इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪

ସ୍ମାରକ ପାଳନ କରିବାର ଆପଣଙ୍କ ଚେଷ୍ଟା ଉପରେ ଯିହୋବା ଆଶିଷ ଦେବେ !

ସ୍ମାରକ ପାଳନ କରିବାର ଆପଣଙ୍କ ଚେଷ୍ଟା ଉପରେ ଯିହୋବା ଆଶିଷ ଦେବେ !

“ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।”—ଲୂକ ୨୨:୧୯.

ଗୀତ ୧୯ ପ୍ରଭୁ କା ସନ୍ଧ୍ୟା ଭୋଜ

ଲେଖାର ଝଲକ a

୧-୨. ଆମେ ପ୍ରତି ବର୍ଷ ସ୍ମାରକରେ କାହିଁକି ଉପସ୍ଥିତ ହେଉ ?

 ପ୍ରାୟ ୨୦୦୦ ବର୍ଷ ପୂର୍ବେ ଯୀଶୁ ଆମ ପାଇଁ ନିଜ ଜୀବନ ଦେଲେ । ଯୀଶୁଙ୍କ ଏହି ବଳିଦାନ ଯୋଗୁଁ ଆମକୁ ସବୁଦିନ ଯାଏ ବଞ୍ଚିବାର ଆଶା ମିଳିଛି । ନିଜ ମୃତ୍ୟୁର ପୂର୍ବ ରାତିରେ ସେ ନିଜ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ ତାଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ଗୋଟିଏ ସମାରୋହ ପାଳନ କରିବେ, ଯେଉଁଥିରେ ସେମାନେ ରୋଟୀ ଓ ଦ୍ରାକ୍ଷାରସ ନେବେ ।—୧ କରି. ୧୧:୨୩-୨୬.

ଆମେ ମଧ୍ୟ ଯୀଶୁଙ୍କ ଏହି ଆଜ୍ଞା ପାଳନ କରୁ, କାରଣ ଆମେ ତାଙ୍କୁ ବହୁତ ପ୍ରେମ କରୁ । (ଯୋହ. ୧୪:୧୫) ପ୍ରତ୍ୟେକ ବର୍ଷ ସ୍ମାରକର ଆଖପାଖ ମାସଗୁଡ଼ିକରେ, ଆମେ ଏବିଷୟରେ ଚିନ୍ତନ କରୁ ଯେ ଯୀଶୁଙ୍କ ବଳିଦାନ ଯୋଗୁଁ ଆମକୁ କେତେ ଆଶିଷ ମିଳେ । ଆମେ ପ୍ରାର୍ଥନା କରି ଯୀଶୁଙ୍କ ଏହି ବଳିଦାନ ପାଇଁ ଯିହୋବାଙ୍କୁ ଧନ୍ୟବାଦ ମଧ୍ୟ ଦେଉ । ଏଥିରୁ ଜଣାପଡ଼େ ଯେ ଆମେ ଏହି ବଳିଦାନ ପାଇଁ କେତେ କୃତଜ୍ଞ ଅଟୁ । ଆମେ ଆହୁରି ଉତ୍ସାହର ସହ ପ୍ରଚାର କରୁ ଓ ଅଧିକରୁ ଅଧିକ ଲୋକମାନଙ୍କୁ ଏହି ସ୍ମାରକ ସଭାରେ ଡାକିଥାଉ । ଆଉ ଆମେ ନିଜେ ମଧ୍ୟ ଏହି ବିଶେଷ ସଭାରେ ଆସିବା ପାଇଁ ପୂରା ଚେଷ୍ଟା କରୁ ଓ ଆମକୁ କୌଣସି ବି କଥା ଏହି ସଭାରେ ଉପସ୍ଥିତ ହେବା ପାଇଁ ବାଧା ନ ଦେଉ, ତାʼର ବି ଆମେ ଧ୍ୟାନ ରଖିଥାଉ ।

୩. ଏହି ଲେଖାରେ ଆମେ କʼଣ ଜାଣିବା ?

ଯିହୋବାଙ୍କ ଲୋକମାନଙ୍କ ପାଇଁ ସ୍ମାରକ ପାଳନ କରିବା ବହୁତ ମହତ୍ତ୍ୱ ରଖେ । ଏହି ଲେଖାରେ ଆମେ ତିନୋଟି ବିଶେଷ କଥା ଉପରେ ଧ୍ୟାନ ଦେବା ଯେଉଁଥିରୁ ଏହି କଥା ସ୍ପଷ୍ଟ ହୋଇଯାଏ । (୧) ସେମାନେ ସ୍ମାରକ ସେପରି ହିଁ ପାଳନ କରନ୍ତି ଯେପରି ଯୀଶୁ ଶିଖାଇଥିଲେ, (୨) ସେମାନେ ସ୍ମାରକରେ ଅନ୍ୟମାନଙ୍କୁ ମଧ୍ୟ ଉପସ୍ଥିତ ହେବା ପାଇଁ ଡାକନ୍ତି ଓ (୩) ସେମାନେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ସ୍ମାରକ ପାଳନ କରନ୍ତି ।

ଆମେ ସେହିପରି ସ୍ମାରକ ପାଳନ କରୁ, ଯେପରି ଯୀଶୁ ଶିଖାଇଥିଲେ

୪. (କ) ପ୍ରତି ବର୍ଷ ସ୍ମାରକର ଭାଷଣରେ ଆମକୁ କେଉଁ କଥା ଜଣାଇ ଦିଆଯାଏ ? (ଖ) ଆମେ କାହିଁକି ଏହି କଥାଗୁଡ଼ିକୁ ଛୋଟ ବୋଲି ଭାବିବା ଉଚିତ୍‌ ନୁହେଁ ? (ଲୂକ ୨୨:୧୯, ୨୦)

ପ୍ରତି ବର୍ଷ ସ୍ମାରକ ଦିନରେ ଆମେ ଗୋଟିଏ ଭାଷଣ ଶୁଣୁ ସେଥିରେ ଅନେକ କଥା କୁହାଯାଏ । ଯେପରି, ମଣିଷମାନଙ୍କୁ ମୁକ୍ତିର ମୂଲ୍ୟ କାହିଁକି ଦରକାର ଓ ଜଣେ ବ୍ୟକ୍ତିର ମୃତ୍ୟୁ ଯୋଗୁଁ କିପରି ଲକ୍ଷ ଲକ୍ଷ ଲୋକମାନଙ୍କୁ ସେମାନଙ୍କ ପାପରୁ କ୍ଷମା ମିଳିପାରେ । ଆମକୁ ଏହା ବି ମନେପକାଇ ଦିଆଯାଏ ଯେ ରୋଟୀ ଓ ଦ୍ରାକ୍ଷାରସ କାହାର ପ୍ରତୀକ ଅଟେ ଆଉ ଏହାକୁ କିଏ ଖାଇ ଓ ପିଇପାରିବ । (ଲୂକ ୨୨:୧୯, ୨୦ ପଢ଼ନ୍ତୁ ।) ଆମେ ସେହି ଆଶିଷଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେଉ ଯାହା ଆମକୁ ପାରଦୀଶରେ ମିଳିବ । (ଯିଶା. ୩୫:୫, ୬; ୬୫:୧୭, ୨୧-୨୩) ବାଇବଲର ଏହି ସତ୍ୟଗୁଡ଼ିକ ବହୁତ ବହୁମୂଲ୍ୟ ଅଟେ, ଆମକୁ ସେଗୁଡ଼ିକୁ ଛୋଟ କଥା ଭାବିବା ଉଚିତ୍‌ ନୁହେଁ । ଦୁନିଆର ଲକ୍ଷ ଲକ୍ଷ ଲୋକମାନେ ଏବିଷୟରେ ଜାଣି ନାହାନ୍ତି ଓ ସେମାନେ ଏହା ବି ଜାଣି ନାହାନ୍ତି ଯେ ଯୀଶୁଙ୍କ ବଳିଦାନ କେତେ ମହତ୍ତ୍ୱ ରଖେ । ଆଉ କିଛି ଲୋକମାନେ ଯୀଶୁଙ୍କ ମୃତ୍ୟୁ ଦିନକୁ ମନେ ତ ପକାନ୍ତି କିନ୍ତୁ ସେମାନେ ସେହିପରି ମନେପକାନ୍ତି ନାହିଁ ଯେପରି ଯୀଶୁ ଶିଖାଇଥିଲେ । ଆସନ୍ତୁ ଜାଣିବା ଏପରି କାହିଁକି ଅଟେ ।

୫. ପ୍ରେରିତମାନଙ୍କ ମୃତ୍ୟୁ ପରେ ଲୋକମାନେ ଯୀଶୁଙ୍କ ମୃତ୍ୟୁକୁ କିପରି ମନେ ପକାଇବାକୁ ଲାଗିଲେ ?

ପ୍ରେରିତମାନଙ୍କ ମୃତ୍ୟୁର କିଛି ସମୟ ପରେ ମିଥ୍ୟା ଖ୍ରୀଷ୍ଟିୟାନମାନେ ମଣ୍ଡଳୀରେ ପଶି ଆସିଲେ । (ମାଥି. ୧୩:୨୪-୨୭, ୩୭-୩୯) ସେମାନେ “ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ନିମନ୍ତେ ବିପରୀତ କଥାଗୁଡ଼ାକ” କହିଲେ । (ପ୍ରେରି. ୨୦:୨୯, ୩୦) ସେହି “ବିପରୀତ କଥାଗୁଡ଼ାକ” ମଧ୍ୟରୁ ଗୋଟେ କଥା ଏହା ଥିଲା ଯେ ଯୀଶୁଙ୍କୁ ବାରମ୍ବାର ବଳିଦାନ ଦେବାକୁ ପଡ଼ିବ ତେବେ ଯାଇ ଆମକୁ ନିଜ ପାପରୁ କ୍ଷମା ମିଳିପାରିବ, କିନ୍ତୁ ବାଇବଲରେ ଲେଖାଅଛି ‘ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର ଉତ୍ସର୍ଗୀକୃତ ହେଲେ ।’ (ଏବ୍ରୀ ୯:୨୭, ୨୮) ଆଜି ଅନେକ ଭଲ ଲୋକମାନେ ଏହି ମିଥ୍ୟା ଶିକ୍ଷା ଉପରେ ବିଶ୍ୱାସ କରନ୍ତି । ସେମାନେ “ପ୍ରଭୁଭୋଜ” ପାଇଁ ଅନେକଥର ଚର୍ଚ୍ଚ ଯାʼନ୍ତି ଓ କିଛି ଲୋକମାନେ ତ ପ୍ରତିଦିନ ଯାʼନ୍ତି । b କିଛି ଚର୍ଚ୍ଚର ଲୋକମାନେ ଏହାକୁ ବେଳେବେଳେ ପାଳନ କରନ୍ତି, କିନ୍ତୁ ସେ ମଧ୍ୟରୁ ଅଧିକାଂଶ ଲୋକମାନଙ୍କୁ ଏହା ଜଣାନାହିଁ ଯେ ଯୀଶୁ କାହିଁକି ଜୀବନ ଦେଇଥିଲେ । ଅନ୍ୟମାନେ କହନ୍ତି ଯେ ଯୀଶୁଙ୍କ ବଳିଦାନ ଯୋଗୁଁ ଆମକୁ ନିଜ ପାପରୁ କ୍ଷମା ମିଳିପାରିବ ନାହିଁ । ତେଣୁ ହୁଏତ ଅନେକ ଲୋକ ଭାବିପାରିବେ, ‘କʼଣ ଯୀଶୁଙ୍କ ବଳିଦାନ ଉପରେ ବିଶ୍ୱାସ କଲେ ମୋତେ ନିଜ ପାପରୁ କ୍ଷମା ମିଳିପାରିବ ?’ ଆସନ୍ତୁ ଜାଣିବା ଯେ ସତ୍ୟ ଖ୍ରୀଷ୍ଟିୟାନମାନେ ଅନ୍ୟମାନଙ୍କୁ କିପରି ବୁଝାଇଲେ ଯେ ଯୀଶୁ କାହିଁକି ମଲେ ଓ ଯୀଶୁଙ୍କ ମୃତ୍ୟୁର ଦିନକୁ ସ୍ମରଣ କରିବାର ଠିକ୍‌ ଉପାୟ କʼଣ ଅଟେ ।

୬. କିଛି ବାଇବଲ ବିଦ୍ୟାର୍ଥୀ ୧୮୭୨ ମସିହା ଆସୁ ଆସୁ କʼଣ ବୁଝିଗଲେ ?

ଚାର୍ଲସ୍‌ ଟେଜ୍‌ ରସେଲ୍‌ ଓ ଆଉ କିଛି ବାଇବଲ ବିଦ୍ୟାର୍ଥୀ ୧୮୭୦ ମସିହାରେ ବାଇବଲର ଗଭୀର ଭାବେ ଅଧ୍ୟୟନ କରିବାକୁ ଲାଗିଲେ । ସେମାନେ ଜାଣିବା ପାଇଁ ଚାହୁଁଥିଲେ ଯେ ଯୀଶୁ କାହିଁକି ନିଜ ଜୀବନ ଦେଲେ, ତାଙ୍କ ବଳିଦାନରୁ କʼଣ ସମ୍ଭବ ହୋଇପାରିଲା ଓ ତାଙ୍କ ମୃତ୍ୟୁକୁ କିପରି ମନେ କରାଯିବା ଉଚିତ୍‌ । ୧୮୭୨ ମସିହା ଆସୁ ଆସୁ ସେମାନେ ବୁଝିଗଲେ ଯେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଆଧାରରେ ସମସ୍ତ ମଣିଷମାନଙ୍କୁ ପାପରୁ କ୍ଷମା ମିଳିପାରିବ । ଏହି ତଥ୍ୟ ସେମାନେ କେବଳ ନିଜ ଯାଏ ହିଁ ରଖିଲେ ନାହିଁ । ସେମାନେ ଖବରକାଗଜ, ପତ୍ରିକା ଓ ବହିଗୁଡ଼ିକ ଜରିଆରେ ଲୋକମାନଙ୍କୁ ଏବିଷୟରେ କହିଲେ । ଆଉ କିଛି ସମୟ ପରେ ସେମାନେ କେବଳ ବର୍ଷରେ ଥରେ ଯୀଶୁଙ୍କ ମୃତ୍ୟୁକୁ ମନେପକାଇବା ପାଇଁ ଏକାଠି ହେବାକୁ ଲାଗିଲେ, ଠିକ୍‌ ଯେପରି ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ କରୁଥିଲେ ।

୭. ବାଇବଲ ବିଦ୍ୟାର୍ଥୀମାନେ ଯେଉଁ କଥାଗୁଡ଼ିକୁ ଖୋଜି ଥିଲେ, ସେଥିରୁ ଆଜି ଆମକୁ କʼଣ ଲାଭ ହେଉଛି ?

ଅନେକ ବାଇବଲ ବିଦ୍ୟାର୍ଥୀମାନେ ଯେଉଁ କଥାଗୁଡ଼ିକୁ ଖୋଜି ଥିଲେ, ସେଥିରୁ ଆଜି ଆମକୁ ବି ଲାଭ ହେଉଛି । ତାହା କିପରି ? ଯିହୋବାଙ୍କ ଆଶିଷରୁ ଆମେ ଜାଣିପାରିଛୁ ଯେ ଯୀଶୁ କାହିଁକି ନିଜ ଜୀବନ ଦେଲେ ଓ ଯୀଶୁଙ୍କ ବଳିଦାନ ଯୋଗୁଁ କʼଣ ସମ୍ଭବ ହୋଇପାରିଛି । (୧ ଯୋହ. ୨:୧, ୨) ବାଇବଲରୁ ଆମେ ଏହା ବି ଜାଣିଲୁ ଯେ ଯେଉଁ ଲୋକମାନେ ଯିହୋବାଙ୍କ ବିଶ୍ୱସ୍ତ ରହିବେ, ସେ ମଧ୍ୟରୁ କିଛି ଲୋକମାନଙ୍କୁ ସ୍ୱର୍ଗରେ ଅମର ଜୀବନ ମିଳିବ ଓ ଅଧିକାଂଶ ଲୋକମାନେ ଏହି ପୃଥିବୀରେ ସବୁଦିନ ଯାଏ ବଞ୍ଚିପାରିବେ । ଯେବେ ଆମେ ଏବିଷୟରେ ଭାବୁ ଯେ ଯିହୋବା ଆମକୁ କେତେ ପ୍ରେମ କରନ୍ତି ଓ ଯୀଶୁଙ୍କ ବଳିଦାନରୁ ଆମକୁ କେତେ ଆଶିଷ ମିଳେ, ତେବେ ଆମେ ଯିହୋବାଙ୍କ ଆହୁରି ନିକଟତର ହୋଇପାରୁ । (୧ ପିତ. ୩:୧୮; ୧ ଯୋହ. ୪:୯) ତେଣୁ ଆମେ ପ୍ରାଚୀନ ସମୟର ବିଶ୍ୱସ୍ତ ଭାଇମାନଙ୍କ ଭଳି ଅନ୍ୟ ଲୋକମାନଙ୍କୁ ମଧ୍ୟ ସ୍ମାରକ ସଭାରେ ଉପସ୍ଥିତ ହେବା ପାଇଁ ଡାକୁ । ଆଉ ଆମେ ତାହାକୁ ସେହିପରି ଭାବରେ ପାଳନ କରୁ ଯେପରି ଯୀଶୁ ପାଳନ କରିଥିଲେ ।

ଆମେ ଅନ୍ୟମାନଙ୍କୁ ମଧ୍ୟ ସ୍ମାରକରେ ଡାକୁ

ସ୍ମାରକର ଅଭିଯାନରେ ଅଧିକରୁ ଅଧିକ ଭାଗ ନେବା ପାଇଁ ଆପଣ କʼଣ କରିପାରିବେ ? (ପାରାଗ୍ରାଫ ୮-୧୦) e

୮. ଯିହୋବାଙ୍କ ଲୋକମାନେ ଅନ୍ୟମାନଙ୍କୁ ସ୍ମାରକରେ ଡାକିବା ପାଇଁ କʼଣ କʼଣ କରିଛନ୍ତି ? (ଚିତ୍ର ଦେଖନ୍ତୁ ।)

ଅନେକ ବର୍ଷରୁ ଯିହୋବାଙ୍କ ଲୋକମାନେ ଅନ୍ୟ ଲୋକମାନଙ୍କୁ ସ୍ମାରକ ପାଇଁ ଡାକି ଆସୁଛନ୍ତି । ୧୮୮୧ ମସିହାରେ ଭାଇଭଉଣୀମାନଙ୍କୁ କୁହାଗଲା ଯେ ସେମାନେ ପେନସିଲ୍‌ୱେନିଆର ଆଲେଗେନି ସହରରେ ଜଣେ ଭାଇଙ୍କ ଘରେ ଏକାଠି ହୁଅନ୍ତୁ, ଯାହାଦ୍ୱାରା ସେମାନେ ସମସ୍ତେ ମିଶି ସ୍ମାରକ ପାଳନ କରିପାରିବେ । ତାʼପରେ ପ୍ରତ୍ୟେକ ମଣ୍ଡଳୀଗୁଡ଼ିକ ନିଜ ନିଜ ଅଞ୍ଚଳରେ ସ୍ମାରକ ପାଇଁ ଏକାଠି ହେବାକୁ ଲାଗିଲେ । ତାʼପରେ ମାର୍ଚ୍ଚ ୧୯୪୦ ମସିହାରେ ଭାଇଭଉଣୀମାନଙ୍କୁ କୁହାଗଲା ଯେ ସେମାନେ ଏହି ବିଶେଷ ସଭାରେ ସେହି ଲୋକମାନଙ୍କୁ ମଧ୍ୟ ଡାକିପାରିବେ ଯେଉଁମାନେ ଅଧିକ ଜାଣିବା ପାଇଁ ଚାହାନ୍ତି । ୧୯୬୦ ମସିହାରେ ପ୍ରଥମ ଥର ମଣ୍ଡଳୀଗୁଡ଼ିକୁ ବୈଥେଲରୁ ସ୍ମାରକର ନିମନ୍ତ୍ରଣ ମିଳିଲା ଯାହାଫଳରେ ସେମାନେ ଲୋକମାନଙ୍କୁ ତାହା ଦେଇପାରିବେ । ସେସମୟରୁ ଆଜି ଯାଏ ଆମେ ଲୋକମାନଙ୍କୁ ଡାକିବା ପାଇଁ ଲକ୍ଷ ଲକ୍ଷ ନିମନ୍ତ୍ରଣ ବାଣ୍ଟିଛୁ । କିନ୍ତୁ ଆମେ ଅନ୍ୟମାନଙ୍କୁ ଡାକିବା ପାଇଁ ଏତେ ପରିଶ୍ରମ କାହିଁକି କରୁ, କାହିଁକି ଏତେ ସମୟ ଦେଉ ?

୯-୧୦. ଆମେ କେଉଁ ଲୋକମାନଙ୍କୁ ସ୍ମାରକରେ ଡାକିଥାଉ ଓ ସେମାନଙ୍କୁ ଏଥିରୁ କିପରି ଲାଭ ହୁଏ ? (ଯୋହନ ୩:୧୬)

ଅନ୍ୟମାନଙ୍କୁ ସ୍ମାରକରେ ଡାକିବାର ଗୋଟିଏ କାରଣ ଏହା ହେଉଛି ଯେ ଆମେ ଚାହୁଁ ଯେଉଁମାନେ ଯିହୋବାଙ୍କ ବିଷୟରେ ଜାଣି ନାହାନ୍ତି, ସେମାନେ ଶିଖନ୍ତୁ ଯେ ଯିହୋବା ଓ ଯୀଶୁ ସେମାନଙ୍କ ପାଇଁ କʼଣ କରିଛନ୍ତି । (ଯୋହନ ୩:୧୬ ପଢ଼ନ୍ତୁ ।) ଆମେ ଏହା ବି ଚାହୁଁ ଯେ ସେମାନେ ସ୍ମାରକର ଭାଷଣରେ ଯାହା ବି ଶୁଣିବେ, ସେଥିରୁ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛା ହେଉ ଓ ସେମାନେ ଯିହୋବାଙ୍କ ସେବକ ହୁଅନ୍ତୁ । କିନ୍ତୁ ଆମେ ଆଉ କିଛି ଲୋକମାନଙ୍କୁ ମଧ୍ୟ ସ୍ମାରକରେ ଡାକିଥାଉ ।

୧୦ ଆମେ ସେହି ଲୋକମାନଙ୍କୁ ମଧ୍ୟ ସ୍ମାରକରେ ଡାକିଥାଉ ଯେଉଁମାନେ କିଛି ସମୟରୁ ଯିହୋବାଙ୍କ ସେବା କରୁ ନାହାନ୍ତି । ଏପରି କରି ଆମେ ସେମାନଙ୍କୁ ମନେପକାଇ ଦେଉ ଯେ ଯିହୋବା ଏବେ ବି ସେମାନଙ୍କୁ ବହୁତ ପ୍ରେମ କରନ୍ତି । ଏପରି ଅନେକ ଲୋକମାନେ ଆମର ନିମନ୍ତ୍ରଣ ସ୍ୱୀକାର କରନ୍ତି ଓ ଯେବେ ସେମାନେ ସ୍ମାରକରେ ଆସନ୍ତି, ତେବେ ଆମକୁ ବହୁତ ଖୁସି ହୁଏ । ଯେବେ ସେମାନେ ସ୍ମାରକରେ ଉପସ୍ଥିତ ହୁଅନ୍ତି, ତେବେ ସେମାନେ ମନେପକାଇ ପାରନ୍ତି ଯେ ପୂର୍ବେ ଯେବେ ସେମାନେ ଯିହୋବାଙ୍କ ସେବା କରୁଥିଲେ, ତେବେ ସେମାନେ କେତେ ଖୁସି ଥିଲେ । ଭଉଣୀ ମୋନିକାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । c ସେ ଅନେକ ବର୍ଷରୁ ଯିହୋବାଙ୍କ ସେବା କରୁ ନ ଥିଲେ । କିନ୍ତୁ କୋଭିଡ୍‌-୧୯ ମହାମାରୀ ସମୟରେ ସେ ପୁଣିଥରେ ପ୍ରଚାର କରିବାକୁ ଲାଗିଲେ । ୨୦୨୧ ମସିହାର ସ୍ମାରକରେ ଉପସ୍ଥିତ ହେବା ପରେ ଭଉଣୀ କହିଲେ, “ଏହି ବର୍ଷର ସ୍ମାରକ ମୋ ପାଇଁ ବହୁତ ବିଶେଷ ଥିଲା । କୋଡ଼ିଏ ବର୍ଷରୁ ମୁଁ ପ୍ରଚାର କରି ନ ଥିଲି, କିନ୍ତୁ ଏତେ ସମୟ ପରେ ଯେବେ ମୁଁ ପ୍ରଚାର କଲି ଓ ଲୋକମାନଙ୍କୁ ସ୍ମାରକ ପାଇଁ ଡାକିଲି, ତେବେ ମୋତେ ବହୁତ ଖୁସି ଲାଗିଲା । ଯିହୋବା ଓ ଯୀଶୁ ମୋ ପାଇଁ ଯାହା କରିଛନ୍ତି ତାʼ ପାଇଁ ମୁଁ ବହୁତ କୃତଜ୍ଞ । ତେଣୁ ମୁଁ ଉତ୍ସାହର ସହ ଲୋକମାନଙ୍କୁ ସ୍ମାରକରେ ଡାକିଲି ।” (ଗୀତ. ୧୦୩:୧-୪) ଯଦିଓ ଲୋକମାନେ ସ୍ମାରକରେ ଆସନ୍ତୁ କିମ୍ବା ନ ଆସନ୍ତୁ, ଆମେ ଉତ୍ସାହର ସହ ସେମାନଙ୍କୁ ସ୍ମାରକରେ ଡାକୁଥିବା ଓ ମନେରଖିବା ଯେ ଯିହୋବା ଆମ ପରିଶ୍ରମ ଦେଖି ଖୁସି ହୁଅନ୍ତି ।

୧୧. ଆମେ ଲୋକମାନଙ୍କୁ ସ୍ମାରକରେ ଡାକିବା ପାଇଁ ଯେଉଁ ପରିଶ୍ରମ କରୁ, ତାʼ ଉପରେ ଯିହୋବା କିପରି ଆଶିଷ ଦେଇଛନ୍ତି ? (ହାଗୟ ୨:୭)

୧୧ ଯେବେ ଆମେ ଲୋକମାନଙ୍କୁ ସ୍ମାରକରେ ଡାକିବା ପାଇଁ ପରିଶ୍ରମ କରୁ, ତେବେ ଯିହୋବା ଆମକୁ ଆଶିଷ ଦିଅନ୍ତି । ଯେପରି ୨୦୨୧ ମସିହାରେ ଯେବେ କୋଭିଡ୍‌-୧୯ ମହାମାରୀ ବ୍ୟାପିଥିଲା ଓ ଲୋକମାନେ ଏକାଠି ହୋଇପାରୁ ନ ଥିଲେ, ତେବେ ବି ୨,୧୩,୬୭,୬୦୩ ଜଣ ଲୋକମାନେ ସ୍ମାରକରେ ଉପସ୍ଥିତ ହେଲେ । ପୂରା ଦୁନିଆରେ ଯେତେ ଯିହୋବାଙ୍କ ସାକ୍ଷୀ ଅଛନ୍ତି, ତାʼଠାରୁ ପ୍ରାୟ ଅଢ଼େଇ ଗୁଣ ଅଧିକ ଲୋକମାନେ ସ୍ମାରକରେ ଆସିଲେ । କିନ୍ତୁ ଯିହୋବା କେବଳ ଏହା ଦେଖନ୍ତି ନାହିଁ ଯେ ସ୍ମାରକରେ କେତେ ଲୋକମାନେ ଆସିଛନ୍ତି, ବରଂ ସେ ଲୋକମାନଙ୍କର ହୃଦୟ ଦେଖନ୍ତି । (ଲୂକ ୧୫:୭; ୧ ତୀମ. ୨:୩, ୪) ତେଣୁ ଯଦି ଆମେ ଲୋକମାନଙ୍କୁ ସ୍ମାରକରେ ଡାକିବା ପାଇଁ ପରିଶ୍ରମ କରିବା, ତେବେ ଧାର୍ମିକ ଲୋକମାନଙ୍କୁ ଖୋଜିବା ପାଇଁ ଯିହୋବା ଆମକୁ ନିଶ୍ଚୟ ସାହାଯ୍ୟ କରିବେ ।—ହାଗୟ ୨:୭ ପଢ଼ନ୍ତୁ ।

ଆମେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ସ୍ମାରକ ପାଳନ କରୁ

ଯେବେ ଆମେ ସ୍ମାରକରେ ଉପସ୍ଥିତ ହେବା ପାଇଁ ପୂରା ଚେଷ୍ଟା କରୁ, ତେବେ ଯିହୋବା ଆମକୁ ଆଶିଷ ଦିଅନ୍ତି (ପାରାଗ୍ରାଫ ୧୨) f

୧୨. କିଛି ଭାଇଭଉଣୀଙ୍କ ପାଇଁ ସ୍ମାରକ ପାଳନ କରିବା କାହିଁକି କଠିନ ହୋଇପାରେ ? (ଚିତ୍ର ଦେଖନ୍ତୁ ।)

୧୨ ଯୀଶୁ କହିଥିଲେ ଯେ ଶେଷ ଦିନରେ ଅନେକ ସମସ୍ୟା ଆସିବ, ଯେପରିକି ଆମ ପରିବାରର ଲୋକମାନେ ଆମ ବିରୋଧ କରିବେ, ଆମ ଉପରେ ଅତ୍ୟାଚାର କରାଯିବ, ଯୁଦ୍ଧ ହେବ, ମହାମାରୀ ବ୍ୟାପିବ ଓ ଏହା ଛଡ଼ା ଆହୁରି ବହୁତ କିଛି ହେବ । (ମାଥି. ୧୦:୩୬; ମାର୍କ ୧୩:୯; ଲୂକ ୨୧:୧୦, ୧୧) ଅନେକଥର ଆମ ପାଇଁ ଏହି ସବୁ କାରଣ ଯୋଗୁଁ ସ୍ମାରକ ପାଳନ କରିବା କଠିନ ହୋଇଯାଏ । ଆସନ୍ତୁ ଜାଣିବା ଯେ କିଛି ଭାଇଭଉଣୀ କିପରି ଏହି ସମସ୍ୟାର ସାମନା କରିପାରିଲେ ଓ ଯିହୋବା ତାଙ୍କୁ କିପରି ସାହାଯ୍ୟ କରିଲେ ।

୧୩. ଯେବେ ଯିହୋବା ଦେଖିଲେ ଯେ ଭାଇ ଆରଟମ୍‌ ନିଷ୍ପତ୍ତି ନେଇଛନ୍ତି ଯେ ସେ ଜେଲରେ ଥାଇ ମଧ୍ୟ ସ୍ମାରକ ପାଳନ କରିବେ, ତେବେ ଯିହୋବା ତାଙ୍କୁ କʼଣ ଆଶିଷ ଦେଲେ ?

୧୩ ଜେଲ । ଯିହୋବାଙ୍କ ସେବା କରିବା ଯୋଗୁଁ ଆମର ଅନେକ ଭାଇଭଉଣୀ ଜେଲଗୁଡ଼ିକରେ ବନ୍ଦୀ ଅଛନ୍ତି । ତଥାପି ସେମାନେ ସ୍ମାରକ ପାଳନ କରିବା ପାଇଁ ପୂରା ଚେଷ୍ଟା କରନ୍ତି । ଭାଇ ଆରଟମ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ୨୦୨୦ ମସିହାରେ ସ୍ମାରକ ସମୟରେ ସେ ଜେଲରେ ଥିଲେ । ତାଙ୍କୁ ଗୋଟିଏ ଛୋଟ କୋଠରିରେ ରଖାଯାଇଥିଲା । ଯେଉଁଥିରେ ବେଳେବେଳେ ତାଙ୍କ ଛଡ଼ା ଆଉ ୪ ଜଣ କଏଦୀ ରହୁଥିଲେ । ଏପରି ସମୟରେ ସେ ସ୍ମାରକ କିପରି ପାଳନ କଲେ ? ସେ ସ୍ମାରକ ପାଳନ କରିବା ପାଇଁ ବହୁତ କଷ୍ଟରେ ଜିନିଷଗୁଡ଼ିକ ଏକାଠି କଲେ ଓ ଭାବିଲେ ଯେ ସେ ନିଜ ପାଇଁ ସ୍ମାରକର ଭାଷଣ ଦେବେ । କିନ୍ତୁ ତାଙ୍କ ସହ ରହୁଥିବା ୪ ଜଣ କଏଦୀମାନେ ବହୁତ ଗାଳି କରୁଥିଲେ ଓ ସିଗାରେଟ୍‌ ପିଉଥିଲେ । ତେଣୁ ଭାଇ ତାଙ୍କୁ କହିଲେ, କʼଣ ସେମାନେ ଗୋଟେ ଘଣ୍ଟା ପାଇଁ ଗାଳି କରିବା ଓ ସିଗାରେଟ୍‌ ପିଇବା ବନ୍ଦ କରିବେ ? ଆଶ୍ଚର୍ଯ୍ୟର କଥା ସେମାନେ ମାନିଗଲେ । ଭାଇ କହନ୍ତି, “ମୁଁ ସେମାନଙ୍କୁ ପଚାରିଲି ଯେ କʼଣ ସେମାନେ ସ୍ମାରକ ବିଷୟରେ ଜାଣିବା ପାଇଁ ଚାହାନ୍ତି ।” ପୂର୍ବେ ସେମାନେ ମନା କରିଦେଲେ, କିନ୍ତୁ ଯେବେ ସେମାନେ ଭାଇଙ୍କୁ ସ୍ମାରକ ପାଳନ କରିବାର ଦେଖିଲେ, ତେବେ ପରେ ସେମାନେ ଭାଇଙ୍କୁ ଅନେକ ପ୍ରଶ୍ନ ପଚାରିବାକୁ ଲାଗିଲେ ।

୧୪. କୋଭିଡ୍‌-୧୯ ମହାମାରୀ ସମୟରେ ମଧ୍ୟ ଯିହୋବାଙ୍କ ଲୋକମାନେ ସ୍ମାରକ କିପରି ପାଳନ କରିପାରିଲେ ?

୧୪ କୋଭିଡ୍‌-୧୯ ମହାମାରୀ । ଯେବେ ଏହି ମହାମାରୀ ବ୍ୟାପିବା ଆରମ୍ଭ ହେଲା, ତେବେ ଯିହୋବାଙ୍କ ଲୋକମାନେ ସ୍ମାରକ ପାଳନ କରିବା ପାଇଁ ଏକାଠି ହୋଇପାରି ନ ଥାʼନ୍ତେ । ତଥାପି ସେମାନେ ସାଙ୍ଗରେ ମିଶି ସ୍ମାରକ ପାଳନ କଲେ । d ତାହା କିପରି ? ଯେଉଁ ମଣ୍ତଳୀଗୁଡ଼ିକରେ ଇଣ୍ଟରନେଟ୍‌ର ସୁବିଧା ଥିଲା ସେମାନେ ଭିଡିଓ କନଫ୍ରେନସିଙ୍ଗ ଦ୍ୱାରା ସ୍ମାରକ ପାଳନ କଲେ । କିନ୍ତୁ ଯେଉଁ ମଣ୍ଡଳୀଗୁଡ଼ିକରେ ଇଣ୍ଟରନେଟ୍‌ର ସୁବିଧା ନ ଥିଲା ସେମାନେ ଏହା କିପରି ପାଳନ କଲେ ? କିଛି ଦେଶରେ ବ୍ୟବସ୍ଥା କରାଗଲା ଯେ ସେମାନେ ଟିଭିରେ ସ୍ମାରକର କାର୍ଯ୍ୟକ୍ରମ ଦେଖିପାରʼନ୍ତେ କିମ୍ବା ରେଡ଼ିଓରେ ଶୁଣିପାରʼନ୍ତେ । ଏହା ଛଡ଼ା ୫୦୦ରୁ ବି ଅଧିକ ଭାଷାରେ ଭାଷଣର ରେକର୍ଡିଂ ପ୍ରସ୍ତୁତ କରାଗଲା । ଏହି ରେକର୍ଡିଂ ସେହି ଭାଇଭଉଣୀଙ୍କ ଯାଏ ପହଞ୍ଚାଇ ଦିଆଗଲା ଯେଉଁମାନେ ଦୂର ଦୂର ଅଞ୍ଚଳରେ ରହନ୍ତି । ଏପରି ଭାବେ ସେମାନେ ମଧ୍ୟ ସ୍ମାରକ ପାଳନ କରିପାରିଲେ ।

୧୫. ଆପଣ ସୁଙ୍କଠାରୁ କʼଣ ଶିଖିପାରିବେ ?

୧୫ ପରିବାରରୁ ବିରୋଧ । କିଛି ଲୋକମାନଙ୍କୁ ସ୍ମାରକ ପାଳନ କରିବା ଏଥିପାଇଁ କଠିନ ହୋଇପାରେ, କାରଣ ସେମାନଙ୍କୁ ପରିବାରରୁ ବିରୋଧ କରାଯାଏ । ଧ୍ୟାନ ଦିଅନ୍ତୁ ଯେ ସୁ ନାମକ ଜଣେ ବାଇବଲ ବିଦ୍ୟାର୍ଥୀଙ୍କ ସହ କʼଣ ହେଲା । ୨୦୨୧ ମସିହାରେ ସ୍ମାରକର ଗୋଟିଏ ଦିନ ପୂର୍ବେ ସେ ତାଙ୍କ ସହିତ ଅଧ୍ୟୟନ କରାଉଥିବା ଭଉଣୀଙ୍କୁ ଫୋନ୍‌ କଲେ । ସେ ସେହି ଭଉଣୀଙ୍କୁ କହିଲେ ଯେ ସେ ସ୍ମାରକରେ ଉପସ୍ଥିତ ହୋଇପାରିବେ ନାହିଁ, କାରଣ ତାଙ୍କ ପରିବାରରୁ ତାଙ୍କୁ ବିରୋଧ କରାଯାଉଛି । ସେ ଭଉଣୀ ସୁଙ୍କୁ ଲୂକ ୨୨:୪୪ ପଦ ପଢ଼ି ଶୁଣାଇଲେ । ତାʼପରେ ସେ ଭଉଣୀ ତାଙ୍କୁ ବୁଝାଇଲେ ଯେ ଯେବେ ଆମ ଉପରେ ସମସ୍ୟା ଆସେ, ତେବେ ଆମେ ଯୀଶୁଙ୍କ ଭଳି ଯିହୋବାଙ୍କୁ ପ୍ରାର୍ଥନା କରିପାରିବା ଓ ପୂରା ଭରସା ରଖିପାରିବା ଯେ ଯିହୋବା ଆମର ସାହାଯ୍ୟ କରିବେ । ଆର ଦିନ ସୁ ରୋଟୀ ଓ ଦ୍ରାକ୍ଷାରସର ବ୍ୟବସ୍ଥା କଲେ ଓ jw.orgରେ ସକାଳ ଉପାସନା ଦେଖିଲେ, ଯାହା ବିଶେଷ କରି ସ୍ମାରକ ପାଇଁ ପ୍ରସ୍ତୁତ କରାଯାଇଥିଲା ଓ ସନ୍ଧ୍ୟାରେ ସେ ନିଜ ରୁମକୁ ଗଲେ ଓ ସେଠାରେ ନିଜ ଫୋନ୍‌ରୁ ସ୍ମାରକରେ ଉପସ୍ଥିତ ହେଲେ । ପରେ ସୁ ତାଙ୍କ ଅଧ୍ୟୟନ କରାଉଥିବା ଭଉଣୀଙ୍କୁ ଲେଖିଲେ, “କାଲି ଆପଣଙ୍କ ସହ କଥା ହୋଇ ମୋର ଉତ୍ସାହ ବଢ଼ିଲା । ସ୍ମାରକ ପାଳନ କରିବା ପାଇଁ ମୋ ଦ୍ୱାରା ଯେତେ ହୋଇପାରନ୍ତା ମୁଁ କଲି ଓ ବାକି ସବୁ ଯିହୋବା ସମ୍ଭାଳି ନେଲେ । ମୁଁ କହିପାରିବିନି ଯେ ମୁଁ କେତେ ଖୁସି ଅଛି ଓ ଯିହୋବାଙ୍କ କେତେ କୃତଜ୍ଞ ଅଟେ ।” ଆପଣଙ୍କୁ କʼଣ ଲାଗେ ଯେବେ ଆପଣଙ୍କୁ ଏପରି ସମସ୍ୟାର ସାମନା କରିବାକୁ ପଡ଼େ ତେବେ କʼଣ ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ ?

୧୬. ଆମେ କାହିଁକି ଭରସା କରିପାରିବା ଯେ ଯେବେ ଆମେ ସ୍ମାରକ ପାଳନ କରିବା ପାଇଁ ପରିଶ୍ରମ କରିବା, ତେବେ ଯିହୋବା ଆମକୁ ଆଶିଷ ଦେବେ ? (ରୋମୀୟ ୮:୩୧, ୩୨)

୧୬ ଯିହୋବା ଯେବେ ଦେଖନ୍ତି ଯେ ଆମେ ସ୍ମାରକ ପାଳନ କରିବା ପାଇଁ କେତେ ପରିଶ୍ରମ କରୁଛୁ ଓ ଯୀଶୁଙ୍କ ବଳିଦାନ ପାଇଁ କେତେ କୃତଜ୍ଞ ମନେକରୁ, ତେବେ ଯିହୋବା ଏହା ଦେଖି ବହୁତ ଖୁସି ହୁଅନ୍ତି ଓ ଆମକୁ ଆଶିଷ ଦିଅନ୍ତି । (ରୋମୀୟ ୮:୩୧, ୩୨ ପଢ଼ନ୍ତୁ ।) ତେବେ ଆସନ୍ତୁ ଆମେ ଦୃଢ଼ ନିଷ୍ପତ୍ତି ନେବା ଯେ ଏହି ବର୍ଷ ଆମେ ସ୍ମାରକରେ ନିଶ୍ଚୟ ଉପସ୍ଥିତ ହେବା । ଆମେ ସ୍ମାରକର ମାସଗୁଡ଼ିକରେ ଆହୁରି ଉତ୍ସାହର ସହ ଯିହୋବାଙ୍କ ସେବାରେ ଭାଗ ନେବା ପାଇଁ ଚେଷ୍ଟା କରିବା ।

ଗୀତ ୧୮ ଫିରୌତି କେ ଲିଏ ଏହସାନମନ୍ଦ

a ମଙ୍ଗଳବାର, ୪ ଏପ୍ରିଲ୍‌, ୨୦୨୩ରେ ପୂରା ଦୁନିଆରେ ଲକ୍ଷ ଲକ୍ଷ ଲୋକମାନେ ଯୀଶୁଙ୍କ ସ୍ମାରକ ଦିନକୁ ପାଳନ କରିବା ପାଇଁ ଆସିବେ । ଅନେକ ଲୋକ ଏଥିରେ ପ୍ରଥମ ଥର ଆସିବେ । ଆଉ ଏପରି କିଛି ସାକ୍ଷୀମାନେ ମଧ୍ୟ ଆସିବେ ଯେଉଁମାନେ ଅନେକ ବର୍ଷରୁ ଏହି ସ୍ମାରକ ଦିନରେ ଆସି ନାହାନ୍ତି । କିଛି ଲୋକମାନେ ଅନେକ ସମସ୍ୟା ସତ୍ତ୍ୱେ ମଧ୍ୟ ଏହି ଦିନରେ ଆସିବେ । ଆମ ପରିସ୍ଥିତି ଯେପରି ବି ଥାଉ ନା କାହିଁକି, ଯଦି ଆମେ ଏହି ସ୍ମାରକ ଦିନରେ ଉପସ୍ଥିତ ହେବା ପାଇଁ ପୂରା ଚେଷ୍ଟା କରିବା, ତାହେଲେ ଯିହୋବା ତାହା ଦେଖି ବହୁତ ଖୁସି ହେବେ ।

b ଯେଉଁ ଲୋକମାନେ “ପ୍ରଭୁଭୋଜ” ଯାʼନ୍ତି, ସେମାନେ ଏହା ମାନନ୍ତି ଯେ ଯେବେ ସେମାନେ ରୋଟୀ ଓ ଦ୍ରାକ୍ଷାରସ ନିଅନ୍ତି, ତେବେ ତାହା ଯୀଶୁଙ୍କ ଶରୀର ଓ ରକ୍ତରେ ପରିବର୍ତ୍ତନ ହୋଇଯାଏ । ସେମାନଙ୍କୁ ଲାଗେ ଯେ ପ୍ରତିଥର ଯେବେ ସେମାନେ ରୋଟୀ ଓ ଦ୍ରାକ୍ଷାରସ ନିଅନ୍ତି, ତେବେ ଯୀଶୁଙ୍କ ଶରୀର ଓ ରକ୍ତ ବଳିଦାନ କରାଯାଏ ।

c ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

d jw.orgର ଇଂରାଜୀ ୱେବ୍‌ସାଇଟ୍‌ରେ “୨୦୨୧ ମେମୋରିଆଲ୍‌ କୋମେମୋରେସନ୍‌” ନାମକ ଲେଖା ଦେଖନ୍ତୁ ।

e ଚିତ୍ର ବିଷୟରେ: ୧୯୬୦ ମସିହାରୁ ନେଇ ଆଜି ଯାଏ, ସ୍ମାରକର ନିମନ୍ତ୍ରଣ ଆହୁରି ଭଲ ହୋଇ ହୋଇ ଆସୁଛି । ଆଜି ଆମେ ଲୋକମାନଙ୍କୁ ଏହାର ଛପା ଯାଇଥିବା କିମ୍ବା ଇଲେକ୍‌ଟ୍ରୋନିକ୍‌ କପି ଦେଇପାରିବା ।

f ଚିତ୍ର ବିଷୟରେ: ବାହାରେ ଦଙ୍ଗା ଓ ଲଢ଼େଇଗୁଡ଼ିକ ହେଉଛି, କିନ୍ତୁ ଭାଇଭଉଣୀମାନେ ସ୍ମାରକ ପାଳନ କରିବା ପାଇଁ ଏକାଠି ହୋଇଛନ୍ତି ।