इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୮

ସବୁବେଳେ ଈଶ୍ୱରଙ୍କୁ ଭୟ କରନ୍ତୁ ଓ ଆଶିଷଗୁଡ଼ିକ ପାଆନ୍ତୁ

ସବୁବେଳେ ଈଶ୍ୱରଙ୍କୁ ଭୟ କରନ୍ତୁ ଓ ଆଶିଷଗୁଡ଼ିକ ପାଆନ୍ତୁ

“ଯେ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ ।”—ହିତୋ. ୧୪:୨.

ଗୀତ ୧୨୨ ଅଟଲ ରହେଁ !

ଲେଖାର ଝଲକ a

୧-୨. ଲୋଟଙ୍କ ଭଳି ଆଜି ଖ୍ରୀଷ୍ଟିୟାନମାନଙ୍କୁ କେଉଁ ସମସ୍ୟାର ସାମନା କରିବାକୁ ପଡ଼େ ?

 ଆଜି ଦୁନିଆର ଲୋକମାନଙ୍କ ନୈତିକ ସ୍ତର ଦିନକୁ ଦିନ ଖସି ଚାଲିଛି । ଏସବୁକୁ ଦେଖି ଆମେ ଲୋଟଙ୍କ ପରି ଅନୁଭବ କରୁ । ‘ସେ ଦୁରାଚାରୀମାନଙ୍କ କାମୁକତାପୂର୍ଣ୍ଣ ଆଚରଣ ଦେଖି ବ୍ୟଥିତ ଥିଲେ ।’ କାରଣ ସେ ଜାଣିଥିଲେ ଯେ ଯିହୋବା ଏପରି କାମଗୁଡ଼ିକୁ ଘୃଣା କରନ୍ତି । (୨ ପିତ. ୨:୭, ୮) ଲୋଟ ଈଶ୍ୱରଙ୍କୁ ଭୟ କରୁଥିଲେ ଓ ତାଙ୍କୁ ପ୍ରେମ କରୁଥିଲେ, ତେଣୁ ସେ ନିଜ ଆଖପାଖର ଲୋକମାନଙ୍କ ଖରାପ କାମଗୁଡ଼ିକୁ ଆପଣାଇଲେ ନାହିଁ । ଆଜି ଆମ ଆଖପାଖରେ ମଧ୍ୟ ଏପରି ଲୋକ ଅଛନ୍ତି, ଯେଉଁମାନେ ନିଜ ଅନୁସାରେ ଜୀବନ ବିତାନ୍ତି । ଯିହୋବାଙ୍କ ନୈତିକ ସ୍ତରଗୁଡ଼ିକରୁ ସେମାନଙ୍କୁ କୌଣସି ଫରକ ପଡ଼େନି । କିନ୍ତୁ ଯଦି ଆମେ ନିଜ ହୃଦୟରେ ଯିହୋବାଙ୍କ ପାଇଁ ସଠିକ୍‌ ଭୟ ବଢ଼ାଇବା ଓ ତାଙ୍କୁ ପ୍ରେମ କରିବା, ତେବେ ଆମେ ସେହି ଲୋକମାନଙ୍କ ମଧ୍ୟରେ ରହି ବି ନୈତିକ ଭାବେ ଶୁଦ୍ଧ ରହିପାରିବା ।—ହିତୋ. ୧୪:୨.

ଏପରି କରିବା ପାଇଁ ଯିହୋବା ଆମକୁ ସାହାଯ୍ୟ କରନ୍ତି । ତାହା କିପରି ? ସେ ହିତୋପଦେଶ ବହିରେ ଅନେକଗୁଡ଼ିଏ ବଢ଼ିଆ ପରାମର୍ଶ ଲେଖାଇଛନ୍ତି, ଯେଉଁଥିରୁ ନୈତିକ ଭାବେ ଶୁଦ୍ଧ ରହିବାର ଆମ ସଂକଳ୍ପ ଆହୁରି ଦୃଢ଼ ହୋଇପାରେ । ଏଥିରେ ଦିଆଯାଇଥିବା ପରାମର୍ଶ ମାନିଲେ ପୁରୁଷ-ସ୍ତ୍ରୀ, ବୃଦ୍ଧବୃଦ୍ଧା-ଯୁବା ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଲାଭ ହେବ ।

ଈଶ୍ୱରଙ୍କୁ ଭୟ କଲେ ଆମର ସୁରକ୍ଷା ହୁଏ

କାମ ଜାଗାରେ ଧ୍ୟାନ ରଖିବା ଉଚିତ୍‌ ଯେ ଆମେ ଏପରି ଲୋକମାନଙ୍କ ସହ ସାଙ୍ଗ ନ ହେଉ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ ଓ ଏପରି କୌଣସି ନିମନ୍ତ୍ରଣ ସ୍ୱୀକାର ନ କରୁ, ଯେଉଁଥିରୁ ଯିହୋବାଙ୍କ ହୃଦୟକୁ ଦୁଃଖ ପହଞ୍ଚିବ (ପାରାଗ୍ରାଫ ୩)

୩. ହିତୋପଦେଶ ୧୭:୩ ପଦ ଅନୁସାରେ ନିଜ ହୃଦୟକୁ ସୁରକ୍ଷା କରିବାର ଗୋଟିଏ କାରଣ କʼଣ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ନିଜ ହୃଦୟକୁ ସୁରକ୍ଷା କରିବାର ଗୋଟିଏ କାରଣ ହେଉଛି ଯେ ଯିହୋବା ଆମ ହୃଦୟର ଯାଞ୍ଚ କରନ୍ତି । ଏହାର ଅର୍ଥ ଏପରି ନୁହେଁ ଯେ ଯିହୋବା କେବଳ ଆମ ବାହାର ରୂପକୁ ଧ୍ୟାନ ଦିଅନ୍ତି, ବରଂ ସେ ଏହା ବି ଧ୍ୟାନ ଦିଅନ୍ତି ଯେ ଆମେ ଭିତରୁ କିପରି ବ୍ୟକ୍ତି ଅଟୁ । (ହିତୋପଦେଶ ୧୭:୩ ପଢ଼ନ୍ତୁ ।) ସେ ଅନେକଗୁଡ଼ିଏ ବୁଦ୍ଧିଭରା କଥା ଲେଖାଇଛନ୍ତି, ସେଗୁଡ଼ିକୁ ମାନିଲେ ଆମକୁ ଜୀବନ ମିଳିପାରିବ । (ଯୋହ. ୪:୧୪) ଯଦି ଆମେ ଏଗୁଡ଼ିକୁ ଧ୍ୟାନ ଦେବା, ତେବେ ଶୟତାନ ଓ ତାʼଦୁନିଆରେ ବିଷ ଭଳି ବ୍ୟାପିଥିବା ମିଛ ଓ ଅନୈତିକ କଥାଗୁଡ଼ିକ ପାଇଁ ଆମ ମନରେ କୌଣସି ଜାଗା ନ ଥିବ । (୧ ଯୋହ. ୫:୧୮, ୧୯) ତାʼପରେ ଯିହୋବା ଆମକୁ ଆହୁରି ପ୍ରେମ କରିବେ । ଯେତେ ଅଧିକ ଯିହୋବାଙ୍କ ନିକଟତର ହେବା, ଆମେ ସେତେ ଅଧିକ ତାଙ୍କୁ ପ୍ରେମ ଓ ଆଦର କରିବାକୁ ଲାଗିବା । ତାʼପରେ ଆମେ ଏପରି କିଛି ବି କରିବା ପାଇଁ ଚାହିଁବାନି, ଯେଉଁଥିରୁ ଆମ ପିତା ଯିହୋବାଙ୍କୁ ଦୁଃଖ ଲାଗିବ । ଆମକୁ ପାପ କରିବାର ଭାବନାରୁ ହିଁ ଘୃଣା ହୋଇଯିବ । ଯେବେ ଆମକୁ ଖରାପ କାମ କରିବାର ପ୍ରଲୋଭନ ଦିଆଯାଏ, ତେବେ ଆମେ ଭାବିବା, ‘ଏହି ଖରାପ କାମ କରି ମୁଁ ତାଙ୍କୁ କିପରି ଦୁଃଖ ପହଞ୍ଚାଇପାରେ, ଯିଏ ମୋତେ ଏତେ ପ୍ରେମ କରନ୍ତି ?’—୧ ଯୋହ. ୪:୯, ୧୦.

୪. ଯିହୋବାଙ୍କୁ ଭୟ କରିବା ଯୋଗୁଁ ଜଣେ ଭଉଣୀଙ୍କ କିପରି ସୁରକ୍ଷା ହେଲା ?

କ୍ରୋଏସିଆରେ ରହୁଥିବା ଭଉଣୀ ମାର୍ଟାଙ୍କୁ ଅନୈତିକ କାମ କରିବା ପାଇଁ ପ୍ରଲୋଭନ ଦିଆଯାଇଥିଲା । ସେ ଏବିଷୟରେ କହନ୍ତି, “ମୁଁ ଭଲଭାବେ ଭାବିପାରୁ ନ ଥିଲି । ସେହି ପାପ କରି ଯେଉଁ ଟିକେ ସମୟର ଖୁସି ମିଳନ୍ତା, ସେହି ଖୁସି ପାଇବାର ଇଚ୍ଛା ଏତେ ଦୃଢ଼ ହୋଇଯାଇଥିଲା ଯେ ତାହାକୁ କାବୁ କରିବା ମୋ ପାଇଁ ବହୁତ କଠିନ ହୋଇଯାଇଥିଲା । କିନ୍ତୁ ଯିହୋବାଙ୍କୁ ଭୟ କରିବା ଯୋଗୁଁ ମୋର ସୁରକ୍ଷା ହୋଇପାରିଲା ।” b ଈଶ୍ୱରଙ୍କୁ ଭୟ କରିବା ଯୋଗୁଁ ଭଉଣୀଙ୍କ କିପରି ସୁରକ୍ଷା ହେଲା ? ସେ ଏବିଷୟରେ ବହୁତ ଭାବିଲେ ଯେ ଅନୈତିକ କାମ କରିବା ଯୋଗୁଁ ତାଙ୍କୁ କେତେ ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ । ଆମେ ମଧ୍ୟ ଖରାପ କାମଗୁଡ଼ିକର ଖରାପ ପରିଣାମଗୁଡ଼ିକ ବିଷୟରେ ଭାବିପାରିବା । ଏପରି କାମଗୁଡ଼ିକର ସବୁଠୁ ଖରାପ ପରିଣାମ ଏହା ହେବ ଯେ ଆମେ ଯିହୋବାଙ୍କ ହୃଦୟକୁ ଦୁଃଖ ପହଞ୍ଚାଇବା ଓ ସବୁଦିନ ଯାଏ ତାଙ୍କ ଉପାସନା ବି କରିପାରିବାନି ।—ଆଦି. ୬:୫, ୬.

୫. ଆପଣ ଭାଇ ଲିୟୋଙ୍କଠାରୁ କʼଣ ଶିଖିପାରିବେ ?

ଯେବେ ଆମେ ଯିହୋବାଙ୍କୁ ଭୟ କରୁ, ତେବେ ଏହା ପ୍ରମାଣିତ କରିବା ପାଇଁ ଚେଷ୍ଟା କରି ନ ଥାଉ ଯେ ମୁଁ ଯାହା କରୁଛି, ତାହା ଏତେ ବି ଖରାପ ନୁହେଁ । କଙ୍ଗୋରେ ରହୁଥିବା ଭାଇ ଲିୟୋ ଭୁଲ କରିବା ପରେ ଏକଥା ଶିଖିଲେ । ସେ ବାପ୍ତିସ୍ମର ଚାରି ବର୍ଷ ପରେ ଏପରି ଲୋକମାନଙ୍କ ସହ ସାଙ୍ଗ ହେବାକୁ ଲାଗିଲେ, ଯେଉଁମାନେ ଖରାପ କାମ କରୁଥିଲେ । ଭାଇ ଭାବିବାକୁ ଲାଗିଲେ, ‘ସେମାନଙ୍କ ସହ ସାଙ୍ଗ ହେବାରେ କʼଣ ଖରାପ ଅଛି, ମୁଁ ସେମାନଙ୍କ ଭଳି ପାପ ତ କରୁନି ।’ କିନ୍ତୁ ଦେଖୁ ଦେଖୁ ଭାଇ ବି ସେମାନଙ୍କ ଭଳି ମଦ ପିଇବାକୁ ଲାଗିଲେ ଓ ଅନୈତିକ କାମ କରିଦେଲେ । କିନ୍ତୁ ପରେ ସେ ସେହି କଥାଗୁଡ଼ିକ ବିଷୟରେ ଭାବିବାକୁ ଲାଗିଲେ, ଯାହା ତାଙ୍କ ବାପାମାଆ ତାଙ୍କୁ ଶିଖାଇଥିଲେ ଓ ସେ ଏହା ବି ଭାବିଲେ ଯେ ଯେବେ ସେ ସେମାନଙ୍କ ସହ ମିଶି ଯିହୋବାଙ୍କ ସେବା କରୁଥିଲେ, ତେବେ ସେ କେତେ ଖୁସି ରହୁଥିଲେ । ଏସବୁ ଭାବିବା ଦ୍ୱାରା ଯେପରି ତାଙ୍କୁ ଚେତା ଆସିଗଲା । ତାʼପରେ ପ୍ରାଚୀନମାନଙ୍କ ସାହାଯ୍ୟ ଯୋଗୁଁ ଭାଇ ଯିହୋବାଙ୍କ ପାଖରେ ଫେରି ଆସିଲେ । ଆଜି ସେ ଜଣେ ପ୍ରାଚୀନ ଅଟନ୍ତି ଓ ବିଶେଷ ଅଗ୍ରଦୂତ ଭାବେ ସେବା କରୁଛନ୍ତି ।

୬. ଏବେ ଆମେ କେଉଁ ଦୁଇଜଣ ସ୍ତ୍ରୀ ବିଷୟରେ ଚର୍ଚ୍ଚା କରିବା ?

ଆସନ୍ତୁ ଏବେ ଆମେ ହିତୋପଦେଶ ୯ ଅଧ୍ୟାୟ ଉପରେ ଧ୍ୟାନ ଦେବା ଯେଉଁଠି ଦୁଇଜଣ ସ୍ତ୍ରୀ ବିଷୟରେ କୁହାଯାଇଛି । ଜଣେ ମୂର୍ଖତାକୁ ଦର୍ଶାଏ ଓ ଅନ୍ୟଟି ପ୍ରକୃତ ବୁଦ୍ଧିକୁ । c ମନେରଖନ୍ତୁ ଯେ ଶୟତାନର ଦୁନିଆରେ ଅନୈତିକ କାମ (ସେକ୍ସ) କରିବା, ଅଶ୍ଳୀଳ ଚିତ୍ର ଦେଖିବା ଓ ଭିଡିଓ (ପର୍ନୋଗ୍ରାଫି) ଦେଖିବା ପାଇଁ ପାଗଳ ଅଛି । (ଏଫି. ୪:୧୯) ତେଣୁ ଜରୁରୀ ଯେ ଆମେ ସବୁବେଳେ ଯିହୋବାଙ୍କୁ ଭୟ କରୁ ଓ ଖରାପ କାମଗୁଡ଼ିକୁ ତ୍ୟାଗ କରୁ । (ହିତୋ. ୧୬:୬) ଏହି କଥାକୁ ଧ୍ୟାନରେ ରଖି ଆମେ ହିତୋପଦେଶ ୯ ଅଧ୍ୟାୟ ଉପରେ ଚର୍ଚ୍ଚା କରିବା । ଏଥିରୁ ପୁରୁଷ-ସ୍ତ୍ରୀ ସମସ୍ତଙ୍କୁ ବହୁତ ଲାଭ ହୋଇପାରିବ । ଏହି ଅଧ୍ୟାୟରେ କୁହାଯାଇଥିବା ଦୁଇଜଣ ସ୍ତ୍ରୀ ଅବୋଧ ଲୋକକୁ, ଅର୍ଥାତ୍‌ “ବୁଦ୍ଧିହୀନ” ଲୋକକୁ ଡାକୁଛନ୍ତି ଓ କହୁଛନ୍ତି, “ଆସ, ମୋହର ଭକ୍ଷ୍ୟ ଭୋଜନ କର ।” (ହିତୋ. ୯:୧, ୫, ୬, ୧୩, ୧୬, ୧୭) କିନ୍ତୁ ଦୁଇଜଣଙ୍କ ନିମନ୍ତ୍ରଣ ସ୍ୱୀକାର କରିବାର ଯେଉଁ ପରିଣାମ ହେବ, ସେଥିରେ ବହୁତ ପାର୍ଥକ୍ୟ ଅଛି ।

ମୂର୍ଖ ସ୍ତ୍ରୀର ନିମନ୍ତ୍ରଣକୁ ସ୍ୱୀକାର କରନ୍ତୁନି

‘ମୂର୍ଖ ସ୍ତ୍ରୀର’ ନିମନ୍ତ୍ରଣ ସ୍ୱୀକାର କରିବା ଯୋଗୁଁ ବହୁତ ଖରାପ ପରିଣାମ ହୋଇପାରେ (ପାରାଗ୍ରାଫ ୭)

୭. ହିତୋପଦେଶ ୯:୧୩-୧୮ ପଦ ଅନୁସାରେ ମୂର୍ଖ ସ୍ତ୍ରୀର ନିମନ୍ତ୍ରଣ ସ୍ୱୀକାର କରିବା ଲୋକମାନଙ୍କର କʼଣ ପରିଣାମ ହୁଏ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

“ଅଜ୍ଞାନା” ଅର୍ଥାତ୍‌ ମୂର୍ଖ ସ୍ତ୍ରୀର ନିମନ୍ତ୍ରଣ ଉପରେ ଧ୍ୟାନ ଦିଅନ୍ତୁ । (ହିତୋପଦେଶ ୯:୧୩-୧୮ ପଢ଼ନ୍ତୁ ।) ଯେଉଁ ଲୋକମାନେ ବୁଦ୍ଧିହୀନ, ସେମାନଙ୍କୁ ସେ ନିର୍ଲଜ୍ଜ ହୋଇ କହେ, ‘ଏଠାକୁ ଆସ’ ଓ ଭୋଜର ମଜା ନିଅ । କିନ୍ତୁ ଏହାର ପରିଣାମ କʼଣ ହୁଏ ? ସେହି ଅଧ୍ୟାୟର ଆଗକୁ କୁହାଯାଇଛି, ‘ତାହାର ନିମନ୍ତ୍ରିତଗଣ କବରର ଗଭୀର ସ୍ଥାନରେ ଅଛନ୍ତି ।’ ଆପଣଙ୍କୁ ହୁଏତ ମନେଥିବ ଯେ ଏହି ବହିର ପୂର୍ବ କିଛି ଅଧ୍ୟାୟଗୁଡ଼ିକରେ ମଧ୍ୟ ଗୋଟିଏ ଏପରି ହିଁ ସ୍ତ୍ରୀଠାରୁ ସାବଧାନ ରହିବା ପାଇଁ କୁହାଯାଇଛି, ଯିଏ “କୁକର୍ମକାରୀ” ଓ “ଚାଟୁବାଦିନୀ” ବା ଚରିତ୍ରହୀନ ଅଟେ । ସେଠାରେ କୁହାଯାଇଛି, ‘ତାʼର ପଥ ମୃତ୍ୟୁ ଆଡ଼େ ଯାଏ ।’ (ହିତୋ. ୨:୧୧-୧୯) ଆଉ ହିତୋପଦେଶ ୫:୩-୧୦ ପଦରେ ଆଉ ଗୋଟିଏ “ପରସ୍ତ୍ରୀ” ବିଷୟରେ ସାବଧାନ କରାଯାଇଛି, ଯାହାର “ପାଦ ମୃତ୍ୟୁ ଆଡ଼କୁ ଓହ୍ଲାଇ ଯାଏ ।”

୮. ଆମକୁ କʼଣ ନିଷ୍ପତ୍ତି ନେବାକୁ ପଡ଼ିପାରେ ?

ଯେଉଁ ଲୋକମାନେ ‘ମୂର୍ଖ ସ୍ତ୍ରୀର’ ନିମନ୍ତ୍ରଣ ସ୍ୱୀକାର କରନ୍ତି, ସେମାନଙ୍କୁ ଗୋଟିଏ ନିଷ୍ପତ୍ତି ନେବାକୁ ପଡ଼େ: କʼଣ ସେମାନେ ତାʼର ନିମନ୍ତ୍ରଣକୁ ସ୍ୱୀକାର କରିବେ ନା ତାʼଠାରୁ ଦୂରେଇ ଯିବେ ? ଆଜି ଆମ ସହିତ ବି ଏପରି ହିଁ କିଛି ହୋଇପାରେ । ହୁଏତ ଆମକୁ ଅନୈତିକ କାମ କରିବା ପାଇଁ ପ୍ରଲୋଭନ ଆସିବ କିମ୍ବା ସୋସିଆଲ୍‌ ମିଡିଆ ବା ଇଣ୍ଟରନେଟ୍‌ରେ ହଠାତ୍‌ କିଛି ଅଶ୍ଳୀଳ ଚିତ୍ର କିମ୍ବା ଭିଡିଓ ଆସିଯିବ । ଏହା ଏପରି ହେବ ଯେପରି ମୂର୍ଖ ସ୍ତ୍ରୀ ଆମକୁ ଡାକ ପକାଉଛି । ଏପରି ସମୟରେ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆମେ କʼଣ କରିବା ।

୯-୧୦. ଆମକୁ ଅନୈତିକ କାମଗୁଡ଼ିକଠାରୁ କାହିଁକି ଦୂରେଇ ରହିବା ଉଚିତ୍‌ ?

ଅନୈତିକ ଯୌନ ସମ୍ପର୍କର ବହୁତ ଖରାପ ପରିଣାମ ହୁଏ, ତେଣୁ ଆମକୁ ସେଠାରୁ ଦୂରେଇ ରହିବା ଉଚିତ୍‌ । ‘ମୂର୍ଖ ସ୍ତ୍ରୀ’ କହେ, “ଚୌର୍ଯ୍ୟଜଳ ମିଷ୍ଟ ।” “ଚୌର୍ଯ୍ୟଜଳ” ବା ଚୋରିର ପାଣିର ଅର୍ଥ କʼଣ ? ବାଇବଲରେ କୁହାଯାଇଛି ଯେ ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ଯେଉଁ ସମ୍ପର୍କ ରଖନ୍ତି, ତାହା ସତେଜ କରୁଥିବା ପାଣି ଭଳି ଅଟେ । (ହିତୋ ୫:୧୫-୧୮) ଯଦି ଜଣେ ପୁରୁଷ ଓ ସ୍ତ୍ରୀର ଆଇନ ଅନୁସାରେ ବିବାହ ହୋଇଛି, ତେବେ ସେମାନେ ପରସ୍ପର ସହ ସ୍ୱାଭାବିକ ଭାବେ ସମ୍ପର୍କ ରଖି ଖୁସି ପାଇପାରିବେ । କିନ୍ତୁ ଚୋରିର ପାଣି ବିଷୟରେ ଏପରି କୁହାଯାଇ ନାହିଁ । ଏହାର ଅର୍ଥ ଅନୈତିକ ଯୌନ ସମ୍ପର୍କ ହୋଇପାରେ । ଏପରି କାମ ପ୍ରାୟ ଲୁଚିକି କରାଯାଏ, ଯେପରି ଲୋକମାନେ ପ୍ରାୟ ଲୁଚିକି ଚୋରି କରନ୍ତି । ଚୋରିର ପାଣି ବିଶେଷ କରି ସେହି ଲୋକମାନଙ୍କ ପାଇଁ ଆହୁରି ମିଷ୍ଟ ଲାଗିପାରେ, ଯେଉଁମାନଙ୍କୁ ଲାଗେ ଯେ ସେମାନେ ଯାହା କରୁଛନ୍ତି, ତାହା କାହାରିକୁ ବି ଜଣାପଡ଼ିବନି । ଏପରି ଲୋକେ ନିଜକୁ ବହୁତ ବଡ଼ ଧୋକା ଦିଅନ୍ତି । ଯିହୋବା ସବୁକିଛି ଦେଖନ୍ତି । ଏହା ସତ ଯେ ଏହି ଅନୁଭବ “ମିଷ୍ଟ” ନୁହେଁ, ବରଂ ଏହା ବହୁତ ପିତ ହୋଇଥାଏ, କାରଣ ଏପରି କରି ଜଣେ ବ୍ୟକ୍ତି ଯିହୋବାଙ୍କ ମଞ୍ଜୁରି ହରାଇଦିଏ । (୧ କରି. ୬:୯, ୧୦) କିନ୍ତୁ ଏହାର ଆହୁରି ଅନେକ ଖରାପ ପରିଣାମ ହୁଏ ।

୧୦ ଅନୈତିକ ଯୌନ ସମ୍ପର୍କ ରଖିବା ପରେ ଅନେକ ଲୋକ ଲଜ୍ଜିତ ଅନୁଭବ କରନ୍ତି ଆଉ ନିଜକୁ ବେକାର ମନେକରନ୍ତି । ତାʼଛଡ଼ା ପରିବାର ଭାଙ୍ଗି ଯାଇପାରେ ଓ ଜଣେ ସ୍ତ୍ରୀର ଇଚ୍ଛା ନ ଥାଇ ବି ସେ ଗର୍ଭବତୀ ହୋଇପାରେ । ତେଣୁ ଭଲ ହେବ ଯେ ଆମେ ମୂର୍ଖ ସ୍ତ୍ରୀର “ଗୃହ” ନ ଯାଉ ଓ ତାʼର ଭୋଜର ମଜା ନ ନେଉ । ଯେଉଁ ଲୋକମାନେ ଅନୈତିକ କାମ କରନ୍ତି, ସେମାନଙ୍କର ସତେ ଯେପରି ମୃତ୍ୟୁ ହୋଇଯାଏ । କାରଣ ସେମାନଙ୍କର ଯିହୋବାଙ୍କ ସହ ସମ୍ପର୍କ ଭାଙ୍ଗିଯାଏ । ତାʼଛଡ଼ା ଅନେକ ଲୋକଙ୍କୁ ଏପରି ରୋଗଗୁଡ଼ିକ ହୋଇଯାଏ ଯାହାଯୋଗୁଁ ସମୟ ପୂର୍ବରୁ ହିଁ ସେମାନଙ୍କ ସତରେ ମୃତ୍ୟୁ ହୋଇଯାଏ । (ହିତୋ. ୭:୨୩, ୨୬) ହିତୋପଦେଶ ୯ ଅଧ୍ୟାୟର ଶେଷ ପଦରେ କେତେ ସଠିକ୍‌ କଥା ଲେଖାଅଛି, ‘ମୂର୍ଖ ସ୍ତ୍ରୀର ନିମନ୍ତ୍ରିତଗଣ କବରର ଗଭୀର ସ୍ଥାନରେ ଅଛନ୍ତି ।’ (ପଦ ୧୮) ଯଦି ମୂର୍ଖ ସ୍ତ୍ରୀର ନିମନ୍ତ୍ରଣ ସ୍ୱୀକାର କରିବା ଯୋଗୁଁ ଏତେ ଖରାପ ପରିଣାମ ହୁଏ, ତାହେଲେ କାହିଁକି ଅନେକ ଲୋକ ତାʼଘରକୁ ଯାନ୍ତି ?—ହିତୋ. ୯:୧୩-୧୮.

୧୧. ପର୍ନୋଗ୍ରାଫି ଦେଖିବା କାହିଁକି ବହୁତ ବିପଦପୂର୍ଣ୍ଣ ଅଟେ ?

୧୧ ଆଜି ଅନେକ ଲୋକ ପର୍ନୋଗ୍ରାଫି ଦେଖିବାର ଫାନ୍ଦରେ ଫସିଯାନ୍ତି । କିଛି ଲୋକ ଭାବନ୍ତି ଯେ ଏହାକୁ ଦେଖିବାରେ କୌଣସି ଭୁଲ ନାହିଁ । କିନ୍ତୁ ପ୍ରକୃତରେ ଏହାକୁ ଦେଖିବା ଦ୍ୱାରା ଲୋକମାନଙ୍କୁ ଅନେକ କ୍ଷତି ପହଞ୍ଚେ । ସେମାନେ ନିଜକୁ ତୁଚ୍ଛ ମନେକରନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଖରାପ ଦୃଷ୍ଟିରେ ଦେଖିବାକୁ ଲାଗନ୍ତି ଆଉ ସେମାନେ ଏହା ଦେଖିବାର ଅଭ୍ୟସ୍ତ ହୋଇଯାନ୍ତି । ଯେବେ କେହି ଅଶ୍ଳୀଳ ଚିତ୍ରଗୁଡ଼ିକୁ ଦେଖେ, ତେବେ ତାହା ତାʼ ମନରେ ଛାପି ହୋଇଯାଏ ଓ ତାʼପରେ ସେଗୁଡ଼ିକୁ ଭୁଲିବା ତାʼପାଇଁ ବହୁତ କଠିନ ହୋଇଯାଏ । ତାʼଛଡ଼ା ପର୍ନୋଗ୍ରାଫି ଖରାପ ଇଚ୍ଛାଗୁଡ଼ିକୁ କାବୁ କରେନି, ବରଂ ସେଗୁଡ଼ିକୁ ଉତ୍ତେଜିତ କରେ । (କଲ. ୩:୫; ଯାକୁ. ୧:୧୪, ୧୫) ଯେଉଁ ଲୋକମାନେ ପର୍ନୋଗ୍ରାଫି ଦେଖନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆଗକୁ ଯାଇ ଅନୈତିକ କାମ କରିଦିଅନ୍ତି ।

୧୨. ଯଦି ଆମେ ଚାହୁଁ ଯେ ଆମ ମନରେ ଖରାପ ଇଚ୍ଛାଗୁଡ଼ିକ ନ ଆସୁ, ତେବେ ଆମକୁ କʼଣ କରିବାକୁ ପଡ଼ିବ ?

୧୨ ଯଦି ଆମ ଫୋନ୍‌ କିମ୍ବା କମ୍ପ୍ୟୁଟର ଇତ୍ୟାଦିରେ ତୁରନ୍ତ କୌଣସି ଅଶ୍ଳୀଳ (ପର୍ନୋଗ୍ରାଫି ଭଳି) ଚିତ୍ର ଆସିଯାଏ, ତେବେ ଆମେ ଖ୍ରୀଷ୍ଟିୟାନମାନଙ୍କୁ କʼଣ କରିବା ଉଚିତ୍‌ ? ଆମେ ତୁରନ୍ତ ନିଜ ମୁହଁ ବୁଲାଇ ନେବା ଉଚିତ୍‌ । ସେସମୟରେ ଯଦି ଆମେ ମନେରଖୁ ଯେ ଯିହୋବାଙ୍କ ସହ ଆମ ସମ୍ପର୍କ କେତେ ବହୁମୂଲ୍ୟ ଅଟେ, ତେବେ ଆମେ ଏହି ପଦକ୍ଷେପ ନେଇପାରିବା । ହୋଇପାରେ, କୌଣସି ଚିତ୍ର ଏତେ ଅଶ୍ଳୀଳ ନ ଥିବ, କିନ୍ତୁ ତାହାକୁ ଦେଖିବା ଦ୍ୱାରା ଆମ ମନରେ ଅନୈତିକ ଭାବନା ଆସେ । ଏପରି ଚିତ୍ରଗୁଡ଼ିକୁ ମଧ୍ୟ ଆମକୁ କାହିଁକି ଦେଖିବା ଉଚିତ୍‌ ନୁହେଁ ? କାରଣ ଆମେ ଏପରି କିଛି କରିବା ପାଇଁ ଚାହୁଁନୁ, ଯେଉଁଥିରୁ ଆମ ମନରେ ଖରାପ ଇଚ୍ଛାଗୁଡ଼ିକ ଆସୁ କିମ୍ବା ଆମେ ହୃଦୟରେ ବ୍ୟଭିଚାର କରିନେଉ । (ମାଥି. ୫:୨୮, ୨୯) ଥାଇଲ୍ୟାଣ୍ଡରେ ରହୁଥିବା ଭାଇ ଡେଭିଡ୍‌ ଯିଏ ଜଣେ ପ୍ରାଚୀନ ଅଟନ୍ତି, କହନ୍ତି, “ମୁଁ ଭାବେ, ‘ହୁଏତ କୌଣସି ଚିତ୍ର ଏତେ ଖରାପ ନ ଥିବ, କିନ୍ତୁ ଯଦି ମୁଁ ସେଗୁଡ଼ିକୁ ଦେଖୁଥିବି, ତେବେ କʼଣ ଯିହୋବା ମୋଠାରୁ ଖୁସି ହେବେ ?’ ଏପରି ଭାବେ ଭାବିବା ଦ୍ୱାରା ମୁଁ ସଠିକ୍‌ ପଦକ୍ଷେପ ନେଇପାରେ ।”

୧୩. କେଉଁ କଥା ମନେ ରଖିବାରୁ ଆମେ ବୁଦ୍ଧିର ସହ କାମ କରିପାରିବା ?

୧୩ ଯଦି ଆମକୁ ଏକଥାକୁ ନେଇ ଡର ଥିବ ଯେ କୌଣସି ଖରାପ କାମ କରିବା ଦ୍ୱାରା ଆମେ ଯିହୋବାଙ୍କ ହୃଦୟକୁ ଦୁଃଖ ପହଞ୍ଚାଇବା, ତେବେ ଆମେ ବୁଦ୍ଧିର ସହ କାମ କରିବା । ପ୍ରକୃତରେ, ଯିହୋବାଙ୍କୁ ଭୟ କରିବା “ଜ୍ଞାନର ଆରମ୍ଭ” ଅଟେ । (ହିତୋ. ୯:୧୦) ଏହି କଥା ହିତୋପଦେଶ ୯ ଅଧ୍ୟାୟର ପ୍ରଥମ କିଛି ପଦଗୁଡ଼ିକରେ ବୁଝାଯାଇଛି । ସେଠାରେ ଆଉ ଜଣେ ସ୍ତ୍ରୀ ବିଷୟରେ କୁହାଯାଇଛି, ଯିଏ “ଜ୍ଞାନ [‘ପ୍ରକୃତ ବୁଦ୍ଧିକୁ,’ NWT]” ଦର୍ଶାଏ ।

ଜ୍ଞାନୀ ସ୍ତ୍ରୀର ନିମନ୍ତ୍ରଣ ସ୍ୱୀକାର କରନ୍ତୁ

୧୪. ହିତୋପଦେଶ ୯:୧-୬ ପଦରେ କʼଣ ନିମନ୍ତ୍ରଣ ଦିଆଯାଇଛି ?

୧୪ ହିତୋପଦେଶ ୯:୧-୬ ପଢ଼ନ୍ତୁ । ଏହି ପଦଗୁଡ଼ିକରେ ଆମକୁ ଆଉ ଗୋଟିଏ ନିମନ୍ତ୍ରଣ ଦିଆଯାଇଛି । ଏହି ନିମନ୍ତ୍ରଣ ଯିହୋବାଙ୍କ ତରଫରୁ ଅଟେ, ଯେ ଆମ ସୃଷ୍ଟିକର୍ତ୍ତା ଅଟନ୍ତି ଓ ସମସ୍ତଙ୍କୁ ବୁଦ୍ଧି ଦିଅନ୍ତି । (ହିତୋ. ୨:୬; ରୋମୀ. ୧୬:୨୭) ଏହି ପଦଗୁଡ଼ିକରେ ଗୋଟିଏ ବଡ଼ ଘର ବିଷୟରେ କୁହାଯାଇଛି, ଯାହା ସାତସ୍ତମ୍ଭରେ ଛିଡ଼ା ହୋଇଛି । ଏଥିରୁ ଜଣାପଡ଼େ ଯେ ଯିହୋବାଙ୍କ ହୃଦୟ ବହୁତ ବଡ଼ ଅଟେ, ସେ ସମସ୍ତଙ୍କୁ ଏହି ନିମନ୍ତ୍ରଣ ଦେଉଛନ୍ତି ଯେ ସେମାନେ ତାଙ୍କଠାରୁ ଶିଖନ୍ତୁ ଓ ବୁଦ୍ଧିମାନ ହୁଅନ୍ତୁ ।

୧୫. ଯିହୋବା ଆମକୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତି ?

୧୫ ଯିହୋବା ଜଣେ ଉଦାର ଈଶ୍ୱର ଅଟନ୍ତି ଓ ଆମକୁ ବହୁତଗୁଡ଼ିଏ ଭଲ ଜିନିଷ ଦେବା ପାଇଁ ଚାହାନ୍ତି । ଏହି କଥା ଆମେ ହିତୋପଦେଶ ୯ ଅଧ୍ୟାୟରେ କୁହାଯାଇଥିବା ସ୍ତ୍ରୀର ଉଦାହରଣରୁ ବୁଝିପାରିବା ଯାହା “ଜ୍ଞାନ” ଅର୍ଥାତ୍‌ ପ୍ରକୃତ ବୁଦ୍ଧିକୁ ଦର୍ଶାଏ । ସେ ନିଜ ଅତିଥିମାନଙ୍କ ପାଇଁ ମାଂସ, ଦ୍ରାକ୍ଷାରସ ତିଆରି କରିଛି ଓ ମେଜ ସଜାଇଛି । (ହିତୋ. ୯:୨) ହିତୋପଦେଶ ୪ ଓ ୫ ପଦରେ ଲେଖାଅଛି, “ଯେଉଁ ଜନ ନିର୍ବୋଧ, ତାହାକୁ ସେ [ପ୍ରକୃତ ବୁଦ୍ଧି] କହେ, ଆସ, ମୋହର ଭକ୍ଷ୍ୟ ଭୋଜନ କର ।” ଯିହୋବା ଆମକୁ ପ୍ରୋତ୍ସାହନ ଦେଲେ ଯେ ଆମେ ପ୍ରକୃତ ବୁଦ୍ଧିର ନିମନ୍ତ୍ରଣ ସ୍ୱୀକାର କରୁ ଓ ସେ ଯେଉଁ ଭୋଜ ପ୍ରସ୍ତୁତ କରିଛି, ତାହାର ମଜା ନେଉ । କାହିଁକି ? କାରଣ ଯିହୋବା ଚାହାନ୍ତି ଯେ ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ ଓ ସୁରକ୍ଷିତ ରହନ୍ତୁ । ସେ ଏହା ଚାହାନ୍ତିନି ଯେ ଆମେ ଭୁଲ କରି ଅବଶୋଷ କରୁ ଓ ତାʼପରେ ଶିଖୁ । ଯିହୋବାଙ୍କ ପାଖରେ ‘ସତ୍‌ ଲୋକଙ୍କ ଲାଭ ନିମନ୍ତେ ତତ୍ତ୍ୱଜ୍ଞାନ ସଞ୍ଚୟ ଅଛି ।’ (ହିତୋ. ୨:୭) ଯଦି ଆମେ ଈଶ୍ୱରଙ୍କୁ ଭୟ କରିବା, ତେବେ ଆମେ ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିବା । ଆମେ ତାଙ୍କ ବୁଦ୍ଧିଭରା ପରାମର୍ଶ ଉପରେ ଧ୍ୟାନ ଦେବା ଓ ଖୁସି ଖୁସି ତାହାକୁ ମାନିବା ।—ଯାକୁ. ୧:୨୫.

୧୬. ଈଶ୍ୱରଙ୍କୁ ଭୟ କରିବା ଯୋଗୁଁ ଭାଇ ଆଲାନ୍‌ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିଲେ ଓ ତାʼର ପରିଣାମ କʼଣ ହେଲା ?

୧୬ ଧ୍ୟାନ ଦିଅନ୍ତୁ ଯେ ଈଶ୍ୱରଙ୍କୁ ଭୟ କରିବା ଯୋଗୁଁ ଆଲାନ୍‌ ନାମକ ଭାଇ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିଲେ । ସେ ଜଣେ ପ୍ରାଚୀନ ଅଟନ୍ତି ଓ ଗୋଟେ ସ୍କୁଲରେ ପାଠ ପଢ଼ାନ୍ତି । ସେ କହନ୍ତି, “ମୋ ସ୍କୁଲର ଅନେକ ଟିଚର ପର୍ନୋଗ୍ରାଫି ଭଳି ଫିଲ୍ମ ଦେଖିବାକୁ ଖରାପ ବୋଲି ମନେ କରୁ ନ ଥିଲେ । ସେମାନେ କହୁଥିଲେ ଯେ ଏହା କେବଳ ସେକ୍ସ ବିଷୟରେ ଜାଣିବାର ଗୋଟିଏ ଉପାୟ ।” କିନ୍ତୁ ଭାଇ ଜାଣିଥିଲେ ଯେ ଏହା ଭୁଲ ଅଟେ । ସେ କହନ୍ତି, “ମୁଁ ଈଶ୍ୱରଙ୍କୁ ଭୟ କରୁଥିଲି, ତେଣୁ ମୁଁ ଏପରି ଫିଲ୍ମ ଦେଖିବା ପାଇଁ ସ୍ପଷ୍ଟ ଭାବେ ମନା କରିଦେଲି । ସେହି ଟିଚରମାନଙ୍କୁ ଏହା ବି କହିଲି ଯେ ମୁଁ କାହିଁକି ଏପରି ଫିଲ୍ମ ଦେଖେନି ।” ଭାଇ ‘ପ୍ରକୃତ ବୁଦ୍ଧିର’ ଡାକ ଶୁଣିଲେ ଓ ‘ସୁବିବେଚନାର ପଥରେ ଚାଲିଲେ ।’ (ହିତୋ. ୯:୬) ଭାଇ ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ଏହା ଦେଖି କିଛି ଟିଚରମାନଙ୍କୁ ବହୁତ ଭଲ ଲାଗିଲା ଓ ସେମାନେ ମଧ୍ୟ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ ଏବଂ ଆମ ସଭାରେ ଆସିବାକୁ ଲାଗିଲେ ।

‘ପ୍ରକୃତ ବୁଦ୍ଧିର’ ନିମନ୍ତ୍ରଣ ସ୍ୱୀକାର କରିବା ଦ୍ୱାରା ଆମେ ଖୁସି ରହିବା ଓ ଆଗକୁ ଯାଇ ସବୁଦିନ ଯାଏ ବଞ୍ଚିବା (ପାରାଗ୍ରାଫ ୧୭-୧୮)

୧୭-୧୮. ଯେଉଁ ଲୋକମାନେ ‘ପ୍ରକୃତ ବୁଦ୍ଧିର’ ଡାକ ଶୁଣନ୍ତି, ସେମାନଙ୍କୁ ଆଜି କେଉଁ ଆଶିଷଗୁଡ଼ିକ ମିଳୁଛି ଓ ସେମାନଙ୍କ ଭବିଷ୍ୟତ କିପରି ହେବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ ଯିହୋବା ଦୁଇଜଣ ସ୍ତ୍ରୀର ଉଦାହରଣ ଦେଇ ଆମକୁ ବୁଝାଇବା ପାଇଁ ଚାହୁଁଛନ୍ତି ଯେ ଗୋଟିଏ ଭଲ ଭବିଷ୍ୟତ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ । ଯେଉଁ ଲୋକମାନେ ଅଯଥା କଥା କହୁଥିବା ‘ମୂର୍ଖ ସ୍ତ୍ରୀର’ ନିମନ୍ତ୍ରଣ ସ୍ୱୀକାର କରନ୍ତି, ସେମାନେ କେବଳ ଲୁଚି ରହି ଅନୈତିକ କାମଗୁଡ଼ିକର ମଜା ନେବା ପାଇଁ ଚାହାନ୍ତି । ସେମାନେ କେବଳ ବର୍ତ୍ତମାନ ପାଇଁ ବଞ୍ଚନ୍ତି ଓ ଭବିଷ୍ୟତ ବିଷୟରେ ଟିକେ ବି ଭାବନ୍ତିନି । ସେମାନେ ଜାଣି ହିଁ ନାହାନ୍ତି ଯେ ତାଙ୍କ ଭବିଷ୍ୟତ ‘କବରର ଗଭୀର ସ୍ଥାନରେ’ ଅଛି ।—ହିତୋ. ୯:୧୩, ୧୭, ୧୮.

୧୮ କିନ୍ତୁ ଯେଉଁ ଲୋକମାନେ ‘ପ୍ରକୃତ ବୁଦ୍ଧିର’ ନିମନ୍ତ୍ରଣ ସ୍ୱୀକାର କରନ୍ତି, ସେମାନଙ୍କ ଭବିଷ୍ୟତ ବହୁତ ଭଲ ହେବ । ପ୍ରକୃତ ବୁଦ୍ଧି ନିଜ ଅତିଥିମାନଙ୍କ ପାଇଁ ଯେଉଁ ବଢ଼ିଆ ଭୋଜ ରଖିଛି, ଭଲ ଭଲ ସୁସ୍ୱାଦୁ ଖାଦ୍ୟ ତିଆରି କରିଛି, ସେମାନେ ଆଜି ତାʼର ମଜା ନେଉଛନ୍ତି ଓ ଯିହୋବାଙ୍କ ନିକଟତର ହେଉଛନ୍ତି । (ଯିଶା. ୬୫:୧୩) ଯିହୋବା ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କ ଜରିଆରେ କହିଥିଲେ, “ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ ।” (ଯିଶା. ୫୫:୧, ୨) ଆଜି ଆମେ ଶିଖୁଛୁ ଯେ ଆମକୁ ସେହି କଥାଗୁଡ଼ିକୁ ପ୍ରେମ କରିବାର ଅଛି, ଯାହାକୁ ଯିହୋବା ପ୍ରେମ କରନ୍ତି ଓ ସେହି କଥାଗୁଡ଼ିକୁ ଘୃଣା କରିବାର ଅଛି, ଯାହାକୁ ସେ ଘୃଣା କରନ୍ତି । (ଗୀତ. ୯୭:୧୦) ଆମେ ଅନ୍ୟମାନଙ୍କୁ ମଧ୍ୟ ‘ପ୍ରକୃତ ବୁଦ୍ଧିର’ ଡାକ ଶୁଣିବା ପାଇଁ ନିମନ୍ତ୍ରଣ ଦେଉଛୁ । ଦେଖିବାକୁ ଗଲେ ଆମେ ‘ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହୁ, “ଯେଉଁ ଜଣ ଅବୋଧ, ସେ ଏଠାକୁ ଆସୁ ।”’ ଏପରି କରି ଆମକୁ ବହୁତ ଖୁସି ମିଳେ । ଯେକେହି ବୁଦ୍ଧିର ଡାକ ଶୁଣେ, ତାକୁ କେବଳ ଆଜି ଲାଭ ହେବନି, ବରଂ ଆଗକୁ ମଧ୍ୟ ଲାଭ ହେବ । ତାʼର “ଜୀବନ ରକ୍ଷା” ହେବ ଓ ସେ ‘ସୁବିବେଚନାର ପଥରେ ଚାଲିବ ।’—ହିତୋ. ୯:୩, ୪, ୬.

୧୯. ଉପଦେଶକ ୧୨:୧୩, ୧୪ ପଦ ଅନୁସାରେ ଆମେ କʼଣ କରିବା ପାଇଁ ଦୃଢ଼ ସଂକଳ୍ପ ନେବା ଉଚିତ୍‌ ? (“ ଈଶ୍ୱରଙ୍କୁ ଭୟ କରିବାର ଲାଭ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୯ ଉପଦେଶକ ୧୨:୧୩, ୧୪ ପଢ଼ନ୍ତୁ । ଆସନ୍ତୁ ଆମେ ନିଷ୍ପତ୍ତି ନେବା ଯେ ଆମେ ସବୁବେଳେ ଈଶ୍ୱରଙ୍କୁ ଭୟ କରିବା । ଏପରି ଭାବେ ଏହି ଶେଷକାଳରେ ମଧ୍ୟ ଆମେ ନିଜ ହୃଦୟର ସୁରକ୍ଷା କରିପାରିବା, ନୈତିକ ଭାବେ ଶୁଦ୍ଧ ରହିବା ଓ ଯିହୋବାଙ୍କ ସହ ଆମ ସମ୍ପର୍କ ଦୃଢ଼ ରହିବ । ଈଶ୍ୱରଙ୍କୁ ଭୟ କରିବା ଯୋଗୁଁ ଆମେ ଅଧିକରୁ ଅଧିକ ଲୋକମାନଙ୍କୁ ନିମନ୍ତ୍ରଣ ଦେଉଥିବା ଯେ ସେମାନେ ‘ପ୍ରକୃତ ବୁଦ୍ଧିର’ ଡାକ ଶୁଣନ୍ତୁ ଓ ଲାଭ ପାଆନ୍ତୁ ।

ଗୀତ ୧୨୭ ୟହୋୱା ଚାହେ ଜୈସା, ବନୁଁ ମୈ ୱେସା

a ଖ୍ରୀଷ୍ଟିୟାନମାନଙ୍କୁ ନିଜ ହୃଦୟରେ ଈଶ୍ୱରଙ୍କ ପାଇଁ ସଠିକ୍‌ ଭୟ ବଢ଼ାଇବା ଉଚିତ୍‌ । ଏପରି ଭାବେ ଆମେ ନିଜ ହୃଦୟକୁ ସୁରକ୍ଷା କରିପାରିବା ଓ ଅନୈତିକ କାମ କରିବା ଆଉ ପର୍ନୋଗ୍ରାଫି ଦେଖିବାର ଫାନ୍ଦରୁ ବଞ୍ଚିପାରିବା । ଏହି ଲେଖାରେ ଆମେ ହିତୋପଦେଶ ୯ ଅଧ୍ୟାୟ ଉପରେ ଚର୍ଚ୍ଚା କରିବା, ଯେଉଁଠି ଦୁଇଜଣ ସ୍ତ୍ରୀ ବିଷୟରେ କୁହାଯାଇଛି । ସେମଧ୍ୟରୁ ଜଣେ ମୂର୍ଖତାକୁ ଦର୍ଶାଏ ଓ ଅନ୍ୟଟି ପ୍ରକୃତ ବୁଦ୍ଧିକୁ ଦର୍ଶାଏ । ଏହି ଅଧ୍ୟାୟ ଉପରେ ଚର୍ଚ୍ଚା କରିବା ଦ୍ୱାରା ଆମକୁ ଆଜି ବି ଲାଭ ହେବ ଓ ଭବିଷ୍ୟତରେ ବି ।

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

c ବାଇବଲର ଅନ୍ୟ ପଦଗୁଡ଼ିକରେ ମଧ୍ୟ କିଛି କଥାଗୁଡ଼ିକୁ ଏପରି ଭାବେ କୁହାଯାଇଛି, ଯେପରି ତାହା ଜଣେ ବ୍ୟକ୍ତି ଅଟେ । ଉଦାହରଣ ପାଇଁ ରୋମୀୟ ୫:୧୪ ଓ ଗାଲାତୀୟ ୪:୨୪ ପଢ଼ନ୍ତୁ ।