इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩

ଗୀତ ୩୫ ‘ଜ୍ୟାଦା ଏହମିୟତ୍‌ ରଖନେୱାଲି ବାତେଁ ପହଚାନୋ’

ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ

ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ

“ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ସୁବିବେଚନା ଅଟେ ।”ହିତୋ. ୯:୧୦.

କʼଣ ଶିଖିବା ?

ଜ୍ଞାନ, ସୁବିବେଚନା ଏବଂ ସୂକ୍ଷ୍ମ ବିଚାର ବା ଭାବିଚିନ୍ତି କାମ କରିବାର ଦକ୍ଷତା ଥିଲେ, ଆମେ କିପରି ଭଲ ନିଷ୍ପତ୍ତି ନେଇପାରିବା ?

୧. ଆମ ସମସ୍ତଙ୍କୁ କେଉଁ ସମସ୍ୟାର ସାମନା କରିବାକୁ ପଡ଼େ ?

 ପ୍ରତିଦିନ ଆମକୁ ଅନେକ ନିଷ୍ପତ୍ତି ନେବାକୁ ପଡ଼େ । କିଛି ନିଷ୍ପତ୍ତି ନେବା ସହଜ ଥାଏ । ଯେପରି, ଆମେ ସକାଳେ କʼଣ ଖାଇବା କିମ୍ବା ଆମେ କେତେବେଳେ ଶୋଇବା । କିନ୍ତୁ କିଛି ନିଷ୍ପତ୍ତି ନେବା ଏତେ ସହଜ ହୋଇ ନ ଥାଏ । କାରଣ ଏହି ନିଷ୍ପତ୍ତିର ପ୍ରଭାବ ଆମର ସ୍ୱାସ୍ଥ୍ୟ, ଆମ ଖୁସି କିମ୍ବା ଆମ ପରିବାର ଲୋକ, ଏପରିକି ଆମ ଉପାସନା ଉପରେ ବି ପଡ଼ିପାରେ । ଆମେ ଏପରି ନିଷ୍ପତ୍ତି ନେବା ପାଇଁ ଚାହୁଁ ଯାହା ଆମ ପାଇଁ ଓ ଆମ ପରିବାର ଲୋକଙ୍କ ପାଇଁ ଭଲ ରହିବ । ସବୁଠୁ ଅଧିକ, ଆମେ ଚାହୁଁ ଯେ ଆମ ନିଷ୍ପତ୍ତିରୁ ଯିହୋବା ଖୁସି ହୁଅନ୍ତୁ ।—ରୋମୀ. ୧୨:୧, ୨.

୨. କେଉଁ ପଦକ୍ଷେପ ନେଲେ ଆପଣ ଭଲ ନିଷ୍ପତ୍ତି ନେଇପାରିବେ ?

ଯଦି ଆପଣ (୧) କୌଣସି ମାମଲା ବିଷୟରେ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରିବେ, (୨) ସେବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ଜାଣିବେ ଏବଂ (୩) ନିଜ ନିଷ୍ପତ୍ତି ବିଷୟରେ ଗଭୀର ଭାବେ ଭାବିବେ, ତେବେ ହୁଏତ ଆପଣ ଭଲ ନିଷ୍ପତ୍ତି ନେଇପାରିବେ । ଏହି ଲେଖାରେ ଆମେ ଏହି ତିନୋଟି କଥା ଉପରେ ଆଲୋଚନା କରିବା ଏବଂ ଏହା ବି ଜାଣିବା ଯେ ଆମେ ନିଜ ବୁଦ୍ଧି ବା ଭାବିବାର ଦକ୍ଷତାକୁ କିପରି ପ୍ରଶିକ୍ଷିତ କରିପାରିବା ।—ହିତୋ. ୨:୧୧.

କୌଣସି ମାମଲା ବିଷୟରେ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରନ୍ତୁ

୩. ଭଲ ନିଷ୍ପତ୍ତି ନେବା ପାଇଁ କୌଣସି ମାମଲା ବିଷୟରେ ଭଲଭାବେ ଜାଣିବା କାହିଁକି ଜରୁରୀ ? ଉଦାହରଣ ଦେଇ ବୁଝାନ୍ତୁ ।

ଭଲ ନିଷ୍ପତ୍ତି ନେବା ପାଇଁ ପ୍ରଥମେ ଆପଣଙ୍କୁ ସେହି ମାମଲା ବିଷୟରେ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ । ଏପରି କରିବା କାହିଁକି ଜରୁରୀ ? ଭାବନ୍ତୁ, ଜଣେ ବ୍ୟକ୍ତିଙ୍କୁ ବଡ଼ ରୋଗ ହୋଇଛି ଏବଂ ସେ ଡାକ୍ତରଙ୍କ ପାଖକୁ ଯାʼନ୍ତି । କʼଣ ଡାକ୍ତର ତାଙ୍କୁ ବିନା ଯାଞ୍ଚ କରି କିମ୍ବା ତାଙ୍କୁ କିଛି ନ ପଚାରି ନିଷ୍ପତ୍ତି ନେବେ ଯେ ତାଙ୍କ ପାଇଁ କେଉଁ ଚିକିତ୍ସା ଭଲ ରହିବ ? ନୁହେଁ । ଜଣେ ଭଲ ଡାକ୍ତର କେବେ ବି ଏପରି କରିବେ ନାହିଁ । ସେହିଭଳି ଯଦି ଆପଣ ପ୍ରଥମେ କୌଣସି ମାମଲା ବିଷୟରେ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରିବେ, ତେବେ ଆପଣ ଭଲ ନିଷ୍ପତ୍ତି ନେଇପାରିବେ । ଆପଣ ସେହି ମାମଲା ବିଷୟରେ କିପରି ଭଲଭାବେ ଜାଣିପାରିବେ ?

୪. ଆପଣ କୌଣସି ମାମଲା ବିଷୟରେ ଭଲଭାବେ ଜାଣିବା ପାଇଁ କʼଣ କରିପାରିବେ ? (ହିତୋପଦେଶ ୧୮:୧୩) (ଚିତ୍ର ମଧ୍ୟ ଦେଖନ୍ତୁ ।)

ଅନେକ ଥର ପ୍ରଶ୍ନ ପଚାରିବା ଦ୍ୱାରା ଆପଣ କୌଣସି ମାମଲା ବିଷୟରେ ଭଲଭାବେ ଜାଣିପାରିବେ । ଭାବନ୍ତୁ, କେହି ଆପଣଙ୍କୁ ଗୋଟିଏ ପାର୍ଟିରେ ଡାକିଛନ୍ତି । ଆପଣ କିପରି ନିଷ୍ପତ୍ତି ନେବେ ଯେ ଆପଣଙ୍କୁ ସେଠାରେ ଯିବା ଉଚିତ୍‌ ନା ନୁହେଁ ? ଯିଏ ପାର୍ଟି ଆୟୋଜନ କରିଛନ୍ତି, ଯଦି ଆପଣ ତାଙ୍କୁ ଜାଣି ନାହାନ୍ତି କିମ୍ବା ଆପଣଙ୍କୁ ଜଣା ନାହିଁ ଯେ ସେଠାରେ କʼଣ ବ୍ୟବସ୍ଥା କରାଯିବ, ତାହେଲେ ଆପଣ ଯିଏ ପାର୍ଟି ଆୟୋଜନ କରିଛନ୍ତି ତାଙ୍କୁ କିଛି ପ୍ରଶ୍ନ ପଚାରିପାରିବେ: “ଏହି ପାର୍ଟି କେବେ ଓ କେଉଁଠି ହେବ ? ଏଥିରେ କେତେଜଣ ଆସିବେ ? ଏହାର ଦେଖାରେଖା କିଏ କରିବେ ? କେଉଁମାନେ ଆସିବେ ? ସେଠାରେ କʼଣ କʼଣ ହେବ ? କʼଣ ସେଠାରେ ମଦର ବି ବ୍ୟବସ୍ଥା ଥିବ ?” a ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ଦ୍ୱାରା ଆପଣ ଭଲ ନିଷ୍ପତ୍ତି ନେଇପାରିବେ ।—ହିତୋପଦେଶ ୧୮:୧୩ ପଢ଼ନ୍ତୁ ।

ପ୍ରଶ୍ନ ପଚାରି କୌଣସି ମାମଲା ବିଷୟରେ ଭଲଭାବେ ଜାଣନ୍ତୁ (ପାରାଗ୍ରାଫ ୪)  b


୫. କୌଣସି ମାମଲା ବିଷୟରେ ଭଲଭାବେ ଜାଣିବା ପରେ ଆପଣଙ୍କୁ କʼଣ କରିବା ଉଚିତ୍‌ ?

କୌଣସି ମାମଲା ବିଷୟରେ ଭଲଭାବେ ଜାଣିବା ପରେ ଆପଣ ଆଉ କିଛି କଥା ବିଷୟରେ ଭାବନ୍ତୁ । ଯେପରି, ଯଦି ଆପଣଙ୍କୁ ଏହା ଜଣାପଡ଼େ ଯେ ସେହି ପାର୍ଟିରେ ଏପରି ଲୋକମାନେ ଆସିବେ, ଯେଉଁମାନେ ବାଇବଲର ସ୍ତର ମାନନ୍ତି ନାହିଁ କିମ୍ବା ସେଠାରେ ମଦର ବ୍ୟବସ୍ଥା କରାଯାଇଛି ଆଉ ଦେଖାରେଖା କରିବା ପାଇଁ କେହି ବି ନାହାନ୍ତି, ତାହେଲେ ଆପଣ କʼଣ କରିବେ ? କʼଣ ଆପଣଙ୍କୁ ଲାଗେ ଯେ ଲୋକେ ଅତ୍ୟଧିକ ମଦ୍ୟପାନ କରି ଗଣ୍ଡଗୋଳ କରିବେ ? (୧ ପିତ. ୪:୩) ଏବିଷୟରେ ବି ଭାବନ୍ତୁ: ଏହି ପାର୍ଟି ଯେଉଁ ସମୟରେ ରଖାଯାଇଛି, କʼଣ ସେସମୟରେ ଆପଣଙ୍କର ସଭା ଥାଏ କିମ୍ବା ଆପଣଙ୍କୁ ପ୍ରଚାରରେ ଯିବାର ଥାଏ ? ଏପରି ଭାବରେ ଯେବେ ଆପଣ କୌଣସି ମାମଲା ବିଷୟରେ ଭଲଭାବେ ଭାବିବେ, ତେବେ ଆପଣଙ୍କ ପାଇଁ ସଠିକ୍‌ ନିଷ୍ପତ୍ତି ନେବା ସହଜ ହୋଇଯିବ । କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ଆଉ କିଛି କରିବାକୁ ପଡ଼ିବ । ଏବେ ଯାଏ ଆପଣ ମାମଲାକୁ କେବଳ ନିଜ ଦୃଷ୍ଟିକୋଣରେ ଦେଖିଛନ୍ତି, କିନ୍ତୁ ଏବେ ଏହାକୁ ଯିହୋବାଙ୍କ ଦୃଷ୍ଟିକୋଣରେ ଦେଖନ୍ତୁ । ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ସେ ଏହି ମାମଲା ବିଷୟରେ କʼଣ ଭାବନ୍ତି ।—ହିତୋ. ୨:୬.

ଯିହୋବାଙ୍କ ଦୃଷ୍ଟିକୋଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ

୬. ଯାକୁବ ୧:୫ ପଦ ଅନୁସାରେ ଆମକୁ କେଉଁ କଥା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ଏବଂ କାହିଁକି ?

କୌଣସି ମାମଲା ବିଷୟରେ ଯିହୋବା କʼଣ ଭାବନ୍ତି, ଏହା ଜାଣିବା ପାଇଁ ତାଙ୍କୁ ପ୍ରାର୍ଥନା କରନ୍ତୁ । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ବୁଦ୍ଧି ଦେବେ, ଯାହା ସାହାଯ୍ୟରେ ଆମେ ବୁଝିପାରିବା ଯେ ଯିହୋବା କୌଣସି ନିଷ୍ପତ୍ତିରୁ ଖୁସି ହେବେ ନା ନାହିଁ । ଆଉ ଯିହୋବା ଏହି ବୁଦ୍ଧି “ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି ।”—ଯାକୁବ ୧:୫ ପଢ଼ନ୍ତୁ ।

୭. କୌଣସି ମାମଲା ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ଜାଣିବା ପାଇଁ ଆପଣ କʼଣ କରିପାରିବେ ? ଉଦାହରଣ ଦିଅନ୍ତୁ ।

ଯିହୋବାଙ୍କଠାରେ ବୁଦ୍ଧି ପାଇଁ ପ୍ରାର୍ଥନା କଲାପରେ ଧ୍ୟାନ ଦିଅନ୍ତୁ ଯେ ସେ ଆପଣଙ୍କର ପ୍ରାର୍ଥନାର ଉତ୍ତର କିପରି ଦିଅନ୍ତି । ଏହାକୁ ବୁଝିବା ପାଇଁ ଭାବନ୍ତୁ ଯେ ଆପଣ କୌଣସି ଜାଗାକୁ ବୁଲିବା ପାଇଁ ଯାଇଛନ୍ତି ଓ ବାଟବଣା ହୋଇଯାʼନ୍ତି । ଆଉ ତେବେ ଆପଣ ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ରାସ୍ତା ପଚାରନ୍ତି, ତାହେଲେ କʼଣ ଆପଣ ତାଙ୍କ କଥା ଶୁଣିବେ ନାହିଁ ଓ ସେଠାରୁ ଚାଲିଯିବେ ? ନୁହେଁ । ଯେବେ ସେ ଆପଣଙ୍କୁ ରାସ୍ତା ବିଷୟରେ କହିବେ, ତେବେ ଆପଣ ଧ୍ୟାନର ସହ ଶୁଣିବେ । ସେହିଭଳି ଯିହୋବାଙ୍କଠାରେ ବୁଦ୍ଧି ପାଇଁ ପ୍ରାର୍ଥନା କଲାପରେ ଧ୍ୟାନ ଦିଅନ୍ତୁ ଯେ ସେ ଆପଣଙ୍କ ପ୍ରାର୍ଥନାର କʼଣ ଉତ୍ତର ଦିଅନ୍ତି । ଏହା ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ବାଇବଲର କେଉଁ ନିୟମ ଓ ସିଦ୍ଧାନ୍ତଗୁଡ଼ିକରୁ ଆପଣ ସେହି ମାମଲା ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ଜାଣିପାରିବେ । ଯେପରି ଆପଣଙ୍କୁ ଯେଉଁ ପାର୍ଟିରେ ଡକାଯାଇଛି ଆପଣ ସେଠାକୁ ଯିବେ ନା ନାହିଁ, ଏହା ନିଷ୍ପତ୍ତି ନେବା ସମୟରେ ଭାବନ୍ତୁ: ବାଇବଲରେ ଏପରି ପାର୍ଟି ବିଷୟରେ କʼଣ କୁହାଯାଇଛି, ଯେଉଁଠାରେ ଲୋକମାନେ ନିୟନ୍ତ୍ରଣରେ ରହନ୍ତି ନାହିଁ ? ଆଉ ଖରାପ ସାଙ୍ଗ କରିବା ଏବଂ ଈଶ୍ୱରଙ୍କ ରାଜ୍ୟ ଅପେକ୍ଷା ନିଜ ଇଚ୍ଛାକୁ ଅଧିକ ମହତ୍ତ୍ୱ ଦେବା ବିଷୟରେ କʼଣ କୁହାଯାଇଛି ?—ମାଥି. ୬:୩୩; ରୋମୀ. ୧୩:୧୩; ୧ କରି. ୧୫:୩୩.

୮. ଯଦି ଆପଣଙ୍କୁ ଲାଗେ ଯେ କୌଣସି ମାମଲା ବିଷୟରେ ଆପଣଙ୍କୁ ଆହୁରି ଭଲଭାବେ ଜାଣିବା ଉଚିତ୍‌, ତାହେଲେ ଆପଣ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

କିନ୍ତୁ ହୁଏତ ଆପଣଙ୍କୁ ଲାଗିବ ଯେ ଏହି ମାମଲା ବିଷୟରେ ଆପଣଙ୍କୁ ଆହୁରି ଭଲଭାବେ ଜାଣିବାକୁ ପଡ଼ିବ, ଏପରି ସମୟରେ ଆପଣ କʼଣ କରିପାରିବେ ? ଆପଣ କେହି ଅନୁଭବୀ ଭାଇ କିମ୍ବା ଭଉଣୀଙ୍କ ସାହାଯ୍ୟ ନେଇପାରିବେ । ତାʼ ସହିତ ଆପଣ ନିଜେ ବି ଅନୁସନ୍ଧାନ କରିପାରିବେ । ଆମ ପାଖରେ ଅନୁସନ୍ଧାନ କରିବା ପାଇଁ ଅନେକ ପ୍ରକାଶନ ଅଛି, ଯେପରି ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ ଏବଂ ୱଚନ୍‌ ଜୋ ଦିଖାଏ ରାହ୍‌ (ହିନ୍ଦୀ) ବହି । ଏହା ସାହାଯ୍ୟରୁ ଆପଣଙ୍କୁ ଅନେକ ତଥ୍ୟ ମିଳିପାରିବ । କିନ୍ତୁ ଏପରି କରିବା ସମୟରେ ଆପଣ ଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣ କାହିଁକି ଅନୁସନ୍ଧାନ କରୁଛନ୍ତି । କାରଣ ଆପଣ ଏପରି ନିଷ୍ପତ୍ତି ନେବା ପାଇଁ ଚାହାନ୍ତି ଯେଉଁଥିରୁ ଯିହୋବା ଖୁସି ହେବେ ।

ଯିହୋବାଙ୍କ ଦୃଷ୍ଟିକୋଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ (ପାରାଗ୍ରାଫ ୮)  c


୯. ଆମେ କେତେବେଳେ ପୂରା ଭରସାର ସହ କହିପାରିବା ଯେ ଯିହୋବା ଆମ ନିଷ୍ପତ୍ତିରୁ ଖୁସି ହେବେ ? (ଏଫିସୀୟ ୫:୧୭)

ଆମେ କେତେବେଳେ ପୂରା ଭରସାର ସହ କହିପାରିବା ଯେ ଯିହୋବା ଆମ ନିଷ୍ପତ୍ତିରୁ ଖୁସି ହେବେ ? ଏହା ପାଇଁ ଆପଣଙ୍କୁ ପ୍ରଥମେ ତାଙ୍କ ବିଷୟରେ ଭଲଭାବେ ଜାଣିବାକୁ ପଡ଼ିବ । ବାଇବଲରେ ଲେଖାଅଛି, “ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ସୁବିବେଚନା ଅଟେ ।” (ହିତୋ. ୯:୧୦) ତାହେଲେ ସୁବିବେଚନା ହାସଲ କରିବା ପାଇଁ ଆପଣଙ୍କୁ ଯିହୋବାଙ୍କ ବିଷୟରେ ଭଲଭାବେ ଜାଣିବାକୁ ପଡ଼ିବ, ଅର୍ଥାତ୍‌ ଆପଣଙ୍କୁ ଏହା ଜାଣିବାକୁ ହେବ ଯେ ତାଙ୍କ ଭିତରେ କେଉଁ ଗୁଣଗୁଡ଼ିକ ରହିଛି, ତାଙ୍କ ଉଦ୍ଦେଶ୍ୟ କʼଣ ଏବଂ ତାଙ୍କ ପସନ୍ଦ ନାପସନ୍ଦ କʼଣ । ସେଥିପାଇଁ ନିଜକୁ ପଚାରନ୍ତୁ, ‘ମୁଁ ଯିହୋବାଙ୍କ ବିଷୟରେ ଯାହା ଜାଣିଛି, ତାହାକୁ ଧ୍ୟାନରେ ରଖି ମୋତେ କେଉଁ ନିଷ୍ପତ୍ତି ନେବା ଉଚିତ୍‌ ଯେଉଁଥିରୁ ସେ ଖୁସି ହେବେ ?’—ଏଫିସୀୟ ୫:୧୭ ପଢ଼ନ୍ତୁ ।

୧୦. ବାଇବଲର ସିଦ୍ଧାନ୍ତ ମାନିବା, ପରିବାରର କିମ୍ବା ସମାଜର ପରମ୍ପରା ମାନିବା ଅପେକ୍ଷା କାହିଁକି ଅଧିକ ଜରୁରୀ ?

୧୦ ଯିହୋବାଙ୍କୁ ଖୁସି କରିବା ପାଇଁ ହୁଏତ ବେଳେବେଳେ ଆମକୁ ଏପରି କୌଣସି ନିଷ୍ପତ୍ତି ନେବାକୁ ପଡ଼ିବ, ଯାହା ଆମ ପ୍ରିୟଜନମାନଙ୍କୁ ଭଲ ଲାଗିବ ନାହିଁ । ଯେପରି ହୁଏତ, ଜଣେ ଭାଇଙ୍କ ପରିବାର ଲୋକେ ତାଙ୍କ ବିବାହ ଏପରି ଝିଅ ସହିତ କରିବା ପାଇଁ ଚାହିଁବେ ଯାହାର ଯିହୋବାଙ୍କ ସହିତ ସମ୍ପର୍କ ଦୃଢ଼ ନାହିଁ, କିନ୍ତୁ ସେହି ପରିବାର ଲୋକଙ୍କଠାରୁ ସେମାନଙ୍କୁ ଅନେକ ଜିନିଷ ମିଳିବ । ଅନ୍ୟପକ୍ଷରେ, ହୁଏତ ଜଣେ ଭଉଣୀଙ୍କ ବାପାମାଆ ତାଙ୍କୁ ଏପରି ଜଣେ ପୁଅ ସହିତ ବିବାହ କରିବା ପାଇଁ ଚାପ ପକାଇବେ, ଯାହା ପାଖରେ ବହୁତ ପଇସା ଅଛି, କିନ୍ତୁ ସେ ଉତ୍ସାହର ସହ ଯିହୋବାଙ୍କ ସେବା କରନ୍ତି ନାହିଁ । ହୋଇପାରେ ବାପାମାଆଙ୍କ ଉଦ୍ଦେଶ୍ୟ ଠିକ୍‌ ଥିବ, କାରଣ ସେମାନେ ଚାହାନ୍ତି ଯେ ତାଙ୍କ ପିଲାମାନେ ଖୁସିରେ ରହନ୍ତୁ ଓ ସେମାନଙ୍କୁ କୌଣସି ଜିନିଷର ଅଭାବ ନ ହେଉ । କିନ୍ତୁ ସେହି ଭାଇ କିମ୍ବା ଭଉଣୀଙ୍କୁ ବି ଭାବିବା ଉଚିତ୍‌, ‘ଯଦି ମୁଁ ତାଙ୍କ ସହିତ ବାହା ହୁଏ, ତାହେଲେ କʼଣ ଯିହୋବାଙ୍କ ସହିତ ମୋ ସମ୍ପର୍କ ଦୃଢ଼ ହେବ ନା ଦୁର୍ବଳ ହୋଇଯିବ ?’ ଯିହୋବା ସେହି ଭାଇ କିମ୍ବା ଭଉଣୀଙ୍କଠାରୁ କʼଣ ଚାହାନ୍ତି ? ମାଥିଉ ୬:୩୩ ପଦରେ ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି ଯେ ସେମାନେ ‘ଈଶ୍ୱରଙ୍କ ରାଜ୍ୟକୁ ଅନ୍ୱଷେଣ କରନ୍ତୁ ।’ ଏହା ସତ ଯେ ଆମେ ନିଜ ବାପାମାଆଙ୍କ ଓ ସମାଜର ଲୋକମାନଙ୍କ ଆଦର କରୁ, କିନ୍ତୁ ସବୁଠୁ ଅଧିକ ଆମେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହୁଁ ।

ନିଜ ନିଷ୍ପତ୍ତି ବିଷୟରେ ଗଭୀର ଭାବେ ଭାବନ୍ତୁ

୧୧. ନିଜ ନିଷ୍ପତ୍ତି ବିଷୟରେ ଗଭୀର ଭାବେ ଭାବିବା ପାଇଁ କେଉଁ କଥା ଆପଣଙ୍କୁ ସାହାଯ୍ୟ କରିପାରିବ ? (ଫିଲିପ୍‌ପୀୟ ୧:୯, ୧୦)

୧୧ ଆପଣ ବୁଝିଗଲେ ଯେ କୌଣସି ମାମଲାରେ ବାଇବଲର କେଉଁ ସିଦ୍ଧାନ୍ତ ଆପଣଙ୍କୁ ସାହାଯ୍ୟ କରିପାରିବ । ଏବେ ନିଜ ନିଷ୍ପତ୍ତି ବିଷୟରେ ଗଭୀର ଭାବେ ଭାବନ୍ତୁ । (ଫିଲିପ୍‌ପୀୟ ୧:୯, ୧୦ ପଢ଼ନ୍ତୁ ।) ଆପଣ ଯେଉଁ ନିଷ୍ପତ୍ତି ନେବେ ତାହାର ପରିଣାମ କʼଣ ହେବ, ଏହା ଜାଣିବା ପାଇଁ ଆପଣଙ୍କୁ “ସୂକ୍ଷ୍ମ ବିଚାର” ସାହାଯ୍ୟ କରିପାରିବ । ଏପରି କଲେ ଆପଣଙ୍କ ପାଇଁ ନିଷ୍ପତ୍ତି ନେବା ସହଜ ହୋଇଯିବ । କିନ୍ତୁ ନିଷ୍ପତ୍ତି ନେବା ସବୁବେଳେ ସହଜ ହୋଇ ନ ଥାଏ । କାରଣ ପରିସ୍ଥିତି ସବୁବେଳେ ସମାନ ନ ଥାଏ । ଅନେକ ପରିସ୍ଥିତିରେ କʼଣ ନିଷ୍ପତ୍ତି ନେବା ତାହା ବୁଝାପଡ଼େ ନାହିଁ । କିନ୍ତୁ ସୂକ୍ଷ୍ମ ବିଚାର ଥିଲେ ଆପଣ ଏପରି ପରିସ୍ଥିତିରେ ବି ଭଲ ନିଷ୍ପତ୍ତି ନେଇପାରିବେ ।

୧୨-୧୩. ସୂକ୍ଷ୍ମ ବିଚାର ଥିଲେ ଆପଣ କିପରି ନିଷ୍ପତ୍ତି ନେଇପାରିବେ ଯେ କେଉଁ ଚାକିରି କରିବା ଆପଣଙ୍କ ପାଇଁ ଭଲ ରହିବ ?

୧୨ ଭାବନ୍ତୁ, ଆପଣ ଘର ଚଳାଇବା ପାଇଁ ଚାକିରିଟିଏ ଖୋଜୁଛନ୍ତି । ଆପଣଙ୍କୁ ଦୁଇ ଜାଗାରେ ଚାକିରି ମିଳୁଛି । ଏବେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆପଣ କେଉଁ ଚାକିରି କରିବେ । ଏବିଷୟରେ ନିଷ୍ପତ୍ତି ନେବା ପାଇଁ ଆପଣ ଭାବିବେ ଯେ ଏହି ଦୁଇଟି ଚାକିରିରେ ଆପଣଙ୍କୁ କʼଣ କାମ କରିବାକୁ ପଡ଼ିବ, କେତେ ଘଣ୍ଟା କାମ କରିବାକୁ ପଡ଼ିବ ଓ ଯିବା ଆସିବା ପାଇଁ କେତେ ସମୟ ଲାଗିବ ଇତ୍ୟାଦି । ସେହି ଦୁଇଟି ଚାକିରି ବାଇବଲ ସିଦ୍ଧାନ୍ତ ଅନୁସାରେ ଭୁଲ ନୁହେଁ । କିନ୍ତୁ ହୁଏତ ସେମଧ୍ୟରୁ ଆପଣଙ୍କୁ ଗୋଟିଏ ଚାକିରି ଅଧିକ ଭଲ ଲାଗେ । କାରଣ ଆପଣଙ୍କୁ ସେହି କାମ କରିବା ପସନ୍ଦ ଥିବ କିମ୍ବା ସେଥିରେ ଆପଣଙ୍କୁ ଅଧିକ ଦରମା ମିଳିବ । କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ଆଉ କିଛି କଥା ବିଷୟରେ ବି ଭାବିବା ଉଚିତ୍‌ ।

୧୩ ଯେପରି ଆପଣ ସେହି ଦୁଇଟି ଚାକିରି ବିଷୟରେ ଭାବନ୍ତୁ: ଯଦି ମୁଁ ଏହି ଚାକିରି କରିବି, ତାହେଲେ କʼଣ ମୁଁ ସଭାକୁ ଯାଇପାରିବି ? କʼଣ ମୋ ପରିବାରକୁ ସମୟ ଦେଇପାରିବି ଓ ସମସ୍ତଙ୍କର ଧ୍ୟାନ ରଖିପାରିବି ? କʼଣ ମୁଁ ଯିହୋବାଙ୍କ ସହିତ ସେମାନଙ୍କ ସମ୍ପର୍କ ଦୃଢ଼ କରିବାରେ ସାହାଯ୍ୟ କରିପାରିବି ? ଏହି ପ୍ରକାରର ପ୍ରଶ୍ନ ବିଷୟରେ ଭାବିଲେ ଆପଣ ପଇସାଠାରୁ ଅଧିକ ନିଜ ପରିବାର ଓ ଯିହୋବାଙ୍କ ସହିତ ନିଜ ସମ୍ପର୍କ ଉପରେ ଧ୍ୟାନ ଦେଇପାରିବେ, ଯାହା ‘ଉତ୍କୃଷ୍ଟ ବିଷୟ’ ବା ଅଧିକ ମହତ୍ତ୍ୱ ରଖୁଥିବା କଥା ଅଟେ । ତେବେ ଆପଣ ଏପରି ନିଷ୍ପତ୍ତି ନେଇପାରିବେ, ଯାହାଦ୍ୱାରା ଯିହୋବା ଖୁସି ହେବେ ଓ ଆପଣଙ୍କୁ ଆଶିଷ ଦେବେ ।

୧୪. ସୂକ୍ଷ୍ମ ବିଚାର ଓ ଲୋକମାନଙ୍କ ପାଇଁ ପ୍ରେମ ଥିଲେ, କିପରି ଆମେ ଧ୍ୟାନ ରଖିପାରିବା ଯେ ଆମେ ଅନ୍ୟମାନଙ୍କର ଝୁଣ୍ଟିବାର କାରଣ ନ ହେଉ ?

୧୪ ସୂକ୍ଷ୍ମ ବିଚାର ଥିଲେ ଆମେ ଏବିଷୟରେ ବି ଭାବିବା ଯେ ଆମେ ଯେଉଁ ନିଷ୍ପତ୍ତି ନେଉ, ତାହା ଅନ୍ୟମାନଙ୍କ ଉପରେ କʼଣ ପ୍ରଭାବ ପକାଇପାରେ । ତେଣୁ ଆମେ ଭାବିଚିନ୍ତି ନିଷ୍ପତ୍ତି ନେଉ, ଯାହାଫଳରେ ଆମେ “କାହାରି ଝୁଣ୍ଟିବାର କାରଣ” ନ ହେଉ । (୧ କରି. ୧୦:୩୨) ଯେବେ ଆମେ ବ୍ୟକ୍ତିଗତ ନିଷ୍ପତ୍ତି ନେଉ, ତେବେ ବି ଆମକୁ କିଛି କଥା ଉପରେ ଧ୍ୟାନ ଦେବା ବହୁତ ଜରୁରୀ । ଯେପରି, ଆମେ କʼଣ ପିନ୍ଧିବା, କିପରି ମୁଣ୍ଡ କୁଣ୍ଡାଇବା କିମ୍ବା କିପରି ସଜବାଜ ହେବା । ହୁଏତ ଆମକୁ କୌଣସି ଷ୍ଟାଇଲ୍‌ର ପୋଷାକ ପିନ୍ଧିବା କିମ୍ବା ଚୁଟି କୁଣ୍ଡାଇବା ପସନ୍ଦ । କିନ୍ତୁ ଆମକୁ ଭାବିବା ଉଚିତ୍‌, ‘ମୋ ଏହି ନିଷ୍ପତ୍ତି ଭାଇଭଉଣୀମାନଙ୍କ ପାଇଁ କିମ୍ବା ବାହାର ଲୋକମାନଙ୍କ ପାଇଁ ଝୁଣ୍ଟିବାର କାରଣ ତ ହେଉ ନାହିଁ ?’ ସୂକ୍ଷ୍ମ ବିଚାର ଥିଲେ ଆମେ ଅନ୍ୟମାନଙ୍କ ଆଦର କରିପାରିବା । ଆମେ ଲୋକମାନଙ୍କୁ ପ୍ରେମ କରୁ, ତେଣୁ ଆମେ ସେମାନଙ୍କ ‘ମଙ୍ଗଳ ଚେଷ୍ଟା କରିବା’ ଓ ମର୍ଯ୍ୟାଦାରେ ରହିବା । (୧ କରି. ୧୦:୨୩, ୨୪; ୧ ତୀମ. ୨:୯, ୧୦) ତେବେ ଯାଇ ଆମେ ଏପରି ନିଷ୍ପତ୍ତି ନେଇପାରିବା ଯେଉଁଥିରୁ ଅନ୍ୟମାନଙ୍କ ପାଇଁ ପ୍ରେମ ଓ ଆଦର ଜଣାପଡ଼ିବ ।

୧୫. କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ କʼଣ କରିବା ଆପଣଙ୍କ ପାଇଁ ଭଲ ରହିବ ?

୧୫ ଯୀଶୁ କହିଥିଲେ ଯେ କିଛି ବି କରିବା ପୂର୍ବରୁ ଆମକୁ “ବ୍ୟୟହିସାବ” କରିବା ଉଚିତ୍‌ । (ଲୂକ ୧୪:୨୮) ତାହେଲେ ଭାବନ୍ତୁ ଯେ ଆପଣ ଯେଉଁ ନିଷ୍ପତ୍ତି ନେବା ପାଇଁ ଭାବୁଛନ୍ତି, ତାହା ଅନୁସାରେ ଚାଲିବା ପାଇଁ ଆପଣଙ୍କୁ କʼଣ କʼଣ କରିବାକୁ ପଡ଼ିବ, କେତେ ସମୟ ଦେବାକୁ ପଡ଼ିବ, ଆପଣଙ୍କ କେଉଁ କେଉଁ ଜିନିଷ ଲାଗିବ ଓ କେତେ ପରିଶ୍ରମ କରିବାକୁ ପଡ଼ିବ । ହୁଏତ କୌଣସି ମାମଲା ବିଷୟରେ ଆପଣଙ୍କୁ ନିଜ ପରିବାର ଲୋକଙ୍କ ସହିତ କଥା ହେବାକୁ ପଡ଼ିବ ଓ ପଚାରିବାକୁ ପଡ଼ିବ ଯେ ସେମାନେ ଆପଣଙ୍କୁ କିପରି ସାହାଯ୍ୟ କରିବେ ? ଏପରି କରିବା ଭଲ, କାରଣ ହୁଏତ ଏଥିରୁ ଆପଣ ବୁଝିପାରିବେ ଯେ ଆପଣଙ୍କୁ ନିଜ ନିଷ୍ପତ୍ତିକୁ ବଦଳାଇବାକୁ ପଡ଼ିବ କିମ୍ବା ଅନ୍ୟ ନିଷ୍ପତ୍ତି ନେବାକୁ ପଡ଼ିବ । ଯଦି ଆପଣ ନିଜ ପରିବାର ଲୋକଙ୍କ ମତ ନେବେ ଓ ତାଙ୍କ କଥା ଶୁଣିବେ, ତାହେଲେ ସେମାନେ ଖୁସିର ସହ ଆପଣଙ୍କୁ ସାହାଯ୍ୟ କରିବେ, ଯାହାଦ୍ୱାରା ଆପଣ ଭଲ ନିଷ୍ପତ୍ତି ନେଇପାରିବେ ଏବଂ ଆପଣଙ୍କୁ ତାହାର ଭଲ ପରିଣାମ ମିଳିବ ।—ହିତୋ. ୧୫:୨୨.

ଭଲ ନିଷ୍ପତ୍ତି ନିଅନ୍ତୁ

୧୬. ଗୋଟିଏ ଭଲ ନିଷ୍ପତ୍ତି ନେବା ପାଇଁ ଆପଣଙ୍କୁ କେଉଁ ପଦକ୍ଷେପ ନେବାକୁ ପଡ଼ିବ ? (“ ଭଲ ନିଷ୍ପତ୍ତି କିପରି ନେବା ?” ନାମକ ବକ୍ସ ଦେଖନ୍ତୁ ।)

୧୬ ଯଦି ଆପଣ ଏହି ଲେଖାରେ ଦିଆଯାଇଥିବା ସବୁ ପଦକ୍ଷେପ ନେଇ ସାରିଛନ୍ତି, ତାହେଲେ ଆପଣ ଗୋଟିଏ ଭଲ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ ଅଛନ୍ତି, ଯେଉଁଥିରୁ ଯିହୋବା ଖୁସି ହେବେ । ଯେପରି, ଆପଣ କୌଣସି ମାମଲା ବିଷୟରେ ଭଲଭାବେ ଜାଣିଲେ ଓ ବାଇବଲର ସିଦ୍ଧାନ୍ତଗୁଡ଼ିକ ଉପରେ ବି ଧ୍ୟାନ ଦେଲେ । ଏବେ ଆପଣ ଭଲ ନିଷ୍ପତ୍ତି ନେବା ପାଇଁ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ, ଯାହାର ଭଲ ପରିଣାମ ମିଳିବ ।

୧୭. ଗୋଟିଏ ଭଲ ନିଷ୍ପତ୍ତି ନେବା ପାଇଁ କʼଣ କରିବା ଅଧିକ ଜରୁରୀ ?

୧୭ ହୁଏତ ଆପଣ ପୂର୍ବେ ଅନେକ ଭଲ ନିଷ୍ପତ୍ତି ନେଇଥିବେ । କିନ୍ତୁ ଯଦି ଆପଣ ନିଜ ଅନୁଭୂତି ବା ନିଜ ଦକ୍ଷତା ଉପରେ ନିର୍ଭର ରହି ନିଷ୍ପତ୍ତି ନେବେ, ତାହେଲେ ତାହା ସବୁବେଳେ ଭଲ ନିଷ୍ପତ୍ତି ହୋଇ ନ ପାରେ । କିନ୍ତୁ ଯଦି ଆମେ ଯିହୋବାଙ୍କଠାରୁ ମିଳୁଥିବା ବୁଦ୍ଧି ଅନୁସାରେ ନିଷ୍ପତ୍ତି ନେବା, ତାହେଲେ ତାହା ସବୁବେଳେ ଭଲ ନିଷ୍ପତ୍ତି ହେବ । ଯିହୋବା ଆମକୁ ସଠିକ୍‌ ଜ୍ଞାନ, ସୁବିବେଚନା ଓ ସୂକ୍ଷ୍ମ ବିଚାର ବା ଭାବିଚିନ୍ତି କାମ କରିବାର ଦକ୍ଷତା ଦେଇପାରିବେ, ଯାହା ସାହାଯ୍ୟରେ ଆମେ ପ୍ରକୃତରେ ବୁଦ୍ଧିମାନ ହୋଇପାରିବା । (ହିତୋ. ୨:୧-୫) ଏପରି ଭାବେ ଗୋଟିଏ ଭଲ ନିଷ୍ପତ୍ତି ନେବା ପାଇଁ ଯିହୋବା ଆମକୁ ସାହାଯ୍ୟ କରନ୍ତି ଓ ଏପରି ନିଷ୍ପତ୍ତି ନେଇ ଆମେ ତାଙ୍କ ହୃଦୟ ମଧ୍ୟ ଖୁସି କରିପାରୁ ।—ଗୀତ. ୨୩:୨, ୩.

ଗୀତ ୨୮ କୌନ ହୈ ୟହୋୱା କା ଦୋସ୍ତ ?

a ଧ୍ୟାନ ଦିଅନ୍ତୁ ଯେ କିଛି ଜାଗାଗୁଡ଼ିକରେ ମଦ ପିଇବାକୁ ଆଇନ ନିଷେଧ କରାଯାଇଛି । ଈଶ୍ୱରଙ୍କୁ ଭୟ କରୁଥିବା ଲୋକମାନେ ଏହି ଆଇନକୁ ମାନନ୍ତି ଓ ଆଦର କରନ୍ତି ।

b ଚିତ୍ର ବିଷୟରେ: କିଛି ଯୁବା ଭାଇଭଉଣୀମାନଙ୍କ ଫୋନ୍‌ରେ ଗୋଟିଏ ପାର୍ଟିରେ ଯିବା ପାଇଁ ମେସେଜ ଆସିଛି ଏବଂ ସେମାନେ ସମସ୍ତେ ଏବିଷୟରେ କଥା ହେଉଛନ୍ତି ।

c ଚିତ୍ର ବିଷୟରେ: ସେମଧ୍ୟରୁ ଜଣେ ଭାଇ ସେବିଷୟରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନୁସନ୍ଧାନ କରୁଛନ୍ତି ।