इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କʼଣ ଆପଣ ଜାଣନ୍ତି ?

କʼଣ ଆପଣ ଜାଣନ୍ତି ?

ରାଜା ଦାଉଦ ନିଜ ସୈନ୍ୟମାନଙ୍କ ମଧ୍ୟରେ ବିଦେଶୀ ସୈନ୍ୟମାନଙ୍କୁ କାହିଁକି ସାମିଲ୍‌ କଲେ ?

ରାଜା ଦାଉଦଙ୍କ ସୈନ୍ୟମାନଙ୍କ ମଧ୍ୟରେ ଅନ୍ୟ ଜାତିଗୁଡ଼ିକର ଯୋଦ୍ଧାମାନେ ବି ଥିଲେ, ଯେପରି ଅମ୍ମୋନୀୟ ସେଲକ୍‌, ହିତ୍ତୀୟ, ଊରୀୟ ଏବଂ ମୋୟାବୀୟ ଯିତ୍‌ମା । a (୧ ବଂଶା. ୧୧:୩୯, ୪୧, ୪୬) ତାଙ୍କ ସୈନ୍ୟମାନଙ୍କ ମଧ୍ୟରେ “କରେଥୀୟ ଓ ପଲେଥୀୟ ଓ ଗାଥୀୟ ଲୋକ” ବି ଥିଲେ । (୨ ଶାମୁ. ୧୫:୧୮) ଗାଥ୍‌ର ଲୋକମାନେ ବି ପଲେଷ୍ଟୀୟ ଥିଲେ । (ଯିହୋ. ୧୩:୨, ୩; ୧ ଶାମୁ. ୬:୧୭, ୧୮) ତାʼ ସହିତ କରେଥୀୟ ଓ ପଲେଥୀୟ ଲୋକମାନଙ୍କ ବି ପଲେଷ୍ଟୀୟମାନଙ୍କ ସହ ଗଭୀର ସମ୍ପର୍କ ଥିଲା ।—ଯିହି. ୨୫:୧୬.

ଦାଉଦ ନିଜ ସୈନ୍ୟମାନଙ୍କ ମଧ୍ୟରେ ଏହି ବିଦେଶୀମାନଙ୍କୁ କାହିଁକି ସାମିଲ୍‌ କରିଥିଲେ ? କାରଣ ସେମାନେ ଦାଉଦଙ୍କର ତ ବିଶ୍ୱସ୍ତ ଥିଲେ ହିଁ, କିନ୍ତୁ ତାʼଠୁ ବେଶୀ ସେମାନେ ଯିହୋବାଙ୍କର ବିଶ୍ୱସ୍ତ ଥିଲେ । କରେଥୀୟ ଓ ପଲେଥୀୟ ଲୋକମାନଙ୍କ ବିଷୟରେ ବାଇବଲର ଗୋଟିଏ ଶବ୍ଦକୋଷରେ ଏପରି ଲେଖାଅଛି, “ଦାଉଦଙ୍କର ରାଜ୍ୟର ସବୁଠୁ କଠିନ ସମୟରେ ଏହି ଲୋକମାନେ ତାଙ୍କୁ ପୂରାପୂରି ସହଯୋଗ କଲେ” (ଦ ନ୍ୟୁ ଇଣ୍ଟରପ୍ରିଟର୍ସ ଡିକ୍ସନାରୀ ଅଫ୍‌ ଦ ବାଇବଲ୍‌) । ସେମାନେ ଦାଉଦଙ୍କର ବିଶ୍ୱସ୍ତ ଅଟନ୍ତି, ଏହା ସେମାନେ କିପରି ଦେଖାଇଲେ ? ଥରେ “ଶେବଃ ନାମରେ ଜଣେ ପାପାଧମ ଲୋକ” ଦାଉଦଙ୍କର ବିରୁଦ୍ଧରେ ହୋଇଗଲା । ସେସମୟରେ “ଇସ୍ରାଏଲ-ଲୋକ” ଦାଉଦଙ୍କୁ ଛାଡ଼ି ଶେବଃ ଆଡ଼କୁ ହୋଇଗଲେ । କିନ୍ତୁ କରେଥୀୟ ଓ ପଲେଥୀୟମାନେ ଦାଉଦଙ୍କୁ ସହଯୋଗ କରିବା ଛାଡ଼ିଲେନି ଓ ସେମାନେ ଶେବଃର ଷଡ଼ଯନ୍ତ୍ରକୁ ବିଫଳ କରିବା ପାଇଁ ଦାଉଦଙ୍କ ସାହାଯ୍ୟ କଲେ । (୨ ଶାମୁ. ୨୦:୧, ୨,) ଥରେ ରାଜା ଦାଉଦଙ୍କ ପୁତ୍ର ଅଦୋନୀୟ ରାଜଗାଦି ହଡ଼ପ କରିବା ପାଇଁ ଚେଷ୍ଟା କଲା । ସେସମୟରେ କରେଥୀୟ ଓ ପଲେଥୀୟମାନେ ଶଲୋମନଙ୍କୁ ରାଜା କରିବା ପାଇଁ ଦାଉଦଙ୍କ ସାହାଯ୍ୟ କଲେ, ଯାହାଙ୍କୁ ଯିହୋବା ପରବର୍ତ୍ତୀ ରାଜା ହେବା ପାଇଁ ବାଛିଥିଲେ । ଏପରି କରି ସେମାନେ ପୁଣିଥରେ ନିଜର ବିଶ୍ୱସ୍ତତାର ପ୍ରମାଣ ଦେଲେ ।—୧ ରାଜା. ୧:୨୪-୨୭, ୩୮, ୩୯.

ଗାଥ୍‌ରେ ରହୁଥିବା ଇତ୍ତୟ ନାମକ ଜଣେ ବ୍ୟକ୍ତି ଯିଏ ବିଦେଶୀ ଥିଲେ, ସେ ଦାଉଦଙ୍କ ବହୁତ ବିଶ୍ୱସ୍ତ ଥିଲେ । ଥରେ ଦାଉଦଙ୍କ ପୁତ୍ର ଅବଶାଲୋମ ତାଙ୍କ ସହ ବିଦ୍ରୋହ କଲା ଓ ଇସ୍ରାଏଲ ଲୋକମାନଙ୍କୁ ନିଜ ଆଡ଼କୁ କରିନେଲା । ସେସମୟରେ ଇତ୍ତୟ ଓ ତାଙ୍କ ୬୦୦ ଯୋଦ୍ଧା ଦାଉଦଙ୍କ ସହଯୋଗ କଲେ ଓ ତାଙ୍କ ତରଫରୁ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଗଲେ । କିନ୍ତୁ ଦାଉଦ ଇତ୍ତୟଙ୍କୁ କହିଲେ ଯେ ସେ ଜଣେ ବିଦେଶୀ ଅଟନ୍ତି ଓ ତାଙ୍କୁ ଦାଉଦଙ୍କ ତରଫରୁ ଲଢ଼ିବା ଦରକାର ନାହିଁ, କିନ୍ତୁ ଇତ୍ତୟ ଦାଉଦଙ୍କର ଜମା ବି ଶୁଣିଲେ ନାହିଁ । ସେ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜ ଜୀବିତ ଥିବା ପ୍ରମାଣେ, ଜୀବନ ପାଇଁ ହେଉ ବା ମରଣ ପାଇଁ ହେଉ, ଅବଶ୍ୟ ମୋହର ପ୍ରଭୁ ମହାରାଜ ଯେଉଁଠାରେ ରହିବେ, ସେଠାରେ ମଧ୍ୟ ଆପଣଙ୍କ ଦାସ ରହିବ ।”—୨ ଶାମୁ. ୧୫:୬, ୧୮-୨୧.

ଯିହୋବା ଦାଉଦଙ୍କୁ ରାଜା ବାଛିଥିଲେ ଆଉ ଇତ୍ତୟ ଦାଉଦଙ୍କର ବିଶ୍ୱସ୍ତ ଥିଲେ

ଦେଖିବାକୁ ଗଲେ କରେଥୀୟ, ପଲେଥୀୟ ଓ ଗାଥୀୟ ଲୋକମାନେ ବିଦେଶୀ ଥିଲେ, କିନ୍ତୁ ସେମାନେ ଏହା ବିଶ୍ୱାସ କରୁଥିଲେ ଯେ ଯିହୋବା ହିଁ ସତ୍ୟ ଈଶ୍ୱର ଅଟନ୍ତି ଓ ଦାଉଦ ଈଶ୍ୱରଙ୍କ ତରଫରୁ ବଛା ଯାଇଥିବା ରାଜା ଅଟନ୍ତି । ଏହି ବିଶ୍ୱସ୍ତ ଲୋକମାନେ ଦାଉଦଙ୍କୁ ପୂରା ସହଯୋଗ କଲେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦାଉଦ ସେମାନଙ୍କୁ ଦେଖି ବହୁତ ଖୁସି ହେଉଥିବେ !

a ଦ୍ୱିତୀୟ ବିବରଣ ୨୩:୩-୬ ପଦରେ ଯିହୋବାଙ୍କ ଯେଉଁ ନିୟମ ଦିଆଯାଇଛି, ତାʼ ଅନୁସାରେ ଅମ୍ମୋନୀୟ ଓ ମୋୟାବୀୟ ଲୋକମାନେ ବ୍ୟବସ୍ଥା ଅନୁସାରେ ଇସ୍ରାଏଲ ମଣ୍ଡଳୀର ସଦସ୍ୟ ହୋଇପାରନ୍ତେ ନାହିଁ । କିନ୍ତୁ ଏହି ବିଦେଶୀମାନଙ୍କୁ ଈଶ୍ୱରଙ୍କ ଲୋକମାନଙ୍କ ସହ ମିଳାମିଶା କରିବା କିମ୍ବା ସେମାନଙ୍କ ମଧ୍ୟରେ ରହିବାର ଅନୁମତି ଥିଲା । ଇନସାଇଟ୍‌ ଓନ ଦା ସ୍କ୍ରିପଚରସ୍‌, ଭାଗ ୧, ପୃଷ୍ଠା ୯୫ ପଢ଼ନ୍ତୁ ।