इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୭

ହଠାତ୍‌ ବିପତ୍ତି ଆସିଲେ ମଧ୍ୟ ଯିହୋବା ଆପଣଙ୍କୁ ସମ୍ଭାଳିବେ !

ହଠାତ୍‌ ବିପତ୍ତି ଆସିଲେ ମଧ୍ୟ ଯିହୋବା ଆପଣଙ୍କୁ ସମ୍ଭାଳିବେ !

“ଧାର୍ମିକର ବିପଦ ଅନେକ; ମାତ୍ର ସେସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି ।”—ଗୀତ. ୩୪:୧୯.

ଗୀତ ୪୪ ଦୁଖିୟାରେ କି ପ୍ରାର୍ଥନା

ଲେଖାର ଝଲକ a

୧. ଆମକୁ କେଉଁ କଥାର ବିଶ୍ୱାସ ଅଛି ?

 ଆମେ ଯିହୋବାଙ୍କ ଲୋକ, ତେଣୁ ଆମକୁ ବିଶ୍ୱାସ ଅଛି ଯେ ସେ ଆମକୁ ପ୍ରେମ କରନ୍ତି ଓ ଚାହାନ୍ତି ଯେ ଆମେ ଖୁସିରେ ରହୁ ଓ ଭଲ ଜୀବନ ବିତାଉ । (ରୋମୀ. ୮:୩୫-୩୯) ଆମକୁ ଏହା ବି ବିଶ୍ୱାସ ଅଛି ଯେ ଯଦି ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକ ହିସାବରେ ଚାଲିବା, ତାହେଲେ ଆମର ଲାଭ ହେବ । (ଯିଶା. ୪୮:୧୭, ୧୮) କିନ୍ତୁ ଅନେକଥର ଆମ ଉପରେ ଏପରି ବିପତ୍ତିଗୁଡ଼ିକ ଆସିଯାଏ, ଯାହା ବିଷୟରେ ଆମେ ହୁଏତ କେବେ ଭାବି ନ ଥିଲୁ । ଏପରି ସମୟରେ ଆମେ କʼଣ କରିପାରିବା ?

୨. ଆମକୁ ହୁଏତ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିବ ? ଆଉ ଏପରି ସମୟରେ ଆମେ କʼଣ ଭାବିପାରୁ ?

ଯିହୋବାଙ୍କ ସମସ୍ତ ସେବକମାନଙ୍କୁ କୌଣସି ନା କୌଣସି ସମସ୍ୟାର ସାମନା କରିବାକୁ ପଡ଼େ । ଯେପରି ହୋଇପାରେ, ଆମ ପରିବାରର କୌଣସି ସଦସ୍ୟ କିଛି ଏପରି କରିଦିଏ ଯାହାଦ୍ୱାରା ଆମକୁ ଦୁଃଖ ପହଞ୍ଚେ । ହୁଏତ ଆମକୁ କୌଣସି ରୋଗ ଥିବ ଯାହାଯୋଗୁଁ ଆମେ ଯିହୋବାଙ୍କ ସେବା ଅଧିକ କରି ପାରୁ ନ ଥିବା । ହୋଇପାରେ, ଆମେ କୌଣସି ପ୍ରାକୃତିକ ବିପତ୍ତିର ସାମନା କରୁଥିବା କିମ୍ବା ଆମେ ଯାହା ବିଶ୍ୱାସ କରୁ ତାହା ଯୋଗୁଁ ଆମକୁ ଅତ୍ୟାଚାର ସହିବାକୁ ପଡ଼ୁଥିବ । ଯେବେ ଆମେ ଏପରି କୌଣସି ସମସ୍ୟାର ସାମନା କରୁ, ତେବେ ହୁଏତ ଆମେ ଏପରି ଭାବିବା, ‘ମୋ ସହିତ ଏପରି କାହିଁକି ହେଉଛି ? ମୁଁ କʼଣ ଭୁଲ କରିଦେଲି ? କʼଣ ଯିହୋବା ମୋ ଉପରେ ରାଗିଛନ୍ତି ?’ କʼଣ ଆପଣଙ୍କୁ ମଧ୍ୟ କେବେ ଏପରି ଲାଗିଛି ? ଯଦି ହଁ, ତେବେ ନିରାଶ ହୁଅନ୍ତୁ ନାହିଁ । ଯିହୋବାଙ୍କ ଅନେକ ବିଶ୍ୱସ୍ତ ସେବକମାନଙ୍କୁ ଏପରି ହିଁ ଲାଗିଥିଲା ।—ଗୀତ. ୨୨:୧, ୨; ହବ. ୧:୨, ୩.

୩. ଗୀତସଂହିତା ୩୪:୧୯ ପଦରୁ ଆମେ କʼଣ ଶିଖୁ ?

ଗୀତସଂହିତା ୩୪:୧୯ ପଢ଼ନ୍ତୁ । ଏଠାରେ ବିଶେଷ କରି ଦୁଇଟି କଥା ବିଷୟରେ କୁହାଯାଇଛି: (୧) ଧାର୍ମିକ ଲୋକମାନଙ୍କୁ ମଧ୍ୟ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ଓ (୨) ଯିହୋବା ଆମକୁ ସମସ୍ୟାରୁ କାଢ଼ନ୍ତି । ସେ ଏହା କିପରି କରନ୍ତି ? ସେ ଆମକୁ କହିଛନ୍ତି ଯେ ଏହି ଦୁନିଆରେ ଆମକୁ ଏହା ଆଶା କରିବା ଉଚିତ୍‌ ନୁହେଁ ଯେ ଆମ ସହ ସବୁବେଳେ ଭଲ ହିଁ ହେବ । ସେ ଆମକୁ ଏହା ତ ପ୍ରତିଜ୍ଞା କରନ୍ତି ଯେ ଯଦି ଆମେ ତାଙ୍କ ସେବା କରିବା ତାହେଲେ ଆମକୁ ଖୁସି ମିଳିବ, କିନ୍ତୁ ସେ ଏକଥାର ଗ୍ୟାରେଣ୍ଟି ଦିଅନ୍ତି ନାହିଁ ଯେ ଆମ ଉପରେ କେବେ କୌଣସି ସମସ୍ୟା ଆସିବ ନାହିଁ । (ଯିଶା. ୬୬:୧୪) ଯିହୋବା ଚାହାନ୍ତି ଆମେ ଭବିଷ୍ୟତ ବିଷୟରେ ଭାବୁ, ସେସମୟ ବିଷୟରେ ଯେବେ ସେ ଆମକୁ ଅନନ୍ତ ଜୀବନ ଦେବେ ଓ ଆମେ ସବୁଦିନ ଖୁସିରେ ରହିବା । (୨ କରି. ୪:୧୬-୧୮) କିନ୍ତୁ ସେହି ଦିନ ଯାଏ ସେ ଆମକୁ ହାର୍‌ ନ ମାନିବା ଓ ଲଗାତାର ତାଙ୍କ ସେବା କରିବା ପାଇଁ ସାହାଯ୍ୟ କରୁଛନ୍ତି ।—ବିଳା. ୩:୨୨-୨୪.

୪. ଏହି ଲେଖାରୁ ଆମେ କʼଣ ଜାଣିବା ?

ଆସନ୍ତୁ ଜାଣିବା ଯେ ଆମେ ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କଠାରୁ କʼଣ ଶିଖିପାରିବା ? ଆମେ ପ୍ରାଚୀନ ସମୟର କିଛି ଲୋକମାନଙ୍କ ଓ ଆମ ସମୟର କିଛି ଭାଇଭଉଣୀମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା । ଆମେ ଜାଣିବା ଯେ ବେଳେବେଳେ ହଠାତ୍‌ ଆମ ଉପରେ କୌଣସି ସମସ୍ୟା ଆସିପାରେ, କିନ୍ତୁ ଏପରି ସମୟରେ ମଧ୍ୟ ଯେବେ ଆମେ ଯିହୋବାଙ୍କ ଉପରେ ଭରସା ରଖିବା, ତେବେ ସେ ଆମକୁ ନିଶ୍ଚୟ ସମ୍ଭାଳିବେ । (ଗୀତ. ୫୫:୨୨) ଯେବେ ଆମେ ଏହି ଉଦାହରଣଗୁଡ଼ିକ ଉପରେ ଚର୍ଚ୍ଚା କରିବା ତେବେ ଭାବନ୍ତୁ, ‘ଯଦି ମୋ ପରିସ୍ଥିତି ବି ଏପରି ଥାନ୍ତା ତାହେଲେ ମୁଁ କʼଣ କରନ୍ତି ? ଏହି ଉଦାହରଣ ଉପରେ ଧ୍ୟାନ ଦେବା ଯୋଗୁଁ ଯିହୋବାଙ୍କ ଉପରେ ମୋ ଭରସା କିପରି ବଢ଼ିଛି? ଏଥିରୁ ମୁଁ ଆଉ କʼଣ ଶିଖିପାରେ ?’

ପ୍ରାଚୀନ ସମୟର ଲୋକମାନେ

୨୦ ବର୍ଷ ମଧ୍ୟରେ ଯାବୁକଙ୍କ ମାମୁଁ ଲାବନ ବାରମ୍ବାର ତାଙ୍କୁ ଧୋକା ଦେଲେ, କିନ୍ତୁ ଯିହୋବା ଯାକୁବଙ୍କୁ ଲଗାତାର ଆଶିଷ ଦେଲେ । (ପାରାଗ୍ରାଫ ୫)

୫. ଲାବନଙ୍କ ଯୋଗୁଁ ଯାକୁବଙ୍କୁ କʼଣ କʼଣ ସହିବାକୁ ପଡ଼ିଲା ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

ଯିହୋବାଙ୍କ ଅନେକ ସେବକମାନଙ୍କୁ ଏପରି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା, ଯାହା ବିଷୟରେ ସେମାନେ କେବେ ବି ଭାବି ନ ଥିଲେ । ଟିକେ ଯାକୁବଙ୍କ ବିଷୟରେ ଭାବନ୍ତୁ । ତାଙ୍କ ବାପା ତାଙ୍କୁ କହିଲେ ଯେ ସେ ନିଜ ଜଣେ ସମ୍ପର୍କୀୟ ଲାବନଙ୍କ ଘରେ ଯାଆନ୍ତୁ ଯିଏକି ଯିହୋବାଙ୍କ ଜଣେ ସେବକ ଅଟନ୍ତି ଆଉ ତାଙ୍କ ଜଣେ ଝିଅକୁ ବାହା ହୁଅନ୍ତୁ । ସେ ଭରସା କରାଇ କହିଲେ ଯେ ଯଦି ସେ ଏପରି କରିବେ, ତାହେଲେ ଯିହୋବା ତାଙ୍କୁ ବହୁତ ଆଶିଷ ଦେବେ । (ଆଦି. ୨୮:୧-୪) ଯାକୁବ ନିଜ ପିତାଙ୍କ କଥା ମାନିଲେ । ସେ କିଣାନ ଛାଡ଼ି ଲାବନଙ୍କ ଘରକୁ ଚାଲିଗଲେ । ଲାବନଙ୍କ ଦୁଇ ଜଣ ଝିଅ ଥିଲେ ଲେୟା ଓ ରାହେଲ । ଯାକୁବ ଲାବନଙ୍କ ସାନ ଝିଅକୁ ଭଲ ପାଇବାକୁ ଲାଗିଲେ ଓ ସେ ତାଙ୍କୁ ବାହା ହେବା ପାଇଁ ଚାହୁଁଥିଲେ । ତେଣୁ ସେ ଲାବନଙ୍କ ଘରେ ସାତ ବର୍ଷ କାମ କରିବା ପାଇଁ ପ୍ରସ୍ତୁତ ହୋଇଗଲେ । (ଆଦି. ୨୯:୧୮) କିନ୍ତୁ ଯାକୁବ ଯାହା ଭାବିଥିଲେ ସେପରି ହେଲାନି । ସାତ ବର୍ଷ ପୂରା ହେବା ପରେ ଲାବନ ଧୋକା ଦେଇ ଯାକୁବଙ୍କ ବିବାହ ନିଜ ବଡ଼ ଝିଅ ଲେୟାଙ୍କ ସହ କରାଇଦେଲେ । ତାʼପରେ ସେ ଯାକୁବଙ୍କୁ କହିଲେ ଯେ ଗୋଟିଏ ସପ୍ତାହ ପରେ ସେ ରାହେଲଙ୍କ ସହ ମଧ୍ୟ ତାଙ୍କ ବିବାହ କରାଇଦେବେ, କିନ୍ତୁ ତାʼପାଇଁ ତାଙ୍କୁ ଆହୁରି ସାତ ବର୍ଷ କାମ କରିବାକୁ ପଡ଼ିବ । (ଆଦି. ୨୯:୨୫-୨୭) ଆଉ ଯେବେ ଯାକୁବ ଲାବନଙ୍କ ପାଇଁ କାମ କରୁଥିଲେ, ସେସମୟରେ ମଧ୍ୟ ଲାବନ ତାଙ୍କ ସହ ଅନ୍ୟାୟ କଲେ । ଲାବନ ୨୦ ବର୍ଷ ଯାଏ ତାଙ୍କୁ ଧୋକା ଦେଲେ !—ଆଦି. ୩୧:୪୧, ୪୨.

୬. ଯାକୁବଙ୍କ ଉପରେ ଆଉ କେଁଉ କେଉଁ ସମସ୍ୟା ଆସିଲା ?

ଯାକୁବଙ୍କୁ ଆହୁରି ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା । ତାଙ୍କ ପରିବାର ବହୁତ ବଡ଼ ଥିଲା, କିନ୍ତୁ ଅନେକଥର ତାଙ୍କ ପୁଅମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏପରିକି ସେମାନେ ନିଜ ଭାଇ ଯୋଷେଫଙ୍କୁ ଦାସ ଭାବେ ବିକ୍ରି କରିଦେଲେ । ଯାକୁବଙ୍କ ଦୁଇ ପୁଅ ଶିମୀୟୋନ୍‌ ଓ ଲେବୀ ନିଜ ପରିବାରର ସମ୍ମାନଙ୍କୁ ମାଟିରେ ମିଶାଇ ଦେଲେ ଓ ଯିହୋବାଙ୍କ ନାମରେ ମଧ୍ୟ କଳଙ୍କ ଲଗାଇ ଦେଲେ । ଏହାଛଡ଼ା ସେମାନଙ୍କ ଦ୍ୱିତୀୟ ପୁଅକୁ ଜନ୍ମ ଦେବା ସମୟରେ ତାଙ୍କ ପ୍ରିୟ ସ୍ତ୍ରୀ ରାହେଲଙ୍କର ମୃତ୍ୟୁ ହୋଇଗଲା । ଆଉ ଏକ ଭୟଙ୍କର ମରୁଡ଼ି ଯୋଗୁଁ ବୁଢ଼ା ସମୟରେ ଯାକୁବଙ୍କୁ ବାଧ୍ୟ ହୋଇ ମିଶରରେ ଯାଇ ରହିବାକୁ ପଡ଼ିଲା ।—ଆଦି. ୩୪:୩୦; ୩୫:୧୬-୧୯; ୩୭:୨୮; ୪୫:୯-୧୧, ୨୮.

୭. ଯିହୋବା କିଭଳି ଯାକୁବଙ୍କୁ ସବୁବେଳେ ସାହାଯ୍ୟ କଲେ ?

ଏହି ସମସ୍ୟାଗୁଡ଼ିକ ସତ୍ତ୍ୱେ ଯିହୋବା ଓ ତାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଯାକୁବଙ୍କ ବିଶ୍ୱାସ ଦୁର୍ବଳ ହେଲାନି । ଯିହୋବା ସବୁବେଳେ ତାଙ୍କୁ ସାହାଯ୍ୟ କଲେ । ଯେପରି, ଲାବନ ଯାକୁବଙ୍କ ସହ ବାରମ୍ବାର ଅନ୍ୟାୟ କରିବା ସତ୍ତ୍ୱେ ଯିହୋବା ଯାକୁବଙ୍କ ସମ୍ପତ୍ତି ବଢ଼ାଇଲେ । ଆଉ ଭାବନ୍ତୁ ଯାକୁବଙ୍କୁ କେତେ ଖୁସି ହୋଇଥିବ ଯେବେ ସେ ବହୁତ ସମୟ ପରେ ଯୋଷେଫଙ୍କୁ ପୁଣିଥରେ ଭେଟିଲେ । ସେ ଯିହୋବାଙ୍କୁ ବହୁତ ଧନ୍ୟବାଦ ଦେଇଥିବେ ଯେ ତାଙ୍କ ପୁଅ ତାଙ୍କୁ ପୁଣିଥରେ ମିଳିଗଲା । ଯାକୁବଙ୍କ ଯିହୋବାଙ୍କ ସହ ଭଲ ସମ୍ପର୍କ ଥିଲା, ତେଣୁ ସେ ସବୁ ସମସ୍ୟାଗୁଡ଼ିକର ଦୃଢ଼ ଭାବେ ସାମନା କରିପାରିଲେ । (ଆଦି. ୩୦:୪୩; ୩୨:୯, ୧୦; ୪୬:୨୮-୩୦) ଯଦି ଆମର ମଧ୍ୟ ଯିହୋବାଙ୍କ ସହ ଗୋଟିଏ ଭଲ ସମ୍ପର୍କ ଥିବ, ତେବେ ହଠାତ୍‌ ଆସୁଥିବା ସମସ୍ୟାଗୁଡ଼ିକର ଆମେ ଦୃଢ଼ ରହି ସାମନା କରିପାରିବା ।

୮. ରାଜା ଦାଉଦ କʼଣ କରିବାକୁ ଚାହୁଁଥିଲେ ?

ରାଜା ଦାଉଦ ଯିହୋବଙ୍କ ପାଇଁ ଯାହା ସବୁ କରିବା ପାଇଁ ଚାହୁଁଥିଲେ, ତାହା ସେ କରିପାରିଲେନି । ଯେପରିକି ତାଙ୍କ ବହୁତ ଇଚ୍ଛା ଥିଲା ଯେ ସେ ଯିହୋବାଙ୍କ ପାଇଁ ଭବନ ତିଆରି କରନ୍ତୁ । ସେ ଏବିଷୟରେ ଭବିଷ୍ୟଦ୍‌ବକ୍ତା ନାଥନଙ୍କୁ କହିଲେ, ତେବେ ନାଥନ ତାଙ୍କୁ କହିଲେ, “ତୁମ୍ଭ ହୃଦୟରେ ଯାହା ଅଛି, ତାହାସବୁ କର; କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି ।” (୧ ବଂଶା. ୧୭:୧, ୨) ଏହାଶୁଣି ଦାଉଦ ବହୁତ ଖୁସି ହୋଇଗଲେ । ହୁଏତ ସେ ତୁରନ୍ତ ସେହି ଭବନ ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଲାଗିଥିବେ ।

୯. ଯେବେ ଦାଉଦ ଏପରି ଖବର ଶୁଣନ୍ତି ଯାହାର ସେ ଆଶା କରି ନ ଥିଲେ, ତେବେ ସେ କʼଣ କରନ୍ତି ?

କିନ୍ତୁ “ସେହି ରାତ୍ରି” ଯିହୋବା ନାଥନଙ୍କୁ କହିଲେ ଯେ ଦାଉଦ ତାଙ୍କ ପାଇଁ ଭବନ ତିଆରି କରିବେନି, ବରଂ ତାଙ୍କ ଜଣେ ପୁଅ ତିଆରି କରିବ । ଏହାଶୁଣି ନାଥନ ତୁରନ୍ତ ଦାଉଦଙ୍କ ପାଖକୁ ଯାନ୍ତି ଆଉ ତାଙ୍କୁ ଏହି ଖବର ଦିଅନ୍ତି । (୧ ବଂଶା. ୧୭:୩, ୪, ୧୧, ୧୨) ଏହା ଜାଣିଲା ପରେ ଦାଉଦ କʼଣ କରନ୍ତି ? ସେ ନିଜ ଲକ୍ଷ୍ୟ ବଦଳାଇ ଦିଅନ୍ତି ଓ ଯିହୋବାଙ୍କ ଭବନ ତିଆରି କରିବାରେ ପଇସା ଓ ଅନ୍ୟ ଜିନିଷଗୁଡ଼ିକ ଜମା କରିବାରେ ଲାଗିଯାନ୍ତି, ଯାହାଦ୍ୱାରା ତାଙ୍କ ପୁଅ ଶୋଲମନ ଏହାକୁ ତିଆରି କରନ୍ତେ ।—୧ ବଂଶା. ୨୯:୧-୫.

୧୦. ଯିହୋବା ଦାଉଦଙ୍କୁ କʼଣ ଆଶିଷ ଦେଲେ ?

୧୦ ଯେବେ ଦାଉଦଙ୍କୁ କୁହାଗଲା ଯେ ସେ ଯିହୋବାଙ୍କ ପାଇଁ ଭବନ ତିଆରି କରିବେନି, ତେବେ ଏହାର ତୁରନ୍ତ ପରେ ଯିହୋବା ତାଙ୍କ ସହ ଗୋଟିଏ ଚୁକ୍ତି କରନ୍ତି । ସେ ଦାଉଦଙ୍କୁ ପ୍ରତିଜ୍ଞା କରନ୍ତି ଯେ ତାଙ୍କ ଜଣେ ବଂଶଜ ସବୁଦିନ ପାଇଁ ଶାସନ କରିବ । (୨ ଶାମୁ. ୭:୧୬) ଭାବନ୍ତୁ, ଯେବେ ଦାଉଦଙ୍କୁ ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନ ସମୟରେ ଜୀବିତ କରାଯିବ, ତେବେ ତାଙ୍କୁ ଏହାଜାଣି କେତେ ଖୁସି ଲାଗିବ ଯେ ଆମ ରାଜା ଯୀଶୁ ଖ୍ରୀଷ୍ଟ ତାଙ୍କ ବଂଶରୁ ଅଟନ୍ତି । ଏହି ଘଟଣାରୁ ଆମେ କʼଣ ଶିଖୁ ? ଯଦି ଆମେ ଯିହୋବାଙ୍କ ପାଇଁ ସେସବୁ କରିପାରିବାନି ଯାହା ଆମେ କରିବାକୁ ଚାହୁଁ ତାହେଲେ ଆମେ ନିରାଶ ହେବା ଉଚିତ୍‌ ନୁହେଁ । ହୁଏତ ଯିହୋବା ଆମକୁ ଏପରି କୌଣସି ଉପାୟରେ ଆଶିଷ ଦେବେ ଯାହା ଆମେ କେବେ ଭାବି ବି ନ ଥିବା ।

୧୧. ଈଶ୍ୱରଙ୍କ ରାଜ୍ୟ ସେସମୟରେ ଆସିଲା ନାହିଁ ଯେବେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଭାବିଥିଲେ, ତଥାପି ସେମାନଙ୍କୁ କʼଣ ଆଶିଷ ମିଳିଲା ? (ପ୍ରେରିତ ୬:୭)

୧୧ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଏପରି ହିଁ ସମସ୍ୟାର ସାମନା କରିବାକୁ ପଡ଼ିଲା । ସେମାନେ ଯେପରି ଭାବିଥିଲେ, ସେପରି ହେଲାନି । ସେମାନେ ଚାହୁଁଥିଲେ ଯେ ଈଶ୍ୱରଙ୍କ ରାଜ୍ୟ ଶୀଘ୍ର ଆସୁ, କିନ୍ତୁ ସେସମୟରେ ସେମାନଙ୍କର ଆଶା ପୂରା ହେଲା ନାହିଁ । ସେମାନଙ୍କୁ ଏହା ମଧ୍ୟ ଜଣା ନ ଥିଲା ଯେ ଈଶ୍ୱରଙ୍କ ରାଜ୍ୟ ଠିକ୍‌ କେବେ ଆସିବ । (ପ୍ରେରି. ୧:୬, ୭) ସେମାନେ ସେସମୟରେ କʼଣ କଲେ ? ସେମାନେ ନିରାଶ ହେଲେ ନାହିଁ, ବରଂ ପ୍ରଚାର କାମରେ ଲାଗି ରହିଲେ । ଆଉ ଯେପରି ପ୍ରଚାର କାମ ଆଗକୁ ବଢ଼ିଲା ସେମାନେ ଏକଥାର ସ୍ପଷ୍ଟ ପ୍ରମାଣ ଦେଖିପାରିଲେ ଯେ ଯିହୋବା କିପରି ତାଙ୍କ ପରିଶ୍ରମ ଉପରେ ଆଶିଷ ଦେଉଛନ୍ତି ।—ପ୍ରେରିତ ୬:୭ ପଢ଼ନ୍ତୁ ।

୧୨. ଦୁର୍ଭିକ୍ଷ ସମୟରେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ କʼଣ କଲେ ?

୧୨ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଏପରି ହିଁ ପରିସ୍ଥିତିର ସାମନା କରିବାକୁ ପଡ଼ିଲା ଯାହା ବିଷୟରେ ସେମାନେ ଭାବି ନ ଥିଲେ । ଥରେ “ସମୁଦାୟ ପୃଥିବୀରେ ମହା ଦୁର୍ଭିକ୍ଷ” ପଡ଼ିଲା । (ପ୍ରେରି. ୧୧:୨୮) କʼଣ ଆପଣ କଳ୍ପନା କରିପାରିବେ ସେସମୟରେ ଖ୍ରୀଷ୍ଟିୟାନମାନଙ୍କୁ କିପରି ଲାଗିଥିବ ? ପରିବାରର ମୁଖିଆଙ୍କୁ ଏହି ଚିନ୍ତା ଘାରୁଥିବ ଯେ ସେମାନେ ନିଜ ପରିବାରର ଆବଶ୍ୟକତା କିପରି ପୂରା କରିବେ । ଆଉ ସେହି ଯୁବାମାନଙ୍କ ବିଷୟରେ ଭାବନ୍ତୁ ଯେଉଁମାନେ ଯିହୋବାଙ୍କ ଆହୁରି ଅଧିକ ସେବା କରିବାକୁ ଚାହୁଁଥିଲେ । କʼଣ ସେମାନଙ୍କୁ ଲାଗିଥିବ ଯେ ଏବେ ତାଙ୍କୁ ଦୁର୍ଭିକ୍ଷ ଶେଷ ହେବାର ଅପେକ୍ଷା କରିବାକୁ ପଡ଼ିବ ? ଯାହା ବି ହେଉ ନା କାହିଁକି, ସେହି ଖ୍ରୀଷ୍ଟିୟାନମାନେ ନିଜ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇଲେ ଓ ଯେତେ ସମ୍ଭବ ସେତେ ପ୍ରଚାର କରିବା ଜାରି ରଖିଲେ । ତାʼସହ ସେମାନଙ୍କ ପାଖରେ ଯାହା ଥିଲା, ତାହା ଖୁସିର ସହ ଯିହୁଦାର ଭାଇଭଉଣୀଙ୍କ ସହ ବାଣ୍ଟିଲେ ।—ପ୍ରେରି. ୧୧:୨୯, ୩୦.

୧୩. ଦୁର୍ଭିକ୍ଷ ସମୟରେ ଯିହୋବା ଖ୍ରୀଷ୍ଟିୟାନମାନଙ୍କୁ କʼଣ କʼଣ ଆଶିଷ ଦେଲେ ?

୧୩ ସେହି ଦୁର୍ଭିକ୍ଷ ସମୟରେ ଖ୍ରୀଷ୍ଟିୟାନମାନଙ୍କୁ କʼଣ କʼଣ ଆଶିଷ ମିଳିଲା ? ଯେଉଁ ଭାଇଭଉଣୀଙ୍କୁ ରିଲିଫ୍‌ ସାମଗ୍ରୀ ମିଳିଲା ସେମାନେ ଦେଖିପାରିଲେ ଯେ ଯିହୋବା ତାଙ୍କୁ ସମ୍ଭାଳୁଛନ୍ତି । (ମାଥି. ୬:୩୧-୩୩) ଆଉ ସେହି ଭାଇଭଉଣୀମାନଙ୍କ ସହ ସେମାନଙ୍କ ସମ୍ପର୍କ ଆହୁରି ଗଭୀର ହୋଇଗଲା ଯେଉଁମାନେ ତାଙ୍କୁ ସାହାଯ୍ୟ କଲେ । ତାʼସହ ଯେଉଁ ଖ୍ରୀଷ୍ଟିୟାନମାନେ ଦାନ ଦେଇ କିମ୍ବା ଅନ୍ୟ ଉପାୟରେ ରିଲିଫ୍‌ କାମରେ ସାହାଯ୍ୟ କଲେ, ସେମାନଙ୍କୁ ମଧ୍ୟ ଏକଥାରୁ ଖୁସି ମିଳିଥିବ ଯେ ସେମାନେ ଅନ୍ୟମାନଙ୍କ ପାଇଁ କିଛି କରିପାରିଲେ । (ପ୍ରେରି. ୨୦:୩୫) ସେସମୟରେ ଯିହୋବା ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଆଶିଷ ଦେଲେ, କାରଣ ସେମାନେ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇଲେ ।

୧୪. ପାଉଲ ଓ ବର୍ଣ୍ଣବ୍‌ବାଙ୍କ ସହ କʼଣ ହେଲା ? ଆଉ ଏହାର କʼଣ ପରିଣାମ ହେଲା ? (ପ୍ରେରିତ ୧୪:୨୧, ୨୨)

୧୪ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଉପରେ ଅନେକ ସମୟରେ ଅତ୍ୟାଚାର ମଧ୍ୟ କରାଗଲା । ଅନେକଥର ତ ଏପରି ସମୟରେ ଅତ୍ୟାଚାର କରାଗଲା ଯେବେ ସେମାନେ ଭାବି ବି ନ ଥିଲେ । ଧ୍ୟାନ ଦିଅନ୍ତୁ ଯେବେ ପାଉଲ ଓ ବର୍ଣ୍ଣବ୍‌ବା ଲୁସ୍ତ୍ରାରେ ପ୍ରଚାର କରୁଥିଲେ, ତେବେ ସେମାନଙ୍କ ସହ କʼଣ ହେଲା । ଆରମ୍ଭରେ ଲୋକମାନେ ଧ୍ୟାନର ସହ ତାଙ୍କ କଥା ଶୁଣିଲେ ଓ ଭଲଭାବେ ସେମାନଙ୍କର ସ୍ୱାଗତ କଲେ । କିନ୍ତୁ ପରେ କିଛି ବିରୋଧୀମାନେ ସେଠାକୁ ଆସିଗଲେ ଓ ସେମାନେ “ଲୋକସମୂହଙ୍କୁ ପ୍ରବର୍ତ୍ତାଇଲେ” ଅର୍ଥାତ୍‌ ଲୋକମାନଙ୍କୁ ନିଜ ଆଡ଼କୁ କରିନେଲେ । ତାʼପରେ ଯେଉଁ ଲୋକମାନେ ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ସ୍ୱାଗତ କରିଥିଲେ, ସେମାନଙ୍କ ମଧ୍ୟରୁ କିଛି ଲୋକମାନେ ପାଉଲଙ୍କୁ ପଥରରୁ ମାରିଲେ ଓ ସେ ମରି ଯାଇଛନ୍ତି ଭାବି ଚାଲିଗଲେ । (ପ୍ରେରି. ୧୪:୧୯) ଏପରି ସମୟରେ ପାଉଲ ଓ ବର୍ଣ୍ଣବ୍‌ବା କʼଣ କଲେ ? ସେମାନେ ଅନ୍ୟ ଜାଗା ଯାଇ ପ୍ରଚାର କରିବା ଜାରି ରଖିଲେ ଆଉ ଏହା ଯୋଗୁଁ ସେମାନେ “ଅନେକଙ୍କୁ” ଶିଷ୍ୟ କରିପାରିଲେ ଏବଂ ସେମାନଙ୍କ କଥା ଓ ଉଦାହରଣରୁ ଅନ୍ୟ ଭାଇଭଉଣୀମାନଙ୍କୁ ମଧ୍ୟ ବହୁତ ସାହସ ମିଳିଲା । (ପ୍ରେରିତ ୧୪:୨୧, ୨୨ ପଢ଼ନ୍ତୁ ।) ଯେବେ ପାଉଲ ଓ ବର୍ଣ୍ଣବ୍‌ବାଙ୍କ ଉପରେ ହଠାତ୍‌ ଅତ୍ୟାଚାର କରାଗଲା, ତେବେ ସେମାନେ ହାର୍‌ ମାନିଲେନି । ଆଉ ଏହା ଯୋଗୁଁ ଅନେକ ଲୋକଙ୍କୁ ଲାଭ ହେଲା । ଯଦି ଆମେ ମଧ୍ୟ ହାର୍‌ ମାନିବାନି ଓ ଯିହୋବା ଆମକୁ ଯେଉଁ କାମ ଦେଇଛନ୍ତି, ସେହି କାମରେ ଲାଗି ରହିବା ତେବେ ସେ ଆମକୁ ମଧ୍ୟ ଆଶିଷ ଦେବେ ।

ଆମ ସମୟର ଭାଇଭଉଣୀ

୧୫. ଭାଇ ମୈକମିଲନ୍‌ଙ୍କ ଉଦାହରଣରୁ ଆମେ କʼଣ ଶିଖୁ ?

୧୫ ୧୯୧୪ ମସିହା ପୂର୍ବରୁ ଯିହୋବାଙ୍କ ଲୋକମାନେ ବହୁତ ବଡ଼ ବଡ଼ ବିଷୟରେ ଆଶା ରଖିଥିଲେ । ଯେପରି ଭାଇ ଏ. ଏଚ . ମୈକମିଲନ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଅନ୍ୟ ଭାଇଭଉଣୀମାନଙ୍କ ଭଳି ତାଙ୍କୁ ମଧ୍ୟ ଲାଗିଲା ଯେ ସେ ଖୁବ୍‌ ଶୀଘ୍ର ସ୍ୱର୍ଗକୁ ଚାଲିଯିବେ । ସେପ୍ଟେମ୍ବର ୧୯୧୪ ମସିହାରେ ଗୋଟିଏ ଭାଷଣ ଦେବା ସମୟରେ ସେ କହିଲେ, “ହୁଏତ ଏହା ମୋର ଶେଷ ଭାଷଣ ଥିବ ।” କିନ୍ତୁ ପରେ ଯେପରି ସେ ଭାବିଥିଲେ, ସେପରି ହେଲା ନାହିଁ । ଆଗକୁ ଯାଇ ଭାଇ ଲେଖିଲେ, “ଆମ ମଧ୍ୟରୁ କିଛି ଲୋକ ହୁଏତ ତରତର ହେଉଥିଲୁ । ଆମକୁ ଲାଗିଲା ଯେ ଆମେ ଆଉ କିଛି ସମୟ ପରେ ହିଁ ସ୍ୱର୍ଗ ଚାଲିଯିବୁ ।” ତାʼପରେ ସେ ଲେଖିଲେ, “ପ୍ରକୃତରେ ଆମକୁ ପ୍ରଭୁଙ୍କ ସେବାରେ ବ୍ୟସ୍ତ ରହିବାର ଥିଲା ।” ଆଉ ଭାଇ ମୈକମିଲନ୍‌ ନିଜକୁ ପ୍ରଚାର କାମରେ ବ୍ୟସ୍ତ ରଖିଲେ । ସେ ଉତ୍ସାହର ସହ ଏପରି କରିବା ଜାରି ରଖିଲେ । ତାଙ୍କୁ ଜେଲ୍‌ରେ ବନ୍ଦୀ ଥିବା ଏପରି ଅନେକ ଭାଇଭଉଣୀଙ୍କର ଉତ୍ସାହ ବଢ଼ାଇବାର ସୁଯୋଗ ମିଳିଲା, ଯେଉଁମାନେ ସେନାରେ ଭର୍ତ୍ତୀ ହେବା ପାଇଁ ମନା କରି ଦେଇଥିଲେ । ଆଉ ଯେବେ ବୃଦ୍ଧାବସ୍ଥା ଯୋଗୁଁ ସେ ବହୁତ ଦୁର୍ବଳ ହୋଇଯାଇଥିଲେ, ତେବେ ମଧ୍ୟ ସେ ଲଗାତାର ମଣ୍ଡଳୀର ସଭାଗୁଡ଼ିକରେ ଯାଉଥିଲେ । ଯେବେ ଭାଇ ସ୍ୱର୍ଗରେ ତାଙ୍କ ପୁରସ୍କାର ପାଇବାର ଅପେକ୍ଷା କରୁଥିଲେ, ତେବେ ମଧ୍ୟ ସେ ସମୟରେ ଭଲ ବ୍ୟବହାର କଲେ । ଏଥିରୁ ତାଙ୍କୁ କʼଣ ଲାଭ ହେଲା ? ୧୯୬୬ ମସିହାରେ ନିଜ ମୃତ୍ୟୁର କିଛି ସମୟ ପୂର୍ବେ ସେ ଲେଖିଲେ, “ଆଜି ବି ମୋ ବିଶ୍ୱାସ ସେତେ ହିଁ ଅତୁଟ ଅଛି ଯେତେ ପୂର୍ବରୁ ଥିଲା ।” ଭାଇ ମୈକମିଲନ୍‌ଙ୍କ ଚିନ୍ତାଧାରା କେତେ ଭଲ ଥିଲା ! ଅନେକଥର ହୁଏତ ଆମେ ଭାବି ନ ଥିବା ଯେ ଆମକୁ କେତେ ଲମ୍ବା ସମୟ ଯାଏ ସମସ୍ୟା ସହିବାକୁ ପଡ଼ିବ । କିନ୍ତୁ ଏପରି ସମୟରେ ଆସନ୍ତୁ ଆମେ ଭାଇ ମୈକମିଲନ୍‌ଙ୍କ ଭଳି ହେବା ଓ ଧୈର୍ଯ୍ୟ ଧରିବା !—ଏବ୍ରୀ ୧୩:୭.

୧୬. ଭାଇ ଜନିଙ୍ଗଜ୍‌ ଓ ତାଙ୍କ ସ୍ତ୍ରୀଙ୍କୁ ହଠାତ୍‌ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିଲା ? (ଯାକୁବ ୪:୧୪)

୧୬ ଯିହୋବାଙ୍କ ଅନେକ ସେବକମାନଙ୍କୁ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ । ଯେପରି ଭାଇ ହର୍ବର୍ଟ ଜନିଙ୍ଗଜ୍‌ଙ୍କ b ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ନିଜ ଜୀବନ କାହାଣୀରେ କହନ୍ତି ଯେ ସେ ଓ ତାଙ୍କ ସ୍ତ୍ରୀ ଘାନାରେ ମିଶନାରୀ ଭାବେ ସେବା କରୁଥିଲେ ଓ ସେମାନେ ବହୁତ ଖୁସି ଥିଲେ । କିନ୍ତୁ ଦିନେ ତାଙ୍କୁ ଜଣାପଡ଼େ ଯେ ତାଙ୍କୁ ଗୋଟିଏ ଭୟଙ୍କର ମାନସିକ ରୋଗ (ଏକ ପ୍ରକାରର ମୁଡ଼୍‌ ଡିସଓର୍ଡର) ହୋଇଯାଇଛି । ଯାକୁବ ୪:୧୪ ପଦକୁ ଧ୍ୟାନରେ ରଖି ଭାଇ ନିଜ ପରିସ୍ଥିତି ବିଷୟରେ କହନ୍ତି, “ଏହା ଏକ ଏପରି ‘କାଲି’ ଥିଲା ଯାହାର ଆମେ କେବେ ବି ଆଶା କରି ନ ଥିଲୁ ।” (ପଢ଼ନ୍ତୁ ।) ସେ ଏହା ମଧ୍ୟ ଲେଖିଲେ, “ଜୀବନର ସତ୍ୟତାକୁ ସ୍ୱୀକାର କରି ଆମେ . . . ଘାନାକୁ ଓ ନିଜ ପ୍ରିୟ ସାଙ୍ଗମାନଙ୍କୁ ଛାଡ଼ି [ଚିକିତ୍ସା କରାଇବା ପାଇଁ] କାନାଡା ଫେରିବା ପାଇଁ ନିଷ୍ପତ୍ତି ନେଲୁ ।” ଭାଇ ଜନିଙ୍ଗଜ୍‌ ଓ ତାଙ୍କ ସ୍ତ୍ରୀଙ୍କ ପାଇଁ ଏହା ବହୁତ କଠିନ ସମୟ ଥିଲା । କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ସେମାନେ ବିଶ୍ୱସ୍ତତାର ସହ ତାଙ୍କ ସେବା କରିବା ଜାରି ରଖିପାରିଲେ ।

୧୭. ଭାଇ ଜନିଙ୍ଗଜ୍‌ଙ୍କ ଉଦାହରଣରୁ ଅନ୍ୟ ଭାଇଭଉଣୀମାନଙ୍କୁ କିପରି ଲାଭ ହେଲା ?

୧୭ ଭାଇ ଜନିଙ୍ଗଜ୍‌ ନିଜ ଜୀବନ କାହାଣୀରେ ଯେଉଁ କଥାଗୁଡ଼ିକ ଲେଖିଲେ, ସେଗୁଡ଼ିକୁ ପଢ଼ି ଅନ୍ୟମାନଙ୍କ ଉପରେ ବହୁତ ଗଭୀର ପ୍ରଭାବ ପଡ଼ିଛି । ଥରେ ଜଣେ ଭଉଣୀ ଲେଖିଲେ, ‘ମୁଁ ବହୁତ ସମୟରୁ ପତ୍ରିକା ପଢ଼ି ଆସୁଛି । କିନ୍ତୁ ଏହି ଲେଖା ମୋ ଉପରେ ସବୁଠୁ ବେଶି ପ୍ରଭାବ ପକାଇଛି । ଯେବେ ମୁଁ ଭାଇ ଜନିଙ୍ଗଜ୍‌ଙ୍କ ଜୀବନ କାହାଣୀ ପଢ଼ିଲି ଯେ ତାଙ୍କୁ ନିଜ ରୋଗ ଯୋଗୁଁ କିପରି ନିଜ ଦାୟିତ୍ୱ ଛାଡ଼ିବାକୁ ପଡ଼ିଲା, ତେବେ ମୋତେ ନିଜ ପରିସ୍ଥିତି ପ୍ରତି ସଠିକ୍‌ ଦୁଷ୍ଟିକୋଣ ରଖିବା ପାଇଁ ସାହାଯ୍ୟ ମିଳିଲା ।’ ସେହିପରି ଜଣେ ଭାଇ ଲେଖିଲେ, ‘ମଣ୍ଡଳୀରେ ୧୦ ବର୍ଷ ଯାଏ ସେବା କରିବା ପରେ ମୋତେ ଏହି ଦାୟିତ୍ୱ ଛାଡ଼ିବାକୁ ପଡ଼ିଲା । ମୁଁ ଗୋଟିଏ ମାନସିକ ରୋଗର ଶିକାର ହୋଇଯାଇଥିଲି । ମୋତେ ବିଫଳତାର ଭାବନା ଏତେ ହଇରାଣ କରୁଥିଲା ଯେ ଯେବେ ବି ମୁଁ ଭାଇଭଉଣୀଙ୍କ ଜୀବନ କାହାଣୀ ପଢ଼ୁଥିଲି, ତେବେ ମୁଁ ନିଜ ପରିସ୍ଥିତି ବିଷୟରେ ଭାବି ଦୁଃଖି ହୋଇଯାଉଥିଲି । କିନ୍ତୁ ଯେବେ ମୁଁ ଜନିଙ୍ଗଜ୍‌ଙ୍କ ଜୀବନ କାହାଣୀ ପଢ଼ିଲି ଯେ ସେ କିପରି ଧୈର୍ଯ୍ୟ ଧରିଲେ, ତେବେ ମୋ ଭିତରେ ନୂଆ ଉତ୍ସାହ ଭରିଗଲା ।’ ଏଥିରୁ ଆମେ ଶିଖୁ ଯେ ଯେବେ ହଠାତ୍‌ ଆମ ପରିସ୍ଥିତି ବଦଳିଯାଏ ଆଉ ସେସମୟରେ ବି ଆମେ ଧୈର୍ଯ୍ୟ ଧରୁ ତାହେଲେ ଏହା ଦେଖି ଭାଇଭଉଣୀମାନଙ୍କ ଉତ୍ସାହ ବଢ଼ିପାରେ । ଅନେକଥର ଆମେ ଯେପରି ଭାବି ଥାଉ ସେପରି ହୋଇ ନ ଥାଏ, କିନ୍ତୁ ସେସମୟରେ ମଧ୍ୟ ଆମେ ଅନ୍ୟମାନଙ୍କ ପାଇଁ ବିଶ୍ୱାସ ଓ ଧୈର୍ଯ୍ୟ ଧରିବାର ଗୋଟିଏ ବଢ଼ିଆ ଉଦାହରଣ ରଖିପାରିବା ।—୧ ପିତ. ୫:୯.

ଯେବେ ଆମେ ହଠାତ୍‌ ଆସୁଥିବା ସମସ୍ୟାଗୁଡ଼ିକ ସମୟରେ ମଧ୍ୟ ଯିହୋବାଙ୍କ ଉପରେ ଭରସା ରଖୁ, ତେବେ ପ୍ରକୃତରେ ଆମେ ତାଙ୍କ ଆହୁରି ନିକଟତର ହୋଇଯାଉ (ପାରାଗ୍ରାଫ ୧୮)

୧୮. ଆପଣ ନାଇଜେରିଆର ଜଣେ ଭଉଣୀଙ୍କଠାରୁ କʼଣ ଶିଖିପାରିବେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୮ ଯିହୋବାଙ୍କ ଅନେକ ସେବକମାନଙ୍କୁ କୋଭିଡ୍‌-୧୯ ଭଳି ବିପତ୍ତି ଯୋଗୁଁ ବହୁତ କିଛି ସହିବାକୁ ପଡ଼ିଲା । ନାଇଜେରିଆରେ ରହୁଥିବା ଜଣେ ଭଉଣୀଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ପାଖରେ ବେଶି ପଇସା ନ ଥିଲା ଓ ଖାଇବା ପିଇବା ପାଇଁ ମଧ୍ୟ ବେଶି କିଛି ନ ଥିଲା । ଦିନେ ସକାଳେ ତାଙ୍କ ପାଖରେ କେବଳ ଗୋଟିଏ କପ ଚାଉଳ ହିଁ ଥିଲା । ତାʼଛଡ଼ା ତାଙ୍କ ପାଖରେ ଖାଇବା ପାଇଁ କିଛି ନ ଥିଲା ଓ ଏପରିକି ପଇସା ମଧ୍ୟ ନ ଥିଲା । ତାଙ୍କ ଝିଅ ତାଙ୍କୁ ପଚାରିଲା ଯେ ପରେ ସେମାନେ କʼଣ ଖାଇବେ । ଭଉଣୀ ନିଜ ଝିଅକୁ କହିଲେ ଯେ ତାଙ୍କୁ ସାରିଫତ୍‌ର ବିଧବାଙ୍କ ଭଳି ହେବାର ଅଛି, ତାଙ୍କ ପାଖରେ ଯାହା ଅଛି ତାହା ସେ ଖାଇବେ ବାକି ଯିହୋବାଙ୍କ ଉପରେ ଛାଡ଼ିଦେବେ । (୧ ରାଜା. ୧୭:୮-୧୬) ସେମାନେ ଜାଣି ନ ଥିଲେ ଯେ ସେମାନେ ଦ୍ୱିପହରରେ କʼଣ ଖାଇବେ, କିନ୍ତୁ କିଛି ସମୟ ପରେ ଭାଇଭଉଣୀମାନେ ଗୋଟିଏ ବଡ଼ ଥଳିରେ ତାଙ୍କ ପାଇଁ ଖାଇବା ପିଇବାର ଜିନିଷ ଆଣିଲେ । ସେଥିରେ ଏତେ ଖାଦ୍ୟ ଥିଲା ଯେ ସେମାନେ ଦୁଇ ସପ୍ତାହ ଯାଏ ସେଥିରୁ ଖାଇପାରନ୍ତେ । ଭଉଣୀ କହନ୍ତି ଯେ ତାଙ୍କୁ ଜଣା ନ ଥିଲା ଯେ ସେ ତାଙ୍କ ଝିଅ ସହ ଯେଉଁ ବିଷୟରେ କଥା ହେଉଛନ୍ତି, ଯିହୋବା ତାହା କେତେ ଧ୍ୟାନର ସହ ଶୁଣୁଛନ୍ତି । ସତରେ ଯେବେ ଆମେ ହଠାତ୍‌ ଆସୁଥିବା ସମସ୍ୟାରେ ମଧ୍ୟ ଯିହୋବାଙ୍କ ଉପରେ ଭରସା ରଖୁ, ତେବେ ପ୍ରକୃତରେ ଆମେ ତାଙ୍କ ଆହୁରି ନିକଟକୁ ଆସିଯାଉ ।—୧ ପିତ. ୫:୬, ୭.

୧୯. ଭାଇ ଏଲେକ୍ସୀ ୟେରଶୋବଙ୍କ ଉପରେ କେଉଁ ଅତ୍ୟାଚାର କରାଗଲା ?

୧୯ ଏହି କିଛି ବର୍ଷଗୁଡ଼ିକରେ ଆମ ଅନେକ ଭାଇଭଉଣୀମାନଙ୍କୁ ଏପରି ଅତ୍ୟାଚାରଗୁଡ଼ିକର ସାମନା କରିବାକୁ ପଡ଼ିଛି, ଯାହା ବିଷୟରେ ସେମାନେ କେବେ ବି ଭାବି ନ ଥିଲେ । ଯେପରି ଭାଇ ଏଲେକ୍ସୀ ୟେରଶୋବଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯିଏ ରୁଷରେ ରହନ୍ତି । ଭାଇଙ୍କ ବାପ୍ତିସ୍ମ ୧୯୯୪ ମସିହାରେ ହୋଇଥିଲା ଓ ସେସମୟରେ ରୁଷରେ ଯିହୋବାଙ୍କ ଉପାସନା କରିବାରେ କୌଣସି କଟକଣା ନ ଥିଲା । କିନ୍ତୁ ଆଗକୁ ଯାଇ ପରିସ୍ଥିତି ବଦଳିଗଲା । ୨୦୨୦ ମସିହାରେ କିଛି ଲୋକମାନେ ଭାଇ ଏଲେକ୍ସୀଙ୍କ ଘର ଭିତରକୁ ପସି ଆସିଲେ । ସେମାନେ ତାଙ୍କ ଘରକୁ ଯାଞ୍ଚ କରିବାକୁ ଲାଗିଲେ ଓ ତାଙ୍କର ଅନେକ ଜିନିଷ ପତ୍ର ଜବତ କରିନେଲେ । ପୁଣି କିଛି ମାସ ପରେ ସରକାର ତାଙ୍କ ଉପରେ ଅପରାଧୀ ହେବାର ଆରୋପ ଲଗାଇଲେ । ପ୍ରକୃତରେ ଜଣେ ବ୍ୟକ୍ତି ଭାଇଙ୍କ ସହ ଗୋଟିଏ ବର୍ଷରୁ ବାଇବଲ ଅଧ୍ୟୟନ କରିବାର ଛଳନା କରୁଥିଲା । ସେ କିଛି ଭିଡିଓ ତିଆରି କରିଥିଲା ଓ ତାʼ ଆଧାରରେ ଭାଇଙ୍କ ଉପରେ ଆରୋପ ଲଗାଗଲା । ସେ ବ୍ୟକ୍ତି ତାଙ୍କୁ କେତେ ବଡ଼ ଧୋକା ଦେଲା !

୨୦. ଭାଇ ୟେରଶୋବ ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ପାଇଁ କʼଣ କଲେ ?

୨୦ ଭାଇ ୟେରଶୋବଙ୍କ ଉପରେ ଯେଉଁ ଅତ୍ୟାଚାର କରାଗଲା କʼଣ ସେଥିରୁ କିଛି ଭଲ ପରିଣାମ ବାହାରିଲା । ହଁ, ଭାଇଙ୍କ ଯିହୋବାଙ୍କ ସହ ସମ୍ପର୍କ ଆହୁରି ଦୃଢ଼ ହେଲା । ସେ କହନ୍ତି, “ଏବେ ମୁଁ ଓ ମୋ ସ୍ତ୍ରୀ ସାଙ୍ଗରେ ମିଶି ଆହୁରି ବେଶି ପ୍ରାର୍ଥନା କରିବାକୁ ଲାଗିଲୁ । ମୁଁ ଜାଣିଛି ଯେ ଯିହୋବାଙ୍କ ସାହାଯ୍ୟ ବିନା ମୁଁ ଏହି ସମସ୍ୟାର ସାମନା କରିପାରନ୍ତି ନାହିଁ ।” ଭାଇ ଏହା ମଧ୍ୟ କହନ୍ତି, “ବ୍ୟକ୍ତିଗତ ଅଧ୍ୟୟନ କରିବାରୁ ମୋତେ ବହୁତ ଲାଭ ହୋଇଛି । ଏଥିରୁ ମୋତେ ନିରାଶା ଉପରେ କାବୁ କରିବା ପାଇଁ ବହୁତ ସାହାଯ୍ୟ ମିଳିଛି । ମୁଁ ପ୍ରାଚୀନ ସମୟର ବିଶ୍ୱସ୍ତ ସେବକମାନଙ୍କ ଉଦାହରଣ ଉପରେ ଚିନ୍ତନ କରେ । ବାଇବଲରେ ଏପରି ଅନେକ ଘଟଣା ଦିଆଯାଇଛି ଯେଉଁଥିରୁ ଜଣାପଡ଼େ ଯେ ସମସ୍ୟା ସମୟରେ ଶାନ୍ତ ରହିବା ଓ ଯିହୋବାଙ୍କ ଉପରେ ଭରସା ରଖିବା କେତେ ଜରୁରୀ ଅଟେ ।”

୨୧. ଏହି ଲେଖାରେ ଆମେ କʼଣ ଶିଖିଲୁ ?

୨୧ ଏହି ଲେଖାରୁ ଆମେ କʼଣ ଶିଖିଲୁ ? ଏହି ଦୁନିଆରେ ଆମ ସହ କେବେ ବି କିଛି ବି ହୋଇପାରେ । କିନ୍ତୁ ଯେବେ ଆମେ ଯିହୋବାଙ୍କ ଉପରେ ଭରସା ରଖୁ, ତେବେ ସେ ସବୁବେଳେ ଆମକୁ ସାହାଯ୍ୟ କରନ୍ତି । ଯେପରି ଏହି ଲେଖାର ମୁଖ୍ୟ ପଦରେ ଲେଖାଅଛି, “ତେଣୁ ଆସନ୍ତୁ ଆମେ ନିଜ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ଦେବା ଅପେକ୍ଷା ଏହି କଥା ଉପରେ ଧ୍ୟାନ ଦେବା ଯେ ଯିହୋବା ଆମକୁ କେମିତି ସମ୍ଭାଳୁଛନ୍ତି ।” (ଗୀତ. ୩୪:୧୯) ତେବେ ଆସନ୍ତୁ ଆମେ ନିଜ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଏକଥା ଉପରେ ଧ୍ୟାନ ଦେବା ଯେ ଯିହୋବା ଆମକୁ କିପରି ସମ୍ଭାଳୁଛନ୍ତି । ତେବେ ଆମେ ମଧ୍ୟ ପ୍ରେରିତ ପାଉଲଙ୍କ ଭଳି ଏହା କହିପାରିବା, “ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ ।”—ଫିଲିପ୍‌. ୪:୧୩.

ଗୀତ ୩୮ ୱାହ୍‌ ତୁମ୍‌ହେ ମାଜବୁତ୍‌ କରେଗା

a ଏହି ଦୁନିଆରେ ଆମ ଉପରେ କେବେ ବି କୌଣସି ବିପତ୍ତି ଆସିପାରେ । କିନ୍ତୁ ଆମେ ବିଶ୍ୱାସ ରଖିପାରିବା ଯେ ଏପରି ସମୟରେ ମଧ୍ୟ ଯିହୋବା ନିଜ ବିଶ୍ୱସ୍ତ ଲୋକମାନଙ୍କୁ ସମ୍ଭାଳିବେ । ପ୍ରାଚୀନ ସମୟରେ ଯିହୋବା ନିଜ ସେବକମାନଙ୍କୁ କିପରି ସମ୍ଭାଳିଲେ ? ଆଉ ଆଜି ସେ ସେମାନଙ୍କୁ କିପରି ସମ୍ଭାଳୁଛନ୍ତି ? ଏହି ଲେଖାରେ ଆମେ ପ୍ରାଚୀନ ସମୟର ଲୋକମାନଙ୍କ ଓ ଆମ ସମୟର କିଛି ଭାଇଭଉଣୀଙ୍କ ଉଦାହରଣ ଉପରେ ଧ୍ୟାନ ଦେବା । ଏଥିରୁ ଆମର ବିଶ୍ୱାସ ବଢ଼ିବ ଯେ ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା, ତେବେ ସେ ଆମକୁ ମଧ୍ୟ ସମ୍ଭାଳିବେ ।