इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୫

ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଆମେ କʼଣ ଶିଖିପାରିବା ?

ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଆମେ କʼଣ ଶିଖିପାରିବା ?

‘ସେ ମଙ୍ଗଳ ସାଧନ କରୁଥିଲେ ଓ ଲୋକଙ୍କୁ ସୁସ୍ଥ କରୁଥିଲେ ।’—ପ୍ରେରି. ୧୦:୩୮.

ଗୀତ ୧୩ ମାସିହ୍‌, ହାମାରା ଆଦର୍ଶ

ଲେଖାର ଝଲକ a

୧. ଯୀଶୁଙ୍କ ପ୍ରଥମ ଚମତ୍କାର ବିଷୟରେ କହନ୍ତୁ ?

 ୨୯ ଖ୍ରୀଷ୍ଟାବ୍ଦର କଥା, ପତ୍ରଝଡ଼ାର ସମୟ ଅଟେ । ଆଉ ଯୀଶୁ ଏବେ ଏବେ ନିଜ ସେବା ଆରମ୍ଭ କରିଛନ୍ତି । ତାଙ୍କୁ, ତାଙ୍କ ମାଆ ମରୀୟମ ଓ ତାଙ୍କ କିଛି ଶିଷ୍ୟମାନଙ୍କୁ ଗୋଟିଏ ବିବାହରେ ଡକାଯାଇଛି । ଏହି ବିବାହ କାନ୍ନା ନାମକ ଜାଗାରେ ରଖାଯାଇଛି, ଯାହା ଯୀଶୁଙ୍କ ସହର ନାଜରିତରୁ ଅଳ୍ପ କିଛି ଦୂରରେ ଅଛି । ମରୀୟମ ସେହି ପରିବାରକୁ ଭଲରେ ଜାଣନ୍ତି ଓ ସେ ହୁଏତ ଅତିଥିମାନଙ୍କ ସେବାରେ ଲାଗିଛନ୍ତି । କିନ୍ତୁ ସେହି ସମୟରେ ଗୋଟିଏ ସମସ୍ୟା ଉଠେ । ଦ୍ରାକ୍ଷାରସ କମ୍‌ ପଡ଼ିଯାଏ । b ହୁଏତ ଅତ୍ୟଧିକ ଅତିଥି ଆସିଯାଇଛନ୍ତି । ଯଦି କିଛି କରା ନ ଯାଏ, ତେବେ ବରକନ୍ୟା ଓ ତାଙ୍କ ପରିବାର ଲୋକକଙ୍କୁ ଲଜ୍ଜିତ ହେବାକୁ ପଡ଼ିପାରେ । ତେଣୁ ମରୀୟମ ତୁରନ୍ତ ନିଜ ପୁଅ ପାଖକୁ ଯାଆନ୍ତି ଓ କହନ୍ତି “ସେମାନଙ୍କର ଦ୍ରାକ୍ଷାରସ ନାହିଁ ।” (ଯୋହ. ୨:୧-୩) ତେବେ ଯୀଶୁ ଏପରି କିଛି କରନ୍ତି ଯାହାର କାହାକୁ ଆଶା ନ ଥିଲା । ସେ ଚମତ୍କାର କରି ପାଣିକୁ “ଭଲ ଦ୍ରାକ୍ଷାରସରେ” ପରିବର୍ତ୍ତନ କରିଦିଅନ୍ତି ।—ଯୋହ. ୨:୯, ୧୦.

୨-୩. (କ) ଯୀଶୁ ଆଉ କେଉଁ ଚମତ୍କାରଗୁଡ଼ିକ କଲେ ? (ଖ) ଆମେ ଯୀଶୁଙ୍କ ଚମତ୍କାରଗୁଡ଼ିକ ଉପରେ କାହିଁକି ଧ୍ୟାନ ଦେବା ଉଚିତ୍‌ ?

ଆଗକୁ ଯାଇ ଯୀଶୁ ଆହୁରି ଅନେକ ଚମତ୍କାର କଲେ । c ଏପରି ଭାବେ ସେ ହଜାର ହଜାର ଲୋକମାନଙ୍କୁ ସାହାଯ୍ୟ କଲେ । ଯେପରି ବାଇବଲରେ କୁହାଯାଇଛି ଯେ ଥରେ ସେ ୫,୦୦୦ ପୁରୁଷମାନଙ୍କୁ ଓ ଆଉଥରେ ୪,୦୦୦ ପୁରୁଷମାନଙ୍କୁ ଖାଇବାକୁ ଦେଲେ । ଯଦି ସେହି ପୁରୁଷମାନଙ୍କ ସହ ଆସିଥିବା ସ୍ତ୍ରୀ ଓ ପିଲାମାନଙ୍କୁ ଗଣନା କରାଯାଏ, ତେବେ ହୁଏତ ଯୀଶୁ ପ୍ରାୟ ୨୭,୦୦୦ ରୁ ବି ଅଧିକ ଲୋକମାନଙ୍କୁ ଖାଇବାକୁ ଦେଇଥିବେ । (ମାଥି. ୧୪:୧୫-୨୧; ୧୫:୩୨-୩୮) ସେହି ଦୁଇ ଘଟଣା ହେବା ସମୟରେ ଯୀଶୁ ଅନେକ ରୋଗୀଙ୍କୁ ମଧ୍ୟ ଠିକ୍‌ କଲେ । (ମାଥି. ୧୪:୧୪; ୧୫:୩୦, ୩୧) ଭାବନ୍ତୁ, ଯେବେ ଯୀଶୁ ଚମତ୍କାର କରି ଅନେକ ଲୋକଙ୍କୁ ଠିକ୍‌ କଲେ ଓ ଖାଇବାକୁ ଦେଲେ, ତେବେ ଏହା ଦେଖି ଲୋକମାନେ କେତେ ଆଶ୍ଚର୍ଯ୍ୟ ହୋଇଯାଇଥିବେ !

ଯୀଶୁଙ୍କ ଚମତ୍କାର ଆଜି ଆମ ପାଇଁ ବି ବହୁତ ମହତ୍ତ୍ୱ ରଖେ । ଏହି ଲେଖାରେ ଆମେ ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଏପରି କଥାଗୁଡ଼ିକ ଶିଖିବା ଯେଉଁଥିରୁ ଆମ ବିଶ୍ୱାସ ବଢ଼ିବ । ଆମେ ଏକଥା ଉପରେ ବି ଧ୍ୟାନ ଦେବା ଯେ ଯୀଶୁ ଚମତ୍କାର କରିବା ସମୟରେ କିପରି ନମ୍ରତା ଓ କରୁଣା ଦେଖାଇଲେ । ଆଉ ଏହା ବି ଜାଣିବା ଯେ ଆମେ ତାଙ୍କ ଭଳି କିପରି ହୋଇପାରିବା ।

ଯିହୋବା ଓ ଯୀଶୁଙ୍କ ବିଷୟରେ ଶିକ୍ଷା

୪. ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଆମେ କାହା ବିଷୟରେ ଶିଖିପାରିବା ?

ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଆମେ ଅନେକ କଥା ଶିଖିପାରିବା, ଯେଉଁଥିରୁ ଆମର ବିଶ୍ୱାସ ବଢ଼ିପାରେ । ଏଥିରୁ କେବଳ ଆମେ ଯୀଶୁଙ୍କ ବିଷୟରେ ନୁହେଁ, ବରଂ ଯିହୋବାଙ୍କ ବିଷୟରେ ମଧ୍ୟ ଅନେକ କଥା ଜାଣିପାରିବା । କାରଣ ଏହି ଚମତ୍କାର ଯୀଶୁ ନିଜ ପିତାଙ୍କ ସାହାଯ୍ୟରେ ହିଁ କରିପାରିଥିଲେ । ପ୍ରେରିତ ୧୦:୩୮ ପଦରେ ଲେଖାଅଛି, ‘ଈଶ୍ୱର ତାହାଙ୍କୁ ପବିତ୍ର ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ ।’ ଏହା ବି ମନେରଖନ୍ତୁ ଯେ ଯୀଶୁ ପୂରାପୂରି ନିଜ ପିତାଙ୍କ ଭଳି ଅଟନ୍ତି । ତେଣୁ ସେ ଯାହା କହିଲେ କିମ୍ବା କଲେ, ଆଉ ଯେଉଁ ଚମତ୍କାର କଲେ ସେଥିରୁ ଆମେ ଜାଣିପାରୁ ଯେ ଯିହୋବା କିପରି ଭାବନ୍ତି କିମ୍ବା କିପରି ଅନୁଭବ କରନ୍ତି । (ଯୋହ. ୧୪:୯) ଆସନ୍ତୁ ଏପରି ତିନୋଟି କଥା ଉପରେ ଧ୍ୟାନ ଦେବା ଯାହା ଆମେ ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଶିଖିପାରିବା ।

୫. ଯୀଶୁ କେଉଁ କାରଣ ଯୋଗୁଁ ଚମତ୍କାର କଲେ ? (ମାଥିଉ ୨୦:୩୦-୩୪)

ପ୍ରଥମ ଶିକ୍ଷା: ଯିହୋବା ଓ ଯୀଶୁ ଆମକୁ ବହୁତ ପ୍ରେମ କରନ୍ତି । ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ ତାଙ୍କ କାମଗୁଡ଼ିକରୁ ଜଣାପଡ଼ିଲା ଯେ ସେ ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି । ପ୍ରେମ ଯୋଗୁଁ ହିଁ ସେ ଚମତ୍କାର କରି ଲୋକମାନଙ୍କ କଷ୍ଟଗୁଡ଼ିକୁ ଦୂର କଲେ । ଥରେ ଦୁଇଜଣ ଅନ୍ଧ ବ୍ୟକ୍ତି ସାହାଯ୍ୟ ପାଇଁ ତାଙ୍କୁ ଉଚ୍ଚ ସ୍ୱରରେ ଡାକିଲେ । (ମାଥିଉ ୨୦:୩୦-୩୪ ପଢ଼ନ୍ତୁ ।) ସେମାନଙ୍କୁ ଦେଖି ଯୀଶୁ “ଦୟାରେ ବିଗଳିତ” ହେଲେ ଓ ସେମାନଙ୍କୁ ସେ ଠିକ୍‌ କଲେ । ଏଠାରେ ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ଦୟାରେ ବିଗଳିତ” କରାଯାଇଛି, ତାʼର ଅର୍ଥ ହେଉଛି, କାହାରି ପାଇଁ କରୁଣାରେ ଭରିଯିବା । ଯୀଶୁଙ୍କ ହୃଦୟରେ ଲୋକମାନଙ୍କ ପାଇଁ କରୁଣା ଏଥିପାଇଁ ଥିଲା କାରଣ ସେ ଲୋକମାନଙ୍କୁ ପ୍ରେମ କରୁଥିଲେ । ଏହି କରୁଣା ଯୋଗୁଁ ସେ ଲୋକମାନଙ୍କୁ ଖାଇବାକୁ ଦେଲେ ଓ ଥରେ ଜଣେ କୁଷ୍ଠ ରୋଗୀକୁ ଠିକ୍‌ କଲେ । (ମାଥି. ୧୫:୩୨; ମାର୍କ ୧:୪୧) ଏଥରୁ ଆମେ ଭରସା ରଖିପାରିବା ଯେ “ସ୍ନେହପୂର୍ଣ୍ଣ କରୁଣା” କରୁଥିବା ଈଶ୍ୱର ଯିହୋବା ଓ ତାଙ୍କ ପୁତ୍ର ଯୀଶୁ ଆମକୁ ବହୁତ ପ୍ରେମ କରନ୍ତି ଓ ଆମକୁ କଷ୍ଟରେ ଦେଖି ସେମାନଙ୍କୁ ବି କଷ୍ଟ ହୁଏ । (ଲୂକ ୧:୭୮; ୧ ପିତ. ୫:୭) ଯିହୋବା ଓ ଯୀଶୁ ବହୁତ ଆଗ୍ରହର ସହ ସେହି ଦିନର ଅପେକ୍ଷା କରୁଛନ୍ତି, ଯେବେ ସେମାନେ ସମସ୍ତ ମଣିଷମାନଙ୍କ କଷ୍ଟକୁ ସବୁଦିନ ପାଇଁ ଦୂର କରିଦେବେ ।

୬. ଯିହୋବା ଯୀଶୁଙ୍କୁ କେତେ ଶକ୍ତି ଦେଇଛନ୍ତି ?

ଦ୍ୱିତୀୟ ଶିକ୍ଷା: ଯିହୋବା ଯୀଶୁଙ୍କୁ ସମସ୍ତ ମଣିଷମାନଙ୍କ ସମସ୍ୟାଗୁଡ଼ିକୁ ଦୂର କରିବାର ଶକ୍ତି ଦେଇଛନ୍ତି । ଯୀଶୁ ଯେଉଁ ଚମତ୍କାର କଲେ ସେଥିରୁ ଜଣାପଡ଼େ ଯେ ସେ ଏପରି ସମସ୍ୟାଗୁଡ଼ିକୁ ବି ଦୂର କରିପାରିବେ, ଯାହାକୁ ମଣିଷମାନେ ନିଜେ ଦୂର କରିପାରିବେ ନାହିଁ । ଯେପରିକି ତାଙ୍କ ପାଖରେ ଏତେ ଶକ୍ତି ଅଛି ଯେ ସେ ରୋଗ ଓ ମୃତ୍ୟୁକୁ ସବୁଦିନ ପାଇଁ ଶେଷ କରିପାରିବେ । ଏପରିକି ପାପକୁ ମଧ୍ୟ ପୂରାପୂରି ନଷ୍ଟ କରିପାରିବେ ଯାହା ସବୁ ସମସ୍ୟାର କାରଣ ଅଟେ । (ମାଥି. ୯:୧-୬; ରୋମୀ. ୫:୧୨, ୧୮, ୧୯) ସେ ଚମତ୍କାର କରି ଦେଖାଇଲେ ଯେ ସେ “ସମସ୍ତ ପ୍ରକାର” ରୋଗ ଦୂର କରିପାରିବେ ଓ ଯେଉଁ ଲୋକମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ବି ଜୀବିତ କରିପାରିବେ । (ମାଥି. ୪:୨୩; ଯୋହ. ୧୧:୪୩, ୪୪) ତାଙ୍କ ପାଖରେ ଝଡ଼ ତୋଫାନକୁ ବି କାବୁ କରିବାର ଶକ୍ତି ଅଛି ଓ ତାଙ୍କ ଆଗରେ ଦୁଷ୍ଟ ସ୍ୱର୍ଗଦୂତମାନେ ମଧ୍ୟ ହାର୍‌ ମାନନ୍ତି । (ମାର୍କ ୪:୩୭-୩୯; ଲୂକ ୮:୨) ଏହା ଦେଖି ଆମର ବହୁତ ଉତ୍ସାହ ବଢ଼େ ଯେ ଯିହୋବା ନିଜ ପୁତ୍ରଙ୍କୁ ଏତେ କିଛି କରିବାର ଶକ୍ତି ଦେଇଛନ୍ତି ।

୭-୮. (କ) ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଆମକୁ କେଉଁ କଥାର ଭରସା ହୋଇଯାଏ ? (ଖ) ଆପଣ ନୂଆ ଦୂନିଆରେ କେଉଁ ଚମତ୍କାର ଦେଖିବାକୁ ଉତ୍ସୁକ ଅଛନ୍ତି ?

ତୃତୀୟ ଶିକ୍ଷା: ଆମେ ପୂରା ଭରସା ରଖିପାରିବା ଯେ ଈଶ୍ୱର ନିଜ ରାଜ୍ୟରେ ଯେଉଁ ଆଶିଷଗୁଡ଼ିକ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ତାହା ଆମକୁ ନିଶ୍ଚୟ ମିଳିବ । ଯୀଶୁ ପୃଥିବୀରେ ରହିବା ସମୟରେ ଯେଉଁ ଚମତ୍କାର କରିଥିଲେ ସେଥିରୁ ଜଣାପଡ଼େ ଯେ ଯେବେ ସେ ଭବିଷ୍ୟତରେ ରାଜା ହେବେ, ତେବେ ବହୁତ ମାତ୍ରାରେ ସେ ଏହା କରିବେ । ଟିକେ ଭାବନ୍ତୁ ସେ ସମୟରେ କିପରି ପରିସ୍ଥିତି ହେବ: ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ କାରଣ ଯୀଶୁ ସବୁ ପ୍ରକାର ରୋଗ ଓ ଶାରୀରିକ ଦୁର୍ବଳତାଗୁଡ଼ିକୁ ଦୂର କରିବେ । (ଯିଶା. ୩୩:୨୪; ୩୫:୫, ୬; ପ୍ରକା. ୨୧:୩, ୪) ତାʼପରେ କେହି ବି ଭୋକରେ ରହିବେନି, ପ୍ରାକୃତିକ ବିପତ୍ତିଗୁଡ଼ିକ ସାମନା କରିବାକୁ ପଡ଼ିବନି । (ଯିଶା. ୨୫:୬; ମାର୍କ ୪:୪୧) ଆମ ପ୍ରିୟଜନ ଯେଉଁମାନେ “ସମାଧିସ୍ଥ” ବା ସ୍ମାରକ କବରରେ ଅଛନ୍ତି ସେମାନଙ୍କୁ ଆମେ ପୁଣିଥରେ ଭେଟିପାରିବା । (ଯୋହ. ୫:୨୮, ୨୯) ଆପଣ ନୂଆ ଦୂନିଆରେ କେଉଁ ଚମତ୍କାର ଦେଖିବା ପାଇଁ ଉତ୍ସୁକ ?

ଯେବେ ଯୀଶୁ ଚମତ୍କାର କଲେ, ତେବେ ସେ ଦେଖାଇଲେ ଯେ ସେ ବହୁତ ନମ୍ର ଅଟନ୍ତି ଓ ଲୋକମାନଙ୍କ ପାଇଁ ତାଙ୍କ ଭିତରେ କରୁଣାର ଭାବନା ଅଛି । ଏହା ଏପରି ଗୁଣ ଅଟେ ଯାହା ଆମ ସମସ୍ତଙ୍କୁ ନିଜ ଭିତରେ ବଢ଼ାଇବା ଉଚିତ୍‌ । ଆସନ୍ତୁ ଯୀଶୁଙ୍କ ଦୁଇ ଚମତ୍କାର ଉପରେ ଧ୍ୟାନ ଦେବା । ସବୁଠୁ ଆଗ ଆମେ ସେହି ଚମତ୍କାର ଉପରେ ଧ୍ୟାନ ଦେବା ଯାହା ସେ କାନ୍ନାରେ ବିବାହ ଘରେ କରିଥିଲେ ।

ନମ୍ର ହେବା ଶିଖନ୍ତୁ

୯. ଯୀଶୁ ବିବାହ ଘରେ ଚମତ୍କାର କାହିଁକି କଲେ ? (ଯୋହନ ୨:୬-୧୦)

ଯୋହନ ୨:୬-୧୦ ପଢ଼ନ୍ତୁ । ଯେବେ ବିବାହ ଘରେ ଦ୍ରାକ୍ଷାରସ ଶେଷ ହୋଇଗଲା, ତେବେ କʼଣ ଯୀଶୁଙ୍କୁ କୌଣସି ଚମତ୍କାର କରିବା ଜରୁରୀ ଥିଲା ? ନା । ଖ୍ରୀଷ୍ଟଙ୍କ ବିଷୟରେ ଏପରି କୌଣସି ଭବିଷ୍ୟତବାଣୀ କରାଯାଇ ନ ଥିଲା ଯେ ସେ ଚମତ୍କାର କରି ଦ୍ରାକ୍ଷାରସ ପ୍ରସ୍ତୁତ କରିବେ । କିନ୍ତୁ ଭାବନ୍ତୁ ଯଦି ଆପଣଙ୍କ ବାହା ଘର ଥାଏ ଓ ଆପଣ ନିଜ ଅତିଥିମାନଙ୍କ ଖାଇବା ପିଇବା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ କୌଣସି ତ୍ରୁଟି ରହିଯାଏ, ତେବେ ଆପଣଙ୍କୁ କିପରି ଲାଗିବ ? ଯୀଶୁ ସେହି ପରିବାରର, ବିଶେଷ କରି ବରକନ୍ୟା ବିଷୟରେ ଭାବିଲେ । ସେ ଚାହୁଁ ନ ଥିଲେ ଯେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ୁ । ତାଙ୍କୁ ସେମାନଙ୍କ ଉପରେ ଦୟା ଆସିଲା ଓ ସେ ତାଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ, ତେଣୁ ସେ ଗୋଟିଏ ଚମତ୍କାର କଲେ । ସେ ପ୍ରାୟ ୩୯୦ ଲିଟର (୧୦୩ ଗେଲନ୍‌) ପାଣିକୁ ଭଲ ଦ୍ରାକ୍ଷାରସରେ ପରିବର୍ତ୍ତନ କଲେ । କିନ୍ତୁ ସେ ଏତେ ମାତ୍ରାରେ ଦ୍ରାକ୍ଷାରସ କାହିଁକି ପ୍ରସ୍ତୁତ କଲେ ? ହୁଏତ ସେ ଭାବିଥିବେ ଯେ ବଳି ଯାଇଥିବା ଦ୍ରାକ୍ଷାରସ ଆଗକୁ ଯାଇ ସେମାନଙ୍କ କିଛି କାମରେ ଆସିବ ବା ତାହାକୁ ବିକ୍ରି କରି ବରକନ୍ୟା କିଛି ପଇସା ରୋଜଗାର କରିପାରିବେ । ସେହି ଚମତ୍କାରରୁ ବରକନ୍ୟାଙ୍କୁ ବହୁତ ସାହାଯ୍ୟ ମିଳିଥିବ ।

ଯୀଶୁଙ୍କ ଭଳି ହୁଅନ୍ତୁ, ନିଜ ସଫଳତାଗୁଡ଼ିକ ବିଷୟରେ ପ୍ରଶଂସା କରନ୍ତୁ ନାହିଁ (ପାରାଗ୍ରାଫ ୧୦-୧୧) e

୧୦. ଯୋହନ ୨ ଅଧ୍ୟାୟରେ ଯେଉଁ ଘଟଣା ବିଷୟରେ କୁହାଯାଇଛି, ତାʼର କିଛି କଥାଗୁଡ଼ିକ ବିଷୟରେ କହନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଯୋହନ ୨ ଅଧ୍ୟାୟରେ ଯେଉଁ ଘଟଣା ବିଷୟରେ କୁହାଯାଇଛି, ଆସନ୍ତୁ ସେଥିର କିଛି କଥାଗୁଡ଼ିକ ଉପରେ ଧ୍ୟାନ ଦେବା । କʼଣ ଆପଣ ଧ୍ୟାନ ଦେଲେ ଯେ ପଥରର ସେହି ମାଠିଆଗୁଡ଼ିକରେ ଯୀଶୁ ନିଜେ ପାଣି ଭର୍ତ୍ତି କଲେନି, ବରଂ ସେବକମାନଙ୍କୁ ଏପରି କରିବା ପାଇଁ କହିଲେ, ଯାହାଦ୍ୱାରା ଲୋକମାନଙ୍କ ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷିତ ନ ହେଉ । (ପଦ ୬, ୭) ଆଉ ପାଣିକୁ ଦ୍ରାକ୍ଷାରସରେ ପରିବର୍ତ୍ତନ କରିବା ପରେ ସେ ନିଜେ ବିବାହ ଘରେ ଦେଖାରେଖା କରୁଥିବା ବ୍ୟକ୍ତିଙ୍କ ପାଖରେ ନେଇକି ଗଲେନି, ବରଂ ସେବକମାନଙ୍କୁ ପଠାଇଲେ । (ପଦ ୮) ଆଉ ସେ ଦ୍ରାକ୍ଷାରସକୁ ନେଇ ସମସ୍ତ ଅତିଥିମାନଙ୍କ ସାମନାରେ ନିଜର ପ୍ରସଂସା କଲେନି, ଆଉ ଏପରି କହିଲେନି, ‘ମୁଁ ଏହାକୁ ଏବେ ଏବେ ପ୍ରସ୍ତୁତ କରିଛି ଟିକେ ଚାଖିକି ତ ଦେଖ !’

୧୧. ଆମେ ଯୀଶୁଙ୍କ ଚମତ୍କାରରୁ କʼଣ ଶିଖିପାରିବା ?

୧୧ ଯୀଶୁଙ୍କ ଏହି ଚମତ୍କାରରୁ ଆମେ କʼଣ ଶିଖିପାରିବା ? ଏହା ଯେ ଆମକୁ ନମ୍ର ରହିବା ଉଚିତ୍‌, ଯୀଶୁ ଏହି ଚମତ୍କାରକୁ ନେଇ ନିଜର ପ୍ରଶଂସା କଲେନି । ପ୍ରକୃତରେ ସେ ଯାହା ବି କାମ କଲେ ତାʼପାଇଁ ସେ କେବେ ବି ନିଜର ପ୍ରଶଂସା କଲେନି, କାରଣ ସେ ନମ୍ର ଥିଲେ । ଆଉ ସେ ଯାହା କରୁଥିଲେ ତାʼର ପ୍ରଶଂସା ଓ ମହିମା ସେ ନିଜ ପିତାଙ୍କୁ ଦେଉଥିଲେ । (ଯୋହ. ୫:୧୯, ୩୦; ୮:୨୮) ଆମକୁ ବି ଯୀଶୁଙ୍କ ଭଳି ନମ୍ର ରହିବା ଉଚିତ୍‌ ଓ ନିଜ ସଫଳତାଗୁଡ଼ିକ ବିଷୟରେ ପ୍ରଶଂସା କରିବା ଉଚିତ୍‌ ନୁହେଁ । ଆମେ ଯିହୋବା ଓ ତାଙ୍କ ଲୋକମାନଙ୍କ ପାଇଁ ଯାହା କରୁ, ସେବିଷୟରେ ନିଜର ପ୍ରଶଂସା କରିବା ପରିବର୍ତ୍ତେ ଆସନ୍ତୁ ଆମେ ଏକଥା ପାଇଁ ଗର୍ବ ଅନୁଭବ କରିବା ଯେ ଆମକୁ ମହାନ ଈଶ୍ୱରଙ୍କ ସେବା କରିବାର ସମ୍ମାନ ମିଳିଛି । (ଯିରି. ୯:୨୩, ୨୪) ଆସନ୍ତୁ ଆମେ ନିଜ କାମର ପ୍ରଶଂସା ଯିହୋବାଙ୍କୁ ଦେଉ, କାରଣ ତାଙ୍କ ସାହାଯ୍ୟ ବିନା ଆମେ କିଛି ବି କରିପାରିବାନି ।—୧ କରି. ୧:୨୬-୩୧.

୧୨. ଆମେ ଆଉ କିଭଳି ଭାବେ ଯୀଶୁଙ୍କ ପରି ନମ୍ର ହୋଇପାରିବା ? ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ।

୧୨ ଯୀଶୁଙ୍କ ଭଳି ନମ୍ର ରହିବାର ଆଉ ଗୋଟିଏ ଉପାୟ ଅଛି । ଟିକେ କଳ୍ପନା କରନ୍ତୁ, ଜଣେ ଯୁବା ସହାୟକ ସେବକଙ୍କୁ ପ୍ରଥମ ଥର ମଣ୍ଡଳୀରେ ଭାଷଣ ଦେବାର ଅଛି । ଜଣେ ପ୍ରାଚୀନ ତାଙ୍କୁ ଭାଷଣ ପ୍ରସ୍ତୁତ କରିବା ପାଇଁ ବହୁତ ସାହାଯ୍ୟ କରନ୍ତି । ତେଣୁ ସେହି ଭାଇ ମଣ୍ଡଳୀରେ ବହୁତ ଭଲ ଭାଷଣ ଦିଅନ୍ତି ଓ ମଣ୍ଡଳୀରେ ସମସ୍ତଙ୍କୁ ବହୁତ ଭଲ ଲାଗେ । ସଭା ପରେ କେହି ସେହି ପ୍ରାଚୀନଙ୍କ ପାଖକୁ ଆସି କହନ୍ତି, ‘ସେହି ଭାଇ ବହୁତ ଭଲ ଭାଷଣ ଦେଲେ ।’ କʼଣ ଏବେ ପ୍ରାଚୀନଙ୍କୁ ଏପରି କହିବା ଉଚିତ୍‌, ‘ମୋତେ ତାଙ୍କୁ ବହୁତ ସାହାଯ୍ୟ କରିବାକୁ ପଡ଼ିଲା’ ? କିମ୍ବା ତାଙ୍କୁ ନମ୍ର ହେବା ଉଚିତ୍‌ ଆଉ ଏପରି କହିବା ଉଚିତ୍‌, ‘ସତରେ ସେ ଭାଇ ବହୁତ ଭଲ ଭାଷଣ ଦେଲେ ?’ ଯେବେ ଆମେ ନମ୍ର ରହୁ, ତେବେ ଆମେ ଅନ୍ୟମାନଙ୍କ ପାଇଁ ଯେଉଁ ଭଲ କାମଗୁଡ଼ିକ କରିଛୁ ତାହାର ପ୍ରଶଂସା ନିଜେ ନେଇ ନ ଥାଉ । ଆମକୁ ଏହାଜାଣି ଖୁସି ହୁଏ ଯେ ଆମେ ଅନ୍ୟମାନଙ୍କ ପାଇଁ ଯାହା କରୁ, ତାହା ଯିହୋବା ଦେଖନ୍ତି ଓ ତାʼପାଇଁ ସେ କୃତଜ୍ଞ ମନେକରନ୍ତି । (ମାଥି. ୬:୨-୪ ସହ ତୁଳନା କରନ୍ତୁ; ଏବ୍ରୀ ୧୩:୧୬) ସତରେ ଯେବେ ଆମେ ଯୀଶୁଙ୍କ ଭଳି ନମ୍ର ରହୁ, ତେବେ ଏଥିରୁ ଯିହୋବା ବହୁତ ଖୁସି ହୁଅନ୍ତି ।—୧ ପିତ. ୫:୬.

କରୁଣା ଦେଖାଇବା ଶିଖନ୍ତୁ

୧୩. ନାଇନ ସହର ପାଖରେ ଯୀଶୁ କʼଣ ଦେଖନ୍ତି ଓ ତାʼପରେ ସେ କʼଣ କରନ୍ତି ? (ଲୂକ ୭:୧୧-୧୫)

୧୩ ଲୂକ ୭:୧୧-୧୫ ପଢ଼ନ୍ତୁ । ଟିକେ ଏହି ଘଟଣା ଉପରେ କଳ୍ପନା କରିବା ପାଇଁ ଚେଷ୍ଟା କରନ୍ତୁ । ଯୀଶୁଙ୍କୁ ପୃଥିବୀରେ ସେବା କରିବାର ପ୍ରାୟ ଦୁଇ ବର୍ଷ ହୋଇଯାଇଛି । ସେ ଗାଲିଲୀରୁ ନାଇନ ସହରକୁ ଯାଉଛନ୍ତି । ଏହା ଶୁନେମୀୟାରୁ ଅଳ୍ପ କିଛି ଦୂରରେ ଅଛି, ଯେଉଁଠି ପ୍ରାୟ ୯୦୦ ବର୍ଷ ପୂର୍ବେ ଭବିଷ୍ୟଦ୍‌ବକ୍ତା ଇଲୀଶାୟ ଜଣେ ସ୍ତ୍ରୀର ପୁଅକୁ ଜୀବିତ କରିଥିଲେ । (୨ ରାଜା. ୪:୩୨-୩୭) ଯୀଶୁ ସହରର ଫାଟକ ପାଖକୁ ପହଞ୍ଚିବା ମାତ୍ରେ ଦେଖନ୍ତି ଯେ ସହରରୁ ଗୋଟିଏ ଶବକୁ ନିଆଯାଉଛି । ଏହା ବହୁତ ଦୁଃଖର ସମୟ ଅଟେ, କାରଣ ଜଣେ ବିଧବାର ଏକ ମାତ୍ର ପୁଅର ମୃତ୍ୟୁ ହୋଇଯାଇଛି । କିନ୍ତୁ ସେହି ମାଆ ଏକୁଟିଆ ନାହାନ୍ତି । ତାଙ୍କ ସହ ସହରର ଅନେକ ଲୋକ ଯାଉଛନ୍ତି । ସେସମୟରେ ଯୀଶୁ ସେମାନଙ୍କୁ ଅଟକାନ୍ତି ଓ ସେହି ମାଆ ପାଇଁ ଏପରି କିଛି କରନ୍ତି, ଯେଉଁଥିରୁ ତାଙ୍କ ଦୁଃଖ ଖୁସିରେ ପରିବର୍ତ୍ତନ ହୋଇଯାଏ । ସେ ତାଙ୍କ ପୁଅକୁ ଜୀବିତ କରିଦିଅନ୍ତି । ସୁସମାଚାରର ବହିରେ ଲେଖାଥିବା ସେହି ତିନୋଟି ଘଟଣାରୁ ଏହା ପ୍ରଥମ ଘଟଣା ଅଟେ, ଯେବେ ଯୀଶୁ ମୃତ ଲୋକକୁ ଜୀବିତ କରନ୍ତି ।

ଯୀଶୁଙ୍କ ଭଳି ହୁଅନ୍ତୁ ଓ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କୁ କରୁଣା ଦେଖାନ୍ତୁ (ପାରାଗ୍ରାଫ ୧୪-୧୬)

୧୪. ଲୂକ ୭ ଅଧ୍ୟାୟରେ ଦିଆଯାଇଥିବା କିଛି ଘଟଣା ବିଷୟରେ କହନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଆସନ୍ତୁ ଲୂକ ୭ ଅଧ୍ୟାୟରେ ଦିଆଯାଇଥିବା ଏହି ଘଟଣାର କିଛି କଥା ଉପରେ ଧ୍ୟାନ ଦେବା । କʼଣ ଆପଣ ଧ୍ୟାନ ଦେଲେ ଯେ ପ୍ରଥମେ ଯୀଶୁ ‘ସେହି ମାଆକୁ ଦେଖିଲେ,’ ତାʼପରେ ସେ “ଦୟାରେ ବିଗଳିତ” ହେଲେ । (ପଦ ୧୩) ହୁଏତ ଯେବେ ଯୀଶୁ ଦେଖିଥିବେ ଯେ ସେହି ମାଆ କିପରି ନିଜ ପୁଅର ଶବ ସାଙ୍ଗେ ସାଙ୍ଗେ ଯାଉଛନ୍ତି ଓ କାନ୍ଦୁଛନ୍ତି, ତେବେ ତାହା ଦେଖି ଯୀଶୁ ବହୁତ ଦୁଃଖି ହୋଇଯାଇଥିବେ । କିନ୍ତୁ ଯୀଶୁ କେବଳ ତାଙ୍କ ଉପରେ ଦୟା କଲେନି, ବରଂ ସେ ତାଙ୍କ ପାଇଁ କିଛି କଲେ, ଏଥିରୁ ଜଣାପଡ଼ିଲା ଯେ ଯୀଶୁଙ୍କ ହୃଦୟରେ କେତେ କରୁଣା ଅଛି । ସେ ତାଙ୍କୁ କହିଲେ, “ରୋଦନ କର ନାହିଁ ।” ସେ ନିଶ୍ଚୟ ଏହି କଥା ବହୁତ ପ୍ରେମର ସହ କହିଥିବେ । ସେହି ମାଆ କିଛି କହି ନ ଥିଲେ ତଥାପି ଯୀଶୁ ତାଙ୍କ ପୁଅକୁ ଜୀବିତ କରିଦେଲେ ଓ “ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ ।”—ପଦ ୧୪, ୧୫

୧୫. ଆମେ ଯୀଶୁଙ୍କ ଏହି ଚମତ୍କାରରୁ କʼଣ ଶିଖିପାରିବା ?

୧୫ ଯୀଶୁଙ୍କ ଏହି ଚମତ୍କାରରୁ ଆମେ କʼଣ ଶିଖିପାରିବା ? ଏହା ଯେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ମୃତ୍ୟୁରେ ହରାଇଛନ୍ତି, ଆମେ ସେମାନଙ୍କୁ କରୁଣା ଦେଖାଇବା ଉଚିତ୍‌ । ଏହା ସତ ଯେ ଆମେ ଯୀଶୁଙ୍କ ଭଳି କାହାରି ପ୍ରିୟଜନଙ୍କୁ ଜୀବିତ କରିପାରିବାନି କିନ୍ତୁ ଆମେ ସେହି ଭାଇଭଉଣୀମାନଙ୍କ ଉପରେ ଆଉ ଟିକେ ଧ୍ୟାନ ଦେଇପାରିବା, ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ଆମେ ଆଗକୁ ଆସି ସେମାନଙ୍କୁ ଏପରି କିଛି କହିପାରିବା ଯେଉଁଥିରୁ ସେମାନଙ୍କୁ ସାନ୍ତ୍ୱନା ମିଳୁ । ଆଉ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ଦ୍ୱାରା ଯାହା ହୋଇପାରିବ ସେସବୁ କରିପାରିବା । d (ହିତୋ. ୧୭:୧୭; ୨ କରି. ୧:୩, ୪; ୧ ପିତ. ୩:୮) ଯଦି ଆମେ ପ୍ରେମର ସହ ସେମାନଙ୍କୁ କିଛି କହିବା କିମ୍ବା ସେମାନଙ୍କ ପାଇଁ ଟିକେ ବି କିଛି କରିବା, ତେବେ ସେଥିରୁ ସେମାନଙ୍କ ସାହସ ବଢ଼ିପାରିବ ।

୧୬. ଆପଣ ସେହି ଭଉଣୀଙ୍କଠାରୁ କʼଣ ଶିଖିପାରିବେ ଯିଏ ଜଣେ ମାଆଙ୍କ ସାହସ ବଢ଼ାଇଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । କିଛି ବର୍ଷ ପୂର୍ବର କଥା । ଦିନେ ସଭାରେ ସମସ୍ତେ ଗୀତ ଗାଉଥିଲେ । ସେହି ଗୀତ ମୃତ ଲୋକମାନଙ୍କୁ ଜୀବିତ କରିବାର ଆଶା ବିଷୟରେ ଥିଲା । ତେବେ ଜଣେ ଭଉଣୀ ଦେଖିଲେ ଯେ ଅନ୍ୟ ଜଣେ ଭଉଣୀ କାନ୍ଦୁଛନ୍ତି । ସେସମୟରେ ସେହି ଭଉଣୀଙ୍କୁ ମନେପଡ଼ିଲା ଯେ କିଛି ସମୟ ପୂର୍ବେ ହିଁ ତାଙ୍କ ଝିଅର ମୃତ୍ୟୁ ହୋଇଯାଇଥିଲା । ସେହି ଭଉଣୀ ତୁରନ୍ତ ତାଙ୍କ ପାଖକୁ ଗଲେ ଓ ତାଙ୍କ କାନ୍ଧରେ ହାତ ରଖି ସାଙ୍ଗରେ ଠିଆ ହୋଇ ତାଙ୍କ ସହ ଗୀତ ଗାଇଲେ । ଯେଉଁ ଭଉଣୀ ମୃତ୍ୟୁରେ ନିଜ ଝିଅକୁ ହରାଇଥିଲେ ସେ କହନ୍ତି, “ସେସମୟରେ ଭାଇଭଉଣୀମାନଙ୍କ ପାଇଁ ମୋ ହୃଦୟରେ ପ୍ରେମ ଆହୁରି ଭରିଗଲା ।” ସେ ବହୁତ ଖୁସି ଯେ ସେହି ଦିନ ସେ ସଭାରେ ଗଲେ । ସେ କହନ୍ତି, “କେବଳ ରାଜ୍ୟଘର ହିଁ ଏପରି ଜାଗା ଅଟେ ଯେଉଁଠି ଆମକୁ ସାହାଯ୍ୟ ମିଳିପାରିବ ।” ଯେଉଁ ଭାଇଭଉଣୀମାନେ “ଚୂର୍ଣ୍ଣମନା” କିମ୍ବା ଯେଉଁମାନେ ବହୁତ ନିରାଶ ଅଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଯଦି ଆମେ ଟିକେ ବି କିଛି କରୁ ତାହେଲେ ଯିହୋବା ତାହା ଦେଖନ୍ତି ଓ ବହୁତ କୃତଜ୍ଞ ମନେକରନ୍ତି ।—ଗୀତ. ୩୪:୧୮.

ଏପରି କିଛି ଅଧ୍ୟୟନ କରନ୍ତୁ ଯେଉଁଥିରୁ ଆପଣଙ୍କୁ ଆହୁରି ଲାଭ ମିଳିବ

୧୭. ଯୀଶୁଙ୍କ ଚମତ୍କାରଗୁଡ଼ିକ ଉପରେ ଅଧ୍ୟୟନ କଲେ ଆମେ କʼଣ ଶିଖିପାରିବା ?

୧୭ ସୁସମାଚାରର ବହିଗୁଡ଼ିକରେ ଯୀଶୁଙ୍କ ଯେଉଁ ଚମତ୍କାର ବିଷୟରେ କୁହାଯାଇଛି ତାʼର ଅଧ୍ୟୟନ କଲେ ଆମେ ବହୁତ କିଛି ଶିଖିପାରିବା । ଆମେ ଜାଣିପାରିବା ଯେ ଯିହୋବା ଓ ଯୀଶୁ ଆମକୁ ବହୁତ ପ୍ରେମ କରନ୍ତି ଓ ଯୀଶୁଙ୍କ ପାଖରେ ଲୋକମାନଙ୍କ ସବୁ ସମସ୍ୟାଗୁଡ଼ିକୁ ଦୂର କରିବାର ଶକ୍ତି ଅଛି । ଏଥିରୁ ଆମର ଏହା ଭରସା ବଢ଼ିବ ଯେ ଖୁବ୍‌ ଶୀଘ୍ର ଯିହୋବା ନିଜ ରାଜ୍ୟରେ ନିଜର ସବୁ ପ୍ରତିଜ୍ଞାଗୁଡ଼ିକୁ ପୂରା କରିବେ । ଯେବେ ଆମେ ଏହି ଘଟଣାଗୁଡ଼ିକ ଉପରେ ଅଧ୍ୟୟନ କରୁ, ତେବେ ଆମେ ଭାବିପାରିବା ଯେ ଏଥିରୁ ଯୀଶୁଙ୍କ କେଉଁ ଗୁଣଗୁଡ଼ିକ ବିଷୟରେ ଜଣାପଡ଼େ ଓ ଆମେ ତାଙ୍କ ଭଳି କିପରି ହୋଇପାରିବା । ଆପଣ ଚାହିଁଲେ କୌଣସି ପାରିବାରିକ ଉପାସନା କିମ୍ବା ବ୍ୟକ୍ତିଗତ ଅଧ୍ୟୟନରେ ଯୀଶୁଙ୍କ ଚମତ୍କାରଗୁଡ଼ିକ ବିଷୟରେ ଅଧ୍ୟୟନ କରିପାରିବେ । ଆଉ ଏପରି କରିବା ସମୟରେ ଦେଖନ୍ତୁ ଯେ ଆପଣ ସେହି ଚମତ୍କାରଗୁଡ଼ିକରୁ କʼଣ ଶିଖିପାରିବେ । ତାʼପରେ ଆପଣ ସେକଥାଗୁଡ଼ିକୁ ଅନ୍ୟମାନଙ୍କୁ କହିପାରିବେ । ଭାବନ୍ତୁ ଯେ ଏପରି କରିବା ଦ୍ୱାରା ଭାଇଭଉଣୀମାନଙ୍କ ସହ ଆପଣଙ୍କ କେତେ ଭଲ କଥାବାର୍ତ୍ତା ହେବ ଓ ଆପଣ ପରସ୍ପରର ବହୁତ ସାହସ ବଢ଼ାଇପାରିବେ ।—ରୋମୀ. ୧:୧୧, ୧୨.

୧୮. ପରବର୍ତ୍ତୀ ଲେଖାରେ ଆମେ କʼଣ ଚର୍ଚ୍ଚା କରିବା ?

୧୮ ପ୍ରାୟ ନିଜ ସେବାର ଶେଷରେ ପୁଣିଥରେ ଯୀଶୁ ଜଣେ ମୃତ ବ୍ୟକ୍ତିକୁ ଜୀବିତ କରନ୍ତି । ଏହା ସତ ଯେ ସେ ପୂର୍ବେ ବି ଅନେକ ଲୋକଙ୍କୁ ଜୀବିତ କରିଥିଲେ କିନ୍ତୁ ଏହି ଚମତ୍କାର ସବୁଠାରୁ ଅଲଗା ଥିଲା । ଏଥର ଯୀଶୁ ନିଜ ପ୍ରିୟ ସାଙ୍ଗକୁ ଜୀବିତ କଲେ ଓ ପରିସ୍ଥିତି ପୂରାପୂରି ଅଲଗା ଥିଲା । ସୁସମାଚାର ବହିରେ ଦିଆଯାଇଥିବା ଏହି ଚମତ୍କାରରୁ ଆମେ କʼଣ ଶିଖିପାରିବା ? ଆଉ ଏବିଷୟରେ ଅଧ୍ୟୟନ କଲେ ଆମର ବିଶ୍ୱାସ କିପରି ବଢ଼ିବ ଯେ ମୃତ ଲୋକମାନଙ୍କୁ ଜୀବିତ କରାଯିବ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆମକୁ ପରବର୍ତ୍ତୀ ଲେଖାରେ ମିଳିବ ।

ଗୀତ ୨୦ ତୁନେ ଆପନା ଆନମୋଲ୍‌ ବେଟା ଦିୟା

a ଯୀଶୁ ଗୋଟିଏ ବଡ଼ ଧରଣର ଝଡ଼ ତୋଫାନକୁ ଶାନ୍ତ କଲେ, ରୋଗୀମାନଙ୍କୁ ଠିକ୍‌ କଲେ ଓ ମୃତ ଲୋକମାନଙ୍କୁ ଜୀବିତ କଲେ । ଯେବେ ଆମେ ତାଙ୍କ ଏହି ଚମତ୍କାରଗୁଡ଼ିକ ବିଷୟରେ ପଢ଼ୁ, ତେବେ ଆମକୁ ଆଶ୍ଚର୍ଯ୍ୟ ଲାଗେ । କିନ୍ତୁ ବାଇବଲରେ ଏଗୁଡ଼ିକ କେବଳ ପଢ଼ି ମଜା ନେବା ପାଇଁ ଲେଖାଯାଇନି, ବରଂ ଏଥିରୁ ଆମେ ବହୁତ କିଛି ଶିଖିପାରିବା । ଏହି ଲେଖାରେ ଆମେ ଯୀଶୁଙ୍କ ଅନେକ ଚମତ୍କାର ବିଷୟରେ ଚର୍ଚ୍ଚା କରିବା । ଆମେ ଜାଣିବା ଯେ ସେଗୁଡ଼ିକରୁ ଆମେ ଯିହୋବା ଓ ଯୀଶୁଙ୍କ ବିଷୟରେ କʼଣ ଶିଖିପାରିବା ଯେଉଁଥିରୁ ଆମ ବିଶ୍ୱାସ ବଢ଼ିବ । ସେହି ଚମତ୍କାରଗୁଡ଼ିକରୁ ଆମେ ଏପରି ଗୁଣଗୁଡ଼ିକ ବିଷୟରେ ବି ଶିଖିବା ଯାହାକୁ ଆମେ ନିଜ ଭିତରେ ବଢ଼ାଇବା ଉଚିତ୍‌ ।

b ବାଇବଲର ଜଣେ ବିଦ୍ୱାନ କହନ୍ତି, “ଇସ୍ରାଏଲର ଆଖପାଖ ଦେଶଗୁଡ଼ିକରେ ଲୋକମାନେ ଅତିଥି ସତ୍କାର କରିବାକୁ ନିଜ କର୍ତ୍ତବ୍ୟ ମନେ କରୁଥିଲେ । ଯଦି କେହି ନିଜ ଘରେ ଅତିଥିମାନଙ୍କୁ ଡାକନ୍ତି, ତେବେ ତାଙ୍କଠାରୁ ଆଶା କରାଯାଉଥିଲା ଯେ ସେ ସେମାନଙ୍କ ପାଇଁ ଭଲରୁ ଭଲ ବ୍ୟବସ୍ଥା କରନ୍ତୁ । ଆଉ ଯଦି ଅତିଥିମାନଙ୍କର ଭଲଭାବେ ଅତିଥି ସତ୍କାର କରିବାର ଥାଏ ତେବେ ତାʼଠାରୁ ବି ଆହୁରି ଅଧିକ ବ୍ୟବସ୍ଥା କରିବାକୁ ପଡ଼ୁଥିଲା, ଯେପରିକି ବିବାହ ଘରେ ।”

c ସୁସମାଚାରର ବହିଗୁଡ଼ିକରେ ଯୀଶୁଙ୍କ ୩୦ରୁ ବି ଅଧିକ ଚମତ୍କାର ବିଷୟରେ କୁହାଯାଇଛି । କିନ୍ତୁ କିଛି ପରିସ୍ଥିତିରେ ପ୍ରତ୍ୟେକ ଚମତ୍କାରଗୁଡ଼ିକ ବିଷୟରେ ବିସ୍ତାର ଭାବେ କୁହାଯାଇନି । ଯେପରିକି, ଥରେ “ନଗରବାସୀ” ଯୀଶୁଙ୍କ ପାଖକୁ ଆସିଲେ ଓ ସେ “ଅନେକ ରୋଗୀଙ୍କି ସୁସ୍ଥ କଲେ ।”—ମାର୍କ ୧:୩୨-୩୪.

d ଯେଉଁମାନଙ୍କ ପ୍ରିୟଜନ ଏବେ ନାହାନ୍ତି, ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଆମେ କʼଣ କରିପାରିବା କିମ୍ବା ସେମାନଙ୍କୁ କʼଣ କହିପାରିବା ? ଏବିଷୟରେ କିଛି ପରାମର୍ଶ ଜାଣିବା ପାଇଁ ୨୦୧୬ ମସିହାର ପ୍ରହରୀଦୁର୍ଗର ସଂଖ୍ୟା ୩ରେ ଦିଆଯାଇଥିବା ଲେଖା “ଜୋ ଆପନୋସେ ବିଛଡ଼ ଗାଏ ହେଁ, ଉନ୍‌ହେଁ ଦିଲାସା ଦିଜିଏ” ଲେଖା ପଢ଼ନ୍ତୁ ।

e ଚିତ୍ର ବିଷୟରେ: ଯୀଶୁ ପଛପଟେ ଠିଆ ହୋଇଛନ୍ତି, ବରକନ୍ୟା ଓ ତାଙ୍କ ଅତିଥି ଭଲ ଦ୍ରକ୍ଷାରସର ମଜା ନେଉଛନ୍ତି ।