ଅଧ୍ୟୟନ ଲେଖା ୩
ଗୀତ ୧୨୪ ହାମ୍ ନିଭାଏଙ୍ଗେ ୱଫା
ସମସ୍ୟା ସମୟରେ ଯିହୋବା ଆମକୁ ଏକୁଟିଆ ଛାଡ଼ନ୍ତି ନାହିଁ
“ହେ ସଦାପ୍ରଭୋ, ତୁମ୍ଭର ଦୟା ମୋତେ ଧରି ରଖିଲା ।”—ଗୀତ ୯୪:୧୮.
କʼଣ ଶିଖିବା ?
ଆମେ ସମସ୍ୟା ସମୟରେ ଯିହୋବାଙ୍କଠୁ ସାହାଯ୍ୟ ପାଇବା ପାଇଁ କʼଣ କରିପାରିବା ?
୧-୨. ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କୁ ହୁଏତ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିପାରେ ?
ଯେବେ ଆମ ଜୀବନରେ ହଠାତ୍ ଅନେକ ସମସ୍ୟା ଆସେ, ତେବେ ରାତାରାତି ଆମ ଜୀବନ ବଦଳି ଯାଏ । ଭାଇ ଲୁଇସ୍ଙ୍କ a ସହ ବି ଏପରି ହିଁ କିଛି ହେଲା । ସେ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଥିଲେ । ଦିନେ ଡାକ୍ତର କହିଲେ ଯେ ତାଙ୍କୁ କ୍ୟାନସର ହୋଇଛି । ଆଉ ସେ କେବଳ କିଛି ଦିନ ହିଁ ବଞ୍ଚିପାରିବେ । ଭଉଣୀ ମୋନିକା ଓ ତାଙ୍କ ସ୍ୱାମୀ ଉତ୍ସାହର ସହ ଯିହୋବାଙ୍କ ସେବା କରୁଥିଲେ । ତାଙ୍କ ସ୍ୱାମୀ ଜଣେ ପ୍ରାଚୀନ ଥିଲେ । କିନ୍ତୁ ଦିନେ ଭଉଣୀଙ୍କୁ ଜଣାପଡ଼ିଲା ଯେ ଅନେକ ବର୍ଷ ଯାଏଁ ତାଙ୍କ ସ୍ୱାମୀ ଲୁଚିଛପି ପାପ କରୁଥିଲେ । ଅଲିଭିଆ ନାମକ ଜଣେ ଅବିବାହିତ ଭଉଣୀଙ୍କୁ ଦିନେ ବାଧ୍ୟ ହୋଇ ନିଜ ଘର ଛାଡ଼ି ଯିବାକୁ ପଡ଼ିଲା, କାରଣ ତାଙ୍କ ଅଞ୍ଚଳରେ ଗୋଟେ ବଡ଼ ତୋଫାନ ଆସିବାର ଥିଲା । ଆଉ ଯେବେ ଭଉଣୀ ନିଜ ଘରକୁ ଫେରି ଆସିଲେ, ତେବେ ସେ ଦେଖିଲେ ଯେ ତାଙ୍କ ଘର ପୂରାପୂରି ନଷ୍ଟ ହୋଇଯାଇଛି । ଏହି ଭାଇଭଉଣୀମାନଙ୍କ ଜୀବନ କିଛି ସମୟରେ ହିଁ ଓଲଟପାଲଟ ହୋଇଗଲା । ହୋଇପାରେ ଆପଣ ବି କିଛି ଏପରି ହିଁ ସମସ୍ୟାର ସାମନା କରିଥିବେ । ତାହେଲେ ଆପଣ ଭଲଭାବରେ ବୁଝିପାରିବେ ଯେ ଯେବେ ଜଣେ ବ୍ୟକ୍ତି ସହ ଏପରି କିଛି ହୁଏ, ତାହେଲେ ତାକୁ କିପରି ଲାଗେ ।
୨ ଦୁନିଆର ଲୋକମାନଙ୍କ ଭଳି ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ । ତାʼଛଡ଼ା ଅନେକ ଲୋକ ଆମର ବିରୋଧ କରନ୍ତି କିମ୍ବା ଆମ ଉପରେ ଅତ୍ୟାଚାର କରନ୍ତି କାରଣ ଆମେ ଯିହୋବାଙ୍କ ସେବା କରୁ । ଯିହୋବା ହୁଏତ ଆମକୁ ଏପରି ସମସ୍ୟାଗୁଡ଼ିକରୁ ରକ୍ଷା କରିବେନି, କିନ୍ତୁ ସେ ପ୍ରତିଜ୍ଞା କରିଛନ୍ତି ଯେ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଆମକୁ ନିଶ୍ଚୟ ସାହାଯ୍ୟ କରିବେ । (ଯିଶା. ୪୧:୧୦) ତାଙ୍କ ସାହାଯ୍ୟରୁ ଆମେ ସମସ୍ୟା ସମୟରେ ମଧ୍ୟ ଖୁସି ରହିପାରିବା, ସଠିକ୍ ନିଷ୍ପତ୍ତି ନେଇପାରିବା ଓ ତାଙ୍କ ବିଶ୍ୱସ୍ତ ରହିପାରିବା । ତାହେଲେ ଯେବେ ଆମେ ସମସ୍ୟାଗୁଡ଼ିକରେ ଘେରି ରହୁ, ତେବେ ଯିହୋବା ଆମକୁ କିପରି ସାହାଯ୍ୟ କରନ୍ତି ? ଏହି ଲେଖାରେ ଏହାର ଚାରୋଟି ଉପାୟ ଉପରେ ଧ୍ୟାନ ଦେବା । ଆମେ ଏହା ବି ଜାଣିବା ଯେ ଯିହୋବାଙ୍କ ସାହାଯ୍ୟ ନେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ।
ଯିହୋବା ଆପଣଙ୍କର ସୁରକ୍ଷା କରିବେ
୩. ଯେବେ ଆମ ସହିତ ଅଭାବନୀୟ ଘଟଣାଗୁଡ଼ିକ ଘଟେ, ତେବେ ହୁଏତ ଆମ ପାଇଁ କʼଣ କରିବା କଠିନ ହୋଇଯିବ ?
୩ ଏପରି ସମସ୍ୟା ସମୟରେ କʼଣ ହୋଇପାରେ ? ଯେବେ ଏପରି ଅଭାବନୀୟ ଘଟଣାଗୁଡ଼ିକ ଘଟେ, ତେବେ ଆମ ଜୀବନ ଓଲଟପାଲଟ ହୋଇଯାଏ ଯାହାଯୋଗୁଁ ଆମେ ହୁଏତ ଭଲଭାବେ ଭାବି ପାରି ନ ଥାଉ ଏବଂ ସଠିକ୍ ନିଷ୍ପତ୍ତି ନେଇ ପାରି ନ ଥାଉ କାରଣ ଆମ ହୃଦୟକୁ ବହୁତ କଷ୍ଟ ପହଞ୍ଚି ଥାଏ । ଆଉ ଆମେ ଏତେ ଚିନ୍ତାରେ ବୁଡ଼ିଯାଉ ଯେ ଆମ ମୁଣ୍ଡ ବି କାମ କରେ ନାହିଁ । ଏପରି ସମୟରେ ହୁଏତ ଆମକୁ ଲାଗିପାରେ ଯେ ଆମ ଚାରିଆଡ଼େ ଏତେ କୁହୁଡ଼ି ଅଛି ଯେ ଆମକୁ ରାସ୍ତା ହିଁ ଜଣାପଡ଼ୁନି । ଧ୍ୟାନ ଦିଅନ୍ତୁ ଯେ ଆମେ ଯେଉଁ ଭଉଣୀମାନଙ୍କ ବିଷୟରେ ଉପର ପାରାଗ୍ରାଫରେ ଚର୍ଚ୍ଚା କଲୁ, ସେମାନେ ଯେତେବେଳେ ସମସ୍ୟାର ସାମନା କଲେ ସେସମୟରେ ସେମାନଙ୍କୁ କିପରି ଲାଗିଲା । ଭଉଣୀ ଅଲିଭିଆ କହନ୍ତି, “ଯେବେ ମୋ ଘର ତୋଫାନରେ ନଷ୍ଟ ହୋଇଗଲା, ତେବେ ମୋତେ ଲାଗିଲା ଯେପରି ସବୁକିଛି ଶେଷ ହୋଇଯାଇଛି । ମୁଁ କʼଣ କରିବି, କୁଆଡ଼େ ଯିବି କିଛି ବୁଝାପଡ଼ୁନି ।” ଆଉ ଧ୍ୟାନ ଦିଅନ୍ତୁ ଯେ ଯେବେ ଭଉଣୀ ମୋନିକାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଲେ, ତେବେ ଭଉଣୀଙ୍କୁ କିପରି ଲାଗିଲା, ସେ କହନ୍ତି, “ମୁଁ ସ୍ୱପ୍ନରେ ବି ଭାବି ନ ଥିଲି ଯେ ମୋ ସ୍ୱାମୀ ମୋ ସହ ଏପରି କରିବେ । ଏହି ଘଟଣା ମୋତେ ଭିତରୁ ପୂରାପୂରି ଭାଙ୍ଗି ଦେଇଥିଲା । ମୋତେ ପ୍ରତିଦିନ ଜୀବନ କଟାଇବା ବହୁତ କଠିନ ଲାଗୁଥିଲା ।” ଏପରି ସମୟରେ ବି ଆପଣ ଭରସା କରିପାରିବେ ଯେ ଯିହୋବା ଆପଣଙ୍କର ସାହାଯ୍ୟ କରିବେ ।
୪. ଫିଲିପ୍ପୀୟ ୪:୬, ୭ ପଦ ଅନୁସାରେ ଯିହୋବା ଆମକୁ କʼଣ ପ୍ରତିଜ୍ଞା କରିଛନ୍ତି ?
୪ ଯିହୋବା କିପରି ସାହାଯ୍ୟ କରନ୍ତି ? ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ଏପରି ଶାନ୍ତି ଦେବେ ଯାହାକୁ ବାଇବଲରେ “ଈଶ୍ୱରଙ୍କ ଶାନ୍ତି” ବୋଲି କୁହାଯାଇଛି । (ଫିଲିପ୍ପୀୟ ୪:୬, ୭ ପଢ଼ନ୍ତୁ ।) ଏହା ଏପରି ଶାନ୍ତି ଅଟେ ଯାହା ଆମକୁ ସେସମୟରେ ମିଳେ ଯେବେ ଯିହୋବାଙ୍କ ସହ ଆମ ସମ୍ପର୍କ ଦୃଢ଼ ରହିଥାଏ । ଏହି ଶାନ୍ତି “ସମସ୍ତ ବୋଧର ଅଗମ୍ୟ” ଅଟେ ଅର୍ଥାତ୍ ଏହା ଏପରି ଅନୁଭବ ଅଟେ ଯାହା ବିଷୟରେ ଆମେ କଳ୍ପନା ବି କରିପାରିବାନି । କʼଣ କେବେ ଆପଣଙ୍କ ସହ ଏପରି ହୋଇଛି ଯେ ଆପଣ ଯିହୋବାଙ୍କୁ ହୃଦୟ ଖୋଲି ପ୍ରାର୍ଥନା କଲା ମାତ୍ରେ ଆପଣଙ୍କ ମନ ଶାନ୍ତ ହୋଇଗଲା ? ଯଦି ଆପଣ ଏପରି ଅନୁଭବ କରିଛନ୍ତି ତେବେ ଏହା ହିଁ “ଈଶ୍ୱରଙ୍କ ଶାନ୍ତି” ଅଟେ ।
୫. ଈଶ୍ୱରଙ୍କ ଶାନ୍ତି ଆମ ମନ ଓ ହୃଦୟକୁ କିପରି ସୁରକ୍ଷା କରେ ?
୫ ଫିଲିପ୍ପୀୟ ୪:୭ ପଦରେ ଏହା ବି କୁହାଯାଇଛି ଯେ ଈଶ୍ୱରଙ୍କ ଶାନ୍ତି “ତୁମ୍ଭର ମନ ଓ ହୃଦୟକୁ ସୁରକ୍ଷା କରି ରଖିବ ।” ଏଠାରେ ଯେଉଁ ଶବ୍ଦର ଅନୁବାଦ “ସୁରକ୍ଷା କରି ରଖିବ” କରାଯାଇଛି, ତାହା ପ୍ରାୟତଃ ସେହି ସୈନିକମାନଙ୍କ ପାଇଁ ବ୍ୟବହାର କରାଯାଉଥିଲା ଯେଉଁମାନେ ସହରର ଫାଟକ ବାହାରେ ପ୍ରହରୀ ଦେବା ପାଇଁ ଛିଡ଼ା ହେଉଥିଲେ, ଯାହାଫଳରେ ଶତ୍ରୁମାନେ ଦେଶ ଉପରେ ଆକ୍ରମଣ କରିପାରିବେନି । ଆଉ ଏହି କଥା ସହରର ଲୋକମାନଙ୍କୁ ଜଣାଥିଲା, ତେଣୁ ସେମାନେ ଶାନ୍ତିରେ ଶୋଇ ପାରୁଥିଲେ । ସେହିଭଳି ଯେବେ ଆମକୁ ଜଣାଥାଏ ଯେ ଈଶ୍ୱରଙ୍କ ଶାନ୍ତି ଆମ ମନ ଓ ହୃଦୟକୁ ସୁରକ୍ଷା କରେ, ତେବେ ଆମେ ସୁରକ୍ଷିତ ଅନୁଭବ କରୁ । (ଗୀତ. ୪:୮) ଆଉ ଯଦି ହାନ୍ନାଙ୍କ ଭଳି ଆମ ପରିସ୍ଥିତି ହଠାତ୍ ବଦଳେ ନାହିଁ ତେବେ ବି ଆମେ ଏହି ଶାନ୍ତିକୁ ଅନୁଭବ କରିପାରୁ । (୧ ଶାମୁ. ୧:୧୬-୧୮) ଆଉ ଯେବେ ଆମ ମନ ଶାନ୍ତ ରହେ, ତେବେ ପ୍ରାୟ ଆମେ ଭଲଭାବେ ଭାବିପାରୁ ଓ ସଠିକ୍ ନିଷ୍ପତ୍ତି ନେଇପାରୁ ।
୬. ଈଶ୍ୱରଙ୍କ ଶାନ୍ତି ପାଇବା ପାଇଁ ଆମେ କʼଣ କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଆମକୁ କʼଣ କରିବାକୁ ପଡ଼ିବ ? ଯେବେ ଆପଣଙ୍କ ମନ ବ୍ୟାକୁଳ ରହେ, ତେବେ ‘ଦ୍ୱାରପାଳକୁ’ ଡାକନ୍ତୁ । ତାʼଅର୍ଥ ଯେବେ ଯାଏଁ ଆପଣଙ୍କୁ ଈଶ୍ୱରଙ୍କ ଶାନ୍ତି ନ ମିଳେ ସେସମୟ ଯାଏଁ ପ୍ରାର୍ଥନା କରନ୍ତୁ । (ଲୂକ ୧୧:୯; ୧ ଥେସ. ୫:୧୭) ପୁଣିଥରେ ଭାଇ ଲୁଇସ୍ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି ଯେ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଯେବେ ଜଣାପଡ଼ିଲା ଯେ ସେ କିଛି ମାସ ହିଁ ବଞ୍ଚିବେ, ତେବେ ସେମାନେ କʼଣ କଲେ । ସେ କହନ୍ତି, “ଏପରି ସମୟରେ ଚିକିତ୍ସା ଓ ଅନ୍ୟ ମାମଲାକୁ ନେଇ କୌଣସି ନିଷ୍ପତ୍ତି ନେବା ବହୁତ କଠିନ ହୁଏ, କିନ୍ତୁ ପ୍ରାର୍ଥନା କରିବା ଯୋଗୁଁ ଆମକୁ ସେହି ଶାନ୍ତି ମିଳିଲା ଯାହାର ଆମକୁ ଆବଶ୍ୟକ ଥିଲା ।” ଭାଇ ଓ ତାଙ୍କ ସ୍ତ୍ରୀ ବାରମ୍ବାର ହୃଦୟ ଖୋଲି ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ସେ ତାଙ୍କୁ ମନର ଶାନ୍ତି ଓ ବୁଦ୍ଧି ଦିଅନ୍ତୁ, ଯାହାଫଳରେ ସେମାନେ ସଠିକ୍ ନିଷ୍ପତ୍ତି ନେଇପାରିବେ । ଆଉ ଯିହୋବା ତାଙ୍କ ପ୍ରାର୍ଥନା ଶୁଣିଲେ । ଯଦି ଆପଣ ବି କୌଣସି ସମସ୍ୟାର ସାମନା କରୁଛନ୍ତି ତେବେ “ନିରନ୍ତର” ତାଙ୍କୁ ପ୍ରାର୍ଥନା କରନ୍ତୁ, ତେବେ ଯିହୋବା ଆପଣଙ୍କୁ ଏପରି ଶାନ୍ତି ଦେବେ ଯାହା ଆପଣଙ୍କ ମନ ଓ ହୃଦୟକୁ ସୁରକ୍ଷା କରିବ ।—ରୋମୀ. ୧୨:୧୨.
ଯିହୋବା ଆପଣଙ୍କୁ ସମ୍ଭାଳିବେ
୭. ଯେବେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ତେବେ ହୁଏତ ଆମକୁ କେଉଁଭଳି ଭାବନା ସହ ଲଢ଼ିବାକୁ ପଡ଼ିପାରେ ?
୭ ଏପରି ସମସ୍ୟା ସମୟରେ କʼଣ ହୋଇପାରେ ? ଯେତେବେଳେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ତେବେ ଆମେ ଭଲଭାବେ ଭାବି ପାରି ନ ଥାଉ । ଆଉ ତାʼସହ ଆମ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସେ । ଆଉ ଆମକୁ ହୁଏତ ଅନେକ ଭାବନା ସହିତ ମଧ୍ୟ ଲଢ଼ିବାକୁ ପଡ଼ିପାରେ । ଭାଇ ଲୁଇସ୍ଙ୍କ ମୃତ୍ୟୁ ପରେ ଭଉଣୀ ଏନାଙ୍କୁ ବି ଏପରି ହିଁ ଭାବନା ସହିତ ଲଢ଼ିବାକୁ ପଡ଼ିଥିଲା । ସେ କହିଲେ, ଅନେକଥର ମୋତେ ବହୁତ ଏକୁଟିଆ ଲାଗୁଥିଲା । ନିଜ ପରିସ୍ଥିତିକୁ ନେଇ ମୁଁ ବହୁତ ଅବଶୋଷ କରୁଥିଲି ଆଉ ବେଳେବେଳେ ମୋତେ ବହୁତ ରାଗ ଲାଗୁଥିଲା ଯେ ମୋ ସ୍ୱାମୀ କାହିଁକି ମୋତେ ଛାଡ଼ିକି ଚାଲିଗଲେ । ବେଳେବେଳେ ଭଉଣୀ ଏନା ଏକୁଟିଆ ରହିବା ଯୋଗୁଁ ବହୁତ ନିରାଶ ହୋଇଯାଉଥିଲେ ଆଉ ତାଙ୍କୁ ଯେବେ ଏପରି କିଛି ନିଷ୍ପତ୍ତି ନେବାକୁ ପଡ଼ୁଥିଲା ଯାହା ଭାଇ ଲୁଇସ୍ ନେଉଥିଲେ ସେସମୟରେ ସେ ବହୁତ ଚିନ୍ତାରେ ପଡ଼ିଯାଉଥିଲେ । ତାଙ୍କୁ ଅନେକଥର ଏପରି ଲାଗୁଥିଲା ଯେପରି ସମସ୍ୟା ତାଙ୍କୁ ଘେରି ରଖିଛି । ଯେବେ ଆମେ କୌଣସି ଚିନ୍ତା ଓ ସମସ୍ୟାରୁ ବାହାରି ପାରି ନ ଥାଉ, ତେବେ ଯିହୋବା କିପରି ଆମକୁ ସାହାଯ୍ୟ କରନ୍ତି ?
୮. ଗୀତସଂହିତା ୯୪:୧୮ ପଦ ଅନୁସାରେ ଯିହୋବା ଆମକୁ କେଉଁ କଥାର ଭରସା କରାନ୍ତି ?
୮ ଯିହୋବା କିପରି ସାହାଯ୍ୟ କରନ୍ତି ? ସେ ଆମକୁ ଭରସା କରାନ୍ତି ଯେ ସେ ଆମକୁ ସମ୍ଭାଳିବେ । (ଗୀତସଂହିତା ୯୪:୧୮ ପଢ଼ନ୍ତୁ ।) ଯେବେ ଗୋଟିଏ ଜାହାଜ ଝଡ଼ ତୋଫାନରେ ଫସିଯାଏ, ତେବେ ସେ ଗୋଟେ ଜାଗାରେ ସ୍ଥିର ରହିପାରେନି । ତେଣୁ ଅନେକ ଜାହାଜ ତଳେ ଦୁଇପଟେ ଗୋଟେ ପ୍ରକାରର ଯନ୍ତ୍ର (ଷ୍ଟେବଲାଇଜର) ଲଗାଯାଇଥାଏ । ତେଣୁ ଝଡ଼ ତୋଫାନ ସମୟରେ ଜାହାଜ ଟିକେ ସମ୍ଭଳି ଯାଏ । ଏବଂ ସେଠାରେ ଥିବା ଲୋକମାନେ ସୁରକ୍ଷିତ ଅନୁଭବ କରନ୍ତି । କିନ୍ତୁ ପ୍ରାୟତଃ ଏହି ଯନ୍ତ୍ର ସେହି ସମୟରେ ଅଧିକ ଭଲଭାବେ କାମ କରେ ଯେବେ ଜାହାଜ ଲଗାତାର ଆଗକୁ ବଢ଼ୁଥାଏ । ସେହିପରି ଯଦି ସମସ୍ୟା ସମୟରେ ଆମେ ଆଗକୁ ବଢ଼ୁଥିବା ଅର୍ଥାତ୍ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଥିବା ତେବେ ଯାଇ ଯିହୋବା ଆମକୁ ବି ସମ୍ଭାଳିବେ ।
୯. ଅନୁସନ୍ଧାନ କରିବା ଦ୍ୱାରା ଆମେ କିପରି ନିଜକୁ ସମ୍ଭାଳିପାରୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୯ ଆମକୁ କʼଣ କରିବାକୁ ପଡ଼ିବ ? ଯେବେ ଆପଣଙ୍କୁ ଲାଗେ ଯେ ଆପଣ ନିଜ ଭାବନାକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି, ତେବେ ଲଗାତାର ପ୍ରାର୍ଥନା କରନ୍ତୁ, ସଭାକୁ ଯାʼନ୍ତୁ ଓ ପ୍ରଚାର କରିବା ପାଇଁ ପୂରା ଚେଷ୍ଟା କରନ୍ତୁ । ହୁଏତ ଆପଣ ଆଗ ଭଳି କରିପାରିବେନି, କିନ୍ତୁ ମନେରଖନ୍ତୁ ଯେ ଯିହୋବା କେବେ ବି ଆମଠାରୁ ଏପରି କିଛି କରିବା ପାଇଁ ଆଶା କରନ୍ତି ନାହିଁ ଯାହା ଆମେ କରିପାରିବାନି । (ଲୂକ ୨୧:୧-୪ ପଦ ସହ ତୁଳନା କରନ୍ତୁ ।) ବ୍ୟକ୍ତିଗତ ଅଧ୍ୟୟନ ଓ ଚିନ୍ତନ କରିବା ପାଇଁ ମଧ୍ୟ ସମୟ ନିର୍ଦ୍ଦିଷ୍ଟ କରନ୍ତୁ । କାରଣ ଯିହୋବା ନିଜ ସଙ୍ଗଠନ ଜରିଆରେ ବାଇବଲ ଆଧାରିତ ଅନେକଗୁଡ଼ିଏ ତଥ୍ୟ ଦେଇଛନ୍ତି ଯାହା ସାହାଯ୍ୟରେ ଆମେ ତୋଫାନ ଭଳି ସମସ୍ୟାରେ ନିଜକୁ ସମ୍ଭାଳି ପାରିବା । ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କ ଗବେଷଣା ଗାଇଡ୍ ଓ JW ଲାଇବ୍ରେରୀ ଆପ୍ରେ ମଧ୍ୟ ଅନୁସନ୍ଧାନ କରି ଏପରି ଅନେକ ତଥ୍ୟ ପାଇପାରିବେ, ଯାହା ଆପଣଙ୍କୁ ଦରକାର ଅଛି । ପୁଣିଥରେ ଭଉଣୀ ମୋନିକାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି ଯେ ଯେବେ ତାଙ୍କୁ ଲାଗୁଥିଲା ଯେ ସେ ନିଜ ଭାବନାକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି, ତେବେ ସେ ଅନୁସନ୍ଧାନ କରୁଥିଲେ । ଯେପରି ବେଳେବେଳେ ସେ ରାଗ, ଧୋକା, ଓ ବିଶ୍ୱସ୍ତ ଭଳି ଶବ୍ଦ ଟାଇପ୍ କରୁଥିଲେ । ତାʼପରେ ସାନ୍ତ୍ୱନା ନ ମିଳିବା ଯାଏଁ ସେ ସେହି ଲେଖାଗୁଡ଼ିକୁ ପଢ଼ୁଥିଲେ । ସେ କହନ୍ତି, “ଅନୁସନ୍ଧାନ କରିବା ସମୟରେ ମୁଁ ବହୁତ ଚିନ୍ତିତ ହୋଇଯାଉଥିଲି । କିଛି ବି ଶବ୍ଦ ଟାଇପ୍ କରିଦେଉଥିଲି । କିନ୍ତୁ କିଛି ସମୟ ପରେ ମୁଁ ଶାନ୍ତ ହୋଇଯାଉଥିଲି । ମୋତେ ଏପରି ଲାଗୁଥିଲା ଯେପରି ଯିହୋବା ମୋତେ ଧରି ରଖିଛନ୍ତି । ପଢ଼ୁ ପଢ଼ୁ ମୋତେ ଅନୁଭବ ହେଉଥିଲା ଯେ ଯିହୋବା ମୋ ଭାବନା ବୁଝନ୍ତି ଓ ମୋତେ ସାହାଯ୍ୟ କରୁଛନ୍ତି ।” ଯିହୋବାଙ୍କ ସାହାଯ୍ୟରେ ଆପଣ ବି ନିଜ ଭାବନାକୁ ନିୟନ୍ତ୍ରଣ କରିପାରିବେ ଓ ଆପଣଙ୍କ ମନ ଶାନ୍ତ ହୋଇପାରିବ ।—ଗୀତ. ୧୧୯:୧୪୩, ୧୪୪.
ଯିହୋବା ଆପଣଙ୍କୁ ସାହାରା ଦେବେ
୧୦. ଯେବେ ଆମେ କୌଣସି ସମସ୍ୟାର ସାମନା କରୁ, ତେବେ ହୁଏତ ଆମକୁ କିପରି ଲାଗିବ ?
୧୦ ଏପରି ସମସ୍ୟା ସମୟରେ କʼଣ ହୋଇପାରେ ? ଯେବେ ଆମେ କୌଣସି ସମସ୍ୟାର ସାମନା କରୁ ତେବେ ହୁଏତ ବେଳେବେଳେ ଆମକୁ ଭଲ ଲାଗିବ କିନ୍ତୁ ଆଉ କୌଣସି ଦିନ ଆମକୁ ଭାରି ଦୁଃଖ ଲାଗିବ । କିଛି କରିବା ପାଇଁ ଆମ ପାଖରେ ଶକ୍ତି ହିଁ ନ ଥିବ । ଆମେ ହୁଏତ ଏପରି ଖେଳାଳି ଭଳି ହୋଇଯାଉ, ଯିଏ ପୂର୍ବେ ବହୁତ ଭଲ ଖେଳୁଥିଲା କିନ୍ତୁ ଆଘାତ ପହଞ୍ଚିବା ଯୋଗୁଁ ସେ ଏପରି କରିପାରେନି । ପୂର୍ବେ ଆମକୁ ଯେଉଁ କାମ କରିବା ସହଜ ବା ଭଲ ଲାଗୁଥିଲା ସେହି କାମ କରିବା ପାଇଁ ଆମକୁ ହୁଏତ କଠିନ ଲାଗିବ କିମ୍ବା ତାହାକୁ କରିବା ପାଇଁ ଆମକୁ ଇଚ୍ଛା ହେବନି । ହୁଏତ ଏଲୀୟଙ୍କ ଭଳି ଆମ ଭିତରେ ଉଠିବା ପାଇଁ ଶକ୍ତି ହିଁ ନ ଥିବ । (୧ ରାଜା. ୧୯:୫-୭) କିନ୍ତୁ ଯିହୋବା ପ୍ରତିଜ୍ଞା କରନ୍ତି ଯେ ଯେତେବେଳେ ଆମେ ଦୁର୍ବଳ ହୋଇଯାଉ, ତେବେ ସେ ଆମକୁ ସାହାଯ୍ୟ କରିପାରିବେ ।
୧୧. ଯିହୋବା ଆଉ କିଭଳି ଆମର ସାହାଯ୍ୟ କରନ୍ତି ? (ଗୀତସଂହିତା ୧୮:୧୮)
୧୧ ଯିହୋବା କିପରି ସାହାଯ୍ୟ କରନ୍ତି ? ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ସାହାରା ଦେବେ । (ଗୀତସଂହିତା ୧୮:୧୮ ପଢ଼ନ୍ତୁ ।) ଯେବେ ଜଣେ ଖେଳାଳୀକୁ ଆଘାତ ଲାଗେ, ତେବେ ସେ ନିଜ ଶକ୍ତିରୁ ଚାଲିପାରେନି । ତାକୁ କାହାରି ସାହାରାର ଦରକାର ପଡ଼େ । ସେହିପରି ଯିହୋବାଙ୍କ ସେବା ଉତ୍ସାହର ସହ କରିବା ପାଇଁ ଆମକୁ ବି ହୁଏତ କାହାରି ସାହାରାର ଆବଶ୍ୟକ ପଡ଼ିପାରେ । ଯେବେ ଆମେ ଦୁର୍ବଳ ହୋଇଯାଉ ତେବେ ଯିହୋବା ଆମକୁ କହନ୍ତି, “ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭର ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, ଭୟ କର ନାହିଁ ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ।” (ଯିଶା. ୪୧:୧୩) ଯିହୋବା ରାଜା ଦାଉଦଙ୍କୁ ବି ସାହାଯ୍ୟ କଲେ । ଯେତେବେଳେ ଶତ୍ରୁମାନଙ୍କ ଯୋଗୁଁ ଦାଉଦଙ୍କ ଜୀବନ ବିପଦରେ ପଡ଼ିଥିଲା ଓ ସେ ଅନେକ ସମସ୍ୟାର ସାମନା କରୁଥିଲେ ତେବେ ସେ ଯିହୋବାଙ୍କୁ କହିଲେ, “ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖିଅଛି ।” (ଗୀତ. ୧୮:୩୫) କିନ୍ତୁ ଯିହୋବା ଆମକୁ କିପରି ଧରି ରଖନ୍ତି କିମ୍ବା ସାହାରା ଦିଅନ୍ତି ?
୧୨. ଯେବେ ଆମେ ଦୁର୍ବଳ ହୋଇଯାଉ, ତେବେ ହୁଏତ ଯିହୋବା କେଉଁମାନଙ୍କ ଜରିଆରେ ଆମକୁ ସାହାରା ଦିଅନ୍ତି ?
୧୨ ଅନେକଥର ଯିହୋବା ଆମକୁ ଅନ୍ୟମାନଙ୍କ ଜରିଆରେ ସାହାଯ୍ୟ କରନ୍ତି । ଥରେ ଯେବେ ଦାଉଦ ଦୁର୍ବଳ ହୋଇଯାଇଥିଲେ, ତେବେ ଯୋନାଥନ ତାଙ୍କୁ ଭେଟିବା ପାଇଁ ଆସିଲେ । ଆଉ ସେ ତାଙ୍କର ସାହସ ବଢ଼ାଇଲେ ଓ ତାଙ୍କୁ ସାହାରା ଦେଲେ । (୧ ଶାମୁ. ୨୩:୧୬, ୧୭) ଆଉ ଯେବେ ଏଲୀୟଙ୍କୁ ସାହାଯ୍ୟର ଦରକାର ଥିଲା, ତେବେ ଯିହୋବା ଇଲୀଶାୟଙ୍କ ଜରିଆରେ ତାଙ୍କୁ ସାହାଯ୍ୟ କଲେ । (୧ ରାଜା. ୧୯:୧୬, ୨୧; ୨ ରାଜା. ୨:୨) ଆଜି ଯିହୋବା ହୁଏତ ଆମ ପରିବାର ଲୋକେ ଓ ସାଙ୍ଗ କିମ୍ବା ପ୍ରାଚୀନମାନଙ୍କ ଜରିଆରେ ଆମକୁ ସାହାଯ୍ୟ କରିବେ । କିନ୍ତୁ ଯେତେବେଳେ ଆମେ ଦୁଃଖୀ ହୋଇଯାଉ, ସେସମୟରେ ହୁଏତ ଆମକୁ ଏକୁଟିଆ ରହିବାକୁ ଇଚ୍ଛା ହୁଏ, ଆଉ ଏହା ଭୁଲ ନୁହେଁ । କିନ୍ତୁ ଯିହୋବାଙ୍କଠାରୁ ସାହାରା ପାଇବା ପାଇଁ ଆମେ କʼଣ କରିପାରିବା ?
୧୩. ଯିହୋବାଙ୍କ ସାହାରା ନେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ଆମକୁ କʼଣ କରିବାକୁ ପଡ଼ିବ ? ହୁଏତ ଆମକୁ ଅନ୍ୟମାନଙ୍କ ସହିତ ଭେଟିବା ପାଇଁ ଇଚ୍ଛା ହେବନି, କିନ୍ତୁ ଏପରି ଭାବନା ସହ ଲଢ଼ନ୍ତୁ । କାରଣ ଯେବେ ଆମେ ଅନ୍ୟମାନଙ୍କ ସହ ଭେଟିବା ବନ୍ଦ କରିଦେଉ, ତେବେ ଆମେ କେବଳ ନିଜ ବିଷୟରେ ହିଁ ଭାବୁଥାଉ ଆଉ ଆମେ ନିଜ ଚିନ୍ତାରେ ହିଁ ବୁଡ଼ି ରହୁ । ତେଣୁ ଆମେ ଭୁଲ ନିଷ୍ପତ୍ତି ନେଇପାରୁ । (ହିତୋ. ୧୮:୧) ଏହା ସତ ଯେ ଆମକୁ ବେଳେବେଳେ କିଛି ସମୟ ପାଇଁ ଏକୁଟିଆ ରହିବା ଭଲ ଲାଗେ ବିଶେଷ କରି ସେସମୟରେ ଯେବେ ଆମେ କୌଣସି ସମସ୍ୟାର ସାମନା କରୁଛୁ ଆଉ ଏହା ଭୁଲ ନୁହେଁ । କିନ୍ତୁ ଯଦି ଆମେ ଲମ୍ବା ସମୟ ଯାଏଁ ଏକୁଟିଆ ରହୁଛୁ ତେବେ ଏହା ଏପରି ହେବ ଯେପରି ଆମେ ଯିହୋବାଙ୍କ ସାହାଯ୍ୟ ନେବା ପାଇଁ ଚାହୁଁ ନାହୁଁ, କାରଣ ଯିହୋବା ଅନ୍ୟମାନଙ୍କ ଜରିଆରେ ଆମକୁ ସାହାରା ଦିଅନ୍ତି । ଯେବେ ଆପଣ ଦୁଃଖୀ କିମ୍ବା ନିରାଶ ଥାʼନ୍ତି, ତେବେ ହୁଏତ ଆପଣଙ୍କୁ ଅନ୍ୟମାନଙ୍କ ସହ ଭେଟିବା ପାଇଁ ଇଚ୍ଛା ହେବନି, ତଥାପି ନିଜ ପରିବାର ଲୋକ, ସାଙ୍ଗ ଓ ପ୍ରାଚୀନମାନଙ୍କ ସାହାଯ୍ୟ ସ୍ୱୀକାର କରନ୍ତୁ । ମନେରଖନ୍ତୁ ଯେ ପ୍ରକୃତରେ ସେମାନଙ୍କ ଜରିଆରେ ହିଁ ଯିହୋବା ଆପଣଙ୍କୁ ସାହାରା ଦିଅନ୍ତି ।—ହିତୋ. ୧୭:୧୭; ଯିଶା. ୩୨:୧, ୨.
ଯିହୋବା ଆପଣଙ୍କୁ ସାନ୍ତ୍ୱନା ଦେବେ
୧୪. ହୁଏତ କେଉଁ ପରିସ୍ଥିତିରେ ଆମକୁ ବହୁତ ଡର ଲାଗିପାରେ ?
୧୪ ଏପରି ସମସ୍ୟା ସମୟରେ କʼଣ ହୋଇପାରେ ? ବେଳେବେଳେ ହୁଏତ ଆମକୁ ବହୁତ ଡର ଲାଗେ । ବାଇବଲରେ କୁହାଯାଇଛି ଯେ ଯିହୋବାଙ୍କ କିଛି ବିଶ୍ୱସ୍ତ ସେବକମାନେ ମଧ୍ୟ ବହୁତ ଡରି ଯାଇଥିଲେ । କାରଣ ତାଙ୍କ ଶତ୍ରୁମାନଙ୍କ ଯୋଗୁଁ ସେମାନଙ୍କ ଜୀବନ ବିପଦରେ ଥିଲା କିମ୍ବା ସେମାନେ ଅନ୍ୟ କୌଣସି ସମସ୍ୟାର ସାମନା କରୁଥିଲେ । (ଗୀତ. ୧୮:୪; ୫୫:୧, ୫) ସେହିପରି ଯିହୋବାଙ୍କ ସେବା କରିବା ଯୋଗୁଁ ହୁଏତ ଆଜି ଆମ ସ୍କୁଲର ପିଲାମାନେ, ସାଙ୍ଗରେ କାମ କରୁଥିବା ଲୋକ, ପରିବାର ଲୋକ କିମ୍ବା ସରକାର ଆମର ବିରୋଧ କରିବେ । କିମ୍ବା ହୋଇପାରେ କୌଣସି ବଡ଼ ରୋଗ ଯୋଗୁଁ ଆମ ଜୀବନ ବିପଦରେ ଥିବ । ଏପରି ସମୟରେ ହୁଏତ ଆମେ ବହୁତ ଡରିଯିବା ଓ ନିଜକୁ ଜଣେ ଛୋଟ ପିଲା ଭଳି ଅସହାୟ ଭାବିବା । ଏପରି ସମୟରେ ଯିହୋବା କିପରି ଆମର ସାହାଯ୍ୟ କରନ୍ତି ?
୧୫. ଗୀତସଂହିତା ୯୪:୧୯ ପଦରୁ ଆମକୁ କେଉଁ କଥାର ଭରସା ହୋଇଯାଏ ?
୧୫ ଯିହୋବା କିପରି ସାହାଯ୍ୟ କରନ୍ତି ? ଯିହୋବା ଆମକୁ ସାନ୍ତ୍ୱନା ଦିଅନ୍ତି । (ଗୀତସଂହିତା ୯୪:୧୯ ପଢ଼ନ୍ତୁ ।) ଏହି ପଦ ପଢ଼ି ହୁଏତ ଆମ ମନରେ ଏପରି ଜଣେ ଝିଅର ଚିତ୍ର ଆସିପାରେ ଯିଏ ଘଡ଼ଘଡ଼ି ଓ ବିଜୁଳି ଯୋଗୁଁ ବହୁତ ଡରି ଯାଇଛି ଓ ଶୋଇପାରୁ ନାହିଁ । ଆଉ ତାʼପରେ ତାʼବାପା ଆସି ଝିଅକୁ ନ ଶୋଇବା ଯାଏଁ ଧରି ରଖନ୍ତି । ଝଡ଼ ତୋଫାନ ଏବେ ବି ଚାଲିଛି, କିନ୍ତୁ ଝିଅଟି ବାପାଙ୍କ କୋଳରେ ଭାରି ସୁରକ୍ଷିତ ଅନୁଭବ କରୁଛି । ଠିକ୍ ସେହିପରି ଯେବେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ତେବେ ଆମକୁ ବହୁତ ଡର ଲାଗେ । ହୁଏତ ସେସମୟରେ ଆମେ ଚାହିଁବା ଯେ ଆମେ ଶାନ୍ତ ନ ହେବା ଯାଏଁ ଯିହୋବା ଆମକୁ ଧରି ରଖନ୍ତୁ । କିନ୍ତୁ ଏପରି ସମୟରେ ଯିହୋବାଙ୍କଠାରୁ ସାନ୍ତ୍ୱନା ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?
୧୬. ଯିହୋବାଙ୍କଠାରୁ ସାନ୍ତ୍ୱନା ପାଇବା ପାଇଁ ଆମେ କʼଣ କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ଆମକୁ କʼଣ କରିବାକୁ ପଡ଼ିବ ? ପ୍ରାର୍ଥନା କରନ୍ତୁ ଓ ବାଇବଲ ପଢ଼ନ୍ତୁ ଓ ଏପରି ଭାବେ ଯିହୋବାଙ୍କ ସହ ସମୟ ବିତାନ୍ତୁ । (ଗୀତ. ୭୭:୧, ୧୨-୧୪) ଯଦି ଆପଣ ଏପରି କରିବାର ଅଭ୍ୟାସ କରିବେ, ତେବେ ଆପଣ ସମସ୍ୟା ସମୟରେ ପ୍ରଥମେ ଯିହୋବାଙ୍କୁ ପ୍ରାର୍ଥନା କରିବେ । ଆପଣ ଯିହୋବାଙ୍କୁ ସବୁକିଛି କହିପାରିବେ । ଆପଣ ତାଙ୍କୁ କହନ୍ତୁ ଯେ ଆପଣ କେଉଁ କଥାକୁ ନେଇ ଚିନ୍ତିତ ଅଛନ୍ତି କିମ୍ବା ଆପଣଙ୍କୁ କାହିଁକି ଡର ଲାଗୁଛି । ଆଉ ବାଇବଲ ପଢ଼ନ୍ତୁ ଓ ଯିହୋବାଙ୍କ କଥା ବି ଶୁଣନ୍ତୁ । ତେବେ ଆପଣ ଅନୁଭବ କରିପାରିବେ ଯେ ଯିହୋବା ଆପଣଙ୍କୁ ସାନ୍ତ୍ୱନା ଦେଉଛନ୍ତି । (ଗୀତ. ୧୧୯:୨୮) ଯେବେ ବି ଆପଣଙ୍କୁ ଡର ଲାଗେ, ତେବେ ହୋଇପାରେ ବାଇବଲର କୌଣସି ଘଟଣା ପଢ଼ି ଆପଣଙ୍କୁ ସାନ୍ତ୍ୱନା ମିଳିବ । ଯେପରି ହୁଏତ ଆପଣ ଆୟୁବ ବହି, କୌଣସି ଗୀତସଂହିତା, ହିତୋପଦେଶ ବହି କିମ୍ବା ମାଥିଉ ୬ ଅଧ୍ୟାୟ ପଢ଼ି ଆପଣଙ୍କୁ ସାହସ ମିଳିପାରିବ । ଯେବେ ଆପଣ ପ୍ରାର୍ଥନା କରିବେ ଓ ବାଇବଲ ପଢ଼ିବେ ତେବେ ଆପଣଙ୍କୁ ସାନ୍ତ୍ୱନା ମିଳିବ ।
୧୭. ଆମେ କେଉଁ କଥାର ଭରସା ରଖିପାରିବା ?
୧୭ ଆମେ ଭରସା ରଖିପାରିବା ଯେ ଯେବେ ଆମେ ସମସ୍ୟାରେ ଘେରି ରହୁ, ତେବେ ଯିହୋବା ଆମକୁ ଛାଡ଼ିବେନି । ସେ ଆମର ସାହାଯ୍ୟ କରିବେ । (ଗୀତ. ୨୩:୪; ୯୪:୧୪) ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମର ସୁରକ୍ଷା କରିବେ, ଆମକୁ ସମ୍ଭାଳିବେ, ସାହାରା ଦେବେ ଓ ସାନ୍ତ୍ୱନା ମଧ୍ୟ ଦେବେ । ଯିଶାଇୟ ୨୬:୩ ପଦରେ ଯିହୋବାଙ୍କ ବିଷୟରେ ଲେଖାଅଛି, “ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ; କାରଣ ସେ ତୁମ୍ଭଠାରେ ନିର୍ଭର ରଖେ ।” ତେଣୁ ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଓ ସେ ଯେଉଁ ଉପାୟଗୁଡ଼ିକରୁ ଆପଣଙ୍କର ସାହାଯ୍ୟ କରନ୍ତି ସେଥିରୁ ପୂରାପୂରା ଲାଭ ପାଆନ୍ତୁ । ଯଦି ଆପଣ ଏପରି କରିବେ, ତେବେ ଆପଣଙ୍କୁ ପୁଣିଥରେ ସାହସ ମିଳିବ ଓ ଆପଣ ସମସ୍ୟା ସମୟରେ ଦୃଢ଼ ରହିପାରିବେ ।
ଆପଣ କʼଣ ଉତ୍ତର ଦେବେ ?
-
ଆମକୁ ବିଶେଷ କରି କେଉଁ ସମୟରେ ଯିହୋବାଙ୍କ ସାହାଯ୍ୟର ଦରକାର ପଡ଼େ ?
-
ଯେବେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ତେବେ ଯିହୋବା କେଉଁ ଚାରୋଟି ଉପାୟରେ ଆମକୁ ସାହାଯ୍ୟ କରନ୍ତି ?
-
ଯିହୋବାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆମେ କʼଣ କରିପାରିବା ?
ଗୀତ ୧୨ ୟହୋୱା, ମାହାନ୍ ପରମେଶ୍ୱର
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।