ଅଧ୍ୟୟନ ଲେଖା ୧୪
ଗୀତ ୫୬ ସଚ୍ଚାଇ କୋ ଆପନା ବନାଏଁ
‘ପ୍ରୌଢ଼ତା ଲାଭ କରିବା ନିମନ୍ତେ ଅଗ୍ରସର ହୁଅନ୍ତୁ’
‘ଆସ, ଆମ୍ଭେମାନେ ସିଦ୍ଧି [“ପ୍ରୌଢ଼ତା,” NWT] ଲାଭ କରିବା ନିମନ୍ତେ ଅଗ୍ରସର ହେଉ ।’—ଏବ୍ରୀ ୬:୧, ୨.
କʼଣ ଶିଖିବା ?
ଆମେ ଜାଣିବା ଯେ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ସବୁ ମାମଲାରେ ଈଶ୍ୱରଙ୍କ ଭଳି ଭାବେ ଓ କାମ କରେ, ତେଣୁ ସେ ଭଲ ନିଷ୍ପତ୍ତି ନେଇପାରେ ।
୧. ଯିହୋବା ଆମଠାରୁ କʼଣ ଚାହାନ୍ତି ?
ଯେବେ ଶିଶୁଟିଏ ଜନ୍ମ ହୁଏ, ତେବେ ତାʼ ବାପାମାଆଙ୍କୁ ବହୁତ ଖୁସି ଲାଗେ । ସେମାନେ ନିଜ ପିଲାକୁ ବହୁତ ପ୍ରେମ କରନ୍ତି, କିନ୍ତୁ ସେମାନେ ଏହା ଚାହାନ୍ତି ନାହିଁ ଯେ ସେ ସବୁବେଳେ ଛୋଟ ହିଁ ରହୁ । ଯଦି ସେ ବଡ଼ ନ ହୁଏ, ତେବେ ବାପାମାଆଙ୍କୁ ଚିନ୍ତା ହେବାକୁ ଲାଗିବ । ସେହିଭଳି ଯେବେ ଆମେ ଯିହୋବାଙ୍କ ବିଷୟରେ ଶିଖିବା ଆରମ୍ଭ କରୁ, ତେବେ ଆମେ ପ୍ରଥମ ପଦକ୍ଷେପ ନେଉ, ଏହା ଦେଖି ଯିହୋବା ବହୁତ ଖୁସି ହୁଅନ୍ତି । କିନ୍ତୁ ସେ ଚାହାନ୍ତି ଯେ ଆମେ ଆଗକୁ ବି ଶିଖିବା ଜାରି ରଖୁ ଆଉ “ପୂର୍ଣ୍ଣବୟସ୍କ” ହେଉ ।—୧ କରି. ୩:୧; ୧୪:୨୦.
୨. ଏହି ଲେଖାରେ ଆମେ କʼଣ ଜାଣିବା ?
୨ ଏହି ଲେଖାରେ ଆମେ କିଛି ପ୍ରଶ୍ନର ଉତ୍ତର ଜାଣିବା । ତାହା ହେଉଛି, ପୂର୍ଣ୍ଣବୟସ୍କ ବା ପ୍ରୌଢ଼ ହେବାର ଅର୍ଥ କʼଣ ? ଜଣେ ଖ୍ରୀଷ୍ଟିୟାନ ପ୍ରୌଢ଼ କିପରି ହୋଇପାରିବ ? ପ୍ରୌଢ଼ ହେବା ପାଇଁ “ଗୁରୁପାକ ଖାଦ୍ୟ” ନେବା କାହିଁକି ଜରୁରୀ ? ଆଉ ପ୍ରୌଢ଼ ହୋଇ ରହିବା ପାଇଁ ଆମକୁ କାହିଁକି ଲଗାତାର ପରିଶ୍ରମ କରିବାକୁ ପଡ଼ିବ ?
ପ୍ରୌଢ଼ ହେବାର ଅର୍ଥ କʼଣ ?
୩. ପୂର୍ଣ୍ଣବୟସ୍କ ବା ପରିପକ୍ୱ ହେବାର ଅର୍ଥ କʼଣ ?
୩ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ପୂର୍ଣ୍ଣବୟସ୍କ” କରାଯାଇଛି, ତାʼର ଅର୍ଥ “ପରିପକ୍ୱ,” “ପରିପୂର୍ଣ୍ଣ” କିମ୍ବା ‘ଜ୍ଞାନ ପ୍ରାପ୍ତ’ କରିବା ବି ହୋଇପାରେ । a (୧ କରି. ୨:୬) ଯେପରି ଜଣେ ଛୁଆ ବଡ଼ ହେବାକୁ ଲାଗେ ସେ ଭାବିଚିନ୍ତି କାମ କରିବା ଶିଖିଯାଏ, ଠିକ୍ ସେହିପରି ଯେବେ ଯିହୋବାଙ୍କ ସହ ଆମ ସମ୍ପର୍କ ଦୃଢ଼ ହୋଇଯାଏ, ତେବେ ଆମେ ସବୁ ମାମଲାରେ ଯିହୋବାଙ୍କ ଭଳି ଭାବିବା ଓ କାମ କରିବା ବି ଶିଖିଯାଉ, କହିବାକୁ ଗଲେ ଆମେ ପ୍ରୌଢ଼ ହୋଇଯାଉ । କିନ୍ତୁ ତାʼପରେ ବି ଆମକୁ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଲଗାତାର ଦୃଢ଼ କରିବାକୁ ପଡ଼ିବ । (୧ ତୀମ. ୪:୧୫) ଆମେ ବଡ଼ ହେଉ ବା ଛୋଟ, ଆମେ ସମସ୍ତେ ପ୍ରୌଢ଼ ହୋଇପାରିବା । କିନ୍ତୁ ଆମେ ପ୍ରୌଢ଼ ଅଟୁ ନା ନାହୁଁ, ଏହା ଆମେ କିପରି ଜାଣିପାରିବା ?
୪. କେଉଁମାନଙ୍କୁ ପ୍ରୌଢ଼ ଖ୍ରୀଷ୍ଟିୟାନ କହିବା ?
୪ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ଈଶ୍ୱରଙ୍କ ସବୁ ଆଜ୍ଞାଗୁଡ଼ିକୁ ମାନେ, ସେହି ଆଜ୍ଞାଗୁଡ଼ିକୁ ବି ଯାହା ତାକୁ ମାନିବା କଷ୍ଟ ଲାଗେ କିମ୍ବା ଯାହା ତାକୁ ଭଲ ଲାଗେ ନାହିଁ । ତାʼଅର୍ଥ ଏହା ନୁହେଁ ଯେ ତାʼଦ୍ୱାରା କୌଣସି ଭୁଲ ହୁଏନି । କିନ୍ତୁ ସେ ପ୍ରତିଦିନ ଯେଉଁଭଳି ଜୀବନ ବିତାଏ, ସେଥିରୁ ଜଣାପଡ଼େ ଯେ ସେ ଈଶ୍ୱରଙ୍କୁ ଖୁସି କରିବା ପାଇଁ ଚାହେଁ । ସେ ନିଜଠାରେ ଖ୍ରୀଷ୍ଟିୟାନ ଗୁଣଗୁଡ଼ିକ ବଢ଼ାଏ ଓ ପ୍ରତ୍ୟେକ ମାମଲାରେ ଈଶ୍ୱରଙ୍କ ଭଳି ଭାବିବା ପାଇଁ ଲଗାତାର ଚେଷ୍ଟା କରେ । (ଏଫି. ୪:୨୨-୨୪) କୌଣସି ନିଷ୍ପତ୍ତି ନେବା ପାଇଁ ତାକୁ ଗୋଟିଏ ଲମ୍ବା ଚଉଡ଼ା ସୂଚୀର ଦରକାର ପଡ଼େନି । କାରଣ ସେ ଈଶ୍ୱରଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକୁ ଭଲଭାବେ ଜାଣେ ଏବଂ କୌଣସି ନିଷ୍ପତ୍ତି ନେଲା ବେଳେ ଏଗୁଡ଼ିକୁ ଧ୍ୟାନରେ ରଖେ ଓ ସେ ଅନୁସାରେ କାମ ବି କରେ ।—୧ କରି. ୯:୨୬, ୨୭.
୫. ଯେଉଁ ଖ୍ରୀଷ୍ଟିୟାନମାନେ ପ୍ରୌଢ଼ ନୁହନ୍ତି, ସେମାନଙ୍କ ସହ କʼଣ ହୋଇପାରେ ? (ଏଫିସୀୟ ୪:୧୪, ୧୫)
୫ କିନ୍ତୁ ଯେଉଁମାନେ ପ୍ରୌଢ଼ ନୁହନ୍ତି, ସେମାନଙ୍କ ସହ କʼଣ ହୋଇପାରେ ? ସେମାନେ ଅତି ସହଜରେ ସେହି ଲୋକମାନଙ୍କ କଥାରେ ଆସିପାରିବେ, ଯେଉଁମାନେ “ଶଠତା” [‘ଛଳ,’ NWT] ଓ ‘ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଧୂର୍ତ୍ତତା ଦ୍ୱାରା ଚାଳିତ’ କରନ୍ତି । ଯେପରି ହୁଏତ ସେମାନେ ସୋସିଆଲ୍ ମିଡିଆ ଓ ଖବରକାଗଜଗୁଡ଼ିକରେ ଯେଉଁ ମିଛ କଥାଗୁଡ଼ିକ କୁହାଯାଏ, ସେଗୁଡ଼ିକୁ ସତ ଭାବିପାରନ୍ତି ଏବଂ ଧର୍ମତ୍ୟାଗୀମାନଙ୍କର କଥାଗୁଡ଼ିକରେ ଆସିପାରନ୍ତି । b (ଏଫିସୀୟ ୪:୧୪, ୧୫ ପଢ଼ନ୍ତୁ ।) ତାʼସହ ହୋଇପାରେ ସେମାନେ ଅନ୍ୟମାନଙ୍କ କଥାକୁ ଶୀଘ୍ର ଖରାପ ଭାବି ନେବେ, ଅନ୍ୟମାନଙ୍କୁ ଈର୍ଷା କରିବାକୁ ଲାଗିବେ, ଝଗଡ଼ା କରିବାକୁ ଲାଗିବେ ଏବଂ ଯେବେ କୌଣସି ପ୍ରଲୋଭନ ଆସିବ, ସେସମୟରେ ଖରାପ କାମ କରି ପକାଇବେ ।—୧ କରି. ୩:୩.
୬. ଜଣେ ଖ୍ରୀଷ୍ଟିୟାନ କିପରି ଭାବରେ ଧୀରେ ଧୀରେ ପ୍ରୌଢ଼ ହୁଏ ? ବୁଝାନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଯେପରି ଆମେ ପୂର୍ବରୁ ଦେଖିଥିଲୁ, ପିଲାମାନେ ବଡ଼ ହେବା ସହିତ ଦିନେ ପ୍ରୌଢ଼ ହୋଇଯାʼନ୍ତି । ସେହିଭଳି ବାଇବଲରେ କୁହାଯାଇଛି ଯେ ଆମକୁ ବି ସବୁବେଳେ ଛୋଟ ଛୁଆ ହୋଇ ରହିବାର ନାହିଁ, ବରଂ ପ୍ରୌଢ଼ ହେବାକୁ ଅଛି । ଛୋଟ ପିଲାଙ୍କ ଭିତରେ ଏତେ ବୁଦ୍ଧି ନ ଥାଏ, ସେଥିପାଇଁ ସେମାନଙ୍କୁ କୌଣସି କାମ କରିବା ପାଇଁ ବଡ଼ମାନଙ୍କର ସାହାଯ୍ୟ ଦରକାର ପଡ଼େ । ଯେପରି, ଜଣେ ଛୋଟ ଝିଅକୁ ରାସ୍ତା ପାର କରିବା ପାଇଁ ତାʼମାଆ ସାହାଯ୍ୟ କରେ । କିନ୍ତୁ ଯେବେ ସେ ଟିକେ ବଡ଼ ହୋଇଯାଏ, ତେବେ ତାʼମାଆ ହୁଏତ ତାକୁ ନିଜେ ରାସ୍ତା ପାର ହେବାକୁ ଦିଏ । କିନ୍ତୁ ସେସମୟରେ ବି ସେ କହେ, ‘ଦେଖିକି ରାସ୍ତା ପାର କରିବ ।’ କିନ୍ତୁ ଯେତେବେଳେ ଝିଅଟି ବଡ଼ ହୋଇଯାଏ ଆଉ ନିଜେ ଶିଖିଯାଏ, ସେସମୟରେ ମାଆକୁ ଏହା କହିବାକୁ ପଡ଼ି ନ ଥାଏ । କିଛି ଖ୍ରୀଷ୍ଟିୟାନମାନେ ବି ଛୋଟ ପିଲାଙ୍କ ଭଳି ଥାʼନ୍ତି । ସଠିକ୍ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କର ସାହାଯ୍ୟ ଦରକାର ପଡ଼େ, ଯଦି ସେମାନେ ସାହାଯ୍ୟ ନ ନିଅନ୍ତି ତେବେ ହୁଏତ ସେମାନେ ଏପରି କିଛି କରିଦେବେ ଯାହାଦ୍ୱାରା ଯିହୋବାଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିଯିବ । କିନ୍ତୁ ଯେବେ ସେମାନେ ପ୍ରୌଢ଼ ହୋଇଯାʼନ୍ତି, ସେସମୟରେ ସେମାନେ ନିଜେ ନିଷ୍ପତ୍ତି ନେଇପାରନ୍ତି । ସେମାନେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନ ଦିଅନ୍ତି ଏବଂ କୌଣସି ମାମଲାରେ ଯିହୋବାଙ୍କ ଦୃଷ୍ଟିକୋଣ କʼଣ, ତାହା ଜାଣିବା ପାଇଁ ଚେଷ୍ଟା କରନ୍ତି ଆଉ ସେ ଅନୁସାରେ କାମ ବି କରନ୍ତି ।
୭. କʼଣ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କୁ କେବେ ବି କାହାରି ସାହାଯ୍ୟର ଦରକାର ପଡ଼େ ନାହିଁ ?
୭ କିନ୍ତୁ କʼଣ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କୁ କେବେ ବି କାହାରି ସାହାଯ୍ୟର ଦରକାର ପଡ଼େ ନାହିଁ ? ସେମିତି ନୁହଁ । ବେଳେବେଳେ ସେମାନେ ବି ଅନ୍ୟମାନଙ୍କର ସାହାଯ୍ୟ ନିଅନ୍ତି । କିନ୍ତୁ ସେମାନେ କେବେ ବି ଏହା ଆଶା କରନ୍ତି ନାହିଁ ଯେ ଅନ୍ୟମାନେ ସେମାନଙ୍କ ପାଇଁ ନିଷ୍ପତ୍ତି ନିଅନ୍ତୁ କିମ୍ବା ସେମାନଙ୍କୁ କʼଣ କରିବା ଉଚିତ୍ ତାହା କହନ୍ତୁ । ଅନ୍ୟ ପକ୍ଷରେ ଏପରି ସେହି ଖ୍ରୀଷ୍ଟିୟାନମାନେ କରନ୍ତି ଯେଉଁମାନେ ପ୍ରୌଢ଼ ନୁହନ୍ତି । କିନ୍ତୁ ଯେବେ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ କାହାରିଠାରୁ ପରାମର୍ଶ ନିଏ, ତେବେ ସେ ତାଙ୍କ ବୁଦ୍ଧିଭରା ପରାମର୍ଶ ଓ ଅନୁଭୂତିରୁ ନିଜେ ନିଷ୍ପତ୍ତି ନେବା ଶିଖେ । କାରଣ ସେମାନଙ୍କୁ ଏହା ଭଲଭାବେ ଜଣା ଯେ ଯିହୋବା ଚାହାନ୍ତି ଯେ ‘ପ୍ରତ୍ୟେକ ଜଣ ଆପଣା ଭାର ବହନ କରନ୍ତୁ ।’—ଗାଲା. ୬:୫.
୮. ପ୍ରୌଢ଼ ଖ୍ରୀଷ୍ଟିୟାନମାନେ ଏକା ଭଳି କାହିଁକି ନ ଥାʼନ୍ତି ?
୮ ବଡ଼ ହେଲେ ସମସ୍ତେ ପରସ୍ପରଠାରୁ ଅଲଗା ଦେଖାଯାʼନ୍ତି । ସେହିଭଳି ପ୍ରୌଢ଼ ଖ୍ରୀଷ୍ଟିୟାନମାନେ ବି ଏକା ଭଳି ନ ଥାʼନ୍ତି, ସେମାନଙ୍କଠାରେ ବି ଭିନ୍ନ ଭିନ୍ନ ଗୁଣ ଥାଏ । କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ବୁଦ୍ଧିମାନ ଥାʼନ୍ତି, ଆଉ କିଛି ସାହସୀ ଥାʼନ୍ତି । କିଛି ଲୋକ ଉଦାର ଥାʼନ୍ତି ଆଉ କିଛି ଅନ୍ୟମାନଙ୍କ କଷ୍ଟ ବୁଝିପାରନ୍ତି । ବେଳେବେଳେ ହୋଇପାରେ ଦୁଇଜଣ ପ୍ରୌଢ଼ ଖ୍ରୀଷ୍ଟିୟାନ ଏକା ଭଳି ପରିସ୍ଥିତିର ସାମନା କରିବେ, କିନ୍ତୁ ସେମାନଙ୍କ ନିଷ୍ପତ୍ତି ଭିନ୍ନ ଭିନ୍ନ ଥିବ । ଆଉ ତାହା ଭୁଲ ନୁହେଁ କାରଣ ସେମାନେ ନିଜ ବିବେକ ଅନୁସାରେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବେ । ଆଉ ଏହି କଥାକୁ ପ୍ରୌଢ଼ ଖ୍ରୀଷ୍ଟିୟାନମାନେ ଭଲଭାବେ ବୁଝନ୍ତି, ତେଣୁ ସେମାନେ ପରସ୍ପରର ନିଷ୍ପତ୍ତିକୁ ଆଦର କରନ୍ତି ଏବଂ ସାଙ୍ଗରେ ମିଶି ଯିହୋବାଙ୍କ ସେବା କରନ୍ତି ।—ରୋମୀ. ୧୪:୧୦; ୧ କରି. ୧:୧୦.
ପ୍ରୌଢ଼ କିପରି ହେବା ?
୯. କʼଣ ଜଣେ ଖ୍ରୀଷ୍ଟିୟାନ ଆପେ ଆପେ ପ୍ରୌଢ଼ ହୋଇପାରିବ ? ବୁଝାନ୍ତୁ ।
୯ ସମୟ ଅନୁସାରେ ପିଲାମାନେ ଆପେ ଆପେ ବଡ଼ ହୋଇଯାʼନ୍ତି । କିନ୍ତୁ ଖ୍ରୀଷ୍ଟିୟାନମାନେ ଆପେ ଆପେ ପ୍ରୌଢ଼ ହୋଇଯାʼନ୍ତି ନାହିଁ । ଈଶ୍ୱରଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ସେମାନଙ୍କୁ ନିଜେ କଠିନ ପରିଶ୍ରମ କରିବାକୁ ପଡ଼େ । କରିନ୍ଥର ଭାଇଭଉଣୀମାନଙ୍କ ବିଷୟରେ ଭାବନ୍ତୁ । ସେମାନେ ଖୁସିର ଖବର ଗ୍ରହଣ କରି ବାପ୍ତିସ୍ମ ନେଲେ । ତାʼପରେ ସେମାନଙ୍କୁ ଈଶ୍ୱରଙ୍କ ପବିତ୍ର ଶକ୍ତି ମିଳିଲା । କେବଳ ଏତିକି ନୁହଁ, ସେମାନଙ୍କୁ ପାଉଲଙ୍କଠାରୁ ଶିଖିବା ପାଇଁ ବଢ଼ିଆ ସୁଯୋଗ ବି ମିଳିଲା । (ପ୍ରେରି. ୧୮:୮-୧୧) କିନ୍ତୁ ଦୁଃଖର କଥା, ବାପ୍ତିସ୍ମର କିଛି ବର୍ଷ ପରେ ବି ସେମାନେ ପ୍ରୌଢ଼ ହୋଇ ନ ଥିଲେ । (୧ କରି. ୩:୨) ଆମେ ବି ସେହି ଖ୍ରୀଷ୍ଟିୟାନମାନଙ୍କ ଭଳି ନ ହେବା ପାଇଁ କʼଣ କରିପାରିବା ?
୧୦. ପ୍ରୌଢ଼ ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ଯିହୂଦା ୨୦)
୧୦ ସବୁଠୁ ପ୍ରଥମେ ପ୍ରୌଢ଼ ହେବା ପାଇଁ ଆମ ଭିତରେ ଇଚ୍ଛା ହେବା ଉଚିତ୍ । କିନ୍ତୁ କିଛି ଲୋକ “ନିର୍ବୋଧ” ହୋଇ ରହିବା ପାଇଁ ଚାହାନ୍ତି, ସେଥିପାଇଁ ସେମାନେ ପ୍ରୌଢ଼ ହୋଇପାରନ୍ତି ନାହିଁ । (ହିତୋ. ୧:୨୨) ସେମାନେ ସେହି ଛୋଟ ପିଲାଙ୍କ ଭଳି ଅଟନ୍ତି, ଯେଉଁମାନେ ବଡ଼ ହେଲା ପରେ ବି ନିଜ ନିଷ୍ପତ୍ତି ନିଜେ ନେଇପାରନ୍ତି ନାହିଁ କିମ୍ବା କୌଣସି ଦାୟିତ୍ୱ ତୁଲାଇପାରନ୍ତି ନାହିଁ, ସେମାନେ ସବୁବେଳେ ନିଜ ବାପାମାଆଙ୍କ ଉପରେ ନିର୍ଭର ରହନ୍ତି । ଆମେ ସେମାନଙ୍କ ଭଳି ହେବା ପାଇଁ ଚାହୁଁ ନାହୁଁ, ବରଂ ପ୍ରୌଢ଼ ହେବା ପାଇଁ ଚାହୁଁ । କାରଣ ଆମେ ଏକଥାକୁ ଭଲଭାବେ ବୁଝୁ ଯେ ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ଆମ ପ୍ରତ୍ୟେକଙ୍କ ଦାୟିତ୍ୱ ଅଟେ । (ଯିହୂଦା ୨୦ ପଢ଼ନ୍ତୁ ।) ଯଦି ଆପଣ ପ୍ରୌଢ଼ ହେବା ପାଇଁ ଚାହାନ୍ତି, ତାହେଲେ ଆପଣ କʼଣ କରିପାରିବେ ? ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କଠାରେ ପ୍ରୌଢ଼ ହେବା ପାଇଁ “ଇଚ୍ଛା” ଦେବେ ଓ ତାକୁ “ସାଧନ କରିବାକୁ” ଶକ୍ତି ବି ଦେବେ ।—ଫିଲିପ୍. ୨:୧୩.
୧୧. ପ୍ରୌଢ଼ ହେବା ପାଇଁ ଯିହୋବା ଆମକୁ କିପରି ସାହାଯ୍ୟ କରନ୍ତି ? (ଏଫିସୀୟ ୪:୧୧-୧୩)
୧୧ ଯିହୋବା ଜାଣନ୍ତି ଯେ ଆମେ ଆପେ ଆପେ ପ୍ରୌଢ଼ ହୋଇପାରିବା ନାହିଁ । ସେଥିପାଇଁ ସେ ମଣ୍ଡଳୀରେ ଆମ ପାଇଁ ମେଷପାଳକ ଓ ଶିକ୍ଷକ ନିଯୁକ୍ତ କରିଛନ୍ତି, ସେମାନେ ଆମକୁ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ସାହାଯ୍ୟ କରନ୍ତି । ଆଉ ସେମାନଙ୍କ ସାହାଯ୍ୟରେ ଆମେ “ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣବୟସ୍କ ପୁରୁଷ” ହୋଇପାରିବା । (ଏଫିସୀୟ ୪:୧୧-୧୩ ପଢ଼ନ୍ତୁ ।) ଯିହୋବା ଆମକୁ ନିଜ ପବିତ୍ର ଶକ୍ତି ବି ଦେଇଛନ୍ତି, ଯାହାଫଳରେ ଆମେ ‘ଖ୍ରୀଷ୍ଟଙ୍କ ଭଳି ମନ’ ରଖିପାରୁ । (୧ କରି. ୨:୧୪-୧୬) ଏହା ବ୍ୟତୀତ ଯିହୋବା ଆମକୁ ସୁସମାଚାରର ଚାରୋଟି ବହି ଦେଇଛନ୍ତି, ଯେଉଁଥିରେ ଯୀଶୁଙ୍କ ବିଷୟରେ ଅନେକ କଥା କୁହାଯାଇଛି । ଯେପରି, ସେ କିପରି ବ୍ୟକ୍ତି ଥିଲେ, ପୃଥିବୀରେ ଥିବା ବେଳେ କେଉଁ ଭଳି କାମ କଲେ ଓ କିପରି କଥା ହେଲେ । ଯଦି ଆମେ ଏହି ବହିଗୁଡ଼ିକୁ ପଢ଼ିବା ଓ ଯୀଶୁଙ୍କ ଭଳି ଭାବିବା ଓ କାମ କରିବା, ତାହେଲେ ଆମେ ବି ପ୍ରୌଢ଼ ହୋଇପାରିବା ।
“ଗୁରୁପାକ ଖାଦ୍ୟ” ନେବା କାହିଁକି ଜରୁରୀ ?
୧୨. “ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା” କʼଣ ?
୧୨ ପ୍ରୌଢ଼ ହେବା ପାଇଁ “ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା” ଜାଣିବା କେବଳ ଯଥେଷ୍ଟ ନୁହେଁ । ଆମକୁ ଏହାକୁ ଛାଡ଼ିକି ଆଗକୁ ‘ଅଗ୍ରସର ହେବାକୁ’ ପଡ଼ିବ । କିନ୍ତୁ ଏହି ମୌଳିକ ଶିକ୍ଷାଗୁଡ଼ିକ କʼଣ ? ଅନୁତାପ କରିବା, ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା, ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ମୃତମାନଙ୍କ ପୁନରୁତ୍ଥାନର ଶିକ୍ଷା ଆଉ ଏପରି ହିଁ ଅନ୍ୟ ଶିକ୍ଷାଗୁଡ଼ିକ । (ଏବ୍ରୀ ୬:୧, ୨) ଏହି ମୁଖ୍ୟ ଶିକ୍ଷାଗୁଡ଼ିକୁ ସବୁ ଖ୍ରୀଷ୍ଟିୟାନମାନେ ମାନନ୍ତି । ତେଣୁ ପ୍ରେରିତ ପିତର ପେଣ୍ଟିକଷ୍ଟର ଦିନ ଲୋକମାନଙ୍କୁ ସାକ୍ଷ୍ୟ ଦେବା ବେଳେ ଏବିଷୟରେ କହିଲେ । (ପ୍ରେରି. ୨:୩୨-୩୫, ୩୮) ଖ୍ରୀଷ୍ଟଙ୍କ ଶିଷ୍ୟ ହେବା ପାଇଁ ଏହି ପ୍ରାଥମିକ ଶିକ୍ଷାଗୁଡ଼ିକୁ ମାନିବା ବହୁତ ଜରୁରୀ ଅଟେ । ପାଉଲ କହିଥିଲେ ଯେ ମୃତମାନଙ୍କ ପୁନରୁତ୍ଥାନର ଶିକ୍ଷା ଯେଉଁମାନେ ମାନନ୍ତି ନାହିଁ, ସେମାନେ କେବେ ବି ଯୀଶୁଙ୍କ ଶିଷ୍ୟ ହୋଇପାରିବେ ନାହିଁ । (୧ କରି. ୧୫:୧୨-୧୪) କିନ୍ତୁ ପ୍ରାଥମିକ ଶିକ୍ଷାଗୁଡ଼ିକ ବ୍ୟତୀତ ଆମକୁ କିଛି ଆହୁରି ବି ଜାଣିବାକୁ ପଡ଼ିବ ।
୧୩. “ଗୁରୁପାକ ଖାଦ୍ୟ” ନେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ଏବ୍ରୀ ୫:୧୪) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ଆମ ପାଇଁ କେବଳ ପ୍ରାଥମିକ ଶିକ୍ଷାଗୁଡ଼ିକୁ ଜାଣିବା ଯଥେଷ୍ଟ ନୁହେଁ, ବରଂ “ଗୁରୁପାକ ଖାଦ୍ୟ” ନେବା ବି ଜରୁରୀ । ତାʼଅର୍ଥ ଆମକୁ ଯିହୋବାଙ୍କ ନିୟମଗୁଡ଼ିକ ଛଡ଼ା ତାଙ୍କ ସିଦ୍ଧାନ୍ତଗୁଡ଼ିକୁ ମଧ୍ୟ ବୁଝିବା ଦରକାର । ଏପରି କରିବା ଦ୍ୱାରା ଆମେ ଯିହୋବାଙ୍କ ଦୃଷ୍ଟିକୋଣକୁ ଭଲଭାବେ ଜାଣିପାରିବା । “ଗୁରୁପାକ ଖାଦ୍ୟ” ନେବା ପାଇଁ ଆମକୁ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବାକୁ ପଡ଼ିବ, ତାʼର ଗଭୀର ଭାବେ ଚିନ୍ତନ କରିବାକୁ ପଡ଼ିବ ଏବଂ ଆମେ ଯେଉଁ କଥାଗୁଡ଼ିକୁ ଶିଖୁ ସେଗୁଡ଼ିକୁ ମାନିବା ପାଇଁ ପୂରା ଚେଷ୍ଟା କରିବାକୁ ପଡ଼ିବ । ଏପରି କରିବା ଦ୍ୱାରା ଆମେ ସଠିକ୍ ନିଷ୍ପତ୍ତି ନେବା ଶିଖିପାରିବା ଏବଂ ଯିହୋବାଙ୍କ ହୃଦୟ ଖୁସି କରିପାରିବା । c—ଏବ୍ରୀ ୫:୧୪ ପଢ଼ନ୍ତୁ ।
୧୪. ପାଉଲ କରିନ୍ଥର ଭାଇଭଉଣୀମାନଙ୍କୁ ପ୍ରୌଢ଼ ହେବା କିପରି ଶିଖାଇଲେ ?
୧୪ ବାଇବଲରେ ପ୍ରତ୍ୟେକ ମାମଲାକୁ ନେଇ କୌଣସି ନିୟମ ଦିଆଯାଇ ନାହିଁ, ବରଂ ଏପରି କ୍ଷେତ୍ରରେ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବାକୁ ପଡ଼େ । ଯଦି ଜଣେ ଖ୍ରୀଷ୍ଟିୟାନ ପ୍ରୌଢ଼ ନୁହେଁ, ତେବେ ତାକୁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବା କଠିନ ଲାଗେ । କେତେ ଜଣ ତାହା ହିଁ କରନ୍ତି ଯାହା ସେମାନଙ୍କୁ ଠିକ୍ ଲାଗେ । କିନ୍ତୁ ଆଉ କେତେକଙ୍କୁ ଲାଗେ ଯେ ଏବିଷୟରେ କୌଣସି ନିୟମ ହେବା ଉଚିତ୍ । ପ୍ରାଚୀନ ସମୟରେ କରିନ୍ଥୀୟ ମଣ୍ଡଳୀର କିଛି ଖ୍ରୀଷ୍ଟିୟାନମାନଙ୍କ ଚିନ୍ତାଧାରା ବି ଏପରି ହିଁ ଥିଲା । ସେମାନଙ୍କ ମନରେ ପ୍ରଶ୍ନ ଆସିଲା ଯେ କʼଣ ସେମାନେ ଦେବପ୍ରସାଦ ଖାଇପାରିବେ । ସେମାନେ ଏହି ପ୍ରଶ୍ନ ପାଉଲଙ୍କୁ ପଚାରିଲେ, ସେମାନେ ଏଥିପାଇଁ ଏହି ପ୍ରଶ୍ନ ପଚାରିଲେ କାରଣ ସେମାନେ ଚାହୁଁଥିଲେ ଯେ ପାଉଲ ଏମାମଲାରେ କୌଣସି ନିୟମ ତିଆରି କରନ୍ତୁ । କିନ୍ତୁ ପାଉଲ ଏପରି କିଛି କଲେନି । ତାʼ ପରିବର୍ତ୍ତେ ପାଉଲ ସେମାନଙ୍କୁ କହିଲେ ଯେ ଏହି ମାମଲାରେ ନିଷ୍ପତ୍ତି ନେବା ତାଙ୍କ ବିବେକ ଉପରେ ଛଡ଼ାଯାଇଛି । ଆଉ ସମସ୍ତଙ୍କୁ ନିଜ ନିଷ୍ପତ୍ତି ନିଜେ ନେବାର “ଅଧିକାର” ଅଛି । ପାଉଲ ସେମାନଙ୍କୁ କିଛି ସିଦ୍ଧାନ୍ତ ବିଷୟରେ କହିଲେ, ଯାହା ସାହାଯ୍ୟରେ ସେମାନେ ଏପରି ନିଷ୍ପତ୍ତି ନେଇପାରନ୍ତେ ଯାହା ସେମାନଙ୍କ ବିବେକକୁ ଦୋଷୀ ଅନୁଭବ କରାନ୍ତା ନାହିଁ ଏବଂ ସେମାନେ ଅନ୍ୟମାନଙ୍କ ଝୁଣ୍ଟିବାର କାରଣ ବି ହୋଇ ନ ଥାʼନ୍ତେ । (୧ କରି. ୮:୪, ୭-୯) ପାଉଲ ସେମାନଙ୍କୁ ଏହା ବି ବୁଝାଇଲେ ଯେ କୌଣସି ମାମଲାରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର ହେବା ଦରକାର ନାହିଁ ଓ କୌଣସି ନିୟମ ବି ଖୋଜିବା ଦରକାର ନାହିଁ । ତାʼ ପରିବର୍ତ୍ତେ ସେମାନଙ୍କୁ ନିଜ ଭାବିବାର ଶକ୍ତିର ବ୍ୟବହାର କରି ସଠିକ୍ ନିଷ୍ପତ୍ତି ନେବା ଉଚିତ୍ । ଏପରି କରି ପାଉଲ ସେମାନଙ୍କୁ ପ୍ରୌଢ଼ ଖ୍ରୀଷ୍ଟିୟାନ ହେବା ପାଇଁ ଶିଖାଉ ଥିଲେ ।
୧୫. ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ପ୍ରୌଢ଼ ହେବା ପାଇଁ କିପରି ସାହାଯ୍ୟ କଲେ ?
୧୫ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ଯାହା ଲେଖିଲେ, ସେଥିରୁ ଆମେ ଗୋଟିଏ ଜରୁରୀ କଥା ଶିଖୁ । କିଛି ଏବ୍ରୀ ଖ୍ରୀଷ୍ଟିୟାନମାନେ ପ୍ରୌଢ଼ ହେବା ପାଇଁ ପରିଶ୍ରମ କଲେ ନାହିଁ । ତେଣୁ ସେମାନଙ୍କୁ ଯେପରି ‘ଗୁରୁପାକ ଖାଦ୍ୟର’ ନୁହେଁ, ବରଂ ପୁଣିଥରେ‘ଦୁଗ୍ଧର’ ଆବଶ୍ୟକ ପଡ଼ିଲା । (ଏବ୍ରୀ ୫:୧୨) ଏପରି କାହିଁକି ? କାରଣ ଯିହୋବା ସେମାନଙ୍କୁ ମଣ୍ଡଳୀ ଜରିଆରେ ଯେଉଁ କଥାଗୁଡ଼ିକୁ ଶିଖାଉଥିଲେ, ସେମାନେ ତାʼ ଉପରେ କୌଣସି ଧ୍ୟାନ ଦେଲେ ନାହିଁ । (ହିତୋ. ୪:୧୮) ଯେପରି, କିଛି ଯିହୁଦୀ ଖ୍ରୀଷ୍ଟିୟାନମାନେ ଏବେ ବି ମୋଶାଙ୍କ ନିୟମ ମାନିବା ପାଇଁ ଜୋର୍ ଦେଉଥିଲେ, କିନ୍ତୁ ଦେଖିବାକୁ ଗଲେ ମୋଶାଙ୍କ ନିୟମ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ରଦ୍ଦ ହୋଇ ସାରିଥିଲା ଆଉ ଏହି କଥାକୁ ୩୦ ବର୍ଷ ବିତି ଯାଇଥିଲା । (ରୋମୀ. ୧୦:୪; ତୀତ. ୧:୧୦) ତଥାପି ସେମାନେ ବୁଝିପାରିଲେ ନାହିଁ ଯେ ମୋଶାଙ୍କ ନିୟମ ମାନିବା ଜରୁରୀ ନୁହେଁ । ତେଣୁ ପାଉଲ ସେମାନଙ୍କୁ ଗୁରୁପାକ ଖାଦ୍ୟ ଦେଲେ ଅର୍ଥାତ୍ କିଛି ଗଭୀର କଥା ବିଷୟରେ କହିଲେ । ସେ ନିଜ ଚିଠିରେ ସେମାନଙ୍କୁ ବୁଝାଇଲେ ଯେ ଯିହୋବା ଯୀଶୁଙ୍କ ବଳିଦାନ ଆଧାରରେ ଉପାସନା କରିବାର ଯେଉଁ ନୂଆ ବ୍ୟବସ୍ଥା ଆରମ୍ଭ କଲେ, ତାହା ସବୁଠୁ ଉତ୍ତମ ଅଟେ । ପାଉଲଙ୍କ ଏହି କଥାରୁ ଖ୍ରୀଷ୍ଟିୟାନମାନଙ୍କର ନିଶ୍ଚୟ ଉତ୍ସାହ ବଢ଼ିଥିବ । ତେଣୁ ସେମାନେ ଯିହୁଦୀମାନଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ପ୍ରଚାର କରିବା ଜାରି ରଖିଲେ ।—ଏବ୍ରୀ ୧୦:୧୯-୨୩.
ପ୍ରୌଢ଼ ହୋଇ ରହିବା ପାଇଁ କାହିଁକି ପରିଶ୍ରମ କରିବା ଜରୁରୀ ?
୧୬. ପ୍ରୌଢ଼ ହେବା ପରେ ମଧ୍ୟ ଆମକୁ ଲଗାତାର କʼଣ କରିବା ଉଚିତ୍ ?
୧୬ ଏହା ସତ ଯେ ଆମକୁ ପ୍ରୌଢ଼ ହେବା ପାଇଁ ପରିଶ୍ରମ କରିବାର ଅଛି, କିନ୍ତୁ ପ୍ରୌଢ଼ ହୋଇ ରହିବା ପାଇଁ ଆମକୁ ଲଗାତାର ଚେଷ୍ଟା କରିବାକୁ ପଡ଼ିବ । ଆମକୁ ଏପରି ଭାବିବା ଉଚିତ୍ ନୁହେଁ, ‘ଯିହୋବାଙ୍କ ସହିତ ମୋ ସମ୍ପର୍କ ଦୃଢ଼ ଅଛି, ମୋତେ ପରିଶ୍ରମ କରିବାର ଦରକାର ନାହିଁ ।’ (୧ କରି. ୧୦:୧୨) ଏପରି ଭାବିବା ପରିବର୍ତ୍ତେ ଆମକୁ ଲଗାତାର “ଆପଣା ଆପଣାକୁ ପରୀକ୍ଷା” କରିବାର ଅଛି ଏବଂ ଯିହୋବାଙ୍କ ସହିତ ନିଜର ସମ୍ପର୍କକୁ ଦୃଢ଼ କରିବାର ଅଛି ।—୨ କରି. ୧୩:୫.
୧୭. ପାଉଲଙ୍କ ଚିଠିରୁ କିପରି ଜଣାପଡ଼େ ଯେ ଆମ ପାଇଁ ପ୍ରୌଢ଼ ହୋଇ ରହିବା ଜରୁରୀ ଅଟେ ?
୧୭ ପାଉଲ କଲସୀର ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ଚିଠି ଲେଖିଲେ, ସେଥିରେ ସେ ପୁଣିଥରେ ପ୍ରୌଢ଼ ହେବା ବିଷୟରେ କହିଲେ । ଦେଖିବାକୁ ଗଲେ ସେଠାର ଭାଇଭଉଣୀମାନେ ପ୍ରୌଢ଼ ଥିଲେ, ତଥାପି ପାଉଲ ସେମାନଙ୍କୁ ଦୁନିଆର ଦୃଷ୍ଟିକୋଣ ନ ଆପଣାଇବା ପାଇଁ ସତର୍କ କଲେ । (କଲ. ୨:୬-୧୦) ପାଉଲ ନିଜ ଚିଠିରେ ଏପାଫ୍ରାଙ୍କ ବିଷୟରେ ବି କହିଲେ ଯିଏ ହୁଏତ କଲସୀୟ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଭଲଭାବେ ଜାଣିଥିଲେ । ସେ ଲେଖିଲେ ଯେ ଏପାଫ୍ରା ସେମାନଙ୍କ ପାଇଁ ଲଗାତାର ପ୍ରାର୍ଥନା କରୁଥିଲେ ଯେ ସେମାନେ “ଅଟଳ ହୋଇ” ରହନ୍ତୁ ଅର୍ଥାତ୍ ପ୍ରୌଢ଼ ହୋଇ ରହନ୍ତୁ । (କଲ. ୪:୧୨) ଆମେ ପାଉଲ ଓ ଏପାଫ୍ରାଙ୍କଠାରୁ କʼଣ ଶିଖୁ ? ଆମେ ଶିଖୁ ଯେ ପ୍ରୌଢ଼ ହେବା ପାଇଁ ଆମକୁ ଈଶ୍ୱରଙ୍କ ସାହାଯ୍ୟ ଦରକାର । କିନ୍ତୁ ତାʼ ସହିତ ଆମକୁ ନିଜେ ବି ପରିଶ୍ରମ କରିବାକୁ ପଡ଼ିବ । ପାଉଲ ଏବଂ ଏପାଫ୍ରା ବି ଏକଥାକୁ ଭଲଭାବେ ଜାଣିଥିଲେ, ତେଣୁ ସେମାନେ ଚାହୁଁଥିଲେ ଯେ କଲସୀରେ ଥିବା ଭାଇଭଉଣୀମାନେ ସମସ୍ୟା ସତ୍ତ୍ୱେ ବି ପ୍ରୌଢ଼ ହୋଇ ରହିବା ପାଇଁ ଲଗାତାର ପରିଶ୍ରମ କରନ୍ତୁ ।
୧୮. ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ସହ ବି କʼଣ ହୋଇପାରେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୮ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ଯଦି ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ସତର୍କ ନ ରହେ, ତେବେ ସେ ସବୁଦିନ ପାଇଁ ଈଶ୍ୱରଙ୍କ ମଞ୍ଜୁରି ହରାଇ ଦେବ । ସେ କହିଲେ ଯେ ଜଣେ ଖ୍ରୀଷ୍ଟିୟାନର ହୃଦୟ ଏତେ କଠୋର ହୋଇପାରେ ଯେ ସେ କେବେ ବି ଅନୁତାପ କରିବନି ଏବଂ ଈଶ୍ୱରଙ୍କୁ କ୍ଷମା ବି ମାଗିବନି । ଭଲ କଥା ଏହା ଯେ ଏବ୍ରୀ ଖ୍ରୀଷ୍ଟିୟାନମାନେ ଏପରି ନ ଥିଲେ । (ଏବ୍ରୀ ୬:୪-୯) କିନ୍ତୁ ସେହି ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କʼଣ, ଯେଉଁମାନେ ନିଷ୍କ୍ରିୟ ହୋଇ ଯାଇଛନ୍ତି କିମ୍ବା ଯେଉଁମାନଙ୍କୁ ବହିଷ୍କାର କରି ଦିଆଯାଇଛି ? ଯଦି ସେମାନେ ହୃଦୟରୁ ଅନୁତାପ କରିବେ, ତେବେ ସେମାନେ ସେହି ଲୋକମାନଙ୍କ ଭଳି ହେବେନି, ଯେଉଁମାନେ ଈଶ୍ୱରଙ୍କ ମଞ୍ଜୁରି ସବୁଦିନ ପାଇଁ ହରାଇ ଦେଇଛନ୍ତି ଏବଂ ଯେଉଁମାନଙ୍କ ବିଷୟରେ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିଲେ । କିନ୍ତୁ ଯେବେ ସେମାନେ ଯିହୋବାଙ୍କ ପାଖକୁ ଫେରି ଆସିବେ, ତେବେ ସେମାନଙ୍କୁ ସାହାଯ୍ୟର ଦରକାର ପଡ଼ିବ । (ଯିହି. ୩୪:୧୫, ୧୬) ତେଣୁ ହୋଇପାରେ ପ୍ରାଚୀନମାନେ ଏପରି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁଭବୀ ଭାଇଭଉଣୀମାନଙ୍କୁ କହିପାରିବେ, ଯାହାଦ୍ୱାରା ସେମାନଙ୍କ ସାହାଯ୍ୟରୁ ସେହି ଲୋକମାନେ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରିପାରିବେ ।
୧୯. ଆପଣ କʼଣ ଲକ୍ଷ୍ୟ ରଖିପାରିବେ ?
୧୯ ଯଦି ଆପଣ ପ୍ରୌଢ଼ ହୋଇ ରହିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଭରସା ରଖନ୍ତୁ ଯେ ଆପଣ ନିଜର ଏହି ଲକ୍ଷ୍ୟ ହାସଲ କରିପାରିବେ ! ଲଗାତାର ଗୁରୁପାକ ଖାଦ୍ୟ ନିଅନ୍ତୁ ଏବଂ ପ୍ରତ୍ୟେକ ମାମଲାରେ ଯିହୋବାଙ୍କ ଭଳି ଭାବିବା ପାଇଁ ଚେଷ୍ଟା କରନ୍ତୁ । ଆଉ ଯଦି ଆପଣ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ଅଟନ୍ତି, ତେବେ ପରିଶ୍ରମ କରିବା ଜାରି ରଖନ୍ତୁ ଯାହାଫଳରେ ଆପଣ ସବୁବେଳେ ଅଟଳ ରହିପାରିବେ ।
ଆପଣ କ’ଣ ଉତ୍ତର ଦେବେ ?
-
ପ୍ରୌଢ଼ ହେବାର ଅର୍ଥ କʼଣ ?
-
ଆମେ ପ୍ରୌଢ଼ କିପରି ହୋଇପାରିବା ?
-
ପ୍ରୌଢ଼ ହୋଇ ରହିବା ପାଇଁ ଆମକୁ କାହିଁକି ପରିଶ୍ରମ କରିବା ଉଚିତ୍ ?
ଗୀତ ୬୫ ଆଗେ ବାଢ଼ !
a ଦେଖିବାକୁ ଗଲେ ଏବ୍ରୀ ଶାସ୍ତ୍ରରେ କୌଣସି ବି ଜାଗାରେ “ପ୍ରୌଢ଼” ଶବ୍ଦ ଦିଆଯାଇ ନାହିଁ, କିନ୍ତୁ ଏଥିରେ ଆମକୁ ପ୍ରୌଢ଼ ହେବା ପାଇଁ ପ୍ରୋତ୍ସାହନ ଦିଆଯାଇଛି । ଯେପରି ହିତୋପଦେଶ ବହିରେ କୁହାଯାଇଛି ଯେ ଆମକୁ ସରଳ ବା ନିର୍ବୋଧ ଲୋକଙ୍କ ଭଳି ହେବା ଉଚିତ୍ ନୁହେଁ, ବରଂ ବୁଦ୍ଧିମାନ ଓ ପ୍ରୌଢ଼ ହେବା ଉଚିତ୍ ।—ହିତୋ. ୧:୪, ୫.
b jw.org ଏବଂ JW ଲାଇବ୍ରେରୀ ଆପ୍ରେ “ଆଉ କିଛି ବିଷୟ” ସିରିଜ୍ରେ ଦିଆଯାଇଥିବା ଲେଖା “ଜାରା ସମ୍ଭାଲ କାର୍, କାହିଁ ୟେ ଆଫ୍ୱାହେଁ ତୋ ନାହିଁ?” ପଢ଼ନ୍ତୁ ।
c ଏହି ସଂଖ୍ୟାରେ “ଅଧ୍ୟୟନ କରିବା ପାଇଁ ବିଷୟ” ନାମକ ଯେଉଁ ଛୋଟ ଲେଖା ଦିଆଯାଇଛି, ତାହାକୁ ଦେଖନ୍ତୁ ।
d ଚିତ୍ର ବିଷୟରେ: ଜଣେ ଭାଇ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ଭାବୁଛନ୍ତି ଯେ ସେ ଟିଭିରେ କʼଣ ଦେଖିବେ ।