इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨

ଗୀତ ୧୩୨ ଅବ୍‌ ହମ୍‌ ଏକ ହୁଏ

ସ୍ୱାମୀମାନେ, ନିଜ ସ୍ତ୍ରୀଙ୍କୁ ଆଦର କରନ୍ତୁ

ସ୍ୱାମୀମାନେ, ନିଜ ସ୍ତ୍ରୀଙ୍କୁ ଆଦର କରନ୍ତୁ

‘ସ୍ୱାମୀମାନେ, ନିଜ ସ୍ତ୍ରୀମାନଙ୍କୁ ସମାଦର କର ।’୧ ପିତ. ୩:୭.

କʼଣ ଶିଖିବା ?

ଆମେ ଜାଣିବା ଯେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ସହିତ ଯେପରି କଥା ହୁଅନ୍ତି ଓ ଯେପରି ବ୍ୟବହାର କରନ୍ତି, ସେଥିରୁ ସେ କିପରି ଦେଖାଇପାରିବେ ଯେ ସେ ନିଜ ସ୍ତ୍ରୀଙ୍କୁ ଆଦର କରନ୍ତି ।

୧. ଯିହୋବା କାହିଁକି ବିବାହର ଉପହାର ଦେଇଛନ୍ତି ?

 ଯିହୋବା “ପରମଧନ୍ୟ” ଈଶ୍ୱର [“ଆନନ୍ଦିତ ଈଶ୍ୱର,” NWT] ଅଟନ୍ତି । (୧ ତୀମ. ୧:୧୧) ସେ ଚାହାନ୍ତି ଯେ ତାଙ୍କ ସେବକମାନେ ବି ଖୁସିରେ ରହନ୍ତୁ, ସେଥିପାଇଁ ସେ ଆମକୁ ଅନେକ ଉପହାର ଦେଇଛନ୍ତି । (ଯାକୁ. ୧:୧୭) ସେମଧ୍ୟରୁ ଗୋଟିଏ ହେଉଛି, ବିବାହର ଉପହାର । ଯେବେ ଜଣେ ପୁରୁଷ ଓ ସ୍ତ୍ରୀ ବିବାହ କରନ୍ତି, ତେବେ ସେମାନେ ପରସ୍ପରକୁ ପ୍ରତିଜ୍ଞା କରନ୍ତି ଯେ ସେମାନେ ସବୁବେଳେ ପରସ୍ପରକୁ ପ୍ରେମ କରିବେ ଓ ଗଭୀର ଆଦର କରିବେ । ଯେବେ ସେମାନେ ନିଜର ଏହି ପ୍ରତିଜ୍ଞା ପୂରା କରନ୍ତି, ତେବେ ସେମାନେ ଖୁସିରେ ରହନ୍ତି ।—ହିତୋ. ୫:୧୮.

୨. ଆଜିକାଲି ଅନେକ ସ୍ୱାମୀମାନେ ନିଜ ସ୍ତ୍ରୀଙ୍କ ସହିତ କିପରି ବ୍ୟବହାର କରନ୍ତି ?

କିନ୍ତୁ ଦୁଃଖର କଥା, ଆଜି ଅନେକ ସ୍ୱାମୀ ସ୍ତ୍ରୀମାନେ ନିଜ ବିବାହ ଦିନରେ କରିଥିବା ପ୍ରତିଜ୍ଞା ଭୁଲିଯାʼନ୍ତି । ସେଥିପାଇଁ ସେମାନେ ଖୁସିରେ ରହନ୍ତି ନାହିଁ । ନିକଟରେ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୋଟିଏ ରିପୋର୍ଟରେ କୁହାଯାଇଥିଲା ଯେ ଆଜି ଅନେକ ସ୍ୱାମୀମାନେ ନିଜ ସ୍ତ୍ରୀଙ୍କୁ ମାରପିଟ୍‌ କରନ୍ତି, ପାଟିତୁଣ୍ଡ କରନ୍ତି କିମ୍ବା ସେମାନଙ୍କ ସହ ଖରାପ ବ୍ୟବହାର କରନ୍ତି । ଏପରି ସ୍ୱାମୀମାନେ ଅନ୍ୟମାନଙ୍କ ସାମନାରେ ଦେଖାନ୍ତି ଯେ ସେମାନେ ନିଜ ସ୍ତ୍ରୀଙ୍କ ବହୁତ ଆଦର କରନ୍ତି, କିନ୍ତୁ ଘରେ ସେମାନଙ୍କ ସହ ଖରାପ ବ୍ୟବହାର କରନ୍ତି । ଆଉ ଅନେକ ସ୍ୱାମୀ ପର୍ନୋଗ୍ରାଫି (ଅଶ୍ଳୀଳ ଚିତ୍ର କିମ୍ବା ଭିଡିଓ) ଦେଖନ୍ତି, ତେଣୁ ସେମାନଙ୍କ ବିବାହ ବନ୍ଧନ ଦୁର୍ବଳ ହୋଇଯାଏ ।

୩. କେଉଁ କାରଣ ଯୋଗୁଁ ହୁଏତ କିଛି ସ୍ୱାମୀମାନେ ନିଜ ସ୍ତ୍ରୀଙ୍କ ସହ ଖରାପ ବ୍ୟବହାର କରନ୍ତି ?

ଅନେକ ସ୍ୱାମୀମାନେ କାହିଁକି ନିଜ ସ୍ତ୍ରୀମାନଙ୍କ ସହିତ ଖରାପ ବ୍ୟବହାର କରନ୍ତି ? କାରଣ ହୋଇପାରେ ଛୋଟବେଳୁ ସେମାନେ ଦେଖିଥିବେ ଯେ ତାଙ୍କ ବାପା କିପରି ତାଙ୍କ ମାଆଙ୍କ ଉପରେ ହାତ ଉଠାଉଥିଲେ, ତେଣୁ ସେମାନଙ୍କୁ ଲାଗୁଥିବ ଯେ ସ୍ତ୍ରୀଙ୍କ ସହ ଏପରି ବ୍ୟବହାର କରିବା ଭୁଲ ନୁହେଁ । ଅନ୍ୟ କିଛି ଲୋକ ଏପରି ସମାଜରେ ବଡ଼ ହୋଇଥାʼନ୍ତି, ଯେଉଁଠାରେ ଲୋକମାନେ ଭାବନ୍ତି ଯେ ନିଜ ସ୍ତ୍ରୀଙ୍କୁ ଶାସନ କରିବା “ପ୍ରକୃତ ପୁରୁଷତ୍ତ୍ୱର” ପରିଚୟ । ଆଉ କିଛି ଲୋକଙ୍କୁ ନିଜ ଭାବନା କିମ୍ବା ରାଗକୁ କିପରି କାବୁ କରିବାର ଅଛି, ସେବିଷୟରେ ଶିଖା ହିଁ ଯାଇ ନାହିଁ । ତାʼ ସହିତ ଏପରି କିଛି ଲୋକ ବି ଅଛନ୍ତି ଯେଉଁମାନେ ପ୍ରାୟ ଅଶ୍ଳୀଳ ଚିତ୍ର କିମ୍ବା ଭିଡିଓଗୁଡ଼ିକ ଦେଖନ୍ତି । ଏହି କାରଣ ଯୋଗୁଁ ସେମାନଙ୍କୁ ଲାଗେ ଯେ ସ୍ତ୍ରୀମାନେ କେବଳ ଯୌନ ଇଚ୍ଛା ପୂରା କରିବାର ଏକ ଜିନିଷ । ରିପୋର୍ଟରୁ ଜଣାପଡ଼େ ଯେ କୋଭିଡ୍‌-୧୯ ମହାମାରୀ ସମୟରେ ଏହି ସମସ୍ୟାଗୁଡ଼ିକ ଆହୁରି ବଢ଼ିଯାଇଛି । କାରଣ ଯାହା ବି ଥାଉ ନା କାହିଁକି, ଜଣେ ସ୍ୱାମୀଙ୍କୁ କେବେ ବି ନିଜ ସ୍ତ୍ରୀଙ୍କ ସହ ଖରାପ ବ୍ୟବହାର କରିବା ଉଚିତ୍‌ ନୁହେଁ ।

୪. ବିବାହିତ ଭାଇମାନଙ୍କୁ ବିଶେଷକରି କେଉଁ କଥାର ଧ୍ୟାନ ରଖିବାର ଅଛି ଓ କାହିଁକି ?

ବିବାହିତ ଭାଇମାନଙ୍କୁ ବିଶେଷକରି ଏହି କଥାର ଧ୍ୟାନ ରଖିବା ଉଚିତ୍‌ ଯେ ସେମାନେ ଦୁନିଆର ଲୋକଙ୍କ ଭଳି ସ୍ତ୍ରୀମାନଙ୍କ ବିଷୟରେ ଖରାପ ଚିନ୍ତାଧାରା ନ ଆପଣାନ୍ତୁ । a ତାହା କାହିଁକି ? କାରଣ ଜଣେ ବ୍ୟକ୍ତି ଯେପରି ଭାବେ, ସେ ସେପରି ହିଁ କାମ କରେ । ଧ୍ୟାନ ଦିଅନ୍ତୁ ଯେ ପ୍ରେରିତ ପାଉଲ ରୋମର ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ କେଉଁ ବିଷୟରେ ସତର୍କ କରାଇଥିଲେ । ସେ କହିଲେ, “ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ ।” (ରୋମୀ. ୧୨:୧, ୨) ଯେବେ ପାଉଲ ରୋମର ଖ୍ରୀଷ୍ଟିୟାନମାନଙ୍କୁ ଏହି କଥା ଲେଖିଲେ, ତେବେ ଯାଏ ଏହି ମଣ୍ଡଳୀକୁ ଆରମ୍ଭ ହୋଇ କିଛି ବର୍ଷ ହୋଇଯାଇଥିଲା । କିନ୍ତୁ ପାଉଲ ସେମାନଙ୍କୁ ଯାହା କହିଲେ, ସେଥିରୁ ଜଣାପଡ଼େ ଯେ ମଣ୍ଡଳୀର କିଛି ଭାଇ ଏବେ ବି ଦୁନିଆର ଲୋକଙ୍କ ଭଳି ଭାବୁଥିଲେ ଓ ତାଙ୍କ ଭଳି କାମ କରୁଥିଲେ । ସେଥିପାଇଁ ପାଉଲ ସେମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ନିଜ କାମ ଓ ଚିନ୍ତାଧାରାକୁ ବଦଳାନ୍ତୁ । ପାଉଲଙ୍କ ଏହି ପରାମର୍ଶ ଆଜି ବି ମଣ୍ଡଳୀର ବିବାହିତ ଭାଇମାନଙ୍କୁ ମାନିବା ଉଚିତ୍‌ । କିନ୍ତୁ ଦୁଃଖର କଥା, କିଛି ଭାଇ ଦୁନିଆର ଲୋକମାନଙ୍କ ଭଳି ସ୍ତ୍ରୀମାନଙ୍କ ବିଷୟରେ ଖରାପ ଚିନ୍ତାଧାରା ଆପଣାଇଛନ୍ତି ଓ ନିଜ ସ୍ତ୍ରୀଙ୍କ ସହ ଖରାପ ବ୍ୟବହାର କରିଛନ୍ତି । b ତାହେଲେ ଜଣେ ସ୍ୱାମୀଙ୍କୁ ନିଜ ସ୍ତ୍ରୀଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ ? ଯିହୋବା ତାଙ୍କଠାରୁ କʼଣ ଚାହାନ୍ତି ? ଆମକୁ ଏହି ଲେଖାର ମୁଖ୍ୟ ପଦରୁ ଏହି କଥା ଜଣାପଡ଼େ ।

୫. ୧ ପିତର ୩:୭ ପଦ ଅନୁସାରେ ଜଣେ ସ୍ୱାମୀଙ୍କୁ ନିଜ ସ୍ତ୍ରୀଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ ?

୧ ପିତର ୩:୭ ପଢ଼ନ୍ତୁ । ଯିହୋବା ସ୍ୱାମୀମାନଙ୍କୁ ଆଜ୍ଞା ଦେଇଛନ୍ତି ଯେ ସେମାନେ ନିଜ ସ୍ତ୍ରୀଙ୍କୁ ସମାଦର ବା ଆଦର କରନ୍ତୁ । ଯେଉଁମାନେ ନିଜ ସ୍ତ୍ରୀଙ୍କୁ ଆଦର କରନ୍ତି, ସେମାନେ ସବୁବେଳେ ତାଙ୍କ ସହ ପ୍ରେମର ସହିତ ବ୍ୟବହାର କରନ୍ତି । ଏହି ଲେଖାରେ ଆମେ ଜାଣିବା ଯେ ଜଣେ ସ୍ୱାମୀ କିପରି ନିଜ ସ୍ତ୍ରୀଙ୍କୁ ଆଦର କରିପାରିବେ । କିନ୍ତୁ ପ୍ରଥମେ ଆମେ ଦେଖିବା ଯେ କେଉଁ ପ୍ରକାର ବ୍ୟବହାରରୁ ସେ ନିଜ ସ୍ତ୍ରୀଙ୍କୁ ଆଦର ଦେଖାଉ ନ ଥିବେ ।

ନିଜ ବ୍ୟବହାରରୁ ନିଜ ସ୍ତ୍ରୀଙ୍କୁ ଅନାଦର କରନ୍ତୁ ନାହିଁ

୬. ଯେବେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ମାରପିଟ୍‌ କରନ୍ତି, ତେବେ ଯିହୋବାଙ୍କୁ କିପରି ଲାଗେ ? (କଲସୀୟ ୩:୧୯)

ମାରପିଟ୍‌ । ଯେଉଁମାନେ ମାରପିଟ୍‌ କରନ୍ତି ଯିହୋବା ସେମାନଙ୍କୁ ଘୃଣା କରନ୍ତି । (ଗୀତ. ୧୧:୫) ସେ ଏହା ଚାହାନ୍ତି ନାହିଁ ଯେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ସହିତ ଖରାପ ବ୍ୟବହାର କରନ୍ତୁ । (ମଲାଖି ୨:୧୬; କଲସୀୟ ୩:୧୯ ପଢ଼ନ୍ତୁ ।) ଏହି ଲେଖାର ମୁଖ୍ୟ ପଦ ୧ ପିତର ୩:୭ରୁ ଜଣାପଡ଼େ ଯେ ଯଦି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ସହିତ ଭଲ ବ୍ୟବହାର କରନ୍ତି ନାହିଁ, ତାହେଲେ ଯିହୋବାଙ୍କ ସହିତ ତାଙ୍କ ସମ୍ପର୍କ ଖରାପ ହୋଇପାରେ ଆଉ ହୁଏତ ଯିହୋବା ତାଙ୍କ ପ୍ରାର୍ଥନା ବି ଶୁଣିବେ ନାହିଁ ।

୭. ଏଫିସୀୟ ୪:୩୧, ୩୨ ପଦ ଅନୁସାରେ ଜଣେ ସ୍ୱାମୀଙ୍କୁ ନିଜ ସ୍ତ୍ରୀଙ୍କ ସହ କିପରି କଥା ହେବା ଉଚିତ୍‌ ନୁହେଁ ? (“ଏହାର ଅର୍ଥ କʼଣ ?” ମଧ୍ୟ ଦେଖନ୍ତୁ ।)

ପାଟିତୁଣ୍ଡ କରିବା କିମ୍ବା ଓଲଟା ସିଧା କଥା କହିବା । କିଛି ସ୍ୱାମୀ ରାଗରେ ଆସି ନିଜ ସ୍ତ୍ରୀଙ୍କୁ କିଛି ବି କହି ଦିଅନ୍ତି ଓ ପାଟିତୁଣ୍ଡ କରନ୍ତି । କିନ୍ତୁ ଯିହୋବା ‘ରାଗ, କ୍ରୋଧ, କଳହ [“ପାଟିତୁଣ୍ଡ କରିବା,” NWT] ଓ ନିନ୍ଦାକୁ’ c ବା ଗାଳିଗୁଲଜକୁ ଘୃଣା କରନ୍ତି । (ଏଫିସୀୟ ୪:୩୧, ୩୨ ପଢ଼ନ୍ତୁ ।) ଯିହୋବା ସବୁକିଛି ଶୁଣନ୍ତି । ଜଣେ ସ୍ୱାମୀ ଘରେ ନିଜ ସ୍ତ୍ରୀଙ୍କ ସହ କିପରି କଥା ହୁଅନ୍ତି, ଯିହୋବା ତାହା ବି ଧ୍ୟାନ ଦିଅନ୍ତି । ଯଦି ସେ ପାଟିତୁଣ୍ଡ କରନ୍ତି, ତାହେଲେ ସ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଖରାପ ହେବା ସହିତ ଯିହୋବାଙ୍କ ସହ ବି ସମ୍ପର୍କ ଭାଙ୍ଗିପାରେ ।—ଯାକୁ. ୧:୨୬.

୮. ଯେବେ କେହି ପର୍ନୋଗ୍ରାଫି ଦେଖନ୍ତି, ତେବେ ଯିହୋବାଙ୍କୁ କିପରି ଲାଗେ ଓ କାହିଁକି ?

ପର୍ନୋଗ୍ରାଫି ଦେଖିବା । ଯେବେ ଜଣେ ବ୍ୟକ୍ତି ଅଶ୍ଳୀଳ ଚିତ୍ର କିମ୍ବା ଭିଡିଓଗୁଡ଼ିକୁ ଦେଖନ୍ତି, ତେବେ ଯିହୋବାଙ୍କୁ କିପରି ଲାଗେ ? ସେ ଏସବୁକୁ ଘୃଣା କରନ୍ତି । ସେଥିପାଇଁ ଯେବେ ଜଣେ ସ୍ୱାମୀ ପର୍ନୋଗ୍ରାଫି ଦେଖନ୍ତି, ତେବେ ଯିହୋବାଙ୍କ ସହିତ ତାଙ୍କ ସମ୍ପର୍କ ଖରାପ ହେବା ସହିତ ସେ ନିଜ ସ୍ତ୍ରୀଙ୍କୁ ବି ଆଦର ଦେଖାନ୍ତି ନାହିଁ । d ଯିହୋବା ଚାହାନ୍ତି ଯେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କର ବିଶ୍ୱସ୍ତ ରହନ୍ତୁ । ଯେଉଁ ସ୍ୱାମୀ ବିଶ୍ୱସ୍ତ ରହନ୍ତି, ସେ ଅନ୍ୟ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବେ ନାହିଁ, ଏପରିକି ଏବିଷୟରେ ଭାବିବେ ବି ନାହିଁ । ଯୀଶୁ କହିଥିଲେ ଯେ ଯେଉଁ ଲୋକ କୌଣସି ସ୍ତ୍ରୀଙ୍କୁ ଖରାପ ଦୃଷ୍ଟିରେ ଦେଖନ୍ତି, “ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର” କରିସାରିଛନ୍ତି । eମାଥି. ୫:୨୮, ୨୯.

୯. ଯେବେ ଜଣେ ସ୍ୱାମୀ ଏପରି ଯୌନ ସମ୍ପର୍କ ରଖନ୍ତି ଯେଉଁଥିରୁ ସେ ନିଜ ସ୍ତ୍ରୀଙ୍କୁ ଆଦର ଦେଖାଉ ନ ଥିବେ, ତେବେ ଯିହୋବାଙ୍କୁ କିପରି ଲାଗେ ଏବଂ କାହିଁକି ?

ଏପରି ଯୌନ ସମ୍ପର୍କ ଯେଉଁଥିରୁ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଆଦର ଦେଖାଉ ନ ଥିବେ । କିଛି ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଏପରି ଯୌନ ସମ୍ପର୍କ ରଖିବା ପାଇଁ ଚାପ ପକାନ୍ତି, ଯେଉଁଥିରୁ ସ୍ତ୍ରୀଙ୍କର ବିବେକକୁ ଆଘାତ ପହଞ୍ଚେ ଓ ତାଙ୍କୁ ଲାଗେ ଯେ ତାଙ୍କ ସହିତ ବହୁତ ଖରାପ ବ୍ୟବହାର କରାଯାଉଛି । ଏପରି ସ୍ୱାମୀମାନେ କେବଳ ନିଜ ଇଚ୍ଛା ପୂରା କରିବା ପାଇଁ ଚାହାନ୍ତି । ସେମାନଙ୍କୁ ନିଜ ସ୍ତ୍ରୀଙ୍କର କୌଣସି ଚିନ୍ତା ନ ଥାଏ । ଯିହୋବା ଏପରି ବ୍ୟବହାରକୁ ଘୃଣା କରନ୍ତି । ସେ ଚାହାନ୍ତି ଯେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପ୍ରେମ କରନ୍ତୁ, ତାଙ୍କୁ ବହୁମୂଲ୍ୟ ଭାବନ୍ତୁ ଏବଂ ତାଙ୍କ ଭାବନାର ଆଦର କରନ୍ତୁ । (ଏଫି. ୫:୨୮, ୨୯) ଯଦି ଜଣେ ଖ୍ରୀଷ୍ଟିୟାନ ନିଜ ସ୍ତ୍ରୀଙ୍କୁ ଯୌନ ସମ୍ପର୍କ ରଖିବା ପାଇଁ ଚାପ ପକାନ୍ତି, ମାରପିଟ୍‌ କରନ୍ତି, ଓଲଟା ସିଧା କଥା କହନ୍ତି କିମ୍ବା ପର୍ନୋଗ୍ରାଫି ଦେଖନ୍ତି, ତେବେ ତାଙ୍କୁ କʼଣ କରିବା ଉଚିତ୍‌ ? ସେ ନିଜ କାମ ଓ ଚିନ୍ତାଧାରାକୁ କିପରି ବଦଳାଇପାରିବେ ?

ନିଜ ସ୍ତ୍ରୀଙ୍କ ସହ ଖରାପ ବ୍ୟବହାର କରିବା କିପରି ବନ୍ଦ କରିବେ ?

୧୦. ସ୍ୱାମୀମାନେ ଯୀଶୁଙ୍କଠାରୁ କʼଣ ଶିଖିପାରିବେ ?

୧୦ ଯଦି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ସହିତ ଖରାପ ବ୍ୟବହାର କରନ୍ତି କିମ୍ବା ତାଙ୍କୁ ଆଦର ଦେଖାନ୍ତି ନାହିଁ, ତେବେ ତାଙ୍କୁ ନିଜ ବ୍ୟବହାରରେ ପରିବର୍ତ୍ତନ କରିବା ଉଚିତ୍‌ । ତାʼପାଇଁ ସେ କʼଣ କରିପାରିବେ ? ସେମାନେ ଯୀଶୁଙ୍କ ଉଦାହରଣ ଉପରେ ଧ୍ୟାନ ଦେଇପାରିବେ । ଏହା ସତ ଯେ ଯୀଶୁ ବିବାହ କରି ନ ଥିଲେ, କିନ୍ତୁ ସେ ନିଜ ଶିଷ୍ୟମାନଙ୍କ ସହିତ ଯେପରି ବ୍ୟବହାର କଲେ, ସେଥିରୁ ସ୍ୱାମୀମାନେ ଶିଖିପାରିବେ ଯେ ସେମାନଙ୍କୁ ନିଜ ସ୍ତ୍ରୀଙ୍କ ସହିତ କିପରି ବ୍ୟବହାର କରିବା ଉଚିତ୍‌ । (ଏଫି. ୫:୨୫) ତାହେଲେ ଆସନ୍ତୁ ଦେଖିବା ଯେ ଯୀଶୁ ନିଜ ପ୍ରେରିତମାନଙ୍କ ସହିତ କିପରି ବ୍ୟବହାର କଲେ ଓ କିପରି କଥାବାର୍ତ୍ତା ହେଲେ ।

୧୧. ଯୀଶୁ ନିଜ ପ୍ରେରିତମାନଙ୍କ ସହ କିପରି ବ୍ୟବହାର କଲେ ?

୧୧ ଯୀଶୁ ସବୁବେଳେ ନିଜ ପ୍ରେରିତମାନଙ୍କ ସହ ପ୍ରେମ ଓ ଆଦରର ସହ ବ୍ୟବହାର କରୁଥିଲେ । ସେ କେବେ ବି ନିଜ ଶିଷ୍ୟମାନଙ୍କ ସହିତ କଠୋରତାର ସହ ବ୍ୟବହାର କଲେ ନାହିଁ । ଯୀଶୁ ସେମାନଙ୍କର ପ୍ରଭୁ ଓ ମାଲିକ ଥିଲେ, ତଥାପି ସେ କେବେ ବି ନିଷ୍ଠୁର ଭାବେ ନିଜ ଅଧିକାରର ଭୁଲ ବ୍ୟବହାର କଲେ ନାହିଁ, ବରଂ ସେ ନମ୍ର ହୋଇ ସେମାନଙ୍କ ସେବା କଲେ । (ଯୋହ. ୧୩:୧୨-୧୭) ସେ ନିଜ ଶିଷ୍ୟମାନଙ୍କୁ କହିଲେ, “ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ” ବା କୋମଳ ସ୍ୱଭାବର ଓ ‘ନମ୍ରଚିତ୍ତ ଆଉ ତୁମ୍ଭେମାନେ ବିଶ୍ରାମ ପାଇବ ।’ (ମାଥି. ୧୧:୨୮-୩୦) ଧ୍ୟାନ ଦିଅନ୍ତୁ, ଯୀଶୁ କୋମଳ ସ୍ୱଭାବର ଥିଲେ । କୋମଳ ସ୍ୱଭାବର ବ୍ୟକ୍ତି ହେବା କୌଣସି ଦୁର୍ବଳତା ନୁହେଁ । ଯିଏ କୋମଳ ସ୍ୱଭାବର ଥାʼନ୍ତି, ସେ ନିଜ ଉପରେ କାବୁ କରିପାରନ୍ତି । ତାଙ୍କୁ ରଗାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ନିଜକୁ କାବୁରେ ରଖିପାରନ୍ତି ଓ ଶାନ୍ତ ରହନ୍ତି ।

୧୨. ଯୀଶୁ ଲୋକମାନଙ୍କ ସହିତ କିପରି କଥାବାର୍ତ୍ତା ହେଉଥିଲେ ?

୧୨ ଯୀଶୁ ଲୋକମାନଙ୍କ ସହିତ ଯେପରି କଥାବାର୍ତ୍ତା ହେଉଥିଲେ, ସେଥିରୁ ସେମାନଙ୍କୁ ସାନ୍ତ୍ୱନା ଓ ସତେଜତା ମିଳୁଥିଲା । ସେ କେବେ ବି ନିଜ ଶିଷ୍ୟମାନଙ୍କୁ କଷ୍ଟ ପହଞ୍ଚାଇଲା ଭଳି କଥା କହିଲେ ନାହିଁ । (ଲୂକ ୮:୪୭, ୪୮) ଏପରିକି ଯେବେ ତାଙ୍କ ବିରୋଧୀମାନେ ତାଙ୍କୁ ଅପମାନ କଲେ ଓ ତାଙ୍କୁ ରଗାଇବା ପାଇଁ ଚେଷ୍ଟା କଲେ, ତେବେ ବି ସେ ‘ଫେରି ସେମାନଙ୍କୁ ନିନ୍ଦା କଲେ ନାହିଁ ।’ (୧ ପିତ. ୨:୨୧-୨୩) ଆଉ ଅନେକ ଥର ଯୀଶୁ ରାଗିକି ଉତ୍ତର ଦେବା ପରିବର୍ତ୍ତେ ଚୁପ୍‌ ରହିଲେ । (ମାଥି. ୨୭:୧୨-୧୪) ସତରେ, ସ୍ୱାମୀମାନଙ୍କ ପାଇଁ ଯୀଶୁ ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି !

୧୩. ଯେପରି ମାଥିଉ ୧୯:୪-୬ ପଦରେ କୁହାଯାଇଛି, ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ସହିତ କିପରି “ଆସକ୍ତ” ହୋଇ ରହିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ଯୀଶୁ ସ୍ୱାମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ନିଜ ସ୍ତ୍ରୀଙ୍କର ବିଶ୍ୱସ୍ତ ରହନ୍ତୁ । ସେ ନିଜ ପିତାଙ୍କ କଥା ଦୋହରାଇଲେ, ଯିଏ କହିଥିଲେ ଯେ ଜଣେ ସ୍ୱାମୀ ନିଜ ‘ସ୍ତ୍ରୀଠାରେ ଆସକ୍ତ ହେବା’ ଉଚିତ୍‌ । (ମାଥିଉ ୧୯:୪-୬ ପଢ଼ନ୍ତୁ ।) ଏଠାରେ ‘ଆସକ୍ତ ହେବା’ ପାଇଁ ଯେଉଁ ଗ୍ରୀକ୍‌ ଶବ୍ଦର ବ୍ୟବହାର ହୋଇଛି, ତାହାର ଶାବ୍ଦିକ ଅର୍ଥ ହେଉଛି, “ଲାଖି ରହିବା ।” ଏହାର ଅର୍ଥ ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ଦୃଢ଼ ହେବା ଉଚିତ୍‌, ଯେପରି ସେମାନେ ଦୁହେଁ ଅଠାରେ ଜଡ଼ି ହୋଇଯାଇଛନ୍ତି । ସେଥିପାଇଁ ଉଭୟଙ୍କ ମଧ୍ୟରୁ ଯଦି କେହି ଏପରି କିଛି କରନ୍ତି ଯେଉଁଥିରୁ ଅନ୍ୟ ଜଣଙ୍କୁ କ୍ଷତି ପହଞ୍ଚେ, ତାହେଲେ ଉଭୟଙ୍କୁ କଷ୍ଟ ପହଞ୍ଚିବ । ଯଦି ଜଣେ ସ୍ୱାମୀଙ୍କ ନିଜ ସ୍ତ୍ରୀଙ୍କ ସହିତ ଦୃଢ଼ ସମ୍ପର୍କ ଥିବ, ତେବେ ସେ ପର୍ନୋଗ୍ରାଫିଠାରୁ ଦୂରେଇ ରହିବେ । ସେ ତୁରନ୍ତ ‘ଅସାର ଦର୍ଶନରୁ ନିଜ ଚକ୍ଷୁ ଫେରାଇବେ ।’ (ଗୀତ. ୧୧୯:୩୭) ଦେଖିବାକୁ ଗଲେ ସେ ଯେପରି ନିଜ ଆଖି ସହ ଚୁକ୍ତି କରନ୍ତି ଯେ ସେ ନିଜ ସ୍ତ୍ରୀଙ୍କ ଛଡ଼ା ଅନ୍ୟ କୌଣସି ସ୍ତ୍ରୀଙ୍କୁ ଅନାଇବେ ନାହିଁ ।—ଆୟୁ. ୩୧:୧.

ଯେଉଁ ସ୍ୱାମୀ ନିଜ ସ୍ତ୍ରୀଙ୍କର ବିଶ୍ୱସ୍ତ ରହନ୍ତି, ସେ କେବେ ବି ଅଶ୍ଳୀଳ ଚିତ୍ରଗୁଡ଼ିକ ଦେଖିବେ ନାହିଁ (ପାରାଗ୍ରାଫ ୧୩)  g


୧୪. ଜଣେ ସ୍ୱାମୀଙ୍କୁ ଯିହୋବା ଓ ନିଜ ସ୍ତ୍ରୀଙ୍କ ସହ ସମ୍ପର୍କ ସୁଧାରିବା ପାଇଁ କେଉଁ କେଉଁ ପଦକ୍ଷେପ ନେବାକୁ ପଡ଼ିବ ?

୧୪ ଯଦି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ମାରପିଟ୍‌ କରନ୍ତି କିମ୍ବା ଓଲଟା ସିଧା କଥା କହନ୍ତି, ତେବେ ତାଙ୍କୁ ଯିହୋବା ଓ ନିଜ ସ୍ତ୍ରୀଙ୍କ ସହିତ ନିଜ ସମ୍ପର୍କକୁ ସୁଧାରିବା ପାଇଁ କିଛି ପଦକ୍ଷେପ ନେବାକୁ ପଡ଼ିବ । ସେହି ପଦକ୍ଷେପଗୁଡ଼ିକ କʼଣ ? ପ୍ରଥମ, ତାଙ୍କୁ ଅନୁଭବ ହେବା ଉଚିତ୍‌ ଯେ ସେ ଯାହା କରୁଛନ୍ତି ତାହା ପୂରାପୂରି ଭୁଲ । ତାଙ୍କୁ ଏହା ମନେ ରଖିବାକୁ ପଡ଼ିବ ଯେ ଯିହୋବା ସବୁକିଛି ଦେଖନ୍ତି । (ଗୀତ. ୪୪:୨୧; ଉପ. ୧୨:୧୪; ଏବ୍ରୀ ୪:୧୩) ଦ୍ୱିତୀୟ, ତାଙ୍କୁ ନିଜ ସ୍ତ୍ରୀଙ୍କ ସହ ଖରାପ ବ୍ୟବହାର କରିବା ବନ୍ଦ କରିବାକୁ ପଡ଼ିବ ଓ ନିଜ ବ୍ୟବହାରରେ ପରିବର୍ତ୍ତନ କରିବାକୁ ପଡ଼ିବ । (ହିତୋ. ୨୮:୧୩) ତୃତୀୟ, ସେ ଯାହା କରିଛନ୍ତି ତାʼପାଇଁ ତାଙ୍କୁ ଅବଶୋଷ ହେବା ଉଚିତ୍‌ ଓ ନିଜ ସ୍ତ୍ରୀଙ୍କୁ ଏବଂ ଯିହୋବାଙ୍କୁ କ୍ଷମା ମାଗିବା ଉଚିତ୍‌ । (ପ୍ରେରି. ୩:୧୯) ସେ ନିଜ ଭୁଲ ଚିନ୍ତାଧାରା, କଥାବାର୍ତ୍ତା ଓ ବ୍ୟବହାରରେ ପରିବର୍ତ୍ତନ କରିବାର ଇଚ୍ଛା ବଢ଼ାଇବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା ବି କରିବା ଉଚିତ୍‌ । (ଗୀତ. ୫୧:୧୦-୧୨; ୨ କରି. ୧୦:୫; ଫିଲିପ୍‌. ୨:୧୩) ଚତୁର୍ଥ, ତାଙ୍କୁ ନିଜ ପ୍ରାର୍ଥନା ଅନୁସାରେ କାମ କରିବାକୁ ପଡ଼ିବ, ଅର୍ଥାତ୍‌ ସବୁ ପ୍ରକାରର ହିଂସା ଓ ଗାଳିଗୁଲଜକୁ ଘୃଣା କରିବାକୁ ପଡ଼ିବ । (ଗୀତ. ୯୭:୧୦) ପଞ୍ଚମ, ତାଙ୍କୁ ଯେତେ ଶୀଘ୍ର ହୋଇପାରେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଏବିଷୟରେ ଜଣାଇବାକୁ ପଡ଼ିବ, ଯେଉଁମାନେ ତାଙ୍କୁ ପ୍ରେମର ସହ ସାହାଯ୍ୟ କରିପାରିବେ । (ଯାକୁ. ୫:୧୪-୧୬) ଷଷ୍ଠ, ତାଙ୍କୁ ଭାବିବାକୁ ହେବ ଯେ ସେ ଏପରି କʼଣ କରିପାରିବେ, ଯାହାଦ୍ୱାରା ସେ ଆଗକୁ ଯାଇ କୌଣସି ଭୁଲ ପଦକ୍ଷେପ ନ ନିଅନ୍ତୁ । ଯଦି ଜଣେ ସ୍ୱାମୀ ପର୍ନୋଗ୍ରାଫି ଦେଖନ୍ତି, ତାହେଲେ ତାଙ୍କୁ ମଧ୍ୟ ଏହି ଛଅଟି ପଦକ୍ଷେପ ନେବାକୁ ହେବ । ନିଜ ବ୍ୟବହାରରେ ପରିବର୍ତ୍ତନ କରିବା ପାଇଁ ସେ ଯାହା ବି ପରିଶ୍ରମ କରିବେ, ତାହା ଉପରେ ଯିହୋବା ଆଶିଷ ଦେବେ । (ଗୀତ. ୩୭:୫) ନିଜ ସ୍ତ୍ରୀଙ୍କୁ କେବଳ କଷ୍ଟ ପହଞ୍ଚାଉଥିବା ଭଳି ବ୍ୟବହାର ଛାଡ଼ିଦେବା ଯଥେଷ୍ଟ ନୁହଁ ବରଂ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଆଦର ମଧ୍ୟ କରିବା ଉଚିତ୍‌ । ସେ ଏହା କିପରି କରିପାରିବେ ?

ନିଜ ସ୍ତ୍ରୀଙ୍କୁ କିପରି ଆଦର କରିବେ ?

୧୫. ଜଣେ ସ୍ୱାମୀ କିପରି ନିଜ ସ୍ତ୍ରୀଙ୍କୁ ପ୍ରେମ ଦେଖାଇପାରିବେ ?

୧୫ ପ୍ରେମ ଦେଖାନ୍ତୁ । କିଛି ବିବାହିତ ଭାଇ ପ୍ରତିଦିନ ଏପରି କିଛି କରନ୍ତି, ଯେଉଁଥିରୁ ତାଙ୍କ ସ୍ତ୍ରୀଙ୍କୁ ଅନୁଭବ ହୁଏ ଯେ ସେ ତାଙ୍କୁ ବହୁତ ପ୍ରେମ କରନ୍ତି । (୧ ଯୋହ. ୩:୧୮) ଜଣେ ସ୍ୱାମୀ ଛୋଟ ଛୋଟ ଉପାୟରୁ ନିଜ ସ୍ତ୍ରୀଙ୍କୁ ପ୍ରେମ ଦେଖାଇପାରିବେ । ଯେପରି, ପ୍ରେମର ସହିତ ତାଙ୍କର ହାତ ଧରିପାରିବେ କିମ୍ବା ତାଙ୍କୁ ଆଲିଙ୍ଗନ କରିପାରିବେ । ସେ ତାଙ୍କୁ ମେସେଜ ବି ପଠାଇପାରିବେ, ଯେପରି ସେ ଲେଖିପାରିବେ, “ମୋତେ ତମର ଭାରି ମନେ ପଡ଼ୁଛି” କିମ୍ବା ପଚାରିପାରିବେ, “ତମେ ଠିକ୍‌ ଅଛ ତ ?” ବେଳେବେଳେ ସେ ଗୋଟିଏ କାର୍ଡରେ ପ୍ରେମଭରା ଶବ୍ଦ ଲେଖିକି ଦେଇପାରିବେ । ଏପରି କରି ସେ ତାଙ୍କୁ ଆଦର ଦେଖାଇବେ ଓ ସେମାନଙ୍କ ବିବାହ ବନ୍ଧନ ଦୃଢ଼ ହେବ ।

୧୬. ଜଣେ ସ୍ୱାମୀଙ୍କୁ ନିଜ ସ୍ତ୍ରୀଙ୍କୁ କାହିଁକି ପ୍ରଶଂସା କରିବା ଉଚିତ୍‌ ?

୧୬ କୃତଜ୍ଞତା ଦେଖାନ୍ତୁ । ଯଦି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଆଦର କରନ୍ତି, ତେବେ ସେ ତାଙ୍କୁ କହିବେ ଯେ ସେ ତାଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି ଏବଂ ତାଙ୍କର ଉତ୍ସାହ ମଧ୍ୟ ବଢ଼ାଇବେ । ଯେପରି, ତାଙ୍କ ସ୍ତ୍ରୀ ତାଙ୍କର ସାହାଯ୍ୟ କରିବା ପାଇଁ ଯାହା ବି କରନ୍ତି, ତାʼପାଇଁ ସେ ତାଙ୍କୁ କୃତଜ୍ଞତା ଦେଖାଇବେ । (କଲ. ୩:୧୫) ଯେବେ ଜଣେ ସ୍ୱାମୀ ହୃଦୟରୁ ନିଜ ସ୍ତ୍ରୀଙ୍କ ପ୍ରଶଂସା କରିବେ, ତେବେ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ଲାଗିବ । ସେ ଅନୁଭବ କରିବେ ଯେ ତାଙ୍କର ସ୍ୱାମୀ ତାଙ୍କର ଚିନ୍ତା କରନ୍ତି, ତାଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କର ଆଦର କରନ୍ତି ।—ହିତୋ. ୩୧:୨୮.

୧୭. ଜଣେ ସ୍ୱାମୀ କିପରି ନିଜ ସ୍ତ୍ରୀଙ୍କ ପାଇଁ ଆଦର ଦେଖାଇପାରିବେ ?

୧୭ ପ୍ରେମ ଓ ଆଦରର ସହ ବ୍ୟବହାର କରନ୍ତୁ । ଯେଉଁ ଲୋକ ନିଜ ସ୍ତ୍ରୀଙ୍କୁ ପ୍ରେମ କରନ୍ତି, ସେ ତାଙ୍କୁ ବହୁମୂଲ୍ୟ ଭାବନ୍ତି । ସେ ଏହା ମାନନ୍ତି ଯେ ତାଙ୍କ ସ୍ତ୍ରୀ ଯିହୋବାଙ୍କ ତରଫରୁ ମିଳିଥିବା ବଢ଼ିଆ ଉପହାର ଅଟନ୍ତି । (ହିତୋ. ୧୮:୨୨; ୩୧:୧୦) ସେଥିପାଇଁ ସେ ସବୁବେଳେ ନିଜ ସ୍ତ୍ରୀଙ୍କ ସହ ପ୍ରେମ ଓ ଆଦରର ସହ ବ୍ୟବହାର କରିବେ, ଏପରିକି ଯୌନ ସମ୍ପର୍କ ରଖିବା ସମୟରେ ବି । ସେ ନିଜ ସ୍ତ୍ରୀଙ୍କୁ ଏପରି କିଛି କରିବା ପାଇଁ ଚାପ ପକାଇବେ ନାହିଁ, ଯାହାଦ୍ୱାରା ତାଙ୍କର ସ୍ତ୍ରୀଙ୍କୁ ଖରାପ ଲାଗିବ କିମ୍ବା ତାଙ୍କର ବିବେକକୁ ଆଘାତ ପହଞ୍ଚିବ । f ସେ ଏହା ବି ଧ୍ୟାନ ରଖିବେ ଯେ ତାଙ୍କର ବି ବିବେକ ଶୁଦ୍ଧ ରହୁ ଓ ଯିହୋବାଙ୍କ ସହିତ ତାଙ୍କର ସମ୍ପର୍କ ଦୁର୍ବଳ ନ ହେଉ ।—ପ୍ରେରି. ୨୪:୧୬.

୧୮. ସ୍ୱାମୀମାନଙ୍କୁ କʼଣ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ? (“ ନିଜ ସ୍ତ୍ରୀଙ୍କୁ ଆଦର କରିବାର ଚାରୋଟି ଉପାୟ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୮ ସ୍ୱାମୀମାନେ, ଭରସା ରଖନ୍ତୁ ଯେ ଆପଣ ନିଜ ସ୍ତ୍ରୀଙ୍କୁ ଆଦର କରିବା ପାଇଁ ଯାହା ବି କରନ୍ତି, ତାହାକୁ ଯିହୋବା ଧ୍ୟାନ ଦିଅନ୍ତି ଓ ବହୁମୂଲ୍ୟ ଭାବନ୍ତି । ସେଥିପାଇଁ ଆପଣ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ନିଜ ସ୍ତ୍ରୀଙ୍କୁ ଅନାଦର କଲା ଭଳି କୌଣସି କାମ କରିବେ ନାହିଁ, ବରଂ ତାଙ୍କ ସହ ପ୍ରେମ ଓ ଆଦରର ସହିତ ବ୍ୟବହାର କରିବେ ଓ ତାଙ୍କୁ ପ୍ରେମ ଦେଖାଇବେ । ଯେବେ ଆପଣ ଏପରି କରିବେ, ତେବେ ଆପଣଙ୍କର ସ୍ତ୍ରୀଙ୍କୁ ଅନୁଭବ ହେବ ଯେ ଆପଣ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କୁ ବହୁମୂଲ୍ୟ ଭାବନ୍ତି । ତାହେଲେ ସ୍ୱାମୀମାନେ ନିଜ ସ୍ତ୍ରୀଙ୍କୁ ଆଦର କରନ୍ତୁ । ଏପରି କରିବା ଦ୍ୱାରା ସାରା ଦୁନିଆର ସୃଷ୍ଟିକର୍ତ୍ତା ଯିହୋବାଙ୍କ ସହିତ ଆପଣଙ୍କର ସମ୍ପର୍କ ବି ଭଲ ରହିବ ।—ଗୀତ. ୨୫:୧୪.

ଗୀତ ୧୩୧ “ଜିସେ ପରମେଶ୍ୱର ନେ ଏକ୍‌ ବନ୍ଧନ ମେଁ ବାନ୍ଧା”

a ସ୍ୱାମୀମାନେ, ଜାନୁୟାରୀ ୨୦୨୪ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ଭଉଣୀମାନଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ ?” ନିଶ୍ଚୟ ପଢ଼ନ୍ତୁ ।

b ଯଦି ଆପଣଙ୍କ ଜୀବନସାଥୀ ଆପଣଙ୍କ ସହିତ ଖରାପ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ “ଜବ୍‌ ପରିୱାର କା କୋଇ ଆପ୍‌ ପର୍‌ ଅତ୍ୟାଚାର୍‌ କରେ, ତୋ କ୍ୟା କରେଁ ?” ଲେଖା ପଢ଼ିବା ଦ୍ୱାରା ସାହାଯ୍ୟ ମିଳିପାରିବ । ଏହି ଲେଖା ଆପଣଙ୍କୁ jw.org ୱେବସାଇଟ୍‌ରେ ଏବଂ JW ଲାଇବ୍ରେରୀରେ “ଲେଖାଗୁଡ଼ିକର ସିରିଜ୍‌” ଭାଗରେ “ଆଉ କିଛି ବିଷୟରେ” ମିଳିବ ।

c ଏହାର ଅର୍ଥ କʼଣ ? ଏଠାରେ “ନିନ୍ଦା” ବା ଗାଳିଗୁଳଜ କରିବାର ଅର୍ଥ କେବଳ ଏହା ନୁହେଁ ଯେ କାହାରିକୁ ନୀଚ ଦେଖାଇବା ପାଇଁ ଖରାପ ଭାଷାରେ ଡାକିବା । ବରଂ କାହାରି ଅପମାନ କରିବା, ତାଙ୍କ ବିଷୟରେ ସବୁବେଳେ ଓଲଟା ସିଧା କଥା କହିବା, ଜାଣିଶୁଣି ତାଙ୍କୁ ଆଘାତ ପହଞ୍ଚାଇବା କିମ୍ବା ତାଙ୍କୁ ବଦନାମ କରିବା । ଏସବୁ କଥା ବି ଗାଳିଗୁଲଜରେ ସାମିଲ୍‌ ଅଛି ।

d jw.org ୱେବସାଇଟ୍‌ରେ ଏବଂ JW ଲାଇବ୍ରେରୀରେପର୍ନୋଗ୍ରାଫି ସେ ତବାହ୍‌ ହୋ ଶକ୍ତି ହୈ ଶାଦିଶୁଦା ଜିନ୍ଦଗୀ” ନାମକ ଲେଖା ପଢ଼ନ୍ତୁ ।

e ଯଦି ଜଣେ ସ୍ତ୍ରୀଙ୍କର ସ୍ୱାମୀ ପର୍ନୋଗ୍ରାଫି ଦେଖନ୍ତି, ତେବେ ତାଙ୍କୁ ଅଗଷ୍ଟ ୨୦୨୩ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ମୋ ଜୀବନ ସାଥୀ ପର୍ନୋଗ୍ରାଫି ଦେଖିଲେ, କʼଣ କରିବି ?” ପଢ଼ିବା ଦ୍ୱାରା ସାହାଯ୍ୟ ମିଳିପାରିବ ।

f ବାଇବଲରେ ଏହା ସ୍ପଷ୍ଟ ଭାବେ କୁହାଯାଇ ନାହିଁ ଯେ ଜଣେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେଉଁ ଭଳି ଯୌନ ସମ୍ପର୍କ ରଖିବା ଠିକ୍‌ କିମ୍ବା ଭୁଲ । ସେଥିପାଇଁ ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ନିଜେ ନିଷ୍ପତ୍ତି ନେବା ଉଚିତ୍‌ ଯେ ସେମାନେ ଏହି ମାମଲାରେ କʼଣ କରିବେ । କିନ୍ତୁ ସେମାନଙ୍କୁ ଧ୍ୟାନ ରଖିବା ଉଚିତ୍‌ ଯେ ସେମାନେ ଯାହା ବି କରିବେ, ସେଥିରୁ ଯିହୋବାଙ୍କର ଆଦର ହେଉ, ସେମାନଙ୍କୁ ଖୁସି ମିଳୁ ଏବଂ ସେମାନଙ୍କ ବିବେକ ଶୁଦ୍ଧ ରହୁ । ସାଧାରଣତଃ ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ଏହି ବିଷୟରେ ଅନ୍ୟମାନଙ୍କ ସହିତ କଥା ହେବା ଉଚିତ୍‌ ନୁହେଁ ।

g ଚିତ୍ର ବିଷୟରେ: ଜଣେ ଭାଇଙ୍କ ସହିତ କାମ କରୁଥିବା ଲୋକେ ତାଙ୍କୁ ଗୋଟିଏ ବହିରେ ଅଶ୍ଳୀଳ ଚିତ୍ରଗୁଡ଼ିକ ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି ।