈଶ୍ୱର ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ସେବିଷୟରେ ଆମକୁ କାହିଁକି ଭାବିବା ଉଚିତ୍‌ ?

ଯିହୋବା ମୃତ ଲୋକମାନଙ୍କୁ ଜୀବିତ କରିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ଆମେ ସମସ୍ତେ ସେବିଷୟରେ ଭାବିବା ଉଚିତ୍‌ । (ଯୋହ. ୫:୨୮, ୨୯) କାରଣ ପରିସ୍ଥିତି କେବେ ବି ପରିବର୍ତ୍ତନ ହୋଇପାରେ । ହୁଏତ ଆଗକୁ ଯାଇ ଆମକୁ କୌଣସି ଗମ୍ଭୀର ରୋଗ ହୋଇଯିବ କିମ୍ବା ଆମ ପ୍ରିୟଜନମାନଙ୍କର ହଠାତ୍‌ ମୃତ୍ୟୁ ହୋଇଯିବ । (ଉପ. ୯:୧୧; ଯାକୁ. ୪:୧୩, ୧୪) ଏପରି ସମୟରେ ସେହି ଆଶା ଆମକୁ ସମ୍ଭାଳିବ । (୧ ଥେସ. ୪:୧୩) ବାଇବଲ ପଢ଼ି ଆମକୁ ଏହା ଭରସା ହୋଇଯାଏ ଯେ ଯିହୋବା ଆମକୁ ଭଲଭାବେ ଜାଣନ୍ତି ଓ ଆମକୁ ବହୁତ ପ୍ରେମ କରନ୍ତି । (ଲୂକ ୧୨:୭) ଭାବନ୍ତୁ ଯିହୋବା ମଣିଷମାନଙ୍କୁ କେତେ ଭଲଭାବେ ଜାଣୁଥିବେ, ତେଣୁ ଆମେ କହିପାରିବା ଯେ ଯେବେ ସେ ମୃତ ଲୋକମାନଙ୍କୁ ଜୀବିତ କରିବେ, ତେବେ ସେମାନଙ୍କ ବ୍ୟବହାର ସେପରି ଥିବ ଯେପରି ପୂର୍ବେ ଥିଲା ଓ ସେମାନଙ୍କୁ ପୂର୍ବ କଥା ସବୁ ମଧ୍ୟ ମନେଥିବ । ଯିହୋବା ଆମକୁ ବହୁତ ପ୍ରେମ କରନ୍ତି, ତେଣୁ ସେ ଆମକୁ ସବୁଦିନ ବଞ୍ଚିବାର ସୁଯୋଗ ଦେଇଛନ୍ତି ଓ ଯଦି ଆମ ମୃତ୍ୟୁ ବି ହୋଇଯାଏ, ତେବେ ସେ ଆମକୁ ଜୀବିତ କରିବେ ।

ଏହି ଲେଖାରେ ଆମେ ସବୁଠୁ ଆଗ ଏହା ଚର୍ଚ୍ଚା କରିବା ଯେ ଆମେ କାହିଁକି ବିଶ୍ୱାସ କରିପାରିବା ଯେ ଯିହୋବା ମୃତ ଲୋକମାନଙ୍କୁ ଜୀବିତ କରିବେ । ତାʼପରେ ଆମେ ବାଇବଲର ଗୋଟିଏ ଘଟଣା ଉପରେ ଧ୍ୟାନ ଦେବା, ଯେଉଁଥିରୁ ଆମ ବିଶ୍ୱାସ ବଢ଼ିବ । ଏହି ଲେଖାର ମୁଖ୍ୟ ବାକ୍ୟ ମଧ୍ୟ ସେହି ଘଟଣାରୁ ନିଆଯାଇଛି: “ତୁମ୍ଭ ଭାଇ ପୁଣି ଉଠିବ ।” (ଯୋହ. ୧୧:୨୩) ଶେଷରେ ଆମେ ଚର୍ଚ୍ଚା କରିବା ଯେ ଯିହୋବାଙ୍କ ପ୍ରତିଜ୍ଞା ସତରେ ପୂରା ହେବ ଏକଥା ଉପରେ ଆମେ ନିଜ ବିଶ୍ୱାସ କିପରି ବଢ଼ାଇପାରିବା ।

ଯିହୋବା ନିଜ ପ୍ରତିଜ୍ଞା ପୂରା କରିବେ ଏକଥା ଉପରେ ଆମେ କାହିଁକି ଭରସା ରଖିପାରିବା ?

୪. କାହାରି ପ୍ରତିଜ୍ଞା ଉପରେ ଭରସା କରିବା ପାଇଁ ଆମକୁ କେଉଁ କଥାର ବିଶ୍ୱାସ ହେବା ଉଚିତ୍‌ ? ଗୋଟିଏ ଉଦାହରଣ ଦିଅନ୍ତୁ ।

ଆମେ କାହାରି ପ୍ରତିଜ୍ଞା ଉପରେ ତେବେ ଭରସା କରିପାରିବା, ଯେବେ ଆମକୁ ଏହା ବିଶ୍ୱାସ ଥିବ ଯେ ସେ ନିଜ ପ୍ରତିଜ୍ଞାକୁ ପୂରା କରିବା ପାଇଁ ଚାହେଁ ଓ ଏପରି କରିବା ପାଇଁ ତାʼ ପାଖରେ ଶକ୍ତି କିମ୍ବା ଦକ୍ଷତା ଅଛି । ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ, ଗୋଟିଏ ବହୁତ ବଡ଼ ଝଡ଼ ତୋଫାନ ଆସିଛି ଯେଉଁଥିରେ ଆପଣଙ୍କ ଘର ନଷ୍ଟ ହୋଇଯାଇଛି । କିନ୍ତୁ ତାʼପରେ ଆପଣଙ୍କ ଜଣେ ସାଙ୍ଗ ଆପଣଙ୍କୁ ପ୍ରତିଜ୍ଞା କରେ, ‘ଏହି ଘରକୁ ମୁଁ ପୁଣିଥରେ ତିଆରି କରିବା ପାଇଁ ତମର ସାହାଯ୍ୟ କରିବି ।’ ସେ ଜଣେ ଭଲ ବ୍ୟକ୍ତି ଅଟେ ଓ ଆପଣଙ୍କୁ ବିଶ୍ୱାସ ଅଛି ଯେ ସେ ସତରେ ଆପଣଙ୍କ ସାହାଯ୍ୟ କରିବା ପାଇଁ ଚାହେଁ । ଯଦି ତାକୁ ଘର ତିଆରି କରିବା ଆସେ ଓ ତାʼ ପାଖରେ ଏହି କାମ କରିବା ପାଇଁ ସବୁ ସାମଗ୍ରୀ ମଧ୍ୟ ଅଛି, ତେବେ ତାʼ ଅର୍ଥ ତାʼ ପାଖରେ ଏପରି କରିବାର ଦକ୍ଷତା ମଧ୍ୟ ଅଛି । ତେଣୁ ଆପଣ ତାʼ ପ୍ରତିଜ୍ଞା ଉପରେ ପୂରା ଭରସା କରିବେ । ଈଶ୍ୱର ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରିବାର ଯେଉଁ ପ୍ରତିଜ୍ଞା କରିଛନ୍ତି ସେବିଷୟରେ ଆମେ କʼଣ ଭାବୁ ? କʼଣ ସେ ସତରେ ଏପରି କରିବା ପାଇଁ ଚାହାନ୍ତି ? କʼଣ ଏପରି କରିବାର ତାଙ୍କ ପାଖରେ ଶକ୍ତି ଅଛି ?

୫-୬. ଆମେ କାହିଁକି ବିଶ୍ୱାସ କରିପାରିବା ଯେ ଯିହୋବା ମୃତ ଲୋକମାନଙ୍କୁ ଜୀବିତ କରିବା ପାଇଁ ଚାହାନ୍ତି ?

ଯେଉଁ ଲୋକମାନଙ୍କର ମୃତ୍ୟୁ ହୋଇଯାଇଛି, କʼଣ ଯିହୋବା ସେମାନଙ୍କୁ ଜୀବିତ କରିବା ପାଇଁ ଚାହାନ୍ତି ? ନିଶ୍ଚୟ । ସେ ବାଇବଲର ଅନେକ ଲେଖକଙ୍କ ଜରିଆରେ ଏହା ଲେଖାଇଲେ ଯେ ସେ ଆଗକୁ ଯାଇ ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରିବେ । (ଯିଶା. ୨୬:୧୯; ହୋଶେ. ୧୩:୧୪; ପ୍ରକା. ୨୦:୧୧-୧୩) ଆଉ ଯିହୋବା ଯେବେ କୌଣସି ପ୍ରତିଜ୍ଞା କରନ୍ତି, ତେବେ ସେ ତାହାକୁ ସବୁବେଳେ ପୂରା କରନ୍ତି । (ଯିହୋ. ୨୩:୧୪) ସେ ଲୋକମାନଙ୍କୁ ଜୀବିତ କରିବା ପାଇଁ ବହୁତ ଉତ୍ସୁକ । ଆମେ ଏହା କାହିଁକି କହିପାରିବା ?

ଧ୍ୟାନ ଦିଅନ୍ତୁ ଯେ ଆୟୁବ କʼଣ କହିଥିଲେ । ତାଙ୍କୁ ପୂରା ବିଶ୍ୱାସ ଥିଲା ଯେ ଯଦି ତାଙ୍କ ମୃତ୍ୟୁ ବି ହୋଇଯିବ, ତେବେ ଯିହୋବା ତାଙ୍କୁ ପୁଣିଥରେ ଦେଖିବା ପାଇଁ ଉତ୍ସୁକ ହେବେ । ଯିହୋବା ନିଜର ସେହି ସେବକମାନଙ୍କୁ ମଧ୍ୟ ପୁଣିଥରେ ଜୀବିତ କରିବା ପାଇଁ ଉତ୍ସୁକ ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି । (ଆୟୁ. ୧୪:୧୪, ୧୫) ସେ ବହୁତ ଆଗ୍ରହର ସହ ସେହି ସମୟର ଅପେକ୍ଷା କରୁଛନ୍ତି ଯେବେ ସେ ସେମାନଙ୍କୁ ଜୀବିତ କରିବେ । ସେସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ସେମାନେ ଖୁସିରେ ବଞ୍ଚିବେ । କିନ୍ତୁ କʼଣ ଯିହୋବା ସେହି କୋଟି କୋଟି ଲୋକମାନଙ୍କୁ ବି ଜୀବିତ କରିବେ ଯେଉଁମାନେ ବଞ୍ଚିଥିବା ବେଳେ ଯିହୋବାଙ୍କୁ ଭଲଭାବେ ଜାଣି ନ ଥିଲେ ? ନିଶ୍ଚୟ । ଯିହୋବା ସେମାନଙ୍କୁ ମଧ୍ୟ ବହୁତ ପ୍ରେମ କରନ୍ତି ଓ ସେମାନଙ୍କୁ ଜୀବିତ କରିବା ପାଇଁ ଚାହାନ୍ତି । (ପ୍ରେରି. ୨୪:୧୫) ସେ ଚାହାନ୍ତି ଯେ ସେମାନେ ମଧ୍ୟ ତାଙ୍କ ସାଙ୍ଗ ହୁଅନ୍ତୁ ଓ ପୃଥିବୀରେ ସବୁଦିନ ଯାଏ ବଞ୍ଚନ୍ତୁ । (ଯୋହ. ୩:୧୬) ଏଥିରୁ ଜଣାପଡ଼େ ଯେ ଯିହୋବା ସତରେ ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରିବା ପାଇଁ ଚାହାନ୍ତି ।

୭-୮. ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବାଙ୍କ ପାଖରେ ମୃତ ଲୋକମାନଙ୍କୁ ଜୀବିତ କରିବାର ଶକ୍ତି ଅଛି ?

ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, କʼଣ ସେମାନଙ୍କୁ ଜୀବିତ କରିବା ପାଇଁ ଈଶ୍ୱରଙ୍କ ପାଖରେ ଶକ୍ତି ମଧ୍ୟ ଅଛି ? ନିଶ୍ଚୟ ! ସେ “ସର୍ବଶକ୍ତିମାନ” ଅଟନ୍ତି । (ପ୍ରକା. ୧:୮) ତାʼଅର୍ଥ ତାଙ୍କ ପାଖରେ ଏତେ ଶକ୍ତି ଅଛି ଯେ ସେ ନିଜ କୌଣସି ବି ଶତ୍ରୁକୁ ହରାଇପାରିବେ, ମୃତ୍ୟୁକୁ ମଧ୍ୟ । (୧ କରି. ୧୫:୨୬) ଏହାଜାଣି ଆମକୁ ବହୁତ ସାହସ ଓ ସାନ୍ତ୍ୱନା ମିଳେ । ଟିକେ ଭଉଣୀ ଏମା ଆର୍ନଲ୍ଡଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଓ ତାଙ୍କ ପରିବାର ଅନେକ ସମସ୍ୟାର ସାମନା କଲେ ଆଉ ନାଜି ଯାତନା ଶିବିରରେ ତାଙ୍କ ଅନେକ ପ୍ରିୟଜନଙ୍କ ମୃତ୍ୟୁ ବି ହୋଇଗଲା । ଥରେ ନିଜ ଝିଅକୁ ସାନ୍ତ୍ୱନା ଦେବା ସମୟରେ ଏମା କହିଲେ, “ଯଦି ମୃତ୍ୟୁ ମଣିଷକୁ ସବୁଦିନ ପାଇଁ ନିଜ କାବୁରେ ରଖିନିଏ, ତେବେ ସେ ଇଶ୍ୱରଙ୍କଠାରୁ ବି ଅଧିକ ଶକ୍ତିଶାଳୀ ଥିବ । କିନ୍ତୁ କʼଣ ଏପରି ହୋଇପାରିବ ?” ଯିହୋବାଙ୍କଠାରୁ ଶକ୍ତିଶାଳୀ ଆଉ କେହି ବି ନାହାନ୍ତି ! ଟିକେ ଭାବନ୍ତୁ, ଯେଉଁ ଈଶ୍ୱର ମଣିଷମାନଙ୍କୁ ଜୀବନ ଦେଇପାରନ୍ତି, କʼଣ ସେ ସେମାନଙ୍କୁ ପୁଣିଥରେ ଜୀବିତ କରିପାରିବେନି ?

ଆମେ ଆଉ କାହିଁକି ବିଶ୍ୱାସ ରଖିପାରିବା ଯେ ଯିହୋବା ଲୋକମାନଙ୍କୁ ଜୀବିତ କରିବେ ? କାରଣ ତାଙ୍କର ମନେ ରଖିବାର ଶକ୍ତି ବହୁତ ପ୍ରଖର ଅଛି । ସେ ପ୍ରତ୍ୟେକ ତାରାଗୁଡ଼ିକୁ ନାମ ନେଇ ଡାକନ୍ତି । (ଯିଶା. ୪୦:୨୬) ସେ ସେମାନଙ୍କୁ ବି ମନେରଖନ୍ତି ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି । (ଆୟୁ. ୧୪:୧୩; ଲୂକ ୨୦:୩୭, ୩୮) ସେ ଯେଉଁମାନଙ୍କୁ ଜୀବିତ କରିବେ, ସେମାନଙ୍କ ବିଷୟରେ ଛୋଟ ଛୋଟ କଥା ବି ମନେ ରଖିପାରନ୍ତି: ସେ କିପରି ଦେଖାଯାଉଥିଲେ, ତାଙ୍କ ବ୍ୟବହାର କିପରି ଥିଲା, ତାଙ୍କ ଜୀବନରେ କʼଣ କʼଣ ହୋଇଥିଲା, ତାଙ୍କ ସ୍ମୃତି, ସବୁକିଛି ।

୯. ଯିହୋବା ମୃତ ଲୋକମାନଙ୍କୁ ଜୀବିତ କରିବେ ଏକଥା ଉପରେ ଆପଣଙ୍କୁ କାହିଁକି ବିଶ୍ୱାସ ଅଛି ?

ଆମେ ଯିହୋବାଙ୍କ ଏହି ପ୍ରତିଜ୍ଞା ଉପରେ ପୂରା ଭରସା କରିପାରିବା ଯେ ସେ ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରିବେ । କାରଣ ସେ ସେମାନଙ୍କୁ ଜୀବିତ କରିବା ପାଇଁ ଚାହାନ୍ତି ଓ ତାଙ୍କ ପାଖରେ ଶକ୍ତି ମଧ୍ୟ ଅଛି । ଆଉ ଗୋଟିଏ କାରଣ ଯୋଗୁଁ ମଧ୍ୟ ଆମେ ତାଙ୍କ ପ୍ରତିଜ୍ଞା ଉପରେ ଭରସା କରିପାରିବା । ତାହା ହେଉଛି ଯେ ସେ ପୂର୍ବେ ବି ଲୋକମାନଙ୍କୁ ଜୀବିତ କରିଛନ୍ତି । ପ୍ରାଚୀନ ସମୟରେ ସେ ନିଜ କିଛି ସେବକମାନଙ୍କୁ ମୃତ ଲୋକମାନଙ୍କୁ ଜୀବିତ କରିବାର ଶକ୍ତି ଦେଲେ । ସେ ଯୀଶୁଙ୍କୁ ମଧ୍ୟ ଏପରି କରିବାର ଶକ୍ତି ଦେଲେ । ଏବେ ଆସନ୍ତୁ ଆମେ ଗୋଟିଏ ଏପରି ଘଟଣା ଉପରେ ଧ୍ୟାନ ଦେବା ଯେବେ ଯୀଶୁ ଜଣେ ବ୍ୟକ୍ତିଙ୍କୁ ଜୀବିତ କରିଥିଲେ । ଏହି ଘଟଣା ଯୋହନ ୧୧ ଅଧ୍ୟାୟରେ ଦିଆଯାଇଛି ।

ଯୀଶୁଙ୍କ ସାଙ୍ଗର ମୃତ୍ୟୁ

୧୦. ଯେବେ ଯୀଶୁ ଯର୍ଦ୍ଦନର ଆର ପାଖରେ ପ୍ରଚାର କରୁଥିଲେ, ତେବେ କʼଣ ହୁଏ ଓ ସେ କʼଣ କରନ୍ତି ? (ଯୋହନ ୧୧:୧-୩)

୧୦ ଯୋହନ ୧୧:୧-୩ ପଢ଼ନ୍ତୁ । ଟିକେ କଳ୍ପନା କରନ୍ତୁ: ୩୨ ଖ୍ରୀଷ୍ଟାବ୍ଦର ଶେଷ ସମୟ ଅଟେ । ଯୀଶୁଙ୍କ ଭଲ ସାଙ୍ଗ ଲାଜାର, ତାଙ୍କ ଭଉଣୀ ମରୀୟମ ଓ ମାର୍ଥା ବେଥନୀୟା ଗାଁରେ ରହନ୍ତି । (ଲୂକ ୧୦:୩୮-୪୨) ଲାଜାର ରୋଗରେ ପୀଡ଼ିତ ଅଛନ୍ତି ଓ ତାଙ୍କ ଭଉଣୀମାନଙ୍କୁ ଚିନ୍ତା ହେବାକୁ ଲାଗିଛି । ସେମାନେ ଯୀଶୁଙ୍କ ପାଖରେ ଖବର ପଠାନ୍ତି । ଏବେ ଯୀଶୁ ଯର୍ଦ୍ଦନର ଆର ପାଖରେ ଯେଉଁଠି ଅଛନ୍ତି, ବେଥନୀୟାରୁ ସେଠାକୁ ଚାଲିକି ଯିବା ପାଇଁ ପ୍ରାୟ ୨ ଦିନ ଲାଗେ । (ଯୋହ. ୧୦:୪୦) କିନ୍ତୁ ଦୁଃଖର କଥା, ଯେବେ ଯାଏ ଯୀଶୁଙ୍କ ପାଖରେ ଏହି ଖବର ପହଞ୍ଚେ, ଲାଜାରଙ୍କ ମୃତ୍ୟୁ ହୋଇଯାଇଥାଏ । ଯୀଶୁ ଜାଣିଛନ୍ତି ଯେ ତାଙ୍କ ସାଙ୍ଗର ମୃତ ହୋଇଯାଇଛି । କିନ୍ତୁ ସେ ଯେଉଁଠି ଥିଲେ, ସେଠାରେ ଆହୁରି ୨ ଦିନ ରହନ୍ତି ଓ ତାʼପରେ ବେଥନୀୟା ପାଇଁ ଚାଲିଯାଆନ୍ତି । ଯେବେ ଯାଏ ଯୀଶୁ ସେଠାରେ ପହଞ୍ଚନ୍ତି ଲାଜାରଙ୍କୁ ମୃତ୍ୟୁ ହେବାର ୪ ଦିନ ହୋଇଯାଇଥାଏ । କିନ୍ତୁ ଯୀଶୁ କିଛି ଏପରି କରିବାର ଭାବନ୍ତି ଯେଉଁଥିରୁ କେବଳ ତାଙ୍କ ସାଙ୍ଗମାନଙ୍କୁ ଲାଭ ହୁଅନ୍ତାନି, ବରଂ ସେଥିରୁ ଈଶ୍ୱରଙ୍କ ମଧ୍ୟ ମହିମା ହୁଅନ୍ତା ।—ଯୋହ. ୧୧:୪, ୬, ୧୧, ୧୭.

୧୧. ଏହି ଘଟଣାରୁ ଆମକୁ ସାଙ୍ଗ ହେବା ବିଷୟରେ କʼଣ ଶିକ୍ଷା ମିଳେ ?

୧୧ ଏହି ଘଟଣାରୁ ଆମକୁ ସାଙ୍ଗ ହେବା ବିଷୟରେ ଗୋଟିଏ ଭଲ ଶିକ୍ଷା ମିଳେ । ଧ୍ୟାନ ଦିଅନ୍ତୁ, ଯେବେ ମରୀୟମ ଓ ମାର୍ଥା ଯୀଶୁଙ୍କ ପାଖରେ ଖବର ପଠାଇଲେ, ତେବେ ସେମାନେ ତାଙ୍କୁ ଏହା କହିଲେନି ଯେ ସେ ବେଥନୀୟାକୁ ଆସନ୍ତୁ । ସେମାନେ କେବଳ ତାଙ୍କୁ କହିଲେ ଯେ ତାଙ୍କ ସାଙ୍ଗ ରୋଗରେ ପୀଡ଼ିତ ଅଛି । (ଯୋହ. ୧୧:୩) ଆଉ ଯେବେ ଲାଜରଙ୍କ ମୃତ୍ୟୁ ହେଲା, ତେବେ ଯୀଶୁ ଚାହିଁଥିଲେ ସେଠାରୁ ହିଁ ଲାଜାରଙ୍କୁ ଜୀବିତ କରିପାରିଥାନ୍ତେ, ତଥାପି ସେ ବେଥନୀୟା ଯିବା ପାଇଁ ନିଷ୍ପତ୍ତି ନେଲେ ଯାହାଦ୍ୱାରା ସେ ସେହି ଦୁଃଖର ସମୟରେ ମରୀୟମ ଓ ମାର୍ଥାଙ୍କ ସାଙ୍ଗରେ ରହନ୍ତେ । କʼଣ ଆପଣଙ୍କର ବି କୌଣସି ଏପରି ସାଙ୍ଗ ଅଛନ୍ତି ଯିଏ ଆପଣଙ୍କ କହିବା ପୂର୍ବରୁ ହିଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହନ୍ତି ? ଯଦି ହଁ, ତେବେ ଆପଣ ଜାଣନ୍ତି ଯେ ‘ଦୁର୍ଦ୍ଦଶା କାଳରେ’ ଆପଣ ତାଙ୍କ ଉପରେ ଭରସା କରିପାରିବେ । (ହିତୋ. ୧୭:୧୭) ତାହେଲେ କʼଣ ଆମେ ବି ଅନ୍ୟମାନଙ୍କ ପାଇଁ ଯୀଶୁଙ୍କ ଭଳି ସାଙ୍ଗ ହୋଇପାରିବା ? ଆସନ୍ତୁ ପୁଣିଥରେ ସେହି ଘଟଣା ଉପରେ ଧ୍ୟାନ ଦେବା ଓ ଦେଖିବା ଯେ ଆଗକୁ କʼଣ ହୁଏ ।

୧୨. ଯୀଶୁ ମାର୍ଥାଙ୍କୁ କʼଣ ପ୍ରତିଜ୍ଞା କରନ୍ତି ଓ ସେ ତାଙ୍କ କଥା ଉପରେ କାହିଁକି ବିଶ୍ୱାସ କରିପାରନ୍ତେ ? (ଯୋହନ ୧୧:୨୩-୨୬)

୧୨ ଯୋହନ ୧୧:୨୩-୨୬ ପଢ଼ନ୍ତୁ । ମାର୍ଥାଙ୍କୁ ଜଣାପଡ଼ିଲା ଯେ ଯୀଶୁ ବେଥନୀୟା ପାଖରେ ପହଞ୍ଚି ଯାଇଛନ୍ତି । ସେ ଦୌଡ଼ିକି ତାଙ୍କୁ ଭେଟିବା ପାଇଁ ଯାଆନ୍ତି ଓ କହନ୍ତି, “ପ୍ରଭୋ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥାʼନ୍ତା ।” (ଯୋହ. ୧୧:୨୧) ଏହା ସତ ଯେ ଯୀଶୁ ଯଦି ସେଠାରେ ଥାଆନ୍ତେ ତାହେଲେ ଲାଜାରଙ୍କୁ ଠିକ୍‌ କରିପାରିଥାନ୍ତେ । କିନ୍ତୁ ଯୀଶୁ କିଛି ଆହୁରି କରିବା ପାଇଁ ଚାହୁଁଛନ୍ତି ଯାହା କେହି ବି ଆଶା କରି ନ ଥିବେ । ସେ ମାର୍ଥାଙ୍କୁ ପ୍ରତିଜ୍ଞା କରନ୍ତି, “ତୁମ୍ଭ ଭାଇ ପୁଣି ଉଠିବ ।” ତାʼପରେ ନିଜ କଥା ଉପରେ ବିଶ୍ୱାସ କରାଇବା ପାଇଁ ତାଙ୍କୁ କହନ୍ତି, “ମୁଁ ପୁନରୁତ୍‌ଥାନ ଓ ଜୀବନ ।” ଯୀଶୁ ଏହା ଏଥିପାଇଁ କହିଲେ କାରଣ ଈଶ୍ୱର ମୃତ ଲୋକମାନଙ୍କୁ ଜୀବିତ କରିବା ପାଇଁ ତାଙ୍କୁ ଶକ୍ତି ଦେଇଛନ୍ତି । ଏହାଠୁ ପୂର୍ବେ ଯୀଶୁ ଗୋଟିଏ ଛୋଟ ଝିଅକୁ ତାʼ ମୃତ୍ୟୁର କିଛି ସମୟ ପରେ ହିଁ ଜୀବିତ କରିଥିଲେ । ଆଉ ସେ ଗୋଟିଏ ଯୁବା ଲୋକଙ୍କୁ ମଧ୍ୟ ହୁଏତ ସେହି ଦିନ ଜୀବିତ କରିଥିଲେ ଯେଉଁଦିନ ତାଙ୍କ ମୃତ୍ୟୁ ହୋଇଥିଲା । (ଲୂକ ୭:୧୧-୧୫; ୮:୪୯-୫୫) କିନ୍ତୁ ଲାଜାରଙ୍କ ମୃତ୍ୟୁ ହୋଇ ୪ ଦିନ ହୋଇଯାଇଛି ଓ ସେଥିରୁ ଦୁର୍ଗନ୍ଧ ବି ଆସୁଥିବ । କʼଣ ଯୀଶୁ ତାଙ୍କୁ ବି ଜୀବିତ କରିପାରିବେ ?

“ଲାଜାର, ବାହାରିଆସ ।”

ନିଜ ସାଙ୍ଗମାନଙ୍କୁ କାନ୍ଦିବାର ଦେଖି ଯୀଶୁଙ୍କ ହୃଦୟ ମଧ୍ୟ ଦୁଃଖରେ ଭରିଗଲା (ପାରାଗ୍ରାଫ ୧୩-୧୪)

୧୩. ଯେପରି ଯୋହନ ୧୧:୩୨-୩୫ ପଦରେ କୁହାଯାଇଛି, ଯେବେ ଯୀଶୁ ମରୀୟମ ଓ ଅନ୍ୟ ଲୋକମାନଙ୍କୁ କାନ୍ଦିବାର ଦେଖନ୍ତି, ତେବେ କʼଣ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ)

୧୩ ଯୋହନ ୧୧:୩୨-୩୫ ପଢ଼ନ୍ତୁ । ଏବେ ଲାଜାରଙ୍କ ଅନ୍ୟ ଭଉଣୀ ମରୀୟମ ମଧ୍ୟ ଯୀଶୁଙ୍କୁ ଭେଟିବା ପାଇଁ ଆସନ୍ତି । ମାର୍ଥାଙ୍କ ଭଳି ସେ ମଧ୍ୟ ଯୀଶୁଙ୍କୁ କହନ୍ତି, “ପ୍ରଭୋ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋʼ ଭାଇ ମରି ନ ଥାʼନ୍ତା ।” ମରୀୟମ ଓ ତାଙ୍କ ସାଙ୍ଗରେ ଆସିଥିବା ଅନ୍ୟ ଲୋକମାନେ ବହୁତ ଦୁଃଖି ଅଛନ୍ତି । ସେମାନଙ୍କୁ ଦେଖି ଓ ସେମାନଙ୍କ କାନ୍ଦିବା ଶୁଣି ଯୀଶୁ ମଧ୍ୟ ବହୁତ ଦୁଃଖି ହୋଇଗଲେ । ନିଜ ସାଙ୍ଗମାନଙ୍କ ପାଇଁ ତାଙ୍କ ହୃଦୟ ଏତେ କରୁଣାରେ ଭରିଯାଏ ଯେ ସେ ମଧ୍ୟ କାନ୍ଦି ପକାନ୍ତି । ଯୀଶୁ ଭଲଭାବେ ବୁଝନ୍ତି ଯେ ଯେତେବେଳେ ଆମ ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଏ, ସେସମୟରେ ଆମକୁ କିପରି ଲାଗେ । ସେ ନିଜ ସାଙ୍ଗମାନଙ୍କ ଦୁଃଖ ଦୂର କରିବା ପାଇଁ ବହୁତ ଉତ୍ସୁକ ଅଛନ୍ତି ।

୧୪. ମରୀୟମଙ୍କୁ କାନ୍ଦିବାର ଦେଖି ଯୀଶୁ ଯାହା କଲେ, ସେଥିରୁ ଆମକୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ ?

୧୪ ମରୀୟମଙ୍କୁ କାନ୍ଦିବାର ଦେଖି ଯୀଶୁ ଯାହା କଲେ, ସେଥିରୁ ଆମେ ଜାଣିପାରୁ ଯେ ଯିହୋବା ବହୁତ କରୁଣାମୟ ଈଶ୍ୱର ଅଟନ୍ତି । ଆମେ ଏପରି କାହିଁକି କହିପାରିବା ? ପୂର୍ବବର୍ତ୍ତୀ ଲେଖାରେ ଆମେ ଦେଖିଥିଲୁ ଯେ ଯୀଶୁ ପୂରାପୂରି ନିଜ ପିତାଙ୍କ ଭଳି ଭାବନ୍ତି ଓ ଅନୁଭବ କରନ୍ତି । (ଯୋହ. ୧୨:୪୫) ତେଣୁ ଯେବେ ଆମେ ପଢ଼ୁ ଯେ ଯୀଶୁ ନିଜ ସାଙ୍ଗମାନଙ୍କୁ କାନ୍ଦିବାର ଦେଖି ଦୟାରେ ବିଗଳିତ ହୋଇଗଲେ ଓ ସେ ବି କାନ୍ଦିବାକୁ ଲାଗିଲେ, ତେବେ ଆମେ ବୁଝିପାରୁ ଯେ ଯେବେ ଯିହୋବା ଆମ ଦୁଃଖ ଦେଖନ୍ତି, ତେବେ ତାଙ୍କୁ ମଧ୍ୟ ବହୁତ ଦୁଃଖ ଲାଗେ । (ଗୀତ. ୫୬:୮) କʼଣ ଏହାଜାଣି ଆପଣଙ୍କୁ ଯିହୋବାଙ୍କ ଆହୁରି ନିକଟତର ହେବା ପାଇଁ ଇଛା ହୁଏନି ?

ଯୀଶୁ ଦେଖାଇଲେ ଯେ ତାଙ୍କ ପାଖରେ ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରିବାର ଶକ୍ତି ଅଛି (ପାରାଗ୍ରାଫ ୧୫-୧୬)

୧୫. ଯୋହନ ୧୧:୪୧-୪୪ ପଦ ଅନୁସାରେ ଲାଜାରଙ୍କ କବର ପାଖରେ କʼଣ ହୁଏ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ଯୋହନ ୧୧:୪୧-୪୪ ପଢ଼ନ୍ତୁ । ଯୀଶୁ ଲାଜାରଙ୍କ କବର ପାଖକୁ ଯାନ୍ତି । ତାʼପରେ ସେ ସେହି ଗୁମ୍ଫାର ଆଗରେ ରଖାଯାଇଥିବା ପଥରକୁ ହଟାଇବା ପାଇଁ କହନ୍ତି । ମାର୍ଥା ଏହି କଥାରେ ରାଜି ହୁଅନ୍ତିନି ଓ କହନ୍ତି, ଏବେ ତ ସେଠାରୁ ଦୁର୍ଗନ୍ଧ ଆସୁଥିବ । ଯୀଶୁ କହନ୍ତି, “ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ ।” (ଯୋହ. ୧୧:୩୯, ୪୦) ତାʼପରେ ଯୀଶୁ ସ୍ୱର୍ଗ ଆଡ଼କୁ ଚାହିଁ ସମସ୍ତଙ୍କ ଆଗରେ ପ୍ରାର୍ଥନା କରନ୍ତି । କାରଣ ଯୀଶୁ ଏବେ ଯାହା କରିବାକୁ ଯାଉଛନ୍ତି ତାʼର ସବୁ ପ୍ରଶଂସା ସେ ଯିହୋବାଙ୍କୁ ଦେବାକୁ ଚାହାନ୍ତି । ତାʼପରେ ଯୀଶୁ ଜୋର୍‌ରେ ଡାକନ୍ତି, “ଲାଜାର, ବାହାରିଆସ” ତେବେ ଲାଜାର କବରରୁ ବାହାରି ଆସିଲେ । ହୁଏତ କିଛି ଲୋକ ଏପରି ହେବ ବୋଲି ସ୍ୱପ୍ନରେ ମଧ୍ୟ ଭାବି ନ ଥିବେ । c

୧୬. ଯୋହନ ୧୧ ଅଧ୍ୟାୟରେ ଦିଆଯାଇଥିବା ଘଟଣାରୁ ଆମ ବିଶ୍ୱାସ କିପରି ବଢ଼େ ଯେ ଯିହୋବା ମୃତ ଲୋକମାନଙ୍କୁ ଜୀବିତ କରିବେ ?

୧୬ ଯୋହନ ୧୧ ଅଧ୍ୟାୟରେ ଏବେ ଆମେ ଯାହା ପଢ଼ିଲୁ, ସେଥିରୁ ଏହି ପ୍ରତିଜ୍ଞା ଉପରେ ଆମ ଆହୁରି ବିଶ୍ୱାସ ବଢ଼େ ଯେ ଯିହୋବା ମୃତ ଲୋକମାନଙ୍କୁ ଜୀବିତ କରିବେ । ଧ୍ୟାନ ଦିଅନ୍ତୁ, ଯୀଶୁ ମାର୍ଥାଙ୍କୁ ପ୍ରତିଜ୍ଞା କରିଥିଲେ “ତୁମ୍ଭ ଭାଇ ପୁଣି ଉଠିବ ।” (ଯୋହ. ୧୧:୨୩) ନିଜ ପିତାଙ୍କ ଭଳି ଯୀଶୁ ମଧ୍ୟ ଏହି ପ୍ରତିଜ୍ଞାକୁ ପୂରା କରିବା ପାଇଁ ଚାହାନ୍ତି ଆଉ ଏପରି କରିବା ପାଇଁ ତାଙ୍କ ପାଖରେ ଶକ୍ତି ମଧ୍ୟ ଅଛି । ମନେପକାନ୍ତୁ, ଯେବେ ଯୀଶୁ ନିଜ ସାଙ୍ଗମାନଙ୍କୁ କାନ୍ଦିବାର ଦେଖିଲେ, ତେବେ ସେ ବି କାନ୍ଦିବାକୁ ଲାଗିଥିଲେ । ଏଥିରୁ ଜଣାପଡ଼େ ଯେ ସେ ଆମ ଦୁଃଖ ଦୂର କରିବା ଓ ଆମ ପ୍ରିୟଜନମାନଙ୍କୁ ପୁଣିଥରେ ଜୀବିତ କରିବା ପାଇଁ ବହୁତ ଉତ୍ସୁକ । ଆଉ ଲାଜାରଙ୍କୁ ଜୀବିତ କରି ଯୀଶୁ ପୁଣିଥରେ ଏହା ପ୍ରମାଣିତ କଲେ ଯେ ତାଙ୍କ ପାଖରେ ମୃତ ଲୋକଙ୍କୁ ଜୀବିତ କରିବାର ଶକ୍ତି ଅଛି । ଟିକେ ଏହା ବି ଭାବନ୍ତୁ ଯେ ଯୀଶୁ ମାର୍ଥାଙ୍କୁ କʼଣ ମନେ ପକାଇଥିଲେ, “ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ ।  (ଯୋହ. ୧୧:୪୦) ତେଣୁ ଆମେ ପୂରା ବିଶ୍ୱାସ କରିପାରିବା ଯେ ଯିହୋବା ଏହି ପ୍ରତିଜ୍ଞାକୁ ନିଶ୍ଚୟ ପୂରା କରିବେ । କିନ୍ତୁ ଏହି ପ୍ରତିଜ୍ଞା ଉପରେ ଆମେ ନିଜ ବିଶ୍ୱାସ କିପରି ବଢ଼ାଇପାରିବା ?

ଯିହୋବାଙ୍କ ପ୍ରତିଜ୍ଞା ଉପରେ କିପରି ବିଶ୍ୱାସ ବଢ଼ାଇବା ?

୧୭. ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରାଯିବାର ଘଟଣାଗୁଡ଼ିକ ପଢ଼ିବା ସମୟରେ ଆମେ କେଉଁ କଥାକୁ ଧ୍ୟାନରେ ରଖିବା ଉଚିତ୍‌ ?

୧୭ ମୃତ ଲୋକମାନଙ୍କୁ ଜୀବିତ କରାଯିବା ବିଷୟରେ ଘଟଣାଗୁଡ଼ିକ ପଢ଼ନ୍ତୁ ଓ ସେବିଷୟରେ ଚିନ୍ତନ କରନ୍ତୁ । ବାଇବଲରେ ଏପରି ୮ଟି ଘଟଣା ବିଷୟରେ କୁହାଯାଇଛି । d ଆପଣ ଚାହିଁଲେ ଏମଧ୍ୟରୁ ପ୍ରତ୍ୟେକ ଘଟଣା ବିଷୟରେ ଭଲଭାବେ ଅଧ୍ୟୟନ କରିପାରିବେ ! ଏପରି କରିବା ସମୟରେ ମନେରଖନ୍ତୁ ଯେ ଏହା କୌଣସି କାହାଣୀ ନୁହେଁ, ବରଂ ଏଠାରେ ଦିଆଯାଇଥିବା ପୁରୁଷ, ସ୍ତ୍ରୀ ଓ ପିଲାମାନେ ସତରେ ବଞ୍ଚିଥିଲେ । ଏହି ଘଟଣାଗୁଡ଼ିକୁ ଅଧ୍ୟୟନ କରିବା ସମୟରେ ଏହା ବି ଭାବନ୍ତୁ ଯେ ଆପଣ ଏଥିରୁ କʼଣ ଶିଖିପାରିବେ । ଆପଣ ଏବିଷୟରେ ବି ଭାବନ୍ତୁ ଯେ ଏଥିରୁ କିପରି ଜଣାପଡ଼େ ଯେ ଯିହୋବା ମୃତ ଲୋକଙ୍କୁ ଜୀବିତ କରିବା ପାଇଁ ଚାହାନ୍ତି ଓ ତାଙ୍କ ପାଖରେ ଏପରି କରିବାର ଶକ୍ତି ମଧ୍ୟ ଅଛି । ବିଶେଷ କରି ସେହି ଘଟଣା ବିଷୟରେ ଭାବନ୍ତୁ ଯେବେ ଯୀଶୁଙ୍କୁ ଜୀବିତ କରାଯାଇଥିଲା । ଏହା ବହୁତ ମହତ୍ତ୍ୱ ରଖେ । କʼଣ ଆପଣଙ୍କୁ ମନେଅଛି, ଜୀବିତ ହେବା ପରେ ଯୀଶୁଙ୍କୁ ହଜାର ହଜାର ଲୋକ ଦେଖିଥିଲେ । ଏଥିରୁ ଆମକୁ ମୃତ ବ୍ୟକ୍ତିଙ୍କୁ ଜୀବିତ କରିବାର ପ୍ରତିଜ୍ଞା ଉପରେ ବିଶ୍ୱାସ କରିବାର ପ୍ରମାଣ ମିଳେ ।—୧ କରି. ୧୫:୩-୬, ୨୦-୨୨.

୧୮. ଯେଉଁ ଗୀତଗୁଡ଼ିକରେ ମୃତ ଲୋକମାନଙ୍କୁ ଜୀବିତ କରାଯିବା ବିଷୟରେ କୁହାଯାଇଛି ଆପଣ ସେଥିରୁ ପୂରା ଲାଭ କିପରି ପାଇପାରିବେ ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୧୮ ଉପାସନା ସହ ଜଡ଼ିତ ସେହି ଗୀତଗୁଡ଼ିକୁ ଶୁଣନ୍ତୁ, ଗାଆନ୍ତୁ ଓ ସେବିଷୟରେ ଭାବନ୍ତୁ, ଯେଉଁଥିରେ ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରାଯିବା ବିଷୟରେ କୁହାଯାଇଛି ।  e (ଏଫି. ୫:୧୯) ଏହି ଗୀତଗୁଡ଼ିକରୁ ଆମେ ବୁଝିପାରିବା ଯେ ଯିହୋବା ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ଦିନେ ତାହା ନିଶ୍ଚୟ ପୂରା ହେବ ଏବଂ ଏହି ପ୍ରତିଜ୍ଞା ଉପରେ ଆମର ବିଶ୍ୱାସ ଆହୁରି ବଢ଼ିଯିବ । ତାହେଲେ ଏହି ଗୀତଗୁଡ଼ିକୁ ଶୁଣନ୍ତୁ ଓ ସେଗୁଡ଼ିକୁ ବାରମ୍ବାର ଗାଆନ୍ତୁ, ନିଜ ପାରିବାରିକ ଉପାସନାରେ ଏହି ଗୀତଗୁଡ଼ିକର ଶବ୍ଦଗୁଡ଼ିକ ଉପରେ ଚର୍ଚ୍ଚା କରନ୍ତୁ ଓ ତାʼଅର୍ଥ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଏହାର ଶବ୍ଦଗୁଡ଼ିକୁ ନିଜ ହୃଦୟରେ ଭଲଭାବେ ପୁରାନ୍ତୁ । ତାʼପରେ ଯଦି ଆପଣଙ୍କ ଆଗରେ ଏପରି କୌଣସି ସମସ୍ୟା ଆସେ ଯେ ଆପଣଙ୍କ ଜୀବନ ବିପଦରେ ପଡ଼ିଯାଏ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଏ, ତେବେ ଯିହୋବାଙ୍କ ପବିତ୍ର ଶକ୍ତି ଆପଣଙ୍କୁ ଏହି ଗୀତଗୁଡ଼ିକ ମନେପକାଇବ ଓ ଏଥିରୁ ଆପଣଙ୍କୁ ସାହସ ଓ ସାନ୍ତ୍ୱନା ମିଳିବ ।

୧୯. ଆମେ ସେସମୟ ବିଷୟରେ କʼଣ କʼଣ କଳ୍ପନା କରିପାରିବା ଯେବେ ମୃତ ଲୋକମାନଙ୍କୁ ଜୀବିତ କରାଯିବ ? (“ ଆପଣ ସେମାନଙ୍କୁ କʼଣ ପଚାରିବେ” ନାମକ ବକ୍ସ ଦେଖନ୍ତୁ ।)

୧୯ ନୂଆ ଦୁନିଆ ବିଷୟରେ କଳ୍ପନା କରନ୍ତୁ । ଯିହୋବା ଆମକୁ ଏପରି ସୃଷ୍ଟି କରିଛନ୍ତି ଯେ ଆମେ ସେବିଷୟରେ ବି ଭାବିପାରିବା ଯାହା ଏବେ ଯାଏ ହୋଇନି । ଜଣେ ଭଉଣୀ କହନ୍ତି, “ମୁଁ ପ୍ରାୟ ଏହା ଭାବେ ଯେ ମୁଁ ନୂଆ ଦୁନିଆରେ ପହଞ୍ଚିଯାଇଛି । ଅନେକଥର ମୋତେ ଏପରି ଲାଗେ ଯେ ମୁଁ ସେଠାରେ ଗୋଲାପ ଫୁଲର ସୁଗନ୍ଧ ନେଉଛି ।” ସେସମୟ ବିଷୟରେ ଭାବନ୍ତୁ ଯେବେ ଆପଣ ପ୍ରାଚୀନ ସମୟର ବିଶ୍ୱସ୍ତ ଲୋକମାନଙ୍କୁ ଭେଟିବେ । ଆପଣ କାହାକୁ ଭେଟିବା ପାଇଁ ଉତ୍ସୁକ ? ଆପଣ ତାଙ୍କୁ କେଉଁ ପ୍ରଶ୍ନ ପଚାରିବେ ? ଆପଣ ନିଜର ସେହି ପ୍ରିୟଜନମାନଙ୍କୁ ଭେଟିବା ପାଇଁ ଭାବନ୍ତୁ ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି । ଭାବନ୍ତୁ ଯେ ଯେବେ ଆପଣ ପ୍ରଥମ ଥର ତାଙ୍କୁ ଭେଟିବେ, ତେବେ କʼଣ କହିବେ ? କିପରି ପ୍ରେମର ସହ ତାଙ୍କୁ ଆଲିଙ୍ଗନ କରିବେ ଓ କିପରି ଆପଣଙ୍କ ଆଖିରେ ଖୁସିର ଲୁହ ଭରିଯିବ ।

୨୦. ଆମେ କʼଣ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ?

୨୦ ଆମେ ଯିହୋବାଙ୍କ ବହୁତ କୃତଜ୍ଞ । କାରଣ ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରିବେ । ଆମେ ପୂରା ଭରସା କରିପାରିବା ଯେ ସେ ନିଜ ପ୍ରତିଜ୍ଞା ପୂରା କରିବେ କାରଣ ଯିହୋବା ମୃତ ବ୍ୟକ୍ତିମାନଙ୍କୁ ଜୀବିତ କରିବା ପାଇଁ ଚାହାନ୍ତି ଏବଂ ତାଙ୍କ ପାଖରେ ଏପରି କରିବା ପାଇଁ ଶକ୍ତି ମଧ୍ୟ ଅଛି । ତେଣୁ ଆସନ୍ତୁ ଆମେ ଏହି ପ୍ରତିଜ୍ଞା ଉପରେ ନିଜ ବିଶ୍ୱାସ ଲଗାତାର ବଢ଼ାଇବା । ଏପରି ଭାବେ ଆମେ ଈଶ୍ୱରଙ୍କ ଆହୁରି ନିକଟବର୍ତ୍ତୀ ହୋଇପାରିବା ଯିଏ ଆମକୁ ପ୍ରତିଜ୍ଞା କରିଛନ୍ତି ‘ତୁମ୍ଭର ପ୍ରିୟଜନ ଜୀବିତ ହୋଇଯିବେ । 

ଗୀତ ୧୪୭ ହାମେସା କି ଜୀନ୍ଦଗି କା ୱାଦା

a କʼଣ ଆପଣଙ୍କ କେହି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଇଛି ? ଯଦି ହଁ, ତାହେଲେ ଯିହୋବା ତାଙ୍କୁ ଜୀବିତ କରିବା ପାଇଁ ଯେଉଁ ପ୍ରତିଜ୍ଞା କରିଛନ୍ତି ଏବିଷୟରେ ଭାବି ଆପଣଙ୍କୁ ସାନ୍ତ୍ୱନା ମିଳୁଥିବ । କିନ୍ତୁ ଆପଣ ଅନ୍ୟମାନଙ୍କୁ କିପରି କହିପାରିବେ ଯେ ଆପଣ ଏହି ପ୍ରତିଜ୍ଞା ଉପରେ ଭରସା କରନ୍ତି ? ଆଉ ଏହି ପ୍ରତିଜ୍ଞା ପ୍ରତି ଆପଣ ନିଜ ବିଶ୍ୱାସ କିପରି ବଢ଼ାଇପାରିବେ ? ଏହି ଲେଖାରେ ଆମେ ଏହା ହିଁ ଜାଣିବା । ଏଥିରୁ ଆମ ବିଶ୍ୱାସ ବଢ଼ିବ ଯେ ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ଯିହୋବା ସେମାନଙ୍କୁ ଜୀବିତ କରିବେ ।

b ଏହି ଗୀତର ନାମ ଅଟେ, ବସ୍‌ ଚାର୍‌ କଦମ୍‌ ଆଗେ ଯାହା ନଭେମ୍ବର ୨୦୧୬ ମସିହାର JW ବ୍ରୋଡକାଷ୍ଟିଙ୍ଗ୍‌ କାର୍ଯ୍ୟକ୍ରମରେ ଆସିଥିଲା ।

c ୧ ଜାନୁୟାରୀ, ୨୦୦୮ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “କ୍ୟାୟା ଆପ୍‌ ଜାନ୍‌ତେ ହୈଁ ?—ୟୀଶୁ କୋ ଲାଜାର କି କବ୍ର ପର୍‌ ପହୁଁଚନେ ମେଁ ଚାର୍‌ ଦିନ୍‌ କୌଁ ଲଗେ ?” ଦେଖନ୍ତୁ ।

e ଗୀତ ଗାଇ ଯିହୋବାଙ୍କ “ଜୟଜୟକାର କରନ୍ତୁ” ବହିର ଏହି ଗୀତଗୁଡ଼ିକ ଦେଖନ୍ତୁ, “ଯବ୍‌ ହୋଗେଁ ନଇ ଦୁନିଆ ମେଁ !” (ଗୀତ ୧୩୯), “ରଖୋ ତୁମ୍‌ ଇନାମ୍‌ ପେ ନଜର୍‌” (ଗୀତ ୧୪୪), ଓ “ୱହ୍‌ ଉନ୍‌ହେଁ ପୁକାରେଗା” (ଗୀତ ୧୫୧) । jw.org/hi ୱେବସାଇଟ୍‌ରେ ବ୍ରୋଡକାଷ୍ଟିଙ୍ଗ୍‌ର ଏହି ଗୀତଗୁଡ଼ିକୁ ଦେଖନ୍ତୁ: “ବସ୍‌ ଚାର୍‌ କଦମ୍‌ ଆଗେ,” “ଜବ୍‌ ଦୁନିୟା ହୋଗି ନଇ” ଓ “ଦେଖୋ ନା ।