इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୭

ଗୀତ ୧୧୧ ହମାରି ଖୁସି କେ କାଇ କାରନ୍‌

ଆଧ୍ୟାତ୍ମିକ ପାରଦୀଶକୁ କେବେ ବି ଛାଡ଼ନ୍ତୁ ନାହିଁ !

ଆଧ୍ୟାତ୍ମିକ ପାରଦୀଶକୁ କେବେ ବି ଛାଡ଼ନ୍ତୁ ନାହିଁ !

“ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭେମାନେ ସଦାକାଳ ତହିଁରେ ଆନନ୍ଦିତ ହୋଇ ଉଲ୍ଲାସ କର ।”ଯିଶା. ୬୫:୧୮.

କʼଣ ଶିଖିବା ?

ଜାଣନ୍ତୁ ଯେ ପାରଦୀଶ ଭଳି ପରିବେଶରେ ରହିଲେ ଆମକୁ କେଉଁ କେଉଁ ଆଶିଷ ମିଳେ ଓ ଆମେ ଅନ୍ୟମାନଙ୍କୁ କିପରି ଏହି ପାରଦୀଶ ଆଡ଼କୁ ଆକର୍ଷିତ କରିପାରିବା ।

୧. ଈଶ୍ୱର ଆମକୁ ଯେଉଁ ପାରଦୀଶ ଦେଇଛନ୍ତି, ତାହା କʼଣ ଅଟେ ? ଆଉ ଆମେ କʼଣ ନିଷ୍ପତ୍ତି ନେଇଛୁ ?

 ଆଜି ପୃଥିବୀରେ ଏକ ଏପରି ପାରଦୀଶ ଅଛି, ଯେଉଁଠି ଲକ୍ଷ ଲକ୍ଷ ଲୋକମାନେ ସାଙ୍ଗରେ ମିଶି ଶାନ୍ତିରେ ରହୁଛନ୍ତି । ସେମାନଙ୍କ ମଧ୍ୟରେ ବହୁତ ପ୍ରେମ ଅଛି ଓ ସମସ୍ତେ ଭଲ କାମ କରିବାରେ ଲାଗି ରହିଛନ୍ତି । ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ସବୁବେଳେ ସାଙ୍ଗରେ ରହିବେ ଓ କେବେ ବି ଏହି ପାରଦୀଶକୁ ଛାଡ଼ିକି ଯିବେ ନାହିଁ । କେବଳ ଏତିକି ନୁହେଁ, ସେମାନେ ଚାହାନ୍ତି ଯେ ଅଧିକରୁ ଅଧିକ ଲୋକ ଏଠାରେ ଆସି ସେମାନଙ୍କ ସହ ରହନ୍ତୁ ଓ ସେମାନଙ୍କ ମଧ୍ୟରେ ଯେଉଁ ଶାନ୍ତି ଅଛି, ତାହାର ମଜା ନିଅନ୍ତୁ । ହୁଏତ ଆପଣ ଭାବୁଥିବେ, ‘ଏହି ପାରଦୀଶ କʼଣ ଅଟେ ଓ ଏହା କେଉଁଠି ଅଛି ?’ ଏହି ପାରଦୀଶ ପ୍ରକୃତରେ କୌଣସି ଜାଗା ନୁହେଁ, ବରଂ ଏହା ଏପରି ଗୋଟିଏ ପରିବେଶ ଅଟେ, ଯାହାକୁ ଈଶ୍ୱର ସୃଷ୍ଟି କରିଛନ୍ତି ଏବଂ ଏଠାରେ ଆମେ ତାଙ୍କର ଉପାସନା କରୁ । ଆଉ ତାଙ୍କ ସହ ଓ ନିଜ ଭାଇଭଉଣୀମାନଙ୍କ ସହ ମିଶି ଏକ ଭଲ ସମ୍ପର୍କର ଆନନ୍ଦ ନେଉ ।

୨. ଈଶ୍ୱର ଆମକୁ ଯେଉଁ ପାରଦୀଶ ଦେଇଛନ୍ତି, ତାହା କାହିଁକି ବହୁତ ଖାସ୍‌ ଅଟେ ?

ଏହା ବହୁତ ଆଶ୍ଚର୍ଯ୍ୟର କଥା ଯେ ଶୟତାନର ଏହି ଦୁନିଆରେ ଯେଉଁଠି ଲୋକମାନେ ପରସ୍ପରକୁ ଘୃଣା କରନ୍ତି ଓ ବିଲକୁଲ୍‌ ସୁରକ୍ଷିତ ଅନୁଭବ କରନ୍ତି ନାହିଁ, ଏପରି ପରିବେଶରେ ବି ଯିହୋବା ଆମକୁ ଗୋଟିଏ ସୁନ୍ଦର ପାରଦୀଶ ଦେଇଛନ୍ତି । (୧ ଯୋହ. ୫:୧୯; ପ୍ରକା. ୧୨:୧୨) ଯିହୋବା ଜାଣିଛନ୍ତି ଯେ ଏହି ଦୁନିଆର ଆମ ଉପରେ କେତେ ଖରାପ ପ୍ରଭାବ ପଡ଼ିପାରେ । ତେଣୁ ସେ ଆମକୁ ଏହି ଶାନ୍ତିଭରା ପରିବେଶ ଦେଇଛନ୍ତି, ଯେଉଁଠି ଆମେ ସୁରକ୍ଷିତ ରହୁ ଓ ଖୁସିର ସହ ତାଙ୍କର ସେବା କରୁ । ବାଇବଲରେ କୁହାଯାଇଛି ଯେ ଏହି ପାରଦୀଶ ଗୋଟିଏ “ଆବାସ” ଭଳି ଓ “ଜଳସିଞ୍ଚିତ ଉଦ୍ୟାନ” ଅଟେ । (ଯିଶା. ୪:୬; ୫୮:୧୧) ଏଠାରେ ରହୁଥିବା ଲୋକମାନଙ୍କ ଉପରେ ଯିହୋବାଙ୍କ ଆଶିଷ ଅଛି, ତେଣୁ ସେମାନେ ଏହି ଶେଷକାଳରେ ମଧ୍ୟ ସୁରକ୍ଷିତ ଅଛନ୍ତି ଓ ଖୁସିର ସହ ଯିହୋବାଙ୍କ ସେବା କରୁଛନ୍ତି ।—ଯିଶା. ୫୪:୧୪; ୨ ତୀମ. ୩:୧.

୩. ଯିଶାଇୟ ୬୫ ଅଧ୍ୟାୟରେ ଲେଖାଥିବା ଭବିଷ୍ୟତବାଣୀ ପ୍ରଥମ ଥର କେବେ ଓ କିପରି ପୂରା ହେଲା ?

ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କ ଜରିଆରେ ଯିହୋବା କହିଥିଲେ ଯେ ଏହି ପାରଦୀଶରେ ଯେଉଁ ଲୋକମାନେ ରହିବେ, ସେମାନଙ୍କର ଜୀବନ କିପରି ହେବ ଓ ସେମାନେ କିପରି ଅନୁଭବ କରିବେ । ଏବିଷୟରେ ଆମକୁ ଯିଶାଇୟ ୬୫ ଅଧ୍ୟାୟରେ ଅଧିକ ଜାଣିବାକୁ ମିଳେ । ଏଥିରେ ଦିଆଯାଇଥିବା ଭବିଷ୍ୟତବାଣୀ ପ୍ରଥମେ ଖ୍ରୀଷ୍ଟ ପୂର୍ବ ୫୩୭ରେ ପୂରା ହେଲା । ସେସମୟରେ ଅନୁତାପ କରିଥିବା ଯିହୁଦୀମାନେ, ବାବିଲରୁ ସ୍ୱାଧୀନ ହୋଇ ନିଜ ଦେଶକୁ ଫେରି ଆସିଥିଲେ । ସେସମୟରେ ଯିରୂଶାଲମ ଧ୍ୱଂସ ହୋଇ ରହିଥିଲା, କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ତାଙ୍କ ଲୋକମାନେ ସେହି ସହରକୁ ପୁଣିଥରେ ସୁନ୍ଦର କରିଦେଲେ ଓ ପୁଣିଥରେ ଈଶ୍ୱରଙ୍କ ମନ୍ଦିରରେ ତାଙ୍କର ଉପାସନା ହେବା ଆରମ୍ଭ ହେଲା ।—ଯିଶା. ୫୧:୧୧; ଯିଖ. ୮:୩.

୪. ଯିଶାଇୟ ୬୫ ଅଧ୍ୟାୟରେ ଲେଖାଥିବା ଭବିଷ୍ୟତବାଣୀ ଆଜି ଆମ ସମୟରେ କିପରି ପୂରା ହେଉଛି ?

ଯିଶାଇୟଙ୍କ ଭବିଷ୍ୟତବାଣୀ ଦ୍ୱିତୀୟ ଥର ୧୯୧୯ରେ ପୂରା ହେବାକୁ ଲାଗିଲା । ୧୯୧୯ରେ ଈଶ୍ୱରଙ୍କ ଲୋକମାନେ ମହାନଗରୀ ବାବିଲରୁ ବାହାରି ଆସିଲେ ଓ ପାରଦୀଶ ଭଳି ପରିବେଶରେ ତାଙ୍କ ଉପାସନା କରିବା ଆରମ୍ଭ କଲେ । ସେମାନେ ସାରା ଦୁନିଆରେ ଉତ୍ସାହର ସହ ପ୍ରଚାର କରିବାକୁ ଲାଗିଲେ ଓ ମଣ୍ଡଳୀଗୁଡ଼ିକର ସଂଖ୍ୟା ବଢ଼ିବାକୁ ଲାଗିଲା । ଧୀରେ ଧୀରେ ଆହୁରି ଲୋକମାନେ ଏହି ପାରଦୀଶରେ ଆସିଲେ ଓ ସେମାନେ ନିଜଠାରେ ଈଶ୍ୱରଙ୍କ ଭଳି ଗୁଣ ବଢ଼ାଇଲେ । ଯେଉଁ ଲୋକମାନେ ଦିନେ ପଶୁ ଭଳି ହିଂସ୍ରକ ଥିଲେ ଓ ବହୁତ ଖରାପ କାମ କରୁଥିଲେ, ସେମାନେ ‘ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଅଛି, ତାହା ପରିଧାନ’ କରିବାକୁ ଲାଗିଲେ । (ଏଫି. ୪:୨୪) ଯିଶାଇୟଙ୍କ ଭବିଷ୍ୟତବାଣୀରେ କୁହାଯାଇଥିବା କିଛି କଥାଗୁଡ଼ିକ ଆଜି ବି ପୂରା ହେଉଛି ଓ କିଛି କଥାଗୁଡ଼ିକ ଆଗକୁ ଯାଇ ନୂଆ ଦୁନିଆରେ ପୂରା ହେବ । ଏବେ ଆସନ୍ତୁ ଦେଖିବା ଯେ ଈଶ୍ୱର ଆଜି ଯେଉଁ ପାରଦୀଶ ଦେଇଛନ୍ତି, ସେଥିରେ ଲୋକମାନଙ୍କୁ କʼଣ କʼଣ ଆଶିଷ ମିଳୁଛି ଓ ସେମାନେ କାହିଁକି ଏହାକୁ ଛାଡ଼ି ଯିବାକୁ ଚାହାନ୍ତି ନାହିଁ ।

ଯେଉଁମାନେ ପାରଦୀଶରେ ରହୁଛନ୍ତି, ସେମାନଙ୍କୁ କେଉଁ କେଉଁ ଆଶିଷ ମିଳୁଛି ?

୫. ଯେଉଁ ଲୋକମାନେ ପାରଦୀଶ ଭଳି ପରିବେଶରେ ରହୁଛନ୍ତି, ସେମାନେ କେଉଁ କେଉଁ ଆଶିଷର ମଜା ନେଉଛନ୍ତି ? (ଯିଶାଇୟ ୬୫:୧୩)

ସେମାନେ ସୁସ୍ଥ ଓ ସତେଜ ରହନ୍ତି । ଯିଶାଇୟଙ୍କ ଭବିଷ୍ୟତବାଣୀରେ କୁହାଯାଇଛି ଯେ ଯେଉଁ ଲୋକମାନେ ପାରଦୀଶ ଭଳି ପରିବେଶରେ ଅଛନ୍ତି ଆଉ ଯେଉଁ ଲୋକମାନେ ବାହାରେ ଅଛନ୍ତି, ସେମାନଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଥିବ । (ଯିଶାଇୟ ୬୫:୧୩ ପଢ଼ନ୍ତୁ ।) ଯିହୋବା ଲୋକମାନଙ୍କୁ ଭଲ ଖାଦ୍ୟ ଦେଉଛନ୍ତି ଓ ସେମାନଙ୍କୁ କିଛି ଅଭାବ ହେବାକୁ ଦେଉ ନାହାନ୍ତି । ସେ ସେମାନଙ୍କୁ ନିଜ ପବିତ୍ର ଶକ୍ତି ଦେଉଛନ୍ତି, ନିଜ ବାକ୍ୟ ବାଇବଲ ଓ ପ୍ରକାଶନ ଦେଉଛନ୍ତି, ଯାହାଫଳରେ ତାଙ୍କ ସେବକମାନେ ‘ଭୋଜନ କରନ୍ତୁ, ପାନ କରନ୍ତୁ ଓ ଆନନ୍ଦ କରନ୍ତୁ ।’ (ପ୍ରକାଶିତ ବାକ୍ୟ ୨୨:୧୭ ପଦ ସହ ତୁଳନା କରନ୍ତୁ ।) କିନ୍ତୁ ଯେଉଁ ଲୋକମାନେ ଏହି ପାରଦୀଶର ବାହାରେ ଅଛନ୍ତି, ସେମାନେ ‘କ୍ଷୁଧାର୍ତ୍ତ ବା ଭୋକିଲା ଅଛନ୍ତି, ତୃଷାରେ ଅଛନ୍ତି ଓ ସେମାନଙ୍କୁ ଲଜ୍ଜିତ ହେବାକୁ ପଡ଼େ ।’ ଏପରିକି ଈଶ୍ୱରଙ୍କୁ ଜାଣିବାର ସେମାନଙ୍କର ଭୋକ କେବେ ବି ଦୂର ହୁଏ ନାହିଁ ।—ଆମୋ. ୮:୧୧.

୬. ଯିହୋବା ଆମ ପାଇଁ କʼଣ ବ୍ୟବସ୍ଥା କରିଛନ୍ତି ଏବଂ ଆମକୁ ଏଥିରୁ କʼଣ ଲାଭ ହୁଏ ? (ଯୋୟେଲ ୨:୨୧-୨୪)

ଯୋୟେଲ ନିଜ ଭବିଷ୍ୟତବାଣୀରେ କହିଥିଲେ ଯେ ଯିହୋବା ନିଜ ଲୋକମାନଙ୍କୁ ଶସ୍ୟ, ଦ୍ରାକ୍ଷାରସ ଓ ଡିମିରିର ତେଲ ଭଳି ଦରକାରୀ ଜିନିଷଗୁଡ଼ିକ ବହୁତ ମାତ୍ରାରେ ଦେବେ । ତାʼଅର୍ଥ, ସେ ନିଜ ଲୋକମାନଙ୍କ ବିଶ୍ୱାସକୁ ଦୃଢ଼ କରିବା ପାଇଁ ଅନେକ ବ୍ୟବସ୍ଥା କରିବେ । (ଯୋୟେ. ୨:୨୧-୨୪) ଆଜି ଯିହୋବା ଏହା କିପରି କରୁଛନ୍ତି ? ସେ ନିଜ ଲୋକମାନଙ୍କୁ ବାଇବଲ, ବାଇବଲ ଉପରେ ଆଧାରିତ ପ୍ରକାଶନ, ଆମ ୱେବସାଇଟ୍‌, ସଭା, ସମ୍ମିଳନୀ ଓ ଅଧିବେଶନଗୁଡ଼ିକ ଜରିଆରେ ଅନେକ କଥା ଶିଖାଉଛନ୍ତି । ଆମେ ସବୁଦିନ ଏହି ବ୍ୟବସ୍ଥାଗୁଡ଼ିକରୁ ଲାଭ ଉଠାଉ, ତେଣୁ ଆମ ସ୍ୱାସ୍ଥ୍ୟ ଭଲ ରହେ ଓ ଆମେ ସତେଜ ରହୁ ।

୭. ଆମ ହୃଦୟ କାହିଁକି ‘ଖୁସି’ ଅଛି ? (ଯିଶାଇୟ ୬୫:୧୪)

ସେମାନେ ସୁଖୀ ଓ ସନ୍ତୁଷ୍ଟ ଥାଆନ୍ତି । ଈଶ୍ୱରଙ୍କ ଲୋକମାନଙ୍କ ହୃଦୟ କୃତଜ୍ଞତାରେ ଭରିଥାଏ ତେଣୁ ସେମାନେ ତାଙ୍କ ପ୍ରଶଂସାରେ “ଗାନ” କରନ୍ତି । (ଯିଶାଇୟ ୬୫:୧୪ ପଢ଼ନ୍ତୁ ।) ଈଶ୍ୱର ଆମକୁ ସତ୍ୟ ଶିଖାଇଛନ୍ତି ତେଣୁ ଆମେ ପୂରାପୂରି ସନ୍ତୁଷ୍ଟ ଥାଉ । ସେ ନିଜ ବାକ୍ୟରେ ଏପରି ପ୍ରତିଜ୍ଞା କରିଛନ୍ତି ଯାହା ଆମକୁ ସାନ୍ତ୍ୱନା ଦିଏ । କେବଳ ଏତିକି ନୁହେଁ, ସେ ଯୀଶୁ ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟ ଆଧାରରେ ଆମକୁ ଗୋଟିଏ ନିଶ୍ଚିତ ଆଶା ଦେଇଛନ୍ତି । ଏହିସବୁ କାରଣରୁ ‘ଆମ୍ଭର ଚିତ୍ତ ସୁଖ’ ଥାଏ ଅର୍ଥାତ୍‌ ଆମ ହୃଦୟ ଖୁସି ଥାଏ । ଆଉ ଯେବେ ଆମେ ଭାଇଭଉଣୀମାନଙ୍କ ସହ ଏବିଷୟରେ କଥା ହେଉ ତେବେ ଆମ ଖୁସି ଆହୁରି ବଢ଼ିଯାଏ ।—ଗୀତ. ୩୪:୮; ୧୩୩:୧-୩.

୮. କେଉଁ ଦୁଇଟି କାରଣ ଯୋଗୁଁ ଏହି ପାରଦୀଶ ଏତେ ସୁନ୍ଦର ଅଛି ?

ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଓ ଏକତା ଅଛି, ତାʼଯୋଗୁଁ ଏହି ପାରଦୀଶର ସୁନ୍ଦରତା ଆହୁରି ବଢ଼ିଯାଏ । ଏହି ପ୍ରେମ ବିଷୟରେ ବାଇବଲରେ କୁହାଯାଇଛି ଯେ “ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ ।” (କଲ. ୩:୧୪) ତାʼଅର୍ଥ ଏହା ଏପରି ବନ୍ଧନ ଅଟେ ଯାହା ଆମ ସମସ୍ତଙ୍କୁ ଏକାସହ ବାନ୍ଧି ରଖେ । ଏଥିରୁ ଜଣାପଡ଼େ ଯେ ନୂଆ ଦୁନିଆରେ ଆମେ କିପରି ପରସ୍ପର ସହ ମିଳିମିଶି ରହିବା । ସେସମୟରେ ଆମଠାରେ ଆହୁରି ପ୍ରେମ ଓ ଏକତା ଥିବ । ଜଣେ ଭଉଣୀ କହନ୍ତି ଯେ ସେ ପ୍ରଥମ ଥର ଯେବେ ଯିହୋବାଙ୍କ ସାକ୍ଷୀମାନଙ୍କୁ ଭେଟିଲେ ତେବେ ତାଙ୍କୁ କିପରି ଲାଗିଥିଲା । ସେ କହନ୍ତି, “ମୋ ଜୀବନରେ ଆଉ ନା ମୋ ପରିବାରରେ ଖୁସି ବୋଲି କୌଣସି ଜିନିଷ ଥିଲା । ପ୍ରେମ କʼଣ ଅଟେ ତାହା ମୁଁ ପ୍ରଥମ ଥର ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ଦେଖିଲି ।” ଆମ ମଧ୍ୟରେ ଯେଉଁ ପରିବେଶ ଅଛି ତାହା ବହୁତ ବିଶେଷ ଅଟେ । ଦୁନିଆର ଲୋକମାନେ ଆମ ବିଷୟରେ ଯାହା ବି କହନ୍ତୁ, କିନ୍ତୁ ପ୍ରକୃତ କଥା ଏହା ଯେ ଯିହୋବାଙ୍କ ସହ ଆମର ଏକ ଭଲ “ନାମ” ଅଛି ଓ ତାଙ୍କ ସେବକମାନଙ୍କ ସହିତ ଏକ ଭଲ ସମ୍ପର୍କ ଅଛି । (ଯିଶା. ୬୫:୧୫) ଆଉ ଯଦି ଜଣେ ବ୍ୟକ୍ତି ସତରେ ଖୁସି ଓ ସନ୍ତୁଷ୍ଟ ରହିବାକୁ ଚାହେଁ ତାହେଲେ ତାକୁ ଏହି ପାରଦୀଶ ଭିତରେ ଆସିବାକୁ ପଡ଼ିବ ଓ ନିଜେ ଏହାକୁ ଅନୁଭବ କରିକି ଦେଖିବାକୁ ପଡ଼ିବ ।

୯. ଯିଶାଇୟ ୬୫:୧୬, ୧୭ ପଦରେ ଆମକୁ କʼଣ ପ୍ରତିଜ୍ଞା କରାଯାଇଛି ?

ସେମାନେ ଚିନ୍ତା କରନ୍ତି ନାହିଁ ଓ ଶାନ୍ତିରେ ବଞ୍ଚନ୍ତି । ଯିଶାଇୟ ନିଜ ଭବିଷ୍ୟତବାଣୀରେ କହିଥିଲେ ଯେ ଯେଉଁ ଲୋକମାନେ ଏହି ପାରଦୀଶରେ ଯିବାକୁ ଚାହାନ୍ତି ନାହିଁ, ସେମାନେ ‘ଚିତ୍ତର ଦୁଃଖ ସକାଶୁ କ୍ରନ୍ଦନ କରିବେ ଓ ଆତ୍ମାର ବିରକ୍ତି ସକାଶୁ ହାହାକାର କରିବେ ।’ (ଯିଶା. ୬୫:୧୪) କିନ୍ତୁ ଆଜି ଏପରି ଅନେକ କାରଣ ରହିଛି ଯାହାଯୋଗୁଁ ଈଶ୍ୱରଙ୍କ ଲୋକମାନେ ମଧ୍ୟ ଦୁଃଖୀ ଓ ନିରାଶ ହୋଇଯାʼନ୍ତି । ସେହି କାରଣଗୁଡ଼ିକର କʼଣ ହେବ ? ଯିଶାଇୟ ଲେଖିଲେ ଯେ ‘ପୂର୍ବକାଳର ସଙ୍କଟସବୁ ବିସ୍ମୃତ ହୋଇଯିବ ଓ ତାହାସବୁ [ଈଶ୍ୱରଙ୍କ] ଦୃଷ୍ଟିରୁ ଗୁପ୍ତ ହୋଇଯିବ ।’ (ଯିଶାଇୟ ୬୫:୧୬, ୧୭ ପଢ଼ନ୍ତୁ ।) ତାʼଅର୍ଥ ଯିହୋବା ଆମର ସବୁ କଷ୍ଟ ଓ ଦୁଃଖ ଦୂର କରିଦେବେ ଏବଂ ଏହି କାରଣଗୁଡ଼ିକ ଯୋଗୁଁ ଆମକୁ ଯେଉଁ ଖରାପ ସ୍ମୃତିଗୁଡ଼ିକ କଷ୍ଟ ପହଞ୍ଚାଏ, ସେଗୁଡ଼ିକୁ ବି ସେ ପୂରାପୂରି ଶେଷ କରିଦେବେ ।

୧୦. ଆପଣଙ୍କୁ କାହିଁକି ଲାଗେ ଯେ ସଭାରେ ଯିବା ଗୋଟିଏ ବଡ଼ ଆଶିଷ ଅଟେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଏହା ସତ ଯେ ଆମେ ନୂଆ ଦୁନିଆରେ ଶାନ୍ତିରେ ବଞ୍ଚିବା, କିନ୍ତୁ ଆଜି ମଧ୍ୟ ଆମେ ଶାନ୍ତିରେ ରହିପାରିବା । ତାହା କିପରି ? ସଭାରେ ଯାଇ । ଯେବେ ଆମେ ସଭାକୁ ଯାଉ ତେବେ ଆମେ ଏହି ଦୁଷ୍ଟ ଦୁନିଆର ସବୁ ଚିନ୍ତାଗୁଡ଼ିକୁ ଭୁଲିଯାଉ । ତାʼଛଡ଼ା ଯେବେ ଆମେ ପବିତ୍ର ଶକ୍ତିର ଫଳ ଯେପରି, ପ୍ରେମ, ଆନନ୍ଦ, ଶାନ୍ତି, ପରୋପକାରିତା ଓ ମୃଦୁଶୀଳତା ଭଳି ଗୁଣ ଦେଖାଉ, ତେବେ ଆମେ ଏହି ପାରଦୀଶରେ ଶାନ୍ତିଭରା ପରିବେଶ ବଜାୟ ରଖିପାରୁ । (ଗାଲା. ୫:୨୨, ୨୩) ସତରେ, ଆମ ପାଇଁ ଏହା କେତେ ବଡ଼ ଆଶିଷ ଅଟେ ଯେ ଆମେ ଯିହୋବାଙ୍କ ସଂଗଠନର ଭାଗ ଅଟୁ । ଆଉ ଯେଉଁ ଲୋକମାନେ ଏହି ପାରାଦୀଶରେ ରହିବା ଜାରି ରଖିବେ, ସେମାନଙ୍କୁ ସେହି “ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ” ଦେଖିବା ପାଇଁ ସୁଯୋଗ ମିଳିବ ଯାହାର ପ୍ରତିଜ୍ଞା ଈଶ୍ୱର କରିଛନ୍ତି ।

ଆମେ ଈଶ୍ୱରଙ୍କ ପରିବାରରେ ରହି ପାରଦୀଶ ଭଳି ପରିବେଶର ମଜା ନେଉଛୁ, ଏହା ସତରେ କେତେ ବଡ଼ ଆଶିଷ ଅଟେ ! (ପାରାଗ୍ରାଫ ୧୦) b


୧୧. ଯିହୋବା ଆମ ପାଇଁ ପାରଦୀଶ ତିଆରି କରିଛନ୍ତି, ଏହା ଜାଣି ଆମକୁ କିପରି ଲାଗେ ? (ଯିଶାଇୟ ୬୫:୧୮, ୧୯)

୧୧ ସେମାନେ କୃତଜ୍ଞ ରହନ୍ତି ଓ ଉଲ୍ଲାସ କରନ୍ତି । ଯିଶାଇୟ ଏହା ମଧ୍ୟ କହିଲେ ଯେ ଆମେ କାହିଁକି ‘ଆନନ୍ଦିତ ହୋଇ ଉଲ୍ଲାସ କରିବା ଉଚିତ୍‌ ।’ କାରଣ ଈଶ୍ୱର ଆମ ପାଇଁ ଏହି ପାରଦୀଶ ତିଆରି କରିଛନ୍ତି । (ଯିଶାଇୟ ୬୫:୧୮, ୧୯ ପଢ଼ନ୍ତୁ ।) ସେ ଚାହାନ୍ତି ଯେ ଆମେ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରୁ, ଯାହାଫଳରେ ସେମାନେ ଦୁନିଆର ସଂଗଠନକୁ ଛାଡ଼ି ଏହି ସୁନ୍ଦର ପାରଦୀଶରେ ଆସିପାରନ୍ତୁ । ଦେଖିବାକୁ ଗଲେ ଏହି ସଂଗଠନଗୁଡ଼ିକ ସେମାନଙ୍କୁ ଯିହୋବାଙ୍କ ବିଷୟରେ କିଛି ବି ଶିଖାଏ ନାହିଁ । କିନ୍ତୁ ସତ୍ୟ ଜାଣିବା ଯୋଗୁଁ ଆମକୁ ଅନେକ ଖୁସି ମିଳିଛି । ଆଉ ଆମେ ଏକଥା ପାଇଁ ବହୁତ କୃତଜ୍ଞ, ତେଣୁ ଆମକୁ ଅନ୍ୟମାନଙ୍କୁ ମଧ୍ୟ ଏବିଷୟରେ କହିବା ପାଇଁ ଇଚ୍ଛା ହୁଏ ।—ଯିରି. ୩୧:୧୨.

୧୨. ଯିଶାଇୟ ୬୫:୨୦-୨୪ ପଦରେ ଦିଆଯାଇଥିବା ପ୍ରତିଜ୍ଞା ବିଷୟରେ ଭାବିଲେ ଆପଣଙ୍କୁ କିପରି ଲାଗେ ଓ କାହିଁକି ?

୧୨ ପାରଦୀଶ ଭଳି ପରିବେଶରେ ରହୁଥିବା ଲୋକମାନେ ଆଉ ଗୋଟିଏ କାରଣ ଯୋଗୁଁ ମଧ୍ୟ କୃତଜ୍ଞ ଓ ଖୁସି ଅଛନ୍ତି, ସେମାନଙ୍କ ପାଖରେ ସବୁଦିନ ଯାଏ ବଞ୍ଚିବାର ଆଶା ଅଛି । ଟିକେ ଭାବି ଦେଖନ୍ତୁ, ନୂଆ ଦୁନିଆରେ ଜୀବନ କିପରି ଥିବ ଓ ଆମେ ସେଠାରେ କʼଣ କʼଣ କରିବା ! ବାଇବଲରେ ଲେଖାଅଛି, “ଅଳ୍ପ ଦିନର ଶିଶୁ କିଅବା ଅସମ୍ପୂର୍ଣ୍ଣାୟୁ ବୃଦ୍ଧ ଲୋକ ଆଉ ନ ଥିବ ।” ଆମେ ‘ଗୃହ ନିର୍ମାଣ କରି ତହିଁରେ ବାସ କରିବା ଓ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବା ।’ ଆମେ ‘ବୃଥା ପରିଶ୍ରମ କରିବା ନାହିଁ,’ କାରଣ ଆମେ “ସଦାପ୍ରଭୁଙ୍କ ଆଶୀର୍ବାଦ—ପାତ୍ର” ହେବା । ଯିହୋବା ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ଗୋଟିଏ ଭଲ ଜୀବନ ଦେବେ ଓ ଏପରି କାମ ଦେବେ ଯେଉଁଥିରୁ ଆମକୁ ଖୁସି ମିଳିବ । ଆମେ “ଡାକିବା ପୂର୍ବେ” ହିଁ ସେ ଆମ କଥା ଶୁଣିବେ ଓ ଆମ ଆବଶ୍ୟକତାଗୁଡ଼ିକ ପୂରା କରିବେ । କେବଳ ଏତିକି ନୁହେଁ, ସେ “ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ” କରିବେ ।—ଯିଶା. ୬୫:୨୦-୨୪; ଗୀତ. ୧୪୫:୧୬.

୧୩. ଯିହୋବାଙ୍କ ସେବା କରିବା ପାଇଁ ଲୋକମାନେ ନିଜଠାରେ କʼଣ ପରିବର୍ତ୍ତନ କରିଛନ୍ତି ? (ଯିଶାଇୟ ୬୫:୨୫)

୧୩ ସେମାନେ ଶାନ୍ତିରେ ବଞ୍ଚନ୍ତି ଓ ସେମାନଙ୍କୁ କୌଣସି ଡର ନ ଥାଏ । ଅନେକ ଭାଇଭଉଣୀଙ୍କ ସ୍ୱଭାବ ପୂର୍ବେ ବହୁତ ହିଂସ୍ରକ ଥିଲା । କିନ୍ତୁ ଈଶ୍ୱରଙ୍କ ପବିତ୍ର ଶକ୍ତି ସାହାଯ୍ୟରେ ସେମାନେ ନିଜଠାରେ ବଡ଼ ବଡ଼ ପରିବର୍ତ୍ତନ କରିପାରିଲେ । (ଯିଶାଇୟ ୬୫:୨୫ ପଢ଼ନ୍ତୁ ।) ସେମାନେ ନିଜର ଖରାପ ଇଚ୍ଛାଗୁଡ଼ିକୁ କାବୁ କଲେ ଓ ନିଜ ଚାଲିଚଳନ ସୁଧାରିଲେ । (ରୋମୀ. ୧୨:୨; ଏଫି. ୪:୨୨-୨୪) ଏହିସବୁ ସୁଧାର କଲା ପରେ ମଧ୍ୟ ଯିହୋବାଙ୍କ ସେବକମାନଙ୍କ ଦ୍ୱାରା ଭୁଲ ହୋଇଥାଏ । କିନ୍ତୁ ଯିହୋବା ଆଉ ଏକ ଭଲ କାମ କଲେ । ସେ “ସମସ୍ତ ମାନବ” ଜାତିରୁ ସମସ୍ତ ପ୍ରକାରର ଲୋକଙ୍କୁ ଏକତାର ବନ୍ଧନରେ ବାନ୍ଧିଛନ୍ତି ଆଉ ଏହାଯୋଗୁଁ ସେମାନଙ୍କ ମଧ୍ୟରେ ପ୍ରକୃତ ପ୍ରେମ ଓ ଶାନ୍ତି ଅଛି । (ତୀତ. ୨:୧୧) ଏହା ଏକ ଚମତ୍କାର ଅଟେ ଯାହା କେବଳ ସର୍ବଶକ୍ତିମାନ ଈଶ୍ୱର ହିଁ କରିପାରିବେ ।

୧୪. ଜଣେ ଭାଇଙ୍କ ସହିତ କିପରି ସେଭଳି ହେଲା ଯେମିତି ଯିଶାଇୟ ୬୫:୨୫ ପଦରେ ଲେଖା ହୋଇଛି ?

୧୪ କʼଣ ଜଣେ ମଣିଷ ନିଜର ସ୍ୱଭାବ ବଦଳାଇପାରିବ ? ଜଣେ ଯୁବକର ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ୨୦ ବର୍ଷର ହେଉ ହେଉ ତାକୁ ଅନେକଥର ଜେଲ ହୋଇ ସାରିଥିଲା । ସେ ବହୁତ ଲଢ଼େଇ ଝଗଡ଼ା କରୁଥିଲା ଆଉ ଅନୈତିକ କାମଗୁଡ଼ିକରେ ଲାଗି ରହୁଥିଲା । ତାକୁ କାର ଚୋରି କରିବା, ଅନ୍ୟମାନଙ୍କ ଘରେ ଚୋରି କରିବା ଓ ଏପରି ହିଁ ଅନ୍ୟ ବଡ଼ ବଡ଼ ଅପରାଧ ପାଇଁ ଜେଲ ହୋଇଥିଲା । ସେ ସବୁବେଳେ ଛୋଟ ଛୋଟ କଥା ପାଇଁ ମାରପିଟ୍‌ କରୁଥିଲା । କିନ୍ତୁ ପ୍ରଥମ ଥର ଯେବେ ସେ ବାଇବଲର ସତ୍ୟ ଜାଣିଲା ଆଉ ଯିହୋବାଙ୍କ ସାକ୍ଷୀମାନଙ୍କ ସଭାରେ ଆସିବାକୁ ଲାଗିଲା, ତେବେ ସେଠାର ପାରଦୀଶ ଭଳି ପରିବେଶ ତାʼ ହୃଦୟକୁ ଛୁଇଁଗଲା । ଆଉ ସେ ବୁଝିପାରିଲା ଯେ ଯଦି ସେ ପ୍ରକୃତରେ ଖୁସି ରହିବା ପାଇଁ ଚାହେଁ, ତାହେଲେ ତାକୁ ଯିହୋବାଙ୍କ ଉପାସନା କରିବାକୁ ପଡ଼ିବ ଓ ତାଙ୍କ ଆଜ୍ଞା ମାନିବାକୁ ପଡ଼ିବ । ବାପ୍ତିସ୍ମ ନେବା ପରେ ସେ ଭାବୁଥିଲା ଯେ ତାʼ ସହିତ ସେପରି ହିଁ ହେଲା ଯେପରି ଯିଶାଇୟ ୬୫:୨୫ ପଦରେ ଲେଖା ହୋଇଛି । ତାʼ ସ୍ୱଭାବ ପୂର୍ବେ ସିଂହ ଭଳି ଥିଲା, କିନ୍ତୁ ପରେ ତାʼ ସ୍ୱଭାବ ମେଣ୍ଢା ଛୁଆ ପରି ହୋଇଗଲା ଆଉ ଲୋକମାନଙ୍କ ସହିତ ସେ ଶାନ୍ତିରେ ରହିବାକୁ ଲାଗିଲା ।

୧୫. ଆମେ କାହିଁକି ଚାହୁଁ ଯେ ଅଧିକରୁ ଅଧିକ ଲୋକମାନେ ଆମ ପରିବାରର ସଦସ୍ୟ ହୁଅନ୍ତୁ ଆଉ ଆମେ କିପରି ତାଙ୍କର ସାହାଯ୍ୟ କରୁ ?

୧୫ ଯିଶାଇୟ ୬୫:୧୩ ପଦର ଆରମ୍ଭରେ ଲେଖାଯାଇଛି, “ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ।” ଆଉ ୨୫ ପଦର ଶେଷରେ ଲେଖା ହୋଇଛି, “ସଦାପ୍ରଭୁ ଏହା କହନ୍ତି ।” ତାʼସହ ଆମେ ଏହା ବି ଜାଣୁ ଯେ ଯିହୋବା ଯାହା କହନ୍ତି, ତାହା ନିଶ୍ଚୟ ପୂରା ହୁଏ । (ଯିଶା. ୫୫:୧୦, ୧୧) ଆଜି ଆମେ ତାଙ୍କ କଥା ପୂରା ହେବାର ଦେଖୁଛୁ ଆଉ ଆମେ ପାରଦୀଶ ଭଳି ପରିସ୍ଥିତିରେ ବଞ୍ଚୁଛୁ । ଯିହୋବା ଆମକୁ ସତରେ ଗୋଟିଏ ନିଆରା ପରିବାର ଦେଇଛନ୍ତି । ଯେଉଁଥିରେ ଆମେ ଶାନ୍ତିରେ ରହୁ ଓ ସୁରକ୍ଷିତ ଅନୁଭବ କରୁ । ଏହି ପରିବାର ମରୁଭୂମି ଭଳି ଦୁନିଆରେ ଗୋଟିଏ ସୁନ୍ଦର ବଗିଚା ଭଳି ଅଟେ । (ଗୀତ. ୭୨:୭) ସେଥିପାଇଁ ଆମେ ଅଧିକରୁ ଅଧିକ ଲୋକମାନଙ୍କୁ ଏହି ପରିବାରର ସଦସ୍ୟ ହେବା ପାଇଁ ସାହାଯ୍ୟ କରିବାକୁ ଚାହୁଁ । କିନ୍ତୁ ଆମେ ଏହା କିପରି କରିପାରିବା ? ଉତ୍ସାହର ସହ ଶିଷ୍ୟ କରିବା କାମରେ ଭାଗ ନେଇ ।—ମାଥି. ୨୮:୧୯, ୨୦.

ଲୋକମାନଙ୍କୁ ପାରଦୀଶ ଆଡ଼କୁ କିପରି ଆକର୍ଷିତ କରିବା ?

୧୬. ଲୋକମାନେ ଏହି ପାରଦୀଶ ଆଡ଼କୁ କାହିଁକି ଆକର୍ଷିତ ହୁଅନ୍ତି ?

୧୬ ଆମ ସମସ୍ତଙ୍କର ଏହା ଦାୟିତ୍ୱ ଅଟେ ଯେ ଆମେ ଏହି ପାରଦୀଶକୁ ଆହୁରି ସୁନ୍ଦର କରୁ ଯାହାଫଳରେ ଲୋକମାନେ ଏହି ପାରଦୀଶ ଆଡ଼କୁ ଆକର୍ଷିତ ହେବେ । ଆମେ ଏହା କିପରି କରିପାରିବା ? ଆମେ ଯିହୋବାଙ୍କ ଭଳି ହୋଇପାରିବା । ଯିହୋବା କାହାରିକୁ ବି ଜୋର ଜବରଦସ୍ତି ନିଜ ସଂଗଠନରେ ଆଣନ୍ତି ନାହିଁ, ତାʼ ପରିବର୍ତ୍ତେ ସେ ପ୍ରେମର ସହ ଲୋକମାନଙ୍କୁ ନିଜ ଆଡ଼କୁ “ଆକର୍ଷଣ” କରନ୍ତି । (ଯୋହ. ୬:୪୪; ଯିରି. ୩୧:୩) ଯେବେ ଭଲ ମନ ରଖୁଥିବା ଲୋକମାନେ ଶିଖନ୍ତି ଯେ ଯିହୋବା ଜଣେ ପ୍ରେମମୟୀ ପିତା ଈଶ୍ୱର ଅଟନ୍ତି ଆଉ ତାଙ୍କଠାରେ କେତେ ଭଲ ଗୁଣ ରହିଛି, ତେବେ ସେମାନେ ତାଙ୍କୁ ପ୍ରେମ କରିବାକୁ ଲାଗନ୍ତି ଆଉ ଆପେ ଆପେ ତାଙ୍କ ଆଡ଼କୁ ଆକର୍ଷିତ ହୋଇଯାʼନ୍ତି । ଯିହୋବାଙ୍କ ଭଳି ଆମେ ବି ନିଜ ଭଲ ଗୁଣ ଓ ଭଲ ଚାଲିଚଳନରୁ ଲୋକମାନଙ୍କୁ ଏହି ପାରଦୀଶ ଆଡ଼କୁ ଆକର୍ଷିତ କରୁ । କିନ୍ତୁ ଏହା ପାଇଁ ଆମକୁ ଆଉ କʼଣ କରିବାକୁ ପଡ଼ିବ ?

୧୭. ଆମେ ଲୋକମାନଙ୍କୁ ନିଜର ଏହି ସୁନ୍ଦର ପାରଦୀଶ ଆଡ଼କୁ କିପରି ଆକର୍ଷିତ କରିପାରିବା ?

୧୭ ଲୋକମାନଙ୍କୁ ଏହି ପାରଦୀଶ ଆଡ଼କୁ ଆକର୍ଷିତ କରିବାର ଗୋଟିଏ ଉପାୟ ହେଉଛି, ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରିବା ଓ ତାଙ୍କୁ ସାହାଯ୍ୟ କରିବା । ଯେବେ ନୂଆ ଲୋକମାନେ ଆମ ସଭାରେ ଆସନ୍ତି, ତେବେ ସେମାନଙ୍କୁ ସ୍ପଷ୍ଟ ଦେଖାଯିବା ଉଚିତ୍‌ ଯେ ଆମ ମଧ୍ୟରେ କେତେ ପ୍ରେମ ଅଛି । ଯଦି ଆମେ ଏପରି କରୁ, ତେବେ ସେମାନେ ହୁଏତ କରିନ୍ଥର ମଣ୍ଡଳୀରେ ଆସିଥିବା ଲୋକମାନଙ୍କ ଭଳି ଅନୁଭବ କରିବେ । ଯେଉଁମାନେ କହିଥିଲେ ଯେ ‘ଈଶ୍ୱର ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି ।’ (୧ କରି. ୧୪:୨୪, ୨୫; ଯିଖ. ୮:୨୩) ତାହେଲେ ଆସନ୍ତୁ ଆମେ ବାଇବଲର ଏହି ପରାମର୍ଶକୁ ମାନିବା ପାଇଁ ପୂରା ଚେଷ୍ଟା କରିବା: “ପରସ୍ପର ସଙ୍ଗରେ ଶାନ୍ତିରେ ରୁହ ।” ଯଦି ଆମେ ଏପରି କରିବା ତାହେଲେ ଆମେ ଏହି ସୁନ୍ଦର ପାରଦୀଶ ଆଡ଼କୁ ଲୋକମାନଙ୍କୁ ଆକର୍ଷିତ କରିପାରିବା ।—୧ ଥେସ. ୫:୧୩.

୧୮. କʼଣ ଦେଖି ଲୋକମାନେ ଆମ ସଂଗଠନ ଆଡ଼କୁ ଆକର୍ଷିତ ହେବେ ?

୧୮ ଆମେ ଭାଇଭଉଣୀମାନଙ୍କୁ ଯିହୋବାଙ୍କ ଦୃଷ୍ଟିକୋଣରେ ଦେଖିବା ଉଚିତ୍‌ । ଯିହୋବାଙ୍କ ଭଳି ଆମେ ସେମାନଙ୍କର ଦୁର୍ବଳତାଗୁଡ଼ିକ ଉପରେ ନୁହେଁ, ବରଂ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ । ଦେଖିବାକୁ ଗଲେ ଆଗକୁ ଯାଇ ଏହି ଦୁର୍ବଳତାଗୁଡ଼ିକ ରହିବ ନାହିଁ । ଏହା ବ୍ୟତୀତ ଯଦି ଆମେ ସବୁବେଳେ ପରସ୍ପର ପ୍ରତି ‘ସଦୟ ହେବା, କୋମଳ ହୃଦୟ ହେବା ଓ ପରସ୍ପରକୁ କ୍ଷମା କରିବା,’ ତେବେ କାହାରି ସହ ଭୁଲ ବୁଝାମଣା ହେଲେ ମଧ୍ୟ ଆମେ ସେହି ମାମଲାକୁ ପ୍ରେମର ସହ ସମାଧାନ କରିପାରିବା । (ଏଫି. ୪:୩୨) ଆମ ଏହି ବ୍ୟବହାର ଦେଖି ଲୋକମାନେ ଏହି ପାରଦୀଶ ଆଡ଼କୁ ଆକର୍ଷିତ ହେବେ, କାରଣ ସେମାନେ ବି ଚାହାନ୍ତି ଯେ ଲୋକମାନେ ତାଙ୍କ ସହ ଏପରି ହିଁ ବ୍ୟବହାର କରନ୍ତୁ । a

ପାରଦୀଶ ଭିତରେ ହିଁ ରହନ୍ତୁ

୧୯. (କ) ପାରଦୀଶରେ ଫେରିବା ପରେ କିଛି ଲୋକ କʼଣ କହିଲେ ? (“ ସେମାନେ ଚାଲି ଯାଇଥିଲେ, କିନ୍ତୁ ପୁଣି ଫେରି ଆସିଲେ” ନାମକ ବକ୍ସ ଦେଖନ୍ତୁ ।) (ଖ) ଆପଣ କʼଣ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୯ ଯିହୋବା ଆମକୁ ଯେଉଁ ପାରଦୀଶ ଦେଇଛନ୍ତି, ତାʼପାଇଁ ଆମେ ତାଙ୍କ ବହୁତ କୃତଜ୍ଞ । ଏହା ଦିନକୁ ଦିନ ଆହୁରି ସୁନ୍ଦର ହୋଇ ଚାଲିଛି ଆଉ ଏଥିରେ ଆହୁରି ଲୋକମାନେ ଆସି ଯିହୋବାଙ୍କ ଉପାସନା କରୁଛନ୍ତି । ଯିହୋବା ଆମକୁ ଏହି ପାରଦୀଶରେ ଜାଗା ଦେଇଛନ୍ତି, ଏଥିପାଇଁ ଆମେ ସବୁବେଳେ ତାଙ୍କ କୃତଜ୍ଞ ହେବା ଉଚିତ୍‌ । ଯଦି କେହି ଜୀବନରେ ଖୁସି, ଶାନ୍ତି ଓ ସୁରକ୍ଷିତରେ ରହିବାକୁ ଚାହେଁ ତାହେଲେ ତାକୁ ନିଜେ ଏହି ପାରଦୀଶରେ ଆସିବାକୁ ପଡ଼ିବ ଆଉ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେ କେବେ ଏହାକୁ ଛାଡ଼ିବନି । କିନ୍ତୁ ଆମକୁ ଶୟତାନଠାରୁ ବି ସାବଧାନ ରହିବାକୁ ପଡ଼ିବ । ଏହି ପାରଦୀଶରୁ ଆମକୁ ଦୂରେଇ ନେବା ପାଇଁ ସେ ପୂରା ଚେଷ୍ଟା କରୁଛି । (୧ ପିତ. ୫:୮; ପ୍ରକା. ୧୨:୯) କିନ୍ତୁ ଆମେ ଶୟତାନର ଫାନ୍ଦରେ ପଡ଼ିବାନି । ଆସନ୍ତୁ ଆମେ ଏହି ପାରଦୀଶକୁ ସୁନ୍ଦର କରି ରଖିବା ପାଇଁ ପୂରା ଚେଷ୍ଟା କରିବା, ଏହାକୁ ଶୁଦ୍ଧ ରଖିବା ଓ ସମସ୍ତଙ୍କ ସାଙ୍ଗରେ ଶାନ୍ତିରେ ରହିବା ।

ଯେଉଁମାନେ ଆଜି ପାରଦୀଶ ଭଳି ପରିବେଶରେ ଅଛନ୍ତି, ସେମାନେ ସେହି ପାରଦୀଶର ବି ମଜା ନେବେ, ଯାହା ଭବିଷ୍ୟତରେ ଆସିବ (ପାରାଗ୍ରାଫ ୧୯)


ଆପଣ କʼଣ ଉତ୍ତର ଦେବେ ?

  • ଈଶ୍ୱର ଆମକୁ ଯେଉଁ ପାରଦୀଶ ଦେଇଛନ୍ତି, ତାହା କʼଣ ଅଟେ ?

  • ଏହି ପାରଦୀଶରେ ଆମକୁ କେଉଁ କେଉଁ ଆଶିଷ ମିଳୁଛି ?

  • ଆମେ ଲୋକମାନଙ୍କୁ ଏହି ପାରଦୀଶ ଆଡ଼କୁ କିପରି ଆକର୍ଷିତ କରିପାରିବା ?

ଗୀତ ୧୪୪ ରଖୋ ଇନାମ୍‌ ପେ ନଜର୍‌ !

a ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ରହିବା ଯୋଗୁଁ ଜଣେ ଭଉଣୀଙ୍କୁ କʼଣ ଆଶିଷ ମିଳିଲା ? ଏହା ଜାଣିବା ପାଇଁ jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ ଏକ ମୁଲାକାତ୍‌ ସାଲୋଁ ବାଦ୍‌—ଏଲେନା ଜିଟ୍‌ନିକୋୱା: ମେରା ସପ୍‌ନା ପୂରା ହୋ ଗୟା ! ଦେଖନ୍ତୁ ।

b ଚିତ୍ର ବିଷୟରେ: ସଭାରେ ଅନେକ ଭାଇଭଉଣୀ ପରସ୍ପର ସହ ଭେଟୁଛନ୍ତି, କିନ୍ତୁ ଜଣେ ଭାଇ କାହାରି ସହିତ ଭେଟୁ ନାହାନ୍ତି ଓ ସେ ଏକୁଟିଆ ବସିଛନ୍ତି ।