इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୫

ଗୀତ ୧୦୮ ୟହୋୱା କା ଅଟଲ ପ୍ୟାର୍‌

ଯିହୋବାଙ୍କର ପ୍ରେମ ଯୋଗୁଁ ମିଳେ ଅନେକ ଆଶିଷ !

ଯିହୋବାଙ୍କର ପ୍ରେମ ଯୋଗୁଁ ମିଳେ ଅନେକ ଆଶିଷ !

‘ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଜଗତରେ ଅବତୀର୍ଣ୍ଣ ହେଲେ ।’୧ ତୀମ. ୧:୧୫.

କʼଣ ଶିଖିବା ?

ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ କେଉଁ ଆଶିଷଗୁଡ଼ିକ ମିଳେ ଓ ଆମେ ଏଥିପାଇଁ ଯିହୋବାଙ୍କୁ କିପରି କୃତଜ୍ଞତା ଦେଖାଇପାରିବା ?

୧. ଆମେ ଯିହୋବାଙ୍କୁ ଖୁସି କରିବା ପାଇଁ କʼଣ କରିପାରିବା ?

 ଭାବନ୍ତୁ, ଆପଣ ଯାହାକୁ ବହୁତ ଭଲ ପାଆନ୍ତି, ତାଙ୍କୁ ଗୋଟିଏ ଖାସ୍‌ ଓ ସୁନ୍ଦର ଉପହାର ଦିଅନ୍ତି, ଯାହା ତାଙ୍କ କାମରେ ବି ଆସିବ । କିନ୍ତୁ ଯଦି ସେ ସେହି ଉପହାରକୁ କେଉଁଠି ରଖି ଭୁଲି ଯାଆନ୍ତି, ତାହେଲେ ଭାବନ୍ତୁ ଆପଣଙ୍କୁ କେତେ ଖରାପ ଲାଗିବ । କିନ୍ତୁ ଯଦି ସେ ସେହି ଉପହାରକୁ ବ୍ୟବହାର କରନ୍ତି ଓ ତାʼପାଇଁ ଆପଣଙ୍କୁ ଧନ୍ୟବାଦ କହନ୍ତି, ତାହେଲେ ଭାବନ୍ତୁ ଆପଣଙ୍କୁ କେତେ ଖୁସି ଲାଗିବ ! ସେହିପରି ଯିହୋବା ବି ଆମମାନଙ୍କୁ ଗୋଟିଏ ବହୁମୂଲ୍ୟ ଉପହାର ଦେଇଛନ୍ତି । ସେ ଆମମାନଙ୍କୁ ଏତେ ପ୍ରେମ କରନ୍ତି ଯେ ଆମମାନଙ୍କ ପାଇଁ ନିଜ ପୁଅକୁ ଉତ୍ସର୍ଗ କରିଦେଲେ । ଯଦି ଆମେ ଯିହୋବାଙ୍କ ଏହି ପ୍ରେମ ଓ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇବା, ତାହେଲେ ଭାବନ୍ତୁ ତାଙ୍କୁ କେତେ ଖୁସି ଲାଗିବ !—ଯୋହ. ୩:୧୬; ରୋମୀ. ୫:୭, ୮.

୨. ଏହି ଲେଖାରେ ଆମେ କʼଣ ଜାଣିବା ?

କିନ୍ତୁ ସମୟ ଗଡ଼ିବା ସହ ହୁଏତ ମୁକ୍ତିର ମୂଲ୍ୟ ପାଇଁ ଆମ କୃତଜ୍ଞତା କମ୍‌ ହୋଇପାରେ । ଏହା ଏପରି ହେବ ଯେପରି ଯିହୋବା ଆମକୁ ଯେଉଁ ଉପହାର ଦେଇଛନ୍ତି ତାହାକୁ ଆମେ କେଉଁଠି ରଖି ଭୁଲି ଯାଇଛୁ । ଆମେ ଚାହୁଁ ନାହୁଁ ଯେ ଆମ ସହ ଏପରି ହେଉ । ସେଥିପାଇଁ ଯିହୋବା ଓ ଯୀଶୁ ଆମ ପାଇଁ ଯାହା କରିଛନ୍ତି ସେବିଷୟରେ ଭାବିବା ଓ ସବୁବେଳେ କୃତଜ୍ଞତା ଦେଖାଇବା ଜରୁରୀ । ଏହି ଲେଖାରେ ଆମେ ଜାଣିବା ଯେ ଆମେ ଏହା କିପରି କରିପାରିବା । ଆମେ ଜାଣିବା ଯେ ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ ଏବେଠୁ କେଉଁ ଆଶିଷଗୁଡ଼ିକ ମିଳୁଛି ଓ ଭବିଷ୍ୟତରେ କେଉଁ ଆଶିଷଗୁଡ଼ିକ ମିଳିବ । ଆମେ ଏହା ବି ଜାଣିବା ଯେ ବିଶେଷକରି ସ୍ମାରକ ପୂର୍ବରୁ ଓ ତାʼପରେ ଆମେ କିପରି ଯିହୋବାଙ୍କ ପ୍ରେମ ପାଇଁ ନିଜର କୃତଜ୍ଞତା ଦେଖାଇପାରିବା ।

ଆମକୁ ଏବେଠୁ କେଉଁ ଆଶିଷଗୁଡ଼ିକ ମିଳୁଛି ?

୩. ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ ଏବେଠୁ କେଉଁ ଆଶିଷଗୁଡ଼ିକ ମିଳୁଛି ?

ଯୀଶୁଙ୍କ ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ ଏବେଠୁ ଅନେକ ଆଶିଷ ମିଳୁଛି । ଯେପରି, ତାଙ୍କ ବଳିଦାନ ଯୋଗୁଁ ଯିହୋବା ଆମ ପାପ କ୍ଷମା କରନ୍ତି । ଏପରି କରିବା ତାଙ୍କ ପାଇଁ ଜରୁରୀ ନୁହେଁ, କିନ୍ତୁ ଯିହୋବା ନିଜେ ଆମକୁ କ୍ଷମା କରିବା ପାଇଁ ଚାହାନ୍ତି । ଗୀତସଂହିତାର ଜଣେ ଲେଖକଙ୍କୁ ଯିହୋବାଙ୍କ ତରଫରୁ କ୍ଷମା ମିଳିଥିଲା ଆଉ ତାʼପାଇଁ ସେ ବହୁତ କୃତଜ୍ଞ ଥିଲେ । ସେଥିପାଇଁ ସେ କହିଲେ, “ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ” ରହ ।—ଗୀତ. ୮୬:୫; ୧୦୩:୩, ୧୦-୧୩.

୪. ଯିହୋବା କେଉଁମାନଙ୍କ ପାଇଁ ମୁକ୍ତିର ମୂଲ୍ୟ ଦେଲେ ? (ଲୂକ ୫:୩୨; ୧ ତୀମଥି ୧:୧୫)

କିଛି ଲୋକ ହୁଏତ ଭାବିବେ ଯେ ସେମାନେ ଯିହୋବାଙ୍କଠାରୁ କ୍ଷମା ପାଇବାର ଯୋଗ୍ୟ ନୁହନ୍ତି । ଦେଖିବାକୁ ଗଲେ ଆମ ମଧ୍ୟରୁ କେହି ବି ଏହାର ଯୋଗ୍ୟ ନୁହଁ । ପ୍ରେରିତ ପାଉଲ ମଧ୍ୟ ଏହି କଥାକୁ ଜାଣିଥିଲେ, ତେଣୁ ସେ କହିଲେ, ‘ମୁଁ ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ ।’ କିନ୍ତୁ ପରେ ସେ କହିଲେ, “ମୁଁ ଯାହା ହୋଇଅଛି, ତାହା ଈଶ୍ୱରଙ୍କ ଅନୁଗ୍ରହରେ ହୋଇଅଛି ।” (୧ କରି. ୧୫:୯, ୧୦) ଯେବେ ଆମେ ନିଜ ପାପ ପାଇଁ ପଶ୍ଚାତାପ କରୁ, ତେବେ ଯିହୋବା ଆମକୁ କ୍ଷମା କରିଦିଅନ୍ତି । କିନ୍ତୁ ଆମେ ଏହାର ଯୋଗ୍ୟ ଅଟୁ ବୋଲି ସେ ଏପରି କରନ୍ତି ନାହିଁ, ବରଂ ସେ ପ୍ରେମ ଯୋଗୁଁ ଏପରି କରନ୍ତି । ତାହେଲେ ଯଦି ଆପଣ ଏହା ଭାବି ନିରାଶ ହୋଇଯାʼନ୍ତି ଯେ ଆପଣ ଯିହୋବାଙ୍କଠାରୁ କ୍ଷମା ପାଇବାର ଯୋଗ୍ୟ ନୁହନ୍ତି, ତାହେଲେ ଆପଣ କʼଣ କରିପାରିବେ ? ମନେ ରଖନ୍ତୁ, ଯିହୋବା ମୁକ୍ତିର ମୂଲ୍ୟ ଧାର୍ମିକ ଲୋକଙ୍କ ପାଇଁ ନୁହେଁ, ବରଂ ଯେଉଁମାନେ ନିଜ ପାପ ପାଇଁ ପଶ୍ଚାତାପ କରନ୍ତି ସେମାନଙ୍କ ପାଇଁ ଦେଲେ ।—ଲୂକ ୫:୩୨; ୧ ତୀମଥି ୧:୧୫ ପଢ଼ନ୍ତୁ ।

୫. ଆମେ କାହିଁକି ଏପରି ଭାବିବା କଥା ନୁହେଁ ଯେ ଯିହୋବାଙ୍କଠାରୁ କ୍ଷମା ପାଇବା ଆମ ଅଧିକାର ? ବୁଝାନ୍ତୁ ?

ଆମେ ଅନେକ ବର୍ଷରୁ ଯିହୋବାଙ୍କ ସେବା କରୁଥିଲେ ମଧ୍ୟ, ଆମ ମଧ୍ୟରୁ କାହାରିକୁ ବି ଏପରି ଭାବିବା ଉଚିତ୍‌ ନୁହେଁ ଯେ ଯିହୋବାଙ୍କଠାରୁ କ୍ଷମା ପାଇବା ଆମ ଅଧିକାର । ଏହା ସତ ଯେ ଆମେ ଅନେକ ବର୍ଷରୁ ତାଙ୍କ ସେବା କରିବା ପାଇଁ ଯେତେ ପରିଶ୍ରମ କରିଛୁ, ତାହାକୁ ସେ ବହୁମୂଲ୍ୟ ମନେକରନ୍ତି । (ଏବ୍ରୀ ୬:୧୦) କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଆମେ ତାଙ୍କ ସେବାରେ ଯାହା କରିଛୁ, ତାʼ ବଦଳରେ ସେ ଆମ ପାଇଁ ମୁକ୍ତିର ମୂଲ୍ୟ ଦେଲେ । ଏହି ଉପହାର ସେ ନିଜ ଖୁସିରେ ଆମକୁ ଦେଇଛନ୍ତି । ତାହେଲେ ଯଦି ଆମେ ଏପରି ଭାବିବା ଯେ ଆମେ ଯିହୋବାଙ୍କ ପାଇଁ ଯାହା କରିଛୁ, ତାʼ ବଦଳରେ ସେ ଆମକୁ କ୍ଷମା କରିବା ଉଚିତ୍‌ ତାହେଲେ ଏପରି ଭାବିବା ଠିକ୍‌ ହେବ ନାହିଁ । ଏପରି ଭାବିବା ଦ୍ୱାରା ଆମେ ଦେଖାଉଥିବା ଯେ ଯୀଶୁଙ୍କୁ ଆମ ପାଇଁ ମୃତ୍ୟୁଭୋଗ କରିବା ଜରୁରୀ ନ ଥିଲା ।—ଗାଲାତୀୟ ୨:୨୧ ପଦ ସହ ତୁଳନା କରନ୍ତୁ ।

୬. ପାଉଲ କାହିଁକି ଯିହୋବାଙ୍କ ସେବା କରିବା ପାଇଁ ବହୁତ ପରିଶ୍ରମ କଲେ ?

ପାଉଲଙ୍କୁ ଲାଗୁଥିଲା ଯେ ସେ ଯାହା ବି କଲେ ଯିହୋବାଙ୍କଠାରୁ କ୍ଷମା ପାଇବାର ଯୋଗ୍ୟ ହୋଇପାରିବେ ନାହିଁ । ତଥାପି ସେ ତାଙ୍କ ସେବା କରିବା ପାଇଁ ବହୁତ ପରିଶ୍ରମ କଲେ । ସେ ଏପରି କାହିଁକି କଲେ ? କାରଣ ଯିହୋବା ତାଙ୍କ ପାଇଁ ଯେଉଁ ମହାକୃପା କରିଥିଲେ, ତାʼପାଇଁ ସେ ତାଙ୍କ ବହୁତ କୃତଜ୍ଞ ଥିଲେ । (ଏଫି. ୩:୭) ପାଉଲଙ୍କ ଭଳି ଆମ ଭିତରେ ବି ଯିହୋବାଙ୍କ ପାଇଁ କୃତଜ୍ଞତା ଥିବା ଯୋଗୁଁ ଆମେ ଉତ୍ସାହର ସହ ତାଙ୍କ ସେବା କରୁ । କିନ୍ତୁ ଆମେ ଆଶା କରି ନ ଥାଉ ଯେ ଆମେ ଯିହୋବାଙ୍କ ଉତ୍ସାହର ସହ ସେବା କରି ତାଙ୍କଠାରୁ କ୍ଷମା ପାଇବାର ଯୋଗ୍ୟ ହୋଇଯିବା ।

୭. ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ ଏବେଠୁ ଆଉ କେଉଁ ଆଶିଷଗୁଡ଼ିକ ମିଳୁଛି ? (ରୋମୀୟ ୫:୧; ଯାକୁବ ୨:୨୩)

ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ ଏବେଠୁ ଆଉ ଗୋଟିଏ ଆଶିଷ ମିଳୁଛି । ଆମେ ଯିହୋବାଙ୍କ ସହ ସମ୍ପର୍କ ଗଢ଼ିପାରୁ ଏବଂ ତାଙ୍କ ନିକଟତର ହୋଇପାରୁ । a ପୂର୍ବବର୍ତ୍ତୀ ଲେଖାରେ ଆମେ ଦେଖିଥିଲୁ ଯେ ଯେବେ ଆମେ ଜନ୍ମ ହେଲୁ, ତେବେ ଯିହୋବାଙ୍କ ସହିତ ଆମର କୌଣସି ସମ୍ପର୍କ ନ ଥିଲା । କିନ୍ତୁ ମୁକ୍ତିର ମୂଲ୍ୟ ଯୋଗୁଁ ଆମେ “ଈଶ୍ୱରଙ୍କ ସହିତ ଶାନ୍ତିରେ” ରହିପାରିବା ଓ ତାଙ୍କ ନିକଟତର ହୋଇପାରିବା ।—ରୋମୀୟ ୫:୧; ଯାକୁବ ୨:୨୩ ପଢ଼ନ୍ତୁ ।

୮. ଆମକୁ ପ୍ରାର୍ଥନା କରିବାର ଯେଉଁ ଆଶିଷ ମିଳିଛି, ତାʼପାଇଁ ଆମେ କାହିଁକି ଯିହୋବାଙ୍କ ବହୁତ କୃତଜ୍ଞ ଅଟୁ ?

ଯିହୋବାଙ୍କ ସହିତ ସମ୍ପର୍କ ହେବା ଯୋଗୁଁ ଆମେ ତାଙ୍କୁ ଯେକୌଣସି ସମୟରେ ବି ପ୍ରାର୍ଥନା କରିପାରିବା । ଏହା ବହୁତ ବଡ଼ ଆଶିଷ ଅଟେ । ଯେବେ କିଛି ଲୋକ ସାଙ୍ଗରେ ମିଶି ଯିହୋବାଙ୍କୁ ପ୍ରାର୍ଥନା କରନ୍ତି ତେବେ ସେ ସେମାନଙ୍କର ଶୁଣନ୍ତି, କିନ୍ତୁ ସେ ଆମ ବ୍ୟକ୍ତିଗତ ପ୍ରାର୍ଥନା ମଧ୍ୟ ଶୁଣନ୍ତି । ପ୍ରାର୍ଥନା କଲେ ଆମକୁ ମନର ଶାନ୍ତି ମିଳେ, କିନ୍ତୁ କେବଳ ଆମେ ମନର ଶାନ୍ତି ପାଇବା ପାଇଁ ପ୍ରାର୍ଥନା କରି ନ ଥାଉ, ବରଂ ଏହା ଯୋଗୁଁ ଯିହୋବାଙ୍କ ସହିତ ଆମ ସମ୍ପର୍କ ଆହୁରି ଦୃଢ଼ ହୋଇଯାଏ । (ଗୀତ. ୬୫:୨; ଯାକୁ. ୪:୮; ୧ ଯୋହ. ୫:୧୪) ଯୀଶୁ ପୃଥିବୀରେ ଥିବା ସମୟରେ ବାରମ୍ବାର ପ୍ରାର୍ଥନା କଲେ, କାରଣ ତାଙ୍କୁ ଭରସା ଥିଲା ଯେ ଯିହୋବା ତାଙ୍କ ପ୍ରାର୍ଥନା ଶୁଣିବେ ଏବଂ ଏପରି କଲେ ସେମାନଙ୍କ ସମ୍ପର୍କ ଦୃଢ଼ ରହିବ । (ଲୂକ ୫:୧୬) ଆମେ ଏହା ପାଇଁ ବହୁତ କୃତଜ୍ଞ ଯେ ମୁକ୍ତିର ମୂଲ୍ୟ ଯୋଗୁଁ ଆମେ ଯିହୋବାଙ୍କ ସହିତ ସମ୍ପର୍କ ଗଢ଼ିପାରୁ ଏବଂ ପ୍ରାର୍ଥନା କରିବା ଦ୍ୱାରା ତାଙ୍କ ସହିତ କଥା ବି ହୋଇପାରୁ !

ଭବିଷ୍ୟତରେ ଆମକୁ କେଉଁ ଆଶିଷଗୁଡ଼ିକ ମିଳିବ ?

୯. ମୁକ୍ତିର ମୂଲ୍ୟ ଯୋଗୁଁ ଭବିଷ୍ୟତରେ ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କୁ କେଉଁ ଆଶିଷଗୁଡ଼ିକ ମିଳିବ ?

ମୁକ୍ତିର ମୂଲ୍ୟ ଯୋଗୁଁ ଭବିଷ୍ୟତରେ ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କୁ କେଉଁ ଆଶିଷଗୁଡ଼ିକ ମିଳିବ ? ସେମାନେ ଏହି ପୃଥିବୀରେ ସବୁଦିନ ପାଇଁ ବଞ୍ଚିପାରିବେ । ଅନେକ ଲୋକଙ୍କୁ ଏହା ଅସମ୍ଭବ ଲାଗେ, କାରଣ ସମସ୍ତଙ୍କର ଦିନେ ନା ଦିନେ ମୃତ୍ୟୁ ହୋଇଯାଏ । କିନ୍ତୁ ଯେବେ ଯିହୋବା ମନୁଷ୍ୟମାନଙ୍କୁ ସୃଷ୍ଟି କରିଥିଲେ, ତେବେ ତାଙ୍କ ଉଦ୍ଦେଶ୍ୟ ଥିଲା ଯେ ସେମାନେ ସବୁଦିନ ପାଇଁ ବଞ୍ଚନ୍ତୁ । ଯଦି ଆଦମ ପାପ କରି ନ ଥାʼନ୍ତା, ତାହେଲେ ସମସ୍ତେ ସବୁଦିନ ପାଇଁ ବଞ୍ଚିପାରନ୍ତେ, କାହାରିକୁ ଏହା ଅସମ୍ଭବ ଲାଗନ୍ତା ନାହିଁ । ଏହା ସତ ଯେ କେହି ସ୍ୱପ୍ନରେ ବି ଭାବି ନ ଥିବେ ଯେ ଆମେ ସବୁଦିନ ପାଇଁ ବଞ୍ଚିପାରିବା, କିନ୍ତୁ କେହି ଏହା ବି ଭାବି ନ ଥିବେ ଯେ ଯିହୋବା ଏହାକୁ ସମ୍ଭବ କରିବା ପାଇଁ ଏତେ ବଡ଼ ତ୍ୟାଗ କରିବେ । ସତରେ, ମୁକ୍ତିର ମୂଲ୍ୟ ଯିହୋବାଙ୍କ ତରଫରୁ ଗୋଟିଏ ବହୁମୂଲ୍ୟ ଉପହାର ଅଟେ !—ରୋମୀ. ୮:୩୨.

୧୦. ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଓ ଅନ୍ୟ ମେଷର ଲୋକମାନେ କେଉଁ ସମୟର ଅପେକ୍ଷା କରୁଛନ୍ତି ?

୧୦ ଏହା ସତ ଯେ ଆମକୁ ଭବିଷ୍ୟତରେ ଅନନ୍ତ ଜୀବନ ମିଳିବ, କିନ୍ତୁ ଯିହୋବା ଚାହାନ୍ତି ଯେ ଆମେ ଏବେଠାରୁ ସେବିଷୟରେ ଭାବୁ । ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସେହି ସମୟର ଅପେକ୍ଷା କରୁଛନ୍ତି ଯେବେ ସେମାନେ ଯୀଶୁଙ୍କ ସହିତ ସ୍ୱର୍ଗରୁ ଶାସନ କରିବେ । (ପ୍ରକା. ୨୦:୬) ଆଉ ଅନ୍ୟ ମେଷର ଲୋକମାନେ ସେହି ସମୟର ଅପେକ୍ଷା କରୁଛନ୍ତି, ଯେବେ ସେମାନେ ଏହି ପୃଥିବୀରେ ପାରଦୀଶରେ ସବୁଦିନ ପାଇଁ ବଞ୍ଚିବେ, ଯେଉଁଠି କୌଣସି ଦୁଃଖକଷ୍ଟ ନ ଥିବ । (ପ୍ରକା. ୨୧:୩, ୪) କʼଣ ଆପଣଙ୍କଠାରେ ବି ଏହି ପୃଥିବୀରେ ବଞ୍ଚିବାର ଆଶା ଅଛି ? ତାହେଲେ ଏହି ଆଶାକୁ ଛୋଟ କଥା ବୋଲି ଭାବନ୍ତୁ ନାହିଁ । ଏହି ପୃଥିବୀରେ ଜୀବନ ବହୁତ ଖୁସିଭରା ଥିବ । କାରଣ ପୂର୍ବରୁ ହିଁ ଯିହୋବାଙ୍କ ଏହା ଉଦ୍ଦେଶ୍ୟ ରହିଛି ।

୧୧-୧୨. ପାରଦୀଶରେ ଯେଉଁ ଆଶିଷଗୁଡ଼ିକ ମିଳିବ, ସେମଧ୍ୟରୁ କେଉଁ ଆଶିଷ ପାଇଁ ଆମେ ଆଗ୍ରହର ସହ ଅପେକ୍ଷା କରୁଛୁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୧ କଳ୍ପନା କରନ୍ତୁ ଯେ ନୂଆ ଦୁନିଆରେ ଆମ ଜୀବନ କେତେ ଖୁସିଭରା ଥିବ ! ସେଠାରେ ଆପଣଙ୍କୁ କୌଣସି ରୋଗ ହେବନି କି ଆପଣଙ୍କ ମୃତ୍ୟୁ ବି ହେବନି । (ଯିଶା. ୨୫:୮; ୩୩:୨୪) ଆପଣ ଯିହୋବାଙ୍କ ଇଚ୍ଛା ଅନୁସାରେ ଯାହା ବି ମାଗିବେ ସେଗୁଡ଼ିକୁ ସେ ପୂରା କରିବେ । ଆପଣ ନୂଆ ଦୁନିଆରେ କʼଣ କରିବା ପାଇଁ ଚାହିଁବେ ? କେଉଁ ଦକ୍ଷତା ବଢ଼ାଇବା ପାଇଁ ଚାହିଁବେ ? କʼଣ ଆପଣ ବିଜ୍ଞାନ ବିଷୟରେ, ପଶୁ କିମ୍ବା ପକ୍ଷୀମାନଙ୍କ ବିଷୟରେ ଆହୁରି ଶିଖିବା ପାଇଁ ଚାହିଁବେ ? ସଙ୍ଗୀତ କିମ୍ବା କୌଣସି ବାଦ୍ୟଯନ୍ତ୍ର ବଜାଇବା ପାଇଁ ଚାହିଁବେ ? କିମ୍ବା ଆପଣ ଡ୍ରୋଇଙ୍ଗ୍‌ କିମ୍ବା ପେଣ୍ଟିଙ୍ଗ୍‌ କରିବା ଶିଖିବା ପାଇଁ ଚାହିଁବେ ? ନୂଆ ଦୁନିଆରେ ଏପରି ଲୋକମାନଙ୍କର ବି ଦରକାର ପଡ଼ିବ ଯେଉଁମାନେ ଉପକରଣ ତିଆରି କରିବା, ବିଲ୍‌ଡିଙ୍ଗଗୁଡ଼ିକର ଡିଜାଇନ୍‌ କରିବା ଏବଂ ସେଗୁଡ଼ିକର ନିର୍ମାଣ କରିବା ଜାଣନ୍ତି । ତାʼ ସହିତ ଯେଉଁମାନେ ବଗିଚା କାମ, ଚାଷ କାମ କିମ୍ବା ରୋଷେଇ କରିବା ଜାଣନ୍ତି, ସେମାନଙ୍କର ବି ଦରକାର ପଡ଼ିବ । (ଯିଶା. ୩୫:୧; ୬୫:୨୧) ନୂଆ ଦୁନିଆରେ ବହୁତ ସମୟ ଥିବ । ସେସମୟରେ ଆପଣଙ୍କ ଯେତେ ଇଚ୍ଛା ଆପଣ ସେତେ ଦକ୍ଷତା ବଢ଼ାଇପାରିବେ ।

୧୨ ନୂଆ ଦୁନିଆରେ ଯେବେ ଲୋକମାନଙ୍କୁ ଜୀବିତ କରାଯିବ ଏବଂ ଆମେ ସେମାନଙ୍କ ସ୍ୱାଗତ କରିବା, ତେବେ ଚାରିଆଡ଼େ ଖୁସିଭରା ପରିବେଶ ରହିବ । (ପ୍ରେରି. ୨୪:୧୫) ଭାବନ୍ତୁ ସେସମୟରେ ଆମେ ଯିହୋବାଙ୍କ ସୃଷ୍ଟିରୁ ତାଙ୍କ ବିଷୟରେ ଅନେକ କଥା ଜାଣିପାରିବା ଏବଂ ଏଥିରୁ ଆମକୁ ବହୁତ ଖୁସି ମିଳିବ । (ଗୀତ. ୧୦୪:୨୪; ଯିଶା. ୧୧:୯) ଯେବେ ଆମେ ପରିପୂର୍ଣ୍ଣ ହୋଇଯିବା ଓ ନିଜକୁ ଦୋଷୀ ଅନୁଭବ କରିବା ନାହିଁ, ତେବେ ଆମକୁ ଯିହୋବାଙ୍କ ଉପାସନା କରିବାରେ ବହୁତ ଖୁସି ମିଳିବ । ଏହା ବହୁତ ବଡ଼ ଆଶିଷ ଅଟେ ! କʼଣ ଆପଣ “କ୍ଷଣିକ ସୁଖଭୋଗ” କରି ଏହି ଆଶିଷଗୁଡ଼ିକୁ ହାତଛଡ଼ା କରିଦେବେ ? (ଏବ୍ରୀ ୧୧:୨୫) କଦାପି ନୁହେଁ ! ନୂଆ ଦୁନିଆରେ ଆମକୁ ଯେଉଁ ଆଶିଷଗୁଡ଼ିକ ମିଳିବ ତାହା ତୁଳନାରେ ଆଜି ଆମକୁ ଯେଉଁ ତ୍ୟାଗ କରିବାକୁ ପଡ଼େ, ତାହା କିଛି ବି ନୁହେଁ । ମନେ ରଖନ୍ତୁ, ପାରଦୀଶରେ ବଞ୍ଚିବାର ଆଶା, ଆଉ ଆଶା ହୋଇ ରହିବ ନାହିଁ । ଏହା ଏଥିପାଇଁ ସମ୍ଭବ ହୋଇପାରୁଛି, କାରଣ ଯିହୋବା ଆମ ପାଇଁ ନିଜ ପ୍ରିୟ ପୁତ୍ରଙ୍କୁ ଉତ୍ସର୍ଗ କଲେ ।

ପାରଦୀଶରେ ଯେଉଁ ଆଶିଷଗୁଡ଼ିକ ମିଳିବ, ସେମଧ୍ୟରୁ କେଉଁ ଆଶିଷ ପାଇବା ପାଇଁ ଆପଣ ଆଗ୍ରହର ସହ ଅପେକ୍ଷା କରୁଛନ୍ତି ? (ପାରାଗ୍ରାଫ ୧୧-୧୨)


ଆପଣ କିପରି ଯିହୋବାଙ୍କ ପ୍ରେମ ପାଇଁ ନିଜର କୃତଜ୍ଞତା ଦେଖାଇପାରିବେ ?

୧୩. ଯିହୋବା ଆମ ପାଇଁ ଯେଉଁ ପ୍ରେମ ଦେଖାଇଲେ ତାʼପାଇଁ ଆମେ କିପରି କୃତଜ୍ଞତା ଦେଖାଇପାରିବା ? (୨ କରିନ୍ଥୀୟ ୬:୧)

୧୩ ଯିହୋବା ଯେଉଁ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ, ତାʼପାଇଁ ଆମେ କିପରି ନିଜର କୃତଜ୍ଞତା ଦେଖାଇପାରିବା ? ଯିହୋବାଙ୍କ ସେବାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଇ । (ମାଥି. ୬:୩୩) ଏପରି କରିବା ଠିକ୍‌ ବି ଅଟେ । କାରଣ ଯୀଶୁ ଏଥିପାଇଁ ନିଜ ଜୀବନ ଉତ୍ସର୍ଗ କଲେ, ଯାହାଦ୍ୱାରା ଆମେ ‘ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍‌ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରିବା ।’ (୨ କରି. ୫:୧୫) ମନପ୍ରାଣ ଦେଇ ଯିହୋବାଙ୍କ ସେବା କରି ଆମେ ଦେଖାଇପାରିବା ଯେ ଯିହୋବା ଯେଉଁ ଉଦ୍ଦେଶ୍ୟରେ ଆମ ପାଇଁ ମହାକୃପା କରିଛନ୍ତି, ତାହାକୁ ଆମେ ଭୁଲି ନାହୁଁ ଏବଂ ତାʼପାଇଁ ବହୁତ କୃତଜ୍ଞ ଅଟୁ ।—୨ କରିନ୍ଥୀୟ ୬:୧ ପଢ଼ନ୍ତୁ ।

୧୪. ଆମେ ଯିହୋବାଙ୍କ ଉପରେ ବିଶ୍ୱାସ କରୁ, ଏହା କିପରି ଦେଖାଇପାରିବା ?

୧୪ ଯିହୋବା ଆମ ପାଇଁ ଯେଉଁ ପ୍ରେମ ଦେଖାଇଛନ୍ତି ତାʼପାଇଁ କୃତଜ୍ଞତା ଦେଖାଇବାର ଆଉ ଗୋଟିଏ ଉପାୟ ହେଉଛି, ତାଙ୍କ ଉପରେ ବିଶ୍ୱାସ କରି ତାଙ୍କ ନିର୍ଦ୍ଦେଶ ମାନିବା । ଆମେ ଏହା କିପରି କରିପାରିବା ? ଆମେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହା ଭାବିବା ଉଚିତ୍‌ ଯେ ଯିହୋବା ଆମଠାରୁ କʼଣ ଆଶା କରନ୍ତି, ଯେପରି ଆମେ କେତେ ପଢ଼ିବା ଓ କିପରି ଚାକିରି କରିବା । (୧ କରି. ୧୦:୩୧; ୨ କରି. ୫:୭) ଯେବେ ଆମେ ଯିହୋବାଙ୍କ ଉପରେ ବିଶ୍ୱାସ କରି ନିଷ୍ପତ୍ତି ନେବା, ତେବେ ଏହାର ଭଲ ପରିଣାମ ହେବ: ଯିହୋବାଙ୍କ ଉପରେ ଆମ ବିଶ୍ୱାସ ବଢ଼ିବ, ତାଙ୍କ ସହିତ ଆମର ସମ୍ପର୍କ ଦୃଢ଼ ହେବ ଏବଂ ଆମ ଆଶା ଆହୁରି ଦୃଢ଼ ହୋଇଯିବ ।—ରୋମୀ. ୫:୩-୫; ଯାକୁ. ୨:୨୧, ୨୨.

୧୫. ସ୍ମାରକ ପୂର୍ବେ ଓ ତାʼପର ସପ୍ତାହଗୁଡ଼ିକରେ ଆମେ ଯିହୋବାଙ୍କ ପାଇଁ ନିଜର କୃତଜ୍ଞତା କିପରି ଦେଖାଇପାରିବା ?

୧୫ ସ୍ମାରକ ପୂର୍ବେ ଓ ତାʼପର ସପ୍ତାହଗୁଡ଼ିକରେ ନିଜ ସମୟର ଭଲ ବ୍ୟବହାର କରିବା ଦ୍ୱାରା ମଧ୍ୟ ଆମେ ଦେଖାଇପାରିବା ଯେ ଆମେ ଯିହୋବାଙ୍କ ପ୍ରେମ ପାଇଁ କୃତଜ୍ଞ ଅଟୁ । ସ୍ମାରକରେ ଉପସ୍ଥିତ ହେବା ପାଇଁ ଆଗରୁ ପ୍ରସ୍ତୁତି କରନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ମାରକରେ ଡାକନ୍ତୁ । (୧ ତୀମ. ୨:୪) ଆପଣ ସେମାନଙ୍କୁ କହିପାରିବେ ଯେ ସେଠାରେ କʼଣ କʼଣ ହୁଏ । ଆପଣ ଚାହିଁଲେ ସେମାନଙ୍କୁ jw.org ୱେବସାଇଟ୍‌ରୁ ଯୀଶୁ କାହିଁକି ଜୀବନ ଦେଲେ ? ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ନାମକ ଭିଡିଓ ମଧ୍ୟ ଦେଖାଇପାରିବେ । ପ୍ରାଚୀନମାନଙ୍କୁ ସେହି ଭାଇଭଉଣୀମାନଙ୍କୁ ମଧ୍ୟ ନିଶ୍ଚୟ ଡାକିବା ଉଚିତ୍‌, ଯେଉଁମାନେ ସଭାରେ ଆସିବା କିମ୍ବା ପ୍ରଚାରରେ ଭାଗ ନେବା ଛାଡ଼ି ଦେଇଛନ୍ତି । ଭାବନ୍ତୁ ଯଦି ଯିହୋବାଙ୍କ ହଜିଯାଇଥିବା ମେଷମାନେ ତାଙ୍କ ପାଖକୁ ଫେରି ଆସିବେ, ତେବେ ସ୍ୱର୍ଗରେ ଓ ପୃଥିବୀରେ ସମସ୍ତେ କେତେ ଆନନ୍ଦିତ ହେବେ । (ଲୂକ ୧୫:୪-୭) ଆସନ୍ତୁ, ଆମେ ସ୍ମାରକରେ ସମସ୍ତଙ୍କୁ ଭେଟିବା ପାଇଁ ଲକ୍ଷ୍ୟ ରଖିବା । ଆମେ ସେମାନଙ୍କୁ ବି ଭେଟିବା ପାଇଁ ପୂରା ଚେଷ୍ଟା କରିବା ଯେଉଁମାନେ ପ୍ରଥମ ଥର ସ୍ମାରକରେ ଆସିବେ କିମ୍ବା ଯେଉଁମାନେ ଅନେକ ବର୍ଷରୁ ଆସି ନାହାନ୍ତି ଆଉ ସେମାନଙ୍କର ପୂରା ଉତ୍ସାହର ସହିତ ସ୍ୱାଗତ କରିବା ଏବଂ ପ୍ରେମ ଦେଖାଇବା ।—ରୋମୀ. ୧୫:୭.

୧୬. ସ୍ମାରକ ପୂର୍ବେ ଓ ତାʼପର ସପ୍ତାହଗୁଡ଼ିକରେ ଆମେ କାହିଁକି ଅଧିକରୁ ଅଧିକ ପ୍ରଚାର କରିବାର ଲକ୍ଷ୍ୟ ରଖିବା ଉଚିତ୍‌ ?

୧୬ କʼଣ ଆପଣ ସ୍ମାରକ ପୂର୍ବେ ଓ ତାʼପର ସପ୍ତାହଗୁଡ଼ିକରେ ଅଧିକରୁ ଅଧିକ ଯିହୋବାଙ୍କ ସେବା କରିପାରିବେ ? ଏପରି କରି ଆପଣ ଦେଖାଇପାରିବେ ଯେ ଯିହୋବା ଏବଂ ଯୀଶୁ ଆପଣଙ୍କ ପାଇଁ ଯାହା କରିଛନ୍ତି, ଆପଣ ତାʼପାଇଁ ହୃଦୟରୁ କୃତଜ୍ଞ ଅଟନ୍ତି । ଯେବେ ଆପଣ ଅଧିକରୁ ଅଧିକ ଯିହୋବାଙ୍କ ସେବା କରିବେ, ତେବେ ଏହା ସ୍ପଷ୍ଟ ଦେଖିପାରିବେ ଯେ ଯିହୋବା କିପରି ଆପଣଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ତାʼପରେ ଯିହୋବାଙ୍କ ଉପରେ ଆପଣଙ୍କ ଭରସା ଆହୁରି ବଢ଼ିଯିବ । (୧ କରି. ୩:୯) ତାʼ ସହିତ ରୋଜାନା ବାଇବଲ ୱଚନୋଁ ପର ଧ୍ୟାନ ଦିଜିଏ (ହିନ୍ଦୀ) କିମ୍ବା ସଭା ପୁସ୍ତିକାରେ ଦିଆଯାଇଥିବା ସ୍ମାରକ ସହ ଜଡ଼ିତ ପଦଗୁଡ଼ିକୁ ପ୍ରତିଦିନ ପଢ଼ନ୍ତୁ । ଆପଣ ଚାହିଁଲେ ନିଜର ବ୍ୟକ୍ତିଗତ ଅଧ୍ୟୟନରେ ସେହି ପଦଗୁଡ଼ିକ ବିଷୟରେ ଆହୁରି ଅନୁସନ୍ଧାନ କରିପାରିବେ ।

୧୭. ଯିହୋବାଙ୍କୁ କେଉଁ କଥାରୁ ବହୁତ ଖୁସି ଲାଗେ ? (“ ଯିହୋବାଙ୍କ ପ୍ରେମ ପାଇଁ ଆପଣ କିପରି ନିଜର କୃତଜ୍ଞତା ଦେଖାଇପାରିବେ ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୭ ହୁଏତ ନିଜ ପରିସ୍ଥିତି ଯୋଗୁଁ ଆପଣ ଏହି ଲେଖାରେ ଦିଆଯାଇଥିବା ସବୁ କଥାକୁ ମାନିପାରିବେ ନାହିଁ । କିନ୍ତୁ ମନେ ରଖନ୍ତୁ, ଯିହୋବା ଏହା ଦେଖନ୍ତି ନାହିଁ ଯେ ଆପଣ ଅନ୍ୟମାନଙ୍କ ତୁଳନାରେ କେତେ କରୁଛନ୍ତି, ତାʼ ପରିବର୍ତ୍ତେ ସେ ଦେଖନ୍ତି ଯେ ଆପଣ ତାଙ୍କୁ କେତେ ପ୍ରେମ କରନ୍ତି । ଯେବେ ଆମେ ଯିହୋବାଙ୍କ ବହୁମୂଲ୍ୟ ଉପହାର ଅର୍ଥାତ୍‌ ମୁକ୍ତିର ମୂଲ୍ୟ ପାଇଁ ନିଜର କୃତଜ୍ଞତା ଦେଖାଉ, ତେବେ ଯିହୋବାଙ୍କୁ ବହୁତ ଖୁସି ଲାଗେ ।—୧ ଶାମୁ. ୧୬:୭; ମାର୍କ ୧୨:୪୧-୪୪.

୧୮. ଆମେ ଯିହୋବା ଓ ଯୀଶୁଙ୍କ ପାଇଁ କାହିଁକି କୃତଜ୍ଞ ମନେକରୁ ?

୧୮ ମୁକ୍ତିର ମୂଲ୍ୟ ଯୋଗୁଁ ହିଁ ଆମକୁ ନିଜ ପାପ ପାଇଁ କ୍ଷମା ମିଳିଥାଏ, ଆମେ ଯିହୋବାଙ୍କ ସହିତ ଭଲ ସମ୍ପର୍କ ଗଢ଼ିଥାଉ ଏବଂ ଭବିଷ୍ୟତରେ ଆମକୁ ସବୁଦିନ ଯାଏଁ ବଞ୍ଚିବାର ଆଶା ମିଳିଥାଏ । ଯିହୋବା ଆମ ପାଇଁ ଯେଉଁ ପ୍ରେମ ଦେଖାଇଛନ୍ତି, ତାହାକୁ ଆମେ କେବେ ବି ଭୁଲିବା ନାହିଁ । ଆଉ ସେହି ପ୍ରେମ ଯୋଗୁଁ ଆମକୁ ଯେଉଁ ଆଶିଷଗୁଡ଼ିକ ମିଳିଛି, ଆମେ ସବୁବେଳେ ତାʼପାଇଁ କୃତଜ୍ଞ ରହିବା । (୧ ଯୋହ. ୪:୧୯) ଆସନ୍ତୁ ଆମେ ଯୀଶୁଙ୍କ ପାଇଁ ମଧ୍ୟ କୃତଜ୍ଞ ରହିବା, ଯିଏ ଆମକୁ ବହୁତ ପ୍ରେମ କଲେ ଓ ଆମ ପାଇଁ ନିଜ ଜୀବନ ଦେଇଦେଲେ ।—ଯୋହ. ୧୫:୧୩.

ଗୀତ ୧୫୪ ପ୍ୟାର୍‌ ହେ ଅଟଲ

a ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟ ଦେବା ପୂର୍ବରୁ ବି ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କର ପାପ କ୍ଷମା କରିଦେଇଥିଲେ । କାରଣ ତାଙ୍କୁ ପୂରା ଭରସା ଥିଲା ଯେ ତାଙ୍କ ପୁଅ ଶେଷ ପର୍ଯ୍ୟନ୍ତ ତାଙ୍କ ବିଶ୍ୱସ୍ତ ରହିବେ । ଯିହୋବାଙ୍କ ଦୃଷ୍ଟିରେ ଯେପରି ମୁକ୍ତିର ମୂଲ୍ୟ ପୂର୍ବରୁ ହିଁ ଦିଆଯାଇଥିଲା ।—ରୋମୀ. ୩:୨୫.