इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୯

ନୂଆ ଦୁନିଆ​—ଯିହୋବାଙ୍କ ଏହି ପ୍ରତିଜ୍ଞା ଉପରେ କିପରି ବିଶ୍ୱାସ ବଢ଼ାଇପାରିବା ?

ନୂଆ ଦୁନିଆ​—ଯିହୋବାଙ୍କ ଏହି ପ୍ରତିଜ୍ଞା ଉପରେ କିପରି ବିଶ୍ୱାସ ବଢ଼ାଇପାରିବା ?

‘ଯିହୋବା ଯାହା କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ ?’—ଗଣ. ୨୩:୧୯.

ଗୀତ ୧୪୨ ଆଶା ସଞ୍ଜୋଏ ରଖେଁ

ଲେଖାର ଝଲକ a

୧-୨. ନୂଆ ଦୁନିଆର ଅପେକ୍ଷା କରିବା ସମୟରେ ଆମକୁ କʼଣ କରିବା ଜାରି ରଖିବାର ଅଛି ?

 ଯିହୋବା ଏହି ଦୁଷ୍ଟ ଦୁନିଆକୁ ବିନାଶ କରି ନୂଆ ଦୁନିଆ ଆଣିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ବହୁତ ମହତ୍ତ୍ୱ ରଖେ । (୨ ପିତ. ୩:୧୩) ଆମେ ଏହା ତ ଜାଣିନୁ ଯେ ନୂଆ ଦୁନିଆ ଠିକ୍‌ କେବେ ଆସିବ, କିନ୍ତୁ ପ୍ରମାଣ ଦେଖାଏ ଯେ ଆମକୁ ସେହି ଦିନ ପାଇଁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବନି ।—ମାଥି. ୨୪:୩୨-୩୪, ୩୬; ପ୍ରେରି. ୧:୭.

ଆମେ ଯେତେ ବର୍ଷରୁ ବି ସତ୍ୟରେ ଥାଉ ନା କାହିଁକି, ଯେବେ ଯାଏ ସେହି ଦିନ ଆସିନି, ଆମ ସମସ୍ତଙ୍କୁ ଏ ପ୍ରତିଜ୍ଞା ଉପରେ ନିଜର ବିଶ୍ୱାସ ବଢ଼ାଇବା ଜାରି ରଖିବାର ଅଛି । କାରଣ ଯଦି ଆମେ ଏପରି ନ କରୁ, ତାହେଲେ ଏହି ପ୍ରତିଜ୍ଞା ଉପରୁ ଆମ ଅତୁଟ ବିଶ୍ୱାସ ଦୁର୍ବଳ ହୋଇପାରେ । ଏପରିକି ପ୍ରେରିତ ପାଉଲ ବିଶ୍ୱାସର ଏହି ଅଭାବକୁ “ସହଜରେ ବେଷ୍ଟନକାରୀ ପାପ” ବୋଲି କହିଲେ, ଅର୍ଥାତ ଏପରି ପାପ ଯାହା ଆମକୁ ସହଜରେ ଫାନ୍ଦରେ ପକାଇପାରେ । (ଏବ୍ରୀ ୧୨:୧) ଆମେ ସମସ୍ତେ ଚାହୁଁ ଯେ ଆମ ବିଶ୍ୱାସ ଦୁର୍ବଳ ନ ହେଉ । ତେଣୁ ଏହା ବହୁତ ଜରୁରୀ ଯେ ଆମେ ସେହି ପ୍ରମାଣଗୁଡ଼ିକ ଉପରେ ଧ୍ୟାନ ଦେବା ଜାରି ରଖୁ, ଯେଉଁଥିରୁ ଏହାର ପ୍ରମାଣ ମିଳେ ଯେ ନୂଆ ଦୁନିଆ ଖୁବ୍‌ ଶୀଘ୍ର ଆସିବ ।—ଏବ୍ରୀ ୧୧:୧.

୩. ଏହି ଲେଖାରେ ଆମେ କʼଣ ଜାଣିବା ?

ଏହି ଲେଖାରେ ଆମେ ଏପରି ତିନୋଟି ଉପାୟ ଉପରେ ଆଲୋଚନା କରିବା ଯେଉଁଥିରୁ ନୂଆ ଦୁନିଆର ପ୍ରତିଜ୍ଞା ଉପରେ ଆମ ବିଶ୍ୱାସ ବଢ଼ିପାରେ । (୧) ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କରି, (୨) ଏକଥା ଉପରେ ଚିନ୍ତନ କରି ଯେ ଯିହୋବା କେତେ ଶକ୍ତିଶାଳୀ ଅଟନ୍ତି ଓ (୩) ଉପାସନା ସହ ଜଡ଼ିତ କାମରେ ଲାଗି ରହି । ଆମେ ଏହା ବି ଜାଣିବା ଯେ ଯିହୋବା ହବକ୍‌କୂକଙ୍କୁ ଯାହା କହିଥିଲେ, ସେଥିରୁ ଆଜି ଆମର କିପରି ବିଶ୍ୱାସ ବଢ଼େ । କିନ୍ତୁ ଆସନ୍ତୁ ପ୍ରଥମେ ଚର୍ଚ୍ଚା କରିବା ଯେ ଏପରି କେଉଁ କେଉଁ ପରିସ୍ଥିତି ହୋଇପାରେ ଯେବେ ନୂଆ ଦୁନିଆର ପ୍ରତିଜ୍ଞା ଉପରେ ଦୃଢ଼ ବିଶ୍ୱାସ ହେବା ବହୁତ ଜରୁରୀ ହୋଇଯାଏ । ହୁଏତ ଆପଣ ଏପରି ହିଁ କୌଣସି ପରିସ୍ଥିତିର ସାମନା କରୁଥିବେ ।

ଏପରି ପରିସ୍ଥିତି ଯେବେ ଦୃଢ଼ ବିଶ୍ୱାସ ହେବା ଜରୁରୀ

୪. କେଉଁ ଭଳି ନିଷ୍ପତ୍ତି ନେବା ପାଇଁ ଦୃଢ଼ ବିଶ୍ୱାସ ହେବା ଜରୁରୀ ?

ପ୍ରତିଦିନ ଆମକୁ ଏପରି ଅନେକ ନିଷ୍ପତ୍ତି ନେବାକୁ ପଡ଼େ ଯାହା ପାଇଁ ଦୃଢ଼ ବିଶ୍ୱାସ ହେବା ଜରୁରୀ । ଯେପରି ସାଙ୍ଗ, ମନୋରଞ୍ଜନ, ପାଠପଢ଼ା, ବିବାହ, ପିଲା ଓ ଚାକିରିର ମାମଲାରେ । ତେଣୁ ଆମେ ଭାବିବା ଉଚିତ୍‌, ‘କʼଣ ମୋ ନିଷ୍ପତ୍ତିରୁ ଏହା ଜଣାପଡ଼େ ଯେ ମୋତେ ଭରସା ଅଛି ଯେ ଏହି ଦୁନିଆ କେବଳ କିଛି ସମୟର ଅଟେ ଓ ଈଶ୍ୱର ଖୁବ୍‌ ଶୀଘ୍ର ନୂଆ ଦୁନିଆ ଆଣିବେ ? ନା ମୋ ନିଷ୍ପତ୍ତିରୁ ଏହା ଜଣାପଡ଼େ ଯେ ମୁଁ ଦୁନିଆର ଲୋକମାନଙ୍କ ଭଳି ଭାବେ, ଯେଉଁମାନେ କେବଳ ଆଜି ପାଇଁ ବଞ୍ଚନ୍ତି ?’ (ମାଥି. ୬:୧୯, ୨୦; ଲୂକ ୧୨:୧୬-୨୧) ଯଦି ଆମେ ଏକଥା ଉପରେ ନିଜ ବିଶ୍ୱାସ ବଢ଼ାଇବା ଯେ ନୂଆ ଦୁନିଆ ଖୁବ୍‌ ଶୀଘ୍ର ଆସିବ, ତେବେ ଆମେ ଭଲ ନିଷ୍ପତ୍ତି ନେଇପାରିବା ।

୫-୬. ସମସ୍ୟା ସମୟରେ ଦୃଢ଼ ବିଶ୍ୱାସ ହେବା କାହିଁକି ଜରୁରୀ ? ଉଦାହରଣ ଦେଇ ବୁଝାନ୍ତୁ ।

ଅନେକଥର ଆମକୁ ଏପରି ସମସ୍ୟାଗୁଡ଼ିକର ମଧ୍ୟ ସାମନା କରିବାକୁ ପଡ଼େ ଯାହା ପାଇଁ ଦୃଢ଼ ବିଶ୍ୱାସ ହେବା ବହୁତ ଜରୁରୀ ହୋଇଥାଏ । ଯେପରି ହୁଏତ ଆମ ଉପରେ ଅତ୍ୟାଚାର କରାଯାଏ, ଆମକୁ କୌଣସି ଏପରି ରୋଗ ହୋଇଯାଏ ଯାହା ଶୀଘ୍ର ଠିକ୍‌ ହୁଏନି, କିମ୍ବା ଆମ ଉପରେ କୌଣସି ଏପରି ସମସ୍ୟା ଆସେ ଯାହାଯୋଗୁଁ ଆମେ ନିରାଶ ହୋଇଯାଉ । ଆରମ୍ଭରେ ହୁଏତ ଆମେ ଏହି ସମସ୍ୟାର ସାମନା ଦୃଢ଼ ହୋଇ କରିଦେଉ, କିନ୍ତୁ ଯଦି ଏହିଭଳି କୌଣସି ସମସ୍ୟା ଲମ୍ବା ସମୟ ଯାଏ ରହେ, ତାହେଲେ ଦୃଢ଼ ବିଶ୍ୱାସ ବଜାୟ ରଖିବା ବହୁତ ଜରୁରୀ ହୋଇଯାଏ । କାରଣ ବିଶ୍ୱାସ ଥିଲେ ହିଁ ଆମେ ସେହି ସମସ୍ୟା ସମୟରେ ଧୈର୍ଯ୍ୟ ଧରିପାରିବା ଓ ଖୁସିର ସହ ଯିହୋବାଙ୍କର ସେବା କରିପାରିବା ।—ରୋମୀ. ୧୨:୧୨; ୧ ପିତ. ୧:୬, ୭.

ଯେବେ ଆମେ କୌଣସି ସମସ୍ୟାର ସାମନା କରୁଥାଉ, ତେବେ ହୁଏତ ଆମକୁ ଲାଗେ ଯେ ଜଣାନାହିଁ ନୂଆ ଦୁନିଆ କେବେ ଆସିବ । ତାହେଲେ କʼଣ ତାʼଅର୍ଥ ଏହା ଯେ ଆମ ବିଶ୍ୱାସ ଦୁର୍ବଳ ହୋଇଯାଇଛି ? ନୁହଁ, ଏପରି ଜରୁରୀ ନୁହେଁ । ଟିକେ ଏବିଷୟରେ ଭାବନ୍ତୁ । ଯେବେ ଶୀତ ଋତୁରେ ପ୍ରବଳ ଥଣ୍ଡା ପଡ଼େ, ତେବେ ହୁଏତ ଆମକୁ ଲାଗେ ଯେ ଜଣାନାହିଁ ଖରା ଦିନ କେବେ ଆସିବ । କିନ୍ତୁ ଆମେ ଜାଣୁ ଯେ ଖରା ଦିନ ଦିନେ ନା ଦିନେ ନିଶ୍ଚୟ ଆସିବ । ସେହିପରି, ଯେବେ ଆମେ ବହୁତ ନିରାଶ ହୋଇଯାଉ, ତେବେ ହୁଏତ ଆମକୁ ଲାଗିପାରେ ଯେ ଜଣାନାହିଁ ନୂଆ ଦୁନିଆ କେବେ ଆସିବ । କିନ୍ତୁ ଯଦି ଆମ ବିଶ୍ୱାସ ଦୃଢ଼ ଥିବ, ତେବେ ଆମକୁ ଭରସା ଥିବ ଯେ ଏହା ନିଶ୍ଚୟ ଆସିବ, କାରଣ ଏହା ଯିହୋବାଙ୍କର ପ୍ରତିଜ୍ଞା ଅଟେ । (ଗୀତ. ୯୪:୩, ୧୪, ୧୫; ଏବ୍ରୀ ୬:୧୭-୧୯) ଆଉ ଏହି ଭରସା ଥିଲେ ଆମେ ସବୁବେଳେ ଯିହୋବାଙ୍କ ଉପାସନାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ।

୭. ଆମକୁ କେଉଁ କଥା ଉପରେ ସନ୍ଦେହ କରିବା ଉଚିତ୍‌ ନୁହେଁ ?

ପ୍ରଚାର କାମ ଜାରି ରଖିବା ପାଇଁ ମଧ୍ୟ ଦୃଢ଼ ବିଶ୍ୱାସ ହେବା ବହୁତ ଜରୁରୀ । ତାହା କାହିଁକି ? କାରଣ ଯେବେ ଆମେ ଲୋକମାନଙ୍କୁ “ସୁସମାଚାର” ଶୁଣାଉ ଓ କହୁ ଯେ ଖୁବ୍‌ ଶୀଘ୍ର ଗୋଟିଏ ନୂଆ ଦୁନିଆ ଆସିବ, ତେବେ ଅନେକ ଲୋକଙ୍କୁ ଲାଗେ ଯେ ଏହା କେବଳ କାଳ୍ପନିକ କଥା ଅଟେ ଓ ଏପରି ହୋଇପାରିବନି । (ମାଥି. ୨୪:୧୪; ଯିହି. ୩୩:୩୨) କିନ୍ତୁ ଆମେ ଚାହୁଁନୁ ଯେ ଆମକୁ ମଧ୍ୟ ସେହି ଲୋକମାନଙ୍କ ଭଳି ଯିହୋବାଙ୍କ ପ୍ରତିଜ୍ଞା ଉପରେ ସନ୍ଦେହ ହେଉ । ତେଣୁ ଆମେ ନିଜ ବିଶ୍ୱାସକୁ ବଢ଼ାଇବା ଜାରି ରଖିବା ବହୁତ ଜରୁରୀ । ଆମେ ଏହା କିପରି କରିପାରିବା ? ଆସନ୍ତୁ ତିନୋଟି ଉପାୟ ଉପରେ ଧ୍ୟାନ ଦେବା ।

ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କରନ୍ତୁ

୮-୯. ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କଲେ ଆମ ବିଶ୍ୱାସ କିପରି ବଢ଼ିପାରେ ?

ନିଜ ବିଶ୍ୱାସ ଦୃଢ଼ କରିବାର ଗୋଟିଏ ଉପାୟ ହେଉଛି, ଯୀଶୁଙ୍କ ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କରିବା । ମୁକ୍ତିର ମୂଲ୍ୟ ଏକଥାର ଗ୍ୟାରେଣ୍ଟି ଅଟେ ଯେ ଈଶ୍ୱରଙ୍କ ପ୍ରତିଜ୍ଞା ନିଶ୍ଚୟ ପୂରା ହେବ । ଭାବନ୍ତୁ ଯିହୋବା କାହିଁକି ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ ଓ ତାʼପାଇଁ ସେ କʼଣ କʼଣ କଲେ । ଏପରି ଚିନ୍ତନ କଲେ ଆମର ଏହି ବିଶ୍ୱାସ ଆହୁରି ବଢ଼ିଯିବ ଯେ ଈଶ୍ୱର ପାରଦୀଶରେ ଅନନ୍ତ ଜୀବନର ଯେଉଁ ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚୟ ପୂରା ହେବ । ଆମେ ଏପରି କାହିଁକି କହିପାରିବା ?

ଟିକେ ଭାବନ୍ତୁ, ଯିହୋବା ମୁକ୍ତିର ମୂଲ୍ୟ ଦେବା ପାଇଁ କʼଣ କଲେ ? ସେ ନିଜ ପ୍ରଥମଜାତ ପୁଅକୁ ବହୁତ ପ୍ରେମ କରୁଥିଲେ । ସେ ତାଙ୍କର ସବୁଠୁ ପ୍ରିୟ ସାଙ୍ଗ ଥିଲେ । ତଥାପି ଯିହୋବା ତାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଜଣେ ମଣିଷ ରୂପରେ ପଠାଇଲେ । ଯେବେ ଯୀଶୁ ପୃଥିବୀରେ ଥିଲେ ତେବେ ସେ ଅନେକ ପ୍ରକାରର ସମସ୍ୟା ସହିଲେ  । ତାʼପରେ ତାଙ୍କୁ ନିର୍ଦ୍ଦୟୀ ଭାବେ ମାରିଦିଆଗଲା । ସତରେ ଯିହୋବା ଆମ ପାଇଁ କେତେ ବଡ଼ ମୂଲ୍ୟ ଦେଲେ । କʼଣ ଈଶ୍ୱର ଆମକୁ କେବଳ କିଛି ଦିନ ଖୁସିରେ ବଞ୍ଚିବା ପାଇଁ ଏତେ ବଡ଼ ବଳିଦାନ ଦେଲେ ? (ଯୋହ. ୩:୧୬; ୧ ପିତ. ୧:୧୮, ୧୯) ଯେବେ ଯିହୋବା ଆମ ପାଇଁ ଏତେ ବଡ଼ ମୂଲ୍ୟ ଦେଇଛନ୍ତି, ତାହେଲେ ସେ ନିଶ୍ଚୟ ନିଜ ପ୍ରତିଜ୍ଞା ପୂରା କରିବେ ଓ ଆମକୁ ପାରଦୀଶରେ ଅନନ୍ତ ଜୀବନ ଦେବେ ।

ଭାବନ୍ତୁ ଯେ ଯିହୋବା କେତେ ଶକ୍ତିଶାଳୀ ଅଟନ୍ତି

୧୦. ଏଫିସୀୟ ୩:୨୦ ପଦ ଅନୁସାରେ ଯିହୋବାଙ୍କ ପାଖରେ କେତେ ଶକ୍ତି ଅଛି ?

୧୦ ନିଜ ବିଶ୍ୱାସ ବଢ଼ାଇବାର ଦ୍ୱିତୀୟ ଉପାୟ ହେଉଛି, ଏବିଷୟରେ ଭାବିବା ଯେ ଯିହୋବା କେତେ ଶକ୍ତିଶାଳୀ ଅଟନ୍ତି । ତାଙ୍କ ପାଖରେ ଏତେ ଶକ୍ତି ଅଛି ଯେ ସେ ନିଜ ସବୁ ପ୍ରତିଜ୍ଞା ପୂରା କରିପାରିବେ । କିନ୍ତୁ ଯିହୋବା ନୂଆ ଦୁନିଆରେ ଆମକୁ ଯେଉଁ ଅନନ୍ତ ଜୀବନ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ସେଥିରୁ ଆମକୁ ତାଙ୍କ ବିଷୟରେ କʼଣ ଜଣାପଡ଼େ ? ଅନେକ ଲୋକଙ୍କୁ ଲାଗେ ଯେ ଏପରି କେବେ ବି ହୋଇପାରିବନି । କିନ୍ତୁ ମନେରଖନ୍ତୁ ଯିହୋବା ଅନେକ ସମୟରେ ଏପରି ପ୍ରତିଜ୍ଞାଗୁଡ଼ିକ କରନ୍ତି ଯାହା ମନୁଷ୍ୟ କେବେ ବି ପୂରା କରିପାରିବନି । ଯିହୋବା ସର୍ବଶକ୍ତିମାନ ଅଟନ୍ତି । (ଆୟୁ. ୪୨:୨; ମାର୍କ ୧୦:୨୭) ତେଣୁ ଯେବେ ବି ସେ ବଡ଼ ବଡ଼ ପ୍ରତିଜ୍ଞା କରନ୍ତି, ତେବେ ଆମକୁ ଆଶ୍ଚର୍ଯ୍ୟ ଲାଗେନି ।—ଏଫିସୀୟ ୩:୨୦ ପଢ଼ନ୍ତୁ ।

୧୧. ଯିହୋବାଙ୍କ ଗୋଟିଏ ଏପରି ପ୍ରତିଜ୍ଞା ବିଷୟରେ କହନ୍ତୁ, ଯାହା ପୂରା ହେବା ଅସମ୍ଭବ ଲାଗୁଥିଲା । (“ ଅସମ୍ଭବକୁ ସମ୍ଭବ କଲେ” ନାମକ ବକ୍ସ ଦେଖନ୍ତୁ ।)

୧୧ ଯିହୋବାଙ୍କ ଏପରି କିଛି ପ୍ରତିଜ୍ଞାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଯାହା ପୂରା ହେବା ଅସମ୍ଭବ ଲାଗୁଥିଲା । ଯେପରି ସେ ଅବ୍ରହାମ ଓ ସାରାକୁ କହିଥିଲେ ଯେ ସେମାନଙ୍କ ବୃଦ୍ଧାବସ୍ଥାରେ ଗୋଟିଏ ପୁଅ ଜନ୍ମ ହେବ । (ଆଦି. ୧୭:୧୫-୧୭) ସେ ଅବ୍ରହାମଙ୍କୁ ଏହା ବି କହିଥିଲେ ଯେ ତାଙ୍କ ବଂଶକୁ କିଣାନ ଦେଶ ଦିଆଯିବ । କିନ୍ତୁ ଅନେକ ବର୍ଷ ଯାଏ ଅବ୍ରହାମଙ୍କ ବଂଶ ଅର୍ଥାତ ଇସ୍ରାଏଲୀୟମାନେ ମିଶରରେ ଦାସ ଥିଲେ । ତେଣୁ ହୁଏତ ଲୋକମାନଙ୍କୁ ଲାଗିଥିବ ଯେ ଏହି ପ୍ରତିଜ୍ଞା କେବେ ବି ପୂରା ହେବନି । କିନ୍ତୁ ଯିହୋବା ନିଜ ଏହି ପ୍ରତିଜ୍ଞା ପୂରା କଲେ । ତାʼର ହଜାର ବର୍ଷ ପରେ ଯିହୋବା ଏଲୀଶାବେଥଙ୍କୁ ପ୍ରତିଜ୍ଞା କଲେ ଯେ ତାଙ୍କ ଗୋଟିଏ ପୁଅ ଜନ୍ମ ହେବ, ସେସମୟରେ ସେ ବୁଢ଼ି ହୋଇଯାଇଥିଲେ । ଯିହୋବା ମରୀୟମଙ୍କୁ ମଧ୍ୟ ଗୋଟିଏ ପ୍ରତିଜ୍ଞା କଲେ । ଏହା ସତ ଯେ ସେ କୁମାରୀ ଥିଲେ, କିନ୍ତୁ ଯିହୋବା ତାଙ୍କୁ କହିଲେ ଯେ ସେ ତାଙ୍କ ପୁଅକୁ ଜନ୍ମ ଦେବେ, ଯାହା ବିଷୟରେ ସେ ହଜାର ବର୍ଷ ପୂର୍ବେ ଏଦନ ଉଦ୍ୟାନରେ ପ୍ରତିଜ୍ଞା କରିଥିଲେ । ଯିହୋବା ନିଜ ଏହି ପ୍ରତିଜ୍ଞା ବି ପୂରା କଲେ !—ଆଦି. ୩:୧୫.

୧୨. ଯିହୋବା କେତେ ଶକ୍ତିଶାଳୀ ଅଟନ୍ତି ଏହା ଆମକୁ ଯିହୋଶୂୟ ୨୩:୧୪ ଓ ଯିଶାଇୟ ୫୫:୧୦, ୧୧ ପଦରୁ କିପରି ଜଣାପଡ଼େ ?

୧୨ ଯେବେ ଆମେ ଏବିଷୟରେ ଭାବୁ ଯେ ଈଶ୍ୱର କେଉଁ କେଉଁ ପ୍ରତିଜ୍ଞା କରିଛନ୍ତି ଓ ତାହାକୁ କିପରି ପୂରା କରିଛନ୍ତି, ତେବେ ଆମେ ବୁଝିପାରୁ ଯେ ଯିହୋବାଙ୍କ ପାଖରେ ଅଦ୍ଭୁତ ଶକ୍ତି ଅଛି । ଏଥିରୁ ଯିହୋବାଙ୍କ ଏହି ପ୍ରତିଜ୍ଞା ଉପରେ ଆମର ବିଶ୍ୱାସ ଆହୁରି ବଢ଼ିଯାଏ ଯେ ସେ ନୂଆ ଦୁନିଆ ନିଶ୍ଚୟ ଆଣିବେ । (ଯିହୋଶୂୟ ୨୩:୧୪; ଯିଶାଇୟ ୫୫:୧୦, ୧୧ ପଢ଼ନ୍ତୁ ।) ତେଣୁ ଆମେ ଅନ୍ୟମାନଙ୍କୁ ପୂରା ବିଶ୍ୱାସର ସହ କହିପାରୁ ଯେ ସେ ଯେଉଁ ନୂଆ ଦୁନିଆ ଆଣିବାର ପ୍ରତିଜ୍ଞା କରିଛନ୍ତି ତାହା କୌଣସି ସ୍ୱପ୍ନ ନୁହେଁ । ଯିହୋବା ନିଜେ ବି ନୂଆ ଆକାଶ ଓ ନୂଆ ପୃଥିବୀ ଆଣିବା ବିଷୟରେ କହିଛନ୍ତି ଯେ ଏହି କଥାଗୁଡ଼ିକ “ବିଶ୍ୱସନୀୟ ଓ ସତ୍ୟ” ଅଟେ ।—ପ୍ରକା. ୨୧:୧, ୫.

ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହନ୍ତୁ

ସଭାଗୁଡ଼ିକ

ଏସବୁରୁ ଆପଣଙ୍କ ବିଶ୍ୱାସ କିପରି ବଢ଼ିପାରେ ? (ପାରାଗ୍ରାଫ ୧୩)

୧୩. ସଭାଗୁଡ଼ିକରେ ଯାଇ ଆମ ବିଶ୍ୱାସ କିପରି ବଢ଼େ ? ବୁଝାନ୍ତୁ ।

୧୩ ନିଜ ବିଶ୍ୱାସ ବଢ଼ାଇବାର ତୃତୀୟ ଉପାୟ ହେଉଛି, ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହିବା । ଯେପରି, ଧ୍ୟାନ ଦିଅନ୍ତୁ ଯେ ସଭାଗୁଡ଼ିକରେ ଯିବା ଦ୍ୱାରା କିପରି ଆମ ବିଶ୍ୱାସ ବଢ଼ିଛି । ଭଉଣୀ ଏମାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯିଏ ଅନେକ ବର୍ଷରୁ ଅଲଗା ଅଲଗା ପ୍ରକାରର ପୂର୍ଣ୍ଣ ସମୟର ସେବା କରିଛନ୍ତି । ସେ କହନ୍ତି, “ସଭାଗୁଡ଼ିକରୁ ମୋର ବିଶ୍ୱାସ ଦୃଢ଼ ହୋଇରହେ । ଯଦିଓ ବକ୍ତା ସେତେ ଭଲଭାବେ ଶିଖାଇପାରୁ ନ ଥିବ ବା ସେ ଏପରି କୌଣିସି କଥା କହୁ ନ ଥିବ ଯାହା ମୁଁ ଜାଣେନି, ତଥାପି ମୋତେ କିଛି ନା କିଛି ଏପରି କଥା ଶୁଣିବାକୁ ମିଳେ ଯେଉଁଥିରୁ ବାଇବଲ ପ୍ରତି ମୋର ଜ୍ଞାନ ଆହୁରି ବଢ଼ିଯାଏ । ଆଉ ଏଥିରୁ ମୋ ବିଶ୍ୱାସ ଦୃଢ଼ ହୋଇଯାଏ ।” b କେବଳ ଏତିକି ନୁହେଁ ସଭାଗୁଡ଼ିକରେ ଅନ୍ୟ ଭାଇଭଉଣୀମାନଙ୍କ ଉତ୍ତର ଶୁଣି ମଧ୍ୟ ଆମ ବିଶ୍ୱାସ ବଢ଼େ ।—ରୋମୀ. ୧:୧୧, ୧୨; ୧୦:୧୭.

ପ୍ରଚାର କାମ

ଏସବୁରୁ ଆପଣଙ୍କ ବିଶ୍ୱାସ କିପରି ବଢ଼ିପାରେ ? (ପାରାଗ୍ରାଫ ୧୪)

୧୪. ପ୍ରଚାର କାମ କରିବା ଦ୍ୱାରା ଆମ ବିଶ୍ୱାସ କିପରି ବଢ଼େ ?

୧୪ ପ୍ରଚାର କାମ କରିବା ଦ୍ୱାରା ମଧ୍ୟ ଆମ ବିଶ୍ୱାସ ବଢ଼େ । (ଏବ୍ରୀ ୧୦:୨୩) ଭଉଣୀ ବାରବରା, ଯାହାଙ୍କୁ ଯିହୋବାଙ୍କ ସେବା କରିବାର ୭୦ ବର୍ଷରୁ ବି ଅଧିକ ହୋଇଯାଇଛି, କହନ୍ତି, “ମୁଁ ସବୁବେଳେ ଦେଖିଛି ଯେ ଯେବେ ମୁଁ ପ୍ରଚାର କରେ, ତେବେ ମୋ ବିଶ୍ୱାସ ବଢ଼ିଯାଏ । ଯେତେ ଅଧିକ ମୁଁ ଲୋକମାନଙ୍କୁ ଯିହୋବାଙ୍କ ବଢ଼ିଆ ପ୍ରତିଜ୍ଞାଗୁଡ଼ିକ ବିଷୟରେ କହେ, ସେତେ ଅଧିକ ମୋ ବିଶ୍ୱାସ ଦୃଢ଼ ହୋଇଯାଏ ।”

ବ୍ୟକ୍ତିଗତ ଅଧ୍ୟୟନ

ଏସବୁରୁ ଆପଣଙ୍କ ବିଶ୍ୱାସ କିପରି ବଢ଼ିପାରେ ? (ପାରାଗ୍ରାଫ ୧୫)

୧୫. ବ୍ୟକ୍ତିଗତ ଅଧ୍ୟୟନ କରିବା ଦ୍ୱାରା ଆମ ବିଶ୍ୱାସ କିପରି ବଢ଼େ । (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୫ ଆଉ ଗୋଟିଏ କଥାରୁ ଆମ ବିଶ୍ୱାସ ବଢ଼େ, ତାହା ହେଉଛି ବ୍ୟକ୍ତିଗତ ଅଧ୍ୟୟନ । ଭଉଣୀ ସୁଜନ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଗୋଟିଏ ସେଡ୍ୟୁଲ ପ୍ରସ୍ତୁତ କରିଛନ୍ତି । ଏଥିରୁ ତାଙ୍କୁ ବହୁତ ସାହାଯ୍ୟ ମିଳେ । ସେ କହନ୍ତି, “ପ୍ରତି ରବିବାର ଦିନ ହିଁ ମୁଁ ଆର ସପ୍ତାହର ପ୍ରହରୀଦୁର୍ଗ ଅଧ୍ୟୟନର ପ୍ରସ୍ତୁତି କରେ । ସୋମବାର ଓ ମଙ୍ଗଳବାର ଦିନ ମୁଁ ସପ୍ତାହର ମଝିରେ ହେଉଥିବା ସଭାର ପ୍ରସ୍ତୁତି କରେ । ଆଉ ବାକି ଦିନଗୁଡ଼ିକରେ ମୁଁ ଅଲଗା ଅଲଗା ବିଷୟଗୁଡ଼ିକ ଉପରେ ବ୍ୟକ୍ତିଗତ ଅଧ୍ୟୟନ କରେ ।” ଏପରି ଭାବେ ଗୋଟିଏ ସେଡ୍ୟୁଲ ପ୍ରସ୍ତୁତି କରିବା ଓ ତାʼ ଅନୁସାରେ ଚାଲିବା ଦ୍ୱାରା ଭଉଣୀ ସୁଜନ ନିଜ ବିଶ୍ୱାସ ବଢ଼ାଇପାରିଛନ୍ତି । ଭଉଣୀ ଆଇରିନ୍‌ ଅନେକ ବର୍ଷରୁ ବିଶ୍ୱ ମୁଖ୍ୟାଳୟରେ ସେବା କରୁଛନ୍ତି । ଭବିଷ୍ୟତବାଣୀଗୁଡ଼ିକର ଅଧ୍ୟୟନ କରିବା ଦ୍ୱାରା ତାଙ୍କ ବିଶ୍ୱାସ ବହୁତ ବଢ଼ିଯାଇଛି । ସେ କହନ୍ତି, “ଯେବେ ମୁଁ ପଢ଼େ ଯେ ଯିହୋବା ଯେଉଁ ଭବିଷ୍ୟତବାଣୀଗୁଡ଼ିକ କରିଥିଲେ, ତାʼର ଛୋଟରୁ ଛୋଟ କଥାଗୁଡ଼ିକ କିପରି ପୂରା ହୋଇଛି, ତେବେ ମୁଁ ଆଶ୍ଚର୍ଯ୍ୟ ହୋଇଯାଏ ।” c

‘ତାହା ଅବଶ୍ୟ ପୂରା ହେବ’

୧୬. ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ହବକ୍‌କୂକଙ୍କୁ ଯେଉଁ କଥା କହିଲେ, ତାହା ଆଜି ଆମ ପାଇଁ ମଧ୍ୟ ମହତ୍ତ୍ୱ ରଖେ ? (ଏବ୍ରୀ ୧୦:୩୬, ୩୭)

୧୬ ଯିହୋବାଙ୍କ କିଛି ସେବକ ଅନେକ ବର୍ଷରୁ ଏହି ଦୁନିଆର ବିନାଶର ଅପେକ୍ଷା କରୁଛନ୍ତି । ହୁଏତ ଅନେକ ଲୋକମାନଙ୍କୁ ଲାଗିବ ଯେ ବିନାଶ ଆସିବାରେ ଡେରି ହେଉଛି । ଯିହୋବା ଜାଣନ୍ତି ଯେ ଆମ ମଣିଷମାନଙ୍କୁ ଏପରି ଲାଗିପାରେ । ତେଣୁ ସେ ଭବିଷ୍ୟଦ୍‌ବକ୍ତା ହବକ୍‌କୂକଙ୍କୁ ଭରସା କରାଇଲେ, “ଏହି ଦର୍ଶନ ଏବେ ହେଁ ନିରୂପିତ କାଳର ଅପେକ୍ଷା ଓ ପରିଣାମର ଆକାଂକ୍ଷା କରେ ଓ ତାହା ମିଥ୍ୟା ହେବ ନାହିଁ; ତାହା ବିଳମ୍ବ ହେଲେ ହେଁ ତହିଁ ପାଇଁ ଅପେକ୍ଷା କର; କାରଣ ତାହା ଅବଶ୍ୟ ଘଟିବ, ବିଳମ୍ବ ହେବ ନାହିଁ ।” (ହବ. ୨:୩) ଯିହୋବା ହବକ୍‌କୂକଙ୍କୁ ଯାହା ଭରସା କରାଇଲେ, କʼଣ ସେଥିରୁ କେବଳ ତାଙ୍କୁ ହିଁ ଲାଭ ହେଲା ? ନା ଯିହୋବାଙ୍କ ସେହି କଥା ଆଜି ଆମ ପାଇଁ ମଧ୍ୟ ମହତ୍ତ୍ୱ ରଖେ ? ଈଶ୍ୱରଙ୍କ ପ୍ରେରଣାରୁ ପ୍ରେରିତ ପାଉଲ ଏହି କଥା ସେହି ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଲେଖିଲେ ଯେଉଁମାନେ ନୂଆ ଦୁନିଆର ଅପେକ୍ଷା କରୁଥିଲେ ଓ ଆଜି ଆମେ ବି ତାହାକୁ ଧ୍ୟାନରେ ରଖିପାରିବା । (ଏବ୍ରୀ ୧୦:୩୬, ୩୭ ପଢ଼ନ୍ତୁ ।) ତେଣୁ ଯଦି ଆମକୁ ବି କେବେ ଲାଗେ ଯେ ଯିହୋବା ନୂଆ ଦୁନିଆ ଆଣିବାରେ ଡେରି କରୁଛନ୍ତି, ତେବେ ବି ଆମେ ଭରସା ରଖିପାରିବା ଯେ “ତାହା ଅବଶ୍ୟ ଘଟିବ, ବିଳମ୍ବ ହେବ ନାହିଁ ।”

୧୭. ଯିହୋବା ହବକ୍‌କୂକଙ୍କୁ ଯେଉଁ ପରାମର୍ଶ ଦେଇଥିଲେ, ସେହି ପରାମର୍ଶକୁ ଜଣେ ଭଉଣୀ କିପରି ମାନିଲେ ?

୧୭ ଯିହୋବାଙ୍କର ଅନେକ ସେବକ ତାଙ୍କର ପରାମର୍ଶ ମାନିଛନ୍ତି ଓ ସେମାନେ “ଅପେକ୍ଷା” କରୁଛନ୍ତି । କିଛି ଲୋକ ଅନେକ ବର୍ଷରୁ ଏପରି କରୁଛନ୍ତି । ଭଉଣୀ ଲୁଇସ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ୧୯୩୯ ମସିହାରେ ଯିହୋବାଙ୍କ ସେବା କରିବା ଆରମ୍ଭ କରିଥିଲେ । ସେ କହନ୍ତି, “ସେସମୟରେ ମୋତେ ଲାଗୁଥିଲା ଯେ ମୋ ସ୍କୁଲର ପାଠପଢ଼ା ଶେଷ ହେଉ ହେଉ ହର୍ମିଗିଦ୍ଦୋନ୍‌ ଆସିଯିବ । କିନ୍ତୁ ଏପରି ହେଲା ନାହିଁ । ସମୟ ଗଡ଼ିବା ସହ ମୁଁ ବାଇବଲରୁ ଏପରି ଅନେକ ଲୋକମାନଙ୍କ ବିଷୟରେ ପଢ଼ିଲି ଯେଉଁମାନଙ୍କୁ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ପୂରା ହେବାର ଦେଖିବା ପାଇଁ ଅନେକ ବର୍ଷରୁ ଅପେକ୍ଷା ଥିଲା, ଯେପରି ନୋହ, ଅବ୍ରହାମ, ଯୋଷେଫ ଓ ଏପରି ହିଁ ଅନ୍ୟ ଲୋକମାନେ । ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ନିଶ୍ଚୟ ପୂରା ହେବ, ଏକଥା ଉପରେ ସବୁବେଳେ ଭରସା ରଖିବା ଦ୍ୱାରା ମୋତେ ଓ ଅନ୍ୟମାନଙ୍କୁ ବିଶ୍ୱାସ ହୋଇଯାଇଛି ଯେ ନୂଆ ଦୁନିଆ ଖୁବ୍‌ ଶୀଘ୍ର ଆସିବ ।” ଲମ୍ବା ସମୟରୁ ଯିହୋବାଙ୍କ ସେବା କରୁଥିବା, ଅନେକ ବିଶ୍ୱସ୍ତ ସେବକମାନେ ଭଉଣୀ ଲୁଇସ୍‌ଙ୍କ ଏକଥା ସହ ନିଶ୍ଚୟ ସହମତ ହେବେ !

୧୮. ସୃଷ୍ଟି ଉପରେ ଧ୍ୟାନ ଦେଲେ ଆମେ ନୂଆ ଦୁନିଆର ପ୍ରତିଜ୍ଞା ଉପରେ ନିଜ ବିଶ୍ୱାସ କିପରି ବଢ଼ାଇପାରିବା ?

୧୮ ଏହା ସତ ଯେ ନୂଆ ଦୁନିଆ ଏବେ ଯାଏ ଆସିନି, କିନ୍ତୁ ଟିକେ ଆମ ଆଖପାଖରେ ଥିବା ସୃଷ୍ଟି ଉପରେ ଧ୍ୟାନ ଦିଅନ୍ତୁ । ଯେପରି ତାରା, ଗଛଲତା, ପଶୁପକ୍ଷୀ ଓ ମଣିଷମାନଙ୍କ ଉପରେ । ଦିନେ ଏସବୁ ନ ଥିଲା, କିନ୍ତୁ ଆଜି କେହି ବି ଏଗୁଡ଼ିକର ଅସ୍ତିତ୍ୱ ଉପରେ ସନ୍ଦେହ କରନ୍ତି ନାହିଁ । ଆଜି ଏସବୁର ଅସ୍ତିତ୍ୱ ଅଛି, କାରଣ ଯିହୋବା ଈଶ୍ୱର ଏଗୁଡ଼ିକୁ ସୃଷ୍ଟି କରିଛନ୍ତି । (ଆଦି. ୧:୧, ୨୬, ୨୭) ଠିକ୍‌ ସେହିପରି, ଯିହୋବା ନିର୍ଦ୍ଧାରିତ କରିଛନ୍ତି ଯେ ସେ ନୂଆ ଦୁନିଆ ଆଣିବେ ଓ ସେ ଏହା ନିଶ୍ଚୟ କରିବେ । ସେସମୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ସମସ୍ତେ ସବୁଦିନ ପାଇଁ ବଞ୍ଚିବେ । ଆମକୁ ଭରସା ଅଛି ଯେ ଯିହୋବା ନିଜ ନିର୍ଦ୍ଧାରିତ ସମୟରେ ନୂଆ ଦୁନିଆ ନିଶ୍ଚୟ ଆଣିବେ । ସେସମୟରେ ତାହା ସେତେ ହିଁ ଅସଲ ଥିବ ଯେତେ ଆମ ଆଖପାଖରେ ଥିବା ସୃଷ୍ଟିର ଜିନିଷଗୁଡ଼ିକ ଅଛି ।—ଯିଶା. ୬୫:୧୭; ପ୍ରକା. ୨୧:୩, ୪.

୧୯. ଆପଣ ନିଜ ବିଶ୍ୱାସ ବଢ଼ାଇବା ପାଇଁ କʼଣ କରିପାରିବେ ?

୧୯ ଯେବେ ଯାଏ ନୂଆ ଦୁନିଆ ଆସିନି, ଆସନ୍ତୁ ଆମେ ସମସ୍ତେ ପ୍ରତି ସୁଯୋଗର ଲାଭ ଉଠାଇବା ଓ ନିଜ ବିଶ୍ୱାସକୁ ଲଗାତାର ବଢ଼ାଇବା । ସବୁବେଳେ ଏକଥା ପାଇଁ କୃତଜ୍ଞ ରହନ୍ତୁ ଯେ ଯିହୋବା ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ, ଏବିଷୟରେ ଭାବନ୍ତୁ ଯେ ସେ କେତେ ଶକ୍ତିଶାଳୀ ଅଟନ୍ତି ଓ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହନ୍ତୁ । ଏପରି କଲେ ଆପଣ ସେହି ଲୋକମାନଙ୍କ ପରି ହେବେ ‘ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ ହୁଅନ୍ତି ।’—ଏବ୍ରୀ ୬:୧୧, ୧୨; ରୋମୀ. ୫:୫.

ଗୀତ ୧୩୯ ଜାବ୍‌ ହୋଙ୍ଗେ ନଇ ଦୁନିଆ ମେଁ !

a ଈଶ୍ୱର ନୂଆ ଦୁନିଆ ଆଣିବା ବିଷୟରେ ଯେଉଁ ପ୍ରତିଜ୍ଞା କରିଛନ୍ତି, ତାʼ ଉପରେ ଅନେକ ଲୋକ ବିଶ୍ୱାସ କରନ୍ତିନି । ସେମାନଙ୍କୁ ଲାଗେ ଯେ ଏହା କେବଳ ସ୍ୱପ୍ନ ବା କାହାଣୀ ଅଟେ, ଏପରି କେବେ ବି ହୋଇପାରିବନି । କିନ୍ତୁ ଆମକୁ ପୂରା ବିଶ୍ୱାସ ଅଛି ଯେ ଯିହୋବା ଯାହା ପ୍ରତିଜ୍ଞା କରିଛନ୍ତି, ତାହାକୁ ସେ ନିଶ୍ଚୟ ପୂରା କରିବେ । ତଥାପି ଆମକୁ ନିଜର ଏହି ବିଶ୍ୱାସ ବଢ଼ାଇବା ଜାରି ରଖିବାର ଅଛି । ଏହି ଲେଖାରେ ଆମେ ଜାଣିବା ଯେ ଆମେ ଏହା କିପରି କରିପାରିବା ।

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

c ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ଉପରେ ଆହୁରି ଲେଖା ପଢ଼ିବା ପାଇଁ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ “ବାଇବଲ” ବିଷୟ ତଳେ ଦିଆଯାଇଥିବା ଉପଶୀର୍ଷକ “ଭବିଷ୍ୟତବାଣୀ” ଦେଖନ୍ତୁ । ଯେପରି, ଜାନୁଆରୀ-ମାର୍ଚ୍ଚ ୨୦୦୮ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ୟହୋୱା କା ୱଚନ ପତ୍‌ଥର୍‌ କି ଲାକିର ହୈ” ପଢ଼ନ୍ତୁ ।