इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୬

ଯିହୋବାଙ୍କ ଦିନ ପାଇଁ ପ୍ରସ୍ତୁତ ରହନ୍ତୁ

ଯିହୋବାଙ୍କ ଦିନ ପାଇଁ ପ୍ରସ୍ତୁତ ରହନ୍ତୁ

“ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ ।”୧ ଥେସ. ୫:୨.

ଗୀତ ୧୪୩ ୟହୋୱା କେ ଦିନ କି ରାହ୍‌ ଦେଖତେ ରହେଁ

ଲେଖାର ଝଲକ a

୧. ଯଦି ଆମେ ଯିହୋବାଙ୍କ ଦିନରେ ବଞ୍ଚିବା ପାଇଁ ଚାହୁଁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ?

 ବାଇବଲରେ ଅନେକଥର “ପ୍ରଭୁଙ୍କ ଦିନ” ବିଷୟରେ କୁହାଯାଇଛି । ଏହି ଦିନର ଅର୍ଥ ସେହି ସମୟ ଅଟେ ଯେବେ ଯିହୋବା ନିଜ ଶତ୍ରୁମାନଙ୍କୁ ବିନାଶ କରନ୍ତି ଓ ନିଜ ଲୋକମାନଙ୍କୁ ବଞ୍ଚାନ୍ତି । ପ୍ରାଚୀନ ସମୟରେ ଯିହୋବା ଅନେକଥର ନିଜ ଶତ୍ରୁମାନଙ୍କୁ ବିନାଶ କଲେ । (ଯିଶା. ୧୩:୧, ୬; ଯିହି. ୧୩:୫; ସିଫ. ୧:୮) ଆମ ସମୟରେ “ପ୍ରଭୁଙ୍କ ଦିନ” ତେବେ ଆରମ୍ଭ ହେବ, ଯେବେ ମହାନଗରୀ ବାବିଲ ଉପରେ ଆକ୍ରମଣ କରାଯିବ ଓ ଏହା ହର୍ମିଗିଦ୍ଦୋନ ଯୁଦ୍ଧରେ ଶେଷ ହେବ । ଯଦି ଆମେ ସେହି “ଦିନ” ବଞ୍ଚିବା ପାଇଁ ଚାହୁଁ ତେବେ ଆମକୁ ଏବେଠୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ଦିନ ବିଷୟରେ ଯୀଶୁ ମଧ୍ୟ ନିଜ ଶିଷ୍ୟମାନଙ୍କୁ କହିଥିଲେ । ଧ୍ୟାନ ଦିଅନ୍ତୁ ସେ ଏହା କହିଲେନି, ‘ମହାକ୍ଳେଶ’ ପାଇଁ ପ୍ରସ୍ତୁତ ହୋଇଯାଅ, ବରଂ ସେ ଏହା କହିଲେ ତାʼପାଇଁ “ପ୍ରସ୍ତୁତ ହୋଇଥାଅ ।” ତାʼଅର୍ଥ ସେହି ଦିନ ପାଇଁ ଆମକୁ ଏବେଠୁ ପ୍ରସ୍ତୁତ ରହିବାର ଅଛି ।—ମାଥି. ୨୪:୨୧; ଲୂକ ୧୨:୪୦.

୨. ପାଉଲ ଥେସଲନୀକୀୟର ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ପ୍ରଥମ ଚିଠି ଲେଖିଲେ, ତାʼଉପରେ ଆମେ କାହିଁକି ଧ୍ୟାନ ଦେବା ଉଚିତ୍‌ ?

ପ୍ରେରିତ ପାଉଲ ଥେସଲନୀକୀୟର ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ପ୍ରଥମ ଚିଠି ଲେଖିଲେ, ସେଥିରେ ସେ ପ୍ରଭୁଙ୍କ ମହାନ ଦିନ ବିଷୟରେ କହିଲେ । ସେ ଅନେକ ଉଦାହରଣ ଦେଇ ବୁଝାଇଲେ ଯେ ସେହି ଦିନ ପାଇଁ ସେମାନଙ୍କୁ କିପରି ପ୍ରସ୍ତୁତ ରହିବାର ଅଛି । ପାଉଲ ଜାଣିଥିଲେ ଯେ ସେହି ଦିନ ଠିକ୍‌ ସେସମୟରେ ହିଁ ଆସିବନି । (୨ ଥେସ. ୨:୧-୩) ତଥାପି ସେ ନିଜ ଭାଇମାନଙ୍କୁ ଅନୁରୋଧ କଲେ ଯେ ସେହି ଦିନ ପାଇଁ ସେମାନେ ଏପରି ପ୍ରସ୍ତୁତ ରହନ୍ତୁ ଯେପରିକି ତାହା କାଲି ହିଁ ଆସୁଛି । ପାଉଲ ସେମାନଙ୍କୁ ଯାହା କହିଲେ, ସେଥିରୁ ଆଜି ଆମେ ବି ବହୁତ କିଛି ଶିଖିପାରିବା । ଆସନ୍ତୁ ଧ୍ୟାନ ଦେବା ଯେ ଆଗକୁ କୁହାଯାଇଥିବା ତିନୋଟି କଥା ବିଷୟରେ ପାଉଲ ନିଜ ଚିଠିରେ କʼଣ ବୁଝାଇଲେ: (୧) ପ୍ରଭୁଙ୍କ ଦିନ କିପରି ଆସିବ ? (୨) ସେହି ଦିନ କେଉଁ ଲୋକମାନେ ବଞ୍ଚିପାରିବେ ନାହିଁ ? ଓ (୩) ସେହି ଦିନ ପାଇଁ ଆମେ କିପରି ପ୍ରସ୍ତୁତ ରହିପାରିବା ?

ପ୍ରଭୁଙ୍କ ଦିନ କିପରି ଆସିବ ?

ଥେସଲନୀକୀୟର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିବା ନିଜ ପ୍ରଥମ ଚିଠିରେ ପାଉଲ ଯେଉଁ ଉଦାହରଣ ଦେଲେ, ସେଥିରୁ ଆମେ ବହୁତ କିଛି ଶିଖିପାରିବା (ପାରାଗ୍ରାଫ ୩)

୩. ଏହା କାହିଁକି କୁହାଯାଇପାରିବ ଯେ ପ୍ରଭୁଙ୍କ ଦିନ ଏପରି ଆସିବ ଯେପରି ରାତ୍ରିରେ ଚୋର ଆସେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

“ରାତ୍ରିରେ ଚୋର ଆସିଲା ପରି ।” (୧ ଥେସ. ୫:୨) ପାଉଲ ପ୍ରଭୁଙ୍କ ଦିନ ବିଷୟରେ ବୁଝାଇବା ସମୟରେ ଯେଉଁ ତିନୋଟି ଉଦାହରଣ ଦେଇଥିଲେ, ସେମଧ୍ୟରୁ ଏହା ପ୍ରଥମ ଅଟେ । ଚୋର ପ୍ରାୟ ରାତି ଅନ୍ଧାରରେ ଆସେ ଯେବେ ଲୋକମାନଙ୍କୁ ତାʼର ଆସିବାର କୌଣସି ଆଶା ନ ଥାଏ ଓ ସେ ଖୁବ୍‌ ଶୀଘ୍ର ନିଜ କାମ କରେ । ପ୍ରଭୁଙ୍କ ଦିନ ବି ହଠାତ୍‌ ଆସିବ ଓ ଯେବେ ଏହା ଆସିବ ତେବେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯିବେ । ସେସମୟରେ ଯେପରି ଖୁବ୍‌ ଶୀଘ୍ର ଘଟଣାଗୁଡ଼ିକ ଘଟିବ, ତାହା ଦେଖି ହୁଏତ ସତ୍ୟ ଖ୍ରୀଷ୍ଟିୟାନମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ସେହି ଦିନ କେବଳ ଦୁଷ୍ଟ ଲୋକମାନଙ୍କୁ ବିନାଶ କରାଯିବ ଓ ଯିହୋବାଙ୍କ ଲୋକମାନଙ୍କୁ ରକ୍ଷା କରାଯିବ ।

୪. ପ୍ରଭୁଙ୍କ ଦିନ କିଭଳି ଗର୍ଭବତୀ ସ୍ତ୍ରୀଙ୍କୁ ହେଉଥିବା ପ୍ରସବ ପୀଡ଼ା ଭଳି ଅଟେ ?

“ଗର୍ଭବତୀର ପ୍ରସବବେଦନା ତୁଲ୍ୟ ।” (୧ ଥେସ. ୫:୩) ଜଣେ ଗର୍ଭବତୀ ସ୍ତ୍ରୀଙ୍କୁ ଏହା ଜଣା ନ ଥାଏ ଯେ ଠିକ୍‌ କେବେ ପ୍ରସବ ପୀଡ଼ା ହେବ, କିନ୍ତୁ ସେ ଏହା ଜାଣନ୍ତି ଯେ ଏପରି ନିଶ୍ଚୟ ହେବ । ଆଉ ଦିନେ ହଠାତ୍‌ ତାଙ୍କୁ ପ୍ରସବ ପୀଡ଼ା ହୁଏ । ଏହା ବହୁତ କଷ୍ଟଦାୟକ ହୋଇଥାଏ ଓ ଏହାକୁ ରୋକା ଯାଇପାରିବ ନାହିଁ । ଠିକ୍‌ ସେହିଭଳି ପ୍ରଭୁଙ୍କ ଦିନ ଠିକ୍‌ କେଉଁ ସମୟରେ ଓ କେଉଁ ଦିନ ଆରମ୍ଭ ହେବ, ଏହା ତ ଆମେ ଜାଣି ନାହୁଁ କିନ୍ତୁ ଆମେ ଜାଣୁ ଯେ ଏହା ନିଶ୍ଚୟ ଆସିବ । ଆଉ ଯେବେ ଆସିବ ତେବେ ହଠାତ୍‌ ଆସିବ ଓ ଦୁଷ୍ଟ ଲୋକମାନେ ଏଥିରୁ ବଞ୍ଚିପାରିବେନି ।

୫. ମହାକ୍ଳେଶ କିପରି ସକାଳର ଆଲୋକ ଭଳି ଅଟେ ?

ଦିନର ଆଲୋକ ଭଳି । ପାଉଲ ଯେଉଁ ତୃତୀୟ ଉଦାହରଣ ଦେଲେ, ସେଥିରେ ବି ସେ ଚୋରମାନଙ୍କ ବିଷୟରେ କହିଲେ । କିନ୍ତୁ ଏପରି ଜଣାପଡ଼େ ଯେ ଏଥର ସେ ପ୍ରଭୁଙ୍କ ଦିନର ତୁଳନା ଦିନର ଆଲୋକ ସହ କଲେ । (୧ ଥେସ. ୫:୪) ଯେଉଁମାନେ ରାତିର ଅନ୍ଧାରରେ ଚୋରି କରନ୍ତି, ସେମାନେ ଅନେକଥର ଜିନିଷ ଚୋରି କରିବାରେ ଏତେ ବ୍ୟସ୍ତ ହୋଇଯାନ୍ତି ଯେ ସେମାନଙ୍କୁ ସମୟ ହିଁ ଜଣାପଡ଼େନି । ଦେଖୁ ଦେଖୁ ସକାଳ ହୋଇଯାଏ ଓ ହଠାତ୍‌ ସେମାନେ ଧରା ପଡ଼ିଯାନ୍ତି । ଚୋରମାନଙ୍କ ଭଳି ଆଜି ବି କିଛି ଲୋକ ଖରାପ କାମଗୁଡ଼ିକରେ ଲାଗି ରହନ୍ତି ଓ ଏହା ଏପରି ଅଟେ ଯେପରି ସେମାନେ ଅନ୍ଧାରରେ ରହନ୍ତି । କିନ୍ତୁ ଯେବେ ମହାକ୍ଳେଶ ଆସିବ, ତେବେ ସେମାନଙ୍କ ପର୍ଦ୍ଦାଫାସ ହୋଇଯିବ । କିନ୍ତୁ ଆମେ ପ୍ରଭୁଙ୍କ ଦିନ ପାଇଁ ପ୍ରସ୍ତୁତ ରହିବାକୁ ଚାହୁଁ । ତେଣୁ ଆସନ୍ତୁ ଆମେ ଏପରି କାମଗୁଡ଼ିକରୁ ଦୂରେଇ ରହିବା ଯାହା ଯିହୋବାଙ୍କୁ ପସନ୍ଦ ନାହିଁ । ତାʼପରିବର୍ତ୍ତେ, “ସମସ୍ତ ପ୍ରକାର ଉତ୍ତମତା,” “ଧାର୍ମିକତା” କାମରେ ଲାଗି ରହିବା ଓ ‘ସତ୍ୟର’ ରାସ୍ତାରେ ଚାଲୁଥିବା । (ଏଫି. ୫:୮-୧୨) ପ୍ରେରିତ ପାଉଲ ଏବିଷୟରେ ଆହୁରି ଦୁଇଟି ଉଦାହରଣ ଦେଲେ, ଯେଉଁଥିରେ ସେ କହିଲେ ଯେ କେଉଁ ଲୋକମାନେ ପ୍ରଭୁଙ୍କ ଦିନରେ ବଞ୍ଚିବେନି ।

ପ୍ରଭୁଙ୍କ ଦିନରେ କେଉଁ ଲୋକମାନେ ବଞ୍ଚିପାରିବେନି ?

୬. ଆଜି ଅଧିକାଂଶ ଲୋକ ନିଦରେ ଅଛନ୍ତି, ଏପରି ଆମେ କାହିଁକି କହିପାରିବା ? (୧ ଥେସଲନୀକୀୟ ୫:୬, ୭)

‘ଯେଉଁମାନେ ନିଦ୍ରାରେ ଅଛନ୍ତି ।’ (୧ ଥେସଲନୀକୀୟ ୫:୬, ୭ ପଢ଼ନ୍ତୁ ।) ପ୍ରଭୁଙ୍କ ଦିନରେ ଯେଉଁ ଲୋକମାନେ ବଞ୍ଚିପାରିବେନି ସେମାନଙ୍କ ତୁଳନା ପାଉଲ ସେହି ଲୋକମାନଙ୍କ ସହ କଲେ, ଯେଉଁମାନେ ନିଦରେ ଅଛନ୍ତି । ସେମାନଙ୍କୁ ସମୟ ହିଁ ଜଣାପଡ଼େନି ଆଉ ଏହା ବି ଜଣାପଡ଼େନି ଯେ ସେମାନଙ୍କ ଆଖପାଖରେ କʼଣ ହେଉଛି । ତେଣୁ ଯେବେ କୌଣସି ମହତ୍ତ୍ୱପୂର୍ଣ୍ଣ ଘଟଣା ଘଟେ, ତେବେ ସେମାନଙ୍କୁ କିଛି ବି ଅନୁଭବ ହିଁ ହୁଏନି ଆଉ ସେମାନେ କିଛି ବି କରିପାରନ୍ତିନି । ଆଜି ଅଧିକାଂଶ ଲୋକମାନେ ଦେଖିବାକୁ ଗଲେ ନିଦରେ ଅଛନ୍ତି । (ରୋମୀ. ୧୧:୮) ଦୁନିଆରେ ଯାହା ହେଉଛି ସେସବୁକୁ ବି ଦେଖି ସେମାନଙ୍କୁ ଅନୁଭବ ହୁଏନି ଯେ ଆମେ “ଶେଷକାଳରେ” ବଞ୍ଚୁଛୁ ଆଉ ମହାକ୍ଳେଶ ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି । କିନ୍ତୁ ଦୁନିଆରେ ଯେବେ ବଡ଼ ବଡ଼ ଘଟଣା ଘଟେ, ତେବେ ହୁଏତ ସେହି ଲୋକମାନେ ଜାଗ୍ରତ ହୋଇଯିବେ ଓ ରାଜ୍ୟର ସନ୍ଦେଶ ଉପରେ ଟିକେ ଆଗ୍ରହ ଦେଖାଇବେ । କିନ୍ତୁ ସେମଧ୍ୟରୁ ଅଧିକାଂଶ ଲୋକ କିଛି ବି ପଦକ୍ଷେପ ନିଅନ୍ତିନି, ଏପରି ଭାବେ ସେମାନେ ପୁଣିଥରେ ନିଦରେ ଚାଲିଯାନ୍ତି । କିଛି ଲୋକ ଏହା ତ ମାନନ୍ତି ଯେ ଈଶ୍ୱର ଦିନେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦେବେ, କିନ୍ତୁ ସେମାନଙ୍କୁ ଲାଗେ ଯେ ସେହି ଦିନ ବହୁତ ଦୂରରେ ଅଛି । (୨ ପିତ. ୩:୩, ୪) କିନ୍ତୁ ଆମେ ଜାଣିଛୁ ଯେପରି ଦିନ ଗଡ଼ି ଗଡ଼ି ଚାଲିଛି, ଏହା ବହୁତ ଜରୁରୀ ହୋଇଯାଇଛି ଯେ ଆମେ ବାଇବଲର ପରାମର୍ଶ ମାନୁ ଓ ଜାଗ୍ରତ ରହୁ ।

୭. ଈଶ୍ୱର ଯେଉଁ ଲୋକମାନଙ୍କୁ ବିନାଶ କରିବେ, ସେମାନେ କିପରି ମାତାଲ୍‌ ଲୋକମାନଙ୍କ ଭଳି ଅଟନ୍ତି ?

‘ଯେଉଁମାନେ ମାତାଲ୍‌ ଥାଆନ୍ତି ।’ (୧ ଥେସ. ୫:୭) ଈଶ୍ୱର ଯେଉଁ ଲୋକମାନଙ୍କୁ ବିନାଶ କରିବେ, ପାଉଲ ସେମାନଙ୍କ ତୁଳନା ମାତାଲ୍‌ ଲୋକମାନଙ୍କ ସହ କଲେ । ଯେଉଁ ଲୋକମାନେ ନିଶାରେ ଥାଆନ୍ତି, ସେମାନେ ତୁରନ୍ତ ପଦକ୍ଷେପ ନେଇପାରନ୍ତିନି ଓ ଠିକ୍‌ ନିଷ୍ପତ୍ତି ବି ନେଇପାରନ୍ତିନି । ସେହିପରି ଦୁଷ୍ଟ ଲୋକମାନେ ଈଶ୍ୱରଙ୍କ ତରଫରୁ ମିଳୁଥିବା ଚେତାବନୀ ଉପରେ କୌଣସି ଧ୍ୟାନ ଦିଅନ୍ତିନି । ସେମାନେ ଏପରି ଜୀବନ ବିତାନ୍ତି ଯାହା ସେମାନଙ୍କୁ ବିନାଶ ଆଡ଼କୁ ନେଇଯାଏ । କିନ୍ତୁ ଖ୍ରୀଷ୍ଟିୟାନମାନଙ୍କୁ ସଚେତନ ରହିବା ପାଇଁ କୁହାଯାଇଛି । ବାଇବଲର ଜଣେ ବିଦ୍ୱାନ କହିଲେ ଯେ ସଚେତନ ରହିବାର ଅର୍ଥ ହେଉଛି, ‘ଶାନ୍ତ ରହିବା, କୌଣସି ମାମଲା ବିଷୟରେ ଟିକେ ଅଟକି ଭାବିବା ଯାହାଦ୍ୱାରା ଆମେ ଠିକ୍‌ ନିଷ୍ପତ୍ତି ନେଇପାରୁ ।’ ଆମକୁ ଶାନ୍ତ ରହିବା ଓ ଟିକେ ଅଟକି ଭାବିବା କାହିଁକି ଜରୁରୀ ? କାରଣ ଏପରି କଲେ ଆମେ ରାଜନୈତିକ ଓ ସାମାଜିକ ମାମଲାରେ ପଡ଼ିବାନି । ପ୍ରଭୁଙ୍କ ଦିନ ଯେତେ ପାଖେଇ ଆସୁଛି, ଏହି ମାମଲାଗୁଡ଼ିକରେ କାହାରି ପକ୍ଷ ନେବା ପାଇଁ ଚାପ ଆହୁରି ବଢ଼ି ଚାଲିବ । କିନ୍ତୁ ସେସମୟରେ ଆମେ କʼଣ କରିବା, ତାହା ଭାବି ଆମେ ଡରିବା ଉଚିତ୍‌ ନୁହେଁ । ଈଶ୍ୱରଙ୍କ ପବିତ୍ର ଶକ୍ତି ସାହାଯ୍ୟରେ ଆମ ମନ ଶାନ୍ତ ରହିପାରିବ, ଆମେ ଭଲଭାବେ ଭାବିପାରିବା ଓ ସଠିକ୍‌ ନିଷ୍ପତ୍ତି ନେଇପାରିବା ।—ଲୂକ ୧୨:୧୧, ୧୨.

ପ୍ରଭୁଙ୍କ ଦିନ ପାଇଁ କିପରି ପ୍ରସ୍ତୁତ ରହିବା ?

ଅଧିକାଂଶ ଲୋକଙ୍କୁ କିଛି ଅନୁଭବ ହିଁ ହୁଏନି ଯେ ଆମେ କିପରି ସମୟରେ ବଞ୍ଚୁଛୁ, କିନ୍ତୁ ଆମେ ବିଶ୍ୱାସ ଓ ପ୍ରେମର କବଚ ଓ ଆଶାର ଟୋପି ପିନ୍ଧି ରହୁ ଏବଂ ପ୍ରଭୁଙ୍କ ଦିନ ପାଇଁ ପ୍ରସ୍ତୁତ ରହୁ (ପାରାଗ୍ରାଫ ୮, ୧୨)

୮. ୧ ଥେସଲନୀକୀୟ ୫:୮ ପଦରେ ଦିଆଯାଇଥିବା ଉଦାହରଣ ଦେଇ ବୁଝାନ୍ତୁ ଯେ ଆମେ କିପରି ସତର୍କ ଓ ସଚେତନ ରହିପାରିବା । (ଚିତ୍ର ମଧ୍ୟ ଦେଖନ୍ତୁ ।)

‘ଉରସ୍ତ୍ରାଣ (କବଚ) . . . ଶିରସ୍ତ୍ରାଣ (ସୁରକ୍ଷା ଟୋପି) ପିନ୍ଧି ରହନ୍ତୁ ।’ ପାଉଲ ଖ୍ରୀଷ୍ଟିୟାନମାନଙ୍କ ତୁଳନା ସୈନିକମାନଙ୍କ ସହ କଲେ ଯେଉଁମାନେ ସତର୍କ ରହନ୍ତି ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ରହନ୍ତି । (୧ ଥେସଲନୀକୀୟ ୫:୮ ପଢ଼ନ୍ତୁ ।) ଜଣେ ସୈନିକକୁ ସବୁବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାର ଥାଏ । ସେହିପରି ଆମକୁ ବି ପ୍ରଭୁଙ୍କ ଦିନ ପାଇଁ ସବୁବେଳେ ପ୍ରସ୍ତୁତ ରହିବାର ଅଛି । ଆମେ ବିଶ୍ୱାସ ଓ ପ୍ରେମର କବଚ ଓ ଆଶାର ସୁରକ୍ଷା ଟୋପି ପିନ୍ଧି ଏପରି କରିପାରିବା । ଆସନ୍ତୁ ଦେଖିବା ଯେ ବିଶ୍ୱାସ, ପ୍ରେମ ଓ ଆଶା ଥିଲେ ଆମକୁ କିପରି ସାହାଯ୍ୟ ମିଳିପାରିବ ।

୯. ବିଶ୍ୱାସ ଥିବା ଦ୍ୱାରା କିପରି ଆମ ସୁରକ୍ଷା ହୁଏ ?

କବଚ ପିନ୍ଧିବା ଦ୍ୱାରା ଜଣେ ସୈନିକର ହୃଦୟର ରକ୍ଷା ହୁଏ । ସେହିପରି ବିଶ୍ୱାସ ଓ ପ୍ରେମ ଥିବା ଯୋଗୁଁ ଆମ ହୃଦୟର ରକ୍ଷା ହେବ । ଆମେ ଯିହୋବାଙ୍କ ସେବା କରିବା ଜାରି ରଖିପାରିବା ଓ ଯୀଶୁଙ୍କ ପଦଚିହ୍ନରେ ଚାଲିପାରିବା । ବିଶ୍ୱାସ ଥିବା ଯୋଗୁଁ ଆମକୁ ଭରସା ଥାଏ ଯେ ଯଦି ଆମେ ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କ ସେବା କରୁ, ତେବେ ସେ ଆମକୁ ପୁରସ୍କାର ଦେବେ । (ଏବ୍ରୀ ୧୧:୬) ଆଜି ଯୀଶୁ ଆମର ନେତୃତ୍ୱ ନେଉଛନ୍ତି । ବିଶ୍ୱାସ ଥିବା ଦ୍ୱାରା ଆମେ ତାଙ୍କ ବିଶ୍ୱସ୍ତ ବି ରହିପାରିବା, ଯଦିଓ ତାʼପାଇଁ ଆମକୁ ସମସ୍ୟାର ସାମନା କରିବାକୁ ପଡ଼େ । ଆମେ ନିଜ ବିଶ୍ୱାସ କିପରି ବଢ଼ାଇପାରିବା, ଯାହାଦ୍ୱାରା ଆମେ ସମସ୍ୟାଗୁଡ଼ିକର ସାମନା କରିପାରିବା ? ଆମେ ଆମ ସମୟର ସେହି ଭାଇଭଉଣୀମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେଇପାରିବା, ଯେଉଁମାନେ ଅତ୍ୟାଚାର କିମ୍ବା ଆର୍ଥିକ ସମସ୍ୟା ସତ୍ତ୍ୱେ ମଧ୍ୟ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ଆମେ ସେହି ଭାଇଭଉଣୀମାନଙ୍କ ଉଦାହରଣଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେଇପାରିବା, ଯେଉଁମାନେ ନିଜ ଜୀବନ ସାଦା କଲେ ଏବଂ ଈଶ୍ୱରଙ୍କ ରାଜ୍ୟକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଲେ । ଏପରି କରିବା ଯୋଗୁଁ ଆମେ ଧନ-ସମ୍ପତ୍ତି ପଛରେ ଯିବା ନାହିଁ । b

୧୦. ଈଶ୍ୱର ଓ ଲୋକମାନଙ୍କ ପାଇଁ ପ୍ରେମ ଥିବା ଯୋଗୁଁ ଆମେ କିପରି ହାର୍‌ ମାନି ନ ଥାଉ ?

୧୦ ଜାଗ୍ରତ ରହିବା ଓ ସଚେତନ ରହିବା ପାଇଁ ପ୍ରେମ ରହିବା ବି ଜରୁରୀ ଅଟେ । (ମାଥି. ୨୨:୩୭-୩୯) ଅନେକଥର ପ୍ରଚାର କରିବା ଯୋଗୁଁ ଆମକୁ ଅନେକ ସମସ୍ୟାର ମଧ୍ୟ ସାମନା କରିବାକୁ ପଡ଼େ । କିନ୍ତୁ ଆମେ ଈଶ୍ୱରଙ୍କୁ ପ୍ରେମ କରୁ, ତେଣୁ ହାର୍‌ ମାନି ନ ଥାଉ, ବରଂ ପ୍ରଚାର କାମରେ ଲାଗି ରହୁ । (୨ ତୀମ. ୧:୭, ୮) ଆମେ ନିଜ “ପ୍ରତିବାସୀକି” ବି ପ୍ରେମ କରୁ, ତେଣୁ ଆମେ ନିଜ ଅଞ୍ଚଳରେ ଲୋକମାନଙ୍କୁ ପ୍ରଚାର କରିବା ଛାଡ଼ି ନ ଥାଉ । ଆମେ ଚିଠି ଏବଂ ଫୋନ୍‌ ଜରିଆରେ ମଧ୍ୟ ସାକ୍ଷ୍ୟ ଦେଉ । ଆମେ ଏହା ଆଶା ଛାଡ଼ି ନ ଥାଉ ଯେ ଦିନେ ସେମାନେ ବଦଳିବେ ଏବଂ ସଠିକ୍‌ କାମ କରିବେ ।—ଯିହି. ୧୮:୨୭, ୨୮.

୧୧. ଭାଇଭଉଣୀମାନଙ୍କ ପାଇଁ ପ୍ରେମ ଥିବା ଯୋଗୁଁ ଆମେ କʼଣ କରିପାରୁ ? (୧ ଥେସଲନୀକୀୟ ୫:୧୧)

୧୧ ଆମ ଭାଇଭଉଣୀମାନେ ମଧ୍ୟ ଆମ ପଡ଼ୋଶୀ ଅଟନ୍ତି, ଆମକୁ ସେମାନଙ୍କୁ ବି ପ୍ରେମ କରିବା ଉଚିତ୍‌ । ଆମେ ‘ପରସ୍ପରକୁ ସାନ୍ତ୍ୱନା ଦେଇ ଓ ପରସ୍ପରର ନିଷ୍ଠା ଜନ୍ମାଇ’ ମଧ୍ୟ ନିଜ ପ୍ରେମ ଦେଖାଇପାରିବା । (୧ ଥେସଲନୀକୀୟ ୫:୧୧ ପଢ଼ନ୍ତୁ ।) ଯେପରି ଯୁଦ୍ଧ ସମୟରେ ସୈନିକମାନେ କାନ୍ଧରେ କାନ୍ଧ ମିଳାଇ ପରସ୍ପରକୁ ସହଯୋଗ କରନ୍ତି, ସେହିପରି ଆମେ ବି ପରସ୍ପରର ସାହସ ବଢ଼ାଇପାରିବା । କିନ୍ତୁ ଅନେକଥର ଯୁଦ୍ଧ ସମୟରେ ସୈନିକମାନେ ପରସ୍ପରକୁ ଆଘାତ ପହଞ୍ଚାଇ ଦିଅନ୍ତି । କିନ୍ତୁ ସେମାନେ କେବେ ବି ଏହା ଜାଣିଶୁଣି କରନ୍ତିନି । ସେହିପରି ଆମେ ବି ନିଜ ଭାଇଭଉଣୀମାନଙ୍କୁ କେବେ ବି ଜାଣିଶୁଣି ଆଘାତ ପହଞ୍ଚାଇ ନ ଥାଉ କିମ୍ବା ଅପକାର ବଦଳରେ ଅପକାର କରି ନ ଥାଉ । (୧ ଥେସ. ୫:୧୩, ୧୫) ନିଜ ପ୍ରେମ ଦେଖାଇବାର ଆଉ ଗୋଟିଏ ଉପାୟ ହେଉଛି, ସେହି ଭାଇମାନଙ୍କର ଆଦର କରିବା ଯେଉଁମାନେ ମଣ୍ଡଳୀରେ ନେତୃତ୍ୱ ନିଅନ୍ତି । (୧ ଥେସ. ୫:୧୨) ଯେବେ ପାଉଲ ଥେସଲନୀକୀୟ ମଣ୍ଡଳୀକୁ ନିଜ ପ୍ରଥମ ଚିଠି ଲେଖିଲେ, ତେବେ ସେହି ମଣ୍ଡଳୀକୁ ଆରମ୍ଭ ହୋଇ ଗୋଟେ ବର୍ଷ ବି ହୋଇ ନ ଥିଲା । ତେଣୁ ଏହା ସ୍ୱାଭାବିକ ଅଟେ ଯେ ସେଠାରେ ନେତୃତ୍ୱ ନେଉଥିବା ଭାଇମାନଙ୍କୁ ଅଧିକ ଅନୁଭୂତି ନ ଥିବ । ହୁଏତ ସେମାନଙ୍କ ଦ୍ୱାରା ଅନେକ ଭୁଲ ବି ହୋଇଯାଇଥିବ । ତଥାପି ସେମାନେ ଯେଉଁ କଠିନ ପରିଶ୍ରମ କରିଥିଲେ, ତାʼପାଇଁ ଭାଇଭଉଣୀମାନଙ୍କୁ ସେମାନଙ୍କର ଆଦର କରିବାର ଥିଲା । ଏଥିରୁ ଆମେ କʼଣ ଶିଖୁ ? ଆମକୁ ବି ମଣ୍ଡଳୀର ପ୍ରାଚୀନମାନଙ୍କୁ ପ୍ରେମ ଓ ଆଦର କରିବା ଉଚିତ୍‌ । ମହାକ୍ଳେଶ ଯେମିତି ପାଖେଇ ଆସୁଛି, ହୁଏତ ଆମେ ବିଶ୍ୱ ମୁଖ୍ୟାଳୟ କିମ୍ବା ଶାଖା କାର୍ଯ୍ୟାଳୟର ଭାଇମାନଙ୍କ ସହ ସମ୍ପର୍କ କରିପାରିବାନି । ହୋଇପାରେ, ନିର୍ଦ୍ଦେଶଗୁଡ଼ିକ ପାଇଁ ଆମକୁ ପ୍ରାଚୀନମାନଙ୍କ ଉପରେ ଆହୁରି ଅଧିକ ନିର୍ଭର ରହିବାକୁ ପଡ଼ିବ । ତେଣୁ ଜରୁରୀ ଯେ ଆମେ ଏବେଠୁ ସେମାନଙ୍କୁ ପ୍ରେମ ଓ ଆଦର କରୁ । ଆଗକୁ ପରିସ୍ଥିତି କେତେ ବି କଠିନ ହେଉ, ଆମେ ସଚେତନ ରହିବା । ଆସନ୍ତୁ ଆମେ ପ୍ରାଚୀନମାନଙ୍କ ଦୁର୍ବଳତାଗୁଡ଼ିକ ଉପରେ ଧ୍ୟାନ ଦେବାନି, ବରଂ ଆମେ ଏହା ଧ୍ୟାନ ଦେବା ଯେ ସେମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି, ତାହା ଯିହୋବା ସେମାନଙ୍କୁ ଦେଇଛନ୍ତି ଏବଂ ଯୀଶୁଙ୍କ ଜରିଆରେ ସେମାନଙ୍କର ମାର୍ଗଦର୍ଶନ କରୁଛନ୍ତି ।

୧୨. ଆଶା ଥିବା ଯୋଗୁଁ ଆମ ଚିନ୍ତାଧାରାର ସୁରକ୍ଷା କିପରି ହୁଏ ?

୧୨ ଯେପରି ସୁରକ୍ଷା ଟୋପି ଜଣେ ସୈନିକର ମୁଣ୍ଡର ସୁରକ୍ଷା କରେ, ସେହିପରି ନିଜ ଆଶା ଉପରେ ଧ୍ୟାନ ଦେବା ଯୋଗୁଁ ଆମ ଚିନ୍ତାଧାରାର ସୁରକ୍ଷା ହୁଏ । ଆମ ଆଶା ଦୃଢ଼ ଅଟେ, ତେଣୁ ଆମେ ଜାଣୁ ଯେ ଏହି ଦୁନିଆ ଆମକୁ ଯାହା ବି ଦେବା ପାଇଁ ପ୍ରତିଜ୍ଞା କରେ, ସେସବୁ ବେକାର ଅଟେ । (ଫିଲିପ୍‌. ୩:୮) ଆଶା ଥିବା ଯୋଗୁଁ ଆମ ମନ ଶାନ୍ତ ରହେ ଓ ଆମେ ଭଲଭାବେ ଭାବିପାରୁ । ଭାଇ ୱୋଲେସ ଓ ତାଙ୍କ ସ୍ତ୍ରୀ ଲୌରିଣ୍ଡାଙ୍କ ସହ ବି ଏପରି ହିଁ କିଛି ହେଲା, ଯେଉଁମାନେ ଆଫ୍ରିକାରେ ସେବା କରନ୍ତି । ତିନି ସପ୍ତାହ ମଧ୍ୟରେ ଭାଇ ୱୋଲେସଙ୍କ ବାପା ଓ ଭଉଣୀ ଲୌରିଣ୍ଡାଙ୍କ ମାଆଙ୍କ ମୃତ୍ୟୁ ହୋଇଗଲା । ସେସମୟରେ କୋଭିଡ୍‌-୧୯ ମହାମାରୀ ବ୍ୟାପିଥିଲା, ତେଣୁ ସେହି ଦୁଃଖ ସମୟରେ ମଧ୍ୟ ସେମାନେ ନିଜ ପରିବାରର ଲୋକମାନଙ୍କ ପାଖରେ ଯାଇପାରିଲେନି । ଭାଇ ୱୋଲେସ ଲେଖିଲେ, ‘ଆମକୁ ଆଶା ଅଛି ଯେ ସେମାନେ ପୁଣିଥରେ ଜୀବିତ ହୋଇଯିବେ । ତେଣୁ ମୁଁ ଏହା ଭାବେନି ଯେ ଯେବେ ସେମାନେ ଏହି ଦୁନିଆରେ ଶେଷ ନିଶ୍ୱାସ ନେଉଥିଲେ, ତେବେ ସେମାନଙ୍କ ପରିସ୍ଥିତି କିପରି ଥିଲା, ବରଂ ମୁଁ ଏହା ଭାବେ ଯେ ଯେବେ ନୂଆ ଦୁନିଆରେ ସେମାନେ ପୁଣିଥରେ ନିଶ୍ୱାସ ନେବେ ତେବେ ସେମାନେ କିପରି ଅନୁଭବ କରିବେ । ଯେବେ ମୁଁ ବହୁତ ଦୁଃଖି ହୋଇଯାଏ କିମ୍ବା ତାଙ୍କ କଥା ମୋତେ ବହୁତ ମନେପଡ଼େ, ତେବେ ଏହି ଆଶା ଯୋଗୁଁ ମୁଁ ନିଜକୁ ସମ୍ଭାଳିପାରେ ।’

୧୩. ପବିତ୍ର ଶକ୍ତି ପାଇବା ପାଇଁ ଆମେ କʼଣ କରିପାରିବା ?

୧୩ ‘ପବିତ୍ର ଶକ୍ତିକୁ ନିର୍ବାଣ ନ କର ।’ (୧ ଥେସ. ୫:୧୯) ପାଉଲ ପବିତ୍ର ଶକ୍ତିର ତୁଳନା ଏପରି ନିଆଁ ସହ କଲେ ଯାହା ଆମ ଭିତରେ ଜଳୁଛି । ଯେବେ ଈଶ୍ୱର ଆମକୁ ନିଜ ପବିତ୍ର ଶକ୍ତି ଦିଅନ୍ତି, ତେବେ ସଠିକ୍‌ କାମ କରିବା ପାଇଁ ଆମେ ଉତ୍ସାହିତ ହେଉ ଓ ମନପ୍ରାଣ ଦେଇ ତାଙ୍କ ସେବା କରୁ । (ରୋମୀ. ୧୨:୧୧) ଆମେ କିପରି ପବିତ୍ର ଶକ୍ତି ପାଇପାରିବା ? ଆମେ ତାʼପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା, ବାଇବଲ ଅଧ୍ୟୟନ କରିପାରିବା ଓ ପବିତ୍ର ଶକ୍ତିର ମାର୍ଗଦର୍ଶନରେ ଚାଲୁଥିବା ସଙ୍ଗଠନ ସହିତ ଜଡ଼ିତ ରହିପାରିବା । ଏପରି କଲେ ଆମେ ‘ପବିତ୍ର ଶକ୍ତିର ଫଳ’ ଅର୍ଥାତ୍‌ ଈଶ୍ୱରଙ୍କ ଗୁଣ ବଢ଼ାଇପାରିବା ।—ଗାଲା. ୫:୨୨, ୨୩.

ନିଜକୁ ପଚାରନ୍ତୁ, ‘କʼଣ ମୋ କାମଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଲଗାତାର ଯିହୋବାଙ୍କ ପବିତ୍ର ଶକ୍ତି ପାଇବା ପାଇଁ ଚାହେଁ ?’ (ପାରାଗ୍ରାଫ ୧୪)

୧୪. ଯଦି ଆମେ ଚାହୁଁ ଯେ ଆମକୁ ଈଶ୍ୱରଙ୍କ ପବିତ୍ର ଶକ୍ତି ଲଗାତାର ମିଳୁ, ତେବେ ଆମକୁ କେଉଁ କଥା ଧ୍ୟାନ ରଖିବା ଉଚିତ୍‌ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଯେବେ ଈଶ୍ୱର ଆମକୁ ପବିତ୍ର ଶକ୍ତି ଦିଅନ୍ତି, ତେବେ ଆମେ ଧ୍ୟାନ ରଖିବା ଉଚିତ୍‌ ଯେ ଆମେ ‘ପବିତ୍ର ଶକ୍ତିକୁ ନିର୍ବାଣ ନ କରୁ ।’ ଈଶ୍ୱର ସେମାନଙ୍କୁ ନିଜ ପବିତ୍ର ଶକ୍ତି ଦିଅନ୍ତି, ଯେଉଁମାନେ ଭଲ କଥାଗୁଡ଼ିକ ବିଷୟରେ ଭାବନ୍ତି ଓ ଯେଉଁମାନେ ନିଜ ଚାଲିଚଳନ ଶୁଦ୍ଧ ରଖନ୍ତି । ଯଦି ଆମେ ଖରାପ କଥାଗୁଡ଼ିକ ବିଷୟରେ ଭାବୁଥିବା ଓ ସେପରି ହିଁ କାମ କରିବା, ତେବେ ଯିହୋବା ଆମକୁ ନିଜ ପବିତ୍ର ଶକ୍ତି ଦେବା ବନ୍ଦ କରିଦେବେ । (୧ ଥେସ. ୪:୭, ୮) ଯଦି ଆମେ ଚାହୁଁ ଯେ ଯିହୋବା ଆମକୁ ଲଗାତାର ପବିତ୍ର ଶକ୍ତି ଦିଅନ୍ତୁ, ତେବେ ଏହା ଜରୁରୀ ଯେ ଆମେ ‘ଭାବବାଣୀଗୁଡ଼ିକୁ ତୁଚ୍ଛ’ ମନେ ନ କରୁ । (୧ ଥେସ. ୫:୨୦) ଏଠାରେ ‘ଭାବବାଣୀର’ ଅର୍ଥ ସେହି କଥାଗୁଡ଼ିକ ଅଟେ ଯାହା ଯିହୋବା ନିଜ ପବିତ୍ର ଶକ୍ତି ଜରିଆରେ ଲେଖାଇଛନ୍ତି, ଯେପରି ତାଙ୍କ ଦିନ ବିଷୟରେ ଓ ଏବିଷୟରେ ଯେ ସେହି ଦିନ କେତେ ନିକଟରେ ଅଛି । ତେଣୁ ଆମେ ଏହା ଭାବିବା ଉଚିତ୍‌ ନୁହେଁ ଯେ ହର୍ମିଗିଦ୍ଦୋନ ଆସିବାରେ ଏବେ ବହୁତ ଡେରି ଅଛି କିମ୍ବା ଆମ ବଞ୍ଚିଥିବା ଯାଏ ଏହା ଆସିବନି । ତାʼପରିବର୍ତ୍ତେ ଆମେ ଭାବିବା ଉଚିତ୍‌ ଯେ ଏହା ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି । ଏପରି ଆମେ ତେବେ କରିପାରିବା ଯେବେ ଆମେ ନିଜ ଚାଲିଚଳନ ଶୁଦ୍ଧ ରଖିବା ଏବଂ ପ୍ରତିଦିନ “ଈଶ୍ୱରଙ୍କ ଭକ୍ତିର କାମ” କରିବା ।—୨ ପିତ. ୩:୧୧, ୧୨ NWT.

“ସମସ୍ତ ବିଷୟ ପରୀକ୍ଷା କର”

୧୫. ଯଦି ଆମେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ପ୍ରେରଣାରେ କୁହାଯାଇଥିବା ମିଛ କଥାଗୁଡ଼ିକ ଉପରେ ବିଶ୍ୱାସ କରିବା ପାଇଁ ଚାହୁଁନୁ, ତେବେ ଆମକୁ କʼଣ କରିବାକୁ ପଡ଼ିବ ? (୧ ଥେସଲନୀକୀୟ ୫:୨୧)

୧୫ ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ଶତ୍ରୁ ଯେକୌଣସି ଉପାୟରେ “ଶାନ୍ତି ଓ ନିରାପଦ” ଘୋଷଣା କରିବ । (୧ ଥେସ. ୫:୩) ପୂରା ପୃଥିବୀ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ପ୍ରେରଣାରେ କୁହାଯାଉଥିବା କଥାରୁ ଭରିଯିବ ଏବଂ ଅଧିକାଂଶ ଲୋକ ଭ୍ରାନ୍ତ ହୋଇଯିବେ । (ପ୍ରକା. ୧୬:୧୩, ୧୪) କିନ୍ତୁ ଯଦି ଆମେ “ସମସ୍ତ ବିଷୟ ପରୀକ୍ଷା” କରିବା, ତେବେ ଆମେ ତାଙ୍କ କଥାଗୁଡ଼ିକରେ ଆସିବାନି । (୧ ଥେସଲନୀକୀୟ ୫:୨୧ ପଢ଼ନ୍ତୁ ।) ଏହି ପଦରେ ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ପରୀକ୍ଷା” କରାଯାଇଛି, ଏହା ତେବେ ବ୍ୟବହାର କରାଯାଉଥିଲା, ଯେବେ ସୁନା କିମ୍ବା ରୂପା ଭଳି ଧାତୁଗୁଡ଼ିକୁ ପରୀକ୍ଷା କରିବାର ମାମଲା ଆସୁଥିଲା । ତେଣୁ ଆଜି ଯେବେ ଆମେ କୌଣସି କଥା ଶୁଣୁ କିମ୍ବା କିଛି ପଢ଼ୁ, ତେବେ ପରୀକ୍ଷା କରି ଦେଖିବା ଉଚିତ୍‌ ଯେ ତାହା ଠିକ୍‌ ଅଟେ ନା ନୁହେଁ । ଥେସଲନୀକୀୟର ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏପରି କରିବା ଜରୁରୀ ଥିଲା । ଆଉ ଯେପରି ମହାକ୍ଳେଶ ଆହୁରି ନିକଟ ଆସୁଛି, ଆମ ପାଇଁ ଏପରି କରିବା ଆହୁରି ଜରୁରୀ ହୋଇଯାଉଛି । ତେଣୁ ଯେବେ ଅନ୍ୟମାନେ କିଛି କହନ୍ତି, ତେବେ ଆମେ ଆଖିବୁଜି ତାʼଉପରେ ବିଶ୍ୱାସ କରିବା ପରିବର୍ତ୍ତେ, ଭାବିଚିନ୍ତି କାମ କରିବା ଉଚିତ୍‌ ଓ ଦେଖିବା ଉଚିତ୍‌ ଯେ ତାହା ବାଇବଲ କିମ୍ବା ଯିହୋବାଙ୍କ ସଙ୍ଗଠନ ଯାହା କହିଛି, ତାʼଅନୁସାରେ ଠିକ୍‌ ଅଟେ ନା ନୁହେଁ । ଯଦି ଆମେ ଏପରି କରିବା, ତେବେ ଆମେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ କଥାଗୁଡ଼ିକରେ ଆସିବାନି ।—ହିତୋ. ୧୪:୧୫; ୧ ତୀମ. ୪:୧.

୧୬. ଆମକୁ କେଉଁ କଥାର ଦୃଢ଼ ଆଶା ଅଛି ଓ ଆମେ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛୁ ?

୧୬ ଗୋଟିଏ ସମୂହ ଭାବେ ଈଶ୍ୱରଙ୍କ ଲୋକମାନଙ୍କୁ ମହାକ୍ଳେଶରୁ ରକ୍ଷା କରାଯିବ । କିନ୍ତୁ ଆମେ ଏହା ଜାଣିନୁ ଯେ ଆମ ମଧ୍ୟରୁ ପ୍ରତ୍ୟେକଙ୍କ ସହ କାଲି କʼଣ ହେବ । (ଯାକୁ. ୪:୧୪) ହୁଏତ ମହାକ୍ଳେଶ ପୂର୍ବେ ହିଁ ଆମ ମୃତ୍ୟୁ ହୋଇଯାଇପାରେ କିମ୍ବା ଆମେ ସେଥିରୁ ବଞ୍ଚିଯାଇପାରୁ । ଆମ ସହିତ ଯାହା ବି ହେଉ ନା କାହିଁକି ଆମେ ଗୋଟେ କଥାର ଭରସା ରଖିପାରିବା ଯେ ଯଦି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା, ତେବେ ସେ ଆମକୁ ଅନନ୍ତ ଜୀବନ ନିଶ୍ଚୟ ଦେବେ । ଅଭିଷିକ୍ତ ଖ୍ରୀଷ୍ଟିୟାନ ସ୍ୱର୍ଗରେ ଯୀଶୁ ଖ୍ରୀଷ୍ଟଙ୍କ ସହ ଶାସନ କରିବେ ଏବଂ ଅନ୍ୟ ମେଷର ଲୋକମାନେ ପୃଥିବୀରେ ଏହି ପାରଦୀଶରେ ବଞ୍ଚିବେ । ଆମ ଆଶା ଯାହା ବି ଥାଉ ନା କାହିଁକି, ଆସନ୍ତୁ ଆମେ ତାʼଉପରେ ଧ୍ୟାନ ଦେଉଥିବା ଏବଂ ପ୍ରଭୁଙ୍କ ଦିନ ପାଇଁ ସବୁବେଳେ ପ୍ରସ୍ତୁତ ରହିବା !

ଗୀତ ୧୫୦ ହିଫାଜତ୍‌ କେ ଲିଏ ୟହୋୱା କି ଖୋଜ୍‌ କରେଁ

a ୧ ଥେସଲନୀକୀୟ ୫ ଅଧ୍ୟାୟରେ ପ୍ରେରିତ ପାଉଲ ଅନେକ ଉଦାହରଣ ଦେଇ ଭବିଷ୍ୟତରେ ଆସୁଥିବା ଯିହୋବାଙ୍କ ଦିନ ବିଷୟରେ କହିଲେ । ଏହି “ଦିନ” କʼଣ ଅଟେ ? ଏହା କିପରି ଆସିବ ? ଏହି ଦିନରେ କିଏ ବଞ୍ଚିପାରିବ ଓ କିଏ ନୁହେଁ ? ସେହି ଦିନ ପାଇଁ ଆମେ କିପରି ପ୍ରସ୍ତୁତ ରହିପାରିବା ? ଏହି ଲେଖାରେ ଆମେ ପାଉଲ କହିଥିବା କଥାଗୁଡ଼ିକ ଉପରେ ଚର୍ଚ୍ଚା କରିବା ଓ ଏସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ।

bଉନହୋନେ ଖୁସି-ଖୁସି ଖୁଦ୍‌ କୋ ପେଶ୍‌ କିୟା” (ହିନ୍ଦୀ) ସିରିଜ୍‌ରେ ଦିଆଯାଇଥିବା ଲେଖା ପଢ଼ନ୍ତୁ ।