इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୫

କ୍ଷମା କରନ୍ତୁ ଓ ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ

କ୍ଷମା କରନ୍ତୁ ଓ ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ

“ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର ।”—କଲ. ୩:୧୩.

ଗୀତ ୧୩୦ ମାଫ୍‌ କାରନା ଶିଖେଁ

ଲେଖାର ଝଲକ a

୧. ଯେଉଁମାନେ ହୃଦୟରୁ ପଶ୍ଚାତାପ କରନ୍ତି, ସେମାନଙ୍କୁ ଯିହୋବା କେଉଁ କଥାର ଭରସା କରାଇଛନ୍ତି ?

 ଯିହୋବା ଆମକୁ ସୃଷ୍ଟି କରିଛନ୍ତି, ସେ ବ୍ୟବସ୍ଥା ଦେଇଛନ୍ତି ଓ ସେ ସବୁଠୁ ଭଲ ନ୍ୟାୟୀ ଅଟନ୍ତି । (ଗୀତ. ୧୦୦:୩; ଯିଶା. ୩୩:୨୨) ତେଣୁ ତାଙ୍କ ପାଖରେ ଆମକୁ କ୍ଷମା କରିବାର ଅଧିକାର ଅଛି । କିନ୍ତୁ ସେ ଆମ ପିତା ମଧ୍ୟ ଅଟନ୍ତି ଓ ଆମକୁ ବହୁତ ପ୍ରେମ କରନ୍ତି । ତେଣୁ ଯେବେ ଆମେ କୌଣସି ଭୁଲ ପାଇଁ ହୃଦୟରୁ ପଶ୍ଚାତାପ କରିଥାଉ, ତେବେ ସେ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । (ଗୀତ. ୮୬:୫) ସେ ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କ ଜରିଆରେ ମଧ୍ୟ ଆମକୁ ଏହି କଥାର ଭରସା କରାଇଲେ । ସେ ଲେଖାଇଲେ, “ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ ।”—ଯିଶା. ୧:୧୮.

୨. ଯଦି ଆମେ ଅନ୍ୟମାନଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁ, ତାହେଲେ ଆମକୁ କʼଣ କରିବାକୁ ହେବ ?

ଆମେ ଅପରିପୂର୍ଣ୍ଣ ଅଟୁ, ତେଣୁ ଅନେକ ସମୟରେ ଏକଅନ୍ୟକୁ ଦୁଃଖ ପହଞ୍ଚାଉ । (ଯାକୁ. ୩:୨) ଯଦି କିଛି କଥାକୁ ନେଇ ଆମ ଭିତରେ ଭୁଲ ବୁଝାମଣା ହୋଇଯାଏ, ତାହେଲେ ଆମେ ଏକଅନ୍ୟକୁ କ୍ଷମା କରିଦେବା ଉଚିତ୍‌ । ଏଥିରୁ ସମସ୍ତଙ୍କ ସହିତ ଆମର ଏକ ଭଲ ସମ୍ପର୍କ ରହିବ । (ହିତୋ. ୧୭:୯; ୧୯:୧୧; ମାଥି. ୧୮:୨୧, ୨୨) ଯିହୋବା ମଧ୍ୟ ଚାହାନ୍ତି ଯେ ଆମେ ଅନ୍ୟମାନଙ୍କୁ କ୍ଷମା କରୁ । (କଲ. ୩:୧୩) ସେ ନିଜେ ମଧ୍ୟ ଏପରି ହିଁ କରନ୍ତି । ବାଇବଲରେ ଲେଖାଅଛି ଯେ ସେ ଆମକୁ ‘ବହୁଳ ରୂପରେ କ୍ଷମା କରନ୍ତି ।’—ଯିଶା. ୫୫:୭.

୩. ଏହି ଲେଖାରେ ଆମେ କʼଣ ଜାଣିବା ?

ଏହି ଲେଖାରେ ଆମେ ଜାଣିବା ଯେ ଯିହୋବା ଭଳି ଆମେ କିପରି ଅନ୍ୟମାନଙ୍କୁ କ୍ଷମା କରିପାରିବା । ଆମେ ଏହା ମଧ୍ୟ ଜାଣିବା ଯେ ଏପରି କେଉଁ କେଉଁ ପାପ ରହିଛି ଯେଉଁଗୁଡ଼ିକ ବିଷୟରେ ଆମକୁ ପ୍ରାଚୀନମାନଙ୍କୁ କହିବା ଉଚିତ୍‌ ଓ ଯିହୋବା କାହିଁକି ଚାହାନ୍ତି ଯେ ଆମକୁ ଅନ୍ୟମାନଙ୍କୁ କ୍ଷମା କରିବା ଉଚିତ୍‌ । ଆମେ କିଛି ଭାଇଭଉଣୀମାନଙ୍କ ବିଷୟରେ ବି ପଢ଼ିବା ଯେଉଁମାନେ ଅନ୍ୟମାନଙ୍କ ଯୋଗୁଁ ଦୁଃଖ ସହିଲେ, କିନ୍ତୁ ଆଗକୁ ଯାଇ ସେମାନଙ୍କୁ କ୍ଷମା କରିଦେଲେ । ସେମାନଙ୍କଠାରୁ ଆମେ ଶିଖିବା ଯେ ଅନ୍ୟମାନଙ୍କୁ କ୍ଷମା କଲେ ଆମକୁ କେଉଁ କେଉଁ ଆଶିଷ ମିଳିପାରେ ।

ଯଦି କେହି ଗମ୍ଭୀର ପାପ କରେ

୪. (କ) ଯଦି କେହି ଗମ୍ଭୀର ପାପ କରେ, ତାହେଲେ ତାକୁ କʼଣ କରିବା ଉଚିତ୍‌ ? (ଖ) ପ୍ରାଚୀନମାନଙ୍କୁ କʼଣ ନିଷ୍ପତ୍ତି ନେବାର ଦାୟିତ୍ୱ ଦିଆଯାଇଛି ?

ଯେବେ ଆମକୁ ଜଣାପଡ଼େ ଯେ କେହି ଗମ୍ଭୀର ପାପ କରିଛନ୍ତି, ତାହେଲେ ଆମକୁ ପ୍ରାଚୀନମାନଙ୍କୁ ସେବିଷୟରେ କହିବା ଉଚିତ୍‌ । ପ୍ରଥମ କରିନ୍ଥୀୟ ୬:୯, ୧୦ ପଦରେ ଏପରି ହିଁ କିଛି ପାପ ବିଷୟରେ କୁହାଯାଇଛି । ଯେତେବେଳେ ଜଣେ ବ୍ୟକ୍ତି କୌଣସି ଗମ୍ଭୀର ପାପ କରେ, ସେତେବେଳେ ସେ ଯିହୋବାଙ୍କ ବ୍ୟବସ୍ଥାର ଅନାଦର କରୁଥାଏ । ତେଣୁ ତାଙ୍କୁ ଯିହୋବାଙ୍କୁ ପ୍ରାର୍ଥନା କରି କ୍ଷମା ମାଗିବା ଉଚିତ୍‌ ଓ ସେବିଷୟରେ ପ୍ରାଚୀନମାନଙ୍କୁ କହିବା ଉଚିତ୍‌ । (ଗୀତ. ୩୨:୫; ଯାକୁ. ୫:୧୪) କʼଣ ପ୍ରାଚୀନମାନେ ଏପରି ବ୍ୟକ୍ତିକୁ କ୍ଷମା କରିପାରିବେ ? କେବଳ ଯିହୋବାଙ୍କ ପାଖରେ ହିଁ କାହାରି ପାପକୁ ପୂରାପୂରି କ୍ଷମା କରିବାର ଅଧିକାର ଅଛି ଓ ସେ ଏପରି ଯୀଶୁଙ୍କ ମୁକ୍ତିର ମୂଲ୍ୟ ଆଧାରରେ କରିଥାʼନ୍ତି । b କିନ୍ତୁ ଯିହୋବା ପ୍ରାଚୀନମାନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ଯେ ସେମାନେ ବାଇବଲର ସିଦ୍ଧାନ୍ତଗୁଡ଼ିକ ଆଧାରରେ ନିଷ୍ପତ୍ତି ନିଅନ୍ତୁ ଯେ ଯେଉଁ ବ୍ୟକ୍ତି ପାପ କରିଛି, ସେ ମଣ୍ଡଳୀରେ ରହିପାରିବ ନା ନାହିଁ । (୧ କରି. ୫:୧୨) ଏହି ନିଷ୍ପତ୍ତି ନେବା ସମୟରେ ପ୍ରାଚୀନମାନେ କିଛି କଥାକୁ ଧ୍ୟାନରେ ରଖନ୍ତି । ଯେପରି, କʼଣ ସେହି ବ୍ୟକ୍ତି ଜାଣିଶୁଣି ପାପ କରିଛି ? କʼଣ ସେ ତାକୁ ଲୁଚାଇବାକୁ ଚେଷ୍ଟା କଲା ? କʼଣ ସେ ଲମ୍ବା ସମୟରୁ ସେହି ପାପ କରିଆସୁଛି ? ପ୍ରାଚୀନମାନେ ବିଶେଷ କରି ଏହା ଦେଖିବେ: କʼଣ ସେ ସତରେ ପଶ୍ଚାତାପ କରିଛି ? ଆଉ କʼଣ ଏକଥାର କୌଣସି ପ୍ରମାଣ ଅଛି ଯେ ଯିହୋବା ତାକୁ କ୍ଷମା କରିଦେଇଛନ୍ତି ?—ପ୍ରେରି. ୩:୧୯.

୫. ଯେତେବେଳେ ପାପ କରିଥିବା ଜଣେ ବ୍ୟକ୍ତିକୁ ସୁଧାର କରାଯାଏ, ସେତେବେଳେ ସେଥିରୁ କʼଣ ଲାଭ ହୁଏ ?

ଯେତେବେଳେ ପ୍ରାଚୀନମାନେ ସେହି ବ୍ୟକ୍ତି ସହ ସାକ୍ଷାତ କରନ୍ତି ଯିଏ ପାପ କରିଛି, ସେତେବେଳେ ସେମାନେ ସେହି ନିଷ୍ପତ୍ତି ନେବା ପାଇଁ ଚେଷ୍ଟା କରନ୍ତି ଯାହା ସ୍ୱର୍ଗରେ ଯିହୋବା ନେଇଥିବେ । (ମାଥି. ୧୮:୧୮) ଯଦି ସେମାନେ ନିଷ୍ପତ୍ତି ନିଅନ୍ତି ଯେ ଏବେଠାରୁ ସେହି ବ୍ୟକ୍ତି ମଣ୍ଡଳୀରେ ରହିପାରିବ ନାହିଁ, ତାହେଲେ ଏଥିରୁ ମଣ୍ଡଳୀ ସୁରକ୍ଷିତ ରହେ ଓ ଅନ୍ୟମାନଙ୍କ ଉପରେ ତାʼର ଖରାପ ପ୍ରଭାବ ପଡ଼େନାହିଁ । (୧ କରି. ୫:୬, ୭, ୧୧-୧୩; ତୀତ. ୩:୧୦, ୧୧) ଏହି ନିଷ୍ପତ୍ତିରୁ ପାପ କରିଥିବା ବ୍ୟକ୍ତିର ମଧ୍ୟ ଲାଭ ହୋଇଥାଏ । ତାକୁ ପଶ୍ଚାତାପ କରିବା ପାଇଁ ଓ ଯିହୋବାଙ୍କ ପାଖକୁ ଫେରିଆସିବା ପାଇଁ ପ୍ରୋତ୍ସାହନ ମିଳେ । ଯେବେ ସେ ଏପରି କରିବ, ତେବେ ଯିହୋବା ତାକୁ କ୍ଷମା କରିଦେବେ । (ଲୂକ ୫:୩୨) ପ୍ରାଚୀନମାନେ ସେହି ବ୍ୟକ୍ତି ପାଇଁ ପ୍ରାର୍ଥନା ମଧ୍ୟ କରନ୍ତି ଯେ ଯିହୋବାଙ୍କ ସହିତ ତାଙ୍କ ସମ୍ପର୍କ ପୂର୍ବ ଭଳି ହୋଇଯାଉ ।—ଯାକୁ. ୫:୧୫.

୬. ଯଦି ଜଣେ ବ୍ୟକ୍ତିକୁ ବହିଷ୍କାର କରିଦିଆଯାଏ, କʼଣ ତେବେ ବି ଯିହୋବା ତାକୁ କ୍ଷମା କରିପାରିବେ ? ବୁଝାନ୍ତୁ ।

ଯଦି ପ୍ରାଚୀନମାନେ ଦେଖନ୍ତି ଯେ ଜଣେ ବ୍ୟକ୍ତିକୁ ନିଜ ଭୁଲ ପାଇଁ କୌଣସି ପଶ୍ଚାତାପ ନାହିଁ, ତାହେଲେ ତାକୁ ମଣ୍ଡଳୀରୁ ବହିଷ୍କାର କରିଦିଆଯାଏ । ଆଉ ଯଦି ସେ ଦେଶର କୌଣସି ନିୟମ ଭାଙ୍ଗିଛି, ତାହେଲେ ପ୍ରାଚୀନମାନେ ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତି ନାହିଁ । ଯିହୋବା ସରକାରଗୁଡ଼ିକୁ ଏହି ଅଧିକାର ଦେଇଛନ୍ତି ଯେ ଯଦି କେହି ଦେଶର ନିୟମ ଭାଙ୍ଗେ, ତାହେଲେ ସେମାନେ ତାକୁ ଦଣ୍ଡ ଦେବେ, ଏପରିକି ସେହି ବ୍ୟକ୍ତି ପଶ୍ଚାତାପ କରିଥାଉ ବା ନ କରିଥାଉ । (ରୋମୀ. ୧୩:୪) କିନ୍ତୁ ଯଦି ପରେ ସେହି ବ୍ୟକ୍ତିକୁ ନିଜ ଭୁଲ ଜଣାପଡ଼େ ଓ ସେ ପଶ୍ଚାତାପ କରି ନିଜ ଭିତରେ ପରିବର୍ତ୍ତନ କରେ, ତାହେଲେ ଯିହୋବା ତାକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । (ଲୂକ ୧୫:୧୭-୨୪) ଏପରିକି ଯଦି ସେହି ବ୍ୟକ୍ତି ଗମ୍ଭୀର ପାପ କରିଛି, ତାହେଲେ ବି ଯିହୋବା ତାକୁ କ୍ଷମା କରିପାରନ୍ତି ।—୨ ବଂଶା. ୩୩:୯, ୧୨, ୧୩; ୧ ତୀମ. ୧:୧୫.

୭. ଯଦି କେହି ଆମ ବିରୁଦ୍ଧରେ ପାପ କରେ, ତାହେଲେ ଆମେ କʼଣ କରିପାରିବା ?

ଆମେ ଏହା ଭାବି ଚିନ୍ତା କରିବା ଉଚିତ୍‌ ନୁହେଁ ଯେ ଜଣେ ବ୍ୟକ୍ତିର ପାପ କ୍ଷମା କରାଯିବ ନା ନାହିଁ । କାରଣ ଏହା ଯିହୋବାଙ୍କ ହାତରେ ଅଛି । ତାହେଲେ କʼଣ ଏହାର ଅର୍ଥ ଆମକୁ କିଛି କରିବାର ନାହିଁ ? ହୁଏତ ଜଣେ ବ୍ୟକ୍ତି ଆମକୁ କଷ୍ଟ ପହଞ୍ଚାଏ କିମ୍ବା ଆମ ବିରୁଦ୍ଧରେ କୌଣସି ଗମ୍ଭୀର ପାପ କରେ । ସେ ଆମକୁ କ୍ଷମା ମାଗୁ ବା ନ ମାଗୁ, ଆମେ ନିଜ ଆଡ଼ୁ ତାକୁ କ୍ଷମା କରିପାରିବା । ଏହା ଆମ ହାତରେ ଅଛି ଯେ ଆମେ ନିଜ ମନରେ ତାʼପାଇଁ ରାଗ ରଖିବା ନା ତାକୁ କ୍ଷମା କରିଦେବା । ସେକଥାକୁ ଭୁଲିବା ପାଇଁ ଓ ନିଜ ମନରୁ ରାଗ ବାହାର କରିବା ପାଇଁ ସମୟ ଲାଗିପାରେ । ଏବିଷୟରେ ୧୫ ସେପ୍ଟେମ୍ବର, ୧୯୯୪ର ଇଂରାଜୀ ପ୍ରହରୀଦୁର୍ଗରେ ମଧ୍ୟ କୁହାଯାଇଥିଲା । ସେଠାରେ ଲେଖାଥିଲା, “ଯେତେବେଳେ ଆମେ କାହାରିକୁ କ୍ଷମା କରୁ, ସେତେବେଳେ ତାʼଅର୍ଥ ଏହା ନୁହେଁ ଯେ ଆମେ ତାʼ ପାପକୁ ସାମାନ୍ୟ କଥା ମନେକରୁ, ବରଂ ଆମେ ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ିଦେଉ । ଆମେ ଭରସା ରଖୁ ଯେ ଯିହୋବା ସବୁଠାରୁ ଭଲ ନ୍ୟାୟୀ ଅଟନ୍ତି ଓ ସେ ଠିକ୍‌ ସମୟରେ ସବୁକିଛି ଠିକ୍‌ କରିଦେବେ ।” କିନ୍ତୁ ଯିହୋବା କାହିଁକି ଚାହାନ୍ତି ଯେ ଆମେ ନିଜ ଆଡ଼ୁ ଅନ୍ୟମାନଙ୍କୁ କ୍ଷମା କରୁ ଓ ନ୍ୟାୟ କରିବାର କାମକୁ ତାଙ୍କ ହାତରେ ଛାଡ଼ିଦେଉ ?

ଅନ୍ୟମାନଙ୍କୁ କାହିଁକି କ୍ଷମା କରିବା ?

୮. ଆମେ କାହିଁକି ଅନ୍ୟମାନଙ୍କୁ କ୍ଷମା କରିବା ଉଚିତ୍‌ ?

ଅନ୍ୟମାନଙ୍କୁ କ୍ଷମା କରି ଆମେ ଦେଖାଉ ଯେ ଆମେ ଯିହୋବାଙ୍କର କୃତଜ୍ଞ ଅଟୁ । ଥରେ ଯୀଶୁ ଗୋଟିଏ କାହାଣୀ ଶୁଣାଇଲେ । ଜଣେ ରାଜା ନିଜର ଜଣେ ଦାସର ବହୁତ ବଡ଼ ଋଣ କ୍ଷମା କରିଦେଲେ, କାରଣ ସେ ତାହାକୁ ସୁଝିପାରୁ ନ ଥିଲା । କିନ୍ତୁ ସେହି ଦାସ ଅନ୍ୟ ଜଣେ ଦାସର ଛୋଟ ଋଣକୁ ମଧ୍ୟ କ୍ଷମା କଲାନାହିଁ । (ମାଥି. ୧୮:୨୩-୩୫) ଏହି କାହାଣୀରୁ ଆମେ କʼଣ ଶିଖୁ ? ଯିହୋବା ସେହି ରାଜା ଭଳି ଅଟନ୍ତି ଓ ସେ ହୃଦୟରୁ ଆମକୁ କ୍ଷମା କରନ୍ତି । ଯଦି ଆମେ ତାଙ୍କର କୃତଜ୍ଞ ଅଟୁ, ତାହେଲେ ଆମେ ମଧ୍ୟ ଅନ୍ୟମାନଙ୍କ ପାପକୁ କ୍ଷମା କରିବା ଉଚିତ୍‌ । (ଗୀତ. ୧୦୩:୯) ଅନେକ ବର୍ଷ ପୂର୍ବରୁ ଗୋଟିଏ ପ୍ରହରୀଦୁର୍ଗରେ ବହୁତ ଭଲ କଥା ଲେଖାଥିଲା: “ଯୀଶୁଙ୍କ ମୁକ୍ତିର ମୂଲ୍ୟର ଆଧାରରେ ଯିହୋବା ସବୁବେଳେ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । ତେଣୁ ଆମେ ଅନ୍ୟମାନଙ୍କୁ ଯେତେଥର ବି କ୍ଷମା କରିଥାଉ ନା କାହିଁକି, ଆମେ କେବେ ବି ଯିହୋବାଙ୍କ ବରାବର ହୋଇପାରିବା ନାହିଁ ।”

୯. ଯିହୋବା କାହାକୁ କ୍ଷମା କରନ୍ତି ? (ମାଥିଉ ୬:୧୪, ୧୫)

କ୍ଷମା କରୁଥିବା ବ୍ୟକ୍ତିକୁ କ୍ଷମା କରାଯିବ । ଯଦି ଆମେ ଅନ୍ୟମାନଙ୍କ ଉପରେ ଦୟା କରିବା ଓ ସେମାନଙ୍କୁ କ୍ଷମା କରିବା, ତାହେଲେ ଯିହୋବା ଆମକୁ ମଧ୍ୟ କ୍ଷମା କରିବେ । (ମାଥି. ୫:୭; ଯାକୁ. ୨:୧୩) ଯୀଶୁ ମଧ୍ୟ ନିଜ ଶିଷ୍ୟମାନଙ୍କୁ ଏହି କଥା ଶିଖାଇଥିଲେ । (ମାଥିଉ ୬:୧୪, ୧୫ ପଢ଼ନ୍ତୁ ।) ଆଉ କʼଣ ଆପଣଙ୍କୁ ଆୟୁବଙ୍କ ଘଟଣା ମନେ ଅଛି ? ଯେତେବେଳେ ତାଙ୍କର ତିନି ସାଙ୍ଗ ଇଲୀଫସ୍‌, ବିଲ୍‌ଦଦ୍‌ ଓ ସୋଫର ତାଙ୍କୁ ଭେଟିବାକୁ ଆସିଲେ, ସେତେବେଳେ ସେମାନେ ତାଙ୍କୁ ଅନେକ ଖରାପ କଥା କହି ଦୁଃଖ ପହଞ୍ଚାଇଲେ । କିନ୍ତୁ ତାʼପରେ ଯିହୋବା ଆୟୁବଙ୍କୁ କହିଲେ ଯେ ସେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଯେତେବେଳେ ଆୟୁବ ଏପରି କଲେ ଓ ସେମାନଙ୍କୁ କ୍ଷମା କରିଦେଲେ, ସେତେବେଳେ ଯିହୋବା ତାଙ୍କୁ ଆଶିଷ ଦେଲେ ।—ଆୟୁ. ୪୨:୮-୧୦.

୧୦. ରାଗ ରଖିଲେ କʼଣ କ୍ଷତି ହୋଇପାରେ ? (ଏଫିସୀୟ ୪:୩୧, ୩୨)

୧୦ ରାଗ ରଖିଲେ ଆମର ହିଁ କ୍ଷତି ହୋଇଥାଏ । ଯଦି ଆମେ କାହା ପାଇଁ ନିଜ ମନରେ ରାଗ ରଖିଛୁ, ତାହେଲେ ଏହା ଏପରି ହେବ ଯେପରି ଆମେ ନିଜ ହୃଦୟରେ ଏକ ଭାରି ବୋଝ ରଖିଛୁ । (ଏଫିସୀୟ ୪:୩୧, ୩୨ ପଢ଼ନ୍ତୁ ।) ତେଣୁ ଯିହୋବା ଆମକୁ କହନ୍ତି, “କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର ।” (ଗୀତ. ୩୭:୮) ଏହା କେତେ ବଢ଼ିଆ ପରାମର୍ଶ ଅଟେ ! ଯଦି ଆମେ ମନେ ମନେ ରାଗୁଥିବା, ତାହେଲେ ଏହା ଏପରି ହେବ ଯେପରି ଆମେ ବିଷ ପିଇଚାଲୁଛୁ । ଏଥିରୁ ଆମର ହିଁ କ୍ଷତି ହେବ । ଆମେ ଚିନ୍ତିତ ରହିବାକୁ ଲାଗିବା ଓ ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । (ହିତୋ. ୧୪:୩୦) କିନ୍ତୁ ଯଦି ଆମେ ଅନ୍ୟମାନଙ୍କୁ କ୍ଷମା କରିବା, ତାହେଲେ ଏଥିରୁ ଆମର ହିଁ ଲାଭ ହେବ । (ହିତୋ. ୧୧:୧୭) ଆମକୁ ମନର ଶାନ୍ତି ମିଳିବ ଓ ଆମ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଏପରି ଭାବେ ଆମେ ଖୁସିରେ ରହିପାରିବା ଓ ଯିହୋବାଙ୍କ ସେବା ଭଲଭାବେ କରିପାରିବା ।

୧୧. ଆମେ କାହିଁକି ପ୍ରତିଶୋଧ ନେବା ଉଚିତ୍‌ ନୁହେଁ ? (ରୋମୀୟ ୧୨:୧୯-୨୧)

୧୧ ପ୍ରତିଶୋଧ ନେବା ଯିହୋବାଙ୍କର କାମ ଅଟେ । ଯିହୋବା ଆମକୁ ଏହି ଅଧିକାର ଦେଇନାହାନ୍ତି ଯେ ଆମେ କାହାରିଠାରୁ ପ୍ରତିଶୋଧ ନେବା କିମ୍ବା ତାକୁ ଦଣ୍ଡ ଦେବା । (ରୋମୀୟ ୧୨:୧୯-୨୧ ପଢ଼ନ୍ତୁ ।) ଆମେ ଅପରିପୂର୍ଣ୍ଣ ଅଟୁ ଓ ଆମକୁ ସବୁବେଳେ ମାମଲାର ସବୁକଥା ଜଣା ନ ଥାଏ । ତେଣୁ ଆମେ ଯିହୋବାଙ୍କ ଭଳି ସଠିକ୍‌ ନ୍ୟାୟ କରିପାରିବା ନାହିଁ । (ଏବ୍ରୀ ୪:୧୩) କିମ୍ବା ବେଳେବେଳେ ଆମେ ଅନ୍ୟମାନଙ୍କୁ ଏତେ ରାଗିଯାଇଥାଉ ଯେ ଆମେ ଭାବନାରେ ବହିଯାଇ ନିଷ୍ପତ୍ତି ନେଇଯାଉ । ତେଣୁ ଯିହୋବା ଯାକୁବଙ୍କ ଜରିଆରେ ଲେଖାଇଲେ, “ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ ।” (ଯାକୁ. ୧:୨୦) ତେଣୁ ପ୍ରତିଶୋଧ ନେବା ପରିବର୍ତ୍ତେ, ଆମେ ଭରସା ରଖିବା ଉଚିତ୍‌ ଯେ ସମୟ ଆସିଲେ ଯିହୋବା ଆମ ପାଇଁ ନ୍ୟାୟ କରିବେ ।

ରାଗ ରଖନ୍ତୁ ନାହିଁ । ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ି ଦିଅନ୍ତୁ , ସେ ସବୁ ହାନିର କ୍ଷତିପୂରଣ କରିଦେବେ (ପାରାଗ୍ରାଫ ୧୨)

୧୨. ଆମେ କିପରି ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ଉପରେ ପୂରା ଭରସା ଅଛି ?

୧୨ କ୍ଷମା କରି ଆମେ ଦେଖାଉ ଯେ ଆମକୁ ପୂରା ଭରସା ଅଛି ଯେ ଯିହୋବା ଆମ ପାଇଁ ନ୍ୟାୟ କରିବେ । ଯଦି ଆମେ ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ିଦେଉ, ତାହେଲେ ଆମେ ଦେଖାଉ ଯେ ଆମକୁ ପୂରା ଭରସା ଅଛି ଯେ ସେ ସବୁକିଛି ଠିକ୍‌ କରିଦେବେ । ସେ ପ୍ରତିଜ୍ଞା କରିଛନ୍ତି ଯେ ନୂଆ ଦୁନିଆରେ ଆମକୁ ଖରାପ ସ୍ମୃତିଗୁଡ଼ିକ କଷ୍ଟ ପହଞ୍ଚାଇବ ନାହିଁ, ‘କିଅବା ସେଗୁଡ଼ିକ ମନରେ ପଡ଼ିବ ନାହିଁ ।’ (ଯିଶା. ୬୫:୧୭) ଏହା ସତ ଯେ ଅନ୍ୟମାନଙ୍କୁ କ୍ଷମା କରିବା ସବୁବେଳେ ସହଜ ହୋଇ ନ ଥାଏ, ବିଶେଷ କରି ଯଦି କେହି ଆମକୁ ବହୁତ ଦୁଃଖ ପହଞ୍ଚାଇଥାଏ । କିନ୍ତୁ ଆମେ ଏପରି କରିପାରିବା ! ଆସନ୍ତୁ କିଛି ଭାଇଭଉଣୀମାନଙ୍କଠାରୁ ଶିଖିବା ଯେଉଁମାନେ ଏପରି ହିଁ କଲେ ।

କ୍ଷମା କଲେ ଆଶିଷ ମିଳେ

୧୩-୧୪. କ୍ଷମା କରିବା ବିଷୟରେ ଆପଣ ଟୋନୀଠାରୁ କʼଣ ଶିଖିଲେ ?

୧୩ ଆମର ଅନେକ ଭାଇଭଉଣୀମାନେ ଏପରି ଲୋକମାନଙ୍କୁ ମଧ୍ୟ କ୍ଷମା କରିଦେଲେ, ଯେଉଁମାନେ ସେମାନଙ୍କୁ ବହୁତ ଦୁଃଖ ପହଞ୍ଚାଇଥିଲେ । ଏପରି କରିବା ଯୋଗୁଁ ସେମାନଙ୍କୁ କʼଣ କʼଣ ଆଶିଷ ମିଳିଲା ।

୧୪ ଟୋନୀ c ଫିଲିପିନ୍‌ସରେ ରହେ । ଯିହୋବାଙ୍କ ସାକ୍ଷୀ ହେବା ପୂର୍ବରୁ ସେ ବହୁତ ରାଗି ଲୋକ ଥିଲା ଓ କଥା କଥାରେ ମାରପିଟ୍‌ କରୁଥିଲା । ଦିନେ ତାକୁ ଜଣାପଡ଼ିଲା ଯେ ହୋଜେ ନାମକ ଜଣେ ବ୍ୟକ୍ତି ତାʼ ବଡ଼ ଭାଇର ହତ୍ୟା କରିଦେଇଛି । ଏହା ଶୁଣି ଟୋନୀ ବହୁତ ରାଗିଗଲା ଓ ପ୍ରତିଶୋଧ ନେବା ପାଇଁ ଚାହୁଁଥିଲା । କିନ୍ତୁ ହୋଜେକୁ ଜେଲ୍‌ଦଣ୍ଡ ହୋଇଗଲା । କିଛି ସମୟ ପରେ ଯେତେବେଳେ ତାକୁ ଜେଲ୍‌ରୁ ଛାଡ଼ି ଦିଆଗଲା, ସେତେବେଳେ ଟୋନୀ ଭାବି ନେଇଥିଲା ଯେ ସେ ତାକୁ ଛାଡ଼ିବନାହିଁ । ଟୋନୀ ତାକୁ ମାରିବା ପାଇଁ ବନ୍ଧୁକ ମଧ୍ୟ କିଣିକି ରଖିଥିଲା । କିନ୍ତୁ ପରେ ସେ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ଅଧ୍ୟୟନ କରିବାକୁ ଲାଗିଲା । ସେ କହେ, “ଅଧ୍ୟୟନ କରି ମୁଁ ଶିଖିଲି ଯେ ମୋତେ ନିଜକୁ ବଦଳାଇବାକୁ ପଡ଼ିବ, ମୋତେ ନିଜ ରାଗ ଉପରେ ନିୟନ୍ତ୍ରଣ କରିବାକୁ ପଡ଼ିବ ।” କିଛି ସମୟ ପରେ ଟୋନୀ ବାପ୍ତିସ୍ମ ନେଲା ଓ ଆଗକୁ ଯାଇ ଜଣେ ପ୍ରାଚୀନ ହୋଇଗଲା । ତାʼପରେ ଦିନେ ତାକୁ ଜଣାପଡ଼ିଲା ଯେ ହୋଜେ ମଧ୍ୟ ଯିହୋବାଙ୍କ ସାକ୍ଷୀ ହୋଇଯାଇଛି । ଯେବେ ସେମାନେ ଦୁହେଁ ଭେଟ ହେଲେ, ତେବେ ସେମାନେ ପରସ୍ପରକୁ କୁଣ୍ଢାଇ ପକାଇଲେ, ଆଉ ଟୋନୀ ତାକୁ କହେ ସେ ତାକୁ କ୍ଷମା କରିଦେଇଛି । ତାʼପରେ ପରିଣାମ କʼଣ ହେଲା । ଟୋନୀ କହେ ଯେ ହୋଜେକୁ କ୍ଷମା କରି ତାକୁ ବହୁତ ଖୁସି ଓ ଶାନ୍ତି ମିଳିଲା । ସତରେ ଯେବେ ଆମେ କାହାରିକୁ କ୍ଷମା କରୁ, ତେବେ ଆମକୁ ଯିହୋବାଙ୍କଠାରୁ ଅନେକ ଆଶିଷ ମିଳେ !

ପିଟର ଓ ସୁଙ୍କଠାରୁ ଆମେ ଶିଖୁ ଯେ ଆମେ ହୃଦୟରୁ ରାଗ ବାହାର କରିପାରିବା ! (ପାରାଗ୍ରାଫ ୧୫-୧୬)

୧୫-୧୬. କ୍ଷମା କରିବା ବିଷୟରେ ଆପଣ ଭାଇ ପିଟର ଓ ଭଉଣୀ ସୁଙ୍କଠାରୁ କʼଣ ଶିଖିଲେ ?

୧୫ ଏବେ ଟିକେ ଭାଇ ପିଟର ଓ ଭଉଣୀ ସୁଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ଏହା ୧୯୮୫ ମସିହାର ଘଟଣା ଅଟେ । ସେମାନେ ରାଜ୍ୟଘରେ ଥିଲେ ଓ ସଭା ଚାଲୁଥିଲା । ହଠାତ୍‌ ସେଠାରେ ଗୋଟିଏ ଜୋରଦାର୍‌ ବିସ୍ଫୋରଣ ହେଲା । ଜଣେ ବ୍ୟକ୍ତି ରାଜ୍ୟଘରେ ବମ୍‌ ରଖିଦେଇଥିଲା । ଭଉଣୀ ସୁଙ୍କୁ ଏଥିରୁ ବହୁତ ଆଘାତ ଲାଗିଲା । ତେଣୁ ସେ ଆଜି ମଧ୍ୟ ଭଲଭାବରେ ଦେଖିପାରନ୍ତି ନାହିଁ ଓ ଶୁଣିପାରନ୍ତି ନାହିଁ । ତାଙ୍କର ଶୁଙ୍ଘିବାର ଶକ୍ତି ମଧ୍ୟ ଚାଲିଗଲା ।  d ସେମାନେ ଦୁହେଁ ଅନେକ ସମୟରେ ସେହି ଦିନ ବିଷୟରେ ମନେପକାଇ ଭାବୁଥିଲେ, ‘ଜଣେ ବ୍ୟକ୍ତି ଏପରି କରିବା ପାଇଁ କିପରି ଭାବିପାରେ ?’ କିଛି ବର୍ଷ ପରେ ସେହି ବ୍ୟକ୍ତିକୁ ଗିରଫ କରାଗଲା ଓ ତାକୁ ଆଜୀବନ କାରାଦଣ୍ଡ ଦିଆଗଲା । ଯେବେ ସେମାନଙ୍କୁ ପଚରାଗଲା ଯେ କʼଣ ସେମାନେ ସେହି ବ୍ୟକ୍ତିକୁ କ୍ଷମା କରିଦେଇଛନ୍ତି, ତେବେ ସେମାନେ କହିଲେ, “ଯିହୋବା ଚାହାନ୍ତି ନାହିଁ ଯେ ଆମେ କାହାରି ପାଇଁ ରାଗ ରଖୁ, କାରଣ ଏଥିରୁ ଆମର ହିଁ କ୍ଷତି ହେବ । ଆମେ ଚିନ୍ତିତ ରହିବାକୁ ଲାଗିବା, ଆମ ଖୁସି ଚାଲିଯିବ ଓ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିପାରେ । ତେଣୁ ସେହି ଘଟଣାର କିଛି ସମୟ ପରେ ସେମାନେ ସବୁବେଳେ ସେବିଷୟରେ ନ ଭାବିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ ।”

୧୬ କʼଣ ସେମାନଙ୍କ ପାଇଁ ସେହି ବ୍ୟକ୍ତିକୁ କ୍ଷମା କରିବା ସହଜ ଥିଲା ? ନୁହଁ । ସେମାନେ କହନ୍ତି, “ବେଳେବେଳେ ଯେବେ ସୁଙ୍କୁ ନିଜ ଆଘାତ ଯୋଗୁଁ କଷ୍ଟ ହୁଏ, ତେବେ ସେମାନଙ୍କୁ ସେହି ସବୁ ପୁରୁଣା କଥା ମନେ ପଡ଼ିଯାଏ ଓ ଆମକୁ ବହୁତ ରାଗ ଲାଗେ । କିନ୍ତୁ ଆମେ ସବୁବେଳେ ସେ ବିଷୟରେ ହିଁ ଭାବୁ ନ ଥାଉ । ତେଣୁ ଆମ ମନ ଶାନ୍ତ ହୋଇଯାଏ । ସତ କହିବାକୁ ଗଲେ ଯଦି ଆଗକୁ ସେହି ବ୍ୟକ୍ତି ଆମର ଭାଇ ହୋଇଯାଏ, ତାହେଲେ ଆମେ ଖୁସିର ସହ ତାʼର ସ୍ୱାଗତ କରିବା । ଏସବୁରୁ ଆମେ ଶିଖିଲୁ ଯେ ବାଇବଲ ସିଦ୍ଧାନ୍ତଗୁଡ଼ିକ ମାନିଲେ ଆମେ ନିଜ ଖରାପ ସ୍ମୃତିଗୁଡ଼ିକୁ ଭୁଲିପାରିବା ଓ ନିଜ ଜୀବନ ଖୁସିରେ ଜୀଇଁପାରିବା । ଆମକୁ ଏହା ଭାବି ମଧ୍ୟ ବହୁତ ସାହସ ମିଳେ ଯେ ଆମକୁ ଯେଉଁ ହାନି ହୋଇଛି, ତାହା ଯିହୋବା ଖୁବ୍‌ ଶୀଘ୍ର କ୍ଷତିପୂରଣ କରିଦେବେ ।”

୧୭. କ୍ଷମା କରିବା ବିଷୟରେ ଆପଣ ମାଏରାଠାରୁ କʼଣ ଶିଖିଲେ ?

୧୭ ମାଏରାର ଅନୁଭୂତି ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । ସତ୍ୟ ବିଷୟରେ ଜାଣିବା ପୂର୍ବରୁ ହିଁ ତାʼର ବିବାହ ହୋଇସାରିଥିଲା ଓ ତାʼର ଦୁଇଟି ଛୋଟ ଛୋଟ ପିଲା ଥିଲେ । କିନ୍ତୁ ତାʼ ସ୍ୱାମୀ ସତ୍ୟକୁ ଆପଣାଇଲା ନାହିଁ । କିଛି ସମୟ ପରେ ସେ ତାକୁ ଧୋକା ଦେଲା ଓ ସେମାନଙ୍କୁ ଛାଡ଼ି ଚାଲିଗଲା । ମାଏରା କହେ, ‘ଯେବେ ମୋ ସ୍ୱାମୀ ମୋତେ ଛାଡ଼ି ଚାଲିଗଲେ, ସେତେବେଳେ ମୋତେ ବହୁତ ବଡ଼ ଧକ୍କା ଲାଗିଲା । ମୋତେ ବିଶ୍ୱାସ ହେଉ ନ ଥିଲା ଯେ ମୋ ସହିତ ଏପରି ହୋଇଛି । ବେଳେବେଳେ ମୋତେ ବହୁତ ରାଗ ଲାଗୁଥିଲା ଓ ମୁଁ ନିଜକୁ ହିଁ ଦୋଷ ଦେଉଥିଲି । ମୁଁ କହିପାରିବି ନାହିଁ ଯେ ମୋତେ କେତେ ଦୁଃଖ ହେଉଥିଲା ।’ ଏହା ସତ ଯେ ସେମାନଙ୍କ ବିବାହ ଭାଙ୍ଗି ଯାଇଥିଲା, କିନ୍ତୁ ସେ କଷ୍ଟ ଏବେ ବି ତାଙ୍କ ହୃଦୟରେ ଥିଲା । ମାଏରା ଏହା ମଧ୍ୟ କହେ, “ଅନେକ ମାସ ପର୍ଯ୍ୟନ୍ତ ମୋତେ ତାହା କଷ୍ଟ ଦେଉଥିଲା । କିନ୍ତୁ ପରେ ମୁଁ ବୁଝିପାରିଲି ଯେ ଏହା ଯୋଗୁଁ ଯିହୋବା ଓ ଅନ୍ୟମାନଙ୍କ ସହ ମୋ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡ଼ୁଛି ।” ଏବେ ମାଏରାଙ୍କ ହୃଦୟରେ ନିଜ ସ୍ୱାମୀଙ୍କ ପାଇଁ ଆଉ ରାଗ ନାହିଁ, ବରଂ ସେ ଆଶା ରଖେ ଯେ ହୁଏତ ସେ ମଧ୍ୟ ଦିନେ ଯିହୋବାଙ୍କ ବିଷୟରେ ଶିଖିବେ । ତାକୁ ଭରସା ଅଛି ଯେ ଦିନେ ଯିହୋବା ସବୁକିଛି ଠିକ୍‌ କରିଦେବେ । ମାଏରା ଏକୁଟିଆ ହିଁ ନିଜର ଦୁଇଜଣ ପିଲାମାନଙ୍କର ଲାଳନପାଳନ କଲେ ଓ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇଲେ । ଆଜି ସେ ବହୁତ ଖୁସି ଅଛନ୍ତି । ସେ ନିଜର ଦୁଇ ପିଲା ଓ ସେମାନଙ୍କ ପରିବାର ସହ ମିଶି ଯିହୋବାଙ୍କର ସେବା କରୁଛନ୍ତି ।

ଯିହୋବାଙ୍କ ଭଳି ବଢ଼ିଆ ନ୍ୟାୟୀ ଆଉ କେହି ନାହାନ୍ତି

୧୮. ଆମେ କେଉଁ କଥାର ଭରସା ରଖିପାରିବା ?

୧୮ ଏହା ଜାଣି ଆମକୁ କେତେ ସାନ୍ତ୍ୱନା ମିଳେ ଯେ ମଣିଷମାନଙ୍କ ନ୍ୟାୟ କରିବା ଆମ କାମ ନୁହେଁ । ଯିହୋବା ସବୁଠାରୁ ଭଲ ନ୍ୟାୟୀ ଅଟନ୍ତି ଓ ସେ ଆମ ସମସ୍ତଙ୍କର ନ୍ୟାୟ କରିବେ । (ରୋମୀ. ୧୪:୧୦-୧୨) ଯିହୋବାଙ୍କର ସ୍ତର କେବେ ବି ବଦଳେ ନାହିଁ । ତେଣୁ ଆମେ ଭରସା ରଖିପାରିବା ଯେ ସେ ସଠିକ୍‌ ନ୍ୟାୟ କରିବେ । (ଆଦି. ୧୮:୨୫; ୧ ରାଜା. ୮:୩୨) ସେ କେବେ ବି କାହାରି ସହ ଅନ୍ୟାୟ କରିବେ ନାହିଁ ।

୧୯. ଭବିଷ୍ୟତରେ ଯିହୋବା କʼଣ କରିବେ ?

୧୯ ଆଜି ସବୁ ମଣିଷ ଅପରିପୂର୍ଣ୍ଣ ଅଟନ୍ତି ଓ ଅନେକ ଥର ଏପରି କାମ କରନ୍ତି, ଯେଉଁଥିରୁ ଅନ୍ୟମାନଙ୍କୁ କଷ୍ଟ ପହଞ୍ଚେ କିମ୍ବା ସେମାନଙ୍କର କ୍ଷତି ହୁଏ । କିନ୍ତୁ ଆମେ ସେସମୟର ଉତ୍ସାହର ସହ ଅପେକ୍ଷା କରିଛୁ ଯେବେ ଯିହୋବା ସବୁକିଛି ଠିକ୍‌ କରିଦେବେ । ସେତେବେଳେ ଆମ ଶରୀର ଓ ହୃଦୟରେ ଲାଗିଥିବା ସବୁ ଆଘାତ ଠିକ୍‌ ହୋଇଯିବ ଓ ଆମକୁ କୌଣସି ବି ଖରାପ ସ୍ମୃତି ଆଉ କଷ୍ଟ ଦେବ ନାହିଁ । (ଗୀତ. ୭୨:୧୨-୧୪; ପ୍ରକା. ୨୧:୩, ୪) କିନ୍ତୁ ଯେବେଯାଏ ସେସମୟ ଆସିନାହିଁ, ଆସନ୍ତୁ ଆମେ ସମସ୍ତେ ଯିହୋବାଙ୍କ ଭଳି ପରସ୍ପରକୁ କ୍ଷମା କରିବା ଜାରି ରଖିବା ।

ଗୀତ ୧୮ ଫିରୌତୀ କେ ଲିଏ ଏହସାନମନ୍ଦ

a ଯିହୋବା ସେହି ଲୋକମାନଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି, ଯେଉଁମାନେ ହୃଦୟରୁ ପଶ୍ଚାତାପ କରନ୍ତି । ଯିହୋବାଙ୍କ ଭଳି ଆମେ ମଧ୍ୟ ସେମାନଙ୍କୁ କ୍ଷମା କରିବା ଉଚିତ୍‌ ଯେଉଁମାନେ ଆମକୁ ଦୁଃଖ ପହଞ୍ଚାନ୍ତି । କିଛି ପାପ ଏପରି ହୋଇଥାଏ ଯାହାକୁ ଆମେ ନିଜେ କ୍ଷମା କରିପାରିବା । କିନ୍ତୁ କିଛି ପାପ ଏପରି ହୋଇଥାଏ, ଯାହା ବିଷୟରେ ଆମକୁ ପ୍ରାଚୀନମାନଙ୍କୁ କହିବା ଉଚିତ୍‌ । ଏହି ଲେଖାରେ ଆମେ ସେବିଷୟରେ ଅଧିକ ଜାଣିବା । ଆମେ ଏହା ମଧ୍ୟ ଜାଣିବା ଯେ ଯିହୋବା କାହିଁକି ଚାହାନ୍ତି ଯେ ଆମେ ପରସ୍ପରକୁ କ୍ଷମା କରୁ ଓ ଏପରି କଲେ ଆମକୁ କʼଣ କʼଣ ଆଶିଷ ମିଳିବ ।

b ୧୫ ଏପ୍ରିଲ୍‌, ୧୯୯୬ର ପ୍ରହରୀଦୁର୍ଗରେ (ହିନ୍ଦୀ) ଦିଆଯାଇଥିବା ଲେଖା “ପାଠକମାନଙ୍କ ପ୍ରଶ୍ନ” ପଢ଼ନ୍ତୁ ।

c କିଛି ନାମ ବଦଳାଇ ଦିଆଯାଇଛି ।

d ୮ ଜାନୁୟାରୀ, ୧୯୯୨ର ଇଂରାଜୀ ସଜାଗ ହୁଅର ୯-୧୩ ପୃଷ୍ଠାରେ ଦିଆଯାଇଥିବା ଲେଖା ପଢ଼ନ୍ତୁ । JW ବ୍ରୋଡ୍‌କାଷ୍ଟିଙ୍ଗ୍‌ରେ ଶୁଲ୍‌ସ: ଦୁଃଖରୁ ବାହାରିପାରିବେ ନାମକ ଭିଡିଓ ମଧ୍ୟ ଦେଖନ୍ତୁ ।