इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୫

ପ୍ରାଚୀନମାନେ​—ଗିଦିୟୋନ୍‌ଙ୍କ ଉଦାହରଣରୁ ଶିଖନ୍ତୁ

ପ୍ରାଚୀନମାନେ​—ଗିଦିୟୋନ୍‌ଙ୍କ ଉଦାହରଣରୁ ଶିଖନ୍ତୁ

“ଗିଦିୟୋନ୍‌, . . . ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ ।”—ଏବ୍ରୀ ୧୧:୩୨.

ଗୀତ ୧୨୪ ହମ୍‌ ନିଭାଏଙ୍ଗେ ୱଫା

ଲେଖାର ଝଲକ a

୧. ୧ ପିତର ୫:୨ ପଦ ଅନୁସାରେ ପ୍ରାଚୀନମାନଙ୍କୁ କେଉଁ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ?

 ପ୍ରାଚୀନମାନଙ୍କୁ ଯିହୋବା ନିଜ ବହୁମୂଲ୍ୟ ମେଷମାନଙ୍କୁ ଦେଖାଶୁଣା କରିବାର ଦାୟିତ୍ୱ ଦେଇଛନ୍ତି । ପ୍ରାଚୀନମାନେ ମଧ୍ୟ ଏକଥା ପାଇଁ ବହୁତ କୃତଜ୍ଞ ମନେକରନ୍ତି ଯେ ଯିହୋବା ସେମାନଙ୍କ ଉପରେ ଏତେ ଭରସା କରିଛନ୍ତି । ଆଉ ସେମାନେ ନିଜ ଦାୟିତ୍ୱ ଭଲଭାବେ ତୁଲାଇବା ପାଇଁ କଠିନ ପରିଶ୍ରମ କରନ୍ତି । ସେମାନଙ୍କ ପୂରା ଚେଷ୍ଟା ଥାଏ ଯେ ସେମାନେ “ପାଳକଗଣ” ଭାବେ ଈଶ୍ୱରଙ୍କ ମେଷମାନଙ୍କ “ପ୍ରତିପାଳନ” କରନ୍ତୁ । (ଯିରି. ୨୩:୪; ୧ ପିତର ୫:୨ ପଢ଼ନ୍ତୁ ।) ଆମେ ବହୁତ କୃତଜ୍ଞ ଯେ ଯିହୋବା ମଣ୍ଡଳୀରେ ଏପରି ଭାଇମାନଙ୍କୁ ନିଯୁକ୍ତ କରିଛନ୍ତି ।

୨. କିଛି ପ୍ରାଚୀନମାନଙ୍କୁ କେଉଁ କେଉଁ ସମସ୍ୟାର ସାମନା କରିବାକୁ ପଡ଼େ ?

ପ୍ରାଚୀନମାନଙ୍କୁ ନିଜ ଦାୟିତ୍ୱଗୁଡ଼ିକ ତୁଲାଇବା ସମୟରେ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ । ଯେପରି, ସେମାନଙ୍କୁ ମଣ୍ଡଳୀରେ ବହୁତଗୁଡ଼ିଏ କାମ କରିବାର ଥାଏ । ଆମେରିକାରେ ରହୁଥିବା ଜଣେ ପ୍ରାଚୀନ, ଟୋନି ଶିଖିଲେ ଯେ ଯେବେ ତାଙ୍କୁ ଅଧିକ କାମ ଦିଆଯାଏ, ତେବେ ତାଙ୍କୁ ମନେରଖିବାର ଅଛି ଯେ ସେ କେତେ କରିପାରିବେ । ସେ କହିଲେ, “ଯେବେ କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେଲା, ତେବେ ମଣ୍ଡଳୀରେ ସଭା ଚଳାଇବା ଓ ପ୍ରଚାର କାମର ବ୍ୟବସ୍ଥା କରିବା ପାଇଁ ମୁଁ ଆହୁରି ଅଧିକ କାମ କରିବା ପାଇଁ ଚେଷ୍ଟା କରୁଥିଲି । କିନ୍ତୁ ମୁଁ ଯେତେ ବି ଚେଷ୍ଟା କରେ, କିଛି ନା କିଛି ଆହୁରି କାମ ଆସିଯାଉଥିଲା । ତାʼପରେ ଥରେ ଏପରି ସମୟ ଆସିଲା ଯେବେ ମୋତେ ବାଇବଲ ପଢ଼ିବା, ବ୍ୟକ୍ତିଗତ ଅଧ୍ୟୟନ କରିବା ଓ ପ୍ରାର୍ଥନା କରିବା ପାଇଁ ସମୟ ହିଁ ରହୁ ନ ଥିଲା ।” କୋସୋୱାରେ ରହୁଥିବା ଜଣେ ପ୍ରାଚୀନ, ଈଲିରଙ୍କୁ ଗୋଟିଏ ଅନ୍ୟ ପ୍ରକାରର ସମସ୍ୟାର ସାମନା କରିବାକୁ ପଡ଼ିଲା । ଯେବେ ସେ ଏପରି ଜାଗାରେ ରହୁଥିଲେ, ଯେଉଁଠି ଯୁଦ୍ଧ ହେଉଥିଲା ତେବେ ସଙ୍ଗଠନର ନିର୍ଦ୍ଦେଶ ମାନିବା ତାଙ୍କୁ ବହୁତ କଠିନ ଲାଗିଲା । ସେ କହନ୍ତି, “ଶାଖା କାର୍ଯ୍ୟାଳୟ ମୋତେ ଏପରି ଜାଗାରେ ଯାଇ ଭାଇଭଉଣୀମାନଙ୍କ ସାହାଯ୍ୟ କରିବା ପାଇଁ କହିଲା, ଯେଉଁଠି ଯିବା ବହୁତ ବିପଦପୂର୍ଣ୍ଣ ଥିଲା । ମୁଁ ଜାଣିଥିଲି ଯେ ମୋତେ ସାହସର ସହ କାମ କରିବାର ଅଛି, କିନ୍ତୁ ମୋତେ ବହୁତ ଡର ଲାଗୁଥିଲା ଓ ସଙ୍ଗଠନ ଯେଉଁ ନିର୍ଦ୍ଦେଶ ଦେଇଥିଲା, ତାହା ମୋତେ ଠିକ୍‌ ଲାଗୁ ନ ଥିଲା ।” ଆଉ ଏସିଆରେ ରହୁଥିବା ଜଣେ ମିଶନାରୀ, ଟିମ୍‌ଙ୍କୁ ପ୍ରତିଦିନ ବହୁତଗୁଡ଼ିଏ କାମ କରିବାକୁ ପଡ଼ୁଥିଲା ଓ ଏସବୁ ସମ୍ଭାଳିବା ତାଙ୍କ ପାଇଁ ବହୁତ କଠିନ ଥିଲା । ସେ କହନ୍ତି, “ବେଳେବେଳେ ମୁଁ ବହୁତ ଥକି ଯାଉଥିଲି । ଏପରି ଲାଗୁଥିଲା ଯେ ଏବେ ମୁଁ ଭାଇଭଉଣୀମାନଙ୍କୁ ଆଉ ସାହାଯ୍ୟ କରିପାରିବିନି ।” ଆଜି ଯେଉଁ ପ୍ରାଚୀନମାନେ ଏପରି ସମସ୍ୟାଗୁଡ଼ିକର ସାମନା କରୁଛନ୍ତି, ସେମାନଙ୍କୁ କିପରି ସାହଯ୍ୟ ମିଳିପାରିବ ?

୩. ଆମେ ସମସ୍ତେ ଗିଦିୟୋନ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଦ୍ୱାରା କʼଣ ଶିଖିପାରିବା ?

ଆଜି ପ୍ରାଚୀନମାନେ ଗିଦିୟୋନ୍‌ଙ୍କଠାରୁ ବହୁତ କିଛି ଶିଖିପାରିବେ, ଯାହାଙ୍କୁ ପ୍ରାଚୀନ ସମୟରେ ଯିହୋବା ବିଚାରକର୍ତ୍ତା ଭାବେ ନିଯୁକ୍ତ କରିଥିଲେ । (ଏବ୍ରୀ ୬:୧୨; ୧୧:୩୨) ସେ କଠିନ ସମୟରେ ଈଶ୍ୱରଙ୍କ ଲୋକମାନଙ୍କର ସୁରକ୍ଷା କରିବା ଓ ପାଳକଗଣ ଭାବେ ଦେଖାଶୁଣା କରିବାର ଦାୟିତ୍ୱ ତୁଲାଇଲେ । (ବିଚା. ୨:୧୬; ୧ ବଂଶା. ୧୭:୬) ସେହିପରି ପ୍ରାଚୀନମାନଙ୍କୁ ମଧ୍ୟ କଠିନ ସମୟରେ ଈଶ୍ୱରଙ୍କ ଲୋକମାନଙ୍କ ଦେଖାଶୁଣା କରିବାର ଦାୟିତ୍ୱ ଦିଆଯାଇଛି । (ପ୍ରେରି. ୨୦:୨୮; ୨ ତୀମ. ୩:୧) ଗିଦିୟୋନ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଦ୍ୱାରା ପ୍ରାଚୀନମାନେ ଶିଖିପାରିବେ ଯେ ସେମାନେ କିପରି ନମ୍ର ଓ ମର୍ଯ୍ୟାଦାରେ ରହିପାରିବେ, ସବୁବେଳେ ଈଶ୍ୱରଙ୍କ ଆଜ୍ଞା ପାଳନ କରିପାରିବେ ଓ ଯେବେ ସେମାନଙ୍କୁ ଲାଗେ ଯେ ସେମାନଙ୍କ ଦ୍ୱାରା ଆଉ ହୋଇପାରିବନି, ତେବେ ବି ସେମାନଙ୍କୁ ଅଟଳ ରହିବାର ଅଛି । ଆଉ ଯେଉଁମାନେ ପ୍ରାଚୀନ ନୁହନ୍ତି, ସେମାନେ ମଧ୍ୟ ଗିଦିୟୋନ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦେଇ ପ୍ରାଚୀନମାନଙ୍କ କଠିନ ପରିଶ୍ରମ ପାଇଁ ଆହୁରି କୃତଜ୍ଞ ମନେ କରିପାରିବେ ଓ ସେମାନଙ୍କୁ ପୂରା ପୂରା ସହଯୋଗ ଦେଇପାରିବେ ।—ଏବ୍ରୀ ୧୩:୧୭.

ଯେବେ ମର୍ଯ୍ୟାଦାରେ ରହିବା ଓ ନମ୍ର ହେବା କଠିନ ଲାଗେ

୪. କିପରି ଜଣାପଡ଼େ ଯେ ଗିଦିୟୋନ୍‌ ମର୍ଯ୍ୟାଦାରେ ରହୁଥିଲେ ଓ ନମ୍ର ଥିଲେ ?

ଗିଦିୟୋନ୍‌ ମର୍ଯ୍ୟାଦାରେ ରହୁଥିଲେ ଓ ନମ୍ର ଥିଲେ । b ଥରେ ଯିହୋବାଙ୍କ ସ୍ୱର୍ଗଦୂତ ଗିଦିୟୋନ୍‌ଙ୍କୁ କହିଲେ ଯେ ଯିହୋବା ତାଙ୍କୁ ଇସ୍ରାଏଲୀୟମାନଙ୍କୁ ମିଦୀୟନୀୟମାନଙ୍କ ହାତରୁ ରକ୍ଷା କରିବା ପାଇଁ ବାଛିଛନ୍ତି । ତେବେ ଗିଦିୟୋନ୍‌ କହିଲେ, “ମନଃଶି (ବଂଶ) ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋʼ ପିତୃଗୃହ ମଧ୍ୟରେ ମୁଁ ସବୁଠୁଁ କନିଷ୍ଠ ।” (ବିଚା. ୬:୧୫) ଗିଦିୟୋନ୍‌ଙ୍କୁ ଲାଗିଲା ଯେ ସେ ଏତେ ବଡ଼ ଦାୟିତ୍ୱ ତୁଲାଇ ପାରିବେନି, କିନ୍ତୁ ଯିହୋବା ଜାଣିଥିଲେ ଯେ ସେ ଏହା କରିପାରିବେ । ଆଉ ଯିହୋବାଙ୍କ ସାହାଯ୍ୟରେ ଗିଦିୟୋନ୍‌ ସେହି ଦାୟିତ୍ୱକୁ ଭଲଭାବେ ତୁଲାଇଲେ ।

୫. ଜଣେ ପ୍ରାଚୀନଙ୍କ ପାଇଁ ମର୍ଯ୍ୟାଦାରେ ରହିବା ଓ ନମ୍ର ହେବା କେବେ କଠିନ ଲାଗିପାରେ ?

ପ୍ରାଚୀନମାନଙ୍କ ପୂରା ଚେଷ୍ଟା ଥାଏ ଯେ ସେମାନେ ମର୍ଯ୍ୟାଦାରେ ରହନ୍ତୁ ଓ ନମ୍ର ହୁଅନ୍ତୁ । (ମୀଖା ୬:୮; ପ୍ରେରି. ୨୦:୧୮, ୧୯) ସେମାନେ ନିଜ ଦକ୍ଷତା ଓ କାମଗୁଡ଼ିକୁ ନେଇ ଦେଖେଇ ହୁଅନ୍ତିନି । ଆଉ ଯଦି ସେମାନଙ୍କ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ସେମାନେ ଏପରି ଭାବନ୍ତିନି ଯେ ସେମାନେ କୌଣସି କାମର ଯୋଗ୍ୟ ନୁହଁନ୍ତି । କିନ୍ତୁ ପ୍ରାଚୀନମାନଙ୍କ ପାଇଁ ନମ୍ର ହେବା ଓ ମର୍ଯ୍ୟାଦାରେ ରହିବା ସବୁବେଳେ ସହଜ ହୋଇ ନ ଥାଏ । ଯେପରି ହୋଇପାରେ, ଜଣେ ଭାଇ ଅନେକ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ହୋଇଯିବେ, କିନ୍ତୁ ପରେ ତାଙ୍କୁ ତାହା ପୂରା କରିବା କଠିନ ଲାଗିପାରେ । କିମ୍ବା ହୋଇପାରେ, ସେ କୌଣସି କାମ ଭଲଭାବେ କରିପାରନ୍ତିନି, ତେଣୁ ଲୋକମାନେ ତାଙ୍କ କାମରେ ଦୁର୍ବଳତାଗୁଡ଼ିକ କାଢ଼ିବେ । କିମ୍ବା ହୋଇପାରେ, କୌଣସି ଦାୟିତ୍ୱକୁ ଭଲଭାବେ ତୁଲାଇବା ଯୋଗୁଁ ଭାଇଭଉଣୀମାନେ ତାଙ୍କ ପ୍ରଶଂସା କରିବେ । ଏପରି ସମୟରେ ପ୍ରାଚୀନମାନେ ଗିଦିୟୋନ୍‌ଙ୍କ ଉଦାହରଣରୁ କʼଣ ଶିଖିପାରିବେ ?

ଗିଦିୟୋନ୍‌ଙ୍କ ଭଳି ପ୍ରାଚୀନମାନେ ଅନ୍ୟମାନଙ୍କର ସାହାଯ୍ୟ ନେବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ, ଯେପରି କାର୍ଟ ଲଗାଇ ସାକ୍ଷ୍ୟ ଦେବାର ବ୍ୟବସ୍ଥା କରିବା ପାଇଁ (ପାରାଗ୍ରାଫ ୬)

୬. ମର୍ଯ୍ୟାଦାରେ ରହିବା ବିଷୟରେ ପ୍ରାଚୀନମାନେ ଗିଦିୟୋନ୍‌ଙ୍କ ଉଦାହରଣରୁ କʼଣ ଶିଖିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଅନ୍ୟମାନଙ୍କ ସାହାଯ୍ୟ ନିଅନ୍ତୁ । ଯେଉଁ ବ୍ୟକ୍ତି ମର୍ଯ୍ୟାଦାରେ ରହେ, ସେ ଜାଣେ ଯେ ସେ କʼଣ କରିପାରିବ ଓ କʼଣ ନୁହେଁ । ଗିଦିୟୋନ୍‌ ବି ଜାଣିଥିଲେ ଯେ ସେ ଏକୁଟିଆ ସବୁକିଛି କରିପାରିବେନି, ତେଣୁ ସେ ଅନ୍ୟମାନଙ୍କ ସାହାଯ୍ୟ ନେବା ପାଇଁ ପଛଘୁଞ୍ଚା ଦେଲେନି । (ବିଚା. ୬:୨୭, ୩୫; ୭:୨୪) ପ୍ରାଚୀନମାନେ ବି ଏକଥା ବୁଝନ୍ତି ଯେ ସେମାନେ ସବୁକିଛି ଏକୁଟିଆ ସମ୍ଭାଳିପାରିବେନି, ତେଣୁ ଆବଶ୍ୟକ ସମୟରେ ସେମାନେ ବିନା ସଙ୍କୋଚରେ ଅନ୍ୟମାନଙ୍କ ସାହାଯ୍ୟ ନିଅନ୍ତି । ଭାଇ ଟୋନି ଯାହାଙ୍କ ବିଷୟରେ ପୂର୍ବେ ଚର୍ଚ୍ଚା କରାଯାଇଥିଲା, କହନ୍ତି, “ଯେପରି ଭାବେ ମୋର ଲାଳନପାଳନ ହୋଇଥିଲା, ତାʼଯୋଗୁଁ ପ୍ରାୟ ଏପରି ହେଉଥିଲା ଯେ ମୁଁ ଯେତେ କରିପାରିବି, ତାʼଠାରୁ ଅଧିକ ହିଁ କାମ ନେଉଥିଲି । ତେଣୁ ଆମେ ନିଜ ପାରିବାରିକ ଉପାସନାରେ ମର୍ଯ୍ୟାଦାରେ ରହିବା ବିଷୟରେ ଅଧ୍ୟୟନ କଲୁ ଓ ମୁଁ ନିଜ ସ୍ତ୍ରୀଙ୍କୁ ବି ପଚାରିଲି ଯେ ମୋତେ କେଉଁଠି ସୁଧାର କରିବାର ଆବଶ୍ୟକ ଅଛି । ମୁଁ jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ ୟିଶୁ କି ତରହ୍‌ ଦୁଶରୋଁ କୋ ଶିଖାଇଏ, ଉନ୍‌ ପର୍‌ ଭରୋସା କିଜିଏ ଔର ଉନହେଁ ଜିମ୍ମେଦାରୀ ଦିଜିଏ ମଧ୍ୟ ଦେଖିଲି ।” ତାʼପରେ ଭାଇ ଟୋନି ଅନ୍ୟମାନଙ୍କ ସାହାଯ୍ୟ ନେଲେ । ତାʼର ପରିଣାମ କʼଣ ହେଲା ? ଭାଇ କହନ୍ତି, “ଏବେ ମଣ୍ଡଳୀରେ ସବୁ କାମ ଭଲଭାବେ ହୋଇଯାଏ ଓ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ମୋ ପାଖରେ ବହୁତ ସମୟ ବି ରହେ ।”

୭. ଯଦି କେହି ପ୍ରାଚୀନମାନଙ୍କ ଦୁର୍ବଳତାଗୁଡ଼ିକ ବିଷୟରେ କହେ, ତେବେ ସେମାନେ ଗିଦିୟୋନ୍‌ଙ୍କ ଭଳି କିପରି ହୋଇପାରିବେ ? (ଯାକୁବ ୩:୧୩)

ଯେବେ ଆପଣଙ୍କ ଦୁର୍ବଳତାଗୁଡ଼ିକ ବିଷୟରେ କୁହାଯାଏ, ତେବେ ନମ୍ରତାର ସହ ଉତ୍ତର ଦିଅନ୍ତୁ । ଯେବେ କେହି ପ୍ରାଚୀନମାନଙ୍କୁ ତାଙ୍କ ଦୁର୍ବଳତାଗୁଡ଼ିକ ବିଷୟରେ କହେ, ତେବେ ବି ସେମାନଙ୍କ ପାଇଁ ନମ୍ର ହେବା କଠିନ ଲାଗିପାରେ । ଏପରି ସମୟରେ ବି ପ୍ରାଚୀନମାନେ ଗିଦିୟୋନ୍‌ଙ୍କ ଉଦାହରଣ ମନେ ରଖିପାରିବେ । ଗିଦିୟୋନ୍‌ ଜାଣିଥିଲେ ଯେ ତାଙ୍କ ଭିତରେ ଦୁର୍ବଳତାଗୁଡ଼ିକ ଅଛି, ତେଣୁ ଯେବେ ଇଫ୍ରୟିମର ଲୋକମାନେ ତାଙ୍କ ସହ ଝଗଡ଼ା କଲେ ଓ ତାଙ୍କ ଦୁର୍ବଳତାଗୁଡ଼ିକ ବାହାର କରିବାକୁ ଲାଗିଲେ, ତେବେ ସେ ସେମାନଙ୍କ ଉପରେ ରାଗିଲେନି ବରଂ ଶାନ୍ତ ରହିଲେ । (ବିଚା. ୮:୧-୩) ସେ ଧ୍ୟାନର ସହ ତାଙ୍କ ଶୁଣିଲେ ଓ ପ୍ରେମର ସହ ଉତ୍ତର ଦେଲେ । ଏପରି ଭାବେ ସେମାନଙ୍କ ରାଗ ଶାନ୍ତ ହୋଇଗଲା । ଗିଦିୟୋନ୍‌ଙ୍କ ବ୍ୟବହାରରୁ ଜଣାପଡ଼େ ଯେ ସେ ବହୁତ ନମ୍ର ଥିଲେ । ପ୍ରାଚୀନମାନେ ବି ଗିଦିୟୋନ୍‌ଙ୍କ ଭଳି ହୋଇପାରିବେ । ଯେବେ କେହି ସେମାନଙ୍କୁ ତାଙ୍କ ଦୁର୍ବଳତାଗୁଡ଼ିକ ବିଷୟରେ କହେ, ତେବେ ସେମାନେ ଧ୍ୟାନର ସହ ଶୁଣିପାରିବେ ଓ ନମ୍ରତାର ସହ ଉତ୍ତର ଦେଇପାରିବେ । (ଯାକୁବ ୩:୧୩ ପଢ଼ନ୍ତୁ ।) ଏପରି କରିବା ଯୋଗୁଁ ମଣ୍ଡଳୀରେ ଶାନ୍ତି ବଜାୟ ରହିବ ।

୮. ଯେବେ ପ୍ରାଚୀନମାନଙ୍କ ପ୍ରଶଂସା କରାଯାଏ, ତେବେ ସେମାନଙ୍କୁ କʼଣ କରିବା ଉଚିତ୍‌ ? ଗୋଟିଏ ଉଦାହରଣ ଦିଅନ୍ତୁ ।

ଯେବେ ଆପଣଙ୍କ ପ୍ରଶଂସା କରାଯାଏ, ତେବେ ଯିହୋବାଙ୍କ ମହିମା କରନ୍ତୁ । ଯେବେ ଇସ୍ରାଏଲର ଲୋକମାନେ ଗିଦିୟୋନ୍‌ଙ୍କ ପ୍ରଶଂସା କରିବାକୁ ଲାଗିଲେ ଯେ ସେ ତାଙ୍କୁ ମିଦୀୟନୀୟଙ୍କଠାରୁ ବିଜୟ ହାସଲ କରାଇଛନ୍ତି, ତେବେ ଗିଦିୟୋନ୍‌ ଏହାର ସବୁ ମହିମା ଯିହୋବାଙ୍କୁ ଦେଲେ । (ବିଚା. ୮:୨୨, ୨୩) ଆଜି ପ୍ରାଚୀନମାନେ ଗିଦିୟୋନ୍‌ଙ୍କ ଭଳି କିପରି ହୋଇପାରିବେ ? ସେମାନେ ଯାହା ବି କରନ୍ତି, ତାʼର ସବୁ ମହିମା ଯିହୋବାଙ୍କୁ ଦେଇପାରିବେ । (୧ କରି. ୪:୬, ୭) ଯେପରି, ଯଦି ଜଣେ ପ୍ରାଚୀନ ଭଲଭାବେ ଶିଖାଏ ଓ ତାʼପାଇଁ ତାଙ୍କ ପ୍ରଶଂସା କରାଯାଏ, ତେବେ ସେ କହିପାରିବେ ଯେ ସେ ଯାହା ବି ଶିଖାଇଛନ୍ତି, ତାହା ଈଶ୍ୱରଙ୍କ ବାକ୍ୟରୁ ଥିଲା କିମ୍ବା ଆମେ ସମସ୍ତେ ଯିହୋବାଙ୍କ ସଙ୍ଗଠନରୁ ହିଁ ଶିଖୁ । ମଝି ମଝିରେ ପ୍ରାଚୀନମାନଙ୍କୁ ଭାବିବା ଉଚିତ୍‌ ଯେ ସେମାନେ ଯେପରି ଭାବେ ଶିଖାନ୍ତି, କʼଣ ସେଥିରୁ ଲୋକମାନଙ୍କ ପୂରା ଧ୍ୟାନ ତାଙ୍କ ଉପରେ ତ ଯାଏନି । ଟିକେ ଭାଇ ଟିମୋଥିଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଯେବେ ସେ ନୂଆ ନୂଆ ପ୍ରାଚୀନ ହେଲେ, ତେବେ ତାଙ୍କୁ ଜନଭାଷଣ ଦେବା ବହୁତ ଭଲ ଲାଗୁଥିଲା । ସେ କହନ୍ତି, “ମୋ ଭାଷଣଗୁଡ଼ିକର ଆରମ୍ଭ ବହୁତ ଲମ୍ବା ହେଉଥିଲା ଓ ମୁଁ ବଡ଼ ବଡ଼ ଉଦାହରଣ ଦେଉଥିଲି । ତେଣୁ ଲୋକେ ପ୍ରାୟ ମୋ ପ୍ରଶଂସା କରୁଥିଲେ । କିନ୍ତୁ ଦୁଃଖର କଥା ଯେ ଏଥିରୁ ଲୋକମାନଙ୍କ ଧ୍ୟାନ ବାଇବଲ କିମ୍ବା ଯିହୋବାଙ୍କ ଉପରେ ଏତେ ଯାଉ ନ ଥିଲା ।” କିଛି ସମୟ ପରେ ଭାଇ ଟିମୋଥିଙ୍କୁ ଅନୁଭବ ହେଲା ଯେ ତାଙ୍କୁ ନିଜ ଶିଖାଇବାର ଉପାୟ ଉପରେ ଟିକେ ପରିବର୍ତ୍ତନ କରିବା ଦରକାର, ଯାହାଦ୍ୱାରା ଲୋକମାନଙ୍କ ତାଙ୍କ ଉପରେ ବହୁତ ବେଶି ଧ୍ୟାନ ନ ଯାଉ । (ହିତୋ. ୨୭:୨୧) ଏହାର ପରିଣାମ କʼଣ ହେଲା ? ସେ କହନ୍ତି, “ଏବେ ଭାଇଭଉଣୀମାନେ ମୋତେ କହନ୍ତି ଯେ ମୁଁ ଆପଣଙ୍କ ଭାଷଣରୁ ଶିଖିଲି ଯେ କିପରି ନିଜ ସମସ୍ୟାର ସାମନା କରିପାରିବି, କିପରି କୌଣସି ସମସ୍ୟାରୁ ବାହାରିପାରିବି କିମ୍ବା କିପରି ମୁଁ ଯିହୋବାଙ୍କ ଆହୁରି ନିକଟତର ହୋଇପାରିବି । କିଛି ବର୍ଷ ପୂର୍ବେ ଯେବେ ମୋର ପ୍ରଶଂସା କରାଯାଉଥିଲା, ସେସମୟରୁ ବେଶି ଖୁସି ମୋତେ ଏବେ ମିଳେ, ଯେବେ ମୁଁ ଭାଇଭଉଣୀମାନଙ୍କଠାରୁ ଏପରି କଥାଗୁଡ଼ିକ ଶୁଣେ ।”

ଯେବେ ଆପଣଙ୍କୁ ଆଜ୍ଞା ପାଳନ କରିବା ଓ ସାହସର ସହ କାମ କରିବା କଠିନ ଲାଗେ

ଗିଦିୟୋନ୍‌ ଯିହୋବାଙ୍କ ଆଜ୍ଞା ପାଳନ କରି ସୈନିକମାନଙ୍କ ଗଣନା କମ୍‌ କରିଦେଲେ ଓ ନିଜ ସହ କେବଳ ୩୦୦ ସୈନିକ ରଖିଲେ, ଯେଉଁମାନେ ସତର୍କ ଥିଲେ (ପାରାଗ୍ରାଫ ୯)

୯. ଗିଦିୟୋନ୍‌ଙ୍କ ପାଇଁ ଯିହୋବାଙ୍କ ଆଜ୍ଞା ପାଳନ କରିବା ଓ ସାହସର ସହ କାମ କରିବା କାହିଁକି କଠିନ ଥିଲା ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

ଯେବେ ଗିଦିୟୋନ୍‌ଙ୍କୁ ବିଚାରକର୍ତ୍ତା ଭାବେ ନିଯୁକ୍ତ କରାଗଲା, ତେବେ ତାଙ୍କୁ ଯିହୋବାଙ୍କ ଆଜ୍ଞା ପାଳନ କରିବାର ଥିଲା ଓ ସାହସର ସହ କାମ କରିବାର ଥିଲା । କିନ୍ତୁ ତାଙ୍କ ପାଇଁ ଏହା ସହଜ ନ ଥିଲା । କାହିଁକି ? କାରଣ ଯିହୋବା ତାଙ୍କୁ କହିଥିଲେ ଯେ ସେ ତାଙ୍କ ପିତାର ତିଆରି ବାଲ୍‌ଦେବତାର ବେଦିକୁ ଭାଙ୍ଗି ଦିଅନ୍ତୁ । ଏହି କାମ ବିପଦପୂର୍ଣ୍ଣ ଥିଲା । (ବିଚା. ୬:୨୫, ୨୬) ପରେ ଯେବେ ଗିଦିୟୋନ୍‌ ଗୋଟିଏ ସେନା ଏକାଠି କଲେ, ତେବେ ଈଶ୍ୱର ତାଙ୍କୁ ଦୁଇଥର କହିଲେ ଯେ ସେ ସୈନିକମାନଙ୍କ ଗଣନା କମ୍‌ କରିଦିଅନ୍ତୁ । (ବିଚା. ୭:୨-୭) ଆଉ ତାʼପରେ ଯିହୋବା ତାଙ୍କୁ କହିଲେ ଯେ ସେ ରାତିରେ ଯାଇ ଶତ୍ରୁମାନଙ୍କ ଛାଉଣିରେ ଆକ୍ରମଣ କରନ୍ତୁ ।—ବିଚା. ୭:୯-୧୧.

୧୦. ପ୍ରାଚୀନମାନଙ୍କୁ ଆଜ୍ଞା ପାଳନ କରିବା କେବେ କଠିନ ଲାଗିପାରେ ?

୧୦ ପ୍ରାଚୀନମାନଙ୍କୁ ଆଜ୍ଞା ପାଳନ କରିବା ପାଇଁ “ବାଧ୍ୟ [‘ପ୍ରସ୍ତୁତ,’ NWT]” ରହିବା ଉଚିତ୍‌ । (ଯାକୁ. ୩:୧୭) ଯେଉଁ ପ୍ରାଚୀନ ଆଜ୍ଞା ପାଳନ କରିବା ପାଇଁ ପ୍ରସ୍ତୁତ ରହନ୍ତି, ସେ ବାଇବଲରେ ଦିଆଯାଇଥିବା ସିଦ୍ଧାନ୍ତ ଓ ସଙ୍ଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକୁ ମାନିବା ପାଇଁ ଡେରି କରନ୍ତି ନାହିଁ । ଏପରି ଭାବେ ସେ ଅନ୍ୟମାନଙ୍କ ପାଇଁ ଭଲ ଉଦାହରଣ ରଖନ୍ତି । ତଥାପି ଅନେକଥର ହୁଏତ ସେମାନଙ୍କ ପାଇଁ ଆଜ୍ଞା ପାଳନ କରିବା କଠିନ ଲାଗିପାରେ । ଯେପରି ହୋଇପାରେ, ପ୍ରାଚୀନମାନଙ୍କୁ ହୁଏତ ବହୁତ ନିର୍ଦ୍ଦେଶ ଦିଆଯିବ କିମ୍ବା ଗୋଟେ ପରେ ଗୋଟେ ସେଥିରେ ଅନେକ ପରିବର୍ତ୍ତନ କରାଯିବ । ଏପରି ସମୟରେ ସବୁ ନିର୍ଦ୍ଦେଶ ମାନିବା ସେମାନଙ୍କୁ କଠିନ ଲାଗିପାରେ । କିମ୍ବା ଜଣେ ପ୍ରାଚୀନ ହୁଏତ ଭାବିବେ ଯେ ତାଙ୍କୁ ସଙ୍ଗଠନରୁ ଯେଉଁ ନିର୍ଦ୍ଦେଶ ଦିଆଯାଉଛି କʼଣ ତାହାକୁ ମାନିବା ପ୍ରକୃତରେ ବୁଦ୍ଧିମାନୀ ଅଟେ । କିମ୍ବା ହୋଇପାରେ, ଜଣେ ପ୍ରାଚୀନଙ୍କୁ ଏପରି କିଛି କରିବାକୁ କୁହାଯିବ ଯାହାଯୋଗୁଁ ତାଙ୍କୁ ଜେଲ ବି ହୋଇପାରେ । ଏପରି ସମୟରେ ପ୍ରାଚୀନମାନେ ଗିଦିୟୋନ୍‌ଙ୍କ ଭଳି କିପରି ଆଜ୍ଞା ପାଳନ କରିପାରିବେ ?

୧୧. ଯିହୋବାଙ୍କ ଆଜ୍ଞା ପାଳନ କରିବା ପାଇଁ କେଉଁ କଥା ପ୍ରାଚୀନମାନଙ୍କୁ ସାହାଯ୍ୟ କରିପାରିବ ?

୧୧ ନିର୍ଦ୍ଦେଶଗୁଡ଼ିକୁ ଧ୍ୟାନର ସହ ଶୁଣନ୍ତୁ ଓ ତାହା ମାନନ୍ତୁ । ଈଶ୍ୱର ଗିଦିୟୋନ୍‌ଙ୍କୁ କହିଲେ ଯେ ସେ ନିଜ ପିତାର ବେଦିକୁ କିପରି ନଷ୍ଟ କରିବେ, ଯିହୋବାଙ୍କ ପାଇଁ ନୂଆ ବେଦି କେଉଁଠି ତିଆରି କରିବେ ଏବଂ କେଉଁ ପଶୁର ବଳି ଦେବେ । ଗିଦିୟୋନ୍‌ଙ୍କୁ ଯେଉଁ ନିର୍ଦ୍ଦେଶଗୁଡ଼ିକ ଦିଆଗଲା, ତାʼଉପରେ ସେ କୌଣସି ପ୍ରଶ୍ନ କଲେନି । ତାଙ୍କୁ ଯାହା କୁହାଗଲା, ସେ ଠିକ୍‌ ସେହିପରି କଲେ । ଆଜି ପ୍ରାଚୀନମାନଙ୍କୁ ମଧ୍ୟ ଯିହୋବାଙ୍କ ସଙ୍ଗଠନରୁ ଅଲଗା ଅଲଗା ଉପାୟରେ ଅନେକ ନିର୍ଦ୍ଦେଶ ଦିଆଯାଏ । ଯେପରି ଚିଠି ଜରିଆରେ, ଘୋଷଣା କିମ୍ବା ଅନ୍ୟ ଉପାୟଗୁଡ଼ିକରେ । ଏସବୁ ଉପାୟରୁ ସେମାନଙ୍କୁ ଜଣାଇ ଦିଆଯାଏ ଯେ ସେମାନେ କିପରି ଭାଇଭଉଣୀମାନଙ୍କ ସାହାଯ୍ୟ କରିପାରିବେ, ଯାହାଯୋଗୁଁ ସେମାନେ ସୁରକ୍ଷିତ ରହିବେ ଓ ଯିହୋବାଙ୍କ ନିକଟତର ହୋଇରହିବେ । ପ୍ରାଚୀନମାନେ ଏହି ନିର୍ଦ୍ଦେଶଗୁଡ଼ିକୁ ଭଲଭାବେ ମାନନ୍ତି, ତେଣୁ ଆମେ ସେମାନଙ୍କୁ ବହୁତ ପ୍ରେମ କରୁ । ତାଙ୍କ କାମ ଯୋଗୁଁ ପୂରା ମଣ୍ଡଳୀକୁ ଲାଭ ହୁଏ ।—ଗୀତ. ୧୧୯:୧୧୨.

୧୨. ଯଦି ସଙ୍ଗଠନ ପ୍ରାଚୀନମାନଙ୍କୁ କୌଣସି ଅନ୍ୟ ଉପାୟରେ କାମ କରିବାର ନିର୍ଦ୍ଦେଶ ଦିଏ, ତେବେ ସେମାନେ ଏବ୍ରୀ ୧୩:୧୭ ପଦରେ ଲେଖାଥିବା କଥା କିପରି ମାନିପାରିବେ ?

୧୨ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ମନେପକାନ୍ତୁ ଯେ ଯେବେ ଯିହୋବା ଗିଦିୟୋନ୍‌ଙ୍କୁ କହିଥିଲେ ଯେ ସେ ପ୍ରାୟ ନିଜର ସବୁ ଲୋକଙ୍କୁ ଘରକୁ ପଠାଇଦିଅନ୍ତୁ, ତେବେ କʼଣ ହୋଇଥିଲା । (ବିଚା. ୭:୮) ହୁଏତ ସେ ଭାବିଥିବେ, ‘କʼଣ ଏପରି କରିବା ଜରୁରୀ ଅଟେ ? ଯଦି ମୁଁ ଏତେ ଲୋକଙ୍କୁ ଘରକୁ ପଠାଇଦେବି, ତାହେଲେ ଆମେ ଯୁଦ୍ଧ କିପରି ଜିତିବା ?’ ତଥାପି ସେ ଯିହୋବାଙ୍କ କଥା ମାନିଲେ । ସେହିପରି, ଆଜି ଯେବେ ସଙ୍ଗଠନରୁ ପ୍ରାଚୀନମାନଙ୍କୁ ନିର୍ଦ୍ଦେଶଗୁଡ଼ିକ ଦିଆଯାଏ ଯେ ଏବେଠାରୁ ସେମାନେ କୌଣସି କାମ ଅନ୍ୟ ଉପାୟରେ କରନ୍ତୁ, ତେବେ ଗିଦିୟୋନ୍‌ଙ୍କ ଭଳି ପ୍ରାଚୀନମାନେ ବି ସେଗୁଡ଼ିକୁ ମାନନ୍ତି । (ଏବ୍ରୀ ୧୩:୧୭ ପଢ଼ନ୍ତୁ ।) ଉଦାହରଣ ପାଇଁ, ୨୦୧୪ ମସିହାରେ ପ୍ରଶାସନ ଦଳ ସମ୍ମିଳନୀ ଭବନ ଓ ରାଜ୍ୟଘରର ନିର୍ମାଣ କରିବା ମାମଲାରେ କିଛି ପରିବର୍ତ୍ତନ କଲା । (୨ କରି. ୮:୧୨-୧୪) ପୂର୍ବେ ଯଦି କୌଣସି ରାଜ୍ୟଘର କିମ୍ବା ସମ୍ମିଳନୀ ଭବନ ତିଆରି କରିବାର ଥିଲା, ତେବେ ସଙ୍ଗଠନ ତାʼପାଇଁ ପଇସା ଦେଉଥିଲା । କିନ୍ତୁ ପରେ ତାହା ମଣ୍ଡଳୀଗୁଡ଼ିକୁ ଫେରାଇବାକୁ ପଡ଼ୁଥିଲା । କିନ୍ତୁ ଏବେ ମଣ୍ଡଳୀଗୁଡ଼ିକୁ ପଇସା ଫେରାଇବାକୁ ଦରକାର ପଡ଼େନି । ଏବେ ସଙ୍ଗଠନ ଏପରି ବିଲ୍‌ଡିଙ୍ଗଗୁଡ଼ିକର ନିର୍ମାଣ ପାଇଁ ପୂରା ଦୁନିଆର ମଣ୍ଡଳୀଗୁଡ଼ିକରୁ ଦିଆଯାଇଥିବା ଦାନ ପଇସାର ବ୍ୟବହାର କରେ । ଏପରି ଭାବେ ଯଦି ଗୋଟିଏ ମଣ୍ଡଳୀ ବେଶି ଦାନ ପଇସା ଏକାଠି ବି କରିପାରେନି, ତେବେ ବି ତାଙ୍କ ନିଜ ଗୋଟିଏ ରାଜ୍ୟଘର ତିଆରି କରାଯାଇପାରିବ । ଯେବେ ଭାଇ ହୋସେଙ୍କୁ ଏହି ପରିବର୍ତ୍ତନ ବିଷୟରେ ଜଣାପଡ଼ିଲା, ତେବେ ତାଙ୍କୁ ଲାଗିଲା ଯେ ହୁଏତ ଏହି ଉପାୟ ସଫଳ ହୋଇପାରିବନି । ସେ ଭାବିବାକୁ ଲାଗିଲେ, ‘ଏପରି କଲେ ଗୋଟେ ବି ରାଜ୍ୟଘର ତିଆରି ହୋଇପାରିବନି । ଆମ ଜାଗାରେ ତ ଏହି ଉପାୟ କାମରେ ହିଁ ଆସିବନି ।’ କିନ୍ତୁ ସେ ନିଜ ଦୃଷ୍ଟିକୋଣକୁ ବଦଳାଇଲେ । ସେ ଏହା କିପରି କରିପାରିଲେ ? ଭାଇ କହନ୍ତି, “ହିତୋପଦେଶ ୩:୫, ୬ ପଦରେ ଲେଖାଥିବା କଥାରୁ ମତେ ମନେପଡ଼ିଲା ଯେ ମୋତେ ଯିହୋବାଙ୍କ ଉପରେ ଭରସା କରିବା ଉଚିତ୍‌ ଆଉ ଏପରି ଭାବେ କାମ କରିବା ଯୋଗୁଁ ବଢ଼ିଆ ପରିଣାମ ମିଳିଲା । ଏବେ ଆମେ ପୂର୍ବରୁ ବି ଅଧିକ ରାଜ୍ୟଘର ତିଆରି କରିପାରୁଛୁ । ଆଉ ଏବେ ଦାନର ପଇସା ଏପରି ବ୍ୟବହାର କରାଯାଉଛି, ଯାହାଯୋଗୁଁ ଗୋଟିଏ ଜାଗାର ପ୍ରଚୁରତାରୁ ଅନ୍ୟ ଜାଗାର ଅଭାବ ପୂରା ହୋଇପାରୁଛି ।”

ଯେଉଁଠି ଆମ କାମରେ ରୋକ ଲାଗିଛି, ସେଇଠି ମଧ୍ୟ ଆମେ ସାହସର ସହ କାମ କରି ଲୋକମାନଙ୍କୁ ଭଲଭାବେ ସାକ୍ଷ୍ୟ ଦେଇପାରିବା (ପାରାଗ୍ରାଫ ୧୩)

୧୩. (କ) ଗିଦିୟୋନ୍‌ଙ୍କୁ କେଉଁ କଥାର ଭରସା ଥିଲା ? (ଖ) ଆଜି ପ୍ରାଚୀନମାନେ ତାଙ୍କ ଭଳି କିପରି ହୋଇପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ସାହସର ସହ କାମ କରନ୍ତୁ । ଗିଦିୟୋନ୍‌ଙ୍କୁ ଯିହୋବାଙ୍କ ନିର୍ଦ୍ଦେଶ ମାନିବା ପାଇଁ ଡର ଲାଗୁଥିଲା ଏବଂ ତାଙ୍କ ଜୀବନ ବି ବିପଦରେ ଥିଲା । (ବିଚା. ୯:୧୭) ତଥାପି ସେ ସେହି ନିର୍ଦ୍ଦେଶ ମାନିଲେ । ଯିହୋବାଙ୍କଠାରୁ ସାହସ ପାଇବା ପରେ ଗିଦିୟୋନ୍‌ଙ୍କୁ ପୂରା ଭରସା ହୋଇଗଲା ଯେ ଯିହୋବା ନିଜ ଲୋକଙ୍କୁ ରକ୍ଷା କରିବା ପାଇଁ ନିଶ୍ଚୟ ତାଙ୍କୁ ସହଯୋଗ କରିବେ । ଆଜି ଯେଉଁ ଜାଗାଗୁଡ଼ିକରେ ଆମ କାମ ଉପରେ ରୋକ ଲାଗିଛି, ସେଠାରେ ରହୁଥିବା ପ୍ରାଚୀନମାନେ ମଧ୍ୟ ଗିଦିୟୋନ୍‌ଙ୍କ ଭଳି ସାହସର ସହ କାମ କରନ୍ତି । ସେମାନେ ଜାଣନ୍ତି ଯେ ସେମାନଙ୍କୁ ଗିରଫ କରାଯାଇପାରେ, ପଚରାଉଚୁରା କରାଯାଇପାରେ, ତାଙ୍କ ଚାକିରି ଚାଲିଯାଇପାରେ କିମ୍ବା ସେମାନଙ୍କୁ ମାରପିଟ୍‌ କରାଯାଇପାରେ, ତଥାପି ସେମାନେ ମଣ୍ଡଳୀର ସଭା ଚଳାନ୍ତି ଓ ପ୍ରଚାର କାମରେ ନେତୃତ୍ୱ ନିଅନ୍ତି । c ମହାକ୍ଳେଶ ସମୟରେ ବି ସେମାନଙ୍କୁ ନିର୍ଦ୍ଦେଶଗୁଡ଼ିକୁ ମାନିବା ପାଇଁ ସାହସର ସହ କାମ କରିବାକୁ ପଡ଼ିବ, କାରଣ ହୁଏତ କିଛି ନିର୍ଦ୍ଦେଶ ଏପରି ଥିବ ଯାହାକୁ ମାନି ସେମାନଙ୍କ ଜୀବନ ବିପଦରେ ପଡ଼ିପାରେ । ଯେପରି ହୁଏତ ସେମାନଙ୍କୁ ଏବିଷୟରେ ନିର୍ଦ୍ଦେଶଗୁଡ଼ିକ ଦିଆଯିବ ଯେ ନ୍ୟାୟର କଡ଼ା ସନ୍ଦେଶ କିପରି ଶୁଣାଇବାର ଅଛି, ଯାହା ବଡ଼ ବଡ଼ ଶିଳାବୃଷ୍ଟି ଭଳି ହେବ ଏବଂ ମାଗୋଗ୍‌ ଦେଶୀୟ ଗୋଗ୍‌ର ଆକ୍ରମଣରୁ ବଞ୍ଚିବା ପାଇଁ ସମସ୍ତଙ୍କୁ କʼଣ କରିବାକୁ ପଡ଼ିବ ।—ଯିହି. ୩୮:୧୮; ପ୍ରକା. ୧୬:୨୧.

ଯେବେ ଆପଣଙ୍କୁ ଲାଗେ ଯେ ଆପଣଙ୍କ ଦ୍ୱାରା ଆଉ ହୋଇପାରିବନି

୧୪. ଗିଦିୟୋନ୍‌ଙ୍କ ପାଇଁ ନିଜ ଦାୟିତ୍ୱ ତୁଲାଇବା ଆଉ କେଉଁ କାରଣ ଯୋଗୁଁ କଠିନ ହୋଇଥିବ ?

୧୪ ଗିଦିୟୋନ୍‌ଙ୍କୁ ବିଚାରକର୍ତ୍ତା ଭାବେ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତାହା ପୂରା କରିବା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାର ଥିଲା । ଯେବେ ମିଦୀୟନୀୟମାନେ ରାତି ଯୁଦ୍ଧ ପଡ଼ିଆ ଛାଡ଼ି ପଳେଇବାକୁ ଲାଗିଲେ, ତେବେ ଗିଦିୟୋନ୍‌ ତାଙ୍କ ପିଛା କଲେ । ସେ ଯିଷ୍ରିୟେଲ ଘାଟିରୁ ନେଇ ଯର୍ଦ୍ଦନ ନଦୀ ଯାଏ ସେମାନଙ୍କ ପିଛା କରୁଥିଲେ ଓ ସେହି ଅଞ୍ଚଳ ହୁଏତ ବୁଦାଗୁଡ଼ିକରେ ଘେରି ରହିଥିଲା । (ବିଚା. ୭:୨୨) କʼଣ ଗିଦିୟୋନ୍‌ ଯର୍ଦ୍ଦନ ନଦୀ ଯାଏ ଯାଇ ଅଟକି ଗଲେ ? ନା । ସେ ଓ ତାଙ୍କ ୩୦୦ ଲୋକ ବହୁତ ଥକି ଯାଇଥିଲେ, ତଥାପି ସେମାନେ ଦୃଢ଼ ରହିଲେ । ସେମାନେ ଯର୍ଦ୍ଦନ ନଦୀ ପାର କଲେ ଓ ଶତ୍ରୁମାନଙ୍କ ପିଛା କରିବା ଜାରି ରଖିଲେ । ଶେଷରେ ସେମାନେ ମିଦୀୟନୀୟଙ୍କୁ ଧରିନେଲେ ଏବଂ ସେମାନଙ୍କୁ ହରାଇଦେଲେ ।—ବିଚା. ୮:୪-୧୨.

୧୫. ବେଳେବେଳେ ପ୍ରାଚୀନମାନଙ୍କୁ ଏପରି କାହିଁକି ଲାଗିପାରେ ଯେ ସେମାନଙ୍କ ଦ୍ୱାରା ଏବେ ଆଉ ହୋଇପାରିବନି ?

୧୫ କିଛି ପ୍ରାଚୀନଙ୍କୁ ମଣ୍ଡଳୀର ବହୁତଗୁଡ଼ିଏ ଦାୟିତ୍ୱ ତୁଲାଇବାକୁ ପଡ଼େ ଓ ନିଜ ପରିବାରର ମଧ୍ୟ ଦେଖାଶୁଣା କରିବାକୁ ପଡ଼େ । ତାʼଯୋଗୁଁ ହୁଏତ ସେମାନେ ଅନେକଥର ବହୁତ ଥକିଯିବେ ଓ ସେମାନଙ୍କୁ ଲାଗିପାରେ ଯେ ଏବେ ସେମାନଙ୍କ ଦ୍ୱାରା ଆଉ ହୋଇପାରିବନି । ଏପରି ସମୟରେ ସେମାନେ ଗିଦିୟୋନ୍‌ଙ୍କଠାରୁ କʼଣ ଶିଖିପାରିବେ ?

ଯିହୋବାଙ୍କ ସାହାଯ୍ୟରୁ ପ୍ରାଚୀନମାନେ ଆବଶ୍ୟକ ସମୟରେ ଭାଇଭଉଣୀମାନଙ୍କ ସାହସ ବଢ଼ାଇପାରନ୍ତି (ପାରାଗ୍ରାଫ ୧୬-୧୭)

୧୬-୧୭. (କ) ଗିଦିୟୋନ୍‌ କେଉଁ କାରଣ ଯୋଗୁଁ ନିଜ ଦାୟିତ୍ୱ ତୁଲାଇପାରିଲେ ? (ଖ) ପ୍ରାଚୀନମାନେ କେଉଁ କଥାର ଭରସା ରଖିପାରିବେ ? (ଯିଶାଇୟ ୪୦:୨୮-୩୧) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ଶକ୍ତି ଦେବେ । ଗିଦିୟୋନ୍‌ଙ୍କୁ ଭରସା ଥିଲା ଯେ ଯିହୋବା ତାଙ୍କୁ ଶକ୍ତି ଦେବେ ଏବଂ ଯିହୋବା ତାଙ୍କ ଭରସା ଭାଙ୍ଗିଲେନି । (ବିଚା. ୬:୧୪, ୩୪) ଥରେ ଗିଦିୟୋନ୍‌ ଓ ତାଙ୍କ ଲୋକମାନେ ମିଦୀୟନୀୟ ରାଜାମାନଙ୍କ ପିଛା କରୁଥିଲେ । ସେମାନେ ଚାଲି ଚାଲି ଯାଉଥିଲେ, କିନ୍ତୁ ସେହି ରାଜାମାନେ ହୁଏତ ଓଟରେ ଯାଉଥିଲେ । (ବିଚା. ୮:୧୨, ୨୧) ତଥାପି ଯିହୋବାଙ୍କ ସାହାଯ୍ୟରେ ସେମାନେ ରାଜାମାନଙ୍କୁ ହରାଇଦେଲେ । ସେହିପରି ପ୍ରାଚୀନମାନେ ମଧ୍ୟ ଯିହୋବାଙ୍କ ଉପରେ ଭରସା ରଖିପାରିବେ, ଯିଏ “କ୍ଳାନ୍ତ ହୁଅନ୍ତି ନାହିଁ, କି ଶ୍ରାନ୍ତ ହୁଅନ୍ତି ନାହିଁ ।” ଯେବେ ବି ସେମାନଙ୍କୁ ଲାଗେ ଯେ ତାଙ୍କ ଦ୍ୱାରା ଏବେ ଆଉ ହୋଇପାରିବନି, ତେବେ ଯିହୋବା ସେମାନଙ୍କୁ ଶକ୍ତି ଦେବେ ।ଯିଶାଇୟ ୪୦:୨୮-୩୧ ପଢ଼ନ୍ତୁ ।

୧୭ ଟିକେ ଭାଇ ମାଥ୍ୟୁଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯିଏ ହସ୍ପିଟାଲ ସମ୍ପର୍କ ସମିତିର ଜଣେ ସଦସ୍ୟ ଅଟନ୍ତି । ଅନେକଥର ତାଙ୍କୁ ନିଜ ଦାୟିତ୍ୱ ତୁଲାଇବା ବହୁତ କଠିନ ଲାଗେ । ଏପରି ସମୟରେ ତାଙ୍କୁ ଅଟଳ ରହିବା ପାଇଁ କେଉଁ କଥା ସାହାଯ୍ୟ କରେ ? ସେ କହନ୍ତି, “ମୁଁ ନିଜେ ଅନୁଭବ କରିଛି ଯେ ଫିଲିପ୍‌ପୀୟ ୪:୧୩ ପଦରେ ଲେଖାଥିବା କଥା ସତ ଅଟେ । ଅନେକଥର ମୁଁ ବହୁତ ଥକିଯାଏ ଓ ଏପରି ଲାଗେ ଯେ ମୋ ଦ୍ୱାରା ଆଉ ହୋଇପାରିବନି । ତେବେ ମୁଁ ଯିହୋବାଙ୍କୁ ହୃଦୟ ଖୋଲି ପ୍ରାର୍ଥନା କରେ ଯେ ସେ ମୋତେ ଶକ୍ତି ଦିଅନ୍ତୁ ଓ ସାହସ ଦିଅନ୍ତୁ, ଯାହାଦ୍ୱାରା ମୁଁ ଭାଇଭଉଣୀମାନଙ୍କ ସାହାଯ୍ୟ କରିପାରିବି । ସେସମୟରେ ମୁଁ ଅନୁଭବ କରେ ଯେ ଯିହୋବା ନିଜ ପବିତ୍ର ଶକ୍ତି ଦ୍ୱାରା ମୋତେ ବଳ ଦିଅନ୍ତି ଓ ଅଟଳ ରହିବା ପାଇଁ ଶକ୍ତି କରନ୍ତି ।” ଗିଦିୟୋନ୍‌ଙ୍କ ଭଳି ପ୍ରାଚୀନମାନେ ବି ଈଶ୍ୱରଙ୍କ ଲୋକମାନଙ୍କ ଦେଖାଶୁଣା କରିବା ପାଇଁ କଠିନ ପରିଶ୍ରମ କରନ୍ତି । ସେମାନେ ଅନେକ ଦାୟିତ୍ୱ ତୁଲାନ୍ତି ଓ ବେଳେବେଳେ ତ କିଛି ସମସ୍ୟା ବି ଆସେ । ଏପରି ସମୟରେ ସେମାନଙ୍କୁ ମନେରଖିବାର ଅଛି ଯେ ସେମାନେ ସବୁକିଛି କରିପାରିବେନି । କିନ୍ତୁ ସେମାନେ ଏକଥାର ବି ଭରସା ରଖିପାରିବେ ଯେ ଯିହୋବା ସେମାନଙ୍କ ପ୍ରାର୍ଥନା ଶୁଣିବେ ଓ ଅଟଳ ରହିବା ପାଇଁ ସେମାନଙ୍କୁ ଶକ୍ତି ଦେବେ ।—ଗୀତ. ୧୧୬:୧; ଫିଲିପ୍‌. ୨:୧୩.

୧୮. ଯେପରି ଆମେ ଏହି ଲେଖାରେ ଶିଖିଲୁ ପ୍ରାଚୀନମାନେ ଗିଦିୟୋନ୍‌ଙ୍କ ଭଳି କିପରି ହୋଇପାରିବେ ?

୧୮ ଆଜି ପ୍ରାଚୀନମାନେ ଗିଦିୟୋନ୍‌ଙ୍କ ଉଦାହରଣରୁ ବହୁତ କିଛି ଶିଖିପାରିବେ । ଯେବେ ସେମାନଙ୍କୁ କୌଣସି କାମ କିମ୍ବା ଦାୟିତ୍ୱ ଦିଆଯାଏ କିମ୍ବା ଯେବେ ପ୍ରାଚୀନମାନଙ୍କୁ ସେମାନଙ୍କ ଦୁର୍ବଳତାଗୁଡ଼ିକ ବିଷୟରେ କୁହାଯାଏ କିମ୍ବା ସେମାନଙ୍କ ପ୍ରଶଂସା କରାଯାଏ, ତେବେ ସେମାନଙ୍କୁ ମର୍ଯ୍ୟାଦାରେ ରହିବା ଏବଂ ନମ୍ର ହେବା ଉଚିତ୍‌ । ସେମାନଙ୍କୁ ସବୁବେଳେ ଯିହୋବାଙ୍କ ଆଜ୍ଞା ପାଳନ କରିବା ଓ ସାହସର ସହ କାମ କରିବା ଉଚିତ୍‌, ବିଶେଷ କରି ଏହି ଶେଷ ସମୟରେ ଯେବେ ଏହି ଦୁନିଆର ବିନାଶ ବହୁତ ନିକଟରେ ଅଛି । ତାʼସହ ସେମାନଙ୍କୁ ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍‌ ଯେ ସେମାନଙ୍କ ଆଗରେ କୌଣସି ବି ସମସ୍ୟା ଆସିଲେ ମଧ୍ୟ ଯିହୋବା ସେମାନଙ୍କୁ ଶକ୍ତି ଦେବେ । ପ୍ରାଚୀନମାନେ ଆମ ପାଇଁ ଯେଉଁ କଠିନ ପରିଶ୍ରମ କରନ୍ତି, ତାʼପାଇଁ ଆମେ ତାଙ୍କର ବହୁତ କୃତଜ୍ଞ ମନେକରୁ । ସତରେ, ଏହି ଭାଇମାନଙ୍କୁ ଆମେ “ସମାଦର” କରିବା ଉଚିତ୍‌ ।—ଫିଲିପ୍‌. ୨:୨୯.

ଗୀତ ୧୨୦ ୟିଶୁ ଜୈଶେ କୋମଲ ବନେଁ

a ଯିହୋବା ଗିଦିୟୋନ୍‌ଙ୍କୁ ନିଜ ଲୋକମାନଙ୍କ ଦେଖାଶୁଣା ଓ ସୁରକ୍ଷା କରିବା ପାଇଁ ନିଯୁକ୍ତ କରିଥିଲେ । ସେସମୟରେ ଇସ୍ରାଏଲ ରାଷ୍ଟ୍ର ବହୁତ କଠିନ ପରିସ୍ଥିତିର ସାମନା କରୁଥିଲା । ଗିଦିୟୋନ୍‌ଙ୍କ ପାଇଁ ନିଜ ଦାୟିତ୍ୱ ତୁଲାଇବା ସହଜ ନ ଥିଲା, ତାଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା । ତଥାପି ସେ ପ୍ରାୟ ୪୦ ବର୍ଷ ଯାଏ ନିଜ ଦାୟିତ୍ୱ ବହୁତ ଭଲଭାବେ ତୁଲାଇଲେ । ଏହି ଲେଖାରେ ଆମେ ଜାଣିବା ଯେ ଆଜି ଯେବେ ପ୍ରାଚୀନମାନଙ୍କ ଆଗରେ କୌଣସି ସମସ୍ୟା ଆସେ, ତେବେ ସେମାନେ ଗିଦିୟୋନ୍‌ଙ୍କ ଉଦାହରଣରୁ କʼଣ ଶିଖିପାରିବେ ।

b ମର୍ଯ୍ୟାଦାରେ ରହିବା ଓ ନମ୍ର ହେବା ମଧ୍ୟରେ ଗଭୀର ସମ୍ପର୍କ ଅଛି । ଯେଉଁମାନେ ମର୍ଯ୍ୟାଦାରେ ରହନ୍ତି, ସେମାନେ ନିଜକୁ ବଡ଼ ମନେକରନ୍ତିନି ଓ ସେମାନେ ଜାଣନ୍ତି ଯେ ସେମାନେ କʼଣ କରିପାରିବେ ଓ କʼଣ ନୁହେଁ । ଆଉ ଜଣେ ନମ୍ର ବ୍ୟକ୍ତି ଅନ୍ୟମାନଙ୍କୁ ଆଦର କରେ ଓ ଅନ୍ୟମାନଙ୍କୁ ନିଜଠାରୁ ଶ୍ରେଷ୍ଠ ମନେକରେ । (ଫିଲିପ୍‌. ୨:୩) ଦେଖିବାକୁ ଗଲେ ଯେଉଁ ବ୍ୟକ୍ତି ମର୍ଯ୍ୟାଦାରେ ରହେ, ସେ ନମ୍ର ବି ଥାଏ ।