इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧

ଗୀତ ୨ ୟହୋୱା ତେରା ନାମ୍‌

ଯିହୋବାଙ୍କର ମହିମା କରନ୍ତୁ

ଯିହୋବାଙ୍କର ମହିମା କରନ୍ତୁ

୨୦୨୫ ମସିହାର ବାର୍ଷିକ ପଦ: ‘ଯିହୋବାଙ୍କ ନାମ ଯେଉଁ ମହିମା ପାଇବାର ଯୋଗ୍ୟ, ସେହି ମହିମା ତାକୁ ଦିଅ ।’ଗୀତ. ୯୬:୮ NWT.

କʼଣ ଶିଖିବା ?

ଆମେ ଜାଣିବା ଯେ ଯିହୋବା ଯେଉଁ ମହିମା ପାଇବାର ଅଧିକାରୀ, ଆମେ ତାଙ୍କୁ ସେହି ମହିମା କିପରି ଦେଇପାରିବା ।

୧. ଆଜି ଅଧିକାଂଶ ଲୋକ କେବଳ କେଉଁ ବିଷୟରେ ଭାବନ୍ତି ?

 ଆଜି ଅଧିକାଂଶ ଲୋକ କେବଳ ନିଜ ବିଷୟରେ ଭାବନ୍ତି । ଯେପରି ଆପଣ ଦେଖିଥିବେ କିଛି ଲୋକ ସୋସିଆଲ୍‌ ମିଡିଆ ଜରିଆରେ ଅନ୍ୟମାନଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରନ୍ତି କିମ୍ବା ସେମାନେ ଯାହା ବି କରନ୍ତି, ସେବିଷୟରେ ଅନ୍ୟମାନଙ୍କୁ ଜଣାଇବା ପାଇଁ ବହୁତ ଆଗ୍ରହୀ ଥାʼନ୍ତି । ଏପରି ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନେ ଯିହୋବାଙ୍କର ମହିମା କରନ୍ତି । ଏହି ଲେଖାରେ ଆମେ ଜାଣିବା ଯେ ଯିହୋବାଙ୍କ ମହିମା କରିବାର ଅର୍ଥ କʼଣ ଏବଂ ଆମେ କାହିଁକି ତାଙ୍କର ମହିମା କରିବା ଉଚିତ୍‌ । ଆମେ ଏହା ବି ଜାଣିବା ଯେ ଯିହୋବା ଯେଉଁ ମହିମା ପାଇବାର ଅଧିକାରୀ, ଆମେ ତାଙ୍କୁ ସେହି ମହିମା କିପରି ଦେଇପାରିବା ଏବଂ ଯିହୋବା ଭବିଷ୍ୟତରେ କିପରି ତାଙ୍କ ନାମର ମହିମା କରିବେ ।

ଯିହୋବାଙ୍କ ମହିମା କରିବାର ଅର୍ଥ କʼଣ ?

୨. ଯିହୋବା କିପରି ସୀନୟ ପାହାଡ଼ରେ ନିଜର ମହିମା ପ୍ରକାଶ କଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ମହିମାର ଅର୍ଥ କʼଣ ? ବାଇବଲରେ “ମହିମା” ଶବ୍ଦର ଅର୍ଥ ହେଉଛି, କିଛି ଏପରି କଥା ଯାହା ଜଣେ ବ୍ୟକ୍ତିଙ୍କୁ ପ୍ରଭାବଶାଳୀ କରାଏ । ଯିହୋବା ଇସ୍ରାଏଲୀୟମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିବାର କିଛି ସମୟ ପରେ ଆକର୍ଷଣୀୟ ଦୃଶ୍ୟ ଦେଖାଇ ତାଙ୍କ ମହିମା ପ୍ରକାଶ କଲେ । କଳ୍ପନା କରି ଦେଖନ୍ତୁ: ଲକ୍ଷ ଲକ୍ଷ ଇସ୍ରାଏଲୀୟମାନେ ସୀନୟ ପାହାଡ଼ ତଳେ ଅଛନ୍ତି । ସେମାନେ ନିଜ ଈଶ୍ୱରଙ୍କ କଥା ଶୁଣିବା ପାଇଁ ଆଗ୍ରହୀ । ତାʼପରେ ଗୋଟିଏ କଳା ମେଘ ପାହାଡ଼କୁ ଢାଙ୍କି ଦିଏ । ହଠାତ୍‌ ବଡ଼ ଭୂମିକମ୍ପ ହୁଏ ଏବଂ ପାହାଡ଼ରୁ ଏପରି ଧୂଆଁ ବାହାରେ ଯେପରି ଆଗ୍ନେୟଗିରିରୁ ବାହାରୁଛି । ପୃଥିବୀ କମ୍ପିବାକୁ ଲାଗେ, ବିଜୁଳି ଓ ଘଡ଼ଘଡ଼ିର ଶବ୍ଦ ଶୁଣାଯାଏ । ଚାରିଆଡ଼େ ତୂରୀଧ୍ୱନୀ ଶୁଣାଯାଏ । (ଯାତ୍ରା. ୧୯:୧୬-୧୮; ୨୪:୧୭; ଗୀତ. ୬୮:୮) ଯିହୋବାଙ୍କ ଏହି ଆକର୍ଷଣୀୟ ମହିମାର ଦୃଶ୍ୟ ଦେଖି ଇସ୍ରାଏଲୀୟମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ !

ସୀନୟ ପାହାଡ଼ରେ ଯିହୋବା ଇସ୍ରାଏଲୀୟମାନଙ୍କୁ ନିଜ ମହିମାର ଆକର୍ଷଣୀୟ ଦୃଶ୍ୟ ଦେଖାଇଲେ (ପାରାଗ୍ରାଫ ୨)


୩. ଆମେ କିପରି ଯିହୋବାଙ୍କର ମହିମା କରିପାରିବା ?

କିନ୍ତୁ କʼଣ ମଣିଷମାନେ ବି ଯିହୋବାଙ୍କର ମହିମା କରିପାରିବେ ? ନିଶ୍ଚୟ । ତାହା କିପରି ? ଆମେ ଯିହୋବାଙ୍କର ଆକର୍ଷଣୀୟ କାମ ଓ ତାଙ୍କର ବଢ଼ିଆ ଗୁଣ ବିଷୟରେ ଅନ୍ୟମାନଙ୍କୁ କହିପାରିବା । ତାʼ ସହିତ ଯେବେ ଆମେ ଯିହୋବାଙ୍କର ସାହାଯ୍ୟରେ କୌଣସି କାମକୁ ଭଲଭାବେ କରୁ, ତେବେ ଆମେ ତାହାର ପ୍ରଶଂସା ଯିହୋବାଙ୍କୁ ଦେଇପାରିବା । (ଯିଶା. ୨୬:୧୨) ଏହି ବିଷୟରେ ଆମେ ରାଜା ଦାଉଦଙ୍କଠାରୁ ଅନେକ କଥା ଶିଖିପାରିବା । ସେ ସବୁବେଳେ ଯିହୋବାଙ୍କର ମହିମା କଲେ । ଥରେ ଯେବେ ସେ ଇସ୍ରାଏଲ ମଣ୍ଡଳୀ ଆଗରେ ପ୍ରାର୍ଥନା କଲେ, ତେବେ ସେ କହିଲେ, ‘ହେ ଯିହୋବା, ମହତ୍ତ୍ୱ ଓ ପରାକ୍ରମ ଓ ଶୋଭା ଓ ଜୟ ଓ ପ୍ରତାପ ତୁମ୍ଭର; କାରଣ ସ୍ୱର୍ଗରେ ଓ ପୃଥିବୀରେ ଥିବା ସମସ୍ତ ବିଷୟ ତୁମ୍ଭର ।’ ଦାଉଦଙ୍କ ପ୍ରାର୍ଥନା କରିବା ପରେ ‘ସମଗ୍ର ମଣ୍ଡଳୀ ପରମେଶ୍ୱରଙ୍କର ଧନ୍ୟବାଦ କଲା ।’—୧ ବଂଶା. ୨୯:୧୧, ୨୦.

୪. ଯୀଶୁ କିପରି ଯିହୋବାଙ୍କ ମହିମା କଲେ ?

ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ ସେ ବି ସବୁବେଳେ ଯିହୋବାଙ୍କର ମହିମା କଲେ । କୌଣସି ଚମତ୍କାର କରିବା ସମୟରେ ସେ ଲୋକମାନଙ୍କୁ କହୁଥିଲେ ଯେ ସେ ଯିହୋବାଙ୍କ ସାହାଯ୍ୟରୁ ହିଁ ଏହି ଚମତ୍କାର କରିଛନ୍ତି । (ମାର୍କ ୫:୧୮-୨୦) ଯେପରି ଭାବେ ସେ ନିଜ ପିତାଙ୍କ ବିଷୟରେ ଅନ୍ୟମାନଙ୍କୁ କହୁଥିଲେ ଓ ଲୋକମାନଙ୍କ ସହିତ ଯେପରି ବ୍ୟବହାର କରୁଥିଲେ, ସେଥିରୁ ବି ସେ ଯିହୋବାଙ୍କର ମହିମା କଲେ । ଥରେ ଯେବେ ଯୀଶୁ ଗୋଟିଏ ସଭାଘରେ ଲୋକମାନଙ୍କୁ ଶିଖାଉଥିଲେ, ତେବେ ସେଠାରେ ଜଣେ ଏପରି ସ୍ତ୍ରୀ ଥିଲେ, ଯାହାଙ୍କ ଭିତରେ ୧୮ ବର୍ଷରୁ ଦୁଷ୍ଟ ସ୍ୱର୍ଗଦୂତ ଥିଲା ଓ ତାʼଯୋଗୁଁ ସେ ସିଧା ହୋଇ ଚାଲିପାରୁ ନ ଥିଲେ । ଭାବନ୍ତୁ, ତାଙ୍କୁ କେତେ କଷ୍ଟ ହୋଇଥିବ ! ତାଙ୍କ ପରିସ୍ଥିତି ଦେଖି ଯୀଶୁ ଦୟାରେ ବିଗଳିତ ହୋଇଗଲେ । ଯୀଶୁ ତାଙ୍କ ପାଖକୁ ଯାଇ ପ୍ରେମର ସହିତ କହିଲେ, “ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ ।” ତାʼପରେ ଯୀଶୁ ତାଙ୍କ ଉପରେ ହାତ ରଖିଲେ ଓ ସେ ତୁରନ୍ତ ଠିକ୍‌ ହୋଇଗଲେ ଏବଂ ‘ଈଶ୍ୱରଙ୍କ ମହିମା କରିବାକୁ ଲାଗିଲେ ।’ ସେହି ସ୍ତ୍ରୀ ଠିକ୍‌ ହୋଇଥିବା ଯୋଗୁଁ ଯିହୋବାଙ୍କ ବହୁତ କୃତଜ୍ଞ ଥିଲେ, ତେଣୁ ସେ ତାଙ୍କର ମହିମା କଲେ । (ଲୂକ ୧୩:୧୦-୧୩) ସେହି ସ୍ତ୍ରୀଙ୍କ ଭଳି ଆମ ପାଖରେ ବି ଯିହୋବାଙ୍କର ମହିମା କରିବାର ଅନେକ କାରଣ ରହିଛି ।

ଆମେ କାହିଁକି ଯିହୋବାଙ୍କର ମହିମା କରୁ ?

୫. ଆମେ କାହିଁକି ଯିହୋବାଙ୍କର ଆଦର କରୁ ?

ଆମେ ଯିହୋବାଙ୍କର ମହିମା କରୁ, କାରଣ ଆମେ ତାଙ୍କର ବହୁତ ଆଦର କରୁ । ଆମ ପାଖରେ ଯିହୋବାଙ୍କର ଆଦର କରିବାର ଅନେକ କାରଣ ରହିଛି । ସେ ସର୍ବଶକ୍ତିମାନ, ତେଣୁ ସେ ଯାହା ଚାହିଁବେ ତାହା କରିପାରିବେ । (ଗୀତ. ୯୬:୪-୭) ସେ ବହୁତ ବୁଦ୍ଧିମାନ ଅଟନ୍ତି ଓ ତାହା ତାଙ୍କର ସୃଷ୍ଟିରୁ ସ୍ପଷ୍ଟ ଜଣାପଡ଼େ । ସେ ଆମକୁ ଜୀବନ ଦେଇଛନ୍ତି ଏବଂ ଜୀବିତ ରହିବା ପାଇଁ ଆମକୁ ଯାହା ବି ଜରୁରୀ, ସବୁକିଛି ସେ ଆମକୁ ଦେଇଛନ୍ତି । (ପ୍ରକା. ୪:୧୧) ସେ ବିଶ୍ୱସ୍ତ ଅଟନ୍ତି । (ପ୍ରକା. ୧୫:୪) ସେ ନିଜର ପ୍ରତ୍ୟେକ କାମରେ ସଫଳ ହୁଅନ୍ତି ଏବଂ ସବୁବେଳେ ନିଜର ପ୍ରତିଜ୍ଞା ପୂରା କରନ୍ତି । (ଯିହୋ. ୨୩:୧୪) ସେଥିପାଇଁ ଭବିଷ୍ୟଦ୍‌ବକ୍ତା ଯିରିମୀୟ ତାଙ୍କ ବିଷୟରେ କହିଲେ, “ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ୱର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ” ! (ଯିରି. ୧୦:୬, ୭) ସତରେ, ଆମମାନଙ୍କ ପାଖରେ ଯିହୋବାଙ୍କ ଆଦର କରିବାର ଅନେକ କାରଣ ରହିଛି । କିନ୍ତୁ ଯିହୋବାଙ୍କ ଆଦର କରିବା ସହିତ ଆମେ ତାଙ୍କୁ ପ୍ରେମ ବି କରୁ ।

୬. ଆମେ କାହିଁକି ଯିହୋବାଙ୍କୁ ପ୍ରେମ କରୁ ?

ଆମେ ଯିହୋବାଙ୍କର ମହିମା କରୁ, କାରଣ ଆମେ ତାଙ୍କୁ ବହୁତ ପ୍ରେମ କରୁ । ଯିହୋବାଙ୍କଠାରେ ଅନେକ ଭଲ ଗୁଣ ରହିଛି, ଯାହାଯୋଗୁଁ ଆମେ ତାଙ୍କୁ ପ୍ରେମ କରୁ । ତାଙ୍କ ହୃଦୟରେ କରୁଣା ଭରି ରହିଛି ଓ ସେ ଦୟାଳୁ ଅଟନ୍ତି । (ଗୀତ. ୧୦୩:୧୩; ଯିଶା. ୪୯:୧୫) ସେ ଆମ ଭାବନା ବୁଝନ୍ତି ଓ ଯେବେ ଆମକୁ ଦୁଃଖ ଲାଗେ, ତେବେ ତାଙ୍କୁ ବି ଦୁଃଖ ହୁଏ । (ଯିଖ. ୨:୮) ସେ ଆମ ଆଡ଼କୁ ବନ୍ଧୁତାର ହାତ ବଢ଼ାନ୍ତି ଓ ଚାହାନ୍ତି ଯେ ଆମେ ତାଙ୍କୁ ଜାଣୁ ଏବଂ ତାଙ୍କ ନିକଟତର ହେଉ । (ଗୀତ. ୨୫:୧୪; ପ୍ରେରି. ୧୭:୨୭) ସେ ନମ୍ର ବି ଅଟନ୍ତି, ‘ସେ ଆକାଶ ଓ ପୃଥିବୀକି ଦେଖିବା ପାଇଁ ଆପଣାକୁ ନତ କରନ୍ତି, ଦରିଦ୍ରକୁ [“ନମ୍ର,” NWT] ଧୂଳିରୁ ଉଠାନ୍ତି ।’ (ଗୀତ. ୧୧୩:୫-୮) ସତରେ ଆମ ଈଶ୍ୱର ବହୁତ ଭଲ ଅଟନ୍ତି, ତେଣୁ ଆମେ ତାଙ୍କର ମହିମା କରିବାରୁ ନିଜକୁ ରୋକିପାରି ନ ଥାଉ !—ଗୀତ. ୮୬:୧୨.

୭. ଆମକୁ କେଉଁ ବିଶେଷ ସୁଯୋଗ ମିଳିଛି ?

ଆମେ ଯିହୋବାଙ୍କର ମହିମା କରୁ, କାରଣ ଆମେ ଚାହୁଁ ଯେ ପ୍ରତ୍ୟେକ ଲୋକ ତାଙ୍କୁ ଜାଣନ୍ତୁ । ଆଜି ଅଧିକାଂଶ ଲୋକ ଯିହୋବାଙ୍କ ବିଷୟରେ ସତ୍ୟ ଜାଣି ନାହାନ୍ତି । କାରଣ ଶୟତାନ ଯିହୋବାଙ୍କ ବିଷୟରେ ଅନେକ ମିଛ କଥା ପ୍ରସାରିତ କରିଛି ଓ ଲୋକମାନଙ୍କୁ ଅନ୍ଧ କରିଦେଇଛି । (୨ କରି. ୪:୪) ଏହି କାରଣ ଯୋଗୁଁ ସେମାନଙ୍କୁ ଲାଗେ ଯେ ଯିହୋବା ସବୁବେଳେ ରାଗନ୍ତି ଓ ସେ ଦଣ୍ଡ ଦେବା ପାଇଁ ସବୁବେଳେ ସୁଯୋଗ ଖୋଜୁଥାʼନ୍ତି । ସେମାନଙ୍କୁ ଏହା ବି ଲାଗେ ଯେ ଈଶ୍ୱର କାହାରି ଚିନ୍ତା କରନ୍ତି ନାହିଁ ଓ ତାଙ୍କ ଯୋଗୁଁ ହିଁ ଦୁନିଆରେ ଏତେ ଦୁଃଖକଷ୍ଟ ଅଛି । କିନ୍ତୁ ଆମେ ଯିହୋବାଙ୍କ ବିଷୟରେ ସତ୍ୟ ଜାଣିଛୁ । ଆମ ପାଖରେ ସୁଯୋଗ ଅଛି ଯେ ଆମେ ଅନ୍ୟମାନଙ୍କୁ ଯିହୋବା ପ୍ରକୃତରେ କିପରି ଈଶ୍ୱର ଅଟନ୍ତି ସେବିଷୟରେ କହିବା, ଯାହାଫଳରେ ସେମାନେ ତାଙ୍କର ମହିମା କରିବେ । (ଯିଶା. ୪୩:୧୦) ଗୀତସଂହିତା ୯୬ ଅଧ୍ୟାୟରେ କୁହାଯାଇଛି ଯେ ଆମେ କିପରି ଯିହୋବାଙ୍କର ମହିମା କରିପାରିବା । ଆସନ୍ତୁ ଈଶ୍ୱର ଲେଖିଥିବା ଏହି ଗୀତସଂହିତା ଉପରେ ଚର୍ଚ୍ଚା କରିବା । ଏପରି କରିବା ସମୟରେ ଆପଣ ଏବିଷୟରେ ଭାବିପାରିବେ ଯେ ଯିହୋବା ଯେଉଁ ମହିମା ପାଇବାର ଅଧିକାରୀ, ସେହି ମହିମା ଆପଣ ତାଙ୍କୁ କିପରି ଦେଇପାରିବେ ।

ଆମେ କିପରି ଯିହୋବାଙ୍କୁ ସେହି ମହିମା ଦେଇପାରିବା, ଯାହାର ସେ ଅଧିକାରୀ ?

୮. ଯିହୋବାଙ୍କର ମହିମା କରିବାର ଗୋଟିଏ ଉପାୟ କହନ୍ତୁ । (ଗୀତସଂହିତା ୯୬:୧-୩)

ଗୀତସଂହିତା ୯୬:୧-୩ ପଢ଼ନ୍ତୁ । ଆମେ ଯିହୋବାଙ୍କ ବିଷୟରେ ଅନ୍ୟମାନଙ୍କୁ କହି ତାଙ୍କର ମହିମା କରିପାରିବା । ଏହି ପଦଗୁଡ଼ିକରେ ଯିହୋବାଙ୍କ ଲୋକମାନଙ୍କୁ କୁହାଯାଇଛି, ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଗାନ କର,’ “ତାହାଙ୍କ ନାମର ଧନ୍ୟବାଦ କର,” ‘ତାହାଙ୍କ ପରିତ୍ରାଣ ପ୍ରକାଶ କର,’ ‘ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତାହାଙ୍କ ଗୌରବ [“ମହିମା,” NWT] କର ।’ ଏହି ସବୁ ଉପାୟରୁ ଆମେ ନିଜ ପିତା ଯିହୋବାଙ୍କ ମହିମା କରିପାରିବା । ବିଶ୍ୱସ୍ତ ଯିହୁଦୀମାନେ ଓ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ସାହସର ସହ ଯିହୋବାଙ୍କ ନାମ ବିଷୟରେ ଅନ୍ୟମାନଙ୍କୁ କହିଲେ । ସେମାନେ ଲୋକମାନଙ୍କୁ ଏହା କହିବା ପାଇଁ ଡରିଲେ ନାହିଁ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି ଓ ସେ ସେମାନଙ୍କ ପାଇଁ କʼଣ କʼଣ କରିଛନ୍ତି । (ଦାନି. ୩:୧୬-୧୮; ପ୍ରେରି. ୪:୨୯) ଆମେ ବି ଏହା କିପରି କରିପାରିବା ?

୯-୧୦. ଆପଣ ଏଞ୍ଜେଲିନାଙ୍କ ଅନୁଭୂତିରୁ କʼଣ ଶିଖିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଆମେରିକାରେ ରହୁଥିବା ଏଞ୍ଜେଲିନା a ନାମକ ଭଉଣୀଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ ଗୋଟିଏ କମ୍ପାନୀରେ ଚାକିରି ମିଳିଲା । ସେ ସେଠାରେ ସାହସର ସହ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କହିଲେ ଓ ତାଙ୍କ ନାମର ମହିମା କଲେ । ଥରେ ଗୋଟିଏ ମିଟିଙ୍ଗ ରଖାଗଲା ଓ ସମସ୍ତ ନୂଆ ଲୋକମାନଙ୍କୁ ଡକାଗଲା । ସେହି ମିଟିଙ୍ଗରେ ସମସ୍ତଙ୍କୁ ନିଜ ବିଷୟରେ କିଛି କହିବାର ଥିଲା । ଏଞ୍ଜେଲିନା କିଛି ଫଟୋ ଦେଖାଇ ଅନ୍ୟମାନଙ୍କୁ କହିବା ପାଇଁ ଚାହୁଁଥିଲେ ଯେ ସେ ଜଣେ ଯିହୋବାଙ୍କ ସାକ୍ଷୀ ଓ ସେ ନିଜ ଜୀବନରେ ବହୁତ ଖୁସି ଅଛନ୍ତି । କିନ୍ତୁ ତାଙ୍କ ପୂର୍ବରୁ ଯେଉଁ ବ୍ୟକ୍ତି ନିଜ ବିଷୟରେ କହୁଥିଲେ, ସେ କହିଲେ ଯେ ସେ ଗୋଟିଏ ସାକ୍ଷୀ ପରିବାରରେ ବଡ଼ ହେଲେ । ତାʼପରେ ସେ ଯିହୋବା ଓ ସାକ୍ଷୀମାନଙ୍କ ବିଷୟରେ ଭୁଲ କଥାଗୁଡ଼ିକ କହିବାକୁ ଲାଗିଲେ । ଏଞ୍ଜେଲିନା କହନ୍ତି, “ତାଙ୍କ କଥା ଶୁଣି ମୋତେ ଭାରି ଡର ଲାଗିଲା । କିନ୍ତୁ ମୁଁ ଭାବିଲି, ‘ଏହି ବ୍ୟକ୍ତି ଯିହୋବାଙ୍କ ବିଷୟରେ କେତେ ମିଛ କଥା କହୁଛନ୍ତି । ମୁଁ ଚୁପ୍‌ ରହିପାରିବିନି ! ମୋତେ କହିବାକୁ ପଡ଼ିବ ଯେ ଯିହୋବା ଏପରି ଈଶ୍ୱର ନୁହନ୍ତି ।’”

୧୦ ଯେବେ ସେହି ବ୍ୟକ୍ତି ନିଜ ବିଷୟରେ କହିବା ଶେଷ କଲେ, ତେବେ ଏଞ୍ଜେଲିନା ନିଜ ମନରେ ଛୋଟ ପ୍ରାର୍ଥନା କଲେ । ତାʼପରେ ସେ ସେହି ବ୍ୟକ୍ତିଙ୍କୁ ବହୁତ ପ୍ରେମର ସହିତ କହିଲେ, “ମୁଁ ବି ସାକ୍ଷୀ ପରିବାରରେ ବଡ଼ ହେଲି ଆଉ ମୁଁ ଆଜି ବି ଜଣେ ସାକ୍ଷୀ ।” ଏହା ଶୁଣିବା ମାତ୍ରେ ସମସ୍ତେ ଚିନ୍ତିତ ହୋଇଗଲେ, କିନ୍ତୁ ଏଞ୍ଜେଲିନା ଶାନ୍ତ ରହିଲେ । ସେ ସମସ୍ତଙ୍କୁ ଅଧିବେଶନର ଫଟୋ ଓ ଅନ୍ୟ ଫଟୋ ବି ଦେଖାଇଲେ, ଯେଉଁଥିରେ ସେ ଓ ତାଙ୍କର ସାଙ୍ଗମାନେ ବହୁତ ଖୁସି ଅଛନ୍ତି । ସେ ଭାବିଚିନ୍ତି କାମ କଲେ ଓ ସମସ୍ତଙ୍କୁ ନିଜ ବିଶ୍ୱାସ ବିଷୟରେ କହିଲେ । (୧ ପିତ. ୩:୧୫) ଏହାର ପରିଣାମ କʼଣ ହେଲା ? ଏଞ୍ଜେଲିନାଙ୍କ କଥା ଶେଷ ହେବା ଯାଏ ସେହି ବ୍ୟକ୍ତି ଟିକେ ଶାନ୍ତ ହୋଇଗଲେ । ସେ ଏହା ବି କହିଲେ ଯେ ସେ ପିଲାବେଳେ ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ବିତାଇଥିବା କିଛି ଭଲ ସ୍ମୃତିକୁ ଏବେ ବି ମନେ ରଖିଛନ୍ତି । ଏଞ୍ଜେଲିନା କହନ୍ତି, “ଯିହୋବାଙ୍କୁ ମହିମା ପାଇବାର ପୂରା ଅଧିକାର ଅଛି, ସେଥିପାଇଁ ଆମକୁ ତାଙ୍କ ପକ୍ଷରେ କହିବା ଉଚିତ୍‌ । ଏହା ଆମ ପାଇଁ ସମ୍ମାନର କଥା ।” ଆଜି ଯେବେ କେହି ଯିହୋବାଙ୍କୁ ବଦନାମ କରନ୍ତି, ସେସମୟରେ ଆମ ପାଖରେ ସୁଯୋଗ ଥାଏ ଯେ ଆମେ ଯିହୋବାଙ୍କର ପ୍ରଶଂସା କରୁ ଓ ତାଙ୍କର ମହିମା କରୁ ।

ଆମେ ନିଜ କଥାରୁ ଯିହୋବାଙ୍କର ମହିମା କରିପାରିବା (ପାରାଗ୍ରାଫ ୯-୧୦)  b


୧୧. ଖ୍ରୀଷ୍ଟିୟାନମାନେ କିପରି ପୂର୍ବରୁ ହିଁ ଗୀତସଂହିତା ୯୬:୮ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ ମାନି ଆସିଛନ୍ତି ?

୧୧ ଗୀତସଂହିତା ୯୬:୮ ପଢ଼ନ୍ତୁ । ଆମେ ନିଜ ବହୁମୂଲ୍ୟ ଜିନିଷ ଦେଇ ଯିହୋବାଙ୍କର ମହିମା କରିପାରିବା । ଯିହୋବାଙ୍କ ସେବକମାନେ ପୂର୍ବରୁ ହିଁ ଏପରି କରି ଆସିଛନ୍ତି । (ହିତୋ. ୩:୯) ଯେପରି, ପ୍ରାଚୀନ ସମୟରେ ଇସ୍ରାଏଲୀୟମାନେ ମନ୍ଦିର ତିଆରି କରିବା ଓ ତାହାର ଦେଖାରେଖା କରିବା ପାଇଁ ଦାନ ଦେଲେ । (୨ ରାଜା. ୧୨:୪, ୫; ୧ ବଂଶା. ୨୯:୩-୯) ଯୀଶୁଙ୍କ ଅନ୍ୟ କିଛି ଶିଷ୍ୟମାନେ ‘ଆପଣା ସମ୍ପତ୍ତିରୁ’ ଯୀଶୁଙ୍କ ଓ ତାଙ୍କ ସହ ରହୁଥିବା ଶିଷ୍ୟମାନଙ୍କ ଆବଶ୍ୟକତା ପୂରା କଲେ । (ଲୂକ ୮:୧-୩) ପ୍ରଥମ ଶତାବ୍ଦୀରେ ଯେବେ କିଛି ଖ୍ରୀଷ୍ଟିୟାନ ଦୁର୍ଭିକ୍ଷର ସାମନା କଲେ, ସେସମୟରେ ଅନ୍ୟ ଭାଇଭଉଣୀମାନେ ସେମାନଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ପଠାଇଲେ । (ପ୍ରେରି. ୧୧:୨୭-୨୯) ଆଜି ଆମେ ବି ନିଜ ଇଚ୍ଛାରେ ଦାନ କରି ଯିହୋବାଙ୍କର ମହିମା କରିପାରିବା ।

୧୨. ଯେବେ ଆମେ ଦାନ ଦେଉ, ତେବେ ଏଥିରୁ କିପରି ଯିହୋବାଙ୍କ ମହିମା ହୁଏ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଗୋଟିଏ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ଯେବେ ଆମେ ଦାନ ଦେଉ ସେସମୟରେ ଯିହୋବାଙ୍କର ମହିମା ହୁଏ । ୨୦୨୦ ମସିହାରେ ଜିମ୍ବାୱେରେ ଗୋଟିଏ ବଡ଼ ଦୁର୍ଭିକ୍ଷ ହେଲା ଓ ଏହା ଲମ୍ବା ସମୟ ଯାଏ ଚାଲିଲା । ଗୋଟିଏ ରିପୋର୍ଟରେ କୁହାଗଲା ଯେ ଖାଇବାର ଅଭାବ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ଥିଲା । ସେମଧ୍ୟରୁ ଜଣେ ଆମ ଭଉଣୀ ପ୍ରିସ୍କା ମଧ୍ୟ ଥିଲେ । ଭଉଣୀ ପ୍ରତି ବୁଧବାର ଓ ଶୁକ୍ରବାର ପ୍ରଚାର କରିବା ପାଇଁ ଯାଉଥିଲେ । ଆଉ ଯେବେ ଦୁର୍ଭିକ୍ଷ ପଡ଼ିଲା ସେସମୟରେ ବି ସେ ପ୍ରଚାର କରିବା ଛାଡ଼ିଲେ ନାହିଁ । ଏପରିକି ଯେବେ ଚାଷ କାମ ଆରମ୍ଭ ହେଲା ସେସମୟରେ ବି ସେ ପ୍ରଚାର କାମ ଜାରି ରଖିଲେ । ଯେବେ ତାଙ୍କ ପଡ଼ୋଶୀମାନେ ଦେଖିଲେ ଯେ ସେ ବିଲରେ କାମ କରିବା ପରିବର୍ତ୍ତେ ପ୍ରଚାର କରୁଛନ୍ତି, ତେବେ ସେମାନେ ତାଙ୍କ ଥଟ୍ଟା କରି କହୁଥିଲେ, “ତମକୁ ତ ଖାଇବାକୁ ବି ମିଳିବ ନାହିଁ ।” କିନ୍ତୁ ଭଉଣୀଙ୍କୁ ଯିହୋବାଙ୍କ ଉପରେ ପୂରା ଭରସା ଥିଲା, ତେଣୁ ସେ କହୁଥିଲେ, “ଯିହୋବା ସବୁବେଳେ ନିଜ ସେବକମାନଙ୍କର ଯତ୍ନ ନିଅନ୍ତି ।” ଏହାର କିଛି ସମୟ ପରେ ଭଉଣୀଙ୍କୁ ସଂଗଠନରୁ ରିଲିଫ୍‌ ସାମଗ୍ରୀ ମିଳିଲା । ସାରା ଦୁନିଆରେ ଆମ ଭାଇଭଉଣୀମାନେ ଯେଉଁ ଦାନ ଦିଅନ୍ତି, ତାʼଯୋଗୁଁ ଜିମ୍ବାୱେରେ ରହୁଥିବା ଆମ ଭାଇଭଉଣୀମାନଙ୍କର ଆବଶ୍ୟକତା ପୂରା ହୋଇପାରିଲା । ଏହା ଦେଖି ଭଉଣୀଙ୍କର ପଡ଼ୋଶୀମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେମାନେ କହିଲେ, “ତମ ଈଶ୍ୱର ସବୁବେଳେ ତମର ଯତ୍ନ ନେଲେ । ଆମେ ତାଙ୍କ ବିଷୟରେ ଆହୁରି ଜାଣିବା ପାଇଁ ଚାହୁଁ ।” ଏହା ପରେ ଭଉଣୀଙ୍କର ସାତ ଜଣ ପଡ଼ୋଶୀ ସଭାକୁ ଆସିବା ଆରମ୍ଭ କଲେ ।

ଆମେ ନିଜ ବହୁମୂଲ୍ୟ ଜିନିଷ ଦେଇ ଯିହୋବାଙ୍କର ମହିମା କରିପାରିବା (ପାରାଗ୍ରାଫ ୧୨)  c


୧୩. ଆମେ କିପରି ନିଜ ଚାଲିଚଳନରୁ ଯିହୋବାଙ୍କର ମହିମା କରିପାରିବା ? (ଗୀତସଂହିତା ୯୬:୯)

୧୩ ଗୀତସଂହିତା ୯୬:୯ ପଢ଼ନ୍ତୁ । ଆମେ ନିଜ ଚାଲିଚଳନରୁ ଯିହୋବାଙ୍କର ମହିମା କରିପାରିବା । ଯେଉଁ ଯାଜକମାନେ ପବିତ୍ର ତମ୍ବୁରେ ଓ ଆଗକୁ ଯାଇ ମନ୍ଦିରରେ ସେବା କରୁଥିଲେ, ସେମାନଙ୍କୁ ସଫାସୁତୁରା ରହିବାର ଥିଲା । (ଯାତ୍ରା. ୪୦:୩୦-୩୨) ସେମାନଙ୍କ ଭଳି ଆଜି ଆମକୁ ବି ସଫାସୁତୁରା ରହିବା ଉଚିତ୍‌ । କିନ୍ତୁ ଏହାଠୁ ବି ଅଧିକ ଆମର ଚାଲିଚଳନ ଶୁଦ୍ଧ ହେବା ଜରୁରୀ । (ଗୀତ. ୨୪:୩, ୪; ୧ ପିତ. ୧:୧୫, ୧୬) ଆମକୁ ନିଜ “ପୁରାତନ ସ୍ୱଭାବ” ଛାଡ଼ି “ନୂତନ ସ୍ୱଭାବ” ପରିଧାନ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ । (କଲ. ୩:୯, ୧୦) ଏହାର ଅର୍ଥ, ଆମେ ଏପରି କଥା କହିବା ନାହିଁ ଓ ଏପରି କାମ କରିବା ନାହିଁ ଯାହା ଯିହୋବା ପସନ୍ଦ କରନ୍ତି ନାହିଁ । ଏହା ପରିବର୍ତ୍ତେ ଆମେ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଆମକୁ ତାଙ୍କ ଭଳି ଭାବିବା ଓ ତାଙ୍କ ଭଳି ଗୁଣ ଦେଖାଇବା ଉଚିତ୍‌ । ଯିହୋବାଙ୍କର ସାହାଯ୍ୟରୁ ଏପରି ଲୋକମାନେ ମଧ୍ୟ ନିଜକୁ ପରିବର୍ତ୍ତନ କରିପାରିବେ ଓ ନୂତନ ସ୍ୱଭାବ ପରିଧାନ କରିପାରିବେ, ଯେଉଁମାନେ ଖରାପ କାମ କରୁଛନ୍ତି କିମ୍ବା ହିଂସ୍ରକ ଅଟନ୍ତି ।

୧୪. ଆପଣ ଜ୍ୟାକ୍‌ଙ୍କ ଅନୁଭୂତିରୁ କʼଣ ଶିଖିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଜ୍ୟାକ୍‌ଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ସେ ବହୁତ ଭୟଙ୍କର ଓ ହିଂସ୍ରକ ବ୍ୟକ୍ତି ଥିଲେ, ତେଣୁ ଲୋକମାନେ ତାଙ୍କୁ ରାକ୍ଷସ କହୁଥିଲେ । ଜ୍ୟାକ୍‌ ଅନେକ ଅପରାଧ କରିଥିଲେ, ତେଣୁ ତାଙ୍କୁ ମୃତ୍ୟୁ ଦଣ୍ଡର ସଜା ଦିଆଯାଇଥିଲା । ଯେବେ ସେ ମୃତ୍ୟୁ ଦଣ୍ଡ ପାଇବାର ଦିନକୁ ଅପେକ୍ଷା କରୁଥିଲେ, ତେବେ ସେ ଜଣେ ଭାଇଙ୍କ ସହ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ ଯିଏ ସେହି ଜେଲରେ ଥିବା ଲୋକମାନଙ୍କୁ ଶିଖାଇବା ପାଇଁ ଆସୁଥିଲେ । ଜ୍ୟାକ୍‌ ଅନେକ ଖରାପ କାମ କରିଥିଲେ, କିନ୍ତୁ ସେ ନିଜ ପୁରାତନ ସ୍ୱଭାବ ଛାଡ଼ିଦେଲେ ଓ କିଛି ସମୟ ପରେ ବାପ୍ତିସ୍ମ ନେଲେ । ଜ୍ୟାକ୍‌ ନିଜ ଭିତରେ ବହୁତ ପରିବର୍ତ୍ତନ କରିଥିଲେ, ତେଣୁ ଯେଉଁଦିନ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବାର ଥିଲା, ସେହି ଦିନ କିଛି ଜଗୁଆଳି ତାଙ୍କୁ ଶେଷଥର ପାଇଁ ଭେଟିବାକୁ ଆସିଥିଲେ ଓ ସେମାନଙ୍କ ଆଖିରେ ଲୁହ ଆସିଗଲା । ଆଉ ସେହି ଜେଲର ଜଣେ ପୋଲିସ ତାଙ୍କୁ କହିଲେ, “ଏହି ଜେଲରେ ଜ୍ୟାକ୍‌ଙ୍କ ଭଳି ଖରାପ ଆଉ କେହି ନ ଥିଲେ । କିନ୍ତୁ ଏବେ ତାଙ୍କଠାରୁ ଭଲ ଆଉ କେହି ନାହାନ୍ତି ।” ଜ୍ୟାକ୍‌ଙ୍କ ମୃତ୍ୟୁର ଗୋଟିଏ ସପ୍ତାହ ପରେ ଯେବେ ଭାଇ ସେହି ଜେଲରେ ସଭା ଚଲାଇବା ପାଇଁ ଆସିଲେ, ସେସମୟରେ ସେ ଜଣେ କଏଦୀଙ୍କୁ ଭେଟିଲେ । ସେ ପ୍ରଥମ ଥର ଆମ ସଭାକୁ ଆସିଥିଲେ । ସେ କାହିଁକି ସଭାରେ ଆସିଥିଲେ ? ଜ୍ୟାକ୍‌ ଯେପରି ଭାବେ ନିଜକୁ ପରିବର୍ତ୍ତନ କରିଥିଲେ ତାହା ଦେଖି ଏହି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ତେଣୁ ସେ ଯିହୋବାଙ୍କ ବିଷୟରେ ଶିଖିବା ପାଇଁ ଚାହୁଁଥିଲେ ଏବଂ ଜଣେ ସାକ୍ଷୀ ହେବା ପାଇଁ ଚାହୁଁଥିଲେ । ଏହି ଅନୁଭୂତିରୁ ଜଣାପଡ଼େ ଯେ ଆମେ ନିଜ ଚାଲିଚଳନରୁ ଯିହୋବାଙ୍କର ମହିମା କରିପାରିବା ।—୧ ପିତ. ୨:୧୨.

ଆମେ ନିଜ ଚାଲିଚଳନରୁ ଯିହୋବାଙ୍କର ମହିମା କରିପାରିବା (ପାରାଗ୍ରାଫ ୧୪)  d


ଅତିଶୀଘ୍ର ଯିହୋବା କିପରି ତାଙ୍କ ନାମର ମହିମା କରିବେ ?

୧୫. ଅତିଶୀଘ୍ର ଯିହୋବା କିପରି ନିଜ ନାମର ମହିମା କରିବେ ? (ଗୀତସଂହିତା ୯୬:୧୦-୧୩)

୧୫ ଗୀତସଂହିତା ୯୬:୧୦-୧୩ ପଢ଼ନ୍ତୁ । ଗୀତସଂହିତା ୯୬ ଅଧ୍ୟାୟର ଶେଷ ପଦଗୁଡ଼ିକରେ କୁହାଯାଇଛି ଯେ ଯିହୋବା ଜଣେ ରାଜା ଅଟନ୍ତି ଓ ସେ କାହାରି ପକ୍ଷ ନ ନେଇ ନ୍ୟାୟ କରନ୍ତି । ଅତିଶୀଘ୍ର ସେ ତାଙ୍କ ନାମର ମହିମା କରିବେ । ତାହା କିପରି ? ସଠିକ୍‌ ନ୍ୟାୟ କରି । ଅତିଶୀଘ୍ର ଯିହୋବା ମହାନଗରୀ ବାବିଲକୁ ବିନାଶ କରିଦେବେ, କାରଣ ମିଛ ଧର୍ମ ତାଙ୍କ ନାମକୁ କଳଙ୍କିତ କରିଛି । ଯେଉଁମାନେ ମହାନଗରୀ ବାବିଲକୁ ବିନାଶ ହେବାର ଦେଖିବେ, ସେମାନଙ୍କ ମଧ୍ୟରୁ କିଛି ହୁଏତ ଯିହୋବାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିବେ ଓ ଆମ ସହ ମିଶି ତାଙ୍କ ସେବା କରିବେ । (ପ୍ରକା. ୧୭:୫, ୧୬; ୧୯:୧, ୨) ଆଉ ଶେଷରେ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ଯିହୋବା ଶୟତାନର ଏହି ଦୁଷ୍ଟ ଦୁନିଆକୁ ଓ ସେସମସ୍ତ ଲୋକମାନଙ୍କୁ ବି ବିନାଶ କରିଦେବେ, ଯେଉଁମାନେ ତାଙ୍କର ବିରୋଧ କରନ୍ତି ଏବଂ ଯେଉଁମାନେ ତାଙ୍କ ନାମକୁ ବଦନାମ କରିଛନ୍ତି । କିନ୍ତୁ ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ତାଙ୍କ ଆଜ୍ଞା ମାନନ୍ତି ଓ ତାଙ୍କ ମହିମା କରନ୍ତି, ସେସମସ୍ତଙ୍କୁ ସେ ରକ୍ଷା କରିବେ । (ମାର୍କ ୮:୩୮; ୨ ଥେସ. ୧:୬-୧୦) ଯେବେ ଖ୍ରୀଷ୍ଟଙ୍କର ହଜାର ବର୍ଷର ଶାସନ ଶେଷ ହେବ ଓ ଶେଷ ପରୀକ୍ଷା ହୋଇସାରିଥିବ, ତେବେ ଯିହୋବା ପ୍ରମାଣିତ କରିଦେବେ ଯେ କେବଳ ସେ ହିଁ ଉପାସନା ପାଇବାର ଯୋଗ୍ୟ ଅଟନ୍ତି । (ପ୍ରକା. ୨୦:୭-୧୦) ସେସମୟରେ “ଜଳରାଶି ଯେପରି ସମୁଦ୍ରକୁ ଆବୃତ କରେ, ସେପରି ସଦାପ୍ରଭୁଙ୍କ ମହିମା ବିଷୟକ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ ।”—ହବ. ୨:୧୪.

୧୬. ଆପଣ କʼଣ କରିବା ପାଇଁ ଭାବିଛନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ କଳ୍ପନା କରନ୍ତୁ, ସେହି ସମୟ କିପରି ଥିବ ଯେବେ ସମସ୍ତେ ଯିହୋବାଙ୍କୁ ସେହି ମହିମା ଦେବେ, ଯାହାର ସେ ଅଧିକାରୀ ! କିନ୍ତୁ ଯେବେ ଯାଏ ସେହି ସମୟ ଆସି ନାହିଁ, ଆସନ୍ତୁ ଆମେ ଯିହୋବାଙ୍କ ମହିମା କରିବାର କୌଣସି ବି ସୁଯୋଗକୁ ହାତଛଡ଼ା କରିବା ନାହିଁ । ଆମ ପାଇଁ ଏପରି କରିବା ବହୁତ ଜରୁରୀ, ତେଣୁ ପ୍ରଶାସନ ଦଳ ୨୦୨୫ ମସିହାର ବାର୍ଷିକ ପଦ ଗୀତସଂହିତା ୯୬:୮ରୁ ନେଇଛି: ‘ଯିହୋବାଙ୍କ ନାମ ଯେଉଁ ମହିମା ପାଇବାର ଯୋଗ୍ୟ, ସେହି ମହିମା ତାକୁ ଦିଅ ।’

ଭବିଷ୍ୟତରେ ପ୍ରତ୍ୟେକ ଲୋକ ଯିହୋବାଙ୍କୁ ସେହି ମହିମା ଦେବେ, ଯାହାର ସେ ଅଧିକାରୀ ! (ପାରାଗ୍ରାଫ ୧୬)

ଗୀତ ୧୨ ୟହୋୱା, ମାହାନ୍‌ ପରମେଶ୍ୱର

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

b ଚିତ୍ର ବିଷୟରେ: ଏଞ୍ଜେଲିନାଙ୍କ ସହ ଯାହା ହେଲା ତାହାର ପ୍ରଦର୍ଶନ ।

c ଚିତ୍ର ବିଷୟରେ: ପ୍ରିସ୍କାଙ୍କ ସହ ଯାହା ହେଲା ତାହାର ପ୍ରଦର୍ଶନ ।

d ଚିତ୍ର ବିଷୟରେ: ଜ୍ୟାକ୍‌ଙ୍କ ସହ ଯାହା ହେଲା ତାହାର ପ୍ରଦର୍ଶନ ।