इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪

ଗୀତ ୧୮ ଫିରୌତି କେ ଲିଏ ଏହସାନମନ୍ଦ

ମୁକ୍ତିର ମୂଲ୍ୟରୁ ଆମେ କʼଣ ଶିଖୁ ?

ମୁକ୍ତିର ମୂଲ୍ୟରୁ ଆମେ କʼଣ ଶିଖୁ ?

“ଈଶ୍ୱରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ।”୧ ଯୋହ. ୪:୯.

କʼଣ ଶିଖିବା ?

ମୁକ୍ତିର ମୂଲ୍ୟରୁ ଯିହୋବା ଓ ଯୀଶୁଙ୍କ କେଉଁ ଭଲ ଗୁଣଗୁଡ଼ିକ ବିଷୟରେ ଜଣାପଡ଼େ ?

୧. ଆମକୁ ପ୍ରତିବର୍ଷ କାହିଁକି ଯୀଶୁଙ୍କ ମୃତ୍ୟୁର ସ୍ମାରକ ସମାରୋହରେ ଯିବା ଉଚିତ୍‌ ?

 ମୁକ୍ତିର ମୂଲ୍ୟ ଯିହୋବାଙ୍କ ତରଫରୁ ମିଳିଥିବା ଗୋଟିଏ ବହୁମୂଲ୍ୟ ଉପହାର ଅଟେ ! (୨ କରି. ୯:୧୫) ଯୀଶୁଙ୍କ ବଳିଦାନ ଯୋଗୁଁ ଆମେ ଯିହୋବାଙ୍କ ନିକଟତର ହେବା ସହିତ ତାଙ୍କ ସାଙ୍ଗ ହୋଇପାରୁ । ଏହା ଯୋଗୁଁ ଭବିଷ୍ୟତରେ ଆମକୁ ଅନନ୍ତ ଜୀବନ ପାଇବାର ସୁଯୋଗ ବି ମିଳିପାରିବ । ଯିହୋବା ଆମ ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି, ତେଣୁ ଆମ ପାଇଁ ସେ ନିଜ ପ୍ରିୟ ପୁତ୍ରଙ୍କୁ ଉତ୍ସର୍ଗ କରିଦେଲେ । (ରୋମୀ. ୫:୮) ସତରେ, ଆମେ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ବି ତାହା କମ୍‌ ହେବ ! ଯୀଶୁ ଚାହୁଁଥିଲେ ଯେ ଆମେ କେବେ ବି ମୁକ୍ତିର ମୂଲ୍ୟକୁ ଛୋଟ କଥା ବୋଲି ଭାବିବା ଉଚିତ୍‌ ନୁହେଁ, ବରଂ ସେ ଚାହୁଁଥିଲେ ଯେ ଆମେ ଏହାପାଇଁ ସବୁବେଳେ କୃତଜ୍ଞତା ଦେଖାଉ, ସେଥିପାଇଁ ସେ ପ୍ରଭୁଙ୍କ ସନ୍ଧ୍ୟାଭୋଜର ଆରମ୍ଭ କଲେ ।—ଲୂକ ୨୨:୧୯, ୨୦.

୨. ଏହି ଲେଖାରେ ଆମେ କʼଣ ଜାଣିବା ?

ଏହି ବର୍ଷ ସ୍ମାରକ ସମାରୋହ ୨୦୨୫ ଶନିବାର, ଏପ୍ରିଲ୍‌ ୧୨ ତାରିଖରେ ପାଳନ କରାଯିବ । ଆମେ ସମସ୍ତେ ଏଥିରେ ଆସିବା ପାଇଁ ନିଶ୍ଚୟ ପ୍ରସ୍ତୁତି କରୁଥିବା । ଯଦି ଆମେ ସ୍ମାରକ ପୂର୍ବେ ଓ ପରେ ମଧ୍ୟ ଏହି କଥା ଉପରେ ଚିନ୍ତନ a କରିବା ଯେ ଯିହୋବା ଓ ଯୀଶୁ ଆମ ପାଇଁ କʼଣ କʼଣ କରିଛନ୍ତି, ତାହେଲେ ଆମକୁ ଏଥିରୁ ଅନେକ ଲାଭ ହେବ । ଏହି ଲେଖାରେ ଆମେ ଶିଖିବା ଯେ ମୁକ୍ତିର ମୂଲ୍ୟର ବ୍ୟବସ୍ଥା ଉପରେ ଚିନ୍ତନ କଲେ ଆମେ ଯିହୋବା ଓ ଯୀଶୁଙ୍କ ବିଷୟରେ କʼଣ ଜାଣିପାରିବା । ଆଉ ପରବର୍ତ୍ତୀ ଲେଖାରେ ଆମେ ଜାଣିବା ଯେ ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ କେଉଁ ଆଶିଷଗୁଡ଼ିକ ମିଳେ ଓ ଆମେ ତାʼପାଇଁ କିପରି କୃତଜ୍ଞତା ଦେଖାଇପାରିବା ?

ମୁକ୍ତିର ମୂଲ୍ୟରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖୁ ?

୩. ଜଣେ ମଣିଷର ମୃତ୍ୟୁରୁ କିପରି ଲକ୍ଷ ଲକ୍ଷ ଲୋକଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତି ମିଳିପାରିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ମୁକ୍ତିର ମୂଲ୍ୟରୁ ଜଣାପଡ଼େ ଯେ ଯିହୋବା ସବୁବେଳେ ନ୍ୟାୟ କରନ୍ତି । (ଦ୍ୱିବି. ୩୨:୪) ତାହା କିପରି ? ଭାବନ୍ତୁ, ଆଦମ ଆଜ୍ଞା ଭାଙ୍ଗିବା ଯୋଗୁଁ ଆଜି ଆମେ ସମସ୍ତେ ପାପୀ ହୋଇଯାଇଛୁ ଓ ଦିନେ ନା ଦିନେ ଆମର ମୃତ୍ୟୁ ହୋଇଯାଏ । (ରୋମୀ. ୫:୧୨) ଆମ ସମସ୍ତଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ ଯିହୋବା ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ ଓ ଯୀଶୁଙ୍କୁ ପୃଥିବୀକୁ ପଠାଇଲେ । କିନ୍ତୁ ଜଣେ ପରିପୂର୍ଣ୍ଣ ବ୍ୟକ୍ତିର ବଳିଦାନରୁ କିପରି ଲକ୍ଷ ଲକ୍ଷ ଲୋକଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତି ମିଳିପାରିବ ? ପ୍ରେରିତ ପାଉଲ କହିଲେ, “ଯେପରି ଜଣକର [ଆଦମ] ଅନାଜ୍ଞାବହତା ଦ୍ୱାରା ଅନେକେ ପାପୀ ହେଲେ, ସେହିପରି ମଧ୍ୟ ଜଣକର [ଯୀଶୁ] ଆଜ୍ଞାବହତା ଦ୍ୱାରା ଅନେକେ ଧାର୍ମିକ ହେବେ ।” (ରୋମୀ. ୫:୧୯; ୧ ତୀମ. ୨:୬) ଅନ୍ୟ ଶବ୍ଦରେ କହିଲେ, ଜଣେ ପରିପୂର୍ଣ୍ଣ ମଣିଷର ଆଜ୍ଞା ନ ମାନିବା ଯୋଗୁଁ ଆମ ସମସ୍ତଙ୍କୁ ପାପ ଓ ମୃତ୍ୟୁ ଭୋଗିବାକୁ ପଡ଼ୁଛି, ତେଣୁ ଏଥିରୁ ମୁକ୍ତ ହେବା ପାଇଁ ଜଣେ ପରିପୂର୍ଣ୍ଣ ମଣିଷକୁ ହିଁ ଆଜ୍ଞା ମାନିବା ଜରୁରୀ ଥିଲା ।

ଜଣେ ବ୍ୟକ୍ତି ଯୋଗୁଁ ଆମ ସମସ୍ତଙ୍କୁ ପାପ ଓ ମୃତ୍ୟୁ ଭୋଗିବାକୁ ପଡ଼ୁଛି, ସେହିଭଳି ଜଣେ ବ୍ୟକ୍ତି ଯୋଗୁଁ ଆମ ସମସ୍ତଙ୍କୁ ସେଥିରୁ ମୁକ୍ତି ମିଳିପାରିବ (ପାରାଗ୍ରାଫ ୩)


୪. କʼଣ ଯୀଶୁଙ୍କ ଜୀବନକୁ ବଳିଦାନ ନ କରି ଯିହୋବା ଆଦମର ବିଶ୍ୱସ୍ତ ପିଲାମାନଙ୍କୁ ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ଦେଇପାରି ନ ଥାʼନ୍ତେ ? ବୁଝାନ୍ତୁ ।

କʼଣ ପାପ ଓ ମୃତ୍ୟୁରୁ ଆମକୁ ମୁକ୍ତ କରିବା ପାଇଁ ଯୀଶୁଙ୍କୁ ନିଜ ଜୀବନ ଦେବା ଏତେ ଜରୁରୀ ଥିଲା ? କʼଣ ଯିହୋବା ଏପରି ନ କରି ଆଦମର ବିଶ୍ୱସ୍ତ ପିଲାମାନଙ୍କୁ ଅନନ୍ତ ଜୀବନ ପାଇବାର ସୁଯୋଗ ଦେଇପାରି ନ ଥାʼନ୍ତେ ? ହୁଏତ ଆମ ଅପରିପୂର୍ଣ୍ଣ ମଣିଷମାନଙ୍କୁ ଏହା ଠିକ୍‌ ଲାଗିପାରେ, କିନ୍ତୁ ଯଦି ଯିହୋବା ଏପରି କରିଥାʼନ୍ତେ, ତାହେଲେ ଏହା ତାଙ୍କ ନ୍ୟାୟ କରିବାର ସ୍ତର ବିରୁଦ୍ଧରେ ଥାʼନ୍ତା । ଯଦି ସେ ଏପରି କରିଥାʼନ୍ତେ ତାହେଲେ ଲାଗନ୍ତା ଯେ ଯିହୋବା ଆଦମର ପାପକୁ ଅଣଦେଖା କରୁଛନ୍ତି । କିନ୍ତୁ ଯିହୋବା ଏପରି କେବେ ବି କରିପାରିବେ ନାହିଁ, କାରଣ ସେ ସବୁବେଳେ ନ୍ୟାୟ କରନ୍ତି ।

୫. ଆମେ କାହିଁକି ଭରସା କରିପାରିବା ଯେ ଯିହୋବା ସବୁବେଳେ ସଠିକ୍‌ ନ୍ୟାୟ କରିବେ ?

ଭାବନ୍ତୁ, ଯଦି ଯିହୋବା ମୁକ୍ତିର ମୂଲ୍ୟର ବ୍ୟବସ୍ଥା କରି ନ ଥାʼନ୍ତେ ଓ ନିଜ ନ୍ୟାୟ କରିବାର ସ୍ତରକୁ ଅଣଦେଖା କରି ଆଦମର ଅପରିପୂର୍ଣ୍ଣ ପିଲାମାନଙ୍କୁ ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ଦିଅନ୍ତେ, ତାହେଲେ କʼଣ ହୁଅନ୍ତା ? ଲୋକମାନଙ୍କୁ ଲାଗନ୍ତା ଯେ ଜଣାନାହିଁ ଆଗକୁ ଯାଇ ଯିହୋବା ନିଜ ନ୍ୟାୟ କରିବାର ସ୍ତରକୁ ମାନିବେ ନା ନାହିଁ, ସେ ଯାହା କହିଛନ୍ତି ତାହାକୁ ପୂରା କରିବେ ନା ନାହିଁ । ଯେପରି, ସେମାନେ ଯିହୋବାଙ୍କ ପ୍ରତିଜ୍ଞା ଉପରେ ସନ୍ଦେହ କରିବାକୁ ଲାଗନ୍ତେ । କିନ୍ତୁ ଆମକୁ ଏବିଷୟରେ ଚିନ୍ତା କରିବା ଦରକାର ନାହିଁ । ତାହା କାହିଁକି ? କାରଣ ଆମେ ଜାଣିଛୁ ଯେ ଯିହୋବା ତାଙ୍କ ନ୍ୟାୟ କରିବାର ସ୍ତରକୁ କେବେ ବି ଅଣଦେଖା କରନ୍ତି ନାହିଁ, ବରଂ ସେ ଏହା ପାଇଁ କେତେ ବଡ଼ ମୂଲ୍ୟ, ଅର୍ଥାତ୍‌ ନିଜ ପ୍ରିୟ ପୁତ୍ରଙ୍କ ଜୀବନ ଆମ ପାଇଁ ଦେଇଛନ୍ତି । ସେଥିପାଇଁ ଆମେ ପୂରା ଭରସା କରିପାରିବା ଯେ ସେ ସବୁବେଳେ ସଠିକ୍‌ ନ୍ୟାୟ କରିବେ ।

୬. ମୁକ୍ତିର ମୂଲ୍ୟରୁ କିପରି ଜଣାପଡ଼େ ଯେ ଯିହୋବା ଆମମାନଙ୍କୁ ବହୁତ ପ୍ରେମ କରନ୍ତି ? (୧ ଯୋହନ ୪:୯, ୧୦)

ମୁକ୍ତିର ମୂଲ୍ୟରୁ ଆମେ ଶିଖୁ ଯେ ଯିହୋବା ସବୁବେଳେ ସଠିକ୍‌ ନ୍ୟାୟ କରନ୍ତି । କିନ୍ତୁ ଏଥିରୁ ଆମେ ଏହା ବି ଶିଖୁ ଯେ ଯିହୋବା ଆମମାନଙ୍କୁ କେତେ ପ୍ରେମ କରନ୍ତି । (ଯୋହ. ୩:୧୬; ୧ ଯୋହନ ୪:୯, ୧୦ ପଢ଼ନ୍ତୁ ।) ଯିହୋବା ମୁକ୍ତିର ମୂଲ୍ୟର ବ୍ୟବସ୍ଥା ଏଥିପାଇଁ କଲେ, ଯାହାଦ୍ୱାରା ଆମେ ସବୁଦିନ ପାଇଁ ବଞ୍ଚିପାରିବା ଓ ତାଙ୍କ ପରିବାରର ସଦସ୍ୟ ହୋଇପାରିବା । ଆମେ ଏପରି କାହିଁକି କହିପାରିବା ? କାରଣ ଯେବେ ଆଦମ ପାପ କଲା, ତେବେ ଯିହୋବା ତାକୁ ନିଜ ପରିବାରରୁ ବାହାର କରିଦେଲେ । ତେଣୁ ଆଦମର ସନ୍ତାନମାନେ ଯିହୋବାଙ୍କ ପରିବାରର ସଦସ୍ୟ ହୋଇ ରହିପାରିଲେ ନାହିଁ । କିନ୍ତୁ ମୁକ୍ତିର ମୂଲ୍ୟ ଯୋଗୁଁ ଯିହୋବା ଆମ ପାପ କ୍ଷମା କରନ୍ତି । ଆଜି ଯେଉଁମାନେ ଯିହୋବାଙ୍କ ଉପରେ ବିଶ୍ୱାସ କରନ୍ତି ଓ ତାଙ୍କ ଆଜ୍ଞା ମାନନ୍ତି, ସେମାନେ ଦିନେ ତାଙ୍କ ପରିବାରର ସଦସ୍ୟ ହୋଇପାରିବେ । କିନ୍ତୁ ଆଜି ମଧ୍ୟ ଆମେ ଯିହୋବା ଓ ଭାଇଭଉଣୀମାନଙ୍କ ସହ ଗୋଟିଏ ଭଲ ସମ୍ପର୍କ ଗଢ଼ିପାରିବା । ସତରେ, ଯିହୋବା ଆମମାନଙ୍କୁ ବହୁତ ପ୍ରେମ କରନ୍ତି ।—ରୋମୀ. ୫:୧୦, ୧୧.

୭. ଯୀଶୁ ଯେତେ ଯନ୍ତ୍ରଣା ସହିଲେ, ସେଥିରୁ କିପରି ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ?

ଯିହୋବା ଆମକୁ କେତେ ପ୍ରେମ କରନ୍ତି, ଏହି କଥାକୁ ବୁଝିବା ପାଇଁ ଭାବନ୍ତୁ ଯେ ଯିହୋବା ମୁକ୍ତିର ମୂଲ୍ୟ ଦେବା ପାଇଁ କେତେ ବଡ଼ ମୂଲ୍ୟ ଦେଲେ । ଶୟତାନ ଦାବି କରିଥିଲା ଯେ ଯଦି ମଣିଷ ସମସ୍ୟାରେ ପଡ଼େ, ତେବେ ସେ ଯିହୋବାଙ୍କ ବିଶ୍ୱସ୍ତ ରହେ ନାହିଁ । ଏହି ଆରୋପକୁ ମିଛ ସାବ୍ୟସ୍ତ କରିବା ପାଇଁ ଯିହୋବା ନିଜ ପୁତ୍ରଙ୍କୁ ଯନ୍ତ୍ରଣା ସହି ମୃତ୍ୟୁଭୋଗ କରିବାକୁ ଦେଲେ । (ଆୟୁ. ୨:୧-୫; ୧ ପିତ. ୨:୨୧) ଯେବେ ଧର୍ମଗୁରୁମାନେ ତାଙ୍କ ପୁତ୍ରଙ୍କୁ ଥଟ୍ଟା କରୁଥିଲେ, ତେବେ ଯିହୋବା ଏସବୁ ଦେଖୁଥିଲେ । ଯିହୋବା ଏହା ବି ଦେଖିଲେ ଯେ କିପରି ଭାବରେ ସୈନିକମାନେ ତାଙ୍କ ପୁତ୍ରଙ୍କୁ ନିର୍ଦ୍ଦୟୀ ଭାବେ ମାରୁଛନ୍ତି । ତାʼପରେ ତାଙ୍କ ଆଖି ସାମନାରେ ତାଙ୍କ ପୁତ୍ରଙ୍କୁ କାଠରେ କଣ୍ଟାପିଟି ଟାଙ୍ଗି ଦିଆଗଲା । ଆଉ ଯେବେ ତାଙ୍କ ପ୍ରିୟ ପୁତ୍ର ଯନ୍ତ୍ରଣା ସହି ଶେଷ ନିଶ୍ୱାସ ତ୍ୟାଗ କଲେ, ତେବେ ଯିହୋବା ଏସବୁ ଦେଖୁଥିଲେ । (ମାଥି. ୨୭:୨୮-୩୧, ୩୯) ଯିହୋବାଙ୍କ ପାଖରେ ବହୁତ ଶକ୍ତି ଅଛି, ଯଦି ସେ ଚାହାନ୍ତେ ତାହେଲେ ସେ ଏସୁବୁ ରୋକିପାରିଥାʼନ୍ତେ । ଯେପରି ଯେବେ ବିରୋଧୀମାନେ ଯୀଶୁଙ୍କୁ କହୁଥିଲେ, ‘ଈଶ୍ୱର ଯଦି ତାହାଙ୍କଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାଙ୍କୁ ରକ୍ଷା କରନ୍ତୁ,’ ସେସମୟରେ ଯିହୋବା ତାଙ୍କୁ ରକ୍ଷା କରିପାରିଥାʼନ୍ତେ । (ମାଥି. ୨୭:୪୨, ୪୩) କିନ୍ତୁ ଯଦି ଯିହୋବା ଏପରି କରିଥାʼନ୍ତେ, ତାହେଲେ ଯୀଶୁ ମୁକ୍ତିର ମୂଲ୍ୟ ଦେଇପାରି ନ ଥାʼନ୍ତେ ଆଉ ଆମ ପାଖରେ କୌଣସି ଆଶା ନ ଥାʼନ୍ତା । ସେଥିପାଇଁ ଯିହୋବା ନିଜ ହୃଦୟକୁ କଠୋର କରି ନିଜ ପ୍ରିୟ ପୁତ୍ରଙ୍କୁ ଏତେ ଯନ୍ତ୍ରଣା ସହିବା ପାଇଁ ଦେଲେ ।

୮. କʼଣ ଯିହୋବାଙ୍କୁ ନିଜ ପୁତ୍ରଙ୍କୁ ଯନ୍ତ୍ରଣାରେ ଦେଖି କଷ୍ଟ ହୋଇଥିବ ? ବୁଝାନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)

ଏହା ସତ ଯେ ଯିହୋବା ସର୍ବଶକ୍ତିମାନ ଅଟନ୍ତି, କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ତାଙ୍କଠାରେ ଭାବନା ନାହିଁ । ଆମକୁ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି କରାଯାଇଛି ଏବଂ ଆମଠାରେ ଭାବନା ଅଛି, ଏଥିରୁ ସ୍ପଷ୍ଟ ହୁଏ ଯେ ଯିହୋବାଙ୍କଠାରେ ମଧ୍ୟ ଭାବନା ଅଛି । ବାଇବଲରେ କୁହାଯାଇଛି ଯେ ଯିହୋବା ମଧ୍ୟ “ଅସନ୍ତୁଷ୍ଟ” [“ଦୁଃଖ ପହଞ୍ଚେ,” NWT] ଓ “ବିରକ୍ତ” [“ଦୁଃଖିତ,” NWT] ହୁଅନ୍ତି । (ଗୀତ. ୭୮:୪୦, ୪୧) ଏହାକୁ ବୁଝିବା ପାଇଁ ଅବ୍ରହାମ ଓ ଇସ୍‌ହାକଙ୍କ ବିଷୟରେ ଭାବନ୍ତୁ । ଆପଣଙ୍କୁ ମନେଥିବ ଯେ ଯିହୋବା ଅବ୍ରହାମଙ୍କୁ ଆଜ୍ଞା ଦେଇଥିଲେ ଯେ ସେ ତାଙ୍କ ଏକମାତ୍ର ପୁତ୍ରଙ୍କ ଜୀବନକୁ ଉତ୍ସର୍ଗ କରିଦିଅନ୍ତୁ । (ଆଦି. ୨୨:୯-୧୨; ଏବ୍ରୀ ୧୧:୧୭-୧୯) ଭାବନ୍ତୁ, ଯେବେ ଅବ୍ରହାମ ନିଜ ପୁତ୍ରଙ୍କୁ ବଳି କରିବା ପାଇଁ ପ୍ରସ୍ତୁତି କରୁଥିବେ, ତେବେ ତାଙ୍କୁ କେତେ କଷ୍ଟ ହୋଇଥିବ । ଯେବେ ଅବ୍ରହାମ ନିଜ ପୁତ୍ରଙ୍କୁ ମାରିବା ପାଇଁ ଛୁରୀ ଧରିଲେ, ସେସମୟରେ ତାଙ୍କୁ କିପରି ଲାଗିଥିବ ! ଠିକ୍‌ ସେହିଭଳି, ଯିହୋବା ଯେତେବେଳେ ଦେଖିଥିବେ ଯେ ଲୋକମାନେ କିପରି ତାଙ୍କ ପୁତ୍ରଙ୍କୁ ନିର୍ଦ୍ଦୟୀ ଭାବେ ମାରୁଛନ୍ତି, ତେବେ ତାଙ୍କୁ କିପରି ଲାଗିଥିବ !—jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ ଉନ୍‌କେ ୱିଶୱାଶ କି ମିସାଲ ପର୍‌ ଚଲିଏ—ଅବ୍ରହାମ, ଭାଗ ଦେଖନ୍ତୁ ।

ନିଜ ପୁତ୍ରଙ୍କୁ ଯନ୍ତ୍ରଣାରେ ଦେଖି ଯିହୋବାଙ୍କୁ ବହୁତ କଷ୍ଟ ପହଞ୍ଚିଲା (ପାରାଗ୍ରାଫ ୮)


୯. ରୋମୀୟ ୮:୩୨, ୩୮, ୩୯ ପଦରୁ ଯିହୋବାଙ୍କ ପ୍ରେମ ବିଷୟରେ କʼଣ ଜଣାପଡ଼େ ?

ମୁକ୍ତିର ମୂଲ୍ୟରୁ ଜଣାପଡ଼େ ଯେ ଯିହୋବା ଆମକୁ ସବୁଠୁ ଅଧିକ ପ୍ରେମ କରନ୍ତି, ଏପରିକି ଆମ ପରିବାର ଲୋକ ଓ ନିଜ ସବୁଠୁ ଭଲ ସାଙ୍ଗଠାରୁ ବି ଅଧିକ । (ରୋମୀୟ ୮:୩୨, ୩୮, ୩୯ ପଢ଼ନ୍ତୁ ।) ଆମେ ନିଜେ ନିଜକୁ ଯେତେ ପ୍ରେମ କରୁ, ତାʼଠାରୁ ବି ଅଧିକ ଯିହୋବା ଆମକୁ ପ୍ରେମ କରନ୍ତି । କʼଣ ଆପଣ ସବୁଦିନ ପାଇଁ ବଞ୍ଚିବା ପାଇଁ ଚାହାନ୍ତି ? ଆପଣଙ୍କଠାରୁ ବି ଅଧିକ ଯିହୋବା ଚାହାନ୍ତି ଯେ ଆପଣ ସବୁଦିନ ପାଇଁ ବଞ୍ଚନ୍ତୁ । କʼଣ ଆପଣ କ୍ଷମା ପାଇବା ପାଇଁ ଚାହାନ୍ତି ? ଆପଣଙ୍କଠାରୁ ବି ଅଧିକ ଯିହୋବା ଆପଣଙ୍କୁ କ୍ଷମା କରିବା ପାଇଁ ଚାହାନ୍ତି । ଯିହୋବା ଆମଠାରୁ କେବଳ ଏହା ହିଁ ଚାହାନ୍ତି ଯେ ଆମେ ମୁକ୍ତିର ମୂଲ୍ୟର ବ୍ୟବସ୍ଥା ପାଇଁ କୃତଜ୍ଞତା ଦେଖାଉ, ତାଙ୍କ ଉପରେ ବିଶ୍ୱାସ କରୁ ଓ ତାଙ୍କ ଆଜ୍ଞା ମାନୁ । ମୁକ୍ତିର ମୂଲ୍ୟ ସତରେ ଯିହୋବାଙ୍କ ପ୍ରେମର କେତେ ବଡ଼ ପ୍ରମାଣ ଅଟେ । ଆଉ ନୂଆ ଦୁନିଆରେ ଆମେ ଯିହୋବାଙ୍କ ପ୍ରେମ ବିଷୟରେ ଆହୁରି ଅଧିକ ଜାଣିବା ।—ଉପ. ୩:୧୧.

ମୁକ୍ତିର ମୂଲ୍ୟରୁ ଆମେ ଯୀଶୁଙ୍କ ବିଷୟରେ କʼଣ ଶିଖୁ ?

୧୦. (କ) ଯୀଶୁ କାହିଁକି ନିଜ ମୃତ୍ୟୁ ବିଷୟରେ ଭାବି ଦୁଃଖିତ ଥିଲେ ? (ଖ) ଯୀଶୁ କିପରି ଯିହୋବାଙ୍କ ନାମକୁ ପବିତ୍ର କଲେ ? (“ ଯୀଶୁ ବିଶ୍ୱସ୍ତ ରହି ଯିହୋବାଙ୍କର ନାମକୁ ପବିତ୍ର କଲେ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୦ ଯୀଶୁ ନିଜ ପିତାଙ୍କ ନାମ ବିଷୟରେ ବହୁତ ଚିନ୍ତା କରନ୍ତି । (ଯୋହ. ୧୪:୩୧) ଯୀଶୁଙ୍କୁ ଏହା ଭାବି ବହୁତ ଚିନ୍ତା ହେଉଥିଲା ଯେ ଯେବେ ତାଙ୍କ ଉପରେ ତାଙ୍କ ପିତାଙ୍କ ନିନ୍ଦା କରିବାର ଆରୋପ ଲଗାଯିବ, ଆଉ ଯେବେ ତାଙ୍କୁ ଜଣେ ଅପରାଧୀ ଭାବେ ମାରିଦିଆଯିବ, ତେବେ ତାଙ୍କ ପିତାଙ୍କ ନାମର କେତେ ବଦନାମ ହେବ । ସେଥିପାଇଁ ସେ ଯିହୋବାଙ୍କୁ ପ୍ରାର୍ଥନାରେ କହିଲେ, “ହେ ମୋହର ପିତା, ଯଦି ହୋଇ ପାରେ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର ହେଉ ।” (ମାଥି. ୨୬:୩୯) ଯୀଶୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ଓ ଏପରି ଭାବେ ସେ ନିଜ ପିତାଙ୍କ ନାମକୁ ପବିତ୍ର କଲେ ।

୧୧. ଯୀଶୁ କିପରି ଦେଖାଇଲେ ଯେ ସେ ଲୋକମାନଙ୍କୁ ପ୍ରେମ କରନ୍ତି ? (ଯୋହନ ୧୩:୧)

୧୧ ମୁକ୍ତିର ମୂଲ୍ୟରୁ ଏହା ବି ଜଣାପଡ଼େ ଯେ ଯୀଶୁ ଲୋକମାନଙ୍କ ପାଇଁ ବହୁତ ଚିନ୍ତା କରନ୍ତି, ବିଶେଷକରି ତାଙ୍କ ଶିଷ୍ୟମାନଙ୍କ ପାଇଁ । (ହିତୋ. ୮:୩୧; ଯୋହନ ୧୩:୧ ପଢ଼ନ୍ତୁ ।) ଆମେ ଏପରି କାହିଁକି କହିପାରିବା ? ଯୀଶୁ ଜାଣିଥିଲେ ଯେ ପୃଥିବୀରେ ସେବା କରିବା ସମୟରେ ତାଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ ଓ ତାଙ୍କ ମୃତ୍ୟୁ ବହୁତ ଯନ୍ତ୍ରଣାଦାୟକ ହେବ । ତଥାପି ଯୀଶୁ ଯିହୋବାଙ୍କ ତରଫରୁ ମିଳିଥିବା କାମକୁ ପୂରା କଲେ । ଆଉ ସେ ଏହା କେବଳ ନାଁକୁ ମାତ୍ର ନୁହେଁ, ବରଂ ହୃଦୟରୁ ଲୋକମାନଙ୍କୁ ପ୍ରଚାର କଲେ, ଶିଖାଇଲେ ଏବଂ ସେମାନଙ୍କ ସେବା କଲେ । ସେ ଲୋକମାନଙ୍କୁ ପ୍ରେମ କରିବା ଯୋଗୁଁ ଏପରି କଲେ । ଏପରିକି ନିଜ ମୃତ୍ୟୁର ଗୋଟିଏ ରାତି ପୂର୍ବେ ସେ ତାଙ୍କ ପ୍ରେରିତମାନଙ୍କ ପାଦ ଧୋଇଲେ । ସେ ସେମାନଙ୍କୁ ସାନ୍ତ୍ୱନା ଦେଲେ ଓ କିଛି ନିର୍ଦ୍ଦେଶ ମଧ୍ୟ ଦେଲେ । (ଯୋହ. ୧୩:୧୨-୧୫) ଆଉ ଯେବେ ତାଙ୍କୁ କାଠରେ ଟଙ୍ଗା ଯାଇଥିଲା, ତେବେ ତାଙ୍କ ପାଖରେ ଟଙ୍ଗା ଯାଇଥିବା ଆଉ ଜଣେ ଅପରାଧୀକୁ ସେ ଆଶା ଦେଲେ ଓ ନିଜ ମାଆଙ୍କ ଦେଖାଶୁଣା କରିବା ପାଇଁ ବି ବ୍ୟବସ୍ଥା କଲେ । (ଲୂକ ୨୩:୪୨, ୪୩; ଯୋହ. ୧୯:୨୬, ୨୭) ଏହିପରି ଭାବେ ଯୀଶୁ କେବଳ ତାଙ୍କ ଜୀବନ ଦେଇ ଆମମାନଙ୍କ ପାଇଁ ପ୍ରେମ ଦେଖାଇଲେ ନାହିଁ, ବରଂ ସେ ଯେପରି ଭାବେ ଜୀବନ ବିତାଇଲେ ସେଥିରୁ ବି ଜଣାପଡ଼େ ଯେ ସେ ଆମମାନଙ୍କୁ କେତେ ପ୍ରେମ କରନ୍ତି ।

୧୨. ଯୀଶୁ ଆଜି ମଧ୍ୟ କିପରି ଆମମାନଙ୍କ ପାଇଁ ଅନେକ ତ୍ୟାଗ କରୁଛନ୍ତି ?

୧୨ ଏହା ସତ ଯେ ଯୀଶୁ “ଏକାଥରେ” ସବୁଦିନ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଲେ, କିନ୍ତୁ ସେ ଆଜି ମଧ୍ୟ ଆମ ପାଇଁ ଅନେକ ତ୍ୟାଗ କରୁଛନ୍ତି । (ରୋମୀ. ୬:୧୦) ତାହା କିପରି ? ଆମକୁ ମୁକ୍ତିର ମୂଲ୍ୟରୁ ପୂରାପୂରି ଲାଭ ହେଉ, ଏହା ପାଇଁ ଯୀଶୁ ଆଜି ବି ବହୁତ ପରିଶ୍ରମ କରୁଛନ୍ତି । ଯେପରି, ସେ ଆମ ରାଜା ଓ ମହାଯାଜକ ଭାବେ ବହୁତ କିଛି କରୁଛନ୍ତି ଓ ମଣ୍ଡଳୀର ମୁଖିଆ ଭାବେ ବି ସେ ଦାୟିତ୍ୱ ତୁଲାଉଛନ୍ତି । (୧ କରି. ୧୫:୨୫; ଏଫି. ୫:୨୩; ଏବ୍ରୀ ୨:୧୭) କେବଳ ଏତିକି ନୁହେଁ, ତାଙ୍କୁ ଅଭିଷିକ୍ତ ଖ୍ରୀଷ୍ଟିୟାନ ଓ ମହା ଜନତାର ଲୋକମାନଙ୍କୁ ଏକାଠି କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଏହି କାମ ମହାକ୍ଳେଶ ଶେଷ ହେବା ପୂର୍ବରୁ ପୂରା ହେବ । b (ମାଥି. ୨୫:୩୨; ମାର୍କ ୧୩:୨୭) ଯୀଶୁ ଏହି କଥାର ବି ଧ୍ୟାନ ରଖନ୍ତି ଯେ ଏହି ଶେଷ ସମୟରେ ଖ୍ରୀଷ୍ଟିୟାନମାନଙ୍କୁ ସଠିକ୍‌ ସମୟରେ ଆଧ୍ୟାତ୍ମିକ ଭୋଜନ ମିଳୁ, ଯାହାଦ୍ୱାରା ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବେ । (ମାଥି. ୨୪:୪୫) ଆଉ ନିଜ ୧,୦୦୦ ବର୍ଷର ଶାସନ ସମୟରେ ବି ସେ ଆମ ପାଇଁ ବହୁତ କିଛି କରିବେ । ଯିହୋବା ପ୍ରକୃତରେ ନିଜ ପୁତ୍ରଙ୍କୁ ଆମମାନଙ୍କ ପାଇଁ ଦେଇଦେଲେ !

ଶିଖିବା ଜାରି ରଖନ୍ତୁ

୧୩. ଚିନ୍ତନ କରିବା ଦ୍ୱାରା ଆମେ ଏହା କିପରି ଜାଣିପାରିବା ଯେ ଯିହୋବା ଓ ଯୀଶୁ ଆମକୁ ବହୁତ ପ୍ରେମ କରନ୍ତି ?

୧୩ ଯିହୋବା ଓ ଯୀଶୁ ଆପଣଙ୍କ ପାଇଁ ଯାହା କରିଛନ୍ତି, ସେବିଷୟରେ ଚିନ୍ତନ କଲେ ଆପଣ ଆହୁରି ଭଲଭାବେ ବୁଝିପାରିବେ ଯେ ସେମାନେ ଆପଣଙ୍କୁ କେତେ ପ୍ରେମ କରନ୍ତି । ତାହେଲେ ଭଲ ହେବ ଯେ ଆପଣ ଏହି ବର୍ଷ ସ୍ମାରକର କିଛି ସପ୍ତାହ ପୂର୍ବରୁ ଓ ପରେ ସୁସମାଚାରର ଗୋଟିଏ କିମ୍ବା ଦୁଇଟି ବହିକୁ ଧ୍ୟାନ ଦେଇ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ । ଏକାଥରେ ଅନେକ ପଦ ପଢ଼ିବା ପରିବର୍ତ୍ତେ ଅଳ୍ପ ଅଳ୍ପ ପଢ଼ନ୍ତୁ ଏବଂ ଯିହୋବା ଓ ଯୀଶୁଙ୍କୁ କାହିଁକି ପ୍ରେମ କରିବା ଉଚିତ୍‌, ଏହାର କାରଣ ଖୋଜିବା ପାଇଁ ବି ଚେଷ୍ଟା କରନ୍ତୁ । କେବଳ ଏତିକି ନୁହେଁ, ଆପଣ ଯାହା ବି ଶିଖନ୍ତି ତାହା ଅନ୍ୟମାନଙ୍କୁ ବି କହନ୍ତୁ ।

୧୪. ଅନୁସନ୍ଧାନ କଲେ ଆମେ ମୁକ୍ତିର ମୂଲ୍ୟ ଓ ଅନ୍ୟ ବିଷୟରେ କିପରି ଆହୁରି ନୂଆ କଥା ଶିଖିପାରିବା ? (ଗୀତସଂହିତା ୧୧୯:୯୭) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଯଦି ଆପଣ ଅନେକ ବର୍ଷରୁ ଯିହୋବାଙ୍କ ସାକ୍ଷୀ ଅଟନ୍ତି, ତାହେଲେ ହୁଏତ ଆପଣ ଭାବିବେ, ‘ଯିହୋବାଙ୍କ ନ୍ୟାୟ, ପ୍ରେମ ଓ ମୁକ୍ତିର ମୂଲ୍ୟ ବିଷୟରେ ତ ଆମେ ପୂର୍ବରୁ ବହୁତ କିଛି ଜାଣିଛୁ । ତାହେଲେ ଏହି ବିଷୟରେ ଆମେ ଆଉ ନୂଆ କଥା କʼଣ ଶିଖିପାରିବା ?’ କିନ୍ତୁ ଏହା ସତ ଯେ ଏହି ବିଷୟରେ ଆମେ ସବୁବେଳେ କିଛି ନା କିଛି ନୂଆ କଥା ଶିଖିପାରିବା । ତାହା କିପରି ? ଏହି ବିଷୟରେ ଆମ ପ୍ରକାଶନଗୁଡ଼ିକରେ ଯାହା କୁହାଯାଇଛି, ସେଗୁଡ଼ିକୁ ଭଲଭାବେ ଅଧ୍ୟୟନ କରନ୍ତୁ । ଯଦି ଆପଣ ଏପରି କୌଣସି ବିଷୟ ପଢ଼ନ୍ତି, ଯାହା ଆପଣଙ୍କୁ ଭଲଭାବେ ବୁଝାପଡ଼େ ନାହିଁ, ତାହେଲେ ଅନୁସନ୍ଧାନ କରନ୍ତୁ । ତାʼପରେ ଆପଣ ଯାହା ଶିଖିଲେ ସେବିଷୟରେ ଦିନସାରା ଚିନ୍ତନ କରନ୍ତୁ । ଆଉ ଭାବନ୍ତୁ ଯେ ଏଥିରୁ ଯିହୋବା ଓ ଯୀଶୁଙ୍କ ବିଷୟରେ କʼଣ ଜଣାପଡ଼େ । ଆଉ ଏଥିରୁ କିପରି ଜଣାପଡ଼େ ଯେ ସେମାନେ ଆପଣଙ୍କୁ ବହୁତ ପ୍ରେମ କରନ୍ତି ।—ଗୀତସଂହିତା ୧୧୯:୯୭ ପଢ଼ନ୍ତୁ ।

ଆମେ ଅନେକ ବର୍ଷରୁ ଯିହୋବାଙ୍କ ସାକ୍ଷୀ ଥିଲେ ମଧ୍ୟ ମୁକ୍ତିର ମୂଲ୍ୟ ପାଇଁ ନିଜର କୃତଜ୍ଞତା ବଢ଼ାଇବା ଜାରି ରଖିପାରିବା (ପାରାଗ୍ରାଫ ୧୪)


୧୫. ଆମକୁ କାହିଁକି ବାଇବଲରୁ ବହୁମୂଲ୍ୟ କଥାଗୁଡ଼ିକୁ ଖୋଜିବା ଜାରି ରଖିବା ଉଚିତ୍‌ ?

୧୫ ଯେବେ ଆପଣ ପଢ଼ନ୍ତି କିମ୍ବା ଅନୁସନ୍ଧାନ କରନ୍ତି, ତେବେ ହୁଏତ ପ୍ରତିଥର ଆପଣଙ୍କୁ ନୂଆ କଥା ଶିଖିବାକୁ ମିଳିବ ନାହିଁ, ତାହେଲେ ନିରାଶ ହୁଅନ୍ତୁ ନାହିଁ । ସେହି ଲୋକମାନଙ୍କ ବିଷୟରେ ଭାବନ୍ତୁ ଯେଉଁମାନେ ସୁନା ଖୋଜନ୍ତି । ସେମାନଙ୍କୁ ବହୁତ ଧୈର୍ଯ୍ୟ ଧରିବାକୁ ପଡ଼େ । ଅନେକ ଥର ସୁନାର ଛୋଟିଆ ଖଣ୍ଡ ପାଇବା ପାଇଁ ବହୁତ ସମୟ କିମ୍ବା ଅନେକ ଦିନ ଲାଗିଯାଏ । ତଥାପି ସେମାନେ ହାର ମାନନ୍ତି ନାହିଁ, କାରଣ ସେମାନେ ଜାଣିଛନ୍ତି ଯେ ସୁନାର ଛୋଟିଆ ଖଣ୍ଡ ମଧ୍ୟ ବହୁମୂଲ୍ୟ ଅଟେ । କିନ୍ତୁ ବାଇବଲରେ ଆମେ ଯାହା ବି ଅନୁସନ୍ଧାନ କରୁ, ସେଗୁଡ଼ିକ ସୁନାରୁ ବି ଅଧିକ ବହୁମୂଲ୍ୟ ଅଟେ ! (ଗୀତ. ୧୧୯:୧୨୭; ହିତୋ. ୮:୧୦) ସେଥିପାଇଁ ଧୈର୍ଯ୍ୟ ଧରନ୍ତୁ, ପ୍ରତିଦିନ ବାଇବଲ ପଢ଼ିବା ଓ ନୂଆ କଥା ବିଷୟରେ ଅନୁସନ୍ଧାନ କରିବା ଜାରି ରଖନ୍ତୁ ।—ଗୀତ. ୧:୨.

୧୬. ଆମେ କିପରି ଯିହୋବା ଓ ଯୀଶୁଙ୍କ ଭଳି ହୋଇପାରିବା ?

୧୬ ଅଧ୍ୟୟନ କରିବା ପରେ ଭାବନ୍ତୁ ଯେ ଆପଣ ଯାହା ଶିଖିଲେ ସେହି ଅନୁସାରେ କିପରି ଚାଲିପାରିବେ । ଯେପରି, ଯେଉଁଭଳି ଯିହୋବା ସବୁବେଳେ ନ୍ୟାୟ କରନ୍ତି, ଆପଣ ବି ସେପରି ହିଁ କରନ୍ତୁ । କେବେ ବି କାହାରି ସହିତ ଭେଦଭାବ କରନ୍ତୁ ନାହିଁ । ଯୀଶୁଙ୍କ ଭଳି ଯିହୋବା ଓ ଲୋକମାନଙ୍କୁ ପ୍ରେମ କରନ୍ତୁ । ଯିହୋବାଙ୍କ ପାଇଁ ଯଦି ଆପଣଙ୍କୁ କୌଣସି ଦୁଃଖ ସହିବାକୁ ପଡ଼େ, ତେବେ ତାʼପାଇଁ ପ୍ରସ୍ତୁତ ରହନ୍ତୁ ଆଉ ମନପ୍ରାଣ ଦେଇ ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତୁ । କେବଳ ଏତିକି ନୁହେଁ, ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ ସୁସମାଚାର ଶୁଣାନ୍ତୁ, ଯାହାଫଳରେ ସେମାନେ ବି ଏହା ଜାଣିପାରିବେ ଯେ ଯିହୋବା ଆମକୁ କେତେ ବହୁମୂଲ୍ୟ ଉପହାର ଦେଇଛନ୍ତି ଏବଂ ସେମାନେ ବି ମୁକ୍ତିର ମୂଲ୍ୟରୁ ଲାଭ ପାଇପାରିବେ ।

୧୭. ପରବର୍ତ୍ତୀ ଲେଖାରେ ଆମେ କʼଣ ଜାଣିବା ?

୧୭ ଯେତେ ଅଧିକ ଆମେ ମୁକ୍ତିର ମୂଲ୍ୟ ବିଷୟରେ ଜାଣିବା ଏବଂ ଏଥିପାଇଁ ଯେତେ ଅଧିକ କୃତଜ୍ଞତା ବଢ଼ାଇବା, ସେତେ ହିଁ ଆମେ ଯିହୋବା ଓ ତାଙ୍କ ପୁତ୍ର ଯୀଶୁଙ୍କ ପାଇଁ ଆମର ପ୍ରେମ ବଢ଼ାଇପାରିବା । ଆଉ ସେମାନେ ବି ଆମକୁ ଆହୁରି ଅଧିକ ପ୍ରେମ କରିବାକୁ ଲାଗିବେ । (ଯୋହ. ୧୪:୨୧; ଯାକୁ. ୪:୮) ତାହେଲେ ମୁକ୍ତିର ମୂଲ୍ୟ ବିଷୟରେ ଜାଣିବା ପାଇଁ ଯିହୋବା ଯେଉଁ ବ୍ୟବସ୍ଥା କରିଛନ୍ତି, ତାହାର ପୂରାପୂରି ଲାଭ ଉଠାନ୍ତୁ । ପରବର୍ତ୍ତୀ ଲେଖାରେ ଆମେ ଜାଣିବା ଯେ ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ କେଉଁ ଆଶିଷଗୁଡ଼ିକ ମିଳେ ଓ ଯିହୋବାଙ୍କ ପ୍ରେମ ପାଇଁ ଆମେ କିପରି ନିଜ କୃତଜ୍ଞତା ଦେଖାଇପାରିବା ।

ଗୀତ ୧୦୭ ୟହୋୱା କେ ପ୍ୟାର କି ମିଶାଲ୍‌

a ଏହାର ଅର୍ଥ କʼଣ ? “ଚିନ୍ତନ” କରିବାର ଅର୍ଥ ହେଉଛି, କୌଣସି ବିଷୟ ଉପରେ ଗଭୀର ଭାବେ ଭାବିବା ଓ ତାହାକୁ ଭଲଭାବେ ବୁଝିବା ପାଇଁ ଅନୁସନ୍ଧାନ କରିବା ।

b ଏଫିସୀୟ ୧:୧୦ ପଦରେ ପ୍ରେରିତ ପାଉଲ ‘ସ୍ୱର୍ଗର ସମସ୍ତ ବିଷୟକୁ’ ଏକାଠି କରିବା ବିଷୟରେ କହିଲେ ଓ ମାଥିଉ ୨୪:୩୧ ଏବଂ ମାର୍କ ୧୩:୨୭ ପଦରେ ଯୀଶୁ ଖ୍ରୀଷ୍ଟ “ମନୋନୀତ ଲୋକମାନଙ୍କୁ” ଏକାଠି କରିବା ବିଷୟରେ କହିଲେ । ଏହି ଦୁଇଟି କଥାରେ ଫରକ ଅଛି । ପାଉଲ ସେସମୟ ବିଷୟରେ କହିଲେ, ଯେବେ ଯିହୋବା ପବିତ୍ର ଶକ୍ତି ଦ୍ୱାରା କିଛି ଲୋକମାନଙ୍କୁ ଅଭିଷେକ କରି ଯୀଶୁଙ୍କ ସହିତ ଶାସନ କରିବା ପାଇଁ ବାଛନ୍ତି । ଆଉ ଯୀଶୁ ସେସମୟ ବିଷୟରେ କହିଲେ ଯେବେ ପୃଥିବୀରେ ଥିବା କିଛି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ମହାକ୍ଳେଶ ସମୟରେ ସ୍ୱର୍ଗରେ ଏକାଠି କରାଯିବ ।