इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଜୀବନ କାହାଣୀ

ଯିହୋବାଙ୍କ ସେବା ଅନେକ ଉପାୟରେ କରି, ଅନେକ କଥା ଶିଖିଲି

ଯିହୋବାଙ୍କ ସେବା ଅନେକ ଉପାୟରେ କରି, ଅନେକ କଥା ଶିଖିଲି

ଛୋଟ ବେଳେ ଯେବେ ମୁଁ କୌଣସି ଉଡ଼ାଜାହାଜକୁ ଉପରୁ ଯିବାର ଦେଖୁଥିଲି, ତେବେ ମୋତେ ବହୁତ ଇଚ୍ଛା ହେଉଥିଲା ଯେ ମୁଁ ବି ଉଡ଼ାଜାହାଜରେ ବସି କୌଣସି ଅନ୍ୟ ଦେଶକୁ ଯାଏ । କିନ୍ତୁ ପୁଣି ଭାବୁଥିଲି ଯେ ଏପରି ତ କେବେ ହୋଇପାରିବନି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୋ ବାପାମାଆ ଏଷ୍ଟୋନିଆକୁ ଛାଡ଼ି ଜର୍ମାନୀ ଚାଲିଗଲେ ଓ ସେଠାରେ ମୋର ଜନ୍ମ ହେଲା । ଯେବେ ମୋର ଜନ୍ମ ହେଲା, ତେବେ ବାପାମାଆ ଜର୍ମାନୀ ଛାଡ଼ି କାନାଡ଼ା ଯିବା ପାଇଁ ପ୍ରସ୍ତୁତି କରୁଥିଲେ । କିଛି ସମୟ ପରେ ଆମେ କାନାଡ଼ା ଚାଲିଗଲୁ ଓ ସେଠାରେ ଓଟାୱା ସହରର ପାଖରେ ରହିଲୁ । ସେଠାରେ ରହିବା ପାଇଁ ଆମକୁ ଯେଉଁ ଜାଗା ମିଳିଥିଲା, ତାହା ବହୁତ ଛୋଟ ଥିଲା ଓ ବହୁତ କୁକୁଡ଼ାଗୁଡ଼ିକୁ ବି ସେଠାରେ ରଖାଯାଉଥିଲା । ଆମେ ବହୁତ ଗରିବ ଥିଲୁ, କିନ୍ତୁ କମ୍‌ରୁ କମ୍‌ ଆମକୁ ଖାଇବା ପାଇଁ ଅଣ୍ଡା ମିଳି ଯାଉଥିଲା !

ଦିନେ ଯିହୋବାଙ୍କ ସାକ୍ଷୀ ମାଆଙ୍କ ସହ ଭେଟିଲେ ଓ ତାଙ୍କୁ ପ୍ରକାଶିତ ବାକ୍ୟ ୨୧:୩, ୪ ପଦ ପଢ଼ି ଶୁଣାଇଲେ । ଏହି କଥା ତାଙ୍କ ହୃଦୟକୁ ଛୁଇଁଗଲା ଓ ତାଙ୍କ ଆଖିରେ ଲୁହ ଆସିଗଲା । ବାପାମାଆ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ ଓ କିଛି ସମୟ ପରେ ସେମାନେ ବାପ୍ତିସ୍ମ ନେଲେ ।

ବାପାମାଆଙ୍କୁ ଏତେ ବେଶି ଇଂରାଜୀ ଆସୁ ନ ଥିଲା, କିନ୍ତୁ ସେମାନେ ଉତ୍ସାହର ସହ ଯିହୋବାଙ୍କ ସେବା କରୁଥିଲେ । ବାପା ଆଣ୍ଟେରିୟୋର ସଡବରି ସହରର ଗୋଟିଏ କାରଖାନାରେ ଧାତୁ ତରଳାଇବା କାମ କରୁଥିଲେ । ସେ ରାତିସାରା କାମ କରୁଥିଲେ, ତଥାପି ପ୍ରତି ଶନିବାର ମୋତେ ଓ ମୋ ଛୋଟ ଭଉଣୀ ସିଲୱିୟାକୁ ପ୍ରଚାରରେ ନେଇ ଯାଉଥିଲେ । ଆଉ ପ୍ରତି ସପ୍ତାହ ଆମେ ପୂରା ପରିବାର ମିଶି ପ୍ରହରୀଦୁର୍ଗର ଅଧ୍ୟୟନ କରୁଥିଲୁ । ବାପାମାଆ ମୋତେ ଯିହୋବାଙ୍କ ବିଷୟରେ ଶିଖାଇବା ପାଇଁ ବହୁତ ପରିଶ୍ରମ କଲେ, ତେଣୁ ମୁଁ ବି ଯିହୋବାଙ୍କୁ ପ୍ରେମ କରିବାକୁ ଲାଗିଲି । ତାʼପରେ ୧୯୫୬ ମସିହାରେ ଯେବେ ମୁଁ ୧୦ ବର୍ଷର ଥିଲି, ତେବେ ମୁଁ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କଲି । ଯେବେ ବି ମୁଁ ଏବିଷୟରେ ଭାବେ ଯେ ବାପାମାଆ ଯିହୋବାଙ୍କୁ କେତେ ପ୍ରେମ କରୁଥିଲେ, ତେବେ ମୋତେ ବି ଯିହୋବାଙ୍କ ଲଗାତାର ସେବା କରିବା ପାଇଁ ସାହସ ମିଳିଲା ।

ସ୍କୁଲ ପଢ଼ା ଶେଷ ହେବା ପରେ ପରେ, ଯିହୋବାଙ୍କ ସେବାରୁ ମୋ ଧ୍ୟାନ ହଟିବାକୁ ଲାଗିଲା । ମୁଁ ଭାବିଲି ଯେ ଯଦି ମୁଁ ଅଗ୍ରଦୂତ ସେବା କରେ, ତେବେ ମୁଁ ବେଶି ପଇସା ରୋଜଗାର କରିପାରିବିନି । ତାʼପରେ ଉଡ଼ାଜାହାଜରେ ବସି ପୂରା ଦୁନିଆ ଦେଖିବାର ମୋ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ । ମୋତେ ପାଖର ରେଡିଓ ଷ୍ଟେସନରେ ଗୀତ ବଜାଇବାର ଚାକିରି ମିଳିଗଲା । ତାହା ମୋତେ ବହୁତ ପସନ୍ଦ ଥିଲା । କିନ୍ତୁ ଏହି କାମ ମୋତେ ସନ୍ଧ୍ୟାରେ ହିଁ କରିବାକୁ ପଡ଼ୁଥିଲା, ତେଣୁ ମୁଁ ସଭାରେ ଯାଇପାରୁ ନ ଥିଲି । ଆଉ ମୁଁ ଏପରି ଲୋକମାନଙ୍କ ସହ ସାଙ୍ଗ ହେବାକୁ ଲାଗିଲି, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁ ନ ଥିଲେ । କିଛି ସମୟ ପରେ ମୋ ବିବେକ ମୋତେ ଦୋଷୀ ଅନୁଭବ କରାଇବାକୁ ଲାଗିଲା । ମୋତେ ଅନୁଭବ ହେଲା ଯେ ମୁଁ ଯେଉଁ କଥାଗୁଡ଼ିକ ବାଇବଲରୁ ଶିଖିଥିଲି, ତାʼଅନୁସାରେ ମୋତେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ ।

ମୁଁ ଆଣ୍ଟେରିୟୋର ଓସାୱା ସହରକୁ ଚାଲିଗଲି ଓ ସେଠାରେ ରହିବାକୁ ଲାଗିଲି । ସେଠାରେ ମୁଁ ରେ ନୋର୍ମନ, ତାଙ୍କ ଭଉଣୀ ଲେସ୍ଲି ଓ ଅନ୍ୟ ଅଗ୍ରଦୂତ ସେବା କରୁଥିବା ଭାଇଭଉଣୀଙ୍କ ସହ ଭେଟିଲି । ସେ ସମସ୍ତେ ମୋର ପ୍ରେମର ସହ ସ୍ୱାଗତ କଲେ ଓ ଆମେ ଭଲ ସାଙ୍ଗ ହୋଇଗଲୁ । ଆମେ ସବୁବେଳେ ବହୁତ ଖୁସିରେ ରହୁଥିଲୁ, ତେଣୁ ମୁଁ ଭାବିବାକୁ ଲାଗିଲି ଯେ ମୁଁ ଜୀବନରେ କʼଣ କରିବାକୁ ଚାହେଁ, ମୁଁ କେଉଁ ଲକ୍ଷ୍ୟ ରଖିପାରିବି । ସେମାନେ ମୋତେ ଅଗ୍ରଦୂତ ସେବା କରିବା ପାଇଁ ପ୍ରୋତ୍ସାହନ ଦେଲେ ଓ ସେପ୍ଟେମ୍ବର ୧୯୬୬ ମସିହାରେ ମୁଁ ଅଗ୍ରଦୂତ ସେବା କରିବା ଆରମ୍ଭ କରିଦେଲି । ମୁଁ ବହୁତ ଖୁସି ଥିଲି ଓ ସବୁକିଛି ବହୁତ ଭଲରେ ଚାଲୁଥିଲା, କିନ୍ତୁ ମୋତେ ଜଣା ନ ଥିଲା ଯେ ମୋ ଜୀବନ ବଦଳିବାକୁ ଯାଉଛି ।

ଯେବେ ଯିହୋବା କିଛି କରିବା ପାଇଁ କହନ୍ତି, ତେବେ ତାହା କରିକି ଦେଖନ୍ତୁ

ଯେବେ ମୁଁ ସ୍କୁଲରେ ପାଠ ପଢ଼ୁଥିଲି, ତେବେ ମୁଁ କାନାଡ଼ା ବୈଥେଲରେ ସେବା କରିବା ପାଇଁ ଫର୍ମ ଭରି ଦେଇଥିଲି । କିନ୍ତୁ ଏହି କଥାକୁ କିଛି ସମୟ ବିତି ଯାଇଥିଲା । ତାʼପରେ ଯେବେ ମୁଁ ଅଗ୍ରଦୂତ ସେବା କରୁଥିଲି, ତେବେ ମୋତେ ଚାରି ବର୍ଷ ପାଇଁ ବୈଥେଲରେ ସେବା କରିବା ପାଇଁ ଡକାଗଲା । କିନ୍ତୁ ମୁଁ ଲେସ୍ଲିଙ୍କୁ ବି ବହୁତ ପସନ୍ଦ କରୁଥିଲି ଓ ମୋତେ ଡର ଥିଲା ଯେ ଯଦି ମୁଁ ବୈଥେଲ ଚାଲିଯିବି, ତେବେ ମୁଁ ତାଙ୍କୁ କେବେ ବି ଭେଟିପାରିବିନି । ତେଣୁ ମୁଁ ଯିହୋବାଙ୍କୁ ବହୁତ ପ୍ରାର୍ଥନା କଲି । ଶେଷରେ ମୁଁ ବୈଥେଲ ଯିବା ପାଇଁ ନିଷ୍ପତ୍ତି ନେଲି ଓ ମନଦୁଃଖ କରି ଲେସ୍ଲିଙ୍କଠାରୁ ବିଦାୟ ନେଲି ।

ଆରମ୍ଭରେ ମୋତେ ବୈଥେଲରେ ଲୋଣ୍ଡ୍ରି ବିଭାଗରେ କାମ ଦିଆଗଲା, ଯେଉଁଠି କପଡ଼ା ସଫା କରାଯାଉଥିଲା । ପରେ ମୁଁ ଜଣେ ସେକ୍ରେଟାରୀ (ସଚିବ) ଭାବେ ବି କାମ କଲି । ସେହି ସମୟରେ ଲେସ୍ଲିଙ୍କୁ କ୍ୟୁବେକ ପ୍ରାନ୍ତର ଗୈଟିନୋ ସହରରେ ବିଶେଷ ଅଗ୍ରଦୂତ ଭାବେ ପଠାଗଲା । ମୁଁ ପ୍ରାୟ ତାଙ୍କ ବିଷୟରେ ଭାବୁଥିଲି ଯେ ସେ କିପରି ଥିବେ, କʼଣ କରୁଥିବେ ଓ କʼଣ ମୁଁ ବୈଥେଲ ଆସି ଠିକ୍‌ କଲି । କିଛି ସମୟ ପରେ ଏପରି କିଛି ହେଲା ଯାହାର ମୁଁ ଆଶା ହିଁ କରି ନ ଥିଲି । ଲେସ୍ଲିଙ୍କ ଭାଇ ରେଙ୍କୁ ମଧ୍ୟ ବୈଥେଲ ଡକାଗଲା ଓ ତାଙ୍କୁ ମୋ ସହିତ ହିଁ ରହିବାର ଥିଲା । ତେଣୁ ଲେସ୍ଲିଙ୍କ ସହ ମୋ କଥାବାର୍ତ୍ତା ପୁଣିଥରେ ଆରମ୍ଭ ହୋଇଗଲା । ଆଉ ମୋର ବୈଥେଲ ସେବାର ଶେଷ ଦିନ, ୨୭ ଫେବୃଆରୀ, ୧୯୭୧ ମସିହାରେ ଆମେ ବିବାହ କଲୁ ।

ଆମେ ୧୯୭୫ ମସିହାରେ ଯେବେ ସର୍କିଟ କାମ ଆରମ୍ଭ କଲୁ

ଲେସ୍ଲି ଓ ମୋତେ କ୍ୟୁବେକର ଫ୍ରେଞ୍ଚ ଭାଷା କହୁଥିବା ମଣ୍ଡଳୀରେ ସେବା କରିବା ପାଇଁ ପଠାଗଲା । କିଛି ବର୍ଷ ପରେ ଯେବେ ମୁଁ ୨୮ ବର୍ଷର ଥିଲି, ତେବେ ମୋତେ ସର୍କିଟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା । ଏହାଜାଣି ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା, କାରଣ ମୋତେ ଲାଗିଲା ଯେ ମୁଁ ଏହି ଦାୟିତ୍ୱ ସମ୍ଭାଳିବା ପାଇଁ ବହୁତ ଛୋଟ ଅଛି ଓ ମୋ ପାଖରେ ବହୁତ ଅନୁଭୂତି ବି ନାହିଁ । କିନ୍ତୁ ଯିରିମୀୟ ୧:୭, ୮ ପଦ ପଢ଼ି ମୋତେ ବହୁତ ସାହସ ମିଳିଲା । ଯଦି ଲେସ୍ଲିଙ୍କ କଥା କହିବି, ତାହେଲେ ଅନେକଥର ତାଙ୍କ କାର୍‌ ଆକ୍ସିଡେଣ୍ଟ ହୋଇଥିଲା ଓ ସେ ଭଲଭାବେ ଶୋଇ ବି ପାରୁ ନ ଥିଲେ । ତେଣୁ ଆମେ ଭାବୁଥିଲୁ ଯେ କʼଣ ଆମେ ଏହି କାମ କରିପାରିବା । କିନ୍ତୁ ଲେସ୍ଲି କହିଲେ, “ଯଦି ଯିହୋବା ଆମକୁ କିଛି କହିବା ପାଇଁ କହୁଛନ୍ତି, ତାହେଲେ କʼଣ ଆମକୁ ତାହା କରିକି ଦେଖିବା ଉଚିତ୍‌ ନୁହେଁ ?” ଆମେ ନିମନ୍ତ୍ରଣ ସ୍ୱୀକାର କଲୁ ଓ ୧୭ ବର୍ଷ ଖୁସି ଖୁସି ସର୍କିଟ କାମ କଲୁ ।

ମୁଁ ସର୍କିଟ କାମରେ ବହୁତ ବ୍ୟସ୍ତ ରହୁଥିଲି, ତେଣୁ ମୁଁ ଲେସ୍ଲିଙ୍କୁ ଅଧିକ ସମୟ ଦେଇ ପାରୁ ନ ଥିଲି । ଏହା ଏପରି କଥା ଅଟେ ଯାହା ମୋତେ ଶିଖିବାର ଥିଲା । ଦିନେ ସୋମବାର ଦିନ ସକାଳେ ଆମ ଘରର ଘଣ୍ଟି ବାଜିଲା । ଯେବେ ମୁଁ ବାହାରେ ଯାଇ ଦେଖିଲି, ତେବେ ସେଠାରେ କେହି ବି ନ ଥିଲେ, କେବଳ ଗୋଟେ ଟୋକରୀ ଥିଲା । ସେଥିରେ ବିଛାଇବା ପାଇଁ କପଡ଼ା, କିଛି ଫଳ, ବ୍ରେଡ, ଚିଜ୍‌, ୱାଇନ ବୋତଲ ଓ ଗ୍ଲାସ୍‌ ଥିଲା ଓ ସେଥିରେ ଗୋଟେ କାଗଜ ବି ଥିଲା ଯେଉଁଥିରେ ଲେଖାଥିଲା, “ନିଜ ସ୍ତ୍ରୀଙ୍କୁ ପିକନିକ୍‌ରେ ନେଇଯାଅ ।” ସେଦିନ ଭଲ ଖରା ଥିଲା ଓ ପାଗ ବି ବହୁତ ବଢ଼ିଆ ଥିଲା । ପିକନିକ୍‌ରେ ଯିବା ପାଇଁ ସେହି ଦିନ ବହୁତ ବଢ଼ିଆ ଥିଲା । ମୁଁ ଲେସ୍ଲିଙ୍କୁ କହିଲି ଆଜି ମୋତେ ବହୁତ କାମ ଅଛି, ଅନେକ ଭାଷଣ ପ୍ରସ୍ତୁତ କରିବାର ଅଛି । ତେଣୁ ଆଜି ଆମେ ଯାଇପାରିବାନି । ଏହାଶୁଣି ଲେସ୍ଲି ଟିକେ ଦୁଃଖି ହୋଇଗଲେ, କିନ୍ତୁ ସେ ମାନିଗଲେ । ଯେବେ ମୁଁ କାମ କରିବା ପାଇଁ ବସିଲି, ତେବେ ମୋତେ ଲାଗିଲା ଯେ ମୁଁ ଠିକ୍‌ କଲିନି । ମୋତେ ଏଫିସୀୟ ୫:୨୫, ୨୮ ପଦରେ ଲେଖାଥିବା କଥା ମନେପଡ଼ିଲା । ମୁଁ ଭାବିଲି ଏହି ପଦ ଅନୁସାରେ ଯିହୋବା ମୋଠାରୁ କʼଣ ଚାହାନ୍ତି । କʼଣ ମୁଁ ନିଜ ସ୍ତ୍ରୀର ଭାବନାଗୁଡ଼ିକର ଧ୍ୟାନ ରଖୁଛି ? ମୁଁ ଯିହୋବାଙ୍କୁ ପ୍ରାର୍ଥନା କଲି ଓ ତାʼପରେ ଲେସ୍ଲିଙ୍କୁ କହିଲି, “ଚାଲ ଯିବା !” ଏହାଶୁଣି ସେ ବହୁତ ଖୁସି ହୋଇଗଲେ । ଆମେ ନଦୀ କୂଳରେ ଗଲୁ ଓ ସାଙ୍ଗରେ ସମୟ ବିତାଇଲୁ । ସେହି ଦିନକୁ ଆମେ କେବେ ବି ଭୁଲି ପାରିବାନି । ଆଉ ପରେ ମୁଁ ନିଜ ଭାଷଣ ବି ପ୍ରସ୍ତୁତ କରିନେଲି ।

ଆମକୁ ବ୍ରିଟିଶ କଲମ୍ବିଆରୁ ନେଇ ନ୍ୟୁ-ଫାଉଣ୍ଡଲ୍ୟାଣ୍ଡ ଯାଏ ଅଲଗା ଅଲଗା ସହରରେ ସେବା କରିବାର ସୁଯୋଗ ମିଳିଲା । ଆମକୁ ସର୍କିଟ କାମ କରି ବହୁତ ମଜା ଆସୁଥିଲା । ମୋତେ ଅନୁଭବ ହେଲା ଯେ ଛୋଟ ବେଳେ ଅଲଗା ଅଲଗା ଜାଗା ବୁଲିବାର ମୋର ଯେଉଁ ସ୍ୱପ୍ନ ଥିଲା, ତାହା ଏବେ ପୂରା ହେଉଛି । ମୁଁ ଗିଲିୟଡ ସ୍କୁଲ ଯିବା ପାଇଁ ଭାବି ତ ଥିଲି, କିନ୍ତୁ ଅନ୍ୟ ଦେଶରେ ଯାଇ ସେବା କରିବାର ମୋର କୌଣସି ଇଚ୍ଛା ନ ଥିଲା । ମୁଁ ଏହା ବି ଭାବୁଥିଲି ଯେ ମିଶନାରୀ କାମ ବିଶେଷ ଲୋକମାନେ ହିଁ କରିପାରିବେ, ମୁଁ ଏହାର ଯୋଗ୍ୟ ନୁହେଁ । ମୋତେ ଡର ଥିଲା ଯେ ମୋତେ ଆଫ୍ରିକାର ଏପରି ଜାଗାରେ ସେବା କରିବା ପାଇଁ ପଠାନ୍ତୁ ନାହିଁ, ଯେଉଁଠି ରୋଗଗୁଡ଼ିକ ବ୍ୟାପିଛି କିମ୍ବା ଯୁଦ୍ଧ ହେଉଛି । ମୁଁ କାନାଡ଼ାରେ ହିଁ ଖୁସିରେ ଥିଲି ।

ଏଷ୍ଟୋନିଆ ଓ ତାʼର ଆଖପାଖ ଦେଶଗୁଡ଼ିକରେ ଯିବାର ନିମନ୍ତ୍ରଣ

ଏଷ୍ଟୋନିଆ ଓ ତାʼଆଖପାଖର ଦେଶଗୁଡ଼ିକରେ ଯାତ୍ରା କରିବା ସମୟରେ

୧୯୯୨ ମସିହାରେ ଯିହୋବାଙ୍କ ସାକ୍ଷୀମାନେ ପୁଣିଥରେ ସେହି ଦେଶଗୁଡ଼ିକରେ ପ୍ରଚାର କରିବାକୁ ଲାଗିଲେ, ଯାହା ପୂର୍ବେ ସୋଭିଏତ ସଂଘର ଭାଗ ଥିଲା । ଭାଇମାନେ ଆମକୁ ପଚାରିଲେ ଯେ କʼଣ ଆମେ ଏଷ୍ଟୋନିଆ ଯାଇ ମିଶନାରୀ ସେବା କରିବା ପାଇଁ ଚାହିଁବା । ଏହାଶୁଣି ଆମେ ଚିନ୍ତାରେ ପଡ଼ିଗଲୁ, କିନ୍ତୁ ଆମେ ଯିହୋବାଙ୍କୁ ପ୍ରାର୍ଥନା କଲୁ । ଆମେ ପୁଣିଥରେ ନିଜକୁ ମନେପକାଇଲୁ, ‘ଯଦି ଯିହୋବା ଆମକୁ କିଛି କରିବା ପାଇଁ କହୁଛନ୍ତି, ତାହେଲେ ଆମକୁ କʼଣ ତାହା କରିକି ଦେଖିବା ଉଚିତ୍‌ ନୁହେଁ ?’ ଆମେ ଭାବିଲୁ, ‘ଏହା ତ ଭଲ ଯେ ଆମକୁ ଆଫ୍ରିକା ପଠାଯାଉନି !’ ଆଉ ଆମେ ମାନିଗଲୁ ।

ଆମେ ବିନା ଡେରି କରି ଏଷ୍ଟୋନିଆର ଭାଷା ଶିଖିବା ଆରମ୍ଭ କରିଦେଲୁ । ଏଷ୍ଟୋନିଆରେ ଆମେ କିଛି ମାସ ହିଁ ରହିଥିଲୁ ଆଉ ଆମକୁ ସର୍କିଟ କାମ କରିବା ପାଇଁ କୁହାଗଲା । ଆମକୁ ଏଷ୍ଟୋନିଆ, ଲାଟୱିୟା ଓ ଲିଥୁଆନିୟା ଯିବାର ଥିଲା ଆଉ କାଲିନିନ୍‌ଗ୍ରାଦ୍‌ ବି ଯିବାର ଥିଲା ଯାହା ରୁଷର ଭାଗ ଥିଲା । ଆମକୁ ଏହି ଅଞ୍ଚଳଗୁଡ଼ିକରେ ୪୬ଟି ମଣ୍ଡଳୀ ଓ କିଛି ସମୂହଗୁଡ଼ିକୁ ମଧ୍ୟ ପରିଦର୍ଶନ କରିବାର ଥିଲା । ତାʼଅର୍ଥ ଏବେ ଆମକୁ ଲୈଟୱିୟନ, ଲିଥୁଏନିୟନ୍‌ ଓ ରୁଷୀୟ ଭାଷା ମଧ୍ୟ ଶିଖିବାକୁ ପଡ଼ନ୍ତା । ଏହା ବହୁତ କଠିନ ଥିଲା, କିନ୍ତୁ ଯେବେ ଭାଇଭଉଣୀମାନେ ଦେଖୁଥିଲେ ଯେ ଆମେ ସେମାନଙ୍କ ଭାଷା ଶିଖିବା ପାଇଁ ଚେଷ୍ଟା କରୁଛୁ, ତେବେ ସେମାନଙ୍କୁ ବହୁତ ଖୁସି ଲାଗୁଥିଲା ଓ ସେମାନେ ଆମ ସାହାଯ୍ୟ ବି କରୁଥିଲେ । ତାʼପରେ ୧୯୯୯ ମସିହାରେ ଏଷ୍ଟୋନିଆରେ ଶାଖା କାର୍ଯ୍ୟାଳୟ ଖୋଲାଗଲା ଓ ମୋତେ ସେଠାରେ ଶାଖା ସମିତିର ସଦସ୍ୟ ଭାବେ ସେବା କରିବା ପାଇଁ ଡକାଗଲା । ଶାଖା ସିମିତିରେ ମୋ ସହ ଟୋମାସ ଏଡୁର, ଲେଁବିଟ ରାଇଲେ ଓ ଟୋମି କାଉକୋ ବି ଥିଲେ ।

ବାମ ଚିତ୍ର: ଲିଥୁଆନିୟାରେ ଗୋଟିଏ ଅଧିବେଶନରେ ଭାଷଣ ଦେବା ସମୟରେ

ଡାହାଣ ଚିତ୍ର: ୧୯୯୯ ମସିହାରେ ଏଷ୍ଟୋନିଆର ଶାଖା ସମିତି, ଯେବେ ସେଠାରେ ଶାଖା କାର୍ଯ୍ୟାଳୟ ଖୋଲାଗଲା

ଆମକୁ ଏପରି ଅନେକ ଭାଇଭଉଣୀମାନଙ୍କୁ ଜାଣିବାର ସୁଯୋଗ ମିଳିଲା ଯେଉଁମାନେ ସାଇବେରିଆରେ ଜେଲ ଦଣ୍ଡ ଭୋଗିକି ଆସିଥିଲେ । ଜେଲରେ ସେମାନଙ୍କ ଉପରେ ବହୁତ ଅତ୍ୟାଚାର ହେଲା ଓ ସେମାନଙ୍କୁ ନିଜ ପରିବାରଠାରୁ ଦୂରରେ ରଖାଗଲା । ଏସବୁ ସତ୍ତ୍ୱେ ସେମାନେ ନିରାଶ ହେଲେନି । ସେମାନେ ଖୁସି ଥିଲେ ଓ ପ୍ରଚାର ସେବାରେ ତାଙ୍କ ଉତ୍ସାହ କମ୍‌ ହେଲାନି । ସେମାନଙ୍କଠାରୁ ଆମେ ଶିଖିଲୁ ଯେ ଆମେ କିପରି ସମସ୍ୟା ସମୟରେ ଅଟଳ ରହିପାରିବା ଓ ଖୁସିରେ ରହିପାରିବା ।

ଆମେ କାମରେ ଏତେ ବ୍ୟସ୍ତ ରହୁଥିଲୁ ଯେ ଆମକୁ ଜଣା ହିଁ ପଡ଼ୁ ନ ଥିଲା ଯେ କିପରି ଦିନ ବର୍ଷରେ ବଦଳି ଗଲା । ଆମେ ଦୁଇଜଣଙ୍କୁ ଆରାମ କରିବା ପାଇଁ ଅଧିକ ସମୟ ମିଳିଲାନି । କିଛି ସମୟ ପରେ ଲେସ୍ଲି ବହୁତ ଥକି ଯାଉଥିଲେ । ଆରମ୍ଭରେ ଆମକୁ ଜଣାପଡ଼ିଲାନି ଯେ ସେ କାହିଁକି ଏତେ ଥକିଯାନ୍ତି । ତେଣୁ ଆମେ ପୁଣିଥରେ କାନାଡ଼ା ଯିବା ପାଇଁ ଭାବିବାକୁ ଲାଗିଲୁ । କିନ୍ତୁ ତେବେ ଆମକୁ ଆମେରିକାର ପେଟରସନ୍‌ ଶାଖା କାର୍ଯ୍ୟାଳୟର ଗୋଟେ ସ୍କୁଲରେ ଉପସ୍ଥିତ ହେବା ପାଇଁ ଡକାଗଲା । ମୋତେ ଲାଗୁ ନ ଥିଲା ଯେ ଆମେ ସେଠାରେ ଯାଇପାରିବା, କିନ୍ତୁ ଏବିଷୟରେ ଆମେ ବହୁତ ପ୍ରାର୍ଥନା କଲୁ । ତାʼପରେ ଆମେ ସେଠାରେ ଯିବା ପାଇଁ ପ୍ରସ୍ତୁତ ହୋଇଗଲୁ । ଆଉ ଯିହୋବା ଆମ ନିଷ୍ପତ୍ତି ଉପରେ ଆଶିଷ ଦେଲେ । ସେଠାରେ ଯାଇ ଆମକୁ ଜଣାପଡ଼ିଲା ଯେ ଲେସ୍ଲିଙ୍କୁ ଫାଇବ୍ରୋମାୟଲ୍‌ଜିୟା ନାମକ ରୋଗ ଅଛି । ସ୍କୁଲ ଚାଲୁଥିବା ସମୟରେ ଲେସ୍ଳିଙ୍କ ଭଲ ଚିକିତ୍ସା ହୋଇପାରିଲା । ତେଣୁ ଆମେ ନିଜ ସେବା ଜାରି ରଖିପାରିଲୁ ।

ପୁଣି ଜୀବନ ବଦଳିଲା, ପୁଣି ଗୋଟେ ନୂଆ ଦେଶ

ଯେବେ ମୁଁ ୨୦୦୮ ମସିହାରେ ଏଷ୍ଟୋନିଆରେ ଥିଲି, ତେବେ ଦିନେ ସନ୍ଧ୍ୟା ସମୟରେ ମୋତେ ବିଶ୍ୱ ମୁଖ୍ୟାଳୟରୁ ଫୋନ୍‌ ଆସିଲା । ସେମାନେ ମୋତେ ପଚାରିଲେ ଯେ କʼଣ ଆମେ ଦୁଇଜଣ କଙ୍ଗୋ ଯିବା ପାଇଁ ଚାହିଁବା । ଏହାଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଆମ ପାଖରେ ଭାବିବା ପାଇଁ ଅଧିକ ସମୟ ବି ନ ଥିଲା, କାରଣ ଆମକୁ ପରଦିନ ହିଁ ଉତ୍ତର ଦେବାର ଥିଲା । ସେହି ରାତି ମୁଁ ଲେସ୍ଲିଙ୍କୁ କିଛି ବି କହିଲିନି, କାରଣ ମୋତେ ଡର ଥିଲା ଯେ ସେ ପୁଣି ଶୋଇପାରିବେନି । ସେହି ରାତି ସେ ତ ଶୋଇଗଲେ, କିନ୍ତୁ ମୁଁ ଶୋଇପାରିଲିନି । ଆଫ୍ରିକା ଯିବା ପାଇଁ ମୋ ମନରେ ଯେଉଁ ଡର ଥିଲା, ସେବିଷୟରେ ମୁଁ ରାତିସାରା ଯିହୋବାଙ୍କୁ ପ୍ରାର୍ଥନା କଲି ।

ପରଦିନ ମୁଁ ଲେସ୍ଲିଙ୍କୁ ଏବିଷୟରେ କହିଲି । ଆମେ ପରସ୍ପରକୁ ବୁଝାଇଲୁ: “ଯିହୋବା ଆମକୁ ଆଫ୍ରିକା ଡାକୁଛନ୍ତି । ସେଠାରେ ନ ଯାଇ ଆମେ କିପରି କହିପାରିବା ଯେ ସେଇଠି ଆମକୁ ଖୁସି ମିଳିବନି କିମ୍ବା ମଜା ଲାଗିବନି ।” ୧୬ ବର୍ଷ ଆମେ ଏଷ୍ଟୋନିଆରେ ରହିଲୁ, ତାʼପରେ କଙ୍ଗୋ ଦେଶର କିନ୍‌ଶାସା ସହରକୁ ଗଲୁ । ସେଠାର ଶାଖା କାର୍ଯ୍ୟାଳୟ ବହୁତ ସୁନ୍ଦର ଥିଲା, ଚାରିଆଡ଼େ ଗଛଲତା ଭରି ରହିଥିଲା ଓ ବହୁତ ଶାନ୍ତି ଥିଲା । ଆମ ରୁମ୍‌ରେ ଲେସ୍ଲି ଯେଉଁ ପ୍ରଥମ ଜିନିଷ ଲଗାଇଲେ, ତାହା ଗୋଟିଏ କାର୍ଡ ଥିଲା । ସେହି କାର୍ଡ ତାଙ୍କ ପାଖରେ ସେସମୟରୁ ଥିଲା ଯେବେ ଆମେ କାନାଡ଼ା ଛାଡ଼ିଥିଲୁ । ସେଥିରେ ଲେଖାଥିଲା, “ତମକୁ ଫୁଲ ଭଳି ଯେଉଁଠି ବି ଲଗାଯାଉ, ତମେ ସେଇଠି ଫୁଟିଯିବ ।” ଯେବେ ଆମେ ସେଠାର ଭାଇଭଉଣୀମାନଙ୍କୁ ଭେଟିଲୁ, ବାଇବଲ ଅଧ୍ୟୟନ କରାଇଲୁ ଓ ମିଶନାରୀ ଭାବେ ସେବା କଲୁ, ତେବେ ଆମକୁ ଅନ୍ୟ ପ୍ରକାରର ଖୁସି ମିଳିଲା । କିଛି ସମୟ ପରେ, ଆମକୁ ଆଫ୍ରିକାର ଆହୁରି ୧୩ଟି ଶାଖା କାର୍ଯ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା ପାଇଁ ସୁଯୋଗ ମିଳିଲା । ଏପରି ଭାବେ ଆମେ ଅଲଗା ଅଲଗା ଲୋକମାନଙ୍କୁ, ସେମାନଙ୍କ ରହଣୀ ଓ ସେମାନଙ୍କ ସଂସ୍କୃତିଗୁଡ଼ିକ ବିଷୟରେ ଜାଣିପାରିଲୁ । ପୂର୍ବେ ମୋ ମନରେ ଯେଉଁ ଚିନ୍ତା ଥିଲା, ତାହା ଏବେ ଶେଷ ହୋଇଯାଇଥିଲା । ଏବେ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଉ ଯେ ସେ ଆମକୁ ଆଫ୍ରିକା ପଠାଇଲେ ।

କଙ୍ଗୋର ଭାଇଭଉଣୀମାନେ କୀଟପତଙ୍ଗ ବି ଖାଉଥିଲେ ଓ ଆମକୁ ବି ଖାଇବାକୁ ଦେଲେ । ପୂର୍ବେ ତ ଆମକୁ ଲାଗିଲା ଯେ ଆମେ ଖାଇପାରିବାନି, କିନ୍ତୁ ଯେବେ ଆମେ ସେମାନଙ୍କୁ ମଜା ନେଇ କୀଟପତଙ୍ଗ ଖାଇବାର ଦେଖିଲୁ, ତେବେ ଆମେ ବି ସେଗୁଡ଼ିକୁ ଚାଖିଲୁ । ସେଗୁଡ଼ିକୁ ଖାଇ ଆମକୁ ବି ମଜା ଆସିଲା ।

ପୂର୍ବ କଙ୍ଗୋରେ କିଛି ବିଦ୍ରୋହୀ ସମୂହ ସେଠାର ଗାଁଗୁଡ଼ିକରେ ଆକ୍ରମଣ କରୁଥିଲା ଓ ସ୍ତ୍ରୀ ଆଉ ପିଲାମାନଙ୍କ ଉପରେ ଅତ୍ୟାଚାର କରୁଥିଲା । ସେହି ସମୟରେ ଆମକୁ ସେଠାର ଭାଇଭଉଣୀମାନଙ୍କ ପାଖରେ ଯାଇ ସେମାନଙ୍କ ସାହସ ବଢ଼ାଇବା ଓ ଆବଶ୍ୟକୀୟ ଜିନିଷଗୁଡ଼ିକୁ ପହଞ୍ଚାଇବା ପାଇଁ ସୁଯୋଗ ମିଳିଲା । ସେଠାର ଅଧିକାଂଶ ଭାଇଭଉଣୀମାନଙ୍କ ପାଖରେ ନିଜ ଆବଶ୍ୟକତାଠାରୁ ମଧ୍ୟ କମ୍‌ ଜିନିଷ ଥିଲା । ତଥାପି ସେମାନେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ, ସବୁ ମାମଲାରେ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଚାହୁଁଥିଲେ ଓ ସେମାନଙ୍କୁ ପୂରା ଭରସା ଥିଲା ଯେ ମୃତ ଲୋକମାନଙ୍କୁ ପୁଣିଥରେ ଜୀବିତ କରାଯିବ । ସେମାନଙ୍କୁ ଦେଖି ଆମେ ବି ଭାବିବା ପାଇଁ ବାଧ୍ୟ ହୋଇଗଲୁ ଯେ ଆମେ ଯିହୋବାଙ୍କ ସେବା କାହିଁକି କରୁଛୁ ଓ ଆମକୁ ନିଜ ବିଶ୍ୱାସକୁ ଦୃଢ଼ କରିବାର ଆବଶ୍ୟକ ଅଛି । କିଛି ଭାଇଭଉଣୀମାନେ ତ ନିଜ ଘର, ଫସଲ, ସବୁକିଛି ହରାଇଦେଲେ । ଏଥିରୁ ଆମକୁ ଅନୁଭବ ହେଲା ଯେ ଆମ ପାଖରେ ଯେଉଁ ଜିନିଷଗୁଡ଼ିକ ଅଛି, ସେସବୁର କିଛି ଭରସା ନାହିଁ, ତାହା ଆଜି ଅଛି ତ କାଲି ନ ଥିବ । କିନ୍ତୁ ଯିହୋବାଙ୍କ ସହ ଆମ ସମ୍ପର୍କ ସବୁଠୁ ଅଧିକ ମହତ୍ତ୍ୱ ରଖେ । ସେହି ଭାଇଭଉଣୀ ବହୁତ କଷ୍ଟର ସାମନା କରୁଥିଲେ, ତଥାପି ସେମାନେ ଦୁଃଖି କିମ୍ବା ନିରାଶ ରହୁ ନ ଥିଲେ । ସେମାନଙ୍କଠାରୁ ଆମେ ଶିଖିଲୁ ଯେ ଆମେ ମଧ୍ୟ ସେମାନଙ୍କ ଭଳି ନିଜ ସମସ୍ୟାଗୁଡ଼ିକର ଓ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟାଗୁଡ଼ିକର ସାମନା କରିପାରିବା ।

ବାମ ଚିତ୍ର: କିଛି ଶରଣାର୍ଥୀମାନଙ୍କୁ ସାହସ ବଢ଼ାଇବା ସମୟରେ

ଡାହାଣ ଚିତ୍ର: କଙ୍ଗୋର ଡଙ୍ଗୁ ସହରର ଲୋକମାନଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ଓ ଔଷଧଗୁଡ଼ିକୁ ନେଉଥିବା ସମୟରେ

ଏସିଆ ଆଡ଼କୁ ଗଲୁ

ଆମ ଜୀବନ ପୁଣିଥରେ ବଦଳିଲା । ଆମକୁ ହଙ୍ଗକଙ୍ଗ ଶାଖା କାର୍ଯ୍ୟାଳୟ ଯିବା ପାଇଁ କୁହାଗଲା । ଆମେ କେବେ ବି ଭାବି ନ ଥିଲୁ ଯେ ଆମେ ଏସିଆରେ ଯାଇ ରହିବା । ଆମକୁ ଜଣା ନ ଥିଲା ଯେ ସେଠାରେ କʼଣ ହେବ । କିନ୍ତୁ ପୂର୍ବ କିଛି ବର୍ଷଗୁଡ଼ିକ ମଧ୍ୟରେ ଆମେ ଦେଖିଲୁ ଯେ ଯିହୋବା କିପରି ଆମ ପଦକ୍ଷେପଗୁଡ଼ିକରେ ଆମ ସହଯୋଗ କରିଛନ୍ତି ଓ ଆମ ଯତ୍ନ ନେଇଛନ୍ତି । ତେଣୁ ଆମେ ସେଠାରେ ଯିବା ପାଇଁ ରାଜି ହୋଇଗଲୁ । ୨୦୧୩ ମସିହାରେ ଆମେ ମନଦୁଃଖ କରି ଆଫ୍ରିକାର ନିଜ ସାଙ୍ଗମାନଙ୍କୁ ଓ ସେଠାର ସୁନ୍ଦର ଦୃଶ୍ୟଗୁଡ଼ିକରୁ ବିଦାୟ ନେଲୁ ।

ହଙ୍ଗକଙ୍ଗ ଗୋଟିଏ ବହୁତ ଭିଡ଼ ଥିବା ସହର ଥିଲା ଓ ସେଠାରେ ପୂରା ଦୁନିଆରୁ ଲୋକମାନେ ଆସି ରହୁଥିଲେ । ସେଠାର ଅଧିକାଂଶ ଲୋକ ଚିନି ଭାଷା (କୈନଟୋନିସ) କହୁଥିଲେ ଓ ଏହି ଭାଷା ଶିଖିବା ଆମ ପାଇଁ ବହୁତ କଠିନ ଥିଲା । ସବୁକିଛି ଆମ ପାଇଁ ନୂଆ ଥିଲା । କିନ୍ତୁ ସେଠାର ଭାଇଭଉଣୀମାନେ ଆମର ବହୁତ ଭଲଭାବେ ସ୍ୱାଗତ କଲେ ଓ ଆମକୁ ସେଠାର ଖାଦ୍ୟ ମଧ୍ୟ ବହୁତ ପସନ୍ଦ ଆସିଲା । ଶାଖା କାର୍ଯ୍ୟାଳୟର କାମ ବହୁତ ବଢ଼ି ବଢ଼ି ଯାଉଥିଲା ଓ ଆମକୁ ଆହୁରି ଜାଗାଗୁଡ଼ିକର ଆବଶ୍ୟକ ଥିଲା । କିନ୍ତୁ ହଙ୍ଗକଙ୍ଗରେ ଜମିଗୁଡ଼ିକର ଦାମ୍‌ ବହୁତ ଅଧିକ ଥିଲା । ତେଣୁ ପ୍ରଶାସନ ଦଳ ନିଷ୍ପତ୍ତି ନେଲା ଯେ ସେଠାର କିଛି କାମଗୁଡ଼ିକୁ ଅନ୍ୟ ଜାଗାରେ କରାଯାଉ ଓ ଶାଖା କାର୍ଯ୍ୟାଳୟର ଅଧିକାଂଶ ବିଲ୍‌ଡିଙ୍ଗଗୁଡ଼ିକୁ ବିକ୍ରି କରିଦିଆଯାଉ । କିଛି ସମୟ ପରେ, ୨୦୧୫ ମସିହାରେ ଆମକୁ ଦକ୍ଷିଣ କୋରିଆ ପଠାଗଲା, ଯେଉଁଠି ଆମେ ଏବେ ବି ସେବା କରୁଛୁ । ଏଠାରେ ଆମକୁ ଆଉ ଗୋଟିଏ କଠିନ ଭାଷା ଶିଖିବାର ଥିଲା, ତାହା ଥିଲା କୋରି । ଆମେ ଏବେ ବି ଏହି ଭାଷାକୁ ଭଲଭାବେ ଶିଖିପାରି ନାହୁଁ । କିନ୍ତୁ ଯେବେ ଏଠାର ଭାଇଭଉଣୀମାନେ ଆମ ସାହସ ବଢ଼ାନ୍ତି ଓ କହନ୍ତି ଯେ ଆମେ ଧୀରେ ଧୀରେ ଆହୁରି ଶିଖୁଛୁ, ତେବେ ଆମକୁ ବହୁତ ଭଲ ଲାଗେ ।

ବାମ ଚିତ୍ର: ହଙ୍ଗକଙ୍ଗରେ ଯିହୋବାଙ୍କ ସେବା କରିବା ପାଇଁ ପ୍ରସ୍ତୁତ

ଡାହାଣ ଚିତ୍ର: କୋରିଆର ଶାଖା କାର୍ଯ୍ୟାଳୟ

ଅନେକ କଥା ଶିଖିଲି

ନୂଆ ସାଙ୍ଗ କରିବା ସବୁବେଳେ ସହଜ ହୋଇ ନ ଥାଏ । କିନ୍ତୁ ଯେବେ ଆମେ ଅନ୍ୟମାନଙ୍କୁ ନିଜ ଘରକୁ ଡାକୁ, ତାଙ୍କ ସହିତ ସମୟ ବିତାଉ, ତେବେ କିଛି ସମୟରେ ହିଁ ଆମେ ସେମାନଙ୍କୁ ଭଲଭାବେ ଜାଣିପାରୁ । ହୁଏତ ଆମେ ଭାବିପାରୁ ଯେ ଆମ ଭାଇଭଉଣୀ ପରସ୍ପରଠାରୁ ବହୁତ ଅଲଗା ଅଟନ୍ତି, କିନ୍ତୁ ଆମେ ଦେଖିଛୁ ଯେ ସେମାନଙ୍କଠାରେ ବହୁତଗୁଡ଼ିଏ କଥା ଏକାଭଳି ଥାଏ । ଯିହୋବା ଆମକୁ ଏତେ ସୁନ୍ଦରତାର ସହ ସୃଷ୍ଟି କରିଛନ୍ତି ଯେ ଆମେ ବହୁତଗୁଡ଼ିଏ ସାଙ୍ଗ କରିପାରୁ ଓ ସେମାନଙ୍କ ପାଇଁ ନିଜ ପ୍ରେମ ଦେଖାଇପାରୁ ।—୨ କରି. ୬:୧୧.

ଆମେ ଶିଖିଲୁ ଯେ ଅନ୍ୟମାନଙ୍କୁ ଯିହୋବାଙ୍କ ଦୃଷ୍ଟିରେ ଦେଖିବା ବହୁତ ଜରୁରୀ ଅଟେ । ଆମେ ଏହା ବି ଶିଖିଲୁ ଯେ ଏକଥାକୁ ଧ୍ୟାନ ଦେବା ଜରୁରୀ ଯେ ଯିହୋବା ଆମକୁ କିପରି ନିଜ ପ୍ରେମ ଦେଖାଉଛନ୍ତି ଓ କିପରି ଆମକୁ ରାସ୍ତା ଦେଖାଉଛନ୍ତି । ଯେବେ ବି ଆମେ ନିରାଶ ହୋଇଯାଉ ଥିଲୁ କିମ୍ବା ଏହା ଭାବୁଥିଲୁ ଯେ କʼଣ ଅନ୍ୟମାନେ ଆମକୁ ପସନ୍ଦ କରନ୍ତି, ତେବେ ଆମେ ସେହି କାର୍ଡ ଓ ଚିଠିଗୁଡ଼ିକୁ ପଢ଼ୁଥିଲୁ ଯାହା ଆମ ସାଙ୍ଗମାନେ ଆମକୁ ଦେଇଥିଲେ । ସେଗୁଡ଼ିକୁ ପଢ଼ି ଆମର ସାହସ ବଢ଼ିଯାଉଥିଲା । ଆମେ ଅନୁଭବ କରିଛୁ ଯେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଲେ, ଆମକୁ ଭରସା କରାଇଲେ ଯେ ସେ ଆମକୁ ପ୍ରେମ କରନ୍ତି ଓ ଆମକୁ ସାହସ ଦେଲେ ।

ଅନେକ ବର୍ଷରୁ ଲେସ୍ଲି ଓ ମୁଁ ଏକଥା ଶିଖିଲୁ ଯେ ଆମେ ଯେତେ ବ୍ୟସ୍ତ ହେଲେ ବି, ପରସ୍ପରକୁ ସମୟ ଦେବା ବହୁତ ଜରୁରୀ ଅଟେ । ଆମେ ଆଉ ଗୋଟିଏ କଥା ଶିଖିଲୁ: ଯେବେ ଆମଠାରୁ କୌଣସି ଭୁଲ ହୋଇଯାଏ, ଯେପରି ଯଦି କୌଣସି ନୂଆ ଭାଷା ଶିଖିବା ସମୟରେ ଆମେ କିଛି ଗଡ଼ବଡ଼ କରିଦେଉ, ତେବେ ଆମକୁ ସେବିଷୟରେ ବହୁତ ବେଶି ଭାବିବା ଉଚିତ୍‌ ନୁହେଁ, ବରଂ ନିଜ ଉପରେ ଟିକେ ହସି ଦେବା ଉଚିତ୍‌ । ଆଉ ଆମେ ପ୍ରତିରାତି ଗୋଟେ ଏପରି କଥା ବିଷୟରେ ଭାବୁ ଯାହା ପାଇଁ ଆମେ ଯିହୋବାଙ୍କୁ ଧନ୍ୟବାଦ କହିପାରୁ ।

ସତ କହିବାକୁ ଗଲେ ମୋତେ କେବେ ବି ଲାଗୁ ନ ଥିଲା ଯେ ମୁଁ କେବେ ମିଶନାରୀ ଭାବେ ସେବା କରିବି କିମ୍ବା କୌଣସି ଅନ୍ୟ ଦେଶରେ ଯାଇ ରହିବି । କିନ୍ତୁ ମୁଁ ଦେଖିଲି, ଈଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ ଅଟେ । ଯେବେ ମୁଁ ଏବିଷୟରେ ଭାବେ, ତେବେ ମୋତେ ଭବିଷ୍ୟଦ୍‌ବକ୍ତା ଯିରିମୀୟଙ୍କ ଏଶବ୍ଦ ମନେପଡ଼େ, ‘ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୁର୍ଖ କରିଅଛ ।’ (ଯିରି. ୨୦:୭) ସତରେ, ଯିହୋବା ଆମକୁ ଏପରି ଆଶିଷଗୁଡ଼ିକ ଦେଲେ ଯାହା ବିଷୟରେ ମୁଁ ଭାବି ବି ନ ଥିଲି । ସେ ଉଡ଼ାଜାହାଜରେ ଯାତ୍ରା କରିବାର ମୋ ସ୍ୱପ୍ନ ବି ପୂରା କରିଦେଲେ । ଛୋଟ ବେଳେ ମୁଁ ଭାବି ନ ଥିଲି ଯେ ମୋତେ ଉଡ଼ାଜାହାଜରେ ଏତେଗୁଡ଼ିଏ ଜାଗା ଯିବାର ସୁଯୋଗ ମିଳିବ । ଆମକୁ ଅନେକ ଦେଶର ଶାଖା କାର୍ଯ୍ୟାଳୟଗୁଡ଼ିକର ପରିଦର୍ଶନ କରିବାର ସୁଯୋଗ ମିଳିଲା । ଆମକୁ ଯେଉଁଠି ବି ପଠାଗଲା, ଲେସ୍ଲି ସବୁ ସମୟରେ ମୋ ସହଯୋଗ କଲେ ଓ ତାʼପାଇଁ ମୁଁ ତାଙ୍କ ବହୁତ କୃତଜ୍ଞ ମନେକରେ ।

ଆମେ ସବୁବେଳେ ନିଜକୁ ମନେପକାଉ ଯେ ଆମେ ଯାହା ବି କରୁ, ତାହା ଯିହୋବାଙ୍କ ପାଇଁ କରୁ ଓ ଏଥିପାଇଁ କରୁ କାରଣ ଆମେ ତାଙ୍କୁ ବହୁତ ପ୍ରେମ କରୁ । ଆଜି ଆମେ ଯେଉଁ ଆଶିଷଗୁଡ଼ିକର ମଜା ନେଉଛୁ, ତାହା ଭବିଷ୍ୟତରେ ମିଳିବାକୁ ଯାଉଥିବା ଅନନ୍ତ ଜୀବନର ଗୋଟିଏ ଝଲକ ଅଟେ, ସେସମୟରେ ଯେବେ ଯିହୋବା ‘ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରିବେ ।’—ଗୀତ. ୧୪୫:୧୬.