ଅଧ୍ୟୟନ ଲେଖା ୪
ଗୀତ ୩୦ ୟହୋୱା, ମେରା ପରମେଶ୍ୱର, ପିତା ଔର ଦୋସ୍ତ
ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି !
“ପିତା ସ୍ୱୟଂ ତୁମ୍ଭମାନଙ୍କୁ ସ୍ନେହ କରନ୍ତି ।”—ଯୋହ. ୧୬:୨୭.
କʼଣ ଶିଖିବା ?
ଯିହୋବାଙ୍କ ପ୍ରେମ ଯୋଗୁଁ ଆମେ କିପରି ତାଙ୍କର ନିକଟତର ଆସିପାରୁ, ସୁରକ୍ଷିତ ଅନୁଭବ କରୁ, ଆମକୁ ସତେଜତା ମିଳେ ଏବଂ ଆମେ ବୁଝିପାରୁ ଯେ ସେ ଆମ ପାଇଁ ଚିନ୍ତା କରନ୍ତି ?
୧. ଯେବେ ଆପଣ ଯିହୋବାଙ୍କ ବିଷୟରେ ଭାବନ୍ତି, ତେବେ ଆପଣଙ୍କ ମନରେ କʼଣ ଚିତ୍ର ଆସେ ?
କʼଣ କେବେ ଆପଣ ଭାବିଛନ୍ତି ଯେ ଯିହୋବା କିପରି ଦେଖାଯାʼନ୍ତି ? ଯେବେ ଆପଣ ତାଙ୍କୁ ପ୍ରାର୍ଥନା କରନ୍ତି, ତେବେ ଆପଣଙ୍କ ମନରେ କʼଣ ଚିତ୍ର ଆସେ ? ଏହା ସତ ଯେ ଆମେ ଯିହୋବାଙ୍କୁ ଦେଖିପାରି ନ ଥାଉ, କିନ୍ତୁ ବାଇବଲରେ ତାଙ୍କ ବିଷୟରେ ଅନେକ କଥା ଲେଖାଅଛି । ଏଥିରେ ଲେଖାଅଛି ଯେ ଯିହୋବା “ସୂର୍ଯ୍ୟ” ଓ “ଢାଲ” ଅଟନ୍ତି, ତାʼସହ “ଗ୍ରାସକାରୀ ଅଗ୍ନି” ମଧ୍ୟ ଅଟନ୍ତି । (ଗୀତ. ୮୪:୧୧; ଏବ୍ରୀ ୧୨:୨୯) ଗୋଟେ ଜାଗାରେ ତାଙ୍କ ବିଷୟରେ ଏପରି ଲେଖାଅଛି ଯେ ସେ ଧାତୁର ଆଭା ତୁଲ୍ୟ ଉଜ୍ଜ୍ୱଳ ଅଟନ୍ତି, ସେ ନୀଳକାନ୍ତ ସିଂହାସନରେ ବସିଛନ୍ତି ଏବଂ ମେଘରେ ଧନୁର ଆଭା ଯେପରି, ସେପରି ତାଙ୍କ ଚତୁର୍ଦ୍ଦିଗସ୍ଥ ତେଜ ଅଛି । (ଯିହି. ୧:୨୬-୨୮) ଏସବୁ ପଢ଼ି ହୁଏତ ଆମେ ବିସ୍ମୟରେ ଭରିଯିବା କିମ୍ବା ଆମକୁ ଏପରି ଲାଗିବ ଯେ ଆମେ ତାଙ୍କ ଦୃଷ୍ଟିରେ କିଛି ବି ନାହୁଁ ।
୨. କିଛି ଲୋକମାନଙ୍କୁ ହୁଏତ କେଉଁ କାରଣ ଯୋଗୁଁ ଯିହୋବାଙ୍କ ନିକଟତର ହେବା କଠିନ ଲାଗେ ?
୨ ଆମେ ଯିହୋବାଙ୍କୁ ଦେଖି ନ ଥାଉ, ତେଣୁ ହୁଏତ ଆମ ପାଇଁ ଏକଥା ଉପରେ ଭରସା କରିବା କଠିନ ହୋଇଯାଏ ଯେ ଯିହୋବା ଆମକୁ ପ୍ରେମ କରନ୍ତି । କିଛି ଲୋକମାନଙ୍କ ଜୀବନରେ ପୂର୍ବେ କିଛି ଘଟଣା ଘଟିଥାଏ, ଯେପରି ହୋଇପାରେ କିଛି ଲୋକମାନେ ବାପାଙ୍କ ପ୍ରେମ କେବେ ବି ଅନୁଭବ କରି ନ ଥିବେ । ଆଉ ଏହି କାରଣ ଯୋଗୁଁ ସେମାନଙ୍କୁ ଏହା ଭରସା କରିବା କଠିନ ହୋଇଯାଏ ଯେ ଯିହୋବା ସେମାନଙ୍କୁ ପ୍ରେମ କରିପାରିବେ । ଯିହୋବା ଏସବୁ କଥାକୁ ଭଲଭାବେ ବୁଝନ୍ତି ଏବଂ ସେ ଜାଣନ୍ତି ଯେ କିଛି ଲୋକମାନଙ୍କ ପାଇଁ କାହିଁକି ତାଙ୍କ ନିକଟତର ହେବା ସହଜ ହୋଇ ନ ଥାଏ । ତେଣୁ ସେ ନିଜ ବାକ୍ୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ କିଭଳି ଈଶ୍ୱର ଅଟନ୍ତି ।
୩. ଆମକୁ ଯିହୋବା ଓ ତାଙ୍କ ପ୍ରେମ ବିଷୟରେ କାହିଁକି ଭଲଭାବେ ଜାଣିବା ଉଚିତ୍ ?
୩ ଯିହୋବା କିପରି ଈଶ୍ୱର ଅଟନ୍ତି, ଗୋଟେ ଶବ୍ଦରେ ଯଦି କହିବା, ତାହା ହେଉଛି ପ୍ରେମ । ବାଇବଲରେ ଲେଖାଅଛି, “ଈଶ୍ୱର ତ ପ୍ରେମ ।” (୧ ଯୋହ. ୪:୮) ସେ ଯାହା ବି କରନ୍ତି, ପ୍ରେମ ଯୋଗୁଁ ହିଁ କରନ୍ତି । ଯିହୋବା ପ୍ରେମରେ ପରିପୂର୍ଣ୍ଣ ଅଟନ୍ତି, ତେଣୁ ସେ ସେମାନଙ୍କୁ ବି ପ୍ରେମ କରନ୍ତି ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ନାହିଁ । (ମାଥି. ୫:୪୪, ୪୫) ଏହି ଲେଖାରେ ଆମେ ଯିହୋବା ଓ ତାଙ୍କ ପ୍ରେମ ବିଷୟରେ ଭଲଭାବେ ଜାଣିବା । ଆମେ ଯେତେ ଅଧିକ ଈଶ୍ୱରଙ୍କୁ ଜାଣିବା, ସେତେ ଅଧିକ ତାଙ୍କ ପ୍ରତି ଆମ ପ୍ରେମ ବଢ଼ିବ ।
ଯିହୋବା ଆମକୁ ବହୁତ ପ୍ରେମ କରନ୍ତି
୪. ଯିହୋବା ଆପଣଙ୍କୁ ଯେଉଁଭଳି ଭାବେ ପ୍ରେମ କରନ୍ତି, ସେବିଷୟରେ ଭାବି ଆପଣଙ୍କୁ କିପରି ଲାଗେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୪ “ସଦାପ୍ରଭୁ ସ୍ନେହଶୀଳ” ଈଶ୍ୱର ଅଟନ୍ତି । (ଗୀତ. ୧୦୩:୮) ବାଇବଲରେ କୁହାଯାଇଛି ଯେ ଯିହୋବା ଜଣେ ମାଆଙ୍କ ଭଳି ଅଟନ୍ତି, ଯିଏ ନିଜ ଛୋଟ ପିଲାକୁ ବହୁତ ପ୍ରେମ କରେ । (ଯିଶା. ୬୬:୧୨, ୧୩) ଭାବନ୍ତୁ, ଜଣେ ମାଆ ନିଜ ଛୋଟ ଛୁଆର କେତେ ଯତ୍ନ ନିଏ । ସେ ତାକୁ ଅତି ସ୍ନେହର ସହ କୋଳରେ ଧରେ ଓ ପ୍ରେମର ସହ କଥା ହୁଏ । ଯେବେ ସେ କାନ୍ଦେ କିମ୍ବା ତାକୁ କିଛି ହୋଇଯାଏ, ତେବେ ମାଆ ବୁଝିଯାଏ ଯେ ତାକୁ କʼଣ ଦରକାର ଆଉ ସେ ତାକୁ ସେସବୁ କିଛି ଦିଏ । ସେହିଭଳି ଯେବେ ଆମେ ଦୁଃଖି ଥାଉ, ତେବେ ଆମେ ଭରସା ରଖିପାରିବା ଯେ ଜଣେ ମାଆଙ୍କ ଭଳି ଯିହୋବା ବି ଆମକୁ ବହୁତ ପ୍ରେମ କରନ୍ତି । ଗୀତସଂହିତାର ଜଣେ ଲେଖକଙ୍କୁ ମଧ୍ୟ ଏକଥାର ଭରସା ଥିଲା, ତେଣୁ ସେ କହିଲେ, “ମୋʼ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର ସାନ୍ତ୍ୱନାସବୁ ମୋʼ ପ୍ରାଣକୁ ଆହ୍ଲାଦିତ କରେ ।”—ଗୀତ. ୯୪:୧୯.
୫. ଯେବେ ଆପଣ ଏବିଷୟରେ ଭାବନ୍ତି ଯେ ଯିହୋବାଙ୍କ ସ୍ନେହ ଅଟଳ, ତେବେ ଆପଣଙ୍କୁ କିପରି ଲାଗେ ?
୫ ଯିହୋବାଙ୍କ ସ୍ନେହ ଅଟଳ ଅଟେ । (ଗୀତ. ୧୦୩:୮) ଯେବେ ଆମ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ବି ଯିହୋବା ଆମକୁ ପ୍ରେମ କରନ୍ତି । ଇସ୍ରାଏଲୀୟମାନଙ୍କ ବିଷୟରେ ଭାବନ୍ତୁ । ସେମାନେ ବାରମ୍ବାର ଯିହୋବାଙ୍କୁ ଦୁଃଖ ପହଞ୍ଚାଇଲେ, ତଥାପି ଯେଉଁ ଲୋକମାନେ ଅନୁତାପ କଲେ, ଯିହୋବା ସେମାନଙ୍କୁ ପ୍ରେମ କରିବା ଛାଡ଼ିଲେ ନାହିଁ । ସେ କହିଲେ, “ତୁମ୍ଭେ ଆମ୍ଭ ଦୃଷ୍ଟିରେ ବହୁମୂଲ୍ୟ,” ତମେ ଆଦରର ଯୋଗ୍ୟ ଅଟ ଏବଂ “ଆମ୍ଭେ ତୁମ୍ଭକୁ ପ୍ରେମ କରିଅଛୁ ।” (ଯିଶା. ୪୩:୪, ୫) ଯିହୋବା ବଦଳି ନାହାନ୍ତି । ସେ ଆଜି ବି ଆମକୁ ବହୁତ ପ୍ରେମ କରନ୍ତି, ଏପରିକି ଯେବେ ଆମ ଦ୍ୱାରା କୌଣସି ବଡ଼ ଭୁଲ ହୋଇଯାଏ, ତେବେ ବି ସେ ଆମକୁ ପ୍ରେମ କରିବା ଛାଡ଼ନ୍ତି ନାହିଁ । ଯଦି ଆମେ ଅନୁତାପ କରି ତାଙ୍କ ପାଖକୁ ଫେରି ଆସୁ, ତେବେ ଆମେ ଏହା ଦେଖିପାରିବା ଯେ ଯିହୋବା ଏବେ ବି ଆମକୁ ପୂର୍ବ ଭଳି ହିଁ ପ୍ରେମ କରନ୍ତି । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ “ବହୁଳ ରୂପରେ କ୍ଷମା କରିବେ ।” (ଯିଶା. ୫୫:୭) ଆଉ ଯେବେ ଆମକୁ ଯିହୋବା କ୍ଷମା କରିଦିଅନ୍ତି, ତେବେ ଆମ ଜୀବନରେ “ସାନ୍ତ୍ୱନାର ସମୟ ଉପସ୍ଥିତ” ହୋଇଯାଏ ।—ପ୍ରେରି. ୩:୧୯, ୨୦.
୬. ଯିଖରୀୟ ୨:୮ ପଦରୁ ଆମକୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ ?
୬ ଯିଖରୀୟ ୨:୮ ପଢ଼ନ୍ତୁ । ଯିହୋବା କହନ୍ତି ଯେ ଆମେ ତାଙ୍କ ଚକ୍ଷୁର ପିତୁଳା ଅଟୁ । ଆମେ ପୂରା ଚେଷ୍ଟା କରୁ ଯେ ଆମ ଆଖିର ପିତୁଳାକୁ କୌଣସି କ୍ଷତି ନ ପହଞ୍ଚୁ, କାରଣ ଏହା ଆମ ଆଖିର ବିଶେଷ ଅଂଶ ଅଟେ । ଯିହୋବା ଯେପରି କହିବା ପାଇଁ ଚାହୁଁଥିଲେ, ‘ଯେ କେହି ମୋ ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚାହେଁ, ସେ ମୋର ବହୁମୂଲ୍ୟ ଜିନିଷକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରେ ।’ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି, ତେଣୁ ସେ ଆମ କଥା ଭଲଭାବେ ବୁଝିପାରନ୍ତି ଆଉ ଆମର ସୁରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତି । ଯେବେ ଆମେ ଦୁଃଖି ଥାଉ, ତେବେ ସେ ବି ଦୁଃଖି ହୁଅନ୍ତି । ତେଣୁ ଆମେ ଯିହୋବାଙ୍କ ଉପରେ ପୂରା ଭରସା ରଖି ପ୍ରାର୍ଥନା କରିପାରିବା, “ଚକ୍ଷୁର ତାରା ପରି ମୋତେ ରଖ ।”—ଗୀତ. ୧୭:୯.
୭. ଯିହୋବା ଆମକୁ ପ୍ରେମ କରନ୍ତି, ଏହି କଥା ଉପରେ ଆମକୁ କାହିଁକି ନିଜର ଭରସା ବଢ଼ାଇବାର ଅଛି ?
୭ ଯିହୋବା ଚାହାନ୍ତି ଯେ ଆପଣଙ୍କୁ ତାଙ୍କ ପ୍ରେମ ଉପରେ ପୂରା ଭରସା ହେବା କଥା । କିନ୍ତୁ ସେ ଏକଥାକୁ ବି ବୁଝିପାରନ୍ତି ଯେ ଆପଣଙ୍କ ପାଇଁ ଏପରି କରିବା ବେଳେବେଳେ ସମ୍ଭବ ହୋଇ ନ ଥାଏ । କାରଣ ହୁଏତ ଆପଣ ନିଜ ଜୀବନରେ ବହୁତ କିଛି ସହିଛନ୍ତି କିମ୍ବା ଆଜି ଆପଣ ଅନେକ ସମସ୍ୟାର ସାମନା କରୁଛନ୍ତି । ଏପରି ସମୟରେ ଆପଣ ଯିହୋବାଙ୍କ ପ୍ରେମ ଉପରେ ନିଜର ଭରସା କିପରି ବଢ଼ାଇପାରିବେ ? ଏପରି କରିବାର ଗୋଟିଏ ଉପାୟ ହେଉଛି, ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଯିହୋବା କିପରି ଯୀଶୁ, ଅଭିଷିକ୍ତ ଖ୍ରୀଷ୍ଟିୟାନ ଓ ଆମ ପାଇଁ ନିଜ ପ୍ରେମ ଦେଖାଇଛନ୍ତି ।
ଯିହୋବା ନିଜ ପ୍ରେମ କିପରି ଦେଖାଇଲେ ?
୮. ଯୀଶୁଙ୍କୁ କାହିଁକି ଭରସା ଥିଲା ଯେ ଯିହୋବା ତାଙ୍କୁ ପ୍ରେମ କରନ୍ତି ?
୮ ଯିହୋବା ଓ ଯୀଶୁ ଏକା ସହିତ ଯେତେ ସମୟ ବିତାଇଛନ୍ତି, ଏହି ଦୁନିଆରେ କେହି ବି ସେତେ ସମୟ ବିତାଇ ନାହାନ୍ତି । ସେମାନେ କୋଟି କୋଟି ବର୍ଷରୁ ଏକା ସହିତ ସ୍ୱର୍ଗରେ ଅଛନ୍ତି । ଭାବନ୍ତୁ, ସେମାନଙ୍କ ସମ୍ପର୍କ କେତେ ଦୃଢ଼ ଥିବ ଓ ସେମାନେ ପରସ୍ପରକୁ କେତେ ପ୍ରେମ କରୁଥିବେ ! ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ ଯିହୋବା ଏହା ସ୍ପଷ୍ଟ ଭାବେ ଦେଖାଇଲେ ଯେ ସେ ଯୀଶୁଙ୍କୁ ବହୁତ ପ୍ରେମ କରନ୍ତି । ଏହି କଥା ଆମେ ମାଥିଉ ୧୭:୫ ପଦରେ ପଢ଼ିପାରୁ । ଯିହୋବା ଚାହିଁଥିଲେ ଯୀଶୁଙ୍କ ବିଷୟରେ ଏପରି କହିପାରିଥାʼନ୍ତେ, ‘ମୁଁ ଏହାକୁ ମଞ୍ଜୁର କରିଅଛି ।’ କିନ୍ତୁ ସେ ଏପରି କହିଲେ, “ଏ ଆମ୍ଭର ପ୍ରିୟ ପୁତ୍ର ।” ଯିହୋବା ଏହା ଏଥିପାଇଁ କହିଲେ କାରଣ ସେ ଆମକୁ ଏହା ଜଣାଇବା ପାଇଁ ଚାହୁଁଥିଲେ ଯେ ସେ ନିଜ ପୁଅକୁ କେତେ ପ୍ରେମ କରନ୍ତି । ଯୀଶୁ ନିଜ ଜୀବନ ଦେବା ପାଇଁ ପଛଘୁଞ୍ଚା ଦେଲେ ନାହିଁ, ବିଶେଷ କରି ଏହି କାରଣ ଯୋଗୁଁ ଯିହୋବା ଯୀଶୁଙ୍କ ଉପରେ ଗର୍ବ କରୁଥିଲେ । (ଏଫି. ୧:୭) ଯୀଶୁ ନିଜ ବାପାଙ୍କ ପ୍ରେମ ଉପରେ କେବେ ବି ସନ୍ଦେହ କଲେ ନାହିଁ । ଯୀଶୁ ସବୁବେଳେ ଅନୁଭବ କରିପାରିଲେ ଯେ ଯିହୋବା ତାଙ୍କୁ କେତେ ପ୍ରେମ କରନ୍ତି । ଆଉ ସେ ଅନେକଥର ପୂରା ଭରସାର ସହ ଲୋକମାନଙ୍କୁ ବି କହିଲେ ଯେ ତାଙ୍କ ବାପା ତାଙ୍କୁ କେତେ ପ୍ରେମ କରନ୍ତି ।—ଯୋହ. ୩:୩୫; ୧୦:୧୭; ୧୭:୨୪.
୯. ବାଇବଲର କେଉଁ କଥାରୁ ଜଣାପଡ଼େ ଯେ ଯିହୋବା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ପ୍ରେମ କରନ୍ତି ? ବୁଝାନ୍ତୁ । (ରୋମୀୟ ୫:୫)
୯ ଯିହୋବା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ନିଜର ପ୍ରେମ ଦେଖାଇଛନ୍ତି । ତାଙ୍କର ଏହି ପ୍ରେମ ରୋମୀୟ ୫:୫ ପଦରୁ ଜଣାପଡ଼େ । (ପଢ଼ନ୍ତୁ ।) ସେଠାରେ ଲେଖାଅଛି ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ “ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି ।” ଗୋଟିଏ ଶବ୍ଦକୋଷରେ ଏହି କଥାର ଅର୍ଥ ଏପରି ଭାବେ ବୁଝାଯାଇଛି: ଯିହୋବା ସେମାନଙ୍କୁ ଏତେ ପ୍ରେମ କରନ୍ତି ଯେ ତାଙ୍କ ପ୍ରେମ ସେମାନଙ୍କ ହୃଦୟରୁ ଉଛୁଳି ପଡ଼ୁଛି । ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଜାଣନ୍ତି ଯେ ସେମାନେ “ଈଶ୍ୱରଙ୍କ ପ୍ରିୟପାତ୍ର” ଅଟନ୍ତି । (ଯିହୂ. ୧) ଯୋହନ ଲେଖିଲେ, “ଦେଖ, ପିତା ଆମ୍ଭମାନଙ୍କୁ କିପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ” ହେଲୁ । (୧ ଯୋହ. ୩:୧) ଏଥିରୁ ଜଣାପଡ଼େ ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ପ୍ରେମ ବିଷୟରେ କʼଣ ଭାବନ୍ତି । କିନ୍ତୁ କʼଣ ଯିହୋବା କେବଳ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ପ୍ରେମ କରନ୍ତି ? ନା, ଏପରି ନୁହେଁ । ସେ ଆମ ସମସ୍ତଙ୍କୁ ପ୍ରେମ କରନ୍ତି ।
୧୦. ଯିହୋବାଙ୍କ ପ୍ରେମର ସବୁଠୁ ବଡ଼ ପ୍ରମାଣ କʼଣ ?
୧୦ ଯିହୋବାଙ୍କ ପ୍ରେମର ସବୁଠୁ ବଡ଼ ପ୍ରମାଣ ହେଉଛି, ମୁକ୍ତିର ମୂଲ୍ୟ । (ଯୋହ. ୩:୧୬; ରୋମୀ. ୫:୮) ଯିହୋବା ଚାହାନ୍ତି ଯେ ଆମମାନଙ୍କୁ ନିଜ ପାପରୁ କ୍ଷମା ମିଳୁ ଓ ଆମେ ତାଙ୍କ ସାଙ୍ଗ ହୋଇପାରୁ, ତେଣୁ ସେ ନିଜ ପ୍ରିୟ ପୁତ୍ରକୁ ଆମ ସମସ୍ତ ମଣିଷମାନଙ୍କ ପାଇଁ ବଳିଦାନ କରିଦେଲେ । (୧ ଯୋହ. ୪:୧୦) ଯିହୋବା ଓ ଯୀଶୁଙ୍କ ପ୍ରେମକୁ ଭଲଭାବେ ବୁଝିବା ପାଇଁ ଆମେ ଏବିଷୟରେ ଭାବିବା ଯେ ସେମାନେ ଆମ ପାଇଁ କେତେ କʼଣ କରିଛନ୍ତି । (ଗାଲା. ୨:୨୦) ଯିହୋବା କୌଣସି ଚୁକ୍ତି ଯୋଗୁଁ ନୁହେଁ, ବରଂ ପ୍ରେମ ଯୋଗୁଁ ନିଜ ପ୍ରିୟ ପୁତ୍ରର ମୁକ୍ତିର ମୂଲ୍ୟ ଦେଲେ । ଯିହୋବା ଆମ ପାଇଁ ପ୍ରେମ ଦେଖାଇବାକୁ ଚାହୁଁଥିଲେ, ତେଣୁ ସେ ନିଜ ପ୍ରିୟ ପୁତ୍ରର ବଳିଦାନ ଦେଲେ ଓ ଯନ୍ତ୍ରଣା ସହି ମୃତ୍ୟୁ ଭୋଗ କରିବାକୁ ଦେଲେ ।
୧୧. ଯିରିମୀୟ ୩୧:୩ ପଦରୁ ଆମକୁ କʼଣ ଜଣାପଡ଼େ ?
୧୧ ଯେପରି ଆମେ ଦେଖିଲୁ, ଯିହୋବା ଆମମାନଙ୍କ ପାଇଁ ନିଜ ପ୍ରେମ ଦେଖାନ୍ତି । (ଯିରିମୀୟ ୩୧:୩ ପଢ଼ନ୍ତୁ ।) ପ୍ରେମ ଯୋଗୁଁ ହିଁ ସେ ଆମମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କଲେ । (ଦ୍ୱିତୀୟ ବିବରଣ ୭:୭, ୮ ପଦ ସହ ତୁଳନା କରନ୍ତୁ ।) ତାଙ୍କ ପ୍ରେମରୁ ଆମକୁ କୌଣସି ବି ବସ୍ତୁ କିମ୍ବା ଶକ୍ତି ଅଲଗା କରିପାରିବ ନାହିଁ । (ରୋମୀ. ୮:୩୮, ୩୯) ଯେବେ ଆପଣ ତାଙ୍କ ପ୍ରେମ ବିଷୟରେ ଭାବନ୍ତି, ତେବେ ଆପଣଙ୍କୁ କିପରି ଲାଗେ ? ଗୀତସଂହିତା ୨୩ ଅଧ୍ୟାୟ ପଢ଼ିକି ଦେଖନ୍ତୁ । ଯେବେ ଆପଣ ସେଠାରେ ଯିହୋବାଙ୍କ ପ୍ରେମ ଓ ଚିନ୍ତା ବିଷୟରେ ପଢ଼ିବେ, ତେବେ ଆପଣ ହୁଏତ ଦାଉଦଙ୍କ ଭଳି ହିଁ ଅନୁଭବ କରିବେ ।
ଯିହୋବାଙ୍କ ପ୍ରେମ ଅନୁଭବ କରି ଆପଣଙ୍କୁ କିପରି ଲାଗେ ?
୧୨. ଗୀତସଂହିତା ୨୩ ଅଧ୍ୟାୟରେ ଦାଉଦ କେଉଁ କଥା କହିଲେ ?
୧୨ ଗୀତସଂହିତା ୨୩:୧-୬ ପଢ଼ନ୍ତୁ । ଗୀତସଂହିତା ୨୩ ଅଧ୍ୟାୟରୁ ଜଣାପଡ଼େ ଯେ ଦାଉଦଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଚିନ୍ତା କରନ୍ତି । ଦାଉଦ ଯିହୋବାଙ୍କୁ ପ୍ରତିପାଳକ କହି ଏହା ଦେଖାଇଲେ ଯେ ଯିହୋବା ଓ ତାଙ୍କ ସମ୍ପର୍କ ବହୁତ ଗଭୀର । ଯିହୋବା ଦେଖାଇଥିବା ବାଟରେ ଚାଲି ଦାଉଦ ନିଜକୁ ଭାରି ସୁରକ୍ଷିତ ଅନୁଭବ କରୁଥିଲେ । ଆଉ ସେ ପୂରାପୂରି ଯିହୋବାଙ୍କ ଉପରେ ନିର୍ଭର ରହୁଥିଲେ । ଦାଉଦ ଜାଣିଥିଲେ ଯେ ଯିହୋବା ସାରା ଜୀବନ ତାଙ୍କୁ ସ୍ନେହ କରୁଥିବେ । କିନ୍ତୁ ଦାଉଦଙ୍କୁ ଏକଥା ଉପରେ କାହିଁକି ଏତେ ଭରସା ଥିଲା ?
୧୩. କେଉଁ କାରଣ ଯୋଗୁଁ ଦାଉଦଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କୁ ନିଶ୍ଚୟ ସମ୍ଭାଳିବେ ?
୧୩ “ମୋହର ଅଭାବ ହେବ ନାହିଁ ।” ଯିହୋବା ସଦାବେଳେ ଦାଉଦଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କଲେ, ତେଣୁ ଦାଉଦ ଜାଣିପାରିଲେ ଯେ ଯିହୋବା ତାଙ୍କର କେତେ ଯତ୍ନ ନିଅନ୍ତି । ସେ ଏହା ବି ଜାଣିପାରିଲେ ଯେ ଯିହୋବା ତାଙ୍କ ଉପରେ ଖୁସି ଅଛନ୍ତି ଓ ତାଙ୍କର ସାଙ୍ଗ ଅଟନ୍ତି । ସେଥିପାଇଁ ତାଙ୍କୁ ପୂରା ଭରସା ଥିଲା ଯେ ଆଗକୁ ଯାହା ବି ହୋଇଯାଉ ନା କାହିଁକି, ଯିହୋବା ତାଙ୍କୁ ନିଶ୍ଚୟ ସମ୍ଭାଳିବେ । ଦାଉଦଙ୍କୁ ଏହା ବି ଜଣାଥିଲା ଯେ ଯିହୋବା ତାଙ୍କୁ ଏତେ ପ୍ରେମ କରନ୍ତି ଯେ ସେ ତାଙ୍କୁ ସବୁବେଳେ ସମ୍ଭାଳୁ ଥିବେ । ଏହି କାରଣ ଯୋଗୁଁ ଚିନ୍ତାଗୁଡ଼ିକ ସତ୍ତ୍ୱେ ସେ ଖୁସିରେ ରହିପାରିଲେ ।—ଗୀତ. ୧୬:୧୧.
୧୪. ଯିହୋବା ହୁଏତ କିପରି ଆମକୁ ଅତି ପ୍ରେମର ସହିତ ଯତ୍ନ ନିଅନ୍ତି ?
୧୪ ଯିହୋବା ସବୁବେଳେ ଆମର ଅତି ପ୍ରେମର ସହ ଯତ୍ନ ନିଅନ୍ତି, କିନ୍ତୁ ଯେବେ ଆମେ ସମସ୍ୟାରେ ପଡ଼ିଯାଉ ସେସମୟରେ ସେ ଆହୁରି ଅଧିକ ଆମର ଯତ୍ନ ନିଅନ୍ତି । ଏକଥା ଆମେ ଭଉଣୀ କ୍ଲେୟରଙ୍କ a ଉଦାହରଣରୁ ଭଲଭାବେ ବୁଝିପାରିବା । ସେ ବୈଥେଲରେ ୨୦ ବର୍ଷରୁ ବି ଅଧିକ ସମୟ ସେବା କଲେ । ଥରେ ତାଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ଅନେକ ସମସ୍ୟା ଆସିଲା । ଯେପରି, ତାଙ୍କ ବାପାଙ୍କୁ ଷ୍ଟ୍ରୋକ୍ ହେବା ଯୋଗୁଁ ତାଙ୍କର ଦେହ ବହୁତ ଖରାପ ହୋଇଗଲା, ତାଙ୍କ ଜଣେ ଭଉଣୀଙ୍କ ବହିଷ୍କାର ହୋଇଗଲା ଆଉ ତାଙ୍କର ଯେଉଁ ବ୍ୟବସାୟ ଓ ଘର ଥିଲା, ତାହା ବି ସେମାନେ ହରାଇ ବସିଲେ । ଏପରି ସମୟରେ ଭଉଣୀ ବୁଝିପାରୁ ନ ଥିଲେ ଯେ ସେ କʼଣ କରିବେ । ସେସମୟରେ ଯିହୋବା କିପରି ତାଙ୍କର ଯତ୍ନ ନେଲେ ? ଭଉଣୀ କହନ୍ତି, “ଏପରି ଗୋଟିଏ ବି ଦିନ ନ ଥିଲା ଯେବେ ଯିହୋବା ଆମର ଆବଶ୍ୟକତାଗୁଡ଼ିକୁ ପୂରା କଲେ ନାହିଁ । ଆମକୁ କେବେ ବି କୌଣସି ଜିନିଷର ଅଭାବ ହେଲା ନାହିଁ । ବେଳେବେଳେ ଏପରି ବି ହେଲା ଯେ ଆମେ ଯେତିକି ଭାବୁଥିଲୁ ତାʼଠୁ ବି ଅଧିକ ସେ ଆମ ପାଇଁ କଲେ । ଯେବେ ମୁଁ ସେହି କଥାକୁ ମନେ ପକାଏ, ତେବେ ମୁଁ ଭାବେ ଯେ ଯିହୋବା କେତେ ପ୍ରେମର ସହ ଆମର ଯତ୍ନ ନେଇଥିଲେ । ଆଉ ଏହି କଥାକୁ ମୁଁ କେବେ ବି ଭୁଲିପାରିବି ନାହିଁ । ଏହି କାରଣ ଯୋଗୁଁ ଆଗକୁ ଯେଉଁ ସମସ୍ୟାଗୁଡ଼ିକ ଆସିଲା, ସେଗୁଡ଼ିକର ବି ମୁଁ ସାହସର ସହ ସାମନା କରିପାରିଲି ।”
୧୫. ଦାଉଦ କାହିଁକି ସତେଜ ଅନୁଭବ କଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ “ସେ ମୋʼ ପ୍ରାଣକୁ ସୁସ୍ଥ [‘ସତେଜ’, NWT] କରନ୍ତି ।” ଦାଉଦଙ୍କୁ ଗୋଟେ ପରେ ଗୋଟେ ଅନେକ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା । ସେଥିପାଇଁ ବେଳେବେଳେ ସେ ନିରାଶ ହୋଇଯାଉଥିଲେ । (ଗୀତ. ୧୮:୪-୬) ଅନେକଥର ସେ ଏତେ ଥକି ଯାଉଥିଲେ ଯେ ପୂରାପୂରି ଭାଙ୍ଗି ପଡ଼ୁଥିଲେ । ଏପରି ସମୟରେ ଯିହୋବା ତାଙ୍କୁ ଯେପରି ଭାବେ ପ୍ରେମ କଲେ ଓ ତାଙ୍କର ଯତ୍ନ ନେଲେ, ତାʼଯୋଗୁଁ ସେ ଭାରି ସତେଜ ଅନୁଭବ କଲେ । ଯିହୋବା ଯେପରି ନିଜ ସାଙ୍ଗକୁ “ତୃଣମୟ ସ୍ଥାନରେ” ଓ ‘ସ୍ଥିର ଜଳ ପାଖରେ କଢ଼ାଇ’ ନେଲେ । ସେସମୟରେ ଦାଉଦଙ୍କୁ ଏପରି ଲାଗିଲା ଯେପରି ତାଙ୍କୁ ଗୋଟିଏ ନୂଆ ଜୀବନ ମିଳିଗଲା ଆଉ ସେ ଖୁସିରେ ଯିହୋବାଙ୍କ ସେବା କରିବା ଜାରି ରଖିଲେ ।—ଗୀତ. ୧୮:୨୮-୩୨.
୧୬. ଯିହୋବାଙ୍କ ପ୍ରେମ ଯୋଗୁଁ ଆପଣ କିପରି ସମସ୍ୟାଗୁଡ଼ିକର ସାମନା କରିପାରିଲେ ?
୧୬ ଦାଉଦଙ୍କ ଭଳି ଆଜି ଆମେ ବି ‘ସଦାପ୍ରଭୁଙ୍କର ବିବିଧ ସ୍ନେହ ସକାଶୁ’ ସମସ୍ୟାଗୁଡ଼ିକର ସାମନା କରିପାରୁ । (ବିଳା. ୩:୨୨; କଲ. ୧:୧୧) ଭଉଣୀ ରେଚଲଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । କୋଭିଡ୍-୧୯ ମହାମାରୀ ସମୟରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ିକି ଚାଲିଗଲେ, ତାʼସହ ସେ ଯିହୋବାଙ୍କ ସେବା କରିବା ବି ଛାଡ଼ିଦେଲେ । ଏପରି ପରିସ୍ଥିତିରେ ଭଉଣୀ ପୂରା ଭାଙ୍ଗି ପଡ଼ିଥିଲେ । କିନ୍ତୁ ସେସମୟରେ ଯିହୋବା ତାଙ୍କୁ କିପରି ସମ୍ଭାଳିଲେ ? ଭଉଣୀ କହନ୍ତି, “ଯିହୋବା ମୋତେ କେବେ ବି ଏକୁଟିଆ ଛାଡ଼ିଲେ ନାହିଁ । ସେ ମୋ ସାଙ୍ଗମାନଙ୍କ ଜରିଆରେ ମୋର କେତେ ଯତ୍ନ ନେଲେ । ସେମାନେ ମୋ ସହ ସମୟ ବିତାଉ ଥିଲେ, ମୋ ପାଇଁ ଖାଇବା ଆଣି ଦେଉଥିଲେ ଓ ମୋର ଉତ୍ସାହ ବଢ଼ାଇବା ପାଇଁ ମୋତେ କିଛି ମେସେଜ କିମ୍ବା ବାଇବଲର ପଦଗୁଡ଼ିକ ଲେଖି ପଠାଉଥିଲେ । ଆଉ ଯେତେବେଳେ ମୋତେ ଭେଟୁଥିଲେ ତାଙ୍କ ମୁଁହରେ ହସ ରହୁଥିଲା । ମୋତେ ସବୁବେଳେ ମନେପକାଇ ଦେଉଥିଲେ ଯେ ଯିହୋବା ମୋ ପାଇଁ କେତେ ଚିନ୍ତା କରନ୍ତି । ମୁଁ ଯିହୋବାଙ୍କ କେତେ କୃତଜ୍ଞ ଯେ ସେ ମୋତେ ଏତେ ବଡ଼ ପରିବାର ଦେଇଛନ୍ତି ଯେଉଁମାନେ ମୋତେ ବହୁତ ପ୍ରେମ କରନ୍ତି ।”
୧୭. ‘ମୁଁ କୌଣସି ଆପଦକୁ ଭୟ କରିବି ନାହିଁ’ ଦାଉଦ ଏପରି କାହିଁକି କହିଲେ ?
୧୭ ‘ମୁଁ କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ ।’ ଦାଉଦଙ୍କ କେତେକ ଶତ୍ରୁ ବହୁତ ଶକ୍ତିଶାଳୀ ଥିଲେ । ଆଉ ଅନେକଥର ତାଙ୍କ ଜୀବନ ପ୍ରତି ବି ବିପଦ ଥିଲା । କିନ୍ତୁ ଯିହୋବା ଦାଉଦଙ୍କୁ ପ୍ରେମ କରୁଥିଲେ, ତେଣୁ ସେ ସୁରକ୍ଷିତ ଅନୁଭବ କରିପାରିଲେ । ଦାଉଦ ଦେଖିପାରିଲେ ଯେ ଯିହୋବା କିପରି ସବୁ ପରିସ୍ଥିତିରେ ତାଙ୍କୁ ସମ୍ଭାଳୁଛନ୍ତି ତେଣୁ ତାଙ୍କୁ ବହୁତ ସାନ୍ତ୍ୱନା ମିଳିଲା । ସେଥିପାଇଁ ସେ କହିଲେ, ‘ସଦାପ୍ରଭୁ ମୋହର ସବୁ ଭୟରୁ ମୋତେ ଉଦ୍ଧାର କଲେ ।’ (ଗୀତ. ୩୪:୪) ବେଳେବେଳେ ଦାଉଦଙ୍କୁ ବି ଡର ଲାଗୁଥିଲା କିନ୍ତୁ ତାଙ୍କୁ ଜଣାଥିଲା ଯେ ଯିହୋବା ତାଙ୍କୁ ବହୁତ ପ୍ରେମ କରନ୍ତି, ସେଥିପାଇଁ ସେ ନିଜ ଡରକୁ କାବୁ କରିପାରିଲେ ।
୧୮. ଯେବେ ଆମକୁ ଡର ଲାଗେ, ସେସମୟରେ ଯିହୋବାଙ୍କ ପ୍ରେମକୁ ମନେ ରଖିଲେ ଆମକୁ କିପରି ସାହସ ମିଳିବ ?
୧୮ ବେଳେବେଳେ ଏମିତି ହୁଏ ଯେ ଆମେ ବହୁତ ଡରିଯାଉ । କିନ୍ତୁ ଯଦି ଆମେ ଭରସା କରୁ ଯେ ଯିହୋବା ଆମକୁ ପ୍ରେମ କରନ୍ତି ତାହେଲେ ଆମକୁ ସାହସ ମିଳେ । ଏହାକୁ ବୁଝିବା ପାଇଁ ଭଉଣୀ ସୁଜିଙ୍କ ଉଦାହରଣ ଦେଖିବା ଯିଏ ଅଗ୍ରଦୂତ ସେବା କରନ୍ତି । ଯେବେ ତାଙ୍କ ପୁଅ ଆତ୍ମହତ୍ୟା କଲା ତେବେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ କିପରି ଲାଗିଲା । ସେ କହନ୍ତି, “ଯେବେ କୌଣସି ଅଘଟଣ ଘଟେ ତେବେ ବଡ଼ ଧକ୍କା ଲାଗେ । ଆପଣ ନିଜକୁ ସମ୍ଭାଳି ପାରନ୍ତି ନାହିଁ ଏବଂ ହୁଏତ ଆପଣଙ୍କୁ ଚିନ୍ତା ହେବାକୁ ଲାଗେ ଯେ ଆଗକୁ ବି ଏପରି କିଛି ନ ହେଉ । କିନ୍ତୁ ସେସମୟରେ ଯିହୋବା ଅତି ପ୍ରେମର ସହ ଆମକୁ ସମ୍ଭାଳିଲେ । ଆମକୁ ଏପରି ଲାଗୁଥିଲା ଯେପରି ଯିହୋବା ଆମକୁ ପୂରା ସୁରକ୍ଷା ଦେଇଛନ୍ତି ।” ଭଉଣୀ ରେଚଲ ଯାହାଙ୍କ ବିଷୟରେ ପୂର୍ବେ ଚର୍ଚ୍ଚା କରାଯାଇଥିଲା, ସେ କହନ୍ତି, “ଥରେ ରାତିରେ ମୁଁ ବହୁତ ଦୁଃଖି ହୋଇଗଲି । ମୋତେ ବହୁତ ଚିନ୍ତା ହେଉଥିଲା ଓ ଡର ବି ଲାଗୁଥିଲା । ମୁଁ କାନ୍ଦି କାନ୍ଦି ଯିହୋବାଙ୍କୁ ପ୍ରାର୍ଥନା କଲି । ସେସମୟରେ ମୋତେ ଏପରି ଲାଗିଲା ଯେପରି ଯିହୋବା ଜଣେ ମାଆ ଭଳି ଅତି ପ୍ରେମର ସହ ମୋତେ କୋଳରେ ଧରିଛନ୍ତି । ମୁଁ ପୂରା ଶାନ୍ତ ହୋଇଗଲି ଆଉ ଆରାମରେ ଶୋଇ ପଡ଼ିଲି । ସେ କଥା ମୁଁ କେବେ ବି ଭୂଲିପାରିବି ନାହିଁ ।” ତାସୋସ ନାମକ ଜଣେ ପ୍ରାଚୀନ ସେନାରେ ଭର୍ତ୍ତି ହେବା ପାଇଁ ମନା କରି ଦେଇଥିଲେ, ତେଣୁ ତାଙ୍କୁ ଚାରି ବର୍ଷ ପାଇଁ ଜେଲ ହୋଇଗଲା । ସେସମୟରେ ଭାଇ ଏହା କିପରି ଅନୁଭବ କରିପାରିଲେ ଯେ ଯିହୋବା ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କ ଚିନ୍ତା କରନ୍ତି ? ଭାଇ କହନ୍ତି, “ଯିହୋବା ମୋର ସବୁ ଆବଶ୍ୟକତାଗୁଡ଼ିକର ଧ୍ୟାନ ରଖିଲେ, ବରଂ ତାʼଠାରୁ ବି ଅଧିକ ସେ ମୋ ପାଇଁ କଲେ । ଏହା ଯୋଗୁଁ ମୁଁ ତାଙ୍କ ଉପରେ ଆହୁରି ଅଧିକ ଭରସା କରିବାକୁ ଲାଗିଲି । ଜେଲର ପରିସ୍ଥିତି ବହୁତ ଖରାପ ଥିଲା ତଥାପି ଯିହୋବାଙ୍କ ପବିତ୍ର ଶକ୍ତି ସାହାଯ୍ୟରେ ମୁଁ ଖୁସିରେ ରହିପାରିଲି । ଏହିପରି ଭାବରେ ବୁଝିଗଲି ଯେ ମୁଁ ଯେତେ ଅଧିକ ଯିହୋବାଙ୍କୁ ଭରସା ଓ ପ୍ରେମ କରିବି ସେତେ ଅଧିକ ତାଙ୍କ ପ୍ରେମକୁ ଅନୁଭବ କରିପାରିବି । ସେଥିପାଇଁ ଜେଲରେ ଥିବା ବେଳେ ହିଁ ମୁଁ ଅଗ୍ରଦୂତ ସେବା ଆରମ୍ଭ କରିଦେଲି ।”
ଯିହୋବାଙ୍କ ନିକଟତର ହୁଅନ୍ତୁ
୧୯. (କ) ଯଦି ଆମକୁ ଯିହୋବାଙ୍କ ପ୍ରେମ ଉପରେ ଭରସା ଥିବ, ତେବେ ଆମେ କିଭଳି ପ୍ରାର୍ଥନା କରିବା ? (ଖ) ଯିହୋବାଙ୍କ ପ୍ରେମ ବିଷୟରେ କେଉଁ କଥା ଆପଣଙ୍କ ହୃଦୟକୁ ଛୁଇଁଯାଏ ? (“ ଏପରି ପଦଗୁଡ଼ିକ ଯାହା ଯିହୋବାଙ୍କ ପ୍ରେମକୁ ଅନୁଭବ କରାଏ” ନାମକ ବକ୍ସ ଦେଖନ୍ତୁ ।)
୧୯ ଆମେ ଯେଉଁ ଉଦାହରଣଗୁଡ଼ିକ ଉପରେ ଚର୍ଚ୍ଚା କଲୁ ସେଥିରୁ ପ୍ରମାଣିତ ହୁଏ ଯେ ‘ପ୍ରେମର ଈଶ୍ୱର’ ଯିହୋବା ସବୁବେଳେ ଆମ ସାଙ୍ଗରେ ଅଛନ୍ତି । (୨ କରି. ୧୩:୧୧) ସେ ଆମ ମଧ୍ୟରୁ ପ୍ରତ୍ୟେକଙ୍କ ଉପରେ ଧ୍ୟାନ ଦିଅନ୍ତି । ଆମକୁ ପୂରା ଭରସା ଅଛି ଯେ ସେ ଆମ ‘ଚତୁର୍ଦ୍ଦିଗରେ ସ୍ନେହ ବେଷ୍ଟନ କରିବେ ।’ (ଗୀତ. ୩୨:୧୦) ଆମେ ଯେତେ ଅଧିକ ଏବିଷୟରେ ଭାବିବା ଯେ ସେ କିଭଳି ଆମକୁ ପ୍ରେମ କଲେ, ସେତେ ଅଧିକ ସେ ଆମ ପାଇଁ ଆହୁରି ଅସଲ ହୋଇଯିବେ ଆଉ ଆମେ ତାଙ୍କର ଆହୁରି ନିକଟତର ଅନୁଭବ କରିବା । ଆମେ ତାଙ୍କୁ ମନଖୋଲି ପ୍ରାର୍ଥନା କରିପାରିବା ଆଉ ତାଙ୍କୁ କହିପାରିବା ଯେ ଆମକୁ ତାଙ୍କ ପ୍ରେମର କେତେ ଆବଶ୍ୟକ ଅଛି । ଆମେ ତାଙ୍କୁ ନିଜର ସବୁ ଚିନ୍ତା କହିପାରିବା ଓ ଭରସା କରିପାରିବା ଯେ ସେ ଆମକୁ ବୁଝନ୍ତି ଓ ଆମକୁ ସାହାଯ୍ୟ କରିବା ପାଇଁ ଉତ୍ସୁକ ଅଛନ୍ତି ।—ଗୀତ. ୧୪୫:୧୮, ୧୯.
୨୦. ଯିହୋବାଙ୍କ ପ୍ରେମ ଆମକୁ କିପରି ତାଙ୍କ ଆଡ଼କୁ ଆକର୍ଷିତ କରେ ?
୨୦ ଯଦି ଶୀତ ଦିନରେ କୌଣସି ଜାଗାରେ ନିଆଁ ଜଳୁଥାଏ, ତେବେ ଆମେ ସେଆଡ଼କୁ ଆକର୍ଷିତ ହୋଇଥାଉ । ଠିକ୍ ସେହିପରି ଯିହୋବାଙ୍କ ପ୍ରେମ ଏହି ଦୁନିଆରେ ନିଆଁ ଭଳି କାମ କରେ ଓ ଆମକୁ ନିଜ ଆଡ଼କୁ ଆକର୍ଷିତ କରେ । ଏହି ପ୍ରେମରେ ବହୁତ ଶକ୍ତି ଅଛି କିନ୍ତୁ ଏହା ବହୁତ କୋମଳ ବି ଅଟେ । ସତରେ, ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ! ଆସନ୍ତୁ ଆମେ ବି ହୃଦୟରୁ କହିବା, “ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ ।”—ଗୀତ. ୧୧୬:୧.
ଆପଣ କʼଣ ଉତ୍ତର ଦେବେ ?
-
ଆପଣ ଯିହୋବାଙ୍କ ପ୍ରେମ ବିଷୟରେ କʼଣ କହିବେ ?
-
ଆପଣଙ୍କୁ ଯିହୋବାଙ୍କ ପ୍ରେମ ଉପରେ କାହିଁକି ଭରସା ଅଛି ?
-
ଯିହୋବାଙ୍କ ପ୍ରେମ ଅନୁଭବ କରି ଆପଣଙ୍କୁ କିପରି ଲାଗେ ?
ଗୀତ ୧୦୮ ୟହୋୱା କା ଅଟଲ ପ୍ୟାର୍
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।