ଅଧ୍ୟୟନ ଲେଖା ୧୮
ସଭାଗୁଡ଼ିକରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ
“ପରସ୍ପର ବିଷୟରେ ମନୋଯୋଗ କରୁ . . . ପରସ୍ପରକୁ ଉତ୍ସାହ ଦେଉ ।”—ଏବ୍ରୀ ୧୦:୨୪, ୨୫.
ଗୀତ ୮୮ ମୁଝେ ଆପନି ରାହେଁ ଶିଖା
ଲେଖାର ଝଲକ a
୧. ଆମେ ସଭାଗୁଡ଼ିକରେ ଉତ୍ତର କାହିଁକି ଦେଉ ?
ଆମେ ମଣ୍ଡଳୀର ସଭାଗୁଡ଼ିକରେ କାହିଁକି ଯାଉ ? କାରଣ ସେଠାକୁ ଯାଇ ଆମେ ଯିହୋବାଙ୍କର ପ୍ରଶଂସା କରିପାରୁ । (ଗୀତ. ୨୬:୧୨; ୧୧୧:୧) ତାʼସହ ସଭାକୁ ଯିବାର ଆଉ ଗୋଟିଏ କାରଣ ହେଉଛି ଯେ ଆମେ ସେଠାକୁ ଯାଇ ସମସ୍ୟା ସମୟରେ ପରସ୍ପରର ଉତ୍ସାହ ବଢ଼ାଇପାରୁ । (୧ ଥେସ. ୫:୧୧) ଯେବେ ଆମେ ସଭାଗୁଡ଼ିକରେ ହାତ ଉଠାଇ ଉତ୍ତର ଦେଉ, ତେବେ ଆମେ ଏହି ଦୁଇଟି ଯାକ କାମ କରିଥାଉ ।
୨. ଆମକୁ କେଉଁ କେଉଁ ସମୟରେ ସଭାଗୁଡ଼ିକରେ ଉତ୍ତର ଦେବା ପାଇଁ ସୁଯୋଗ ମିଳେ ?
୨ ଆମକୁ ପ୍ରତି ସପ୍ତାହ ସଭାଗୁଡ଼ିକରେ ଉତ୍ତର ଦେବା ପାଇଁ ସୁଯୋଗ ମିଳେ । ଉଦାହରଣ ସ୍ୱରୂପ, ସପ୍ତାହର ଶେଷରେ ଆମେ ପ୍ରହରୀଦୁର୍ଗ ଅଧ୍ୟୟନରେ ଉତ୍ତର ଦେଇପାରିବା । ଆଉ ସପ୍ତାହ ମଝିରେ ହେଉଥିବା ସଭାରେ ବହୁମୂଲ୍ୟ ଧନ ଭାଗ ଏବଂ ମଣ୍ଡଳୀର ବାଇବଲ ଅଧ୍ୟୟନରେ ଓ ଅନ୍ୟ ଭାଗଗୁଡ଼ିକରେ ଉତ୍ତର ଦେଇପାରିବା ଯେଉଁଥିରେ ପ୍ରଶ୍ନ ପଚରାଯାଏ ।
୩. ଆମ ସାମନାରେ କେଉଁ ସମସ୍ୟାଗୁଡ଼ିକ ଆସିପାରେ ଓ ଏବ୍ରୀ ୧୦:୨୪, ୨୫ ପଦରେ ଲେଖାଥିବା କଥାରୁ ଆମକୁ କିପରି ସାହାଯ୍ୟ ମିଳିପାରେ ?
୩ ଆମେ ସମସ୍ତେ ଯିହୋବାଙ୍କ ମହିମା କରିବା ପାଇଁ ଚାହୁଁ ଓ ଭାଇଭଉଣୀଙ୍କ ଉତ୍ସାହ ବଢ଼ାଇବା ପାଇଁ ଚାହୁଁ । କିନ୍ତୁ ଯେବେ ଉତ୍ତର ଦେବାର ସମୟ ଆସେ, ତେବେ ହୁଏତ ଆମକୁ କିଛି ସମସ୍ୟାର ସାମନା କରିବାକୁ ପଡ଼େ । ହୁଏତ ଆମକୁ ଉତ୍ତର ଦେବା ପାଇଁ ଡର ଲାଗେ କିମ୍ବା ଆମେ ବହୁତ ଗୁଡ଼ିଏ ଉତ୍ତର ଦେବା ପାଇଁ ଚାହୁଁ କିନ୍ତୁ ଆମକୁ ପଚରା ନ ଯାଏ । ଆମେ ଏହି ସମସ୍ୟାର କିପରି ସାମନା କରିପାରିବା ? ଏହାର ଉତ୍ତର ସେହି ଚିଠିରେ ମିଳେ, ଯାହା ପାଉଲ ଏବ୍ରୀ ମଣ୍ଡଳୀକୁ ଲେଖିଥିଲେ । ଯେବେ ସେ ସେମାନଙ୍କୁ କହୁଥିଲେ ଯେ ସଭାରେ ଯିବା କେତେ ଜରୁରୀ ଅଟେ, ତେବେ ସେ କହିଲେ ଯେ ଆମେ ‘ପରସ୍ପରକୁ ଉତ୍ସାହ ଦେବା’ ଉପରେ ଧ୍ୟାନ ଦେବା ଉଚିତ୍ । (ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ ।) ଆମେ ଛୋଟ ଉତ୍ତର ଦେଇ ମଧ୍ୟ ଭାଇଭଉଣୀମାନଙ୍କର ବହୁତ ଉତ୍ସାହ ବଢ଼ାଇପାରିବା । ଯଦି ଆମେ ଏହି କଥା ଉପରେ ଧ୍ୟାନ ଦେବା, ତେବେ ହାତ ଉଠାଇବା ପାଇଁ ପଛଘୁଞ୍ଚା ଦେବାନି । ଅନେକଥର ଏପରି ହୁଏ ଯେ ଆମକୁ ଉତ୍ତର ଦେବା ପାଇଁ ସୁଯୋଗ ମିଳେନି, ତେବେ ଆମେ ଏହି କଥା ପାଇଁ ଖୁସି ହୋଇପାରିବା ଯେ ଅନ୍ୟ ଭାଇଭଉଣୀମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ମିଳୁଛି ।—୧ ପିତ. ୩:୮.
୪. ଏହି ଲେଖାରେ ଆମେ ଆଉ କେଉଁ ତିନୋଟି ବିଷୟ ଉପରେ ଚର୍ଚ୍ଚା କରିବା ?
୪ ଏହି ଲେଖାରେ ଆମେ ପ୍ରଥମେ ଏହା ଚର୍ଚ୍ଚା କରିବା ଯେ ଯଦି ଆମେ ଗୋଟିଏ ଛୋଟ ମଣ୍ଡଳୀରେ ଅଛୁ ଯେଉଁଠି ଉତ୍ତର ଦେବା ପାଇଁ ବହୁତ କମ୍ ଭାଇଭଉଣୀ ଅଛନ୍ତି, ତେବେ ଆମେ କିପରି ପରସ୍ପରର ଉତ୍ସାହ ବଢ଼ାଇପାରିବା । ତାʼପରେ ଆମେ ଚର୍ଚ୍ଚା କରିବା ଯେ ଯଦି ଆମେ ଗୋଟିଏ ବଡ଼ ମଣ୍ଡଳୀରେ ଅଛୁ ଯେଉଁଠି ବହୁତ ଭାଇଭଉଣୀ ଉତ୍ତର ଦେବା ପାଇଁ ହାତ ଉଠାନ୍ତି, ତେବେ ଆମେ କିପରି ପରସ୍ପରର ଉତ୍ସାହ ବଢ଼ାଇପାରିବା । ଆଉ ଶେଷରେ ଦେଖିବା ଯେ ଆମେ କିପରି ଭାବରେ ଉତ୍ତର ଦେବା ଯାହାଦ୍ୱାରା ଅନ୍ୟମାନଙ୍କର ଉତ୍ସାହ ବଢ଼ିବ ।
ଛୋଟ ମଣ୍ଡଳୀରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ
୫. ଯଦି ସଭାରେ ବେଶି ଭାଇଭଉଣୀ ନାହାନ୍ତି, ତେବେ ଆମେ କିପରି ପରସ୍ପରର ଉତ୍ସାହ ବଢ଼ାଇପାରିବା ?
୫ ଗୋଟିଏ ଛୋଟ ମଣ୍ଡଳୀରେ କିମ୍ବା ଛୋଟ ସମୂହରେ ଉତ୍ତର ଦେବା ପାଇଁ ବେଶି ଭାଇଭଉଣୀ ରହନ୍ତିନି । ଅନେକଥର ଭାଗ ସଞ୍ଚାଳନ କରୁଥିବା ଭାଇଙ୍କୁ ପ୍ରଶ୍ନ ପଚାରିବା ପରେ ଟିକେ ଅପେକ୍ଷା କରିବାକୁ ପଡ଼େ । ଯଦି ଏପରି ହୁଏ ତେବେ ଆମକୁ ଲାଗିପାରେ ଯେ ସଭା ଶେଷ ହିଁ ହେଉନି । ଏହା ଦ୍ୱାରା ହୁଏତ ଅନ୍ୟମାନଙ୍କର ଉତ୍ସାହ ବଢ଼ିବନି । ତେବେ ଆପଣ କʼଣ କରିପାରିବେ ? ଆପଣ ଅଧିକ ଥର ହାତ ଉଠାଇପାରିବେ ଯାହାଦ୍ୱାରା ଅନ୍ୟମାନଙ୍କୁ ଉତ୍ତର ଦେବା ପାଇଁ ଇଚ୍ଛା ହେବ ।
୬-୭. ଯଦି ଆମକୁ ଉତ୍ତର ଦେବା ପାଇଁ ଡର ଲାଗେ, ତାହେଲେ ଆମେ କʼଣ କରିପାରିବା ?
୬ ହୁଏତ ଉତ୍ତର ଦେବା ବିଷୟରେ ଭାବି ହିଁ ଆପଣଙ୍କୁ ଡର ଲାଗୁଥିବ । ଅନେକ ଭାଇଭଉଣୀମାନଙ୍କ ସହ ଏପରି ହୁଏ । ତାହେଲେ ଆପଣ କʼଣ କରିପାରିବେ ? ଆପଣ କିଛି ଏପରି ଉପାୟ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିପାରିବେ ଯେଉଁଥିରୁ ଆପଣଙ୍କର ଡର କମ୍ ହେବ ଓ ଆପଣ ଭାଇଭଉଣୀମାନଙ୍କର ଉତ୍ସାହ ମଧ୍ୟ ବଢ଼ାଇପାରିବେ । ଆପଣ ଏହା କିପରି କରିପାରିବେ ?
୭ ଆପଣ ପ୍ରହରୀଦୁର୍ଗର ପୁରୁଣା ଲେଖାଗୁଡ଼ିକରେ ଦିଆଯାଇଥିବା ପରାମର୍ଶଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେଇପାରିବେ । b ଯେପରି ଗୋଟିଏ ପରାମର୍ଶ ହେଉଛି, ଭଲ ପ୍ରସ୍ତୁତି କରନ୍ତୁ । (ହିତୋ. ୨୧:୫) ଯେତେ ଭଲଭାବରେ ଆପଣ ତଥ୍ୟକୁ ବୁଝିବେ, ଆପଣଙ୍କୁ ଉତ୍ତର ଦେବା ସେତେ ସହଜ ଲାଗିବ । ଆଉ ଗୋଟିଏ ପରାମର୍ଶ ହେଉଛି, ଛୋଟ ଉତ୍ତର ଦିଅନ୍ତୁ । (ହିତୋ. ୧୦:୧୯; ୧୫:୨୩) ଆପଣଙ୍କ ଉତ୍ତର ଯେତେ ଛୋଟ ଥିବ, ଆପଣଙ୍କୁ ସେତେ କମ୍ ଚିନ୍ତା ହେବ । ଯଦି ଆପଣ ବଡ଼ ଉତ୍ତର ଦେବେ ଯେଉଁଥିରେ ଅନେକ ପଏଣ୍ଟ ରହିଛି, ତାହେଲେ ଭାଇଭଉଣୀମାନଙ୍କୁ ବୁଝିବା ପାଇଁ କଷ୍ଟ ହୋଇପାରେ । କିନ୍ତୁ ଯଦି ଆପଣଙ୍କ ଉତ୍ତର ଛୋଟ ଥିବ ଅର୍ଥାତ୍ ଗୋଟିଏ ବା ଦୁଇଟି ବାକ୍ୟରେ ଥିବ, ତାହେଲେ ଭାଇଭଉଣୀମାନେ ଏହାକୁ ସହଜରେ ବୁଝିପାରିବେ । ତେଣୁ ନିଜ ଶବ୍ଦରେ ଛୋଟ ଉତ୍ତର ଦିଅନ୍ତୁ । ଏଥିରୁ ଜଣାପଡ଼ିବ ଯେ ଆପଣ ଭଲ ପ୍ରସ୍ତୁତି କରିଛନ୍ତି ଓ ତଥ୍ୟକୁ ଭଲଭାବେ ବୁଝିଛନ୍ତି ।
୮. ଆମେ ଉତ୍ତର ଦେବା ପାଇଁ ଯେଉଁ ପରିଶ୍ରମ କରୁ, ତାହା ଦେଖି ଯିହୋବାଙ୍କୁ କିପରି ଲାଗେ ?
୮ ହୁଏତ ଆପଣ ଏମଧ୍ୟରୁ କିଛି ପରାମର୍ଶକୁ ଆପଣାଇଥିବେ, ତଥାପି ଆପଣ ବହୁତ କଷ୍ଟରେ ଗୋଟିଏ କିମ୍ବା ଦୁଇଟି ଉତ୍ତର ହିଁ ଦେଇପାରନ୍ତି । ଯଦି ଏପରି ଅଟେ, ତାହେଲେ ଆପଣ ଭରସା ରଖିପାରିବେ ଯେ ଆପଣ ଉତ୍ତର ଦେବା ପାଇଁ ଯାହା ବି ପରିଶ୍ରମ କରନ୍ତି, ତାହା ଦେଖି ଯିହୋବା ବହୁତ ଖୁସି ହୁଅନ୍ତି । (ଲୂକ ୨୧:୧-୪) କିନ୍ତୁ ପରିଶ୍ରମ କରିବାର ଅର୍ଥ ଏହା ନୁହେଁ ଯେ ଆମେ ତାହା କରିବା ପାଇଁ ଚେଷ୍ଟା କରିବା ଯାହା ଆମ ଦ୍ୱାରା ହୋଇପାରିବ ନାହିଁ । (ଫିଲିପ୍. ୪:୫) ଭାବନ୍ତୁ ଯେ ଆପଣ କʼଣ କରିପାରିବେ, ତାʼପରେ ତାʼ ଅନୁସାରେ ଲକ୍ଷ୍ୟ ରଖନ୍ତୁ ଏବଂ ଯିହୋବାଙ୍କୁ ନିଜ ଡର ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ । ଆରମ୍ଭରେ ହୁଏତ ଆପଣ ଗୋଟିଏ ହିଁ ଛୋଟ ଉତ୍ତର ଦେବାର ଲକ୍ଷ୍ୟ ରଖିବେ ।
ବଡ଼ ମଣ୍ଡଳୀରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ
୯. ବଡ଼ ମଣ୍ଡଳୀରେ କେଉଁ ସମସ୍ୟା ଆସିପାରେ ?
୯ ଯଦି ଆପଣ ଗୋଟିଏ ଏପରି ମଣ୍ଡଳୀରେ ଅଛନ୍ତି ଯେଉଁଠି ବହୁତ ପ୍ରଚାରକ ଅଛନ୍ତି, ତାହେଲେ ଆପଣଙ୍କ ଆଗରେ ଗୋଟିଏ ଅନ୍ୟ ପ୍ରକାରର ସମସ୍ୟା ଆସିପାରେ । ଏପରି ମଣ୍ଡଳୀରେ ହୁଏତ ଉତ୍ତର ଦେବା ପାଇଁ ଅନେକ ଭାଇଭଉଣୀ ହାତ ଉଠାଇବେ ଆଉ ତାʼଯୋଗୁଁ ହୁଏତ ଅନେକଥର ଆପଣଙ୍କୁ ଉତ୍ତର ଦେବା ପାଇଁ ପଚରାଯାଇ ନ ପାରେ । ଉଦାହରଣ ପାଇଁ, ଡାୟନାଙ୍କୁ ସଭାରେ ଉତ୍ତର ଦେବା ବହୁତ ଭଲ ଲାଗେ । c ସେ ଭାବନ୍ତି ଯେ ଏହା ତାଙ୍କ ଉପାସନାର ଭାଗ ଅଟେ ଓ ଉତ୍ତର ଦେଇ ସେ ଅନ୍ୟମାନଙ୍କର ଉତ୍ସାହ ବଢ଼ାଉଛନ୍ତି ଆଉ ଏପରି କରି ବାଇବଲର ସତ୍ୟଗୁଡ଼ିକ ଉପରେ ତାଙ୍କର ମଧ୍ୟ ବିଶ୍ୱାସ ବଢ଼େ । କିନ୍ତୁ ଯେବେ ସେ ଗୋଟିଏ ବଡ଼ ମଣ୍ଡଳୀକୁ ଗଲେ, ତେବେ ସେଠାରେ ତାଙ୍କୁ ଉତ୍ତର ଦେବା ପାଇଁ ବେଶି ସୁଯୋଗ ମିଳୁ ନ ଥିଲା । ଅନେକଥର ତ ପୂରା ସଭାରେ ତାଙ୍କୁ ଥରେ ବି ସୁଯୋଗ ମିଳୁ ନ ଥିଲା । ସେ କହନ୍ତି, “ମୁଁ ବହୁତ ଚିନ୍ତାରେ ପଡ଼ିଯାଉଥିଲି । ମୋତେ ଲାଗୁଥିଲା ଯେ ମୁଁ ବହୁତ ବଡ଼ ସୁଯୋଗ ହରାଇ ଦେଲି । ଯେବେ ବାରମ୍ବାର ଏପରି ହୁଏ, ତେବେ ଆପଣ ଭାବିବାକୁ ଲାଗିବେ ଯେ ଆପଣଙ୍କ ସହ ଜାଣିଶୁଣି ଏପରି କରାଯାଉଛି ।”
୧୦. ଉତ୍ତର ଦେବା ପାଇଁ ଆମେ ଆଉ କʼଣ କʼଣ କରିପାରିବା ?
୧୦ କʼଣ ଆପଣଙ୍କୁ ବି ଡାୟନାଙ୍କ ଭଳି ଲାଗେ ? ଯଦି ହଁ, ତେବେ ହୁଏତ ଆପଣ ଭାବୁଥିବେ, ‘ହାତ ଉଠାଇ କୌଣସି ଲାଭ ନାହିଁ ? ତାହାଠୁ ଭଲ ମୁଁ ବସିକି ଶୁଣିବି ।’ କିନ୍ତୁ ଏପରି ଭାବନ୍ତୁନି । ଆପଣ ହୁଏତ ଆଗକୁ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଆପଣାଇପାରିବେ । ପ୍ରତି ସଭା ପାଇଁ ଆପଣ ଅନେକ ଉତ୍ତର ପ୍ରସ୍ତୁତି କରନ୍ତୁ । ତାʼପରେ ଯଦି ଆପଣଙ୍କୁ ଅଧ୍ୟୟନର ଆରମ୍ଭରେ ପଚରାଯାଏନି, ତାହେଲେ ବି ଆପଣଙ୍କ ପାଖରେ ସଭା ମଝିରେ ଉତ୍ତର ଦେବା ପାଇଁ ଅନେକ ସୁଯୋଗ ରହିବ । ପ୍ରହରୀଦୁର୍ଗ ଅଧ୍ୟୟନର ପ୍ରସ୍ତୁତି କରିବା ସମୟରେ ଭାବନ୍ତୁ ଯେ ପ୍ରତି ପାରାଗ୍ରାଫ ଲେଖାର ବିଷୟ ସହିତ କିପରି ଜଡ଼ିତ ଅଛି । ଏପରି ଅନେକ ଭଲ ଉତ୍ତର ପ୍ରସ୍ତୁତ କରନ୍ତୁ ଯେଉଁଥିରୁ ଭାଇଭଉଣୀମାନଙ୍କ ସାହସ ବଢ଼ିପାରିବ । ତାʼଛଡ଼ା ଆପଣ ଚାହିଁଲେ ସେହି ପାରାଗ୍ରାଫଗୁଡ଼ିକର ଉତ୍ତର ପ୍ରସ୍ତୁତି କରିପାରିବେ, ଯେଉଁଥିରେ ବାଇବଲର ଗଭୀର କଥାଗୁଡ଼ିକ ବୁଝାଯାଇଛି । (୧ କରି. ୨:୧୦) କାରଣ ସେଗୁଡ଼ିକୁ ବୁଝାଇବା ଏତେ ସହଜ ହୋଇ ନ ଥାଏ ଓ ହୁଏତ ବହୁତ କମ୍ ଭାଇଭଉଣୀ ସେଥିରେ ଉତ୍ତର ଦେବା ପାଇଁ ହାତ ଉଠାଇବେ । କିନ୍ତୁ ଯଦି ଏହି ପରାମର୍ଶଗୁଡ଼ିକୁ ମାନିବା ପରେ ମଧ୍ୟ ଆପଣଙ୍କୁ ଥରେ ବି ଉତ୍ତର ଦେବା ପାଇଁ ସୁଯୋଗ ମିଳେନି, ତାହେଲେ ଆପଣ କʼଣ କରିପାରିବେ ? ଆପଣ ଚାହିଁଲେ ସଭାର ପୂର୍ବରୁ ଭାଗ ଚଲାଉଥିବା ଭାଇଙ୍କୁ କହିପାରିବେ ଯେ ଆପଣ କେଉଁ ପ୍ରଶ୍ନର ଉତ୍ତର ଦେବା ପାଇଁ ଚାହାନ୍ତି ।
୧୧. ଫିଲିପ୍ପୀୟ ୨:୪ ପଦରେ ଆମକୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଛି ?
୧୧ ଫିଲିପ୍ପୀୟ ୨:୪ ପଢ଼ନ୍ତୁ । ପାଉଲ ଫିଲିପ୍ପୀରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ଅନ୍ୟମାନଙ୍କ ବିଷୟରେ ମଧ୍ୟ ଭାବନ୍ତୁ । ଆମେ ତାଙ୍କ ଏହି ପରାମର୍ଶକୁ ସଭା ସମୟରେ କିପରି ମାନିପାରିବା ? ଆମେ ମନେ ରଖିପାରିବା ଯେ ଆମ ଭଳି ଅନ୍ୟ ଭାଇଭଉଣୀମାନେ ମଧ୍ୟ ଉତ୍ତର ଦେବା ପାଇଁ ଚାହାନ୍ତି ।
୧୨. ସଭାଗୁଡ଼ିକରେ ପରସ୍ପରର ଉତ୍ସାହ ବଢ଼ାଇବାର ଗୋଟିଏ ଉପାୟ କʼଣ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୨ ଟିକେ ଏବିଷୟରେ ଭାବନ୍ତୁ, ଯେବେ ଆପଣ ନିଜ ସାଙ୍ଗମାନଙ୍କ ସହିତ କଥା ହୁଅନ୍ତି, ତେବେ କʼଣ ଆପଣ ନିଜେ ହିଁ କଥା ହୁଅନ୍ତି ? ନା, ଆପଣ ସେମାନଙ୍କୁ ବି କଥା ହେବା ପାଇଁ ସୁଯୋଗ ଦିଅନ୍ତି । ସେହିଭଳି ଆମେ ଚାହିଁବା ଯେ ସଭାଗୁଡ଼ିକରେ ଅଧିକରୁ ଅଧିକ ଭାଇଭଉଣୀମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ମିଳୁ । ପ୍ରକୃତରେ ଭାଇଭଉଣୀମାନଙ୍କ ସାହସ ବଢ଼ାଇବାର ଗୋଟିଏ ଭଲ ଉପାୟ ହେଉଛି ଯେ ଆମେ ସେମାନଙ୍କୁ ସେମାନଙ୍କ ବିଶ୍ୱାସ ଦେଖାଇବା ପାଇଁ ସୁଯୋଗ ଦେଉ । (୧ କରି. ୧୦:୨୪) ଆସନ୍ତୁ ଦେଖିବା ଯେ ଆମେ ଏହା କିପରି କରିପାରିବା ।
୧୩. ଆମେ କʼଣ କରିପାରିବା ଯାହାଦ୍ୱାରା ଅଧିକରୁ ଅଧିକ ଭାଇଭଉଣୀମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ମିଳୁ ?
୧୩ ଗୋଟେ କଥା ଯାହା ଆପଣ ମନେ ରଖିପାରିବେ, ତାହା ହେଉଛି ଆପଣଙ୍କର ଉତ୍ତର ଛୋଟ ହେଉ । ଏପରି କରିଲେ ଆହୁରି ଅନେକ ଭାଇଭଉଣୀଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ମିଳିବ । ପ୍ରାଚୀନ ଓ ଅନ୍ୟ ଅନୁଭବୀ ପ୍ରଚାରକମାନେ ଏକଥାର ବିଶେଷ ଧ୍ୟାନ ରଖିପାରିବେ, ଯାହାଦ୍ୱାରା ଅନ୍ୟମାନେ ତାଙ୍କଠାରୁ ଶିଖିପାରିବେ । ଛୋଟ ଉତ୍ତର ଦେବା ସହ ଏହା ବି ଧ୍ୟାନ ରଖନ୍ତୁ ଯେ ଆପଣ ଅନେକ ଗୁଡ଼ିଏ ମୁଖ୍ୟ କଥାଗୁଡ଼ିକୁ କହନ୍ତୁନି । ଯଦି ଆପଣ ପାରାଗ୍ରାଫରେ ଲେଖାଥିବା ପ୍ରତ୍ୟେକ କଥାଗୁଡ଼ିକୁ କହିଦେବେ ତାହେଲେ ଅନ୍ୟମାନଙ୍କ ପାଖରେ ଉତ୍ତର ଦେବା ପାଇଁ ଆଉ କିଛି ବି ରହିବନି । ଯେପରି, ଏହି ପାରାଗ୍ରାଫରେ ଦୁଇଟି ପରାମର୍ଶ ଦିଆଯାଇଛି । ପ୍ରଥମ, ଛୋଟ ଉତ୍ତର ଦିଅନ୍ତୁ ଓ ଦ୍ୱିତୀୟ, ଅନେକ ଗୁଡ଼ିଏ ମୁଖ୍ୟ କଥାଗୁଡ଼ିକୁ କହନ୍ତୁନି । ଯଦି ଆପଣଙ୍କୁ ପାରାଗ୍ରାଫରେ ସବୁଠୁ ଆଗ ଉତ୍ତର ଦେବା ପାଇଁ ସୁଯୋଗ ମିଳେ, ତାହେଲେ ଭଲ ହେବ ଯେ ଆପଣ ସେମଧ୍ୟରୁ ଗୋଟିଏ ମୁଖ୍ୟ କଥା କହନ୍ତୁ !
୧୪. ଆମେ କିପରି ନିଷ୍ପତ୍ତି ନେଇପାରିବା ଯେ ଉତ୍ତର ଦେବା ପାଇଁ ଆମେ କେତେବେଳେ ହାତ ଉଠାଇବା ? (ଚିତ୍ର ମଧ୍ୟ ଦେଖନ୍ତୁ)
୧୪ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ଯେ ଆପଣ କେତେବେଳେ ଉତ୍ତର ଦେବା ପାଇଁ ହାତ ଉଠାଇବେ । ଯଦି ଆପଣ ବାରମ୍ବାର ହାତ ଉଠାଇବେ, ତାହେଲେ ଭାଗ ଚଲାଉଥିବା ଭାଇଙ୍କୁ ଲାଗିପାରେ ଯେ ସବୁବେଳେ ଆପଣଙ୍କୁ ହିଁ ଉତ୍ତର ପଚାରିବା ଉଚିତ୍ ଏବଂ ହୁଏତ ଅନ୍ୟମାନଙ୍କୁ ଉତ୍ତର ଦେବାକୁ ସୁଯୋଗ ମିଳିବନି । ଏପରି ହେଲେ ଅନ୍ୟ ଭାଇଭଉଣୀମାନେ ନିରାଶ ହୋଇପାରନ୍ତି ଓ ହୁଏତ ସେମାନଙ୍କୁ ହାତ ଉଠାଇବା ପାଇଁ ଇଚ୍ଛା ହେବନି ।—ଉପ. ୩:୭.
୧୫. (କ) ଯଦି ଆମକୁ ପ୍ରଶ୍ନ ପଚରାଯାଏନି, ତେବେ ଆମେ କʼଣ କରିବା ? (ଖ) ଭାଗ ଚଲାଉଥିବା ଭାଇମାନଙ୍କୁ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ? (“ ଯେବେ ଆପଣ ଭାଗ ଚଲାନ୍ତି” ନାମକ ବକ୍ସ ଦେଖନ୍ତୁ ।)
୧୫ ଯେବେ କୌଣସି ଅଧ୍ୟୟନ ସମୟରେ ଅନେକ ଭାଇଭଉଣୀ ହାତ ଉଠାନ୍ତି, ତେବେ ହୁଏତ ଆମକୁ ସେତେ ଥର ଉତ୍ତର ଦେବା ପାଇଁ ସୁଯୋଗ ମିଳିବନି, ଯେତେ ଆମେ ଭାବିଥିବା । ଆଉ ହୁଏତ ଅନେକଥର ଆମକୁ ଥରେ ବି ଉତ୍ତର ଦେବା ପାଇଁ ସୁଯୋଗ ମିଳିବନି । ଏପରି ସମୟରେ ଆମକୁ ଟିକେ ଦୁଃଖ ତ ଲାଗିବ ହିଁ, କିନ୍ତୁ ଆମକୁ ଖରାପ ଭାବିବା ଉଚିତ୍ ନୁହେଁ ।—ଉପ. ୭:୯.
୧୬. ଯେବେ ଅନ୍ୟମାନେ ଉତ୍ତର ଦିଅନ୍ତି, ତେବେ ଆମେ ସେମାନଙ୍କ ଉତ୍ସାହ କିପରି ବଢ଼ାଇପାରିବା ?
୧୬ ଯଦି ଆପଣଙ୍କୁ ଉତ୍ତର ଦେବା ପାଇଁ ସେତେ ସୁଯୋଗ ମିଳେନି ଯେତେ ଆପଣ ଚାହାନ୍ତି, ତାହେଲେ ଆପଣ କʼଣ କରିପାରିବେ ? ଆପଣ ଅନ୍ୟମାନଙ୍କର ଉତ୍ତର ଧ୍ୟାନର ସହ ଶୁଣିପାରିବେ ଓ ସଭା ପରେ ସେମାନଙ୍କ ଉତ୍ତର ପାଇଁ ସେମାନଙ୍କ ପ୍ରଶଂସା କରିପାରିବେ । ହୁଏତ ଆପଣଙ୍କ ପ୍ରଶଂସା ଶୁଣି ଭାଇଭଉଣୀମାନଙ୍କ ସେତେ ହିଁ ଉତ୍ସାହ ବଢ଼ିବ, ଯେତେ ଆପଣଙ୍କର ଉତ୍ତର ଶୁଣି ହୋଇଥାନ୍ତା । (ହିତୋ. ୧୦:୨୧) ପ୍ରକୃତରେ ପ୍ରଶଂସା କରିବା ପରସ୍ପରର ଉତ୍ସାହ ବଢ଼ାଇବାର ଗୋଟିଏ ଉପାୟ ଅଟେ ।
ପରସ୍ପରର ଆହୁରି କିପରି ଉତ୍ସାହ ବଢ଼ାଇପାରିବା ?
୧୭. (କ) ବାପାମାଆ କିପରି ନିଜ ପିଲାମାନଙ୍କ ବୟସ ଅନୁସାରେ ସେମାନଙ୍କୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ କରାଇପାରିବେ ? (ଖ) ଯେପରି ଭିଡିଓରେ ଦିଆଯାଇଛି ଆମେ କେଉଁ ଚାରୋଟି ପଦକ୍ଷେପ ନେଇ ଉତ୍ତର ଦେବା ପାଇଁ ପ୍ରସ୍ତୁତି କରିପାରିବା ?
୧୭ ଆମେ ସଭାରେ ଆଉ କିପରି ପରସ୍ପରର ଉତ୍ସାହ ବଢ଼ାଇପାରିବା ? ଯଦି ଆପଣଙ୍କର ଛୋଟ ପିଲା ଅଛନ୍ତି ତାହେଲେ ସେମାନଙ୍କର ବୟସ ଅନୁସାରେ ସେମାନଙ୍କୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ କରାଇପାରିବେ । (ମାଥି. ୨୧:୧୬) ଅନେକଥର ଗମ୍ଭୀର ବିଷୟଗୁଡ଼ିକରେ ଚର୍ଚ୍ଚା କରାଯାଇଥାଏ । ଯେପରି ବୈବାହିକ ଜୀବନରେ ଉଠୁଥିବା ସମସ୍ୟା ବା ନୈତିକ ମାମଲା ବିଷୟରେ । କିନ୍ତୁ ଏପରି ଲେଖାଗୁଡ଼ିକରେ ମଧ୍ୟ ହୁଏତ ଗୋଟିଏ ବା ଦୁଇଟି ପାରାଗ୍ରାଫ ଏପରି ଥିବ ଯେଉଁଥିରେ ପିଲାମାନେ ଉତ୍ତର ଦେଇପାରିବେ । ତାʼଛଡ଼ା ନିଜ ପିଲାମାନଙ୍କୁ ବୁଝାନ୍ତୁ ଏହା ଜରୁରୀ ନୁହେଁ ଯେ ଯେବେ ବି ସେମାନେ ହାତ ଉଠାଇବେ ତେବେ ସେମାନଙ୍କୁ ହିଁ ପଚାରାଯିବ । ଯଦି ଆପଣ ପୂର୍ବରୁ ସେମାନଙ୍କ ସହ ଏବିଷୟରେ କଥା ହେବେ ତାହେଲେ ଯେବେ ସେମାନଙ୍କ ପରିବର୍ତ୍ତେ ଅନ୍ୟ କାହାରିକୁ ଉତ୍ତର ପଚରାଯାଏ, ତେବେ ସେମାନେ ନିରାଶ ହେବେନି ।—୧ ତୀମ. ୬:୧୮. d
୧୮. ଲୋକମାନଙ୍କର ଧ୍ୟାନ ଆମ ଉପରେ ନ ଯାଉ ତାʼପାଇଁ ଉତ୍ତର ଦେବା ସମୟରେ ଆମେ କʼଣ ଧ୍ୟାନରେ ରଖିପାରିବା ? (ହିତୋପଦେଶ ୨୭:୨)
୧୮ ଆମେ ସମସ୍ତେ ଏପରି ଉତ୍ତର ଦେବା ପାଇଁ ପ୍ରସ୍ତୁତି କରିପାରିବା ଯେଉଁଥିରୁ ଯିହୋବାଙ୍କର ମହିମା ହେବ ଓ ଭାଇଭଉଣୀଙ୍କର ଉତ୍ସାହ ବଢ଼ିବ । (ହିତୋ. ୨୫:୧୧) ବେଳେବେଳେ ଉତ୍ତର ଦେବା ସମୟରେ ଆମେ ନିଜ ଅନୁଭୂତି ମଧ୍ୟ କହିପାରିବା କିନ୍ତୁ ଆମେ ସବୁବେଳେ ନିଜ ବିଷୟରେ ହିଁ କହିବା ଉଚିତ୍ ନୁହେଁ । (ହିତୋପଦେଶ ୨୭:୨ ପଢ଼ନ୍ତୁ; ୨ କରି. ୧୦:୧୮) ଏହା ପରିବର୍ତ୍ତେ ଆମେ ଏପରି ଉତ୍ତର ଦେବା ପାଇଁ ଚେଷ୍ଟା କରିବା ଉଚିତ୍ ଯେଉଁଥିରୁ ଭାଇଭଉଣୀଙ୍କ ଧ୍ୟାନ ଯିହୋବା, ତାଙ୍କ ବାକ୍ୟ ଓ ତାଙ୍କ ଲୋକମାନଙ୍କ ଉପରେ ଯାଉ । (ପ୍ରକା. ୪:୧୧) ହଁ, ଯଦି କୌଣସି ପାରାଗ୍ରାଫର ପ୍ରଶ୍ନରେ ହିଁ ନିଜର ଅନୁଭୂତି କହିବା ପାଇଁ କୁହାଯାଇଛି ତାହେଲେ ଆମେ ନିଶ୍ଚୟ କହିପାରିବା । ଉଦାହରଣ ପାଇଁ ପରବର୍ତ୍ତୀ ପାରାଗ୍ରାଫର ଗୋଟିଏ ପ୍ରଶ୍ନ ଏପରି ହିଁ ଅଛି ।
୧୯. (କ) ଯେବେ ଆମେ ସଭାରେ ଆସିଥିବା ସମସ୍ତ ଲୋକମାନଙ୍କ ବିଷୟରେ ଭାବୁ, ତେବେ ଏହାର କʼଣ ଲାଭ ହୁଏ ? (ରୋମୀୟ ୧:୧୧, ୧୨) (ଖ) ଆପଣଙ୍କୁ ସଭାରେ ଉତ୍ତର ଦେବା ବିଷୟରେ କେଉଁ କଥା ଭଲ ଲାଗେ ?
୧୯ ଆମେ କିପରି ଉତ୍ତର ଦେବା କଥା ସେବିଷୟରେ କୌଣସି ନିୟମ ନାହିଁ । କିନ୍ତୁ ଆମେ ସମସ୍ତେ ଏପରି ଉତ୍ତର ଦେବା ପାଇଁ ଚେଷ୍ଟା କରିବା ଉଚିତ୍ ଯେଉଁଥିରୁ ଅନ୍ୟମାନଙ୍କର ଉତ୍ସାହ ବଢ଼ୁ । ଆମେ ଏହା କିପରି କରିପାରିବା ? କିଛି ମାମଲାଗୁଡ଼ିକରେ ହୁଏତ ଆମକୁ ଉତ୍ତର ଦେବା ପାଇଁ ବେଶି ହାତ ଉଠାଇବାକୁ ପଡ଼ିପାରେ । କିନ୍ତୁ ଅନ୍ୟ କିଛି ମାମଲାରେ ଆମକୁ ଉତ୍ତର ଦେବା ପାଇଁ ଯେତିକି ସୁଯୋଗ ମିଳେ ଆମେ ସେତିକିରେ ସନ୍ତୁଷ୍ଟ ରହିପାରିବା ଆଉ ଏକଥା ପାଇଁ ଖୁସି ହୋଇପାରିବା ଯେ ଅନ୍ୟମାନଙ୍କୁ ମଧ୍ୟ ଉତ୍ତର ଦେବା ପାଇଁ ସୁଯୋଗ ମିଳୁଛି । ଏପରି ଭାବେ ମଣ୍ଡଳୀର ସଭାଗୁଡ଼ିକରେ ଯେବେ ଆମେ ଅନ୍ୟମାନଙ୍କ ଉପରେ ଧ୍ୟାନ ଦେବା ଅର୍ଥାତ୍ ସେମାନଙ୍କ ବିଷୟରେ ଭାବିବା, ତେବେ ଆମେ ‘ପରସ୍ପରର ଉତ୍ସାହ ବଢ଼ାଇପାରିବା’ ।—ରୋମୀୟ ୧:୧୧, ୧୨ ପଢ଼ନ୍ତୁ ।
ଗୀତ ୯୩ ହାମାରି ସଭାଓଁ ପର ଆଶିଷ୍ ଦେ
a ସଭାରେ ଉତ୍ତର ଦେଇ ଆମେ ପରସ୍ପରର ଉତ୍ସାହ ବଢ଼ାଉ । କିନ୍ତୁ କିଛି ଭାଇଭଉଣୀଙ୍କୁ ସଭାରେ ଉତ୍ତର ଦେବା ପାଇଁ ଡର ଲାଗେ । ଆଉ କିଛି ଭାଇଭଉଣୀଙ୍କୁ ଉତ୍ତର ଦେବା ବହୁତ ଭଲ ଲାଗେ । ସେମାନେ ଅଧିକରୁ ଅଧିକ ଉତ୍ତର ଦେବା ପାଇଁ ଚାହାନ୍ତି କିନ୍ତୁ ଏତେ ସୁଯୋଗ ମିଳେନି । ଏହି ଦୁଇଟି ମାମଲାରେ ଆମେ କିପରି ପରସ୍ପର ଉପରେ ଧ୍ୟାନ ଦେଇପାରିବା ଅର୍ଥାତ୍ ସେମାନଙ୍କ ବିଷୟରେ ଭାବିପାରିବା ଯାହାଦ୍ୱାରା ସମସ୍ତଙ୍କର ଉତ୍ସାହ ବଢ଼ିବ । ଆଉ ଆମେ କିପରି ଉତ୍ତର ଦେଇପାରିବା ଯେଉଁଥିରୁ ପ୍ରେମ କରିବା ଓ ଭଲ କାମ କରିବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ ମିଳିବ । ଏହି ଲେଖାରେ ଆମେ ଏହା ହିଁ ଚର୍ଚ୍ଚା କରିବା ।
b ଆହୁରି ଅଧିକ ପରାମର୍ଶ ଜାଣିବା ପାଇଁ ଜାନୁଆରୀ ୨୦୧୯ ମସିହାର ପ୍ରହରୀଦୁର୍ଗ, ପୃଷ୍ଠା ୮-୧୩ ଓ ୧ ସେପ୍ଟେମ୍ବର, ୨୦୦୩ ମସିହାର ପ୍ରହରୀଦୁର୍ଗ, ପୃଷ୍ଠା ୧୯-୨୨ ପଢ଼ନ୍ତୁ ।
c ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
d jw.org ୱେବସାଇଟ୍ରେ ଦିଆଯାଇଥିବା ଭିଡିଓ ଯିହୋବାଙ୍କ ମିତ୍ର ହୁଅ—ଉତ୍ତର ଦେବା ପାଇଁ ପ୍ରସ୍ତୁତି କର ଦେଖନ୍ତୁ ।
f ଚିତ୍ର ବିଷୟରେ: ଗୋଟିଏ ବଡ଼ ମଣ୍ଡଳୀରେ ଜଣେ ଭାଇ ପୂର୍ବରୁ ଉତ୍ତର ଦେଇ ସାରିଛନ୍ତି, ତେଣୁ ସେ ଅନ୍ୟମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ଦେଉଛନ୍ତି ।